ଉପସ୍ଥାପନା: ରାଜେଶ ଝାଙ୍କର
“ପାଞ୍ଚଟି ଗାଁ’ହେଉଛି ଭାରତୀୟ ମନସ୍ତତ୍ତ୍ୱରେ ଅନବଦ୍ୟ ପ୍ରଭାବ ଛାଡ଼ିଥିବା ପୌରାଣିକ ଧର୍ମଗ୍ରନ୍ଥ ମହାଭାରତର କାହାଣୀ । ଏହା କେବଳ ଏକ ପୁରାଣ କଥା ନୁହେଁ । ଏହା କ୍ଷମତା ସାମ୍ନାରେ ମଣିଷର ସର୍ବନିମ୍ନ ଅଧିକାରର ଏକ ଅନନ୍ତ ପ୍ରତୀକ । ଏହା ହେଉଛି ଶାସକର ଦାମ୍ଭିକତାଭରା ସ୍ୱାମୀତ୍ୱ, ଅହଙ୍କାର ଓ ଶାସିତର ସର୍ବନିମ୍ନ ଅସ୍ତିତ୍ୱବାଦୀ ଅପରିହାର୍ଯ୍ୟ ଅଧିକାର ମଧ୍ୟରେ ଥିବା ସଂଘର୍ଷର ନିଦର୍ଶନ । ଶ୍ରୀକୃଷ୍ଣଙ୍କ ପରାମର୍ଶକ୍ରମେ ପାଣ୍ଡବମାନେ ସମଗ୍ର ରାଜ୍ୟାଧିକାର ନୁହେଁ, ସମଗ୍ର ହସ୍ତିନାପୁର ନୁହେଁ, ଅସୀମ ସମ୍ପତ୍ତି ନୁହେଁ, କେବଳ ବଞ୍ଚିରହିବା ସକାଶେ ପାଞ୍ଚଟି ଗାଁ ହିଁ ମାଗୁଥିଲେ । ମାତ୍ର ଶାସକର ଅହଙ୍କାର ସେତକ ମଧ୍ୟ ଦେବାକୁ କୁଣ୍ଠାଗ୍ରସ୍ତ ଥିଲା । ଫଳତଃ ଏକ ବିଶାଳ ଧ୍ୱଂସର ମହାଦ୍ୱାର ଖୋଲିଗଲା । ଯୁଦ୍ଧକୁ ଏଡ଼ାଇବା ପାଇଁ ନ୍ୟୁନତମ ସମାଧାନର ପ୍ରସ୍ତାବ ଥିଲା ଏଇ ପାଞ୍ଚଟି ଗାଁ । ଯେତେବେଳେ କ୍ଷମତାକେନ୍ଦ୍ର ନ୍ୟାୟର ନ୍ୟୁନତମ ଦାବିକୁ ମଧ୍ୟ ଅସ୍ୱୀକାର କରେ, ସେତେବେଳେ ସଂଘର୍ଷର ମଞ୍ଜି ବପନ ହୋଇଯାଏ । ପ୍ରାରମ୍ଭରୁ ବିନମ୍ର ସ୍ୱୀକାରୋକ୍ତି ହେଲା ଯେ ଏଠାରେ କୌଣସି ଶାସକକୁ ଦୁର୍ଯ୍ୟଧନ ଭାବେ ଚିତ୍ରାଙ୍କିତ କରିବା ଏହି ସନ୍ଦର୍ଭର ଉଦ୍ଦେଶ୍ୟ ନୁହେଁ । ଆଲେଖ୍ୟଟି ରାଜତନ୍ତ୍ରର ସେଇ ଦାମ୍ଭିକ ପୃଷ୍ଠଭୂମିରୁ ଏବେକାର ନୈତିକ ଉତ୍ତରଦାୟିତ୍ୱ ମୁଣ୍ଡେଇଥିବା ଗଣତନ୍ତ୍ର ପର୍ଯ୍ୟନ୍ତ କ୍ରମବିକାଶରେ ହାସିଲ ହୋଇଥିବା କଣା ପଇସାଟିର ମୂଲ୍ୟାଙ୍କନ ।
ଭାରତ କେବଳ ଏକ ଭୂଖଣ୍ଡ ମାତ୍ର ନୁହେଁ । “ବସୁଧୈବ କୁଟୁମ୍ବକମ’, ଅହିଂସା ପରମୋଧର୍ମ’ ଭଳି ଆପ୍ତବାକ୍ୟ ଉଦଘୋଷଣା କରିଥିବା ତଥା ସହିଷ୍ଣୁତା, ସତ୍ୟ ଓ ସେବାର ମହାନ ଦର୍ଶନ ଓ ଚିନ୍ତନକୁ ଅଙ୍ଗୀକାର କରିଥିବା ଦେଶ ହେଉଛି ଭାରତ । ଏକ ସମୃଦ୍ଧ ସଭ୍ୟତାର ସୁଦୀର୍ଘ ପଥ ଅତିକ୍ରମ କରିସାରି ରାଜତନ୍ତ୍ରରୁ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ରୂପେ ପ୍ରତିଷ୍ଠିତ । କିନ୍ତୁ ପ୍ରଶ୍ନ ଉଠୁଛି ଯେ ଉଦ୍ଘୋଷିତ ଆଦର୍ଶ ଓ ପ୍ରଚଳିତ ବାସ୍ତବତା ମଧ୍ୟରେ ଥିବା ବିରାଟ ଖାଈ ।
ଭାରତ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଗଣରାଜ୍ୟ ବୋଲି ଆମେ ଗର୍ବ କରୁ । ବହୁ କଷ୍ଟାର୍ଜିତ ସମ୍ବିଧାନ ଦ୍ୱାରା ନାଗରିକଙ୍କୁ ସମାନତା, ସ୍ୱାଧୀନତା ଓ ମର୍ଯ୍ୟାଦାର ଅଧିକାର ପ୍ରଦତ୍ତ । ତଥାପି କଣ ପ୍ରକୃତରେ ପ୍ରତ୍ୟେକ ଭାରତୀୟ ନିଜ ମୌଳିକ ଅଧିକାର ଓ ମୌଳିକ ସୁବିଧା ପାଇବାରେ ସକ୍ଷମ ହୋଇଛି !! ଏପରି ପ୍ରଶ୍ନର ନିଷ୍ଠାପର ଉତ୍ତର ଆମକୁ ଭାରାକ୍ରାନ୍ତ କରେ। ସମ୍ପ୍ରତି ଦେଶରେ ଅଭୂତପୂର୍ବ ଛାତ୍ର (ଜେନ-ଜି) ଆନ୍ଦୋଳନ ଦେଖାଯାଇଛି । ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଦାବିରେ ଦେଶର ବିଭିନ୍ନ ସ୍ଥାନରେ ଉଠିଥିବା ପ୍ରତିବାଦ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ନିର୍ମମ ପ୍ରଶ୍ନ ଉଠାଏ ।
“ପାଞ୍ଚ ଗାଁ” ତେଣୁ କେବଳ ମହାଭାରତର ଏକ ଘଟଣା ନୁହେଁ । ଆଜିର ଗଣତାନ୍ତ୍ରିକ ଭାରତରେ ଜଣେ ସାଧାରଣ ନାଗରିକର ସର୍ବନିମ୍ନ ଆଶା ଓ ଆକାଂକ୍ଷାର “ପାଞ୍ଚ ଗାଁ” ହେଉଛି, ଭଲ ଶିକ୍ଷା, ସୁଲଭ ଚିକିତ୍ସା, ନିରାପଦ ପାନୀୟ ଜଳ, ନ୍ୟାୟସଙ୍ଗତ ସୁଯୋଗ ଏବଂ ନିରପେକ୍ଷ ପ୍ରଶାସନ । ଆଜିର ଭାରତୀୟ ନାଗରିକ ପାଞ୍ଚ ଗାଁ ଜାଗାରେ ମାତ୍ର ପାଞ୍ଚଟି ମୌଳିକ ଅଧିକାର ମାଗୁଛି । ଏତିକି ଦେବାକୁ ମଧ୍ୟ ଯଦି ଏକ ଗଣତାନ୍ତ୍ରିକ ରାଷ୍ଟ୍ରକୁ ନାଗରିକଙ୍କ ଦୀର୍ଘ ପ୍ରତିବାଦ, ସଂଘର୍ଷ ଓ ଅହେତୁକ ପ୍ରତୀକ୍ଷା କରିବାକୁ ପଡ଼େ, ସ୍ୱାଭାବିକ ପ୍ରଶ୍ନଉଠେ ଯେ ସତରେ କଣ ଆମେ ରାଜତନ୍ତ୍ରରୁ ଗଣତନ୍ତ୍ରକୁ ଆସିଛୁ ନା କେବଳ ରାଜାଙ୍କ ନାମ ବଦଳେଇଛୁ ?
ଏହି ପାଞ୍ଚଟି ଦାବି କ’ଣ ବହୁତ ଅଧିକ ? ଜଣେ ଛାତ୍ରର ପାଞ୍ଚ ଗାଁ ହେଉଛି ପରୀକ୍ଷା ସ୍ୱଚ୍ଛ ହେଉ, ପ୍ରଶ୍ନପତ୍ରର ସୁରକ୍ଷା ରହୁ, ମୂଲ୍ୟାୟନ ନିରପେକ୍ଷ ରହୁ, ଫଳ ପ୍ରକାଶରେ ପାରଦର୍ଶିତା ରହୁ ଓ ଯୋଗ୍ୟତା ଅନୁସାରେ ଭବିଷ୍ୟତ ନିର୍ଣ୍ଣୟ ହେଉ । ଚାଷୀର ପାଞ୍ଚ ଗାଁ ହେଊଛି, ପାଣି, ଉତ୍ପାଦନର ଉଚିତ୍ ମୂଲ୍ୟ, ବିହନ, ସାର ଓ କୀଟନାଶକର ସୁଲଭ ବଜାର, ସ୍ୱଳ୍ପ ସୁଧରେ ଋଣ ଓ ପ୍ରାକୃତିକ ବିପଦରେ ସୁରକ୍ଷା ମିଳୁ । ରୋଗୀର ପାଞ୍ଚ ଗାଁ ହେଉଛି, ଡାକ୍ତରଖାନାଟିଏ, ଜଣେ ଡାକ୍ତର, ଉପଯୁକ୍ତ ଚିକିତ୍ସା, ଔଷଧ ଓ ଦୂରାରୋଗ୍ୟରେ ସହାୟତା । ଏହା କ’ଣ ଏକ ଅନ୍ୟାୟ ଦାବି ? ଏହା ହେଉଛି ଗଣତନ୍ତ୍ରର ଅତ୍ୟନ୍ତ ମୌଳିକ ଦାବି । ଯଦି ହଜାର ହଜାର ଯୁବକ ଯୁବତୀଙ୍କୁ ଏକ ନିରପେକ୍ଷ ପରୀକ୍ଷା ବ୍ୟବସ୍ଥା ପାଇଁ ଦୀର୍ଘଦିନ ରାସ୍ତାକୁ ଆସିବାକୁ ପଡ଼େ, ଯଦି ତାଙ୍କ ଦାବି ଶୁଣିବା ପରିବର୍ତ୍ତେ ଶକ୍ତି ପ୍ରୟୋଗର ଅଭିଯୋଗ ଉଠେ, ଯଦି ଆନେ୍ଦାଳନକାରୀଙ୍କ ଗଣତାନ୍ତ୍ରିକ ଅଭିଯୋଗ ମଧ୍ୟ ଏଫ୍ଆଇଆର୍ ଓ ପୋଲିସ ପ୍ରତିକ୍ରିୟାର ଜଟିଳତାରେ ଅଟକିଯାଏ । ତେବେ ଆମକୁ ନିଜକୁ ଏକ ପ୍ରଶ୍ନ ପଚାରିବାକୁ ହେବ; ଗଣତନ୍ତ୍ର କେବଳ ଭୋଟ ଦେବାର ଅଧିକାର ନା, ଶାସକଙ୍କୁ ପ୍ରଶ୍ନ କରିବାର ଅଧିକାର ମଧ୍ୟ? ଆନ୍ଦୋଳନକାରୀଙ୍କ ଦାବି ଯଦି ଯୁକ୍ତିସଙ୍ଗତ, ତେବେ ତାହାର ଉତ୍ତର ଲାଠି ନୁହେଁ, ଆଲୋଚନା ହେବା ଉଚିତ । ଅଭିଯୋଗର ଉତ୍ତର ଶକ୍ତି ପ୍ରୟୋଗ ନୁହେଁ, ସ୍ୱଚ୍ଛ ତଦନ୍ତ ହେବା ଉଚିତ । ନାଗରିକଙ୍କ ପ୍ରଶ୍ନର ଉତ୍ତର ନିରବତା ନୁହେଁ ଉତ୍ତରଦାୟୀ ସମ୍ବାଦ ହେବା ଉଚିତ । ଏହା ହିଁ ଆମର ସବୁଠାରୁ ବଡ଼ ବିଡ଼ମ୍ବନା । ଯୁଗ ବଦଳିଛି । ରାଜତନ୍ତ୍ରରୁ ଗଣତନ୍ତ୍ର ଆସିଛି । ରାଜାଙ୍କ ସ୍ଥାନରେ ନିର୍ବାଚିତ ସରକାର ଆସିଛି । ପ୍ରଜାଙ୍କ ସ୍ଥାନରେ ନାଗରିକ ଆସିଛନ୍ତି । ହାତରେ ସମ୍ବିଧାନ ଅଛି । ଅଧିକାରର ଏକ ବିସ୍ତୃତ ତାଲିକା ଅଛି । କିନ୍ତୁ ଶାସକୀୟ ବ୍ୟବହାରକୁ ଦେଖିଲେ ଲାଗେ କେବଳ ରାଜା ବଦଳିଛି, ରାଜାର ମନୋଭାବ ବଦଳି ନାହିଁ ।
ଗଣତନ୍ତ୍ରରେ ଶାସକ ନାଗରିକଙ୍କ ମାଲିକ ନୁହେଁ । ସେ ହେଉଛନ୍ତି ଜନତାଙ୍କ ଦ୍ୱାରା ଦିଆଯାଇଥିବା ଏକ ଦାୟିତ୍ୱର ଧାରକ । ପଦପଦବୀ ଅଧିକାର ନୁହେଁ, ଦାୟିତ୍ୱ । କ୍ଷମତା ସ୍ୱାଧୀନତା ନୁହେଁ, ଉତ୍ତରଦାୟିତ୍ୱ । ଶାସନ ସ୍ୱାମୀତ୍ୱ ନୁହେଁ, ଜନସେବା । ଏହି ସରଳ ସତ୍ୟଟି ଭୁଲିଗଲେ ଗଣତନ୍ତ୍ର କେବଳ ଏକ ବାହ୍ୟ ଆବରଣ ହୋଇ ରହିଯାଏ, କିନ୍ତୁ ତାହାର ଆତ୍ମା ଦୁର୍ବଳ ହୋଇଯାଏ । ଆଜିର ମହାଭାରତ ଧନୁ-ବାଣରେ ହେବ ନାହିଁ । ଆଜିର ମହାଭାରତ ହୋଇପାରେ ଜଣେ ଛାତ୍ରର ନିରାଶାରେ । ହୋଇପାରେ ଜଣେ ବେକାର ଯୁବକର ବର୍ଷ ବର୍ଷର ଅପେକ୍ଷାରେ । ହୋଇପାରେ ଜଣେ ଗରିବ ପରିବାରର ଚିକିତ୍ସା ପାଇଁ ଅସହାୟ ଦୌଡ଼ରେ । ହୋଇପାରେ ସ୍ୱଚ୍ଛ ପାନୀୟଜଳ ପାଇଁ ଗ୍ରାମବାସୀଙ୍କ ଦୀର୍ଘ ପ୍ରତୀକ୍ଷାରେ । ହୋଇପାରେ ନ୍ୟାୟ ପାଇଁ ଜଣେ ସାଧାରଣ ନାଗରିକଙ୍କ ଅନନ୍ତ ଦୌଡ଼ରେ, ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି ପାଇଁ ମଣ୍ଡିରେ ଚାଷୀଙ୍କ ଲମ୍ବା ଧାଡ଼ିରେ । ଏଗୁଡ଼ିକ ଛୋଟ ଛୋଟ ଅସନ୍ତୋଷ ମନେ ହୋଇପାରେ । କିନ୍ତୁ ଇତିହାସ କହେ ବଡ଼ ବିସ୍ଫୋରଣ ପୂର୍ବରୁ ଅସନ୍ତୋଷ ସବୁବେଳେ ଛୋଟ ଛୋଟ ଅଭିଯୋଗ ଭାବେ ଜନ୍ମନିଏ । ସେଥିପାଇଁ ଶାସକଙ୍କ ପାଇଁ ସବୁଠାରୁ ବଡ଼ ବୁଦ୍ଧିମତା ହେଉଛି ଲୋକଙ୍କ ଅସନ୍ତୋଷ ବିସ୍ଫୋରଣ ହେବା ପୂର୍ବରୁ ତାହାର ସମୟବଦ୍ଧ ଶୁଣାଣୀ ଓ ସମାଧାନ ।
ପାଞ୍ଚ ଗାଁ ଦେବାର ଅର୍ଥ ପରାଜୟ ନୁହେଁ । ଦୁର୍ଯ୍ୟଧନଙ୍କ ଅହଂକାରର ମୂଳ ସମସ୍ୟା ଥିଲା ଯେ ନ୍ୟୂନତମ ଛାଡ଼ଦେବା ଅର୍ଥ ହେଉଛି ତାଙ୍କର ପରାଜୟ । କିନ୍ତୁ ପ୍ରକୃତ ନେତୃତ୍ୱ ତାହାର ବିପରୀତ । ଜଣେ ଶକ୍ତିଶାଳୀ ଶାସକ ନାଗରିକଙ୍କ ଯୁକ୍ତିସଙ୍ଗତ ଦାବି ମାନିଲେ ଦୁର୍ବଳ ହୁଅନ୍ତି ନାହିଁ, ବରଂ ତାଙ୍କର ଗଣତାନ୍ତ୍ରିକ ମର୍ଯ୍ୟାଦା ବଢ଼େ । ପରୀକ୍ଷାରେ ସ୍ୱଚ୍ଛତା ଦେବା ସରକାରର ଦାନ ନୁହେଁ । ଶିକ୍ଷା ଦେବା ଦୟା ନୁହେଁ । ଚିକିତ୍ସାର ସୁଯୋଗ ଦେବା ଅନୁଗ୍ରହ ନୁହେଁ । ପାନୀୟ ଜଳ ଦେବା ଉପକାର ନୁହେଁ । ନ୍ୟାୟସଙ୍ଗତ ପ୍ରଶାସନ ଦେବା କୌଣସି ରାଜନୈତିକ କୃପା ନୁହେଁ । ଏଗୁଡ଼ିକ ନାଗରିକଙ୍କ ଅଧିକାର ଓ ରାଜ୍ୟର ଦାୟିତ୍ୱ । ଆମକୁ ଆଉ ଏକ ମହାଭାରତ ନୁହେଁ, ଏକ ନୂଆ ଭାରତ ଦରକାର । ଆମକୁ ଦରକାର ନାହିଁ ଶାସକ ଓ ନାଗରିକଙ୍କ ମଧ୍ୟରେ ଅହଂକାର ଓ ଅସ୍ତିତ୍ୱର ଯୁଦ୍ଧ । ଆମକୁ ଦରକାର ଏମିତି ଏକ ଭାରତ, ଯେଉଁଠାରେ ନାଗରିକଙ୍କୁ ତାଙ୍କର ନ୍ୟୂନତମ ଅଧିକାର ପାଇଁ ରାସ୍ତାକୁ ଆସିବାକୁ ନ ପଡ଼ୁ । ଏମିତି ଏକ ଭାରତ, ଯେଉଁଠାରେ ଛାତ୍ର ନିଜ ଭବିଷ୍ୟତ ପାଇଁ ଆନ୍ଦୋଳନ କରିବା ପୂର୍ବରୁ ନ୍ୟାୟର ଦ୍ୱାର ଖୋଲା ରହୁ । ଏମିତି ଏକ ଭାରତ, ଯେଉଁଠାରେ ପୋଲିସର ଲାଠି ଠାରୁ ସମ୍ବିଧାନର ଭାଷା ଅଧିକ ଶକ୍ତିଶାଳୀ ହେଉ । ଏମିତି ଏକ ଭାରତ, ଯେଉଁଠାରେ ଶାସକ ଜନତାଙ୍କୁ ଭୟ କରିବେ ନାହିଁ, କିନ୍ତୁ ଜନତାଙ୍କ ପ୍ରଶ୍ନକୁ ସମ୍ମାନ କରିବେ । ଆଜି ପ୍ରଶ୍ନ ହେଉଛି ଶାସକମାନେ ପାଞ୍ଚ ଗାଁ ଦେବେ କି ନାହିଁ ? ଆଜିର ପାଞ୍ଚ ଗାଁ ହେଉଛି ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ନ୍ୟାୟ ଓ ସମାନ ସୁଯୋଗ । ଏଗୁଡ଼ିକ ଦେବାକୁ ଯଦି ରାଜ୍ୟ ପ୍ରସ୍ତୁତ ନୁହେଁ, ତେବେ ସମସ୍ୟା କେବଳ ଶାସନର ନୁହେଁ, ସମସ୍ୟା ଗଣତନ୍ତ୍ରର ଆତ୍ମାର । ମହାଭାରତ ଆମକୁ ଗୋଟିଏ ଶିକ୍ଷା ଦେଇଯାଇଛି, ଅହଂକାର ଯେତେବେଳେ ନ୍ୟାୟର ନ୍ୟୁନତମ ଦାବିକୁ ମଧ୍ୟ ଅସ୍ୱୀକାର କରେ, ସଂଘର୍ଷ ଅନିବାର୍ଯ୍ୟ ହୋଇଯାଏ । ଆଜି ଆମ ପାଖରେ ଏକ ସୁଯୋଗ ଅଛି । ଆମେ ମହାଭାରତକୁ ପୁଣିଥରେ ଘଟିବାକୁ ଦେବୁନାହିଁ । ଶିକ୍ଷା, ସମ୍ବିଧାନ ଓ ସମ୍ବେଦନଶୀଳତାରେ ଭରପୁର ଏକ ଏମିତି ଭାରତ ଗଢ଼ିବୁ, ଯେଉଁଠାରେ “ପାଞ୍ଚ ଗାଁ” ମାଗିବାକୁ କାହାକୁ ଯୁଦ୍ଧର ଦ୍ୱାର ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ ? ଏଇ ଇପ୍ସିତ ରାଷ୍ଟ୍ର ନିର୍ମାଣର ଉତ୍ତରଦାୟିତ୍ୱ ଆମର ଶାସକମାନଙ୍କ ହାତରେ ଯେତିକି, ସେତିକି ଆମ ସମାଜ ଓ ସଚେତନ ନାଗରିକଙ୍କ ହାତରେ ।
ପାଞ୍ଚ ଗାଁ ଦେବାରେ ଯଦି ଯୁଦ୍ଧ ଟଳିପାରେ, ତେବେ ପାଞ୍ଚଟି ମୌଳିକ ଅଧିକାର ସୁନିଶ୍ଚିତ କରିବାରେ ଏକ ରାଷ୍ଟ୍ରର ଭବିଷ୍ୟତ ସୁରକ୍ଷିତ ହୋଇପାରେ । ଯୁଦ୍ଧ ନୁହେଁ ନ୍ୟାୟ ଦରକାର । ଅହଂକାର ନୁହେଁ ଉତ୍ତରଦାୟିତ୍ୱ ଦରକାର । ଅନୁଗ୍ରହ ନୁହେଁ ଅଧିକାର ଦରକାର । ଏବଂ ଆଉ ଏକ ମହାଭାରତ ନୁହେଁ ଏକ ଜୀବନ୍ତ ଗଣତାନ୍ତ୍ରିକ ଭାରତ ଦରକାର । ସାମଜିକ ନ୍ୟାୟ, ନିରପେକ୍ଷ ଶିକ୍ଷା, ସମୟୋପଯୋଗୀ ଚିକିତ୍ସା, ଉତ୍ତରଦାୟୀ ପ୍ରଶାସନ ଓ କାର୍ଯ୍ୟକ୍ଷମ ସମ୍ବିଧାନ; ଏପରି ପାଞ୍ଚଟି ଭରସା ଆବଶ୍ୟକ । ଯଦି ଏତିକି ବି ଦୁର୍ଲଭ ହୋଇଯାଏ, ତେବେ ପାଞ୍ଚ ଗାଁ ର କାହାଣୀ କେବଳ ମହାଭାରତରେ ସୀମିତ ନ ରହି ଆମ ସମୟର ଆଇନା ହୋଇଯାଏ, ଯାହାକି ଅବାଂଛିତ ।
Comments
0 comments

