ନିୟମଗିରି ହାତେଇବା ପାଇଁ ବେଦାନ୍ତର ପୁନଃ ଉଦ୍ୟମ ଏବଂ ଓଡ଼ିଶା ଲୁଟ୍ ପାଇଁ ରାଜ୍ୟ ସରକାରଙ୍କ ଘୃଣ୍ୟ ଚକ୍ରାନ୍ତ ବିରୋଧରେ ସାମ୍ବାଦିକ ସମ୍ମିଳନୀ ।

5 Views
3 Min Read

ଭୁବନେଶ୍ୱର ତା୨୮/୦୯:

                               ଦୀର୍ଘ ପ୍ରାୟ ୧୩ ବର୍ଷ ପୂର୍ବେ ଐତିହାସିକ ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଆଦିବାସୀ ସମ୍ପ୍ରଦାୟଙ୍କ ତୀବ୍ର ବିରୋଧ ଯୋଗୁଁ ବନ୍ଦ ହୋଇଯାଇଥିବା ନିୟମଗିରି ବକ୍ସାଇଟ୍ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ପାଇଁ ତଥା ନିୟମଗିରି ଖଣି ହାତେଇବା ପାଇଁ ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଶନିବାର ପୁଣିଥରେ ଉଦ୍ୟମ କରିବା ବିରୋଧରେ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍), ଓଡ଼ିଶା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି।

ନିୟମଗିରିରେ ଖଣି ଖନନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ବେଦାନ୍ତର ଉଦ୍ୟମ ନିୟମଗିରି ସୁରକ୍ଷା ସମିତି ନେତୃତ୍ୱରେ ସ୍ଥାନୀୟ ଡଙ୍ଗରିଆ ଆଦିବାସୀ ମାନଙ୍କ ଆନ୍ଦୋଳନ ଯୋଗୁଁ ୨୦୧୩ ମସିହାରେ ବନ୍ଦ ହୋଇ ଯାଇଥିଲା। ଏହି ଅଞ୍ଚଳର ସମସ୍ତ ୧୧୨ ଖଣ୍ଡ ଗାଁର ଲୋକମାନେ ଏହାକୁ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ନିୟମଗିରି ପାହାଡ଼ରେ ଖଣି ଖନନ ଉପରେ ରୋକ୍ ଲଗାଇଥିଲେ। ସୁପ୍ରିମକୋର୍ଟଙ୍କ ରାୟରେ କୁହାଯାଇଥିଲା ଯେ, ନିୟମଗିରିରେ ଖଣି ଖନନ ହେବ କି ନାହିଁ, ତାହା ନିର୍ଣ୍ଣୟ କରିବାର ଅଧିକାର କେବଳ ଗ୍ରାମସଭା ଗୁଡ଼ିକର ରହିଛି। ସେହି ଆଧାରରେ ଏବଂ ଓଡ଼ିଶା ସରକାରଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ୧୨ଟି ଡଙ୍ଗରିଆ କନ୍ଧ ସଂପ୍ରଦାୟ ଅଧ୍ୟୁଷିତ ଗ୍ରାମର ଗ୍ରାମସଭା ଏକମତ ହୋଇ ଖଣି ପ୍ରସ୍ତାବକୁ ଖାରଜ କରିଥିଲେ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ପରେ ଅଗ୍ରୱାଲ କହିଥିଲେ ଯେ, ନିୟମଗିରି ପ୍ରକଳ୍ପକୁ ପୁନଃ ଆରମ୍ଭ କରିବା ସହିତ ଆଦିବାସୀମାନଙ୍କ ପାଇଁ ରୋଜଗାର ସୃଷ୍ଟି ନେଇ ଆଲୋଚନା ହୋଇଛି। ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି ବୋଲି ସେ କହିଥିଲେ।

ବୁଢ଼ା ବାଘ ବାଟୋଇକୁ ସୁନା କଙ୍କଣ ଲୋଭ ଦେଖାଇବା ପରି ଅଗ୍ରୱାଲ କହିଥିଲେ, “ଯେତେବେଳେ ଆମକୁ ନିୟମଗିରି ବକ୍ସାଇଟ୍ ଖଣି ଦିଆଯାଇଥିଲା, ସେତେବେଳେ ଏହାକୁ ଖୋଲିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ସରକାର ଆମକୁ କହିଛନ୍ତି ଯେ, ଆବଶ୍ୟକ ଅନୁମତି ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ, ଯାହାଦ୍ୱାରା ଏହାକୁ ଚାଲୁ କରାଯାଇପାରିବ ଏବଂ ହଜାର ହଜାର ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିବ।”ବେଦାନ୍ତ ଅଧ୍ୟକ୍ଷ କହିଥିଲେ ଯେ, ଓଡ଼ିଶାରେ ବିଶ୍ୱର ସର୍ବବୃହତ ବକ୍ସାଇଟ୍ ଭଣ୍ଡାର ରହିଛି, ଯାହା ବିପୁଳ ରୋଜଗାର ସୃଷ୍ଟି କରିପାରିବ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇ ପାରିବ।
ଏହା ସହିତ ଅଗ୍ରୱାଲ ଆସନ୍ତା ଦିନଗୁଡ଼ିକରେ ଓଡ଼ିଶାରେ ଖଣି, ଆଲୁମିନିୟମ୍, ରିଫାଇନିଂ ଏବଂ ଡାଉନ୍‌ଷ୍ଟ୍ରିମ୍ ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବା ପାଇଁ ବେଦାନ୍ତର ଯୋଜନା ଘୋଷଣା କରିଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ ଦ୍ଵାରା ପରିଚାଳିତ ସରକାର କିମ୍ବା କେନ୍ଦ୍ର ସରକାର ଅନୁସୂଚିତ ଅଞ୍ଚଳର ପ୍ରାକୃତିକ ସମ୍ପଦର ମାଲିକ ନୁହନ୍ତି। ଏହି ସମ୍ପଦ ଉପରେ ଆଦିବାସୀ ସମୁଦାୟଙ୍କର ସାମ୍ବିଧାନିକ ଅଧିକାର ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଓଡ଼ିଶାର ବକ୍ସାଇଟ୍ ଖଣିଗୁଡ଼ିକୁ ବେଦାନ୍ତ ଓ ଆଦାନୀ ଭଳି ହାତଗଣତି କର୍ପୋରେଟ୍ ସଂସ୍ଥାଙ୍କ ହାତରେ ଟେକି ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ପ୍ରାକୃତିକ ସମ୍ପଦ, ଜୈବ ବିବିଧତା ଓ ପରିବେଶ ସୁରକ୍ଷା ସହିତ ଆଦିବାସୀ ଓ କୃଷକମାନଙ୍କ ଜୀବିକାକୁ ସୁରକ୍ଷିତ ରଖିବା ପାଇଁ ଏବଂ ରାଜ୍ୟରେ ଆଉ କୌଣସି ନୂଆ ବକ୍ସାଇଟ୍ ଖଣି ଖନନକୁ ଅନୁମତି ନଦେବା ପାଇଁ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ ପକ୍ଷରୁ ଦାବି କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆସନ୍ତା ତା୨୯/୦୯/୨୬ରିଖ(ମଙ୍ଗଳବାର) ଦିନ ୧୧ ଘଣ୍ଟା ସମୟରେ ଭୁବନେଶ୍ବର ସ୍ଥିତ ଲୋହିଆ ଏକାଡେମୀ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ବିଶିଷ୍ଟ ପରିବେଶବିତ୍ ତଥା ଏନ୍.ଏ.ପି.ଏମ୍ (NAPM)ର ଜାତୀୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ।  


ନରେନ୍ଦ୍ର ମହାନ୍ତି,ରାଜ୍ୟ ଆବାହକ,(NAPM)*
ଫୋନ୍: ୯୪୩୭୪୨୬୬୪୭// ୭୦୦୮୪୮୩୬୨୨

Total Views: 5

Comments

0 comments

Share This Article