ଭୁବନେଶ୍ୱର, ୨୯/୦୯: ନିୟମଗିରି ପର୍ବତମାଳାରେ ପୁଣିଥରେ ବକ୍ସାଇଟ୍ ଖଣି ଖନନ ଉଦ୍ୟମକୁ ବିରୋଧ କରିଛି ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (NAPM)। ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ NAPM ପକ୍ଷରୁ ନିୟମଗିରିକୁ ବେଦାନ୍ତ କମ୍ପାନୀ ହାତରେ ଦେବା ଉଦ୍ୟମ ନକରିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ କରାଯାଇଛି।
NAPM ଅଭିଯୋଗ କରିଛି ଯେ, ନିୟମଗିରିରେ ଖଣି ଖନନକୁ ସ୍ଥାନୀୟ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ଦୀର୍ଘଦିନ ଧରି ବିରୋଧ କରିଆସୁଛନ୍ତି। ୨୦୧୩ରେ ଗ୍ରାମସଭାଗୁଡ଼ିକ ଖଣି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା କଥା ସଂଗଠନ ପକ୍ଷରୁ କୁହାଯାଇଛି।
ସଂଗଠନର କହିବା ଅନୁସାରେ, ନିୟମଗିରି ଖଣି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଗ୍ରାମସଭାଗୁଡ଼ିକୁ ନିଷ୍ପତ୍ତି ନେବାର ଅଧିକାର ମିଳିଥିଲା। ଏହାପରେ ଅନେକ ଗ୍ରାମସଭା ଖଣି ଖନନ ପ୍ରସ୍ତାବକୁ ବିରୋଧ କରିଥିଲେ ବୋଲି NAPM କହିଛି।
ସାମ୍ବାଦିକ ସମ୍ମିଳନୀରେ ନିକଟରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକାଙ୍କ ଗିରଫ ଏବଂ ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦଙ୍କ ଜେଲ୍ରେ ରହିବା ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା। ଏହି ଘଟଣାଗୁଡ଼ିକୁ ନିୟମଗିରିକୁ ବେଦାନ୍ତକୁ ହସ୍ତାନ୍ତର କରିବାର ଏକ ଯୋଜନାର ଅଂଶ ବୋଲି NAPM ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି।
ସଂଗଠନ ପକ୍ଷରୁ ରାଜ୍ୟରେ ଖନନ ହୋଇନଥିବା ସମସ୍ତ ଖଣି ଲିଜ୍ ପ୍ରତ୍ୟାହାର କରିବା ସହ ଲାଞ୍ଜିଗଡ଼ର ଆଲୁମିନା ପ୍ଲାଣ୍ଟକୁ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି। ନିୟମଗିରି ସହ କର୍ଲାପାଟ, ସିଜିମାଳି, କୁଟ୍ରୁମାଳି ଓ ଶାଶୁ-ବୋହୂ ମାଳି ଭଳି ଅଞ୍ଚଳରେ ବକ୍ସାଇଟ୍ ଖଣି ଖନନକୁ ବିରୋଧ କରି ସ୍ଥାନୀୟ ଆଦିବାସୀମାନେ ଆନ୍ଦୋଳନ ଜାରି ରଖିଥିବା NAPM କହିଛି।
ସାମ୍ବାଦିକ ସମ୍ମିଳନୀରେ NAPMର ଜାତୀୟ ଉପଦେଷ୍ଟା ପ୍ରଫୁଲ୍ଲ ସାମନ୍ତରା ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ। ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ମଧ୍ୟ ଉପସ୍ଥିତ ଥିଲେ।
NAPM ଦାବି କରିଛି ଯେ, ଅନୁସୂଚିତ ଅଞ୍ଚଳର ପ୍ରାକୃତିକ ସମ୍ପଦ, ଜୈବ ବିବିଧତା ଓ ପରିବେଶ ସୁରକ୍ଷା ସହ ଆଦିବାସୀ ଓ କୃଷକମାନଙ୍କ ଜୀବିକାକୁ ସୁରକ୍ଷିତ ରଖାଯାଉ। ଏଥିସହ ରାଜ୍ୟରେ ଆଉ କୌଣସି ନୂଆ ବକ୍ସାଇଟ୍ ଖଣି ଖନନକୁ ଅନୁମତି ନଦେବାକୁ ସଂଗଠନ ଦାବି କରିଛି।
Report & Photo- Laxmidhar Murmu
Comments
0 comments

