୧୯୭୭ ସାଲରେ ଜରୁରୀ ପରିସ୍ଥିତିର ଶେଷଭାଗ ବେଳକୁ ସାଧାରଣ ନିର୍ବାଚନରେ ଛତ୍ରପୁର ବିଧାନସଭାର ସି.ପି.ଆଇ. ପ୍ରାର୍ଥୀ ରୂପେ ବିଶ୍ୱନାଥ ସାହୁଙ୍କ ବିରୋଧରେ ଜନତାପାର୍ଟିର ପ୍ରାର୍ଥୀ ଦୁର୍ଯ୍ୟଧନ ସାହୁଙ୍କ ସପକ୍ଷରେ ଭୋଟ ପ୍ରଚାର କଲାବେଳେ ବିଶ୍ୱନାଥ ସାହୁଙ୍କ ପରିଚୟ ଥିଲା ସେ ଜଣେ ବିଶିଷ୍ଟ କମ୍ୟୁନିଷ୍ଟ ନେତା । ବ୍ୟକ୍ତିଗତ ଭାବରେ ତାଙ୍କସହ ଦେଖା ହୋଇନଥାଏ କି ପରିଚୟ ନଥାଏ । ମୁଁ ଜରୁରୀ ପରିସ୍ଥିତିରେ ଜେଲରୁ ମୁକ୍ତ ହୋଇ ଜନତା ପାର୍ଟି ପାଇଁ ପ୍ରଚାର କରୁଥାଏ ସେତେବେଳର କଂଗ୍ରେସ ଶାସନର ଏକଛତ୍ରବାଦ ବିରୋଧରେ । ସେତେବେଳେ କଂଗ୍ରେସ ସହ ସି.ପି.ଆଇ.ର ବୁଝାମଣା ଥାଏ ନିର୍ବାଚନରେ । ବିଶ୍ୱନାଥବାବୁ ବିଜୟୀ ହେଲେ ।
ବିଧାନସଭାରେ ବିରୋଧୀଦଳର ସଭ୍ୟ ରୂପେ ସାମ୍ୟବାଦ ବିଚାର ସହ ପ୍ରଗତିଶୀଳ ବିଧିବିଧାନ ପାଇଁ ସ୍ୱର ଉତ୍ତୋଳନ କରିବା ଥିଲା ତାଙ୍କର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା । ୧୯୮୦ରେ ଜନତା ପାର୍ଟି ସରକାର ଭାଙ୍ଗିଗଲା, ପୁଣି କଂଗ୍ରେସ ଶାସନ ଆସିଲା କେନ୍ଦ୍ର ଓ ରାଜ୍ୟରେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ବିରୋଧରେ ଅନ୍ୟ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳମାନଙ୍କ ସହ ମିଳିତ କାର୍ଯ୍ୟକ୍ରମରେ ସକ୍ରିୟ ଭାଗିଦାର ରହିଲା । ଗଞ୍ଜାମ ଜିଲ୍ଲାରେ ରାଜ୍ୟର କଂଗ୍ରେସ ଶାସନ ବିରୋଧରେ ସି.ପି.ଆଇ, ସି.ପି.ଆଇ.ଏମ୍, ଜନତା ଦଳର ମିଳିତ କାର୍ଯ୍ୟକ୍ରମ ବାରମ୍ବାର ବ୍ୟାପକ ଭାବରେ ହେଉଥିଲା । କଂଗ୍ରେସ ଛାଡ଼ି ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାମପନ୍ଥୀ ବିଚାରକୁ ନିଜଭିତରେ ଜୀବନ୍ତ ରଖୁଥିବା ରାଜନେତା ବିନାୟକ ଆଚାର୍ଯ୍ୟ ଏହି ମିଳିତ କାର୍ଯ୍ୟକ୍ରମର ଆଗଧାଡ଼ିର ନେତା ରୂପେ ଆମମାନଙ୍କର ସାରଥୀ ରୂପେ ରହିଥାନ୍ତି । ଏସବୁ ମିଳିତ ଗଣତାନ୍ତ୍ରିକ ଆନ୍ଦୋଳନକୁ ଅଧିକ ଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ନେବାରେ ବିଶ୍ୱନାଥ ବାବୁଙ୍କ ଅବଦାନ ଅଧିକ ଥିଲା । ସେ ଗଞ୍ଜାମ ଜିଲ୍ଲାରେ ଗାଁ ଗାଁରେ ପରିଚିତ ଯେହେତୁ କୃଷକ ଆନ୍ଦୋଳନକୁ ସଙ୍ଗଠିତ କରୁଥିଲେ । ସେତେବେଳେ ଜନତା ଦଳର ପଦାଧିକାରୀ ରୂପେ ମିଳିତ କାର୍ଯ୍ୟକ୍ରମଗୁଡ଼ିକୁ ସହଯୋଗ କରିବା ମୋର ଦାୟିତ୍ୱ ଥାଏ । ୧୯୯୪ ବେଳକୁ ଜନତା ଦଳରୁ ଇସ୍ତଫା ଦେଇଆସିବା ପରେ ରାଜ୍ୟରେ ଏକ ବିକଳ୍ପ ରାଜନୈତିକ ଶକ୍ତି ନିର୍ମାଣ ପାଇଁ ଜଗତୀକରଣ, ଘରୋଇକରଣ ତଥା ଉଦାରୀକରଣ ଆର୍ଥିକ ନୀତି ବିରୋଧରେ ଅଭିଯାନ କଲାବେଳେ ସ୍ୱାଭାବିକ ଭାବେ ବାମପନ୍ଥୀ ଦଳର ନେତାମାନଙ୍କ ସହ ମୋର ଅଧିକ ସମ୍ପର୍କ ସ୍ଥାପନ ହୋଇଛି । କିନ୍ତୁ ବିଶ୍ୱନାଥ ବାବୁଙ୍କ ସହ ଅତି ନିକଟରେ ସମ୍ପର୍କ ସ୍ଥାପନ ହୋଇଗଲା । କାରଣ ମୁଁ ଜାଣିନି । କିନ୍ତୁ ବୟସରେ ମୁଁ ଖୁବ୍ ଛୋଟ ହୋଇଥିବାରୁ ତାଙ୍କରି ଶ୍ରଦ୍ଧା, ସହଯୋଗ ଓ ସମର୍ଥନ ମୋ ପାଇଁ ପ୍ରେରଣା ଥିଲା । ମୁଁ ଦଳୀୟ ରାଜନୀତିରୁ ମୁକ୍ତ ହୋଇ ସମାଜବାଦ ବିଚାର ଆଧାରରେ ପୁଞ୍ଜିବାଦୀ ଆର୍ଥିକ ସଂସ୍କାର ବିରୋଧୀ ଅଭିଯାନରେ ସକ୍ରିୟ ହେବାବେଳେ ଗୋପାଳପୁର ଟାଟା ଇସ୍ପାତ ପ୍ରକଳ୍ପ ବିରୋଧରେ ଗଣସଂଗ୍ରାମ ଆରମ୍ଭ ହୋଇଥାଏ ଛତ୍ରପୁର ଚମାଖଣ୍ଡି ଅଞ୍ଚଳରେ । ପରିବେଶକୁ ଧ୍ୱଂସକରିବା ସହ ଋଷିକୁଲ୍ୟା ନଦୀଜଳକୁ ଶୋଷିନେବା ପାଇଁ ଆସିଥିବା ଟାଟା ପ୍ରକଳ୍ପ ବିରୋଧରେ ଗୋପାଳପୁର ଉପକୂଳ ସୁରକ୍ଷା ପରିଷଦ ଗଠନ କରି ଅଭିଯାନ ଆରମ୍ଭ କଲି ଋଷିକୁଲ୍ୟା ସୁରକ୍ଷା ସହ ଗୋପାଳପୁର ଉପକୂଳର ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ । ଗଣସଂଗ୍ରାମ ସମିତିର ବିସ୍ଥାପନ ବିରୋଧୀ ଆନ୍ଦୋଳନର ସହଯୋଗୀ ରୂପେ ଏହି ଫୋରମ କାର୍ଯ୍ୟ କଲା । କିନ୍ତୁ ଏହି ଫୋରମକୁ ଅଧିକ କ୍ରିୟାଶୀଳ କରିବାରେ କୃଷକ ଆନ୍ଦୋଳନର ନେତା ବିଶ୍ୱନାଥ ବାବୁଙ୍କ ଆନ୍ତରିକ ସହଯୋଗ ମୋ ପାଇଁ ଅବିସ୍ମରଣୀୟ । ଗଣସଂଗ୍ରାମ ସମିତିର ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ବିଶ୍ୱନାଥ ବାବୁ ଯୋଗଦେବା ପୂର୍ବରୁ ମତେ ଫୋନ କରିଥାନ୍ତି ମୁଁ କେତେବେଳେ ପହଞ୍ଚୁଛି । ଆନ୍ଦୋଳନ ବେଳେ ଜାଣିଲି ଚମାଖଣ୍ଡି ଅଞ୍ଚଳରେ ଭାଗଚାଷୀ ଅଧିକାର ଆନ୍ଦୋଳନର ଇତିହାସ । ଚାଷୀମାନେ ବ୍ରହ୍ମପୁରର ଜମି ମାଲିକମାନଙ୍କ ଜମି ଚାଷକରି ସମ୍ପୂର୍ଣ୍ଣ ଅଧିକାର ପ୍ରାପ୍ତ କରିଥାନ୍ତି । ଜମି ଆନ୍ଦୋଳନ ନେତୃତ୍ୱ ନେଇଥିଲା କମ୍ୟୁନିଷ୍ଟ ପାର୍ଟି, ବିଶ୍ୱନାଥ ବାବୁ ଥିଲେ ଚାଷୀ ଆନ୍ଦୋଳନର ସଙ୍ଗଠକ । କିନ୍ତୁ ଟାଟା ପ୍ରକଳ୍ପ ପାଇଁ ଜବରଦସ୍ତ ଜମି ଅଧିଗ୍ରହଣ କଲାପରେ ଚାଷୀମାନେ ସର୍ବହରା ହୋଇଗଲେ ଓ ଜମି ମାଲିକମାନେ ଫାଇଦା ନେଲେ । ଚମାଖଣ୍ଡିରେ ହାଇସ୍କୁଲଟିଏ ପୂର୍ଣ୍ଣାଙ୍ଗ ଅବସ୍ଥାରେ ଠିଆ ହୋଇଥାଏ ୧୯୯୫ବେଳକୁ । ତା’ର ପ୍ରତିଷ୍ଠାତା ହେଉଛନ୍ତି ବିଶ୍ୱନାଥ ବାବୁ । ସେହି ସ୍କୁଲର ନିର୍ମାଣ ଆରମ୍ଭରୁ ଶେଷଯାଏଁ ଏବଂ ସ୍କୁଲର ବିକାଶ ପାଇଁ ଶେଷ ନିଶ୍ୱାସ ଯାଏ ବିଶ୍ୱନାଥ ବାବୁଙ୍କ ମନଯୋଗ ଥାଏ ସେହି ଶିକ୍ଷାନୁଷ୍ଠାନ ପାଇଁ । ଗଞ୍ଜାମ ଜିଲ୍ଲାରେ ଶିକ୍ଷାର ପ୍ରସାର ପାଇଁ ଶିକ୍ଷାନୁଷ୍ଠାନ ଗଢ଼ିତୋଳିବାକୁ ଉଦ୍ୟମ କରିବା ଥିଲା ବିଶ୍ୱନାଥ ବାବୁଙ୍କ ଏକ ଝୁଙ୍କ୍ । ହିଞ୍ଜିଳି ଅଞ୍ଚଳର ଆଲପୁର ଗାଁର ପ୍ରତିଟି ବୟସ୍କ ଲୋକ କହିବେ ସେଠାରେ ସ୍କୁଲ ଆରମ୍ଭ କରିବାକୁ ବିଶ୍ୱନାଥ ବାବୁ ଆଲପୁରକୁ କିପରି ନିଜ ଗାଁ କରି ଦେଇଥିଲେ ।
ବିଶ୍ୱନାଥ ବାବୁଙ୍କ ଠାରୁ ମୁଁ ଶୁଣେ ତାକରଡ଼ା ଗୁଳିକାଣ୍ଡର ଇତିହାସ । କମୁ୍ୟନିଷ୍ଟ ନେତା ଗୋବିନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଚାଷୀ ଆନ୍ଦୋଳନକୁ ଚପାଇ ଦେବାକୁ ଗୁଳିକାଣ୍ଡ ହୋଇଥିଲା । ସେତିକିବେଳେ ବିଶ୍ୱନାଥ ବାବୁ ଯୁବ ଚାଷୀନେତା ଭାବରେ ଜେଲରେ ରହିବାକୁ ପଡ଼ିଲା । ମୋ ସହ ଯେବେବି ଆଲୋଚନା କରନ୍ତି ତାଙ୍କରି କଥାରେ ପ୍ରାଥମିକତା ଥାଏ ବିନା ଚାଷୀ ଆନ୍ଦୋଳନରେ ଗାଁ ଲୋକଙ୍କୁ ନ୍ୟାୟ ମିଳିବ ନାହିଁ । ବିସ୍ଥାପନବିରୋଧୀ ତଥା ପ୍ରାକୃତିକସମ୍ପଦର ସୁରକ୍ଷା ସହ ଚାଷୀ ଓ ଆଦିବାସୀଙ୍କ ଅଧିକାର ଆନ୍ଦୋଳନକୁ ସେ ସର୍ବଦା ସମର୍ଥନ ଦେବା ସହ ନିଜେ ସାମିଲ ହେବାକୁ ମନ କରୁଥିଲେ । ବାର୍ଦ୍ଧକ୍ୟତା ତାଙ୍କୁ ରୋକିପାରୁନଥିଲା । ଲେଖିଲେ ତ ଅନେକ ହେବ । ତାଙ୍କର ମହନୀୟତା ମତେ ପ୍ରଭାବିତ କରିଥିଲା । ୨୦୦୦ରେ ସେ ଥିଲେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ବିଧାନସଭା ପ୍ରାର୍ଥୀ । ସ୍ୱାଧୀନ ଭାବେ ଗଣସଂଗ୍ରାମ ସମିତିର ନେତା ନାରାୟଣ ରେଡ଼ି ମଧ୍ୟ ପ୍ରାର୍ଥୀ ହୋଇଥାନ୍ତି । ବିଶ୍ୱନାଥ ବାବୁ ମତେ ଚିଠି ଲେଖିଥାନ୍ତି ମୁଁ ତାଙ୍କପାଇଁ ପ୍ରଚାର କରିବାକୁ । କିନ୍ତୁ ସେତେବେଳେ ଗଣସଂଗ୍ରାମ ସମିତିର ଆନ୍ଦୋଳନ ଯୋଗୁଁ ନାରାୟଣ ରେଡ଼ିଙ୍କ ପ୍ରାର୍ଥୀତ୍ୱ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ବଳିଷ୍ଠ ଥିଲା । ବିଜେପି ପ୍ରାର୍ଥୀ ମଧ୍ୟ ଟାଟା ପ୍ରକଳ୍ପ ସପକ୍ଷରେ ଥିଲେ । ମୋର ବିବେକ କହିଲା ବିଜେପି ପ୍ରାର୍ଥୀଙ୍କୁ ହରାଇବା ପାଇଁ ମତେ କାର୍ଯ୍ୟ କରିବାକୁ ହେବ । ମୁଁ ବିଶ୍ୱନାଥ ବାବୁଙ୍କ ପାଖକୁ ନିର୍ବାଚନ ପୂର୍ବରୁ ଖଣ୍ଡିଏ ଚିଠି ଲେଖି ଜଣାଇଲି ‘ମୁଁ ଆନ୍ଦୋଳନର ସ୍ୱାର୍ଥଦୃଷ୍ଟିରୁ ଓ ସାମ୍ପ୍ରଦାୟିକ ଦଳର ପରାଜୟ ଦୃଷ୍ଟିରୁ ସ୍ୱାଧୀନ ପ୍ରାର୍ଥୀ ନାରାୟଣ ରେଡ଼ିଙ୍କ ସପକ୍ଷରେ ପ୍ରଚାର କରୁଛି । ଆପଣ ଜଣେ ସଚ୍ଚୋଟ ସାମ୍ୟବାଦୀ ନେତା ରୂପେ ମୋର ଭୂମିକାକୁ ଭୁଲ୍ ବୁଝିବେ ନାହିଁ । ଆପଣଙ୍କୁ ସମ୍ମାନ ଦେଇ ମୁଁ ଏହି କାର୍ଯ୍ୟ କରୁଛି ।’ ନିର୍ବାଚନ ସରିଲା ବିଜେପି ଜିତିଗଲା । କିନ୍ତୁ ତାପରେ ବିଶ୍ୱନାଥ ବାବୁ ପ୍ରଥମଦେଖାରେ ହସିଦେଇ କହିଲେ ଚିଠି ମିଳିଥିଲା । ତାପର ସମୟରେ ମୁଁ ଦେଖିଆସିଛି, ଅନୁଭବ କରୁଛି ବିଶ୍ୱନାଥ ବାବୁ ଅଧିକଥର ମତେ ଫୋନ କରିବେ, ଆଲୋଚନା କରିବେ ଓ ମୋ ଦ୍ୱାରା ସମ୍ପାଦିତ ପତ୍ରିକା ମଣିଷର ବାର୍ତ୍ତାବହ ସ୍ୱାଭିମାନକୁ ନିୟମିତ ଭାବେ ପଢ଼ିବେ । ଯେଉଁଥର ସ୍ୱାଭିମାନ ପହଞ୍ଚôବା ଡେରି ହେବ, ଫୋନ କରି ପଚାରିବେ କାହିଁକି ଆସିନି? ତଳସ୍ତରରୁ ସଙ୍ଗଠନ କରିଆସିଥିବା କୃଷକ ନେତା ରୂପେ ମୂଲ୍ୟବୋଧକୁ ଅତି ଗୁରୁତ୍ୱ ଦେଉଥିଲେ । ପତ୍ରିକାର ବାର୍ଷିକ ଦେୟ ସେ ଡାକରେ ପଠାଇଦେବେ । ଏବେ ସେ ଅସୁସ୍ଥ ହେବାର ଏକମାସ ପୂର୍ବରୁ ମତେ ଫୋନକଲେ ପତ୍ରିକା ପାଇଁ ଦୁଇଶତ ଟଙ୍କା କାହାକୁ ପଠାଇ ଭଗବତୀ ଭବନରୁ ନେଇଯାଅ । ମୁଁ ତାଙ୍କୁ ଉତ୍ତର ଦେଲି : ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଆପଣଙ୍କୁ ଦେଖାକରିବି ଗାଁରେ । ସେଠାରୁ ନେଇଆସିବି । ତା ପରେ ସେ ହସ୍ପିଟାଲରେ । ଥରେ ସୁଧୀର ପଟ୍ଟନାୟକଙ୍କ ସହ ଯାଇ ହସ୍ପିଟାଲରେ ଦେଖାକରି ଆସିଲି । ମୁଁ ପୁଣି ଗାଁକୁ ଯାଇ ଦେଖିବାକୁ ଯୋଜନା କରିଥିଲି । କିନ୍ତୁ ତାହା ହୋଇପାରିଲା ନାହିଁ । ମୁଁ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ପହଞ୍ଚିଲା ପରେ ବିଶ୍ୱନାଥ ବାବୁଙ୍କ ନିଧନ ଖବର ଶୁଣିଲାବେଳକୁ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହୋଇଯାଇଥିଲା । ମୋର ଅବଶୋଷ ରହିଗଲା । ତାଙ୍କୁ ଶେଷ ଦର୍ଶନ କରିପାରିଲି ନାହିଁ । ମୁଁ ମଧ୍ୟ ତାଙ୍କ ପାଖରେ ଋଣୀ ହୋଇ ରହିଗଲି, ଯାହାଙ୍କୁ ମୁଁ ପ୍ରତିଶୃତି ଦେଇଥିଲି ଗାଁକୁ ଯାଇ ଦେଖା କରିବାକୁ, ତାଙ୍କରି ମରଶରୀର ପାଖରେ ବି ଠିଆହୋଇ ଫୁଲ ଦିଟା ଦେଇପାରିଲି ନାହିଁ । ସେ ମହାନ ଥିଲେ ମଣିଷ ଭାବରେ, ଜଣେ ସାମ୍ୟବାଦୀ କୃଷକନେତା ଭାବରେ ସମାଜକୁ ଓ ସମାଜର ପରିବର୍ତ୍ତନକାମୀ ସଂଗ୍ରାମୀମାନଙ୍କୁ ଭଲ ପାଉଥିଲେ ଶ୍ରଦ୍ଧା କରୁଥିଲେ । ସେହି ମହାନତା ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ।
ପ୍ରଫୁଲ୍ଲ ସାମନ୍ତରା
Comments
0 comments