ଜନ ଆନ୍ଦୋଳନ ନେତାମାନଙ୍କ ଗିରଫର ପ୍ରତିବାଦରେ ସଚେତନ ନାଗରିକମାନଙ୍କ ବିବୃତି

9 Views
12 Min Read

ଖଣି କମ୍ପାନୀମାନଙ୍କ ସ୍ୱାର୍ଥରେ ଆଦିବାସୀ ଗାଁରେ ପୁଲିସ ମୁତୟନ ବନ୍ଦ କର

ଭୁବନେଶ୍ୱର,ତା୧୨/୦୯/୨୦୨୬: ଗତ ସେପ୍ଟେମ୍ୱର ୧୦, ୨୦୨୬ ଅପରାହ୍ନ ୪.୩୦ ସମୟରେ ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକା ଦୁଇଟି ପୁରୁଣା ମାମଲାରେ ଲାଞ୍ଜିଗଡ଼ କୋର୍ଟରୁ ଜାମିନ ପାଇ ତାଙ୍କ ଓକିଲ ଓ ଅନ୍ୟ ଛଅ ଜଣ ଆତ୍ମୀୟଙ୍କ ସହ ଘରକୁ ଫେରୁଥିବା ବେଳେ କଲ୍ୟାଣସିଂହପୁର ଥାନା ଆଇଆଇସି, କେସିଙ୍ଗା ଏସ୍‌ଡିପିଓ ଓ ବିଶ୍ୱନାଥପୁର ଥାନା ଆଇସିସିଙ୍କ ନେତୃତ୍ୱରେ ଏକ ସଶସ୍ତ୍ର ପୁଲିସ ବାହିନୀ କଲ୍ୟାଣସିଂହପୁର ନିକଟରେ ଗାଡ଼ିକୁ ଅଟକେଇ ତାଙ୍କୁ ବଳପୂର୍ବକ ଉଠାଇ ନେଲେ । ଏହି ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ବେଦାନ୍ତର ସିଜିମାଳି ବକ୍‌ସାଇଟ ପ୍ରକଳ୍ପ ବିରୋଧୀ ଆନ୍ଦୋଳନର ଦୁଇ ପ୍ରମୁଖ ଗାଁ – କାଶୀପୁର ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଓ ଥୁଆମୂଳ-ରାମପୁର ଅନ୍ତର୍ଗତ ତଳଆମପଦର ଗାଁର ପ୍ରବେଶ ପଥରେ ସଶସ୍ତ୍ର ପୁଲିସ ବାହିନୀକୁ ମୁତୟନ କରି ଦିଆଗଲା । ଏହି ଦୁଇ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ପୁଲିସ ର ଏପରି ବଳପୂର୍ବକ ଗିରଫ ଓ ସଶସ୍ତ୍ର ଉପସ୍ଥିତିକୁ ଓକିଲ, ମାନବିକ ଅଧିକାର ସଂଗଠନ, ନାଗରିକ ସମାଜ ତଥା ବିଭିନ୍ନ ରାଜନୈତିକ ଗୋଷ୍ଠୀର ସଭ୍ୟମାନେ ଦୃଢ଼ ନିନ୍ଦା ଓ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ଲଦ ସିକକାଙ୍କୁ ତୁରନ୍ତ ଖଲାସ ଏବଂ ଉକ୍ତ ଦୁଇ ଗାଁରୁ ପୁଲିସ ବଳ ଉଠାଇନେବା ପାଇଁ ଦାବି କରିଛନ୍ତି ।

ଉଦ୍‌ବେଗର ବିଷୟ ଯେ ଲଦ ସିକକାଙ୍କୁ ଉଠେଇ ନେବାର ପାଖାପାଖି ୨୦-୨୨ ଘଣ୍ଟା ବିତିଯାଇଥିଲେ ବି ତାଙ୍କୁ କେଉଁଠାରେ ରଖାଯାଇଥିଲା ତାହା ଜଣାପଡ଼ି ନଥିଲା । ତାଙ୍କ ଓକିଲ ତଥା ଘଟଣା ସମୟରେ ଉପସ୍ଥିତ ଥିବା ଆତ୍ମୀୟମାନେ ଏ ସମ୍ୱନ୍ଧରେ ରାୟଗଡ଼ା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ମଧ୍ୟ କିଛି ସୂଚନା ଦିଆଯାଇ ନଥିଲା । ପୁଲିସ ତରଫରୁ ତାଙ୍କ ଘର ଲୋକଙ୍କୁ ବି କୌଣସି ଖବର ଦିଆଯାଇ ନଥିଲା । ଅର୍ଥାତ୍, ଗିରଫ ସମ୍ୱନ୍ଧୀୟ ସୁପ୍ରିମ କୋର୍ଟଙ୍କର ଯେଉଁ ନିର୍ଦ୍ଦେଶାବଳୀ ରହିଛି, ପୁଲିସ ତାହାକୁ ଅନୁପାଳନ କରିନଥିଲା । ଘଟଣାର ୨୪ ଘଣ୍ଟା ପରେ ଖବର ପହଞ୍ଚିଲା ଯେ ଲଦ ସିକକାଙ୍କୁ ଉଠେଇ ନେଲା ପରେ ପୁଲିସ ତାଙ୍କୁ ବିଭିନ୍ନ ସ୍ଥାନ ବୁଲେଇ ବୁଲେଇ ୧୦ ତାରିଖ ରାତି ୧୦.୩୦ ବେଳେ କୋର୍ଟରେ ହାଜର କରାଇ ଜେଲ ପଠେଇ ଦେଇଥିଲା ଏବଂ ଜଣାପଡ଼ିଲା ଯେ ତାଙ୍କ ନାଁରେ ୧୧ଟି ମାମଲା ରହିଛି । ସେଥି ମଧ୍ୟରେ ୟୁଏପିଏ ଓ ଦେଶ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଭଳି ଗୁରୁତୁର ମାମଲା‌ ମଧ୍ୟ ରହିଛି ।

ସ୍ମରଣଯୋଗ୍ୟ ଯେ ଗୋଟିଏ ପୁରୁଣା ମାମଲାକୁ (ନମ୍ୱର ୩୪୯/୨୦୧୭) ଆଧାର କରି ଗତ ମାର୍ଚ୍ଚ ୧୫ ତାରିଖରେ ଲାଞ୍ଜିଗଡ଼ ଜେଏମ୍‌ଏଫ୍‌ସି ଲଦ ସିକକାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ୍ କରିବା ପାଇଁ କଲ୍ୟାଣସିଂହପୁର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଆଦେଶ ବିରୁଦ୍ଧରେ ଲଦ ସିକକା ଓଡ଼ିଶା ହାଇକୋର୍ଟରେ ପିଟିସନ ଦାୟର କରିଥିଲେ ଏବଂ ମାନ୍ୟବର ହାଇକୋର୍ଟ ସେହି ଆଦେଶକୁ ଖାରଜ କରିବା ସହ ଲାଞ୍ଜିଗଡ଼ କୋର୍ଟରେ ହାଜର ହୋଇ ଜାମିନ ନେବା ପାଇଁ ଆଦେଶ ଦେଇଥିଲେ। ସେଦିନ ଲାଞ୍ଜିଗଡ଼ କୋର୍ଟ ଆଉ ଏକ ମାମଲାରେ ମଧ୍ୟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।

ଏହା ମଧ୍ୟ ସ୍ମରଣ କରିବା କଥା ଯେ ବେଦାନ୍ତ କମ୍ପାନୀକୁ ସିଜିମାଳି ବକ୍‌ସାଇଟ ଖଣି ଖନନ ପାଇଁ ଲିଜ୍‌ ଦିଆଯିବା ପରେ ଗତ ୨୦୨୩ ଅଗଷ୍ଟ ମାସରୁ କଳାହାଣ୍ତି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଓ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ପାଦ ଦେଶର ଗାଁଗୁଡ଼ିକ ‘ମା ମାଟି ମାଳି ସୁରକ୍ଷା ମଞ୍ଚ’ର ନେତୃତ୍ୱରେ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରିଆସୁଛନ୍ତି । ସରକାର ସେମାନଙ୍କ ସହ ବାର୍ତ୍ତାଳାପ କରିବା ପରିବର୍ତ୍ତେ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସ୍ଥାନୀୟ ସମୁଦାୟ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି । ଶାନ୍ତି ଓ ସହାବସ୍ଥାନର ବାତାବରଣକୁ ନଷ୍ଟ କରିବା ପାଇଁ ସତତ ଉଦ୍ୟମ କରୁଛନ୍ତି । ତାହା ଫଳବତୀ ନହେଲେ ଆନ୍ଦୋଳନକୁ ଅପରାଧ ଦର୍ଶେଇ ଲୋକଙ୍କ ଉପରେ ଦମନ କରିଚାଲିଛନ୍ତି। ଗତ ତିନି ବର୍ଷରେ ଅତି କମ୍‌ରେ ୪୩ଟି ପୁଲିସ ମାମଲା ଲଦି ଦିଆଯାଇ ବହୁ ସଂଖ୍ୟକ ଆଦିବାସୀ ଓ ଦଳିତ, ମହିଳା ଓ ପୁରୁଷମାନଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି ଏବଂ ଜେଲ ମଧ୍ୟ ପଠାଯାଇଛି । ଉଦାହରଣ ସ୍ୱରୂପ, ମାର୍ଚ୍ଚ ୮, ୨୦୨୬ରୁ ଏପ୍ରିଲ ୮, ୨୦୨୬ ମାତ୍ର ଗୋଟିଏ ମାସ ମଧ୍ୟରେ ୨୪ ଜଣଙ୍କୁ ଜେଲ ପଠାଯାଇଛି, ୨୧୭ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି ଏବଂ ‘ଅନ୍ୟାନ୍ୟ ଅଭିଯୁକ୍ତ’ ବର୍ଗରେ ୧୧୪୦ ଜଣଙ୍କୁ ରଖାଯାଇଛି । ଏପ୍ରିଲ ୭ ତାରିଖ ରାତି ୩ଟାରେ କଣ୍ଟାମାଳ ଗାଁରେ ପଶି ପୁଲିସ ଯେଉଁ ଅମାନୁଷିକ ଅତ୍ୟାଚାର କଲା, ତାହା ଓଡ଼ିଶା କାହିଁକି ସାରା ଦେଶରେ ଚହଳ ସୃଷ୍ଟି କଲା । ବିକାଶର ଏହି ବୁଲଡୋଜର କାଇଦାକୁ ସାହସର ସହିତ ସାମନା କରି ଲୋକେ ଖଣିଖନନକୁ ଆଜି ପର୍ଯ୍ୟନ୍ତ ଅଟକେଇ ରଖିବାରେ ସମର୍ଥ ହୋଇଛନ୍ତି । ସେହି ସମାନ ଅଞ୍ଚଳରେ ଆଦାନୀର ପ୍ରସ୍ତାବିତ କୁଟ୍ରୁମାଳି ବକ୍‌ସାଇଟ ଖଣି ବିରୁଦ୍ଧରେ ମଧ୍ୟ ଜନ ପ୍ରତିବାଦ ମୁଣ୍ତ ଟେକିଛି । ଗତ ମେ ମାସରେ ପରିବେଶ ସଂକ୍ରାନ୍ତ ଜନଶୁଣାଣି ଖବର ପହଞ୍ଚିବା ପରେ ସ୍ଥାନୀୟ ବାସିନ୍ଦା ତାହାର ପ୍ରବଳ ବିରୋଧ କରିଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦ୍ୱାରା ଏହାକୁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରାଗଲା । ଲଦ ସିକକାଙ୍କ ନେତୃତ୍ୱରେ ନିୟମଗିରି ସୁରକ୍ଷା ସମିତି ଏହି ସବୁ ଜନ ଆନ୍ଦୋଳନକୁ ଲଗାତାର ସଂହତି ଓ ସମର୍ଥନ ଜଣାଇବା ସହ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଏକ ମିଳିତ ସଂଗ୍ରାମ ପାଇଁ ବାର୍ତ୍ତା ଦେଇଆସିଛି । ଏହି ସନ୍ଦର୍ଭରେ ଏହା ଉଲ୍ଲେଖଯୋଗ୍ୟ ଯେ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ତଥା ସମାଜବାଦୀ ଜନ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଲିଙ୍ଗରାଜ ଆଜାଦ ଯିଏ କି ସିଜିମାଳି ଓ କୁଟ୍ରୁମାଳି ଅଞ୍ଚଳର ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଆସିଛନ୍ତି, ତାଙ୍କୁ ଗତ ମାର୍ଚ୍ଚ ମାସରୁ ଗିରଫ କରାଯାଇ ଜେଲରେ ରଖାଯାଇଛି । ଗୋଟିଏ ମାମଲାରେ ଜାମିନ ପାଇଲେ ଆଉ ଗୋଟିଏ ମିଛ ମାମଲା ତାଙ୍କ ଉପରେ ଲଗେଇ ଦିଆଯାଉଛି ଯେପରିକି ସେ ଜେଲରୁ ବାହାରି ପାରିବେ ନାହିଁ ତା’ର ବନ୍ଦୋବସ୍ତ କରାଯାଉଛି । ସେହି ପରି ଗତ ଅଗଷ୍ଟ ୨୮ ତାରିଖରେ ‘ମା ମାଟି ମାଳି ସୁରକ୍ଷା ମଞ୍ଚ’ର ଅନ୍ୟତମ ଆଗୁଆ ନେତା ହୀରାମଲ ନାଏକଙ୍କୁ ଗିରଫ କରି କଳାହାଣ୍ତି ପୁଲିସ ଜେଲ ପଠେଇ ଦେଇଛି ।

ଏହି ବିବୃତି ଜରିଆରେ ରାଜ୍ୟର ସଚେତନ ନାଗରିକ ମାନେ ଦୃଢ଼ ଭାବେ ମତବ୍ୟକ୍ତ କରିଛନ୍ତି ଯେ ଲଦ ସିକକା ଓ ଲିଙ୍ଗରାଜ ଆଜାଦମାନଙ୍କୁ ଗିରଫ କରିବା ବା କଣ୍ଟାମାଳ ଓ ତଳଆମପଦର ଗାଁମାନଙ୍କୁ ଘେରାବନ୍ଦୀ କରି ରଖିବା ଗୋଟିଏ ଗୋଟିଏ ବିଚ୍ଛିନ୍ନ ଘଟଣା ନୁହେଁ; ବରଂ କର୍ପୋରେଟ ଲାଭ ପାଇଁ ଖଣି ଖନନ ଓ ଶିଳ୍ପାୟନକୁ ବଳପୂର୍ବକ ଲାଗୁ କରିବା ନିମନ୍ତେ ଏକ ଯୋଜନାବଦ୍ଧ ଅଭିଯାନ । ନିକଟ ଅତୀତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂର୍ବଘାଟ ପର୍ବତମାଳାର ବକ୍‌ସାଇଟ ଖଣିଗୁଡ଼ିକୁ ଗୋଟିଏ ପରେ ଗୋଟିଏ କମ୍ପାନୀକୁ ଲିଜ୍‌ ଦେଇ ଚାଲିଛନ୍ତି, ଯଥା ନନ୍ଦପୁର ବ୍ଲକର ବାଲଡା ବକ୍‌ସାଇଟ ଖଣି ଆଦାନୀକୁ, ନାରାୟଣପାଟଣା ବ୍ଲକର କର୍ଣ୍ଣପୋଡ଼ିକୋଣ୍ତା ଓ ଥୁଆମୂଳ ରାମପୁର ବ୍ଲକର କର୍‌ଲାପାଟ ବକ୍‌ସାଇଟ ଖଣି (ଖଣ୍ତୁଆଳ ମାଳି) ବେଦାନ୍ତକୁ ଏବଂ ପଟ୍ଟାଙ୍ଗୀ ସେରୁବନ୍ଧ ଖଣି ନାଲ୍‌କୋକୁ ଲିଜ୍‌ ଦିଆଯାଇଛି । ରାୟଗଡ଼ା ଜିଲ୍ଲା କାଶୀପୁର-ଟିକିରି ଅଞ୍ଚଳର ଆହୁରି ୪ଟି ବକ୍‌ସାଇଟ ଖଣି ନିଲାମି ପ୍ରକ୍ରିୟାରେ ଅଛି । ଓଡ଼ିଶାର ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ଆଦାନୀର ୧.୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଜୋରସୋରରେ ଯୋଜନା ଚାଲିଛି । ନିକଟରେ କେନ୍ଦ୍ର ସରକାର ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନରେ ସଂଶୋଧନ କରି ଏହାକୁ ଆହୁରି ତ୍ୱରାନ୍ୱିତ କରିବାର ଚେଷ୍ଟା କରିଛନ୍ତି । ଏଥି ସହିତ ଏହା ମଧ୍ୟ ଘୋଷଣା କରି ସାରିଲେଣି ଯେ ଜଙ୍ଗଲ ଅଧିକାର ଆଇନରେ ଗ୍ରାମସଭାର କୌଣସି ବ୍ୟବସ୍ଥା ନାହିଁ । ଅର୍ଥାତ୍, ବିନା ଗ୍ରାମସଭାର ଅନୁମତିରେ ଖଣି ଖନନ ପାଇଁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିବର୍ତ୍ତନ କରାଯାଇପାରିବ । କିନ୍ତୁ ଏହି ସବୁ ପ୍ରକଳ୍ପ ଓ ପ୍ରକ୍ରିୟା ବିରୁଦ୍ଧରେ ସ୍ଥାନୀୟ ଜନ ସମୁଦାୟ, ବିଶେଷ ଭାବେ ଦଳିତ ଓ ଆଦିବାସୀ ବର୍ଗ, ନିଜର ଜୀବନଜୀବିକା ଓ ସାଂସ୍କୃତିକ ପରିଚିତିର ସୁରକ୍ଷା ପାଇଁ ସଂଗ୍ରାମ କରି ବହୁ ସ୍ଥାନରେ ଖଣି ଖନନକୁ ବର୍ତ୍ତମାନ ସୁଦ୍ଧା ଅଟକେଇ ଦେଇଛନ୍ତି । ସେମାନଙ୍କ ସ୍ୱର ସହ ସ୍ୱର ମିଳେଇ ରାଜ୍ୟର ପରିବେଶବିତ୍, ବିଭିନ୍ନ ରାଜନୈତିକ ଗୋଷ୍ଠୀ, ଟ୍ରେଡ ୟୁନିୟନ, ଗଣତାନ୍ତ୍ରିକ ସଂଗଠନ, ଏପରିକି ଅବସରପ୍ରାପ୍ତ ଅମଲାମାନେ ଅବିଚାରିତ ଖଣି ଖନନକୁ ପ୍ରଶ୍ନ କରି ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି । ଏଭଳି ସ୍ଥିତିରେ ଲୋକମାନଙ୍କର ସ୍ୱରକୁ ବଳପୂର୍ବକ ଚାପିଦେଇ ଖଣି ଖନନକୁ ସୁଗମ କରିବା ପାଇଁ କମ୍ପାନୀ ଓ ରାଜ୍ୟ ସରକାର ଆନ୍ଦୋଳନର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ଗିରଫ କରିବା ସହ ଲଢ଼ୁଆ ଗାଁଗୁଡ଼ିକୁ ଘେରାବନ୍ଦୀ କରୁଛନ୍ତି । ଏହା ମଧ୍ୟ ବାର୍ତ୍ତା ଦେଉଛନ୍ତି ଯେ କମ୍ପାନୀର ସ୍ୱାର୍ଥ ବିରୁଦ୍ଧରେ ସ୍ୱର ଉଠେଇବା ଅର୍ଥ ଅପରାଧ, ତେଣୁ ତାହା ଦମନଯୋଗ୍ୟ ।

ଏହି ପରିପ୍ରେକ୍ଷୀରେ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଖଣି ଖନନକୁ ସୁଗମ କରିବା ପାଇଁ ଗଣତାନ୍ତ୍ରିକ ସ୍ୱରକୁ ଚାପିଦେବାର ଯେଉଁ ରାସ୍ତା ସରକାର ଧରୁଛନ୍ତି, ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ । କାଶୀପୁର ଓ କଳିଙ୍ଗନଗର ଗୁଳିକାଣ୍ତ ତାହାର ସାକ୍ଷୀ । ବିକାଶ ନାଁରେ କାଶୀପୁର, ଥୁଆମୂଳ ରାମପୁର ଭଳି ସମ୍ୱିଧାନର ପଞ୍ଚମ ଅନୁସୂଚୀ ଅଞ୍ଚଳ ହିଂସା ଓ ଦମନର କ୍ଷେତ୍ର ପାଲଟିଯିବ । ଏହା ବ୍ୟତୀତ, ଅବିଚାରିତ ଖଣି ଖନନ ଦ୍ୱାରା ପୂର୍ବଘାଟ ପର୍ବତମାଳାର ଏକ ବିରାଟ ଅଞ୍ଚଳର ଜୈବ ବିବିଧତା ଓ ଜଳସମ୍ପଦର ଅପୂରଣୀୟ କ୍ଷତି ହେବ । ଜଳବାୟୁ ପରିବର୍ତ୍ତନର ସଂକଟ ଦିନକୁ ଦିନ ଘନିଭୂତ ହେଉଥିଲା ବେଳେ, ପ୍ରକୃତି ଦୋହନକାରୀ ଖଣିଜ ଶିଳ୍ପ ଯେ ଆଗମୀ ପିଢ଼ିର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେବ, ଏହା ସହଜରେ ଅନୁମେୟ ।

ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଅଧିକାରକୁ ସମ୍ମାନ ତଥା ସଂପୃକ୍ତ ଅନୁସୂଚିତ ଅଞ୍ଚଳରେ ଗୋଷ୍ଠୀ ଜୀବନ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ବଜାୟ ରଖିବା ପାଇଁ ସେମାନେ ସରକାରଙ୍କୁ ନିବେଦନ କରିବା ସଙ୍ଗେ ସଙ୍ଗେ ସଚେତନ ନାଗରିକ ଭାବେ ନିମ୍ନଲିଖିତ ଦାବି କରିଛନ୍ତି।

  • ଲଦ ସିକକା, ଲିଙ୍ଗରାଜ ଆଜାଦ ଓ ହୀରାମଲ ନାଏକଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଉ
  • ସିଜିମାଳି ଅଞ୍ଚଳରୁ ସଶସ୍ତ୍ର ପୁଲିସ ବଳ ପ୍ରତ୍ୟାହାର କରାଯାଇ ଲୋକମାନଙ୍କର ଦୈନନ୍ଦିନ ଜୀବନକୁ ସ୍ୱାଭାବିକ କରାଯାଉ
  • ଜନମତକୁ ସମ୍ମାନ ଦେଇ ବକ୍‌ସାଇଟ ଖଣି ଖନନ ଲିଜ୍‌କୁ ବାତିଲ କରାଯାଉ
  • ଜନ ଆନ୍ଦୋଳନ କର୍ମୀମାନଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଫୌଜଦାରୀ ମାମଲା ପ୍ରତ୍ୟାହାର କରାଯାଉ

ଏହି ନାଗରିକ ପ୍ରତିବାଦ ତଥା ବିବୃତିରେ ସ୍ୱାକ୍ଷର କାରୀ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଫୁଲ୍ଲ ସାମନ୍ତରା, (ପରିବେଶବିତ୍‌), କ୍ରିଷ୍ଣା ମହାନ୍ତି, (ବରିଷ୍ଠ ଗାନ୍ଧୀବାଦୀ ନେତ୍ରୀ),ସୁଧୀର ପଟ୍ଟନାୟକ, (ମିଡିଆ ଓ ସାମାଜିକ କର୍ମୀ), ବିଶ୍ୱପ୍ରିୟ କାନୁନ୍‌ଗୋ, (ଓକିଲ ଓ ମାନବାଧିକାର କର୍ମୀ),ରଞ୍ଜନା ପାଢ଼ୀ, (ଲେଖିକା ଓ ସାମାଜିକ କର୍ମୀ), ଅନିଲ କୁମାର ମଲ୍ଲିକ, (ରାଜ୍ୟ ଉପ ସଭାପତି, ଭୀମ ଆର୍ମି, ଓଡ଼ିଶା), ଡା. ବିଶ୍ୱଜିତ, (ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ), ଶ୍ରୀମନ୍ତ ମହାନ୍ତି,( ସମ୍ପାଦକ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା), ନରେନ୍ଦ୍ର ମହାନ୍ତି, (ଆଡଭୋକେଟ୍, ଆବାହକ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ଓ ଏନ୍‌ଏପିଏମ୍‌ ,ଓଡ଼ିଶା),ଦେବ ରଂଜନ, (ଫିଲ୍ମ ନିର୍ମାତା ଓ ସାମାଜିକ କର୍ମୀ), ଭାରତ ମାଝୀ, (କବି),ପ୍ରତାପ ନାୟକ, (ରାଜ୍ୟ ସମ୍ପାଦକ, ଅଲ୍‌ ଇଣ୍ଡିଆ କିସାନ ମଜଦୁର ସଭା), କେଦାର ଶବର, (ଅଲ୍‌ ଇଣ୍ଡିଆ ଆଦିବାସୀ ଫୋରମ୍‌),ମହେନ୍ଦ୍ର ପରିଡ଼ା, (ସାଧାରଣ ସମ୍ପାଦକ, AICCTU), ଦଣ୍ଡପାଣି ମହାନ୍ତି, (ସାଧାରଣ ସମ୍ପାଦକ, ଫରେଷ୍ଚ ମଜଦୁର ୟୁନିଅନ), ଲିଙ୍ଗରାଜ, (ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି),କମ୍ରେଡ ହେନା, (ବସ୍ତି ସୁରକ୍ଷା ମଞ୍ଚ),କମ୍ରେଡ ପ୍ରମିଳା, (ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଙ୍ଗଠନ), କମ୍ରେଡ ଟୁନା, (ଆଦିବାସୀ ଭାରତ ମହାସଭା),କମ୍ରେଡ ପାର୍ବତୀ, (ମନରେଗା ଶ୍ରମିକ ୟୁନିଅନ),କମ୍ରେଡ ବିଚିତ୍ର ପାତ୍ର,(ଟିୟୁସିଆଇ),କମ୍ରେଡ ରାମଚନ୍ଦ୍ର ବାଡତିୟା, (ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ),କମ୍ରେଡ ଗୋବିନ୍ଦ ରାମ ସାହୁ, (ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଙ୍ଗଠନ), କମ୍ରେଡ ମିନତି ଭୋଇ, (ଘରୋଇ ମହିଳା ଶ୍ରମିକ ୟୁନିଅନ),କମ୍ରେଡ ଶଙ୍କର, (ଓଡ଼ିଶା ରାଜ୍ୟ ସମ୍ପାଦକ, ସିପିଆଇ (ଏମ୍ ଏଲ) ରେଡଷ୍ଟାର), ନିରାକାର ନାୟକ, (ରାଜ୍ୟ ସମ୍ପାଦକ, ଚାଷୀ ମୂଲିଆ ସଂଘ, ଓଡ଼ିଶା, AIKMKS), ସିଦ୍ଧାର୍ଥ କର, (ଶିକ୍ଷକ ଓ ସାମାଜିକ କର୍ମୀ), ରାଜନ, (ଜନ ଆନ୍ଦୋଳନ ସଂହତି କର୍ମୀ),ଶରଣ୍ୟା, (ଆଦିବାସୀ ଆନ୍ଦୋଳନ ସଂହତି କର୍ମୀ, କୋରାପୁଟ, ଓଡ଼ିଶା),ପ୍ରଣବ ଜେନା, (ସିପିଡିଆର୍‌ଏସ୍‌, ଓଡ଼ିଶା),ସୁଶାନ୍ତ ଜେନା, (ରାଜ୍ୟ ସହ-ଆବାହକ, AIFTU (New)),ସରୋଜ ମହାନ୍ତି, (କବି)ସମୀର ରଞ୍ଜନ, (କବି), ସିନି ସଏ, (ଆଦିବାସୀ ନେତ୍ରୀ, କଳିଙ୍ଗନଗର), ଲେନିନ କୁମାର, (କବି),ରୁମିତା କୁଣ୍ଡୁ, (ରାଜନୈତିକ ବନ୍ଦୀ ମୁକ୍ତି କମିଟି),ପ୍ରମୋଦିନୀ ପ୍ରଧାନ, (ପି.ୟୁ.ସି.ଏଲ୍‌.),ଗାର୍ଗୀ ଶତପଥୀ, (ସାମ୍ବାଦିକ),ସୁରେନ୍ଦ୍ର ତପସୁ, (ରାଜନୈତିକ ସାମାଜିକ କର୍ମୀ), ନିଗମ, (ଲେଖକ ଓ ସାମାଜିକ କର୍ମୀ),ସଂଗ୍ରାମ ମଲ୍ଲିକ, (ସଭାପତି, ଆମ୍ବେଦକର ଲୋହିଆ ବିଚାର ମଞ୍ଚ), ପ୍ରଶାନ୍ତ ପାଇକରାୟ, (ମୁଖପାତ୍ର, ଜିନ୍ଦଲ-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି), ଧନଞ୍ଜୟ ଦୀପ, (ସଭାପତି, ଅଲ୍ ଓଡିଶା ସିଡ୍ୟୁଲ୍ କାଷ୍ଟ ଫେଡେରେସନ୍ ), ଦିଗମ୍ବର ଦୁରିଆ, (ଆଇନଜୀବୀ, ଭବାନୀପାଟଣା) (ଧର୍ମଗଡ଼), ସୁରେଶ ସଂଗ୍ରାମ, (ସମାଜବାଦୀ ଜନ ପରିଷଦ, ଭବାନୀପାଟଣା), ଉପେନ୍ଦ୍ର ବାଗ୍, (ଜନ ଆନ୍ଦୋଳନ କର୍ମୀ, ରାୟଗଡ଼ା), ଭବାନୀଶଙ୍କର ଜେନା, ( ଆଇ.ଏନ୍. ଟି.ୟୁ.ସି, ରାୟଗଡ଼ା),କୃଷ୍ଣ ସିକକା, (ନିୟମଗିରି ସୁରକ୍ଷା ସମିତି), ହର ବଣିଆ, (ଜୟ କିଷାନ ଆନ୍ଦୋଳନ, ବରଗଡ଼),ବଳଭଦ୍ର ମଳିକ, (ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳ), ପୂର୍ଣ୍ଣଚନ୍ଦ୍ର ପ୍ରଧାନ, (ବରିଷ୍ଠ ଆଇନଜୀବୀ, ଭବାନୀପାଟଣା), ବାବାଜୀ ଚରଣ ଜେନା, (ସାମାଜିକ କର୍ମୀ),ଲିଲୁ ଦାସ, (ବହୁଜନ ଆନ୍ଦୋଳନ କର୍ମୀ), ଅଧ୍ୟାପକ ସୁରେନ୍ଦ୍ର କୁମାର ଜେନା, (ପୁରୀ), ସଚ୍ଚିଦାନନ୍ଦ ମାଝୀ, (ମା ମାଟି ମାଳି ସୁରକ୍ଷା ମଞ୍ଚ),ଡି.ଜି.ପ୍ରଧାନୀ, (ଆଦିବାସୀ ସମାଜ),ଦେବ ପ୍ରସାଦ ରାୟ , (ଲୋହିଆ ଏକାଡେମୀ, ଭୁବନେଶ୍ୱର),ତିରୁପତି ଗମାଙ୍ଗ, (ଆଦିବାସୀ ସଂଘର୍ଷ ମୋର୍ଚ୍ଚା),ରାଜୀବ ସଗରିଆ, (ସାମ୍ବାଦିକ), ସତ୍ୟ ବନଛୋର୍, (ଲୋୟର ସୁକତେଲ ବୁଡ଼ି ଅଞ୍ଚଳ ସଂଗ୍ରାମ ପରିଷଦ), ସତ୍ୟ ମାହାର, (ସଚେତନ ନାଗରିକ ମଞ୍ଚ, କଳାହାଣ୍ଡି) ଅବନୀ ଗୟା, (ଆଇନଜୀବୀ, ବ୍ରହ୍ମପୁର),ଖୁସିରାମ୍ ଜାନୀ, (ଆଦିବାସୀ ଅଧିକାର କର୍ମୀ ),ରାଜୀବ ରତନ, (ସାମ୍ବାଦିକ), ଅନନ୍ତ, (ଲୋକମୁକ୍ତି ସଂଗଠନ, ଝାରସୁଗୁଡ଼ା),ଗୋପୀନାଥ ମାଝୀ, (ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶା), ବିରଞ୍ଚି ବରିହା, (ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶା), ଭୀଷ୍ମ ପାଙ୍ଗୀ, (ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶା),ବିଜୟ ସ୍ୱାଇଁ, (ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶା), ଡଃ ଶ୍ରୀଚରଣ ବେହେରା, (ଗବେଷକ), ବାଘାମ୍ବର ପଟ୍ଟନାୟକ, (ମାନବାଧିକାର କର୍ମୀ), ଦାମୋଦର ବେହେରା, (ବାମପନ୍ଥୀ ନେତା), ସୁବାସ ସାହୁ, (ଓକିଲ), ବିଜୟ କୁମାର ପଣ୍ଡା, (ଓକିଲ),ଶର୍ମିଷ୍ଠା ନାଥ, (କବି), ରଶ୍ମୀ ରଂଜନ ଜେନା,( ଓକିଲ), କ୍ଷୀରୋଦ ରାଉତ, (ଓକିଲ), ଟି. ଏସ. ସ୍ୱରାଜ, (ଓକିଲ, ଓଡ଼ିଶା ହାଇକୋର୍ଟ), ବିକାଶ ସ୍ୱାଇଁ, (ଓକିଲ, ଓଡ଼ିଶା ହାଇକୋର୍ଟ), ବିସ୍ମୟ ରାୟ, (ଓକିଲ, ଓଡ଼ିଶା ହାଇକୋର୍ଟ),ବବିତା ମହାପାତ୍ର, (କବି),ରାଧାମୋହନ, (ସାମାଜିକ କର୍ମୀ),ପ୍ରକାଶ କୁମାର ସାମନ୍ତସିଂହାର, (ସୂଚନା ଅଧିକାର କର୍ମୀ), ସୁବାସ ଷେଣ୍ଢ, (ସାମାଜିକ କର୍ମୀ), ବିଚିତ୍ର ବିଶ୍ୱାଳ, (ସ୍ତମ୍ଭକାର),ଆଜାଦ୍ ସ୍ୱାତୀ, ଅନୁରାଗ ଦାସ, (ଓକିଲ),ସ୍ୱରୂପ କୁମାର ପାଳ,( ଓକିଲ) ପ୍ରମୁଖ ଅଛନ୍ତି।

ସମ୍ବାଦ ପ୍ରସ୍ତୁତି:ନରେନ୍ଦ୍ର ମହାନ୍ତି,

ଫୋନ୍: ୯୪୩୭୪୨୬୬୪୭// ୭୦୦୮୪୮୩୬୨୨

Total Views: 9

Comments

0 comments

Share This Article