ଗତ ୧୨ବର୍ଷ ହେଲା ଆମେ ଗୋଟିଏ କଥା ଦେଖିବାକୁ ପାଉଛୁ । ଇତିହାସକୁ କବର ଦେଇ କାହାଣୀ ଲେଖି, ସେହି କାହାଣୀକୁ ଇତିହାସର ମାନ୍ୟତା ଦେବାପାଇଁ ଏକ ରୀତିମତ ଉଦ୍ୟମ ଜାରି ରହିଛି । ଗୋଟିଏ କଥା ମନେ ରଖିବା ଉଚିତ ଯେ, କାହାଣୀ ଯିଏ ଯେଉଁ ସମୟରେ ବି ଲେଖିପାରନ୍ତି କିନ୍ତୁ ସେହି କାହାଣୀଗୁଡ଼ିକ କେବେ ବି କଣ ଇତିହାସର ମାନ୍ୟତା ପାଇପାରିବ! ଇତିହାସକାରମାନେ ଭବିଷ୍ୟତରେ ଜନ୍ମନିଅନ୍ତି । ଅତୀତର ଗଭୀରତା ଭିତରକୁ ଯାଇ କେଉଁଟି କାହାଣୀ, କେଉଁଟି କଥା ଓ କେଉଁଟି ତଥ୍ୟ ବା ସତ୍ୟ, ତାହାର ତର୍ଜମା କରି ସତ୍ୟଗୁଡ଼ିକୁ ସାଂଉଟି ଆଣି ସମସାମୟିକ ସମୟରେ ଉପସ୍ଥାପନ କରିଥାନ୍ତି । ଏମିତି ବି ହୁଏ ବୋଲି ବି ଦୃଷ୍ଟାନ୍ତ ଅଛି ଯେ, ଇତିହାସକାର ନିଜ ଦୃଷ୍ଟିକୋଣରୁ ଯାହାକୁ ତଥ୍ୟ ବୋଲି ଭାବନ୍ତି, ତାହା ସଂଗ୍ରହ କରନ୍ତି ଏବଂ କିଛି ତଥ୍ୟ ବି ନିଜ ଦୃଷ୍ଟିକୋଣରୁ ଉପସ୍ଥାପନ କରିଥାନ୍ତି । ଯାହାକୁ ପ୍ରଭାବିତ ଇତିହାସ ବୋଲି କେହି କେହି ବି କହିପାରନ୍ତି । ତେବେ କାହାଣୀକୁ ଇତିହାସକାରମାନେ କେବେ ସତ୍ୟ ବା ବାସ୍ତବ ଥିଲା ବୋଲି କହିପାରିବା ଏକ କଷ୍ଟକର ବ୍ୟାପାର । ଶ୍ରୀରାମ, ଶ୍ରୀହନୁମାନ, ଶ୍ରୀକୃଷ୍ଣ ଇତ୍ୟାଦି ଅନେକ କାହାଣୀର ଚରିତ୍ରର ଉଦାହରଣ କୁହାଯାଇପାରେ । ହୁଏତ ସେମାନଙ୍କୁ ବଳିଷ୍ଠ ଚରିତ୍ର ଭାବେ ଉପସ୍ଥାପନ କରିବାରେ ରାମାୟଣ, ମହାଭାରତ ବା କୌଣସି ପୁରାଣ ଭଳି କାହାଣୀର ରଚୟିତାମାନଙ୍କର ଦକ୍ଷତାକୁ ନେଇ ଆଲେଚନା କରାଯାଇପାରେ । କିନ୍ତୁ କାହାଣୀଟି କେତେ ସୁନ୍ଦର ଏବଂ ଚରିତ୍ରଗୁଡ଼ିକ କେତେ ବଳିଷ୍ଠ ଲାଗିଲେ ବି ସେମାନେ ଯେ ଇତିହାସର ବ୍ୟକ୍ତି ଥିଲେ, ତାହା କହିବା ଅନ୍ତତଃ ବିଦ୍ୱାନମାନଙ୍କ ପାଇଁ କଷ୍ଟକର ବ୍ୟାପାର । ଅବଶ୍ୟ ଆଜିର ସମୟରେ ୱାଟ୍ସଆପ ଭଳି ସାମାଜିକ ଗଣମାଧ୍ୟମ ସୌଜନ୍ୟରୁ ହଜାର ହଜାର “ବିଦ୍ୱାନ’ ପ୍ରତିଦିନ ଜନ୍ମ ନେଉଛନ୍ତି । ଏଭଳି ମଧ୍ୟ ଧାରଣା ସୃଷ୍ଟି କରୁଛନ୍ତି ଯେ ଯେମିତିକି ସେମାନେ କାହାଣୀର ଚରିତ୍ରଗୁଡିକୁ ସ୍ୱଚକ୍ଷୁରେ ଦେଖିଛନ୍ତି ।
କାହାଣୀ ଯୁଗର କଥା କେବଳ ନୁହଁ; ଆମ ସମସାମୟିକ ସମୟରେ ବି ଏହି କଥା ଦେଖିବାକୁ ମିଳୁଛି । କିଛି ମଣିଷଙ୍କୁ ନିଜ ବ୍ୟକ୍ତିତ୍ୱଠାରୁ ବହୁତ ବଡ଼ କରି ଉପସ୍ଥାପନ କରାଯାଉଛି । ସେହି ମଣିଷ ମାନଙ୍କୁ ନେଇ ଚର୍ଚ୍ଚା ବି ଚାଲିଛି, ପ୍ରଚାର ବି ଚାଲିଛି, ପ୍ରସାର ବି ହେଉଛି । କିଛି କିଛି ମଣିଷଙ୍କୁ ଭଗବାନଙ୍କର ଅବତାର ବି କୁହାଯାଉଛି ବା ସେମାନେ ଦିବ୍ୟ ଅଂଶର ଗୋଟିଏ ଭାଗ ବୋଲି ମଧ୍ୟ କୁହାଯାଉଛି । କିନ୍ତୁ ସେମାନଙ୍କୁ ନେଇ ଯେଉଁ କାହାଣୀ ଲେଖାଯାଉଛି ବା ଯେଉଁଭଳି ଭାବାବେଗ ସୃଷ୍ଟି କରାଯାଉଛି, ତାହା ଯେ ଇତିହାସର ଏକ ବଳିଷ୍ଠ ଅଧ୍ୟାୟ ହେଇ ରହିବ – ଏହି କଥା ବର୍ତ୍ତମାନ ସମୟରେ ଯଦି କେହି ଭାବୁଥାଏ, ତାହାହେଲେ ହୁଏତ ସେ ଭାବନାଟି ନିରର୍ଥକ ଭବିଷ୍ୟତରେ ଜଣାପଡ଼ିବ ! କେହି କେହି ହୁଏତ କହିପାରନ୍ତି ଯେ ଏହି ଇତିହାସର ଆୟୁଷ କେତେ ! ଆଜିର ସମୟରେ ଆମେ ଦୁଇ ପ୍ରକାର ମଣିଷ / ଚରିତ୍ରମାନଙ୍କୁ ଦେଖୁଛେ । ଯେଉଁମାନଙ୍କୁ ନେଇ ହୁଏତ କୁହାଯାଇପାରେ ଯେ ଇତିହାସ ବହୁତ ଭଲ ଭାବରେ ମନେରଖିବ- ଖରାପ କାରଣ ଯୋଗୁଁ ହେଉ ବା ଭଲ କାରଣ ଯୋଗୁଁ ହେଉ । ଆଗଧାଡ଼ିରେ ନିଶ୍ଚିତ ଭାବରେ ଅଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତା’ ପଛକୁ ପଛ ଯଦି ଓଡ଼ିଶାର ମାଟିରୁ ଆମେ ଦେଖିବା-ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ, ଯିଏ କି ରାଷ୍ଟ୍ରପତି ଅଛନ୍ତି; ଏବଂ ଓଡ଼ିଶାର ଏବେ ଯିଏ ମୁଖ୍ୟମନ୍ତ୍ରୀ ଅଛନ୍ତି ଶ୍ରୀ ମୋହନ ମାଝୀ, ଯିଏ ବି ଜଣେ ଆଦିବାସୀ ସମ୍ପ୍ରଦାୟର ଲୋକ । ତା’ ପୂର୍ବରୁ ନବୀନ ପଟ୍ଟନାୟକ ଥିଲେ, ବିଜୁ ପଟ୍ଟନାୟକଙ୍କ ଦାୟାଦ । ଏହିଭଳି ଚରିତ୍ରମାନେ ଏବଂ ତାଙ୍କ ସମୟରେ ଯେଉଁ ନୀତି ନିଷ୍ପତ୍ତି ନିଆଯାଇଛି, ତାକୁ ରୋମାଞ୍ଚକର ଢଙ୍ଗରେ ଯେତେ ପ୍ରଚାର ପ୍ରସାର ଭିତରେ ଉପସ୍ଥାପନ କରାଯାଉଛି, ହୁଏତ ଲାଗିବ ଯେ ଏହି ସମୟଟା ଇତିହାସର ଗୋଟିଏ ସୁବର୍ଣ୍ଣ ଯୁଗ । ବିଶେଷକରି ସେମାନଙ୍କ ପାଇଁ, ଯେଉଁମାନେ ନିଜର ଏବଂ ନିଜ ବଂଶଧରମାନଙ୍କର ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଅନ୍ୟପଟେ ଆହୁରି ଅନେକ ବିକଳ୍ପ ଚରିତ୍ର ବି ଅଛନ୍ତି । ହୁଏତ ଏହି ମୁଖ୍ୟ ଚରିତ୍ରମାନଙ୍କ ପାଖରେ ଯେଉଁ ପ୍ରାଚୁର୍ଯ୍ୟ ଓ ପ୍ରଭାବ ଅଛି, ସମାଜକୁ ଏବଂ ସମାଜର ଗୋଟେ ବଡ଼ଧରଣର ବର୍ଗକୁ ପ୍ରଭାବିତ କରି ରଖିବାପାଇଁ ଏହି ଦ୍ୱିତୀୟ ଶ୍ରେଣୀର ଚରିତ୍ରମାନଙ୍କ ପାଖରେ ତାହା ନଥାଇପାରେ ! କିନ୍ତୁ ଗୋଟିଏ କଥା ଭଲଭାବେ ଆମେ ଓଡ଼ିଶା ପୃଷ୍ଠଭୂମିରେ ଦେଖୁଛେ ଯେ, ଓଡ଼ିଶାର ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ ଯେଉଁଠି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି, ଯାହାକୁ କେହି କେହି ଭୁଲରେ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି “ଖଣିଜ ସମ୍ପଦରେ ଭରା ଅଞ୍ଚଳ’ ବୋଲି କହନ୍ତି, ସେହିସବୁ ଅଞ୍ଚଳର ମଣିଷମାନେ କେଉଁ ଆଦିମ କାଳରୁ ସେହି ସବୁ ସ୍ଥାନରେ ରହି ଆସିଛନ୍ତି । ପୁରୁଷ ପୁରୁଷ ଧରି, ସେମାନେ ସେହି ପ୍ରାକୃତିକ ପ୍ରାଚୁର୍ଯ୍ୟର ସଂରକ୍ଷକ ହିସାବରେ କେବଳ ନିଜପାଇଁ ନୁହେଁ, ଭବିଷ୍ୟତର ବଂଶଧରମାନଙ୍କ ପାଇଁ ମଧ୍ୟ କାମ କରିଆସିଛନ୍ତି । ତାହାରି ଭିତରେ ରହିଛି ଝରଣା, ଡ଼ଙ୍ଗର, ପାହାଡ଼, ଜଙ୍ଗଲ ଓ ଜୀବଜଗତ ।
ଅନ୍ୟପଟେ ଯଦି ଆମେ ଦେଖିବା, ଯେଉଁମାନଙ୍କୁ ଆମେ ମୁଖ୍ୟ ଚରିତ୍ର କହୁଛେ ବା ମୁଖ୍ୟ ଚରିତ୍ର ଭାବେ ଯେଉଁମାନଙ୍କୁ ଉପସ୍ଥାପନ କରାଯାଉଛି, ସେମାନେ ଦେଶୀ-ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ଏହି ସବୁ ଅଞ୍ଚଳରେ ଭର୍ତ୍ତି କରି ଯାହା ବି ପ୍ରାକୃତିକ ବିଭବ ବଂଚି ରହିଛି ତାକୁ ଲୁଟ୍ କରି ଚାଲିଛନ୍ତି । ଯେଉଁ ଆଦିବାସୀମାନେ ପିଢ଼ି ପରେ ପିଢ଼ି, ପୁରୁଷ ପରେ ପୁରୁଷ, ସହସ୍ର ବର୍ଷ ଧରି ସେହି ଅଞ୍ଚଳକୁ ସୁରକ୍ଷା ଦେଇ ଆସିଛନ୍ତି ଏବଂ ମଣିଷ ସମାଜର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ନିଷ୍ଠାପର ଭାବେ କାମ କରି ଆସିଛନ୍ତି ସେହି ମଣିଷମାନଙ୍କୁ ଅତି ଅପ୍ରତ୍ୟାଶିତ ଭାବେ ଆଇନର ବାଟକୁ ବନ୍ଦ କରି ବାସଚ୍ୟୁତ କରାଯାଉଛି । ତେବେ ନିରସ୍ତ୍ର ଓ ନିରୀହ ଭାବେ ରହୁଥିବା ଏହି ପ୍ରକୃତି କୋଳର ମଣିଷମାନେ କିନ୍ତୁ ପ୍ରକୃତିର ବିଭବ ଗୁଡିକୁ ବହୁରାଷ୍ଟ୍ରୀୟ ଲୁଟେରାମାନଙ୍କ ହାତରେ ସମର୍ପଣ କରିଦେବା ସପକ୍ଷରେ ନାହାନ୍ତି । ପ୍ରତିବାଦର ସ୍ୱର ପ୍ରତିଧ୍ୱନିତ ହେଉଛି, ସେହି ପ୍ରତିବାଦର ସ୍ୱରକୁ ସବୁ ପ୍ରାନ୍ତରେ ପହଞ୍ଚାଇ ଚାଲିଛନ୍ତି କିଛି ଆଦିବାସୀ ଓ ଦଳିତ ନାରୀ ଏବଂ ପୁରୁଷ । ସେମାନେ ତାଙ୍କ ଲୋକମାନଙ୍କ ପାଇଁ ଓ ପ୍ରାକୃତିକ ବିଭବର ସୁରକ୍ଷାପାଇଁ ଗୋଟିଏ ଗୋଟିଏ ସମ୍ମାନାସ୍ପଦ ନାୟକ ବା ଯୋଦ୍ଧା, ଯଦିଓ ଲୁଣ୍ଠନ ଗୋଷ୍ଠୀର ମୁଖ୍ୟ ଚରିତ୍ରମାନେ ନିଜ ପ୍ରଭାବରେ ଥିବା ଗଣମାଧ୍ୟମକୁ ହାତବାରିସି କରି ବୋଲକରା ପୋଲିସର ଭାଷା ନେଇ ଏମାନଙ୍କୁ ଖଳ ଚରିତ୍ର ହିସାବରେ ନିନ୍ଦିତ କରାଉଛନ୍ତି । ଗୋଟିଏ ପଟେ ମୋହନ ମାଝୀଙ୍କ ଭଳି ଉଦାହରଣ ଥିଲାବେଳେ, ଅନ୍ୟପଟେ ଅଛନ୍ତି ଲଦ ସିକକା, ନାରଙ୍ଗ ଦେଈ ମାଝୀ, ହୀରାମାଳ ନାୟକ ଏବଂ ସେମାନଙ୍କୁ ସାଥି ଦେଉଥିବା ଲିଙ୍ଗରାଜ ଆଜାଦଙ୍କ ଭଳି ଚରିତ୍ରମାନେ । ଲୋକମାନଙ୍କ ସହ ମିଶି ଏମାନେ ଏହି ଲୁଟ୍ ପାଟ୍ ବା ଉପନିବେଶୀକରଣ ବିରୁଦ୍ଧରେ ଦୃଢ଼ ସ୍ୱରରେ ପ୍ରତିବାଦ କରୁଛନ୍ତି, ବିରୋଧ କରୁଛନ୍ତି, ଜେଲ୍ ଯାଉଛନ୍ତି, ମିଛ ମୋକଦ୍ଦମାରେ ଫସି ଯାଉଛନ୍ତି । ସମଗ୍ର ଅଞ୍ଚଳର ଲୋକମାନେ ରାତିରେ ଠିକ୍ରେ ଶୋଇ ପାରୁନାହାନ୍ତି । ଦିନରାତି ଡ୍ରୋନ୍ ମାଧ୍ୟମରେ ସେମାଙ୍କର ଗତିବିଧି ଉପରେ ନଜର ରଖାଯାଉଛି । ଏହି ଦୁଇ ଗୋଷ୍ଠିର ମଣିଷମାନଙ୍କ ଭିତରେ ଯେଉଁ କେତୋଟି ପ୍ରଭେଦ ରହୁଛି ତାହା ଆମ ସମସ୍ତଙ୍କୁ କିଛି ଉପାଦାନ ଦେଉଛି ମାନସ ମନ୍ଥନ ପାଇଁ । “ବିକାଶ ପୁରୁଷ’ ନରେନ୍ଦ୍ର ମୋଦୀଙ୍କ ଭୃତ୍ୟ ମୋହନ ମାଝିଙ୍କ ଦୃଷ୍ଟିରେ ଠିକ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଭଳି ସମଗ୍ର ଦକ୍ଷିଣ ଓଡ଼ିଶାରେ କେବଳ ବକ୍ସାଇଟ ଦେଖାଯାଉଥିବା ବେଳେ ଲଦ ସିକକା, ନାରଙ୍ଗୀ ଦେଇ ଏବଂ ହୀରାମାଳାଙ୍କ ଭଳି ଆଦିବାସୀଙ୍କ ଆଖିରେ କେବଳ ଶହ ଶହ ଝରଣା, ଘଞ୍ଚ ଜଙ୍ଗଲଭରା ପାହାଡ଼ ଏବଂ ସେଠି ରହୁଥିବା ନିରୀହ ମଣିଷ ଓ ଜୀବଜଗତ ଦେଖା ଯାଉଛନ୍ତି । କୁହାଯାଉଛି ଯେ ଓଡ଼ିଶାରେ ୨ଲକ୍ଷ କୋଟି ଟନରୁ ଅଧିକ ବକ୍ସାଇଟ ପଥର ମହଜୁଦ ଅଛି । ଯେଉଁ ହାରରେ ବକ୍ସାଇଟ ଖଣି ଖୋଳା ଚାଲିଛି, ଥିବା ଖଣିର ସମ୍ପ୍ରସାରଣ କରାଯାଉଛି ଏବଂ ନୂଆ ବକ୍ସାଇଟ ଖଣି ଖୋଳାପାଇଁ ବୁଝାମଣାପତ୍ର ସ୍ୱାକ୍ଷର ଚାଲିଛି, ହୁଏତ ଆଗାମୀ ଦିନରେ ପ୍ରଥମେ ଆଲୁମିନା ଓ ତାପରେ ଆଲୁମିନିୟମ ଉତ୍ପାଦନ ପାଇଁ ବର୍ଷକୁ ପାଞ୍ଚ କୋଟିରୁ ଦଶ କୋଟି ଟନ ବକ୍ସାଇଟ ଖୋଳିବାକୁ ପଡ଼ିବ । ଯଦି ଦଶ କୋଟି ଟନ୍ ବକ୍ସାଇଟ ବର୍ଷକୁ ଉତ୍ତୋଳନ କରାଯାଏ ତେବେ ଓଡ଼ିଶାରେ ମହଜୁଦ ଥିବା ସମଗ୍ର ବକ୍ସାଇଟ ପଥର ମାତ୍ର କୋଡିଏବର୍ଷ ଭିତରେ ସରିଯିବ । ଯଦି ବର୍ଷକୁ ପାଞ୍ଚକୋଟି ବକ୍ସାଇଟ ପଥର ଉତ୍ତୋଳନ କରାଯାଏ ତେବେ ମହଜୁଦ ଥିବା ବକ୍ସାଇଟ ସାରିବା ପାଇଁ ଚାଳିଶ ବର୍ଷ ଲାଗିବ । ଆମେ ଏହି ଦୃଶ୍ୟ ଦେଖିବାପାଇଁ ରହୁ ବା ନରହୁ ଝରଣା, ଜଙ୍ଗଲ, ପାହାଡ଼ ବିନା କେବଳ ଖଣିଜ ଶିଳ୍ପର ପ୍ରାଦୁର୍ଭାବ ଯୋଗୁଁ ସମଗ୍ର ଦକ୍ଷିଣ ଓଡିଶା ମରୁଭୂମି ପାଲଟିଯିବ । ସେଠାକାର ବାହାରିଆ ଥିଲାବାଲା ଲୋକ ଭୁବନେଶ୍ୱର ଭଳି ସହରମାନଙ୍କୁ ଆସି ବସବାସ କରି ରହିବେ । ନିରୀହ ଆଦିବାସୀମାନେ ଦାଦନ ଖଟିବାପାଇଁ କେଉଁ ଇଲାକାକୁ ଯିବାପାଇଁ ବାଧ୍ୟହେବେ ତାହାର ହିସାବ ବା ଠିକଣା ସରକାରଙ୍କ ପାଖରେ ରହିବନି, ଯେମିତିକି ଆଜିର ଦିନରେ ହୀରାକୁଦର ବାସଚ୍ୟୁତମାନେ କୁଆଡେ ଗଲେ ପ୍ରଶ୍ନ କଲେ ପ୍ରତିଧ୍ୱନୀଟିଏ ଶୁଣିବାକୁ ମିଳେ ।

ଦଳବଳ ଧରି ନିକଟରେ ମୁଖ୍ୟମନ୍ତ୍ରୀ UAE ଦେଶ ଗସ୍ତକରି ଆଦାନୀ ଏବଂ ଇଣ୍ଟରନ୍ୟାସନାଲ ହୋଲଡିଂ କମ୍ପାନୀସହ ଯେଉଁ “ଐତିହାସିକ ବୁଝାମଣା ପତ୍ର’ ସ୍ୱାକ୍ଷର କଲେ, କେଉଁଭଳି ଇତିହାସ ସୃଷ୍ଟି ହେବ, ତାହା ଯେ କେହି ବି ସାମାନ୍ୟ ଚିନ୍ତା କଲେ ବୁଝିପାରିବ । ଏକ ଲକ୍ଷ କୋଟିରୁ କିଛି ଅଧିକ ଟଙ୍କାର ପୁଞ୍ଜି କେବଳ ଆଲୁମିନିୟମ ଶିଳ୍ପ ପାଇଁ ଆସିବ, ସେଥିପାଇଁ ସେ କୌଣସି ଗ୍ରାମସଭାର ଅନୁମତି ନ ନେଇ ଓ ଆଦିବାସୀଙ୍କ ପ୍ରତିବାଦକୁ ଭ୍ରୂକ୍ଷେପ ନକରି ରାୟଗଡା ଏବଂ ସୁନ୍ଦରଗଡ଼ ଜିଲ୍ଲାର ସାତ ହଜାର ଏକର ଜମି ଆଦାନୀ କମ୍ପାନୀକୁ ହସ୍ତାନ୍ତର କଲେ ବୋଲି ଘୋଷଣାଟିଏ ମଧ୍ୟ କଲେ । ଠିକ ସେହି ସମୟରେ ବକ୍ସାଇଟ ଖଣି ଖନନକୁ ବିରୋଧ କରି ଚାଲିଥିବା ଆଦିବାସୀ ପ୍ରତିବାଦ ଆନ୍ଦୋଳନର ବଳିଷ୍ଠ ଚେହେରା ଲଦ ସିକକାଙ୍କୁ ସଶସ୍ତ୍ର ପୋଲିସର ଏକ ପଟୁଆର ଆସି ରାସ୍ତାରୁ ଉଠାଇନେଇ ମିଛ ମୋକଦ୍ଦମାରେ ବନ୍ଦୀକରି ରଖିଲେ । ଲଦ ଏକ ମିଛ ମୋକଦ୍ଦମାରୁ ମୁକ୍ତି ହୋଇ ନିଜ ଗାଁଙ୍କୁ ଫେରିବାବେଳେ ରାସ୍ତାରେ ସରକାରୀ ଅପହରଣର ଶିକାର ହୋଇଥିଲେ । ଏଠି ଆମ ମନ ଭିତରେ ଏହି ଦୁଇଟି ଚରିତ୍ରକୁ ନେଇ ପ୍ରଶ୍ନ ଆସିବା କଥା ଯେ, କାହାକୁ ନେଇ ଭବିଷ୍ୟତର ଇତିହାସ ଗର୍ବ କରିବ: ମୋହନ ମାଝୀ ନା ଲଦ ସିକକା? ଏହି ଯେଉଁ ତଥାକଥିତ ବିକାଶର ଇତିହାସ ସୃଷ୍ଟି କରାଯାଉଛି ତାହାର ଆୟୁଷ ସତରେ କେତେ ଦିନ !
Comments
0 comments
