ବିଶ୍ୱନାଥ ସାହୁ : ଏକ ସମର୍ପିତ କମ୍ୟୁନିଷ୍ଟ

265 Views
8 Min Read

ଚାଳିଶ ଦଶକର କଥା, ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥାଏ । ଯୁବ-ଛାତ୍ର ଆନ୍ଦୋଳନକୁ ପ୍ରତିହତ କରିବା ଉଦେଶ୍ୟରେ ସାମ୍ରାଜ୍ୟବାଦ ବିରୋଧୀ ଏବଂ ସମାଜବାଦର ସ୍ୱପ୍ନରେ ବିଭୋର ଭଗତ ସିଂ ଓ ସାଥୀମାନଙ୍କୁ ଦିଆଯାଇଥିବା ଫାସି ଓ ଜେଲଦଣ୍ଡ ଭାରତବର୍ଷର ଛାତ୍ର ଆନ୍ଦୋଳନକୁ ନିର୍ବାପିତ କରିବା ବଦଳରେ ଅଧିକ ପ୍ରଜ୍ୱଳିତ କରୁଥାଏ । ୧୯୩୯ ମସିହାରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମର ଅଗ୍ନିଗର୍ଭରୁ ଅଖିଳ ଭାରତ ଛାତ୍ରସଂଘ (ଏ.ଆଇ.ଏସ୍.ଏଫ୍) ଜନ୍ମ ନେଇ ସାରିଥାଏ । ୧୯୩୯ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ, ହିଟଲର୍ର ସୋଭିଏତ ଆକ୍ରମଣ ପରେ ଜନଯୁଦ୍ଧର ରୂପ ନେଇଥାଏ । ସାରା ବିଶ୍ୱ ଅପେକ୍ଷା କରିଥାଏ ହିଟଲର ଓ ଫାସିବାଦର ପରାଜୟକୁ ସେତେବେଳର ଛାତ୍ର ନେତା ପ୍ରଖ୍ୟାତ କବି ସଚ୍ଚି ରାଉତରାଏଙ୍କ ଭାଷାରେ ‘କହିଛି ଷ୍ଟାଲିନ୍…
ଏପ୍ରିଲ ପଚିଶ ଆଗୁ ଲାଲସେନା ଘେରିବେ ବର୍ଲିନ୍!
ଷ୍ଟାଲିନ୍ର କଥାକେବେ ହୁଏନାହିଁ ମିଛ,
ଦୁନିଆର ପଞ୍ଜିକାର ଏକତା ତ ଅଙ୍ଗେ ନିଭେଇଛ!!
ନୁହେଁ ଏହା ତମ ଆମ କଥା
ଷ୍ଟାଲିନ୍ର କଣ୍ଠେ ଏହା କହିଅଛି ବିଶ୍ୱର ଜନତା’!!
୯ମଇ ୧୯୪୫ ସୋଭିଏତ ଲାଲସେନା ଫାସିବାଦି ହିଟଲରକୁ ପରାଜିତ କରେ । ସାରା ପୃଥିବୀର ଶାନ୍ତିକାମୀ ଶ୍ରମଜୀବୀ ମଣିଷ ସହ ତାଳ ଦେଇ ଆମଦେଶର ଛାତ୍ର ସମାଜ ଫାସିବାଦ ଉପରେ ବିଜୟର ଉତ୍ସବ ପାଳନ କରିବା ସହ, ବ୍ରିଟିଶ ସାମ୍ରାଜ୍ୟବାଦକୁ ଏ ଦେଶରୁ ତଡ଼ିବା ପାଇଁ ଛାତ୍ର ଆନ୍ଦୋଳନର ଜୁଆର ସୃଷ୍ଟି ହୁଏ । ସେତିକିବେଳେ ଆରମ୍ଭ ହୁଏ ଆଇ.ଏନ୍.ଏ.ର ତିନି ମହାରଥୀ ସେହଗଲ, ଧିଲନ୍ ଓ ସାହାନୱାଜ୍ ଖାନ୍ ଙ୍କ ବିଚାର ସାରାଦେଶର ଛାତ୍ର ସମାଜ ଏ.ଆଇ.ଏସ୍.ଏଫ୍ ର ଆହ୍ୱାନରେ ପ୍ରତିବାଦ ମୁଖର । ସମସ୍ତ ପ୍ରମୁଖ ଶିକ୍ଷାନୁଷ୍ଠାନମାନଙ୍କରୁ ୟୁନିୟନ୍ ଜ୍ୟାକ୍ ହଟାଇ ତ୍ରିରଙ୍ଗା ଉତ୍ତୋଳନ କରିବା ଓ ଆଇ.ଏନ୍.ଏର ତିନି ସେନାଧ୍ୟକ୍ଷଙ୍କୁ ମୁକ୍ତି ଦାବିରେ ଆନ୍ଦୋଳନର ନିଆଁ ସାରାଦେଶକୁ ପ୍ରସାରିତ ହୁଏ । ଓଡ଼ିଶାରେ ମଧ୍ୟ ଏହି ଛାତ୍ର ଆନ୍ଦୋଳନ ଅତି ତୀବ୍ରହୋଇ ରେଭେନ୍ସା ଓ ଖଲ୍ଲିକୋଟ ମହାବିଦ୍ୟାଳୟର ସୀମା ଟପି ବିଭିନ୍ନ ସ୍କୁଲକୁ ପ୍ରସାରିତ ହୁଏ । ଦେଶପ୍ରେମର ଉନ୍ମାଦନା ସୃଷ୍ଟି କରେ ଯୁବପିଢ଼ି ମଧ୍ୟରେ । ସେହି ସମୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନରସିଂହ ଦାସ ଉଚ୍ଚବିଦ୍ୟାଳୟରେ ଅଧ୍ୟୟନରତ ବଡ଼କୁଶସ୍ଥଳୀର ବିଶ୍ୱନାଥ ସାହୁ ଯୋଗଦିଅନ୍ତି ଛାତ୍ରସଂଘରେ । ୧୯୪୫ ମସିହାରେ ସ୍କୁଲ ଛାତ୍ର ବିଶ୍ୱନାଥ ସାହୁ ସଂକଳ୍ପ ନିଅନ୍ତି ସାମ୍ରାଜ୍ୟବାଦକୁ କବର ଦେଇ ଏକ ସମାଜବାଦୀ ଭାରତବର୍ଷ ପ୍ରତିଷ୍ଠା କରିବାକୁ । ୧୯୪୬ରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଭ୍ୟପଦ ଗ୍ରହଣ କରନ୍ତି । ବିଶ୍ୱନାଥ ନେତୃତ୍ୱ ନିଅନ୍ତି ଛାତ୍ର ଆନ୍ଦୋଳନର, ଗଞ୍ଜାମ ଜିଲ୍ଲା ସହସମ୍ପାଦକରୁ ପୁଣି ସମ୍ପାଦକ ଦାୟିତ୍ୱ ନିଅନ୍ତି । ଏ.ଆଇ.ଏସ୍.ଏଫ୍ର ଓଡ଼ିଶା ରାଜ୍ୟ ପ୍ରତିନିଧିଭାବେ ଅନ୍ୟମାନଙ୍କ ସହ ସେ ପହଞ୍ଚନ୍ତି ବମ୍ବେ ୧୧ତମ ଜାତୀୟ ସମ୍ମିଳନୀରେ ଯୋଗ ଦେବାପାଇଁ । ଏ.ଆଇ.ଏସ୍.ଏଫ୍. ବ୍ରିଟିଶ ସାମ୍ରାଜ୍ୟବାଦ କବଳରୁ ମୁକ୍ତ ନବଗଠିତ ସ୍ୱାଧୀନ ଭାରତବର୍ଷର ସମ୍ବିଧାନକୁ ଗ୍ରହଣକଲେ ମଧ୍ୟ ସମ୍ବିଧାନ ମଧ୍ୟରେ ୨୧ ପରିବର୍ତ୍ତେ ୧୮ବର୍ଷରେ ଭୋଟଦାନର ଅଧିକାର । ଶିକ୍ଷା ଓ ନିଯୁକ୍ତିକୁ ମୌଳିକ ଅଧିକାରଭୁକ୍ତ କରିବା । ସାମାଜିକ ଓ ଅର୍ଥନୈତିକ ସମାନତାର ଦାବିରେ ସଂଗ୍ରାମକୁ ତେଜିୟାନ କରୁଥାଏ । ମୋରାରଜୀ ଦେଶାଇ ନେତୃତ୍ୱାଧୀନ ବମ୍ବେ ସରକାର ସମ୍ମିଳନୀକୁ ଅନୁମତି ଦେଲେ ନାହିଁ । ୨୬ ଡିସେମ୍ବରରୁ ସମ୍ମିଳନୀ ଲୁକ୍କାୟିତ ଭାବେ ଆରମ୍ଭ ହେଲା । ୨୮ ଡିସେମ୍ବର ଦିନ ଏ.ଆଇ.ଏସ୍.ଏଫ୍. ନିଷ୍ପତ୍ତି ନେଲା । ସରକାରଙ୍କ ଅନୁମତି ବିନା ଖୋଲା ଅଧିବେଶନ ଓ ଶୋଭାଯାତ୍ରା କରିବା ପାଇଁ । ଶୋଭାଯାତ୍ରା ଆରମ୍ଭ ହେଲା । ହଜାର ହଜାର ଛାତ୍ରନେତାଙ୍କ ସହ ଶୋଭାଯାତ୍ରାରେ ଯୋଗଦେଲେ ବିଶ୍ୱନାଥଙ୍କ ସହ ଅନ୍ୟ ଓଡ଼ିଶା ପ୍ରତିନିଧି । ଶୋଭାଯାତ୍ରାରୁ ଉପରେ ପୋଲିସର ଲାଠି ବର୍ଷା, ବନ୍ଧୁକର ଗର୍ଜନ, ନିଖୋଜ ହେଲେ ଅନେକ ଛାତ୍ରନେତା । ଶହ ଶହ ଛାତ୍ରନେତା ଗୁରୁତର ଭାବେ ବିଭିନ୍ନ ହସ୍ପିଟାଲରେ ପହଞ୍ଚିଲେ ମିଳିଲେନି ବିଶ୍ୱନାଥ ସାହୁ । ସାଥୀମାନେ ବିୟୋଗରେ ଦୁଃଖକୁ ହୃଦୟରେ ନେଇ ଫେରିଲେ ଓଡ଼ିଶା । ଛାତ୍ର ଶୋଭାଯାତ୍ରା ଉପରେ ଲାଠିମାଡ଼ ବିରୋଧରେ ଦେଶବ୍ୟାପୀ ଆରମ୍ଭ ହେଲା ପ୍ରତିବାଦ । ୯ଜାନୁଆରୀ ୧୯୪୮ରେ ବମ୍ବେରେ ହେଲା ବିଶାଳ ପ୍ରଦର୍ଶନ । ବିଶ୍ୱନାଥ ସାହୁ ସମସ୍ତଙ୍କୁ ଚମକୃତ କରି ଉଭାହେଲେ ଏହି ବିକ୍ଷୋଭ ପ୍ରଦର୍ଶନରେ । ଖବର ପହଞ୍ଚିଲା ଓଡ଼ିଶାରେ, ଗୁରୁତର ଅବସ୍ଥାରେ ଭର୍ତ୍ତିହେଲେ ବିଶ୍ୱନାଥ ସାହୁ ଏକ ହସ୍ପିଟାଲରେ, ଏବେ ଭଲ ହେଲେଣି ଫେରିବେ ଓଡ଼ିଶା ।
ପାର୍ଟିର ନିଷ୍ପତ୍ତିରେ ବିଶ୍ୱନାଥ ସାହୁ କୃଷକମାନଙ୍କୁ ସଙ୍ଗଠିତ କରିବାର ଦାୟିତ୍ୱ ଗ୍ରହଣ କଲେ । ମୋହନ ଦାଶ, ପ୍ରାଣନାଥ ପଟ୍ଟନାୟକ, ଗୋବିନ୍ଦ ପ୍ରଧାନ, ହରିହର ଦାସ, ସାଧୁ ମହାନ୍ତିଙ୍କ ସହ ମିଶି ନେତୃତ୍ୱ ନେଲେ ଜମିଦାର, ଇନାମ୍ ଦାର ବିରୋଧୀ ଆନ୍ଦୋଳନର ସାଙ୍ଗରେ ସାଥୀ ସଦାନନ୍ଦ ମହାନ୍ତି, ଦ୍ୱିତୀକୃଷ୍ଣ ପଣ୍ଡା, ହରିବନ୍ଧୁ ବେହେରା, ‘ଲଙ୍ଗଳ ଯାର ଜମି ତ’ର’ ନାରାରେ ଗୁଞ୍ଜରିତ ହେଲା ସାରା ରାଜ୍ୟ । ସାଧୁ ମହାନ୍ତିଙ୍କ ସାହାଯ୍ୟରେ ବିଶ୍ୱନାଥ ସାହୁ ଓ ଅନ୍ୟ ସାଥୀମାନେ ଚମାଖଣ୍ଡି ଓ ଛତ୍ରପୁର ଅଞ୍ଚଳର ଗାଁ’ ଗାଁ’କୁ ସଙ୍ଗଠିତ କରିବାକୁ ଲାଗିଲେ । କମ୍ୟୁନିଷ୍ଟ ପାର୍ଟି ସାରା ଜିଲ୍ଲାରେ ପ୍ରଭାବ ବିସ୍ତାର କଲା ଓ ଏହାର ପ୍ରଭାବ ୧୯୫୨ନିର୍ବାଚନରେ ପ୍ରତିଫଳିତ ହେଲା । ବିଶ୍ୱନାଥ ସାହୁ କୃଷକ ଓ କମ୍ୟୁନିଷ୍ଟ ଆନେ୍ଦାଳନର ଜଣେ ଲଢ଼ୁଆ ତଥା ସର୍ବଜନାଦୃତ ନେତା ଭାବେ ପରିଚିତି ଲାଭକଲେ । କୃଷକ ଓ କମ୍ୟୁନିଷ୍ଟ ଆନ୍ଦୋଳନର ନେତୃତ୍ୱ ନେଇ ସେ ବାରମ୍ବାର ସାତବର୍ଷ ଜେଲ୍ ଜୀବନକୁ ବରିନେଇଥିବା ବେଳେ ବହୁବର୍ଷ ଭୂମିଗତ ହୋଇ ପାର୍ଟିକୁ ନେତୃତ୍ୱ ଦେଇ ଆସିଥିଲେ । ବାରମ୍ବାର ନିଜ ଗାଁ’ରୁ ନିଦ୍ୱର୍ନ୍ଦ୍ୱରେ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟଭାବେ ନିର୍ବାଚିତ ହୋଇଥିବା ବିଶ୍ୱନାଥ ସାହୁ ୧୯୭୭ ଓ ୧୯୮୦ ମସିହାରେ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭା କାଳରେ ବିପ୍ଳବୀ ନାଗଭୂଷଣ ପଟ୍ଟନାୟକଙ୍କୁ ଫାସି କବଳରୁ ରକ୍ଷାକରିବା ପାଇଁ ପ୍ରସ୍ତାବ ପାରିତ କରିବା ଓ ସାଧାରଣ ମଣିଷର କଥାକୁ ବିଧାନସଭାରେ ଉପସ୍ଥାପିତ କରିବା; ସବୁଥିରେ ସେ ସାକ୍ଷର ଛାଡ଼ି ଯାଇଛନ୍ତି ।
ବିଶ୍ୱଶାନ୍ତି ଆନ୍ଦୋଳନରେ ନିଜର ଯୋଗଦାନ ପାଇଁ ସ୍ମରଣୀୟ ହୋଇ ରହିବେ । ଭାରତ-ସୋଭିଏତ୍ ମୈତ୍ରୀସଂଘ ଓ ପରବର୍ତ୍ତୀ କାଳରେ, ଅଖିଳ ଭାରତ ଶାନ୍ତି ଓ ସଂହତି ସଂଘ ସଙ୍ଗଠିତ କରିବା ସହ ଏହାର ରାଜ୍ୟ ସଭାପତିମଣ୍ଡଳୀର ସଦସ୍ୟ ରହି ଆସିଥିଲେ । ଶିକ୍ଷାର ପ୍ରସାରରେ ବିଶେଷ ଭୂମିକା ନିର୍ବାହ କରିବା ସହ ବହୁ ଶିକ୍ଷାନୁଷ୍ଠାନ (ପାଠ ଦୋକାନ ନୁହେଁ) ପ୍ରତିଷ୍ଠା କରିଥିଲେ । ପୁରୁଷୋତ୍ତମପୁର ହିନ୍ଦୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପ୍ରାଣ ଉଦ୍ୟମ କରୁଥିଲେ । କୃଷକ ଆନ୍ଦୋଳନର ମହାରଥି ବିଶ୍ୱନାଥ ସାହୁ କୃଷକ ସଭାରେ ଗଞ୍ଜାମ ଜିଲ୍ଲା ସମ୍ପାଦକ, ରାଜ୍ୟ ସମ୍ପାଦକ, ସଭାପତି ଓ ରାଜ୍ୟ ସମ୍ପାଦକମଣ୍ଡଳୀରେ ଦାୟିତ୍ୱ ନିର୍ବାହ କରିଥିଲେ । ଶେଷପର୍ଯ୍ୟନ୍ତ ପାର୍ଟିର ସମ୍ମାନଜନକ କଣ୍ଟ୍ରୋଲ କମିଶନ ଅଧ୍ୟକ୍ଷ ଥିଲେ । ଆତ୍ମ ପ୍ରଚାରରୁ ବହୁ ଦୂରରେ ରହୁଥିବା ଓ ଠୋ ଠୋ କଥା ଏବଂ ତୀକ୍ଷଣ୍ ଉଚ୍ଚାରଣ ପାଇଁ ପରିଚିତ ବିଶ୍ୱନାଥ ସାହୁ ପାର୍ଟି ସାଥୀ କିମ୍ବା ନେତୃତ୍ୱକୁ ଅକାରଣ ସମାଲୋଚନା, କୁତ୍ସା, ପାର୍ଟି ଫୋରମ ବାହାରେ ଆଲୋଚନାର ତିକ୍ତବିରୋଧୀ ଥିଲେ ଏବଂ କୌଣସି ପରିସ୍ଥିତିରେ ସେ ଏଥିରେ ନିଜକୁ ସାମିଲ କରୁନଥିଲେ । ଅପରପକ୍ଷରେ ନେତୃତ୍ୱ ମଧ୍ୟରେ ଅଧିକରୁ ଅଧିକ ସମନ୍ୱୟ, ଅନ୍ୟର କାର୍ଯ୍ୟଧାରାକୁ ଗ୍ରହଣ କରିବା ଓ ସମ୍ମାନ ଦେବାରେ ସେ ଥିଲେ ଦୃଢ଼ବିଶ୍ୱାସୀ ।
ବିଶ୍ୱନାଥ ବାବୁ ଥିଲେ ଜଣେ ସମର୍ପିତ କମ୍ୟୁନିଷ୍ଟ । କମ୍ୟୁନିଷ୍ଟ ପାର୍ଟିରେ ବାରମ୍ବାର ବିଭାଜନ ତାଙ୍କୁ ବ୍ୟଥିତ କରୁଥିଲା । କମ୍ୟୁନିଷ୍ଟ ମାନଙ୍କ ନାମରେ କୁତ୍ସା, ଜଣେ ଅନ୍ୟ ଜଣକୁ ଗାଳିଦେଇ ନିଜକୁ ପ୍ରକୃତ ବିପ୍ଳବୀ ରୂପେ ପ୍ରତିପାଦିତ କରିବାର ଅପଚେଷ୍ଟା, କୌଣସି ପାର୍ଟିକୁ ସୁଦୃଢ଼ କରିବା ବଦଳରେ ସମଗ୍ର ଆନ୍ଦୋଳନ ଦୁର୍ବଳ କରୁଛି ବୋଲି ସେ ଦୃଢ଼ ଭାବେ ବିଶ୍ୱାସ କରୁଥିଲେ । ବିଶ୍ୱନାଥ ବାବୁ ସବୁବେଳେ କହୁଥିଲେ କମ୍ୟୁନିଷ୍ଟ ମାନଙ୍କ ଜନ୍ମ ଲଗ୍ନରୁ ଶ୍ରେଣୀ ଶତ୍ରୁମାନେ କୁତ୍ସାରଟନା କରି ଆସୁଛନ୍ତି । ନିଜର ଜ୍ଞାତସାରରେ ବା ଅଜ୍ଞାତ ସାରରେ କିଛି ତଥାକଥିତ ବୁଦ୍ଧିଜୀବୀ(ଏନ୍.ଜି.ଓ) ମାନଙ୍କ ସାହାଯ୍ୟରେ ପ୍ରକୃତ ଗଣତାନ୍ତ୍ରିକ ଆନ୍ଦୋଳନ ବଦଳରେ ତଥାକଥିତ ଜନଆନ୍ଦୋଳନ ତିଆରି କରି କାଠ କୁରାଢ଼ିର ବେଣ୍ଟହୋଇ ଗଛ କାଟିବା ପରି ବାମପନ୍ଥୀ/ ଗଣତାନ୍ତ୍ରିକ ଆନ୍ଦୋଳନକୁ ଦୁର୍ବଳ କରୁଛନ୍ତି । ସମୟର ଐତିହାସିକ ଆବଶ୍ୟକତା ହେଉଛି ସମସ୍ତ ବାମପନ୍ଥୀ ଶକ୍ତିମାନଙ୍କୁ ଏକାଠି କରିବା ।
ଆଜି କିନ୍ତୁ ସାରା ଦେଶରେ ଗୌରିକୀ ଆକ୍ରମଣ ତୀବ୍ରହୋଇଛି । ହିନ୍ଦୁ ମୌଳବାଦ ଧର୍ମାନ୍ଧତାର ତାଣ୍ଡବ, ସଂଘ ପରିବାର ବି.ଜେ.ପି. ଏ.ବି.ଭି.ପି.ନେତୃତ୍ୱରେ ଶିକ୍ଷାନୁଷ୍ଠାନ, ବୁଦ୍ଧିଜୀବୀଙ୍କ ଉପରେ ଆକ୍ରମଣ ମଧ୍ୟରେ ସୀମିତ ହୋଇନାହିଁ । ଦେଶର ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଢାଞ୍ଚା ଉପରେ ଆରମ୍ଭ ହୋଇଛି ପ୍ରଚଣ୍ଡ ଆକ୍ରମଣ । ଆକ୍ରମଣର ପ୍ରତିରୋଧ ମଧ୍ୟ ଆରମ୍ଭ ହୋଇଛି । ଯୁବ ଛାତ୍ର ପ୍ରତିବାଦ ମୁଖର ହୋଇ ଉଠିଛନ୍ତି । ଗୌରିକ ତାଣ୍ଡବ ବିରୁଦ୍ଧରେ ସମସ୍ତ ଗଣତାନ୍ତ୍ରିକ ଶକ୍ତି ଏକାଠି ହେବା ନିଶ୍ଚିତ ଭାବେ ଦେଶର ଯୁବପିଢ଼ି ମଧ୍ୟରେ ନୂତନ ଉନ୍ମାଦନା ସୃଷ୍ଟି କରିଛି । କିନ୍ତୁ ଏପରି ସମୟରେ ଆମକୁ ଉତ୍ସାହିତ କରିବା ପାଇଁ, ସାହସ ଦେବା ପାଇଁ ଆମ ନେତା ବିଶ୍ୱନାଥ ସାହୁ ସଶରୀରେ ଆମ ସହ ଆଉ ନାହାନ୍ତି । ଗତ ୧୮ତାରିଖ ଦିନ ତାଙ୍କ ପ୍ରିୟ ଗ୍ରାମ ବଡ଼କୁଶସ୍ଥଳୀରେ ପ୍ରିୟ ପାର୍ଟି, ସାଥୀ, ସହୋଦର ଏବଂ ୭୦ବର୍ଷ ଧରି ତିଆରି କରିଥିବା ତାଙ୍କ ବିରାଟ ପରିବାରକୁ ଛାଡ଼ି ସେ ବିଦାୟ ନେଇଛନ୍ତି । ହଜାର ହଜାର ସାଥୀ ସମର୍ଥକ ଆଜି ବିଶ୍ୱନାଥଙ୍କୁ ଝୁରୁଛନ୍ତି । ଆଖିରୁ ଲୁହ ବୁହାଉଛନ୍ତି, କେବଳ ଝୁରିଲେ ତ ହେବନି ଲୁହ ଆଖିରୁ ପୋଛିବାକୁ ହେବ । ସଂକଳ୍ପ ନେବାକୁ ହେବ । କମ୍ୟୁନିଷ୍ଟ ଭାବେ ଜୀବନତମାମ କାର୍ଯ୍ୟ କରିଆସୁଥିଲେ ଆଜିର ପରିସ୍ଥିତିରେ ସେ କାର୍ଯ୍ୟକୁ ଆଗକୁ ନେବାକୁ ହେବ । ଦେଶକୁ ସାମ୍ପ୍ରଦାୟିକତା କବଳରୁ ରକ୍ଷା କରିବାପାଇଁ ସମସ୍ତ ବାମପନ୍ଥୀ, ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଶକ୍ତିକୁ ଏକାଠି କରି ମହାସଂଗ୍ରାମ ଆରମ୍ଭ କରିବାକୁ ହେବ । ଏହା ଏହି ସମର୍ପିତ କମ୍ୟୁନିଷ୍ଟ ବିଶ୍ୱନାଥ ସାହୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ସହ ଐତିହାସିକ ଆବଶ୍ୟକତା । ଏହି ସଂକଳ୍ପ ସହ ମୋର ନେତା ସାଥୀ ବିଶ୍ୱନାଥ ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ରାମକୃଷ୍ଣ ପଣ୍ଡା

 

Total Views: 265

Comments

0 comments

Share This Article