ବିଟି ଶସ୍ୟ ଓ କୃଷି ବିପର୍ଯ୍ୟୟ ଅଭିମୁଖେ ଭାରତ

2 Views
9 Min Read

ଭାରତପରି ଏକ କୃଷିପ୍ରଧାନ ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଜେନେଟିକ ମଡିଫାଏଡ ଶସ୍ୟ ବିପଦ । କମ୍ ସମୟରେ ଅଧିକ ଉତ୍ପାଦନ ଆଭିମୁଖ୍ୟ ରଖି ବିଟି ଶସ୍ୟକୁ ପ୍ରୋତ୍ସାହନ ଦିଆଯାଉଥିବାବେଳେ ଏହା କୃଷି ଓ କୃଷକଙ୍କ ଲାଗି ବିପଦ ସୃଷ୍ଟି କରିବାରେ ଲାଗିଛି । ବିଟି ଶସ୍ୟ ଯୋଗୁ ଭାରତର ହଜାର ହଜାର ବର୍ଷର ମୂଳ ଶସ୍ୟର ବିଲୋପ ଘଟୁଥିବା ବେଳେ ଦିନକୁ ଦିନ ଭାରତର ଜୈବ ବିବିଧତା, ଶସ୍ୟ ସ୍ୱରାଜ, କୃଷକଙ୍କ ଆର୍ଥିକ ସାର୍ବଭୌମତ୍ୱ କ୍ଷୁଣ୍ଣ ହେବାରେ ଲାଗିଛି ।
ପ୍ରତି ଜୀବ ବା ଉଦ୍ଭିଦର ବଂଶଗତ ଗୁଣାବଳୀ ପରିବାହକ ବା ଜିନ୍ ରହିଥାନ୍ତି । ଏହା ଲକ୍ଷ ଲକ୍ଷ ବର୍ଷ ତଳୁ ଉତ୍ତରାଧିକାରୀତ୍ୱ ସୂତ୍ରରେ ଚାଲିଆସିଛି । ମାତ୍ର ଆଧୁନିକ ବିଜ୍ଞାନ ଜରିଆରେ ମୂଳ ଜିନ୍ ପରିବର୍ତ୍ତନ ଘଟାଯାଇଥାଏ ଯାହାକୁ ଜେନେଟିକ ମଡିଫାଏଡ ଟେକ୍ନୋଲୋଜି କୁହାଯାଏ । ଏହାଦ୍ୱାରା ମୂଳ ଶସ୍ୟର ଗୁଣ, ରୂପ, ଆକାର ଆଦି ପରିବର୍ତ୍ତିତ ହୋଇଯାଇଥାଏ । ଜିଏମ୍ ସିଡ୍ ଅଧିକ ସୁନ୍ଦର, ଅଧିକ ଉତ୍ପାଦନକ୍ଷମ ହୋଇଥିଲେ ବି ଏହା ପରୋକ୍ଷ ଭାବେ ଜୈବ ସ୍ୱରାଜକୁ ଧ୍ୱଂସ କରିଥାଏ ଏବଂ ମୂଳ ବିହନକୁ ଚିରକାଳ ଲାଗି ବିଧ୍ୱଂସ କରିଦେଇଥାଏ ।
ଭାରତରେ ଏବେ ବିଟି କପା ଓ ବିଟି ବାଇଗଣ ସମେତ ଅନେକ ବହୁ ବିଟି ଶସ୍ୟର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ମାଟିରେ ରହୁଥିବା ଏକ ପ୍ରକାର ବ୍ୟାକ୍ଟେରିଅମ Bacillus thuringiensis(ବିଟି)ର ଏକ ସ୍ୱତନ୍ତ୍ର ଜିନ୍ cry1Ac କୁ ବାହାର କରି କପା ଓ ବାଇଗଣ ଆଦିର ମଞ୍ଜିରେ ଡିଏନ୍ଏ ପ୍ରଯୁକ୍ତି ଜରିଆରେ ପ୍ରୟୋଗ କରାଯାଏ । ଏହି ଜିନ୍ ପରିବର୍ତ୍ତିତ ଶସ୍ୟ କୀଟ ପ୍ରତିରୋଧକ ହୋଇଥିବାରୁ ଚାଷରେ କ୍ଷତି ଘଟେ ନାହିଁ ବୋଲି ବୈଜ୍ଞାନିକ କହନ୍ତି । ମାତ୍ର ଏହାଯୋଗୁଁ ମୂଳ ଶସ୍ୟର ଗୁଣବତ୍ତା ନଷ୍ଟ ହୋଇଯାଏ ଏବଂ ଯେଉଁ ଜମିରେ ଏହି ବିହନ ଚାଷ କରାଯାଏ ସେହି ଜମିରେ ଆଉ କୌଣସିି ଫସଲ ହୋଇପାରି ନଥାଏ । ବିଟି ବିହନ ଜରିଆରେ ଗଛ ବୃଦ୍ଧି ହେଉଥିବା ବେଳେ ସାଧାରଣତଃ ଜେନେଟିକ ସଂକ୍ରମଣ ହୋଇଥାଏ ଏବଂ ପତଙ୍ଗ, ମହୁମାଛି ବା ବାୟୁ ଜରିଆରେ ଏହାର ପ୍ରଭାବ ଅନ୍ୟାନ୍ୟ ସ୍ଥାନକୁ ବିସ୍ତାରିତ ହୋଇଥାଏ ଯାହା କି ମୂଳ ବିହନ ବା ଶସ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।
ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବିଟି ବିହନର ଚାଷ । ୧୯୯୬ରେ ୧.୭ନିୟୁତ ହେକ୍ଟର ଜମିରେ ଏହି ବିହନ ଚାଷ ହୋଇଥିବା ବେଳେ ୨୦୧୬ରେ ଏହି ପରିମାଣ ହୋଇଥିଲା ୧୮୫.୧ ନିୟୁତ ହେକ୍ଟର । ମକା, କପା, ବାଇଗଣ ସମେତ ଅନ୍ୟାନ୍ୟ ଜିନ୍ ପରିବର୍ତ୍ତିତ ବିହନ ଚାଷ ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ଥିତି ଏପରି ହେଲାଣି ଯେ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଆଦି ରାଜ୍ୟରେ ୯୫ ପ୍ରତିଶତ କପା ଚାଷରେ ବିଟି କପା ବିହନ ବ୍ୟବହୃତ ହୋଇଥାଏ । ସାମାନ୍ୟ ଲାଭ ଆଶାରେ ବିଟି ବିହନର ଚାଷ ସାମୟିକ ଭାବେ ଉପକାର ଦେଇଥାଏ ମାତ୍ର କାଳ କାଳ ଲାଗି ହଜାର ହଜାର ବର୍ଷର ମୂଳ ବିହନକୁ ନିଶ୍ଚିହ୍ନ କରିଦେଇଥାଏ ।
ପ୍ରଥମଥର ଲାଗି ୧୯୮୩ରେ ତମାଖୁ କ୍ଷେତ୍ରରେ ଜେନେଟିକ ଇଞ୍ଜିନିୟରିଂ ପଦ୍ଧତି ଆପଣା ଯାଇଥିଲା । ଆଗ୍ରୋବାକ୍ଟେରିଅମର ଏକ ଜିନ୍କୁ ତମାଖୁ କ୍ଷେତ୍ରରେ ପ୍ରୟୋଗ କରାଯାଇଥିଲା । ପ୍ରଥମେ ଆମେରିକା ଓ ଫ୍ରାନ୍ସ ଏବଂ ପରେ ଚୀନ ଜେନେଟିକ ମଡିଫାଏଡ ବିହନକୁ ବ୍ୟବସାୟୀକରଣ କରିଥିଲେ । ପରେ ବିଶ୍ୱର ବହୁ ରାଷ୍ଟ୍ରକୁ ଏହା ବ୍ୟାପିଥିଲା । ୨୦୨୪ରେ ଅଷ୍ଟ୍ରେଲିଆ ଓ ନୁ୍ୟଜିଲାଣ୍ଡରେ କଦଳୀ କ୍ଷେତ୍ରରେ ଏହି ପ୍ରଯୁକ୍ତି ବ୍ୟବହାର କରାଯାଇଥିଲା ।
କୀଟ, ମରୁଡ଼ି ପ୍ରତିରୋଧକ ବିହନ ଭାବେ ଜିଏମ୍ ବିହନକୁ ବ୍ୟବହାର କରାଯାଉଥିଲେ ବି ଏହାର ପ୍ରତିକୂଳ ପ୍ରଭାବ ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ରହୁଛି । ଭେନେଜୁଏଲା, ଆଲଜେରିଆ, ପେରୁ, ଭୁଟାନ ସମେତ ୬୦ରୁ ଅଧିକ ରାଷ୍ଟ୍ରରେ ଜିଏମ୍ ବିହନକୁ ନିଷିଦ୍ଧ କରାଯାଇଥିବାବେଳେ ଭାରତରେ ଏହାର ଯଥେଷ୍ଟ ବ୍ୟବହାର ହେଉଥିବା ପରିଲକ୍ଷିତ ହୋଇଛି ।
ଭାରତରେ ୨୦୦୨ରେ ବିଟି କଟନକୁ ଅନୁମତି ଦିଆଯାଇଥିବା ବେଳେ ୨୦୨୨ରେ ସୋରିଷ କ୍ଷେତ୍ରରେ ଏହାକୁ ଅନୁମତି ଦିଆଯାଇଥିଲା । ମାତ୍ର ଆଇନଗତ ବିବାଦ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା । ସେହିପରି ୨୦୦୯ରେ ବିଟି ବାଇଗଣକୁ ଅନୁମତି ଦିଆଯାଇଥିଲା ମାତ୍ର ପ୍ରବଳ ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା । ଏହା ସତ୍ତ୍ୱେ ବହୁ ରାଜ୍ୟରେ ବେଆଇନ ଭାବେ ଏହି ବିହନ ଚାଷ ହେଉଥିବା ଜଣାଯାଏ ।
ବିଟି ବିହନ ସାଧାରଣତଃ ଜୈବ ବିବିଧତା ଉପରେ କ୍ଷତି ପହଞ୍ଚାଇବା ସହ ଅନେକ ପ୍ରକାର ଉପକାରୀ କୀଟ, ମହୁମାଛି ପରି କୀଟ, ମାଟିରେ ରହୁଥିବା ଉପକାରୀ ବ୍ୟାକ୍ଟେରିଆଙ୍କୁ ଧ୍ୱଂସ କରିଦେଇଥାଏ । ଏହି କାରଣରୁ ଆଜିକାଲି ପ୍ରଜାପତି, ଫିରିଙ୍ଗି ଓ ଅନେକ ପ୍ରକାର କୀଟ ଦେଖାଯାଇ ନଥାନ୍ତି ।
ଜିଏମ ବିହନରୁ ଜାତ ଖାଦ୍ୟଶସ୍ୟ ମଣିଷ ଓ ଅନ୍ୟ ଜୀବଙ୍କ ଶରୀରରେ ରହିଥିବା ଆଣ୍ଟିବାୟୋଟିକ ପ୍ରତିରୋଧକ ଶକ୍ତିକୁ ନିଷ୍କ୍ରିୟ କରିଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବି ଚିନ୍ତାବ୍ୟକ୍ତ କରାଯାଇଥିଲା । ସେହିପରି ଖାଦ୍ୟ ଶୃଙ୍ଖଳର ନିୟନ୍ତ୍ରଣ ବହୁରାଷ୍ଟ୍ରୀୟ କମ୍ପାନୀ ହାତକୁ ଚାଲିଯିବ ବୋଲି ଅନେକ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ଦିନକୁ ଦିନ ପ୍ରଯୁକ୍ତି କ୍ଷେତ୍ରର ବିକାଶ ଯୋଗୁ ନୂଆ କିସମର ବିହନ ବାହାର କରାଯାଉଥିବା ବେଳେ ମୂଳ ବିହନ ଧ୍ୱଂସ ହୋଇଯାଉଛି । ଏହାର ସୁଯୋଗ ନେଇ ବହୁରାଷ୍ଟ୍ରୀୟ କମ୍ପାନୀ ନିଜ ନିଜର ବିହନ ବଜାର ସୃଷ୍ଟି କରୁଛନ୍ତି ଏବଂ ମୂଳ ବିହନ ଓ ମୃତ୍ତିକାର ଅସଲ ଶକ୍ତିକୁ ନଷ୍ଟ କରିଦେଉଛନ୍ତି ।
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଯୋଗୁଁ ପ୍ରଥମତଃ ଭାରତୀୟ କୃଷି ବଜାରରେ ଆମେରିକୀୟ ଆଧିପତ୍ୟ ବୃଦ୍ଧି ପାଇବ । ଦ୍ୱିତୀୟରେ ଜିଏମ ବିହନଜାତ ଶସ୍ୟ ଭାରତରେ ବ୍ୟାପକ ପ୍ରସାର ହେବ । ସେହି ଶସ୍ୟଗୁଡ଼ିକ ହେଲା ଜୋଆର, ସୋୟାବିନରୁ ପ୍ରସ୍ତୁତ ତେଲ, ଅନେକ ପ୍ରକାର ଫଳ, ପ୍ରାଣୀମାନଙ୍କ ଖାଦ୍ୟ ଆଦି ।
ଆମେରିକା ବର୍ତ୍ତମାନ ବିଶ୍ୱର ସବୁଠାରୁ ବୃହତ ଜିଏମ୍ ଶସ୍ୟ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଭାରତକୁ ଆମେରିକା ପ୍ରମୁଖ ବଜାର ଭାବେ ଦେଖୁଛି । ଚୁକ୍ତି ଯୋଗୁ ଭାରତରେ କେବଳ ଆମେରିକୀୟ ଜିଏମ୍ ଶସ୍ୟ ଉପଲବ୍ଧ ହେବ ନାହିଁ ବରଂ ଜିଏମ୍ ଶସ୍ୟରୁ ପ୍ରସ୍ତୁତ ଶିଶୁଖାଦ୍ୟ ଠାରୁ ଆରମ୍ଭ କରି ଅନେକ ପ୍ରକାର ପ୍ୟାକେଜଯୁକ୍ତ ଖାଦ୍ୟପଦାର୍ଥ ଉପଲବ୍ଧ ହେବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା ଆମେରିକାରୁ ଆମଦାନୀ ହେଉଥିବା ଶସ୍ୟ ଓ ସୋୟାବିନ ତେଲକୁ କରମୁକ୍ତ କରାଯାଇଛି । ଏହି ଦୃଷ୍ଟିରୁ ଏହି ଚୁକ୍ତିକୁ ବିଭିନ୍ନ ସଂଗଠନ ବିରୋଧ କରିଆସୁଛନ୍ତି । ଭାରତ ପ୍ରତିବର୍ଷ ବିଲିୟନ ବିଲିୟନ ଡଲାରର ଖାଦ୍ୟଶସ୍ୟ, କୃଷି ସାମଗ୍ରୀ ଆମେରିକାଠାରୁ ଆମଦାନୀ କରୁଛି । ପ୍ରତିବଦଳରେ ସମପରିମାଣର ସାମୁଦ୍ରିକ ଖାଦ୍ୟ ଆମେରିକାକୁ ରପ୍ତାନି କରୁଛି । ଏଠାରେ ଏହା କୁହାଯିବା ଯଥାର୍ଥ ଯେ, ଭାରତ ହିଁ ପ୍ରକୃତରେ ବିଶେଷ କ୍ଷତିଗ୍ରସ୍ତ ହେଉଛି ଏବଂ ଭାରତୀୟ କୃଷି ଅର୍ଥନୀତିକୁ ଧ୍ୱଂସ ଆଡ଼କୁ ନେଇଯାଉଛି ।
ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭିରୋନମେଣ୍ଟ ବା CSE ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଭାରତରେ ୨୦ରୁ ଅଧିକ ପ୍ରକାରର ଜେନେଟିକାଲି ମଡିଫାଏଡ ଖାଦ୍ୟ ସାମଗ୍ରୀ ଖୋଲା ବଜାରରେ ବିକି୍ର କରାଯାଉଛି । ନିରୀହ ଖାଉଟିମାନଙ୍କ ଜୀବନ ସହ କିଛି କମ୍ପାନି ଖେଳୁଛନ୍ତି । ସେହି ଖାଦ୍ୟ ମଧ୍ୟରେ ରହିଛି ଶିଶୁ ଖାଦ୍ୟ, ଖାଇବା ତେଲ, ଖାଦ୍ୟପଦାର୍ଥ ଇତ୍ୟାଦି । ଆମେରିକା, କାନାଡା, ଥାଇଲାଣ୍ଡ, ନେଦରଲ୍ୟାଣ୍ଡସ, ୟୁଏଇ ଆଦି ରାଷ୍ଟ୍ରରୁ ଆମଦାନୀ କରାଯାଇଥିବା ଅନେକ ଖାଦ୍ୟ ପଦାଥରେ ଜିଏମ ଶସ୍ୟ ବ୍ୟବହୃତ ହୋଇଥିବା ଜଣାଯାଇଛି । ଅର୍ଥାତ ବେଆଇନ ଭାବେ ଭାରତୀୟ ଖାଦ୍ୟଶସ୍ୟ ବଜାରରେ ବଡ଼ ବଡ଼ କମ୍ପାନିଙ୍କ ପ୍ରାଧାନ୍ୟ ଜାରି ରହିଛି । ବେଆଇନ ବିହନ, ଖାଦ୍ୟ ପଦାର୍ଥ ଉପରେ ସାଧାରଣତଃ ଜେନେଟିକ ଇଞ୍ଜିନିୟରିଂ ମଞ୍ଜୁରୀ କମିଟି ବା GEAC ଭୂମିକା ଥାଏ । ମାତ୍ର GEAC ଯଦି ସବୁ କ୍ଷେତ୍ରରେ ନୀରବ ରୁହେ ତେବେ ଅନ୍ତଃରାଷ୍ଟ୍ରୀୟ କମ୍ପାନିଗୁଡ଼ିକ ଲାଭବାନ ହେଉଥିବାବେଳେ ଭାରତ କ୍ଷତିର ସମ୍ମୁଖୀନ ହୋଇଥାଏ । ଦେଶରେ ଜିଏମ୍ ଶସ୍ୟକୁ ଅନୁମତି ଦିଆଯାଇନାହିଁ ବୋଲି ୨୦୧୭ ମେ ୨୪ରେ ସୁପ୍ରିମକୋର୍ଟରେ ଦର୍ଶାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନସ୍ଥ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ ବା FSSAI । ଏହା ସତ୍ତ୍ୱେ ଭାରତରେ କିପରି ବିପୁଳ ପରିମାଣର ଜିଏମ ଶସ୍ୟ ବ୍ୟବହୃତ ହେଉଛି ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି । ଜିଏମ୍ ଶସ୍ୟକ୍ଷେତ୍ରରେ ଏକ ଜାତୀୟ ନୀତି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ର ସରକାରଙ୍କୁ ୨୦୨୪ ଜୁଲାଇ ୨୩ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହା ସହ ଜିଏମ୍ ଶସ୍ୟର ଗବେଷଣା, ଚାଷ, ବ୍ୟବସାୟ ଲାଗି ସ୍ୱତନ୍ତ୍ର ନୀତି ପ୍ରସ୍ତୁତି ଲାଗି କୋର୍ଟ ପରାମର୍ଶ ଦେଇଥିଲେ । ମାତ୍ର ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଇ ନଥିବାରୁ ଦେଶରେ ଏବେ ବ୍ୟାପକ ପରିମାଣର ଜିଏମ୍ ବିହନରୁ ଚାଷ ହେବା ସହ ଅନେକ ପ୍ରକାର ଖାଦ୍ୟ ବଜାରରେ ପ୍ରଭାବ ବିସ୍ତାର କରିଛି ।
ଜିଏମ୍ ବିହନ ବା ଶସ୍ୟର ପ୍ରାଦୁର୍ଭାବ ରୋକିବା ଲାଗି ଗତ ୨୦୨୪ ଅଗଷ୍ଟରେ ୧୮ଟି ରାଜ୍ୟର ଶତାଧିକ କୃଷକ ସଂଗଠନ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ନିକଟକୁ ପତ୍ର ଲେଖିଥିଲେ । କେବଳ ପଞ୍ଜାବରେ ଜିଏମ୍ କପା ଚାଷ ପରିମାଣ ୪୬ପ୍ରତିଶତ ହ୍ରାସ ହୋଇଥିବାରୁ ସଂଗଠନଗୁଡ଼ିକ ପକ୍ଷରୁ ଚିନ୍ତା ପ୍ରକଟ ହୋଇଥିଲା । ଏହାର କାରଣ ହେଉଛି ଜିଏମ୍ କପା ବିହନ ଆବଶ୍ୟକ ଲାଭ ଦେଇପାରି ନଥିଲା ଏବଂ ଅମଳ ହ୍ରାସ ପାଇଥିଲା । ଚାଷୀମାନେ କ୍ଷତିରେ ସମ୍ମୁଖୀନ ହେବାରୁ କପା ଚାଷ କରିବାକୁ ଆଗ୍ରହୀ ହୋଇନଥିଲେ । ବହୁରାଷ୍ଟ୍ରୀୟ କମ୍ପାନି ବେୟର ଓ ମନସାଣ୍ଟୋ ପକ୍ଷରୁ ବିକ୍ରି କରାଯାଉଥିବା କପା ବିହନ ଚାଷୀଙ୍କ ଲାଗି ଘାତକ ସାବ୍ୟସ୍ତ ହେବା ସହ ଚାଷୀମାନଙ୍କୁ ନାନାପ୍ରକାର ଆର୍ଥିକ ସମସ୍ୟାରେ ପକାଇଥିଲା । ଏହି କାରଣରୁ କପାଚାଷୀଙ୍କ ଆତ୍ମହତ୍ୟା ବୃଦ୍ଧି ପାଇଥିଲା । ଏପରିକି କପା ଚାଷୀଙ୍କ ଆତ୍ମହତ୍ୟା ନେଇ ଅଦାଲତରେ ସ୍ୱୀକାର କରିଥିଲେ କେନ୍ଦ୍ର ସରକାର । କୁହାଯାଏ-ମନସାଣ୍ଟୋର ଜିଏମ୍ କପା ବିହନ କରିବା ପରେ ଅନେକ ଚାଷୀ ଦେବାଳିଆ ହୋଇଯାଇଛନ୍ତି ଏବଂ ୨୦୧୨ ସୁଦ୍ଧା ପ୍ରାୟ ୨ଲକ୍ଷ ୫୦ହଜାର କପା ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହି ସଂଖ୍ୟା ୩ ଲକ୍ଷ ହେବ ବୋଲି ଆକଳନ କରିଥିଲେ ବିଶିଷ୍ଟ ସ୍ତମ୍ଭକାର ବେଲେନ ଫର୍ଣ୍ଣାଣ୍ଡେଜ ଯାହାକୁ ସମର୍ଥନ କରିଥିଲେ ବିଶିଷ୍ଟ ପରିବେଶବିତ୍ ବନ୍ଦନା ଶିବା । ୨୦୧୮ରେ ମନସାଣ୍ଟୋକୁ ବେୟର ଗ୍ରୁପ କ୍ରୟ କରିବାପରେ ଭାରତରେ ବର୍ତ୍ତମାନ ବେୟର କମ୍ପାନି ହିଁ ଜିଏମ୍ ଶସ୍ୟର ବ୍ୟବସାୟ କରିଚାଲିଛି ।
ଦେଶରେ ଦିନକୁ ଦିନ କୃଷିଭିତ୍ତିକ ଜମି ପରିମାଣ ହ୍ରାସ ପାଇବାରେ ଲାଗିଛି । ସହରୀକରଣ, ଶିଳ୍ପ, ଗୃହ ନିର୍ମାଣ, ଜନସଂଖ୍ୟା ବୃଦ୍ଧି ଆଦି କାରଣରୁ ଜମି ପରିମାଣ ଦ୍ରୁତଗତିରେ ହ୍ରାସ ପାଉଛି । ୧୯୭୦ ଦଶକବେଳକୁ ଦେଶରେ ହାରାହାରି ଜମି ପରିମାଣ ଥିଲା ୨.୨୮ହେକ୍ଟର । ବର୍ତ୍ତମାନ ଏହି ପରିମାଣ ୧ହେକ୍ଟରକୁ କମି ଆସିଲାଣି । ୩୦ ପ୍ରତିଶତ ଜମି କୃଷି କାର୍ଯ୍ୟ ଲାଗି ଅଯୋଗ୍ୟ ବିବେଚିତ ହେଲାଣି । ଏପରି ଅବସ୍ଥାରେ ବିଟି ବିହନର ଚାଷ କୃଷି ଲାଗି ବଡ଼ ବିପର୍ଯ୍ୟୟ ଆଣିବାର ଆଶଙ୍କା ସୃଷ୍ଟି କରୁଛି ।

Comments

0 comments

Share This Article