୨୭ ଅକ୍ଟୋବର, ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା
ଭୁବନେଶ୍ୱର, ତା୩୦/୦୯: କର୍ପୋରେଟ୍ ସ୍ୱାର୍ଥରେ ଖଣିଜ ଦ୍ରବ୍ୟର ଅବିଚାରିତ ଲୁଣ୍ଠନ, ଖଣିଜ ସମ୍ପଦ ବିକାଶ ଓ ନିୟମାବଳୀ (MMDR) ଆଇନ୍ ର ସଂଶୋଧନ (୨୦୨୬) ଓ ଜଙ୍ଗଲ ଅଧିକାର ଆଇନରେ ଥିବା ଗ୍ରାମସଭାର ଅଧିକାରକୁ କେନ୍ଦ୍ର ସରକାରଙ୍କ ଅସ୍ୱୀକାର ବିରୋଧରେ ଖଣିଜ ସମ୍ପଦର ସୁରକ୍ଷା ପାଇଁ ଏକ ରାଜ୍ୟ ସ୍ତରୀୟ କନଭେନସନ୍ ଆଜି ଭୁବନେଶ୍ବର ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ହୋଇଯାଇଛି। ଏହି କନଭେନସନ୍ ରେ ରାଜ୍ୟର ସଚେତନ ନାଗରିକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ ଓ ଜନ ଆନ୍ଦୋଳନ ମାନଙ୍କର ନେତୃବୃନ୍ଦ ତଥା ପ୍ରତିନିଧି ମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବକ୍ତା ମାନେ ‘ବିକାଶ’ ନାମରେ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଦୋହନ ରାଜ୍ୟକୁ ଧୀରେ ଧୀରେ ସମ୍ବଳହୀନ କରିବା ସହିତ ବିସ୍ଥାପନ ଓ ଜୀବିକା ହରାଇବାର ଯନ୍ତ୍ରଣାକୁ କିପରି ତୀବ୍ରତର କରୁଛି, ତାହା ବର୍ଣ୍ଣନା କରିଥିଲେ। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ବକ୍ସାଇଟ୍ ଖଣିର ଲିଜ୍ ପ୍ରଦାନ ଓ ନିଲାମ ପ୍ରକ୍ରିୟା ଆରମ୍ଭ ହେବା ସମଗ୍ର ଦକ୍ଷିଣରୁ ପଶ୍ଚିମ ଓଡ଼ିଶା ପାଇଁ ଏକ ଗଭୀର ସଙ୍କଟର ସଙ୍କେତ ଦେଉଛି ବୋଲି ସେମାନେ କହିଥିଲେ। ଜଳ, ଜମି, ଜଙ୍ଗଲ, ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଜୀବନ ମରଣ ପଣ କରି ଲଢୁଥିବା ଲୋକଙ୍କ ପ୍ରତିବାଦକୁ ଅଣଦେଖା କରି ସେମାନଙ୍କ ଉପରେ କମ୍ପାନୀ ମାନଙ୍କ ସ୍ୱାର୍ଥରେ ସେମାନଙ୍କ ଉପରେ ଚାଲିଥିବା ପୋଲିସ୍ ଦମନଲୀଳା କୁ ସେମାନେ ନିନ୍ଦା କରିଥିଲେ। ରାୟଗଡ଼ା ଓ କଳାହାଣ୍ଡିର ତିଜିମାଳି (ସିଜିମାଳି)କୁ ବେଦାନ୍ତ ହାତରେ ଟେକି ଦିଆ ଯାଇଥିବା ବେଳେ ଆଦାନୀକୁ କୁଟ୍ରୁମାଳି ଖଣି ଦିଆଯିବା ପରେ ଏବେ ବେଦାନ୍ତର ସହଯୋଗୀ ‘ବାଲକୋ’ କୁ କର୍ଲାପାଟ ଖଣି ଉତ୍ତୋଳନ ପାଇଁ ଲିଜ୍ ଦିଆଯାଇଛି। ଦେଶର ୫୫ ପ୍ରତିଶତରୁ ଅଧିକ ବକ୍ସାଇଟ୍ ଆମ ରାଜ୍ୟର ପଶ୍ଚିମରୁ ଦକ୍ଷିଣାଞ୍ଚଳର ୫ଟି ଜିଲ୍ଲା – ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଗନ୍ଧମାର୍ଦ୍ଦନ, ନିୟମଗିରି, କର୍ଲାପାଟ, ଖଣ୍ଡୁଆଳମାଳି, ମାଞ୍ଜିମାଳି, ସିଜିମାଳି, କୁଟୁରୁମାଳି, ଶାଶୁ-ବୋହୂମାଳି, ବାଫିଲିମାଳି, କୋଡ଼ିଙ୍ଗାମାଳି, ନାଗେଶ୍ୱରୀ ପାହାଡ଼, ପଞ୍ଚପଟମାଳି ପର୍ବତ, କର୍ଣ୍ଣକୋଣ୍ଡା, ସେରୁବନ୍ଧ ଓ ଦେଓମାଳିରେ ଭରି ରହିଛି। ବର୍ତ୍ତମାନ ପଞ୍ଚପଟମାଳି, ବାଫିଲିମାଳି ଓ କୋଡ଼ିଙ୍ଗାମାଳିରେ ନାଲକୋ, ଓ.ଏମ୍.ସି. ଓ ଆଦିତ୍ୟ ବିର୍ଲା ଲିଜ୍ ପାଇ ଖଣି ଖନନ ଜାରି ରଖିଛନ୍ତି । ଏହାଦ୍ୱାରା କାଶୀପୁର, ଥୁଆମୂଳ ରାମପୁର ଅଞ୍ଚଳ ଓ କୋରାପୁଟ ଜିଲ୍ଲାର ଜଳ ଉତ୍ସ ସମେତ କୋଲାବ ନଦୀ, ସାବେରୀ ନଦୀ, ଝଞ୍ଜାବତୀ ନଦୀ, ନାଗାବଳୀ ନଦୀ, ହାତୀ ନଦୀ, ତେଲ ନଦୀ ସମେତ ଅନେକ ଉପନଦୀର ଜଳ ଉତ୍ସଗୁଡ଼ିକ ଶୁଖିଯିବ ଓ ପ୍ରଦୂଷିତ ହେବ। ବକ୍ସାଇଟ୍ ଖଣି ଉତ୍ତୋଳନ ଦ୍ୱାରା ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ଜଳଭଣ୍ଡାର ଉପରେ ଗୁରୁତର ପ୍ରଭାବ ପଡ଼ିବା ସହ ଅଞ୍ଚଳର ଚିରସ୍ରୋତା ଜଳଉତ୍ସ ଓ ନଦୀଗୁଡ଼ିକ ଶୁଖିଯିବାର ଆଶଙ୍କା ରହିଛି।ଏହାର ପରିଣାମରେ ଉର୍ବର ଓ ଜୀବନ୍ତ ଅଞ୍ଚଳଗୁଡ଼ିକ ଧୀରେ ଧୀରେ ଜଳ ସଙ୍କଟ ଓ ପରିବେଶୀୟ ବିପର୍ଯ୍ୟୟର ଶିକାର ହୋଇ ସମଗ୍ର ଓଡ଼ିଶା ମରୁଭୂମିରେ ପରିଣତ ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହା କେବଳ ପରିବେଶର ପ୍ରଶ୍ନ ନୁହେଁ; ଏହା ହଜାର ହଜାର ଲୋକଙ୍କ ଜୀବିକା, ଜଳ-ଜଙ୍ଗଲ-ଜମି ଉପରେ ନିର୍ଭରଶୀଳ ଜନଜାତି ସମୁଦାୟଙ୍କ ଅଧିକାର ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷା ସହ ଜଡ଼ିତ ଏକ ଗୁରୁତର ପ୍ରଶ୍ନ ବୋଲି ଆଲୋଚନାରେ ମତପ୍ରକାଶ ପାଇଛି।
ଗତ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟକୁ ଜଣାଇଛି ଯେ, ଜଙ୍ଗଲ ଅଧିକାର ଆଇନ, ୨୦୦୬ (FRA )ରେ ଅଣ-ଜଙ୍ଗଲ କାର୍ଯ୍ୟ ପାଇଁ ଜଙ୍ଗଲ ଜମିର ବ୍ୟବହାର/ହସ୍ତାନ୍ତର ସମ୍ପର୍କିତ ପ୍ରକଳ୍ପଗୁଡ଼ିକ ପାଇଁ ଗ୍ରାମସଭାର ସମ୍ମତି ଆବଶ୍ୟକ ବୋଲି କୌଣସି ବ୍ୟବସ୍ଥା ନାହିଁ ଏବଂ “ଏପରି ବିଷୟଗୁଡ଼ିକ” ତାହାର ଅଧିକାର କ୍ଷେତ୍ର ବାହାରେ ରହିଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଏହି ଆଦିବାସୀ ବିରୋଧୀ ମତ ଆଇନର ଏକ ଗୁରୁତର ଭୁଲ ବ୍ୟାଖ୍ୟା ଅଟେ ବୋଲି ଆଲୋଚନରେ ଉଦବେଗ ପ୍ରକାଶ ପାଇଛି। ୨୦୧୩ ମସିହା ଏପ୍ରିଲ ୧୩ ତାରିଖରେ ନିୟମଗିରିରେ ଖଣି ଖନନ ପାଇଁ ଗ୍ରାମସଭାର ସମ୍ମତି ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ଉଲଂଘନ କରି ବେଦାନ୍ତ କମ୍ପାନୀର ମାଲିକ ଅନିଲ୍ ଅଗ୍ରୱାଲଙ୍କ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା ଏବଂ ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍ ଙ୍କୁ ବିଭିନ୍ନ ମିଥ୍ୟା ମକଦ୍ଦମାରେ ଗିରଫ୍ କରି ଜନ ଆନ୍ଦୋଳନର ସ୍ୱରକୁ ଚପାଇ ଦେବାକୁ ସରକାର ଘୃଣ୍ୟ ଉଦ୍ୟମ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସେହିପରି ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ) ଆଇନ – ୧୯୫୭ କୁ ସଂଶୋଧନ କରି କେନ୍ଦ୍ର ସରକାର “ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟମାବଳୀ) ଆଇନ୍ ସଂଶୋଧନ (୨୦୨୬)କୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଯାହା ମାଧ୍ୟମରେ କେନ୍ଦ୍ରର ବିଜେପି ସରକାର ରାଜ୍ୟର ଟିକସ ଅଧିକାର ଛଡ଼ାଇ ନେବା ସହ ରାଜ୍ୟର ଖଣିଜ ଦ୍ରବ୍ୟ ଗଚ୍ଛିତ ଥିବା ଜମି ବା ଅଞ୍ଚଳକୁ ନିଜ ହାତକୁ ନେଇ ଯାଇଛନ୍ତି। ଏହା ସହ ଶିଳ୍ପପାଇଁ ଉଦ୍ଦିଷ୍ଟ ଖଣିଜ ଦ୍ରବ୍ୟକୁ କମ୍ପାନୀମାନଙ୍କୁ ବିଦେଶକୁ ଶତ ପ୍ରତିଶତ ରପ୍ତାନି କରିବାକୁ ଅନୁମତି ଦେବା ଦ୍ୱାରା ଆଗାମୀ ଦିନରେ ଆମ ରାଜ୍ୟରେ ଖଣି ଲୁଟ୍ ବ୍ୟାପକ ହେବାକୁ ଯାଉଛି। ସେହି ଲୁଟ୍ ବେଳେ ଗ୍ରାମସଭା ଯେପରି ବାଧକ ନହେବ ସେଥିପାଇଁ ଜମି ଓ ଜଙ୍ଗଲ ହସ୍ତାନ୍ତର ପାଇଁ ଗ୍ରାମସଭାର ଅଧିକାର ନାହିଁ ବୋଲି କହି ଆଦିବାସୀ ମନ୍ତ୍ରଣାଳୟ ରାଷ୍ଟ୍ରୀୟ ଜଳବିଦ୍ୟୁତ କର୍ପୋରେସନ୍ (NHPC)କୁ ଚିଠି ଲେଖିବା ପଛରେ ଦେଶର ପ୍ରାକୃତିକ ସମ୍ବଳକୁ ବିକ୍ରୀକରିଦେବାର ଷଢଯନ୍ତ୍ର ନିହିତ ବୋଲି କନଭେନସନ୍ ରେ ମତାମତ ବ୍ୟକ୍ତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ବର୍ତ୍ତମାନ ହଜାର ହଜାର ଲୋକଙ୍କ ଜୀବିକା ଓ ଅଧିକାରର ସୁରକ୍ଷା, ରାଜ୍ୟବାସୀଙ୍କ ଖଣିଜ ସମ୍ପଦ ଉପରେ ଅଧିକାର ଓ ଖଣିଜ ସମ୍ପଦର ସୁରକ୍ଷା ପାଇଁ ସମସ୍ତଙ୍କୁ ସମ୍ମିଳିତ ହେବାକୁ ଏହି କନଭେନସନ୍ ରେ ଆହ୍ୱାନ ଦିଆଯାଇଛି।
ସର୍ବଶ୍ରୀ ଲିଙ୍ଗରାଜ, ନରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ବିନିତା କାଡ୍ରାକା ଓ ଲକ୍ଷ୍ମୀ ସିସା ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଏହି କନଭେନସନ୍ କୁ ପରିଚାଳନା କରିଥିବା ବେଳେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କନଭେନସନ୍ ରେ ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସଂପର୍କରେ କହିଥିଲେ।
ପ୍ରଥମ ଅଧିବେଶନରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସଂଜୀବ ହୋତା, ଅରବିନ୍ଦ ବେହେରା, ବରିଷ୍ଠ ସାମ୍ବାଦିକ ରବି ଦାସ, ଅଲ୍ ଇଣ୍ଡିଆ କୃଷକ କ୍ଷେତ ମଜଦୂର ସଂଗଠନର ନେତା ସଦାଶିବ ଦାସ, ଅଖିଳ ଭାରତ କ୍ରାନ୍ତିକାରୀ କିଷାନ ସଭାର ନେତା ଶଙ୍କର, ଅଖିଳ ଭାରତ କିଷାନ୍ ସଭାର ଯମେଶ୍ୱର ସାମନ୍ତରାୟ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ଅମିୟ ମହାନ୍ତି, ବିଜୟ ବହିଦାର, ଗୋଲଖ ବିହାରୀ ନାଥ, କପିଳେଶ୍ୱର ମିଶ୍ର, ଅଖିଳ ଭାରତ କ୍ଷେତ ମଜଦୂର କିଷାନ୍ ସଭାର ବାସୁଦେବ ଦାସ, ମିହିର ପ୍ରତାପ ଦାସ, ସୁରେନ୍ଦ୍ର ତପସୁ, ଛାତ୍ରନେତା ସଂଘମିତ୍ରା ଜେନା, ବସ୍ତି ସୁରକ୍ଷା ମଞ୍ଚର ହେନାରାଣୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ଅପରାହ୍ନ ଅଧିବେଶନରେ କୋରାପୁଟିଆ ଜନ ସୁରକ୍ଷା ମଞ୍ଚ ତଥା ମାଳି ପର୍ବତ ସୁରକ୍ଷା ସମିତିର ଦାସି ନନ୍ଦୀବାଲି, ସେରୁବନ୍ଧ ସୁରକ୍ଷା ସମିତିର ରବି, ମାଳି-ଡଙ୍ଗର ମହା ଗ୍ରାମସଭା ( ବାଲଦା)ର ବିଜୟ ମୁଦୁଲି, ନିୟମଗିରି ସୁରକ୍ଷା ସମିତିର ଦାସ୍ରୁ କାଡ୍ରାକା, କେଉଁଝର ଏସାର୍ ମିନମେଣ୍ଟ ବିରୋଧୀ ଆନ୍ଦୋଳନର ବିକାଶ ସାହୁ, ମା ମାଟି ମାଳି ସୁରକ୍ଷା ମଞ୍ଚର ସନ୍ୟାସୀ ନାୟକ, କର୍ଣ୍ଣକୋଣ୍ଡା (ନାରାୟଣ ପାଟଣା) ର ନାଚିକା ଲିଙ୍ଗା, ଗନ୍ଧମାର୍ଦନ ସୁରକ୍ଷା ସମିତିର ତ୍ରିଲୋଚନ ପୁଞ୍ଜି, ଗୋପାଳପୁର ଗଣ ସଂଗ୍ରାମ ସମିତି ର ନାରାୟଣ ରେଡ୍ଡୀ, ଭିଟାମାଟି ସୁରକ୍ଷା ଆନ୍ଦୋଳନର ଅରୁଣ ଜେନା, ଲେଲିନ୍ କୁମାର, ପ୍ରଶାନ୍ତ ପାଇକରାୟ, ଶ୍ରୀମନ୍ତ ମହାନ୍ତି ଓ ଦେବୀ ପ୍ରସାଦ ପୃଷ୍ଟି ପ୍ରମୁଖ ଜନ ଆନ୍ଦୋଳନ ଗୁଡିକୁ ଐକ୍ୟବଦ୍ଧ ତଥା ସଂଗଠିତ କରିବା ସଂପର୍କରେ ଆଲୋଚନା କରିଥିଲେ।
ଜନ ଆନ୍ଦୋଳନର ନେତାମାନେ ଯେକୌଣସି ମୂଲ୍ୟରେ ପ୍ରକୃତି, ପରିବେଶ, ଜୀବନ-ଜୀବିକାର ସୁରକ୍ଷା ପାଇଁ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଥିବା ବେଳେ ଆସନ୍ତା ଅକ୍ଟୋବର ୨୭ ତାରିଖରେ ଜନ ଆନ୍ଦୋଳନ ମାନଙ୍କୁ ସଂହତି ଜଣାଇ ସାରା ଓଡ଼ିଶାରେ ପ୍ରତିବାଦ ଦିବସ ପାଳନ କରାଯିବାକୁ କନଭେନସନ୍ ରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା। ସାଥୀ ରାଜକିଶୋର, ଉପେନ୍ଦ୍ର ଓ ବଳଭଦ୍ର ଜାଗରଣ ସଂଗୀତ ପରିବେଷଣ କରିଥିଲେ।
ପ୍ରସ୍ତୁତି: ନରେନ୍ଦ୍ର ମହାନ୍ତି,
ଫୋନ୍: ୯୪୩୭୪୨୬୬୪୭// ୭୦୦୮୪୮୩୬୨୨
Comments
0 comments

