ଗତ ତିନି/ଚାରିବର୍ଷ ହେଲା ପୂର୍ବଘାଟ ପର୍ବତମାଳାରେ ଥିବା ବକ୍ସାଇଟ ମାଳିଗୁଡ଼ିକୁ ଗୋଟିଏ ପରେ ଗୋଟିଏ କମ୍ପାନୀ ହାତକୁ ଟେକି ଦିଆଯାଉଛି, ବିକାଶ ନାଁରେ । ସରକାରମାନଙ୍କର ନିଘା ରହୁନି ଯେ ସେଠି ମଣିଷ ବାସ କରୁଛନ୍ତି, ଯେଉଁମାନଙ୍କୁ ସରକାରୀ ନଥିପତ୍ରରେ କୁହାଯାଏ ‘ପଛୁଆ’ । କିନ୍ତୁ ସେହି ପଛୁଆମାନେ ସରକାରୀ ବିକାଶକୁ ଗ୍ରହଣ କରିବାକୁ ଏବଂ ମାଳି ଛାଡ଼ିବାକୁ ନାରାଜ । ବୁଝିହେଲା ଭଳି ଅତି ସରଳ ଭାଷାରେ କହୁଛନ୍ତି ମାଳି ତାଙ୍କର ଭଣ୍ଡାର ଘର, ତାଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ପ୍ରାଣପୀଠ । ସେମାନେ ମାଳି ଓ ତା’ର ପରିବେଷ୍ଟନୀକୁ ବଞ୍ଚେଇବା ପାଇଁ ଲଢ଼ୁଛନ୍ତି, ପୁଲିସର ଦମନ ସହୁଛନ୍ତି, ଗିରଫ ହେଉଛନ୍ତି ଓ ଜେଲ ଯାଉଛନ୍ତି । ମେ ୨ ତାରିଖରୁ ୪ତାରିଖ ପର୍ଯ୍ୟନ୍ତ ସେହି ମାଳି ମଣିଷଙ୍କ ରାଇଜ ବୁଲିବାର ଓ ସେମାନଙ୍କ ସହ ଆଳାପ ଆଲୋଚନାର ସୁଯୋଗ ମିଳିଲା । ଏଇଟି ସେହି ଆଖିଦେଖା ଓ କାନଶୁଣା କଥାର ବିବରଣୀଟିଏ ।
ମେ ୨, ୨୦୨୬ । ଶନିବାର । ଜୟପୁରରୁ ଆମେ ତିନି ବନ୍ଧୁ (ରବି, ଦେବ ଓ ନିଗମ) ଏକ ଚାରିଚକିଆ ଯାନରେ ବାହାରିଲୁ କୁଟ୍ରୁମାଳି ଅଭିମୁଖେ । ସାଙ୍ଗରେ ଥିଲେ ସେହି ଅଞ୍ଚଳର ଜଣେ ଯୁବକ, ଆମର ପଥପ୍ରଦର୍ଶକ । ଠିକ୍ ସକାଳ ୬ଟାରେ ବାହାରି ପଡ଼ିଲୁ । କାଳ ବୈଶାଖୀ ବର୍ଷାର ସୌଜନ୍ୟରୁ ପାଗ ବେଶ ଶୀତଳ । ବର୍ଷା-ଛୁଆଁ ଜଙ୍ଗଲ ବି ସବୁଜ ଛନଛନ । ଅବଶ୍ୟ ଅଳ୍ପ କିଛି ଅଞ୍ଚଳକୁ ଛାଡ଼ି ଦେଲେ ସେ କାଳର ଜଙ୍ଗଲ ଅବିଭକ୍ତ କୋରାପୁଟରେ ଆଉ ନାହିଁ । ଆମ ଯାନଟି କୋରାପୁଟ-ରାୟଗଡ଼ା ରାସ୍ତାରେ ପୋଡ଼ାଗଡ଼ଠାରେ ବାଟଭାଙ୍ଗି ଦଶମନ୍ତପୁର ରାସ୍ତା ଧରିଲା । ଜଙ୍ଗଲ ହ୍ରାସ ତଥା ବିକାଶର ଯାବତ୍ ଘନଘଟା ସତ୍ତ୍ୱେ ଆଖିରେ ପଡ଼ୁଥାଏ ତଥାପି ମରିନଥିବା ଝରଣା ସବୁ । କୋରାପୁଟିଆମାନେ କହନ୍ତି ଝୋଲା । ଝୋଲାର ଶଯ୍ୟାରେ ଖରାଦିନିଆ ଧାନର କୁନି କୁନି କିଆରୀ । ଏଇ ଝୋଲା ଚାଷ କୋରାପୁଟିଆ ଆଦିବାସୀ ଚାଷୀର ଏକ ଅଭିନବ ଉଦ୍ଭାବନ । ସମ୍ଭବତଃ, ସମତଳ ଜମିର ସ୍ୱଳ୍ପତାକୁ ପୂରଣ କରିବାପାଇଁ ହାର ମାନୁନଥିବା ମଣିଷମାନଙ୍କର ଇଏ ହେଉଛି କରାମତି ।
ଦଶଟା ବେଳକୁ ଆମେ ପହଞ୍ଚିଗଲୁ କଣ୍ଟାମାଳ । କଣ୍ଟାମାଳ – ରାୟଗଡ଼ା ଜିଲ୍ଲା, କାଶୀପୁର ବ୍ଲକ, ଶୁଙ୍ଗେର ପଞ୍ଚାୟତର ଏକ ଆଦିବାସୀ-ଦଳିତ ମିଶ୍ର ଗାଁ । ସିଜିମାଳିର ପାଦଦେଶରେ ଅବସ୍ଥିତ । ସାଧାରଣ ଭାବେ ଏକ ଅପରିଚିତ ଓ ଅପଚରା ଗାଁ । ହଠାତ୍ ଅପ୍ରେଲ ମାସର ଆଦ୍ୟଭାଗରୁ ଗାଁଟି ଓଡ଼ିଆ ଗଣମାଧ୍ୟମ କାହିଁକି, ଜାତୀୟ ଗଣମାଧ୍ୟମର ମଧ୍ୟ ଧ୍ୟାନ ଆକର୍ଷଣ କଲା । କାରଣଟି ଏହିପରି: ଅପ୍ରେଲ ୩ ତାରିଖ ଦିନ ରାୟଗଡ଼ା ଉପ-ଜିଲ୍ଲାପାଳ ମହୋଦୟ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା (ପୂର୍ବରୁ୧୪୪) ଜାରୀ କଲେ ଯେ ରାଜ୍ୟ ରାଜପଥ ୪୪ରୁ (ସାଗବାରି ଠାରୁ) ସିଜିମାଳି ଶିଖରକୁ ସଂଯୋଗ କରୁଥିବା ପ୍ରସ୍ତାବିତ ରାସ୍ତାର ୧୦୦ମିଟର ଦୂରତା ଭିତରେ ଚାରି ଜଣରୁ ଅଧିକ ଲୋକ ଏକତ୍ରିତ ହୋଇ ପାରିବେ ନାହିଁ । ଏହି ଆଦେଶଟି ୩ ଅପ୍ରେଲ ସନ୍ଧ୍ୟା ୬ରୁ ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଦେଶକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିଷେଧାଦେଶଟିକୁ ପୁଲିସ ଡାକବାଜି ଯନ୍ତ୍ରରେ ଗାଁ ଗାଁରେ ପ୍ରଚାର କଲା । ଡାକବାଜିରୁ ଛିଟିକି ପଡ଼ୁଥିବା ଏମନ୍ତ ଘୋଷଣାଟିକୁ ସିଜିମାଳିର ଲୋକେ କିଛି ସମୟ କାନତରାଟି ଶୁଣିଲେ । ଇଏ କେଉଁପ୍ରକାର ରାସ୍ତା ଯେ ତାକୁ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିଷେଧାଦେଶ ଜାରି କରିବାକୁ ପଡ଼ୁଛି?
ଏଇଠି ଟିକେ ଅଟକିଯାଇ ସିଜିମାଳିକୁ ଦେଖିବା ଓ ତା’ର ଲୋକମାନଙ୍କୁ ଜାଣିବା ।
ସିଜିମାଳି (ଲୋକେ କହନ୍ତି ତିଜମାଳି) ପୂର୍ବଘାଟ ପର୍ବତମାଳାର ପୂର୍ବ-କେନ୍ଦ୍ର ଅଞ୍ଚଳରେ ଅବସ୍ଥିତ । କଳାହାଣ୍ଡି ଜିଲ୍ଲାର ଥୁଆମୂଳ-ରାମପୁର ବ୍ଲକ ଓ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ମଧ୍ୟରେ ପରିବ୍ୟାପ୍ତ । ସମୁଦ୍ର ପତ୍ତନ ଠାରୁ ସିଜିମାଳିର ଶିଖର ଦେଶର ଉଚ୍ଚତା ୩୦୦୦ଫୁଟରୁ ଅଧିକ । ମାଳିର ଗର୍ଭରେ ରହିଛି ୩୧୧ମିଲିୟନ ଟନ୍ ବକ୍ସାଇଟ । ଏହାକୁ ଖୋଳିବା ପାଇଁ ରାଜ୍ୟ ସରକାର ବେଦାନ୍ତ କମ୍ପାନୀକୁ ଇଚ୍ଛାପତ୍ର ଦେଲେ ୨୦୨୩ ମାର୍ଚ୍ଚ ୧ତାରିଖରେ । ଖଣି ଖନନ ହେବ ପାଖାପାଖି ୩୮୭୨ଏକର ପରିମିତ ଜମିରେ । ଏହା ମଧ୍ୟରେ ରହିଛି ୩୨୦ ଏକର ପଟ୍ଟା ଜମି, ୧୮୦୭ ଏକର ତଥାକଥିତ ସରକାରୀ ଜମି ଓ ୧୭୫୦ ଏକର ଜଙ୍ଗଲ ଜମି । ଏହାଦ୍ୱାରା ସିଧାସଳଖ ପ୍ରଭାବିତ ହେବେ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ୧୦ଟି ଓ କାଶୀପୁର ବ୍ଲକ ଅନ୍ତର୍ଗତ ୮ଟି ରାଜସ୍ୱ ଗାଁ । କମ୍ପାନୀର ତଥ୍ୟ ଅନୁସାରେ ପ୍ରକଳ୍ପ ଦ୍ୱାରା ୫୦୦ ପରିବାର ପ୍ରଭାବିତ ହେବେ ଏବଂ ସେଥି ମଧ୍ୟରୁ ୧୦୦ଟି ପରିବାର ବିସ୍ଥାପିତ ହେବେ । ମାଳିପଦର ଓ ତିଜିମାଳି ଗାଁକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ । ଅବଶ୍ୟ ସ୍ଥାନୀୟ ଲୋକଙ୍କ ମତରେ ସିଜିମାଳିକୁ ଲାଗି ରହିଥିବା ଅତିକମ୍ରେ ୫୦ଖଣ୍ଡ ଗାଁ ଏହି ଖଣି ଖନନ ଦ୍ୱାରା ପ୍ରଭାବିତ ହେବେ ।
ଏହି ଗାଁମାନଙ୍କରେ ବାସ କରନ୍ତି ମୁଖ୍ୟତଃ ଆଦିବାସୀ ଓ ଦଳିତ । ଆଦିବାସୀମାନଙ୍କ ମଧ୍ୟରେ ଅଛନ୍ତି ବେଶୀ ଭାଗ କନ୍ଧ ଓ ପରଜା, ଦଳିତମାନଙ୍କ ମଧ୍ୟରେ ଡୋମ ସମୁଦାୟ । ଜନଗଣନା ୨୦୧୧ ଅନୁସାରେ ସମୁଦାୟ ଜନସଂଖ୍ୟାର ୭୦%ରୁ ଊର୍ଦ୍ଧ୍ୱ ଅନୁସୂଚିତ ଜନଜାତି ଓ ୨୦ରୁ ୨୨% ଅନୁସୂଚିତ ଜାତି । ଗାଁମାନଙ୍କରେ ଗୌଡ଼ ଓ କୁମ୍ଭାର ସମୁଦାୟର ଲୋକ ବି ଦେଖିବାକୁ ମିଳନ୍ତି । ପାହାଡ଼ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାରୁ ସମତଳ ଜମି ସ୍ୱଳ୍ପ । ଅଧିକାଂଶ ଲୋକଙ୍କର ମୁଖ୍ୟ ଜୀବିକା ହେଉଛି ଜଙ୍ଗଲ କୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ପଶୁପାଳନ । ପାହାଡ଼ର ଢାଲୁରେ ସେମାନେ ବର୍ଷାଦିନିଆ ମାଣ୍ଡିଆ, ମକା, ଝୁଡ଼ଙ୍ଗ, କଟିଂ, କୋଶଲା, ବିରି, ମସୁରୀ, କାଙ୍ଗୁ, କାନ୍ଦୁଲ ଓ ଅଲସୀ ଆଦି ଫଳାନ୍ତି । ଝରଣା ଓ ନଦୀ ପାଖ ଜମିରେ ବର୍ଷା ଦିନେ ଧାନ ଚାଷକରିବା ସହ ଶୀତଦିନେ ବାଇଗଣ, ବିଲାତି ବାଇଗଣ, ମଟର ଆଦି ପନିପରିବା ଚାଷ କରନ୍ତି । ଜଙ୍ଗଲରୁ ନାନାପ୍ରକାର ଛତୁ, ବାଉଁଶ କରଡ଼ି, ଚେରମୂଳି, ଜାଳେଣି କାଠ ଆଦି ସଂଗ୍ରହ କରନ୍ତି । ଯେଉଁ ସର୍ବସାଧାରଣ ସମ୍ପତ୍ତିକୁ ‘ସରକାରୀ ଜମି’ ବୋଲି ସରକାରୀ ନଥିରେ ଉଲ୍ଲେଖ କରାଯାଇଛି, ସେଥିରେ ବି ଅନେକ ପରିବାର ପିଢ଼ିପିଢ଼ି ଧରି ଚାଷ କରିବା ସହ ଗୋରୁଗାଈ, ମଇଁଷି, ଛେଳି ଚରେଇବା ପାଇଁ ବ୍ୟବହାର କରି ଆସୁଛନ୍ତି । ଏହା ଛଡ଼ା କିଛି ଲୋକ, ବିଶେଷ କରି ଦଳିତ ସମୁଦାୟର ଲୋକ, ଗାଁ ପାଖ ହାଟମାନଙ୍କରେ ଜିନିଷ କିଣାବିକା କରନ୍ତି, କେହି କେହି ନିଜର ଗ୍ୟାରେଜ ବା ଛୋଟମୋଟ ଦୁକାନ କରି ପେଟ ପୋଷନ୍ତି ।
ପ୍ରସ୍ତାବିତ ଖଣି ଅଞ୍ଚଳଟିର ଆଉ ଏକ ବିଶେଷତ୍ୱ ହେଉଛି ଏହାର ଜୈବ ବିବିଧତା । ଏହାର ୧୦କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ୨୧ଟି ସଂରକ୍ଷିତ ଜଙ୍ଗଲ ଅଛି । ଏକରୁ ଦୁଇ କିଲୋମିଟର ଦୂରତାରେ ରହିଛି ମେଲାଘର, ଶୁଙ୍ଗେର, କତିଭଟା ଓ ମୋହନଗିରି ସଂରକ୍ଷିତ ଜଙ୍ଗଲ । କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ଅନୁସାରେ ସିଜିମାଳି ବକ୍ସାଇଟ ଖଣି ଅଞ୍ଚଳ ସୀମାର ଉତ୍ତରକୁ ୧୨.୬ କିଲୋମିଟର ଦୂରତାରେ ରହିଛି କରଲାପାଟ ଅଭୟାରଣ୍ୟର ସୀମା ଏବଂ ଉତ୍ତର-ପୂର୍ବ ଦିଗରେ ୮.୯୫ କିଲୋମିଟର ଦୂରତାରେ ରହିଛି ଅଭୟାରଣ୍ୟର ପରିବେଶୀୟ ସମ୍ୱେଦନଶୀଳ କ୍ଷେତ୍ର (ଇକୋ ସେନ୍ସିଟିଭ୍ ଜୋନ୍) । ବକ୍ସାଇଟର ଉପସ୍ଥିତି ହେତୁ ମାଳିର ବିଭିନ୍ନ କୋଣରୁ ଝରଣା ଓ ନାଳ ସୃଷ୍ଟି ହୋଇ ନଦୀରେ ମିଶିଛି । ଉଦାହରଣସ୍ୱରୂପ, ଚିରସ୍ରୋତା ନାରଗୁଲ ନାଳ ସିଜିମାଳିର ଦକ୍ଷିଣ ପୂର୍ବ ଦିଗରେ ପ୍ରବାହିତ । ଏହା ବଡ଼ ନଦୀରେ ମିଶିଛି । ପୁଣି ସିଜିମାଳିର ଉତ୍ତର ଦିଗରେ ପ୍ରବାହିତ ବଡ଼ ନଦୀ ମିଶିଛି ନାଗାବଳୀରେ । ଅନ୍ୟାନ୍ୟ ଜଳସ୍ରୋତଗୁଡ଼ିକ ହେଉଛି ଚୌଲାଧୋବା ନାଳ, ନାରଗୁଲ ନାଳ, ବଡ଼ ନଦୀ, ପାନାମୁଣ୍ଡା ନାଳ, ଖଣ୍ଡିଆପାଣି ନାଳ, ଦଣ୍ଡାପାଟ ନାଳ, ନାଘଲୁ ନଦୀ, ଘୁଡ଼ଘୁଡ଼ନୂଆ ନଦୀ ଓ ସୁଜିଙ୍ଗବନ୍ଧା ନାଳ । ସଂରକ୍ଷିତ ଜଙ୍ଗଲ ଓ ଜଳାଶୟର ଉପସ୍ଥିତି ହେତୁ ଖଣି ଓ ତାହାର ଆଖପାଖ ଅଞ୍ଚଳ ବହୁ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଏକ ବାସସ୍ଥଳୀ । ଖଣି ପ୍ରକଳ୍ପର ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ସେ ଅଞ୍ଚଳରେ ୭୩ ପ୍ରକାର ଗଛ, ୨୧ ପ୍ରକାର ଘାସ, ୩୨ ପ୍ରକାର ଚେରମୂଳି ଓ ୨୮ପ୍ରକାର ଲତା ଅଛି । ସେହିପରି ଅଛନ୍ତି ୨୦ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୨୩ ପ୍ରକାର ସରୀସୃପ, ୧୧ପ୍ରକାର ଉଭୟଚର ଓ ୫୩ ପ୍ରକାର ପକ୍ଷୀ । ଏହି ଜୀବଜନ୍ତୁଙ୍କ ଭିତରୁ ୧୧ପ୍ରକାର ପ୍ରଜାତିର ସ୍ଥିତି ବିପଦପୂର୍ଣ୍ଣ ।
୨୦୨୩ ମାର୍ଚ୍ଚରେ ବେଦାନ୍ତକୁ ଇଚ୍ଛା ପତ୍ର ମିଳିବା ପରେ ସିଜିମାଳିରେ ‘ଖଣିଜ ସୁଖ’ ବିତରଣର ଅଭିଯାନ ଆରମ୍ଭ ହେଲା । ବେଦାନ୍ତ ଦ୍ୱାରା ନିୟୋଜିତ ଠିକାସଂସ୍ଥା ମୈତ୍ରୀ ଇନ୍ଫ୍ରାଟେକ୍ ଲିମିଟେଡର କର୍ମକର୍ତ୍ତାମାନେ ଗାଁ ଗାଁରେ ବୁଲିବାକୁ ଲାଗିଲେ । ଖଣି ଖନନ ହେଲେ ରୋଜଗାର, ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସବୁ ମିଳିବ ବୋଲି ଲୋକଙ୍କୁ ବୁଝେଇଲେ । ଅବଶ୍ୟ ସିଜିମାଳି ଅଞ୍ଚଳକୁ ବମ୍ୱେ ସହର ଭଳି କରିଦେବାକୁ ପ୍ରତିଶ୍ରୁତି ଦେଲେ ନାହିଁ । (ବେଦାନ୍ତର ଲାଞ୍ଜିଗଡ଼ ଆଲୁମିନା କାରଖାନା କଲାବେଳେ ତତ୍କାଳୀନ କଳାହାଣ୍ଡି ଜିଲ୍ଲାପାଳ ଶାଶ୍ୱତ ମିଶ୍ର କାରଖାନା ହେଲେ ଲାଞ୍ଜିଗଡ଼ ବମ୍ୱେ ସହର ପାଲଟିଯିବ ବୋଲି କହିଥିଲେ) । କମ୍ପାନୀ ଦ୍ୱାରା ପ୍ରଦତ୍ତ ବିବରଣୀରେ ଆହୁରି କୁହାଗଲା ଯେ ଖଣି ପ୍ରକଳ୍ପରେ ୯୭୨ କୋଟି ଟଙ୍କା ବିନିଯୋଗ କରାଯାଇ ବାର୍ଷିକ ୯ ନିୟୁତ ଟନ୍ ବକ୍ସାଇଟ ଉତ୍ତୋଳନ କରାଯିବ । ଖଣି କାର୍ଯ୍ୟକ୍ଷମ ହେଲେ ସେଥିରେ ମୋଟ ୩୭୪ ଜଣଙ୍କୁ (୨୭୭ ଜଣ ସ୍ଥାୟୀ ଓ ୯୭ଜଣ ଅସ୍ଥାୟୀ) ନିଯୁକ୍ତି ମିଳିବ । ଅବଶ୍ୟ ପରେ ନିଯୁକ୍ତି ସଂଖ୍ୟା ୬୦୦କୁ ବୃଦ୍ଧି ପାଇବ ବୋଲି ବିବରଣୀରେ ଉଲ୍ଲେଖ କରାଗଲା । ହେଲେ କେହି କହିଲେ ନାହିଁ ଯେ ନିଯୁକ୍ତିର ବେଶୀ ଭାଗ ଅତି-କୁଶଳୀ ଓ ପରିଚାଳନା ବର୍ଗର ରହିବେ । ସ୍ଥାନୀୟ ଲୋକେ ତା’ ପାଖ ପଶି ପାରିବେ ନାହିଁ । ଅତିବେଶିରେ କେହି କେହି ଦରୱାନ ବା ମାଳି ଚାକିରୀଟେ ପାଇବେ । ଏହା ମଧ୍ୟ କେହି କହିଲେ ନାହିଁ ଯେ ୩୧ବର୍ଷରେ ଯେବେ ଖଣି ସରିଯିବ, ତା’ପରେ ହେବ କ’ଣ? ପୁଞ୍ଜି ନିବେଶ, ନିଯୁକ୍ତି, ବିକାଶ ଭଳି ଉପରକୁ ଚକ୍ଚକ୍ ଦିଶୁଥିବା ଶବ୍ଦଗୁଡ଼ିକ ଖଣିର ଧୂଆଁଧୂଳିରେ ଉଡ଼ିଯାଇ କ’ଣ ଆଉ ଏକ ବକ୍ସାଇଟ ମାଳି ଦିହରେ ଲାଖିଯିବେ? ସେ ସବୁକୁ ପାକୁଳି କରୁଥିବା ନେତା, ମନ୍ତ୍ରୀ, ହାକିମଙ୍କଠାରୁ ଆରମ୍ଭ କରି ଗାଁର ଚେର-ଛିଣ୍ଡା କୁଜିନେତା ଓ ଠିକାଦାରମାନେ ତାଙ୍କ ଡେରା ସେଠାକୁ ଉଠେଇ ନେବେ?
ମାଟିଜ ମଣିଷମାନେ ଖଣିଜ ସୁଖର ଭୁଲାଣିରେ ଭଳି ନଯାଇ, ପ୍ରକଳ୍ପ ବିରୁଦ୍ଧରେ ପାଟି ଖୋଲିଲେ । ମୈତ୍ରୀ କମ୍ପାନୀର କର୍ମକର୍ତ୍ତାଙ୍କୁ ଗାଁରେ ପଶେଇ ଦେଲେ ନାହିଁ । ସିଜିମାଳି ଶିଖର ପ୍ରଦେଶକୁ କମ୍ପାନୀର ଅନୁପ୍ରବେଶକୁ ଅବରୋଧ କଲେ । ସିଜିମାଳିରୁ ଝରୁଥିବା ଝରଣାମାନଙ୍କ କୁଳୁକୁଳୁ ସ୍ୱରରୁ ପ୍ରତିବାଦ ଓ ପ୍ରତିରୋଧର ସ୍ୱର ଗୁଞ୍ଜରି ଉଠିଲା–“ଜାନ୍ ଯାଉ ଯାଉ ଜୀବନ ଯାଉ, ସିଜିମାଳି ବଞ୍ଚିଥାଉ: ସିଜିମାଳିକୁ ନାଇଁ କରି ଦେଉ ମରୁସ୍ଥାନ, ଗଲେ ପଛେ ଯାଉ ଜାନ୍” । ୨୦୨୩ ଅଗଷ୍ଟରେ ମୁହାଁମୁହିଁ ସଂଘାତର ବାତାବରଣ ସୃଷ୍ଟିହେଲା ଯେବେ ମାଳି ଉପରକୁ ଯିବାପାଇଁ ଉଦ୍ୟମ କରୁଥିବା ମୈତ୍ରୀ କମ୍ପାନୀର ଗାଡ଼ିକୁ ଅଟକେଇବା ପାଇଁ ସିଜିମାଳିର ଲୋକେ ରାସ୍ତା ଅବରୋଧ କରି ସରାମବାଇ ଛକରେ ବସିରହିଲେ । ଅବରୋଧକାରୀଙ୍କୁ ସାବାଡ଼ କରିବାପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୁଲିସ ପୂର୍ଣ୍ଣ ଶକ୍ତିରେ ବାହାରି ପଡ଼ିଲେ । ସେମାନଙ୍କ ଉପରେ ଲଦି ଦିଆଗଲା ମାଳ ମାଳ ଫୌଜଦାରୀ ମାମଲା । ଅଗଷ୍ଟ ୧୨ ତାରିଖରୁ ଗାଁରେ ଗାଁରେ ଚଢ଼ଉ କରି ପୁଲିସ ଲୋକଙ୍କୁ ଗିରଫ କଲା, ରାସ୍ତାରୁ ଉଠେଇ ନେଲା । ୨୨ ଜଣ ଜେଲରେ ରହିଲେ । ଏହା ପରେ ସିଜିମାଳିର ସ୍ଥିତି ଦ୍ରୁତ ଗତିରେ ବଦଳିବାକୁ ଲାଗିଲା । ଲୋକେ ପ୍ରତିବାଦକୁ ସଂଗଠିତ ରୂପ ଦେବାପାଇଁ ମା ମାଟି ମାଳି ସୁରକ୍ଷା ମଞ୍ଚ ଗଠନ କଲେ । ଖଣି ଖନନ ବାତିଲ କରିବା ପାଇଁ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ଅଧିକାରୀମାନଙ୍କୁ ହାରିଗୁହାରି କଲେ । ଜନଶୁଣାଣିରେ ଅଂଶଗ୍ରହଣ କଲେ ଓ ଗ୍ରାମସଭା ଆୟୋଜନ କରି ପ୍ରକଳ୍ପ ବିରୁଦ୍ଧରେ ନିଜର ମତ ଜାହିର କଲେ । ଗଣତାନ୍ତ୍ରିକ ବ୍ୟବସ୍ଥାର ଯାବତ୍ ଓଷାବ୍ରତ, ବିଧିବିଧାନମାନ ପାଳନ କଲେ । ଅନ୍ୟ ପକ୍ଷରେ, କମ୍ପାନୀ, ସରକାର ଓ ଜିଲ୍ଲା ପ୍ରଶାସନ ସେହି ସମାନ ବ୍ୟବସ୍ଥାକୁ ବ୍ୟବହାର କଲେ । ଔପଚାରିକତାଗୁଡ଼ିକୁ ପୂରଣ କଲେ । ଶେଷରେ, ରିପୋର୍ଟ ଲେଖାଗଲା ଯେ ଲୋକେ ପ୍ରକଳ୍ପ ସମର୍ଥନରେ ମତଦେଲେ । ତଥାପି ଲୋକଙ୍କର ପ୍ରତିରୋଧ ଜାରି ରହିଲା, ବାରବାର ଲୋକଙ୍କୁ ଜେଲ ଯିବାକୁ ପଡ଼ିଲା, ପୁଲିସର ଦମନ ସହିବାକୁ ହେଲା । ପ୍ରକଳ୍ପକୁ ଆଗେଇ ନେବା ପାଇଁ ସରକାର ଓ କମ୍ପାନୀ ମଧ୍ୟ ସବୁମତେ ଉଦ୍ୟମ ଜାରି ରଖିଲେ । ଗତ ତିନିବର୍ଷ ଧରି ଗଣଶକ୍ତି ତଥା କମ୍ପାନୀ ଓ ରାଷ୍ଟ୍ରର ମିଳିତ ଶକ୍ତି ମଧ୍ୟରେ ସେମିତି ଛକାପଞ୍ଝା ଚାଲିଛି । ଗତ ଅପ୍ରେଲ ୩ତାରିଖର ନିଷେଧାଦେଶ ଘୋଷଣା ଓ ଲୋକଙ୍କ ପ୍ରତିକ୍ରିୟା ତାହାର ଆଉ ଏକ ଉଦାହରଣ ମାତ୍ର ।
ଘୋଷଣା ପରେ ସିଜିମାଳିର ରାଜନୈତିକ ରସାୟନ ବଦଳିଗଲା । ଲୋକେ ଆଇନ ଅମାନ୍ୟ କରିବାପାଇଁ ନିଷ୍ପତ୍ତି କଲେ । କାହିଁକି ନା, ପ୍ରସ୍ତାବିତ ରାସ୍ତାଟି ନିର୍ମାଣ କରିବାର ଉଦେ୍ଦଶ୍ୟ ହେଉଛି ଯେ ବେଦାନ୍ତର ସିଜିମାଳି ବକ୍ସାଇଟ ଖଣିରୁ ମାଲ ପରିବହନକୁ ସୁବ୍ୟବସ୍ଥିତ କରିବା । ଏହି ବିରୋଧ ତିନିଦିନ ଧରି ଚାଲିଲା । ସେ ସମ୍ୱନ୍ଧରେ ମାଳି ସୁରକ୍ଷା ମଞ୍ଚର ସଭାପତି ସୁବାସ ସିଂ ମାଝୀ କହନ୍ତି,- ବିନା ଗ୍ରାମସଭାର ଅନୁମତିରେ ସେମାନେ ଜଙ୍ଗଲ ଜମିରେ ରାସ୍ତା କରିବାକୁ ଚାହୁଁଥିଲେ । ଆମେ ଜାଣିଛୁ ବେଦାନ୍ତ କମ୍ପାନୀ ପାଇଁ ୩ କିଲୋମିଟର ରାସ୍ତା ମାଳି ଉପରକୁ କରିବେ । ଆମେ ବିରୋଧ କଲୁ । ୬ ତାରିଖ ଦିନ କଲେକ୍ଟର ଆସିଲା । କହିଲା, ଏ ଜାଗା ତମର ନୁହେଁ, ବେଦାନ୍ତ କମ୍ପାନୀର । ତମର ଯଦି କହୁଛ, ପଟ୍ଟା ଦେଖାଅ । ଆମେ କହିଲୁ, ଆପଣ ଆଜ୍ଞା ପଟ୍ଟାଦେବା ଲୋକ । ଆପଣଙ୍କ ପାଖରେ ପଟ୍ଟା ଅଛି । ଆପଣ ଆମକୁ ଦିଅନ୍ତୁ । କଲେକ୍ଟର ରାଗିଗଲା । କହିଲା, ଆଜି ରାତିରେ ତମକୁ ଦେଖିନେବି । ସତକୁ ସତ ରାତି ୨ଟା ଅଧେ ୩ଟାରେ ପହଞ୍ଚିଲା । ଆନେ୍ଦାଳନର ମେରୁଦଣ୍ଡକୁ ଭାଙ୍ଗି ଦେବାପାଇଁ ଅପ୍ରେଲ ୭ତାରିଖ ଦିନ ରାତି ୩ଟାରେ ପୁଲିସ କଣ୍ଟାମାଳ ଗାଁକୁ ଅନ୍ଧାରି ବିଜେ କଲା । ଏହି ଅନ୍ଧାରି ବିଜେର ବର୍ଣ୍ଣନା ଦିଅନ୍ତି ଦୁଇ ବୟସ୍କା ମହିଳା କୁଇ ଭାଷାରେ । ଜଣକର ଡାହାଣ ହାତର ଆଙ୍ଗୁଠିରେ ଏବେ ବି ଫୁଲା ଦାଗ ଅଛି ଓ ଅନ୍ୟ ଜଣକର କପାଳରେ କ୍ଷତ ଚିହ୍ନ ଏବେ ବି ଦିଶୁଛି । ସେମାନଙ୍କର କଥାକୁ ଆମର ପଥ ପ୍ରଦର୍ଶକ ଆମକୁ ଓଡ଼ିଆରେ ବୁଝେଇଲେ । ସେମାନେ କହନ୍ତି, -ପୁଲିସବାଲା ରାତିରେ ଆସିଲେ । ୧୦ଟା ବସ, ୨୦ଟା ବୋଲେରୋ ଆଣିଥିଲେ । ସମସ୍ତେ ପୁଲିସ ପୋଷାକ ପିନ୍ଧିଥିଲେ । ମାଇକିନା ପୁଲିସ ବି ଥିଲେ । ବଣ୍ଡେଲ ଗାଁ ପାଖରେ ଗାଡ଼ି ରଖିଦେଲେ । ଆମ ଗାଁରୁ ଗୋଟେ କିଲୋମିଟର ଦୂର । ଚାଲିଚାଲି ଆସିଲେ । କରେଣ୍ଟ କାଟିଦେଲେ । ସେମାନେ ଆମର ତଳସାହି ପଟରୁ ଘରମାନଙ୍କରେ ଗେଡ଼ା ଲଗେଇ ଲଗେଇ ଆସିଲେ । ଗାଁ ଚାରିକାନି ଘେରି ପକେଇଲେ । ସେହି ସମୟରେ ଆମର ଜଣେ ବୋହୂଟେ ଅନ୍ଧାରରେ ବାହାରକୁ ବାହାରିଥିଲା । ସେ ଚୋର ଚୋର ପାଟି କରିଦେଲା । ଲୋକ ଉଠିଗଲେ । ପାଟି କଲେ । ଆମର ଘରମାନଙ୍କରେ ଦୁଇପଟ ମୁହଁ । ଗେଡ଼ା ନଲାଗିଥିବା ପଟେ ବାହାରିଲା ବେଳକୁ ଗୋଟେ ପୁଲିସ ମୋ ମୁଣ୍ଡରେ ବନ୍ଧୁକ ତଳ ପଟେ କୁଟି ଦେଲା । ମୁଣ୍ଡ ଫାଟିଗଲା । ଯିଏ ପାଟିକଲା ତା ମୁହଁରେ ପଟି ବାନ୍ଧିବାକୁ ଚେଷ୍ଟାକଲେ । ବେଶି ଲୋକ ଘରୁ ବାହାରିଲାରୁ ଫାଙ୍କା ଗୁଳି ମାରିଲେ, ଗ୍ୟାସ ଫାଇରିଂ କଲେ । ଲୋକେ ଏପଟ ସେପଟ ହେଇଗଲେ । କିଏ ଜଙ୍ଗଲକୁ ପଳେଇଲେ । ଏମିତି ସକାଳ ପର୍ଯ୍ୟନ୍ତ ଚାଲିଲା । ଆମେ ପୁଲିସକୁ କହିଲୁ, ଆମେ ତ ମାଳି ବଞ୍ଚେଇବା ଲାଗି ଲଢ଼ୁଛୁ, ତମେ ଆମକୁ କାହିଁକି ହଇରାଣ କରୁ । ଶାନ୍ତିରେ ରଖେଇ ଦଉନ । ଆମର ୫୦-୬୦ଜଣ ଲୋକ ଖଣ୍ଡିଆଖାବରା ହେଲେ । କେହି ଡାକ୍ତରଖାନା ଗଲେ ନାହିଁ, ଚେରମୂଳି କଲୁ । ଡାକ୍ତରକୁ ପୁଲିସ କହିଦେଲା ଯେ ଯିଏ କଣ୍ଟାମାଳରୁ ଆସିବ, ତାଙ୍କୁ ଔଷଧ ନଦେଇ ଆମକୁ ଖବର ଦେବ । ସେମିତି ରହିଲୁ ।
ସବୁକିଛି ଅନ୍ଧାରରେ ଘଟିଗଲା:
ମନେ ପଡ଼ୁଛି, ଚିଲିକାରେ ଦଳିତ ମତ୍ସ୍ୟଜୀବୀମାନଙ୍କ ଆନ୍ଦୋଳନକୁ ଦମନ କରିବାପାଇଁ ୧୯୯୯ ମସିହା ମେ ମାସରେ ପୁଲିସ ଅନ୍ଧାରି ବିଜେ କରିଥିଲା ସୋରଣ ଗାଁକୁ । ସେଦିନ ପୁଲିସ ଗୁଳିରେ ୫ଜଣ ମତ୍ସ୍ୟଜୀବୀ ସହିଦ ହୋଇଥିଲେ । ସେତେବେଳେ ଥିଲେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ । ଅତିକମ୍ରେ ସେ ନିରୀହତାରେ କହିଥିଲେ “ସବୁ କିଛି ଅନ୍ଧାରରେ ଘଟିଗଲା । ମତେ ବି ଅନ୍ଧାରରେ ରଖାଗଲା” । ଆଉ ଏବେ ବି ଓଡ଼ିଶାରେ ଅଛନ୍ତି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ । ଏ ଘଟଣାରେ କିନ୍ତୁ ତାଙ୍କ ପାଟିରେ ଶିକୁଳଭ । ପ୍ରଶ୍ନ ହେଉଛି, ପୁଲିସର ଏହି ଅନ୍ଧାରି ବିଜେ ବିଷୟରେ ସେ ଆଲୁଅରେ ଥିଲେ ନାଁ ଅନ୍ଧାରରେ?
୭ ତାରିଖର ପୁଲିସ ଆକ୍ରମଣ ସମ୍ୱନ୍ଧରେ ଧୀରେ ଧୀରେ ଖବର ଆସିବାକୁ ଲାଗିଲା । ଆନ୍ଦୋଳନକୁ ସମର୍ଥନ କରୁଥିବା ବ୍ୟକ୍ତି ଓ ଗୋଷ୍ଠୀମାନେ ଏହାର ପ୍ରତିବାଦ କଲେ । ବିଷୟର ଗମ୍ଭୀରତାକୁ ଉପଲବ୍ଧି କରି ହେଉ ବା ଶାସକ ଦଳକୁ ଅକଳିଆରେ ପକେଇବାକୁ ହେଉ, କଣ୍ଟାମାଳ ଗାଁକୁ ବାମପନ୍ଥୀ ଦଳମାନଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ପ୍ରତିନିଧିମାନଙ୍କର ଧାଡ଼ି ଲାଗିଲା । ଅଗତ୍ୟା, ଶାସକ ଦଳର ଏକ ପ୍ରତିନିଧି ମଣ୍ଡଳୀ ବି କଣ୍ଟାମାଳ ଗସ୍ତ କଲେ । ମାର୍କସବାଦୀ-ଲେନିନବାଦୀ ରାଜନୈତିକ ଦଳମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ଷୋଭ କଲେ । ଏସବୁର ବିବରଣୀ ଜାତୀୟ ଓ ରାଜ୍ୟସ୍ତରୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା । ସାମାଜିକ ଗଣମାଧ୍ୟମରେ ବି ଘଟଣାଟି ବେଶ୍ ପ୍ରଚାରିତ ହେଲା । ଅନାମଧ୍ୟେୟ ଅପରିଚିତ କଣ୍ଟାମାଳ ପାଲଟିଗଲା କର୍ପୋରେଟ ପୁଞ୍ଜି ବିରୁଦ୍ଧରେ ପ୍ରତିରୋଧର ପ୍ରତୀକ, ପାଲଟିଗଲା ବି କର୍ପୋରେଟ ସ୍ୱାର୍ଥରେ ରାଷ୍ଟ୍ର ଦମନର କ୍ରୁରତାର ଏକ ଅଲିଭା ଦାଗ ।
ଆମେ କଣ୍ଟାମାଳରେ ପହଞ୍ଚିଲା ପରେ ମଞ୍ଚର ଦୁଇ ଯୁବକର୍ମୀ ଲକ୍ଷ୍ମଣ ଓ କୁମେଶ୍ୱରଙ୍କ ସହ ଦେଖାହେଲା । ବିନା ସୂଚନାରେ ଆମର ଉପସ୍ଥିତି ସେମାନଙ୍କୁ ବିସ୍ମିତ କଲା, ଖୁସି ବି ଦେଲା । ଆମେ ଆସିବାର ଅଭିପ୍ରାୟ ଜଣେଇଲୁ ଯେ ଆଦାନୀ କମ୍ପାନୀକୁ କୁଟ୍ରୁମାଳି ଲିଜ ଦିଆଯାଇଛି ଏବଂ ମେ ୧୨ ଓ ୧୩ ତାରିଖରେ ଯଥାକ୍ରମେ ଥୁଆମୂଳ ରାମପୁର ଓ କାଶୀପୁରରେ ପରିବେଶ ମଞ୍ଜୁରୀ ନିମନ୍ତେ ଓଡ଼ିଶା ପ୍ରଦୂଷଣ ବୋର୍ଡÿଦ୍ୱାରା ଜନଶୁଣାଣି କରାଯିବ । ସେ ସମ୍ୱନ୍ଧରେ ଲୋକଙ୍କ ମତ ଜାଣିବାର ଅଛି । ସେମାନଙ୍କ ପରାମର୍ଶରେ କେରପାଇ ଯିବା ସ୍ଥିର ହେଲା । ସେମାନେ ବି ଆମ ସହ ବାହାରି ପଡ଼ିଲେ । ଆମ ଚାରିଚକିଆ ଯାନଟି ଉଠାପକା, ହଲି ଦୋହଲି ଏକ ଅଣଓସାରିଆ, ଅଙ୍କାବଙ୍କା କଚ୍ଚା ଗାଉଁଲି ସଡ଼କ ଦେଇ ଗତିକଲା । ଠାଏ ଠାଏ ଶୁଖି ଯାଇଥିବା ପାହାଡ଼ି ଝରଣା ବି ପାର ହେବାକୁ ହେଲା । ସତେ ଯେମିତି ଆମେ ଏକ ଗିରିସଂକଟ ଦେଇ ଯାଉଛୁ । ରାସ୍ତାର ଉଭୟ ପାଖରେ ସବୁକିଛି ସାବଜା ଛନଛନ, ଦୂରରୁ ପାହାଡ଼ଗୁଡ଼ା ଦିଶୁଥାଏ ନେଳିଆ । କେଉଁଠି କେଉଁଠି ଝୋଲା ଶଯ୍ୟାରେ ଖରାଟିଆ ଧାନ ପବନରେ ଦୋହଲୁଥାଏ । ଆମ ସ୍ଥାନୀୟ ବନ୍ଧୁ ହାତର ଇସାରାରେ ଚିହ୍ନେଇ ଦେଉଥାନ୍ତି ଏ କାନିରେ ତିଜିମାଳି, ସେ କାନିରେ କୁଟ୍ରୁମାଳି, ଏଇଠି ମାଜିଂମାଳି । ଯେଉଁଆଡ଼କୁ ଆଖି ବୁଲେଇବ ପାହାଡ଼ ହିଁ ପାହାଡ଼ । ନୂଆ ମଣିଷକୁ ଦିଗହରା ଲାଗିବ । ଶେଷରେ ଆମେ ପହଞ୍ଚିଲୁ କେରପାଇ । ସ୍ଥାନୀୟ ବନ୍ଧୁଙ୍କ ପରାମର୍ଶରେ ଆମେ କୁଟ୍ରୁମାଳି ତଳ ଗାଁ କାଚଲେଖାକୁ ଗଲୁ । ଏକ ଛାୟାପ୍ରଦ ବିଶାଳ ତେନ୍ତୁଳି ଗଛତଳେ ସ୍ଥାନୀୟ ଯୁବକମାନେ ଆମକୁ ଅପେକ୍ଷା କରିଥିଲେ । କମ୍ପାନୀଦ୍ୱାରା ପ୍ରସ୍ତୁତ ପରିବେଶ ପ୍ରଭାବ ଆକଳନ ରିପୋର୍ଟରୁ ମିଳିଥିବା ତଥ୍ୟ ସମ୍ୱନ୍ଧରେ ସେମାନଙ୍କୁ କହିଲୁ । ତାହା ଏହିପରି:- ଏହା ପୂର୍ବଘାଟ ପର୍ବତମାଳାର ଆଉ ଏକ ବକ୍ସାଇଟ ଗର୍ଭା ମାଳି । ସମୁଦ୍ର ପତ୍ତନ ଠାରୁ ୩୭୦୦ଫୁଟରୁ ଊର୍ଦ୍ଧ୍ୱରେ ଅବସ୍ଥିତ । ଆକଳନ ଅନୁସାରେ ସେଥିରେ ୧୨୭ନିୟୁତ ଟନ ବକ୍ସାଇଟ ଗଚ୍ଛିତ ଅଛି । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲାର କାଶୀପୁର ଓ କଲ୍ୟାଣସିଂପୁର ବ୍ଲକକୁ ବିସ୍ତାରିତ । ମାଳିର ଅଧିତ୍ୟକାଟିର ଆୟତନ ପାଖାପାଖି ୧୫୧୬ ଏକର । ଏଥିରେ ଗଚ୍ଛିତ ଥିବା ବକ୍ସାଇଟର ନିଲାମି ପ୍ରକ୍ରିୟା ୨୦୨୨ ନଭେମ୍ୱର ଆରମ୍ଭ ହେଲା । ୨୦୨୩ ଫେବୃୟାରୀରେ କଳିଙ୍ଗ ଆଲୁମିନା ଲିମିଟେଡ (ଆଦାନୀର ଏକ ଅଧସ୍ତନ କମ୍ପାନୀ)କୁ ଓଡ଼ିଶା ସରକାର ପସନ୍ଦଯୋଗ୍ୟ ନିଲାମଦାର (ପ୍ରେଫର୍ଡ ବିଡ) ଘୋଷଣା କରି ଇଚ୍ଛାପତ୍ର (ଲେଟର୍ ଅଫ ଇଣ୍ଟେଣ୍ଟ) ପ୍ରଦାନ କଲେ । ଖଣି ଖନନପାଇଁ ମୋଟ ୧୭୩୪ ଏକର ଜମି ଆବଶ୍ୟକ । ତା’ମଧ୍ୟରୁ ଜଙ୍ଗଲ ଜମିର ପରିମାଣ ହେଉଛି ୪୯୧ ଏକର । ସଂଯୋଗକାରୀ ରାସ୍ତା ନିର୍ମାଣ ପାଇଁ ବି ୨ଏକର ଜଙ୍ଗଲ ଜମିର ଆବଶ୍ୟକତା ରହିଛି । ଏହା ଛଡ଼ା ୧୮୧ ଏକର ଚାଷ ଜମି ଅଧିଗୃହିତ ହେବ । ଅବଶିଷ୍ଟ ପତିତ ଜମି (୧୦୪୬ ଏକର), ଗୋଚର ଓ ଘରବାଡ଼ି ଇତ୍ୟାଦି । ଉପରୋକ୍ତ ଜମି ଥୁଆମୂଳ ରାମପୁରର କେରପାଇ ପଞ୍ଚାୟତ (କୁଟ୍ରୁମାଳି, ମାଝିଗାଁ, ମେଲରଫା, ମୁରଲିମୁହିଁ, ପୋଡ଼ାପାଇ, ସଲାବାଲି, ତାଇ ଝୋଲା ଗାଁ), କାଶୀପୁର ବ୍ଲକର ମାଣ୍ଡିବିଶି ପଞ୍ଚାୟତ (ଆଲୁତୁଙ୍ଗା, ପାଡେଲଗୁଡ଼ା, ସପାଇ, ଲେଲିଙ୍ଗପଦର) ଓ କଲ୍ୟାଣସିଂହପୁରର କରପା ପଞ୍ଚାୟତ (ହେଚ୍କନା, ହୀରାସୁଲି, ସଦଲସ, ସିଂପଟା) ଅଧିନରେ ଆସୁଛି । ଖଣି ଖନନହେଲେ ୮୨ଟି ପରିବାରର ୨୦୦ଲୋକ ଉଚ୍ଛେଦ ହେବେ । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ଗାଁ (ଗୁଡ଼ିକ) ଉଚ୍ଛେଦ ହେବ, ତାହା ପ୍ରକଳ୍ପ ବିବରଣୀରେ ଉଲ୍ଲେଖ କରାଯାଇ ନାହିଁ । ଏତକ ଶୁଣିସାରିଲା ପରେ ମା ମାଟି ମାଳି ସୁରକ୍ଷା ମଞ୍ଚର ସମ୍ପାଦକ ତଥା କେରପାଇ ନିବାସୀ ଲକ୍ଷ୍ମଣ ମାଝି କହିବା ଆରମ୍ଭ କଲେ, କମ୍ପାନୀ ରିପୋର୍ଟରେ କଣ ଲେଖାଯାଇଛି ଆମେ ଜାଣିନୁ । ଏ ବିଷୟରେ ଆମକୁ ସରକାରୀ ଲୋକ କହିନାହାନ୍ତି କି କାଗଜପତ୍ର ଦେଇନାହାନ୍ତି । ଗ୍ରାମସଭା ବି କରାଯାଇନି । ମାଳି ଉପରର ଯୋଉଟା ପତିତ ଜମି ବୋଲି ଲେଖିଛନ୍ତି, ସେଟା ଆମ ମାଳି ଉପର, ଆଉ ତଳ ଗାଁମାନଙ୍କର ଜୀବନଜୀବିକା । ଆପଣ ତ ଦେଖୁଛନ୍ତି, ଆମ ଏରିଆରେ ବିଲ ଜମି କମ୍ । ବେଶୀ ଭାଗ ଜମି ନଥିବା ଲୋକ । ଧରନ୍ତୁ କେରପାଇ । ୬୦ ଘରରୁ ୨୦ ଘର ପାଖରେ ଖଣ୍ଡେ ଖଣ୍ଡେ ଜମି ଅଛି । କାଚଲେଖା ଗାଁରେ ୯୦ଘରରୁ ୧୦ଘର ପାଖରେ ଜମି ଅଛି । ଅତି ବେଶୀରେ ଲୋକଙ୍କ ପାଖରେ ଏକରଟେ ବା ଅଧ ଏକରଟେ ଜମି ଅଛି । ତେଣୁ ଆମଲୋକ ପୋଡ଼ୁଚାଷରେ ଚଳନ୍ତି । ବର୍ଷସାରା ପାହାଡ଼ରୁ କିଛି ନା କିଛି ସଂଗ୍ରହ କରନ୍ତି ଯଥା ମହୁଲ, ଶାଳମଞ୍ଜି, ଚାର, ଭାଲିଆ, କେନ୍ଦୁ । ଋତୁ ଅନୁସାରେ କନ୍ଦା, ଚେରମୂଳ, କରଡ଼ି, କାଠପତର ସବୁ । ଖାଲି ସିଆଳି ପତ୍ରରୁ ସପ୍ତାହକୁ ପରିବାର ପିଛା ୨୦୦୦ ଟଙ୍କା ରୋଜଗାର ହୁଏ । ଜଙ୍ଗଲ ଉପରେ ଉଭୟ ଆଦିବାସୀ ଓ ଦଳିତ ଲୋକ ଚଳନ୍ତି । ଆଉ ମାଳି ଉପର ଜମିରେ ବର୍ଷା ମାସରେ ମକା, କାନ୍ଦୁଲ, କଣ୍ଟି ଇତ୍ୟାଦି ଚାଷ କରନ୍ତି । କେବଳ ମାଳି ଉପରେ ଅଛି ୪ଖଣ୍ଡ ଗାଁ – କୁଟ୍ରୁମାଳି, ମିଲାଙ୍ଗବନ୍ଦ, ଲେଲିଂପଦର, ହେଚ୍କନା । ମାଳି ତଳର ପାଞ୍ଚଟା ପଞ୍ଚାୟତର ଲୋକ ଚାଷ କରିବାପାଇଁ ଉପରକୁ ଯାଅନ୍ତି । ଆମର ଥୁଆମୂଳ ରାମପୁର ବ୍ଲକ କେରପାଇ ଜିପିର କାଚଲେଖା, କେରପାଇ, ପୋଡ଼ାପାଇ, ରାଣୀବାଲି, ମେଲରଫା, ସାଲାବାଲି, ମାର୍ଦ୍ଦିଗୁଡ଼ା, ସର୍ଗିପଦର, ମାଝିଗାଁ, ବଣ୍ଡେଲ ସାହି, ସେରକାପାଇ, ମେଣ୍ଡାକୁଟା, ଶୁଙ୍ଗେରଗଡ ଆଉ ମୁରଲିମୁହିଁ ଗାଁ; ସିଲେଟ ଜିପିର ସରମାଣ୍ଡି, ଦାଣ୍ଡପଦର ଓ ରୁପେନ ଗାଁ । କାଶୀପୁର ବ୍ଲକ ମାଣ୍ଡିବିଶି ଜିପିର ଲେକାପାଇ, ପାଡେଲଗୁଡ଼ା, କୁଟିଗାଁ ଓ ବେରଲାଂ । କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର କଳମୁଇଁ, ସଦଲସ୍, ମୁତକୁଣି, ହିରସୁଲ, ଶୁଳିପଦର, ସିଙ୍ଗାମୁଇଁ, ସିଂପଟା, ପାଣ୍ଡ୍ରାପାଲା ଆଉ ନାରାୟଣପୁର ଜିପିର ତଳରମା ଗାଁ । ସେଟା ପତିତ ଲେଖି ଦେଲେ କିସ୍ ହେବ? ଆମେ ତ ତା’ଉପରେ ଚଳୁଛୁ । ଆଉହେଲା ମାଳିଉପରେ ଆମ ଅଞ୍ଚଳର ଗାଈ ଗୋରୁ, ପୋଢ଼, ମେଣ୍ଢା, ଛେଳି ସେଠି ଚରନ୍ତି । ଗାଈ ଗୋଡ଼ିଆମାନେ ତା ଉପରେ ଅଡ଼ାର (ଗୋଠ) କରି ମାସ ମାସ ରହନ୍ତି ।
ପୁଣି କଥା ଲମ୍ୱିଲା କୁଟ୍ରୁମାଳି ଅଞ୍ଚଳର ନଦୀନାଳ, ଝୋଲା, ଝରନକୁ ନେଇ । କମ୍ପାନୀ ରିପୋର୍ଟରେ କୁହାଯାଇଛି ଯେ କୁଟ୍ରୁମାଳିରୁ କୌଣସି ଝରଣା ବାହାରି ନାହିଁ । ଯଦିଓ ରାୟଗଡ଼ା ବନଖଣ୍ଡ ଓ କଳାହାଣ୍ଡି ବନଖଣ୍ଡ (ଦକ୍ଷିଣ) ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼େ ଯେ କୁଟ୍ରୁମାଳିର ଢାଲୁ ଅଞ୍ଚଳରୁ ୯ଟା ଝରଣା ବାହାରିଛି, ଯଥା ସୁନାଝରନ, ଲୁଡ୍ରିଝରନ, ଝିଲିଂଝରନ, ସୁନାପେଣ୍ଡି ଝରନ, ବାଲିଆଖାଲ ଝରନ, ବଣ୍ଡେଲମାଳି ଝରନ, ବାର୍ଥôଙ୍ଗଝୋଲା, ବୁକିଙ୍ଗାକୁଦ ଝରନ ଓ ବିକାପଙ୍ଗା ଝରନ । ଏବଂ କୁଟ୍ରୁମାଳିର ଶିଖର ଦେଶ ଏହି ଝରଣାମାନଙ୍କର ଅବବାହିକା ଅଟେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଖଣି ଖନନପାଇଁ ଦୈନିକ ୭,୨୦,୦୦୦ ଲିଟର ପାଣି ବ୍ୟବହାର ହେବ ଏବଂ ଖଣି ଅଞ୍ଚଳର ୨ କିଲୋମିଟର ଉତ୍ତରରେ ପ୍ରବାହିତ ନାରଗୁଲ ନାଳରେ ଇନ୍ଟେକ୍ ୱେଲ ଖୋଳାଯାଇ ତାହା ନିଆଯିବ । ଆମ କଥା ସରିଲା ପରେ ସେଠାରେ ଉପସ୍ଥିତ ଜଣେ ବୁଢ଼ାଲୋକ କୁଇରେ କଣ କହିଲେ ଆମେ ବୁଝିପାରିଲୁ ନାହିଁ । ଲକ୍ଷ୍ମଣ ମାଝି ତାଙ୍କ କଥାକୁ ବୁଝେଇବାକୁ ଯାଇ କହିଲେ, ଆମେ ଆଜ୍ଞା କେତେଟା ଝରଣା ଅଛି ଗଣିନୁ । କୁଟ୍ରୁମାଳିର ଚାରିକାନିରୁ ଝରଣା ବାହାରିଛି । ମାଳିର ମୁଣ୍ଡରୁ ବାହାରିଛି କି ପାଦରୁ ବାହାରିଛି, ସେଟା କଥା ନହେଁ । କଥା ହେଲା ମାଳି ଅଛି ବୋଲି ଝରଣା ବାହାରିଛି । ଆପଣ ଆମ ଅଞ୍ଚଳ ବୁଲି ଆସନ୍ତୁ, ଦେଖିବେ ଯେଉଁଠି ଗାଁ ଅଛି, ତା ପାଖରେ ଝରଣାଟେ ଅଛି । ଆମେ ଭାବୁ ଆମ ପୂର୍ବପୁରୁଷମାନେ ଗାଁ ବାନ୍ଧିଥିଲେ ଝରଣାକୁ ଦେଖି । ଆମେ ବସିଥିବା ଜାଗାରୁ ଯେଉଁ ନାଳଟି ଦିଶୁଛି, ଏବେ ଯେଉଁଠି ପୋଲ ହେଉଛି, ସେଇଟା ହେଉଛୁ ନାରଗୁଲ ନାଳ । ଏଟା ବାହାରିଛି ମାଝିଗାଁ ନିକଟରୁ । ସରଗିପଦର- ସାଲାବାଲି- ମାର୍ଦ୍ଦିଗୁଡ଼ା- ଅଡ଼ାକୁନ୍ଦା –ତୟଝୋଲା- ତାଡ଼ାଦେଇ- କେରପାଇ-କାଚଲେଖା- ବେଲାଂପଦର-ପିଣ୍ଡାପଦର- ରୁପେନ-ଟିକ୍ରାପଡ଼ା ହୋଇ ସେମିଖାଲ ନିକଟରେ ନାଗାବଳୀରେ ମିଶିଛି । ଏହି ନାଳ ଅଛି ବୋଲି ଏତେ ଖଣ୍ଡ ଗାଁର ଲୋକ ବଞ୍ଚିଛନ୍ତି । ସବୁକାମ ସେଥିରେ ହେଉଛି । ଆମର ନାଳପାଣିକୁ ବ୍ୟବହାର କରି ବର୍ଷକୁ ଦୁଇ ତିନିଟା ଫସଲ ହେଉଛି । ଉଭୟ ବର୍ଷା ଓ ଖରାମାସରେ ଧାନ ଚାଷ କରିବା ଠାରୁ ଶୀତ ଦିନରେ ପନିପରିବା, ଏପରିକି ସୂର୍ଯ୍ୟମୁଖୀ ପରି ଅର୍ଥକରୀ ଫସଲ ମଧ୍ୟ ହେଉଛି ।
ମାଳି ଖୋଳିଲେ ଝରଣା ମରିଯିବ – ଆମେ ବଞ୍ଚିବୁ କେମିତି?
ଆମେମାନେ ଏ ପ୍ରଶ୍ନର ଉତ୍ତର ନଦେଇ ପ୍ରକଳ୍ପ ରିପୋର୍ଟରେ ବିକାଶର ଯେଉଁ ଛବିଟି ଦିଆଯାଇଛି, ତାହା ଉଲ୍ଲେଖ କଲୁ । କମ୍ପାନୀ ଗଚ୍ଛିତ ଥିବା ବକ୍ସାଇଟକୁ ବାର୍ଷିକ ୪ନିୟୁତ ଟନ ହାରରେ ଉତ୍ତୋଳନ କରିବ ଏବଂ ଖଣି ୨୯ବର୍ଷ ପର୍ଯ୍ୟନ୍ତ ଚାଲିବ । ପ୍ରକଳ୍ପରେ ମୋଟ ୪୨୫ କୋଟି ଲଗାଣ ହେବ ଏବଂ ୨୪୬ଟି ସ୍ଥାୟୀ ନିଯୁକ୍ତି ସୃଷ୍ଟି ହେବ । ଯଦିଓ ବକ୍ସାଇଟକୁ ନେଇ କମ୍ପାନୀ କଣ କରିବ ତାହାର କିଛି ସଠିକ ବିବରଣୀ ନାହିଁ, ତଥାପି ଏକ ଆଲୁମିନା କାରଖାନା ସ୍ଥାପନ କରିବାର ଯୋଜନା ଅଛି । କାରଖାନାଟି ଖଣିଠାରୁ ପାଖାପାଖି ୨୦କିଲୋମିଟର ଦୂରରେ ସ୍ଥାପିତ ହେବ ଏବଂ ଖଣି ଖନନର ୩ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ରିପୋର୍ଟରେ ଖଣି ପ୍ରଭାବିତ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ଦୟନୀୟ ସ୍ଥିତି ବିଷୟରେ ଉଲ୍ଲେଖ କରାଯାଇ ଏହା ଇସାରା କରାଯାଇଛି ଯେ ଖଣି ଖନନହେଲେ ସେ ସବୁର ବିକାଶ ଘଟିବ । ବିକାଶ ପ୍ରସଙ୍ଗ ଆସିବାମାତ୍ରେ ଉପସ୍ଥିତ ପଢ଼ୁଆ ଯୁବକମାନେ ଯଥା ମିଥୁନ, ମନୋହର, କୁଲଦୀପ, ଯୋଗେଶ୍ୱର ବେଶ୍ ଉତ୍ତେଜିତ ହୋଇପଡ଼ିଲେ ଏବଂ ଜଣେ ପରେ ଜଣେ କହିବାକୁ ଲାଗିଲେ ।
ମନୋହର ଆରମ୍ଭ କଲେ, ‘ଆମେ ଜାଣୁ ଆମ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ସୁବିଧା ନାହିଁ । ହେଲେ ବିକାଶର କଥା ସେହି ବେଳେ ଉଠୁଛି, ଯେଉଁ ବେଳେ କୁଟ୍ରୁମାଳିରେ ଖଣି ଖୋଳିବା ପାଇଁ ପ୍ରୟାସ ହେଉଛି । ଖଣିଖୋଳା ସହ ଆମମାନଙ୍କର ବିକାଶକୁ କାହିଁକି ଯୋଡ଼ାଯାଉଛି? ଏ ସବୁର ସୁବିଧା କରିବା ସରକାରର କାମ । ଏତେବର୍ଷ ସ୍ୱାଧୀନତା ପରେ ବି ସରକାର କାହିଁକି କରୁନାହିଁ? ଆମେ ତ ୱାର୍ଡ ମେମ୍ୱର, ସରପଞ୍ଚ, ଏମଏଲଏ ବାଛୁଛୁ ଆମର କଥା ବୁଝିବା ପାଇଁ । ଆମେ ସେମାନଙ୍କୁ ଭୋଟ ଦେଇ ଆସନରେ ବସେଇଛୁ ଏସବୁ କରିବା ପାଇଁ । ଆମ ଲୋକ ସଚେତନ ହେଲେ, ଆମେ ସରକାର ପାଖରେ ଦାବି କରି ସେସବୁ ହାସଲ କରିପାରିବୁ । ବିକାଶ ନାଁରେ କେବଳ କୁଟ୍ରୁମାଳିକୁ ନେଇଯିବା ଲାଗି ଫନ୍ଦିଫିକର ଚାଲିଛି ।”
ଆମେ ମାଳି ଛାଡ଼ିବୁ ନାହିଁ :
କଥାର ଖିଅକୁ ଆଗକୁ ବଢ଼େଇବାକୁ ଯାଇ ଯୋଗେଶ୍ୱର ନିଯୁକ୍ତି ପ୍ରସଙ୍ଗରେ କହିଲେ, ‘କମ୍ପାନୀ କେତେଟା ଚାକିରିଦେବ ବୋଲି ଆପଣମାନେ ତ କହିଲେ, କମ୍ପାନୀ ରିପୋର୍ଟରେ ଲେଖିଦେଇଛି । ସେଠି ଆମଲୋକଙ୍କୁ କି ଚାକିରୀ ମିଳିବ । ଆମ ଏଇ ପାଖରେ ଟିକିରିରେ ଯେଉଁ କାରଖାନା ହେଇଛି, ସ୍ଥାନୀୟ ଲୋକଙ୍କୁ କଣ ମିଳିଛି? ମାଳିର ଚାରିକାନିରେ ହଜାର ହଜାର ଲୋକ ଅଛନ୍ତି । ମାଳି ଅଛି ବୋଲି ଆମେ ବଞ୍ଚିଛୁ । କମ୍ପାନୀ ସବୁ ଲୋକଙ୍କୁ ଚାକିରି ଦେବ କି, ଯଦି ଦେବ କେତେ ଦିନ ଦେବ? ଖଣି ସରିଗଲେ ଚାକିରୀ ଦେବ କି? ପିଢ଼ି ପିଢ଼ି ଧରି ଚାକିରୀ ମିଳିବ କି? କୁଟ୍ରୁମାଳି ନେବା ଲାଗି ଚାକିରୀ, ନିଯୁକ୍ତି କଥା କୁହାଯାଉଛି । ଖଣି କାମ ଆରମ୍ଭ ହୋଇଗଲେ କେହି ପଚାରିବେ ନାହିଁ । ସେତେବେଳେ ପାହାଡ଼ ନଥିବ, ଝରଣା ମରିଯାଇଥିବ, ଅଞ୍ଚଳଟା ମରୁଭୂମି ହୋଇଯାଇଥିବ । ପାଣି ଟିକେ ବି ମିଳିବନି । ମାଳି ବଞ୍ଚିଲେ ଆମେ ବଞ୍ଚିବା । ହଜାର ହଜାର ବର୍ଷରୁ ଆମେ ଏଠି ଅଛୁ । ମାଳି ପିଢ଼ି ପିଢ଼ିକୁ ଚାକିରୀ ଦେଉଛି । ମରିଗଲେ ବି ମାଳି ଛାଡ଼ିବୁ ନାହିଁ ।”
କଥାବାର୍ତ୍ତାରେ ପ୍ରାୟ ୨-୩ ଘଣ୍ଟା ବିତିଗଲା । ଆମର ଅସମୟ, ଅଚାନକ ଗସ୍ତ ହେତୁ ସେମାନେ ଖାଇବା ବନେ୍ଦାବସ୍ତ କରିପାରୁ ନାହାନ୍ତି ବୋଲି ଲାଜ ଲାଜହୋଇ ଦୁଃଖପ୍ରକାଶ କଲେ । ଶେଷରେ ଆମ ଲାଗି ମାଣ୍ଡିଆ ପେଜ ଆସିଲା ଏବଂ କଥା ପୁଣି ଲମ୍ୱିଲା । କୁଳଦୀପ କଥାଗୁଡ଼ିକୁ ବଡ଼ ଦାର୍ଶନିକ ଢଙ୍ଗରେ କହିବା ଆରମ୍ଭ କଲେ, ଆମେ ଜାଣିଛୁ ଟଙ୍କା ପଇସା, ଚାକିରୀ ଇତ୍ୟାଦିର ଲୋଭ ଦେଖାଇ ଆମ ଭିତରେ ଭାଗ ଭାଗ କରିବାକୁ କମ୍ପାନୀ ଚେଷ୍ଟା କରୁଛି । ଲାଳସାରେ ୧୦ଭାଗ ଲୋକ ସେମାନଙ୍କ କଥାରେ ଭାସିଯାଇ ପାରନ୍ତି । ୯୦ଭାଗ ଲୋକ ସେଥିରେ ଯିବେ ନାହିଁ । ଏକଥା ଆମେ ଇତିହାସରେ ବି ଦେଖିଛୁ । ବ୍ରିଟିଶ ସରକାର ବିରୁଦ୍ଧରେ ଯେତେବେଳେ ସଂଗ୍ରାମ ହେଉଥିଲା, ସେତେବେଳେ ବି ଆମରି ଦେଶର ଅଳ୍ପଲୋକ ତାଙ୍କ ସାଙ୍ଗରେ ଥିଲେ । କିନ୍ତୁ ଦେଶ ତ ସ୍ୱାଧୀନ ହେଲା । କମ୍ପାନୀ ମଣିଷକୁ ଟଙ୍କାରେ ମୂଲେଇବାକୁ ଚାହୁଁଛି । ଏଇଟା ଆମ ବୁଝିବାର ବାହାରେ । ମାଳି ନେବାଲାଗି କେତେ ଟଙ୍କା, କେତେ ସମ୍ପତ୍ତି କମ୍ପାନୀ ଦେବ? ଏଇ ପାହାଡ଼, ଏ ଝରଣା କମ୍ପାନୀ ତିଆରି କରିନାହିଁ କି କେହି ମଣିଷ ତିଆରି କରି ନାହିଁ । ଏ ମାଳି ଯୁଗଯୁଗରୁ ଆମମାନଙ୍କୁ ପୋଷି ଆସୁଛି । ଭାବନ୍ତୁ, ସେ କେତେ ସମ୍ପତ୍ତି, କେତେ ଟଙ୍କା ହେବ । ତାର ମୂଲ୍ୟ କେହି କେବେ ଜାଣିଛି? ଆମେ ସେହି କଥା ସମସ୍ତଙ୍କୁ ବୁଝାଉଛୁ । ଆମର ବିଶ୍ୱାସ ଯେଉଁ ୧୦ଭାଗ ଲୋକ ଟଙ୍କା ଲାଳସାରେ ଖଣି ହେଉ ବୋଲି କହୁଛନ୍ତି, ୯୦ଭାଗ ଲୋକଙ୍କ କଥା ଭାବୁ ନାହାନ୍ତି, ଆମର ବିଶ୍ୱାସ ସେମାନେ ଦିନେ ବୁଝିବେ । ଆଜ୍ଞା ଟଙ୍କା ଆମେ ଖାଉନୁ । ଟଙ୍କାଦେଇ ଜିନିଷ ପତ୍ର କିଣୁଛୁ । ଆମେ ଦେଖୁଛୁ ଇରାନରେ ଯୁଦ୍ଧ ଚାଲିଛି ବୋଲି ପେଟ୍ରୋଲ, ଗ୍ୟାସର ଅଭାବ । ଖାଇଟା ଟିକେ ରାନ୍ଧିବା ଲାଗି କଷ୍ଟ ପଡ଼ିଯାଉଛି । ଟଙ୍କା ଥିଲେ କଣ ହେବ । ମଣିଷର ଖାଇବା ଲାଗି, ବ୍ୟବହାର କରିବା ଲାଗି ଜିନିଷ ଦରକାର । ମାଳି ଆମକୁ ଦଉଛି । ଭବିଷ୍ୟତ ପିଢ଼ିକୁ ବି ଦେବ । କମ୍ପାନୀ ଜଣକୁ ୫ଲକ୍ଷ ଦେଉ, କୋଟିଏ ଦେଉ, ଟଙ୍କା ରହିବନି, ଉଡ଼ିଯିବ । ମାଳି କିନ୍ତୁ ରହିବ । ମାଳିକୁ ଆମେ ଛାଡ଼ିପାରିବୁ ନାହିଁ ।
ଶେଷରେ କଥାଟିକୁ ମୁଣ୍ଡି ମାରିବାପରି ମିଥୁନ ଅତି ବିଷାଦଭରା ସ୍ୱରରେ କହିଲେ, “ଆମେ ବାରବାର କହିଆସୁଛୁ ଯେ, ଆମେ ମରିଗଲେ ଯାଇ କମ୍ପାନୀ କୁଟ୍ରୁମାଳି ନେବ । ଗାଡ଼ି, ବୁଲଡୋଜର ଆସିଲେ ଆମେ ଛୁଆପିଲା ସମସ୍ତେ ଶୋଇଦେବୁ, ସିଏ ଗାଡ଼ି ମଡ଼େଇଦେଇ ଆମକୁ ମାରିଦେଉ, ତାପରେ ଖଣି ଖୋଳୁ” ।
ଆମେ କାଚଲେଖାରୁ ଫେରିଲୁ ଏକ ବିଷାଦଭରା ପ୍ରତିରୋଧର ଭାବନାକୁ ନେଇ, ମାଳି ବଞ୍ଚେଇବା ପାଇଁ ମରିଯିବାର ପ୍ରତିବଦ୍ଧତାକୁ ନେଇ । ଆମ ଯାନଟି ଯେଉଁ ରାସ୍ତାରେ ଯାଇଥିଲା, ପୁଣି ସେଇ ରାସ୍ତାରେ ଫେରିଲା । ସରଗିପଦରରେ ବାଟଭାଙ୍ଗି ମାଝିଗାଁ ଗଲା । ଗାଡ଼ିଟି ପାହାଡ଼ ଚଢ଼ିଲା ପରି କିଛି ବାଟ ଉପରକୁ ଯାଇ ଅଟକିଲା । ଆମେ ସମସ୍ତେ ଚାଲି ଚାଲି ଗଲୁ ମାଳି ସୁରକ୍ଷା ମଞ୍ଚର ସମ୍ମାନସ୍ପଦ ନେତା ହୀରାମଲଙ୍କ ଘରକୁ । ଘରଟି ବସ୍ତୁତଃ ଏକ ମୁଣ୍ଡିଆ ଉପରେ । ଯୋଉ ଆଡ଼କୁ ଚାହିଁଲେ ପାହାଡ଼ ଓ ପାହାଡ଼ । ଧିରେ ଧିରେ ସ୍ଥାନୀୟ ବାସିନ୍ଦାମାନେ ବି ପହଞ୍ଚିଲେ । ଆମମାନଙ୍କୁ ଦେଖି ସେ ପ୍ରଥମେ ବିସ୍କୁଟ ଓ ଚା’ର ବନେ୍ଦାବସ୍ତ କଲେ । ତାପରେ କଥାବାର୍ତ୍ତା ଆରମ୍ଭ ହେଲା । ଆଗାମୀ ଜନଶୁଣାଣିକୁ ନେଇ ସେ ବେଶ ଉଦ୍ବିଗ୍ନ ଥିଲେ । ସେହି ବିଷୟରେ ହିଁ କହିଲେ,
ଜନଶୁଣାଣି ଖଣି ପ୍ରଭାବିତ ଅଞ୍ଚଳରେ ହେବା କଥା । ସେମାନେ ଭବାନୀପାଟଣାରେ ରଖିଛନ୍ତି । କୁଟ୍ରୁମାଳି ପାଖରୁ ୫୦-୬୦ କିଲୋମିଟର ଦୂର । ଆମେ ସେଠିକୁ ଯିବୁ କେମିତି? ଆମେ ବୟକଟ କରିବୁ । ଆମେ କେରପାଇରେ ନିଜର ଜନଶୁଣାଣି କରିବୁ । ଜନଶୁଣାଣିରେ ଭାଗନେଲେ ବି କିଛି ଲାଭ ନାହିଁ । ସିଜିମାଳି ବିଷୟରେ ଯେଉଁ ଜନଶୁଣାଣି ହେଇଥିଲା, ଆମେ ସମସ୍ତେ ଯାଇଥିଲୁ । ଖଣି ଖୋଳା ବିରୁଦ୍ଧରେ ମତ ରଖିଥିଲୁ । କିନ୍ତୁ ରିପୋର୍ଟ ଗଲା ଯେ ଲୋକେ ଖଣି ସପକ୍ଷରେ ମତ ଦେଲେ । ସେମିତି ମିଛ ଗ୍ରାମସଭା କରି କହିଲେ, ଲୋକେ ଗ୍ରାମସଭାରେ ଖଣି ସପକ୍ଷରେ କହିଲେ । ଗୋଟେ ଦିନରେ ଏକା ସମୟରେ ଜଣେ ଅଫିସର କେମିତି ୮ଟା ଗ୍ରାମସଭାରେ ଉପସ୍ଥିତ ରହିଲା? ଏଟା ସମ୍ଭବ କି? ଏ କଥା ବି ଆମେ ଉଠେଇଲୁ, କୋର୍ଟକୁ ଜଣେଇଲୁ । ଆମ କଥା କିଛି ଶୁଣାଗଲା ନାହିଁ । ବେଦାନ୍ତକୁ ଖଣି ଖୋଳିବା ଲାଗି ମଞ୍ଜୁରୀ ମିଳିଲା । ଆମେ ସେଇଥି ପାଇଁ ଭାବୁଛୁ ଜନଣୁଣାଣିରେ ଭାଗ ନେବୁ ନାହିଁ । କାହିଁକି ନେବୁ ନାହିଁ, ସମସ୍ତଙ୍କୁ ସେ ବିଷୟରେ ଜଣେଇବୁ । ଯାହା ହେଲେ ବି ମାଳି ଆମେ ଛାଡ଼ିବୁ ନାହିଁ ।
ସନ୍ଧ୍ୟାବେଳକୁ ପହଞ୍ଚିଲୁ କଣ୍ଟାମାଳରେ । ଗାଁ’ଗୁଡ଼ିକରେ ଧୂମ୍ ଧାମ ଚାଲିଥାଏ ବାଲିଯାତ୍ରା, କୃଷିସମାଜର ଏକ ପର୍ବ । ଶସ୍ୟ ବୁଣାହେବା ପୂର୍ବରୁ ତାକୁ ବାଲିରେ ରଖି ଗଜା କରାଯାଏ । ଗଜା ହେଲାପରେ ବେଜୁଣି, ଦିସାରୀ ଭଲ ଫସଲ ହେବା ପାଇଁ, ରୋଗପୋକ ନ ଲାଗିବା ପାଇଁ ଦିଅଁ ଦେବତାକୁ ପୂଜାପୂଜି କରନ୍ତି, ସେମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ନାଚନ୍ତି । ଆମେ ପହଞ୍ଚିଲା ବେଳକୁ ନାଚ ଚାଲିଥାଏ, ବାଜା ଶବ୍ଦରେ ଗାଁ କମ୍ପୁଥାଏ । ଗାଁ ସାରାର ଲୋକ ରୁଣ୍ଡ ହୋଇଥାନ୍ତି, ଫସଲ ଭଲ ହେଉବୋଲି ମନେ ମନେ ପ୍ରାର୍ଥନା କରୁଥାନ୍ତି ।
ତା’ ପରଦିନ ସକାଳେ ଆମେ ପୁଣି ପ୍ରସ୍ତୁତ ହେଲୁ କେରପାଇ ଯିବା ପାଇଁ । କୁଟ୍ରୁମାଳି ଅଞ୍ଚଳରେ ଏକ ପଦଯାତ୍ରା ଆୟୋଜନ କରିଥାଏ ମା ମାଟି ମାଳି ସୁରକ୍ଷା ମଞ୍ଚ । ପଦଯାତ୍ରା ଆରମ୍ଭ ହେବ କେରପାଇରୁ । ପଦଯାତ୍ରାରେ ନିୟମଗିରି, ଖଣ୍ଡୁଆଳ ମାଳିର ଲୋକ ବି ଯୋଗ ଦେବାର ଥାଏ । ଆମେ ପହଞ୍ଚିଲା ବେଳକୁ ସ୍ଥାନୀୟ ଯୁବକମାନେ ବ୍ୟାନର ଇତ୍ୟାଦି ସଜଡ଼ାରେ ଲାଗିଥାନ୍ତି । ଲୋକମାନେ ଧିରେ ଧିରେ ପହଞ୍ଚୁଥାନ୍ତି । ଏହି ସମୟରେ ନିୟମଗିରିର ଚର୍ଚ୍ଚିତ ନେତା ଲଦ ସିକକା ଆଉ ଦୁଇ ଜଣ ସହକର୍ମୀଙ୍କ ସହ ପହଞ୍ଚିଲେ । ପଦଯାତ୍ରାରେ ଯୋଗଦେବାର କାରଣ ସମ୍ୱନ୍ଧରେ ସେ କହିଲେ, “ଆମେ ଯେତେ ମାଳିର ଲୋକ ଅଛୁ, ଏକ ହେଲେ ଯାଇ ମାଳିକୁ ରକ୍ଷା କରିପାରିବୁ, କୁମ୍ପାନୀକୁ ହଟେଇପାରିବୁ । ସେହି ଏକତା ପାଇଁ ଆମେ ଆସିଛୁ” ।
ପଦଯାତ୍ରା ଆରମ୍ଭ ହେବାର ସମୟ ଆସିଲା । ମହିଳା ଓ ଝିଅମାନେ ହାତରେ ଖଣ୍ଡେ ଖଣ୍ଡେ ବାଡ଼ି, କିଏ କିଏ କାନ୍ଧରେ ଟାଙ୍ଗିଆଟେ ପକେଇ ଧାଡ଼ିହୋଇ ଛିଡ଼ା ହୋଇଗଲେ । ମଞ୍ଚର ଉପସଭାପତି ତଳଆମପଦର ନିବାସୀ ଲାଇ ମାଝୀ କେରପାଇର ଗୁଡ଼ିରେ ଧୂପଟେ ଲଗେଇ ଦେଇ ଯାତ୍ରା ଆରମ୍ଭ କରିବାର ଇସାରା ଦେଲେ । ଯୁବ ନେତା ଲକ୍ଷ୍ଣଣ ସ୍ଲୋଗାନ ଦେବା ଆରମ୍ଭ କଲେ, “କୁଟ୍ରୁମାଳି କେ ନାଇଁ କରି ଦେଉଁ ମରୁସ୍ଥାନ, ଗଲେ ପଛେ ଯାଉ ଜାନ୍” । ପଦଯାତ୍ରୀମାନେ ଆଗକୁ ବଢ଼ିଲେ । ଆମେମାନେ ଜୟପୁର ବାହୁଡ଼ିଲୁ ।
ଚାରି ତାରିଖ ସକାଳେ ସକାଳେ ଆମେ ବନ୍ଧୁ ରବିଙ୍କ ସ୍କୁଟିରେ ବାହାରିଲୁ ବାଲଡା- ନାଗେଶ୍ୱରୀ ପାହାଡ଼ ଇଲାକାକୁ । ରାସ୍ତାର ନକ୍ସା ରବି ବତେଇ ଦେଲେ । ଦିନ ୧୦ଟା ସୁଦ୍ଧା ଆମେ ନାଗେଶ୍ୱରୀ ପାହାଡ଼ର ପାଦଦେଶରେ ଅବସ୍ଥିତ ତାଇଁତର ଗାଁର ଲକ୍ଷ୍ମୀ ଶିଶାଙ୍କ ଘରେ ପହଞ୍ଚିଲୁ । ନାନି ଭାବରେ ସେ ବେଶ ପରିଚିତ । ଆଦାନୀ କମ୍ପାନୀକୁ ବାଲଡା ବକ୍ସାଇଟ ଖଣି ଲିଜ ଦେବା ପରେ ସେଠାରେ ୨୦୨୩ ମସିହାରୁ ଯେଉଁ ଆନେ୍ଦାଳନ ମୁଣ୍ଡ ଟେକିଛି, ସେ ହେଉଛନ୍ତି ତା’ର ଜଣେ ଚର୍ଚ୍ଚିତ ଚେହେରା । ସେ ଆମକୁ ଅପେକ୍ଷା କରିଥିଲେ । ପହଞ୍ଚିବା ପରେ ଗାଁର ଗୁଡ଼ିରେ ଲୋକମାନଙ୍କୁ ଏକାଠି କରିବା ପାଇଁ ଯୋଗାଯୋଗ କରିଦେଇ ସେ ଆମ ପାଇଁ ରୋଷେଇବାସରେ ଲାଗିଲେ ।
ପ୍ରଥମେ ଟିକେ ଆଦାନୀ କମ୍ପାନୀଦ୍ୱାରା ପ୍ରସ୍ତୁତ ପରିବେଶ ପ୍ରଭାବ ଆକଳନ ରିପୋର୍ଟ ଉପରେ ନଜର ପକେଇଦେବା । ସେଥିରେ ଉଲ୍ଲେଖ ଅଛି ଯେ ୨୦୨୨ ମସିହା ନଭେମ୍ବର ୨୩ତାରିଖରେ ଓଡ଼ିଶା ସରକାର ବାଲଡା ବକ୍ସାଇଟ ଖଣିର ନିଲାମି ପାଇଁ ବିଜ୍ଞପ୍ତି ଜାରି କଲେ । ୨୦୨୩ ଫେବୃଆରୀ ୧୫ତାରିଖରେ ଇ-ଅକ୍ସନ ହେଲା ଏବଂ ମୁନ୍ଦ୍ରା ଆଲୁମିନିୟମ୍ ଲିମିଟେଡ୍ କମ୍ପାନୀକୁ ‘ପସନ୍ଦଯୋଗ୍ୟ ନିଲାମଧାରୀ’ବୋଲି ଘୋଷଣା କରାଗଲା । ପରବର୍ତ୍ତୀ ସମୟରେ ମୁନ୍ଦ୍ରା ଆଲୁମିନିୟମ୍ ଲିମିଟେଡ ପରିବର୍ତ୍ତିତ ହେଲା କଳିଙ୍ଗ ଆଲୁମିନା ଲିମିଟେଡକୁ, ଯାହାକି ଆଦାନୀ ଗ୍ରୁପର ଏକ ଅଧସ୍ତନ କମ୍ପାନୀ । ୨୦୨୩ ମାର୍ଚ୍ଚ୧ତାରିଖରେ ଉକ୍ତ କମ୍ପାନୀକୁ ୧୪୪.୯୪୫ ହେକ୍ଟର (୩୫୮.୧୫୯ ଏକର) ଜମିରେ ଖଣି ଖୋଳିବା ପାଇଁ ଇଚ୍ଛାପତ୍ର (ଲେଟର ଅଫ୍ ଇଣ୍ଟେଣ୍ଟ୍) ଦିଆଗଲା । ଏହି ସମସ୍ତ ଜମି ନାଗେଶ୍ୱରୀ ସଂରକ୍ଷିତ ଜଙ୍ଗଲର ଅଂଶବିଶେଷ । କମ୍ପାନୀପ୍ରଦତ୍ତ ପ୍ରକଳ୍ପର ବିବରଣୀ ଅନୁସାରେ ବାଲଡା ବକ୍ସାଇଟ ଖଣିରେ ଗଚ୍ଛିତ ବକ୍ସାଇଟର ପରିମାଣ ହେଉଛି ୨୨.୧୩ ନିୟୁତ ଟନ୍ । ସର୍ବୋଚ୍ଚ ହାରରେ ଖଣିଜ ଉତ୍ତୋଳନ ହେଲେ, ବାର୍ଷିକ ଚାରି ନିୟୁତ ଟନ୍ ଉତ୍ତୋଳିତ ହେବ ଏବଂ ଖଣିର ଜୀବନ କାଳ ହେଉଛି ମାତ୍ର ୯ବର୍ଷ । ବକ୍ସାଇଟକୁ ଗୁଣ୍ତ କରିବା ପାଇଁ ଖଣି ଅଞ୍ଚଳରେ କ୍ରସର ସ୍ଥାପନ କରାଯିବ ଏବଂ ଗୁଣ୍ଡ ବକ୍ସାଇଟକୁ ୫କିଲୋମିଟର ଦୂରରେ ଅବସ୍ଥିତ ଭେଜା ରେଳଷ୍ଟେସନ ନିକଟରେ ଗଦା କରାଯିବ । ସେଠାରୁ ବିଶାଖାପାଟଣାକୁ ପଠାଯିବ । ଖଣି ଅଞ୍ଚଳରୁ ରେଳଷ୍ଟେସନକୁ ରାସ୍ତା ନିର୍ମାଣ ନିମନ୍ତେ ଆହୁରି ୧୨ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ଅଧିଗୃହୀତ ହେବ । କମ୍ପାନୀପାଇଁ ଦୈନିକ ପାଣିର ଆବଶ୍ୟକତା ହେଉଛି ୬,୯୦,୦୦୦ ଲିଟର । ନିକଟସ୍ଥ ଜଲାପୁଟ ବନ୍ଧରୁ ଏହା ଉଠାଯିବ । ଉକ୍ତ ପ୍ରକଳ୍ପର ଖର୍ଚ୍ଚ ଆକଳନ ହେଉଛି ୩୨୦କୋଟି ଟଙ୍କା ଏବଂ ଏଥିରେ ମାତ୍ର ୧୨୬ଜଣଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । କମ୍ପାନୀଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ପରିବେଶ ପ୍ରଭାବ ଆକଳନ ରିପୋର୍ଟ ଅନୁସାରେ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ଓ କଲ୍ୟାଣସିଂହ ପୁର ବ୍ଲକ ତଥା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପରୁ ବ୍ଲକରେ ଅବସ୍ଥିତ କୁଟ୍ରୁମାଳିରୁ ବକ୍ସାଇଟ ଖନନ ପାଇଁ କମ୍ପାନୀକୁ ନିଲାମ ମିଳିଛି । ତେଣୁ ଆଲୁମିନା କାରଖାନା ବସେଇବାର ଯୋଜନା କମ୍ପାନୀର ରହିଛି । ଯଦି ତାହା ନହୁଏ, କମ୍ପାନୀ ବକ୍ସାଇଟକୁ ଘରୋଇ ବଜାରରେ ବିକ୍ରି କରିବ ।
ପ୍ରସ୍ତାବିତ ବାଲଡା ବକ୍ସାଇଟ ଖଣି ଅଞ୍ଚଳଟି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଓ ପାଡ଼ୁଆ ଥାନା ଅନ୍ତର୍ଗତ ଏବଂ ଜିଲ୍ଲା ମୁଖ୍ୟାଳୟଠାରୁ ୬୦ କିଲୋମିଟର ଓ ବ୍ଲକ ମୁଖ୍ୟାଳୟଠାରୁ ୧୨-୧୩ କିଲୋମିଟର ଦୂର । ଏହି ଅଞ୍ଚଳଟି ପୂର୍ବଘାଟ ପର୍ବତମାଳାର ପୂର୍ବ-କେନ୍ଦ୍ରୀୟ ଅଂଶରେ ଅବସ୍ଥିତ ଯାହାକି ନାଗେଶ୍ୱରୀ ପାହାଡ଼ ନାଁରେ ପରିଚିତ । ସ୍ଥାନୀୟ ଲୋକେ ମାଳି ଡଙ୍ଗର, ମାଉଳି ମା କହି ପୂଜା ଅର୍ଚ୍ଚନା କରନ୍ତି । ପାହାଡ଼କୁ ଲାଗି ପାଞ୍ଚଟି ପଞ୍ଚାୟତର (ବାଲଡା, ଭେଜା, ବାଡ଼େଲ, ଅତଣ୍ଡା ଓ କୁଲାବିର) ୮୨ଟି ଗାଁ ରହିଛି । ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ଅନୁସୂଚିତ ଜନଜାତି ହେଲେ ସଂଖ୍ୟାବହୁଳ । ହାରାହାରି ହିସାବରେ ୫୬.୩୩% । ସେମାନଙ୍କ ମଧ୍ୟରେ ଅଛନ୍ତି ପାରେଙ୍ଗ ପରଜା, ଝୋଡ଼ିଆ ପରଜା, କଟିଆ ପରଜା, କନ୍ଧ ପରଜା ଓ ଗାଦବା ପରଜା । ସେହିପରି ଅନୁସୂଚିତ ଜାତିଙ୍କ ହାରାହାରି ସଂଖ୍ୟା ୧୩.୦୭%, ସ୍ଥାନୀୟଭାଷାରେ ସେମାନଙ୍କୁ ଡମ ବୋଲି କୁହାଯାଏ । ଏହି ଦୁଇଗୋଷ୍ଠୀ ବ୍ୟତୀତ ରଣା ଭଳି ଓବିସିବର୍ଗର ତଥା କେତେକ ବ୍ରାହ୍ଣଣ ପରିବାର ମଧ୍ୟ ସେ ଅଞ୍ଚଳରେ ବାସ କରନ୍ତି । କୃଷି ହିଁ ଲୋକମାନଙ୍କର ପ୍ରଧାନ ଜୀବିକା । ଶ୍ରମଶକ୍ତିର ୮୦ଭାଗରୁ ଊର୍ଦ୍ଧ୍ୱ ଚାଷ କାମରେ ନିୟୋଜିତ । ଜମିଥିବା କୃଷକ ୭୬.୯୮ଭାଗ ହେଲେ ଜମି ନଥିବା କୃଷକ ହେଲେ ୧୦.୪୦ ଭାଗ । ବେଶି ଭାଗ କୃଷକ ପରିବାରର ଜମି ୨ରୁ ୩ଏକର ମଧ୍ୟରେ ସୀମିତ । ହାତଗଣତି ପରିବାର ହାତରେ ୫ଏକରରୁ ଊର୍ଦ୍ଧ୍ୱ ଜମି ଅଛି । ନାଗେଶ୍ୱରୀ ପାହାଡ଼ର ସର୍ବୋଚ୍ଚ ଶିଖର ଅଂଶଟି ସମୁଦ୍ର ପତ୍ତନଠାରୁ ପ୍ରାୟ ୩୮୦୦ ଫୁଟ ଉଚ୍ଚରେ ଥିବା ବେଳେ ସର୍ବନିମ୍ନ ଅଂଶଟି ୩୧୦୦ ଫୁଟ ଉଚ୍ଚରେ । ଏହି ଶିଖର ପ୍ରଦେଶରେ ଛିଡ଼ା ହେଲେ ସମଗ୍ର ଅଞ୍ଚଳର ପ୍ରାକୃତିକ ଶୋଭା ଦିଶିଯାଏ । ଜଲାପୁଟ ନଦୀବନ୍ଧର ଦୃଶ୍ୟ ସବୁଠୁ ରମଣୀୟ । ଶିଖର ଅଂଶଟି ଫୁଟବଲ ପଡ଼ିଆପରି ସମତଳ ଯାହାକି ପୂର୍ବତଟ ବକ୍ସାଇଟ କ୍ଷେତ୍ରର ଏକ ବୈଶିଷ୍ଟ୍ୟ । ଏହା ମୋଟାମୋଟି ବୃକ୍ଷହୀନ ହେଲେ ବି ଏକ ବିଶାଳ ତୃଣଭୂମି । ଗୁଡ଼ିରେ ଲୋକମାନେ ଏକଜୁଟ ହେବା ପରେ ପାହାଡ଼ ସହ ସେମାନଙ୍କର ସମ୍ପର୍କର ବିଭିନ୍ନ ଦିଗ ବିଷୟରେ କଥା ପଡ଼ିଲା । ସମସ୍ତେ ଭାଗ ନେଲେ । ଜଣେ ଛାଡ଼ିଲେ, ଆଉ ଜଣେ ଧରୁଥିଲେ । ମୋଟାମୋଟି ବିଷୟବସ୍ତୁଟି ଏମିତି: ଚାଷବାସ ଆରମ୍ଭରୁ ଫସଲ ଅମଳ ପର୍ଯ୍ୟନ୍ତ ପ୍ରାୟ ୬ମାସ ପାହାଡ଼ର ଆଖପାଖ ଗାଁର ଗୋରୁଗାଈ, ଛେଳିମାନଙ୍କ ପାଇଁ ଏହା ଏକ ଚାରଣ ଭୂମି । ପାହାଡ଼ର ଶିଖର ଦେଶରେ ଦୁଇଟି ଜଳାଶୟ ରହିଛି, ସ୍ଥାନୀୟ ଭାଷାରେ ଶୁଖୁଆ ବନ୍ଧ ଓ ବଡ଼ ବନ୍ଧ । ଶୁଖୁଆ ବନ୍ଧରେ କେବଳ ବର୍ଷା ଦିନରେ ପାଣି ରହେ । ବଡ଼ବନ୍ଧରେ ସାରା ବର୍ଷକ ପାଣି ରହିଥାଏ । ୨୦୨୦-୨୧ମସିହାରେ ଜଙ୍ଗଲ ବିଭାଗ କାମ୍ପା ଯୋଜନାରେ ଏହାକୁ ଆହୁରି ପ୍ରଶସ୍ତ କରିଛି, ଯାହାର ଲମ୍ୱ ୭୬ ମିଟର ଓ ଓସାର ୫୪ ମିଟର । ଜଙ୍ଗଲର ଜୀବଜନ୍ତୁଙ୍କୁ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ହେଉଛି ଏହାର ଉଦେ୍ଦଶ୍ୟ । ବନ ବିଭାଗ ତରଫରୁ ମଧ୍ୟ ମାଛ ଯାଆଁଳ ଛଡ଼ାଯାଇଛି । ୨୦୦୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଗେଶ୍ୱରୀ ପାହାଡ଼କୁ ଏକ ପରିମଣ୍ଡଳୀୟ ପର୍ଯ୍ୟଟନ (ଇକୋ-ଟୁରିଜିମ୍) କେନ୍ଦ୍ରର ମାନ୍ୟତା ଦେଇ ତାହାର ଶିଳାନ୍ୟାସ କରିଥିଲେ । ଏହି ପାହାଡ଼ରୁ ବାହାରିଛି ଅନ୍ୟୁନ ୨୩ଟି ଝରଣା ବା ଝୋଲା । ପ୍ରତ୍ୟେକଟିର ନାଁ ମଧ୍ୟ ଅଛି । ପାହାଡ଼ର ଉତ୍ତର-ପଶ୍ଚିମରେ ଅବସ୍ଥିତ ଜଲାପୁଟ ନଦୀବନ୍ଧରେ (ମହୁଆମ୍ୱ ଝୋଲା, କେଟିବାଡ଼ି ଝୋଲା, ଡଙ୍ଗାଘାଟ ଝୋଲା ଓ ବଡ଼ଝୋଲା) ମିଶିଥିବା ବେଳେ, ଆଉ କେତେକ ମିଶିଛନ୍ତି ଉତ୍ତର-ପୂର୍ବ ଦିଗରେ ଥିବା କୋଲାବ ନଦୀରେ । ଏହି ଚିରସ୍ରୋତା ଝରଣାଗୁଡ଼ିକର ଶଯ୍ୟାକୁ ବନେ୍ଧଇ ସ୍ଥାନୀୟ ଆଦିବାସୀମାନେ ରବି ଋତୁରେ ଧାନ ଚାଷ କରନ୍ତି ଯାହା କୋରାପୁଟର ଝୋଲା ଚାଷଭାବେ ଖ୍ୟାତ । ସପୁଟ, ମଦେଇଗୁଡ଼ା, କୁମିଗଡ଼ା, ଅତଣ୍ଡା, ବନୁର ଓ ସମିଲି ଭଲି ଅଞ୍ଚଳରେ ଝରଣା ପାଣିକୁ ବ୍ୟବହାର କରି ପନିପରିବା ଚାଷ ମଧ୍ୟ କରାଯାଏ ।
ପାହାଡ଼ର ପାର୍ଶ୍ୱଦେଶ ଘଞ୍ଚ ଜଙ୍ଗଲରେ ଭରପୂର । ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ଭଣ୍ଡାର ଘର । କେହି କେବେ ଖାଲିହାତରେ ସେଠୁ ଫେରେ ନାହିଁ । ଋତୁ ଅନୁସାରେ ଜଙ୍ଗଲରୁ ଲୋକେ ବହୁ ପ୍ରକାରର ଜିନିଷ ସଂଗ୍ରହ କରନ୍ତି । ଶୀତମାସରେ ଜାଳେଣି କାଠ ଓ ସିଆଳି ପତ୍ର ସଂଗ୍ରହ କରନ୍ତି । ଆବଶ୍ୟକତା ମେଣ୍ଟେଇବା ପରେ ସ୍ଥାନୀୟ ଲୋକେ, ବିଶେଷ କରି ଭୂମିହୀନ ପରିବାରମାନେ, ଏସବୁକୁ ସ୍ଥାନୀୟ ହାଟରେ ବିକ୍ରି କରି କିଛି ରୋଜଗାର କରନ୍ତି । ସେହି ପରି ବସନ୍ତ ଋତୁରେ ଜଙ୍ଗଲରୁ ସଂଗ୍ରହ କରାଯାଏ ଅଁଳା, ବାହାଡ଼ା, କାଞ୍ଚନ ଫୁଲ, କରଡ଼ି, ଫୁଲ ଝାଡ଼ୁ ଇତ୍ୟାଦି । ଖରା ମାସରେ ପଣସ ଓ ଆମ୍ୱ । ପୁଣି ବର୍ଷାମାସରେ ଭଳିକି ଭଳି କନ୍ଦା ଓ ଶାଗ । କେବଳ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାର ଚାଉଳ ନୁହେଁ, ଲୋକମାନଙ୍କର ଖାଦ୍ୟ ବିବିଧତାକୁ ଜଙ୍ଗଲ ବହୁଳାଂଶରେ ଭରଣା କରେ । ଏହାଛଡ଼ା ଜଙ୍ଗଲରୁ ବହୁପ୍ରକାରର ଔଷଧୀୟ ଚେରମୂଳି ସଂଗ୍ରହ କରି ନିଜର ନିତିଦିନିଆ ଆବଶ୍ୟକତାକୁ ପୂରଣ କରିବା ସହ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ବ୍ୟବସାୟୀମାନଙ୍କୁ ମଧ୍ୟ କିଛି ବିକ୍ରି କରନ୍ତି । ଇଏ ବି ରୋଜଗାରର ଗୋଟିଏ ବାଟ । ଏହି କିଛିବର୍ଷ ହେଲା ସେ ଅଞ୍ଚଳରେ ଏକ ଅର୍ଥକରୀ ଫସଲ ଭାବେ ପିପ୍ପଳୀ ଚାଷ ବଢ଼ିବାରେ ଲାଗିଛି । ତେଣୁ ଲୋକେ କହନ୍ତି, ଏ ଡଙ୍ଗର, ଜଙ୍ଗଲ ଆମର ବାପା ମା ଭଳି । ସେ ଆମକୁ ପୋଷୁଛି । ଆମେ ସେଦିନ ସଦରରେ (ଗାଁ ଭିତରେ ଥିବା ଏକ ଓସାରିଆ ସ୍ଥାନ, ଯେଉଁଠି ଗାଁର ପର୍ବପର୍ବାଣି ଆୟୋଜିତ ହୁଏ, ହାନିଲାଭ ଆଲୋଚିତ ହୁଏ) ବସିଥିବା ବେଳେ ଦଳ ଦଳ ସ୍ତ୍ରୀ ଲୋକ ସିଆଳି ଶିଆଡ଼ି ପତ୍ର ଓ ବଣୁଆ କୋଳି ନେଇ ଫେରୁଥାନ୍ତି । କ’ଣ ଆଣିଛନ୍ତି ଦେଖିବା ପାଇଁ ଆଗ୍ରହ ପ୍ରକାଶ କଲାରୁ ଜଣେ ମହିଳା ଉଦାରତା ସହ ଆମ ପାଇଁ କିଛି କୋଳି ଦେଲେ ।
ନାଗେଶ୍ୱରୀ ପାହାଡ଼ର ପାର୍ଶ୍ୱ ଦେଶରେ ଅନେକଗୁଡ଼ିଏ ପ୍ରାକୃତିକ ପଥର ଗୁମ୍ଫା (ସ୍ଥାନୀୟ ଭାଷାରେ ପାର ବୋଲି କୁହାଯାଏ । ପାର ଶବ୍ଦର ଅର୍ଥ ପଥର ଗୁମ୍ଫା ବା ବିଶାଳ ପଥର ଖଣ୍ଡ) ଅଛି ଯଥା ବାୟାପାର, ବଡ଼ପାର, ବାଦୁଡ଼ି ପାର, ଭାଲୁପାର ଓ ହାତୀପାର, ଯାହାକି ଏକ ପର୍ଯ୍ୟଟନ ଆକର୍ଷଣ ପାଲିଟି ଯାଇଛି । ସେହି ଅନୁସାରେ, ବାଲଡା ଓ ଅତୁଣ୍ଡା ପଞ୍ଚାୟତର ବଦରଗଡ଼ଠାରୁ ପାହାଡ଼ର ଶିଖର ପର୍ଯ୍ୟନ୍ତ ଦୁଇଟି ରାସ୍ତା ତିଆରି ହୋଇଥିଲା । ମହତ୍ତ୍ୱପୂର୍ଣ୍ଣ କଥାହେଲା ସ୍ଥାନୀୟ ସମୁଦାୟ ପାଇଁ ସେଗୁଡ଼ିକ କେବଳ ଗୁମ୍ଫା ବା ପଥରଖଣ୍ଡ ନୁହଁନ୍ତି । ସେମାନେ ଜୀବନ୍ତ ଓ ପ୍ରତ୍ୟକ୍ଷ ଦେବାଦେବୀ । ତେଣୁ ସେସବୁକୁ ନେଇ ଗଢ଼ିଉଠିଛି ବହୁ କିମ୍ୱଦନ୍ତୀ ଓ ଲୋକକଥା । ତାକୁ ଆଧାର କରି ତିଆରି ହୋଇଛି ସେମାନଙ୍କର ସାଂସ୍କୃତିକ ପରମ୍ପରା ଓ ଧର୍ମୀୟ ଆସ୍ଥା । ସେହି ପରମ୍ପରା ବିଷୟରେ ସପୁଟର ଜନ ଶିଶା ଓ ମଧୁସୂଦନ କହନ୍ତି, ‘ଦୋରା ସମୁଦାୟର ଶିକାରୀମାନେ ଜଙ୍ଗଲରେ ଶିକାର ନପାଇ ନିରାଶ ହେଲେ, ଗୁମ୍ପାରେ ଅବସ୍ଥିତ ମାଉଳି ମା’ର ଆଶ୍ରା ଲୋଡ଼ନ୍ତି । ମା’ଙ୍କ ସ୍ୱପ୍ନାଦେଶ ବଳରେ ସେମାନେ ଶୀକାରରେ ସଫଳ ହୁଅନ୍ତି । ତେଣୁ ଆଜି ବି ସେହି ସମୁଦାୟର ବଂଶଧରମାନେ ଗୁମ୍ଫାରେ ଅବସ୍ଥିତ ଦେବୀମାନଙ୍କର ପୂଜା କରନ୍ତି । ସେହି ପରମ୍ପରା ଅନୁଯାୟୀ ଚିଲମ ଗାଁର ପୂଜକ ବାୟାପାରରେ ପୂଜାକଲା ବେଳେ, ସପୁଟର ପୂଜକ ବଡ଼ପାରରେ ପୂଜା କରନ୍ତି । ସେମାନେ ପ୍ରତ୍ୟେକ ମଙ୍ଗଳବାର ଓ ଶୁକ୍ରବାର ମାଉଳି ମା ବା ପରବର୍ତ୍ତୀ ସମୟରେ ନାଗେଶ୍ୱରୀ ଦେବୀଙ୍କର ପୂଜା କରନ୍ତି । ଚଇତ ପରବ ସମୟରେ ସେଠାରେ ମାନସିକ ଅନୁସାରେ ଛେଳି ବଳି ବି ପଡ଼େ ।’ ଆଉ ଏକ ଜୀବନ୍ତ ପରମ୍ପରା ରହିଛି ହାତୀପଥରକୁ ନେଇ । ଚିଲମ ଗାଁର ପୂଜକ ରଘୁନାଥ ହନ୍ତାଳ ଲୋକଶ୍ରୁତି ଆଧାର କରି କହନ୍ତି, ‘ଜୟପୁର ରାଜାଘର ହାତୀ, ଗୋଟେ ମାଈ ହାତୀ ଓ ତାର ଛୁଆ ହାତୀଶାଳରୁ ସମସ୍ତଙ୍କ ଅଜାଣତରେ ବାହାରି ଆସିଲେ । ସେମାନେ ଚାଲିଚାଲି ନାଗେଶ୍ୱରୀ ପାହାଡ଼ ନିକଟରେ ପହଞ୍ଚିଲେ । ଖାଦ୍ୟ ଅନ୍ୱେଷଣରେ ପାହାଡ଼ ଶିଖର ଦେଶ, ଯାହାକି ମାଉଳି ମା’ଙ୍କର ବିଚରଣ ସ୍ଥଳୀ, ଚଢ଼ିବାକୁ ଚେଷ୍ଟାକଲେ । କିନ୍ତୁ ଦେବୀ ତାଙ୍କୁ ପଥର କରିଦେଲେ । ହାତୀମାନଙ୍କୁ ଖୋଜି ଖୋଜି ରାଜାଘର ଲୋକ ସେ ସ୍ଥାନରେ ପହଞ୍ଚିଲେ । ହାତୀମାନଙ୍କ ଏମନ୍ତ ଅବସ୍ଥା ଦେଖି, ଏ ସ୍ଥାନର ମହିମା ବୁଝି, ସେମାନେ ଫେରିଗଲେ । ଆଜି ବି ପାହାଡ଼ ଶିଖରକୁ ଗଲେ କି ବୁଢ଼ା କି ଛୁଆ ସମସ୍ତେ ହାତୀପାର ବା ହାତୀପଥରକୁ ଡାଳ ଖଣ୍ଡେ ଅର୍ପଣ କରନ୍ତି ।’
ଅତଏବ, ଜୀବନଜୀବିକା, ପରମ୍ପରା, ବହୁ କାହାଣୀ ଓ କିମ୍ୱଦନ୍ତୀ ତଥା ସ୍ଥାନୀୟ ବାସିନ୍ଦାଙ୍କ ଆବେଗିକ ଓ ଧର୍ମୀୟ ଆସ୍ଥା ସହ ଜଡ଼ିତ ଏକ ସ୍ଥାନ ଯେତେବେଳେ ବକ୍ସାଇଟ ଖନନ ଭଳି ପ୍ରକୃତି ଦୋହନକାରୀ ପ୍ରକଳ୍ପ ସେସବୁ ଲୋପ କରିଦେବା ପାଇଁ ଯାଉଛି, ସେତେବେଳେ ସେମାନେ ଯେ ପ୍ରତିବାଦ ଓ ପ୍ରତିରୋଧର ରାସ୍ତା ଆପଣେଇବେ, ତାହା ଅବଶ୍ୟମ୍ଭାବୀ ।
୨୦୨୩ ଆଦ୍ୟଭାଗରେ ଯେବେ ଆଦାନୀକୁ ରାଜ୍ୟ ସରକାର ଖଣି ଖନନ ନିମନ୍ତେ ଇଚ୍ଛାପତ୍ର ଦେଲେ ଏବଂ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା, ସ୍ଥାନୀୟ ଜନପ୍ରତିନିଧିମାନେ ବିଶେଷ କରି ପାଞ୍ଚଟି ପଞ୍ଚାୟତର ସରପଞ୍ଚ ଓ ନନ୍ଦପୁର ବ୍ଲକ ଅଧ୍ୟକ୍ଷ ଏ ବିଷୟରେ ସ୍ୱର ଉଠେଇଲେ । ନାଗେଶ୍ୱରୀ ପାହାଡ଼ ବଞ୍ଚାଅ ଅଭିଯାନ ନାମକ ଏକ ସଂଗଠନ ଗଠନ କଲେ । ଖଣି ଖନନ ବାତିଲ କରି ନାଗେଶ୍ୱରୀ ପାହାଡ଼କୁ ଏକ ପରିବେଶୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ଦାବି କଲେ । ଏହି ଦାବି ନେଇ ବାଲଡାରେ ଅବସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ । ବିଭିନ୍ନ ସମୟରେ ଅଭିଯାନ ନିଜର ପ୍ରତିବାଦ କାଗଜ କଲମରେ ଜାରି ରଖିଲା । ୨୦୨୪ ଅଗଷ୍ଟମାସରେ କୋରାପୁଟ ଜିଲ୍ଲାପାଳଙ୍କ ଅଫିସ ଆଗରେ ପାଞ୍ଚଦଫା ଦାବିକୁ ନେଇ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ହାତକୁ ନିଆଗଲା । ପ୍ରାୟ ୮୦୦୦ ଲୋକ ଅଂଶଗ୍ରହଣ କଲେ । ବିକ୍ଷୋଭ ୪ଘଣ୍ଟା ଧରି ଚାଲିଲା । ବାଲଡା ନାଗେଶ୍ୱରୀ ପାହାଡ଼ର ଭବିଷ୍ୟତ ସମ୍ୱନ୍ଧରେ ନନ୍ଦପୁର ବ୍ଲକର ୨୩ଗ୍ରାମ ପଞ୍ଚାୟତର ଲୋକ ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଲେ । ଏହା ମାସକ ମଧ୍ୟରେ ହେବ । ଅବଶ୍ୟ ସେମିତି କିଛି ହେଲା ନାହିଁ । ଏହି ଭିତରେ ନାଗେଶ୍ୱରୀ ପାହାଡ଼ ବଞ୍ଚାଅ ଅଭିଯାନର କେତେ ଜଣ ଆଗୁଆ ବ୍ୟକ୍ତି କମ୍ପାନୀ ସପକ୍ଷବାଦୀ ହୋଇଗଲେ । ତେଣୁ ତାହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଲା ନାହିଁ ଏବଂ ଅଭିଯାନ ନିଷ୍କ୍ରିୟ ହୋଇଗଲା ।
୨୦୨୩ ନଭେମ୍ୱର-ଡିସେମ୍ବରରେ ଆଉ ଏକ ଉଦ୍ୟମ ଆରମ୍ଭ କଲେ ସ୍ଥାନୀୟ ଯୁବକମାନେ । ସେ ସମ୍ୱନ୍ଧରେ କହନ୍ତି ଶିକ୍ଷିତ ଯୁବ ନେତା ଅଜୟ ମୁଦୁଲି, ଆମେମାନେ ପ୍ରଥମେ ପରିବେଶ ପୋର୍ଟାଲରୁ କମ୍ପାନୀର କାଗଜପତ୍ର ବାହାର କଲୁ । ସେଥିରେ ଖଣି ସମ୍ୱନ୍ଧରେ କ’ଣ ଲେଖାଯାଇଛି ତାହା ଅନୁଧ୍ୟାନ କଲୁ । ଯେହେତୁ ଆମ ଲୋକେ ଜଙ୍ଗଲ ଉପରେ ବହୁଭାବେ ନିର୍ଭରଶୀଳ, ଜଙ୍ଗଲ ଅଧିକାର ଆଇନକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ପାଇଁ ଯୋଜନା କଲୁ । ଏହି ଆଇନରେ ଗ୍ରାମସଭାର କ୍ଷମତା ଓ ଅଧିକାର ସମ୍ୱନ୍ଧରେ ଲୋକଙ୍କୁ ସଚେତନ କରିବାପାଇଁ ଚେଷ୍ଟା କଲୁ । ତାହାରି ମାଧ୍ୟମରେ ଖଣିଖନନର ବିପଦ କଥା କହିଲୁ । ପ୍ରଥମେ ତଇଁତର ଗାଁର ଯୁବକମାନେ ୮-୧୦ ବାଇକ ଧରି ଗାଁ ଗାଁରେ ଲୋକମାନଙ୍କ ସହ ଜଙ୍ଗଲ ଉପରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାର ସମ୍ୱନ୍ଧରେ ଲୋକମାନଙ୍କ ସହ ଆଲୋଚନା କଲେ । ପ୍ରଥମ ପର୍ଯ୍ୟାୟରେ ୧୧ଟି ଗାଁକୁ ବାଛିଲୁ, ଯେଉଁ ଗୁଡ଼ିକ ଖଣିସୀମାକୁ ଲାଗିଛି ଏବଂ ଯେଉଁମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ । ସେହି ଗାଁମାନଙ୍କରେ ଗ୍ରାମସଭା କରାଯାଇ ଜଙ୍ଗଲ ଅଧିକାର କମିଟିମାନ ଗଠନ କରାଗଲା । ଆଇନ ଅନୁଯାୟୀ ଜଙ୍ଗଲ ଅଧିକାର କମିଟି ଗଠନ କରାଗଲା । ସୀମା ଚିହ୍ନଟ ପାଇଁ କମିଟି ତରଫରୁ ରାଜସ୍ୱ ଓ ଜଙ୍ଗଲ ବିଭାଗକୁ ଅନୁରୋଧ କରାଗଲା । ଅବଶ୍ୟ ସେମାନେ ଆସିଲେ ନାହିଁ । ପର୍ଯ୍ୟାୟ କ୍ରମେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାର ପାଇଁ ମଧ୍ୟ ସବ୍-କଲେକ୍ଟରଙ୍କୁ ଦିଆଗଲା । ବନ ବିଭାଗଦ୍ୱାରା ଗଠିତ ବନ ସୁରକ୍ଷା ସମିତି ବଦଳରେ ଗୋଷ୍ଠୀ ଜଙ୍ଗଲ ସମ୍ୱଳ ପରିଚାଳନା କମିଟି ଗଠନ କରାଗଲା । ନାଗେଶ୍ୱରୀ ପାହାଡ଼ ଓ ଜଙ୍ଗଲର ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରିବାପାଇଁ ଦାବି କରାଗଲା । ଯେହେତୁ ଅଭିଯାନ ସହ ସମ୍ପୃକ୍ତ ବ୍ୟକ୍ତିମାନେ ନିଷ୍କ୍ରିୟ ହୋଇଗଲେ, ଲୋକମାନଙ୍କ ସହମତିରେ ନାଗେଶ୍ୱରୀ ମାଳି ଡଙ୍ଗର ସୁରକ୍ଷା ସମିତି ଗଠନ କରାଗଲା । ଯୁବକମାନଙ୍କ ଭିତରେ ଧାରାବାହିକ ବିଚାର ବିମର୍ଶ ପାଇଁ ବିର୍ଶା ବିଚାର କେନ୍ଦ୍ର ମଧ୍ୟ ଗଠନ କରାଗଲା ।
ଜଙ୍ଗଲ ଆଇନକୁ ଆଧାରକରି ଗାଁ ସ୍ତରରେ ସଚେତନା କାର୍ଯ୍ୟ ଚାଲିଥିବା ବେଳେ, ସୁରକ୍ଷା ସମିତି ଲେଖାପତ୍ର ମାଧ୍ୟମରେ ଖଣି ବାତିଲ ଦାବି ବ୍ଲକ ଅଧିକାରୀ, ଜଙ୍ଗଲ ଅଧିକାରୀଠାରୁ ଆରମ୍ଭ କରି ସଚିବ, ମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଜଣେଇବା ଜାରି ରଖିଲା । ଅବଶ୍ୟ କେଉଁଠୁ ବି ଉତ୍ତର ମିଳିଲା ନାହିଁ ।
ଏକ ସଂଘର୍ଷର ବାତାବରଣ ଉପୁଜିଲା ଯେବେ ଆଦାନୀ କମ୍ପାନୀ ନିମନ୍ତେ ବକ୍ସାଇଟ ଡମ୍ପିଂୟାର୍ଡ ନିର୍ମାଣ କରିବା ପାଇଁ ରେଳବାଇ ଉଦ୍ୟମ କଲା । ଏହା ଘଟିଲା ଭେଜା ରେଳ ଷ୍ଟେସନ ନିକଟରେ ୨୦୨୫ ଜାନୁୟାରୀ ମାସରେ । ଏହି ଘଟଣାରେ ନାଗେଶ୍ୱରୀ ମାଳି ଡଙ୍ଗର ସୁରକ୍ଷା ସମିତିର ଯୁବନେତା ବିଜୟ ମୁଦୁଲି ଗିରଫ ହେଇ ଜେଲ ଯାଇଥିଲେ । ସେ କହନ୍ତି, ରେଳବାଇ ପ୍ରତି ଆମ ଲୋକମାନଙ୍କର ଏକ ଅସନ୍ତୋଷ ରହିଆସିଛି ୧୯୬୧-୬୩ ମସିହାରୁ ଯେତେବେଳେ କିରାଣ୍ଡଲ-କୋଟୱାଲସା ରେଲ ଲାଇନ କାମ ଆରମ୍ଭ ହେଲା । ସେତେବେଳେ ବାଲଡା, ଭେଜା ଓ ପାଡୁଆର ଲୋକମାନେ ଜମି ହରେଇଲେ । କିନ୍ତୁ ଉପଯୁକ୍ତ କ୍ଷତିପୂରଣ ପାଇଲେ ନାହିଁ । ଦ୍ୱିତୀୟରେ, ଯେଉଁ ଗାଁଗୁଡ଼ିକ ରେଳଧାରଣାର ଉପର ପଟେ ରହିଲେ, ହେଲେ ଜମି ତଳପଟେ ରହିଲା, ସେମାନେ ଚାଷ କରିବା ପାଇଁ ବହୁତ ହଇରାଣ ହେଲେ । ରେଳଧାରଣା ହେତୁ ଝରଣା ପାଣିର ଗତିପଥ ବଦଳିଗଲା । ଫଳରେ କେଉଁ ଜମିରେ ପାଣି ମାଡ଼ିଲା ନାହିଁ ତ କେଉଁ ଜମିରେ ସବୁ ପାଣିଯାଇ ଜମିଲା । ଲୋକମାନେ ରେଳଧାରଣା ପାର ହୋଇ ହଳବଳଦ ନେବାରେ ଅସୁବିଧା ଭୋଗକଲେ । ଅନେକ ସମୟରେ ଗାଈବଳଦ ରେଳଧାରଣାରେ କଟିଯାଇ ମଲେ । ପୁଣି ୨୦-୨୧ ମସିହା କୋଭିଡ ସମୟରେ ଡବଲ ଲାଇନ ପଡ଼ିଲା । ରେଲୱେ ଦ୍ୱାରା କ୍ଷତିଗ୍ରସ୍ତ ପରିବାରମାନେ ଅବିଭକ୍ତ କୋରାପୁଟ ଜିଲ୍ଲା ରେଲୱେ ଜମିହରା ସଂଘ ମାଧ୍ୟମରେ ନିଜର ଦାବି ଉପସ୍ଥାପିତ କଲେ ଯେ ନଙ୍ଗଳ, ଟ୍ରାକ୍ଟଟର ଯିବା ପାଇଁ, ଗାଈବଳଦ ନେବା ପାଇଁ ପୁସିଂ ବ୍ରିଜ କରାଯାଉ । ୧୯୬୧ ମସିହାରୁ ରେଲବାଇ କାହାର କେତେ ଜମି ନେଇଛି ତାହାକୁ ସଠିକ ଭାବେ ଚିହ୍ନଟ କରାଯାଇ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ । କୋରାପୁଟର ରେଲୱେ ଅତିରିକ୍ତ ଡେପୁଟି ମେନେଜର ଆଶ୍ୱାସନା ଦେଇଥିଲେ ଯେ ଲୋକମାନଙ୍କର ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ କୌଣସି କାମ କରାଯିବ ନାହିଁ ।
ତେଣୁ ଜାନୁଆରୀ ୧୯ତାରିଖ ଦିନ ୧୦ଟା ୧୧ହେବ ଯେତେବେଳେ ଯନ୍ତ୍ରପାତି ଧରି ରେଳବାଇର ଠିକାଦାର ଆସିଲା, ବିଲରେ କାମ କରୁଥିବା ଗାୟଲପୁଟର ଲୋକମାନେ ଖବର ଦେଲେ । ତୁରନ୍ତ କଡ଼ାପୁଟ, ତାଇଁତର, ଗାୟଲପୁଟ ଓ କାଣ୍ଟିର ଲୋକ ପହଞ୍ଚିଗଲେ । ଆମେ ବିରୋଧ କଲୁ । ନନ୍ଦପୁର ଏସଡିପିଓ ଆସିଲେ । ଆମେ ତାଙ୍କୁ ରେଲୱେ ଅଧିକାରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେ କଥା କହିଲୁ । ସେମାନେ କାମ ବନ୍ଦ କରି ପଳେଇଲେ । ଲୋକମାନଙ୍କର ରେଲୱେ ପ୍ରତି ଅସନ୍ତୋଷ ଥିବା ହେତୁ ସେମାନେ ବିରୋଧ କଲେ । ଅବଶ୍ୟ ସମସ୍ତେ ଜାଣି ନଥିଲେ, ଯେଉଁ ଡମ୍ପିଂୟାର୍ଡ ହେଉଛି, ତାହା ଆଦାନୀ କମ୍ପାନୀ ପାଇଁ । ପୁଣି ଦିନ ୨ଟା ୩ଟାବେଳକୁ ଆହୁରି ବେଶି ସଂଖ୍ୟାରେ ପୁଲିସ ଆସିଲେ । ସେମାନେ ମଦ ପିଇକି ଆସିଥିଲେ । କାମ କରିବାପାଇଁ ଚେଷ୍ଟା କଲେ, ଆମ ଲୋକ ବିରୋଧ କଲେ । ମୁଁ ସେ ସମୟରେ ମୋବାଇଲେ ଭିଡିଓ କରୁଥିଲି । କିଛି ପୁଲିସବାଲା ଦେଖି ପକେଇଲେ । ମୋ ମୋବାଇଲ ଛଡ଼େଇ ନେଇ ଫିଙ୍ଗି ଦେଲେ । ମୁଁ ମୋ ମୋବାଇଲ ଆଣି ପକେଟରେ ପୂରେଇ ଜିପ୍ ଦେଇ ଦେଲି । ଏହି ସମୟରେ ଚାରି, ପାଞ୍ଚଜଣ ପୁଲିସ ମତେ ଗାଡ଼ି ପଛକୁ ନେଇଗଲେ, ଘେରି କରି, ମୁଣ୍ଡ, ଆଖି ଓ ଗୋଡ଼ରେ ମାରିବାକୁ ଲାଗିଲେ । ମୁଁ ଜୋରରେ ପାଟି କଲାରୁ ଲୋକ ଦୌଡ଼ିଆସିଲେ । ମତେ ପୁଲିସ ପାଖରୁ ଛଡ଼େଇ ଆଣିଲେ । ତା’ପରେ ମତେ ନନ୍ଦପୁର ମେଡିକାଲକୁ ନେଇଗଲେ । ସେଠି ଡାକ୍ତରଖାନାବାଲା ପୁଲିସକୁ ଖବର ଦେଇଦେଲେ । ପୁଲିସ ଆସି ପ୍ରଥମେ ନନ୍ଦପୁର, ପରେ ସେମିଲିଗୁଡ଼ା ଥାନାକୁ ନେଇଗଲା । ତା’ପରେ କୋର୍ଟ ପଠେଇଲେ । ୧୪ଦିନ ପରେ ଜାମିନରେ ବାହାରିଲି । ସେ ଦିନ ହାଣ୍ଡିପୁଟ ଛକରେ ପୟାୟ ଦୁଇହଜାର ଲୋକଙ୍କ ସମାଗମ । ଶୋଭାଯାତ୍ରା, ବାଜା ଓ ନାଚଗୀତ ଚାଲିଲା । ସାରାଅଞ୍ଚଳରେ କମ୍ପାନୀବିରୋଧୀ ବାତାବରଣ ଖେଳିଗଲା ।
ଏମିତି ଏକ ବାତାବରଣରେ ୨୦୨୫ ମାର୍ଚ୍ଚ ୬ ତାରିଖରେ ଆଦାନୀ ପ୍ରକଳ୍ପର ପରିବେଶ ମଞ୍ଜୁରୀ ନିମନ୍ତେ ଭେଜାଠାରେ ଜନଶୁଣାଣି କରାଯିବ ବୋଲି ରାଜ୍ୟ ପ୍ରଦୂଷଣବୋର୍ଡÿ ତରଫରୁ ଘୋଷଣା କରାଗଲା । ସୁରକ୍ଷା ସମିତି ତୁରନ୍ତ ନିଜର ପ୍ରତିକ୍ରିୟା ବ୍ୟକ୍ତ କଲା । ପରିବେଶ ପ୍ରଭାବ ଆକଳନ ରିପୋର୍ଟର କାର୍ଯ୍ୟକାରୀ ସାରାଂଶରେ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ଚିତ୍ର ନାହିଁ ବୋଲି ଦର୍ଶେଇବା ସହ ଆଇନ ଅନୁଯାୟୀ ପୂର୍ଣ୍ଣ ରିପୋର୍ଟ ଲୋକମାନଙ୍କୁ ଦେବା ବିଷୟ ଉଠେଇଲା । ଜନଶୁଣାଣିକୁ ବାତିଲ କରିବାପାଇଁ ଦାବି କଲା । ଅବଶ୍ୟ ଶୁଣାଣି ବାତିଲ କରାଗଲା ନାହିଁ । ତଥାପି ଲୋକମାନେ ସେଥିରେ ଅଂଶଗ୍ରହଣ କଲେ ।
ସେ ଅନୁଭୂତି ସମ୍ପର୍କରେ କହନ୍ତି ଲକ୍ଷ୍ମୀ ନାନି । ଶୁଣାଣି ୧୧ଟା ବେଳକୁ ଥାଏ । ସେମାନେ କିନ୍ତୁ ବହୁ ଆଗରୁ ଖଣି ପ୍ରଭାବିତ କ୍ଷେତ୍ରର ବାହାରୁ ଲୋକଙ୍କୁ ଆଣି ବସେଇଥାନ୍ତି ଓ ମିଟିଂ ଚଲେଇଥାନ୍ତି । ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥାଏ । ସେମାନେ ଆମକୁ ପ୍ରଥମେ ଯିବାକୁ ବାରଣ କଲେ । ତଥାପି ଆମେ ଗଲୁ । ଆମକୁ ଦେଖି ଆଗରୁ ବସିଥିବା ଲୋକ ପଳେଇଲେ । ଯେତେବେଳେ ଜନଶୁଣାଣି ବେଆଇନ ଭାବେ କରାଯାଉଛି ବୋଲି ଅଜୟ କହିଲା ଏବଂ ଅଫିସରମାନଙ୍କୁ ପ୍ରଶ୍ନ କଲା, ସେମାନେ ଉଠି ଆସିଲେ । ମିଛରେ ବାହାରେ ଆସି କହିଲେ ଜନଶୁଣାଣି ସଫଳ ହେଲା । ଏହାକୁ ବିରୋଧକରି ମାର୍ଚ୍ଚ ୧୮ତାରିଖରେ ନନ୍ଦପୁର ତହସିଲଦାରଙ୍କ ଜରିଆରେ ଆମେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲୁ । ବେଆଇନ ଜନଶୁଣାଣିକୁ ବାତିଲ କରିବା ପାଇଁ ଜଣେଇଲୁ । ଆମେ ଆଇନ ରାସ୍ତାରେ ଯାଉଛୁ, କିନ୍ତୁ ଯେଉଁମାନେ ଆଇନକାନୁନର ରକ୍ଷା କରିବା କଥା ସେମାନେ ବେଆଇନ କାମ କରୁଛନ୍ତି । ମିଛ ରିପୋର୍ଟ ଲେଖୁଛନ୍ତି ।
ବେଆଇନ ଜନଶୁଣାଣି ଆଧାରରେ ଆଇନଗତ ପରିବେଶ ମଞ୍ଜୁରୀ ଆଦାନୀ କମ୍ପାନୀକୁ ଦିଆଗଲା ୦୧ ସେପ୍ଟେମ୍ବର ୨୦୨୫ରେ । ଲୋକେ ପୁଣି ଥରେ ଆଇନର ଆଶ୍ରା ନେଲେ । ସେପ୍ଟେମ୍ବର ୨୯ତାରିଖ ଦିନ ଜାତୀୟ ସବୁଜ ପ୍ରାଧିକରଣ, ପୂର୍ବ କ୍ଷେତ୍ର, କୋଲକାତାରେ ପରିବେଶ ମଞ୍ଜୁରୀ ରଦ୍ଦ କରିବା ପାଇଁ ଯାଚିକା ଦାୟର କଲେ । ଏହାର ଶୁଣାଣି ଜାରି ରହିଛି ।
ଆଦାନୀର ଖଣି ଖନନକୁ ସୁଗମ କରିବା ପାଇଁ ଆଉ ଏକ ଆଇନଗତ ଔପଚାରିକାତା ପୂରଣ ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ପର ହେଲା । ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ଜମିକୁ ଅଣ-ଜଙ୍ଗଲ ଉଦେ୍ଦଶ୍ୟରେ ବ୍ୟବହାର କରିବାକୁ ହେଲେ ଗ୍ରାମସଭାର ଅନୁମତି ଆବଶ୍ୟକ । ୯ ଅକ୍ଟୋବର ୨୦୨୫ରେ ଜିଲ୍ଲା ପ୍ରଶାସନଦ୍ୱାରା ବାଲଡା ଓ ଅତଣ୍ଡା ପଞ୍ଚାୟତର ବନୁର ଗାଁରେ ଗ୍ରାମସଭା ଆୟୋଜନ କରାଗଲା ଏବଂ କଲେକ୍ଟର ସାର୍ଟିଫିକେଟ ଦେଲେ ଯେ ଗ୍ରାମସଭାରେ ଲୋକମାନେ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ସହମତି ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଆଖିରେ ଏହା କିନ୍ତୁ ‘ଫର୍ଜି’ ଗ୍ରାମସଭା । ସେ ସମ୍ୱନ୍ଧରେ ବାଲଡା ଗାଁର ରାଜେନ୍ଦ୍ର ଖରା ଏକ ବିସ୍ତୃତ ବିବରଣୀ ଦେଇ କହନ୍ତି,- ଗ୍ରାମସଭା ହେବ ବୋଲି ପୂର୍ବରୁ କିଛି ସୂଚନା ଦିଆଯାଇ ନଥିଲା । ହଠାତ୍, ୮ତାରିଖ ଦିନ ଓପରବେଳା ୩-୪ଟା ବେଳକୁ ଆମ ନଜରରେ ପଡ଼ିଲା ଯେ ପଞ୍ଚାୟତ ଅଫିସ କାନ୍ଥରେ ଗୋଟେ ନୋଟିସ ଦିଆଯାଇଛି ଯେ ଆଦାନୀ କମ୍ପାନୀର ଖଣି ଖନନ ସକାଶେ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉଦେ୍ଦଶ୍ୟରେ ଗ୍ରାମସଭା ହେବ । ଆମେମାନେ ସେହି ଦିନ ସନ୍ଧ୍ୟାରେ ଏ ବିଷୟ ଲିଖିତ ଭାବେ ବାଲଡା ସରପଞ୍ଚଙ୍କୁ ଜଣାଇ ଗ୍ରାମସଭା ବାତିଲ କରିବାକୁ କହିଲୁ । ସେ ଆମ ଲେଖାର ପ୍ରାପ୍ତି ସ୍ୱୀକାର ମଧ୍ୟ କଲେ । କିନ୍ତୁ ଗ୍ରାମସଭା ପୁଲିସ ଘେରରେ କରାଗଲା । ଶହ ଶହ ସଂଖ୍ୟାରେ ପୁଲିସ ଆସିଥିଲେ । ଗୋଟେ ଗ୍ରାମସଭା ପୁଲିସ ଉପସ୍ଥିତିରେ କାହିଁକି ହେବ ବୋଲି ଆମେ ପ୍ରତିବାଦ କରି ଆମ ଗାଁର ସଦରଠାରେ ସଭା କଲୁ । ଗ୍ରାମସଭାରେ ଯୋଗ ଦେଲୁ ନାହିଁ । ପରେ ଆମେ ଯେତେବେଳେ ସରପଞ୍ଚକୁ ଏ ବିଷୟରେ ପଚାରିଲୁ, ସେ କହିଲେ ଯେ ପୁଲିସ ତାଙ୍କୁ ଉଠେଇ ନେଇ ଗ୍ରାମସଭାରେ ବସେଇ ଦେଲା । ତାହା କେତେ ସତ, କେତେ ମିଛ ଆମକୁ ଜଣା ନାହିଁ ।
ଆମର ଖବର ଅନୁସାରେ ବାଲଡା ଗାଁରୁ ମାତ୍ର ୭-୮ଜଣ ଥିଲେ । ଆଉ ସବୁ କେବଳ ବାଲଡା ଗାଁ ନୁହେଁ, ପଞ୍ଚାୟତ ବାହାରୁ ଲୋକ ଆସିଥିଲେ । ସେମାନେ କାଗଜରେ ଦେଖେଇଛନ୍ତି ଯେ ୩୫୦ଜଣ ଉପସ୍ଥିତ ଥିଲେ । କିନ୍ତୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଯୋଉଟା ପଞ୍ଚାୟତ ଅଫିସ, ସେଠି ୩୦-୪୦ ଲୋକ ବସିପାରିବେ, ହେଲେ ୩୫୦ ଲୋକ କେମିତି ବସିଲେ । ଦ୍ୱିତୀୟରେ ଯେଉଁମାନଙ୍କର ଉପସ୍ଥିତି ଦର୍ଶାଯାଇଛି ସେମାନଙ୍କ ଭିତରେ ମୃତ ବ୍ୟକ୍ତିଙ୍କର ବି ନାଁ ଅଛି । ଉଦାହରଣସ୍ୱରୂପ, ମୋ ନିଜ ସାନ ଭାଇ ରାଜୁ ଖରା । ସିଏ ଦୁଇବର୍ଷ ପୂର୍ବରୁ ମରିଯାଇଛି । ସିଏ କେମିତି ଉପସ୍ଥିତ ରହିବ । ସେମିତି ମୋ ନିଜ ସାହିର ଗୁରୁବାରି ଖରା, ଗୌରୀ ସେଠୀ ଭଳି ମୃତକଙ୍କ ଉପସ୍ଥିତି ଗ୍ରାମସଭା କାଗଜରେ ଦର୍ଶାଯାଇଛି । ଆହୁରି ଗୋଟେ କଥାହେଲା ଯେଉଁ ଲୋକମାନେ ପଞ୍ଚାୟତ ଅଫିସକୁ ନଯାଇ, ସଦରରେ ଉପସ୍ଥିତ ଥିଲେ, ସେମାନଙ୍କର ଉପସ୍ଥିତି ମଧ୍ୟ ଦର୍ଶାଯାଇଛି । ଏଟାକୁ ଫର୍ଜି ଗ୍ରାମସଭା କୁହାଯିବନି ତ କ’ଣ? ଏହା ବିରୁଦ୍ଧରେ ଆମେ ଅକ୍ଟୋବର ୨୦ତାରିଖରେ ବ୍ଲକ ଅଫିସରେ ଧାରଣା ଓ ବିକ୍ଷୋଭ କଲୁ । ଗ୍ରାମସଭା ଜାଲିୟାତି ବୋଲି କଲେକ୍ଟର, ଏସପି ସମସ୍ତଙ୍କୁ ଲେଖିକି ଦେଲୁ । ସ୍ଥାନୀୟ ପୁଲିସରେ ବି ଜଣେଇଲୁ । ଆମେ କିଛି ଦିନ ଅପେକ୍ଷା କଲୁ, ସେମାନେ ଏହାର ତଦନ୍ତ କରିବେ ବୋଲି । କିନ୍ତୁ କିଛି ହେଲା ନାହିଁ ।
ଏହାପରେ ଆମର ବାଲଡା ପଞ୍ଚାୟତର ଆଠଜଣ ୱାର୍ଡÿମେମ୍ୱର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ । ପ୍ରସ୍ତାବ ସମ୍ୱନ୍ଧରେ କଲେକ୍ଟରଙ୍କୁ ଜଣେଇଲୁ । ଥରେ ନୁହେଁ, ବାରବାର । ୱାର୍ଡÿ ମେମ୍ୱରମାନଙ୍କର ଦସ୍ତଖତ ଭେରିଫିକେସନ୍ କଲାପରେ ଯାହା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହୁଛନ୍ତି, କିନ୍ତୁ ଜାଣିଶୁଣି ଦିନ ଗଡ଼େଇ ଚାଲିଛନ୍ତି । ଆଜି ପର୍ଯ୍ୟନ୍ତ ଭେରିଫିକେସନ୍ ହୋଇ ନାହିଁ ।
ଆମେ ତାଇଁତରରେ ଥିବା ଦିନ ବିଡିଓ ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ପାଇଁ ବାଲଡା ଆସିଥାନ୍ତି । ଲୋକମାନେ କିନ୍ତୁ ପଞ୍ଚାୟତ ଅଫିସରେ ତାଲା ପକେଇଦେଇ ତାଙ୍କୁ ଭିତରକୁ ଛାଡ଼ିଲେ ନାହିଁ । ପ୍ରଥମେ ଫର୍ଜି ଗ୍ରାମସଭା, ଅନାସ୍ଥା ପ୍ରସ୍ତାବ ସମ୍ୱନ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହାର ଉତ୍ତର ଦେବାପାଇଁ ଅଡ଼ିବସିଲେ । ବିଡିଓ ସେ ସବୁର ଉତ୍ତର ନଦେଇ ଫେରିଗଲେ ।
ଗୁଡ଼ିରୁ ଆଲୋଚନା ସାରି ଆମେ ଲକ୍ଷ୍ମୀ ନାନିଙ୍କ ଘରକୁ ଫେରିବା ପାଇଁ ବାହାରିଲୁ । ଦିନ ୧୨.୩୦ରୁ ଯେଉଁ ଅଦିନିଆ ବର୍ଷା ଆରମ୍ଭ ହୋଇଥିଲା, ସିଏ ପୂରା ଛାଡ଼ି ନଥାଏ । ହାଲୁକା ହାଲୁକା ବର୍ଷୁଥାଏ । ପାଗ ଶିତୁଆ ଲାଗୁଥାଏ । ସେହି ସମୟରେ ବିଜୟଙ୍କ ବାପା ଆମ ଦୁଇଜଣଙ୍କ ହାତକୁ ଦୁଇଟା ସିଆଳି ପତ୍ରର ଟୋପି ବଢ଼େଇଦେଲେ ବର୍ଷାରୁ ରକ୍ଷା ପାଇବା ପାଇଁ । ଆମେ ଲକ୍ଷ୍ମୀ ନାନିଙ୍କ ଘରୁ ଖିଆପିଆ ସାରି ଜୟପୁର ଫେରିବା ବେଳକୁ ଦିନ ଚାରିଟା । ଆକାଶରୁ ଝରୁଥାଏ ଟୋପା ଟୋପା ବର୍ଷା । ବହୁତ ଦିନ ପର୍ଯ୍ୟନ୍ତ କିନ୍ତୁ କାନରେ ବାଜୁଥାଏ ତିନି ଦିନ ଧରି ଶୁଣିଥିବା ସେହି କେତୋଟି ଶବ୍ଦ: ମାଳି, ଡଙ୍ଗର, ଝୋଲା ଓ ଝରନ୍; ମରିଯିବୁ ପଛେ ମାଳି ଛାଡ଼ିବୁ ନାହିଁର ସଂକଳ୍ପ ।
Comments
0 comments

