ବିସ୍ଥାପିତଙ୍କ ସ୍ୱପ୍ନରେ ସୁକତେଲର ପାଣି

1 View
19 Min Read

ହୀରାକୁଦ, ରେଙ୍ଗାଲି, ବାଲିମେଳା ଭଳି ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ବେଳେ ବିସ୍ଥାପିତଙ୍କୁ ଖୋଜି ଖୋଜି ନିଜ ଗାଁରୁ ତଡ଼ିଦେଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ମ୍ୟାଲେରିଆ ଯୋଗୁଁ ଏଭଳି ଅବସ୍ଥା ହେଉଥିଲା ଯେ, ଏହାକୁ କଳାଭୂତର ନାଁ ଦିଆଯାଇଥିବା ନେଇ ଆଜି ବି ଅନେକ ବିସ୍ଥାପିତ କହନ୍ତି । ଏପରିକି ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ବିସ୍ଥାପନର କ୍ଷତକୁ ଅନେକ ଭୁଲି ପାରି ନଥିବା ନେଇ ବିଭିନ୍ନ ଗଣମାଧ୍ୟମ, ଗବେଷଣାତ୍ମକ ଲେଖା ଏବଂ ପ୍ରବନ୍ଧରେ ପ୍ରକାଶିତ ହୋଇଛି । ଆଶା ଥିଲା ବର୍ତ୍ତମାନର ସରକାର ସେହି ଐତିହାସିକ ଅନ୍ୟାୟରୁ ଶିକ୍ଷା ଲାଭ କରିଥିବେ । ମାତ୍ର ଆଜିବି ପ୍ରଶାସନିକ ମାନସିକତାର ପରିବର୍ତ୍ତନ ନାହିଁ । ବଡ଼ ଜଳଭଣ୍ଡାରର ଆବଶ୍ୟକତା ପ୍ରଶ୍ନ ଉଠୁଥିବାବେଳେ ସୁକତେଲ ବିସ୍ଥାପିତଙ୍କୁ ଥଇଥାନ ନାଁରେ ଯେଉଁଭଳି କଷ୍ଟ ଦିଆଯାଉଛି ତାହା ହୀରାକୁଦ ବିସ୍ଥାପିତଙ୍କ ଦୁଃଖକୁ ହିଁ କେବଳ ମନେ ପକାଇ ଦେଉଛି । ଲୋୟର ସୁକତେଲ ପ୍ରକଳ୍ପ ଥଇଥାନ ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତିଗାର୍ଗୀ ଶତପଥୀ


ଜିଲ୍ଲାପାଳ ତ ଚାହିଁଥିଲେ ଆମ ଭିଟାମାଟିରେ ହିଁ ମାରି ସହଜରେ ପ୍ରକଳ୍ପ କରିଥାଆନ୍ତେ । ଏଠି ଆଣି କାହିଁକି ଟିଣ ଘରେ ଗରମରେ କଲବଲ କରି ମାରୁଛନ୍ତି । କିଛି ଦିନ ପୂର୍ବରୁ ହୋଇଥିବା ବର୍ଷାରେ ବାହାରେ ଯେତେ, ଭିତରେ ମଧ୍ୟ ସେତିକି ପାଣି ଥିଲା । ଆମେ କହିଥିଲୁ କ୍ଷତିପୂରଣ ଟଙ୍କା ଦେଇ ଦିଅ, ଆମେ ଆମର ବ୍ୟବସ୍ଥା କରିବୁ । ଆମର ସବୁ ପ୍ରାପ୍ୟ ତ ଦେଲ ନାହିଁ । କିନ୍ତୁ ସରକାରୀ ଲୋକମାନେ ଜୋରଜବରଦସ୍ତି ଘରକୁ ପଶି ଜିନିଷପତ୍ର ବାହାର କରି ଘର ଭାଙ୍ଗି ଦେଲେ । ସେତେବେଳେ ପ୍ରଶାସନିକ ଅଧିକାରୀମାନେ କହିଥିଲେ ଥଇଥାନ କଲୋନି ଚାଲ ସେଠି ଘର, ଖାଦ୍ୟ, ବିଜୁଳି ସବୁ ସୁବିଧା ମିଳିବ । କିନ୍ତୁ ଏଠି ଆସି ଦେଖିବାବେଳକୁ ଟିଣ କାନ୍ଥ ଏବଂ ଟିଣ ଛାତ ଘରେ ବିଜୁଳି, ପାଣି ଭଳି ସର୍ବନିମ୍ନ ସୁବିଧା ମଧ୍ୟ ନାହିଁ । ୪ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାତ, ଡାଲମା ଖାଇବାକୁ ଦିଆଯିବା ପରେ ଆଉ ଥରେ ବି ଚାହୁଁ ନାହାନ୍ତି । ବଲାଙ୍ଗୀର ଜିଲ୍ଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କ ପୁନର୍ବାସ ନେଇ ଲକ୍ଷାଧିକ ଟଙ୍କାର କ୍ଷତିପୂରଣ ବକେୟା ଥିବା ଝାଙ୍କରପାଲି ଥଇଥାନ କଲୋନୀର ଯଜ୍ଞକର ବିଶ୍ୱାଳଙ୍କଠାରୁ ଆରମ୍ଭ କରି କୁସମେଲ ଅସ୍ଥାୟୀ କଲୋନୀର ଭୂମିହୀନ ପିଙ୍କି ପୋଢ଼ ପର୍ଯ୍ୟନ୍ତ କ୍ରୋଧ ଏବଂ କୋହ ମଧ୍ୟରେ ସମସ୍ତେ ଏହି ସମାନ କଥା କୁହଁନ୍ତି । ଜିଏସ ଡୁଙ୍ଗୁରିପାଲିର ଯଜ୍ଞକରଙ୍କ ଅନୁସାରେ, ଲୋୟର ସୁକତେଲ ପ୍ରକଳ୍ପ କେବଳ ତାଙ୍କ ଭିଟାମାଟି ତାଙ୍କଠାରୁ ଛଡ଼ାଇ ନେଇ ନାହିଁ ବରଂ ସେମାନଙ୍କ ଯୌଥ ପରିବାରକୁ ଭାଙ୍ଗିଦେଇଛି । ମାତ୍ର କିଛି ମାସ ପୂର୍ବରୁ ଗୋଟିଏ ଛାତତଳେ ୬ ଭାଇଙ୍କ ୩୫ ସଦସ୍ୟ ବିଶିଷ୍ଟ ପରିବାର ଏକାଠି ରହୁଥିଲେ । ବିସ୍ଥାପନ ସେମାନଙ୍କ ପାରିବାରିକ ସଂସ୍କୃତିକୁ ଭାଙ୍ଗି ଦେଲା । ସେଥିରେ ପୁଣି ସାଢ଼େ ୧୦ ଏକର ଜମି ଏବଂ ଗଛର କ୍ଷତିପୂରଣ ଦିଆନଯାଇ ସେମାନଙ୍କୁ ତଡ଼ି ଦିଆଯାଇଛି । ସମ୍ପୂର୍ଣ୍ଣ କ୍ଷତିପୂରଣ ଟଙ୍କା ନ ମିଳିବା ପର୍ଯ୍ୟନ୍ତ ଘର ଛାଡ଼ିବେ ନାହିଁ ବୋଲି ଯଜ୍ଞକର ଅଡ଼ି ବସିବାରୁ ଘରକୁ ପାଣି ମାଡ଼ି ଆସିବାରୁ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଥରେ ଯେଉଁ ଯଜ୍ଞକରଙ୍କ ବିରାଟ ଘର ଦେଖି ଉପଜିଲ୍ଲାପାଳ ତାଜୁବ ହୋଇ ଯାଇଥିଲେ, ଆଜି ସେମାନଙ୍କୁ ପାଣି, ବିଜୁଳି ବିନା ଟିଣ ଘରେ ଏଭଳି ଆଶ୍ରିତଙ୍କ ଭଳି ରହିବାକୁ ପଡ଼ିବ ଭାବିଲେ ବିଶ୍ୱାସ ହେଉନଥିବା କହନ୍ତି ବନ୍ଧୁ ମୀନକେତନ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରିବାରକୁ ଘରଡିହ ଏବଂ ପରିବାର ପିଛା କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ସେହି ଅର୍ଥରେ ସେମାନେ ନୂତନ ଘର ନିର୍ମାଣ ଆରମ୍ଭ କରି ଦେଇଛନ୍ତି । ଯେଉଁ ଚାଷ ଜମିରୁ ସେମାନେ ଧାନ, ପୋଟଳ, ବାଇଗଣ, ମୁଗ, ବିରି ଉତ୍ପାଦନ କରୁଥିଲେ ସେହି ଜମି କେଉଁଠୁ ଆଣିବେ । ଧାନ, ଅଟା ଏବଂ ତେଲ ମିଲ ଯୋଗୁଁ ଯେଉଁ ପରିବାର ସମୃଦ୍ଧ ହୋଇଥିଲା ଆଜି ପୁଣି ସେହି ସ୍ଥିତିକୁ ଆଣିବା ପାଇଁ କେତେ ଯେ ବର୍ଷ ସଂଘର୍ଷ କରିବାକୁ ପଡ଼ିବ ତାହା ଆକଳନ କରିପାରୁ ନାହାନ୍ତି ପରିବାର । କିନ୍ତୁ ଏମାନଙ୍କ ଠାରୁ ବଳି ପଡ଼ିଛନ୍ତି ବାଉଁଶ କାର୍ଯ୍ୟ କରୁଥିବା ଦାମ ଚିଣ୍ଡା ଏବଂ ଚୈତନ୍ୟ ପୋଢ଼ ଭଳି ଭୂମିହୀନ ବିସ୍ଥାପିତମାନଙ୍କ ଦୁଃଖ । ବନଛୋରପାଲିରେ ରହୁଥିବା ୫୮ ବର୍ଷିୟା ଦାମ ଚୈତନ୍ୟ ସେମାନଙ୍କ ଗାଁ ନିକଟରେ ଥିବା ଗଡ଼ସଙ୍କର ପାହାଡ଼ରୁ ବାଉଁଶ ଆଣି ଟୋକେଇ, ଡାଲା, ପାଚିଆ, ଝୁଡ଼ି, ବିଞ୍ଚଣା ସମେତ ବାଉଁଶରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ କାହିଁ କେତେ ପିଢ଼ି ହେଲା ତିଆରି କରି ଆସୁଛନ୍ତି । ତାକୁ ନିକଟସ୍ଥ ଚୁଡ଼ାପାଲି ଏବଂ ଡୁଙ୍ଗୁରିପାଲି ବଜାରରେ ବିକ୍ରି କରି ସପ୍ତାହରେ ୧୦୦୦ରୁ ୧୫୦୦ଟଙ୍କା ଉପାର୍ଜନ କରୁଥିଲେ । ବର୍ତ୍ତମାନ ତାଙ୍କୁ ଘରପାଇଁ ୮ଲକ୍ଷ ଏବଂ ଡିହ ପାଇଁ ୨ ଲକ୍ଷ ଟଙ୍କା ମିଳିଥିଲେ ମଧ୍ୟ ମୁଣ୍ଡ ପିଛା କ୍ଷତିପୂରଣ ୫ଲକ୍ଷ ମିଳିନଥିବାରୁ ଘର ଛାଡ଼ିନଥିଲେ । ପ୍ରଶାସନ ଜବରଦସ୍ତି ସେମାନଙ୍କୁ ଆଣି ଆସିବାରୁ ହଜାର-ହଜାର ଟଙ୍କାର ଟୋକେଇ, କୁଲା ଆଦି ପାଣିରେ ଭାସିଯିବାରୁ ହଜାର-ହଜାର ଟଙ୍କାର କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିପାଇଁ ଯେତେ ଦୁଃଖ ନାହିଁ, ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେଲା ବିସ୍ଥାପନ ଯୋଗୁଁ ପାରମ୍ପରିକ କୌଳିକ ବୃତ୍ତି ବାଉଁଶ ତିଆରି କାର୍ଯ୍ୟ ସବୁଦିନ ହରାଇବେ ବୋଲି ଆଶଙ୍କା କରିଛନ୍ତି । ବର୍ତ୍ତମାନ ସେମାନେ ୩ମାସ ଯେଉଁ ଅସ୍ଥାୟୀ କଲୋନୀରେ ରହୁଛନ୍ତି ସେଠାରେ ପାଖରେ କୌଣସି ଜଙ୍ଗଲ ନାହିଁ ଯେ ବାଉଁଶ ଆଣି ଡାଲା, ପାଚିଆ ତିଆରି କରିବେ । ତାଙ୍କ ପାଇଁ ବିକଳ୍ପ ରୋଜଗାର ବ୍ୟବସ୍ଥାଟି କଣ ହେବ ତାହା ଖୋଜି ପାରୁନାହାନ୍ତି । ସରକାର ସିନା ଘର କିମ୍ବା ଘରଡିହ ବାବଦରେ ଟଙ୍କା ଦେଲେ କିନ୍ତୁ ରୋଜଗାର ବ୍ୟବସ୍ଥା କିଏ କରିବ ବୋଲି ଦାମ ଚିଣ୍ଡା ଭଳି ଅନେକ କୌଳିକ ବୃତ୍ତିଧାରୀ ବିସ୍ଥାପିତମାନେ ପ୍ରଶ୍ନ କରିଛନ୍ତି । ସେଥିରେ ପୁଣି ଅସ୍ଥାୟୀ କଲୋନୀରେ ୩ ମାସ ରହିବା ପରେ ସେମାନଙ୍କ ଅବସ୍ଥା କଣ ହେବ ତାକୁ ନେଇ ସମସ୍ତେ ଅନିଶ୍ଚିତତାରେ ରହିଥିବା କହିଛନ୍ତି । ଚୈତନ୍ୟ ପୋଢ଼ଙ୍କୁ ନେଇ ପଡ଼ୋଶୀ କହନ୍ତି, କାହିଁ କେତେବର୍ଷ ହେଲା ଚୈତନ୍ୟଙ୍କ ପୂର୍ବଜ ବନଛୋରପାଲିରେ ରହି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ କେବେ ଚାଷ ଜମି କିଣି ପାରିନାହାନ୍ତି । ଘରଡିହ ପଟ୍ଟାପାଇଁ ଆବେଦନ କରି ବିଫଳ ହୋଇଛନ୍ତି । ଶ୍ରମିକ କାର୍ଯ୍ୟ କରି ସେମାନେ ଜୀବିକା ନିର୍ବାହ କରୁଥିଲେ । ଝାଟି, ମାଟି ଘର ହେଉ ପଛରେ ଗାଁରେ ବଞ୍ଚୁଥିଲେ, ମଜୁରୀ କାର୍ଯ୍ୟ କରି ଯାହା ମିଳୁଥିଲା ବଞ୍ଚୁଥିଲେ । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଭୂମିହୀନଙ୍କ ପାଇଁ କରାଯାଇଥିବା ୫ଲକ୍ଷ ଟଙ୍କାରେ କେଉଁଠି ଜମି କିଣି ଘର କରିବେ ମୁଣ୍ଡ କାମ କରୁ ନାହିଁ । ଏଣେ ବଲାଙ୍ଗୀର ସହରରେ ଅଧିକାଂଶ ବିସ୍ଥାପିତ ଡିହ କିଣିବା ପାଇଁ ପ୍ରତିଯୋଗିତା ରହିଥିବାରୁ ଡିହ ଦର କାହିଁରେ କେତେ ବଢ଼ିଯାଇଛି । ଗୌଡ଼ପାଲିର ଭାଗଚାଷୀ ଶ୍ରୀଧର ବଗର୍ତ୍ତି ଘର ବାବଦରେ ୨ ଲକ୍ଷ ଏବଂ ମୁଣ୍ଡ ପିଛା ୮ ଲକ୍ଷ ୫୬ ହଜାର ପାଇଛନ୍ତି କିନ୍ତୁ ଅସ୍ଥାୟୀ କଲୋନୀକୁ ଆସିବା ପରେ ରୋଜଗାର କଣ କରିବେ ଜାଣି ପାରୁ ନାହାନ୍ତି । ଯେଉଁ ଜମିରେ ସେ ଜୀବନତମାମ ଫସଲ ବୁଣିଥିଲେ, ତାର କ୍ଷତିପୂରଣ ତ ସେ ପାଇବେ ନାହିଁ । ଏଣେ ନୂତନ ଚାଷ ଜମି ସହର ନିକଟସ୍ଥ ଅଞ୍ଚଳରେ କେଉଁଠୁ ଆସିବ ବୋଲି ପଚାରୁଛନ୍ତି । ହୀରା ପୁଟା ଭଳି ୩ ସନ୍ତାନର ଭୂମିହୀନ ବିଧବା ମାଙ୍କ ପାଇଁ ବିସ୍ଥାପନର ସବୁ ଦୁଃଖ ବଳି ପଡ଼ିଛି ।


ଓଡ଼ିଶାରେ ବିସ୍ଥାପନ (୧୯୫୧ରୁ ୧୯୯୫)
ପ୍ରକଳ୍ପ ବିସ୍ଥାପିତଙ୍କ ସଂଖ୍ୟା ଥଇଥାନ ହୋଇଥିବା ଥଇଥାନ ହୋଇନାହାନ୍ତି
ଜଳସେଚନ- ୩,୨୫,୦୦୦ ୯୦,୦୦୦ ୨,୩୫,୦୦୦
କାରଖାନା- ୭୧,୭୯୪ ୨୭,୩୦୦ ୪୪,୪୯୪
ଖଣି- ୧,୦୦,୦୦୦ ୬୦,୦୦୦ ୪୦,୦୦୦
ଅନ୍ୟାନ୍ୟ- ୫୦,୦୦୦ ୧୫,୫୪୦ ୩୪,୪୬୦
ସର୍ବମୋଟ ୫,୪୬,୭୯୪ ୧,୯୨,୮୪୦ ୩,୫୩,୯୫୪
ଉତ୍ସ-ଓଡ଼ିଶାରେ ବିକାଶଜନିତ ବିସ୍ଥାପନ ଓ ଥଇଥାନ ୧୯୫୧ରୁ ୧୯୯୫, ୱାଲଟର ଫର୍ଣ୍ଣାଣ୍ଡିଜ ଓ ମହମ୍ମଦ ଆସିଫ


ଝିଅ ବୋଲି କ୍ଷତିପୂରଣ ଦେଉନି ପ୍ରଶାସନ

ପାରମ୍ପରିକ ବ୍ୟବସ୍ଥାରେ ବିବାହ ପରେ ଝିଅ ଶାଶୁ ଘରେ ରୁହେ । ଏଣୁ ବିସ୍ଥାପନ ଏବଂ ପୁନର୍ବାସ ନୀତି ଅନୁଯାୟୀ, ବିବାହିତା ମହିଳାଙ୍କୁ ଜମି କ୍ଷତିପୂରଣ ମିଳିଲେ ମଧ୍ୟ ପରିବାର ପିଛା କ୍ଷତିପୂରଣରୁ ବାଦ୍ ଦିଆଯାଏ । ବଲାଙ୍ଗୀର ଜିଲ୍ଲା ପୋଡ଼ମୁଣ୍ଡ ଗାଁର ଗୁରୁବାରୀ ବୁଡ଼େକ ଏବଂ ବୃନ୍ଦାବତୀ ଗଡ଼ତିଆ ବିବାହ ପରେ ମଧ୍ୟ ନିଜ ବାପା, ମାଙ୍କ ପରିବାର ସହିତ ରହୁଥିଲେ ମଧ୍ୟ କ୍ଷତିପୂରଣ ରାଶିରୁ ବଞ୍ଚିତ କରାଯାଇଛି । ଗୁରୁବାରୀଙ୍କ ସ୍ଥିତି ସର୍ବାଧିକ ଦୟନୀୟ । ପୋଡ଼ମୁଣ୍ଡ ଗାଁ ଅଧିବାସୀଙ୍କ ଅନୁସାରେ, ଗୁରୁବାରୀଙ୍କ ବାପା ଜଣେ ଭୂମିହୀନ ଗରିବ ବ୍ୟକ୍ତି । ତାଙ୍କ ନାମରେ ଅତି ଅଳ୍ପ ଡିସିମିଲର ଘର ଡିହ ଜମି ରହିଛି । ବାପାଙ୍କ ମୃତ୍ୟୁ ପରେ ଗାଁ ଲୋକଙ୍କ ପ୍ରଚେଷ୍ଟାରେ ପଡ଼ୋଶୀ ଗାଁର ଜଣେ ଯୁବକଙ୍କ ସହିତ ଗୁରୁବାରୀଙ୍କୁ ବିବାହ କରାଯାଇଥିଲା । ଯୁବକଙ୍କ ପରିବାରରେ କେହି ନଥିବାରୁ ସେ ଗୁରୁବାରୀଙ୍କ ସହିତ ଏହି ଗାଁରେ ରହିବାକୁ ଲାଗିଲେ । ବର୍ତ୍ତମାନ ଉଭୟ ମଜୁରୀ କରି ଚଳନ୍ତି । ସେମାନଙ୍କ ୩ ସନ୍ତାନ ଅଛନ୍ତି । ଗୁରୁବାରୀଙ୍କ ସ୍ଥିତି ଏଭଳି ଯେ ୨୦୦୮ ମସିହାରେ ୪୦ ହଜାର ଟଙ୍କାର ଘର କ୍ଷତିପୂରଣ ମିଳିଥିଲା ଯାହା ବର୍ତ୍ତମାନ ସରିଗଲାଣି କିନ୍ତୁ ବିବାହିତା ମହିଳା ହୋଇଥିବାରୁ ପରିବାର କ୍ଷତିପୂରଣରୁ ବାଦ ଦିଆଯାଇ ଥିବାରୁ ସେମାନେ ଏବେ ଯେମିତି ସର୍ବସ୍ୱାନ୍ତ ଗୃହହୀନ ହୋଇଯାଇଛନ୍ତି । ଏଥିଯୋଗୁଁ ସେ ଭୂମିହୀନ କ୍ଷତିପୂରଣ ଦାବିକରି ପୋଡ଼ମୁଣ୍ଡ ଗାଁ ଛାଡ଼ିନଥିଲେ । ଗୁରୁବାରୀଙ୍କ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ସେମାନେ ବରବାଦ ହେବା ନିଶ୍ଚିତ ଅଟେ । ବୃନ୍ଦାବତୀ ଗଡ଼ତିଆଙ୍କ ଅନୁସାରେ, ସେ ତାଙ୍କ ମା, ବାପାଙ୍କ ଏକମାତ୍ର ଝିଅ । ତେଣୁ ବିବାହ ପରେ ମଧ୍ୟ ନିଜ ସ୍ୱାମୀଙ୍କ ସହିତ ମା, ବାପାଙ୍କ ଯନô ପାଇଁ ଏଠି ରହିଯାଇଛନ୍ତି । ତାଙ୍କୁ ଜମି କ୍ଷତିପୂରଣ ମିଳିଥିଲେ ମଧ୍ୟ ପରିବାର କ୍ଷତିପୂରଣ ମିଳି ନାହିଁ । ଉପଯୁକ୍ତ କ୍ଷତିପୂରଣ ମିଳିନଥିବାରୁ ପୋଡ଼ମୁଣ୍ଡ ଗାଁର ସମୁଦାୟ ୨୦୦ରୁ ୮ ପରିବାର ଶେଷ ପର୍ଯ୍ୟନ୍ତ ଗାଁ ଛାଡ଼ି ନଥିଲେ । ମାତ୍ର ଶେଷ ମୁହୂର୍ତ୍ତରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁନର୍ବାସ କଲୋନିକୁ ଆଣିଛି ।

ପିଉସୀ, ମାଉସୀ ଏବଂ ମାମୁଁ ଘର ଭରସା

ବିସ୍ଥାପନ ଯୋଗୁଁ ଶିଶୁମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଥଇଥାନ ବ୍ୟବସ୍ଥା ଦେଖିବାବେଳକୁ ଏଭଳି ଅନୁଭବ ହେଉଛି ଯେମିତି ପୁନର୍ବାସ ଯୋଜନାରେ ପ୍ରଶାସନ ପିଲାଙ୍କ ପାଠପଢ଼ା ଏବଂ ଶିଶୁଙ୍କ ପୋଷଣ ଯୋଜନାକୁ ସମ୍ପୂର୍ଣ୍ଣ ଭୁଲିଯାଇଛି । ବିସ୍ଥାପିତଙ୍କ ଅଭିଯୋଗ ଅନୁସାରେ, ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ହିଁ ବିସ୍ଥାପିତ ହେବାକୁ ଯାଉଥିବା ଗାଁ ସ୍କୁଲରେ ନୂତନ ପିଲାଙ୍କ ନାମଲେଖା ଯାଇନଥିଲା ଏବଂ ପୁରୁଣା ପିଲାଙ୍କୁ ସ୍କୁଲ ଆସିବାକୁ ମନା କରି ଦିଆଯାଇଥିଲା । ସ୍ଥିତି ଏଭଳି ହେଲା ଯେ ପ୍ରତ୍ୟେକ ପରିବାର ନିଜ ପିଲାଙ୍କୁ ମାମୁଁ, ପିଉସୀ ଏବଂ ମାଉସୀଙ୍କ ଘରକୁ ପଠାଇ ସେହି ଅଞ୍ଚଳ ସ୍କୁଲରେ ନାମ ଲେଖାଇଛନ୍ତି । ଜଣଙ୍କ ଘରକୁ ସମସ୍ତ ପିଲାଙ୍କୁ ପଠାଇ ଭାରାକ୍ରାନ୍ତ କରାଇବା ସମ୍ଭବ ନଥିବାରୁ ସବୁ ପିଲା ଅଲଗା ରହୁଛନ୍ତି । ଡୁଙ୍ଗୁରିପାଲିର ଦୁର୍ବାଦଳ ବାଗଙ୍କ ଅନୁସାରେ, ୬ ବର୍ଷିୟ ଝିଅ ଦିପ୍ସା ବାଗଙ୍କୁ ଥଇଥାନ କଲୋନୀଠାରୁ ୬ କିଲୋମିଟର ଦୂର ପ୍ରାଥମିକ ସ୍କୁଲକୁ ସମ୍ଭବ ନ ଥିବାରୁ ସେ ମାମୁଁ ଘରେ ରହି ପଢୁଛି । ଛୋଟ ପିଲା ଏକୁଟିଆ ରହିପାରିବ ନାହିଁ ନାହିଁ ବୋଲି ଦୁର୍ବାଦଳଙ୍କ ସ୍ତ୍ରୀ ବବିତା ମଧ୍ୟ ସେଠାରେ ରହୁଛନ୍ତି । ଜାମୁଟବାହାଲର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରୀୟା ପିଉସୀ, ତାଙ୍କ ଭାଇ ଦଶମ ଶ୍ରେଣୀ ଛାତ୍ର ଶିବମ ମାମୁଁ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀ ଭଉଣୀ ସିଲି ମାଉସୀ ଘରେ ରହି ପଢୁଛନ୍ତି । କିଛି ଶିଶୁ ସମ୍ପର୍କୀୟଙ୍କ ଘରେ ଅଝଟ କରୁଥିବାରୁ ମା ମାନେ ତାଙ୍କ ଟିସି (ସ୍କୁଲ ସାର୍ଟିଫିକେଟ) ଆଣିବା ନେଇ ମଧ୍ୟ ଚିନ୍ତା କରିବା ଆରମ୍ଭ କରିଥିବା କହିଛନ୍ତି । ବିସ୍ଥାପନ ଯୋଗୁଁ ସାଗର ବିଶ୍ୱାଳ ତାଙ୍କ ଗୋଟିଏ ବର୍ଷ ହରାଇବେ ବୋଲି କହିଛନ୍ତି । ଗତବର୍ଷ ମାଟ୍ରିକ ପାସ ପରେ କୌଣସି କଲେଜ ଆଡମିସନ ମିଳିନଥିଲା । ଚଳିତବର୍ଷ ସାହାଜବାହାଲ କଲେଜରେ ଆଡମିସନ ସୁଯୋଗ ମିଳିଥିଲେ ମଧ୍ୟ ବିସ୍ଥାପନର ବେଳରେ ତାଙ୍କ ନାମ ଲେଖା ତାରିଖ ଅତିକ୍ରାନ୍ତ ହୋଇସାରିଛି । ବେଣୁଧର ବିଶ୍ୱାଳ ଆଇଟିଆଇ ପରେ ଯୁକ୍ତ ଦୁଇ ପଢିବା ପାଇଁ ସୁଯୋଗ ପାଇ ମଧ୍ୟ ନାମ ଲେଖାଇ ପାରି ନାହାନ୍ତି । ବିସ୍ଥାପିତ ଗାଁମାନଙ୍କରେ ୨ମାସ ପୂର୍ବରୁ ଅଣ୍ଡା, ଛତୁଆ ବନ୍ଦ କରି ଦିଆଯାଇଥିଲା । ଏବେ ମଧ୍ୟ ପୁନର୍ବାସ କଲୋନୀକୁ ଆସିବା ପରେ ମଧ୍ୟ ଗର୍ଭବତୀ ଏବଂ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟରୁ ବଞ୍ଚିତ କରାଯାଇଛି ।


      ଲୋୟର ସୁକତେଲ ଜଳଭଣ୍ଡାରର ସ୍ୱରୂପ
ବାସ୍ତବ ଜଳଗ୍ରହଣ କ୍ଷେତ୍ର-୧୨୩୦ ବର୍ଗକିଲୋମିଟର
ମାଟିବନ୍ଧର ସର୍ବାଧିକ ସ୍ତର-୨୧୦.୦୦ ମିଟର
ଜଳଭଣ୍ଡାରର ପୂର୍ଣ୍ଣ ସର୍ବାଧିକ ଜଳସ୍ତର-୨୦୬.୦୦ ମିଟର
ସର୍ବନିମ୍ନ ଜଳଭଣ୍ଡାର ସ୍ତର-୧୯୭.୦୦ ମିଟର
ସର୍ବନିମ୍ନ ନଦୀଶଯ୍ୟା ସ୍ତର- ୧୭୯.୮ ମିଟର
ଜଳମଗ୍ନ ଅଞ୍ଚଳ- ୧୩୧୦୭.୪୩ ଏକର
ଜଳମଗ୍ନ ହେବାକୁ ଥିବା ରୟତି ଜମି-୯୭୩୮.୬୮ ଏକର
ଜଳମଗ୍ନ ହେବାକୁ ଥିବା ସରକାରୀ ଜମି- ୩୩୫୯.୬୩ ଏକର
ମାଟିବନ୍ଧ ଲମ୍ବା- ୧୧୫୫ ମିଟର, ଉଚ୍ଚତା- ୩୦ ମିଟର
ଉଚ୍ଚ ନିର୍ଗମନ ପଥ-ଲମ୍ବ-୨୫୫ ମିଟର,ବିସ୍ତାର-୧୭୭ ମିଟର (୧୨ଟି)
ଆଡ଼ିବନ୍ଧ ଦକ୍ଷିଣ-୧୦୧୬ ମିଟର, ଉଚ୍ଚତା- ୧୩ ମିଟର


୫୦ ଆଦିବାସୀ ପରିବାର ବନ୍ଦ କରିଛନ୍ତି ସର୍ଭେ

୨୦୧୩ ମସିହାରେ କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନରେ ଉପଯୁକ୍ତ କ୍ଷତିପୂରଣ ଓ ସ୍ୱଚ୍ଛତାର ଅଧିକାର ଆଇନ ପ୍ରଣିତ ହୋଇଛି । ଏଥି ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତଙ୍କୁ ଜମି ବଦଳରେ ଜମିର ବ୍ୟବସ୍ଥା ରହିଛି । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପୁନର୍ବାସ ଓ ଥଇଥାନ ନୀତି ୨୦୦୬କୁ କାର୍ଯ୍ୟକାରୀ କରାଯାଇଛି । ଅଧିକାଂଶ ବିସ୍ଥାପିତଙ୍କୁ ଜମି ବଦଳରେ ଜମି ମିଳୁ ନାହିଁ । ଏହାକୁ ବିରୋଧ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବନଛୋରପାଲି, ଗଡ଼ଶଙ୍କର ଡୁଙ୍ଗୁରିପାଲି, କୁମିଆପାଲି, କଙ୍କଡ଼ା, ଖୁଣ୍ଟପାଲି ଗାଁର ବିସ୍ଥାପିତମାନେ ବିଭିନ୍ନ ସମୟରେ ମାନବାଧିକାର କମିସନ ଏବଂ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, ପ୍ରକଳ୍ପ ଯୋଗୁଁ ପ୍ରଭାବିତ ୨୯ଟି ଗାଁ ମଧ୍ୟରୁ ୧୫ଟି ଗାଁରେ ଭୂମି ଅଧିଗ୍ରହଣ ଆଇନ ୧୯୮୪ ଏବଂ ୧୨ଟି ଗାଁ(୫ଟି ସମ୍ପୂର୍ଣ୍ଣ ଏବଂ ୭ଟି ଆଂଶିକ)ରେ ଭୂମି ଅଧିଗ୍ରହଣ, ଥଇଥାନ ଏବଂ ପୁନଃବସତିରେ କ୍ଷତିପୂରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକାର ଆଇନ ୨୦୧୩ ଅନୁଯାୟୀ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ୨ଟି ଗାଁ ସରଗଡ଼ପାଲି, ତାବଳବାଞ୍ଜି ପାଇଁ ଦ୍ୱିପାକ୍ଷିକ ଆପୋଷ ବୁଝାମଣା ମଧ୍ୟରେ ଜମି କ୍ରୟ ପ୍ରକ୍ରିୟା ଉଦ୍ଦିଷ୍ଟ । ବିଶେଷଜ୍ଞଙ୍କ ଅନୁସାରେ ୨୦୧୩ ଅନୁସାରେ ପୁନର୍ବାସ କରାଯାଉଥିଲେ ବିସ୍ଥାପିତମାନେ ୨ରୁ୩ ଗୁଣ ଅଧିକ କ୍ଷତିପୂରଣ ପାଇପାରିଥାଆନ୍ତେ ତା’ସହିତ ଭାଗଚାଷୀ, ଭୂମିହୀନ ସମେତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ସୁବିଧା ରହିଛି । ମାତ୍ର ରାଜ୍ୟସରକାର ଏହାକୁ କାର୍ଯ୍ୟକାରୀ କରୁନଥିବାରୁ କୁମିଆପାଲି ଗାଁର ୫୦ ବିଞ୍ଝାଲ ଆଦିବାସୀ ପରିବାର ସର୍ଭେ କରାଇ ଦେଉନାହାନ୍ତି । ସେମାନେ ଜମି ଅଧିଗ୍ରହଣ ଥଇଥାନ ଏବଂ ପୁନର୍ବାସ କ୍ଷେତ୍ରରେ ଉପଯୁକ୍ତ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଆଇନ ୨୦୧୩ ଏବଂ ନିୟମାବଳୀ ୨୦୧୪ ଅନୁଯାୟୀ କ୍ଷତିଗ୍ରସ୍ତ ଏବଂ ବିସ୍ଥାପିତ ପରିବାର ପାଇଁ କାର୍ଯ୍ୟକାରୀ ଏବଂ ଓଡ଼ିଶା ଗେଜେଟରେ ପ୍ରକାଶିତ ଲାର୍’ ଆଇନ ୨୦୧୬କୁ କାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି । ଏଥିସହିତ ୨୦୦୬ ଜଙ୍ଗଲ ଜମି ଆଇନ ଅନୁଯାୟୀ ଜମି ପଟ୍ଟା ପ୍ରଦାନ ପରେ ସର୍ଭେ କାର୍ଯ୍ୟ ଆରମ୍ଭ, ସମସ୍ତ ଆଦିବାସୀ ପରିବାରଙ୍କୁ ଜୀବିକା ପାଇଁ ଜଳସେଚିତ ୨.୫ ଏକର କିମ୍ବା ଅଣଜଳସେଚିତ ୫ ଏକର ପ୍ରଦାନ, ବିସ୍ଥାପିତ ପରିଚୟ ପତ୍ର ପ୍ରଦାନ ଯେଉଁଥିରେ ସେମାନଙ୍କୁ ବିଜୁଳି ଟିକସ, ଜଳକର, ସ୍କୁଲ ଫି ଛାଡ଼ ସହ ପ୍ରକଳ୍ପ ଲାଭାଂଶରେ ୨ପ୍ରତିଶତ ସମେତ ୧୦ଦଫା ଦାବି କରିଛନ୍ତି । ବୁଡ଼ାବାହାଲ ଗାଁର ଉଦୟ ସିଂ ଠାକୁର ମଧ୍ୟ ବନ୍ଧ ବିରୋଧ କରି ଏକମାତ୍ର ବ୍ୟକ୍ତି ଭାବରେ ତାଙ୍କ ସର୍ଭେ କରାଯାଇ ଦେଉନାହାନ୍ତି । ଏହି ବୁଡ଼ାବାହାଲ ସମେତ ନିକଟସ୍ଥ ଅଣବିସ୍ଥାପିତ ଗାଁର ବିଜୁଳି ମଧ୍ୟ ଅନେକ ଦିନ ହେଲା ବିଚ୍ଛିନ୍ନ କରାଯାଇଛି । ଫଳରେ ସ୍ଥାନୀୟ ଅଧିବାସୀ ଅନ୍ଧକାରରେ ରହୁଛନ୍ତି ।

ବରବାଦ ହେଲା ୬୩୭ରୁ ଉର୍ଦ୍ଧ ହେକ୍ଟର ଜଙ୍ଗଲ

୨୦୦୮ମସିହାରେ ଆଇଏଏସ୍ ଅନୀତା ଅଗ୍ନିହୋତ୍ରୀ ପ୍ରସ୍ତୁତ ସାମାଜିକ ପ୍ରଭାବ ରିପୋର୍ଟ ଅନୁଯାୟୀ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ୧୫୭୫.୧୫ ହେକ୍ଟର ଜଙ୍ଗଲ ଜମି ବୁଡ଼ିବ ବୋଲି ଦର୍ଶାଯାଇଥିଲା । ଜିଲ୍ଲା ଜଙ୍ଗଲ ବିଭାଗ ଅନୁଯାୟୀ, ଏହି ପ୍ରକଳ୍ପ ଯୋଗୁଁ ୧୪.୫ ହେକ୍ଟରର ସଂରକ୍ଷିତ ଜଙ୍ଗଲ ଏବଂ ୬୨୩.୧୮ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ଜମି ନଷ୍ଟ ହେଉଛି । ଏଥିରେ ସାଗୁଆନ, ଚନ୍ଦନ, ଖଇର, ଶିଶୁ, କେନ୍ଦୁ, ନିମ, ମହୁଲ, ଚାର, ହରିଡ଼ା, ବାହାଡ଼ା, ଆମ୍ବ, ଲିଚି, ପିଜୁଳି, ଲେମ୍ବୁ, ଗୁଆ, ତେନ୍ତୁଳି, ପଣସ ସମେତ ବିଭିନ୍ନ ପ୍ରକାର ଗଛ ରହିଛି । ଗଡ଼ସଙ୍କର ଡୁଙ୍ଗୁରିପାଲି, ବନଛୋରପାଲି, ଭୁମିଆପାଲି, ଅନ୍ତପାଲି ସମେତ ବିଭିନ୍ନ ରାସ୍ତାରେ କିଛି ମାସ ହେଲା ଅନେକ ମୂଲ୍ୟବାନ ଗଛର କଟିପଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଯାହା ସ୍ଥାନୀୟ ଅଧିବାସୀଙ୍କ ସମେତ ସେହି ସ୍ଥାନ ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଭାରାକ୍ରାନ୍ତ କରୁଛି । ଏଥିସହିତ ୨୯ ବିସ୍ଥାପିତ ଗାଁରୁ ମଧ୍ୟ ବ୍ୟକ୍ତିଗତ ଭାବରେ ଲୋକେ ଲଗାଇଥିବା ଗଛଗୁଡ଼ିକ ବୁଡ଼ିବାରେ ଲାଗିଛି । ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ଆହୁରି ଅନେକ ଗଛ ନଷ୍ଟ ହେଉଥିଲେ ମଧ୍ୟ ଏହା ଆକଳନ ପରିସରକୁ ଆସିପାରି ନାହିଁ । ପରିବେଶ ସହିତ ଜୀବିକା ପାଇଁ ମଧ୍ୟ ଏହି ଜଙ୍ଗଲ ଉପରେ ସ୍ଥାନୀୟ ଅଧିବାସୀ ନିର୍ଭରଶୀଳ । ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳବାସୀଙ୍କ ୧୪.୧୮ ପ୍ରତିଶତ ଆୟ ଏହି ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି ଜରିଆରେ ହୁଏ । ଯାହାକି ଚାଷ ପରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତି ନିର୍ଭର କରୁଥିବା ଜୀବିକା ଅଟେ । ଏଠାରୁ କେନ୍ଦୁପତ୍ର, ମହୁ, ଚାର, ହରିଡ଼ା, ବାହାଡ଼ା, ଅଁଳା, କରଞ୍ଜିଆ ଭଳି ଔଷଧୀୟ ଗୁଣଯୁକ୍ତ ଗଛ ସଂଗ୍ରହ କରିଥାଆନ୍ତି । ନିଜେ ବ୍ୟବହାର ସହିତ ବଜାରରେ ଏହାର ବିକ୍ରି ହୁଏ । ଔଷଧୀୟ ଗୁଣ ଥିବା ଏହି ଗଛଗୁଡ଼ିକର ଚାହିଦା ଅନେକ ଔଷଧ କମ୍ପାନି ପାଖରେ ମଧ୍ୟ ରହିଛି । ସୂଚନା ଅନୁଯାୟୀ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ବର୍ତ୍ତମାନ ଜଙ୍ଗଲ ବିଭାଗର ପ୍ରସ୍ତୁତ ରିପୋର୍ଟ ଅନୁସାରେ, ବୁଡ଼ିବାକୁ ଥିବା ଜଙ୍ଗଲ ଜମିର ପରିମାଣ ଏହାଠାରୁ କମ ବୋଲି ଦର୍ଶାଯାଇଛି । ଜଙ୍ଗଲ ବିଭାଗ ଅନୁସାରେ, ୯୦ ଦଶକରୁ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଜଙ୍ଗଲ କାଟିବା ପାଇଁ କ୍ଲିୟରେନ୍ସ ମିଳିଯାଇଥିଲା । ତେଣୁ ୨୦୦୫ ମସିହାରୁ ୮୦୩ ହେକ୍ଟରରେ ବନୀକରଣ କରାଯିବା ଆରମ୍ଭ ହୋଇଥିଲା । ଲଣ୍ଡାପଥର, ଡୁମେରଜୋର, ରେଙ୍ଗାଲବାହାଲ ଏବଂ ଲମକାନିରେ ଯେଉଁ ଅନେକ ବର୍ଷ ହେଲା ବିଭିନ୍ନ କାରଣରୁ ଜଙ୍ଗଲ ଧ୍ୱଂସ ହୋଇଥିଲା ସେଠି ଅନେକ ମୂଲ୍ୟବାନ ଗଛ ଲଗାଯାଇଛି । ଯାହା ବର୍ତ୍ତମାନ ମଧ୍ୟ ସୁରକ୍ଷିତ ରହିଥିବା ଜଙ୍ଗଲ ବିଭାଗ କହିଛି ।

କପା ଏବଂ ପରିବା ଚାଷ ପ୍ରଭାବିତ

ବଲାଙ୍ଗୀରର ଏହି ବୁଡ଼ି ଅଞ୍ଚଳ ବିଭିନ୍ନ ପ୍ରକାର ପରିବା ଏବଂ କପା ଚାଷ ପାଇଁ ବିଶେଷ ପ୍ରକାର ନାଁ ରହିଛି । ପ୍ରକଳ୍ପ ଯୋଗୁଁ ଏହା ନଷ୍ଟ ହୋଇ ସାରିଛି । ଏହି ଉତ୍ପାଦନ ବାଧାପ୍ରାପ୍ତ ହେବ । ଚାଷ ଜମି ବଦଳରେ ଆର୍ଥôକ କ୍ଷତିପୂରଣ ଦିଆଯାଇଥିବାରୁ ଏହି ଉତ୍ପାଦନ ପୁନଃ କରାଯିବା ସମ୍ଭବ ହେବ ନାହିଁ ।


Source: Madhyantara-8, Samadrusti Television

Link: https://www.youtube.com/watch?v=wJCLZJWdpYM&t=30s


 

ପ୍ରକଳ୍ପ କାହିଁକି ଏବଂ ୨୬ ବର୍ଷର ଇତିହାସ

ଚିର ମରୁଡ଼ି ପ୍ରପୀଡ଼ିତ ବଲାଙ୍ଗୀର ଜିଲ୍ଲାରେ ବର୍ଷାହାନୀ ନିୟମିତ ସମସ୍ୟା ହୋଇ ରହି ଆସିଛି । ୧୯୦୦, ୧୯୩୪, ୧୯୩୫, ୧୯୫୫ ଏବଂ ୧୯୬୫ ମସିହାରେ ଏଠାରେ ଦୁର୍ଭିକ୍ଷ ହୋଇଥିଲା । ସ୍ୱାଧୀନ ଭାରତରେ ୧୯୬୫ ମସିହାର ଦୁର୍ଭିକ୍ଷ ଏହି ଅଞ୍ଚଳକୁ ସ୍ଥାୟୀ ଭାବରେ ଦାରିଦ୍ର୍ୟ ମୁହଁକୁ ଠେଲି ଦେଇଥିଲା । ଯାହାର ପରିଣାମସ୍ୱରୂପ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ମୁରିବାହାଲ, ବେଲପଡ଼ା, ଖପ୍ରାଖୋଲର ଦାଦନ ଶ୍ରମିକଙ୍କ ନିର୍ଯାତନା ଏବଂ ଶୋଷଣର ଅସରନ୍ତି କଥା ରହିଛି । ଏହାକୁ ଲକ୍ଷ୍ୟ ରଖି ୧୯୯୭ ମସିହାରୁ ହିଁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ଏଥି ଜରିଆରେ ବଲାଙ୍ଗିରର ୫୯ ଗାଁ, ଲୋଇସିଂହାର ୧୯୨ ଗାଁ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୨୪ଟି ଗାଁର ସମୁଦାୟ ୪୦ହଜାର ହେକ୍ଟର ଜମିରେ ଜଳସେଚନ ଏବଂ ବଲାଙ୍ଗିର ସହରକୁ ଜଳଯୋଗାଣର ଲକ୍ଷ୍ୟ ରହିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରଶାସନ ପକ୍ଷରୁ ଜାରି ରିପୋର୍ଟରେ ଲୋୟର ସୁକତେଲ ପ୍ରକଳ୍ପର ଲାଭାନ୍ୱିତ ତାଲିକାରେ ସେହି ମରୁଡ଼ି ପୀଡ଼ିତ, ଦାଦନ ଶ୍ରମିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ନାହିଁ । ଏଣେ ପ୍ରକଳ୍ପ ଯୋଗୁଁ ପ୍ରଥମେ ୨୬ ଏବଂ ପରେ ଯେଉଁ ୨୯ଟି ଗାଁର ୯୨୧୨ ପରିବାର ବିସ୍ଥାପିତ ହେଉଛନ୍ତି ଏହି ଅଞ୍ଚଳ କପା ଏବଂ ପରିବା ଉତ୍ପାଦନରେ ଅଗ୍ରଣୀ ଅଟନ୍ତି । ଏଥିଯୋଗୁଁ ଆରମ୍ଭରୁ ହିଁ ଏହି ପ୍ରକଳ୍ପ ପ୍ରତିରୋଧର ସାମ୍ନା କରିଥିଲା । ୨୦୦୧ ମସିହା ନଭେମ୍ବର ମାସରେ ପ୍ରକଳ୍ପ ଶିଳାନ୍ୟାସ ବେଳେ ୩୦ହଜାରରୁ ଊଦ୍ଧ୍ୱର୍ ଲୋକ ସାମିଲ ହୋଇ ଏହାର ବିରୋଧ କରିଥିଲେ । ଏହାପରେ ୨୦୦୫ ମସିହା ସ୍ପିଲୱେ ଭୂମିପୂଜା, ୨୦୧୩ ମସିହା ସ୍ପିଲୱେ କାମ ଆରମ୍ଭ ପୂଜାବେଳେ ୨୪ ଦିନ ଧରି ଲଗାତାର ଆନେ୍ଦାଳନ ହୋଇଛି । ୧୩ ଥର ଲାଠିମାଡ଼ ହୋଇଛି । ୨୧ବର୍ଷ ମଧ୍ୟରେ ବଜେଟ ୨୧୭ କୋଟିରୁ ୫୨୫ କୋଟିକୁ ବୃଦ୍ଧି ପାଇଛି । କ୍ଷତିପୂରଣ ଅର୍ଥ ହଡ଼ପ, ନକଲି ବିସ୍ଥାପିତଙ୍କୁ କ୍ଷତିପୂରଣ ସମେତ ବିଭିନ୍ନ ପ୍ରକାର ଦୁର୍ନୀତି ଏହି ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ଲାଗିଛି । ଅନ୍ୟଦିଗରେ ଆରମ୍ଭରୁ ବିସ୍ଥାପିତ ସବୁ ଗାଁ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ । ୨୦୦୪ ମସିହାରେ ପ୍ରଥମେ ଖୁଣ୍ଟପାଲି ଗାଁ ଏହାର ସମର୍ଥନରେ ବାହାରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ଗାଁ ବିଭିନ୍ନ କାରଣରୁ ପ୍ରକଳ୍ପକୁ ସମର୍ଥନ କରି କ୍ଷତିପୂରଣ ନେଇଥିଲେ । ଏହି ପ୍ରକଳ୍ପ ବଲାଙ୍ଗୀର ଜିଲ୍ଲା ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିଥିଲା । ସୁକତେଲ ପ୍ରକଳ୍ପ ଯୋଗୁଁ ବଲାଙ୍ଗୀର ସହରର ପାଣି ସମସ୍ୟା ସମାଧାନ କରୁଥିବା ନେଇ ବଲାଙ୍ଗୀର ନାଗରିକ ସଙ୍ଗଠନ ପକ୍ଷରୁ ଯଥାଶୀଘ୍ର ଏହାର କାର୍ଯ୍ୟକାରୀ ପାଇଁ ଲଗାତାର ଆନେ୍ଦାଳନ କରାଯାଇଥିଲା । ଗୋଟିଏ ସମୟରେ ଏହି ପ୍ରକଳ୍ପକୁ ନେଇ ବଲାଙ୍ଗିର ବିଭାଜିତ ହୋଇଛି । ଏପରିକି ୨୦୧୩ ମସିହା ସ୍ପିଲୱେ ଭୂମିପୂଜନ ବେଳେ ହୋଇଥିବା ପ୍ରତିରୋଧ ବେଳେ ୫୦୦ରୁ ଅଧିକ ଆନେ୍ଦାଳନକାରୀଙ୍କୁ ଜେଲ ଯିବାକୁ ପଡ଼ିଥିଲା । ସେତେବେଳେ ବଲାଙ୍ଗିର ଓକିଲ ସଂଘ ପକ୍ଷରୁ କେହି ସେମାନଙ୍କ ମାମଲା ଲଢ଼ିବେ ନାହିଁ ବୋଲି ପ୍ରଥମେ ଘୋଷଣା କରିବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛିଦିନ ପରେ ଏହି ଆଦେଶକୁ ପ୍ରତ୍ୟାହାର କରାଯାଇ ଥିଲା । ପ୍ରଶାସନ ଲୋକଙ୍କ ସମସ୍ୟାକୁ ଆଳ କରି ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କୁ ଆମ୍ନା-ସାମ୍ନାରେ ରଖି ମଜା ନେଇଛି ।

କଣ କହୁଛି ପ୍ରଶାସନ

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଲୋୟର ସୁକତେଲ ବିସ୍ଥାପନ ନେଇ ପ୍ରଶାସନ ସର୍ବଶ୍ରେଷ୍ଠ ନୀତି ଅବଲମ୍ବନ କରିଛି । ଭୂମି ଅଧିଗ୍ରହଣ, ଥଇଥାନ ଏବଂ ପୁନଃବସତିରେ କ୍ଷତିପୂରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକାର ଆଇନ ୨୦୧୩ ଏବଂ ନୀତି ଓଡ଼ିଶା ସରକାରଙ୍କ କାର୍ଯ୍ୟକାରୀ ହେଉଛି । ମହିଳା ବୋଲି କାହାକୁ ପରିବାର କ୍ଷତିପୂରଣରୁ ବଞ୍ଚିତ କରାଯାଇ ନାହିଁ । ବରଂ ସର୍ଭେ ବେଳେ ଯିଏ ଉପସ୍ଥିତ ଥିଲେ ସେମାନଙ୍କୁ କ୍ଷତିପୂରଣ ଦିଆଯାଇଛି । ଶିଶୁମାନଙ୍କୁ ସ୍ୱତନ୍ତ୍ର କ୍ଷତିପୂରଣ ପ୍ରଦାନ ପାଇଁ ପ୍ରସ୍ତାବ ଯାଇଛି । ଥଇଥାନ ନୀତି ଅନୁସାରେ ଖାତିୟାନ ସହିତ ଘରଡିହ ଜମି ଆବଣ୍ଟନ, ଥଇଥାନ ବସତି ମଧ୍ୟରେ ରାସ୍ତା ତଥା ମୁଖ୍ୟରାସ୍ତାକୁ ସଂଯୋଗୀକରଣ, ବିଜୁଳି, ଆଲୋକ ବ୍ୟବସ୍ଥା, ଚିକିତ୍ସା କ୍ଷେତ୍ର, କର୍ମଚାରୀଙ୍କ ବାସଗୃହ ପାଇଁ ବ୍ୟବସ୍ଥା, ଶ୍ମଶାନ, ଧାର୍ମିକ ସ୍ଥଳ, ବୃକ୍ଷରୋପଣ ଏବଂ ଶୌଚାଳୟ ବ୍ୟବସ୍ଥା ସହିତ ସର୍ବାଙ୍ଗୀନ ଉନ୍ନତିର ଯୋଜନା ରହିଛି ।

ବର୍ତ୍ତମାନ ପ୍ରସଙ୍ଗ ବିକାଶ ବନାମ ବିସ୍ଥାପନ ନୁହେଁ । ଲୋୟର ସୁକତେଲ ପ୍ରକଳ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳ ଯେତେ ଶସ୍ୟ ଶ୍ୟାମଳା ହେବାକୁ ଯାଉଥିଲେ ମଧ୍ୟ ଜଣେ ହେଲେ ବିସ୍ଥାପିତ ଉପଯୁକ୍ତ ଥଇଥାନ ପ୍ରକ୍ରିୟାରୁ ବାଦ୍ ଦିଆଗଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବିଫଳ ଅଟେ ବୋଲି କୁହାଯିବ । ଏହା ସମ୍ପତ୍ତି ନୁହେଁ ବରଂ ବୋଝ ପାଲଟିବ ।

 

Comments

0 comments

Share This Article