୩୧/୦୮: ଭୁବନେଶ୍ୱର – ଓଡ଼ିଶାର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ଗଡ଼ଜାତ ଆନ୍ଦୋଳନର ନେତା, ଓଡ଼ିଶା କୃଷକ ଆନ୍ଦୋଳନର ପ୍ରବାଦ ପୁରୁଷ, ବିଧାନସଭାରେ କମ୍ୟୁନିଷ୍ଟ ପାର୍ଟିର ପ୍ରାକ୍ତନ ଦଳପତି, ସତସଂଗ୍ରାମର ନାୟକ ତଥା ବିଶିଷ୍ଟ ଜନନେତା ଗଙ୍ଗାଧର ପାଇକରାୟଙ୍କର ୨୭ତମ ରାଜ୍ୟସ୍ତରୀୟ ସ୍ମୃତି ଦିବସ ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ପାଳିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ସିପିଆଇର ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ କମ୍ରେଡ୍ ଅମରେନ୍ଦୁ ମହାନ୍ତି ଯୋଗଦେଇ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ପାଇକରାୟ ବିଧାନସଭାକୁ ଚାରିଥର ନିର୍ବାଚିତ ହୋଇଥିଲେ। ସେ ନୟାଗଡ଼-ରଣପୁର ପ୍ରଜା ଆନ୍ଦୋଳନର ଜଣେ ପୁରୋଧା ଥିଲେ। ବିଶେଷକରି ଆଦିବାସୀମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ସେ ସର୍ବଦା ସଂଗ୍ରାମ କରୁଥିଲେ।
ସାଧାରଣ ଲୋକଙ୍କ ସହ ତାଙ୍କର ଗଭୀର ସମ୍ପର୍କ ଥିଲା। ଧୋତି ଓ ହାଫ୍ ସାର୍ଟ ପିନ୍ଧି ସେ ପାଦରେ ଚାଲିଚାଲି ଗାଁଗାଁକୁ ଯାଇ ଲୋକଙ୍କ ସମସ୍ୟା ଓ ଅଭାବ-ଅସୁବିଧା ବୁଝୁଥିଲେ। ଲୋକଙ୍କ ଅଧିକାର ପାଇଁ ତାଙ୍କର ନିରନ୍ତର ସଂଗ୍ରାମ ଓ ସରଳ ଜୀବନଶୈଳୀ ତାଙ୍କୁ ଜନସାଧାରଣଙ୍କ ନିକଟତର କରିଥିଲା ବୋଲି କମ୍ରେଡ୍ ମହାନ୍ତି ସ୍ମୃତିଚାରଣ କରି କହିଥିଲେ।
ଏହି ସଭାରେ “ଭାରତର ନିର୍ବାଚନ ଓ ନିର୍ବାଚନ କମଶନ” ବିଷୟବସ୍ତୁ ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର୍ ତଥା ଶିକ୍ଷାବିତ୍ ଡ଼ଃ ବିରେନ୍ଦ୍ର ନାୟକ ଦୀକ୍ଷାନ୍ତ ଭାଷଣ ଦେଇ କହିଲେ ଯେ, ଭାରତର ନିର୍ବାଚନ ବ୍ୟବସ୍ଥା ଆଜି ଏକ ବଡ଼ ପ୍ରଶ୍ନର ସମ୍ମୁଖୀନ। ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଉଠୁଥିବା ପ୍ରଶ୍ନ ଠାରୁ ଆରମ୍ଭ କରି ଭୋଟର ତାଲିକାର ସ୍ୱଚ୍ଛତା ପର୍ଯ୍ୟନ୍ତ—ଗଣତନ୍ତ୍ରର ମୂଳ ଭିତ୍ତିକୁ ନେଇ ଚିନ୍ତା ପ୍ରକାଶ ପାଉଛି।
ସରକାର ନିଜ ସ୍ୱାର୍ଥକୁ ସୁହାଇବା ଭଳି ନିର୍ବାଚନୀ ବ୍ୟବସ୍ଥାକୁ ପ୍ରଭାବିତ କରୁଛନ୍ତି କି—ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଉଠୁଛି। ବିଶେଷକରି ‘SIR’ ନାମରେ ଭୋଟର ତାଲିକାର ସ୍ୱତନ୍ତ୍ର ଯାଞ୍ଚ ପ୍ରକ୍ରିୟା ସମୟରେ ବହୁ ସଂଖ୍ୟକ ମତଦାତାଙ୍କ ନାମ ତାଲିକାରୁ ବାଦ ପଡ଼ିବାକୁ ନେଇ ବିଭିନ୍ନ ମହଲରେ ଆପତ୍ତି ଓ ଆଶଙ୍କା ପ୍ରକାଶ ପାଇଛି।
ଭୋଟ ଦେବାର ଅଧିକାର କେବଳ ଏକ ଅଧିକାର ନୁହେଁ, ଏହା ଗଣତନ୍ତ୍ରର ମୂଳ ଅସ୍ତିତ୍ୱ। ତେଣୁ ଜଣେ ଯୋଗ୍ୟ ମତଦାତାଙ୍କ ନାମ ମଧ୍ୟ ଯଦି ଯଥେଷ୍ଟ କାରଣ ଓ ସ୍ୱଚ୍ଛ ପ୍ରକ୍ରିୟା ବିନା ଭୋଟର ତାଲିକାରୁ ବାଦ ପଡ଼େ, ତେବେ ତାହା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ।
ଏହି ସମସ୍ତ ପ୍ରସଙ୍ଗକୁ ନେଇ ତଥ୍ୟ, ଉପଲବ୍ଧ ରିପୋର୍ଟ ଆଧାରରେ ସେ ନିଜ ଦୀକ୍ଷାନ୍ତ ଭାଷଣରେ ଗଣତନ୍ତ୍ର, ନିର୍ବାଚନୀ ସ୍ୱଚ୍ଛତା ଓ ମତଦାତାଙ୍କ ଅଧିକାର ସମ୍ପର୍କରେ ଗୁରୁତର ପ୍ରଶ୍ନ ଉଠାଇଥିଲେ।
କର୍ଯ୍ୟକ୍ରମରେ ପ୍ରଥମେ ସ୍ଵର୍ଗତଃ ଗଙ୍ଗାଧର ପାଇକରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଛାଇ ର ସମ୍ପାଦକ ସତୀଶ ମିଶ୍ର ସଭା ପରିଚାଳନା କରିଥିବାବେଳେ ସ୍ମୃତି କମିଟିର ସମ୍ପାଦକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ୱ ଶିକ୍ଷକ ସଂଘର ସଭାପତି ପ୍ରଫେସର୍ ଅମୀୟ କୁମାର ମହାନ୍ତି। ଉକ୍ତ କାର୍ଯକ୍ରମରେ ଅନେକ ଗବେଷକ, ବୁଦ୍ଧିଜୀବି ଓ ଶୁଭ ଚିନ୍ତକ ଉପସ୍ଥିତ ଥିଲେ।
ରିପୋର୍ଟ : ଲକ୍ଷ୍ମୀଧର ମୁର୍ମୁ
Comments
0 comments

