ଏସ.ଆଇ.ଆର.(SIR ୨୦୨୫-୨୬) ଏବଂ ଭାରତର ପରିକଳ୍ପନାକୁ ଧ୍ୱଂସ କରିବା ପାଇଁ ବହୁମୁଖୀ ଚକ୍ରାନ୍ତ

6 Views
14 Min Read

(୨)
SIRର ରାଜନୈତିକ ତର୍କ 

ମୂଳଲେଖା- ଡ. ପରକାଳ ପ୍ରଭାକର
ଭାଷାନ୍ତର- ସମଦୃଷ୍ଟି ବ୍ୟୁରୋ

(ଜୁଲାଇ ୨, ୨୦୨୬ ଦିନ ଡଃ ବି.ଆର୍. ଅମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟରେ ପ୍ରଦତ୍ତ ‘ପି.ଭି. ନରସିଂହ ରାଓ ସ୍ମାରକୀ ବକ୍ତୃତା’ର ଏହା ଦ୍ୱିତୀୟ ଭାଗ ।)

ମତାଧିକାର ହରାଇବାର ପରିଣାମ କେବଳ ନିର୍ବାଚନ ମଧ୍ୟରେ ସୀମିତ ନୁହେଁ, ଏହା ବହୁ ଦୂରକୁ ଯାଏ – ପରକାଳ ପ୍ରଭାକର ଏଠାରେ ଏହି ବିଷୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଯେତେବେଳେ ଲକ୍ଷ ଲକ୍ଷ ଲୋକ ନିଜର ଭୋଟ୍ ଦେବାର ଅଧିକାର ହରାନ୍ତି, ନାଗରିକତାର ସ୍ୱରୂପ ନିଜେ ବଦଳିଯାଏ, ରାଜନୈତିକ ପ୍ରୋତ୍ସାହନଗୁଡ଼ିକର ରୂପାନ୍ତର ଘଟେ ଏବଂ ପ୍ରତ୍ୟେକ ରାଜନୈତିକ ଦଳ ଏକ ପରିବର୍ତ୍ତିତ ବହୁସଂଖ୍ୟାବାଦୀ ରାଜନୀତି ଆଡ଼କୁ ଠେଲି ହୋଇଯାନ୍ତି ।
ମତାଧିକାର ହରାଇଥିବା ଲୋକଙ୍କ ପାଇଁ କାହାରି ଚିନ୍ତା ଅଛି କି?
ସାଧାରଣ ନାଗରିକଙ୍କ କଥା ଛାଡ଼ନ୍ତୁ । ବୁଦ୍ଧିଜୀବୀ, ଗଣମାଧ୍ୟମ ସଂସ୍ଥା ଏବଂ ନେତାମାନେ ସୁଦ୍ଧା ଏହି ପ୍ରଚାରକୁ ସହଜରେ ଗ୍ରହଣ କରିନେଇଛନ୍ତି । ଏହି ବ୍ୟାପକ ସ୍ତରର ମତାଧିକାର ଉଚ୍ଛେଦ ଉପରେ ଏକ ସୂକ୍ଷ୍ମ ବା ଅନୁସନ୍ଧାନମୂଳକ ନଜର ପକାଇବା ପାଇଁ କାହାରି ଆଗ୍ରହ ନାହିଁ । ରାଜନୈତିକ ନେତା ଏବଂ ଗଣମାଧ୍ୟମର ଏକ ବଡ଼ ଭାଗ ଏହି ପ୍ରକ୍ରିୟାକୁ କେବଳ ନିର୍ବାଚନୀ ଦୃଷ୍ଟିକୋଣରୁ ଦେଖୁଛନ୍ତି । ଏହି ମତାଧିକାର ଉଚ୍ଛେଦ ଦ୍ୱାରା କାହାର ଲାଭ ହେଉଛି ଏବଂ କାହାର ନିର୍ବାଚନୀ ସମ୍ଭାବନା କ୍ଷତିଗ୍ରସ୍ତ ହେଉଛି, ସେମାନେ କେବଳ ତାହାରି ଆକଳନ କରୁଛନ୍ତି ।


ତେଣୁ, SIR ଲାଗୁ ହେବା ପରେ ଯେଉଁ ରାଜ୍ୟଗୁଡ଼ିକରେ ନିର୍ବାଚନ ହୋଇଥିଲା, ସେଠାକାର ଅନେକ ଅଣ-ବିଜେପି/ଏନଡିଏ (non-BJP/NDA) ରାଜନେତାଙ୍କ ସହ ମୋର ଯେଉଁ ଆଲୋଚନା ହୋଇଥିଲା, ସେଥିରୁ ସେମାନେ ଅନୁଭବ କରିଥିଲେ ଯେ ଏହାଦ୍ୱାରା ସେମାନଙ୍କର ନିର୍ବାଚନୀ ସମ୍ଭାବନା କ୍ଷତିଗ୍ରସ୍ତ ହେବାର ଆଶଙ୍କା କମ୍ । ଏମାନଙ୍କ ମଧ୍ୟରେ ଦୁଇଟି ଶ୍ରେଣୀ ଅଛନ୍ତି: ପ୍ରଥମ ଶ୍ରେଣୀର ନେତାମାନେ ଭାବିଲେ ଯେ ବାଦ୍ ପଡ଼ିଥିବା ଭୋଟରମାନେ ‘ସେମାନଙ୍କର ଭୋଟର’ ନୁହଁନ୍ତି । ଏହି ଚିନ୍ତାଧାରା ଏ ନୀତିରେ ଏକ ଚିନ୍ତାଜନକ କଥା । କାରଣ ଏହି ରାଜନେତାମାନେ ବାଦ୍ ପଡ଼ିଥିବା ଭୋଟରଙ୍କ ବିଷୟରେ ଚିନ୍ତା କରିବାକୁ ଚାହୁଁନଥିଲେ, ଯଦି ସେମାନେ ସେମାନଙ୍କର ନିଜସ୍ୱ ଭୋଟର ନଥିଲେ । ଦ୍ୱିତୀୟ ଶ୍ରେଣୀର ନେତାମାନେ ବୁଝିପାରିଥିଲେ ଯେ ସେମାନଙ୍କ ନିଜ ଭୋଟର ବି ବାଦ୍ ପଡ଼ିଛନ୍ତି, କିନ୍ତୁ ସେହି ସଂଖ୍ୟା ସେମାନଙ୍କ ଜିତିବା ସମ୍ଭାବନାକୁ ବିଗାଡ଼ିବା ପାଇଁ ଯଥେଷ୍ଟ ନୁହେଁ । ଉଦାହରଣ ସ୍ୱରୂପ, କେତେକ ମୋତେ କହିଥିଲେ ଯେ ବାଦ୍ ପଡ଼ିଥିବା ଭୋଟ୍ ସଂଖ୍ୟା ପାଖାପାଖି ୪ହଜାର ଥିଲା, କିନ୍ତୁ ସେମାନେ ବିଗତ ନିର୍ବାଚନରେ ୮ହଜାର ଭୋଟ୍ରେ ଜିତିଥିଲେ । ତେଣୁ ‘ନିଜ ଭୋଟର’ ବାଦ୍ ପଡ଼ିବା ସତ୍ତ୍ୱେ, ସେମାନଙ୍କର ନିର୍ବାଚନ ଜିତିବାର ମୋଟ ସମ୍ଭାବନା ସୁରକ୍ଷିତ ଥିଲା । କିଛି ଯୋଗ୍ୟ ଭୋଟରଙ୍କ ମତାଧିକାର ଛଡ଼ାଇ ନିଆଗଲେ ସେମାନଙ୍କର କିଛି ଯାଏ ଆସେ ନାହିଁ ।
ଆଜି ବିହାରର ବାଦ୍ ପଡ଼ିଥିବା ୮୦ଲକ୍ଷ ଭୋଟର, ବେଙ୍ଗଲର ୯୩ ଲକ୍ଷ ମତାଧିକାର ହରାଇଥିବା ଲୋକ ଏବଂ ତାମିଲନାଡୁର ୯୭ଲକ୍ଷ ଭୋଟରଙ୍କ ଭାଗ୍ୟ ବିଷୟରେ କେହି କଥା ହେଉନାହାଁନ୍ତି । କାରଣ ସେଠାରେ ଏବେ ନିର୍ବାଚନ ନାହିଁ, ତେଣୁ ଉତ୍ତରପ୍ରଦେଶର ୨.୮୩ କୋଟି, ରାଜସ୍ଥାନର ୪୪ଲକ୍ଷ, ଛତିଶଗଡ଼ର ୨୮ଲକ୍ଷ, ମଧ୍ୟପ୍ରଦେଶର ୪୫ଲକ୍ଷ ଏବଂ ଗୁଜରାଟର ୭୭ ଲକ୍ଷ ବାଦ୍ ପଡ଼ିଥିବା ଭୋଟରଙ୍କ ବିଷୟରେ କେହି ଆଲୋଚନା କରୁନାହାଁନ୍ତି ।
ପଶ୍ଚିମବଙ୍ଗ ଆହୁରି ଅଧିକ ଚିନ୍ତାଜନକ ଚିତ୍ର ଉପସ୍ଥାପନ କରୁଛି । ପାଖାପାଖି ୨୮ଲକ୍ଷ ଭୋଟରଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ନଥିଲେ ସୁଦ୍ଧା ଭୋଟ୍ ଦେବାକୁ ଦିଆଯାଇ ନଥିଲା । ସେମାନଙ୍କ କାଗଜପତ୍ର ଯାଞ୍ଚ କରାଯାଇ ନଥିଲା ଏବଂ ସେମାନଙ୍କର ଦାବିର ନିଷ୍ପତ୍ତି ହୋଇନଥିଲା । ତଥାପି, ନିର୍ବାଚନ କମିଶନ (ECI), ଶାସକ ଗୋଷ୍ଠୀ, ରାଜନୈତିକ ବର୍ଗର ଅନେକ ଲୋକ ଏବଂ ଗଣମାଧ୍ୟମ ଚାହୁଁଛନ୍ତି ଯେ ମେ ୨୦୨୬ର ବିଧାନସଭା ନିର୍ବାଚନ ବୈଧ ଥିଲା ବୋଲି ଆମେ ବିଶ୍ୱାସ କରୁ । ସେମାନେ ଆହୁରି ମଧ୍ୟ ଚାହୁଁଛନ୍ତି ଯେ SIR ପ୍ରକ୍ରିୟା ନିର୍ଭୁଲ ଥିଲା ଏବଂ ଏହାର କେବଳ ଗୋଟିଏ ଉଦେ୍ଦଶ୍ୟ ଥିଲା -ସ୍ଥାନାନ୍ତରିତ (Shifted), ଅନୁପସ୍ଥିତ (Absent), ନକଲି (Duplicate) ଏବଂ ମୃତ (Dead) ଭୋଟରଙ୍କ ସହ ଅନୁପ୍ରବେଶକାରୀଙ୍କୁ ବାହାର କରିବା । ଋଉଓ ଅଧିକାରୀମାନେ ଆଜି ବି ଅତ୍ୟନ୍ତ ଗାମ୍ଭୀର୍ଯ୍ୟର ସହ କହୁଛନ୍ତି ଯେ କୌଣସି ଯୋଗ୍ୟ ଭୋଟରଙ୍କୁ ସେମାନଙ୍କ ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ କରାଯିବ ନାହିଁ ।

SIR ପରବର୍ତ୍ତୀ ଭାରତୀୟ ରାଜନୈତିକ ବ୍ୟବସ୍ଥା:

ଆମ ରାଜନୈତିକ ବ୍ୟବସ୍ଥା ଉପରେ SIR ର ଦୀର୍ଘମିଆଦୀ ପ୍ରଭାବକୁ ଦେଖିବାର ଆବଶ୍ୟକତା ରହିଛି । ମୁଁ ଏବେ ଏହି ପ୍ରଭାବଗୁଡ଼ିକ ଆଡ଼କୁ ଦୃଷ୍ଟିପାତ କରୁଛି ।
SIR ପରେ ଭାରତରେ ଦୁଇଟିଶ୍ରେଣୀର ଲୋକ ରହିବେ: ଜଣେ ଯାହାଙ୍କ ପାଖରେ ଭୋଟ୍ ଦେବାର ଅଧିକାର ଅଛି ଏବଂ ଆଉ ଜଣେ ଯାହାଙ୍କ ପାଖରେ ଭୋଟ୍ ଦେବାର ଅଧିକାର ନାହିଁ । ଭୋଟ୍ ଦେବାର ଅଧିକାର ନଥିବା ଲୋକମାନେ ନିଜ ନାଗରିକତା ବିଷୟରେ ନିଶ୍ଚିତ ଭାବରେ ଦ୍ୱିଧାରେ ରହିବେ । ଆଜିକାଲି ଏହା କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେତେବେଳେ ପ୍ରାୟ ସମସ୍ତଙ୍କର ନାଗରିକତା ଅନିଶ୍ଚିତତା ମଧ୍ୟରେ ଅଛି । ଏବେ ଆମକୁ କୁହାଯାଉଛି ଯେ ପାସପୋର୍ଟ ମଧ୍ୟ କେବଳ ଏକ ଭ୍ରମଣ କାଗଜପତ୍ର (travel document), ନାଗରିକତାର ପ୍ରମାଣ ନୁହେଁ ।
ଆସନ୍ତୁ ଏବେ ଏକ କାଳ୍ପନିକ ଚିନ୍ତନ (thought experiment) କରିବା । ଭାବନ୍ତୁ ଯେ ଏହି ସଭାଗୃହରେ ଥିବା ଆମ ଭିତରୁ କାହାରି ପାଖରେ ଭୋଟ୍ ନାହିଁ । ଆସନ୍ତୁ ଏହା ବି କଳ୍ପନା କରିବା ଯେ ଆମେ ସମସ୍ତେ ଗୋଟିଏ ଆବାସିକ କଲୋନୀରେ ଏକାଠି ରହୁଛୁ । ଏହି କଲୋନୀ, ଯେଉଁଠାରେ ପ୍ରତ୍ୟେକ ରହୁଥିବା ଲୋକ ଅଣ-ଭୋଟର, ସେଠାକୁ କୌଣସି ରାଜନେତା କିମ୍ବା ନିର୍ବାଚନୀ ପ୍ରାର୍ଥୀ ପ୍ରଚାର କରିବାକୁ ଆସିବେ କି ? କୌଣସି ରାଜନେତା ଆମ ପାଇଁ କାମ କରିବେ କି? ସେମାନେ ଆମକୁ ପିଇବା ପାଣି, ରାସ୍ତା, ସ୍କୁଲ, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟୁତ୍ ସଂଯୋଗ ଯୋଗାଇଦେବେ କି? ମୁଁ ନିଶ୍ଚିତ ଭାବରେ କହିପାରେ ଯେ କୌଣସି ରାଜନେତା ଆମ କଲୋନୀରେ ରହିବା ପାଇଁ ନିଜ ସମୟର ମିନିଟେ ବି ବିତାଇବେ ନାହିଁ ।
ଆମେ ସେଠାରେ ରହିପାରିବା, କିନ୍ତୁ ସୁରକ୍ଷା ଏବଂ ଯତ୍ନ ପାଇଁ ରାଜ୍ୟ (ସରକାର) ଉପରେ ଆମର କୌଣସି ଦାବି ରହିବ ନାହିଁ । ଆମେ ସରକାରଙ୍କ ଗ୍ରହଣଯୋଗ୍ୟ ସୀମା ବାହାରେ । ଆମ ପ୍ରତି ସରକାରଙ୍କର କୌଣସି ଉତ୍ତରଦାୟିତ୍ୱ ନାହିଁ । ଏହା ଆମର ଯତ୍ନ ନେବା ଆବଶ୍ୟକ ନୁହେଁ । ଯଦି ବା ଏହା କରେ, ଯାହା ଅସମ୍ଭବ ମନେହୁଏ, ତାହା ଏହାର ବଦାନ୍ୟତାରୁ ହେବ, ଆମର ଅଧିକାରପୂର୍ଣ୍ଣ ଦାବି ଯୋଗୁଁ ନୁହେଁ ।
ସରକାର କର୍ତ୍ତବ୍ୟବଦ୍ଧ ନୁହଁନ୍ତି । ଆମେ ଆଉ ରାଜନୈତିକ ସମାଜର ଅଂଶ ହୋଇ ରହିନାହୁଁ । ଅନ୍ୟ ଶବ୍ଦରେ କହିବାକୁ ଗଲେ, ଭାରତର ରାଜନୈତିକ ସମାଜ ସଙ୍କୁଚିତ ଓ ସୀମିତ ହୋଇଯିବ । ଯେଉଁମାନେ ବାଦ୍ ପଡ଼ିଛନ୍ତି, ସେମାନେ ପ୍ରଜାତନ୍ତ୍ର ପାଇଁ ଆଉ ପ୍ରାସଙ୍ଗିକ ନୁହଁନ୍ତି ।
ମୁଁ ଆପଣଙ୍କୁ ଏଠାରେ କହିରଖେ ଯେ ଏପର୍ଯ୍ୟନ୍ତ SIR ପାଖାପାଖି ୬ କୋଟି ଭୋଟରଙ୍କୁ ବାଦ୍ ଦେଇସାରିଛି । ଏହି ହାରରେ, ସମଗ୍ର ଦେଶରେ ଏହି ପ୍ରକ୍ରିୟା ଶେଷ ହେବାବେଳକୁ ବାଦ୍ ପଡ଼ିବାକୁ ଥିବା ଆନୁମାନିକ ସଂଖ୍ୟା ପାଖାପାଖି ୧୬କୋଟି ହେବ । ଏହା କୌଣସି ଛୋଟ ସଂଖ୍ୟା ନୁହେଁ । ବିଶ୍ୱର ପ୍ରାୟ ୮୦% ଦେଶର ଜନସଂଖ୍ୟା ୧୬କୋଟି କିମ୍ବା ତା’ଠାରୁ କମ୍ । ଅନ୍ୟ ଶବ୍ଦରେ କହିବାକୁ ଗଲେ, SIR ଭାରତ ଭିତରୁ କିଛି ଦେଶକୁ କାଟି ଅଲଗା କରିଦେଉଛି ଏବଂ ସେମାନଙ୍କୁ ନିର୍ଜନତା ମଧ୍ୟକୁ ଫିଙ୍ଗିଦେଉଛି ।
ଆମେ ଏପର୍ଯ୍ୟନ୍ତ ଏପରି ଏକ ଗଣତନ୍ତ୍ରରେ ଅଭ୍ୟସ୍ତ ଥିଲୁ ଯେଉଁଠାରେ ଭୋଟରମାନେ ସ୍ଥିର କରୁଥିଲେ ଯେ ସରକାରରେ କିଏ ରହିବ । କିନ୍ତୁ ଏବେ, SIR ର ଆଗମନ ସହ, ଆମେ ଏକ ନୂଆ ଗଣତନ୍ତ୍ରକୁ ସ୍ଥାନାନ୍ତରିତ ହେଉଛୁ, ଯେଉଁଠାରେ ସରକାରରେ ବସିଥିବା ଲୋକମାନେ ନିଷ୍ପତ୍ତି ନେଉଛନ୍ତି ଯେ ଭୋଟର କିଏ ହେବା ଉଚିତ୍ ।

ରାଜନୈତିକ ଦଳଗୁଡ଼ିକର ବିଜେପି-କରଣ:

SIR ର ଆଉ ଏକ ଚିନ୍ତାଜନକ ପରିଣାମ ରହିଛି । ଏହା ବୁଝିବା କଷ୍ଟକର ନୁହେଁ ଯେ ପ୍ରତ୍ୟେକ ରାଜନୈତିକ ଦଳ କେବଳ ସେହିମାନଙ୍କ ସ୍ୱାର୍ଥ, ଚିନ୍ତା ଏବଂ ପ୍ରାଥମିକତା ଉପରେ ଧ୍ୟାନ ଦେବେ ଯେଉଁମାନଙ୍କର ଭୋଟ୍ ଦେବାର ଅଧିକାର ଅଛି । କେବଳ ସେହିମାନେ ହିଁ ରାଜନୈତିକ ଦଳଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ । SIR ବାଦ୍ ପଡ଼ିବା ପ୍ରକ୍ରିୟାର ଗତିକୁ ଯେପରି ଆମେ ବୁଝିଛୁ, ନିକଟ ଭବିଷ୍ୟତରେ ନହେଲେ ବି ଶେଷରେ ଯେକୌଣସି ପରିସ୍ଥିତିରେ, ଭୋଟ୍ ଅଧିକାର ବଜାୟ ରଖୁଥିବା ଅଧିକାଂଶ ଲୋକ ‘ସବର୍ଣ୍ଣ ହିନ୍ଦୁ’ ହେବାର ସମ୍ଭାବନା ଅଛି । ଆମକୁ ମନେ ରଖିବାକୁ ହେବ ଯେ ବର୍ତ୍ତମାନର SIR ଶେଷ SIR ହେବାର ସମ୍ଭାବନା କମ୍ । ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ଯେ ଝଓଜ ଏକ ନିରନ୍ତର ପ୍ରକ୍ରିୟା ହୋଇଯିବ, ଯେତେବେଳେ ଏହାକୁ ବର୍ତ୍ତମାନ ପରି ସ୍ୱାଭାବିକ କରାଯିବ ଏବଂ ଗ୍ରହଣ ବି କରାଯିବ । ଏପରି ସମ୍ଭାବନା ଅଛି ଯେ ଆମ ପାଖରେ ନିୟମିତ ଭାବରେ ଏପରି SIR ପ୍ରକ୍ରିୟା ହେବ ଯାହା ଆମ ରାଜନୈତିକ ସମାଜରୁ ତଥାକଥିତ ଅବାଂଛିତ ଏବଂ ଅଶୁଦ୍ଧ ଉପାଦାନଗୁଡ଼ିକୁ କ୍ରମାଗତ ଭାବରେ ହଟାଇ ଚାଲିବ । ଝଓଜର ବାରମ୍ବାର ପୁନରାବୃତ୍ତି ପରେ, ରାଜନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ସେହି ଅବାଂଛିତ ଉପାଦାନଗୁଡ଼ିକରୁ ମୁକ୍ତ ହୋଇଯିବ ।
ଅଣ-ହିନ୍ଦୁ ଏବଂ ଅଣ-ସବର୍ଣ୍ଣ ହିନ୍ଦୁ, ଯେଉଁମାନେ ହୁଏତ ସେମାନଙ୍କର ଭୋଟ୍ ଅଧିକାର ବଜାୟ ରଖିପାରନ୍ତି, ସେମାନଙ୍କୁ ରାଜନୈତିକ ଭାବରେ ଏକ ଗୁରୁତ୍ୱହୀନ ସଂଖ୍ୟାଲଘୁରେ ପରିଣତ କରାଯିବ । SIR ବିନା ମଧ୍ୟ, କେନ୍ଦ୍ରର ଶାସକ ଦଳ ମୁସଲିମ୍ ଏବଂ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ହେଲେ ବି ସଦସ୍ୟ ନଥାଇ ମନ୍ତ୍ରୀପରିଷଦ ଗଠନ କରିବାକୁ ସମର୍ଥ ହୋଇଛି ।
ଆମ ସ୍ୱାଧୀନ ପ୍ରଜାତନ୍ତ୍ରର ସମଗ୍ର ଇତିହାସରେ, ଆମ ପାଖରେ ଏପରି କେନ୍ଦ୍ରୀୟ ମନ୍ତ୍ରୀପରିଷଦ କେବେ ନଥିଲା ଯେଉଁଥିରେ ଜଣେ ମୁସଲିମ୍ ଏବଂ ଜଣେ ଖ୍ରୀଷ୍ଟିଆନ୍ ପ୍ରତିନିଧି ନଥିଲେ । SIR ପରେ ମଧ୍ୟ, ଯଦି କୌଣସି ସଂଖ୍ୟାଲଘୁ ଏବଂ ଅଣ-ସବର୍ଣ୍ଣ ହିନ୍ଦୁଙ୍କ ପାଖରେ ମତାଧିକାର ରହେ, ତଥାପି ସୀମା ନିର୍ଦ୍ଧାରଣ (Delimitation) ପ୍ରକ୍ରିୟା ଦ୍ୱାରା ସେମାନଙ୍କୁ ରାଜନୈତିକ ଭାବରେ ଗୁରୁତ୍ୱହୀନ କରିଦିଆଯିବ । ଏପରି ଅବାଂଛିତ ଜନସଂଖ୍ୟାକୁ ନିର୍ବାଚନୀ ପ୍ରତିଯୋଗିତାରେ ଅପ୍ରାସଙ୍ଗିକ କରିବା ପାଇଁ ସୀମା ନିର୍ଦ୍ଧାରଣ ଲାଗୁ କରି ନିର୍ବାଚନ ମଣ୍ଡଳୀଗୁଡ଼ିକୁ କିପରି ପୁନର୍ଗଠିତ ଓ ବିଭାଜିତ (pack and crack) କରାଯାଏ, ଆସାମ ଏବଂ ଜମ୍ମୁ-କାଶ୍ମୀର ତାହାର ବାଟ ଦେଖାଇଛନ୍ତି ।
ଯଦି ଏବେର ସ୍ଥିତି ଏପରି, ତେବେ ଝଓଜ ସମ୍ପୂର୍ଣ୍ଣ ଭାବରେ ଲାଗୁ ହେବାପରେ ଆମ ସମାଜର ଏହି ବର୍ଗଗୁଡ଼ିକର ରାଜନୈତିକ ଗୁରୁତ୍ୱ କ’ଣ ହେବ, ତାହା କଳ୍ପନା କରନ୍ତୁ । ଏହା ହେଉଛି ହିନ୍ଦୁ ବହୁସଂଖ୍ୟାବାଦୀ ଏକତ୍ରୀକରଣର ସେହି ସ୍ତର, ଯାହାକୁ ବର୍ତ୍ତମାନର ଶାସକ ଗୋଷ୍ଠୀ ନିଜ ପଛରେ ସଂଗଠିତ କରିପାରିବ । SIR ସହିତ, ଦେଶର ପ୍ରତ୍ୟେକ ରାଜନୈତିକ ଦଳପାଇଁ କାର୍ଯ୍ୟ କରିବାକୁ କେବଳ ସେହି ଗୋଟିଏ ରାଜନୈତିକ ସମାଜ ବଞ୍ଚିରହିବ । ତା’ର ଅର୍ଥ ହେବ ଆମ ରାଜନୈତିକ ବ୍ୟବସ୍ଥାର ହିନ୍ଦୁ-କରଣ, କିମ୍ବା ବରଂ ‘ସବର୍ଣ୍ଣ ହିନ୍ଦୁ-କରଣ’ । ଏହାର ପରିଣାମସ୍ୱରୂପ ପ୍ରତ୍ୟେକ ରାଜନୈତିକ ଦଳ ଶେଷରେ ଏକ ହିନ୍ଦୁ ବହୁସଂଖ୍ୟାବାଦୀ ଦଳରେ ପରିଣତ ହେବେ -କେହି କମ୍ ତ କେହି ବେଶୀ, କିନ୍ତୁ ତଥାପି ସମସ୍ତେ ହିନ୍ଦୁ ବହୁସଂଖ୍ୟାବାଦୀ ।
ପାଶା ପଡ଼ିସାରିଥିବ; ପିଚ୍ ପ୍ରସ୍ତୁତ ହୋଇସାରିଥିବ; ରାଜନୈତିକ ମଇଦାନ ବଦଳି ଯାଇଥିବ । ପ୍ରତ୍ୟେକ ରାଜନୈତିକ ଦଳ, ଯଦି ତାହାକୁ ସେହି ସଂସ୍କୃତ ରାଜନୈତିକ ବ୍ୟବସ୍ଥା ଏବଂ ରୂପାନ୍ତରିତ ମଇଦାନରେ ନିର୍ବାଚନୀ ସଫଳତା ପାଇବାକୁ ହୁଏ କିମ୍ବା ପ୍ରାସଙ୍ଗିକ ହୋଇ ରହିବାକୁ ହୁଏ, ତେବେ ବିଜେପି ପରି ଖେଳିବାକୁ ପଡ଼ିବ, ବିଜେପିର କାର୍ଯ୍ୟକ୍ରମକୁ ଆପଣେଇବାକୁ ପଡ଼ିବ, ଏବଂ ହୁଏତ ବର୍ତ୍ତମାନର ବିଜେପି ତୁଳନାରେ ନିଜକୁ ଆହୁରି ଅଧିକ ‘ବିଜେପି-ସଦୃଶ’ କରିବାକୁ ବାଧ୍ୟ ହେବାକୁ ପଡ଼ିବ ।
ମୁଁ ଯେଉଁ କଥାଟି କହୁଛି ତାହା ହେଉଛି: ମଧ୍ୟମରୁ ଦୀର୍ଘମିଆଦୀ ସମୟ ମଧ୍ୟରେ, SIR ର ପରିଣାମ ପ୍ରତ୍ୟେକ ରାଜନୈତିକ ଦଳକୁ ବିଜେପି ପରି ବନାଇଦେବ । ଅନ୍ୟ ଶବ୍ଦରେ କହିବାକୁ ଗଲେ, ଦେଶର ପ୍ରତ୍ୟେକ ରାଜନୈତିକ ଦଳର ‘ବିଜେପି-କରଣ’ ହୋଇଯିବ ।

ଭାରତର ଇସ୍ରାଏଲ-କରଣ:

ଆମେ ଅପେକ୍ଷାକୃତ ଦେଖିସାରିଲୁଣି ଯେ ବହୁସଂଖ୍ୟକ ଧାର୍ମିକ ପ୍ରତୀକଗୁଡ଼ିକ ଧୀରେ ଧୀରେ ଅର୍ଦ୍ଧ-ସରକାରୀ ପ୍ରତୀକର ମାନ୍ୟତା ଆଡ଼କୁ ଗତି କରୁଛି । ବେଶୀ ଦିନର କଥା ନୁହେଁ, ଆମେ ଆମ ଗଣତାନ୍ତ୍ରିକ ପ୍ରଜାତନ୍ତ୍ରର ନୂତନ ଭାବେ ନିର୍ମିତ ସଂସଦ ଭବନରେ ରାଜତନ୍ତ୍ରର ପ୍ରତୀକ ‘ସେଙ୍ଗୋଲ’ ସହିତ ଅନେକ ହିନ୍ଦୁ ଧର୍ମଗୁରୁଙ୍କ ଶୋଭାଯାତ୍ରାର ଦୃଶ୍ୟ ଦେଖିଥିଲେ । ବନେ୍ଦ ମାତରମ୍ ଉପରେ ଦଶ ଘଣ୍ଟାର ଦୀର୍ଘ ଆଲୋଚନାର କିଛି ଦିନ ପରେ, ସରକାର ଏକ ଆଦେଶ ଜାରି କରିଥିଲେ ଯେ ସମସ୍ତ କେନ୍ଦ୍ର ସରକାରୀ ସମାରୋହରେ ଏହି ସଙ୍ଗୀତର ସମସ୍ତ ୬ଟି ଯାକ ପଦ ଗାନ କରାଯିବ । ଆମେ ଏହାମଧ୍ୟ ଦେଖୁଛୁ ଯେ ସରକାରୀ ଯୋଜନାଗୁଡ଼ିକର ନାମକରଣ ଏପରି ହେଉଛି ଯାହା ସ୍ପଷ୍ଟ ଭାବରେ ହିନ୍ଦୁ ଶାସ୍ତ୍ର, ଦେବଦେବୀ ଏବଂ ପୁରାଣକୁ ସୂଚାଉଛି । MNREGA ର ନାମ ବଦଳାଇ G-RAM-G କରିବା ଏହାର ସବୁଠାରୁ ସାମ୍ପ୍ରତିକ ଉଦାହରଣ ।
ଏହି ପ୍ରକ୍ରିୟା ଚିନ୍ତାଜନକ ଭାବେ ଇସ୍ରାଏଲର ରାଜନୈତିକ ସଂସ୍କୃତିର ନିକଟତର । ଏହି ଯିହୁଦୀ ରାଷ୍ଟ୍ର ନିଜର ରାଷ୍ଟ୍ରୀୟ ପ୍ରତୀକ ଭାବରେ ଯିହୁଦୀ ଧାର୍ମିକ ପ୍ରତୀକଗୁଡ଼ିକୁ ରଖିବାପାଇଁ କୌଣସି ସଙ୍କୋଚବୋଧ କରେ ନାହିଁ । ‘ଷ୍ଟାର୍ ଅଫ୍ ଡେଭିଡ୍’ (Star of David) ତାହାର ଜାତୀୟ ପତାକାରେ ଅଛି । ସେହି ଦେଶର ପ୍ରତ୍ୟେକ ରାଜନୈତିକ ଦଳ କେବଳ ଯିହୁଦୀ ସ୍ୱାର୍ଥ ସାଧନ କରନ୍ତି, କେବଳ ଯିହୁଦୀ ଆକାଂକ୍ଷାକୁ ସମ୍ବୋଧିତ କରନ୍ତି, କେବଳ ଯିହୁଦୀ ଚିନ୍ତା ଏବଂ ପ୍ରାଥମିକତାକୁ ଧ୍ୟାନ ଦିଅନ୍ତି । ମୂଳ ପ୍ରସଙ୍ଗ ମୁଦ୍ଦାଗୁଡ଼ିକରେ ସେମାନେ ଜଣେ ଅନ୍ୟଜଣଙ୍କଠାରୁ ପ୍ରାୟ ଅଲଗା ନୁହଁନ୍ତି । ବାସ୍ତବରେ, ସେମାନେ ଯିହୁଦୀ ସ୍ୱାର୍ଥର ସମର୍ଥନ କରିବାରେ ଏବଂ ଅଣ-ଯିହୁଦୀ ଚିନ୍ତାପ୍ରତି ନିଜର ଉଦାସୀନତା ଓ ବିରୋଧାଭାସ ଦେଖାଇବାରେ ପରସ୍ପରକୁ ପଛରେ ପକାଇବାକୁ ଚେଷ୍ଟା କରନ୍ତି । ଅଣ-ଯିହୁଦୀମାନଙ୍କ କଲ୍ୟାଣ ପାଇଁ ରାଷ୍ଟ୍ର ନିଜ ଉପରେ କୌଣସି ଦାୟିତ୍ୱ ନିଏନାହିଁ ।
ଭାରତରେ ଏବେ ଯେଉଁ ପ୍ରକ୍ରିୟା ଚାଲିଛି, ଯଦି ଏହାକୁ ରୋକା ନଯାଏ, ତେବେ ଭାରତକୁ ଇସ୍ରାଏଲ ବାଟରେ ନେଇଯିବ । ଅନ୍ୟ ଶବ୍ଦରେ, ଆଜି ଆମେ ଯାହା ଦେଖୁଛୁ ତାହା ହେଉଛି ଭାରତର କ୍ରମାଗତ ‘ଇସ୍ରାଏଲ-କରଣ’ ।

ଧର୍ମନିରପେକ୍ଷ, ସର୍ବସମାବେଶୀ ଭାରତର ବିଘଟନ:

ଏହି ଦୁଇଟି ସାମାଜିକ ଘଟଣାର ବିକାଶ ସ୍ପଷ୍ଟ: ଗୋଟିଏ ପଟେ ରାଜନୈତିକ ଦଳଗୁଡ଼ିକର ‘ବିଜେପି-କରଣ’ ଏବଂ ଅନ୍ୟପଟେ ଭାରତୀୟ ରାଜନୈତିକ ବ୍ୟବସ୍ଥାର ‘ଇସ୍ରାଏଲ-କରଣ’, ଦୁହେଁ ଏକାଠି ଆଗେଇ ଚାଲିଛନ୍ତି ।
ଏହା ଭାରତକୁ ଏକ ଧର୍ମନିରପେକ୍ଷ, ବହୁବିଧ (plural) ଏବଂ ସଂଘୀୟ ରାଷ୍ଟ୍ର ଭାବରେ ଗଢ଼ିବାର ସେହି ଚିନ୍ତାଧାରାକୁ ଭାଙ୍ଗିଦେଉଛି, ଯାହା ନିଜ ଲୋକଙ୍କୁ ସ୍ୱାଧୀନତା, ସମାନତା, ନ୍ୟାୟ ଏବଂ ଭ୍ରାତୃତ୍ୱ ପ୍ରଦାନ କରିବାକୁ ଏବଂ ଏକ ମାନବୀୟ ସମାଜକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲା ।
୧୯୪୭ର ଭାଗ୍ୟ ସହିତ ସମ୍ପର୍କରେ ନିହିତ ଭାରତର ପରିକଳ୍ପନା ଏବଂ ଆମର ୧୯୫୦ ସମ୍ବିଧାନରେ ସଂରକ୍ଷିତ ରାଜନୈତିକ ଚୁକ୍ତି ଏବେ ମାରାତ୍ମକ ବିପଦରେ ଅଛି ।
ଭାରତର ଧର୍ମନିରପେକ୍ଷ, ବହୁବିଧ, ଗଣତାନ୍ତ୍ରିକ ଧାରଣା ଏକ ଗୋଷ୍ଠୀର ବ୍ୟକ୍ତିବିଶେଷ ଏବଂ ଅତୀତକୁ ପୂଜା କରୁଥିବା ଅନେକ ଅନ୍ଧକାରମୟ ମଞ୍ଚରୁ ନିରନ୍ତର ଆକ୍ରମଣର ଶିକାର ହୋଇଆସୁଛି । ସେମାନେ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଖୋଲାଖୋଲି ଏବଂ ଜିଦ୍ ଖୋର ଭାବରେ ଏକ ଅସମାନ ସାମାଜିକ ବ୍ୟବସ୍ଥାର ସମର୍ଥନ କରିଆସୁଛନ୍ତି । ସେମାନଙ୍କର ପ୍ରକଳ୍ପ ହେଉଛି ଭାରତର ଭବିଷ୍ୟତକୁ ଏହାର ଅତୀତ ମଧ୍ୟରେ ଖୋଜିବା; ସେହି କାଳ୍ପନିକ ଅତୀତରୁ ଏକ ଗଢ଼ାଯାଇଥିବା ପ୍ରାଚୀନ ଗୌରବକୁ ଉଦ୍ଧାର କରିବା; ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ପ୍ରଜାତନ୍ତ୍ରକୁ ସାଂସ୍କୃତିକ, ଭାଷାଗତ, ଧାର୍ମିକ ଭାବେ ଏକ ସମାନ ଜାତିରେ ପରିଣତ କରିବା । ଏକ ସଂଶ୍ଲେଷଣ (synthesis) ଏବଂ ଅନେକସ୍ତର ବିଶିଷ୍ଟ ଐତିହ୍ୟ (palimpsest) ଭାବରେ ଭାରତୀୟ ସଭ୍ୟତାର ଧାରଣା ସେମାନଙ୍କ ପାଇଁ ଅସହ୍ୟ ।
ସେମାନଙ୍କ ପ୍ରକଳ୍ପର ଭାରତୀୟ ଧାରଣା ସଂସ୍କୃତି, ଭାଷା, ଜୀବନଶୈଳୀ, ଖାଦ୍ୟପେୟର ଅଭ୍ୟାସ, ପୋଷାକ ପରିଚ୍ଛଦ, ଉପାସନାର ପ୍ରଣାଳୀ ଏବଂ ସମନ୍ୱୟବାଦର ସେହି ସମୃଦ୍ଧ ବିବିଧତାକୁ ପୋଛିଦେବାକୁ ଚାହେଁ, ଯାହା ଦେଶକୁ ଆଶୀର୍ବାଦସ୍ୱରୂପ ମିଳିଛି । ଏକ ସମତଳ କରାଯାଇଥିବା (flattened) ଭାରତ ହିଁ ସେମାନଙ୍କର ଏକ ‘ସାଂସ୍କୃତିକ’ ରାଷ୍ଟ୍ରର ଧାରଣା ।
ଝଓଜ ହେଉଛି ଏକ ମହାନ୍ ପ୍ରକଳ୍ପର ଏକ ମୁଖ୍ୟ ଉପାଦାନ, ଯାହା ଭାରତୀୟ ଜାତି ଉପରେ ଏକଚାଟିଆ ହିନ୍ଦୁ ମାଲିକାନା ଜାହିର କରିବାକୁ ଚାହେଁ, ସେହି ହିନ୍ଦୁ-ମାଲିକାନା ଥିବା ଜାତିକୁ ଭାରତୀୟ ରାଷ୍ଟ୍ରର କ୍ଷେତ୍ର ମଧ୍ୟରେ ଏକମାତ୍ର ଅଧିକାରପ୍ରାପ୍ତ ନିବାସୀ କରିବାକୁ ଚାହେଁ -ଏବଂ ଏହାକୁ ଏକ ହିନ୍ଦୁ ଜାତୀୟ-ରାଷ୍ଟ୍ର, ଏକ ‘ହିନ୍ଦୁ ରାଷ୍ଟ୍ର’ରେ ପରିଣତ କରିବାକୁ ଚାହେଁ ।
ଏହା ଦେଶର ପରିଚୟକୁ ‘ହିନ୍ଦୁ ଜାତୀୟ-ରାଷ୍ଟ୍ର’ ଭାବରେ ପୁନଃ-ପରିଭାଷିତ କରିବାକୁ ଚାହେଁ । ସେହି ସଂରଚନାରେ ‘ସବର୍ଣ୍ଣ’କୁ କୌଶଳଗତ କାରଣରୁ ବର୍ତ୍ତମାନ ପାଇଁ ଇଚ୍ଛାକୃତ ଭାବେ ନୀରବ ଏବଂ ଅସ୍ପଷ୍ଟ ରଖାଯାଇଛି ।
ଶେଷରେ, ଯେତେବେଳେ ପ୍ରତିବନ୍ଧକଗୁଡ଼ିକ ଭାଙ୍ଗିଯିବ, ଏହା ଏକ ପୂର୍ଣ୍ଣାଙ୍ଗ, ସଙ୍କୋଚହୀନ, ସମ୍ପୂର୍ଣ୍ଣ ‘ସବର୍ଣ୍ଣ ହିନ୍ଦୁ ରାଷ୍ଟ୍ର’ ଭାବରେ ଉନ୍ମୋଚିତ ହେବ । ଏଥିରେ କୌଣସି ସନ୍ଦେହ ନାହିଁ ।

… କ୍ରମଶଃ..

(ପ୍ରଫେସର ପରକାଳ ପ୍ରଭାକର ଅର୍ଥନୀତି ରେ ଜବାହାରଲାଲ ବିଶ୍ୱବିଦ୍ୟାଳୟ ରୁ ଏମ. ଏ. ଡ଼ିଗ୍ରୀ ପାଇବାପରେ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ ରୁ ପିଏଚ. ଡି ଉପାଧି ପାଇଥିଲେ। ସେ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ, ଲେଖକ, ସମାଲୋଚକ ଓ ସ୍ତମ୍ଭକାର। ଏହି ମୂଲ୍ୟବାନ ‘ପି.ଭି. ନରସିଂହ ରାଓ ସ୍ମାରକୀ ବକ୍ତୃତା’ ଟି ଛାପିବା ପାଈଁ ଆମକୁ ଦେଇଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ। ଏହାକୁ ଆମେ ତିନୋଟି ଭାଗରେ ପ୍ରକାଶ କରିବୁ )

Total Views: 6

Comments

0 comments

Share This Article