ହୁଏତ ଏହି ସ୍ତମ୍ଭକୁ ପଢ଼ୁଥିବା ପାଠକମାନେ ପଚାରି ପାରନ୍ତି – ପରାଧୀନ କ’ଣ ? ଅଗଷ୍ଟ ୧୫, ୧୯୪୭ରୁ ତ ସାରା ଦେଶଟା ବିଭାଜିତ ହୋଇ ସ୍ୱାଧୀନ ହୋଇସାରିଛି । କ୍ଷମତାର କାଗଜପତ୍ର ହସ୍ତାନ୍ତରୀକରଣ କରି ବିଦେଶୀମାନଙ୍କ ପାଖରୁ ଦେଶିଆମାନଙ୍କ ହାତରେ ଦେଇଦେଲେ ଆପଣାଛାଏଁ ସ୍ୱାଧୀନତା ଆସିଯାଇଥାଏ, ଏଭଳି ଭାବନା ବହୁତ ଲୋକଙ୍କର ରହିଛି । ସ୍ୱାଧୀନତା ପାଇଁ ହୋଇଥିବା ଲଢ଼େଇରେ ହିନ୍ଦୁ, ମୁସଲିମ୍, ଶିଖ୍, ଖ୍ରିଷ୍ଟିଆନ୍, ବୌଦ୍ଧ ପ୍ରାୟ ସବୁ ଧର୍ମର ଲୋକମାନେ ଅନେକ ବଳିଦାନ ଦେଇଥିଲେ । ଦଳିତମାନଙ୍କୁ ସମାନତାର ସ୍ୱପ୍ନ ଦେଖାଇ ଏହି ସଂଗ୍ରାମରେ ମଧ୍ୟ ବହୁସଂଖ୍ୟାରେ ସାମିଲ କରାଯାଇଥିଲା । ସ୍ୱାଧୀନତା ପରେ ପରେ ସମସ୍ତେ ପ୍ରାୟ ସେହି ସଂଗ୍ରାମ କ’ଣ, କିଭଳି ଥିଲା ଓ ସ୍ୱପ୍ନ କ’ଣ ଦେଖିଥିଲେ, ସବୁକଥା ଭୁଲିଯାଇଥିଲେ । ଗୋଟିଏ ସମ୍ବିଧାନ ମାଧ୍ୟମରେ କିଛି ସ୍ୱପ୍ନକୁ ସାକାର କରିବାପାଇଁ ପରିକଳ୍ପନାଟି କରାଯାଇଥିଲା । ଗଣତନ୍ତ୍ରଟା କ’ଣ କେବେ ଚାଖିନଥିବା ଦେଶବାସୀଙ୍କ ପାଇଁ ସମ୍ବିଧାନଟି ସାମୂହିକ ବିଶ୍ୱାସର ଦସ୍ତାବିଜ୍ ହୋଇ ରହିଥିଲା । କିନ୍ତୁ ଡକ୍ଟର ବି.ଆର୍.ଆମ୍ବେଦକର ସମ୍ବିଧାନ ଉପସ୍ଥାପନ କରି ଆଲୋଚନା କଲାବେଳେ ଯାହା କହିଥିଲେ, ଏବେ ବି ତାକୁ ପ୍ରାୟ ଲୋକମାନେ ଆଲୋଚନା ବେଳେ ଦୋହରାଉଛନ୍ତି । ନଭେମ୍ବର ୨୫, ୧୯୪୯ ମସିହାରେ ସମ୍ବିଧାନ ସଭାରେ ଡକ୍ଟର ଆମ୍ବେଦକର କହିଥିଲେ ଯେ, ସମ୍ବିଧାନର ଫଳ କିଭଳି ରହିବ, ଏହି କଥାଟି ସେହି ଲୋକ ଓ ନେତାମାନଙ୍କ ଉପରେ ନିର୍ଭର କରିବ ଯେଉଁମାନେ ସମ୍ବିଧାନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ରହିବେ । ଗୋଟିଏ ଭଲ ସମ୍ବିଧାନ ବି ଖରାପ ପ୍ରମାଣିତ ହେବ ଯଦି ଖରାପ ଲୋକଙ୍କ ହାତରେ ଏହାର କାର୍ଯ୍ୟଭାର ପଡ଼େ । ଏଭଳି କହିବାର ଚାରିବର୍ଷ ପରେ ସଂସଦରେ ମଧ୍ୟ ସେ ପୁଣିଥରେ ଦୋହରାଇଥିଲେ ଯେ, ଯଦି ସେଭଳିି ହୁଏ, ତେବେ ସେ ପ୍ରଥମ ବ୍ୟକ୍ତି ହେବେ ଯିଏ କି ସମ୍ବିଧାନଟିକୁ ପୋଡ଼ିଦେବେ ।
ଆମ୍ବେଦକରଙ୍କ ଉକ୍ତି ସତ୍ୟ ପ୍ରମାଣିତ ହୋଇଛି । ସମ୍ବିଧାନକୁ ଯଦି ‘ଶାଳଗ୍ରାମ’ କୁହାଯାଏ ଏବେ ତାହା ହୁଏତ ମାଙ୍କଡ଼ମାନଙ୍କ ହାତରେ ପଡ଼ିଛି । ଅଗଷ୍ଟ ୧୫, ୧୯୪୭ରେ ହନୁମାନ ମୂର୍ତ୍ତି ଭାରତର ଗାଁମାନଙ୍କ ଗାଁମୁଣ୍ଡରେ କେତୋଟି ଥିଲା ପଚାରି ବୁଝନ୍ତୁ, ଏବେ ପ୍ରାୟ ପ୍ରତିଟି ଗାଁ ମୁଣ୍ଡରେ ବିରାଟକାୟ ହନୁମାନ ମୂର୍ତ୍ତି । ଆମ ଲୋକମାନେ ହନୁମାନ ମୂର୍ତ୍ତିର ଉଚ୍ଚତା ମାପିବାରେ ବ୍ୟସ୍ତ ଥିବାବେଳେ, ସମ୍ବିଧାନ ନାଁରେ ଯେଉଁ ଗୋଟିଏ ବଡ଼ ଦସ୍ତାବିଜ୍ ଆମର ସାମଗ୍ରିକ ଶାସନ ପାଇଁ ତିଆରି ହୋଇଥିଲା, ତାହା ପ୍ରାୟତଃ ଭୁଲିଯାଇଛନ୍ତି । ସମ୍ବିଧାନର କପି ଯଦିଓ ଏବେ ରାହୁଲ ଗାନ୍ଧୀଙ୍କ ହାତରେ ଦେଖିବାକୁ ମିଳୁଛି, କିନ୍ତୁ ସମ୍ବିଧାନକୁ ନେଇ ଜନଗଣଙ୍କୁ ଶିକ୍ଷିତ କରିବା କ୍ଷେତ୍ରରେ ପ୍ରଥମେ ତୁହାକୁ ତୁହା କ୍ଷମତାକୁ ଆସୁଥିବା କଂଗ୍ରେସ ସରକାରମାନେ ଏବଂ ପରେ ବିରୋଧୀ ସାମୁଖ୍ୟର ମେଣ୍ଟ ସରକାରମାନେ ବିଫଳ ହୋଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରୁ ଜନ୍ମ ନେଇଥିବା ପ୍ରଥମେ ଭାରତୀୟ ଜନସଂଘ ଓ ପରେ ଭାରତୀୟ ଜନତା ପାର୍ଟିର ନିର୍ବାଚିତ ସାଂସଦମାନେ ଯଦିଓ ସମ୍ବିଧାନର ସୁରକ୍ଷା ଓ ମର୍ଯ୍ୟାଦା ପାଇଁ ଶପଥ ନେଇଥାନ୍ତି, କିନ୍ତୁ ସେମାନଙ୍କ ଅସଲ ସମ୍ବିଧାନ ହେଉଛି ସେମାନଙ୍କ ଗୁରୁ ଏମ୍.ଏସ୍. ଗୋଲୱାଲକରଙ୍କ ଦ୍ୱାରା ରଚିତ ‘ବଞ୍ଚ୍ ଅଫ୍ ଥଟ୍ସ’ (Bunch of Thoughts) । ଅର୍ଥାତ୍, ହିନ୍ଦୁ ରାଷ୍ଟ୍ର ନିର୍ମାଣ, ଯେଉଁଠି ଅନ୍ୟସବୁ ଧର୍ମ ବିଶ୍ୱାସୀମାନେ ଦ୍ୱିତୀୟ ଶ୍ରେଣୀ ନାଗରିକ ହେବେ । ସେମାନଙ୍କ ପାଇଁ ଦେଶ ସ୍ୱାଧୀନ ହେବା ବା ପରାଧୀନ ରହିବାର ଅର୍ଥ କିଛି ନାହିଁ; ମୂଳଲକ୍ଷ୍ୟ ହେଉଛି ସମଗ୍ର ଦେଶବାସୀ ହିନ୍ଦୁତ୍ୱ ଶାସନାଧୀନ ରହିବେ । ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ପାଇଁ ଦେଶ ଭିତରେ ପଶି ସମ୍ପଦ ସବୁ ଲୁଟ୍ କରିନେବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ । ବିଶ୍ୱବ୍ୟାପୀ ଦେଖାଯାଉଛି, ଉଗ୍ର ସାମ୍ପ୍ରଦାୟିକ ସଂଗଠନମାନେ ଶାସନକୁ ଆସିଲେ ଉଗ୍ର ପୁଞ୍ଜିର ବିଶ୍ୱସ୍ତ ପ୍ରତିନିଧି ହୋଇଯାଆନ୍ତି । ଜନଗଣଙ୍କୁ ସବୁବେଳେ ବଳିରେ ଚଢ଼ାଉଥିବା (ସାମ୍ପ୍ରଦାୟୀକ ହିଂସା) ଲୋକମାନଙ୍କ ପାଇଁ ଆଉ କିଛି ଅଧିକ ଲୋକଙ୍କୁ ବଳିରେ ଚଢ଼ାଇବା ଏକ ସାଧାରଣ କଥା । ମାତ୍ର ଗୋଟିଏ ପଟେ ଦେଶସାରା ଭାରତୀୟ ଜନତାପାର୍ଟିର ବହୁ ବ୍ୟୟବରାଦରେ ନିର୍ମିତ ହୋଇଥିବା ଚାକଚକ୍ୟ କୋଠାଗୁଡ଼ିକର ସଂଖ୍ୟା ବଢ଼ିଚାଲିଥିଲା ବେଳେ, ଅନ୍ୟପଟେ ଭାରତର ଆଦିବାସୀ ବହୁଳ ଓ ଜଙ୍ଗଲ-ଝରଣା ଭରା ଅଞ୍ଚଳଗୁଡ଼ିକ ଗୋଟିଏ ପରେ ଗୋଟିଏ ସମ୍ଭବତଃ ସେମାନଙ୍କ କୋଠା ନିର୍ମାଣପାଇଁ ପୁଞ୍ଜି ଯୋଗାଉଥିବା କମ୍ପାନୀମାନଙ୍କ ହାତକୁ ଚାଲିଯାଇଛି । ସରକାର ନିଜେ ହିସାବ କରୁନାହାନ୍ତି କେତେ ଜଙ୍ଗଲ ଯାଉଛି, କେତେ ଝରଣା ଶୁଖୁଛି, କେତେ ପାହାଡ଼ ପାଉଁଶ ହେଉଛି ଏବଂ କେତେ ନିରୀହ ଆଦିବାସୀ ଜଙ୍ଗଲଜୀବୀ ଯେଉଁମାନେ ଶାନ୍ତିରେ ପ୍ରକୃତି ସହ ବଞ୍ଚି ଆସିଛନ୍ତି, ଆଜି ସର୍ବହରା ହୋଇ ବୁଲୁଛନ୍ତି ବା ପ୍ରତିବାଦ କରି ଜେଲ୍ ଭିତରେ ସଢ଼ୁଛନ୍ତି । ମାଓବାଦୀ ଦମନକୁ ଆମ ମହାନ ଭାରତୀୟ ବୁଦ୍ଧିଜୀବୀମାନେ ଲେଖା ମାଧ୍ୟମରେ ବା ଟେଲିଭିଜନ୍ ବିତର୍କରେ ଭାଗ ନେଇ ବା କେବଳ ନୀରବ ରହି ସମର୍ଥନ କରି ଆସିଥିଲେ । ଏବେ ପ୍ରାୟ ସବୁ ତଥାକଥିତ ମାଓବାଦୀ-ମୁକ୍ତ ଅଞ୍ଚଳ ମୋଦୀ ସରକାରଙ୍କର ପରମ ବନ୍ଧୁ କମ୍ପାନୀମାନଙ୍କ ହାତରେ ।
ଉଗ୍ର ଖଣିଜ ଉତ୍ତୋଳନ, ଉଗ୍ର ଶିଳ୍ପାୟନ, ନିଷ୍ଠୁର ବିସ୍ଥାପନ ଏବଂ ପ୍ରାଚୁର୍ଯ୍ୟଭରା ପ୍ରାକୃତିକ ସମ୍ପଦର ଲୁଣ୍ଠନ ଅବାଧ ଗତିରେ ସେସବୁ ଅଞ୍ଚଳରେ ଚାଲିଛି । ମାଓବାଦୀ ପ୍ରବଣ ନଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ, ଯେମିତି କି ଦକ୍ଷିଣ ଓଡ଼ିଶାରେ, ଏବେ ଯାହା ଚାଲିଛି ପ୍ରମାଣିତ କରୁଛି ଯେ , ଦେଶରେ ସ୍ୱାଧୀନତା ଓ ସମ୍ବିଧାନ ବୋଲି ଆଉ କିଛି ନାହିଁ । ଜଣେ ପୋଲିସ ଡିଆଇଜି ସିଧାସଳଖ ଆନେ୍ଦାଳନକାରୀ ଓ ଆଦିବାସୀ ନେତାମାନଙ୍କୁ ଧମକ ଦେଉଛନ୍ତି । ରାୟଗଡ଼ା, କୋରାପୁଟ, କଳାହାଣ୍ଡି କେବଳ ତିନୋଟି ଜିଲ୍ଲାକୁ ଦେଖିଲେ ଲାଗୁଛି ଯେ ଏଠି ନିର୍ବାଚିତ ସରକାର ବା ନିର୍ବାଚିତ ଜନପ୍ରତିନିଧି ବୋଲି କେହି କିଛି ନାହାନ୍ତି । ସବୁ ଥାନା ଅଫିସର ବା ଅତି ବେଶିହେଲେ ଏସପି ଓ ଜିଲ୍ଲାପାଳମାନେ ନିର୍ଦ୍ଧାରଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦପ୍ତରରୁ ସିଧାସଳଖ ଏହି ଆଇଏଏସ୍ ଏବଂ ଆଇପିଏସ୍ ଅଫିସରମାନଙ୍କ ପାଖକୁ ନିର୍ଦ୍ଦେଶ ଆସୁଥିଲା ବୋଲି କୁହାଯାଉଥିଲା । ଏବେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରଠାରୁ ଏହିସବୁ ଅଞ୍ଚଳରେ ଗୌତମ ଆଦାନୀ ଓ ବେଦାନ୍ତ ବା ବିର୍ଲା ଭଳି କମ୍ପାନୀମାନଙ୍କର ଏକଜିକ୍ୟୁଟିଭମାନେ ନିଦେ୍ର୍ଦଶ ଦେଉଛନ୍ତି, ପ୍ରତିରୋଧ କରୁଥିବା ଲୋକମାନଙ୍କୁ କେମିତି ଦମନ କରାଯିବ । ମିଛ ମୋକଦ୍ଦମା ସଂଖ୍ୟା ବି ବଢ଼ି ଚାଲିଛି, ଅକଥନୀୟ ନିର୍ଯାତନା ବଢ଼ି ଚାଲିଛି । ବାହାରୁ ସମବେଦନା ଜଣାଇବା ପାଇଁ ବା ସ୍ଥିତି ଜାଣିବା ପାଇଁ ଯିବାପାଇଁ ଚେଷ୍ଟା କରୁଥିବା ସମ୍ବେଦନଶୀଳ ଲୋକମାନଙ୍କୁ ପୋଲିସ ଓ ଗୁଣ୍ଡା ବିରୋଧ କରୁଛନ୍ତି । ନିକଟରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଅନେକ ସଂଘର୍ଷ ଭିତରେ ଅଞ୍ଚଳଟିକୁ ଗସ୍ତ କରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଣିଛନ୍ତି, ଯାହାର ଏକ ବିବରଣୀ ହୁଏତ ଆଗାମୀସଂଖ୍ୟାରେ ପ୍ରକାଶ ପାଇବ ।
କିନ୍ତୁ ସବୁସ୍ତରରେ ଗୋଟିଏ ପ୍ରଶ୍ନ, ‘କଣ ପାଇଁ ଆମେ ଅଗଷ୍ଟ ୧୫ ପାଳିବୁ ? ସଂଘ ସରକାରକୁ ହାତବାରିସି କରି ଦେଶୀୟ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଯେଉଁ ଦମନନୀତି ଓ ବିପର୍ଯ୍ୟୟ ଏହି ଅଞ୍ଚଳ ପାଇଁ ଆଣୁଛନ୍ତି, ତାହା ବାବାସାହେବଙ୍କ ସମ୍ବିଧାନ କାର୍ଯ୍ୟକାରୀ କରୁଥିବା ଏବଂ ସ୍ୱାଧୀନ ରାଷ୍ଟ୍ରର ସରକାର ବୋଲି ଦାବି କରୁଥିବା କୌଣସି ରାଜନୈତିକ ଶକ୍ତି କ’ଣ କରିପାରିବେ ? ସମଗ୍ର ଦକ୍ଷିଣ ଓଡ଼ିଶା ଏବେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ହାତରେ ପରାଧୀନ । ତଥାପି ପ୍ରତିବାଦ ସଂଗଠିତ ଭାବେ ଚାଲିଛି ଏବଂ ଆଶା ବି ବଞ୍ଚି ରହିଛି ଯେ ଏହି ପରାଧୀନତାରୁ ବି ପୁଣି ଥରେ ଏକ ମୁକ୍ତି ସଂଗ୍ରାମ ଜନ୍ମ ନେବ ଏବଂ ଲୋକେ ଅସଲ ମୁକ୍ତି ପାଇବେ ।
Comments
0 comments

