ଭୁବନେଶ୍ୱର (୦୨.୦୯.୨୦୨୬): “ହୋ ହାୟାଙ୍ଗ ଜରନଜିତ୍, ଜରନଜିତ୍ ଜରନଜିତ୍, (ହୋ ଭାଷା ଜିନ୍ଦାବାଦ୍) ଲାକୋ ବଦରା ଜରନଜିତ୍, ଜରନଜିତ୍ ଜରନଜିତ୍(ଲାକୋ ବଦରା ଜିନ୍ଦାବାଦ୍)… ନାମେ ଆବୁ, ନାମେ ଆବୁ—ହୋ ଭାଷା ନାମେ ଆବୁ…”(ହୋ ଭାଷା ଅଧିକାର ଆମକୁ ମିଳିବ ହିଁ ମିଳିବ)। ଏଭଳି ସ୍ଲୋଗାନରେ ଉଛୁଳି ପଡୁଛି ରାଜଧାନୀର ଗାନ୍ଧୀ ମାର୍ଗ ଧାରଣାସ୍ଥଳ। ଦୀର୍ଘଦିନ ଧରି ହୋ ଭାଷାକୁ ସ୍ୱୀକୃତି ପ୍ରଦାନ ଦାବିରେ ଚାଲିଛି ଗଣଧାରଣା।
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାର ତିରିଂରୁ ପଦଯାତ୍ରା କରି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବହୁ ହୋ ଭାଷୀ ଆଦିବାସୀ। ହୋ ଭାଷାକୁ ସରକାରୀ ସ୍ୱୀକୃତି ଦେବା ସହ ଶିକ୍ଷା କ୍ଷେତ୍ରରେ ଏହାର ବ୍ୟବହାର ପାଇଁ ଦାବି ଉଠାଇଛନ୍ତି ଆନ୍ଦୋଳନକାରୀ। ଆନ୍ଦୋଳନକାରୀଙ୍କ କହିବାନୁସାରେ, ଭାଷା ବଞ୍ଚିଲେ ସମାଜ ବଞ୍ଚିବ। ସମାଜ ବଞ୍ଚିଲେ ରୀତିନୀତି ଓ ପରମ୍ପରା ବଞ୍ଚିବ। ଏସବୁ ବଞ୍ଚିଲେ ମଣିଷର ପରିଚୟ ମଧ୍ୟ ବଞ୍ଚି ରହିବ। ପ୍ରତ୍ୟେକ ସମାଜର ନିଜସ୍ୱ ଭାଷା ଓ ସଂସ୍କୃତି ରହିଛି। ସେହିପରି ହୋ ସମାଜର ମଧ୍ୟ ନିଜସ୍ୱ ଭାଷା ରହିଛି ଏବଂ ଏହାର ସ୍ୱତନ୍ତ୍ର ଲିପି ‘ୱାରାଙ୍ଗ ଚିତି’ ରହିଛି।
ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ, ଓଡ଼ିଶାରେ ପ୍ରାୟ ୧୮ ହଜାରରୁ ଅଧିକ ଲୋକ ହୋ ଭାଷାରେ କଥା ହୁଅନ୍ତି। ମାତୃଭାଷାରେ ପ୍ରାଥମିକ ଶିକ୍ଷା ନମିଳିବାରୁ ଅନେକ ହୋ ଭାଷୀ ଶିଶୁଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଓ ବିଷୟବସ୍ତୁ ବୁଝିବାରେ ଅଧିକ ସମୟ ଲାଗୁଛି। ଯଦି ପ୍ରାଥମିକ ସ୍ତରରେ ହୋ ଭାଷାରେ ଶିକ୍ଷା ପ୍ରଦାନ କରାଯାଏ, ତେବେ ପିଲାମାନଙ୍କ ପାଇଁ ଶିକ୍ଷା ଗ୍ରହଣ ଅଧିକ ସହଜ ହେବ ବୋଲି ସେମାନେ କହିଛନ୍ତି।
ଏହି ଦିଗରେ ସରକାରଙ୍କ ପକ୍ଷରୁ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଥିଲେ। ତେବେ ହୋ ଭାଷାକୁ ଏପର୍ଯ୍ୟନ୍ତ ଆବଶ୍ୟକ ସ୍ୱୀକୃତି ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ। “ଆମ ହୋ ଭାଷାକୁ ସ୍ୱୀକୃତି ଦିଆଯାଉ। ନଚେତ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ,” ବୋଲି କହିଛନ୍ତି ଛାତ୍ର ନେତା କ୍ଷୀରୋଦ କୁମାର ହେମ୍ବ୍ରମ। ଅନ୍ୟପକ୍ଷରେ, ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ, ସମଗ୍ର ଭାରତରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଲୋକ ହୋ ଭାଷା ବ୍ୟବହାର କରୁଛନ୍ତି। ବିଭିନ୍ନ ବେସରକାରୀ ସଂସ୍ଥା ଓ ସାମାଜିକ ସଂଗଠନ ମାଧ୍ୟମରେ ଏହି ଭାଷାର ପ୍ରଚାର ଓ ପ୍ରସାର ଜାରି ରହିଛି। ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଆଦି ଜିଲ୍ଲାରେ ହୋ ଭାଷୀ ଲୋକମାନେ ଏହି ଭାଷାରେ ଲେଖିବା ଓ ପଢ଼ିବା କରୁଛନ୍ତି।
ଭାଷାର ସ୍ୱୀକୃତି ଦାବିରେ ଦିଲ୍ଲୀ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକଥର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ହୋ ଭାଷା ସ୍ୱୀକୃତି ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ସ୍ୱୀକୃତି ପ୍ରଦାନ କରିନଥିବା ସେମାନଙ୍କ ଅଭିଯୋଗ। “ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଆମରଣ ଅନଶନରେ ବସି ରହିବୁ,” ବୋଲି କହିଛନ୍ତି ସମାଜସେବୀ ଦମାଇ ରିମିଲସିଂ ଗୁଇପାଇ। ବର୍ତ୍ତମାନ ଆନ୍ଦୋଳନସ୍ଥଳରେ ବହୁ ହୋ ଭାଷୀ ଯୁବକ, ସମାଜସେବୀ, ବୁଦ୍ଧିଜୀବୀ ଓ ସମର୍ଥକ ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଜଣାଉଛନ୍ତି। ହୋ ଭାଷାକୁ ସ୍ୱୀକୃତି ଦେବା ଦାବିରେ ଆନ୍ଦୋଳନ ଆଗକୁ କେଉଁ ରୂପ ନେଉଛି, ତାହା ଉପରେ ଏବେ ନଜର ରହିଛି।
ରିପୋର୍ଟ- ଲଷ୍ମୀଧର ମୁର୍ମୁ
Comments
0 comments

