
ଇଥାନଲ୍ : ସାତ୍ତ୍ୱିକ ରସ ନା ତରଳ ବିଷ!
ପାଠକେ! ଏବେ ଇଥାନଲକୁ ନେଇ ସାରାଦେଶରେ ଅସନ୍ତୋଷ । ଏବେ ଲୋକେ କହିଲେଣି ଏବେ ଆଉ ହିନ୍ଦୁ ଖତରେ ମେ ନହିଁ, ହିନ୍ଦୁଓଁ କେ ଗାଡ଼ି ଖତରେ ମେ ହେଁ । ବହୁ ସାମ୍ବାଦିକ ଅନେକ ପ୍ରମାଣ ଦେଇ ଏକଥା ଲେଖିଲେଣି ଯେ ଗଡକରୀବାବୁ ତାଙ୍କ ପୁଅର ଇଥାନଲ ଉତ୍ପାଦନ କାରଖାନାରୁ ମିଲିଅନ ମିଲିଅନ କମାଇବା ପାଇଁ ସାରା ଭାରତର କୋଟି କୋଟି ଲୋକଙ୍କୁ ଫସେଇ ଦେଇଛନ୍ତି । ପ୍ରଥମେ ପ୍ରଥମେ ଗଡକରୀବାବୁ ଯେଉଁ କହୁଥିଲେ ପେଟ୍ରୋଲ ହେଲା ମୁସଲମାନଙ୍କ ‘ବିଷାକ୍ତ କେମିକାଲ ତେଲ’ ଆଉ ଇଥାନଲ ହେଲା ‘ସାତ୍ତ୍ୱିକ ହିନ୍ଦୁ ରସ’ ତାହା ହାସ୍ୟାସ୍ପଦ ହେଲେ ବି କିଛି ଲୋକଙ୍କୁ ଶୁଣିବାକୁ ଭଲ ଲାଗୁଥିଲା । କାରଣ ବାବୁ କହୁଥିଲେ ଯେ ଇଥାନଲକୁ ବ୍ୟବହାର କରି ଗାଡ଼ି ଚଳେଇଲେ ଆଉ ପ୍ରଦୂଷଣ ହେବ ନାହିଁ । ହେଲେ ତାଙ୍କ କଥା ସମ୍ପୂର୍ଣ୍ଣ ମିଛ ଓ ସିଏ କେବଳ ନିଜ ପୁଅର ବେପାର ବଢ଼ାଇବା ପାଇଁ ଏକଥା କହୁଥିଲେ ବୋଲି ପ୍ରମାଣ ବି ମିଳିଲାଣି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ମେଘାଳୟର ବର୍ଣ୍ଣିହାଟ ଗାଁ । ଏହି ଜଙ୍ଗଲିଆ ଗାଁ’ଟିରେ ଗୋଟିଏ ଇଥାନଲ ଉତ୍ପାଦନ କାରଖାନା ଅଛି । ଏହି କାରଖାନାରୁ ବାହାରୁଥିବା ପ୍ରଦୂଷଣ ପାଇଁ ଆଖପାଖର କିଛି ଲୋକ କ୍ୟାନସରରେ ପଡ଼ି ମରିଗଲେଣି ବୋଲି ଶୁଣିବାକୁ ମିଳିଲା । ସତ୍ୟାସତ୍ୟ ଜାଣିବା ପାଇଁ ସେଠାରେ ଜଣେ ୟୁଟ୍ୟୁବ୍ ସାମ୍ବାଦିକ ସାର୍ଥକ ଗୋସ୍ୱାମୀ ପହଞ୍ଚିଥିଲେ । ସିଏ ଦେଖିଥିଲେ ଯେ ସେହି ଗାଁ ଓ ଇଥାନଲର ପ୍ରତିକ୍ରିୟା ବିଷୟରେ ସେ ଯାହା ଶୁଣିଥିଲେ ପ୍ରକୃତ ସ୍ଥିତି ତା’ଠାରୁ ବେଶି ଭୟଙ୍କର । ଇଥାନଲ କାରଖାନାଯୋଗୁଁ ଏଠାରେ ପ୍ରଦୂଷଣର ଭୟଙ୍କର ପ୍ରଭାବ ବହୁଗୁଣିତ ହୋଇଯାଇଛି । ଏଠାକାର ଗଛପତ୍ରରେ ଏକରୁ ଦେଢ଼ ମିଲିମିଟର ମୋଟାର ଧୂଳି ଭଳି କିଛି ବିଚିତ୍ର ଜିନିଷ ବସିଗଲାଣି । ଯାହାର ପ୍ରଭାବରେ ଗଛର ସବୁଜ ପତ୍ରଗୁଡ଼ିକ ରୁଗ୍ଣ ହୋଇଗଲେଣି । ପୁଣି ମେଘାଳୟ ଏକ ଜଙ୍ଗଲୀ ଇଲାକା ହୋଇଥିଲେ ବି ଅଞ୍ଚଳଟି ପୁରା ୨୪ ଘଣ୍ଟା ଧୂଆଁମୟ ହୋଇ ରହୁଛି । ସାରା ଇଲାକାରୁ କିପରି ଏକ ଦୁର୍ଗନ୍ଧ ଆସିବାରେ ଲାଗିଛି । ସ୍ଥାନୀୟ ଲୋକମାନେ କହିଥିଲେ ସବୁଠାରୁ ଅଧିକ ପ୍ରଦୂଷଣ ଇଥାନଲ କାରଖାନାରୁ ବାହାରୁଥିବା ଧୂଅାଁରୁ ଆସୁଛି । ତା’ବାହାରେ କାରଖାନାରୁ ବାହାରୁ ଥିବା ବର୍ଜ୍ୟ ସାରା ଇଲାକାକୁ ପୁତିଗନ୍ଧମୟ କରିଦେଲାଣି । ଏହି ପାଣି ଯୋଗୁଁ ଏଠାରେ ଆଉ ଫସଲ ହେଉନାହିଁ କି ନଈ, ନାଳର ପାଣି ପଶୁଙ୍କ ପାଇଁ ମଧ୍ୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ସେମାନେ ଦେଖାଇଥିଲେ କିପରି ସେମାନଙ୍କ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିବାରେ ଲାଗିଛି । ପଚାଶରୁ ଅଧିକ ଲୋକ କ୍ୟାନ୍ସରରେ ମରିଗଲେଣି । ଛଅମାସ ମଧ୍ୟରେ ହଜାରେ ଲୋକ କ୍ୟାନସରରେ ପଡ଼ିଲେଣି । ଚର୍ମରୋଗ ତ ପ୍ରବଳ । ସାମ୍ବାଦିକଜଣକ କାରଖାନା ଭିତରକୁ ଯାଇ ଫଟୋ ଉଠାଇବାକୁ ଚାହିଁବାରୁ ତାଙ୍କୁୁ କାରଖାନା ଚାରିପଟେ ଥିବା ସୁରକ୍ଷା କର୍ମଚାରୀମାନେ ଅଟକାଇଥିଲେ । କହିଥିଲେ -ଏଠାକାର ଭିଡିଓ କରିବା ବା ଫଟୋ ଉଠାଇବା ମନା । ଏଥିପାଇଁ କାହାରିକୁ ଅନୁମତି ଦିଆଯାଉ ନାହିଁ । ସାମ୍ବାଦିକଜଣକ ଯେତେବେଳେ ପଚାରିଲେ- କିଏ ଅନୁମତି ଦେଉ ନାହିଁ? ମୁଁ ଜଣେ ସାମ୍ବାଦିକ, ଫଟୋ ଉଠାଇବାଟା ମୋର ପେଶା । ମୋତେ କିଏ ଅନୁମତି ଦେବ, କୁହନ୍ତୁ ମୁଁ ତାଙ୍କୁ ଭେଟିବି? ମୁଁ ମୋ କାମରେ ଭିତରକୁ ଯିବାକୁ ଚାହେଁ । ସୁରକ୍ଷା କର୍ମଚାରୀମାନେ କହିଥିଲେ -ଆମେ ପରା ମନା କରୁଛୁ । ସାମ୍ବାଦିକ ପଚାରିଲେ -କାଇଁ ମନା କରୁଛ? ସୁରକ୍ଷା କର୍ମଚାରୀ କହିଲେ-ତମ ଘର ଆଗରେ ଭିଡ଼ିଓ କରିବାକୁ କହିଲେ ତୁମେ ଦେବ? ସାମ୍ବାଦିକ କହିଲେ- ହଁ ଅସୁବିଧା କ’ଣ? ତାପରେ ମୋ ଘରୁ ତ ଧୂଆଁ ବାହାରେ ନାହିଁ କିନ୍ତୁ ଏଠାରେ ତ କାରଖାନାରୁ କ’ଣ ଏତେ ପରିମାଣରେ ଧୂଆଁ ବାହାରୁଛି? ସୁରକ୍ଷା କର୍ମଚାରୀମାନେ ତାଙ୍କ ଆଡୁ ଯୁକ୍ତି କରିଥିଲେ ଯେ -ଧୂଆଁ ସମସ୍ତଙ୍କ ଘରୁ ବାହାରେ । ଚୁଲି ଜଳିଲେ ଧୂଅାଁ ବାହାରିବ? ସେମାନେ କହିଥିଲେ -ଆମକୁ ମନା ଅଛି ଆମେ ଫଟ ଉଠାଇବାକୁ ବା ଭିଡିଓ କରିବାକୁ ଦେବୁ ନାହିଁ । ସାମ୍ବାଦିକ ଗୌତମବାବୁ ଗାଁଆର ଲୋକଙ୍କୁ ଭେଟି ସେମାନଙ୍କ ଛବି ଓ ପ୍ରତିକ୍ରିୟାକୁ ଆଣି ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶ କରିବା ପରେ ପ୍ରତିକ୍ରିୟାରେ ଗଡକରୀ ବାବୁଙ୍କ ଗୁପ୍ତଗୁଣ୍ଡାଙ୍କ ଠାରୁ ତାଙ୍କୁ ଅନେକ ଗାଳିଗୁଲଜ ଶୁଣିବାକୁ ମିଳିବା ସହିତ କିଛି ଲୋକ ଏନକାଉଁଟରର ମଧ୍ୟ ଧମକ ଦେଇ ସାରିଲେଣି ।

କେଉଁ ଷଡ଼ଯନ୍ତ୍ର କଥା କହୁଛ ସାଆନ୍ତେ!
ପାଠକେ! କିଛି ସରକାରୀ ଚାକିରିଆ ଓ ଗୁଜୁରାଟୀ ବୁଦ୍ଧିଜୀବୀ ଏବେ ରାଜ୍ୟବାସୀଙ୍କର ୩୮୦ କୋଟି ଟଙ୍କା ଖର୍ଚ୍ଚ ଦେଖାଇ ଖାମଖିଆଲୀ ଭାବରେ ୯୦ଲକ୍ଷ ପାଖାପାଖି ସରକାରୀ ପାଠ୍ୟପୁସ୍ତକ ଛପାଇଛନ୍ତି । ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା (ଏସସିଇଆରଟି) ପକ୍ଷରୁ ଏତେ ବିପୁଳ ପରିମାଣରେ ଜନତାଙ୍କ ଅର୍ଥ ଖର୍ଚ୍ଚ କରାଯାଇ ଛପାଯାଇଥିବା ଏହି ପୁସ୍ତକରେ ତିନି ପ୍ରକାରର ୨୦୦୦ ପାଖାପାଖି ତୃଟି ରହିଛି । ସମସ୍ତେ ଜାଣନ୍ତି ଯେ ଏହି ସବୁ ବହିଗୁଡ଼ିକୁ କଳାଟଙ୍କା ପାହାଡ଼ରେ ବସିଥିବା ଧନୀ ଲୋକଙ୍କ ପିଲାମାନେ ପଢ଼ନ୍ତି ନାହିଁ । ଗରିବ, ନିମ୍ନ ମଧ୍ୟବିତ୍ତ ବା ମଧ୍ୟବିତ୍ତ ଶ୍ରେଣୀର ପିଲା ଯେଉଁମାନେ ସରକାରୀ ସ୍କୁଲରେ ବସନ୍ତି ସେହି ଅସହାୟମାନେ ଏହାକୁ ପାଠ୍ୟପୁସ୍ତକ ଭାବେ ପଢନ୍ତି । ଏଥର ଏଥିରେ ଏପରି ସବୁ ଜିନିଷ ଛାପିଛନ୍ତି ଯାହାକୁ ନେଇ ଓଡ଼ିଶା, କି ଭାରତ ନୁହେଁ ବିଦେଶରେ ବି ଖବର ପ୍ରକାଶିତ ହେଲାଣି । କାରଣ ସେଥିରୁ ଅନେକ ଭୁଲ୍ ସାଂଘାତିକ ଭୁଲ ଶ୍ରେଣୀର । ଯାହାକୁ ପଢ଼ି, ଘୋଷି ପରୀକ୍ଷାରେ ଲେଖିଦେଲେ ପିଲା କସ୍ମିିନ୍କାଳେ ପରୀକ୍ଷାରେ ପାସ କରି ପାରିବନି । ଚଳିତବର୍ଷର ପାଠ୍ୟପୁସ୍ତକରେ ଯେଉଁ ସାଂଘାତିକ ଭୁଲ ସବୁ ଛପିଛି ତାହାକୁ ଏକ ବଡ଼ ସରକାରୀ ‘ଷଡ଼ଯନ୍ତ୍ର’ ବୋଲି କୁହାଗଲାଣି । ଅନ୍ୟ କିଏ କହିଥିଲେ କଥାଟି ଅଲଗା ହୋଇଥାଆନ୍ତା, ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ତାଙ୍କ (ସରକାର) ବିରୁଦ୍ଧରେ ଷଡ଼ଯନ୍ତ୍ର ବୋଲି କହିଲେଣି । ହୋଇଥିବ । ବାବୁ ଧର୍ମେନ୍ଦ୍ର ପ୍ରଧାନ, ବାବୁ ବୈଜୟନ୍ତ ପଣ୍ଡା, ମା ଅପରାଜିତା, ମନମୋହନ ଆଦି ଅନେକ ଏବେବି ଭାବୁଛନ୍ତି ଯେ ମୋହନ ମାଝୀ ଜଣେ ‘ଦୈବାତ୍ ମୁଖ୍ୟମନ୍ତ୍ରୀ ।’ ନହେଲେ ସେମାନେ ପ୍ରକୃତରେ ମୁଖ୍ୟମନ୍ତ୍ରୀ ହେବା କଥା । ମୁଖ୍ୟମନ୍ତ୍ରୀ ବୋଧେ ଭାବୁଛନ୍ତି ସେହିମାନେ ତାଙ୍କ ସରକାରଙ୍କୁ ବଦନାମ କରିବାକୁ ଏପରି ଷଡ଼ଯନ୍ତ୍ର କରିିଛନ୍ତି । କିନ୍ତୁ ଆମକୁ ମିଶାଇ ଆଉ କିଛି ଲୋକ ଭାବୁଛନ୍ତି ଯେ ଏହା ରାଜ୍ୟର ଗରିବ ପିଲାଙ୍କୁ ପୁରା ମାଗଣାରେ ଶିକ୍ଷାପ୍ରାପ୍ତ ବ୍ୟବସ୍ଥାରୁ ହଟାଇ ଦେବା ପାଇଁ ଏକ ଗେରୁଆ ଷଡ଼ଯନ୍ତ୍ର । କାରଣ ରାଜ୍ୟର ୫୭ଲକ୍ଷ ପିଲା ଯଦି ଏମିତି ମାଗଣା ପଢ଼ି, ଖାଇ, ବସି ମାଟ୍ରିକ ପର୍ଯ୍ୟନ୍ତ ଚାଲିଯିବେ କି ପାସ କରିଯିବେ ତେବେ ଆଜିର ଶିକ୍ଷା ବେପାରରେ ସମ୍ପୃକ୍ତ ଥିବା ମହଙ୍ଗା ସ୍କୁଲଯାକ ତ ପଇସା ଛାଣିିବାରେ ପଛେଇଯିବେ । ଏଭଳି ମହାନ୍ ଚିନ୍ତାରେ ଉଦ୍ବୁଦ୍ଧ ଲୋକମାନଙ୍କ ଭିତରେ ଗେରୁଆ ସ୍କୁଲ ସଂସ୍ଥାଟି କାଳେ ଅଛି । କାରଣ ସେମାନେ ଚାହୁଁଛନ୍ତି ସରକାରୀ ସ୍କୁଲର ମାଗଣା ପାଠକୁ ସମ୍ପୂର୍ଣ୍ଣ ବନ୍ଦ କରି ତାଙ୍କ ମନ୍ଦିରକୁ ପ୍ରକୃତ ସରକାରୀ ସ୍କୁଲ ଭାବେ ଘୋଷଣା କରାଯାଉ । ସେଥିରେ ସରକାର କୋଟି କୋଟି ଟଙ୍କା ଦେବେ ହେଲେ ଗେରୁମାନେ କହିବେ ଆମେ ପିଲାଗୁରାଙ୍କୁ ମାଗଣାରେ ପଢାଉଛୁ । ତେବେ ପାଠକେ! ଏଥିରେ କିଛି ନା କିଛି ଗୋଟାଏ ଷଡ଼ଯନ୍ତ୍ର ତ ହୋଇଛି । ରାଜ୍ୟର ୫୬ ଲକ୍ଷ ପିଲାଙ୍କ ଜୀବନ ମାଟି କରିଦେଇଥିବା ଦୋଷୀମାନଙ୍କୁ ଦିଆଯାଇଥିବା ମଧୁର ଦଣ୍ଡ ଏହାକୁ ପ୍ରମାଣ କରିଦେଉଛି । ଯେମିତିକି କିଙ୍ଗପିନ୍ କୁହାଯାଉଥିବା ମନୋଜ ପାଢ଼ୀକୁ ସେପରି କିଛି ବଡ଼ ଦଣ୍ଡ ଦିଆଯାଇନାହିଁ । ନିଲମ୍ବନ ମାତ୍ର କରାଯାଇଛି ଯେଉଁଥିରେ ତାକୁ ଅଧା ଦରମା ଓ ମଉଜ କରିବାର ଛୁଟି ଦୁଇଟାଯାକ ଏକାଠି ମିଳିବ । ମାମଲାରୁ ଲୋକଙ୍କ ନଜର ହଟିଗଲେ ତାକୁ ପୁଣି ତା ପୁରୁଣା ଡାଇରେକ୍ଟର ପଦବୀରେ ବସାଇ ଦିଆଯିବ । ଏପରି ଆଗରୁ ଥରେ ବି ହୋଇସାରିଛି । ବିଧାନସଭାର ଏମଏଲଏମାନେ ଏ ଲୋକଟି ବିରୁଦ୍ଧରେ ଲେଖିକି ଦେଇଥିଲେ । ହେଲେ ସିଏ ବୋଧେ ଏଇ କାମଟି କରିବବୋଲି ପୁଣି ଡାଇରେକ୍ଟର ହୋଇ ବସାଯାଇଥିଲା । ଏବେକାର ଡାଇରେକ୍ଟର ମଧୁମିତା ସାହୁଙ୍କ ବିରୁଦ୍ଧରେ କିଛି ବି ପଦକ୍ଷେପ ନିଆଯାଇ ନାହିଁ । ଅଥଚ ସିଏ ଏ ଷଡ଼ଯନ୍ତ୍ରର ଗୋଟିଏ ଅଂଶ ଏଇଥିପାଇଁ ଲାଗୁଥିଲେ ଯେ ସିଏ ପ୍ରଥମେ କହିଥିଲେ -ବହି ବଦଳାଇବୁ ନାହିଁ । ଏବର୍ଷ ସେଇଆକୁ ଚଳାଯିବ । ସଂଶୋଧନ ପୁସ୍ତିକା ଦିଆଯିବ । ନହେଲେ ମାଷ୍ଟ୍ରମାନେ ଭୁଲକୁ ଠିକ୍ କରି ପଢ଼ାଇବେ । ଆରବର୍ଷକୁ ଭଲ ବହି ଦିଆଯିବ । କିନ୍ତୁ ମୁଖ୍ୟମନ୍ତ୍ରୀ ସିଧା କହୁଛନ୍ତି ଯେ ବହି ବଦଳାଯିବ । ପିଲାଙ୍କୁ ତୃଟିଶୂନ୍ୟ ସଂଶୋଧିତ ପୁସ୍ତକ ଦିଆଯିବ । ତାକୁ ତାଙ୍କ ଗଣ୍ଡମନ୍ତ୍ରୀ ମନା କରୁଛନ୍ତି । କହୁଛନ୍ତି ବଦଳା ଯିବନି । ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅବଜ୍ଞା କରୁଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏସବୁକୁ ଦେଖିଲେ ଲାଗୁନି, ପ୍ରକୃତରେ ଏହା ଆମ ଓଡ଼ିଆ ମଳିମୁଣ୍ଡିଆ ସୁକୁଟା, ନରିଆ, ନବଘନିଆ କି ମାଳତୀମାନଙ୍କ ବିରୁଦ୍ଧରେ କରାଯାଇଥିବା ଏକ ଗେରୁଆ ଷଡ଼ଯନ୍ତ୍ର ଲାଗୁଛି ନା ନାହିଁ?

ଏ କର୍ପୋରେଟ ମନ୍ଦିର ନ ରହିଲେ କ’ଣ ହେବ?
ପାଠକେ! ଏକଥା ଆମେ ଲେଖି ନଥାନ୍ତୁ । କେବଳ ଏଇଥିପାଇଁ ଲେଖିଲୁ ଯେ କିଛି ହିନ୍ଦୁ ଏବଂ ବ୍ରାହ୍ମଣ ବୋଲାଉଥିବା ତିଳକଧାରୀ ପାପୀ ଶ୍ରେଷ୍ଠ ନେତା ଏବେ ବିଭିନ୍ନ ମାଧ୍ୟମମାନଙ୍କରେ ବିବୃତ୍ତି ଦେଇ କହିଲେଣି ଯେ -ରାମ ମନ୍ଦିର ଆମର, ଆମେ ତିଆରି କରିଛୁ, ସେଥିରେ ଯେଉଁ ଚାନ୍ଦା ମିଲିଲା ତାକୁ ଆମେ ଯାହା କଲୁ ସେକଥା ବିରୋଧୀଦଳ କହିବାକୁ କିଏ? ଆମ ମନ୍ଦିର ଆମେ ଯାହା କରିବୁ ।
ଆଉ ଜଣେ କହିଲେଣି ଲୋକମାନେ ଭଗବାନଙ୍କୁ ଦାନ ଦେଇଦେଲେ । ତାପରେ ସେ ଦାନର ଅବସ୍ଥା କ’ଣ ହେଲା ସେ ବିଷୟରେ ପଚାରିବା ପାପ ।
ଆଉ ଜଣେ ଗେରୁଆଙ୍କ ମତରେ ଠାକୁରଙ୍କୁ ଖାଲି ଫୁଲ ଭୋଗ ଚଢ଼ାଅ । ସୁନା ରୂପା ଯାହା ଦେବ ବିଜେପି ଅଫିସରେ ଦେଇଆସ । ଆଜ୍ଞା! ଆମ ମନକୁ ଗୋଟିଏ ପ୍ରଶ୍ନ ଆସିଲାଣି ଭାରତରେ ମନ୍ଦିର ସଂଖ୍ୟା କେତେ ହେବ? ଆମର ୩୩ କୋଟି ଦେବତା; ଜଣଙ୍କ ପାଇଁ ୧୦.୨୦ଟା ମନ୍ଦିର ହେଲେ ଯେତେ ହୋଇଥିବ । ଭାରତରେ ଦେବୀ ଦେବତାଙ୍କ ସଂଖ୍ୟା ୩୩ କୋଟି ନିଶ୍ଚିତ । ଆଉ ଏମାନେ ଏଭଳି ଦେଶପ୍ରେମୀ ଯେ ୧୯୪୭ରେ ଯେତେବେଳେ ଭାରତ ପାକିସ୍ତାନ ଦି ଭାଗ ହେଲା ସେତେବେଳେ ଜଣେ ବି କେହି ଦେବତା ପାକିସ୍ତାନ ଗଲେ ନାହିଁ । ସବୁ ଭାରତରେ ଗେଞ୍ଜି ହୋଇ ରହିଲେ । କାରଣ ପାକିସ୍ତାନରେ ଭାଣ୍ଡାମୀ କାମ ଦିଏ ନାହିଁ । ସେଠି କିଏ ଫୁଲଟିଏ ତ ଥୋଇ ନଥାନ୍ତେ, ଏ କଦଳୀ ନଡିଆ, ସୁନା ରୂପା କେଉଁଠୁ ମିଳିଥାଆନ୍ତା । ସବୁ ଏଇ ଭାରତରେ ଗରିବ ଲୋକଙ୍କ ଦୁଧ, କଦଳୀ, ଉଖୁଡ଼ା, ଫଳ ଲୋଭରେ ଯେଝା ଯେଝା ଆସ୍ଥାନକୁ ଧରି ରହିଲେ । ରହିଲେ ତ ରହିଲେ ଭାରତରେ ଏଇମାନଙ୍କୁ ନେଇ ହିଁ ସବୁଠୁ ବେଶି ଝଗଡ଼ା ଓ ମାରପିଟ, ଦଙ୍ଗା ଫିସାଦ, ଘରୋଇ ହିଂସା ଆଦି ହେଉଛି । ଈଶ୍ୱର ବୋଲି କେଉଁଠି କିଏ ଜଣେ ଅଛନ୍ତି ଯାହାଙ୍କୁ କେହି ଦେଖିନାହାନ୍ତି କିନ୍ତୁ ଏହି ୩୩ କୋଟି ହେଉଛନ୍ତି କାଳେ ତାଙ୍କରି ଏଜେଣ୍ଟ ବୋଲି ତାଙ୍କୁ ପୂଜା କରୁଥିବା ଗେରୁମାନେ ତାଙ୍କ ମନକୁ ଘୋଷଣା କରି ଦେଉଛନ୍ତି । ପଇତାଖଣ୍ଡକ ତାଙ୍କର କାଷ୍ଟ ସାର୍ଟିଫିକେଟ୍ ସେଇଥିପାଇଁ ତାଙ୍କର ୧୦୦% ସଂରକ୍ଷଣ । ପୁଣି ଏ ଦେବୀ ଦେବତାଙ୍କୁ ରଖିବାକୁ ଯେଉଁ ମନ୍ଦିରଗୁଡ଼ିଏ ତିଆରି ହେଉଛି ସବୁଗୁଡ଼ିକ ଗୋଟିଏ ଗୋଟିଏ ଛୋଟ ବଡ଼ କର୍ପୋରେଟ ହାଉସ୍ । ଏଠାରେ ଲୋକଙ୍କୁ କେହି ଲୁଟତରାଜ କରୁନି ମିଛରେ ଠାକୁର ଅଛନ୍ତି ଲାଞ୍ଚ ନଦେଲେ ମାରି ପକେଇବେ, ଅଭିଶାପ ପଡିଯିବ ଆଦି କହି ରୋଜଗାର କରାଯାଉଛି । ସୁନାଚାନ୍ଦି ସବୁ ତଥାକଥିତ ଭଗବାନମାନଙ୍କୁ ଲାଞ୍ଚ ଆକାରରେ ଦିଆଯାଉଛି । ଯେଉଁଥିରେ ରାମ ମନ୍ଦିର ପରି ଠାକୁରମାନଙ୍କ ନାମରେ ମନ୍ଦିର କଲାବାଲାଙ୍କ କଳାପଇସା ହୁ ହୁ ହୋଇ ବଢୁଛି ।
Comments
0 comments
