କେନ୍ଦ୍ର ସରକାରଙ୍କ ପାଖରେ ପଇସା ନାହିଁ । କୃଷକଙ୍କ କେତେଟା ଟଙ୍କାର କୃଷିଋଣ ଛାଡ଼ କରାଯାଇପାରୁନି, ଛାତ୍ରମାନେ ପାଠ ପଢ଼ିବାକୁ ନେଇଥିବା ଶିକ୍ଷା ଋଣକୁ ଛାଡ଼ କରାଯାଇ ପାରୁନି, ଛୋଟ ଛୋଟ ଉଠାଦୋକାନୀଙ୍କ ଛୋଟ ଛୋଟ ଋଣ ଛାଡ଼ କରିବାପାଇଁ ପଇସା ନାହିଁ, ସରକାରୀ କର୍ମଚାରୀଙ୍କୁ ପୁରୁଣା ଦରରେ ପେନସନ ଦେବାକୁ ସରକାରଙ୍କ ପାଖରେ ପଇସା ନାହିଁ, ଏପରିକି ଅଗ୍ନିବୀରଙ୍କ କଥା ବୁଝିବାକୁ ପଇସା ନାହିଁ । ଭାରତ ଋଣ କରିବାରେ ବି ପଛରେ ନାହିଁ । ଏକ ହିସାବ ଅନୁଯାୟୀ ୨୦୨୬-୨୭ ରେ ଭାରତର ଖୋଲା ବଜାର, ଦେଶ ଭିତର ଓ ଦେଶ ବାହାରର ଋଣ ମିଶି ୨୧୪,୮୨.୦୫୦ କୋଟି ଟଙ୍କାରେ ପହଂଚିଲାଣି । ଯାହାକି ୨୦୨୫-୨୬ରେ ୧୯୭,୧୮.୦୧୬ କୋଟି ଟଙ୍କା ଥିଲା । ୧୯୪୭ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ୧୩ ଜଣ ପ୍ରଧାନମନ୍ତ୍ରୀ ମିଶିକରି ଯେତିକି ଋଣ ଦେଶପାଇଁ ନେଇଥିଲେ ୨୦୧୪ ପରେ ଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଠାରୁ କେତେଗୁଣ ଅଧିକ ଟଙ୍କାର ଋଣ କରି ସାରିଲେଣି । ଯେତେବେଳେ ଭାରତର ଋଣ (ବିଶ୍ୱବ୍ୟାଙ୍କ ହିସାବରେ) ୩୯.୩ ବିଲିଅନ ଡଲାର ଯାଏ ପହଂଚିଥିଲା, ଇଣ୍ଡୋନେସିଆର ୨୨.୩ ପାକିସ୍ତାନର୨୦ବିଲିୟନ ଏପରିକି ବାଂଲାଦେଶ ୧୯.୮ ବିଲିଅନ ଡଲାର ଓ ନାଇଜେରିଆ ୧୫.୬ ବିଲିଅନ ଡଲାର ପର୍ଯ୍ୟନ୍ତ ଯାଇଥିଲା । ମୋଦୀ ସରକାରରେ ଭାରତ ବିଶ୍ୱବ୍ୟାଙ୍କରୁ ୩୯.୩ ବିଲିଅନ ଡଲାର ଋଣ ଉଠାଇ ଏହି ସଂସ୍ଥାରୁ ଋଣ ନେବାରେ ଏକ ନମ୍ବର ହୋଇଯାଇ ସାରିଛି । ଏଥିରେ ପାକିସ୍ତାନ ବି ପଛରେ ପଡ଼ିଯାଇଛି ।
ପାଠକେ ଏଭଳି ଅର୍ଥନୈତିକ ଅବସ୍ଥା ସତ୍ତ୍ୱେ ଏବେର ମୋଦୀ ସରକାର କର୍ପୋରେଟ ବା କମ୍ପାନୀମାନଙ୍କୁ ପ୍ରବଳ ମାତ୍ରାରେ ଋଣ ଛାଡ଼ କରିବାରେ ଲାଗିଛନ୍ତି ।
ଋଣ ଛାଡର ଗୋଲକଧନ୍ଦା :
ତାରିଖ ୬.୦୨.୨୦୨୪ରେ ରାଜ୍ୟସଭାରେ ପଚରାଯାଇଥିବା ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ତତ୍କାଳୀନ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଡଃ ଭଗୱତ କରାଡ କହିଥିଲେ ଯେ ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୯ବର୍ଷରେ ବ୍ୟାଙ୍କମାନେ ମୋଟ ୧୪.୫୫ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି ।
କିନ୍ତୁ ଗତ ପକ୍ଷରେ ଗଣମାଧ୍ୟମମାନଙ୍କରେ ଯେଉଁ ଖବର ପ୍ରକାଶ ପାଇଛି ଜୈନ ଇନଫ୍ରା ଲିମିଟେଡକୁ ୧୦୭୩କୋଟି ଟଙ୍କାର ଋଣଛାଡ଼ କରାଯାଇଛି । ଏ ସଂସ୍ଥାଟି ହେଉଛି ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁତ୍ର ଜୟ ଶାହାଙ୍କର । ସେହିପରି ଆଲୋକ ଇଷ୍ଟ୍ରିଜ ଲିମିଟେଡ୍ କୁ ପାଖାପାଖି ୨୪,୪୭୨ କୋଟି ଟଙ୍କା, ଆମଟେକ ଅଟୋ ଲିମିଟେଡ଼କୁ ପାଖାପାଖି ୧୦,୦୨୬ କୋଟି ଟଙ୍କା, ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ ଲିମିଟେଡକୁ ପାଖାପାଖି ୨୭,୮୦୮ କୋଟି ଟଙ୍କା, ଭୂଷଣ ଷ୍ଟିିଲ ଲିମିଟେଡକୁ ପାଖାପାଖି ୨୦,୪୫୧ କୋଟି ଟଙ୍କା, ଡି ହାଉସିଙ୍ଗ ଫାଇନାନ୍ସ କରପୋରେସନ ଲିମିଟେଡ (ଡିଏଚଏଫଏଲ)କୁ ପାଖାପାଖି ୪୯,୯୨୨କୋଟି ଟଙ୍କା, ଲାଙ୍କୋ ଥର୍ମାଲ ପାୱାର ଲିମିଟେଡକୁ ପାଖାପାଖି ୩୩,୧୯୫କୋଟି ଟଙ୍କା, ରିଲାଏନ୍ସ ଇନ୍ଫ୍ରାଟେଲ ଲିମିଟେଡକୁ ପାଖାପାଖି ୩୬,୮୧୯ କୋଟି ଟଙ୍କାକୁ ମିଶାଇ ମୋଟ ୪୩ କମ୍ପାନୀଙ୍କର ପାଖାପାଖି ୫୩ହଜାର କୋଟି ଟଙ୍କାର ଋଣ ଛାଡ଼ କରାଗଲାଣିି । ଆଧୁନିକ ମେଟାଲିକ୍ସ ଓ ରିଳାୟନ୍ସ ଇନଫ୍ରା ପରି ୪୩ କମ୍ପାନୀ ଏଥିରେ ଅଛନ୍ତି ବୋଲି କୁହାଯାଉଛି । (ଆମେ ପାଖାପାଖି ଏଇଥିପାଇଁ ଲେଖିଛୁ ଯେ ଏହି ଅଙ୍କରେ କିଛି ଉପର ତଳ ହୋଇପାରେ) ।
ପୁଣି ଦେଖନ୍ତୁ ୧୯୫୬ରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏଲଆଇସିର ସ୍ଥାପନା ହୋଇଥିଲା । ସେଥିରୁ ୬.୫% ଅଂଶଧନ ବିକ୍ରୀ ହେବା ଅବସ୍ଥାକୁ ଆସିବା ପରେ ଆହୁରି ବିକ୍ରୀ ହେବ ବୋଲି ମସୁଧା ଚାଲିଲାଣି ।
ଜି ଟିଭିର ସୁବାସ ଚନ୍ଦ୍ରାଙ୍କ ବିଶେଷ ଅବସ୍ଥା :
ସୁବାସଚନ୍ଦ୍ରାଙ୍କର ଋଣ ଥିଲା ପାଖାପାଖଃ ୨୨,୦୦୬.୫୭ କୋଟି ଟଙ୍କା । ସେଥିରୁ ଏସ୍ବିଆଇର ପାଖାପାଖି ୬,୪୯୨ କୋଟି, ଆଇଡିବିଆଇର ପାଖାପାଖି ୨,୯୮୪ କୋଟି, ପିଏନବିର ପାଖାପାଖି ୨,୫୨୮କୋଟି, ଅନ୍ୟାନ୍ୟ ବ୍ୟାଙ୍କର ପାଖାପାଖି ୩,୬୫୩ କୋଟି ସହିତ ଏଲ୍ଆଇସିର ପାଖାପାଖି ୪,୫୫୦କୋଟି ସହିତ କୋଟାକ ମହିନ୍ଦ୍ରାର ପାଖାପାଖି ୧,୭୯୯ କୋଟି ଟଙ୍କା ସାମିଲ ଥିଲା । କିନ୍ତୁ ତାଙ୍କଠାରୁ ମାତ୍ର ୬.୫କୋଟି ଟଙ୍କାନେଇ ବାକିଟଙ୍କା ଛାଡ଼ କରିଦିଆଯିବାର ବ୍ୟବସ୍ଥା ହୋଇଗଲା । ଏହାର ପ୍ରବଳ ବିରୋଧ ହେଲା । ହେଲେ ଜାତୀୟ କମ୍ପାନୀ ଆଇନ୍ ଟ୍ରାଇବ୍ୟୁନାଲ (ଏନସିଏଲଟି)ର ୫ ଜଣିଆ ଖଣ୍ଡପୀଠ ଏହା ଉପରେ ସ୍ଥଗିତାଦେଶ ଲଗାଇ ଦେଇଛନ୍ତିି ।
ବ୍ୟାଙ୍କରୁ ଋଣ ନେଇ ଗାୟବ ହୋଇଯାଇଥିବା ଲୋକଙ୍କ ଭିତରେ ଥିବା ବିଜୟ ମାଲ୍ୟା ପାଖାପାଖି ୯୦୦୦କୋଟି, ନିରବ ମୋଦୀ ୧୩,୫୪୦କୋଟି, ମେହୁଲ ଚୌକସି ୧୩,୫୦୦ କୋଟି, ଳଳିତ ମୋଦି ୫୦୦ କୋଟି ପାଖାପାଖି ନେଇ ଏ ଦେଶରୁ ପଳାଇଛନ୍ତି ତାଙ୍କଠୁ ସେ ଟଙ୍କା ଆଉ ମିଳିବ କି ନାହିଁ କିଏ କହିବ? ଏଥିରୁ କିଛି ଜନ୍ତୁ ବିଦେଶୀ ଜେଲରେ ଆରାମରେ ଅଛନ୍ତି ।
Comments
0 comments

