ଲୋକସାହିତ୍ୟରେ ଲୋକ ନାଟ୍ୟ ପରମ୍ପରା

1 View
16 Min Read

ସାହିତ୍ୟ ମୁଖ୍ୟତଃ ୩ଟି ରୂପରେ ଦେଖାଯାଏ । ଲିଖିତ, ମୌଖିକ/କଥିତ, ଅଭିଲେଖ । କଥିତ ସାହିତ୍ୟ କହିଲେ ମୁଖ୍ୟତଃ ଲୋକ ସାହିତ୍ୟକୁ ବୁଝାଯାଏ । ଲୋକ ସାହିତ୍ୟ ହେଉଛି ଗୋଟିଏ ଜାତିର ଗର୍ବ ଓ ଗୌରବ । ଲୋକସାହିତ୍ୟରୁ ସେ ଜାତିର ସ୍ୱାଭିମାନ, ଇତିହାସ, ପରମ୍ପରା,ଐତିହ ତଥା ସଂସ୍କୃତିର ପରିଚୟ ମିଳିଥାଏ ।
ଲୋକସାହିତ୍ୟର ବିଭିନ୍ନ ରୂପ ରହିଛି ଯଥା -ଲୋକଗୀତ, ଲୋକ କାହାଣୀ ଓ ଲୋକ ନାଟକ । କାବ୍ୟ, କବିତା, ଉପନ୍ୟାସ, ଗଳ୍ପକୁ ପାଠକ ଅଧ୍ୟୟନ କରି ଉପଭୋଗ କରେ । ନାଟକ ଦୃଶ୍ୟ, ତେଣୁ ତାକୁ ଦୃଶ୍ୟ କାବ୍ୟ କୁହାଯାଏ । ନାଟକର ଅଭିନୟ ଦେଖି ଦର୍ଶକ ଉପଭୋଗ କରେ । ନାଟକ ଏକ ଅଭିନୟ ମିଶ୍ର କଳା ଯାହା ମଞ୍ଚ ଉପରେ ଅଭିନୀତ ହୁଏ । ନାଟକ ହୋଉଛି ରମଣୀୟ । ଆଲୋଚ୍ୟ ପ୍ରସଙ୍ଗରେ ଆମେ ଲୋକସାହିତ୍ୟକୁ ଭିତ୍ତି କରି ଲୋକନାଟକର ସଂଜ୍ଞା ସ୍ୱରୂପ ଆକଳନ କରାଯିବା ସହ ଲୋକନାଟ୍ୟ ପରମ୍ପରାର ବିକାଶ ମୌଳିକତା ଏବଂ ଲୋକସାହିତ୍ୟ କ୍ଷେତ୍ରରେ ତାର ପ୍ରଭାବ ଉପସ୍ଥାପନା କରାଯିବ ।
ଲୋକସାହିତ୍ୟରେ ଲୋକନାଟ୍ୟ ଆଲୋଚନା :
ସାହିତ୍ୟ ଓ “ଲୋକ’ଶବ୍ଦର ଅର୍ଥ : ସାହିତ୍ୟ କୌଣସି କ୍ଷେତ୍ରରେ ଜନ ଜୀବନଠାରୁ ଅଲଗକ୍ଷ ନୁହଁ, ଜୀବନ ସହିତ ତାର ସମ୍ପର୍କ ଜଡ଼ିତ ହୋଇଅଛି । ଲୋକ ଶବ୍ଦର ଅର୍ଥକୁ ବିଶ୍ଲଷଣ କଲେ ଜଣାଯାଏ -“ଲୋକ’ଶବ୍ଦର ଅର୍ଥ ଅତ୍ୟନ୍ତ ବ୍ୟାପକ ଏବଂ ଏହା ସାଧାରଣ ଜନତାକୁ ବୁଝାଇଥାଏ । ବଣ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀଙ୍କଠାରୁ ଆରମ୍ଭ କରି ପୁରପଲ୍ଲୀ ଓ ନଗରର ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଜନତା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅନ୍ତର୍ଗତ ।
ଲୋକସାହିତ୍ୟ ହିଁ ଏକ ଜନସାହିତ୍ୟ, ଲୋକ ସାହିତ୍ୟକୁ କେହି କେହି ପଲ୍ଲୀ ସାହିତ୍ୟ, ଲଘୁ ସାହିତ୍ୟ ବା ଗାଉଁଲି ସାହିତ୍ୟର ଆଖ୍ୟା ଦେଇଥାନ୍ତି । ଓଡ଼ିଶା ଏକ ପଲ୍ଲୀବହୁଳ ରାଜ୍ୟ ଏବଂ ଅଧିକାଂଶ ଜନତା ପଲ୍ଲୀରେ ହିଁ ବସବାସ କରିଥାନ୍ତି । ସେହିମାନଙ୍କ ଜୀବନ କଥା ଏଥିରେ ପ୍ରକାଶଲାଭ କରିଥିବାରୁ ଏହାର ନାମ ପଲ୍ଲୀ ସାହିତ୍ୟ । ଗ୍ରାମର ଲୋକମାନଙ୍କ ଦ୍ୱାରା ଓ ସେହି ଲୋକମାନଙ୍କ ପାଇଁ ସୃଷ୍ଟି ହୋଇଥିବା ସାହିତ୍ୟ ହିଁ ଗାଉଁଲି ସାହିତ୍ୟ । ଏହା ବାସ୍ତବରେ ଜନଜୀବନର ପ୍ରକୃତ ପ୍ରତିଛବି । ଲୋକ ସାହିତ୍ୟ ମଣିଷର ହିଁ କଥା କହିଥାଏ, ତାର ନିତିଦିନିଆ ହସ କାନ୍ଦ, ସୁଖଦୁଃଖରେ ସାହିତ୍ୟ ପ୍ରତିପାଦ୍ୟ ।
ଇଂରାଜୀରେ ଲୋକଶବ୍ଦର ପରିଭାଷିକ ଶବ୍ଦ(folk) । ପ୍ରାଥମିକ ସ୍ତରରେ ସମାଜର ନିମ୍ନବର୍ଗର ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ଏହା ବ୍ୟବହାର କରାଯାଉଥିଲା । ଏହି ଲୋକ(folk)ଶବ୍ଦକୁ ବ୍ୟାପକ ଅର୍ଥରେ ପ୍ରଥମେ Herder ବ୍ୟବହାର କଲେ । ରବୀନ୍ଦ୍ର ନାଥ ସାହୁଙ୍କ ମତରେ “ଯେଉଁ ସାହିତ୍ୟ ଲୋକଗ୍ରାହୀ, ତାହା ହିଁ ଲୋକସାହିତ୍ୟ । ଡଃ ନାରାୟଣ ଶତପଥୀ କୁହନ୍ତି ଲୋକସାହିତ୍ୟ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ -ଗୋଟିଏ ହେଉଛି ପଦ୍ୟାତ୍ମକ, ଯେଉଁଥିରେ କାନ୍ଦଣକ୍ଷ ଗୀତଠାରୁ ନାଁ ଦିଆ, ମଜାମଜଲିସ, ଖେଳ କୌତୁକ, ଆନନ୍ଦ ଉତ୍ସବ, କୃଷି ଓ ବାଣିଜ୍ୟ, କଳସା, ମଙ୍ଗଳଗୀତି ଅନ୍ତର୍ଭୁକ୍ତ । ଅନ୍ୟଟି ହୋଉଛି ଗଦ୍ୟାତ୍ମକ ଯେଉଁଥିରେ ଲୋକ ଚିତ୍ତର ଅଜସ୍ର ଜୟ ବିଜୟ, ବିସ୍ମୟ, ଭୟ, ନୂତନ ଓ ପୁରାତନ ଅଭିଜ୍ଞତା, ପର୍ଯ୍ୟଟନକାଳୀନ ଘଟଣା, ବିଶ୍ୱାସ ଓ ଅବିଶ୍ୱାସ, ଥଟ୍ଟାଟାପରା କାହାଣୀ ରୂପେ ପ୍ରକଟିତ ।
ବିଷୟ ବିନ୍ୟାସ ଦୃଷ୍ଟିରୁ ଲୋକସାହିତ୍ୟକୁ ୩ ଭାଗରେ ବିଭକ୍ତ କରାଯାଇଛି ଯଥା: ଲୋକ କଥା, ଲୋକଗୀତି, ଲୋକନାଟ୍ୟ । ଲୋକକଥା ମଧ୍ୟ ଦୁଇ ଭାଗରେ ବିଭକ୍ତ: ଲୌକିକ ଓ ଅଲୌକିକ ।
ଲୋକଗୀତ: ଏହାକୁ ବହୁ ଭାଗରେ ବିଭକ୍ତ ଯଥା କୃଷକ ଗୀତ, ଶଗଡିଆ ଗୀତ, ମଇଁଷିଆଳ ଗୀତ, ନାଉରିଆ ଗୀତ, ଦୋଳି ଗୀତ, କାନ୍ଦଣା ଗୀତ, ପୁଚି ଖେଳ, ଓଷା ଗୀତ, ମଙ୍ଗଳବୋଲି, ସମରବୋଲି, ନାଁ ଦିଆ, ଢଗଢମାଳି ଇତ୍ୟାଦି ।
ଲୋକନାଟ୍ୟ ଚାରିଭାଗରେ ବିଭକ୍ତ : ଲୀଳା, ଯାତ୍ରା, ସୁଆଙ୍ଗ, ବିଭିନ୍ନ ନାଟ୍ୟ ।
ଲୋକନାଟକକୁ ଆଲୋଚନା କରାଗଲେ ଆମେ ଦେଖିବା ଆଧୁନିକ ଯୁଗପରି ସାହିତ୍ୟର ବିଭିନ୍ନ ବିଭାଗ ସ୍ୱତନ୍ତ୍ର ଭାବେ ସୃଷ୍ଟି ହୋଇନାହିଁ । ସାହିତ୍ୟର ସବୁ ବିଭାବ କାବ୍ୟର ଅନ୍ତର୍ଭୁକ୍ତ ଥିଲା । ସେଥି ମଧ୍ୟରୁ ନାଟକ ଥିଲା ରମଣୀୟ । କାହିଁକିନା ନାଟକକୁ ଛାଡିଦେଲେ ଅନ୍ୟ ବିଭାବର ଅଭିନୟ ଯୋଗ୍ୟତା ନାହିଁ । ଅଭିନୟ ଯୋଗ୍ୟତା ଥିବା କାବ୍ୟ ହିଁ ‘ଦୃଶ୍ୟ କାବ୍ୟ । ଆଧୁନିକ ନାଟ୍ୟ ପରମ୍ପରା ପ୍ରତି ଲୋକନାଟ୍ୟର ଦାନ ଅତୁଳନୀୟ । ଲୋକନାଟ୍ୟ ସମାଜ ଜୀବନର ମୂଳଦୁଆ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାର ସୃଷ୍ଟି କେବେଠୁ ତାର ହିସାବ କରିହେବନି କିନ୍ତୁ ଏହା ଗୋଟିଏ ଦିନରେ ସୃଷ୍ଟି ହୋଇନାହିଁ ଏହା ନିଶ୍ଚିତ ।
ଲୋକନାଟ୍ୟ ସୃଷ୍ଟି ପଛରେ ବିଭିନ୍ନ କାରଣ ବିଦ୍ୟମାନ ଥିଲା, ଯାହା ଆଲୋଚନା କରାଗଲା ।
ପ୍ରକୃତିର ପ୍ରଭାବ : ଆଦି ମାନବ ପ୍ରକୃତି କୋଳରେ ନାଚିକୁଦି ଜୀବନ ବିତାଇଛି । ନାଚ ତାର ପ୍ରବୃତ୍ତି, କଥା କହିବା, ଚିତ୍ର ଆଙ୍କି, ଗୀତ ଗାଇବା ଆଗରୁ ସେ ନାଚିବା ଆରମ୍ଭ କଲା ।
କୃଷି ସଭ୍ୟତା: ଓଡିଶା ଏକ କୃଷିପ୍ରଧାନ ରାଜ୍ୟ, ଅଧିକାଂଶ ଲୋକ ଚାଷ କରି ନିଜର ଜୀବିକାଭାବେ ଗ୍ରହଣ କରିଛନ୍ତି, କୃଷି ସମୟରେ ବିଶେଷ କରି ଫସଲ ଉତ୍ପାଦନବେଳେ ସେମାନେ ଆନନ୍ଦରେ ନିଜର ଭାବକୁ ପ୍ରକାଶ କରିବାପାଇଁ ଅଙ୍ଗଭଙ୍ଗୀ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଓଡ଼ିଶାର କୃଷକ ସମ୍ପ୍ରଦାୟ ମୁଖ୍ୟ ଭୂମିକା ଗ୍ରହଣ କରିଥିବାର ଲକ୍ଷ୍ୟ କରାଯାଏ । ତେଣୁ କୃଷି ସଭ୍ୟତାରୁ ଲୋକନାଟ୍ୟ ସୃଷ୍ଟିର ଅନ୍ୟତମ କାରଣ ଭାବେ ଗ୍ରହଣ କରାଯାଇପାରେ ।
ସାମରିକ ପରମ୍ପରା: ଏ ଦେଶର ଅତୀତ ସାମରିକ ପରମ୍ପରା ସମୃଦ୍ଧି ଓ ଯୁଦ୍ଧଜୟୀ ଓଡ଼ିଆ ପାଇକମାନେ ନିଜ ମାଟିରେ ପାଦ ଦେବା ମାତ୍ରକେ ତାଙ୍କୁ ବିଭିନ୍ନ ଭାବରେ ସ୍ୱାଗତ କରାଯାଉଥିଲା । ଏହି ସମୟରେ ନୃତ୍ୟଗୀତରେ ସେମାନଙ୍କୁ ପୁରାଣର କଥାବସ୍ତୁ ସହ ଯୁଦ୍ଧ ବୃତ୍ତାନ୍ତକୁ ନେଇ ଦୃଶ୍ୟ ମାଧ୍ୟମରେ ତାହା ଦେଖାଇ ଦିଆଯାଉଥିଲା । ଖୋର୍ଦ୍ଧା, ଢେଙ୍କାନାଳ ଆଦି ପାଇକ ଅଞ୍ଚଳରେ ଏବେ ବି ପାଇକ ଆଖଡ଼ା ଅନୁଷ୍ଠିତ ହୋଇଥାଏ ।
କାରୁକଳା : ଉକ୍ରଟ କଳାର ଦେଶ ବୋଲି ଓଡିଶାର ଅନ୍ୟନାମ ଉକ୍ରଳ । କଳାବିଦ୍ୟାରେ ଦିନେ ଏହି ଉକôଳ ସମଗ୍ର ଭାରତବର୍ଷରେ ଶୀର୍ଷସ୍ଥାନ ଗ୍ରହଣ କରିଥିଲା । ଅତୀତ ଓଡ଼ିଶାର ସେହି କାରୁକଳାର ଚିତ୍ର ଏବେ ମଧ୍ୟ ରାଣୀଗୁମ୍ଫାର ନୃତ୍ୟରତା ରମଣୀର ବିଭିନ୍ନ ସ୍ଥାନରେ ପରିଲକ୍ଷିତ ପ୍ରାଚୀନ ମନ୍ଦିରମାନଙ୍କରୁ ଦେଖିବାକୁ ମିଳେ । ଓଡ଼ିଆ ଶିଳ୍ପୀଙ୍କ ହସ୍ତରେ ନିର୍ମିତ ହୋଇଥିବା ବିଭିନ୍ନ ନୃତ୍ୟଭଙ୍ଗୀ ଓ ଦୃଶ୍ୟସଜ୍ଜା ଓଡ଼ିଆ ଲୋକ ନାଟ୍ୟକୁ ପ୍ରଭାବିତ କରିଥିବା ଜଣାଯାଏ । କିଛି କିଛି ପ୍ରତିମୂର୍ତ୍ତି ଦେବଦାସୀ ଓ ଓଡିଶୀ ନୃତ୍ୟ ଓଡ଼ିଆ ଲୋକନାଟ୍ୟର ବିକାଶରେ ଓଡିଶା ନୃତ୍ୟ ଦେବଦାସୀ ପ୍ରଥାର ଭୂମିକାକୁ ଅସ୍ୱୀକାର କରାଯାଇ ନପାରେ । ଜଗନ୍ନାଥ ମନ୍ଦିରରେ ପ୍ରଦର୍ଶିତ ହେଉଥିବା ଦେବଦାସୀ ନୃତ୍ୟ ମନ୍ଦିର ବାହାରେ ଗୋଟିପୁଅ ନାଚ ଭାବରେ ଖ୍ୟାତିଲାଭ କରିଛି । ଓଡିଶୀ ନୃତ୍ୟ ପରବର୍ତ୍ତୀ କାଳରେ କଳାପ୍ରିୟ ଓଡ଼ିଆ ତହିଁରେ ସଂଗୀତ ଓ ଅଳ୍ପ ଗଦ୍ୟଯୁକ୍ତ ହୋଇ ବିଭିନ୍ନ ଲୋକନାଟ୍ୟରେ ପରିଣତ କରାଇପାରିଛି ।
ମନୁଷ୍ୟ ପ୍ରଥମେ ଲେଖି ଜାଣିନଥିଲା ନିଜର ଭାବନାକୁ ଅନ୍ୟ ନିକଟରେ ପ୍ରକାଶ କରିବା ପାଇଁ । ବିଭିନ୍ନ ଠାରମାନଙ୍କର ପ୍ରୟୋଗ କଲା ଓ ପରେ ଧ୍ୱନିର ଆବିଷ୍କାର କଲା, ଏହି ଧ୍ୱନି ମୁଖରୁ ମୁଖକୁ ଗଡି ଚାଲିଲା, ଏହାପରେ ବହୁ ଅଭିଜ୍ଞତା ହାସଲ କରି ଭାଷାର ଉଦ୍ଭବ ହୋଇଥିଲା । ଠିକ ସେମିତି ସାଧାରଣ ମଣିଷ ନିଜର କର୍ମକ୍ଲାନ୍ତ ଜୀବନକୁ ଆନନ୍ଦ ଦେବାପାଇଁ କିଛି ମାଧ୍ୟମ ଖୋଜିଥିଲା । କେତେବେଳେ ସେ ଜଙ୍ଗଲରେ ଥିବା ପଶୁପକ୍ଷୀ ମାନଙ୍କର ସ୍ୱରକୁ ଅନୁଧ୍ୟାନ କରି ନିଜ ସ୍ୱର ସୃଷ୍ଟିକଲା । ସେମାନଙ୍କ ଅଙ୍ଗଭଙ୍ଗୀକୁ ଦେଖି ନିଜେ ସେପରି କଲା । ଏହା ବ୍ୟତୀତ ଶିକାର କରିବା ସମୟରେ, ପୂଜା ପାର୍ବଣ ପାଳନ ଅବସରରେ, ଲୌକିକ ବିିଧିବିଧାନ ବେଳେ, କର୍ମକ୍ଲାନ୍ତ ଦେହ ଓ ମନକୁ ଆନନ୍ଦ ଦେବାକୁ ସୁଖ ଓ ଦୁଃଖରେ ମଣିଷ ନାଚିଛି । କାରଣ ଏହି ନାଟରୁ ସେ ଆନନ୍ଦ ପାଇଛି ଓ ଅନ୍ୟକୁ ଆନନ୍ଦ ଦେଇଛି । ନାଚି ନାଚି ସେ ଗୀତ ଗାଇଛି ଓ ସମୟକ୍ରମେ କ୍ଷୁଦ୍ରଗଳ୍ପ ସଂଳାପ ବି ଯୋଡି ଦେଇଛି । ତାକୁ ଅଧିକ ରସମୟ ଏବଂ ଶ୍ରୁତିମଧୁର କରିବା ପାଇଁ ଏହିପରି କ୍ରମଶଃ ଲୋକନାଟକ ପରିବର୍ତ୍ତିତ ହୋଇ ସାହିତି୍ୟକ ନାଟକ । ଏହିପରି କ୍ରମଶଃ ଲୋକନାଟକ ପରିବର୍ତ୍ତିତ ହୋଇ ସାହିତି୍ୟକ ନାଟକ ସୃଷ୍ଟି ହେବାର ବାଟ ପାଇଥିଲା । ତେଣୁ ଲୋକନାଟକ ହେଉଛି ନାଟକର ଆଦି ପର୍ଯ୍ୟାୟ ।
ଲୋକନାଟକ ହେଉଛି ଏକ ସାର୍ବଜନୀନ କଳା । ଏହାର ଲେଖକ, ନିଦେ୍ର୍ଦଶକ, ଅଭିନେତା, ଦର୍ଶକ ସମସ୍ତେ ହେଉଛନ୍ତି ସାଧାରଣ ସ୍ତରର । ସାଧାରଣ ଜନଜୀବନର ନିଚ୍ଛକ ଚିତ୍ର, ଲୋକସାଧାରଣଙ୍କ ଭାଷା, ସଂଗୀତ, ବାଦ୍ୟଦ୍ୱାରା ପ୍ରଦର୍ଶିତ ହୋଇ ଗ୍ରାମୀଣ ଜନତାଙ୍କ କର୍ମକ୍ଲାନ୍ତ ଜୀବନକୁ ଆନନ୍ଦ ପ୍ରଦାନ କରୁଥିବା ନାଟ୍ୟଭିନୟକୁ ଲୋକନାଟକ କୁହାଯାଏ ।
ଏହା ସାହିତି୍ୟକ ନାଟକ ଭଳି କଷ୍ଟ ନୁହେଁ ବରଂ ସାଧାରଣ ମଣିଷର ସରଳ ଓ ନିରାଡ଼ମ୍ବର ଜୀବନ ଭଳି ସାବଲୀଳ । ବିଭିନ୍ନ ସମୟରେ ଧର୍ମୀୟ ଗଣ୍ଡି ଭିତରୁ ମନସ୍କାମନା ପୂରଣଜନିତ ପ୍ରେରଣା ହିଁ ଲୋକନାଟକର ଜନ୍ମ ଓ ପ୍ରତିଷ୍ଠା ଲାଭକରିବା ଦିଗରେ ସହାୟକ ହୋଇଛି । ଲୋକନାଟକ ସାଧାରଣ ଜନଜୀବନର ପ୍ରତିଟି ଭାବାବେଗକୁ ନେଇ ଗତିଶୀଳ । ଗ୍ରାମୀଣ ଜନତାର ଜୀବନ, ଚଳଣି ଓ ପରମ୍ପରା ଏଥିରେ ଚିତ୍ରିତ । ପ୍ରତିଟି ଉପାଦାନ ଗ୍ରାମୀଣ ସମାଜରୁ ସଂଗୃହିତ । ବିଶେଷ କରି ଓଡିଶାରେ କୃଷି, ଧର୍ମ ଏବଂ ସାମରିକ ସଂସ୍କୃତିକୁ ଆଧାର କରି ଲୋକନାଟକ ଗଢିଉଠିଛି ।
ପ୍ରକୃତରେ ଓଡ଼ିଆ ସାହିତ୍ୟର ଇତିହାସକୁ ଅନୁଧ୍ୟାନ କଲେ ଦେଖିବାକୁ ମିଳେ, ଆଧୁନିକ ନାଟକ ସୃଷ୍ଟି ହେଲା ଉନବିଂଶ ଶତକର ଦ୍ୱିତୀୟ ଭାଗରେ । କିନ୍ତୁ ବହୁତ ବର୍ଷ ପୂର୍ବରୁ ଓଡ଼ିଆ ନାଟକ ତାର ସ୍ଥିତି ପ୍ରତିଷ୍ଠା କରିସାରିଥିଲା । । ଏହି ଲୋକ ନାଟକରେ ନାଚ, ଗୀତ ଓ ଅଭିନୟର ଅପୂର୍ବ ସମନ୍ୱୟ ଘଟିଥାଏ । ଉକôଳର ପୁରପଲ୍ଲୀରେ ଅଭିନୀତ ହେଉଥିବା ଏହିସବୁ ପଲ୍ଲୀପ୍ରାଣ ନାଟକ ଗୁଡିକରେ ଅଭିନୟ ପରିସର ଯେତିକି ବ୍ୟାପକ, ଏହାର ଦର୍ଶକ ମଧ୍ୟ ସେତିକି ବିଶାଳ । ନାଟକର ଏହି ପରିସରକୁ ଅନୁଧ୍ୟାନ କରି ଓଡ଼ିଆରେ ଯଥାର୍ଥରେ କୁହାଯାଏ ‘ଅତି ବେହିଆ ନାଚନ୍ତି’ ଆଉ ଏକ ଅର୍ଥରେ କୁହାଳିଆ, ରସିକ ଲୋକମାନେ ହିଁ ଏହି ସବୁ ନାଚ ଦଳରେ ବେଶୀ ପରିମାଣରେ ଯୋଗ ଦିଅନ୍ତି । ସେମାନେ ଏହି ନାଟକର ଆତ୍ମା ସହ ଏତେ ପରିମାଣରେ ଏକାକାର ହୋଇଯାଅନ୍ତି ଯେ, ସେମାନେ ନିଜର ପ୍ରିୟଜନ, ସାଇଲୋକ, ଭାଇଲୋକଙ୍କ ଆଗରେ ଶାଢ଼ୀ ପିନ୍ଧି ନାଚି ପାରନ୍ତି, ଅଶ୍ଳୀଳ ବାକ୍ୟ ମଧ୍ୟ ଉଚ୍ଚାରଣ କରିପାରନ୍ତି । ଏହାର ମୂଳଲକ୍ଷ୍ୟ ହେଲା ହେଲା ଦର୍ଶକଙ୍କୁ ଖୁସି ପ୍ରଦାନ କରିବା । ତାଙ୍କ ମୁହଁରେ ହସ ଦେବା ।
ନାଟକ ଭଳି ଲୋକନାଟକରେ ଅଭିନୟ ମୂଳହେଲେ ହେଁ ନୃତ୍ୟ, ଗୀତ ଓ ବାଦ୍ୟର ସମାବେଶରେ ହିଁ ଏହାର ପରିବେଷଣ । ଅନ୍ୟ ଭାଷାରେ ଲୋକ ନାଟକ ଅଭିନୟ, ନୃତ୍ୟ ଗୀତ ଓ ବାଦ୍ୟର ସମ୍ମିଳିତ ରୂପ । କେଉଁ ଲୋକନାଟକରେ ଅଭିନୟର ମାତ୍ରା ଅଧିକ ତୋ କେଉଁଥିରେ ନୃତ୍ୟ, କେଉଁଥିରେ ସଂଗୀତର ତୋ କେଉଁଥିରେ ବାଦ୍ୟର ମାତ୍ରା ଅଧିକ ।
ଓଡ଼ିଆ ଲୋକ ନାଟକର ବିଭିନ୍ନ ରୂପ: ଓଡ଼ିଆ ଲୋକନାଟକ କହିଲେ କୌଣସି ଏକ ନିର୍ଦ୍ଦିଷ୍ଟ ନୃତ୍ୟ ବା ନାଟକୁ ବୁଝାଇ ନଥାଏ । ଜନମାନସର ପରିବର୍ତ୍ତନ ସହିତ ତାଳ ଦେଇ ଏହାର ରୂପରେ ମଧ୍ୟ ବହୁବିଧ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ । ମୁଖ୍ୟତଃ ଧର୍ମାଚାର, ମନୋରଞ୍ଜନ, ଶ୍ରମାପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦେ୍ଦଶ୍ୟକୁ ନେଇ ଲୋକନାଟ୍ୟ ରଚିତ । ନିମ୍ନରେ ସେଗୁଡିକର ବିଭାଗୀକରଣ କରାଯାଇ ସ୍ୱତନ୍ତ୍ର ଭାବେ ଆଲୋଚନା କରାଗଲା ।
ଏହି ଦୃଷ୍ଟିକୋଣରୁ ଲୋକନାଟକକୁ ୪ଟି ଭାଗରେ ବିଭକ୍ତ କରାଯାଇଛି ।
୧) ଅଭିନୟପ୍ରଧାନ ଲୋକନାଟକ, ୨) ନୃତ୍ୟପ୍ରଧାନ ଲୋକ ନାଟକ, ୩) ସଂଗୀତପ୍ରଧାନ ଲୋକନାଟକ ୪) ବାଦ୍ୟପ୍ରଧାନ ଲୋକନାଟକ
୧) ଅଭିନୟ ପ୍ରଧାନ ଲୋକନାଟକ -ରାମ ଲୀଳା, କୃଷ୍ଣ ଲୀଳା, ରାଧାକୃଷ୍ଣ ପ୍ରେମଲୀଳା, ଗୋପ ଲୀଳା, ରାସଲୀଳା, ଭାରତଲୀଳା, ଦଣ୍ଡ, ସୁଆଙ୍ଗ ପ୍ରଭୃତି ।
୨) ନୃତ୍ୟପ୍ରଧାନ – ଛଉ ନାଚ, ଦଣ୍ଡ ନାଚ, ପାଟୁଆ ଯାତ୍ରା, ଗୋଟିପୁଅ ନାଚ, ଡ଼ାଲ ଖାଇ ନାଚ, ରସରକେଲି, ଘୁମୁରା ନାଚ, କରମକ୍ଷ ନାଚ, ଦେଶିଆ ନୃତ୍ୟ ଆଦି ।
୩) ସଂଗୀତପ୍ରଧାନ- ପାଲା, ଦାସକାଠିଆ, ପରାୟଣ, ସଖିନାଟ, କଣ୍ଢେଇନାଚ, ଚଢ଼େୟା-ଚଢ଼େୟାଣୀ ନାଟ, ଫାର୍ସ, ପ୍ରହସନ ପ୍ରଭୃତି ।
୪) ବାଦ୍ୟ ପ୍ରଧାନ-ଧୁଡୁକି ନାଚ, ଚଇତି ଘୋଡା ନାଟ ଇତ୍ୟାଦି ।
ଏସବୁ ବ୍ୟତୀତ ବହୁ ଆଞ୍ଚଳିକ ଓଡ଼ିଆନାଟକ ମଧ୍ୟ ରହିଛି, ଯଥା-ଲଉଡ଼ି ନାଟ, କାଠି ନାଟ, ଧନୁଯାତ୍ରା । ଏହି ଲୋକନାଟକ କେବଳ ଉଦାହରଣ ପାଇଁ ବର୍ଗୀକରଣ କରାଯାଇଛି ।
ପ୍ରାସଙ୍ଗିକ କ୍ରମେ କେତୋଟି ଲୋକ ନାଟକ/ ଲୀଳା/ ପାଲା/ଯାତ୍ରା ଆଦିକୁ ସଂକ୍ଷିପ୍ତରେ ନିମ୍ନମତେ ଆଲୋଚନା କରାଗଲା ।
ଓଡ଼ିଆ ଲୋକ ନାଟ୍ୟର ବିକାଶରେ ଲୀଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲୀଳାର ଆକ୍ଷରିକ ଅର୍ଥ ହୋଉଛି କ୍ରୀଡା, ଚିତ୍ତ ବିନୋଦନ ପାଇଁ ବେଶ, ଗତି, ଦୃଷ୍ଟି ହାସ୍ୟ ଏବଂ କଥୋପକଥନ ଦ୍ୱାରା ପ୍ରିୟତମର ଅନୁକରଣକୁ ଲୀଳା କୁହନ୍ତି । ଆଧ୍ୟାତ୍ମିକ ଭାବନାରୁ ଏହାର ସୃଷ୍ଟି । ଏହି ଲୀଳାରେ ମୁଖ୍ୟତଃ ରାମାୟଣ, ମହାଭାରତ, ହରିବଂଶ, ଆଦି ମୁଖ୍ୟ ଭୂମିକାଭାବେ ଗ୍ରହଣ କରାଯାଇଛି । ବିଶ୍ୱନାଥ ଖୁଣ୍ଟିଆଙ୍କ “ବିଚିତ୍ର ରାମାୟଣ” ଓଡ଼ିଆ ଭାଷାରେ ରଚିତ ପ୍ରଥମ ଲିଖିତ ଲୀଳା ନାମରେ ଖ୍ୟାତ । ବିଭିନ୍ନ ଲୀଳାଠାରୁ ରାମଲୀଳା ସବୁଠାରୁ ପ୍ରାଚୀନ । ସନ୍ଥ ତୁଳସୀ ଦାସଙ୍କ ରାମଚରିତ ମାନସ ମାଧ୍ୟମରେ ରାମଲୀଲାକୁ ଏକ ଆଧୁନିକ ରୂପ ପ୍ରଦାନ କରାଯାଇଛି । ହରିବଂଶରେ ରାମଲୀଳା ସମ୍ପର୍କରେ ସୁନ୍ଦର ଉପାଖ୍ୟାନ ରହିଛି । ରାମଚନ୍ଦ୍ରଙ୍କ ଜୀବନର ବିଭିନ୍ନ ଘଟଣା ଏଥିରେ ପ୍ରଦର୍ଶିତ । କୃଷ୍ଣ ଲୀଳାରେ ମଧ୍ୟ ସେଭଳି ରସରାଜ ଶ୍ରୀକୃଷ୍ଣ ଓ ରାସେଶ୍ୱରୀ ଶ୍ରୀରାଧା ତାଙ୍କ ସହିତ ଗୋପୀବାଳାଙ୍କୁ ନେଇ ଅନେକ ଲୀଳା ରଚିତ ହୋଇଛି । ରସରୁ ରାସଲୀଳାର ଉତ୍ପତ୍ତି । କାହିଁକିନା ସ୍ୱୟଂ ଶ୍ରୀକୃଷ୍ଣ ହେଉଛନ୍ତି ରସସ୍ୱରୂପ । ରସର ପରାକାଷ୍ଠା, ଚୁମ୍ବନ, ଆଲିଙ୍ଗନ ଆଦି ଯେଉଁ କ୍ରୀଡାରେ ପ୍ରଦର୍ଶିତ ତାହାକୁ ହିଁ ରାସକ୍ରୀଡ଼ା କୁହାଯାଏ ।
ଗୀତ ସହିତ ଅଭିନୀତ ହେଉଥିବା ନାଟକକୁ ଗୀତିନାଟ୍ୟ କୁହାଯାଏ । ଏଥିରେ ଗଦ୍ୟ ପଦ୍ୟ ସମାନ ସ୍ଥାନ ଅଧିକାର କରେ । ଓଡ଼ିଶାର ପ୍ରାଚୀନ ସଂସ୍କୃତିକୁ ଅନୁଧ୍ୟାନ କଲେ ଦେଖାଯାଏ ‘ଲୀଳା’ର ରୂପାନ୍ତର ଅବସ୍ଥା ହିଁ ଗୀତିନାଟ୍ୟ । ଦକ୍ଷିଣ ଓଡ଼ିଶାର ପ୍ରହ୍ଲାଦ ନାଟକ, ପଶ୍ଚିମ ଓଡ଼ିଶାର ବାଂଶ ଭୁତ ଆଦି ମଧ୍ୟ ଗୀତି ନାଟ୍ୟ ପର୍ଯ୍ୟାୟର । ଓଡ଼ିଆ ଯାତ୍ରା, ଫାର୍ସ ଆଦି ଗୀତିନାଟ୍ୟ ପରମ୍ପରାର ଗୋଟିଏ ଧାରା ପରି । ଗୀତିନାଟ୍ୟ ପ୍ରାଚୀନ ଲୋକନାଟ୍ୟ ଶୈଳୀର ଏକ ଅନବଦ୍ୟ ସମ୍ଭାର ହୋଇଥିଲେ ମଧ୍ୟ ଏହାର ପରିବେଷଣ ଶୈଳୀ ବିଷୟବସ୍ତୁ ଆବେଦନ ଆପଣାର ଯେ ଆଧୁନିକ କାଳରେ ନାଟକ ପରି ଏହି ଗୀତିନାଟ୍ୟ ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଛି ।
ଗୀତି ନାଟ୍ୟର ପ୍ରଧାନ ବୈଶିଷ୍ଟ୍ୟ ହେଲା ଗୀତିମୟତା । ଏଥିରେ ସଂଗୀତ ବାଦ୍ୟ ଆଦିର ମୁଖ୍ୟ ଭୂମିକା ରହିଥାଏ । ମଝିରେ ମଝିରେ ସଂଳାପ ପ୍ରୟୋଗ କରାଯାଇଥାଏ । ଓଡ଼ିଶାର ପ୍ରଥମ ଗୀତିକାବ୍ୟ ରଚୟିତା ଭାବେ ଶଙ୍କର ମିଶ୍ର ପରିଚିତ । ଲଳିତା ହରଣ, ଚନ୍ଦ୍ରାବତୀ ହରଣ, ସଚଳା ହରଣ ଆଦି ବହୁ ଗୀତିକାବ୍ୟ ରଚନା କରିଛନ୍ତି ।
ଫାର୍ସ କେବଳ ହାସ୍ୟରସ ସୃଷ୍ଟି ନିମନ୍ତେ ରଚିତ । ଏବେ ଫାର୍ସ ବା ପ୍ରହସନ ହୋଇଲେ ଲଘୁ କଳ୍ପନାଶ୍ରିତ ହାସ୍ୟ କୌତୁକପୂର୍ଣ୍ଣ କ୍ଷୁଦ୍ର ନାଟକକୁ ବୁଝାଇଥାଏ । ଏହାର ରଙ୍ଗ ରସ ମୁଖ୍ୟତଃ ଘଟଣାଶ୍ରୟୀ । ବାହ୍ୟ ଘଟଣା ଓ ପରିବେଶର ଅତିରଞ୍ଜନ ଏଥିରେ ସ୍ଥାନ ଲାଭ କରିଥାଏ । ଏହା ଲୋକ ଚରିତ୍ର ସଂଶୋଧନ ବା ସମାଜ ସଂସ୍କାରପାଇଁ ଏହାର ସୃଷ୍ଟି ।
ମୋଗଲତାମସାରେ ପଠାଣ ଶାସକମାନଙ୍କର ବିଳାସମୟ ଜୀବନଚିତ୍ର, ଚାରିତ୍ରିକ ସ୍ଖଳନ, ଦୁର୍ନୀତି ଆଦିକୁ ବ୍ୟଙ୍ଗାତ୍ମକ ଭାବରେ ପ୍ରକକ୍ଷଶ କରାଯାଇଛି ।
ଡାଲ ଖାଇ : ଡାଲ ଖାଇ ପଶ୍ଚିମଓଡ଼ିଶାର ଏକ ଲୋକପ୍ରିୟ ନୃତ୍ୟ । ଡାଲଖାଇ ବ୍ରତ ଧାରିଣୀମାନେ ବଣ ଭିତରେ ଗଛର ଡାଳରେ ଥିବା ମଙ୍ଗଳା ବା ଦୁର୍ଗା ଅନ୍ୟ ଅର୍ଥରେ ଡାଲଖାଇ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଡାଲଖାଇ ନୃତ୍ୟ କରିଥାନ୍ତି । ଆଶ୍ୱିନ ମାସର ମହାଷ୍ଟମୀଠାରୁ ଆରମ୍ଭ ହୋଇ ଦଶହରା ଦିନ ପର୍ଯ୍ୟନ୍ତ ତିନିଦିନ ଧରି ଏହାର ଆୟୋଜନ ହୋଇଥାଏ । ଏହି ତିନିଦିନ ଧରି ଆଦିବାସୀ ତରୁଣୀ ଦଳବଦ୍ଧ ଭାବରେ ନୃତ୍ୟ ପରିବେଷଣ କରିଥାନ୍ତି । ଗୀତର ତାଳେତାଳେ ବିଭିନ୍ନ ବାଦ୍ୟ ସହଯୋଗରେ ନୃତ୍ୟଟି ବେଶ ଉପଭୋଗ୍ୟ ହୋଇଉଠେ । ଯୁବକମାନେ ମାଦକ, ଢୋଲ, ମହୁରୀ, ଟମକୀ ଇତ୍ୟାଦି ବଜାଇଥାନ୍ତି । ସମୟ ସମୟରେ ତରୁଣ ତରୁଣୀମାନେ ନିଜର କଳା କୁଶଳତା ପ୍ରଦର୍ଶନୀ କରିଥାନ୍ତି । ଏହାଦ୍ୱାରା ଦେବୀ ପ୍ରସନ୍ନା ହେବା ସଙ୍ଗେ ସଙ୍ଗେ ଗୃହ, ପରିବାର ଏବଂ ଗ୍ରାମର ମଙ୍ଗଳ ସାଧିତ ହୁଏ ବୋଲି ସେମାନଙ୍କ ବିଶ୍ୱାସ । ଦୁର୍ଗାଷ୍ଟମୀ ଦିନ ତରୁଣୀମାନେ ଭାଇମାନଙ୍କ ଶୁଭ ମନାସି ଉପବାସ କରିଥାନ୍ତି । ଏହା ବର୍ତ୍ତମାନ କେବଳ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ନରହି ସମଗ୍ର ପଶ୍ଚିମ ଓଡ଼ିଶାର ମୁଖ୍ୟ ଗଣନୃତ୍ୟରେ ପରିଣତ ହୋଇଯାଇଛି । ଲୋକନାଟ୍ୟ ସମ୍ପର୍କରେ ଆଲୋଚକମାନଙ୍କ ମତାନୁଯାୟୀ -“ଲୋକ’ ସାଧାରଣ ଲୋକଙ୍କୁ ହିଁ ବୁଝାଏ । ଯେଉଁମାନେ ଅଶିକ୍ଷିତ ବା ଅଳ୍ପ ଶିକ୍ଷିତ, ସେମାନେ ସଂସ୍କୃତ ସାହିତ୍ୟ ଅଭିଜ୍ଞ ବ୍ୟକ୍ତିଙ୍କୁ ପଣ୍ଡିତେ ବୋଲି ଡାକନ୍ତି । ତିନିହାତ ଦୂରରୁ ମୁଣ୍ଡିଆ ମାରନ୍ତି, ସରକାରଙ୍କୁ ଭୟ କରନ୍ତି, ବିବାଦୀ ଭାଇକୁ ଦେଖିଲେ ଠେଙ୍ଗା ବାହାର କରନ୍ତି । ସେମାନେ ଦେଶ ପାଇଁ ସର୍ବଦା କର୍ମବ୍ୟସ୍ତ, ହେଲେ ଦେଶ କଣ ଜାଣନ୍ତିନି । ଖଟନ୍ତି, ଖାଆନ୍ତି, ସନ୍ଧ୍ୟା ହେଲେ ମହାଭାରତ ବା ରାମାୟଣ ଶୁଣନ୍ତି । ଆମ ଦେଶର ‘ଲୋକ’ ବାର ମାସରେ ତେର ପର୍ବ ପାଳନ୍ତି । ଟିକିଏ କଥାରେ ହସନ୍ତି, ଢୋଲ, ମୃଦଙ୍ଗ, କରତାଳ ବା କୁବୁଜି ବଜାଇ ଗୀତ ଗାଆନ୍ତି ଓ ନାଚନ୍ତି । ସେମାନେ କଥା କହିବାକୁ ଡରନ୍ତି, କଥା କହିଲେ ଭୁଲ କରନ୍ତି, ବିଭିନ୍ନ ଭାଷାକୁ ମିଶାଇ କହନ୍ତି । ଅନ୍ୟ ଦିଗରେ ଅଭିନୟ, ନୃତ୍ୟ ଓ ଗୀତର ସୃଷ୍ଟି ନାଟ୍ୟ ସବୁ ମିଶିକି ହୁଏ ଲୋକନାଟ୍ୟ । ଲୋକନାଟ୍ୟରେ ରସଠାରୁ ଭାବର ସ୍ଥାନ ବେଶୀ ।
ଉପସଂହାର:
ଓଡ଼ିଶାର ଲୋକନାଟ୍ୟ ପରମ୍ପରା କିପରି ବିଶାଳ ଏବଂ ଲୋକପ୍ରିୟ ଥିଲା, ଆଜି ତାହା କେବଳ ଅନୁମାନସାପେକ୍ଷ । ଲକ୍ଷ ଲକ୍ଷ ଅଧିବାସୀଙ୍କୁ ମନୋରଞ୍ଜନ କରିବା ସଙ୍ଗେସଙ୍ଗେ ସେମାନଙ୍କୁ ଯେପରି ଐକ୍ୟ ସୂତ୍ରରେ ଆବଦ୍ଧ କରିଥିଲା, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ବର୍ତ୍ତମାନର ଆଧୁନିକ ସିନେମା, ଟିଭି ଓ ଅପେରା ଅତୀତର ଲୋକ ନାଟ୍ୟପରି ଜନମାନସ ଉପରେ ସେପରି ବଳିଷ୍ଠ ପ୍ରଭାବ ପକାଇପାରୁନି । ସୁଖର କଥା ବର୍ତ୍ତମାନ ନାଟ୍ୟକାର ମାନେ ଅତୀତର ସେହି ଲୋକନାଟ୍ୟର ଲୋକପ୍ରିୟତାକୁ ନିଜ ନିଜର ନାଟକମାନଙ୍କରେ ପରିବେଷଣ କରିବାକୁ ଆଗେଇ ଆସୁଛନ୍ତି ଏବଂ ସଫଳତା ଲାଭ ମଧ୍ୟ କରୁଛନ୍ତି । ଏହିପରି ଭାବରେ ଓଡ଼ିଆ ଲୋକନାଟକ ଭାରତୀୟ ସଂସ୍କୃତ ଓ ଇତିହାସର ବିଭିନ୍ନ ଉଲ୍ଲେଖନୀୟ ଧାରାକୁ ସହଜରେ ଗ୍ରହଣ କରି ବିଶ୍ୱ ଦରବାରରେ ଓଡ଼ିଆ ଲୋକନାଟକର ପ୍ରଭୂତ୍ୱ ଓ ପ୍ରତିଭାକୁ ବହୁଗୁଣରେ ସମ୍ମାନିତ କରିପାରିଛି ।
ସହାୟକ ଗ୍ରନ୍ଥସୂଚୀ:
ଓଡ଼ିଆ ଲୋକ ସାହିତ୍ୟ ଓ ଲୋକସଂସ୍କୃତି- ଡ.କୃଷ୍ଣଚନ୍ଦ୍ର ପ୍ରଧାନ
– ଓଡ଼ିଆ ସାହିତ୍ୟର ଇତିହାସ – ସୁରେନ୍ଦ୍ର କୁମାର ମହାରଣା
– ଲୋକ ସାହିତ୍ୟ- ଡ଼ ଅରବିନ୍ଦ ପଟ୍ଟନାୟକ
– ଲୋକସଂସ୍କୃତି -ଲୋକ ସାହିତ୍ୟ -ପ୍ରଫେସର ନାରାୟଣ ସାହୁ / ଅଧ୍ୟାପିକା ମନୋଜାମଞ୍ଜରୀ ସାହୁ
-ଲୋକଧର୍ମ ଲୋକସାହିତ୍ୟ – ଡ. ସଦାନନ୍ଦ ନାୟକ
-ଓଡ଼ିଆ ଲୋକସାହିତ୍ୟ – ବିଶ୍ୱ ଭାରତୀ ଓଡ଼ିଆ ସାହିତ୍ୟ ପରିଷଦ
-ନାଟ୍ୟଧାରା – ଡ. ହେମନ୍ତ କୁମାର ଦାସ
-ଓଡ଼ିଆ ନାଟ୍ୟ ସାହିତ୍ୟ – ସର୍ବେଶ୍ୱର ଦାସ
-ଓଡ଼ିଆ ନାଟ୍ୟକଳା- ଗିରିଜା ଶଙ୍କର ରାୟ
-ଲୋକ ସଂସ୍କୃତିର ତାତ୍ତ୍ୱିକ ଓ କଳାତ୍ମକ ବିଭବ- ଡ. କୃଷ୍ଣଚନ୍ଦ୍ର ପ୍ରଧାନ

Comments

0 comments

Share This Article