ପଛଦ୍ୱାର ଦେଇ ଆଦାନୀ ହାତକୁ ଏଫ୍ସିଆଇ : କୃଷି ଆଇନର ନୂଆ ରୂପ

14 Min Read

ତିନୋଟି କୃଷି ଆଇନ ବିରୋଧରେ ଦେଶବ୍ୟାପୀ କୃଷକ ଆନ୍ଦୋଳନ ପରେ ସରକାର ସେଗୁଡ଼ିକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଆଜି ଏଫ୍ସିଆଇର ସାଇଲୋ ପ୍ରକଳ୍ପକୁ ନେଇ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି, ତାହା ଦେଖିଲେ ମନେହୁଏ ଯେ ସେହି ନୀତିକୁ ଏକ ନୂଆ ରୂପରେ ପୁଣିଥରେ ଲାଗୁ କରାଯାଉଛି । ଖାଦ୍ୟଶସ୍ୟ ସଂରକ୍ଷଣ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ କର୍ପୋରେଟ୍ ନିୟନ୍ତ୍ରଣ ବଢ଼ାଇବାର ଏହି ପ୍ରକ୍ରିୟା ଦେଶର ଖାଦ୍ୟ ସାର୍ବଭୌମତ୍ୱ ଓ କୃଷକ ସ୍ୱାର୍ଥ ପ୍ରତି ଗୁରୁତର ପ୍ରଶ୍ନ ଉଠାଇଛି ।

ସ୍ୱାଧୀନତା ପରେ ଦୀର୍ଘ ସଂଘର୍ଷ ଓ ସରକାରୀ ପୁଞ୍ଜିନିବେଶ ମାଧ୍ୟମରେ ଗଢ଼ି ଉଠିଥିବା ଖାଦ୍ୟଶସ୍ୟ କ୍ରୟ, ସଂରକ୍ଷଣ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଦୁର୍ବଳ କରିବାପାଇଁ ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି ।  ନବ-ଉଦାରବାଦୀ ଅର୍ଥନୀତିର ଚାପରେ ଦେଶର କୃଷି ଉତ୍ପାଦନ, ଶସ୍ୟ ସଂଗ୍ରହ ଓ ସଂରକ୍ଷଣ ଭଳି ସମ୍ବେଦନଶୀଳ ବ୍ୟବସ୍ଥାକୁ ଧୀରେ ଧୀରେ ବୃହତ ଦେଶୀ ଓ ବିଦେଶୀ ପୁଞ୍ଜିପତିଙ୍କ ହାତକୁ ଟେକିଦେବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇ ସାରିଛନ୍ତି । ଭାରତୀୟ ଖାଦ୍ୟ ନିଗମର(FCI) ପାରମ୍ପରିକ ଶସ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ବଦଳାଇ ଆଧୁନିକ ‘ସାଇଲୋ’ (Silo) ପ୍ରକଳ୍ପ ନାମରେ ଏହାକୁ କର୍ପୋରେଟ୍ ସଂସ୍ଥାଗୁଡ଼ିକର ନିୟନ୍ତ୍ରଣକୁ ନେବା, ଦେଶର ଚାଷୀ, କୃଷି ଶ୍ରମିକ ଓ ସାଧାରଣ ଜନତାଙ୍କ ମଧ୍ୟରେ ଗଭୀର ଚିନ୍ତା ଓ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ଏହା କେବଳ ଏକ ବ୍ୟବସାୟିକ ନୀତି ନୁହେଁ, ବରଂ ପୂର୍ବରୁ ପ୍ରତ୍ୟାହାର ହୋଇଥିବା ତିନୋଟି ବିବାଦୀୟ କୃଷି ଆଇନକୁ ପଛଦ୍ୱାର ଦେଇ ଦେଶରେ ଲାଗୁ କରିବାର ଏକ ସୁପରିକଳ୍ପିତ ରଣନୀତି ବୋଲି ଧରି ନିଆଯାଉଛି ।

 ଐତିହାସିକ କୃଷକ ଆନ୍ଦୋଳନ ଓ କୃଷି ଆଇନର ପ୍ରତ୍ୟାହାର

୨୦୨୦-୨୧ ମସିହାରେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନ ବିରୋଧରେ ଦେଶର ଲକ୍ଷ ଲକ୍ଷ ଚାଷୀ ଦିଲ୍ଲୀ ସୀମାରେ ଦୀର୍ଘ ୧୩ ମାସ ଧରି ଏକ ଐତିହାସିକ ଓ ସ୍ମରଣୀୟ ଆନ୍ଦୋଳନ କରିଥିଲେ । ସେହି ଆନ୍ଦୋଳନରେ ୭୦୦ରୁ ଅଧିକ କୃଷକ ସହିଦ ହୋଇଥିଲେ । ଏହି ଐତିହାସିକ କୃଷକ ଆନ୍ଦୋଳନର ସବୁଠାରୁ ବଡ଼ ଦାବୀ ଥିଲା-ଖାଦ୍ୟ ସଂରକ୍ଷଣ, ସଂଗ୍ରହ ଓ ବଜାର ପ୍ରକ୍ରିୟାକୁ ବଡ଼ ବଡ଼ କର୍ପୋରେଟ୍ ପୁଞ୍ଜିପତିମାନଙ୍କ ହାତକୁ ଟେକିଦେବା ନୀତିକୁ ବିରୋଧ କରିବା । ଚାଷୀ ସଂଗଠନଗୁଡ଼ିକର ଆଶଙ୍କା ଥିଲା ଯେ, ଯଦି ବେସରକାରୀ ସଂସ୍ଥାଗୁଡ଼ିକୁ ଅସୀମିତ ପରିମାଣର ଖାଦ୍ୟଶସ୍ୟ ମହଜୁଦ୍ କରିବାର ଅଧିକାର ମିଳିବ ତେବେ  ସରକାରୀ ମଣ୍ଡି ବ୍ୟବସ୍ଥା ଦୁର୍ବଳ ହେବ ଓ ଦେଶର ସମଗ୍ର କୃଷି ଅର୍ଥନୀତି କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତିଙ୍କ ନିୟନ୍ତ୍ରଣକୁ ଚାଲିଯିବ ।

ତେବେ ଚାଷୀଙ୍କ ଦୃଢ଼ ଇଚ୍ଛାଶକ୍ତି, ବଳିଦାନ ଏବଂ  ଆନ୍ଦୋଳନ ଆଗରେ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା । ଶେଷରେ ସ୍ୱୟଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ସେହି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ ଏବଂ ସଂସଦରେ ଏହା ବାତିଲ ହୋଇଥିଲା । ସେତେବେଳେ ସରକାର ଚାଷୀ ସଂଗଠନଗୁଡ଼ିକୁ ପ୍ରତିଶ୍ରୁତି ଦେଇଥିଲେ ଯେ କୃଷକମାନଙ୍କ ସ୍ୱାର୍ଥବିରୋଧୀ କୌଣସି ପଦକ୍ଷେପ ନିଆଯିବ ନାହିଁ । ମାତ୍ର ବର୍ତ୍ତମାନର ସ୍ଥିତି ଦେଖିଲେ ମନେହୁଏ, ଚାଷୀଙ୍କୁ ଦେଇଥିବା ସେହି ପ୍ରତିଶ୍ରୁତି କେବଳ ପ୍ରତାରଣାପୂର୍ଣ୍ଣ ଥିଲା । ଦିଲ୍ଲୀ କୃଷକ ଆନେ୍ଦାଳନର ପ୍ରତ୍ୟାହାର ହେବାର ଏକବର୍ଷ ପରେ ମୋଦୀ ସରକାର ମଇ ୨୦୨୨ରେ ଘରୋଇ ସଂସ୍ଥାଦ୍ୱାରା ସାଇଲୋଗୁଡ଼ିକୁ ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ।

‘ହବ୍ ଆଣ୍ଡ୍ ସ୍ପୋକ୍’ ସାଇଲୋ ଯୋଜନା : କର୍ପୋରେଟ୍ ଏକାଧିପତ୍ୟର ଚିତ୍ର

କେନ୍ଦ୍ର ସରକାରଙ୍କ କୋଡ଼ିଏହଜାର କୋଟି ଟଙ୍କାର “ହବ୍ ଆଣ୍ଡ୍ ସ୍ପୋକ୍’ ସାଇଲୋ ଆଧୁନିକୀକରଣ ଯୋଜନା (Hub and Spoke Silo Modernisation Scheme) ) କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହା ଅଧୀନରେ ପ୍ରସ୍ତାବିତ ୬୦ଲକ୍ଷ ମେଟ୍ରିକ ଟନ୍ ଶସ୍ୟ ସଂରକ୍ଷଣ କ୍ଷମତା ମଧ୍ୟରୁ ପ୍ରାୟ ୪୬.୫ଲକ୍ଷ ମେଟ୍ରିକ ଟନ୍ ଅର୍ଥାତ୍ ପ୍ରାୟ ୮୦ପ୍ରତିଶତ କ୍ଷମତା କେବଳ ଦୁଇଟି ପ୍ରମୁଖ ଘରୋଇ କମ୍ପାନୀ, ‘ଆଦାନୀ ଏଗ୍ରୀ ଲଜିଷ୍ଟିକ୍ସ ଲିମିଟେଡ୍’ ଏବଂ ‘ଲିପ୍ ଇଣ୍ଡିଆ ଫୁଡ୍ ଆଣ୍ଡ୍ ଲଜିଷ୍ଟିକ୍ସ ପ୍ରାଇଭେଟ ଲିମିଟେଡ୍’କୁ ହସ୍ତାନ୍ତର କରାଯାଇଛି । ସମୁଦାୟ ପ୍ରଦାନ କରାଯାଇଥିବା ୧୩୪ଟି ଚୁକ୍ତିନାମା ମଧ୍ୟରୁ ୧୧୦ଟି ଚୁକ୍ତି କେବଳ ଏହି ଦୁଇଟି କର୍ପୋରେଟ୍ ସଂସ୍ଥା ହାତକୁ ଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ)ର ‘ହବ୍ ଆଣ୍ଡ୍ ସ୍ପୋକ୍’ (Hub and Spoke)  ମଡେଲ୍ ହେଉଛି ଶସ୍ୟ ସାଇତିବା ଓ ପରିବହନ କରିବାର ଏକ ନୂଆ ବ୍ୟବସ୍ଥା, ଯେଉଁଠି ‘ହବ୍’ କୁହାଯାଉଥିବା ଏକ ପ୍ରମୁଖ କେନ୍ଦ୍ରୀୟ ଡିପୋରେ ବଡ଼ ଧରଣର ସାଇଲୋ (Silos) ବା ଗୋଦାମ ରହିଥାଏ । ଏହି କେନ୍ଦ୍ରୀୟ ହବ୍ ସହିତ ରେଳ ବା ସଡ଼କ ପଥଦ୍ୱାରା ସେହି ପ୍ରଦେଶ ଅବା ଜିଲ୍ଲାରେ ଥିବା ଛୋଟ ଛୋଟ ସାଇଲୋ ବା ଗୋଦାମଗୁଡ଼ିକ (ସ୍ପୋକ) ସଂଯୁକ୍ତ ହୋଇଥାନ୍ତି । ଦେଶର ସମୁଦାୟ ୨୪୯ ସ୍ଥାନରେ ଏହି ଆଧୁନିକ ସାଇଲୋ ନିର୍ମାଣ ହେବାର ପ୍ରସ୍ତାବ ରହିଛି, ତନ୍ମଧ୍ୟରୁ ଏପର୍ଯ୍ୟନ୍ତ ୧୩୪ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଭାରତୀୟ ଖାଦ୍ୟ ନିଗମର “ହବ୍ ଆଣ୍ଡ ସ୍ପୋକ୍’ ସାଇଲୋ ପ୍ରକଳ୍ପରେ ଯେପରି କିଛି ନିର୍ଦ୍ଦିଷ୍ଟ କର୍ପୋରେଟ୍ କମ୍ପାନୀଗୁଡ଼ିକ ସହଜରେ ଏକାଧିପତ୍ୟ ବିସ୍ତାର କରିପାରିବେ, ସେଥିପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା । ଏହି କାରଣରୁ ଟେଣ୍ଡର ପ୍ରକ୍ରିୟା ଏବଂ ମଡେଲ୍ କନସେସନ ଚୁକ୍ତିନାମାରୁ କେତେକ ପ୍ରମୁଖ ଏକଚାଟିଆ କାରବାର-ବିରୋଧୀ(Anti-monopoly) ନିୟମ ଓ ସୁରକ୍ଷା କବଚକୁ କୋହଳ କରାଯାଇଥିଲା କିମ୍ବା ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇ ଥିଲା । ଟେଣ୍ଡର ପ୍ରକ୍ରିୟାର ନିୟମାବଳୀକୁ ଏପରି ଭାବେ ପରିବର୍ତ୍ତନ କରାଯାଇଥିଲା, ଯେପରି କୌଣସି ମଧ୍ୟମ ଧରଣର ଭାରତୀୟ ୱେୟାର ହାଉସିଂ କମ୍ପାନୀ, ସରକାରୀ ସମବାୟ ସମିତି କିମ୍ବା ପବ୍ଲିକ ସେକ୍ଟର ଅର୍ଗାନାଇଜେସନ ଏଥିରେ ଭାଗ ନେଇପାରିବେ ନାହିଁ ।

ନୀତି ଆୟୋଗ ଏବଂ ଆର୍ଥିକ ବ୍ୟାପାର ବିଭାଗ (DEA)ର ଅନୁମୋଦନ କ୍ରମେ ହଟାଯାଇଥିବା ଅବା ପରିବର୍ତ୍ତନ କରାଯାଇଥିବା ସେହି ମୁଖ୍ୟ ନିୟମଗୁଡ଼ିକ ଆସନ୍ତୁ ଅନୁଧ୍ୟାନ କରିବା ।

 -ସର୍ବାଧିକ ବଣ୍ଟନ ସୀମା (Caping on Maximum Allocation) ନିୟମକୁ ହଟାଇବା ପୂର୍ବରୁ ସରକାରୀ ପ୍ରକଳ୍ପଗୁଡ଼ିକରେ ଏକ ନିୟମ ରହୁଥିଲା ଯେ, କୌଣସି ଗୋଟିଏ କମ୍ପାନୀ ବା କନସୋର୍ଟିୟମ୍ (ସଂଗଠନ) ସମୁଦାୟ ଜାତୀୟ କ୍ଷମତାର ଏକ ନିର୍ଦ୍ଦିଷ୍ଟ ଶତାଂଶ (ଯେପରିକି ୨୦% କିମ୍ବା ୨୫%)ରୁ ଅଧିକ ଚୁକ୍ତି ହାସଲ କରିପାରିବେ ନାହିଁ । ଏହି ନିୟମଯୋଗୁଁ ଗୋଟିଏ କମ୍ପାନୀ ସାରାଦେଶର ବ୍ୟବସ୍ଥାକୁ ନିୟନ୍ତ୍ରଣ କରିପାରୁନଥିଲା । ମାତ୍ର ବର୍ତ୍ତମାନର ଟେଣ୍ଡରରେ ଏହି ସର୍ବାଧିକ ସୀମା ବା କ୍ୟାପିଂ (Caping) ନିୟମକୁ ହଟାଇ ଦିଆଗଲା । ଫଳରେ ଆଦାନୀ ଆଗ୍ରୀ ଲଜିଷ୍ଟିକ୍ସ ଭଳି ବୃହତ କମ୍ପାନୀଗୁଡ଼ିକ ଏକାକୀ ପ୍ରାୟ ୮୦% ଚୁକ୍ତି ହାସଲ କରିବାକୁ ସକ୍ଷମ ହୋଇଛନ୍ତି ।

-ବୃହତ ପ୍ୟାକେଜିଂ ବ୍ୟବସ୍ଥା (Clustering of Tenders)- ଏହା ଏକ ପରୋକ୍ଷ କିନ୍ତୁ ଅତି ପ୍ରଭାବଶାଳୀ ରଣନୀତି । ସାଇଲୋ ନିର୍ମାଣର ଟେଣ୍ଡରଗୁଡ଼ିକୁ ଛୋଟ ଛୋଟ ଜିଲ୍ଲା କିମ୍ବା ଆଞ୍ଚଳିକ ସ୍ତରରେ ନକରି, ସରକାର ଅନେକଗୁଡ଼ିଏ ସାଇଲୋକୁ ମିଶାଇ ଗୋଟିଏ ବଡ଼ ‘କ୍ଲଷ୍ଟର’ ବା ପ୍ୟାକେଜ୍ ପ୍ରସ୍ତୁତ କଲେ । ଏହି ଗୋଟିଏ ଗୋଟିଏ ପ୍ୟାକେଜ୍ର ମୂଲ୍ୟ ପ୍ରାୟ ୩,୦୦୦ରୁ ୪,୦୦୦କୋଟି ଟଙ୍କା ରଖାଗଲା । ଏହାଦ୍ୱାରା ମଧ୍ୟମ ଧରଣର ଭାରତୀୟ ୱେୟାର ହାଉସିଂ କମ୍ପାନୀ କିମ୍ବା ରାଜ୍ୟ ସରକାରଙ୍କ ସମବାୟ ସମିତିଗୁଡ଼ିକ ସେମାନଙ୍କ ସୀମିତ ଆର୍ଥôକ କ୍ଷମତାଯୋଗୁଁ ଆପେ ଆପେ ଏହି ପ୍ରତିଯୋଗିତାରୁ ବାଦ୍ ପଡ଼ିଗଲେ ।

-ଆର୍ଥôକ ଯୋଗ୍ୟତା ମାପଦଣ୍ଡ (Financial Turnover Criteria)ର ବୃଦ୍ଧି ଟେଣ୍ଡରରେ ଭାଗ ନେବାପାଇଁ କମ୍ପାନୀର ବାର୍ଷିକ କାରବାର (Turnover) ଏବଂ ନେଟ୍-ୱର୍ଥ ( Net Worth)ର ସୀମାକୁ ଅହେତୁକ ଭାବେ ବଢ଼ାଇ ଦିଆଗଲା । ଯେଉଁ ନିୟମ ପୂର୍ବରୁ ସ୍ଥାନୀୟ ବା ମଧ୍ୟମ ବ୍ୟବସାୟୀଙ୍କୁ ସୁଯୋଗ ଦେଉଥିଲା, ତାକୁ ପରିବର୍ତ୍ତନ କରି ଏଭଳି କଠୋର କରାଗଲା ଯେ କେବଳ କିଛି ହାତଗଣତି କର୍ପୋରେଟ୍ମାନେ ହିଁ ସେହି ଯୋଗ୍ୟତା ହାସଲ କରିପାରିବେ ।

‘ଅଭିଜ୍ଞତା ପ୍ରମାଣପତ୍ର’ ନିୟମରେ କୋହଳତା (Technical Experience Relaxation)

ପୂର୍ବ ନିୟମ ଅନୁସାରେ, ଖାଦ୍ୟ ଶସ୍ୟ ସଂରକ୍ଷଣ ଏବଂ କୃଷି ଲଜିଷ୍ଟିକ୍ସ କ୍ଷେତ୍ରରେ ଦୀର୍ଘବର୍ଷର ପ୍ରତ୍ୟକ୍ଷ ଅଭିଜ୍ଞତା ଥିବା କମ୍ପାନୀକୁ ହିଁ ପ୍ରାଥମିକତା ଦିଆଯାଉ ଥିଲା । ମାତ୍ର ଆଦାନୀ ଭଳି ବଡ଼ କମ୍ପାନୀଗୁଡ଼ିକୁ ସୁହାଇବା ପାଇଁ ଏହି ବୈଷୟିକ ଅଭିଜ୍ଞତା ନିୟମକୁ କୋହଳ କରାଗଲା । ଯଦି କୌଣସି କମ୍ପାନୀର ଅନ୍ୟ ଭିତ୍ତିଭୂମି (ଯେପରିକି ବନ୍ଦର, ବିମାନବନ୍ଦର କିମ୍ବା ସଡ଼କ ନିର୍ମାଣ)ରେ ବଡ଼ ଆର୍ଥôକ ଅଭିଜ୍ଞତା ଥାଏ, ତେବେ ତାକୁ ମଧ୍ୟ ଶସ୍ୟ ସାଇଲୋ ଟେଣ୍ଡର ପାଇଁ ଯୋଗ୍ୟ ବିବେଚିତ କରାଗଲା ।

ଦୀର୍ଘକାଳୀନ  ସୁରକ୍ଷା (Long-term Exclusivity and Guarantee)

ମଡେଲ୍ ଚୁକ୍ତିନାମାରୁ ସରକାରୀ ନିୟନ୍ତ୍ରଣର କେତେକ କଠୋର ସର୍ତ୍ତ ହଟାଇ ଦିଆଯାଇ କମ୍ପାନୀଗୁଡ଼ିକୁ ଦୀର୍ଘ ୩୦ବର୍ଷ ପର୍ଯ୍ୟନ୍ତ ଏହି ସାଇଲୋ ପରିଚାଳନାର ଏକଚାଟିଆ ଅଧିକାର ଦିଆଗଲା । ଏଥିସହିତ, ଯଦି ସରକାର କୌଣସି କାରଣରୁ ନିଶ୍ଚିତ ପରିମାଣର ଶସ୍ୟ ସେହି ସାଇଲୋରେ ନ ରଖନ୍ତି, ତେବେ ମଧ୍ୟ ସରକାର କମ୍ପାନୀକୁ ଏକ ନିଶ୍ଚିତ ଶୁଳ୍କ (Minimum Guaranteed Fee)  ପ୍ରଦାନ କରିବେ ବୋଲି ନିୟମ ରହିଛି । ଏହି ସୁରକ୍ଷା ପ୍ରାବଧାନ ବଡ଼ କମ୍ପାନୀଗୁଡ଼ିକୁ ବିନା କୌଣସି ବ୍ୟବସାୟିକ ବିପଦ (Risk)ରେ ସରକାରୀ ପାଣ୍ଠି ଲୁଟ୍ କରିବାର ସୁବିଧା କରି ଦିଆଯାଇଛି ।

ଏଠାରେ ଆଦାନୀ ଭଳି କିଛି ନିର୍ଦ୍ଦିଷ୍ଟ କମ୍ପାନୀଙ୍କୁ ସୁବିଧା ପହଞ୍ଚାଇବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ପରିବର୍ତ୍ତନରେ ନୀତି ଆୟୋଗ (NITI Aayog) ଏବଂ ଆର୍ଥôକ ବ୍ୟାପାରବିଭାଗର ଭୂମିକା ସ୍ପଷ୍ଟ ହୋଇପଡ଼ୁଛି । ଅନୁମୋଦନ ପ୍ରକ୍ରିୟାରେ ଏକଚାଟିଆ କାରବାର-ବିରୋଧୀ ପ୍ରାବଧାନଗୁଡ଼ିକୁ କୋହଳ କରାଯିବା ଫଳରେ ବଡ଼ କର୍ପୋରେଟ୍ ଗୋଷ୍ଠୀଗୁଡ଼ିକ ପାଇଁ ଏହି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବା ସହଜ ହୋଇପଡ଼ିଛି । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୮୦ ସାଇଲୋ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ୭୦ଟି କେବଳ ଆଦାନୀ ଏଗ୍ରୀ ଲଜିଷ୍ଟିକ୍ସ ଲିମିଟେଡ ହାତେଇ ନେଇଥିଲା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ୨୦ଟି ସାଇଲୋର ଟେଣ୍ଡର ଏହି କମ୍ପାନୀ ହାତକୁ ଯାଇଛି ।

ବନ୍ଦର, ବିମାନବନ୍ଦର, ଖଣି,ବକ୍ସାଇଟ ଉତ୍ତୋଳନ, ଶକ୍ତି, ଅକ୍ଷୟ ଶକ୍ତି, ଖାଇବା ତେଲ, ଗଣମାଧ୍ୟମ, ଡିଜିଟାଲ କ୍ଷେତ୍ର,ଯୁଦ୍ଧାସ୍ତ୍ର ଉପାଦାନ, ସିମେଣ୍ଟ ଆଦି ପରେ ଏହି ଟେଣ୍ଡର ଯୋଗୁଁ ଆଦାନୀ ସାମ୍ରାଜ୍ୟ ଏବେ ଖାଦ୍ୟଶସ୍ୟ କ୍ଷେତ୍ରରେ ନିଜର ବ୍ୟବସାୟିକ ସାମ୍ରାଜ୍ୟକୁ ବିସ୍ତାର କରିଛି । ଇତିମଧ୍ୟରେ ବିହାରର ଦରଭଙ୍ଗା ଖଗରିଆ, ସମସ୍ତିପୁର, ପଞ୍ଜାବର ମୋଲାଉଟ ଆଦି ସ୍ଥାନରେ ଆଦାନୀ ଏଗ୍ରି ଆଣ୍ଡ୍ ଲଜିଷ୍ଟିକ ଲିମିଟେଡର ନୂଆ ସାଇଲୋଗୁଡ଼ିକ ଖାଦ୍ୟଶସ୍ୟ ସଂଗ୍ରହ ଆରମ୍ଭ କରିଦେଇଛନ୍ତି ।

ଏହା କୃଷକ ଓ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ଖାଦ୍ୟ ଶସ୍ୟର ସଂରକ୍ଷଣ ଏବଂ ପରିବହନ ବ୍ୟବସ୍ଥା କିଛି ହାତଗଣତି କର୍ପୋରେଟ୍ କମ୍ପାନୀଙ୍କ ହାତକୁ ଗଲେ, ତାହା ଭାରତର କୃଷି ଅର୍ଥନୀତି ଓ ଚାଷୀମାନଙ୍କ ପାଇଁ ବଡ଼ ସଙ୍କଟ ଆଣିଦେବ । ଏହାର ସୁଦୂରପ୍ରସାରୀ ନକାରାତ୍ମକ ପ୍ରଭାବଗୁଡ଼ିକ ବିଷୟରେ ଆସନ୍ତୁ ନଜର ପକାଇବା ।

ଦେଶର ଶସ୍ୟ ସଂରକ୍ଷଣ କ୍ଷମତାର ୮୦% ଭାଗ ଦୁଇଟି ଘରୋଇ କମ୍ପାନୀଙ୍କ ନିୟନ୍ତ୍ରଣରେ ରହିବା ଯୋଗୁଁ ସରକାରଙ୍କର ଶସ୍ୟକ୍ରୟ ବା ସଂଗ୍ରହ ପ୍ରକ୍ରିୟା ଧୀରେ ଧୀରେ ଦୁର୍ବଳ ହୋଇଯିବ । ଏହି ହବ୍ ଆଣ୍ଡ ସ୍ପୋକ୍ ବ୍ୟବସ୍ଥାରେ ସ୍ପୋକ୍ଗୁଡ଼ିକ ସରକାରୀ ମଣ୍ଡିର ବିକଳ୍ପ ଭାବେ କାମ କରିବ ଓ ଚାଷୀଙ୍କ ଠାରୁ ସିଧା ସଳଖ ଶସ୍ୟ ସଂଗ୍ରହ କରିବ । ଏହା ଫଳରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବ୍ୟବସ୍ଥା ବିପନ୍ନହେବାର ଆଶଙ୍କା ରହିଛି । ସରକାରଙ୍କ ନିଜସ୍ୱ ସଂରକ୍ଷଣ ଓ ଗୋଦାମ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀଙ୍କୁ ଗୋଦାମର ଅଭାବ ଦେଖାଇ କର୍ପୋରେଟ୍ ନିୟନ୍ତ୍ରିତ ସାଇଲୋ ଉପରେ ନିର୍ଭର କରିବାକୁ ବାଧ୍ୟ କରାଯିବ ।

ଏହା ସର୍ବଜନବିଦିତ ଯେ ବୃହତ୍ କମ୍ପାନୀଗୁଡ଼ିକ ନିଜର ଲାଭକୁ ସର୍ବାଧିକ କରିବା ପାଇଁ କାର୍ଯ୍ୟ କରନ୍ତି । କୃଷକଙ୍କ ସ୍ୱାର୍ଥ ଅପେକ୍ଷା ମୁନାଫା ସେମାନଙ୍କ ପାଇଁ ସବୁକିଛି । ଗୁଣବତ୍ତା ଓ ଅନ୍ୟ ବାହାନାରେ ଚାଷୀଙ୍କ  ଶସ୍ୟ ସଂଗ୍ରହ କରିବାରେ ବିଳମ୍ବ କରାଯାଇ ଚାଷୀଙ୍କୁ ଅଭାବୀ ବିକ୍ରି ପରିସ୍ଥିତିକୁ ଠେଲି ଦିଆଯିବ ।

ଏତଦ୍ ବ୍ୟତୀତ ଏହା ଦେଖାଯାଇଛି ଯେ ଖାଦ୍ୟ ପଦାର୍ଥର ସଂରକ୍ଷଣ କ୍ଷମତା କୌଣସି ବେସରକାରୀ ସଂସ୍ଥାର ଏକଚାଟିଆ ଅଧିକାରକୁ ଚାଲି ଆସିଲେ, ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହେବାର ସମ୍ଭାବନା ବଢ଼ିଯାଏ । କର୍ପୋରେଟ୍ ସଂସ୍ଥାଗୁଡ଼ିକ ଶସ୍ୟ ସଂଗ୍ରହକରି ମହଜୁଦ୍ କରି ରଖିବେ ଏବଂ ବଜାରରେ ଦରଦାମ ବୃଦ୍ଧି ହେବା ପରେ ତାକୁ ଅଧିକ ମୂଲ୍ୟରେ ବିକ୍ରି କରି ମୁନାଫା କମାଇବେ । ଏହାଦ୍ୱାରା କେବଳ ଚାଷୀ ନୁହେଁ, ବରଂ ସାଧାରଣ ଗରିବ ଗ୍ରାହକ ମଧ୍ୟ ଶୋଷଣର ଶିକାର ହେବେ । ମୋଟାମୋଟି ଭାବେ ଏହା ବଜାରରେ କୃତ୍ରିମ ଅଭାବ ଓ କଳାବଜାରୀ ସୃଷ୍ଟି କରିବ ।

ବୃହତ କର୍ପୋରେଟ ସଂସ୍ଥା ଖାଦ୍ୟ ସଂରକ୍ଷଣ ଉପରେ ଏକଚାଟିଆ କାରବାର କଲେ ଭବିଷ୍ୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହେବ । ଭାରତରେ କୋଟି କୋଟି ଗରିବ ପରିବାର, କୃଷି ଶ୍ରମିକ ଓ ଦିନମଜୁରିଆ ସରକାରଙ୍କ ରାସନ ବ୍ୟବସ୍ଥା ବା ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ନିର୍ଭର କରନ୍ତି । ଏହି ନୂଆ ବ୍ୟବସ୍ଥା କ୍ରମେ ଘରୋଇ ସଂରକ୍ଷଣ ବ୍ୟବସ୍ଥାକୁ ମଜଭୂତ କରିବ ଓ ଭାରତୀୟ ଖାଦ୍ୟ ନିଗମର ଶସ୍ୟ ଉପରେ ସରକାର ନିଜର ସାର୍ବଭୌମତ୍ୱ ହରାଇବେ । ତେବେ ଭବିଷ୍ୟତରେ ଗରିବ ଲୋକଙ୍କୁ ମାଗଣା ବା ସ୍ୱଳ୍ପ ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇବା ପାଇଁ ସରକାରଙ୍କୁ ଆଦାନୀଭଳି କମ୍ପାନୀ ଉପରେ ନିର୍ଭର କରିବାକୁ ପଡ଼ିବ । ସାଧାରଣ ବଣ୍ଟନ ବ୍ୟବସ୍ଥା ଜାରି ରଖିବା କଷ୍ଟକର ହୋଇପଡ଼ିବ । ଏହା ଦେଶର ସାମଗ୍ରିକ ଖାଦ୍ୟ ସୁରକ୍ଷା ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

ମେକ୍ସିକୋର ଅନୁଭବ : ଖାଦ୍ୟଶସ୍ୟ ବ୍ୟବସ୍ଥାରେ କର୍ପୋରେଟ୍ ପ୍ରଭାବର ପରିଣାମ

ମେକ୍ସିକୋର ଅନୁଭବ ଦେଖାଏ ଯେ ଖାଦ୍ୟଶସ୍ୟ କ୍ରୟ, ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାରୁ ରାଷ୍ଟ୍ର ପଛକୁ ହଟିଲେ କୃଷକ ଓ ଖାଦ୍ୟ ସୁରକ୍ଷା ଗୁରୁତର ଭାବେ ପ୍ରଭାବିତ ହୁଏ । ୧୯୯୦ ଦଶକରେ ସରକାରୀ ସଂସ୍ଥା CONASUPO (ଭାରତର ଏଫ୍ସିଆଇ ପରି)ବିଲୋପ ପରେ ଶସ୍ୟ ସଂରକ୍ଷଣ ଓ ବଣ୍ଟନ କ୍ଷେତ୍ରରେ Cargill, Maseca (Gruma)  ଓ MINSA   ଭଳି ବଡ଼ କମ୍ପାନୀମାନଙ୍କ ପ୍ରଭାବ ଦ୍ରୁତଭାବେ ବଢ଼ିଥିଲା । ମକା ଅଟା ପରି ଖାଦ୍ୟଶସ୍ୟ ବଜାରର ବଡ଼ ଅଂଶ କେବଳ ଦୁଇଟି କମ୍ପାନୀର ନିୟନ୍ତ୍ରଣକୁ ଚାଲି ଯାଇଥିଲା ।

ସରକାରୀ କ୍ରୟ ବ୍ୟବସ୍ଥା ହଟିଯିବାରୁ କ୍ଷୁଦ୍ର କୃଷକମାନେ ବେସରକାରୀ ବ୍ୟବସାୟୀଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିଥିଲେ । NAFTA  (ଉତ୍ତର ଆମେରିକା ମୁକ୍ତ ବାଣିଜ୍ୟ ରାଜିନାମା)ରେ ମେକ୍ସିକୋ ଯୋଗ ଦେବା ପରେ ମକାର ଦର ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ କମିଥିଲା, ଯାହା ଲକ୍ଷ ଲକ୍ଷ କ୍ଷୁଦ୍ର କୃଷକଙ୍କ ଜୀବିକାକୁ ପ୍ରଭାବିତ କରିଥିଲା । ଏହା ସହ ଗ୍ରାମୀଣ ଆୟ ହ୍ରାସ, ଦାରିଦ୍ର୍ୟ ବୃଦ୍ଧି ଓ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ଦେଖା ଦେଇଥିଲା ।

ଏହି ନୀତିର ପରିଣାମରେ ମେକ୍ସିକୋ ଖାଦ୍ୟଶସ୍ୟ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଥିଲା ଏବଂ ଅନେକ କ୍ଷୁଦ୍ର କୃଷକ କୃଷି ଛାଡ଼ି ସହର କିମ୍ବା ବିଦେଶକୁ ଜୀବିକା ଖୋଜିବାକୁ ବାଧ୍ୟ ହୋଇଥିଲେ । ଆଜି ମଧ୍ୟ ମେକ୍ସିକୋର କୃଷିକ୍ଷେତ୍ରରେ ଗ୍ରାମୀଣ ଦାରିଦ୍ର୍ୟ ଓ ଆୟ ବୈଷମ୍ୟ ଗୁରୁତର ସମସ୍ୟା ଭାବେ ରହିଛି ।

ମିଳିତ କୃଷକ ଆନ୍ଦୋଳନ ହିଁ ଏକମାତ୍ର ରାସ୍ତା

ଖାଦ୍ୟ ସଂରକ୍ଷଣ ବ୍ୟବସ୍ଥାର ଆଧୁନିକୀକରଣ ହେବା ଜରୁରୀ, ଏଥିରେ କୌଣସି ଦ୍ୱିମତ ନାହିଁ । ବର୍ଷବର୍ଷ ଧରି ଖୋଲା ଆକାଶ ତଳେ ଏଫ୍ସିଆଇର ଲକ୍ଷ ଲକ୍ଷ ଟନ୍ ଶସ୍ୟ ନଷ୍ଟ ହେବା ଆଦୌ ଗ୍ରହଣୀୟ ନୁହେଁ । ମାତ୍ର ଏହାର ସମାଧାନ ସମଗ୍ର ବ୍ୟବସ୍ଥାକୁ ଘରୋଇ କମ୍ପାନୀ ହାତକୁ ଟେକିଦେବା ନୁହେଁ । ରାଷ୍ଟ୍ରର ସୁରକ୍ଷା ଓ ସାର୍ବଭୌମତ୍ୱ ଭଳି ଦେଶର ‘ଖାଦ୍ୟ ସୁରକ୍ଷା’ ମଧ୍ୟ ସରକାରଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବା ଉଚିତ ।

ସରକାର ବେସରକାରୀ କମ୍ପାନୀଗୁଡ଼ିକୁ ହଜାର ହଜାର କୋଟି ଟଙ୍କାର ଚୁକ୍ତି ଦେବା ପରିବର୍ତ୍ତେ, ଏଫ୍ସିଆଇର ନିଜସ୍ୱ ଭିତ୍ତିଭୂମିର ବିକାଶ ପାଇଁ ସିଧାସଳଖ ସରକାରୀ ପୁଞ୍ଜିନିବେଶ (Direct Public Investment) କରିବା ଆବଶ୍ୟକ । ସରକାରୀ ସମବାୟ ସମିତି ଏବଂ ଆଞ୍ଚଳିକ ସ୍ତରରେ ଗୋଦାମ ଗୃହ ନିର୍ମାଣ କରି ଚାଷୀଙ୍କୁ ଏହାର ଅଂଶୀଦାର କରାଯାଇପାରିବ ।

ପୂର୍ବରୁ କୃଷିଆଇନକୁ ନେଇ ସୃଷ୍ଟି ହୋଇଥିବା ଆନ୍ଦୋଳନ ସାରା ଦେଶ ଦେଖିଛି । ତେଣୁ ଆଜି ସରକାର ପଛଦ୍ୱାର ଦେଇ ସେହି ସମାନ ନୀତିକୁ ଆପଣାଇଛନ୍ତି; ସରକାର ଦେଶବାସୀ ଓ ଚାଷୀମାନଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି । ଏହା କେବଳ ଏକ ଟେଣ୍ଡର ବା ଭିତ୍ତିଭୂମି ପ୍ରକଳ୍ପର ପ୍ରଶ୍ନ ନୁହେଁ; ଏହା ଦେଶର ଖାଦ୍ୟ ସାର୍ବଭୌମତ୍ୱ, କୃଷକଙ୍କ ଜୀବିକା, ସରକାରୀ ଶସ୍ୟ ସଂଗ୍ରହ ବ୍ୟବସ୍ଥା ଏବଂ କୋଟି କୋଟି ଗରିବ ଲୋକଙ୍କ ଖାଦ୍ୟ ଅଧିକାର ଉପରେ ଏକ ସୁପରିକଳ୍ପିତ କର୍ପୋରେଟ୍ ଆକ୍ରମଣ । ଏହି ଆକ୍ରମଣର ପ୍ରକୃତ ଚରିତ୍ର ଏବଂ ଏହାର ସମ୍ଭାବ୍ୟ ପରିଣାମକୁ ବୁଝିବାକୁ ପଡ଼ିବ ଓ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ ।

ଏହି ବୃହତ ପୁଞ୍ଜିପତି ନିୟନ୍ତ୍ରିତ ସାଇଲୋ ଚୁକ୍ତିଗୁଡ଼ିକୁ ରଦ୍ଦ କରାଯିବା ସହ କଠୋର ଏକଚାଟିଆ କାରବାର-ବିରୋଧୀ ନିୟମକୁ ଲାଗୁ କରିବା ଆଜିର ସମୟର ଦାବି । ଦେଶର କୃଷକ, କୃଷି ଶ୍ରମିକ ଏବଂ ସର୍ବସାଧାରଣଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି କର୍ପୋରେଟ୍ ନିୟନ୍ତ୍ରଣ ବିରୋଧରେ ସମସ୍ତ ଗଣତାନ୍ତ୍ରିକ ଶକ୍ତି ଓ କୃଷକ ସଂଗଠନ ଏକଜୁଟ ହୋଇ ପୁଣିଥରେ ଦୁର୍ବାର ମିଳିତ କୃଷକ ଆନେ୍ଦାଳନ ଠିଆ କରିବାର ଆବଶ୍ୟକତା ରହିଛି ।

 

 

Contact: ୬୩୭୦୫୯୨୦୦୨//srikantaaguan@gmail.com

Comments

0 comments

Share This Article