କାମ୍ବିନାଜୁ – ଗୋଟେ ଗାଁର ନାଁ

2 Views
3 Min Read

ଓଡ଼ିଶାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର ମାଲିକାମୋଡ଼ି ପଞ୍ଚାୟତର ଏକ ମନୋରମ ଛୋଟ ଗାଁ ହେଉଛି କାମ୍ବିନାଜୁ। ପୂର୍ବେ ଏହି ଗାଁର ସମସ୍ତ ଘର ଚାଳଛପର ଥିଲା ଏବଂ ସେତେବେଳେ ଜଣକ ଘରେ ରୋଷେଇ କଲେ  ପ୍ରତ୍ୟେକଙ୍କ ଘର ଚାଳରୁ ଧୂଆଁ ବାହାରୁଥିବାର ଦେଖାଯାଉଥିଲା। କେଜାଣି କେମିତି ଗୋଟେଦିନ ନିଆଁର ଏକ କାଠକଣିକା ଉପରକୁ ଉଠିଯାଇ ଘରର ଚାଳରେ ପଡ଼ିବାରୁ ସମ୍ପୂର୍ଣ୍ଣ ଗାଁଟି ପୋଡ଼ିଯାଇ ଛାରଖାର ହୋଇଯାଇଥିଲା। କନ୍ଧମାଳର ନିଜସ୍ୱ କୁଇ ଭାଷାରେ ‘କାମ୍ବି’ ର ଅର୍ଥ ପୋଡ଼ିଯାଇଥିବା ଏବଂ ‘ନାଜୁ’ ର ଅର୍ଥ ଗ୍ରାମ ହୋଇଥିବାରୁ, ଏହି ଘଟଣାକୁ ଆଧାର କରି ଗାଁର ନାମ କାମ୍ବିନାଜୁ ଭାବେ ନାମକରଣ କରାଯାଇଛି ବୋଲି ଗାଁର ବୟସ୍କ ଲୋକ ଏଲୀୟସ ପ୍ରଧାନ ବୟସ 49 ଓ ପ୍ରଫୁଲ୍ଲ ପ୍ରଧାନ ବୟସ 74 ଙ୍କ ଠାରୁ ତଥ୍ୟ ସଂଗ୍ରହ କଲାବେଳେ ସେ ପ୍ରକାଶ କହିଛନ୍ତି ।

 

 ଅନୁମାନ କରାଯାଏ ଯେ ଆମ  ଗାଁଟି ୧୮୦୦ ମସିହା ପାଖାପାଖି ପ୍ରତିଷ୍ଠା ହୋଇଥିଲା ଏବଂ ଏହାର ପ୍ରଥମ ବାସିନ୍ଦା ଥିଲେ ଆଦିବାସୀ କନ୍ଧମାନେ।   ପ୍ରଥମେ ଗାଁରେ ମାତ୍ର ଚାରୋଟି ଘର ଏବଂ ଆଠରୁ ଦଶ ଜଣ ଲୋକସଂଖ୍ୟା ଥିଲା, ଯାହା ବର୍ତ୍ତମାନ ବଢ଼ି ଏକଚାଳିଶଟି ଘର ଏବଂ ଏକଶହ ଚାଳିଶ ଜଣ ଲୋକସଂଖ୍ୟାରେ ପହଞ୍ଚିଛି। ବର୍ତ୍ତମାନ ଏହି ଗ୍ରାମରେ ତେତିଶଟି ଆଦିବାସୀ ପରିବାର, ଆଠଟି ହରିଜନ ପରିବାର ଏବଂ ଦୁଇଟି ବୈଶ୍ୟ ପରିବାର ଆନନ୍ଦରେ ବସବାସ କରୁଛନ୍ତି। ପୂର୍ବେ ଗାଁ ଚାରିପଟେ ପ୍ରଚୁର ଜଙ୍ଗଲ, ପଣସ, ଖଜୁରା, ନଡ଼ିଆ, ଆମ୍ବ, ପିଜୁଳି ଓ ବିଶାଳ ସରଳ ଗଛ ରହିଥିଲା। ସମୟ ସହିତ ପ୍ରାକୃତିକ ପରିବେଶରେ ପରିବର୍ତ୍ତନ ଆସିଛି ଏବଂ ଚାଳଘରଗୁଡ଼ିକ ଲୋପ ପାଇଯାଇଥିବାବେଳେ ଘୁମୁରା ମହିଷି ଓ ଘରଚଟିଆଙ୍କ ସଂଖ୍ୟା ମଧ୍ୟ କମିଯାଇଛି।  

ଅତୀତରେ ଗାଁରେ ଇଟାଭାଟି କାମ, ଜଙ୍ଗଲରୁ ଚେର ଆଣି ତେଲ ବାହାର କରିବା ଏବଂ ଡିଙ୍କିରେ ଚାଉଳ କୁଟିବା ଭଳି କାମ କରାଯାଉଥିଲା। ପୂର୍ବେ ଧାନ, ମାଣ୍ଡିଆ, ଗହମ, ମକା ଓ ବିଭିନ୍ନ ପନିପରିବା ପାରମ୍ପରିକ ପଦ୍ଧତିରେ ଏବଂ ବର୍ଷାଜଳ ତଥା ଗୋବରଖତ ବ୍ୟବହାର କରି ଚାଷ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଟ୍ରାକ୍ଟର ଓ ପାୱାର ଟିଲର ସାହାଯ୍ୟରେ ହଳ କରାଯାଉଛି ଏବଂ ବଜାରରୁ କିଣା ବିହନ, ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରି ଚାଷ କରାଯାଉଛି। ପୂର୍ବକାଳରେ ମାଣ୍ଡିଆଜାଉ, ଭାତ, ଗହମଭାତ, ସାଗ, ଡାଲି ଏବଂ ଜଙ୍ଗଲ ଖାଦ୍ୟ ମୁଖ୍ୟ ଖାଦ୍ୟ ଥିଲା, ଯାହା ଅଧିକ ସ୍ୱାସ୍ଥ୍ୟକର ଥିଲା। ବର୍ତ୍ତମାନ ଧାନଚାଉଳ ସାଙ୍ଗକୁ ବଜାରର ମିଠା ଓ ପ୍ୟାକେଟ୍ ଖାଦ୍ୟର ବ୍ୟବହାର ବଢ଼ିଛି, ଏବଂ ରୋଷେଇ କ୍ଷେତ୍ରରେ ମାଟିଚୁଲା ବଦଳରେ ଗ୍ୟାସ୍ ଚୁଲା, ପ୍ରେସର କୁକର୍ ଓ ଆଧୁନିକ ପ୍ରଣାଳୀର ବ୍ୟବହାର ଆସିଯାଇଛି।  

ଗାଁର ଲୋକମାନେ ସରଳ ଭାବରେ ଭଗବାନଙ୍କୁ ବିଶ୍ୱାସ କରନ୍ତି ଏବଂ ସମସ୍ତ ଧର୍ମପ୍ରତି ସମ୍ମାନ ରଖନ୍ତି। ଗାଁ ପ୍ରତିଷ୍ଠା ପରେ କିଛି ବର୍ଷ ଭେତରେ ଏଠାରେ ଏକ ଚର୍ଚ୍ଚ ମଧ୍ୟ ସ୍ଥାପିତ ହୋଇଥିଲା। ଏଠାରେ ଦଶହରା, ଦୀପାବଳି, ମକର, ରଜ, ସାବିତ୍ରୀବ୍ରତ ଓ କ୍ରିଷ୍ଟମାସ ଭଳି ବିଭିନ୍ନ ପର୍ବପର୍ବାଣୀ ଖୁବ୍ ଆନନ୍ଦର ସହ ପାଳନ କରାଯାଏ। ପୂର୍ବପରି ପର୍ବପାଳନ ବହୁତ ସରଳ ଥିଲେ ମଧ୍ୟ ବର୍ତ୍ତମାନ ଆଲୋକସଜ୍ଜା ଓ ବଜାର ଜିନିଷର ବ୍ୟବହାର ବଢ଼ିଛି, ତଥାପି ଗାଁର ସାମାଜିକ ଏକତା ଏବେ ବି ଅକ୍ଷୁର୍ଣ୍ଣ ଅଛି।  

ଗାଁର ଉନ୍ନତିର ମୂଳ ଆଧାର ହେଉଛି ଶିକ୍ଷା। ବହୁବର୍ଷ ପୂର୍ବେ ଗ୍ରାମବାସୀଙ୍କ ଚେଷ୍ଟା ଓ ସରକାରୀ ସହଯୋଗରେ ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପ୍ରାରମ୍ଭରେ ମାଟିଘରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟଟି ପରେ ପକାଘରରେ ପରିଣତ ହୋଇଛି। ସଚେତନତା ବୃଦ୍ଧି ପାଇବାରୁ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ବଢ଼ିଛି, ମାତ୍ର କିଛି ପିଲା ଗରିବ ଓ ପାରିବାରିକ ସମସ୍ୟା ହେତୁ ଅଧାରୁ ପାଠ ଛାଡ଼ି ଚାଷକାମ, ମଜୁରୀ କିମ୍ବା ଛୋଟମୋଟ କାମରେ ଲାଗୁଛନ୍ତି। ଗାଁରେ ପର୍ଯ୍ୟାପ୍ତ କାମ ନଥିବାରୁ ଅନେକ ଯୁବକଯୁବତୀ ଭୁବନେଶ୍ୱର, ବ୍ରହ୍ମପୁର, କେରଳ ଓ ଚେନ୍ନାଇ ଭଳି ବଡ଼ ସହରକୁ ଯାଇ ଦିନମଜୁରୀ କରୁଛନ୍ତି, ଯାହାଫଳରେ ଆର୍ଥିକ ଅବସ୍ଥା କିଛି ମାତ୍ରାରେ ସୁଧୁରିଥିଲେ ମଧ୍ୟ ଗାଁର ସାମାଜିକ ଜୀବନ ଉପରେ କିଛିମାତ୍ରାରେ ପ୍ରଭାବ ପଡ଼ିଛି। ଏହିପରି ଭାବରେ, ଆଧୁନିକତାର ଛାୟା ଓ ପରିବର୍ତ୍ତନ ସତ୍ତ୍ୱେ କାମ୍ବିନାଜୁ ଗାଁଟି ନିଜର ପାରମ୍ପରିକ ସାମାଜିକ ଏକତା ଏବଂ ସରଳ ଜୀବନଯାତ୍ରାକୁ ବଜାଇ ରଖିଛି।  

 

ଉପସ୍ଥାପନା : ଶୁଭଙ୍କର ପ୍ରଧାନ
କଳିଙ୍ଗ ମହାବିଦ୍ୟାଳୟ, ଜି.ଉଦୟଗିରି, କନ୍ଧମାଳ, ଓଡିଶା

Total Views: 2

Comments

0 comments

Share This Article