ସାମ୍ପ୍ରଦାୟିକ ତିକ୍ତତା, ଗୁଜବ ପ୍ରଚାରିତ ହିଂସା ଏବଂସଂଖ୍ୟାଲଘୁ ଶ୍ରମିକ ପ୍ରବାସୀମାନଙ୍କୁ ଲକ୍ଷ୍ୟରେ ରଖି କରି ଭାରତ ଏବଂ ଓଡ଼ିଶାରେ ଭିଡ଼ ହିଂସା ବା ମବ୍ ଲିଞ୍ଚିଂ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଶୃଙ୍ଖଳା ସମସ୍ୟା ରୂପେ ଉଭା ହେଇଛି । ଏହିପରି ଭିଡ଼ ହିଂସାକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ଏକାଧିକ ନର୍ଦ୍ଦେଶନାମା ଥିବା ସତ୍ତ୍ୱେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭୁଲ ତଥ୍ୟ ଏବଂ ସ୍ଥାନୀୟ ସମ୍ପ୍ରଦାୟମାନଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରାଯିବା ଦ୍ୱାରା ଘଟଣାଗୁଡ଼ିକ ଏକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ସମାଜ ଭିତରେ ଆହ୍ୱାନ ସୃଷ୍ଟି କରିଛି ।ଭାଜପା ଶାସିତ ରାଜ୍ୟମାନଙ୍କରେ ଏଭଳି ଘଟଣାଅଧିକ ଦେଖା ଯାଉଥିବା ଦୃଷ୍ଟିରୁ ଏହିଦଳର ଶୀର୍ଷନେତୃତ୍ୱ ନିଜର ଉତ୍ତରଦାୟିତ୍ୱ କଣ ମନେ ରଖିବା ଉଚିତ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତ ମାର୍ଚ୍ଚ ମାସରେ ବିଧାନସଭା ଅଧିବେଶନ କାଳରେ ଗୃହରେ କହିଥିଲେ ଯେ ଜୁନ୍ ୨୦୨୪ରୁ ୨୦୨୬ ମସିହାର ଆରମ୍ଭ କାଳ ମଧ୍ୟରେ ଓଡିଶା ୫୪ଟି ସାମ୍ପ୍ରଦାୟିକ ଦଙ୍ଗା ଏବଂ ୭ଟି ଭିଡ଼ ହିଂସା ରେକର୍ଡ କରିଛି । ଓଡ଼ିଶାରେ ଲିଞ୍ଚିଂ ଘଟଣା ମୁଖ୍ୟତଃ ରାୟଗଡ଼ା, ଢେଙ୍କାନାଳ, ଦେବଗଡ଼ ଏବଂ ବାଲେଶ୍ୱର ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇଥିଲା । ଭିଡ଼ ହିଂସା ଯେ କେବଳ ସାମ୍ପ୍ରଦାୟିକ ବିଦ୍ୱେଷ ଯୋଗୁଁ ହୁଏ, ତାହା ନୁହଁ ।
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାଠାରେ ୭ ମେ ୨୦୨୬ ତାରିଖ ଦିନ ଯେଉଁ ଲୋମହର୍ଷଣକାରୀ ଲିଞ୍ଚିଂ ଘଟଣା ହୋଇଯାଇଚି, ତାହା ରାଜ୍ୟ କାହିଁକି ସମସ୍ତ ଦେଶକୁ ସ୍ତବ୍ଧ କରିଦେଇଛି । ସେହିପରି ବାଲିଅନ୍ତା ପରେ ପରେ ଓଡ଼ଗାଁରେ ଦୁଇଟି, ଯାଜପୁରର ଜଣେ ଡାକ୍ତରଙ୍କୁ ଭିଡ଼ହିଂସାରେ ହତ୍ୟା ଏବଂ ସୁନ୍ଦରଗଡ଼ଠାରେ ଜଣେ ଗାଡ଼ିଚାଳକଙ୍କୁ ଏକା ଢଙ୍ଗରେ ହତ୍ୟା କରାଯାଇଥିବା ଖବର ପୋଲିସ ରେକର୍ଡ କରିଛି ।
ବହୁଚର୍ଚ୍ଚିତ ଏହି ମାମଲାରେ ଭୁବନେଶ୍ୱର ଉପକଣ୍ଠରେ ଥିବା ବାଲିଅନ୍ତାରେ ଜଣେ ରେଳବାଇ କନଷ୍ଟେବଳଙ୍କୁ ଅତି ନିର୍ମମ ଭାବେ ବାନ୍ଧି ହତ୍ୟା କରାଯାଇଥିଲା । ମଇ ୭ରେ ଭୁବନେଶ୍ୱର ବାଲିଅନ୍ତା ପୋଲିସ ଥାନାର ଅନତି ଦୂରରେ ଏହି ଘଟଣା ଘଟିଥିଲା, ଯେତେବେଳେ ରେଳବାଇ କନଷ୍ଟେବଳଙ୍କୁ ଭିଡ଼ର ଲୋକେ ପିଟିପିଟି ହତ୍ୟା କରିଥିଲେ । ଅଭିଯୋଗ ଥିଲା ବ୍ୟସ୍ତବହୁଳ ରାସ୍ତାରେ କାଳେ ମୃତକଜଣକ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ।
ଏହି ଘଟଣା ବ୍ୟାପକ ଆକ୍ରୋଶର କାରଣ ହୋଇଥିଲା, ରାଜନୈତିକ ଦଳମାନେ ଭିଡ଼ ହିଂସା, ଭିଡ଼ ଦ୍ୱାରା ଦଣ୍ଡବିଧାନ, ଏବଂ ଆଇନଶୃଙ୍ଖଳା ଭାଙ୍ଗିବା ନେଇ ଉଦବେଗ ପ୍ରକାଶ କରିଥିଲେ ।
କେବଳ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନୁହଁ, ରାଜ୍ୟର ପ୍ରାୟ ୬/୭ଟି ସ୍ଥାନରେ ଯେଭଳି ଅମାନବୀୟ ଭାବେ ଭିଡ଼ ହିଂସାରେ ପୁରୁଷ ଓ ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରିଛନ୍ତି ନିଜ ଚାରିପାଖର ଲୋକେ ହିଁ, ତାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଯେତିକି ଅଙ୍ଗୁଳି ନିର୍ଦ୍ଦେଶିତ ହେଉନାହିଁ ବରଂ, ଲୋକଙ୍କ ରୁଗଣ ମାନସିକତା ଓ ଘୃଣ୍ୟ ସାମ୍ପ୍ରଦାୟିକ ମନୋଭାବର ଯେଉଁ ଦୃଶ୍ୟ ଦେଖାଯାଉଛି, ତାହା ଅତ୍ୟନ୍ତ ଲଜ୍ଜାଜନକ ଓ ଚିନ୍ତାଦ୍ୟୋତକ ।
ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଯାଞ୍ଚ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଗତ ୨୦ ମାସ ମଧ୍ୟରେ, ଓଡ଼ିଶାର ଅଧା ଡଜନରୁ ଊର୍ଦ୍ଧ ଜାଗାରେ ବଙ୍ଗଳା ଭାଷାଭାଷୀ ମୁସଲମାନମାନଙ୍କ ଉପରେ ଭିଡ଼ ହିଂସା ସମେତ ସାମ୍ପ୍ରଦାୟିକ ଘଟଣା ଉପରେ କର୍ଫ୍ୟୁ ଏବଂ ଇଣ୍ଟରନେଟ୍ ବନ୍ଦ ଲାଗୁ କରାଯାଇଥିଲା । ଅଧିକାଂଶ କ୍ଷେତ୍ରରେ ଅଭିଯୁକ୍ତମାନେ ଦକ୍ଷିଣପନ୍ଥୀ ରାଜନୈତକି ଦଳର ସଦସ୍ୟ ରହିଛନ୍ତି । ଅଧିକାରୀମାନେ ସ୍ୱୀକାର କରିଛନ୍ତି ଯେ କେତେକ ମାମଲା ରିପୋର୍ଟ ହୋଇପାରି ନାହିଁ ।
ରାଜ୍ୟରେ ‘ସାମ୍ପ୍ରଦାୟିକ ଉତ୍ତେଜନା’ ବ୍ୟାପିବାରେ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ସ୍ମରଣ କରାଯାଇପାରେ ଯେ ଜୁନ୍ ୨୦୨୪ରେ ବିଜେପି ପ୍ରଥମ ଏକକ ସରକାର ଗଠନ କରିଥିଲା ।
ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁସାରେ ୨୦୨୧ରେ ୧୦, ୨୦୨୩ରେ ୪୪ ଏବଂ ୨୦୨୫ରେ ୧୫ଟି ସାମ୍ପ୍ରଦାୟିକ କିମ୍ବା ଧର୍ମଭିତ୍ତିକ ସଂଘର୍ଷ ବା ହିଂସା ଘଟଣା ଘଟିଛି । ଗତ ୧୮ମାସ ମଧ୍ୟରେ ରାଜ୍ୟରେ ଟାର୍ଗେଟରେ ହୋଇଥିବା ହିଂସା ଘଟଣାରେ ନାଗରିକମାନେ ନ୍ୟାୟ ଏବଂ ଶାନ୍ତି ପାଇଁ କ୍ରମାଗତ ଭାବରେ ଦାବୀ କରିଆସୁଛନ୍ତି । ଗୋଟିଏ ରିପୋର୍ଟରେ ଜାନୁଆରୀ ୨୦୨୬ ଆରମ୍ଭରେ ଢେଙ୍କାନାଳ ଜିଲ୍ଲାର ଜଣେ ପାଳକଙ୍କ ଉପରେ ହୋଇଥିବା ଅପମାନ ଏବଂ ଆକ୍ରମଣ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି । ସବୁଠାରୁ ଖରାପ କଥା ହେଲା, ଡିସେମ୍ବର ୨୦୨୫ ଶେଷରେ ଓଡ଼ିଶା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଖ୍ରୀଷ୍ଟମାସ ସାମଗ୍ରୀ ବିକ୍ରୟ କରୁଥିବା ଚର୍ଚ୍ଚ ଏବଂ ବିକ୍ରେତାଙ୍କ ଉପରେ ନିୟମିତ ତଥା କ୍ରମାଗତ ଆକ୍ରମଣ ହୋଇଥିଲା ।
ସର୍ବସାଧାରଣରେ ନିର୍ଯାତିତ କରାଯାଇ ଗାଈ ଗୋବର ଖାଇବାକୁ ବାଧ୍ୟ କରାଯାଇଥିଲା ଓଡ଼ିଶାର ଜଣେ ପାଷ୍ଟରଙ୍କୁ । ଏହି ଆକ୍ରମଣ ମାମଲାରେ ସେଭଳି କୌଣସି ଗିରଫଦାରୀ ହୋଇନଥିବା ଜଣାଯାଇଛି । ବରଂ ପୋଲିସର ନିଷ୍କ୍ରିୟତା ଏବଂ ପୀଡିତଙ୍କ ବିରୋଧରେ କାଉଣ୍ଟର ଏଫ୍ଆଇଆର୍ ନ୍ୟାୟ ଏବଂ ଧାର୍ମିକ ସ୍ୱାଧୀନତା ଉପରେ ଗୁରୁତର ପ୍ରଶ୍ନ ଉଠାଇଥିଲା ।
ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ହେଉଛି ଏକ ଅତିରିକ୍ତ ବିଚାର କାର୍ଯ୍ୟ, ଯେଉଁଠାରେ ଜନତା କିମ୍ବା ଗୋଷ୍ଠୀ ଏକ ଅନୁମାନିତ ଅପରାଧୀଙ୍କୁ ଦଣ୍ଡ ଦେବାପାଇଁ ଆଇନକୁ ନିଜ ହାତକୁ ନେଇଥା’ନ୍ତି । ଏହା ସମସ୍ତ ଆଇନଗତ ପରୀକ୍ଷାକୁ ଅତିକ୍ରମ କରେ, ପ୍ରାୟତଃ ନିର୍ଦ୍ଦୟ ନିର୍ଯାତନା ସହିତ ଜଡ଼ିତ ହୁଏ, ଏବଂ ଯାଞ୍ଚ ହୋଇନଥିବା ଗୁଜବ କିମ୍ବା ଗଭୀର ଭାବନା ଦ୍ୱାରା ପରିଚାଳିତ ହୋଇଥାଏ । ଏହି ଘଟଣାଟି ଅନେକ ମୁଖ୍ୟ ଉପାଦାନକୁ ଅନ୍ତର୍ଭୁକ୍ତ କରିଥାଏ ।
ଧାର୍ଯ୍ୟ ପ୍ରକ୍ରିୟାର ଅଭାବ ଫଳରେ ସନ୍ଦିଗ୍ଧମାନଙ୍କୁ ଆଇନ ଶୃଙ୍ଖଳାକୁ ହସ୍ତାନ୍ତର କରିବା ପରିବର୍ତ୍ତେ ଭିଡ଼ ଦ୍ୱାରା ବିଚାରପତି, ଖଣ୍ଡପୀଠ ଏବଂ ନିର୍ବାହକାରୀର କାର୍ଯ୍ୟ କରାଯାଉଥାଏ । ଭିଡ଼ର ମାନସିକତା- ଏକ ଜନଗହଳିରେ ଥିବା ବ୍ୟକ୍ତିମାନେ ଅନେକ ସମୟରେ ଦୋଷ ଏବଂ ଦାୟିତ୍ୱର ବିସ୍ତାର ଅନୁଭବ କରନ୍ତି । ଏଭଳି କାର୍ଯ୍ୟ ଆଇନର ନିୟମକୁ ଗୁରୁତର ଭାବରେ କ୍ଷୁଣ୍ଣ କରିଥାଏ ଏବଂ ଜନସାଧାରଣଙ୍କ ଶୃଙ୍ଖଳା ରକ୍ଷା କରିବା ତଥା ଏହାର ନାଗରିକଙ୍କୁ ସୁରକ୍ଷା ଦେବା କଷ୍ଟକର ହୋଇଯାଏ । ଉଦାହରଣ ସ୍ୱରୂପ, ଭାରତରେ ସୁପ୍ରିମକୋର୍ଟ ଏହାକୁ ଏକ “ଗଣତନ୍ତ୍ରର ଭୟଙ୍କର କାର୍ଯ୍ୟ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି । ହତ୍ୟାକାଣ୍ଡ ଘଟାଇଥିବା ମବ୍ ହିଂସା କାର୍ଯ୍ୟ ବର୍ତ୍ତମାନ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ସହିତ କଠୋର ଦଣ୍ଡବିଧାନ ପାଇଁ ବ୍ୟବସ୍ଥା କରାଯାଇଛି ।
ହିଂସା ମାନବ ଶରୀର କିମ୍ବା ସମ୍ପତ୍ତି ବିରୁଦ୍ଧରେ ହୋଇଥିବା ଅପରାଧ ସହିତ ସମାନ-ଉଭୟ ଜନସାଧାରଣ ତଥା ବ୍ୟକ୍ତିଗତ ।
ଭିଡ଼ର ଉତ୍ୟକ୍ତ ବ୍ୟକ୍ତିମାନେ ବିଶ୍ୱାସ କରନ୍ତି ଯେ ସେମାନେ କିଛି ଭୁଲ୍ କରିଥିବାରୁ ପୀଡ଼ିତାଙ୍କୁ ଦଣ୍ଡ ଦେଉଛନ୍ତି । ଏବଂ ସେମାନେ କୌଣସି ଆଇନର ନିୟମ ପାଳନ ନକରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଆଇନକୁ ନିଜ ହାତରେ ନେଇଛନ୍ତି ।
ମବ୍ ଲିଞ୍ଚିଂର କାରଣ ମଧ୍ୟରେ ରହିଛି ବିଶେଷ କରି ଅସହିଷ୍ଣୁତା, ପକ୍ଷପାତ, ପୋଲିସ ପ୍ରଶାସନର ଅପାରଗତା, ଶୀଘ୍ର ନ୍ୟାୟପାଇବାରେ ଅଭାବ ।
ଭିଡ଼ ହିଂସା ହେଉଛି ମାନବିକ ସମ୍ମାନର ଉଲ୍ଲଂଘନ, ସମ୍ବିଧାନର ଧାରା ୨୧ ଏବଂ ମାନବିକ ଅଧିକାରର ସର୍ବଭାରତୀୟ ଘୋଷଣାର ଚରମ ଉଲ୍ଲଂଘନ । ଏପରି ଘଟଣା ଭାରତର ସମ୍ବିଧାନର ଧାରା ୧୪ ଏବଂ ୧୫ରେ ଦର୍ଶାଯାଇଥିବା ସମାନତା ଅଧିକାର ଏବଂ ଭେଦଭାବର ପ୍ରତିବନ୍ଧକକୁ ଉଲ୍ଲଂଘନ କରେ । ତଥାପି, ଏହା ଦେଶର ଆଇନରେ କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ । ତେଣୁ ଏହାକୁ ଭାରତୀୟ ନ୍ୟାୟସଂହିତା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇ ନଥିବାରୁ ଏହାକୁ କେବଳ ହତ୍ୟା ବୋଲି କୁହାଯାଏ ।
ଲିଞ୍ଚିଂ ଏକ ଘୃଣ୍ୟ କଥା, ଯାହାର ଗଣତାନ୍ତ୍ରିକ ସମାଜରେ କୌଣସି ସ୍ଥାନ ନଥାଏ । ଲିଞ୍ଚିଂ ହେଉଛି ଶାସନର ଏକ ଅନନ୍ୟ ଅସନ୍ତୋଷ- ଯେତେବେଳେ ମବ୍ ହିଂସା ନିଜେ ଆଇନ ପ୍ରଣୟନର ବିଫଳତାର ସଙ୍କେତ ଅଟେ ।
ଏହିସବୁ ଦେଶ ପାଇଁ ଶୁଭଦାୟକ ନୁହଁ । ଭିଡ଼ ହିଂସା ପ୍ରକୃତରେ ଦେଶକୁ ବଦନାମ କରୁଛି ଏବଂ ଏହାକୁ ଶେଷ କରିବାପାଇଁ ପୋଲିସର କଡ଼ା ହସ୍ତକ୍ଷେପ ହେବା ଆବଶ୍ୟକ ।
ଗତ କିଛି ବର୍ଷ ଧରି ଲିଞ୍ଚିଂର ଘଟଣାକ୍ରମ ସୀମାନ୍ତ ସମ୍ପ୍ରଦାୟ ମଧ୍ୟରେ ଅସୁରକ୍ଷିତ ଭାବନାକୁ ବୃଦ୍ଧି କରିଛି । ଯଦିଓ ୨୦୧୫ ପରଠାରୁ ଦେଶରେ ଅଜଣା କାରଣରୁ ଲିଞ୍ଚିଂ ମାମଲା ସଂଖ୍ୟାର କୌଣସି ତଥ୍ୟ ସଂକଳିତ କରାଯାଇ ନାହିଁ, ଗଣମାଧ୍ୟମର ବିଭିନ୍ନ ବର୍ଗ ଦ୍ୱାରା ରିପୋର୍ଟ କରାଯାଇଥିବା ସଂଖ୍ୟା ଚିନ୍ତାଜନକ ।
ଏହି ପ୍ରକାର ମାମଲାରେ ସୁପ୍ରିମକୋର୍ଟ ମବ୍ ଲିଞ୍ଚିଂକୁ ଏକ ‘ମୋବୋକ୍ରାସିର ଭୟଙ୍କର କାର୍ଯ୍ୟ’ ବୋଲି କହିଛନ୍ତି ।
ଘୃଣାର ବକ୍ତବ୍ୟ, ଉତ୍ତେଜନାମୂଳକ ବିବୃତ୍ତି ଏବଂ ମିଥ୍ୟା ଖବର ପ୍ରସାରଣରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିଷୟରେ ଗୁପ୍ତଚର ରିପୋର୍ଟ ସଂଗ୍ରହ କରିବା ଉଦେ୍ଦଶ୍ୟରେ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ପାଇଁ କୋର୍ଟ ମଧ୍ୟ ଆଦେଶ କରିଥିଲେ । ଆମେ ଏଭଳି କିଛି କାର୍ଯ୍ୟ କରାଯାଇଛି କି ନାହିଁ, ଏଯାଏଁ ଜାଣିପାରି ନାହୁଁ ।
ଲୋକଙ୍କ ଜୀବନ ରକ୍ଷା ତଥା ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ରକ୍ଷା କରିବାରେ ପୋଲିସ୍ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି କିନ୍ତୁ ସେମାନଙ୍କର ଅପାରଗ ଅନୁସନ୍ଧାନ ପ୍ରକ୍ରିୟା ହେତୁ ଏହି ଘୃଣ୍ୟ ଅପରାଧ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ପୋଲିସ ପ୍ରଶାସନ,ରାଜନୈତିକ ପ୍ରଭାବରୁ ମୁକ୍ତ ନୁହେଁ ।
ଭିଡ଼ ହିଂସାକୁ ଅନୁମତି ଦେଇଥିବା ସାମାଜିକ ସମ୍ମତି ଉପରେ ପ୍ରଶ୍ନ କରିବାରେ ରାଜନୈତିକ ନେତୃତ୍ୱର ମଧ୍ୟ ଏକ ଭୂମିକା ରହିଛି ।
Comments
0 comments

