ସାମ୍ବାଦିକତା ଜଗତର ଅଗ୍ରସୂରୀ

41 Min Read
ଓଡ଼ିଶାରେ ସାମ୍ବାଦିକତା ଜଗତକୁ ସମୃଦ୍ଧ କରିଛନ୍ତି ଅନେକ ମନୀଷୀ । ସାମ୍ବାଦିକତାକୁ ପାଥେୟ କରି ସମାଜସେବା ନିମନ୍ତେ ଆଗେଇ ଯାଇଛନ୍ତି ସେମାନେ । ଦେଶ ସ୍ୱାଧୀନତା, ସ୍ୱତନ୍ତ୍ର ପ୍ରଦେଶ ଗଠନ ନେଇ ସାମ୍ବାଦିକତାର ପ୍ରୟୋଗ କରିଛନ୍ତି । ପୁଣି ସାମ୍ବାଦିକତାକୁ ବୃତ୍ତିଭାବେ ମାନ୍ୟତା ଦେବା ନିମନ୍ତେ ପ୍ରୟାସ କରିଛନ୍ତି । ଜୀବନରେ ବହୁ ଝଡ଼ଝଞ୍ଜା ସହିଛନ୍ତି । ବହୁ ସମସ୍ୟାର ସାମ୍ନା କରିଛନ୍ତି । କିନ୍ତୁ ନିଜ ଲକ୍ଷ୍ୟରୁ କେବେହେଲେ ହଟିଯାଇ ନାହାନ୍ତି । ଯାହାର ଫଳସ୍ୱରୂପ, ଆଜି ଓଡ଼ିଶାରେ ସାମ୍ବାଦିକତା ଏକ ସ୍ୱତନ୍ତ୍ର ଏବଂ ସମ୍ମାନଜନକ ବୃତ୍ତିଭାବେ ଛିଡ଼ା ହୋଇଛି ।
ଓଡ଼ିଶାର ସାମ୍ବାଦିକତା ଜଗତର କେତେଜଣ ଅଗ୍ରସୂରୀଙ୍କ ସଂକ୍ଷିପ୍ତ ଜୀବନୀଲେଖକୁ ନେଇ ଏ ସ୍ତମ୍ଭ, ଆଲେଖ୍ୟ କରିଛନ୍ତି ମୃଣାଳ ଚାର୍ଟ୍ଟାର୍ଜୀ ।

କର୍ମବୀର ଗୌରୀଶଙ୍କର ରାୟ

ଗୌରୀଶଙ୍କର ରାୟଙ୍କୁ ଓଡ଼ିଆ ସାମ୍ବାଦିକତାର ଜନକ ବୋଲି କୁହାଯାଏ । ସେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉକ୍ରଳ ଦୀପିକା’ର ପ୍ରକାଶକ-ସମ୍ପାଦକ । ବିଷୟବସ୍ତୁ, ଲିଖନଶୈଳୀ ଏବଂ ଉପସ୍ଥାପନା-ସବୁକ୍ଷେତ୍ରରେ ଉକ୍ରଳ ଦୀପିକା ପରବର୍ତ୍ତୀ ସମ୍ବାଦପତ୍ରଗୁଡ଼ିକ ପାଇଁ ଏକ ଉଚ୍ଚ ଉଦାହରଣ ସୃଷ୍ଟି କରି ଦେଇଥିଲା । ଜଣେ ସମାଜ ସଂସ୍କାରକ ଭାବେ ମଧ୍ୟ ସେ ବେଶ୍ ପରିଚିତ ।
୧୮୩୮ ମସିହା ଜୁଲାଇ ୧୩ ତାରିଖରେ କଟକ ଜିଲ୍ଲା ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ଦୀକ୍ଷିତାପଡା ଗାଁରେ ଏକ ବଙ୍ଗାଳୀ ପରିବାରରେ ଗୌରୀଶଙ୍କରଙ୍କ ଜନ୍ମ । ସେ ତାଙ୍କ ଗାଁ ଚାଟଶାଳୀରୁ ଓଡ଼ିଆ ଓ ମକତାବରୁ ପାର୍ସୀ ଶିକ୍ଷା ଗ୍ରହଣ କରିଥିଲେ । ୧୮୪୮ରେ ପ୍ରାଥମିକ ଶିକ୍ଷା ସାରି କଟକ ହାଇସ୍କୁଲରେ ନାଁ ଲେଖାଇଥିଲେ । ସେ ସମୟରେ ଓଡ଼ିଶାରେ ଉଚ୍ଚଶିକ୍ଷାର କୌଣସି ସୁବିଧା ନଥିଲା । ତେଣୁ ମାଟ୍ରିକ ଶିକ୍ଷା ପରେ ଉଚ୍ଚ ଶିକ୍ଷାପାଇଁ ସେ ଭୁବନେଶ୍ୱରରୁ ଚାଲିଚାଲି କଲିକତା ଯାଇଥିଲେ । ସେ ହୁଗୁଳି କଲେଜରେ ନାମ ଲେଖାଇଥିଲେ । ଶିକ୍ଷାଲାଭ ପରେ ସେ ବାଲେଶ୍ୱରକୁ ଫେରିଲେ ଏବଂ ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା ଆରମ୍ଭ କଲେ । ରାଧାନାଥ ରାୟ, ବୈକୁଣ୍ଠନାଥ ଦେ ଓ ମଧୁସୂଦନ ଦାସ ତାଙ୍କର ଛାତ୍ର ଥିଲେ । ହେଲେ ବେଶୀ ଦିନ ସେ ଶିକ୍ଷକତାରେ ରହି ନଥିଲେ । ୧୮୫୯ରେ ଗୌରୀଶଙ୍କର କଟକରେ କମିଶନର ଅଫିସରେ ମନିଅର୍ଡର ଏଜେଣ୍ଟ ଭାବରେ ଚାକିରି ଆରମ୍ଭ କରିଥିଲେ । ବାରବର୍ଷ କାଳ ସେ ବିଭିନ୍ନ ପଦରେ ସରକାରୀ ଚାକିରି କରି ୧୮୮୨ରେ ସେ ଅବସର ନେଇଥିଲେ ।
କଟକ ପହଞ୍ଚôବା ପରେ ସେ ଏକ ଯୁବ ସଙ୍ଗଠନ ( ୟଙ୍ଗ୍ ମେନ ଆସୋସିଏସନ) ଗଠନ କରିଥିଲେ । ଅବହେଳିତ ଲୋକଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ପାଇଁ ତଥା ସାମାଜିକ ସେବା ଉଦେ୍ଦଶ୍ୟରେ ସେ ଏହା ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କର ବିଚିତ୍ରାନନ୍ଦ ଦାସ ଏବଂ ଗୋବିନ୍ଦଚନ୍ଦ୍ର ରଥଙ୍କ ସହିତ ବନ୍ଧୁତା ହୋଇଥିଲା । ଏମାନଙ୍କ ସାଙ୍ଗରେ ମିଶି ସାମାଜିକ ପରିବର୍ତ୍ତନ, ଶିକ୍ଷାର ପ୍ରସାର ଏବଂ ଦୁଃଖୀ ଏବଂ ଅବହେଳିତ ବର୍ଗର ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । ବିଚିତ୍ରନନ୍ଦ ଦାସଙ୍କ ଘର ଯାଜପୁର ଜିଲ୍ଲାର କଣ୍ଟାବଣିଆ ଗାଁରେ ।
୧୮୬୪ ମସିହାରେ ସେ ସମବାୟ ଭିତ୍ତିରେ କଟକ ପ୍ରିଣ୍ଟିଂ କମ୍ପାନୀ ସ୍ଥାପନ କରିଥିଲେ । ଏହା ସାଙ୍ଗକୁ ପୁରାଣ ପ୍ରକାଶିକା କମ୍ପାନୀ ମଧ୍ୟ ପ୍ରତିଷ୍ଠା କରିଥିଲେ । ସେତେବେଳେ ଦୁଇଟି ଯାକର ସମ୍ପାଦକ ଓ ପରିଚାଳକ ଦାୟିତ୍ୱରେ ଥିଲେ ନିଜେ ଗୌରୀଶଙ୍କର । ୧୮୬୬ ମସିହା ଅଗଷ୍ଟ ମାସରେ ସେ ସାପ୍ତାହିକ ଉକ୍ରଳ ଦୀପିକା ପ୍ରକାଶ କରିଥିଲେ । ଏହାକୁ ପ୍ରଥମ ଓଡ଼ିଆ ସମ୍ବାଦପତ୍ରର ମାନ୍ୟତା ଦିଆଯାଏ । ଦୀର୍ଘ ୪୯ବର୍ଷ ଧରି ସେ ଏହାର ସମ୍ପାଦନା କରିଥିଲେ ।
ଉକ୍ରଳ ଦୀପିକା କେବଳ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ନୁହେଁ, ଏହାକୁ ଓଡ଼ିଆ ସାମ୍ବାଦିକତାର ମାର୍ଗଦର୍ଶକ ବୋଲି ମଧ୍ୟ କହିହେବ । ଓଡ଼ିଶାରେ ହୋଇଥିବା ନ’ଅଙ୍କ ଦୁର୍ଭିକ୍ଷ ସମ୍ପର୍କିତ ରିପୋର୍ଟମାନ ଉକ୍ରଳ ଦୀପିକାରେ ପ୍ରକାଶିତ ହୋଇଥିଲା । ନ’ଅଙ୍କ ଦୁର୍ଭିକ୍ଷରେ ହଜାର ହଜାର ଲୋକଙ୍କର କ୍ଷୁଧାରେ ମୃତୁ୍ୟ ହୋଇଥିଲା । ଏଥିରେ ପ୍ରାୟ ୧ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଏହି ଦୁର୍ଭିକ୍ଷର ଭୟାବହତା, ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଏବଂ ସରକାରୀକଳର ଅପାରଗତା ସମ୍ପର୍କରେ ଉକ୍ରଳ ଦୀପିକାରେ ଲେଖାମାନ ପ୍ରକାଶିତ ହୋଇଥିଲା । ଯାହାଦ୍ୱାରା ବି୍ରଟିଶ ସରକାର ତଥା ସମଗ୍ର ବିଶ୍ୱ ଏହି ଦୁର୍ବିପାକ ସମ୍ପର୍କରେ ଅବଗତ ହୋଇପାରିଥିଲେ ।
ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ମଧ୍ୟ ଉକ୍ରଳ ଦୀପିକାର ଅବଦାନ ଅତୁଳନୀୟ । ଓଡ଼ିଆ ସାହିତ୍ୟକୁ ଆଧୁନିକ ଓ ଶକ୍ତିଶାଳୀ କରିବାକୁ ଅର୍ଦ୍ଧଶତାବ୍ଦୀ ଧରି ନିରବଛିନ୍ନ ସାଧନା କରିଥିଲେ ଗୌରୀଶଙ୍କର । ଉକ୍ରଳ ଦୀପିକାର ପ୍ରକାଶନ ସହିତ ସେ ରାମାୟଣ, ମହାଭାରତ, ପୁରାଣ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତା ଇତ୍ୟାଦିକୁ ନେଇ ପୁସ୍ତକ ପ୍ରକାଶନ ଆରମ୍ଭ କରିଥିଲେ । ଗୌରୀଶଙ୍କର ଉକ୍ରଳ ସଭା ଏବଂ ଓଡିଶା ଆସୋସିଏସନ୍ ଆରମ୍ଭ କରିଥିଲେ । ଦୀର୍ଘ ୩୦ ବର୍ଷ ପର୍ଯ୍ୟନ୍ତ ସେ ଏହାର ସମ୍ପାଦକ ଥିଲେ । ଉକ୍ରଳ ଦୀପିକା ମାଧ୍ୟମରେ ସେ ବନ୍ୟା ନିୟନ୍ତ୍ରଣ ପ୍ରକି୍ରୟା, ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା, ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ସୁବିଧା, ଗମନାଗମନର ସୁବିଧା, କୁଟୀର ଶିଳ୍ପର ବିକାଶ, ଦାରିଦ୍ର୍ୟ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗରେ ଲେଖାଲେଖି କରୁଥିଲେ ଏବଂ ଏହି ସବୁ ବିଷୟ ପ୍ରସଙ୍ଗରେ ସେ ଉକ୍ରଳସଭା ଏବଂ ଓଡ଼ିଶା ସଙ୍ଗଠନ ଜରିଆରେ ଲୋକ ସଚେତନତା ସୃଷ୍ଟି କରୁଥିଲେ । ବନ୍ୟା ଏବଂ ଦୁର୍ଭିକ୍ଷ ନିୟନ୍ତ୍ରଣ ପ୍ରସଙ୍ଗରେ ଗୌରୀଶଙ୍କର ନିୟମିତ ଭାବେ ବିଭିନ୍ନ ଲୋକ ସଚେତନତାମୂଳକ କାର୍ଯ୍ୟକ୍ରମରେ ଜନମତ ସୃଷ୍ଟି କରୁଥିଲେ ଯାହାଦ୍ୱାରା କି ଏ ସଂକ୍ରାନ୍ତରେ ପଦକ୍ଷେପ ନେବାପାଇଁ ବ୍ରିଟିଶ ସରକାରଙ୍କ ଉପରେ ଚାପ ପ୍ରୟୋଗ ହୋଇପାରିବ । ସେ ସମୟରେ ଉକ୍ରଳ ଦୀପିକାରେ ନିଜ ଲେଖା ମାଧ୍ୟମରେ ତୁରନ୍ତ କେନାଲ ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ । ଯାହାଫଳରେ ୧୮୭୩ ମସିହାରେ କେନାଲ ନିର୍ମାଣ ଆରମ୍ଭ ହୋଇଥିଲା । ଗୌରୀଶଙ୍କର ସରକାରୀ କଳରେ ରହିଥିବା ଦୋଷ ଦୁର୍ବଳତାକୁ ନିର୍ଭୟରେ ନିଜ ଲେଖାରେ ପ୍ରତିପାଦନ କରୁଥିଲେ । ସେ ଉକ୍ରଳ ଦୀପିକାରେ ସାଧାରଣ ଲୋକ ବୁଝିପାରୁଥିବା ଭଳି ଭାଷାରେ ଲେଖୁଥିଲେ । ପରେ ଏହି ଖବରକାଗଜର ସମ୍ପାଦନାରେ ନୀଳମଣି ବିଦ୍ୟାରତ୍ନ ତାଙ୍କୁ ସାହାଯ୍ୟ କରିଥିଲେ । ଅଭାବ, ଅନଟନ ଓ ସେତେବେଳର ସରକାରୀ ପ୍ରତିକୂଳତା ବିରୋଧରେ ସଂଗ୍ରାମ କରି ଉକ୍ରଳ ଦୀପିକାକୁ ସେ ବଞ୍ଚାଇ ରଖିଥିଲେ ଅର୍ଦ୍ଧ ଶତାବ୍ଦୀ ପର୍ଯ୍ୟନ୍ତ । ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ତାଙ୍କର ନିରଳସ ଯୋଗଦାନ ପାଇଁ ତାଙ୍କୁ କର୍ମବୀର ଉପାଧି ଦିଆଯାଇଥିଲା ।
୧୯୧୭ ମସିହା ସେପ୍ଟେମ୍ବର ୭ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ବ୍ୟାସକବି ଫକୀରମୋହନ ସେନାପତି

 ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ କଥା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା । ଓଡ଼ିଆ ଭାଷା ଓ ଜାତିର ମାନ ବୃଦ୍ଧିପାଇଁ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ । ୧୮୪୩ ମସିହା ଜାନୁଆରୀ ୧୩ରେ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗ୍ରାମରେ ତାଙ୍କର ଜନ୍ମ । ତାଙ୍କର ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ପିତାମାତାଙ୍କୁ ହରାଇ ଜେଜେମାଙ୍କ ପାଖରେ ସେ ଲାଳିତ ପାଳିତ ହୋଇଥିଲେ ଏବଂ ସେ ହିଁ ତାଙ୍କ ନାମ ଫକୀର ରଖିଥିଲେ । ଦାରିଦ୍ର୍ୟ ଏବଂ ଅସୁସ୍ଥତା ଯୋଗୁଁ ସେ ଆନୁଷ୍ଠାନିକ ଶିକ୍ଷା ବିଶେଷ ଲାଭ କରି ପାରିନଥିଲେ । ହେଲେ ତାହା ତାଙ୍କୁ ଓଡ଼ିଆ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ହେବାକୁ ରୋକି ପାରିନଥିଲା । ଓଡ଼ିଆ ସାହିତ୍ୟ ଏବଂ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ଓଡ଼ିଆ ଭାଷାର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ସାମ୍ବାଦିକତାକୁ ଏହାର ରକ୍ଷାରେ ଏକ ଆୟୁଧ ଭାବେ ବ୍ୟବହାର କରିଥିଲେ ।
ସେ ୧୮୬୮ ମସିହାରେ ବାଲେଶ୍ୱର ଠାରେ ଉକ୍ରଳ ପ୍ରେସ ପ୍ରତିଷ୍ଠା କରିଥିଲେ । ସେ ବିଭିନ୍ନ ସମୟରେ ଅନେକ ଗୁଡ଼ିଏ ପତ୍ରପତ୍ରିକା ପ୍ରକାଶିତ କରିଥିଲେ । ତାଙ୍କ ପ୍ରକାଶିତ ପତ୍ରପତ୍ରିକା ମଧ୍ୟରୁ ରହିଛି ବୋଧଦାୟିନି, ନବସମ୍ବାଦ, ସମ୍ବାଦ ବାହିକା ଇତ୍ୟାଦି ।
ଏହି ସମୟରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇନଥାଏ । ଓଡ଼ିଶାର କିଛି ଅଞ୍ଚଳ ପଶ୍ଚିମବଙ୍ଗ, ବିହାର, ମାନ୍ଦ୍ରାଜରେ ମିଶିକରି ରହିଥିଲା । ଏହିସବୁ ପତ୍ରିକା ମାଧ୍ୟମରେ ଓଡିଆ ଭାଷା ଆନ୍ଦୋଳନକୁ ବଳବତ୍ତର କରାଗଲା । ଫକୀରମୋହନଙ୍କ ସାଙ୍ଗଠନିକ ଦକ୍ଷତା ଓ ସାରସ୍ୱତ ଅବଦାନ କେବଳ ଓଡିଆ ଭାଷାକୁ ଜୀବନ୍ୟାସ ଦେଇନଥିଲା, ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ସାମ୍ଭାବ୍ୟ ଭବିଷ୍ୟକୁ ଏକ ବଳିଷ୍ଠ ରୂପ ମଧ୍ୟ ଦେଇଥିଲା ।
ସେ ମୁଖ୍ୟତଃ ସାମାଜିକ ସମସ୍ୟାଗୁଡ଼ିକ ଉପରେ ଲେଖୁଥିଲେ । ବହୁ ଦିନରୁ ଚଳି ଆସୁଥିବା ପ୍ରଥାଗୁଡିକ କିପରି ସାଧାରଣ ମଣିଷର ଜୀବନକୁ ପ୍ରଭାବିତ କରୁଛି ଏହାରି ଉପରେ ତାଙ୍କର ଅନେକ କାହାଣୀ ପର୍ଯ୍ୟବସିତ ଥିଲା । ଯେଉଁ କେତେଜଣ ଓଡ଼ିଆ ଲେଖକ ସେ ସମୟରେ ଇଂରେଜ ଶାସନର ଅତ୍ୟାଚାର ବିରୋଧରେ ଲେଖୁଥିଲେ ସେମାନଙ୍କ ମଧ୍ୟରେ ଫକୀରମୋହନ ଥିଲେ ଅଗ୍ରଗଣ୍ୟ । ଓଡ଼ିଆ ଭାଷା ସୁରକ୍ଷା ପାଇଁ ସେ ସର୍ବଦା ଚେଷ୍ଟା କରିଥିଲେ । ସେ ସମୟରେ ଓଡ଼ିଆରେ ବିଶେଷ ପତ୍ରିକା ଓ ପୁସ୍ତକ ନଥିଲା । ଉକ୍ରଳ ପ୍ରେସ ପ୍ରତିଷ୍ଠା କରି ସେ ଅନେକ ଓଡିଆ ଲେଖା, ବହି, ଖବରକାଗଜ, ପତ୍ରିକା ଇତ୍ୟାଦି ପ୍ରକାଶ କରିଥିଲେ ।
ସେ ଅନେକ କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା ରଚନା କରିଛନ୍ତି । ତାଙ୍କ ଲିଖିତ ଉପନ୍ୟାସ ଗୁଡିକ ହେଉଛି ଛମାଣ ଆଠଗୁଣ୍ଠ, ମାମୁ ଲଛମା ଇତ୍ୟାଦି । ଜଣେ ଔପନ୍ୟାସିକ ଭାବେ ତାଙ୍କୁ ତାଙ୍କ ସମସାମୟିକ ପ୍ରସିଦ୍ଧ କଥାକାର ପ୍ରେମଚନ୍ଦ ଏବଂ ଶରତଚନ୍ଦ୍ରଙ୍କ ସହିତ ତୁଳନା କରାଯାଏ । ତାଙ୍କ ଲିଖିତ କିଛି ଲୋକପ୍ରିୟ କ୍ଷୁଦ୍ରଗଳ୍ପ ହେଉଛି ରେବତୀ, ଡାକ ମୁନ୍ସୀ, ପେଟେଣ୍ଟ ମେଡିସିନ, ରାଣ୍ଡି ପୁଅ ଅନନ୍ତା ଇତ୍ୟାଦି । ରେବତୀକୁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଦିଆଯାଏ ।
୧୮୭୧ରୁ ୧୮୯୬ ପର୍ଯ୍ୟନ୍ତ ଫକୀରମୋହନ ନୀଳଗିରି, ଡୋମପଡା, ଢେଙ୍କାନାଳ, କେନ୍ଦୁଝର ପ୍ରଭୃତି ବିଭିନ୍ନ ଷ୍ଟେଟରେ ଦେୱାନ କାର୍ଯ୍ୟ କରିଥିଲେ । ୧୮୯୬ରୁ ୧୯୦୫ ପର୍ଯ୍ୟନ୍ତ କଟକରେ ରହଣୀ ସମୟ ମଧ୍ୟରେ ସେ ଛଅ ମାଣ ଆଠଗୁଣ୍ଠ ରଚନା କରିଥିଲେ । ୧୯୦୫ରୁ ୧୯୧୮ ପର୍ଯ୍ୟନ୍ତ ଫକୀରମୋହନ ବାଲେଶ୍ୱରରେ ରହିବା ସମୟରେ ବୌଦ୍ଧ ଅବତାର, ପ୍ରାୟଶ୍ଚିତ, ମାମୁଁ ଇତ୍ୟାଦିର ରଚନା କରିଥିଲେ । ସେ ୧୯୧୪ରୁ ୧୯୧୮ ପର୍ଯ୍ୟନ୍ତ ଉକ୍ରଳ ସାହିତ୍ୟ ସମାଜର ସଭାପତି ଦାୟିତ୍ୱ ବହନ କରିଥିଲେ । ୧୯୧୬ରେ ସେ ବାମଣ୍ଡାର ସୁରତରଙ୍ଗିଣୀ ସାହିତ୍ୟ ସମିତି ତାଙ୍କୁ ସରସ୍ୱତୀ ଉପାଧିରେ ଭୂଷିତ କରିଥିଲା । ରାମାୟଣ, ମହାଭାରତ ଅନୁବାଦ କରି ଫକୀରମୋହନ ବ୍ୟାସକବି ଉପାଧି ପାଇଥିଲେ ।
୧୯୧୮ ମସିହା ଜୁନ ୧୪ରେ ବାଲେଶ୍ୱରର ମଲ୍ଲିକାଶପୁରରେ ତାଙ୍କର ବିୟୋଗ ହୋଇଥିଲା ।

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ

ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ ଓଡ଼ିଶାର ପ୍ରଥମ ପେଶାଦାର ସାମ୍ବାଦିକ ଓ ସମ୍ପାଦକ ବୋଲି କହିହେବ । ଆଜୀବନ ସେ ସମ୍ବାଦ ପତ୍ରପତ୍ରିକା ପ୍ରକାଶନ ସହ ଜଡ଼ିତ ଥିଲେ ।
କଟକ ଜିଲ୍ଲାର ବାଙ୍କି ନିକଟସ୍ଥ ବ୍ରଜବିହାରିପୁର ଗ୍ରାମରେ ୧୮୬୭ ମସିହା ଡିସେମ୍ବର ୧୪ ତାରିଖରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ଜନ୍ମ ହୋଇଥିଲା । ତାଙ୍କ ପିତାଙ୍କ ନାମ ସୌରୀକରଣ ମିଶ୍ର ଏବଂ ମାତାଙ୍କ ନାମ ରୋହିଣୀ ଦେବୀ ।
୧୮୮୭ ମସିହାରେ ସେ ସମ୍ବଲପୁର ହିତୈଷିଣୀର ସମ୍ପାଦକ ଭାବେ ଯୋଗ ଦେଇଥିଲେ । ବାମଣ୍ଡାର ରାଜା ବାସୁଦେବ ସୁଢଳ ଦେବ ଏହାର ପ୍ରକାଶକ ଥିଲେ । ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ଦୀର୍ଘ ୧୬ବର୍ଷ ପର୍ଯ୍ୟନ୍ତ ଏହି ପତ୍ରିକା ଓଡ଼ିଆ ସାହିତ୍ୟ ସଂସ୍କୃତି ତଥା ଓଡ଼ିଆ ଲେଖକଙ୍କ ପୃଷ୍ଠପୋଷକ ଥିଲା । ଏଥିରେ ସେ ବିଶିଷ୍ଟ କବି ଗଙ୍ଗାଧର ମେହେର ଏବଂ ରାଧାନାଥ ରାୟଙ୍କ ଲେଖା ପ୍ରକାଶିତ କରି ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ନୀଳମଣି ବିଦ୍ୟାରତ୍ନ ଇନ୍ଦ୍ରଧନୁ ନାମରେ ଏକ ପତ୍ରିକାର ମଧ୍ୟ ସମ୍ପାଦନା କରୁଥିଲେ ।
୧୯୯୫ରେ ରାଜା ବାସୁଦେବ ସୁଢଳ ଦେବ ତାଙ୍କୁ ବିଦ୍ୟାରତ୍ନ ଉପାଧିରେ ଭୂଷିତ କରିଥିଲେ । ନୀଳମଣି ବାମଣ୍ଡା ରାଜ୍ୟ ପରିଷଦର ମଧ୍ୟ ଜଣେ ସଭ୍ୟ ଥିଲେ । ସେହି ସମୟରେ ସମ୍ବଲପୁର ମଧ୍ୟପ୍ରଦେଶରେ ମିଶି ହୋଇ ରହିଥିଲା । ଏବଂ ଏଠାରେ ହିନ୍ଦୀ ସରକାରୀ ଭାଷା ରୂପେ ପ୍ରଚଳିତ ଥିଲା । ହିତୈଷିଣୀ ମାଧ୍ୟମରେ ନୀଳମଣି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ୧୯୦୩ରେ ଓଡିଆକୁ ସମ୍ବଲପୁରରେ ସରକାରୀ ଭାଷାର ମାନ୍ୟତା ମିଳିଥିଲା ।
୧୯୦୨ରେ ରାଜାଙ୍କ ସହିତ କିଛି ପ୍ରସଙ୍ଗରେ ମନୋମାଳିନ୍ୟ ଯୋଗୁଁ ନୀଳମଣି ବାମଣ୍ଡା ଛାଡିଥିଲେ । ଏହିବର୍ଷ ସେ ଗଞ୍ଜାମ ଯାଇଥିଲେ । ୧୯୦୩ରେ ଖଲିକୋଟର ରାଜା ହରିହର ମର୍ଦ୍ଦରାଜଙ୍କ ନେତୃତ୍ୱରେ ଏବଂ ତାଙ୍କ ପ୍ରୋତ୍ସାହନରେ ଗଞ୍ଜାମର ସମାଜ ସଂସ୍କାରକ ଓ ରାଜନୈତିକ ନେତାମାନେ ଗଞ୍ଜାମ ଜାତୀୟ ସମିତିର ଗଠନ କରିଥିଲେ । ସେ ସମୟରେ ମାନ୍ଦ୍ରାଜରେ ମିଶିରହିଥିବା ଗଞ୍ଜାମକୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ମିଶାଇବା ପାଇଁ ଏହି ସମିତି ଦାବି କରିଥିଲା । ଓଡ଼ିଆଙ୍କ ସ୍ୱାର୍ଥକୁ ଆଗକୁ ଆଣିବାକୁ ତଥା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କରିବା ଅଭିଯାନକୁ ବଳିଷ୍ଠ କରିବା ପାଇଁ ବିଦ୍ୟାରତ୍ନ ପ୍ରଜାବନ୍ଧୁ ନାମକ ଏକ ଓଡ଼ିଆ ସାପ୍ତାହିକ ଖବରକାଗଜର ପ୍ରକାଶନ କରିଥିଲେ ଏବଂ ପ୍ରଜାବନ୍ଧୁର ସମ୍ପାଦକ ଭାର ସମ୍ଭାଳିଥିଲେ । ଏହି ପତ୍ରିକାଟି ଖଲିକୋଟର ରାଜା ହରିହର ମର୍ଦ୍ଦରାଜଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ରାଜାଙ୍କ ସହାୟତାରେ ନୀଳମଣି ବ୍ରହ୍ମପୁରରେ ଉକ୍ରଳ ସଭାର ଆୟୋଜନ କରିଥିଲେ ଯାହାକି ପରେ ମାନ୍ଦ୍ରାଜ ଓଡିଆ ଆସୋସିଏସନ ନାମରେ ଜଣାଯାଇଥିଲା । ଏଥିରେ ସେ ଓଡ଼ିଆର ଦୁଇ ଜଣ ପ୍ରମୁଖ ସଂଗ୍ରାମୀ ମଧୁସୂଦନ ଦାସ ଏବଂ ବିଶ୍ୱନାଥ କରଙ୍କୁ ଆମନ୍ତ୍ରଣ କରିଥିଲେ । ଏହି ସଭାରେ ଉକ୍ରଳ ସମ୍ମିଳନୀର ଆରମ୍ଭ ହୋଇଥିଲା ।
ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ସେ ସାହିତ୍ୟ ପତ୍ରିକାର ବ୍ୟବହାର କରିଥିଲେ । ଖଲିକୋଟ ଛାଡ଼ିବା ପରେ ସେ ଗୁଣଦର୍ପଣର ସମ୍ପାଦକ ଥିଲେ । ବଡଖେମୁଣ୍ଡିର ରାଜା ଅନଙ୍ଗଭୀମ ଦେବ ଏହାର ପ୍ରକାଶକ ଥିଲେ । ବଡଖେମୁଣ୍ଡିରେ ଥିବା ସମୟରେ ସେ “ଉକ୍ରଳ ମଧୁପ” ନାମରେ ଆଉ ଏକ ମାସିକ ପତ୍ରିକାର ପ୍ରକାଶନ କରିଥିଲେ ।
କେଇମାସ ପାଇଁ ସେ ଉକ୍ରଳ ଦୀପିକାର ସମ୍ପାଦନା ଦାୟିତ୍ୱ ମଧ୍ୟ ବହନ କରିଥିଲେ । ଗୌରୀଶଙ୍କର ରାୟଙ୍କ ମୃତୁ୍ୟ ପରେ ୧୯୨୨ ମସିହାରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଉକ୍ରଳ ଦୀପିକାର ସମ୍ପାଦକ ଭାବେ ଯୋଗ ଦେଇଥିଲେ । କିନ୍ତୁ ଏହି କାର୍ଯ୍ୟରେ ସେ ବେଶି ଦିନ ରହିପାରି ନଥିଲେ । କଟକ ପ୍ରିଣ୍ଟିଂ କମ୍ପାନୀର ପରିଚାଳକ ମାନଙ୍କ ସହିତ ମତପାର୍ଥକ୍ୟ ହେତୁ ପାଞ୍ଚ ମାସ କାମ କଲାପରେ ସେ ‘ଉକ୍ରଳ ଦୀପିକା’ର ସମ୍ପାଦକ ପଦ ଛାଡିଥିଲେ ।
ଗୋଟିଏ ପ୍ରେସ ପ୍ରତିଷ୍ଠା କରି ନିଜର ପତ୍ରିକାଟିଏ ପ୍ରକାଶ କରିବାର ଇଛା ରଖିଥିଲେ ସେ । ମାତ୍ର ତାଙ୍କର ଏହି ସ୍ୱପ୍ନ ପୂରା ହୋଇପାରିନଥିଲା ।
୧୯୨୩ ମସିହା ଜୁଲାଇ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଉତ୍କଳମଣି ଗୋପବନ୍ଧୁ ଦାସ

ଓଡ଼ିଆ ଭାଷା, ଜାତି ଓ ସାହିତ୍ୟକୁ ଗୌରବମଣ୍ଡିତ କରିବାପାଇଁ ଯେଉଁମାନେ ଆଜୀବନ ସାଧନା କରୁଥିଲେ, ସେମାନଙ୍କ ମଧ୍ୟରେ ଗୋପବନ୍ଧୁ ଥିଲେ ଅନ୍ୟତମ । ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ତାଙ୍କର ଜନ୍ମ । ସାମ୍ବାଦିକତା ତାଙ୍କ ପେସା ନଥିଲା । ଏହା ଥିଲା ତାଙ୍କପାଇଁ ସେବା । ରେଭେନ୍ସା କଲେଜରେ ପ୍ରି-ୟୁନିଭର୍ସିଟି ପଢୁଥିବା ସମୟରେ ବନ୍ଧୁ ଆଚାର୍ଯ୍ୟ ହରିହର ଓ ବ୍ରଜସୁନ୍ଦର ଦାସଙ୍କ ସହ ମିଶି ଓଡ଼ିଶାର ଗରିବ, ଅବହେଳିତ ଜନତାଙ୍କ ସେବା କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଶିକ୍ଷକତା ଓ ପରେ ଓକିଲାତି ପେସାରେ ସେ ପାଦ ଦେଇଥିଲେ, ହେଲେ ସମାଜସେବା ତାଙ୍କ ପାଇଁ ଥିଲା ସଂକଳ୍ପ । ଉପଯୁକ୍ତ ଶିକ୍ଷା ବିନା ଜଣେ ନାଗରିକ ଦେଶ ଓ ଜାତିପ୍ରତି ତାର କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ ହୋଇପାରିବ ନାହିଁ ବୋଲି ଗୋପବନ୍ଧୁ ବିଶ୍ୱାସ କରୁଥିଲେ । ଏଣୁ ସେ ପୁରୀ ଜିଲ୍ଲାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ପଣ୍ଡିତ ନୀଳକଣ୍ଠ ଦାଶ, ପଣ୍ଡିତ ଗୋଦାବରୀଶ ମିଶ୍ର, ଅଚାର୍ଯ୍ୟ ହରିହର ଦାଶ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ବାସୁଦେବ ମହାପାତ୍ର, ରାମଚନ୍ଦ୍ର ରଥଙ୍କ ଭଳି ବୁଦ୍ଧିଜୀବୀ ମାନେ ଏହି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ । ୧୯୧୫ ମସିହା ମାର୍ଚ୍ଚ ୧୫ତାରିଖରେ ସେ ପ୍ରକାଶିତ କରିଥିଲେ ସତ୍ୟବାଦୀ ନାମକ ପତ୍ରିକା । ଆର୍ଥିକ ଅଭାବ ହେତୁ ଛଅ ବର୍ଷ ପରେ ଏହାର ପ୍ରକାଶନ ବନ୍ଦ ହୋଇ ଯାଇଥିଲା ।
ସେ ସମୟର ଇଂରେଜ ସରକାର ବନ୍ୟା, ବାତ୍ୟା, ଦୁର୍ଭିକ୍ଷକୁ ଲୋକଲୋଚନକୁ ଆଣିବାକୁ ଚାହୁଁ ନଥିଲେ । ଗୋପବନ୍ଧୁ ସମ୍ପାଦକଙ୍କୁ ପତ୍ର ମାଧ୍ୟମରେ ଉକ୍ରଳ ଦୀପିକାରେ ନିଜ ଆଭିମୁଖ୍ୟ ପ୍ରକାଶ କରୁଥିଲେ । ୧୯୧୭ରୁ ୧୯୨୦ ପର୍ଯ୍ୟନ୍ତ ଗୋପବନ୍ଧୁ ପୁରୁଣା ବିହାର ଏବଂ ଓଡିଶା ବିଧାନ ପରିଷଦର ସଭ୍ୟ ରହିଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମଙ୍କୁ ସହଯୋଗ କରିବା ପାଇଁ ତଥା ସାଧାରଣ ଜନତାଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବା ପାଇଁ ୧୯୧୯ ମସିହା ଅକ୍ଟୋବର ୪ତାରିଖ ଦିନ ଗୋପବନ୍ଧୁ ସମାଜ ନାମରେ ଏକ ସାପ୍ତାହିକ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ । ସେତେବେଳେ ଏହାର ମୂଲ୍ୟ ଏକ ପଇସା ଥିଲା । ସରକାରୀ କାର୍ଯ୍ୟକଳାପଗୁଡିକ ଟିକିନିଖି ଭାବେ ସେ ସମାଜ ମାଧ୍ୟମରେ ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରୁଥିଲେ । ସମାଜର ସ୍ତମ୍ଭଗୁଡିକରେ ଲେଖା ମଧ୍ୟମରେ ପଣ୍ଡିତ ଗୋପବନ୍ଧୁ ଦାସ ଇଂରେଜ ଶାସନ ବିରୋଧରେ ନିଜ ଆନେ୍ଦାଳନ ଜାରି ରଖିଥିଲେ । ସମାଜରେ ନିଜ ଲେଖାରେ ସେ ଓଡ଼ିଶାରେ ଥିବା ଅନାହାର, ଶିଶୁ ମୃତୁ୍ୟହାର, ଶିକ୍ଷା ସମସ୍ୟା ବିରୋଧରେ ମଧ୍ୟ ନିଜ ସଂଗ୍ରାମ ଚଳାଇଥିଲେ । ସେ ପ୍ରାୟ ଶିକ୍ଷା ସମସ୍ୟା ଉପରେ ନିଜର ସ୍ତମ୍ଭ ଲେଖୁଥିଲେ । ସେ ସେହି ସ୍ତମ୍ଭରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶିକ୍ଷା ଅବସ୍ଥା ଉପରେ ଆଲୋଚନା ଓ ସମାଲୋଚନା କରୁଥିଲେ । ଗୋପବନ୍ଧୁ ଦାସ ଯୁକ୍ତାକ୍ଷରର ଖୁବ କମ୍ ବ୍ୟବହାର କରୁଥିଲେ । ଗୋପବନ୍ଧୁ ନିୟମିତ ଭାବେ ଉକ୍ରଳ ସମ୍ମିଳନୀର ବାର୍ଷିକ ସଭାରେ ଯୋଗଦାନ କରୁଥିଲେ ଏବଂ ସମ୍ମିଳନୀର ସମସ୍ତ ସଭାର ଆଲୋଚନା ଖବରକାଗଜରେ କରୁଥିଲେ । ୧୯୧୯ରେ ସେ ଉକ୍ରଳ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୨୮ ପର୍ଯ୍ୟନ୍ତ ସେ ସମାଜର ସମ୍ପାଦନା କରିଥିଲେ । ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟ ଏକତା ଭାବ ସୃଷ୍ଟି କରିବା ପାଇଁ ଗୋପବନ୍ଧୁ କାରା କବିତା ଭଳି ଅନେକ ଦେଶାତ୍ମବୋଧକ କବିତା ଲେଖିଛନ୍ତି । ୧୯୨୨ରୁ ୨୪ ପର୍ଯ୍ୟନ୍ତ ହଜାରିବାଗ ଜେଲରେ କାରାବାସ ଭୋଗ କରୁଥିବା ସମୟରେ ସେ ବନ୍ଦୀର ଆତ୍ମକଥା ରଚନା କରିଥିଲେ । ଗୋପବନ୍ଧୁ ନିଜର ସମଗ୍ର ଜୀବନ ଓଡ଼ିଶାବାସୀଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ଉତ୍ସର୍ଗୀକୃତ କରିଥିଲେ । ସମାଜରୁ ଅସ୍ପୃଶ୍ୟତା, ଦାରିଦ୍ର୍ୟ ଭଳି ସମସ୍ୟା ଦୂର କରିବା ପାଇଁ ସେ ଚେଷ୍ଟା କରିଥିଲେ । ଶିକ୍ଷା ମୁଖ୍ୟତଃ ମହିଳା ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶାର ବନ୍ୟା ପୀଡ଼ିତଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଡ଼ କରିବା ପାଇଁ ଲାହୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କର ଦେହ ଖରାପ ହୋଇଥିଲା ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଲଗାତାର ଅବନତି ହୋଇଥିଲା ।
ଦୀର୍ଘ ଦିନର ଅସୁସ୍ଥତା ପରେ ୧୯୨୮ ମସିହା ଜୁନ ୧୭ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶଶୀଭୂଷଣ ରଥ

ଓଡ଼ିଆ ସାମ୍ବାଦିକତାର ଇତିହାସରେ ଶଶୀ ଭୂଷଣ ରଥଙ୍କ ନାଁ ଜଣେ ସୁସମ୍ପାଦକ ଓ ନିର୍ଭୀକ ଦେଶଭକ୍ତ ଭାବେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
୧୮୮୫ ମସିହାରେ ଗଞ୍ଜାମ ଜିଲ୍ଲାରେ ତାଙ୍କ ଜନ୍ମ । ତାଙ୍କ ପିତାଙ୍କ ନାମ ଲମ୍ବୋଦର ମହାପାତ୍ର । ବାଲ୍ୟକାଳରୁ ତାଙ୍କ ପିଉସା ଦିଗମ୍ବର ରଥ ତାଙ୍କୁ ପୋଷ୍ୟ ପୁତ୍ରଭାବେ ଗ୍ରହଣ କରିଥିବାରୁ ତାଙ୍କ ସାଂଜ୍ଞା ରଥ ରହିଥିଲା । ଶଶୀ ଭୂଷଣଙ୍କ ବାଲ୍ୟଶିକ୍ଷା ସୋରଡ଼ାରେ ଆରମ୍ଭ ହୋଇଥିଲା । ସେ ୧୯୦୨ରେ ପାରଳାଖେମୁଣ୍ଡିରୁ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ ଅଧିନରେ ମାଟ୍ରିକ ପାସ କରିଥିଲେ । ଏହାପରେ ସେ ବମ୍ବେ ଯାଇ ରଥୋ ଆଣ୍ଡ କୋ ନାମରେ ଏକ ଜୋତା କମ୍ପାନୀ ଆରମ୍ଭ କରିଥିଲେ । ଏହି ସମୟରେ ବମ୍ବେ କ୍ରୋନିକଲର ସହକାରୀ ସମ୍ପାଦକ ହୋଇ ଜଣେ ବିଦେଶୀଙ୍କ ସହିତ ବନ୍ଧୁତା ସ୍ଥାପନକରି ତାଙ୍କଠାରୁ ସାମ୍ବାଦିକତାର ବିଭିନ୍ନ ବିଷୟରେ ଜାଣିଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ବମ୍ବେ ଛାଡ଼ି ଓଡିଶା ପ୍ରତ୍ୟାବର୍ତ୍ତନ କରି ସେ ମଧୁସୂଦନ ଦାସଙ୍କ ଉକ୍ରଳ ଟେନେରୀରେ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ । ତା’ପରେ ସେ କଲିକତାରେ ୟଙ୍ଗ୍ ଆଣ୍ଡ୍ କୋ. ନାମକ ଏକ ଔଷଧ କମ୍ପାନୀରେ ମ୍ୟାନେଜର ଭାବରେ କାମ କରିଥିଲେ । କଲିକତାରେ ଥିଲା ବେଳେ ସେ ଓଡିଆ ଆସୋସିଏସନ କରିଥିଲେ । କ୍ରମଶଃ ଓଡିଆ ଭାଷା ଏବଂ ଓଡିଶା ପ୍ରଦେଶ ପାଇଁ କିଛି କରିବାର ଇଛା ବଳବତ୍ତର ହେଲା ।
ଓଡ଼ିଆ ଭାଷା ସୁରକ୍ଷା ଓ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ସେ ସାମ୍ବାଦିକତାକୁ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ । ୧୯୧୩ ବେଳକୁ ଶଶୀ ଭୂଷଣ ରଥଙ୍କ ନେତୃତ୍ୱରେ ଓଡିଆ ସାମ୍ବାଦିକତାର ଏକ ନୂତନ ଯୁଗ ଆରମ୍ଭ ହୋଇଥିଲା । ୧୯୧୩ ଏପ୍ରିଲ ୧୩ରେ ସେ ଆଶା ନାମକ ଏକ ସାପ୍ତାହିକ ପ୍ରକାଶନ କରିଥିଲେ । ସେ ସମୟର ମାନଗଣ୍ୟ ବ୍ୟକ୍ତି ଯଥା ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଏହି ସାପ୍ତାହିକ ପାଇଁ ସହଯୋଗ କରିଥିଲେ । ଏହି ବିଜ୍ଞ ବ୍ୟକ୍ତିମାନେ ସ୍ୱାଧୀନତା ସଂଗ୍ରାମୀ ଥିଲେ ତଥା ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ଖବରକାଗଜ ଗୁଡିକର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ସତ୍ୟବାଦୀ ବନ୍ଧୁତ୍ୱ ନାମରେ ଜଣାଶୁଣା ଏହି ବ୍ୟକ୍ତିତ୍ୱମାନେ ନିୟମିତ ଭାବେ ଏହି ସାପ୍ତାହିକ ‘ଆଶା’ ପାଇଁ ଲେଖୁଥିଲେ । ୧୯୧୭ ପର୍ଯ୍ୟନ୍ତ ଏମାନଙ୍କର ‘ଆଶା’ ସାଙ୍ଗରେ ଭଲ ସମ୍ପର୍କ ରହିଥିଲା ଏବଂ ଏମାନେ ନିୟମିତ ଭାବେ ଏହାର ସ୍ତମ୍ଭ ପାଇଁ ଲେଖୁଥିଲେ । ଓଡ଼ିଶାର ଜନସାଧରଣଙ୍କ ମନରେ ଏହି ସାପ୍ତାହିକ ଏକ ନୂଆ ଆଶା ସଞ୍ଚାର କରିଥିଲା । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଢ଼ିବା ସହିତ ଓଡିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ଆଶା ଲଗାତାର ପ୍ରଚେଷ୍ଟା କରିଚାଲିଥିଲା । ଆଶା ଅନେକ ରାଜନେତା ଓ ଲେଖକଙ୍କୁ ଆକୃଷ୍ଟ କରିଥିଲା ଏବଂ ଜନମତ ସୃଷ୍ଟିି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସତ୍ୟବାଦୀ ବନ୍ଧୁମାନଙ୍କ ବ୍ୟତୀତ ଓଡିଶାର ଅନ୍ୟ ପ୍ରମୁଖ ଲେଖକ ଓ ନେତା ମଧ୍ୟ ଆଶାର ବିଭିନ୍ନ ସ୍ତମ୍ଭ ପାଇଁ ଲେଖୁଥିଲେ । ଏମାନଙ୍କ ମଧ୍ୟରୁ ଥିଲେ ଗୋପାଳଚନ୍ଦ୍ର ପ୍ରହରାଜ (ଓଡିଆ ଭାଷାକୋଷର ଲେଖକ), ସମାଜ ସଂସ୍କାରକ ଅନନ୍ତ ମିଶ୍ର, ଗଦାଧର ବିଶ୍ୱଭୂଷଣ ଏବଂ ଦକ୍ଷିଣ ଗଞ୍ଜାମର ସଦାଶିବ ବିଶ୍ୱଭୂଷଣ, ମହାନ ଓଡିଆ ଔପନ୍ୟାସିକ ଓ ଲେଖକ ଫକୀରମୋହନ ସେନାପତି, କବି ଓ ଲେଖକ ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ । ଗୋପବନ୍ଧୁ ଦାସ ବ୍ରହ୍ମପୁରର ଆଶା ପ୍ରେସରୁ ନିଜର ପ୍ରଥମ ମାସିକ ପତ୍ରିକା ସତ୍ୟବାଦୀରେ ପ୍ରକାଶନ କରିଥିଲେ । ଆଶା ପ୍ରେସରୁ ଶଶୀଭୂଷଣ ‘ପ୍ରତୀପ’ ନାମକ ଏକ ସାହିତ୍ୟ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ ।
୧୯୨୮ରେ ଓଡ଼ିଆ ନୂଆବର୍ଷ ମେଷ ସଂକ୍ରାନ୍ତି ଦିନ ଶଶୀ ଭୂଷଣ ରଥ ବ୍ରହ୍ମପୁରରୁ ପ୍ରଥମ ଓଡିଆ ଦୈନିକ ଖବରକାଗଜ ‘ଦୈନିକ ଆଶା’ ପ୍ରକାଶନ କରିଥିଲେ । ଏହା ଥିଲା ଓଡିଆ ସାମ୍ବାଦିକତା ଦିଗରେ ଏକ ମାଇଲିଖୁଣ୍ଟ । ଏହା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବା ଉଦ୍ୟମକୁ ସହାୟତା କରିଥିଲା । ଏହା ମଧ୍ୟ ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱାଧୀନତା ସଂଗ୍ରାମର ଖବର ପହଞ୍ଚାଇଥିଲା । ଦୈନିକ ଆଶାର ପ୍ରକାଶନ ସହିତ ଅନେକ ଯୁବକ ସାମ୍ବାଦିକତାରେ ତାଲିମ ପାଇବାର ସୁଯୋଗ ପାଇଥିଲେ । ପେସାଦାରୀ ଦକ୍ଷତାରେ ଖବରକାଗଜ ପ୍ରସ୍ତୁତି ଏବଂ ପ୍ରକାଶନର ଆୟମାରମ୍ଭ ଶଶୀଭୂଷଣଙ୍କ ଆଶାରୁ ହୋଇଥିଲା ବୋଲି କହିଲେ ଭୁଲ ହେବନାହିଁ । ଅନେକ ବ୍ୟକ୍ତି ଯେଉଁମାନେ ଦୈନିକ ଆଶାରେ ସହ ସମ୍ପାଦକ ଅବା ରିପୋର୍ଟର ହିସାବରେ କାର୍ଯ୍ୟ କରିଥିଲେ ସେମାନେ ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ଦୈନିକ ଖବରକାଗଜ ପ୍ରକାଶନରେ ସାହାଯ୍ୟ କରିଥିଲେ ।
ଲବଣ ସତ୍ୟାଗ୍ରହ ସମୟରେ ମହାତ୍ମାଗାନ୍ଧୀଙ୍କୁ କାରାଦଣ୍ଡ ହୋଇଥିଲା । ଏଥିରେ କ୍ଷୁବ୍ଧ ହୋଇ ଆଶାରେ ସେ ବିଭିନ୍ନ ଲେଖାମାନ ପ୍ରକାଶ କରିଥିଲେ । ଲବଣ ସତ୍ୟାଗ୍ରହର ବାର୍ତ୍ତା ପ୍ରଚାର ପାଇଁ ଆଶା ପ୍ରେସରେ ବୁଲେଟିନ ଛପା ହେଉଥିବା ଅଭିଯୋଗରେ ସେ ଜେଲ ଯାଇଥିଲେ । ଜେଲରେ ମହାତ୍ମାଗାନ୍ଧୀଙ୍କ ଗୁଜୁରାଟୀ ଭାଷାରେ ଲିଖିତ ଗୀତାର ଭାଷ୍ୟକୁ ସେ ଓଡିଆ ଭାଷାରେ ଅନୁବାଦ କରିଥିଲେ ।
ଦୈନିକ ଆଶାର ପ୍ରକାଶନ ପରେ ଶଶୀ ଭୂଷଣ ରଥ ‘ଦି ଇଷ୍ଟକୋଷ୍ଟ’ ନାମକ ଏକ ଇଂରାଜୀ ସାପ୍ତାହିକର ପ୍ରକାଶନ ଆରମ୍ଭ କରିଥିଲେ ଏବଂ ଏହାର ସମ୍ପାଦନା ଭାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଦେଇଥିଲେ । ଏହାପରେ ୧୯୩୩ ମସିହା ମଇ ୫ତାରିଖରେ ସେ ଓଡିଶାର ପ୍ରଥମ ଇଂରାଜୀ ଦୈନିକ ଖବରକାଗଜ ଦି ନୁ୍ୟ ଓଡିଶାର ପ୍ରକାଶନ ଆରମ୍ଭ କରିଥିଲେ । ଏହା ବ୍ରହ୍ମପୁରର ଆଶା ପ୍ରେସରୁ ପ୍ରକାଶିତ ହୋଇଥିଲା । ଏହାର ସମ୍ପାଦନା ସେ ନିଜେ କରିଥିଲେ ।
ଶଶୀଭୂଷଣ ରଥ ସାରାଜୀବନ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ । ସକ୍ରିୟ ରାଜନୀତିରେ ବି ସେ କିଛି ବର୍ଷ ଥିଲେ । ୧୯୨୦ରେ ସେ ମାନ୍ଦ୍ରାଜ ଆସେମ୍ବ୍ଲି କାଉନ୍ସିଲକୁ ନିର୍ବାଚିତ ହୋଇଥିଲେ । ଗଞ୍ଜାମ ଜିଲ୍ଲାର ଉନ୍ନତି ପାଇଁ ସେ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଥିଲେ ।
ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହେଲାପରେ ଶଶୀଭୂଷଣ ଦୈନିକ ଆଶାର ସମ୍ପାଦନା ଦାୟିତ୍ୱରୁ ଅବ୍ୟାହତି ନେଇଥିଲେ । ୧୯୪୩ ମସିହା ମଇ ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବାଳକୃଷ୍ଣ କର

ବାଳକୃଷ୍ଣ କର ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଏକାଧାରରେ ଜଣେ ଆଇନଜୀବୀ, ସାହିତି୍ୟକ, ସ୍ୱାଧୀନତା ସଂଗ୍ରାମୀ ଓ ସାମ୍ବାଦିକ ଥିଲେ ।
୧୮୮୭ ମସିହାରେ କଟକ ଜିଲ୍ଲା ସାଲେପୁର ଥାନାର ଜିଗ୍ନିପାଟପୁର ଗ୍ରାମରେ ତାଙ୍କର ଜନ୍ମ । ଆଇନ ଛାତ୍ର ଥିବା ସମୟରେ ତାଙ୍କ ସଂଗ୍ରାମୀ ଜୀବନ ଆରମ୍ଭ ହୋଇଥିଲା । ଏହି ସମୟରେ ସେ ଉକ୍ରଳ ସମ୍ମିଳନୀରେ ଯୋଗ ଦେଇଥିଲେ । ୧୯୩୭ ମସିହାରେ ସେ ସାରସ୍ୱତ ପ୍ରେସ ପ୍ରତିଷ୍ଠା କରିଥିଲେ । ୧୯୪୭ ମସିହାରେ ସେ ପାକ୍ଷିକ ‘ମାତୃଭୂମି’ର ପ୍ରକାଶନ ଆରମ୍ଭ କରିଥିଲେ । ୧୯୫୦ ମସିହାରେ ଏହା ସାପ୍ତାହିକ ଏବଂ ୧୯୫୧ରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହୋଇଥିଲା । ସ୍ୱାଧୀନତା ପରେ ଗଡ଼ଜାତ ମିଶ୍ରଣରେ ଏହା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଓଡିଶାର ସ୍ୱାର୍ଥରକ୍ଷା କ୍ଷେତ୍ରରେ ମାତୃଭୂମି ସର୍ବଦା ସ୍ୱର ଉତ୍ତୋଳନ କରୁଥିଲା । ଷଢେଇଖଳା ଏବଂ ଖରସୁଆଁକୁ ବିହାରରେ ମିଶାଇବା ନିଷ୍ପତ୍ତିର ଏହା ଦୃଢ଼ ବିରୋଧ କରୁଥିଲା ।
ବାଳକୃଷ୍ଣ କର ଜଣେ ସାରସ୍ୱତ ସାଧକ ଥିଲେ । ମାସିକ ସାହିତ୍ୟ ପତ୍ରିକା ‘ସହକାର’ର ପ୍ରତିଷ୍ଠାତା ଓ ସମ୍ପାଦକ ଭାବେ ସେ ସୁଖ୍ୟାତ । ଏହି ପତ୍ରିକାଟି କିନ୍ତୁ ପ୍ରଥମେ ୧୯୨୧ରେ ଲକ୍ଷ୍ମୀନାରାୟଣ ସାହୁ ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ୧୯୩୦ରେ ବାଳକୃଷ୍ଣ କର ପୁଣି ଏହାକୁ ଆରମ୍ଭ କରିଥିଲେ ଏବଂ ୧୯୫୨ ଯାଏଁ ଏହାର ସମ୍ପାଦକ ଥିଲେ । ସହକାର ଲେଖକ ଓ ସାହିତ୍ୟିକ ସୃଷ୍ଟିରେ ଏହା ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା । ଶିଶୁମାନଙ୍କ ପାଇଁ ମଧ୍ୟ ସେ ଲେଖନୀ ଚାଳନା କରୁଥିଲେ ।
୧୯୫୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ।

ରାଧାନାଥ ରଥ

ଓଡ଼ିଶାର ସାମ୍ବାଦିକତା, ସମାଜସେବା ଏବଂ ରାଜନୀତି ଜଗତରେ ଜଣେ ସୁପରିଚିତ ବ୍ୟକ୍ତିତ୍ୱ ହେଉଛନ୍ତି ରାଧାନାଥ ରଥ । ଦୀର୍ଘ ଛଅ ଦଶନ୍ଧିରୁ ଊଦ୍ଧ୍ୱର୍ କାଳ ଧରି ସମାଜର ସମ୍ପାଦକ ଭାବେ ସେ ଓଡିଆ ସାମ୍ବାଦିକତାକୁ ଏକ ନୂଆ ପରିଚୟ ଦେଇଥିଲେ । ଖବରକାଗଜକୁ ଜନସାଧାରଣଙ୍କ ସ୍ୱରରେ ପରିଣତ କରିବାରେ ତାଙ୍କର ଅବଦାନ ପାଇଁ ଓଡିଆ ସାମ୍ବାଦିକତାର ଇତିହାସରେ ସେ ଅମର ହୋଇ ରହିବେ ।
୧୮୯୬ ମସିହା ଡିସେମ୍ବର ୭ରେ ରାଧାନାଥ ରଥଙ୍କର ଜନ୍ମ । ଶିକ୍ଷା, ସେବା ଓ ସାହିତ୍ୟ ପ୍ରତି ପିଲାଦିନରୁ ତାଙ୍କର ଆଗ୍ରହ ରହିଥିଲା । ୧୯୧୬ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲରୁ ସେ ମାଟ୍ରିକ ପାସ କଲେ । ସିଂହଭୂମ ଜିଲ୍ଲାରେ ଜଙ୍ଗଲ ବିଭାଗର ଜଣେ କିରାଣୀ ଭାବେ ତାଙ୍କର ଚାକିରି ଜୀବନ ଆରମ୍ଭ କଲେ । ଏହି ସମୟରେ ସେ ଗୋପବନ୍ଧୁଙ୍କ ସଂସ୍ପର୍ଶରେ ଆସିଥିଲେ । ଗୋପବନ୍ଧୁଙ୍କ କଥାରେ ସେ ୧୯୧୯ରେ ସରକାରୀ ଚାକିରି ଛାଡ଼ି ସତ୍ୟବାଦୀ ପ୍ରେସରେ ମ୍ୟାନେଜର ଭାବେ ଯୋଗଦେଲେ । ସାମ୍ବାଦିକତାରେ ତାଙ୍କର ପ୍ରବେଶ ସମାଜ ସାପ୍ତାହିକୀର ସହକାରୀ ସମ୍ପାଦକ ଭାବେ । ସମାଜ ସାପ୍ତାହିକୀର ପରିଚାଳନା ଦାୟିତ୍ୱ ମଧ୍ୟ କ୍ରମଶଃ ତାଙ୍କରି ଉପରେ ନ୍ୟସ୍ତ ହୋଇଥିଲା ।
୧୯୨୮ରେ ଗୋପବନ୍ଧୁଙ୍କ ଦେହାନ୍ତ ପରେ ଅଳ୍ପଦିନ ପାଇଁ ପଣ୍ଡିତ ନୀଳକଣ୍ଠ ଦାସ ସମାଜର ସମ୍ପାଦକ ହୋଇଥିଲେ । ତା’ପରେ ଲିଙ୍ଗରାଜ ମିଶ୍ର ସମାଜର ସମ୍ପାଦକ ଭାବରେ କାର୍ଯ୍ୟ କଲେ । ୧୯୩୦ରେ ସମାଜ ଦୈନିକ ହେଲା । ସମାଜର ସମ୍ପାଦନା କାର୍ଯ୍ୟ ଓ ପରିଚାଳନାରେ ରାଧାନାଥ ରଥ କ୍ରମଶଃ ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କଲେ ।
୧୯୪୦ଦଶକରେ ସେ କଲିକତାରୁ ପ୍ରକାଶିତ ଇଂରାଜୀ ଦୈନିକ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ ସହ ଘନିଷ୍ଠ ସମ୍ପର୍କରେ ଥିଲେ । କିଛି କାଳ ପାଇଁ ସେ ଏହାର କଟକ ପ୍ରତିନିଧି ମଧ୍ୟ ଥିଲେ ।
୧୯୪୨ ମସିହାରେ ଭାରତଛାଡ ଆନେ୍ଦାଳନବେଳେ ଦେଶପ୍ରେମୀଙ୍କ ଉପରେ ହେଉଥିବା ନିର୍ଯାତନା ସମ୍ପର୍କିତ ସମ୍ବାଦ ପ୍ରକାଶ କରିବାରେ ସମାଜ ସେ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିରୁ ନିବୃତ୍ତ ରହିବା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମାଜକୁ ଜଣାଇ ଦିଆଯିବା ପରେ ମଧ୍ୟ ରାଧାନାଥ ରଥ ଏଥିପ୍ରତି ଭ୍ରୂକ୍ଷେପ କରିନଥିଲେ । ଫଳସ୍ୱରୂପ ତାଙ୍କୁ ଗିରଫ କରାଯାଇଥିଲା । ମାତ୍ର ନିର୍ଭୀକତାର ସେ ଯେଉଁ ପରିଚୟ ଦେଇଥିଲେ , ତାହା ଆଜି ମଧ୍ୟ ଆଦର୍ଶ ହୋଇ ରହିଛି ।
ସେ ସମୟର ଅନ୍ୟାନ୍ୟ ଅନେକ ଗଣମାଧ୍ୟମ କର୍ମୀଙ୍କ ଭଳି ରାଧାନାଥ ରଥ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ଦୁଇବର୍ଷ ପାଇଁ କାରାବରଣ କରିଥିଲେ ।
୧୯୪୬ ମସିହା ଏପ୍ରିଲ ମାସରେ ରାଧାନାଥ ରଥ ସମାଜର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଥମରୁ ହିଁ ସମାଜକୁ ଆକର୍ଷଣୀୟ କରିବା ପାଇଁ ରାଧାନାଥ ରଥ ଉଦ୍ୟମ କରୁଥାଆନ୍ତି । ସମାଜର ଆର୍ଥିକ ଅବସ୍ଥା ବିଶେଷ ସ୍ୱଛଳ ନଥାଏ । ବନ୍ୟା, ମରୁଡ଼ି ପ୍ରପୀଡ଼ିତ ଓଡିଶାର ଜନସାଧାରଣଙ୍କୁ ଅଳ୍ପମୂଲ୍ୟରେ ସମାଜ ଯୋଗାଇଦେବା ପାଇଁ ଉକ୍ରଳମଣିଙ୍କ ଉଦେ୍ଦଶ୍ୟ ଥିଲା । ଏହା ଏକ ଲାଭଦାୟକ ଅନୁଷ୍ଠାନ ନ ହୋଇ ଲୋକସେବା ସଂସ୍ଥା ରୂପେ ଯେପରି କାର୍ଯ୍ୟ କରିବ, ସେଥିପ୍ରତି ରାଧାନାଥ ରଥ ଦୃଷ୍ଟି ଦେଇଥିଲେ । ଓଡ଼ିଶାର ଗଡ଼ଜାତ ଆନ୍ଦୋଳନ ସହ ସେ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ନଥିଲେ ମଧ୍ୟ ଏହାର ସବୁ ଖବର ରଖୁଥିଲେ ଓ ପ୍ରଜାମାନଙ୍କୁ ଉତ୍ସାହିତ କରିବାଭଳି ଲେଖା ସମାଜରେ ପ୍ରକାଶ କରିଥିଲେ ।
ରାଜନୀତିରେ ମଧ୍ୟ ସେ ସକ୍ରିୟ ଥିଲେ । ପାଞ୍ଚଥର ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୫୨ରୁ ୧୯୫୭ ଯାଏଁ ସେ ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଥିଲେ । ୧୯୫୯ରୁ ୧୯୬୧ ଯାଏଁ ସେ ହରେକୃଷ୍ଣ ମହତାବ ମନ୍ତ୍ରିମଣ୍ଡଳରେ ଜଙ୍ଗଲ ଓ ପରିବେଶ ଏବଂ କୃଷି ମନ୍ତ୍ରୀ ଥିଲେ । ପଶୁସମ୍ପଦ, ସମନ୍ୱୟ ଏବଂ ସ୍ୱାସ୍ଥ୍ୟବିଭାଗର ଦାୟିତ୍ୱ ମଧ୍ୟ ତାଙ୍କ ପାଖରେ ଥିଲା । ୧୯୬୨ରେ ନିର୍ବାଚନରେ ସେ ପ୍ରାର୍ଥୀ ହେଲେନାହିଁ । ସମାଜକୁ ଫେରିଆସି ପୂର୍ବଭଳି ସମ୍ପାଦକ ଦାୟିତ୍ୱ ତୁଲାଇଲେ ।
ବିଭିନ୍ନ ଦାୟିତ୍ୱରେ ରହିଥିଲେ ମଧ୍ୟ ସେ ନିୟମିତ ଭାବେ ଲେଖନୀ ଚାଳନା କରୁଥିଲେ । ସମାଜରେ ନିୟମିତ ସମ୍ପାଦକୀୟ ଲେଖିବା ଛଡ଼ା ରବିବାର ସମାଜରେ ଝିଟିପିଟି କହେ ସ୍ତମ୍ଭ ଲେଖୁଥିଲେ । ରାଧାନାଥ ରଥଙ୍କର ସାହିତ୍ୟର ବିଭିନ୍ନ ବିଭବ ଉପରେ ଦକ୍ଷତା ଥିଲା । ଗଦ୍ୟ ସହ ପଦ୍ୟରେ ମଧ୍ୟ ତାଙ୍କର ପ୍ରବେଶ ଥିଲା । ତାଙ୍କ ଲିଖିତ କବିତା ଗାଁ ମାଟି ଏହାର ଉଦାହରଣ । ସତ୍ୟସନ୍ଧ ନାମରେ ତାଙ୍କର ଏହି ଗଦ୍ୟକୃତି ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି । ବ୍ରହ୍ମପୁର ଜେଲରେ ଥିଲାବେଳେ ତାଙ୍କ ଜୀବନର ଅନୁଭୂତିକୁ ସେ ଅତି ସାବଲୀଳ ଭାଷାରେ ଲିପିବଦ୍ଧ କରିଛନ୍ତି । ମୋ ଜେଲ ସ୍ମୃତିଲିପି ଶୀର୍ଷକରେ ଏହାର ବହୁଅଂଶ ରବିବାର ସମାଜରେ ପ୍ରକାଶିତ ହୋଇଥିଲା ।
୧୯୯୩ ମସିହା ଉକ୍ରଳ ସାହିତ୍ୟ ସମାଜ ଦ୍ୱାରା ସେ ଉତ୍କଳ ରତ୍ନ ଉପାଧିରେ ଭୂଷିତ । ଭାରତ ସରକାର ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।
୧୯୯୮ ମସିହା ଫେବୃଆରୀ ୧୧-୧୨ ତାରିଖ ରାତିରେ କଟକରେ ରାଧାନାଥ ରଥଙ୍କର ମୃତ୍ୟୁ ହୋଇଥିଲା ।

ଡଃ ହରେକୃଷ୍ଣ ମହତାବ

ଡ. ହରେକୃଷ୍ଣ ମହତାବ । ଏକାଧାରରେ ଜଣେ ରାଜନେତା, ସାରସ୍ୱତ ସାଧକ ଓ ସୁସଙ୍ଗଠକ ଥିଲେ । ବିଭିନ୍ନ ସମ୍ବାଦ ପତ୍ରପତ୍ରିକା ପ୍ରକାଶ କରିବା ସଙ୍ଗେ ସଙ୍ଗେ ସାମ୍ବାଦିକତା ବୃତ୍ତିକୁ ପ୍ରୋତ୍ସାହନ ଦେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।
୧୯୨୩ରେ ସେ ବାଲେଶ୍ୱରରୁ ସାପ୍ତାହିକ ଭାବେ ‘ପ୍ରଜାତନ୍ତ୍ର’ ପ୍ରକାଶ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଓଡ଼ିଶାର ଏକ ପ୍ରମୁଖ ଦୈନିକ ଖବରକାଗଜର ପ୍ରତିଷ୍ଠା ପାଇଥିଲା ।
୧୮୯୯ ମସିହାରେ ବାଲେଶ୍ୱରର ଅଗରପଡ଼ାରେ ତାଙ୍କର ଜନ୍ମ । ୧୯୧୬ ମସିହାରେ ମ୍ୟାଟ୍ରିକ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ରେଭେନ୍ସା କଲେଜରେ ନାମ ଲେଖାଇ ଆଇ.ଏ ଏବଂ ବି.ଏ ପାଠ ଶେଷ କରିଥିଲେ । ସେ ସମୟରେ ମହତାବ ନବକୃଷ୍ଣ ଚୌଧୁରୀଙ୍କ ସହ ମିଶି ‘ମଳୟ’ ନାମକ ଏକ ହାତଲେଖା ପତ୍ରିକା ପ୍ରକାଶ କରୁଥିଲେ । ଡଷ୍ଟବିନ ନାମକ ଇଂରାଜୀ ପତ୍ରିକା ମଧ୍ୟ ତାଙ୍କ ଉଦ୍ୟମରୁ ପ୍ରକାଶିତ ହୋଇଥିଲା । ପରେ ବି.ଏ ପଢ଼ିବା ସମୟରେ ଉକ୍ରଳଦୀପିକାରେ ନିୟମିତ ଭାବେ ଲେଖାଲେଖି କରୁଥିଲେ । ଏହି ସମୟରେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଏଥିପାଇଁ ତାଙ୍କୁ ବହୁବାର କାରାବରଣ କରିବାକୁ ପଡିଥିଲା । ସେ ଗାନ୍ଧୀଙ୍କ ବିଚାରଧାରାରେ ବିଶେଷଭାବେ ପ୍ରଭାବିତ ହୋଇଥିଲେ । ବାଲେଶ୍ୱରରେ ସ୍ୱରାଜ ମନ୍ଦିର ନାମକ ଅନୁଷ୍ଠାନ ଗଠନ କରି ସେଠାରୁ ସ୍ୱରାଜ ସମାଚାର ପ୍ରକାଶ କରିଥିଲେ ।
୧୯୨୩ ମସିହା ଅକ୍ଟୋବର ୨ରେ ହରେକୃଷ୍ଣ ମହତାବ ପ୍ରକାଶ କରିଥିଲେ ‘ପ୍ରଜାତନ୍ତ୍ର’ । ଏହା ପ୍ରଥମେ ଏକ ସାପ୍ତାହିକ ଭାବେ ବାଲେଶ୍ୱରରୁ ପ୍ରକାଶ ପାଇଥିଲା । ୧୯୩୦ ଡିସେମ୍ବର ୨୮ରେ ବ୍ରିଟିଶ ସରକାରଙ୍କ ପ୍ରେସ ଅଧ୍ୟାଦେଶ (ପ୍ରେସ ଅର୍ଡିନାନ୍ସ) ବିରୋଧରେ ଏହା ନିଜର ପ୍ରକାଶନ ବନ୍ଦ କରିଥିଲା । ହରେକୃଷ୍ଣ ମହତାବଙ୍କ ତତ୍ତ୍ୱାବଧାନରେ ୧୯୪୭ ଅଗଷ୍ଟ ୮ ତାରିଖ ଦିନ ଏହା ପୁଣି ଥରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହୋଇଥିଲା । ଗାଁ ଗହଳିର ବିଭିନ୍ନ ସମସ୍ୟା ଉପରେ ମହତାବ ପ୍ରଜାତନ୍ତ୍ରରେ ଗାଁ ମଜଲିସ ଶିରୋନାମାରେ ଲେଖାମାନ ପ୍ରକାଶ କରିଥିଲେ । ତାହା ସେ ସମୟରେ ଖୁବ ଲୋକପ୍ରିୟତା ପାଇଥିଲା । ୧୯୮୧ ମସିହା ଏପ୍ରିଲ ୧୬ ତାରିଖରେ ମହତାବ ସମ୍ବଲପୁରରୁ ‘ହୀରାଖଣ୍ଡ’ ସମ୍ବାଦପତ୍ର ପ୍ରକାଶନ କରିଥିଲେ । ଓଡ଼ିଆ ଭାଷାରେ ଖଣ୍ଡିଏ ଭଲ ସାହିତ୍ୟ ପତ୍ରିକାର ଆବଶ୍ୟକତା ଅନୁଭବ କରି ସେ ‘ଝଙ୍କାର’ ନାମକ ଏକ ମାସିକ ସାହିତ୍ୟ ପତ୍ରିକାର ପ୍ରକାଶନ କରିଥିଲେ । ସେ ଶିଶୁପତ୍ରିକା ‘ମୀନାବଜାର’ ଓ ଇରାଜୀ ଦୈନିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ର ପ୍ରତିଷ୍ଠାତା ଥିଲେ ।
ରାଜନୀତି କ୍ଷେତ୍ରରେ ସେ ଜଣେ ଧୂରୀଣ ଓ ସଫଳ ବ୍ୟକ୍ତିତ୍ୱ ଥିଲେ । ସେ ଦୁଇଥର ଓଡିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ସେ ଓଡ଼ିଶାର ଶାସନଭାର ସମ୍ଭାଳିଥିଲେ । ସେ ୧୯୬୨ରୁ ୧୯୬୭ ପର୍ଯ୍ୟନ୍ତ ଲୋକସଭାର ସଭ୍ୟ ଥିଲେ । ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି, ପ୍ରଥମ ଓଡିଆ କେନ୍ଦ୍ରମନ୍ତ୍ରୀ, ଅବିଭକ୍ତ ବମ୍ବେ ରାଜ୍ୟର ରାଜ୍ୟପାଳ, କଂଗ୍ରେସ ସଂସଦୀୟ ଦଳର ଉପନେତା ଥିଲେ । ତାଙ୍କ ଦ୍ୱାରା ଓଡିଶାର ରାଜଧାନୀ କଟକରୁ ସ୍ଥାନାନ୍ତରିତ ହୋଇ ଭୁବନେଶ୍ୱର ହୋଇଥିଲା । ତାଙ୍କ ସମୟରେ ହିଁ ହୀରାକୁଦ ବନ୍ଧ ପ୍ରତିଷ୍ଠା ହୋଇଥିଲା, ନୂତନ ସଚିବାଳୟ, ରାଜ୍ୟ ସଂଗ୍ରହାଳୟ, ଲଳିତକଳା ଏକାଡେମୀ, ରବିନ୍ଦ୍ର ମଣ୍ଡପ, କଟକର ଧାନ ଗବେଷଣା କେନ୍ଦ୍ର ଆଦି ସ୍ଥାପିତ ହୋଇଥିଲା ।
ସେ ଜଣେ ସୁଲେଖକ ମଧ୍ୟ ଥିଲେ । ସେ ନୂତନ ଧର୍ମ, ପ୍ରତିଭା, ଅବ୍ୟାପାର, ଟାଉଟର, ତୃତୀୟ ପର୍ବ ଆଦି ଉପନ୍ୟାସ ରଚନା କରିଛନ୍ତି ।
୧୯୮୩ ମସିହାରେ ଗାଁ ମଜଲିସ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଆନ୍ଧ୍ର ବିଶ୍ୱବିଦ୍ୟାଳୟ ତରଫରୁ ଡିଲିଟ ସମ୍ମାନ ପ୍ରଦାନ କରାଯାଇଛି ।
୧୯୮୭ ମସିହା ଜାନୁଆରୀ ୨ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆର୍.ପି.ଶାସ୍ତ୍ରୀ

ତାଙ୍କର ପୁରା ନାଁ ରଘୁନାଥ ପଡି ଶାସ୍ତ୍ରୀ । ହେଲେ ଆର୍. ପି ଶାସ୍ତ୍ରୀ ନାଁରେ ସେ ଅଧିକ ପରିଚିତ । ଓଡ଼ିଶାର ଗଣମାଧ୍ୟମ ଜଗତରେ ଦୀର୍ଘବର୍ଷ ଧରି ସକ୍ରିୟ ଥିଲେ ଶ୍ରୀ ଶାସ୍ତ୍ରୀ ।
୧୯ସେପ୍ଟେମ୍ବର ୧୯୧୮ ମସିହାରେ ଗଞ୍ଜାମ ଜିଲ୍ଲାର ବରଗଡ଼ ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ ।
ଦୀର୍ଘ ୭୩ ବର୍ଷ ସେ ସାମ୍ବାଦିକତା ପେସାରେ ଜଡ଼ିତ ଥିଲେ । ଉଭୟ ଓଡିଆ ଏବଂ ଇଂରାଜୀ ଖବରକାଗଜରେ ସେ କାର୍ଯ୍ୟ କରିଥିଲେ । ନୁ୍ୟ ଓଡିଶା, ଇଷ୍ଟର୍ଣ୍ଣ ଟାଇମ୍ସ, ଦୈନିକ ଆଶା, ପ୍ରଜାତନ୍ତ୍ର ଇତ୍ୟାଦି ଖବରକାଗଜରେ ସେ କାର୍ଯ୍ୟ କରିଥିଲେ । ୧୯୬୫ ମସିହାରେ ସେ ପ୍ରଥମ କରି ଓଡିଶାରୁ ଦ୍ୱି-ଭାଷୀୟ ଖବରକାଗଜ ‘ଓଡିଶା ଟାଇମ୍ସ’ ପ୍ରକାଶିତ କରିଥିଲେ । ତାଙ୍କର ଆଇନ ସମ୍ବନ୍ଧୀୟ ଯଥେଷ୍ଟ ଜ୍ଞାନ ଥିଲା, ଯେଉଁଥିପାଇଁ ସେ ଓଡିଶା ହାଇକୋର୍ଟର ପ୍ରେସ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ଶିକ୍ଷାଲାଭ କରୁଥିବା ସମୟରେ ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ନିଜର ଘନିଷ୍ଠ ବନ୍ଧୁ ଜାତୀୟ କବି ବୀରକିଶୋର ଦାସଙ୍କ ସହ ମିଶି ପୁରୀ ଓ କଟକରେ ମହାତ୍ମାଗାନ୍ଧୀ ଓ ସୁଭାଷ ବୋଷଙ୍କ ସଭାକୁ ସଫଳ କରାଇ ଥିଲେ । ସେ ଜଣେ ବରିଷ୍ଠ ଶ୍ରମିକ ସଂଘ ନେତା ଥିଲେ । ସେ ଇଣ୍ଡିଆନ ଫେଡେରେସନ ଅଫ ୱାର୍କିଂ ଜର୍ଣ୍ଣାଲିଷ୍ଟର ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ମଧ୍ୟ ଥିଲେ ।
ଏହି ବରିଷ୍ଠ ସାମ୍ବାଦିକ ରଘୁନାଥ ପଡି ଶାସ୍ତ୍ରୀଙ୍କ ବ୍ରେନ ହାମରେଜରେ ୯୪ବର୍ଷ ବୟସରେ ଅକ୍ଟୋବର ୧୮, ୨୦୧୧ରେ ମୃତ୍ୟୁ ହୋଇଥିଲା ।

ସୁରେନ୍ଦ୍ର ମହାନ୍ତି

ସୁରେନ୍ଦ୍ର ମହାନ୍ତି ଏକାଧାରରେ ଜଣେ ସାହିତି୍ୟକ, ସାମ୍ବାଦିକ ଓ ରାଜନୀତିଜ୍ଞ । ଓଡିଆ ଭାଷା ସାହିତ୍ୟର ସେ ଥିଲେ ଅଦ୍ୱିତୀୟ କଥାକାର । ଜଣେ ସୁସମ୍ପାଦକ ଭାବେ ଓଡ଼ିଆ ସାମ୍ବାଦିକତାର ଇତିହାସ ତାଙ୍କୁ ମନେରଖିବ ।
୧୯୨୨ ମସିହାରେ କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ତାଙ୍କର ଜନ୍ମ ।
ଓଡ଼ିଆ କଥା ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ । ଜୀବନୀ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ନାଟକରେ ଲେଖକ ଭାବରେ ତାଙ୍କର ଅବଦାନ ଅବିସ୍ମରଣୀୟ । ତାଙ୍କ ସ୍ମରଣୀୟ ସାହିତ୍ୟ କୃତିରୁ କୃଷ୍ଣଚୁଡା, ରୁଟି ଓ ଚନ୍ଦ୍ର, ମହାନଗରୀର ରାତ୍ରି, ମରାଳର ମୃତ୍ୟୁ , ମହାନିର୍ବାଣ, ନବଦିଗନ୍ତ, ନେତି ନେତି, ଓଡ଼ିଆ ସାହିତ୍ୟର ଆଦି ପର୍ବ ଓ ମଧ୍ୟ ପର୍ବ, କାଲାକାଟୀ, ନର୍ତ୍ତକୀ, ପେକିଂ ଡାଏରୀ ଉଲ୍ଲେଖଯୋଗ୍ୟ । ତାଙ୍କ ରଚିତ ଉପନ୍ୟାସ ନୀଳଶୈଳ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା । ଶତାବ୍ଦୀର ସୂର୍ଯ୍ୟ ପାଇଁ ତାଙ୍କୁ ସାରଳା ପୁରସ୍କାର ମିଳିଥିଲା ।
ସମ୍ପାଦକ ଭାବେ ସେ ପ୍ରଥମେ କଳିଙ୍ଗ ଖବରକାଗଜର ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ଏ କାଗଜଟି ବେଶୀ ଦିନ ବଞ୍ଚିପାରିନଥିଲା । ସେ ପ୍ରଜାତନ୍ତ୍ର ଖବରକାଗଜ ସହିତ ମଧ୍ୟ କିଛିଦିନ ଜଡ଼ିତ ଥିଲେ । ୧୯୮୪ରେ ସମ୍ବାଦ ଆରମ୍ଭ ହେଲା । ସୁରେନ୍ଦ୍ର ମହାନ୍ତି ଏହାର ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ । ପରେ ସେ ଏହାର ମୁଖ୍ୟ ସମ୍ପାଦକ ହେଲେ ।
ସୁରେନ୍ଦ୍ର ମହାନ୍ତି ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ରାଜ୍ୟସଭା ଓ ଲୋକସଭାର ସଦସ୍ୟ ଥିଲେ । ତେବେ ୧୯୮୪ରେ ସମ୍ବାଦର ସମ୍ପାଦନା ଦାୟିତ୍ୱ ନେବା ପରଠାରୁ ସକ୍ରିୟ ରାଜନୀତିରେ ସେ ଆଉ ନଥିଲେ ।
ସେ ୧୯୮୧ରୁ ୧୯୮୭ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ଅଳଙ୍କୃତ କରିଥିଲେ ।
୧୯୯୦ ମସିହା ଡିସେମ୍ବର ୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବିଚିତ୍ରାନନ୍ଦ କର

ଓଡ଼ିଶାରେ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ବିଚିତ୍ରାନନ୍ଦ କରଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କାରଣ ନିର୍ଭୀକ ସମ୍ପାଦକ ଏବଂ ସୁସଙ୍ଗଠକ ଭାବେ ପରିଚିତ ଥିଲେ ।
୧୯୨୯ ମସିହା ଅକ୍ଟୋବର ୯ ତାରିଖରେ କଟକ ଜିଲ୍ଲାର ସାଲେପୁରରେ ଜନ୍ମଗ୍ରହଣ କରିଥିଲେ ବିଚିତ୍ରାନନ୍ଦ କର । ସେ ଥିଲେ ବିଶିଷ୍ଟ ସାହିତି୍ୟକ ତଥା ବାଳକୃଷ୍ଣ କରଙ୍କ ସୁପୁତ୍ର । ବାଳକୃଷ୍ଣ କର ମାତୃଭୂମି ସମ୍ବାଦପତ୍ରର ପ୍ରତିଷ୍ଠାତା ଥିଲେ ।
କଟକର ପ୍ୟାରୀମୋହନ ଏକାଡେମୀ ସ୍କୁଲରେ ଅଧ୍ୟୟନ କରି ସେ ସେଠାରୁ ଦଶମ ପାଶ କରିଥିଲେ । ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସାହିତ୍ୟ ସାଧନାରେ ମନୋନିବେଶ କରିଥିଲେ । ୧୯୫୧ ମସିହାରେ ସେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଏମ.ଏ ପାସ କରିବା ପରେ ମାତୃଭୂମିର ସହ-ସମ୍ପାଦକ ଭାବରେ ଯୋଗ ଦେଇଥିଲେ । ପରେ ଏହାର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ନିର୍ଭୀକ ଓ ନିରପେକ୍ଷ ଲେଖନୀ ପାଇଁ ସେ ସାମ୍ବାଦିକତା ଜଗତରେ ଜଣାଶୁଣା । ବିଭିନ୍ନ କାରଣରୁ ମାତୃଭୂମିର ପ୍ରକାଶନ ବନ୍ଦ ହେବାପରେ ସେ ମାତୃଭାଷା ନାମକ ଖବରକାଗଜ ପ୍ରତିଷ୍ଠା କରିଥିଲେ । ସେ ମାସିକ ସାହିତ୍ୟ ପତ୍ରିକା ସହକାରେ ସମ୍ପାଦନା ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।
ବିଚିତ୍ରାନନ୍ଦ କର ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଉକ୍ରଳ ସାହିତ୍ୟ ସମାଜ ସହିତ ନିବିଡ ଭାବେ ସମ୍ପୃକ୍ତ ଥିଲେ ଓ ଏହାର ସଭାପତି ପଦ ଗ୍ରହଣ କରିଥିଲେ । ସେ ଅନେକ ସାହିତି୍ୟକ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ସମ୍ପୃକ୍ତ ଥିଲେ । ୧୯୮୭ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଚିନ୍ତାମଣି ମହାପାତ୍ର

ପ୍ରଫେସର ଚିନ୍ତାମଣି ମହାପାତ୍ର ଓଡ଼ିଶାରେ ସାମ୍ବାଦିକତା ଶିକ୍ଷାର ଜନକ ରୂପେ ପରିଚିତ । ସାମ୍ବାଦିକତାର ଅଧ୍ୟାପକ ଛଡ଼ା ଜଣେ ସାମ୍ବାଦିକ, ଥିଓସଫିକାଲ ସୋସାଇଟିର ସକ୍ରିୟ ସଦସ୍ୟ ଭାବେ ସେ ସୁପରିଚିତ ଥିଲେ ।
୧୯୩୦ ମସିହା ଅଗଷ୍ଟ ୫ତାରିଖରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ତାଙ୍କର ଜନ୍ମ । ସେ ୧୯୫୦ ମସିହାରେ ରେଭେନ୍ସା କଲେଜରୁ ସ୍ମାତକ ପାସ କରିଥିଲେ ଏବଂ ୧୯୫୨ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ମାତକୋତ୍ତର ପାସ କରିଥିଲେ ।
ଉଭୟ ମୁଖ୍ୟସ୍ରୋତ ସାମ୍ବାଦିକତା ଓ ସାମ୍ବାଦିକତା ଶିକ୍ଷାଜଗତରେ ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ୧୯୫୩ରେ ବମ୍ବେର ଫ୍ରି ପ୍ରେସ ଜର୍ଣ୍ଣାଲରୁ ସେ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ୧୯୫୪ରୁ ୧୯୬୭ ପର୍ଯ୍ୟନ୍ତ ସେ ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା କଟକରୁ ପ୍ରକାଶିତ ଇଂରାଜୀ ଦୈନିକ ଖବରକାଗଜ ଇଷ୍ଟର୍ଣ୍ଣ ଟାଇମ୍ସ ପାଇଁ କାର୍ଯ୍ୟ କରିଥିଲେ । ୧୯୬୭ରୁ ୧୯୭୪ ପର୍ଯ୍ୟନ୍ତ ସେ ଏକ ମାସିକିଆ ସମ୍ବାଦପତ୍ରିକା ‘ବିବରଣୀ’ର ସମ୍ପାଦନା କାମ କରିଥିଲେ । ୧୯୬୮ରୁ ୧୯୭୧ ପର୍ଯ୍ୟନ୍ତ ସେ ସ୍ୱରାଜ୍ୟରେ ବାର୍ତ୍ତା ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୭୧ରୁ ୧୯୭୪ ପର୍ଯ୍ୟନ୍ତ ସେ କଲିକତା ସ୍ଥିତ ୟୁନାଇଟେଡ ଷ୍ଟେଟସ୍ ଇନଫରମେସନ ସର୍ଭିସ (ୟୁଏସଆଇଏସ)ରେ ଜଣେ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।
୧୯୭୪ରୁ ୧୯୯୦ ପର୍ଯ୍ୟନ୍ତ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ-ଯୋଗାଯୋଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶାରେ ସାମ୍ବାଦିକତା କାର୍ଯ୍ୟକ୍ରମ ସର୍ବପ୍ରଥମେ ୧୯୭୪ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିଲା ଏବଂ ଏହା ପଛରେ ଚିନ୍ତାମଣି ମହାପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ମଧ୍ୟ ଶିକ୍ଷାଦାନ ପାଇଁ ଯାଇଥିଲେ । ୧୯୯୧ରୁ ୯୨ ପର୍ଯ୍ୟନ୍ତ ସେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳଙ୍କର ପ୍ରେସ ପରାମର୍ଶଦାତା ହିସାବରେ କାର୍ଯ୍ୟ କରିଥିଲେ । ୧୯୯୪ରୁ ୨୦୦୨ ପର୍ଯ୍ୟନ୍ତ ସେ ଇନଷ୍ଟିଚୁ୍ୟଟ ଅଫ ମିଡିଆ ଷ୍ଟଡିଜ୍ (ଆଇଏମଏସ)ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ସେ ବାଣୀବିହାରର ସାମ୍ବାଦିକତା ପାଠ୍ୟକ୍ରମ ବୋର୍ଡର ଚେୟାରମ୍ୟାନ ଥିଲେ ।
ଲୋକସମ୍ପର୍କ ଏବଂ ଗଣଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୯୩ରେ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଚିନ୍ତାମଣି ମହାପାତ୍ରଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।
ସେ ଅନେକ ଇଂରାଜୀ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଯେପରିକି ଚାର୍ଲସ ୱେବଷ୍ଟାରଙ୍କ ଲାଇଫ ଆଫ୍ଟର ଡେଥ୍ (ମୃତୁ୍ୟ ପରେ ଜୀବନ), ଆନିଡ୍ନେ୍ ଓ ଚାର୍ଲସ ୱେବଷ୍ଟାର ଲିଡବିଟରଙ୍କ ଆଟ ଦି ଫିଟ ଅଫ ମାଷ୍ଟର (ଶ୍ରୀ ଗୁରୁ ଚରଣେ), ଚାର୍ଲସ ଡିକେନ୍ସଙ୍କ ଏ ଟେଲ ଅଫ ଟୁ ସିଟିସ୍ (ଦୁଇଟି ନଗରୀର କାହାଣୀ), ଏଚ ପି ବ୍ଲାଭାଚସ୍କିଙ୍କ ଦି ସେଭେନ ପ୍ରିନ୍ସିପାଲ ଅଫ ଦି ମ୍ୟାନ (ମନୁଷ୍ୟର ସପ୍ତ ଶରୀର), ଇତ୍ୟାଦି ।
୨୦୦୨ ଅକ୍ଟୋବର ୨୯ ତାରିଖରେ ଆଇ.ଆଇ.ଏମ.ସି ଢେଙ୍କାନାଳରେ ଶିକ୍ଷାଦାନ କରିବା ସମୟରେ ହୃଦଘାତ ଯୋଗୁଁ ତାଙ୍କର ମୃତୁ୍ୟ ହୋଇଥିଲା ।

ଶ୍ରୀହର୍ଷ ମିଶ୍ର

ଓଡିଆ ସାମ୍ବାଦିକତାକୁ ନୂଆ ଦିଶା ଦେବାରେ ଏବଂ ତାକୁ ପେସା ଭାବେ ଗଢ଼ି ତୋଳିବାରେ ଶ୍ରୀହର୍ଷ ମିଶ୍ରଙ୍କ ଯଥେଷ୍ଟ ଅବଦାନ ରହିଛି । ଅନେକ ଖବରକାଗଜ ସହ ସେ ଜଡିତ ଥିଲେ ଏବଂ ସେ ସବୁକୁ ବିକାଶ ପଥରେ ଆଗେଇ ନେଇଥିଲେ ।
ଶ୍ରୀହର୍ଷ ମିଶ୍ରଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାରେ । ଛାତ୍ରାବସ୍ଥାରୁ ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ । ସୁବାଷ ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଫରୱାଡ଼ର୍୍ ବ୍ଲକ୍ରେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ହୁମ୍ମା ନିକଟରେ ଜାତୀୟତା ଆନ୍ଦୋଳନ ସମୟରେ ସେ ଏକ ବେତାର କେନ୍ଦ୍ର ସ୍ଥାପନ କରିଥିଲେ । ଫଳରେ ଓଡିଶାର ସମସ୍ତ ତଥ୍ୟ ଓ ଆଗାମୀ ଦିନରେ କାର୍ଯ୍ୟପନ୍ଥା ସମ୍ପର୍କରେ ସେ ମୁଖ୍ୟାଳୟ ସହ ସମ୍ପର୍କ ସ୍ଥାପନ କରି ପାରୁଥିଲେ । ସ୍ୱାଧୀନତା ଆନେ୍ଦାଳନ ପାଇଁ ଜେଲ ଯାଇଥିବା ଶ୍ରୀହର୍ଷ ମିଶ୍ର ୧୯୩୮ ମସିହାରେ ଜେଲରୁ ଖଲାସ ହୋଇଥିଲେ ।
ପରେ ତାଙ୍କର ଦେଖା ହୋଇଥିଲା ଦୈନିକ ଆଶାର ସମ୍ପାଦକ ଶଶୀଭୂଷଣ ରଥଙ୍କ ସହିତ । ଶଶୀଭୂଷଣ ତାଙ୍କୁ ନେଇ ଯାଇଥିଲେ ଆଶା କାର୍ଯ୍ୟାଳୟ । ସେଠାରେ ମୂଳଦୁଆ ପଡ଼ିଥିଲା ତାଙ୍କ ସାମ୍ବାଦିକ ଜୀବନର । ସାମ୍ବାଦିକତା କର୍ମକ୍ଷେତ୍ରରେ ଉକ୍ରର୍ଷତା କାରଣରୁ ଦିନେ ସେ ଦୈନିକ ଆଶାର ସମ୍ପାଦନ ଦାୟିତ୍ୱ ଗ୍ରହଣ କରିଥିଲେ । ପୁଣି ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ଗିରଫ ହୋଇଥିଲେ । ୧୯୪୮ରେ ଲାଲା ଲାଜପତ ରାୟଙ୍କ ଆଦର୍ଶରେ ଗଠିତ ଲୋକସେବକ ମଣ୍ଡଳର ସଦସ୍ୟ ହେଲେ ଶ୍ରୀହର୍ଷ । ପରେ ୧୯୫୯ରୁ ୧୯୬୩ ପର୍ଯ୍ୟନ୍ତ ସମାଜର ସମ୍ପାଦକ ଭାବରେ ସେ କାର୍ଯ୍ୟ କରିଥିଲେ । ସେହି ସମୟରେ ଅନେକ ଦେଶ ଭ୍ରମଣ କରିଥିଲେ । ତାକୁ ଆଧାର କରି ଲେଖିଥିବା ପୁସ୍ତକ ପଶ୍ଚିମ ଦିଗନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ ପାଇଥିଲା । ବିଶ୍ୱବିଦ୍ୟାଳୟ ପାଠ୍ୟପୁସ୍ତକ ଭାବେ ମଧ୍ୟ ଏହା ସ୍ଥାନିତ ହୋଇଥିଲା । ପ୍ରଜାତନ୍ତ୍ରର ସମ୍ପାଦକ ଭାବେ ସେ ଦୀର୍ଘଦିନ କାର୍ଯ୍ୟ କରିଥିଲେ ।
ଅଶୀଦଶକ ଶେଷଆଡ଼କୁ ପୁଣି ଥରେ ଦୈନିକ ଆଶାକୁ ନୂଆ ଜୀବନ ଦେବାକୁ ପ୍ରୟାସ ହେଲା । ରାଜନେତା ତଥା ସମାଜସେବୀ ବୃନ୍ଦାବନ ନାୟକଙ୍କ ଏକ ଟ୍ରଷ୍ଟ ଏ ଦିଗରେ ବିଶେଷ ଉଦ୍ୟମ କରିଥିଲା । ୧୦ ଫେବୃଆରୀ ୧୯୮୨ରେ ପୁଣି ଥରେ ପ୍ରକାଶିତ ହେଲା ଦୈନିକ ଆଶା । ଶ୍ରହର୍ଷ ମିଶ୍ର ସେହିଦିନଠାରୁ ତାର ସମ୍ପାଦକ ଭାବେ ଦାୟିତ୍ୱ ନେଇଥିଲେ ।
ନିଜ ଜୀବନକାଳରେ ସେ ସଦାସର୍ବଦା ଲୋକଙ୍କ ସେବା ଦିଗରେ ବ୍ରତୀ ଥିଲେ । ସେ ଦିଗରେ ସାମ୍ବାଦିକତାକୁ ଆଗେଇ ନେଇଥିଲେ । ସାମ୍ବାଦିକତା ଯେମିତି ଲୋକଙ୍କ କଥା କହିବ ଓ ତାହା ପୁଣି ଲୋକଙ୍କ ଭାଷାରେ, ସେ ଦିଗରେ ସଦାପ୍ରୟାସୀ ଥିଲେ ଶ୍ରହର୍ଷ ।
୧୯୮୪ ଅପ୍ରେଲ ୮ରେ ତାଙ୍କର ପରଲୋକ ହୋଇଥିଲା ।

ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକ

ଓଡ଼ିଆ ସାହିତ୍ୟ ଓ ସମ୍ବାଦପତ୍ର ଇତିହାସରେ ବାଲେଶ୍ୱରର ଯେଉଁ ବ୍ୟକ୍ତିତ୍ୱମାନଙ୍କର ଅବଦାନ ରହିଛି, ସେଥିରୁ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକ ଅନ୍ୟତମ । ଯଦିଓ ତାଙ୍କର ଜନ୍ମ ବାଲେଶ୍ୱରରେ ହୋଇ ନଥିଲା, ତଥାପି କର୍ମକ୍ଷେତ୍ର ଭାବେ ସେ ବାଲେଶ୍ୱରକୁ ବାଛିଥିଲେ । ଫକୀରମୋହନ ସେନାପତି ଓ ଡ଼ଃ ହରେକୃଷ୍ଣ ମହତାବଙ୍କ ପରେ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକ ବାଲେଶ୍ୱର ସମ୍ବାଦପତ୍ର ଇତିହାସର ଜଣେ ଧୂରୀଣ ବ୍ୟକ୍ତିତ୍ୱ । ଫକୀର ମୋହନଙ୍କ ‘ସମ୍ବାଦ ବାହିକା’ ଓ ହରେକୃଷ୍ଣ ମହତାବଙ୍କ ‘ପ୍ରଜାତନ୍ତ୍ର’ ପରେ ଉପେନ୍ଦ୍ର ପ୍ରସାଦ ନାୟକ ବାଲେଶ୍ୱରରୁ ‘ରାଷ୍ଟ୍ରଦୂତ’ ଓ ‘କାଳାନ୍ତର’ ନାମକ ଦୁଇଟି ଦୈନିକ ସମ୍ବାଦପତ୍ର ପ୍ରକାଶ କରିଥିଲେ ।
୧୯୩୯ ମସିହା ଜାନୁଆରୀ ୧ତାରିଖରେ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଲାଭ କରିଥିବା ରାୟଶ୍ରୀ ୭୦ ଦଶକ ଆରମ୍ଭରୁ ବାରିପଦାରୁ ବାଲେଶ୍ୱର ଚାଲିଆସିଥିଲେ । ବାଲେଶ୍ୱର ଆସିବା ପୂର୍ବରୁ ସେ ବାରିପଦାରୁ ଏକ ପତ୍ରିକା ‘ଯୁଗଭେରୀ’ ପ୍ରକାଶ କରିସାରିଥିଲେ । ସେତେବେଳେ ସେ ଓଡ଼ିଶା ଯୁବଲେଖକ ପ୍ରତିଷ୍ଠାନର ମୟୂରଭଞ୍ଜ ପ୍ରତିନିଧି ମଧ୍ୟ ଥିଲେ । ୧୯୭୦ରେ ଯୁଗଭେରୀ ପତି୍ରକାର ଦ୍ୱିତୀୟ ସଂଖ୍ୟା ବାଲେଶ୍ୱରରୁ ପ୍ରକାଶ ପାଇଲା । ଏହାର ସମ୍ପାଦକ ଥିଲେ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକ । ମୁଖ୍ୟ ଉପଦେଷ୍ଟା ଥିଲେ ବ୍ରଜନାଥ ରଥ । ବ୍ରଜନାଥ ରଥଙ୍କ ଛାପାକଳରୁ ହିଁ ଯୁଗଭେରୀର ଦ୍ୱିତୀୟ ସଂଖ୍ୟା ଛପା ହୋଇଥିଲା । ଏହି ପତ୍ରିକାଟି ଡ଼ିମେଇ ଆଠପେଜ୍ ସାଇଜ୍ର ୩ପୃଷ୍ଠା ସମ୍ବଳିତ ହୋଇଥିବାବେଳେ ଏହାର ମୂଲ୍ୟ ଥିଲା ୧ ଟଙ୍କା । ବ୍ରଜନାଥ ରଥଙ୍କ ଛାପାକଳରୁ ଯୁଗଭେରୀର ୪ଟି ସଂସ୍କରଣ ପ୍ରକାଶ ପାଇବାପରେ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକ ନିଜସ୍ୱ ଛାପାକଳଟିଏ ପ୍ରତିଷ୍ଠା କରିଥିଲେ । ଏହାର ନାମ ଥିଲା ‘ଯୁଗଶ୍ରୀ ପ୍ରେସ୍’ । ଏହି ପ୍ରେସ୍ଟି ପ୍ରଥମେ ବାଲେଶ୍ୱର ମିଶନ୍ ହାଇସ୍କୁଲ ଗେଟ୍ ସମ୍ମୁଖରେ ଥିଲା । ପରେ ଏହାକୁ ସେ ରୋମାନ୍ କେଥ୍ଲିକ୍ ଚର୍ଚ୍ଚ ସମ୍ମୁଖସ୍ଥ ଏକ ଭଡ଼ାଘରକୁ ଉଠାଇ ନେଇଥିଲେ । ଶେଷରେ ଆଇ.ଟି.ଆଇ ପଡ଼ିଆ ପାଖରେ ଏକ ଜାଗାକିଣି ଘରଟିଏ କରି ସେ ପ୍ରେସ୍ଟିକୁ ସେଠାକୁ ସ୍ଥାନାନ୍ତରିତ କରିଥିଲେ । ଏହି ପ୍ରେସ୍ର କିଛି ସେମିନାରି ସେ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପୌରୁଷ ପତ୍ରିକା ସମ୍ପାଦକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପାଖରୁ କିଣିଥିଲେ । ଏଠାରୁ ଯୁଗଭେରୀର କିଛି ସଂସ୍କରଣ ଛପା ଯାଇଥିଲେ । ପରବର୍ତ୍ତୀ ସମୟରେ ସେଠାରୁ ସେ ‘ହାତୁଡ଼ି’ ନାମକ ପତ୍ରିକା ପ୍ରକାଶ କରିଥିଲେ, ଯାହା ଚତୁର୍ଥଶ୍ରେଣୀ ବିଦୁ୍ୟତ୍ କର୍ମଚାରୀ ସଂଘର ମୁଖପତ୍ର ଥିଲା । ମାତ୍ର ଏହା ବେଶି ଦିନ ତିଷ୍ଠି ପାରିନଥିଲା । କିଛିଦିନ ପରେ ଏହାର ପ୍ରକାଶନ ସେ ବନ୍ଦ କରି ଦେଇଥିଲେ ।
ରୋମାନ୍ କେଥ୍ଲିକ୍ ଚର୍ଚ୍ଚ ପାଖରେ ଯୁଗଶ୍ରୀ ପ୍ରେସ୍ ଥିବାବେଳେ, ସେଠାରୁ ସେ ‘ରାଷ୍ଟ୍ରଦୂତ’ ନାମକ ଏକ ସମ୍ବାଦପତ୍ରର ପ୍ରକାଶନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଏହା ଦୈନିକ ସମ୍ବାଦପତ୍ରରେ ପରିଣତ ହୋଇଥିଲା । ପ୍ରଥମେ ଏହା ଛୋଟ ଆକାରରେ ଛପା ଯାଉଥିଲା । ପରବର୍ତ୍ତୀ ସମୟରେ ଏହାର ଆକାରକୁ ଖବର କାଗଜ ଭଳି କରାଗଲା ଏବଂ ପୃଷ୍ଠା ସଂଖ୍ୟା ବଢ଼ାଗଲା । ରାଷ୍ଟ୍ରଦୂତରେ ମୁଖ୍ୟତଃ ବାଲେଶ୍ୱରର ଖବର ପ୍ରକାଶ ପାଉଥିଲା । ପରେ ସେଥିରେ ମୟୂରଭଞ୍ଜ ଓ ଭଦ୍ରକ ଖବରକୁ ମଧ୍ୟ ସ୍ଥାନ ଦିଆଗଲା । ୨୫ବର୍ଷ ଧରି ରାଷ୍ଟ୍ରଦୂତକୁ ଚଳାଇବା ପରେ ହଠାତ୍ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ଏହାକୁ ବିକ୍ରି କରି ଦେଇଥିଲେ ।
ପୁଣି କିଛିଦିନ ପରେ ସେ ଯୁଗଶ୍ରୀ ପ୍ରେସ୍ରୁ ଆଉ ଏକ ଦୈନିକ ଖବରକାଗଜ ‘କାଳାନ୍ତର’ର ପ୍ରକାଶନ ଆରମ୍ଭ କରିଥିଲେ । କାଳାନ୍ତର ନାମରେ ସେ ନିଜ ଘରକୁ ‘କାଳାନ୍ତର ଭିଲ୍ଲା’ରେ ନାମିତ କରିଥିଲେ । ‘କାଳାନ୍ତର’ ଦୈନିକ ସମ୍ବାଦପତ୍ର ଡ଼ିଟିପି ଅକ୍ଷର ସହ ଅଫ୍ସେଟ୍ ମେସିନ୍ରେ ଛପାଗଲା । ପରବର୍ତ୍ତୀ ସମୟରେ ସେ ‘ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ’ ନାମକ ଅନୁଷ୍ଠାନଟିଏ ମଧ୍ୟ ଗଢ଼ିଥିଲେ । ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଆଦିର ଯୁବ ଲେଖକମାନଙ୍କୁ ପ୍ରୋତ୍ସାହିତ କରିବା ଏହାର ମୂଳ ଉଦେ୍ଦଶ୍ୟ ଥିଲା । ସେମାନଙ୍କ ଲେଖାକୁ ସେ କାଳାନ୍ତରର ସାହିତ୍ୟ ବିଭାଗରେ ସ୍ଥାନ ଦେଉଥିଲେ । ମୃତ୍ୟୁ ପୂର୍ବରୁ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକ କାଳାନ୍ତରର ମୁଖ୍ୟ କାର୍ଯ୍ୟାଳୟ ଓ ପ୍ରକାଶନକୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରି ଦେଇଥିଲେ । ୨୦୧୦ମସିହା ଫେବୃଆରୀ ୨୭ ତାରିଖ ଶନିବାର ରାତିରେ ହଠାତ୍ ରାୟଶ୍ରୀଙ୍କ ପରଲୋକ ଘଟିଥିଲା । ବାଲେଶ୍ୱର ସହରର ଉନ୍ନତି ପାଇଁ ତାଙ୍କର ଅବଦାନ ଥିଲା ଯଥେଷ୍ଟ । କିଛି ଦିନପାଇଁ ରାୟଶ୍ରୀ, ବାଲେଶ୍ୱର ପୌର ପରିଷଦ ସଦସ୍ୟ ମଧ୍ୟ ଥିଲେ ।
Download 1
ଡଃ ମୃଣାଳ ଚାଟ୍ଟାର୍ଜୀ

୯୪୩୭୦ ୨୬୧୯୪

mrinaliimc@yahoo.in

Comments

0 comments

Share This Article