ବୋହୂ ଚାଲି ନ ଜାଣଇ ଲୋ…

5 Min Read

ପାଠକେ ! ଆମର ଖଣି ଅଛି ଓ ସେଥିରେ ପ୍ରବଳ ଖଣିଜ ଅଛି । ତେଣୁ କୁହାଯାଏ ଯେ ପ୍ରକୃତି ଆମ ମାଟି ଗର୍ଭରେ ପ୍ରଚୁର ସମ୍ପଦ ରଖିଛି । ତା ସହିତ ଏହାକୁ ବୈଧ ଭାବରେ ଖୋଳି ବୈଧ ଭାବରେ ବିକି କିଛି ପଇସା ପାଇବା ଓ ଏହାକୁ ଅବୈଧ ଭାବରେ ଖୋଳି କିଛି କମ୍ପାନୀଙ୍କୁ ଲୁଚେଇକି ବିକ୍ରୀ କରି କଳା କଳା ପଇସାରେ ମାଲେମାଲ ହେବା ପାଇଁ ବି ଦଲାଲମାନେ ଅଛନ୍ତି । ଆମେ ଜାଣୁଛୁ ଯେ ଆମ ରାଜ୍ୟର ସବୁଠୁ ବେଶି ରାଜସ୍ୱ ଆସେ ଖଣି ଆଉ ଖଣିଜରୁ । କିନ୍ତୁ ବୈଧରେ ହେଉ କି ଅବୈଧରେ ହେଉ ଆମେ କେବେ ସେତିକି ମାଲ ପାଇ ନାହୁଁ, ଯେତିକି ଆମେ ପାଇବା କଥା । ତା’ର କାରଣଟି ହେଲା ସେଇ ଗୋଟିଏ- “ବୋହୂ ଚାଲି ନଜାଣଇ ଲୋ ପାଦ ପଡ଼ୁଥାଏ ବଙ୍କା ।” ଅର୍ଥାତ୍ ଆମେ ବା ଆମ ନେତା, ବାବୁମାନେ ହୁଏତ ଜାଣି ନାହାନ୍ତି ବା ସବୁ ଜାଣି ନ ଜାଣିବାର ମନୋଭାବ ପୋଷଣ କରୁଥିଲେ । ଆମେ ଧଳାରେ ହେଉ କି କଳାରେ ହେଉ ଆମ ଦ୍ରବ୍ୟର ମୂଲ୍ୟଟା ପ୍ରକୃତରେ କେତେ ଆମେ ଜାଣିନୁ । ଏହାକୁ କେଉଁଠି ବିକିଲେ କେତେ ମିଳିବ ସେକଥା ବୁଝିନୁ, ବୁଝିବାର ସୁଯୋଗ ପାଇନୁ । ସେକଥା ଯିଏ ଜାଣିଛନ୍ତି ସିଏ ହେଲେ କର୍ପୋରେଟ ବା କମ୍ପାନୀ । ଯାହାର କାରଖାନା ଅଛି । ସେମାନେ ଆମକୁ ଲୁଟୁଛନ୍ତି । ଆମ ଲୋକ କେବେ ଏ ସବୁଥିରେ ମୁଣ୍ଡ ପୁରାନ୍ତିନି । କାରଣ ରାଜ୍ୟର ଆର୍ଥିକ ଉନ୍ନତି ହେଉଛି କି ନହେଉଛି ସେକଥା କିଏ ଜାଣିଛି କି? ଅତି ବେଶି ହେଲେ ଆମେ ଆଶା କରୁ ଯେ ଆମ ନେତାମାନେ, ତାଙ୍କ ବାବୁମାନେ କଣ କରୁଛନ୍ତି ଓ କିଛି କରିବେ । ଯେଉଁଥିପାଇଁ ଯେତେବେଳେ କେନ୍ଦ୍ର ସରକାର ଏମଏମଡିଆର ଆକ୍ଟ ଆଣି ଆମ ସମ୍ପଦକୁ ତାଙ୍କ ହାତକୁ ନେଇ ଯାଇସାରିଲେଣି ସେତେବେଳେ ଆମ ନେତା କହୁଛନ୍ତି ଏଇ ଆକ୍ଟ ବା ଆଇନଟା ଲାଗୁ ହୋଇଗଲେ ଓଡ଼ିଶା ୯୦% ପଇସା ପାଇଯିବ । ବଂଶ ବୁଡ଼ିଲା ବେଳକୁ ଘୋଡାମୁହାଁ ଜନ୍ମ ହୁଅନ୍ତି ।
ଆମେ ଜମା ଜାଣିପାରିଲୁ ନାହିଁ ଯେ ଏହି ଆକ୍ଟର କେଉଁ ପୃଷ୍ଠାର କେଉଁ ଧାଡିରେ ଏଇଟା ଲେଖାହୋଇଛି । ଖୋଜିଖୋଜି ନୟାନ୍ତ ହୋଇଗଲୁଣି, କିନ୍ତୁ ପାଉନୁ । ସେମାନେ ବଡ଼ ଲୋକ, ତାଙ୍କା ବଡ଼ ଆଖି ତେଣୁ ସିଏ ଜାଣୁଛନ୍ତି ଆମେ ଜାଣିପାରୁନୁ ।
ପାଠକେ! ଆପଣ ଜାଣିଛନ୍ତି କି? ସାରା ଦେଶରେ (ଅବଶ୍ୟ ବିଶ୍ୱ କଥା ଆମେ ଜାଣିନୁ) ଯେତେ ଖଣିଜ ଦରକାର ହୁଏ ବା ଯେତିକି ଚାହିଦା ଅଛି ତାର ପାଖାପାଖି ୪୩.୭% ଖଣିଜ ଓଡ଼ିଶା ଯୋଗାଏ । ଆଉ ଆମ ଖଣିଜ ହେଉଛି ଗୁଣବତ୍ତାସମ୍ପନ୍ନ । ତେଣୁ ଚାହିଦା ବେଶି । ସିଏ ବୈଧରେ ହେଉ କି ଅବୈଧରେ; ଆମେ ଯଦି ଏତେ ଗୁଣବତ୍ତାସମ୍ପନ୍ନ ଖଣିଜ ଯୋଗାଉଛୁ ତେବେ ପଇସା କାହିଁ? ହୁଏତ ଆମ ସରକାରମାନେ ଅଳସୁଆ ଓ ଅଜ୍ଞ ଥିଲେ ଏବଂ ଅଛନ୍ତି- ତେଣୁ ଅଧିକ ପଇସା ଆଣି ପାରୁ ନାହାନ୍ତି । ଅବା ଏମିତି ହୋଇପାରେ ଯେ ଆମେ ତ ଶୁଣିଲୁ ଖଣିଜରୁ ଆମକୁ ବହୁତ ରାଜସ୍ୱ ମିଳୁଛି ତେଣୁ ଆମେ ଆଉ ଲାଗୁ ନାହୁଁ । ପାଠକେ! ଏ ଦୁଇଟା ଭିତରୁ ପ୍ରକୃତ କଥାଟି ହେଉଛି ଆମେ ଜାଣିଲେବି ଲାଗୁନୁ ଯେ ଆମକୁ ଅଧିକ ପଇସା ମିଳୁ । କି ଏଥିପାଇଁ ଆମକୁ ଦାବି କରିବା ଦରକାର । ସେଇଥିପାଇଁ ଆମେ ମନଖୁସିରେ ଏହି ଗୀତଟି ବୋଲିଲୁ ଯେ ବୋହୂ ଚାଲି ନ ଜାଣଇ ଲୋ ….. । ତେବେ ସରକାର ବା ସରକାରଙ୍କ ଜରିଆରେ ଓଡ଼ିଶାର ଲୋକେ ସିନା କିଛି ପାଉ ନଥିଲେ ହେଲେ ଏଥିରୁ ଆଉ କେହି କ’ଣ କିଛି ପାଉ ନଥିଲେ । ପାଉଥିବେ ନହେଲେ ଭୁବନେଶ୍ୱର ମାଟିରେ ଏତେ ବଡ଼ ବଡ଼ କୋଠା ଠିଆ ହେଉଛି କେମିତି, ରାସ୍ତାରେ ଏଡେ ଏଡେ ଲମ୍ବା ଗାଡି ଚାଲୁଛି କେମିତି, ଲୋକେ ନିଜର ହେଲିକାପ୍ଟର କିଣୁଛନ୍ତି କେମିତି? ହୁଏତ ସେଇ ରୋଜଗାରଟା କଳାରେ ହେଉଥିବ । ହେଲେ ଆଜ୍ଞା! ଏବେ କେନ୍ଦ୍ର ସରକାର ଯାହା କରିଦେଲା ଅର୍ଥାତ୍ ଏମଏମଡିଆର ଆକ୍ଟ ସେଥିରେ ଏହି ଦଲାଲ କେହି ଜାଣିଲେ ବି କିଛି କରି ପାରିବେନି । ଯାହା କରିବା କଥା କେନ୍ଦ୍ର ସରକାର ବିଶେଷ କରି କର୍ପୋରେଟମାନେ ଯେଉଁମାନେ ବର୍ତ୍ତମାନର କେନ୍ଦ୍ର ସରକାରର ବଡ଼ଭାଇ ସେମାନେ କରିବେ । ସେଇମାନେ ପାଇବେ ।
ଏହାକୁ ନେଇ ଦୁଇ ପ୍ରକାରର ଲୋକ ଦୁଇ ପ୍ରକାରର କଥା କହୁଛନ୍ତି । ଦଳେ ହେଲେ ସରକାରୀ ଲୋକ । ସେମାନେ ତାଙ୍କ କରପୋରେଟ ଭାଇମାନଙ୍କ ପାଇଁ କହୁଛନ୍ତି ଯେ ଏଇ ଆଇନଟା ଲାଗୁ ହୋଇଗଲେ ସବୁ ରାଜ୍ୟରେ ଖଣିଜର ଦାମ ସମାନ ହୋଇଯିବ । ଯାହାର ଅର୍ଥ ହେଲା ଧୂଆ ମୂଳା ଓ ଅଧୁଆ ମୂଳା ସବୁ ସମାନ ହୋଇଯିବ । ଆମ ଜିନିଷ ଭଲ, ସେଇଥିପାଇଁ ଆମର ଚାହିଦା ଅଧିକା । ତେଣୁ ଆମେ ଅଧିକ ପଇସା ପାଇବା କଥା ସେପରି ଆଉ କିଛି ଅଶା କରାଯିବ ନାହିଁ । ସାମଗ୍ରୀ ଯାହା ହେଉ ; ଦାମ ଗୋଟିଏ । ରାଜ୍ୟ ସରକାର ଏବେ ଡବଲ ଇଞ୍ଜିନ୍ । ମାଲିକକୁ ଦେଖିଲେ କୁକୁରଟି ଖାଲି ଦାଉଁ ଦାଉଁ କରି ଲାଞ୍ଜ ହଲାଇ ପକାଏ । ତେଣୁ ରାଜନୈତିକ ଦୃଷ୍ଟିରୁ କେନ୍ଦ୍ର ବିରୁଦ୍ଧରେ ବା ଏ ଆଇନ ବିରୁଦ୍ଧରେ ରାଜ୍ୟ କିଛି କରିବନି । ଲୋକ ତ ନିଦାବିଷ୍ଣୁ-ଅର୍ଥାତ୍ ଯାହା ଅଛି ତାହା ଥାଉ, ଇତି ବା ସାହୁ । ତେଣୁ ‘ବୋହୂ ଚାଲି ନ ଜାଣଇ ଲୋ ପାଦ କରୁଥାଏ ବଙ୍କା’ ଯାକେ ଗୀତଟି ଠିକ୍ ଅଛି ହେଲେ ଆଉ ଆଗକୁ ଯାଇ ଯେଉଁଦିନ ବୋହୂ ସଳଖି ଚାଲିବ, ଘରେ ପଡ଼ିଯିବ ଡକା– ସେକଥା ଯେ ପର୍ଯ୍ୟନ୍ତ ଏ ଆଇନ ଅଛି ସେ ପର୍ଯ୍ୟନ୍ତ ହୋଇ ପାରିବନି ।

Total Views: 2

Comments

0 comments

Share This Article