ମ୍ୟାକଲେ ଏବଂ ଭାରତ -୩

ବ୍ରିଟିଶ ସଂସଦରେ ଭାଷଣ:   

ଇଉରୋପୀୟଙ୍କୁ ଭାରତରେ ବସବାସ କରିବାର ସ୍ଵାଧୀନତା

 ଇଷ୍ଟ ଇଣ୍ଡିଆ କମ୍ପାନୀ  ଭାରତରେ ସରକାରର ଏକ ଅଙ୍ଗ

ମ୍ୟାକଲେ ତାଙ୍କର ଅଭିଭାଷଣରେ ଦଶମ ପରିଚ୍ଛେଦରେ  ଯୁକ୍ତି ବଢିଥିଲେ ଇଉରୋପୀୟଙ୍କୁ ଭାରତରେ ବସବାସ କରିବାର ସ୍ଵାଧୀନତା ସପକ୍ଷରେ ଯାହାର ଶିରୋନାମା ଥିଲା  Europeans should be allowed to settle freely in India,  ଯାହା ଅନୁବାଦରେ ଏହିପରି :-  

 “ମହାଶୟ , ଚୀନ ସହ ବଣିଜ ଆରମ୍ଭ କରିବା ସହ  ଆଉ ଯେଉଁ ପରିବର୍ତ୍ତନ କୁ ଅତ୍ୟନ୍ତ ବ୍ୟଗ୍ରତାର ସହ ଇଂରାଜ ଲୋକେ ଦାବି କରନ୍ତି ତାହା ହେଉଛି ଇଉରୋପୀୟ ମାନଙ୍କର ଭାରତରେ ପ୍ରବେଶ ଉପରେ ଯେଉଁ କଟକଣା ରହିଛି ତାହାକୁ କାଢି ନିଆଯିବା ଉଚିତ । ନିଃସନ୍ଦେହ ଏପରି ପରିବର୍ତ୍ତନରେ ଅନେକ ସୁବିଧା ରହିଛି ।  ମୋ ବିଚାରରେ, ସବୁଠୁ ବଡ ସୁବିଧା  ହେଉଛି ଆମ ଦେଶୀ ପ୍ରଜାମାନେ ସେମାନଙ୍କଠାରୁ ବୌଦ୍ଧିକତାରେ ବହୁ ଆଗରେ ଥିବା ଲୋକମାନଙ୍କ ସହ ମୁକ୍ତ ମିଳାମିଶା କରିବା  ଫଳରେ ସେମାନଙ୍କ ମାନସ ଶକ୍ତିରେ ଉନ୍ନତି ଘଟିବା  । ମୁଁ ଅବଶ୍ୟ ଏହା ଅସ୍ଵୀକାର କରିପାରିବି ନାହିଁ ଯେ ଏହି ସୁବିଧା ସହ କିଛି ବିପଦ ମଧ୍ୟ ରହିଛି ।

ବିପଦ ହେଉଛି ଯେ ଶାସକ ରାଷ୍ଟ୍ରରୁ ଆସୁଥିବା ଏହି ନବାଗତମାନେ, ଯେଉଁମାନେ ବର୍ଣ୍ଣରେ, ଭାଷାରେ, ଆଚରଣରେ ସେମାନଙ୍କ ଭଳି ହୋଇଥାନ୍ତି ଯେଉଁମାନଙ୍କ ହାତରେ ରହିଥାଏ ସର୍ବୋଚ୍ଚ ସାମରିକ ଓ ରାଜନୈତିକ ଶକ୍ତି, ଏବଂ ଏହି ସବୁ ଦିଗରୁ ସେମାନେ ଏକ ବିଶାଳ ଜନସମୂହ ଠାରୁ ଭିନ୍ନ ହୋଇଥାନ୍ତି, ସେମାନେ ନିଜକୁ ଏକ ଉଚ୍ଚତର ଶ୍ରେଣୀ ବୋଲି ବିଚାର କରିପାରନ୍ତି ଏବଂ ଦେଶୀ ସମ୍ପ୍ରଦାୟକୁ ପଦଦଳିତ କରିପାରନ୍ତି ।  ଏଯାବତ୍ ଭାରତରେ ରହୁଥିବା ଇଉରୋପୀୟଙ୍କ ଉପରେ ଶକ୍ତ କଟକଣା ରହିଛି । ସରକାରୀ ଅନୁମତି(Licences) ସହଜରେ ମିଳୁ ନାହିଁ । ସେହି  ଅଧିବାସୀମାନେ ଯେଉଁମାନେ କମ୍ପାନୀ ସେବାରେ ନିୟୋଜିତ ସ୍ଵାଭାବିକ ସେମାନେ ସଠିକ ନୈତିକତା ଭିତରେ ନିଜର ଆଚରଣକୁ ସୀମିତ ରଖୁଥିବେ ।  ଅନ୍ୟଥା ସେମାନେ ଯଦି ସରକାରଙ୍କ ଅସନ୍ତୋଷର ଶିକାର ହୁଅନ୍ତି ତାହାହେଲେ ତାଙ୍କର ପଦୋନ୍ନତିର ସମସ୍ତ ଆଶା ଧୂଳିସାତ୍ ହେବ ।  ଏପରିକି ଯେଉଁମାନେ କୌଣସି ଲୋକସେବାରେ ନାହାନ୍ତି ସେମାନେ ମଧ୍ୟ ସେ ଦୁର୍ଜ୍ଜୟ କ୍ଷମତା ଦ୍ଵାରା ପ୍ରଭାବିତ ହୋଇ ପାରନ୍ତି ଯାହା ସରକାରଙ୍କ ପାଖରେ ଅଛି ଯେପରି  ସେ ଚାହିଁଲେ ସେମାନଙ୍କୁ ନିର୍ବାସିତ କରି ଦେଇ ପାରିବେ ।

 ସରକାରଙ୍କ ଲାଇସେନ୍ସ ଆଉ ସେମାନଙ୍କ ପାଇଁ ଆବଶ୍ୟକ ହେବ ନାହିଁ, ଯେଉଁମାନେ ଭାରତର ସ୍ଥିରୀକୃତ (settled) ପ୍ରଦେଶରେ ବସବାସ କରିବା ପାଇଁ ଇଚ୍ଛା କରୁଥିବେ । ମନଇଛା ଦେଶାନ୍ତରଣର କ୍ଷମତା ପ୍ରତ୍ୟାହାର କରାଗଲା ।  ଯଦି ଆମେ ଚାହୁଁ ଯେ ଦେଶୀ ଅଧିବାସୀ (natives)ମାନେ ପ୍ରାଚ୍ୟ ପରିଦର୍ଶନରେ ଆସୁଥିବା କୌଣସି ଦୁଃସାହସିକ ଲମ୍ପଟ ବ୍ୟକ୍ତିର ଅତ୍ୟାଚାର ଓ ଔଦ୍ଧତ୍ୟର ଶିକାର ନ  ହୁଅନ୍ତୁ, ତାହାହେଲେ ଆମେ ଇଉରୋପୀୟଙ୍କୁ ସେହି କ୍ଷମତା  ଦ୍ଵାରା ନିୟନ୍ତ୍ରିତ କରିବା ଯେଉଁ କ୍ଷମତା ହିନ୍ଦୁଙ୍କ ପାଇଁ ଆଇନ କରିଥାଏ । କୋଣସି ବ୍ୟକ୍ତି ମୋ ଠାରୁ ବେଶୀ ରାଜନୈତିକ ସ୍ବାଧୀନତାକୁ ଭଲ ପାଉ ନ ଥିବ କିନ୍ତୁ କିଛି ବ୍ୟକ୍ତିଙ୍କ ଦ୍ଵାରା ବିଶେଷ ଅଧିକାର ଉପଭୋଗ କରାଯିବା, ଯେଉଁଥିରୁ ଏକ ବିଶାଳ ଜନସଂଖ୍ୟା ବଞ୍ଚିତ ରହିବାକୁ ସ୍ଵାଧୀନତା କୁହାଯାଇ ପାରିବ ନାହିଁ । ଏହା ହେଉଛି ସ୍ଵେଚ୍ଛାଚାର ।   ମୋର ତିଳେ ମାତ୍ର ସନ୍ଦେହ ନାହିଁ ଯେ ୱେଷ୍ଟଇଣ୍ଡିଜ(West Indies)ରେ ଜୁରୀ (jury) ଏବଂ ବିଧାନ ସଭା (Legislative Assemblies)  ଦ୍ଵାରା ବିଚାର କ୍ରୀତଦାସ (slaves) ମାନଙ୍କର ଅବସ୍ଥାକୁ ଆହୁରି ଗୁରୁତର କରିଦେଇଛି ଯାହା ଅନ୍ୟଥା ଏପରି ହୋଇ ନଥାନ୍ତା ।  ବା  ଯଦି ଭାରତର ଦୃଷ୍ଟାନ୍ତ ନିଆଯାଏ, ମୁଁ ଯଦିଓ ସମ୍ପୂର୍ଣ୍ଣ ରୂପେ ବିଶ୍ଵାସ କରେ ଯେ କଠୋର ଦଣ୍ଡ ସଂହିତା ଅପେକ୍ଷା ମୃଦୁ ଦଣ୍ଡ ସଂହିତା ଭଲ, ତେବେ ସବୁ ବ୍ୟବସ୍ଥା  ମଧ୍ୟରେ  ସବୁଠାରୁ ଖରାପ ବ୍ୟବସ୍ଥା  ହେଉଛି ବ୍ରାହ୍ମଣଙ୍କ ପାଇଁ ମୃଦୁ ସଂହିତା, ଯେଉଁମାନେ ସ୍ରଷ୍ଟାଙ୍କ ମୁଣ୍ଡରୁ ବାହାରିଛନ୍ତି, ଶୁଦ୍ରଙ୍କ ପାଇଁ କଠୋର ସଂହିତା ଯେଉଁମାନେ ତାଙ୍କ ପାଦରୁ ବାହାରିଛନ୍ତି । ଜାତିଭେଦର ବୈଷମ୍ୟ ଓ ଏଥିରୁ ଜନ୍ମ ନେଇଥିବା ବଦ୍ଧମୂଳ କୁସଂସ୍କାର ଫଳରେ ଭାରତ  ଯଥେଷ୍ଟ  କଷ୍ଟ ସହ୍ୟ କରିଛି  ଈଶ୍ଵର ନ କରନ୍ତୁ, ଆମେ ତାକୁ ଆହୁରି ଅଭିଶପ୍ତ କରିବା ଏକ ନୂତନ ଜାତି ସୃଷ୍ଟି କରି, ଏକ ନୂଆ କିସମର ବ୍ରାହ୍ମଣ ପଠାଇ ଯେଉଁମାନେ ଅଧିକୃତ ହୋଇଥିବେ ସମସ୍ତ ଦେଶୀ ଜନସାଧାରଣଙ୍କୁ ଅସ୍ପୃଶ୍ୟ ପରି  ବ୍ୟବହାର କରିବା ପାଇଁ ।“

ମ୍ୟାକଲେ ତାଙ୍କର ଅଭିଭାଷଣର ଚତୁର୍ଥ ପରିଚ୍ଛେଦରେ ଯୁକ୍ତି ବାଢି ଥିଲେ  East India Company ଭାରତରେ ସରକାରର ଏକ ଅଙ୍ଗ ହେବା ଔଚିତ୍ୟ ସପକ୍ଷରେ  ଶିରୋନାମା ଥିଲା : The Company should be retained as an organ of government in India , ଯାହା ଅନୁବାଦରେ ଏହି ପରି :-

 “ଆମେ ଆସିବା ବର୍ତ୍ତମାନ ସେ ମହାନ ପ୍ରଶ୍ନକୁ; ଭାରତ ସରକାରର ଅଙ୍ଗ ଭାବରେ କମ୍ପାନୀକୁ କାଏମ ରଖିବା ବାଞ୍ଛନୀୟ କି? ମୁଁ ଭାବୁଛି ଏହା ବାଞ୍ଛନୀୟ, ଅବଶ୍ୟ ମୁଁ ସ୍ଵୀକାର କରିବି ଯେ ଏହି ପ୍ରଶ୍ନ ବେଶ କ୍ଳିଷ୍ଟ  । ଆମକୁ ରାଜନୀତିର ଏକ କଠିନ ପ୍ରଶ୍ନକୁ ସମାଧାନ କରିବାକୁ ପଡିବ  । ଆମେ ଚେଷ୍ଟା କରୁଛୁ ବିନା କୁଟାରେ ଇଟା ତିଆରି କରିବା ପାଇଁ , ଅପରିଷ୍କାର ଭିତରୁ ପରିଷ୍କାର କାଢିବା ପାଇଁ , ସେ ଜନସାଧାରଣଙ୍କୁ ଏକ ଭଲ ସରକାର ଦେବା ପାଇଁ  ଯାହାଙ୍କୁ ଆମେ ଏକ ସ୍ୱାଧୀନ  ସରକାର ଦେଇପାରିବା ନାହିଁ । ଏହି ଦେଶରେ, ଯେ କୌଣସି ପ୍ରତିବେଶୀ ଦେଶରେ, ଉତ୍ପୀଡନ ବିରୋଧରେ ନିରାପତ୍ତାର ଏକ ଢାଞ୍ଚା ଠିଆ କରାଇବା ସହଜ । ୟୁରୋପରେ,  ଭଲ ଶାସନର ଉପାଦାନ ସବୁଠାରେ ତୁମ ହାତରେ ତୟାର ଅଛି। ଲୋକେ ସବୁଠାରେ ସମ୍ପୂର୍ଣ୍ଣ ଭାବରେ ସକ୍ଷମ ରାଜନୈତିକ କ୍ଷମତାର  କିଛି ଅଂଶରେ ଭାଗୀଦାର ହେବାକୁ, ଯଦିଓ ପ୍ରତ୍ୟେକ ଦେଶରେ ସମାନ ଅଂଶରେ ନୁହେଁ । ଯଦି ପ୍ରଶ୍ନ ଏପରି  ହୁଏ ଯେ,  ଇଉରୋପରେ ଏକ ଭଲ ସରକାର କିପରି ହାସଲ କରାଯାଇ ପାରେ ? ତାହାହେଲେ ରାଜନୀତିରେ ସାମାନ୍ୟ ଜ୍ଞାନ ଥିବା ବ୍ୟକ୍ତିର ଉତ୍ତର ହେବ, ପ୍ରତିନିଧିମୂଳକ ଅନୁଷ୍ଠାନମାନଙ୍କ(representative institutions) ଜରିଆରେ । ଭାରତରେ, କିନ୍ତୁ , ପ୍ରତିନିଧିମୂଳକ ଅନୁଷ୍ଠାନ ହୋଇ ପାରେନା   ଭାରତର ରାଜନୀତି ଉପରେ ନିଜର ପରାମର୍ଶ ଦେଉଥିବା ଅଗଣିତ ବିଚାରକଙ୍କ ମଧ୍ୟରୁ ଜଣେ କେହି, ଯେତେଦୂର ମୁଁ ଜାଣିଛି, ସେ ତାଙ୍କ ବିଚାରରେ ଯେତେ ଗଣତାନ୍ତ୍ରିକ ହୁଅନ୍ତୁ ନା କାହିଁକି, ବର୍ତ୍ତମାନ ଭାରତରେ ଏହି ଭଳି ଅନୁଷ୍ଠାନମାନଙ୍କର ସମ୍ଭାବନା ଦେଖନ୍ତି ନାହିଁ । ଜଣେ ଭଦ୍ର ବ୍ୟକ୍ତି ଯିଏ ଆମର ପ୍ରାଚ୍ୟ ସାମ୍ରାଜ୍ୟର କାର୍ଯ୍ୟକଳାପ ସମ୍ପର୍କରେ ବେଶ ପରିଚିତ, ଆମ କମ୍ପାନୀର ଜଣେ ମୂଲ୍ୟବାନ୍ ସେବକ, ଏବଂ ଭାରତର ଇତିହାସ (History of India)ର ଲେଖକ, ଯାହା ଯଦିଓ ତ୍ରୁଟି ମୁକ୍ତ ନୁହେଁ , ତେବେ ମୋ ବିଚାରରେ, ଏହା ମୋଟ ଉପରେ,  ଆମ ଭାଷାରେ ପ୍ରକାଶ ପାଇଥିବା, Gibbonଙ୍କ କୃତି ପରେ  ସବୁଠାରୁ ବଡ ଐତିହାସିକ କୃତି , ସେ ହେଉଛନ୍ତି Mr Mill, ଯାହାଙ୍କୁ ଏହି ପ୍ରଶ୍ନ ପଚରାଯାଇଛି ସେ ଭଦ୍ରଲୋକ ଜଣେ ଅତ୍ୟନ୍ତ ସାହସୀ ଓ ସାଲିସ ନ କରୁଥିବା ରାଜନୈତିଜ୍ଞ ଭାବେ ଜଣାଶୁଣା ସେ ଗଣତନ୍ତ୍ର ସପକ୍ଷରେ, ଦୃଢ ଭାବରେ, ବରଂ ମୋ ବିଚାରରେ ଅତି ଦୃଢ ଭାବରେ ଲେଖି ଆସିଛନ୍ତି । ସେ ତ ଏତେ ଦୂର ଯାଇ କହିଛନ୍ତି ଯେ ଲୋକଙ୍କ  ଦ୍ଵାରା ନିର୍ବାଚିତ(universal suffrage) ପ୍ରତିନିଧିମୂଳକ ବିଧାୟିକା(representative legislature) ଯେଉଁ ରାଷ୍ଟ୍ରର ନାହିଁ , ତାହାର ଉତ୍ପୀଡନ(oppression) ବିରୋଧରେ କୌଣସି ସୁରକ୍ଷା(security) ନାହିଁ । କିନ୍ତୁ ତାଙ୍କୁ ଯେତେବେଳେ ଗତ ବର୍ଷ ଏକ କମିଟି ସମ୍ମୁଖରେ ପଚରାଗଲା ଯେ ସେ କ’ଣ ମନେ କରନ୍ତି ଯେ ଭାରତରେ ଏକ ପ୍ରତିନିଧିମୂଳକ ସରକାର ବ୍ୟବହାରିକ ହୋଇ ପାରେ, ତାଙ୍କର ଉତ୍ତର ଥିଲା “ଏହା ଆଦୌ ବିଚାରଯୋଗ୍ୟ ନୁହେଁ ”( “utterly out of the question.”) ହାହିଁ ହେଉଛି ଅବସ୍ଥା ଯାହା ମଧ୍ୟରେ ଆମେ ଆଜି ଅଛନ୍ତି  । ମକୁ ଏକ ଭଲ ସରକାର ସେହି ଦେଶ ପାଇଁ ଗଢିବାକୁ ହେବ, ଯେଉଁ ଦେଶରେ, ଯେପରି ଏହା ସମସ୍ତେ ସ୍ଵୀକାର କରନ୍ତି, ଭଲ ସରକାରର ସୁରକ୍ଷା ପାଇଁ  ସେହି ଅନୁଷ୍ଠାନ ଗୁଡିକର ସ୍ଥାପନା ଆମେ  କରିପାରିବା ନାହିଁ ଯାହାର ଉପାଦେୟତା ପ୍ରତି ଇଙ୍ଗିତ କରିଥାଏ  ଆମର ସମସ୍ତ ଅଭ୍ୟାସ, ଇଉରୋପୀୟ ଦାର୍ଶନିକମାନଙ୍କର ସମସ୍ତ ଯୁକ୍ତି, ବିଶ୍ଵରେ ଆମ ନିଜ ଅଞ୍ଚଳର ସମସ୍ତ ଇତିହାସ । ଆମକୁ ଉତ୍ପୀଡନ(despotism) ଉପରେ ରୋପଣ  କରିବାକୁ ହେବ(engraft) ସେହି ଆଶିଷ(blessings) ଗୁଡିକୁ ଯାହା ମୁକ୍ତି(liberty)ର ସ୍ଵାଭାବିକ ଫଳ ।  ଏପରି ଅବସ୍ଥାରେ , ମହାଶୟ, ଆମେ ସତର୍କ ରହିବା ଆବଶ୍ୟକ, ଏପରିକି ଭୀରୁ ଭଳି ମନେ ହେଲେ ମଧ୍ୟ ।  ରାଜନୀତି ବିଜ୍ଞାନ ଓ ଇତିହାସର ଆଲୋକ ଅପସାରିତ ହୋଇଛି : ଆମେ ଅନ୍ଧକାରରେ ଚାଲୁଛୁ : ଆମେ ସ୍ପଷ୍ଟ ଭାବରେ ଦେଖିପାରୁ ନାହୁଁ ଆମେ କେଉଁ ଆଡେ ଯାଉଛୁ । ଏପରି ଅବସ୍ଥାରେ ଥିବା ଜଣେ ମଣିଷ ତାର ଅଭିଜ୍ଞତା ଓ ବିଜ୍ଞତା(wisdom) ଅନୁସାରେ ସ୍ଥିର କରିବ  ଯେ ସେ କିପରି ତା ରାସ୍ତାରେ ଆଗେଇବ ଏବଂ ପାଦ ଆଗକୁ  ରଖିବ ନାହିଁ  ଯେତେବେଳ ଯାଏ ନିଶ୍ଚିତ ନ ହୋଇଛି ଯେ ତା ଆଗରେ ଥିବା  ମାଟି ବେଶ ଶକ୍ତ ।

 “ତେବେ, ଏହି ଭଳି ଅନ୍ଧକାର ମଧ୍ୟରେ,  କିଛି ଜିନିଷ, ମୁଁ ଅତି ସ୍ପଷ୍ଟତାର ସହ ଦେଖି ପାରୁଛି । ଉଦାହରଣ ସ୍ଵରୂପ, ମୁଁ ଦେଖି ପାରୁଛି ଯେ ଏହି  ଦେଶରେ ଯେଉଁ କ୍ଷମତା ଭାରତ ସରକାର ଉପରେ ପ୍ରୟୋଗ ହେଉଛି  ତାହା ଦୁଇଟି ଅଂଶ(bodies )ରେ ବିଭାଜିତ ହେବା  ବାଞ୍ଛନୀୟ, ଯେପରି ଗୋଟିଏ ଅଂଶ  ମନ୍ତ୍ରୀ ବା ସମ୍ରାଟ(Crown)ଙ୍କ ଦ୍ଵାରା ନିଯୁକ୍ତ ଏକ ବୋର୍ଡ, ଓ ଅନ୍ୟ ଅଂଶ ଯାହା ସମ୍ରାଟଙ୍କଠାରୁ ସ୍ଵାଧୀନ । ଯଦି ଭାରତକୁ  ଇଂଲଣ୍ଡର ଏକ ଆଶ୍ରିତ ରାଜ୍ୟ ହେବାକୁ ପଡେ, ଆମ ଶତ୍ରୁମାନଙ୍କ ସହ ଯୁଦ୍ଧରେ ଲିପ୍ତ ହେବାକୁ ପଡେ, ଆମର ମିତ୍ର ମାନଙ୍କ ସହ ଶାନ୍ତିରେ ରହିବାକୁ ପଡେ, ସାମୁଦ୍ରିକ ଆକ୍ରମଣରୁ ଇଂରାଜ ନୌସେନା ଦ୍ଵାରା ସୁରକ୍ଷିତ ରହିବାକୁ ପଡେ, ଇଂରାଜ ସେନାବାହିନୀର ଗୋଟିଏ ଅଂଶକୁ ତାହାର ସିପାହୀମାନଙ୍କ ସହ ମିଶ୍ରିତ କରାଯାଏ; ଏଥିରୁ ସ୍ପଷ୍ଟ ହୁଏ ଯେ ରାଜା, ଯାହାଙ୍କୁ ସମ୍ବିଧାନ ଦେଇଥାଏ ବୈଦେଶିକ ବ୍ୟାପାରରେ ଦିଶା ନିର୍ଦ୍ଦେଶ, ଏବଂ ଯାହାଙ୍କ ଠାରେ ନ୍ୟସ୍ତ ହୋଇଥାଏ  ସାମରିକ ଓ ନୌବାହିନୀର ସେନାପତିତ୍ଵ (command), ତାଙ୍କର ଭାରତ ସରକାରଙ୍କ ଦିଶା ନିର୍ଦ୍ଦେଶନାରେ ଅଂଶ ଗ୍ରହଣ ନିହାତି ଆବଶ୍ୟକ । ତଥାପି, ଅନ୍ୟପକ୍ଷରେ, ବାର୍ଷିକ କୋଡ଼ିଏ ନିୟୁତ ଟଙ୍କାର ରାଜସ୍ୱ, ଦୁଇ ଲକ୍ଷ ଲୋକଙ୍କର ଏକ ସୈନ୍ୟବାହିନୀ, ଆକର୍ଷଣୀୟ ସୁବିଧା ସୁଯୋଗରେ  ପରିପୂର୍ଣ୍ଣ ଏକ ପ୍ରଶାସନିକ ସେବା, କୌଣସି କଟକଣା ବିନା ରାଜାଙ୍କ ହାତରେ ଛାଡ଼ି ଦିଆଯିବା ଉଚିତ, ଏପରି ପ୍ରସ୍ତାବ ଦେବାକୁ , ମୋର ଧାରଣା, , କେହି ମନ୍ତ୍ରୀ ସାହସ କରିବେ ନାହିଁ।  ଏହି ଗୃହ ହିଁ ପ୍ରକୃତରେ ହେଉଛି ରାଜକୀୟ ଅଧିକାର(royal prerogative)ର ଅପବ୍ୟବହାର ଉପରେ ସମ୍ବିଧାନ ଦ୍ୱାରା ପ୍ରଦାନ କରାଯାଇଥିବା ନିୟନ୍ତ୍ରଣ  (check)।  କିନ୍ତୁ ଏହି ଗୃହ ଯେ ଭାରତରେ ହେଉଥିବା ଅପବ୍ୟବହାର ଉପରେ ଏକ କ୍ରିୟାଶୀଳ  ନିୟନ୍ତ୍ରଣ ଅଟେ ବା  କେବେ ହେବ, ଏହା ମୁଁ ସମ୍ପୂର୍ଣ୍ଣ ଭାବେ ଅସ୍ଵୀକାର କରେ ।  ମୁଁ ଯେପରି ବିଶ୍ବାସ କରେ ଓ  ଆମେ ସମସ୍ତେ ଅନୁଭବ କରୁ, ଆମ ପାଖରେ ଯଥେଷ୍ଟ କାର୍ଯ୍ୟ ରହିଛି । ଯଦି ଆମେ ବ୍ରିଟିଶ କାରବାର (affairs) ପରି ଭାରତୀୟ କାରବାରକୁ ଦେଖିବାର କାର୍ଯ୍ୟ ହାତକୁ ନେଉ, ଯଦି ଆମକୁ ଭାରତୀୟ ବଜେଟ୍ କରିବାକୁ ପଡେ ଏବଂ ଆନୁମାନିକ ହିସାବ କରିବାକୁ ପଡେ, ଯଦି ଆମକୁ ଭାରତୀୟ ମୁଦ୍ରା ପ୍ରଶ୍ନ ଭିତରକୁ ଏବଂ ଭାରତୀୟ ବ୍ୟାଙ୍କ ଚାର୍ଟରକୁ ଯିବାକୁ ପଡେ,  ଯଦି  ବେଲଜିୟମ ଏବଂ ହଲାଣ୍ଡ, ଡନ୍ ପେଡ୍ରୋ ଏବଂ ଡନ୍ ମିଗୁଏଲ ବିଷୟରେ ଆମର ବିବାଦ ସହିତ, ଗାଏକୱାର୍ଡଙ୍କ ଋଣ ଏବଂ ମହୀଶୂରର ଅବ୍ୟବସ୍ଥା, ଆଫଗାନମାନଙ୍କର ପୂର୍ବତନ ରାଜା ଏବଂ ମହାରାଜା ରଣଜିତ ସିଂଙ୍କ ବିଷୟରେ ବିବାଦ ଯୋଡା ଯାଏ; ଯଦି ଆମେ ଗୋଟିଏ ରାତି ବନାରସ ମୁଦ୍ରାର ଆତ୍ମସାତରେ ବିତାଇଥାଉ, ଏବଂ ଅନ୍ୟ ଏକ ରାତି କଲିକତା ମୁଦ୍ରା ବଜାରରେ ଆତଙ୍କରେ;  ଯଦି ସତୀ ପ୍ରଥା କି ସତୀ ପ୍ରଥା ନୁହଁ ,  ତୀର୍ଥଯାତ୍ରୀ  କର କି  ତୀର୍ଥଯାତ୍ରୀକର ନୁହଁ, ରୟତୱାରୀ କି ଜମିଦାରୀ, ଅଧା ରିହାତି ବା  ସମ୍ପୂର୍ଣ୍ଣ ରିହାତି , ଏହି ଭଳି  ପ୍ରଶ୍ନ ଗୁଡ଼ିକ ଉପରେ ସେତିକି ସମୟ  ବିତର୍କ କରାଯାଏ ଯେତିକି  ସମୟରେ ଆମେ ଚର୍ଚ୍ଚ ସଂସ୍କାର ଏବଂ କର ମୂଲ୍ୟାୟନ ବିଷୟରେ ବିତର୍କ କରିଛୁ, ତାହାହେଲେ ଦିନକୁ ଚବିଶ ଘଣ୍ଟା ଏବଂ ବର୍ଷକୁ ତିନିଶହ ପଞ୍ଚଷଠି ଦିନର ସମୟ  ମଧ୍ୟ ବହୁତ କମ ହୋଇଯିବ ଆମର କର୍ତ୍ତବ୍ୟ ସମ୍ପାଦନ ପାଇଁ । ଏହା ସ୍ପଷ୍ଟ ଯେ, ଏହି ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଗୃହର ଆବଶ୍ୟକୀୟ ସମୟ ନାହିଁ; ନା ଏହାର ଆବଶ୍ୟକୀୟ ଜ୍ଞାନ ଅଛି; ନା ଏହାର ସେହି ଜ୍ଞାନ ଅର୍ଜନ କରିବାର ଉଦ୍ଦେଶ୍ୟ ରହିଛି । ଏହାର ସମ୍ବିଧାନରେ ବିଳମ୍ବରେ ହୋଇଥିବା ପରିବର୍ତ୍ତନ ଏହାକୁ ଇଂରେଜ ଲୋକଙ୍କର ଏକ ଅଧିକ ବିଶ୍ୱସ୍ତ ପ୍ରତିନିଧି କରିଛି ବୋଲି ମୁଁ ବିଶ୍ୱାସ କରେ। କିନ୍ତୁ ଭାରତୀୟ ଲୋକଙ୍କ ପ୍ରତିନିଧି ହେବାଠାରୁ ଏହା ଏପର୍ଯ୍ୟନ୍ତ ଦୂରରେ ରହିଛି ।  କୋଲ୍ଡ ବାଥ୍ ଫିଲ୍ଡସ୍‌ (Cold Bath Fields)ରେ ଏକ ଫଟା ମୁଣ୍ଡ ଆମ ମଧ୍ୟରେ ଭାରତରେ ତିନୋଟି ଭୀଷଣ ଯୁଦ୍ଧ ଅପେକ୍ଷା ଅଧିକ ସମ୍ବେଦନା  ସୃଷ୍ଟି କରେ। କିଛି ସପ୍ତାହ ପୂର୍ବେ ଭାରତର ରାଜସ୍ୱ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆଗତ ଏକ ଦାବି ଉପରେ ଆମକୁ ନିଷ୍ପତ୍ତି ନେବାକୁ ପଡିଲା ଯଦି ଏହା ଏକ ଇଂରାଜ ପ୍ରଶ୍ନ ହୋଇଥାନ୍ତା, ତେବେ, ଗୃହ ଭର୍ତ୍ତି ହୋଇଯାଇଥାନ୍ତା, କାନ୍ଥଗୁଡ଼ିକ ଭୋଟ ଦେବାପାଇଁ ଧାଇଁ ଆସିଥିବା(flocked to the division) ସଦସ୍ୟମାନଙ୍କୁ କ୍ୱଚିତ୍ ଅଟକାଇ ପାରିଥାନ୍ତେ । ଏହା ଏକ ଭାରତୀୟ ପ୍ରଶ୍ନ ଥିଲା; ଏବଂ ବହୁ କଷ୍ଟରେ ହାରି ଗୁହାରି କରି ଆବଶ୍ୟକୀୟ ସଂଖ୍ୟାର ସଦସ୍ୟମାନଙ୍କୁ ଉପସ୍ଥିତ କରାଇ ଆମେ ଗୃହକୁ କୌଣସି ଉପାୟରେ ଚଳାଇ ପାରିଲେ  ଏପରିକି ଯେତେବେଳେ  ମୋର ଅତ୍ୟନ୍ତ ପରମ ସମ୍ମାନୀୟ ବନ୍ଧୁ, ନିୟନ୍ତ୍ରଣ ବୋର୍ଡ(Board of Control)ର ସଭାପତି, କୋଟି କୋଟି ଲୋକଙ୍କର ସରକାର ପାଇଁ ଯୋଜନାର ପ୍ରସ୍ତାବକୁ  ଉପଯୁକ୍ତ ଏବଂ ଆକର୍ଷଣୀୟ ବ୍ୟାଖ୍ୟା ଦେଇ ଉପସ୍ଥାପନ  କରୁଥିଲେ, ସେତେବେଳେ ମଧ୍ୟ(ଗୃହରେ) ଉପସ୍ଥାନ ସେପରି  ବିଶାଳ  ନଥିଲା, ଯେପରି ବିଶାଳ ଉପସ୍ଥାନ  ମୁଁ ପ୍ରାୟ ଦେଖିଛି କୋଣସି  ଟୋଲ ଆଦାୟ(turnpike) ବିଲ୍ କିମ୍ବା ରେଳ (railroad) ବିଲ୍ ଉପରେ ହେଉଥିବା ବିତର୍କ ଉପରେ

 ତେବେ ମୁଁ ଏହାକୁ ପ୍ରମାଣିତ ବୋଲି ଗ୍ରହଣ କରୁଛି, ଯେ ଭାରତ ଉପରେ କ୍ରାଉନ(Crown)ଙ୍କର ଏକ ନିର୍ଦ୍ଦିଷ୍ଟ କର୍ତ୍ତୃତ୍ୱ ରହିବା ଆବଶ୍ୟକ, କ୍ରାଉନଙ୍କ କର୍ତ୍ତୃତ୍ୱ ଉପରେ ଏକ ଦକ୍ଷ ଯାଞ୍ଚ(efficient check) ସଂସ୍ଥା ରହିବା ଆବଶ୍ୟକ, ଏବଂ ହାଉସ ଅଫ୍ କମନ୍ସ (House of Commons) ସେହି ଦକ୍ଷ ଯାଞ୍ଚ ସଂସ୍ଥା  ହୋଇପାରିବ ନାହିଁ। ତେଣୁ  ଆମକୁ ସେହି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ପାଇଁ ଅନ୍ୟ କୌଣସି ସଂସ୍ଥାର ସନ୍ଧାନ କରିବାକୁ ପଡିବ  ଆମର ଏପରି ଏକ ସଂସ୍ଥା ଅଛି, ତାହାହେଉଛି   କମ୍ପାନୀ(East India Company ) ଆମେ ଏହାକୁ ପରିତ୍ୟାଗ କରିବା?

 “ଏହା ସତ୍ୟ ଯେ କମ୍ପାନୀର କ୍ଷମତା ରାଜନୀତିରେ ଏକ ବିସଙ୍ଗତି (anomaly in politics)  ଏହା ଅଦ୍ଭୁତ, ଅତ୍ୟନ୍ତ ଅଦ୍ଭୁତ ଯେ ବ୍ୟବସାୟୀମାନଙ୍କର ଏକ ସଂଯୁକ୍ତ-ଷ୍ଟକ୍ ସମିତି (joint-stock society), ଏକ ସମିତି, ଯାହାର ଅଂଶ(shares) ପ୍ରତିଦିନ ଜଣକ ହାତରୁ ଅନ୍ୟ ଜଣକ  ହାତକୁ ଯାଇଥାଏ , ଏକ ସମିତି , ଯାହାର ଉପାଦାନ ଗୁଡ଼ିକ(component parts) ନିରନ୍ତର ପରିବର୍ତ୍ତନଶୀଳ, ଏକ ସମିତି , ଯାହାର ସଂରଚନାର ଆଧାର ଉପରେ ପୂର୍ବାନୁମାନ କରି, ଆମେ କହିବା ଉଚିତ ଥିଲା ଯେ ମର୍ଚ୍ଚାଣ୍ଟ ଟେଲର୍ସ କମ୍ପାନୀ(Merchant Tailors’ Company) କିମ୍ବା ନ୍ୟୁ ରିଭର କମ୍ପାନୀ(New River Company) ଭଳି ଏହି ସମିତି (କମ୍ପାନୀ) ଯିଏ ସାମ୍ରାଜ୍ୟବାଦୀ କାର୍ଯ୍ୟ(imperial functions)ପାଇଁ, United Kingdomର କାର୍ଯ୍ୟନିର୍ବାହୀ(Executive) ସରକାରଙ୍କ ପ୍ରତ୍ୟକ୍ଷ ପରିଚାଳନା ଅପେକ୍ଷା  କମ୍ ଉପଯୁକ୍ତ, ତାହା ହାତରେ  ଏକ ବୃହତ ଜନସଂଖ୍ୟାର ସାର୍ବଭୌମତ୍ୱ, ଏକ ବିଶାଳ ରାଜସ୍ୱର ପରିଚାଳନା, ଏକ ବୃହତ ସେନାର ସେନାପତିତ୍ଵ  ନ୍ୟସ୍ତ କରାଯିବା ଉଚିତ କିନ୍ତୁ ଆମେ ଆମର ଭାରତୀୟ ସାମ୍ରାଜ୍ୟକୁ ଏପରି କେଉଁ ସମ୍ବିଧାନ ଦେଇପାରିବା ଯାହା ନା ଅଦ୍ଭୁତ  ହେବ ,ନା  ଅସଙ୍ଗତ ହେବ? ଏହି ସାମ୍ରାଜ୍ୟ ନିଜେ ସମସ୍ତ ରାଜନୈତିକ ଅସଙ୍ଗତି ମଧ୍ୟରୁ ସବୁଠାରୁ ଅଦ୍ଭୁତ ଆଟଲାଣ୍ଟିକ ମହାସାଗରର ଗୋଟିଏ ଦ୍ଵୀପର କେତେଜଣ ଦୁଃସାହସୀ ଅଭିଯାତ୍ରୀ ସେମାନଙ୍କର ଜନ୍ମସ୍ଥାନ ଠାରୁ ପୃଥିବୀର ଅର୍ଦ୍ଧେକ ଦୂରତାରେ ଅବସ୍ଥିତ ଗୋଟିଏ ବିଶାଳ ଦେଶକୁ ଯେ ପରାଧୀନ କରିବେ ; ଏପରି ଏକ  ଦେଶ ଯିଏ ଖୁବ ବେଶୀ ସମୟ ପୂର୍ବେ ନୁହଁ , ଇଉରୋପୀୟ ଦେଶ ଗୁଡିକ ପାଇଁ କେବଳ ଗଳ୍ପର ବିଷୟ ଥିଲା; ଏକ ଦେଶ ଯାହାକୁ  ପଶ୍ଚିମା   ବିଜେତାମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ପ୍ରସିଦ୍ଧ ବିଜେତା ମଧ୍ୟ ଜୟ କରିପାରି ନଥିଲେ ; ଏକ ଦେଶ ଯେଉଁଠାରେ ଟ୍ରାଜାନ(Trajan) କେବେ ପ୍ରବେଶ କରିନଥାନ୍ତେ; ଏକ ଦେଶ ଯାହାର ଗୋଟିଏ ସୀମାପରେ ଆଲେକଜାଣ୍ଡାରଙ୍କ ସେନା ଆଗକୁ ଯିବାକୁ ଅସ୍ଵୀକାର କରିଥିଲେ ; ଆମଠାରୁ ଦଶହଜାର ମାଇଲ ଦୂରରେ ଥିବା ଗୋଟିଏ ଅଞ୍ଚଳକୁ ଶାସନ କରିବା , ଯେଉଁ ଅଞ୍ଚଳ ଫ୍ରାନ୍ସ, ସ୍ପେନ , ଇଟାଲୀ ଏବଂ ଜର୍ମାନୀକୁ ମିଶାଇ ହେଉଥିବା ଅଞ୍ଚଳ ଠାରୁ ବଡ ଏବଂ ଜନବହୁଳ , ଏକ ଏପରି ଅଞ୍ଚଳ ଯାହାର ବର୍ତ୍ତମାନ ସ୍ପଷ୍ଟ ରାଜସ୍ଵ (clear revenue), ଫ୍ରାନ୍ସ କୁ ଛାଡି, ପୃଥିବୀର ଯେ କୌଣସି ଦେଶର ସ୍ପଷ୍ଟ ରାଜସ୍ଵ ଠାରୁ ଯଥେଷ୍ଟ ଅଧିକ  ; ଏପରି ଏକ ଅଞ୍ଚଳ ଯେଉଁଠାରେ ବସବାସ କରୁଥିବା ଲୋକେ ବର୍ଣ୍ଣରେ, ଶରୀର ରଙ୍ଗରେ, ଭାଷାରେ, ଆଚରଣରେ , ନୈତିକତାରେ ତଥା ଧର୍ମରେ ଆମଠାରୁ ଭିନ୍ନ; ଏମାନେ  ଏପରି ବିଲକ୍ଷଣ ପ୍ରତିଭା(prodigies)ର ଉଦାହରଣ  ଯାହା ସଦୃଶ କିଛି  ଏହା ପୂର୍ବରୁ ବିଶ୍ଵ ଦେଖିନାହିଁ  ଯୁକ୍ତି ବିଭ୍ରାନ୍ତ ହୋଇଛି ଆମେ ଅଯଥା ଅତୀତକୁ ପ୍ରଶ୍ନ କରୁଛେ । ସାଧାରଣ ନିୟମ ଗୁଡିକ ଅକାମି ହୋଇଯାଏ ଯେତେବେଳେ ସମଗ୍ରଟା (the whole )ହୋଇଥାଏ ଏକ ବିଶାଳ ବ୍ୟତିକ୍ରମ । ଏହି  କମ୍ପାନୀ ଏକ ବିସଂଗତି(anomaly ) ଅଟେ ; କିନ୍ତୁ ଏହା ଏପରି ଗୋଟିଏ ବ୍ୟବସ୍ଥାର ଅଂଶ ଅଟେ  ଯେଉଁଠାରେ ପ୍ରତ୍ୟେକ ଜିନିଷ ହେଉଛି ବିସଂଗତି । ଏହା ସବୁ ସରକାରଙ୍କ ମଧ୍ୟରେ ଅଦ୍ଭୁତ ; କିନ୍ତୁ ଏହାର ପରିକଳ୍ପନା(design) କରା ହୋଇଛି ସବୁଠାରୁ ଅଦ୍ଭୁତ ସାମ୍ରାଜ୍ୟ ପାଇଁ ।

ଯଦି ଆମେ କମ୍ପାନୀକୁ ପ୍ରତ୍ୟାଖ୍ୟାନ କରୁ , ତାହାହେଲେ ଆମକୁ ଏହାର ଏକ ବିକଳ୍ପ ଖୋଜିବାକୁ ପଡିବ: ଏବଂ ଆମେ ଯେଉଁ  ବିକଳ୍ପ ନେବା ଓ ଏହାକୁ କମ୍ପାନୀ ସହିତ ତୁଳନା କରିବା,  ଆମେ ସେପରି କୌଣସି କାରଣ ପାଇବା ନାହିଁ   ବିଶ୍ଵାସ କରିବାକୁ ଯେ ଏହି ବିକଳ୍ପଟି  କମ୍ପାନୀ ଠାରୁ ଆହୁରି ଭଲଭାବରେ ତାର କର୍ତ୍ତବ୍ୟ ସମ୍ପାଦନ କରିବ  ରାଜାଙ୍କ ଇଛାରେ ଏକ ନିର୍ଦ୍ଦିଷ୍ଟ  ମିଆଦ ପାଇଁ  ନିଯୁକ୍ତ କମିଶନରଙ୍କର  ରାଜା(crown)ଙ୍କର କ୍ଷମତା ଉପରେ କୌଣସି କଟକଣା ରହି ନ ପାରେ ; ରାଜା ବା ସଂସଦ ଦ୍ଵାରା ସାରା ଜୀବନ ପାଇଁ ନିଯୁକ୍ତ କରାଯାଉଥିବା କମିଶନର ସବୁବେଳେ ସେହି ରାଜନୈତିକ ଦଳ ଦ୍ଵାରା ନିଯୁକ୍ତ କରାଯିବେ ଯିଏ ସେହି ସମୟରେ ସର୍ବୋଚ୍ଚ (କ୍ଷମତାରେ) ଥିବେ, ଏବଂ ଯଦି ପ୍ରଶାସନରେ ପରିବର୍ତ୍ତନ ହୁଏ, ସେମାନେ ବିରକ୍ତିକର ବିରୋଧୀ ଦଳ ସହ ମିଶି ନୂଆ ସରକାରକୁ ହଇରାଣ କରିବେ ।  Montgomeryshireର ମାନନୀୟ ସଦସ୍ୟ Mr Charles Wynn ଯେଉଁ ଯୋଜନାର ପରାମର୍ଶ ଦେଇଛନ୍ତି ତାହା, ମୋର ମନେହୁଏ, ଏଯାବତ୍ ଯାହା ମୁଁ ଶୁଣିଛି ତାହା ମଧ୍ୟରେ ସବୁଠାରୁ ଖରାପ । ତାଙ୍କ ଅନୁସାରେ ପ୍ରତି ଚାରି ବର୍ଷରେ ରାଜା(crown)ଙ୍କ ଦ୍ଵାରା ଡ଼ାଇରେକ୍ଟରମାନେ ମନୋନୀତ ହେବା ଉଚିତ । ଏହା କ’ଣ ସ୍ପଷ୍ଟ ନୁହେଁ ଯେ ଏହି ଡ଼ାଇରେକ୍ଟରମାନଙ୍କର ନିଯୁକ୍ତି ସବୁବେଳେ ସେହି  ସମୟର ମନ୍ତ୍ରୀମଣ୍ଡଳର ସମର୍ଥକମାନଙ୍କ ଭିତରୁ ହିଁ ହେବ; ସେମାନଙ୍କର ସ୍ଥିତି ସେହି ମନ୍ତ୍ରୀମଣ୍ଡଳର ସ୍ଥାୟିତ୍ଵ ଉପରେ ନିର୍ଭର କରିବ ; ତେଣୁ ସେମାନଙ୍କର କ୍ଷମତା ଓ ପୃଷ୍ଠପୋଷକତା ବ୍ୟବହାର ହେବ ସେହି ମନ୍ତ୍ରୀମଣ୍ଡଳକୁ ସମର୍ଥନ କରିବା ଉଦ୍ଦେଶ୍ୟରେ, ଏବଂ, ପରିବର୍ତ୍ତନ ସ୍ଥିତିରେ,    ଯେଉଁମାନେ କ୍ଷମତାକୁ ଆସିଥିବେ ସେମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ; ଅର୍ଥାତ୍ ସେମାନେ ଆଜ୍ଞାନୁବର୍ତ୍ତୀ ହେବେ ଯେତେବେଳେ ସେମାନଙ୍କର ବନ୍ଧୁମାନେ କ୍ଷମତାରେ ଥିବେ, ଏବଂ କଳହପ୍ରିୟ ହେବେ ଯେତେବେଳେ ସେମାନଙ୍କର ବନ୍ଧୁମାନେ କ୍ଷମତା ବାହାରେ ଥିବେ?  କେଉଁ  ସ୍ଥିତିରେ Lord Grey ଙ୍କର ମନ୍ତ୍ରୀମଣ୍ଡଳ ଥାଆନ୍ତା ଯଦି ସବୁ ଡ଼ାଇରେକ୍ଟର ୧୮୩୦ ରେ Duke of Wellingtonଙ୍କ ଦ୍ଵାରା ମନୋନୀତ ହୋଇଥାଆନ୍ତେ । ମୁଁ Duke of Wellingtonଙ୍କ ଉପରେ କୌଣସି ଦୋଷାରୋପ କରୁ  ନାହିଁ ।  ଯଦି ବର୍ତ୍ତମାନର ମନ୍ତ୍ରୀମାନଙ୍କୁ ଚାରି ବର୍ଷ ପାଇଁ ଡ଼ାଇରେକ୍ଟର ମନୋନୀତ କରିବାକୁ ପଡେ, ମୋର କୌଣସି ସନ୍ଦେହ ନାହିଁ ଯେ ସେମାନେ ଏଭଳି ବ୍ୟକ୍ତିମାନଙ୍କୁ ମନୋନୀତ କରିବେ ଯେଉଁମାନେ Duke of Wellingtonଙ୍କ ପାଇଁ  ସାମାନ୍ୟତମ ଅସୁବିଧା ସୃଷ୍ଟି କରିବେ ନାହିଁ, ଯେତେବେଳେ ସେ କ୍ଷମତାକୁ ଫେରିବେ  ।  ଆମେ ଚାହୁଁ ସରକାରଙ୍କ ଠାରୁ ସ୍ଵତନ୍ତ୍ର ଏକ ସଂସ୍ଥା , ଯାହା କେବଳ ସ୍ୱତନ୍ତ୍ର ହେବ ତାହାଠାରୁ ଅଧିକ କିଛି ନୁହେଁ; ନା କ୍ଷମତାସୀନଙ୍କର  ହତିଆର ହେବ ନା ବିପକ୍ଷର ହତିଆର ହେବ । କୌଣସି ପ୍ରସ୍ତାବିତ ନୂତନ ଯୋଜନାରେ , ଯାହା ମୁଁ ଶୁଣିଲି, ସେଥିରେ ଏପରି ସଂସ୍ଥାର ସମ୍ଭାବନା ଦେଖୁ  ନାହିଁ ।  କିନ୍ତୁ କମ୍ପାନୀ(Company),  ତାହାର ସମ୍ବିଧାନ ଯେତେ ଅଦ୍ଭୁତ ମନେ ହେଲେ ମଧ୍ୟ , ଏହା ଏପରି  ଏକ ସଂସ୍ଥା ।   ଏହା, ଏକ କର୍ପୋରେସନ ଭାବରେ ନା ଉଦାରପନ୍ଥୀ ରାଜନୈତିକ ଦଳର (Whig) ସମର୍ଥକ   ନା ରକ୍ଷଣଶୀଳ ରାଜନୈତିକ ଦଳର (Tory) ସମର୍ଥକ;  ନା ପୁରୋହିତଙ୍କ ପ୍ରାଧାନ୍ୟରେ ଥିବା ଗୀର୍ଜା ( high-church) ର ସଭ୍ୟ  ନା ପୁରୋହିତଙ୍କ ପ୍ରାଧାନ୍ୟକୁ  ନ ମାନୁଥିବା ଗୋଷ୍ଠୀର (low-church) ର ସଭ୍ୟ  । ଏପରି ଅଭିଯୋଗ ହୋଇପାରେ ନା ଯେ ଏହି କର୍ପୋରେସନ  କ୍ୟାଥଲିକ ବିଲ(Catholic Bill)ର ସପକ୍ଷରେ ରହିଛି  ବା ବିରୋଧରେ ରହିଛି, ସୁଧାର ବିଲ (Reform Bill) ସପକ୍ଷରେ ରହିଛି ବା ବିରୋଧରେ ରହିଛି । ଏହା ନିରନ୍ତର, ଇଂରାଜ ରାଜନୀତିକୁ ଦୃଷ୍ଟିରେ ରଖି ନୁହେଁ ବରଂ ଭାରତୀୟ ରାଜନୀତିକୁ ଦୃଷ୍ଟିରେ ରଖି, କାର୍ଯ୍ୟ କରିଛି । ଆମେ ଦେଶକୁ ଗୋଷ୍ଠୀ କନ୍ଦଳ ଦ୍ଵାରା ବିପର୍ଯ୍ୟସ୍ତ ହେବା ଦେଖିଛୁ । ଆମେ ଦେଖିଛୁ ଏହି ଗୃହ(ସଂସଦ) ଦ୍ଵାରା ମନ୍ତ୍ରୀମାନେ ସେମାନଙ୍କ ପଦବୀରୁ ପଦଚ୍ୟୁତ ହେବାର , କ୍ରୋଧରେ ସଂସଦକୁ ଭାଙ୍ଗି ଦିଆଯିବାର, ଅଭୂତପୂର୍ବ ଅଶାନ୍ତି ଭିତରେ ସାଧାରଣ ନିର୍ବାଚନ , ଅଭୂତପୂର୍ବ ଆଗ୍ରହର ସହ ବିତର୍କ । ଆମେ ଦେଖିଛୁ ବିଧାୟିକା(Legislature)ର ଦୁଇଟି ଶାଖା ସିଧା ସଳଖ ପରସ୍ପର ବିରୋଧରେ ଠିଆ ହେବାର । ଆମେ ଦେଖିଛୁ ରାଜା(Crown)ଙ୍କ ପରାମର୍ଶଦାତାଗଣ ଗୋଟିଏ ଦିନ ବରଖାସ୍ତ ହେଉଛନ୍ତି ଏବଂ  ତା ପର ଦିନ ଜନତାର କାନ୍ଧ ଉପରେ ସେମାନଙ୍କୁ ଔପାସ ଅଣା ଯାଇଛି । ହି ସମସ୍ତ ଉତ୍ତେଜନା ପୂର୍ଣ୍ଣ ଘଟଣା ମଧ୍ୟରେ ଏହି କମ୍ପାନୀ (Company) ଶକ୍ତ ଏବଂ ସନ୍ଦେହାତୀତ ନିରପେକ୍ଷତା ବଜାୟ ରଖିଛି   ଏହା, ମୋର ମନେ ହୁଏ, ଏକ ଅମୂଲ୍ୟ ସୁଯୋଗ, ଯାହାକୁ ଆମେ ସମ୍ପୂର୍ଣ୍ଣ ଭାବେ ହରାଇ ଦେବା , ଯଦି ଆମେ ଅନ୍ୟ କୌଣସି ଯୋଜନାକୁ ଗ୍ରହଣ କରୁ ଯାହାର ପ୍ରସ୍ତାବ  ଗୃହର ଅନ୍ୟ ପଟୁ ମୁଁ ଶୁଣୁଛି ।“

(Prof. Birendra Nayak is a widely respected educationist, columnist, poet and writer from Odisha. He is known for his well reserached articles on important national and state issues. His books are well appreciated by the readers. An Alumnus of Banaras Hindu University and IIT Kharagpur, Prof Nayak served the Utkal University as Professor of Mathematics for three decades.)

 

Comments

0 comments

Share This Article