“ଡାଲଖାଇ” ଏକ ଉପହାସ ନ ହେଉ

8 Min Read

ପଶ୍ଚିମ ଓଡ଼ିଶାର ଏକ ଅନନ୍ୟ ଲୋକସଙ୍ଗୀତର ନାମ ହେଉଛି ‘ଡାଲଖାଇ’ । ଯାହା କେବଳ ଓଡ଼ିଶା କାହିଁକି ଭାରତର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବେଶ୍ ପରିଚିତ ଓ ଆଦୃତ । ଏଠି କିନ୍ତୁ ଯେଉଁ ଡାଲଖାଇ କଥା ଆମେ କହିବାକୁ ଯାଉଛୁ, ତାହାର ଏହି ଅନନ୍ୟ ଲୋକସଙ୍ଗୀତ ବା ସଂସ୍କୃତି ସହ ନାଁଟିକୁ ଛାଡ଼ିଦେଲେ ଅନ୍ୟ କୌଣସି ସମ୍ପର୍କ ନାହିଁ । ଏହି ‘ଡାଲଖାଇ’ଟି କେତୋଟି ଇଂରାଜୀ ଶବ୍ଦକୁ ନେଇ ଗଢ଼ାଯାଇଥିବା ଓଡ଼ିଶା ସରକାରଙ୍କର ଏକ ଯୋଜନାର ନାମ, ଯାହାକୁ ସଂକ୍ଷେପରେ ‘ଡାଲଖାଇ’ ରଖାଯାଇଛି । ଭ୍ରମ ଓ ଭ୍ରାନ୍ତି ସୃଷ୍ଟି କରିବାରେ ଅନେକ ଦୃଷ୍ଟାନ୍ତ ତିଆରି କରି ଚାଲିଥିବା ଆମ କେନ୍ଦ୍ର ସରକାରଙ୍କ ଭଳି ଏଇଟା ରାଜ୍ୟ ସରକାରଙ୍କର ଏକ ନୂଆ ଖେଳ (Dignified Access to Livelihood, Knowledge, Health and Allied Infrastructure — DALKHAI)
ଓଡ଼ିଶାର ସରକାରଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ଫେବ୍ରୁଆରୀ ୨୦୨୬ରେ ବିଧାନସଭା ଗୃହରେ ବଜେଟ୍ ଉପସ୍ଥାପନ କଲାବେଳେ ଘୋଷଣା କରି କହିଲେ ଯେ, ପଶ୍ଚିମଓଡ଼ିଶାର ଦାଦନ ସମସ୍ୟାର ପ୍ରତିକାର ପାଇଁ ସରକାର ୨୨୦କୋଟି ଟଙ୍କା ଖର୍ଚ୍ଚ କରିବେ । ଉଦେ୍ଦଶ୍ୟ ରହିବ, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାରୁ ବିଭିନ୍ନ ସମୟରେ ଏବଂ ବିଶେଷ କରି ଦୁଃସ୍ଥ ପରିସ୍ଥିତି ଯୋଗୁଁ ଯେଉଁ ହଜାର ହଜାର ସଂଖ୍ୟାର ଗରିବ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି, ସେଭଳି ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ବା ତାହାର ପ୍ରତିକାର ପାଇଁ ଯେଭଳି ଯୋଜନା ପ୍ରସ୍ତୁତ କରାଯାଇ ପାରିବ, ସେଇଥିପାଇଁ ଏହି ଟଙ୍କାଟି ଖର୍ଚ୍ଚ ହେବ । ଦାଦନର ମୂଳ କାରଣଗୁଡ଼ିକ ଖୋଜି ତାହାର ପ୍ରତିକାର କରିବା, ସ୍ଥାନୀୟ ସ୍ତରରେ ତଥା ରାଜ୍ୟ ଭିତରେ ସମ୍ମାନର ସହ ନିରନ୍ତର ରୋଜଗାରର ସୁଯୋଗ ପାଇବାପାଇଁ ବ୍ୟବସ୍ଥା କରିବା ଏବଂ ଋଣଯନ୍ତାରେ ପଡ଼ି ଶୋଷିତ ହେଉଥିବା ଦାଦନ ଶ୍ରମିକ ତଥା ସେମାନଙ୍କ ପରିବାରମାନଙ୍କୁ ସେଥିରୁ ସୁରକ୍ଷା ଦେବା ଇତ୍ୟାଦି ବହୁତ ଭଲ ଶୁଭୁଥିବା ଲକ୍ଷ୍ୟଗୁଡ଼ିକ ହାସଲ କରିବାପାଇଁ ବଜେଟ୍ରେ ଏଭଳି ଗୋଟେ ବ୍ୟବସ୍ଥା କରାଯାଇଥିଲା ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ଏକଥା କହିଥିଲେ ଏବଂ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ଖବରଟି ଆସିଥିଲା । ‘ଡାଲଖାଇ’ ନାଁ ଶୁଣି ଦୁଃସ୍ଥ କଳାକାରମାନେ ମଧ୍ୟ ଭ୍ରମରେ ପଡ଼ିଯାଇଥିଲେ ଏବଂ ହୁଏତ ଏତେଦିନ ପରେ ସରକାର ତାଙ୍କର ଦୁଃସ୍ଥ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଗୋଟେ ବିରାଟ ଯୋଜନା କରିଛନ୍ତି, ଏଭଳି ଏକ ଭ୍ରାନ୍ତିରେ ମଧ୍ୟ ରହିଯାଇଥିଲେ ।
ଏମିତିରେ ଫେବୃଆରୀରୁ ଆସି ଜୁନ୍ ହୋଇଗଲା କିନ୍ତୁ ସରକାରୀ ସ୍ତରରେ କୌଣସି ଦପ୍ତରରେ ଏହି ‘ଡାଲଖାଇ’ ଯୋଜନାକୁ ନେଇ କୌଣସି ଖବର ଶୁଣିବାକୁ ମିଳିଲା ନାହିଁ । ଅଫିସରମାନଙ୍କୁ ପଚାରିଲେ ସେମାନଙ୍କ ପାଖରେ କିଛି ଖବର ନାହିଁ ବୋଲି ମଧ୍ୟ କହିଲେ । ଏମିତିକି ନିଜେ ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ, ବିଭିନ୍ନ ବିଭାଗର ସଚିବମାନଙ୍କ ପାଖରେ ‘ଡାଲଖାଇ’ ସମ୍ପର୍କରେ ସଠିକ କିଛି ଖବର ନାହିଁ, ଏଭଳି ଶୁଣିବାକୁ ମିଳିଲା । ଏହି ଯୋଜନାଟି କଣ ଏବଂ ଏହାକୁ କିପରି କାର୍ଯ୍ୟକାରୀ କରାଯିବ, ସେ ସମ୍ପର୍କରେ ସରକାରୀ ସ୍ତରରେ କୌଣସି ସ୍ପଷ୍ଟତା ନଥିବା କଥା ଆମକୁ ଜାଣିବାକୁ ମିଳିଲା । ପଶ୍ଚିମ ଓଡ଼ିଶା ବା ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମାନ୍ୟବର ବିଧାୟକମାନେ ଏବଂ ସାଂସଦମାନେ ମଧ୍ୟ କେବେ ପ୍ରଶ୍ନ କରିବା କଥା ଆମେ ଶୁଣିନାହୁଁ ଯେ, ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨୨୦ କୋଟି ଟଙ୍କାର ଏହି ‘ଡାଲଖାଇ’ ଯୋଜନାଟି ବାସ୍ତବରେ କଣ? ସରକାରଙ୍କର ପ୍ରଚାରତନ୍ତ୍ର ସାଜିଥିବା ଗଣମାଧ୍ୟମରେ ଏହି ପ୍ରଶ୍ନ ପଡ଼ିବାକୁ ବା ଶୁଣିବାକୁ ଆମମାନଙ୍କୁ ଏଯାବତ ଅନ୍ତତଃ ମିଳିନାହିଁ । ଯଦି ‘ଡାଲଖାଇ’ ଏକ ମିଛ ଘୋଷଣା ଥିଲା, ତାହେଲେ ଏହି ୨୨୦ କୋଟି ଟଙ୍କା ଯିବ କୁଆଡ଼େ ଏବଂ ଏହାର ଖର୍ଚ୍ଚ ସରକାର ଦେଖାଇବେ କେମିତି?
ଏଠି ସ୍ମରଣ କରାଇ ଦେଇଯାଇପାରେ ଯେ, ଭାଜପା (ଭାରତୀୟ ଜନତା ପାର୍ଟି)କୁ ବିପୁଳ ସଂଖ୍ୟାରେ ଅଧିକ ଆସନ ଦେଇ ବିଜୟୀ କରିଥିବା ପଶ୍ଚିମ ଓଡ଼ିଶାର ବାସିନ୍ଦାମାନଙ୍କ ପାଇଁ ଦାଦନ ଏକ ବଡ଼ ସମସ୍ୟା । ଏବଂ ସେହି ସମସ୍ୟାକୁ ଅନୁଧ୍ୟାନ କରିବା ପାଇଁ ଅକ୍ଟୋବର ୨୦୨୪ରେ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଅଧ୍ୟକ୍ଷ ରହିଥିଲେ; ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ କିଛି କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଏହାର ସଦସ୍ୟ ରହିଥିଲେ । ତେବେ ଏହି କମିଟି କଣ ଅଧ୍ୟୟନ କଲେ ଏବଂ ଶେଷରେ କଣ ରିପୋର୍ଟ ଦେଲେ, ସେ କଥା କେହି ଜାଣନ୍ତି ନାହିଁ । ଯଦି ରିପୋର୍ଟ ଆସିଛି, ସେଥିରେ କଣ ସବୁ ସୁପାରିଶ୍ କରାଯାଇଛି, ସେ ବିଷୟରେ ସରକାରଙ୍କ ପକ୍ଷରୁ କିଛି ଶୁଣିବାକୁ ମିଳେନାହିଁ । କାହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ‘ଡାଲଖାଇ’ ଯୋଜନାର ଘୋଷଣା ଓ ସେଥିପାଇଁ ୨୨୦ କୋଟି ଟଙ୍କାର ଖର୍ଚ୍ଚ ବରାଦ କଲେ, ତାହାର ଉତ୍ତର କାହାରି ପାଖରେ ନାହିଁ ।
‘ଦ ହିନ୍ଦୁ’ ନଭେମ୍ବର ୨୦, ୨୦୨୫ର ଏକ ଅଧ୍ୟୟନକୁ ଉଦ୍ଧାର କରି କୁହାଯାଇଥିଲା ଯେ, କେବଳ ୨୦୨୩ ମସିହାରେ ଓଡ଼ିଶାରୁ ଅନ୍ୟାନ୍ୟ ରାଜ୍ୟକୁ ପ୍ରାୟ ୧୭ଲକ୍ଷ ୫୦ହଜାର ଗରିବ ଶ୍ରମିକ କାମ ଅନ୍ୱେଷଣରେ ଯାଇଥିଲେ । ସେ ଭିତରୁ ଅଧିକାଂଶ ଦୁଃସ୍ଥ ସ୍ଥିତି ଯୋଗୁଁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହୋଇଥିଲେ । କୌତୁହଳର କଥା ଯେ, ବହୁରାଷ୍ଟ୍ରୀୟ କୃଷି କଂପାନୀମାନଙ୍କ ନିୟନ୍ତ୍ରଣରେ ଥିବା ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା IRRI (ଆଇ.ଆର.ଆର.ଆଇ.) ର ଅର୍ଥରେ ‘ଓଡ଼ିଶା ମାଇଗ୍ରେସନ ସର୍ଭେ’ ନାଁରେ ଏକ ସର୍ବେକ୍ଷଣ ୨୦୨୩ରେ କରାଯାଇଥିଲା । ସେଥିରୁ ଜଣାପଡ଼ିଥିଲା ଯେ, ପ୍ରାୟ ୨୦ ଲକ୍ଷ ୮୨ ହଜାର ଲୋକ ଓଡ଼ିଶାରୁ ଦାଦନ ଖଟିବା ପାଇଁ ବା କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି । ସେମାନଙ୍କ ଭିତରୁ କେବଳ ୭୪ ହଜାର ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ଶତକଡ଼ା ୭୦ ଭାଗ (ଅର୍ଥାତ ସେମାନେ ଯେଉଁ ୧୫ ହଜାର ଶ୍ରମିକଙ୍କୁ ନେଇ ସର୍ବେକ୍ଷଣ କରିଥିଲେ), ଶ୍ରମିକ ଏହି ସର୍ବେକ୍ଷଣରେ ଭାଗନେଇ କହିଥିଲେ ଯେ, ସେମାନେ ରୋଜଗାର ପାଇଁ ହିଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ।
ଦାଦନକୁ ନେଇ ଗବେଷଣା ବା ଅଧ୍ୟୟନ କିଛି କମ୍ ନାହିଁ । ଅନେକ ଦିନରୁ ବନ୍ଧୁ ରାଜୀବ ସଗରିଆ ଏହି ସମସ୍ୟା ଉପରେ ‘ସମଦୃଷ୍ଟି’ରେ ଲେଖି ଆସୁଛନ୍ତି । ତାଙ୍କର ‘ମୁଖାପିନ୍ଧା ମଣିଷ’ ଦାଦନର କରୁଣ କାହାଣୀ ଉପସ୍ଥାପନା କରି ଆମ ସମ୍ବେଦନଶୀଳତାକୁ ଦୋହଲାଇ ଦିଏ । ଗାର୍ଗୀ ଶତପଥୀଙ୍କର ବି କୃଷିଭିତ୍ତିକ ଦୁଃସ୍ଥାବସ୍ଥାକୁ ନେଇ କିଛି ଉପାଦେୟ ଲେଖା ଆମେ ପ୍ରକାଶିତ କରିସାରିଛୁ । ମୁଁ ମଧ୍ୟ ନିଜେ ଦାଦନ ଉପରେ କରିଥିବା ଅଧ୍ୟୟନ ‘ସମଦୃଷ୍ଟି’ର ବିଗତ ସଂଖ୍ୟାମାନଙ୍କରେ ଉପସ୍ଥାପନ କରିଛି ।
ଅତୀତରେ ଅନାହାର ଯୋଗୁଁ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଛୁଆ ବିକ୍ରି ଘଟଣା ଆନ୍ତର୍ଜାତୀୟ ସ୍ତରରେ ଅନେକ ଦେଶର ଧ୍ୟାନ ଆକର୍ଷଣ କରିଥିଲା । ବିଶିଷ୍ଟ ସମାଜବାଦୀ ଏବଂ ପୂର୍ବତନ ସାଂସଦ କିଶନ ପଟ୍ଟନାୟକଙ୍କ ଅପିଲ୍ ଏବଂ ପୂର୍ବତନ ବିଧାୟକ କପିଳନାରାୟଣ ତିୱାରୀଙ୍କର ଏକ ମିଳିତ ଆବେଦନ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଗ୍ରହଣ କରି ବିଚାର ପ୍ରକ୍ରିୟା ଜାରି ରଖିଥିଲେ । ଗୋଟିଏ ପରେ ଗୋଟିଏ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ମଧ୍ୟ କେବିକେ ଅଞ୍ଚଳକୁ, ପରେ ଯାହା କେବିକେ ନାମରେ ପରିଚିତ ହେଲା, ଚାଲିଥିଲା । କେବିକେ ଯୋଜନା ନାମରେ ଏକ ବ୍ୟୟବହୁଳ ଯୋଜନା ମଧ୍ୟ ଘୋଷଣା କରାଗଲା । ଜଣେ ବରିଷ୍ଠ ପ୍ରଶାସକ କେବିକେ (ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ) ଯୋଜନା ପାଇଁ ମୁଖ୍ୟ ପ୍ରଶାସକ ମଧ୍ୟ ନିଯୁକ୍ତ ହେଲେ । ସେମାନଙ୍କ ଭିତରୁ ଅଧିକାଂଶ ଏହାକୁ ଦଣ୍ଡ ବିଧାନ ହିସାବରେ ଦେଖିଲେ । ‘ଦାଦନ’ର ମୂଳ କେନ୍ଦ୍ରସ୍ଥଳୀ କେବିକେରେ ‘ଦାଦନ’ର କାରଣ ଓ ନିରାକରଣ କିପରି ହେବ, ୪୦ବର୍ଷ ଧରି ତର୍ଜମା ଚାଲିଲା, ଅଧ୍ୟୟନ ହେଲା, ବିଭିନ୍ନ ପ୍ରକାର ସମ୍ମିଳନୀ, ସଭା, ବୈଠକ ମଧ୍ୟ ଅନୁଷ୍ଠିତ କରାଗଲା ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଦାଦନ କଣ ଏମିତି ଏକ ଅବୁଝା ବା ଅଜଣା ବିଷୟବସ୍ତୁ ହୋଇ ରହିଛି ଯେ, ତାକୁ ପୁଣି ବୁଝିବା ପାଇଁ ଟାସ୍କଫୋର୍ସ ଗଠନ, ଅଧ୍ୟୟନ, ଗବେଷଣା ଇତ୍ୟାଦି ଆହୁରି ହେବା ଜରୁରୀ? ଏମିତିରେ ବି ଦାଦନକୁ ଏକ ସକାରାତ୍ମକ ବିକାଶ ହିସାବରେ ରହସ୍ୟମୟ ସଂସ୍ଥାମାନେ ବିଚାର କରିଆସୁଛନ୍ତି । ସେମାନେ ରାଜ୍ୟ ଭିତରକୁ ରୋଜଗାର ମାଧ୍ୟମରେ କେତେ କୋଟି ଟଙ୍କା ଆଣୁଛନ୍ତି ତାହାର ହିସାବ ମଧ୍ୟ କରିଛନ୍ତି । ଯେତେ ନାମକୁ ମାତ୍ର କୃଷକ, କ୍ଷୁଦ୍ର ଚାଷୀ, ଜଙ୍ଗଲଜୀବୀ ଓ କୃଷି ଶ୍ରମିକ ଜମି ଓ ଜଙ୍ଗଲଠୁ ଦୂରେଇ ରହିବେ, ବହୁରାଷ୍ଟ୍ରୀୟ କଂପାନୀମାନଙ୍କ ପାଇଁ ତାହା ଏକ ଭଲ ଖବର । ଏଭଳି ଏକ ସମୟରେ ଦାଦନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ସରକାର ହାଲକା ଭାବେ ନେବା, ବିଭ୍ରାନ୍ତି ସୃଷ୍ଟି କଲାଭଳି ଘୋଷଣା କରିବା ଏବଂ ଏହାର ପରିଣାମ କଣ ହେବ ତା’ ଉପରେ ବିଚାର ନକରିବା, ହୁଏତ ଅନ୍ୟମାନଙ୍କୁ କହିବା ପାଇଁ ବା ପ୍ରଶ୍ନ କରିବା ପାଇଁ ବାଧ୍ୟ କରିପାରେ ଯେ ଏସବୁ କାହା ହିତରେ ହେଉଛି? ଡାଳ ବି ଖାଇବାକୁ ନପାଇ ବାହାରକୁ ଚାଲି ଯାଉଥିବା ଲୋକଙ୍କ ପାଇଁ ‘ଡାଲଖାଇ’ ଏକ ଉପହାସ ନହେଉ । ଆମ ମାନ୍ୟବର ବିଧାୟକମାନେ ଟିକେ ମୁହଁ ଖୋଲିବାର ଅଭ୍ୟାସ ଆରମ୍ଭ କଲେ ଦାଦନ ଖଟିବାକୁ ବାଧ୍ୟ ହେଉଥିବା ଲୋକମାନଙ୍କର ମଙ୍ଗଳ ହେବ ବୋଲି ଆଶା!
କିନ୍ତୁ ଯାହା ଜଣାପଡ଼ୁଛି, ରାଜ୍ୟ ସରକାରଙ୍କ ପାଖରେ ବୌଦ୍ଧିକ ସମ୍ୱଳ ନାହିଁ ସ୍ଥିର ଭାବେ ଚିନ୍ତା କରିବା, ଯୋଜନା ପ୍ରସ୍ତୁତ କରିବା ପାଇଁ । ଦାଦନ ପାଇଁ ବାହାର ରାଜ୍ୟକୁ ଯାଉଥିବା ଲୋକମାନଙ୍କର ଦୁଃଖ ଯନ୍ତ୍ରଣା, ସେମାନଙ୍କ ପାଖରେ ଥିବା ଥିଲାବାଲା ମାନେ କେତେ ବୁଝିଛନ୍ତି ଆମେ ଜାଣି ନାହୁଁ । ସେ ଦୃଷ୍ଟିରୁ ଦାଦନର ଦୁଃଖ କେବେ ବୁଝିହେବ, ଅନୁମାନ କରି ହେଉନାହିଁ । ଗୋଟିଏ କଥା ସତ ଯେ, ଅନ୍ତତଃ ସରକାରଙ୍କର ଅସ୍ପଷ୍ଟ ଓ ଦୁର୍ବୋଧ ‘ଡାଲ୍ ଖାଇ’ ଯୋଜନାର ଘୋଷଣା ମାଧ୍ୟମରେ ଏହା କେବେ ସମ୍ଭବପର ହେବ ନାହିଁ ।

Comments

0 comments

Share This Article