ଭୂ-ରାଜନୀତି ଓ ସାମ୍ପ୍ରତିକ ବିଶ୍ଵ  ପରିସ୍ଥିତି

( ସାଥି ଶିବରାମ ଥିଲେ ବିସ୍ଥାପିତ, ସର୍ବହରା ଓ ବସ୍ତି ବାସିନ୍ଦାଙ୍କ ଜଣେ ବିଶ୍ଵସ୍ଥ ସାଥି ଏବଂ ଆଗ ଧାଡିର ଯୋଦ୍ଧା। କୋଭିଡ ମହାମାରୀ ସମୟରେ ଭୟଙ୍କର ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକଙ୍କ ସେବା ରେ ନିୟୋଜିତ ଥିବା ବେଳେ covid ସଂକ୍ରମଣରେ ଆକ୍ରାନ୍ତ ହୋଇ ସରକାରଙ୍କ ନିର୍ଦ୍ଧାରିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଅବେଳରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା, ଯାହା ଏବେବି ଅପୂରଣୀୟ ରହିଛି। ପ୍ରତି ବର୍ଷ ଶିବରାମଙ୍କ ସଂଗ୍ରାମୀ ସାଥିମାନେ ତାଙ୍କ ସ୍ମୃତି ଦିବସରେ ଆଲୋଚନା ଆୟୋଜିତ କରିଥାନ୍ତି । ଏବର୍ଷ ସେମାନେ ‘ଭୂ-ରାଜନୀତି ଓ ସାମ୍ପ୍ରତିକ ବିଶ୍ଵ  ପରିସ୍ଥିତି‘ ଉପରେ ବକ୍ତବ୍ୟ ରଖିବା ପାଇଁ ପ୍ରଫେସର ବୀରେନ୍ଦ୍ର ନାୟକଙ୍କୁ ଅନୁରୋଧ କରିଥିଲେ । ଆମ ଭିତରୁ ତାଙ୍କୁ ପ୍ରଥମେ ଡ଼କ୍ଟର ବୀରେନ୍ଦ୍ର ନାୟକ ଜାଣିଥିଲେ ଯେତେବେଳେ ତିନି ଦଶନ୍ଧି ପୂର୍ବେ ବ୍ରହ୍ମପୁର ଠାରେ ‘ଓଡିଶା ଗବେଷଣା ଚକ୍ର’ର ଦ୍ଵିତୀୟ ବାର୍ଷିକ ଅଧିବେଶନ ଆୟୋଜିତ ହେଇଥିଲା ।)

ବନ୍ଧୁଗଣ,

ଆପଣମାନେ କମ୍ରେଡ  ଶିବରାମଙ୍କ ସ୍ମୃତିରେ ବକ୍ତୃତାର ଆୟୋଜନକରି ମୋତେ ଏହି ସ୍ମାରକୀ ବକ୍ତୃତା ଦେବା ପାଇଁ ସୁଯୋଗ ଦେଇଥିବାରୁ ଏହାର ଆୟୋଜକଙ୍କୁ ମୁଁ କୃତଜ୍ଞତା ଜଣାଉଛି । ତେବେ ଏହି ବିଷୟ ଉପରେ ମୋର ସେପରି ଅଧ୍ୟୟନ ନାହିଁ ଯେପରି ଜଣେ ବିଶେଷଜ୍ଞର ହୋଇଥାଏ । ତେଣୁ ମୁଁ ଯେପରି ବୁଝିଛି ସେହି ଭଳି ଭାବେ ଆପଣମାନଙ୍କ ସମ୍ମୁଖରେ ମୋର ବକ୍ତବ୍ୟ ଉପସ୍ଥାପିତ କରିବି । ପ୍ରଥମେ କେତୋଟି ଘଟଣାର ଅବତରଣା କରିବି ଯାହା ଏହି ବିଷୟବସ୍ତୁର ଉଦାହରଣ ବୋଲି ପରେ କୁହାଯାଇ ପାରେ ।

ଭେନେଜୁଏଲା    

ଏହି ବର୍ଷ ଆରମ୍ଭ ହୋଇଛି ଏକ ଅଭୂତପୂର୍ବ ଘଟଣାରୁ । ଗୋଟିଏ ଦେଶର ନିର୍ବାଚିତ ରାଷ୍ଟ୍ରପତିର ଅପହରଣରୁ । ଜାନୁଆରୀ ୩ ତାରିଖ(୨୦୨୬) ଭୋର ୨ ଟା ସମୟରେ ଭେନେଜୁଏଲାର ରାଷ୍ଟ୍ରପତି Nicolas Maduroଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟ ତାଙ୍କୁ ତାଙ୍କର ସ୍ତ୍ରୀଙ୍କ ସହ ଉଠାଇ ନେଇଛି, ରାଜଧାନୀ Caracasରେ ଥିବା ରାଷ୍ଟ୍ରପତି ନିବାସରୁ । ସେମାନଙ୍କୁ ହାତକଡି ପକାଇ ନେଇଯାଇଛି ଆମେରିକାର  New York ସହରର ଏକ କାରାଗାରକୁ । ଆକାଶ ପଥରେ ଏହି ଦୁଇ ସହର ମଧ୍ୟରେ ଦୂରତା ପ୍ରାୟ ୩୪୦୦ କିମି, ଆଠ ନଅ ଘଣ୍ଟାର ଉଡାଣ । ସାମୁଦ୍ରିକ ସୀମା(Caribbean sea) ଦେଖିଲେ ଉତ୍ତର ଆମେରିକା ମହାଦେଶର  ଯୁକ୍ତରାଷ୍ଟ୍ର  ଆମେରିକା ଓ ଦକ୍ଷିଣ ଆମେରିକା ମହାଦେଶର ଭେନେଜୁଏଲା ହେଉଛନ୍ତି  ପ୍ରତିବେଶୀ । କାହିଁକି ଏପରି ଅଭୂତପୂର୍ବ ଅପହରଣ ?  ଭେନେଜୁଏଲାରେ ଯାହା ହେଲା ତାହା, ଭେନଜୁଏଲାର ରାଷ୍ଟ୍ରଦୂତ Samuel Moncada ଙ୍କ ଭାଷାରେ,” ଆମେରିକା ଦ୍ଵାରା ଆକ୍ରମଣର କେନ୍ଦ୍ରୀୟ ବିଷୟଟିକୁ ଆମେ ଅଣଦେଖା କରିପାରିବା ନାହିଁ ଯେ  ଭେନେଜୁଏଲା ଏପରି ଆକ୍ରମଣର ଶିକାର ହୋଇଛି ତାର ପ୍ରାକୃତିକ ସମ୍ବଳ (natural resources ) ଯୋଗୁଁ ।” ଏହା ସମସ୍ତଙ୍କୁ ଜଣା ଯେ ଭେନେଜୁଏଲାରେ ପୃଥିବୀର ସର୍ବବୃହତ୍ ପ୍ରମାଣିତ ଅଶୋଧିତ ଖଣିଜ ତୈଳର ଭଣ୍ଡାର(proven reserves of heavy crude) ରହିଛି; ସୁନା ଖଣି ବେଶ ରହିଛି ଓ ଏହା ଛଡା ବହୁ strategic ଖଣିଜ ପଦାର୍ଥ ମଧ୍ୟ ରହିଛି । (ଆଜିକାର ଭୂରାଜନୈତିକ ପ୍ରତିଦ୍ଵନ୍ଦିତାର ଯୁଗରେ ଏହି ସମ୍ବଳ ଗୁଡିକ ଉପରେ ନିୟନ୍ତଣ ପୁଞ୍ଜିର ଠୁଳିକରଣ ପାଇଁ ବେଶ ଜରୁରୀ) । ରାଷ୍ଟ୍ରପତି ମାଦୁରୋଙ୍କ ଅପହରଣ ପରେ ପରେ Delcy Rodríguez ନେତୃତ୍ୟରେ  ଭେନେଜୁଏଲାର ସରକାର ତୁରନ୍ତ ଏକ ଆଇନ ପ୍ରଣୟନ କରିଦେଲେ ଯାହା ଫଳରେ  ତୈଳ ଶିଳ୍ପରେ ଘରୋଇ କମ୍ପାନୀମାନେ  ଅଂଶ ଗ୍ରହଣ କରିପାରିବେ । ଏହି ଆଇନ ପ୍ରଣୟନ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକା ତୈଳ ଶିଳ୍ପ ଉପରେ ଲଗାଇଥିବା ପ୍ରତିବନ୍ଧକୁ କୋହଳ କରିଦେଲା । କହିବା ବାହୁଲ୍ୟ ଯେ ଯୁକ୍ତରାଷ୍ଟ୍ର ଆମେରିକା ଭେନେଜୁଏଲାରେ ତୈଳ ଶିଳ୍ପର ଜାତୀୟକରଣକୁ ନାପସନ୍ଦ କରୁଥିଲା । ଯାହା ତାତ୍ପର୍ଯ୍ୟ ପୁର୍ଣ୍ଣ ତାହାହେଉଛି  ଏହିପରି ଯୁକ୍ତରାଷ୍ଟ୍ର ଆମେରିକାର ଭେନେଜୁଏଲାର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ହେବା ପରେ ପରେ, ଫେବୃଆରୀ ମାସରେ ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ଯେଉଁ ବାଣିଜ୍ୟିକ ଚୁକ୍ତି (trade deal), ୬  ଫେବୃଆରୀ ୨୦୨୬ ଦିନ  ହେଲା  ତାହା ଘୋଷଣା କରି ରାଷ୍ଟ୍ରପତି ଟ୍ରମ୍ପ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶୃତି ଦେଇଛନ୍ତି ଯେ ଭାରତ ଋଷିଆରୁ ତେଲ କିଣିବା ବନ୍ଦ କରି ତା ବଦଳରେ ଆମେରିକା ଓ ଭେନେଜୁଏଲାରୁ ତେଲ କିଣିବ ।  ଏହା ହେଲେ ଆମେରିକା ଯେଉଁ ଶୁଳ୍କ ଭାରତୀୟ ରପ୍ତାନି ଉପରେ ଲଗାଇଛି ତାହାକୁ ୫୦ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରି ଦିଆଯିବ ।  ସହସା ଭେନେଜୁଏଲାର ତେଲ ପାଇଁ କିପରି ଭାରତକୁ  ଗରାଖ କରାଯାଉଛି ତାହା ଲକ୍ଷ୍ୟ କରିବାର କଥା । ଯୁକ୍ତରାଷ୍ଟ୍ର ଆମେରିକା କେଉଁ ପରିମାଣରେ ଭେନେଜୁଏଲାରୁ ତେଲ ନେଇ ସାରିଲାଣି ତାହାର ସୂଚନା ମିଳେ ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଏକ ଦଳୀୟ କାର୍ଯ୍ୟକ୍ରମରେ(Republican event in Rockland County, New York) ମଇ ୨୨ , ୨୦୨୬ ଦିନ, ଘୋଷଣା କରନ୍ତି  ଯେ ଭେନେଜୁଏଲା ତେଲରୁ ପ୍ରାପ୍ତ ରାଜସ୍ଵରୁ ସେମାନେ  ଇରାନ ସହ ଯୁଦ୍ଧରେ ହୋଇଥିବା ଖର୍ଚ୍ଚର ୨୫ ଗୁଣ ପାଇଲେଣି ।  

ଇରାନ

ଭେନେଜୁଏଲା ରାଷ୍ଟ୍ରପତି ଅପହରଣର  ପ୍ରାୟ ଦୁଇମାସ ନ ପୁରୁଣୁ, ୨୮ ଫେବୃଆରୀ ଦିନ ଇରାନର ସର୍ବୋଚ୍ଚ ନେତା Ali Khameneiଙ୍କୁ ରାଜଧାନୀ ତେହେରାନ ଠାରେ ଇସ୍ରାଏଲର ବାୟୁ ସେନା ଦ୍ବାରା ହତ୍ୟା କରାଗଲା ।   ଏହି ଅଭିଯାନରେ   ଇସ୍ରାଏଲ ବାୟୁ ସେନାକୁ  ସାହାଯ୍ୟ କରୁଥିଲେ   ଯୁକ୍ତରାଷ୍ଟ୍ର ଆମେରିକାର ବାୟୁ ସେନା ଓ ନୌ ସେନା । Khameneiଙ୍କ ସହ ମୃତ୍ୟୁ ବରଣ କରନ୍ତି ତାଙ୍କ ଝିଅ, ନାତୁଣୀ, ଜ୍ଵାଇଁ, ବୋହୁ । ଇସ୍ରାଏଲ ଇରାନର ଠିକ ପ୍ରତିବେଶୀ ନ ହେଲେ ମଧ୍ୟ, ଜର୍ଡନ, ସିରିଆ ଓ ଇରାକ ଦେଇ ଏହି ଦୁହିଁଙ୍କ ମଧ୍ୟରେ ଦୂରତା, ଯଦି ତେହେରାନ ରୁ ଜେରୁଜେଲମ ମଧ୍ୟରେ ମପାଯାଏ, ଆକାଶ ମାର୍ଗରେ ୧୦୭୦ରୁ ୧୫୬୦ କିଲୋମିଟର ଭିତରେ । କ୍ଷେପଣାସ୍ତ୍ର ନିଏ ମାତ୍ର ୧୨ ମିନିଟ, ଡ଼୍ରୋନ ନିଏ ୯ ଘଣ୍ଟା । ଏହି ଯୁଦ୍ଧ ଏଯାବତ୍  ସରି ନାହିଁ, ଯୁଦ୍ଧ ବିରତି ଓ  ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ-ଇରାନର ଜବାବ ମଧ୍ୟରେ  ଯୁଦ୍ଧ  ବାତାବରଣ ଅବ୍ୟାହତ  ରହିଛି ।  କୌଣସି ଦେଶ ତାର ପ୍ରାକୃତିକ ସମ୍ପଦ ଆଧାରିତ ଶିଳ୍ପର  ଜାତୀୟକରଣ କରିବ, ଘରୋଇ କମ୍ପାନୀମାନଙ୍କୁ ଅଂଶୀଦାର କରିବ ନାହିଁ ,ଏହା ଆମେରିକାକୁ ଯେ ପସନ୍ଦ ନୁହେଁ ଏହାର ପ୍ରମାଣ ସେ ୧୯୫୩ ମସିହାରେ ଦେଇ ଦେଇଥିଲା ଯେତେବେଳେ ସେ ଇରାନରେ ତୈଳଶିଳ୍ପର ଜାତୀୟକରଣ କରିଥିବା ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ  ପ୍ରଧାନମନ୍ତ୍ରୀ Mohammad Mosaddeqଙ୍କୁ ସାମରିକ ଷଡଯନ୍ତ୍ର (coup d’état)କରି  ଗାଦିଚ୍ୟୁତ କରାଇ ଦେଇଥିଲା । ଅବଶ୍ୟ ସେତେବେଳେ ତା ସହିତ ଇଂଲଣ୍ଡ ଥିଲା । Mohammad Mosaddeq ତିନି ବର୍ଷ ଜେଲ ଦଣ୍ଡ ଭୋଗିଥିଲେ ଓ ପରେ ମୃତ୍ୟୁ ପର୍ଯ୍ୟନ୍ତ ସେ ଗୃହବନ୍ଦୀ ହୋଇ ରହିଥିଲେ । କିନ୍ତୁ ୧୯୫୪ ରେ ଏକ ରାଜିନାମା ଜରିଆରେ The British Petroleum Companyକୁ ଅଂଶୀଦାର କରାଗଲା । ୧୯୭୯ ପରେ ପୁଣି ତୈଳ ଶିଳ୍ପର ଜାତୀୟକରଣ ହୋଇଛି ଓ ଏଯାବତ୍ ଅବ୍ୟାହତ ରହିଛି । ସ୍ଵାଭାବିକ ଇରାନର ତୈଳ ଶିଳ୍ପ ଉପରେ ଅନେକ ପ୍ରତିବନ୍ଧ(sanction) ଯୁକ୍ତରାଷ୍ଟ୍ର  ଆମେରିକା ଲଗାଇଛି । ଏହା ସତ୍ତ୍ବେ ତୈଳ ଶିଳ୍ପରୁ ରାଜସ୍ୱ ବୃଦ୍ଧି ପାଇବାରେ ଲାଗିଛି । କହିବା ବାହୁଲ୍ୟ ଯେ ଇରାନ ହେଉଛି ଏହାର ତୈଳ ଶିଳ୍ପ ପାଇଁ energy superpower । କିନ୍ତୁ ବର୍ତ୍ତମାନ ଯୁଦ୍ଧର କାରଣ ହେଉଛି ଇରାନ ପାଖରେ ଥିବା ଗଚ୍ଛିତ ସଂବର୍ଦ୍ଧିତ(enriched ) ୟୁରାନିଅମ ଯାହା ଇରାନ ବ୍ୟବହାର କରିପାରେ ଆଣବିକ ଅସ୍ତ୍ର-ଶସ୍ତ୍ର ପ୍ରସ୍ତୁତିରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲର ଆଶଙ୍କା । ନିକଟ ଅତୀତରେ ଚୀନ ଗସ୍ତରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ(May 15, 2026ରେ ପ୍ରକାଶିତ ) କହିଛନ୍ତି, “ଯେଉଁଠାରେ ୟୁରାନିଅମ ଗଚ୍ଛିତ ରହିଛି ଆମେ ତା ଉପରେ ପୁଣି ବୋମା ପକାଇ ଦେଇ ପାରୁ ( ମାର୍ଚ୍ଚ 2026 ରେ city of Isfahanରେ ବୋମା ମାଡ଼ ହୋଇଥିଲା ।  ) । କିନ୍ତୁ  ଭଲ ହେବ ଯଦି ଏହା ଆମ ହାତକୁ ଆସେ ।”  କିନ୍ତୁ ଏହି ଯୁଦ୍ଧର ପରିଣତିରେ ଜନଜୀବନ ହାନି ବେଶ ଚିନ୍ତାର ବିଷୟ ହୋଇଛି । ୨୮ ଫେବୃଆରୀ ୨୦୨୬ ପରଠାରୁ ୧୮୦୦ରୁ ଅଧିକ ପିଲା ପ୍ରଭାବିତ ହୋଇଛନ୍ତି, ଆହତ ହୋଇଛନ୍ତି ଅବା ନିହତ ହୋଇଛନ୍ତି । ୩୪୦ ନିହତ ହୋଇଥିବା ଖବର ପୁଷ୍ଟି ହୋଇଛି । ୨୮ ଫେବୃଆରୀ ଦିନ ହିଁ ଏକ ଆମେରିକୀୟ କ୍ଷେପଣାସ୍ତ୍ର ଗୋଟିଏ ବାଳିକା ବିଦ୍ୟାଳୟରେ ପଡିବା ଦ୍ବାରା ୧୫୦ ରୁ ୧୬୦ ବାଳିକାଙ୍କର ମୃତ୍ୟୁ ଘଟିଛି ।  UNESCO ଏବଂ UNICEF ଶିକ୍ଷାନୁଷ୍ଠାନ  ଉପରେ ଏପରି ଆକ୍ରମଣକୁ ନିନ୍ଦା କରିଛି ଓ ଏହା international humanitarian lawର ଉଲଂଘନ ବୋଲି ଦର୍ଶାଇଛି । କିନ୍ତୁ ଏହା ମାନୁଛି କିଏ ?         

ଇସ୍ରାଏଲ -ପାଲେଷ୍ଟାଇନ

ଆଉ ଏକ ଲୋମହର୍ଷଣକାରୀ ଯୁଦ୍ଧ ଆରମ୍ଭ ହୋଇଛି ଅକ୍ଟୋବର ୨୦୨୩ ରୁ , ଇସ୍ରାଏଲ ଓ ଗାଜା ଉପତ୍ୟକାରେ ସକ୍ରିୟ ଥିବା ସୁନି ମୁସଲମାନଙ୍କ ନେତୃତ୍ବରେ ପରିଚାଳିତ ପାଲେଷ୍ଟାଇନୀୟ ଜାତୀୟ ସଂଗଠନ ହମାସ (Hamas) ମଧ୍ୟରେ । ହମାସ ଗାଜା ଉପତ୍ୟକା ଉପରେ ଇସ୍ରାଏଲର ଆଧିପତ୍ୟକୁ ଅସ୍ଵୀକାର କରୁଥିବା ବେଳେ ଓ ପାଲେଷ୍ଟାଇନ ରାଷ୍ଟ୍ରକୁ ସ୍ଵୀକାର କରିବା ପାଇଁ ୟୁହିଦି ରାଷ୍ଟ୍ର ଇସ୍ରାଏଲ ପ୍ରସ୍ତୁତ ନୁହେଁ । ଯଦିଓ ପାଲେଷ୍ଟାଇନ ରାଷ୍ଟ୍ରକୁ ସ୍ୱୀକୃତି ଦେଇଛନ୍ତି ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ୧୫୦ ରାଷ୍ଟ୍ର ; ସ୍ୱୀକୃତି ନ ଦେଇଥିବା ରାଷ୍ଟ୍ର ମଧ୍ୟରେ ଅଛି ଯୁକ୍ତରାଷ୍ଟ୍ର ଆମେରିକ। ।  ଇସ୍ରାଏଲ ସ୍ୱୀକୃତି ନ ଦେବାର କାରଣ ହେଉଛି  ପାଲେଷ୍ଟାଇନ ରାଷ୍ଟ୍ର ଇସ୍ରାଏଲର ନିରାପତ୍ତାକୁ ବିପନ୍ନ କରିବ । ଏହା ଏକ ବିଡମ୍ବନା ଯେ ମୂଳତଃ ଯେଉଁ ଅଞ୍ଚଳରେ ଏକଦା ସଂଖ୍ୟା ଗରିଷ୍ଠ ଥିଲେ ଆରବ ମୁସଲମାନ ଓ ସଂଖ୍ୟା ଲଘୁ ଥିଲେ ୟୁହିଦି, ସେହି ପାଲେଷ୍ଟାଇନ ଅଞ୍ଚଳକୁ  ବାହାରୁ ୟୁହିଦିମାନଙ୍କୁ ଆଣି ବା ଆସିବାର ସୁଯୋଗ ଦେଇ ଯେପରି ବସବାସ କରାଗଲା ଓ ଅଞ୍ଚଳଟିକୁ ଦୁଇଟି ଭାଗରେ ବିଭକ୍ତ କରାଇ ଦିଆଗଲା ତାହର ପରିଣତି ହେଲା ଇସ୍ରାଏଲର ଗଠନ । ଏହି ବିଭାଜନର ମୂଳରେ ଥିଲା ବ୍ରିଟିଶ ଶାସନ ।  ଜାତିସଂଘ ୧୯୪୭ ମସିହାରେ ପାଲେଷ୍ଟାଇନକୁ ଆରବ ଓ ୟୁହିଦି ରାଷ୍ଟ୍ରରେ ବିଭକ୍ତ କରିବାର ଓ ଜେରୁଜେଲମକୁ ଏକ ଆନ୍ତର୍ଜାତିକ ସହର ହେବାର ପ୍ରସ୍ତାବ ଦେଇଥିଲା । ତେଣୁ ୟୁହିଦି ରାଷ୍ଟ୍ରଭାବେ ଇସ୍ରାଏଲ ଜାତିସଂଘର ସ୍ବୀକୃତି ପାଇଇଗଲା । 1948 ମସିହାରେ ଇସ୍ରାଏଲ ଏକ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଠିଆ ହୋଇଗଲା ।  ଏହା ପ୍ରତିବେଶୀ ଆରବ ଦେଶମାନଙ୍କୁ ଗ୍ରହଣୀୟ ନ ହେବା  ଫଳରେ ସେମାନେ ଇସ୍ରାଏଲ ଉପରେ ଆକ୍ରମଣ କଲେ । କିନ୍ତୁ ଏହି ଯୁଦ୍ଧ ଏକ ସନ୍ଧିରେ ସମାପ୍ତ ହେଲା ଓ ସେତେବେଳକୁ ଇସ୍ରାଏଲ ଏହି ଅଞ୍ଚଳର ଅଧିକାଂଶ ଅଞ୍ଚଳକୁ ନିଜ ନିୟନ୍ତ୍ରଣ ଭିତରକୁ ନେଇଯାଇ ଥିଲା । ସନ୍ଧି ଫଳରେ ଇଜିପ୍ଟ ଅକ୍ତିଆରରେ ରହିଲା ଗାଜା ଉପତ୍ୟକା(Gaza Strip), ଜୋର୍ଡାନ ଅକ୍ତିଆରରେ ରହିଲା ପଶ୍ଚିମ ତୀର (West Bank) ଓ ପୂର୍ବ ଜେରୁଜେଲମ, ପଶ୍ଚିମ ଜେରୁଜେଲମ ରହିଲା ଇସ୍ରାଏଲର ଅକ୍ତିଆରରେ । କିନ୍ତୁ ପରେ ୧୯୬୭ ମସିହାର ଏକ ୬ ଦିନିଆ ଯୁଦ୍ଧରେ, ଏହି ଅଞ୍ଚଳଗୁଡିକୁ ପୁଣି ଅକ୍ତିଆର କରିନେଲା ଇସ୍ରାଏଲ । ଏହା ଫଳରେ, ଗାଜା ଉପତ୍ୟକା, ପୂର୍ବ ଜେରୁଜେଲମ ଓ ପଶ୍ଚିମ ତୀରରେ ରହୁଥିବା ପ୍ରାୟ ୧୦ ଲକ୍ଷ  ପାଲେଷ୍ଟାଇନୀଯ ଅଧିବାସୀ ଇସ୍ରାଏଲର ନିୟନ୍ତ୍ରଣ ଭିତରକୁ ଚାଳିଆସିଲେ । ଏବଂ ଏହି ଅଞ୍ଚଳ ଗୁଡିକ ଆଜି ପର୍ଯ୍ୟନ୍ତ ଇସ୍ରାଏଲର କବଜାରେ ରହିଛି ଓ ଏହାକୁ Occupied Palestinian Territories ବୋଲି କୁହାଯାଉଛି । କିନ୍ତୁ Occupied Palestinian Territories ରେ ଇସ୍ରାଏଲର ଉପସ୍ଥିତି ଯେ ଅବୈଧ ଏହା ଘୋଷଣା କଲା ୨୦୨୪ ଜୁଲାଇ ମାସରେ ଜାତିସଂଘର ସର୍ବୋଚ୍ଚ ଅଦାଲତ  International Court of Justice (ICJ) ଓ ଯେଉଁ ବସତି ଗୁଡିକ ଅଛି ସେ ଗୁଡିକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି ରାୟ ମଧ୍ୟ ଦେଲେ  କାରଣ ଏହା ଦ୍ୱାରା ବର୍ଣ୍ଣବାଦ ଓ ବର୍ଣ୍ଣବୈଷମ୍ୟ ସଂକ୍ରାନ୍ତୀୟ ଚୁକ୍ତିର ଉଲଂଘନ ହେଉଛି  କିନ୍ତୁ ଏହାର କୌଣସି ପ୍ରଭାବ ପଡିଥିବାର  ମନେ ହୁଏ ନାହିଁ । ଅବଶ୍ୟ ଅକ୍ଟୋବର ୨୦୨୫ ରେ ଯୁଦ୍ଧ ବିରତି ହୋଇଛି ଓ ଇସ୍ରାଏଲ ସରକାର ତଥା ହମାସ ମଧ୍ୟରେ କଥାବର୍ତ୍ତା ଚାଲିଛି ତେବେ ୨୦୨୩ ରୁ ୨୦୨୫ ମଧ୍ୟରେ ଯୁଦ୍ଧର ପରିଣତି ହେଉଛି ଗାଜା ଉପତ୍ୟକାରେ ଏଯାବତ୍ ୬୭୦୦୦ ଲୋକଙ୍କର ମୃତ୍ୟୁ ଯେଉଁମାନେ ମୁଖ୍ୟତଃ ବେସାମରିକ ବ୍ୟକ୍ତି ବ civilians ଓ ଏମାନଙ୍କ ମଧ୍ୟରେ ପ୍ରାୟ ଅଧା ହେଉଛନ୍ତି ମହିଳା ଓ ଶିଶୁ ।  ଇସ୍ରାଏଲ ତରଫରୁ ଆକ୍ରମଣ ଏତେ ତୀବ୍ର ହୋଇଛି ଯେ ଗାଜା ଉପତ୍ୟକାରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଛି ଓ ଏଥିପାଇଁ ଜାତିସଂଘ ପୂର୍ଣ୍ଣତଃ ଇସ୍ରାଏଲକୁ ଦାୟୀ କରିଛି। ଅବଶ୍ୟ ଇସ୍ରାଏଲର ୧୨୦୦ ଲୋକ ଏହି ଯୁଦ୍ଧରେ ପ୍ରାଣ ହରାଇଥିଲେ , ୨୫୧ ଲୋକଙ୍କୁ ପଣବନ୍ଦୀ କରିନେଇଥିଲା ହମାସ । ଇସ୍ରାଏଲ ଏକ ଉଦାହରଣ ସେ ଉକ୍ତିର ଯେ ‘ଅଙ୍ଗୁଳି ପ୍ରବେଶାତ୍-ବାହୁ ପ୍ରବେଶାତ୍ ।’ ବା ଓଟ-ତମ୍ବୁର ଆରବଦେଶର କାହାଣୀର ।  କୌଣସି ଗୋଟିଏ ଅଞ୍ଚଳରେ ସଂଖ୍ୟା ଗରିଷ୍ଠ ସମୁଦାୟକୁ କିପରି ସଂଖ୍ୟା ଲଘୁ କରିଦିଆ ଯାଇପାରେ- ଓ ଏକ କୃତ୍ରିମ ରାଷ୍ଟ୍ର ଠିଆ କରାଯାଇ ପାରେ,  ଏହା ତାହାର ଏକ ଉଦାହରଣ । ଏହି ରାଷ୍ଟ୍ରର ଗଠନ ପାଇଁ ବିଭିନ୍ନ ଦେଶରେ ଥିବା ୟୁହିଦିଙ୍କୁ ଆଣି ବସବାସ କରାଗଲା, ଭାରତରୁ ୮୫୦୦୦ ୟୁହିଦିଙ୍କୁ ନିଆଯାଇଛି ଓ ଏବେ ମଧ୍ୟ ଏହା ଚାଲିଛି, ଏପ୍ରିଲ ୨୦୨୬ ରେ ଉତ୍ତର ପୂର୍ବ ଭାରତରୁ ବିମାନ ଯୋଗେ ୟୁହିଦିଙ୍କୁ ନେବା ଦେଖାଯାଇଛି ଯାହା Operation Wings of Dawn ନାଁରେ ଜଣାଯାଏ । ଏହା ସେତେବେଳେ ଯେତେବେଳେ ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ଚାଲିଛି । ଏହା ସତ୍ତ୍ବେ ଏହାର ଲୋକ ସଂଖ୍ୟା ଏକ କୋଟି ଟପି(99.7 lakhs (2024)) ପାରିନାହିଁ । ଇସ୍ରାଏଲ ରାଷ୍ଟ୍ର ସ୍ଥାପନା ବେଳେ ୟୁହିଦିଙ୍କ ଜନସଂଖ୍ୟା ଥିଲା ମାତ୍ର ୬,୫୦,୦୦୦ , ଆଜି ହେଉଛି ୭୨ଲକ୍ଷ , ଅର୍ଥାତ୍ ୧୧ ଗୁଣ ।  ତେବେ ଇସ୍ରାଏଲ କେଉଁଠୁ ବଳ ପାଉଥିଲା -ତାହା ବେଶୀ ଅନୁସନ୍ଧାନର ଆବଶ୍ୟକତା କରେ ନାହିଁ । ଏହା ବେଶ ସ୍ପଷ୍ଟ । ସେହି ଶକ୍ତିମାନେ ଚାହିଁଲେ ଗୋଟିଏ ଅଞ୍ଚଳକୁ ଦୁଇଫାଳ କରିଦେଇ ପାରିବେ ଓ ଗୋଟିଏ ନୂଆ ରାଷ୍ଟ୍ର ଠିଆ କରାଇଦେଇ ପାରିବେ । ଭୂଗୋଳ ବଦଳାଇ ଦେଇପାରିବେ ।         

ଋଷିଆ ଫେଡେରେସନ ଓ ୟୁକ୍ରେନ 

        ଆଉ ଏକ ଯୁଦ୍ଧ ଯାହା ବେଶ ଚର୍ଚ୍ଚିତ -ତାହା ହେଉଛି ଋଷିଆ ଫେଡେରେସନ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏହି ଦୁଇ ପ୍ରତିବେଶୀ ଦେଶ ମଧ୍ୟରେ କନ୍ଦଳ ଯଦିଓ ଫେବୃଆରୀ ୨୦୧୪ ରୁ ଆରମ୍ଭ ହେଲାଣି ଯେତେବେଳେ ୟୁକ୍ରେନର ଗୋଟିଏ ଅଂଶ Crimeaକୁ ଋଷିଆ ନିଜ ଦେଶ ସହ ମିସାଇ ଦେଲା । କିନ୍ତୁ ଋଷିଆ ପଟୁ ପୁରା ଦମରେ ଆକ୍ରମଣ ଆରମ୍ଭ ହୋଇଗଲା ଫେବୃଆରୀ ୨୪ , ୨୦୨୨ ଦିନରୁ ଓ ଏଯାବତ୍ ଚାଲିଛି । କୁହାଯାଏ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ଇଉରୋପରେ ସବୁଠାରୁ ବଡ ଲଢେଇ  । ଏହି କିଛି ଦିନ ତଳେ ରୁଷ ଫେଡରେସନର ରାଷ୍ଟ୍ରପତି ପୁଟିନ କହିଥିବାର ସମ୍ବାଦ ପ୍ରକାଶ ପାଇଛି ଯେ ଏହି ଯୁଦ୍ଧ ସରିବାକୁ ଯାଉଛି । ଇସ୍ରାଏଲ -ପାଲେଷ୍ଟାଇନ ଯୁଦ୍ଧ ହେଉଛି ଇଲାକା ପାଇଁ ଯୁଦ୍ଧ ।  ରୁଷ -ୟୁକ୍ରେନ ଯୁଦ୍ଧ ଇଲାକା ପାଇଁ ଯୁଦ୍ଧରୁ ଆରମ୍ଭ ହୋଇଥିଲେ ହେଁ ୟୁକ୍ରେନର ଖଣିଜ ସମ୍ପଦକୁ ଦଖଲ କରିବା ମଧ୍ୟ ରୁଷର ଉଦ୍ଦେଶ୍ୟ । ଯେପରି ୨୦୨୨ ର ଏକ ଅଧ୍ୟୟନରୁ ଜଣାଯାଏ ରୁଷ ୟୁକ୍ରେନରେ ଗଚ୍ଛିତ ଖଣିଜ ସମ୍ପଦର ଏକ ବିଶାଳ ଅଂଶ ଦଖଲ କରିଛି ଯେଉଁଥିରେ ରହିଛି  ୬୦ ପ୍ରତିଶତ କୋଇଲା ଏବଂ ଅନ୍ୟାନ୍ୟ ବିରଳ ଧାତୁ(titanium, lithium, and graphite)ର ଖଣି । ଏହି ସନ୍ଦର୍ଭରେ ଉଲ୍ଲେଖ କରାଯାଇ ପାରେ ଯେ ପୃଥିବୀର ଖଣିଜ ସମ୍ପଦର ପ୍ରାୟ ଶତକଡା ୫ ଭାଗ ୟୁକ୍ରେନରେ ଅଛି ଓ କୃଷି ଉତ୍ପାଦନରେ ଏହା ବିଶ୍ଵର ଏକ power house, ସୂର୍ଯ୍ୟମୁଖୀ ତେଲ ଉତ୍ପାଦନରେ ବିଶ୍ଵରେ ପ୍ରଥମ । ସ୍ଵାଭାବିକ ଏହି ସମ୍ପଦକୁ ରୁଷର ଦଖଲ ଉଦ୍ୟମରୁ ରକ୍ଷା କରିବା ପାଇଁ, ୨୦୧୪ Cremea ଅଧିଗ୍ରହଣ ପରେ, NATO ର ସାହାଯ୍ୟ ଚାହିଁଛି ୟୁକ୍ରେନ ଓ ରୁଷ ବିରୋଧ କରିଛି NATOର ଉପସ୍ଥିତିକୁ । କାରଣ ରୁଷ ଓ ୟୁକ୍ରେନ ମଧ୍ୟରେ ୨୦୯୩ କିମିର ସୀମା ରେଖା  । ଅବଶ୍ୟ ଏହି ଯୁଦ୍ଧରେ ରୁଷୀୟ ସୈନ୍ୟ ୟୁକ୍ରେନର ପ୍ରାୟ ୨୦% ଅଞ୍ଚଳ ଅକ୍ତିଆର କରିନେଇଛି ।  ଏହି ଯୁଦ୍ଧରେ ହତାହତ ସଂଖ୍ୟା ପ୍ରାୟ ୧୮ ଲକ୍ଷ ହୋଇଥିବାର ଜଣାଯାଏ । ୩ ଲକ୍ଷ ୫୦ ହଜାର ରୁଷୀୟ ସୈନ୍ୟ ଓ ଏକ ଲକ୍ଷ ୟୁକ୍ରେନିୟ ସୈନ୍ୟଙ୍କର ମୃତ୍ୟୁ ହୋଇଥିବାର ଜଣାଯାଏ । ୩୫୦୦ ରୁ ଉର୍ଦ୍ଧ୍ବ ଶିଶୁ ହତାହତ ହୋଇଥିବାର ଜଣାଯାଏ, ଯାହାକୁ ନେଇ ଆନ୍ତର୍ଜାତିକ ସଂଗଠନ ମାନେ ଉଦବେଗ ପ୍ରକାଶ କରିଛନ୍ତି ।        

ଏହି ସମୟରେ ଆମେ ମଧ୍ୟ  ଶୁଣୁଚ୍ଛେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି  Donald Trumpଙ୍କର ଆସ୍ଫାଳନ ଯେ ସେ Greenland, Canada, Mexico, the Panama Canal, and Cubaକୁ ତାଙ୍କ ନିୟନ୍ତ୍ରଣକୁ ନେଇ ନେବେ ଏ ସବୁ ଅଞ୍ଚଳ ଯୁକ୍ତରାଷ୍ଟ୍ର ଆମେରିକାକୁ  ପ୍ରାୟ ଲାଗିଛି । ଯେପରି ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତରରେ  କାନାଡା, କାନାଡାର ଉତ୍ତର ପୁର୍ବରେ Greenland, ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣରେ Mexico, the Panama Canal, and Cuba ।    ଇଲାକା ଦଖଲର ଲକ୍ଷ୍ୟ  ଭିତରେ ରହିଛନ୍ତି  Canada, Mexico and Cuba ଉପରେ ନିୟନ୍ତ୍ରଣ ଓ ଜଳ ପଥ ଉପରେ ନିୟନ୍ତ୍ରଣ ପାଇଁ  Panama Canal ଦଖଲ ହେଉଛି ଲକ୍ଷ୍ୟ, ଖଣିଜ ସମ୍ପଦ ପାଇଁ Greenland ଦଖଲ ହେଉଛି ଲକ୍ଷ୍ୟ । Panama Canal ଅର୍ଥନୈତିକ ଦୃଷ୍ଟିରୁ କେତେ ଗୁରୁତ୍ବ ପୁର୍ଣ୍ଣ ତାହା ଜଣାପଡେ ଏହି ସୂଚନାରୁ ଯେ ପ୍ରତ୍ୟେକ ବର୍ଷ ଏହି ଜଳ ପଥ ଦେଇ ପ୍ରାୟ ୧୫୦୦୦ ଜାହାଜ ଯାଇଥାଏ, ପ୍ରାୟ ୧୦୦ କୋଟି ଡଲାରର କାରବାର ହୋଇଥାଏ ।

ଏହି ଉଦାହରଣମାନଙ୍କରେ ଯେଉଁ ଦେଶମାନଙ୍କର ଉଲ୍ଲେଖ ହୋଇଛି -ଯୁକ୍ତରାଷ୍ଟ୍ର ଆମେରିକା , ଭେନେଜୁଏଲା; ଇରାନ-ଇସ୍ରାଏଲ-ଯୁକ୍ତରାଷ୍ଟ୍ର ଆମେରିକା; ଇସ୍ରାଏଲ -ପାଲେଷ୍ଟାଇନ; ରୁଷ ଫେଡେରେଶନ -ୟୁକ୍ରେନ; ମେକ୍ସିକୋ, ଗ୍ରୀନଲାଣ୍ଡ, କ୍ୟୁବା, ପାନାମା କେନାଲ, କାନାଡା -ଏସବୁ ପୃଥିବୀ ପୃଷ୍ଠରେ ଏକ ଏକ ଭୂଖଣ୍ଡ ଯାହାର ମାନଚିତ୍ର ଅଛି, ଭୂଗୋଳ ରହିଛି -ଏହା ସ୍ଵୀକାର କରିବାରେ ଆମ କାହାରି ଅସୁବିଧା ହେବ ନାହିଁ । ଏହି ଭୂଖଣ୍ଡ ମାନଙ୍କର  ଶାସକଙ୍କ ଠାରେ ଇଲାକା ଦଖଲ ବା ପ୍ରଭାବ ବିସ୍ତାର ପ୍ରବଣତା ରହିଛି ଗୋଟିଏ ପଟରେ , ଅନ୍ୟପଟରେ ଏହାକୁ ବିରୋଧ କରିବାର ଉଦ୍ୟମ ମଧ୍ୟ ହେଉଛି  । ତେଣୁ ଯୁଦ୍ଧ ,  ଯାହାର ପରିଣତିରେ ଜନଜୀବନର ବ୍ୟାପକ କ୍ଷତି,  ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହେବା, ଅମାନବୀୟତାର ପରିବେଶ, ଯାହାର ସମାଧାନ  ଜାତିସଂଘ ଭଳି ଆନ୍ତର୍ଜାତୀୟ ସଂଗଠନ ମଧ୍ୟ ଦେଇ ପାରୁନାହିଁ । ଏହି ଗୁଡିକ ଭୂ-ରାଜନୀତିର ଉଦାହରଣ ।

ଭୂ-ରାଜନୀତିର ଉପାଦାନ  

କାରଣ ଭୂ-ରାଜନୀତି ଅର୍ଥାତ୍ ଭୂଗୋଳ ଆଧାରିତ ରାଜନୀତିର ମୂଳ ଉପାଦାନ ଗୁଡିକ ଏଥରେ ରହିଛି ଯେପରି (କ) ଭୌଗଳିକ ଅବସ୍ଥାନ ଅର୍ଥାତ ଦେଶର ଅବସ୍ଥାନରୁ ଶତ୍ରୁ ମିତ୍ରର ନିର୍ଦ୍ଧାରଣ,(ଖ) ସମ୍ପଦ ଉପରେ  ନିୟନ୍ତ୍ରଣ, ଅର୍ଥାତ ଖଣି ,ପାଣି , ବାଣିଜ୍ୟ ପଥ ବ ସମୁଦ୍ର ପଥ ଉପରେ  ନିୟନ୍ତ୍ରଣ, (ଗ)କ୍ଷମତାର ଭାରସାମ୍ୟ ଅର୍ଥାତ ବିଶ୍ବ ବ ଅଞ୍ଚଳ ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ବଡ ବଡ ଦେଶ ମାନଙ୍କ ମଧ୍ୟରେ ପ୍ରତିଯୋଗିତା । ଭୂ-ରାଜନୀତିରେ ଖେଳାଳି କେବଳ ରାଷ୍ଟ୍ରମାନେ ନୁହନ୍ତି । ଖେଳାଳି ମଧ୍ୟ ସେମାନେ ଯେଉଁମାନଙ୍କୁ ଆମେ non-state actors ବା ଅଣରାଷ୍ଟ୍ର କଳାକାର କହିଥାଉ, ଯେପରି ପ୍ରଭାବଶଳୀ ବ୍ୟକ୍ତି ବା ବେସରକାରୀ ସଂଗଠନ(NGO), ବହୁରାଷ୍ଟ୍ରୀୟ କର୍ପୋରେସନ, ବା  ସଶସ୍ତ୍ର ଗୋଷ୍ଠୀ ଯେଉଁମାନେ ରାଷ୍ଟ୍ର ସରକାରଙ୍କ ଠାରୁ ସ୍ଵତନ୍ତ୍ର ରହି କାର୍ଯ୍ୟ କରନ୍ତି ଓ ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ବିଷୟକୁ ପ୍ରଭାବିତ କରିଥାନ୍ତି । ସେମାନେ ଆନ୍ତର୍ଜାତିକ ସମ୍ପର୍କ ଓ ଶାସନ ପରିଚାଳନାରେ ଖୁବ critical ବା ଗୁରୁତ୍ଵ ପୁର୍ଣ୍ଣ   ଭୂମିକା ନିର୍ବାହ କରିଥାନ୍ତି ଏପରିକି ସେମାନେ କେତେକ ରାଷ୍ଟ୍ର ଠାରୁ ମଧ୍ୟ ଅର୍ଥନୈତିକ କ୍ଷମତାରେ ଅଧିକ ଶକ୍ତିଶାଳୀ ହୋଇଥାନ୍ତି ।  ତେବେ ଏମାନଙ୍କ ପଛରେ ଯେ  ରାଷ୍ଟ୍ରମାନଙ୍କର  ଶାସକ ଗୋଷ୍ଠୀଙ୍କର ଏକ ନିର୍ଣ୍ଣାୟକ ଭୂମିକା ଥାଏ ତାହାକୁ ଏଡାଇ ଦେଇ ହେବ ନାହିଁ । ଉଦ୍ୟୋଗପତି ଗୌତମ ଅଦାନୀ, ମୁକେଶ ଅମ୍ବାନୀଙ୍କ ଉଦାହରଣ ନିଆ ଯାଇ ପାରେ ।    

ପରୋକ୍ଷ ହସ୍ତକ୍ଷେପ : ଭାରତ

ଭୂ-ରାଜନୀତିର ଏକ ନଜିର ହେଉଛି ପରୋକ୍ଷ ଭାବରେ ଅନ୍ୟ ଦେଶର ସାର୍ବଭୌମତ୍ଵ ଉପରେ ଶକ୍ତିଶାଳୀ ରାଷ୍ଟ୍ରର ହସ୍ତକ୍ଷେପ । ଯେପରି ଭାରତ କାହାଠାରୁ ତେଲ କିଣିବ ତାହା ଯୁକ୍ତରାଷ୍ଟ୍ର ଆମେରିକା ନିର୍ଦ୍ଦେଶ ଦେବା । ପାକିସ୍ଥାନ ସହିତ ଯୁଦ୍ଧ କେତେଦୂର ହେବ ତାହାର ନିର୍ଦ୍ଦେଶ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟରୁ ଆସିବା ।  ବଙ୍ଗଳାର ବିଧାନସଭା  ନିର୍ବାଚନରେ ଭାରତୀୟ ଜନତା ପାର୍ଟି  ଜିତିଲା-ସେଥିପାଇଁ ରାଷ୍ଟ୍ରପତି ଟ୍ରମ୍ପ  ପ୍ରଧାନମନ୍ତ୍ରୀଙ୍କୁ ବଧେଇ ଜଣାଇବା । ବା ଆସାମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଆମେରିକାର ରାଷ୍ଟ୍ରଦୂତ Sergio Gor ଯୋଗ ଦେବା ଓ କହିବା ଯେ “ଯୁକ୍ତରାଷ୍ଟ୍ର ଆମେରିକା ଓ ଆସାମ ମଧ୍ୟରେ ଅନେକ ବ୍ୟବସାୟୀକ ସମ୍ପର୍କ ରହିଛି ଏବଂ ମୁଖ୍ୟମନ୍ତ୍ରୀ(ହିମନ୍ତ ବିଶ୍ୱ ଶର୍ମା)ଙ୍କ ନେତୃତ୍ଵ ଆମେ ଚିହ୍ନଟ କରିବୁ ଅନେକ ଲାଭ ଦାୟକ ଦୃଶ୍ୟ ଉଭୟ ରାଷ୍ଟ୍ର ପାଇଁ ।” ( The United States and Assam have many commercial ties, and with the CM’s leadership, we will identify many more win-win scenarios for both of our nations!”)  ଓ ଏପରି ଅଭିନନ୍ଦନ ଓ ଉପସ୍ଥିତିକୁ  ଆମେରିକାର ଉତ୍ତରପୂର୍ବ ଅଞ୍ଚଳରେ ଆଗ୍ରହର ଏକ ଅଶୁଭ ସୂଚନା ବୋଲି ଆଶଙ୍କା କରାଯିବା ଓ  ଏହି ଆଶଙ୍କା North East India Is Emerging As The Battle Ground For Power Between U.S. And China ଶିରୋନାମାରେ ପ୍ରକାଶ ପାଇବା ଦର୍ଶାଏ ଆମେ କିପରି geopoliticsଯୁଦ୍ଧକ୍ଷେତ୍ରରେ ପରିଣତ ହେବାକୁ ଯାଉଛୁ ।  କାରଣ ଚୀନ ଦ୍ବାରା ଭାରତର ଉତ୍ତର ଓ ଉତ୍ତରପୂର୍ବ ଅଞ୍ଚଳରେ ପ୍ରବେଶ ବିଷୟରେ ଆମେ ଅଳ୍ପେ ବହୁତେ ଅବଗତତେବେ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ରାଷ୍ଟ୍ରପତି ଟ୍ରମ୍ପ ଓ ଆମେରିକାର ଜନସାଧାରଣଙ୍କ ତରଫରୁ ଅତି ଉଚ୍ଚକୋଟିର କାର୍ଯ୍ୟ କରୁଛନ୍ତି ବୋଲି ଭାରତ ଗସ୍ତରେ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ବିଦେଶ ମନ୍ତ୍ରୀ, U.S. Secretary of State Marco Rubio ନିକଟ ଅତୀତରେ, ମଇ ୨୪ ତାରିଖ ଦିନ (2:00 AM), tweet କରିଛନ୍ତି । ସେମାନଙ୍କର ଉଦ୍ୟମ ଫଳରେ ‘ଭାରତ ପ୍ରତିଶ୍ରୁତି ଦେଇଛି ଯେ ଆଗାମୀ ୫ ବର୍ଷ ଭିତରେ, ମୁଖ୍ୟତଃ ଶକ୍ତି , ପ୍ରଯୁକ୍ତି ଓ କୃଷି କ୍ଷେତ୍ର ସହ ସମ୍ପର୍କିତ,  ୫୦୦ ବିଲିଅନ ଡଲାର ବା ୫୦,୦୦୦ କୋଟି ଡଳାର ମୂଲ୍ୟର ସାମଗ୍ରୀ, ଯୁକ୍ତରାଷ୍ଟ୍ର ଆମେରିକାରୁ ଆମଦାନୀ କରିବ ।’ ସେ ଏହି ଅବସରରେ(୨୩ ମଇ ୨୦୨୬) କଲିକତା ଯାଇଥିଲେ, ଯାହା ଦ୍ବାରା କୃତ୍ୟ କୃତ୍ୟ ଭାରତୀୟ ଜନତାପାର୍ଟିର ବଙ୍ଗଳା ମୁଖ୍ୟ କହୁଥିଲେ “the world is coming to West Bengal now”’ ।     ଭାରତ ଇସ୍ରାଏଲର ସମ୍ପର୍କ ବିଷୟରେ ଶିରୋନାମା ହେଉଛି (PTI Updated: January 27, 2026, The Week) “ଭାରତ ଏକ ଭଲ ବନ୍ଧୁ ଅପେକ୍ଷା ଏକ ବିଶ୍ୱସ୍ତ ରଣନୀତିକ ସହଯୋଗୀ (strategic partner) ” ( “India more than good friend a trusted strategic partner” )ଏହା କହୁଛନ୍ତି  Israel’s Culture and Sports Minister Miki Zohar ।  ଫେବୃଆରୀ ୨୫-୨୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଯାଉଛନ୍ତି ଓ ୨୮ ତାରିଖ ଦିନ ଇସ୍ରାଏଲ ଇରାନକୁ ଆକ୍ରମଣ କରୁଛି ଓ ସେହିଦିନ ଇରାନର ସର୍ବୋଚ୍ଚ ନେତା Ali Khamenei ଙ୍କର ହତ୍ୟା ହେଉଛି କିନ୍ତୁ ଆମ ତରଫରୁ ଶୋକ ପ୍ରସ୍ତାବ ଯାଉଛି ପ୍ରାୟ ୬ ଦିନ ପରେ । ଅଥଚ ମାର୍ଚ୍ଚ ମାସରେ ଏକ ଟିଭି ସାକ୍ଷାତକାରରେ ଇସ୍ରାଏଲ ସେନାର ଜଣେ ଅଧିକାରୀ Brigadier General Erez Winnerଙ୍କୁ ଯେତେବେଳେ ପଚରା ଯାଉଛି ଯେ “ଇସ୍ରାଏଲର କଣ ଉତ୍ପାଦନ ସାମର୍ଥ୍ୟ ରହିଛି ସାରା ବିଶ୍ୱକୁ ବାୟୁସେନା ପାଇଁ ଆବଶ୍ୟକୀୟ ସାମରିକ ଉପକରଣ ଯୋଗାଇବାର ?”( “if Israel had the production capacity to supply air defense systems worldwide” )ସେତେବେଳେ  ସେ ଆସ୍ଫାଳନ କରି କହୁଛନ୍ତି ଯେ “କେବଳ ଆମର କ୍ରମବଦ୍ଧ ଉତ୍ପାଦନ ବ୍ୟବସ୍ଥା   (production line) ନାହିଁ । ଆମର ଅଛି ଭାରତରେ । ଆମେ ସାରା ଭାରତକୁ ନେଲୁ । ଶୁଣ, ଆମେ ଆବଶ୍ୟକ କରୁ 140 କୋଟି ଲୋକ ଉତ୍ପାଦନ କରିବାକୁ ଆମ ପାଇଁ, ସାରା ବିଶ୍ଵ ପାଇଁ । ”( “Only we have no production lines. We do! In India. We took all of India. Listen, we need one billion four hundred people to manufacture for us, for the entire world”). ଏପରି ମନ୍ତବ୍ୟ ବେଶ  ସମାଲୋଚିତ ହୋଇଛି ଏହି ଅର୍ଥରେ ଯେ ଏହି ବକ୍ତବ୍ୟ ଦ୍ବାରା ଭାରତକୁ ଏକ ସାର୍ବଭୌମ୍ ରଣନୀତିକ ସହଯୋଗୀ ( sovereign strategic partner) ଭାବେ ସ୍ବୀକୃତି ନ ଦେଇ,  ଏକ ଅଧିନସ୍ଥ ଶ୍ରମିକବଳ  ( subordinate workforce) ଭାବରେ ନ୍ୟୁନ  କରଯାଇଛି । ଏଇ ସପ୍ତାହେ ତଳେ (୨୦-୨୧ ମଇ , ୨୦୨୬) ପ୍ରଧାନମନ୍ତ୍ରୀ ଇଟାଲୀ ଯାଇଥିଲେ, ଯେତେବେଳେ ଭାରତରୁ ଇସ୍ରାଏଲକୁ ସାମରିକ ଅସ୍ତ୍ର ନିର୍ମାଣ ପାଇଁ ବ୍ୟବହାର ଇସ୍ପାତ ବୋଝେଇ ତିନୋଟି ଜାହାଜକୁ ଇଟାଲୀ ଠାରେ ଅଟକାଇ ଦିଆଯାଇଥିଲା।(Italian authorities detain three shipments of suspected military-grade steel from India to Israel after activist tracking, with additional cargo rerouted. May 20, 2026, https://www.telesurenglish.net/italiaport-halt-israel-bound-steel-india/)  କହିବା ବାହୁଲ୍ୟ , ଭାରତର ଏକ ଭୂମିକା ବର୍ତ୍ତମାନର Geopoliticsରେ ରହିଛି, ହୋଇପାରେ ଯୁକ୍ତରାଷ୍ଟ୍ର ଆମେରିକାର ହସ୍ତକ୍ଷେପ, ତାର ଯଥେଛା ଶୁଳ୍କ ଲଗାଇବା, ସେଠାରେ ବିନା ଅନୁମତିରେ ରହୁଥିବା ଭାରତୀୟଙ୍କ ହାତ ଗୋଡରେ ବେଡ଼ି ପକାଇ ଭାରତକୁ ପଠାଇବାକୁ ଭାରତ ବିରୋଧ କରିବାର ସାହସ କରିପାରି ନାହିଁ ବା ଚୀନ ଦ୍ୱାରା ଅତିକ୍ରମଣର ବିରୋଧ ସନ୍ଦର୍ଭରେ ବିଦେଶ ମନ୍ତ୍ରୀ କହୁଛନ୍ତି, “ଦେଖ, ସେମାନେ ଆମଠାରୁ ବଡ ଅର୍ଥନୀତି । ମୁଁ କ’ଣ କରି ପାରିବି? ଏକ ଛୋଟିଆ ଅର୍ଥନୀତି ଭାବେ , ମୁଁ କଣ ବଡ ଅର୍ଥନୀତି ସହିତ ଲଢିବି? ଏହା ପ୍ରତିକ୍ରିୟାଶୀଳ ହେବାର ପ୍ରଶ୍ନ ନୁହେଁ , ଏହା ସାଧାରଣ ଜ୍ଞାନର ପ୍ରଶ୍ନ ।” (“Look, they are the bigger economy. What am I going to do? As a smaller economy, I am going to pick up a fight with the bigger economy? It is not a question of being reactionary, it’s a question of common sense.” )

ଭୂ-ରାଜନୀତିର ବର୍ତ୍ତମାନ ଦୃଶ୍ୟ

ଭୂ-ରାଜନୀତିର ବର୍ତ୍ତମାନ ପର୍ଯ୍ୟାୟରେ ବାମପନ୍ଥୀ ରାଜନୀତି ଦୁର୍ବଳ ହୋଇଯାଇଛି, ମୁଣ୍ଡ ଟେକିଛି ଦକ୍ଷିଣପନ୍ଥୀ , ବରଂ ଚରମ ଦକ୍ଷିଣପନ୍ଥୀ ରାଜନୀତି । ଗଣତନ୍ତ୍ର ନାମକୁ ମାତ୍ର ରହିଛି । ଗଣମାଧ୍ୟମ ଲୋକଙ୍କ କଥା କମ ଶାସକଙ୍କ ଭାଷା କହୁଛି । ଶାସକ ଠାରେ ଦେଖା ଯାଉଛି ଜନମତ ପ୍ରତି ଉଦାସୀନତା ବରଂ ବେଖାତିର । ମାନବିକତା ପ୍ରତି  ଶାସକବର୍ଗର  ସମ୍ବେଦନଶୀଳତା ତୀବ୍ର ଭାବରେ ହ୍ରାସ ପାଉଛି । ଇଲାକା ଦଖଲର ଔଦ୍ଧତ୍ୟରେ ହଜାର ହଜାର ସଂଖ୍ୟାରେ  ଶିଶୁ ଓ  ମହିଳାଙ୍କ ହତ୍ୟା ଗାଜା ଉପତ୍ୟକାରେ ବା ଇରାନରେ ଏକ ବାଳିକା ବିଦ୍ୟାଳୟ ଉପରେ ବୋମା ମାଡ଼ କରି ପ୍ରାୟ ଦେଢ ଶହ ଛାତ୍ରଙ୍କର ହତ୍ୟା ବା ଭୋକ ଉପାସରେ ଯୁଦ୍ଧ ପୀଡିତଙ୍କୁ ସେବା ସାହାଯ୍ୟ ପହଞ୍ଚାଇ ନ ଦେବାର ଉଦ୍ୟମ -ଅମାନବୀୟତାର ଦୃଶ୍ୟ ହେଉଛି  ଚରମ ଉଦାହରଣ । .

ଭୂ-ରାଜନୀତି : ଏକ ସ୍ବତନ୍ତ୍ର ବିଷୟ

କିନ୍ତୁ ଯେଉଁମାନେ ଭୂରାଜନୀତିରେ ବିଶାରଦ,  ସେମାନେ ଭୂ-ରାଜନୀତିକୁ ଇତିହାସ , ଭୂଗୋଳ, ରାଜନୀତି ବିଜ୍ଞାନ, ଅର୍ଥନୀତି  ବା ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ପଢାଯାଉଥିବା ଅନ୍ୟ ବିଷୟମାନଙ୍କ ପରି  ଏକ ସ୍ବତନ୍ତ୍ର ବିଷୟ ବୋଲି କହିଥାନ୍ତି । ଯଦିଓ ସ୍ଵୀକାର କରନ୍ତି ଯେ ଏହି ବିଷୟ ତାର ସ୍ଵତନ୍ତ୍ରତା ପାଇବା ବେଶୀ ଦିନର ନୁହଁ । ପ୍ରତ୍ୟେକ ବିଷୟ ପରି ଏହାର ତାତ୍ତ୍ଵିକ ଦିଗ ରହିଛି ଓ ବ୍ୟବହାରିକ ଦିଗ ମଧ୍ୟ ରହିଛି । କିପରି ପ୍ରୟୋଗ  କରାଯିବ ତାହା ନିର୍ଭର କରୁଛି ପ୍ରୟୋଗ  କରୁଥିବା ବ୍ୟକ୍ତି ବା ସଂଗଠନର ଉଦ୍ଦେଶ୍ୟ  ଉପରେ । ଭୂରାଜନୀତି ଏକ ସ୍ଵତନ୍ତ୍ର ବିଷୟ ଭାବେ ମାନ୍ୟତା ପାଇବା ପାଇଁ ଯୋଗ୍ୟ ଏହା ସାବ୍ୟସ୍ତ କରିବାକୁ ଚେଷ୍ଟିତ  ଦେବବ୍ରତ ସେନ 1975 ମସିହାରେ ପ୍ରକାଶିତ ତାଙ୍କ ପୁସ୍ତକ Basic Principles of Geopolitics and History: Theoretical Aspects of International Relationsରେ ଏହି ସନ୍ଦର୍ଭରେ ଲେଖନ୍ତି (ପୃ ୫) , “ଯେପରି ରାଜନୀତିଶାସ୍ତ୍ରରେ ରାଜଙ୍କର ଦୈବୀ  ଅଧିକାର ଏବଂ ସର୍ବମୟ କର୍ତ୍ତୃତ୍ଵର ସିଦ୍ଧାନ୍ତ ପ୍ରୟୋଗ  ହେଉଛି ରାଜାମାନଙ୍କ ଦ୍ଵାରା ରାଜନୀତିକ ଅତ୍ୟାଚାର ପାଇଁ; ପୋପଙ୍କର ସର୍ବମୟ କ୍ଷ୍ୟମତାର ତତ୍ତ୍ଵ ପ୍ରୟୋଗ  ହେଉଛି ଚର୍ଚ୍ଚ ଦ୍ଵାରା ଧର୍ମୀୟ ଶୋଷଣ ଓ ଆଧିପତ୍ୟ ଜାହିର କରିବା ପାଇଁ , ମୁକ୍ତ ଉଦ୍ଦୋଗର ଅର୍ଥନୈତିକ ସିଦ୍ଧାନ୍ତ(economic theory of free enterprise) ପ୍ରୟୋଗ  ହେଉଛି ପୁଞ୍ଜିପତି ଓ ବ୍ୟବସାୟୀଙ୍କର ଏକ କ୍ଷୁଦ୍ର ଗୋଷ୍ଠୀ ଦ୍ଵାରା ଜନତାର ଶୋଷଣ ପାଇଁ । ଏପରିକି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ  ହେଉଛି ବିନାଶକାରୀ ଅସ୍ତ୍ର -ଶସ୍ତ୍ର ନିର୍ମାଣରେ । ଏହି ଭଳି  କୌଣସି ବିଷୟର ଗଠନମୂଳକ ବା  ବିନାଶକାରୀ ପ୍ରୟୋଗ ନିର୍ଭର କରୁଛି ଏହାକୁ ପ୍ରୟୋଗ କରୁଥିବା ବ୍ୟକ୍ତି, ଗୋଷ୍ଠୀ ବା କ୍ଷମତାର ଉଦ୍ଦେଶ୍ୟ ଉପରେ । ତେଣୁ ଏହା ବିଷୟର ଦୋଷ ନୁହେଁ ବରଂ ସେହି ବିଷୟକୁ ବିନାଶକାରୀ ଉଦ୍ଦେଶ୍ୟରେ ପ୍ରୟୋଗ କରୁଥିବା ରାଷ୍ଟ୍ର ବା ରାଷ୍ଟ୍ର ମାନଙ୍କର ଦୋଷ । ଉତ୍ତର ଯୁଦ୍ଧ (post war) କାଳରେ ଭୂରାଜନୀତି ଶାନ୍ତି ଓ ସମୃଦ୍ଧିର ଯେ କାରଣ ହୋଇଛି ଏହା ଅନେକେ ସ୍ଵୀକାର କରନ୍ତି ।“   ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ(୧୯୪୫) ଯେଉଁ ସମୟ ଯାହାକୁ ଶୀତଳ ଯୁଦ୍ଧ (cold war)ର କାଳ କୁହାଯାଏ (12 th March 1947 to 26 th December 1991 ) ସେ ସମୟ ଥିଲା ପୁଞ୍ଜିବାଦୀ ରାଷ୍ଟ୍ର ମାନଙ୍କ ଦ୍ବାରା ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକା ଦ୍ଵାରା  କମ୍ୟୁନିଜମର ବିସ୍ତାରକୁ ଅଟକାଇବା, ପ୍ରଥମେ ଇଉରୋପରେ ଟାପରେ ଅନ୍ୟ ଆଡେ । ଏଥିପାଇଁ Marshall Plan କାର୍ଯ୍ୟକାରୀ କରି  ବିଭିନ୍ନ ବିତ୍ତୀୟ ସଂଗଠନ (World Bank, IMF ଆଦି ) ଠିଆ କରାଇ ସେମାନଙ୍କ ଜରିଆରେ କମ୍ୟୁନିଜମ ଆଡକୁ ଢଳିବାର ସମ୍ଭାବନା ଥିବା ରାଷ୍ଟ୍ରମାନଙ୍କୁ ସାହାଯ୍ୟ ଓ ଅନୁଦାନାଦି ଯୋଗାଇବା ଗୁରୁତ୍ବ ପାଇଥିଲା । ଅବଶ୍ୟ ଏହି ସମୟରେ ଦକ୍ଷିଣ ପୂର୍ବ ଏସିଆରେ(Thailand, Laos, Cambodia, and Indonesia)  କମ୍ୟୁନିଜମର ବିସ୍ତାରକୁ ଅଟକାଇବା ପାଇଁ ଉତ୍ତର ଭିଏତନାମ ଓ ଦକ୍ଷିଣ ଭିଏତନାମ ମଧ୍ୟରେ ହୋଇଥିବା ଯୁଦ୍ଧ(ନଭେମ୍ବର ପହିଲା,୧୯୫୫ ରୁ ୩୦ ଏପ୍ରିଲ ୧୯୭୫ )ରେ ଆମେରିକା ଦକ୍ଷିଣ ଭିଏତନାମର ସମର୍ଥନରେ ଓହ୍ଲାଇ  ଥିଲା । ଅବଶ୍ୟ ଉତ୍ତର ଭିଏତନାମ ସପକ୍ଷରେ ଥିଲେ କମ୍ୟୁନିଷ୍ଟ ରାଷ୍ଟ୍ର ସୋଭିଏତ ସଂଘ ଓ ଚୀନ । ଏହା ପୂର୍ବରୁ କୋରିଆରେ ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ମଧ୍ୟରେ ଯୁଦ୍ଧ ହୋଇଥିଲା (୨୫ ଜୁନ ୧୯୫୦ ରୁ ୨୭ ଜୁଲାଇ ୧୯୫୩ ) ଓ ଯାହା ଉଲ୍ଲେଖ ଯୋଗ୍ୟ ଉତ୍ତର କୋରିଆକୁ ସୋଭିଏତ ସଂଘ ଓ ଚୀନ ସମର୍ଥନ କରୁଥିବା ବେଳେ ଦକ୍ଷିଣ କୋରିଆକୁ ସମର୍ଥନ କରୁଥିଲା ଜାତିସଂଘ ନେତୃତ୍ଵରେ ଯୁକ୍ତରାଷ୍ଟ୍ର ଆମେରିକା । ଏହି ଭଳି ଭାବରେ ସୋଭିଏତ ସଂଘ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିଲା ଛାୟା ଯୁଦ୍ଧ , ଶୀତଳ ଯୁଦ୍ଧ କାଳରେ ।  ଶେଷକୁ କମ୍ୟୁନିଜମର ବିସ୍ତାରରେ ଯିଏ ମୁଖ୍ୟ ସୋଭିଏତ ଯୁନିଅନ ତାହାର ବିଘଟନ ପରେ ଏହି ଶୀତଳ ଯୁଦ୍ଧ କାଳର ପରିସମାପ୍ତି ହେଲା । ତେବେ ଭୂ-ରାଜନୀତିର ପ୍ରଭାବ ଧ୍ଵଂସାତ୍ମକ ହେବ କି ଗଠନାତ୍ମକ ହେବ ତାହା ନିର୍ଭର କରୁଛି ଏହାର ପ୍ରୟୋଗ  ପଛରେ ଥିବା ଉଦ୍ଦେଶ୍ୟ ଉପରେ । ଭାରତର ସମ୍ବିଧାନ ସମ୍ପର୍କରେ , 25 ନଭେମ୍ବର 1949 ଦିନ ସମ୍ବିଧାନ ସଭାରେ ଏହାର ଚିଠା ଉପସ୍ଥାପନ କରି କହିଥିଲେ ଯେ ଖରାପ ଲୋକଙ୍କ ହାତରେ ଭଲ ସମ୍ବିଧାନ ଖରାପ ଫଳ ଦେବ , ଭଲ ଲୋକଙ୍କ ହାତରେ ଖରାପ ସମ୍ବିଧାନ ଭଲ ଫଳ ଦେବ । ଅର୍ଥାତ ନିର୍ଭର କରୁଛି ଏହାକୁ କିଏ ପ୍ରୟୋଗ  କରୁଛି , କେଉଁ ଉଦ୍ଦେଶ୍ୟରେ ପ୍ରୟୋଗ  କରୁଛି ।          

ଉପସଂହାର : ମାନବବାଦୀ ଭୂ-ରାଜନୀତି  

ଭୂ-ରାଜନୀତି ସମ୍ପର୍କରେ ଉକ୍ତ ଉପସ୍ଥାପନାଟି ଏହାର ନକାରାତ୍ମକ ଚରିତ୍ର ଦର୍ଶାଏ । ଯୁଦ୍ଧ, ହିଂସା ଯେପରି ହେଉଛି ଏହାର ଚରିତ୍ର । କିନ୍ତୁ ଏକ ଭୂ-ରାଜନୀତି ମାନବୀୟ ହୋଇପାରେ, ଏପରି ଧାରଣା ମଧ୍ୟ ଦେବାର ଚେଷ୍ଟା ହୋଇଛି । ଯାହାକୁ The Humanist Geopolitics ବା ମାନବତାବାଦୀ  ଭୂ-ରାଜନୀତି   ବୋଲି କୁହାଯାଇଛି । ଏହି ଧାରଣା ଦେଇଛନ୍ତି ଇରାନର ଜଣେ political geographyର ପ୍ରଫେସର ଓ Iranian Association of Geopoliticsର ପ୍ରତିଷ୍ଠତା ତଥା Geopolitics Quarterly ପତ୍ରିକାର ସମ୍ପାଦକ ମହମ୍ମଦ ରେଜା ହାଫେଜନିଆ (Mohammad Reza Hafeznia) ତାଙ୍କ ବିଚାରରେ ମାନବତାବାଦୀ  ଭୂ-ରାଜନୀତି ଯୁଦ୍ଧ, ସଂଘର୍ଷ, ହିଂସା, କଟୁତା, ସଙ୍କଟ, ଦାରିଦ୍ର୍ୟ, ମଣିଷର ଦୁର୍ଦ୍ଦଶା ଓ ଯନ୍ତ୍ରଣା, ସାମାଜିକ ଓ ଭୌଗଳିକ ବୈଷମ୍ୟକୁ ସମର୍ଥନ କରେ ନାହିଁ । ବରଂ ସମର୍ଥନ କରେ ସେହି ଉପାୟ ଓ ପଦକ୍ଷେପକୁ ଯାହା ଏହି ଗୁଡିକୁ ଦୂର କରିବାରେ ଏବଂ ଦେଶ ଦେଶ ମଧ୍ୟରେ ଶାନ୍ତିପୁର୍ଣ୍ଣ  ସହବସ୍ଥାନ  ପାଇଁ  ସାହାଯ୍ୟ କରିପାରେ ,  ମଣିଷର ବଞ୍ଚିବା ପାଇଁ ପରିବେଶକୁ ସୁରକ୍ଷିତ କରିପାରେ ଓ ସର୍ବାଧିକ ଉପଯୋଗୀ କରାଇପାରେ ଏବଂ ସତତ ବିକାଶ(sustainable development.)କୁ ନିଶ୍ଚିତ କରିପାରେ । ମାନବତାବାଦୀ ଭୂ-ରାଜନୀତି ସମର୍ଥନ କରେ ନାହିଁ ସ୍ଵେରାଚାରୀଙ୍କୁ, ସେପରି ଶାସକ ଏବଂ କ୍ଷମତାର ଅଧିକାରୀମାନଙ୍କୁ ଯେଉଁ ମାନଙ୍କର କାର୍ଯ୍ୟକଳାପ ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଥାଏ । ମାନବବାଦୀ ଭୂ-ରାଜନୀତି ଦୃଷ୍ଟିରେ ସରକାରର ଦର୍ଶନ ଜନତା ଏବଂ ନାଗରିକ ହେବା ଉଚିତ । ତେଣୁ ନାଗରିକଙ୍କ ଦ୍ବାରା ସୃଷ୍ଟ ସରକାର ନାଗରିକଙ୍କ ତରଫରୁ ଏପରି ପଦକ୍ଷେପ ନେବେ ଯେପରି ସେମାନଙ୍କର ଜୀବନ ଧାରଣ  ସୁଗମ ହେବ, ରାଜ୍ୟ ଭିତରେ ଓ ବାହାରେ ସାର୍ବଜନୀକ ବିଷୟର ପରିଚାଳନା ସମ୍ଭବ ହେବ , ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଶାନ୍ତିପୁର୍ଣ୍ଣ ସମ୍ପର୍କ ଏବଂ ସହବସ୍ଥାନ ସମ୍ଭବ । ମାନବବାଦୀ ଭୂ-ରାଜନୀତିରେ ବିଶ୍ୱାସ କରାଯାଏ ଯେ ସଂଖ୍ୟାଗରିଷ୍ଠ ଲୋକଙ୍କର ଓ ନାଗରିକଙ୍କର ଇଚ୍ଛା ଓ ଦୃଷ୍ଟି ହେଉଛି ଗୁରୁତ୍ବ ପୁର୍ଣ୍ଣ । ସରକାର ସବୁବେଳେ ନାଗରିକଙ୍କର ଶରଣାଗତ ହେବେ ଏବଂ ଲୋକଙ୍କର ମୁକ୍ତ ଓ ଶାନ୍ତିପୁର୍ଣ୍ଣ ଆଲୋଚନାକୁ ଶୁଣିବେ । ସରକାର ସବୁବେଳେ ବିଭିନ୍ନ ଅନୁଷ୍ଠାନ ଜରିଆରେ ନିଜର ବୈଧତାର ଆକଳନ କରୁଥିବେ ଓ ଯେତେବେଳେ ଦେଖିବେ ଯେ ଏହି ଆକଳନରେ ତାଙ୍କର ବୈଧତା ହ୍ରାସ ପାଉଛି, ସେ ସ୍ବେଚ୍ଛାକୃତ ଭାବେ କ୍ଷମତାରୁ ଓହରିଯିବେ, ଏବଂ ସାମରିକ ହିଂସା ବା କଠୋରତା ଜନଗଣ ଓ ନାଗରିକଙ୍କ ବିରୁଦ୍ଧରେ ଦେଖାଇବେ ନାହିଁ । ମାନବବାଦୀ ଭୂ-ରାଜନୀତି ନାଗରିକ ଏବଂ ସରକାର ମଧ୍ୟରେ ପରସ୍ପର ସହ ତର୍କପୂର୍ଣ୍ଣ   ଗଠନମୂଳକ ବିଚାର ବିନିମୟକୁ ସମର୍ଥନ କରେ । ରାଜନୈତିକ କ୍ଷମତାର ଶାନ୍ତିପୁର୍ଣ୍ଣ ହସ୍ତାନ୍ତର କୁ ସମର୍ଥନ କରେ । ମାନବବାଦୀ ଭୂ-ରାଜନୀତି ମନେ ହୋଇପରେ ଏକ ଆଦର୍ଶବାଦୀ/ କଳ୍ପନାମୟୀ  ଧାରଣା । ପ୍ରଥମେ ପ୍ରଥମେ ଏହା ଏପରି ହୋଇପାରେ କିନ୍ତୁ ପରେ ଏପରି ସାମାଜିକ ସନ୍ଦର୍ଭ ଉପୁଜି ପାରେ ଯାହା  ଏହାର ଯଥାର୍ଥତା ସାବ୍ୟସ୍ତ କରିପାରେ । ଯାହା କଳ୍ପନା  ମନେ ହେଉଛି ତାହା ବାସ୍ତବ ହୋଇପାରେ । ଯଦିଓ ମାନବବାଦୀ ଭୂ-ରାଜନୀତି ଏକ ଆଦର୍ଶବାଦୀ ଧାରଣା , ଏହା ମାନବସମାଜ ପାଇଁ ଓ ଆଜିର ବିଶ୍ଵ ପରିସ୍ଥିତି ଦୃଷ୍ଟିରୁ  ଏକ ମୌଳିକ ଆବଶ୍ୟକତା । ଏହା ମଣିଷର ନିର୍ବାଣ ବା ମୁକ୍ତି ପାଇଁ ଆବଶ୍ୟକ ଯେଉଁ ମଣିଷ କ୍ଳାନ୍ତ ଯୁଦ୍ଧ ଦ୍ୱାରା, କୃରତା ଦ୍ଵାରା, ହିଂସା ଦ୍ୱାରା, ସଙ୍କଟ ଦ୍ୱାରା, ଯନ୍ତ୍ରଣା ଦ୍ୱାରା, ଅସମାନତା ଦ୍ୱାରା, ଦାରିଦ୍ର୍ୟ ଦ୍ୱାରା, ନୈରାଶ୍ୟ ଦ୍ୱାରା, ଜନୋତ୍ତେଜକ ଭାଷଣ (demagogy) ଦ୍ୱାରା, ମିଥ୍ୟାଚାର ଦ୍ୱାରା, ଅନ୍ୟାୟ ଦ୍ୱାରା ଅତ୍ୟାଚାର ଇତ୍ୟାଦି ଦ୍ୱାରା । ମାନବବାଦୀ ଭୂରାଜନୀତି ଏକ ନଙ୍ଗର(moorings)ସଦୃଶ ଯେଉଁଥିରେ ଲୋକଙ୍କ ଦ୍ୱାରା ବନ୍ଧା ଯାଇଥାଏ ରାଜନୀତି, ସରକାର ଓ  ରାଜନୈତିକ ଖେଳାଳିଙ୍କୁ  , କ୍ଷମତାଧୀଶଙ୍କୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଯେ ଏକ ଏପରି ଜୀବନ ଶୈଳୀର ନିର୍ମାଣ ହୋଇପାରିବ ଯାହା ମଣିଷର ମର୍ଯ୍ୟାଦାକୁ ଖାପ ଖାଇବ /ମର୍ଯ୍ୟାଦା ଅନୁରୂପ ହେବ । ଅର୍ଥାତ୍ ଏପରି ଏକ ବିଶ୍ବର ନିର୍ମାଣ ସମ୍ଭବ ହେବ ଯେଉଁଠାରେ ଶାନ୍ତି, ସୁରକ୍ଷା, ଜନମଙ୍ଗଳ, ସତତ ବିକାଶ (sustainable development) , ନ୍ୟାୟ , ସାମ୍ୟ ଏବଂ ମାନବପ୍ରୀତିକୁ ନିଶ୍ଚିତ କରାଯାଇ ପାରିବ ।   

ଏହା କହି ମୁଁ ମୋର ଉପସ୍ଥାପନା ସମାପ୍ତ କରୁଛି । ଆପଣ ମାନେ ଧୈର୍ଯ୍ୟର ସହ ବସି ଏହାକୁ ଶୁଣି ଥିବାରୁ ଆପଣମାନଙ୍କୁ  ଧନ୍ୟବାଦ୍ । ଏ ବିଷୟରେ ମୋ ଭଳି ଜଣେ  ସମ୍ପୂର୍ଣ୍ଣ ଅଜ୍ଞ ବ୍ୟକ୍ତିକୁ ବିଷୟଟି ସମ୍ପର୍କରେ ଜାଣିବା ପାଇଁ ପ୍ରୋତ୍ସାହିତ କରିଥିବାରୁ ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ୍ । ଏହି ବିଷୟକୁ ଆହୁରି ବ୍ୟାପକତାର ସହ ଅଧ୍ୟୟନ ଓ ଅନୁଶୀଳନର ଆବଶ୍ୟକତା ଅଛି ବୋଲି ମୋର ମନେ ହୁଏ । ସ୍ଥାନୀୟ ସ୍ତରରେ ଜଳ ,ଜମି ଜଙ୍ଗଲ , ଖଣି ଖଦାନକୁ ଅକ୍ତିଆର କରିବା ପାଇଁ ଘରୋଇ କମ୍ପାନୀମାନଙ୍କର ପ୍ରବଣତା ଓ ଏପରି ଉଦ୍ୟମ ପ୍ରତି  ସରକାରମାନଙ୍କର  ପୃଷ୍ଟପୋଷକତା ଓ ପରିଣତିରେ ସ୍ଥାନୀୟ ଅଧିବାସୀ ବିସ୍ଥାପିତ ହେବ।, ଜୀବନ ଜୀବିକା ହରାଇବା ପ୍ରସଙ୍ଗକୁ ଭୂ-ରାଜନୀତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ କି ନା -ଆଗାମୀ ଦିନରେ ଏହାର ଅଧ୍ୟୟନ ହେବା ଉଚିତ ।

 ଧନ୍ୟବାଦ୍ ।                                               

                         

Comments

0 comments

Share This Article