‘ମୋର ରାଜନୈତିକ ଇଚ୍ଛାପତ୍ର’ (My Political Testament) :           ସୁଭାଷ ଚନ୍ଦ୍ର ବୋଷ

ଏହି ପତ୍ରଟିକୁ ‘ମୋର ରାଜନୈତିକ ଇଚ୍ଛାପତ୍ର’ (My Political Testament) ବୋଲି ସେ ଘୋଷଣା କରି ଚାହିଁଥିଲେ ଯେ ଏହାକୁ ସରକାର ତାଙ୍କର ସଂଗ୍ରହାଳୟରେ ସଂରକ୍ଷିତ ରଖିବେ

(ପ୍ରେସିଡେନ୍ସୀ ଜେଲରେ ବନ୍ଦୀଥିବା ସମୟରେ ସୁଭାଷ ବୋଷ ୨୬ ନଭେମ୍ବର ୧୯୪୦ରେ ଏକ ପତ୍ର ତତ୍କାଳୀନ  ବ୍ରିଟିଶ ସରକାରଙ୍କୁ ଲେଖିଥିଲେ ଓ ସେଥିରେ ସେ ଦାବି କରିଥିଲେ ଯେ ‘ମୋତେ ଖଲାସ କର ତା ନହେଲେ ମୁଁ ବଂଚିବା ଚାହିିଁବି ନାହିଁ’ (Release me or I shall refuse to live) ଏବଂ ୨୯ ନଭେମ୍ବର ୧୯୪୦ରୁ ଅନଶନ କରିବେ ବୋଲି ଘୋଷଣା କରିଥିଲେ । ସେତେବେଳକୁ ତାଙ୍କ ବୟସ ୪୩ ବର୍ଷ  ୧୦ ମାସ । ଏହି ପତ୍ରଟିକୁ ‘ମୋର ରାଜନୈତିକ ଇଚ୍ଛାପତ୍ର’ (My Political Testament) ବୋଲି ସେ ଘୋଷଣା କରି ଚାହିଁଥିଲେ ଯେ ଏହାକୁ ସରକାର ତାଙ୍କର ସଂଗ୍ରହାଳୟରେ ସଂରକ୍ଷିତ ରଖିବେ । ଏହି ପତ୍ରଟି ଏକ ଐତିହାସିକ ଦସ୍ତାବିଜ । ଏହା ସ୍ଥାନିତ ହୋଇଛି ଶିଶିର କୁମାର ବୋଷ ଓ ସୁଗତ ବୋଷଙ୍କ ସମ୍ପାଦିତ ପୁସ୍ତକ (The Alternative Leadership Speeches, Articles, Statements and Letters(June 1939-January 1941) ,Subhas Chandra Bose, Netaji Collected Works Vol.10, Netaji Research Bureau and Permanent Black, 2016, pp.192-198)ରେ । ଇଂରାଜୀରେ ଲିଖିତ ଏହି ସ୍ମରଣୀୟ ପତ୍ରଟିର ଓଡ଼ିଆ ଅନୁବାଦ ଆବଶ୍ୟକ ମନେହେଲା ସୁଭାଷପ୍ରେମୀ ଓଡ଼ିଆଙ୍କ ପାଇଁ । ତେଣୁ ନିମ୍ନରେ ଦିଆଗଲା ଅନୁବାଦ ।  ଅନୁବାଦକ: ବୀରେନ୍ଦ୍ର ନାୟକ)

 

Contents
(ପ୍ରେସିଡେନ୍ସୀ ଜେଲରେ ବନ୍ଦୀଥିବା ସମୟରେ ସୁଭାଷ ବୋଷ ୨୬ ନଭେମ୍ବର ୧୯୪୦ରେ ଏକ ପତ୍ର ତତ୍କାଳୀନ  ବ୍ରିଟିଶ ସରକାରଙ୍କୁ ଲେଖିଥିଲେ ଓ ସେଥିରେ ସେ ଦାବି କରିଥିଲେ ଯେ ‘ମୋତେ ଖଲାସ କର ତା ନହେଲେ ମୁଁ ବଂଚିବା ଚାହିିଁବି ନାହିଁ’ (Release me or I shall refuse to live) ଏବଂ ୨୯ ନଭେମ୍ବର ୧୯୪୦ରୁ ଅନଶନ କରିବେ ବୋଲି ଘୋଷଣା କରିଥିଲେ । ସେତେବେଳକୁ ତାଙ୍କ ବୟସ ୪୩ ବର୍ଷ  ୧୦ ମାସ । ଏହି ପତ୍ରଟିକୁ ‘ମୋର ରାଜନୈତିକ ଇଚ୍ଛାପତ୍ର’ (My Political Testament) ବୋଲି ସେ ଘୋଷଣା କରି ଚାହିଁଥିଲେ ଯେ ଏହାକୁ ସରକାର ତାଙ୍କର ସଂଗ୍ରହାଳୟରେ ସଂରକ୍ଷିତ ରଖିବେ । ଏହି ପତ୍ରଟି ଏକ ଐତିହାସିକ ଦସ୍ତାବିଜ । ଏହା ସ୍ଥାନିତ ହୋଇଛି ଶିଶିର କୁମାର ବୋଷ ଓ ସୁଗତ ବୋଷଙ୍କ ସମ୍ପାଦିତ ପୁସ୍ତକ (The Alternative Leadership Speeches, Articles, Statements and Letters(June 1939-January 1941) ,Subhas Chandra Bose, Netaji Collected Works Vol.10, Netaji Research Bureau and Permanent Black, 2016, pp.192-198)ରେ । ଇଂରାଜୀରେ ଲିଖିତ ଏହି ସ୍ମରଣୀୟ ପତ୍ରଟିର ଓଡ଼ିଆ ଅନୁବାଦ ଆବଶ୍ୟକ ମନେହେଲା ସୁଭାଷପ୍ରେମୀ ଓଡ଼ିଆଙ୍କ ପାଇଁ । ତେଣୁ ନିମ୍ନରେ ଦିଆଗଲା ଅନୁବାଦ ।  ଅନୁବାଦକ: ବୀରେନ୍ଦ୍ର ନାୟକ)ମହାମାନ୍ୟ ବଙ୍ଗଳାର ରାଜ୍ୟପାଳ,ମାନ୍ୟବର ମୁଖ୍ୟମନ୍ତ୍ରୀଓ ମନ୍ତ୍ରୀ ପରିଷଦର ସଦସ୍ୟ ବୃନ୍ଦ ।

ମହାମାନ୍ୟ ବଙ୍ଗଳାର ରାଜ୍ୟପାଳ,

ମାନ୍ୟବର ମୁଖ୍ୟମନ୍ତ୍ରୀ

ଓ ମନ୍ତ୍ରୀ ପରିଷଦର ସଦସ୍ୟ ବୃନ୍ଦ ।

 

ମହାମାନ୍ୟ ଓ ଭଦ୍ରବ୍ୟକ୍ତିଗଣ,

ମୁଁ ଏହା ଲେଖୁଛି ମାନ୍ୟବର ମନ୍ତ୍ରୀଙ୍କୁ ୩୦ ଅକ୍ଟୋବର ୧୯୪୦ରେ ଦିଆଯାଇଥିବା ମୋର ପତ୍ର ସନ୍ଦର୍ଭରେ(ଯାହାର ଏକ ପ୍ରତିଲିପି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି) ଏବଂ ୩୦ ଅକ୍ଟୋବର ଓ ୧୪ ନଭେମ୍ବରରେ ପ୍ରେସିଡେନ୍ସୀ ଜେଲର ଅଧୀକ୍ଷକଙ୍କ ନିକଟକୁ ଲେଖିଥିବା ଗୋପନୀୟ ପତ୍ର ସନ୍ଦର୍ଭରେ ଯାହାକୁ ମଧ୍ୟ ଯଥାସମୟରେ ସରକାରଙ୍କ ନିକଟକୁ ପଠାଯାଇଛି । ଏଠାରେ ମୁଁ ଲିଖିତ ଭାବରେ ଦରଜ କରିବାକୁ ଚାହେଁ ମୋର ବିଚାର ଯାହା ମୋତେ ବାଧ୍ୟ କରୁଛି ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ।

ମୋର ଆଉ କୌଣସି ଆଶା ନାହିଁ ଯେ ଆପଣଙ୍କ ହାତରୁ କୌଣସି ପ୍ରତିକାର ପାଇବି ବୋଲି । ମୁଁ ତେଣୁ କେବଳ ଦୁଇଟି ଅନୁରୋଧ କରିବି, ଦ୍ୱିତୀୟଟିକୁ ଏହି ଚିଠିର ଶେଷରେ । ମୋର ପ୍ରଥମ ଅନୁରୋଧ ହେଉଛି ଏହି ଚିଠିଟିକୁ ସରକାରଙ୍କ ଐତିହାସିକ ଦଲିଲ-ଦସ୍ତାବିଜ ସଂଗ୍ରହାଳୟ (archive)ରେ ଅତି ଯତ୍ନର ସହିତ ସଂରକ୍ଷିତ କରାଯିବା ଉଚିତ ଯାହା ଫଳରେ ଏହା ମୋର ସେହି ଦେଶବାସୀଙ୍କୁ ଉପଲବ୍ଧ ହୋଇପାରିବ ଯେଉଁମାନେ ଭବିଷ୍ୟତରେ ଆପଣମାନଙ୍କ ପଦବୀରେ ଅଧିଷ୍ଠିତ ହେବେ । ଏଥିରେ ମୋ ଦେଶବାସୀଙ୍କ ପାଇଁ ଏକ ବାର୍ତ୍ତା ରହିଛି, ତେଣୁ ଏହା ମୋର ରାଜନୈତିକ ଇଚ୍ଛାପତ୍ର ।

କୌଣସି ଆଫିସିକ (official) କୈଫିୟତ ବା ଯଥାର୍ଥତା ନ ଥାଇ ୨ ଜୁଲାଇ ୧୯୪୦ ଦିନ ବଙ୍ଗଳା ସରକାରଙ୍କ ଆଦେଶ ବଳରେ ମୋତେ ଗିରଫ କରାଗଲା ଭାରତ ରକ୍ଷା ନିୟମ (Defence of India Rule)ର ଧାରା ୧୨୯ ଅନୁସାରେ । ପ୍ରଥମ କୈଫିୟତ ଯାହା ଆଫିସିକ ସୂତ୍ରରୁ ପରେ ବାହାରିଲା ତାହା ଆସିଲା ଭାରତପାଇଁ ସଚିବ ମାନ୍ୟବର ଆମେରୀଙ୍କଠାରୁ, ଯେତେବେଳେ ସେ ହାଉସ ଅଫ କମନ୍ସ (House of Commons)ରେ ଅତି ସ୍ପଷ୍ଟ ଭାବେ କହିଲେ ଯେ ଗିରଫଦାରୀ ହୋଇଛି କଲିକତାରେ ହୋଇଥିବା ହଲୱେଲ ସ୍ମାରକର ବିଧ୍ୱଂସ ପାଇଁ ଆନ୍ଦୋଳନ  ସନ୍ଦର୍ଭରେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ବଙ୍ଗଳା ବିଧାନସଭାର ଏକ ବୈଠକରେ ଏହି ଘୋଷଣାକୁ ବସ୍ତୁତଃ ନିଶ୍ଚିତ (confirmed) କରି ଦେଇଥିଲେ, ଏବଂ କହିଥିଲେ ଯେ ମୋର ମୁକ୍ତି ପଥରେ ବାଧକ ହୋଇଛି ହଲୱେଲ ସ୍ମାରକ ସତ୍ୟାଗ୍ରହ । ଯେତେବେଳେ ସ୍ମାରକଟିକୁ ହଟାଇ ନେବାର ନିଷ୍ପତ୍ତି ସରକାର ନେଲେ, ସେତେବେଳେ ଯେଉଁମାନେ ଏହି ମାମଲାରେ ବିନା ବିଚାରରେ ଅଟକ ହୋଇଥିଲେ, ସେ ସଭିଙ୍କୁ ଖଲାସ କରି ଦିଆଗଲା କେବଳ ନରେନ୍ଦ୍ର ନାରାୟଣ ଚକ୍ରବର୍ତ୍ତୀ, ଏମ ଏଲ ଏ ଓ ମୋତେ ଛାଡ଼ି । ସେମାନେ ଖଲାସ ହେଲେ ଅଗଷ୍ଟ ୧୯୪୦ ଶେଷ ଆଡ଼କୁ । ଏବଂ ପ୍ରାୟ ସେହି ସମୟରେ, ଧାରା ୧୨୯ ଅନ୍ତର୍ଗତ ଦିଆଯାଇଥିବା ମୂଳ ନିର୍ଦ୍ଦେଶ  ସ୍ଥାନରେ, ଯାହା ଅନୁସାରେ ଅଟକ ଥିଲା ଅସ୍ଥାୟୀ, ମୋତେ ଧରାଇ ଦିଆଗଲା ଭାରତ ରକ୍ଷା ନିୟମ (Defence of India Rule)ର ଧାରା ୨୬ ଅନ୍ତର୍ଗତ ସ୍ଥାୟୀ ଅଟକର ନିର୍ଦ୍ଦେଶ  ।

ଆଶ୍ଚର୍ଯ୍ୟଜନକ ଭାବେ, ଧାରା ୨୬ ଅନ୍ତର୍ଗତ ନିର୍ଦ୍ଦେଶ  ସହିତ ସମ୍ବାଦ ଆସିଲା ଯେ ମୋ ବିରୋଧରେ ଭାରତ ରକ୍ଷା ନିୟମ (Defence of India Rule)ର ଧାରା ୩୮ ଅନ୍ତର୍ଗତ ମକଦ୍ଦମା ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଏର ହୋଇଛି-ମୋର ତିନୋଟି ଭାଷଣ ଓ ମୋର ଏକ ନିବନ୍ଧକୁ ନେଇ ଯାହା ସାପ୍ତାହିକ ପତ୍ରିକା ‘ଫରୱାର୍ଡ  ବ୍ଲକ’ ଯାହାର ମୁଁ ସମ୍ପାଦକ, ସେଥିରେ ପ୍ରକାଶିତ । ଏହି ତିନୋଟି ଭାଷଣ ମଧ୍ୟରୁ ଦୁଇଟି ଭାଷଣ ମୁଁ ଦେଇଥିଲି ଫେବୃଆରୀ,୧୯୪୦ରେ ଓ ତୃତୀୟଟି ଦେଇଥିଲି ଏପ୍ରିଲ ମାସରେ । ସରକାର ଏହିଭଳି ଏକ ଅଭୂତପୂର୍ବ ଓ ନିଆରା ପରିସ୍ଥିତି ସୃଷ୍ଟି କରଥିଲେ ଅଗଷ୍ଟ ମାସର ଶେଷ ଆଡ଼କୁ, ଗୋଟିଏ ଧାରାରେ ମୋତେ କୌଣସି ବିଚାର ନକରି ସ୍ଥାୟୀ ଭାବେ ଅଟକ ରଖିଲେ ଓ ସେହି ସମାନ ନିୟମର ଆଉ ଏକ ଧାରାରେ ସେହି ସମୟରେ ମୋ ବିରୋଧରେ ବିଚାର ହେଉଥିଲା ଏକ ନ୍ୟାୟିକ ଟ୍ରିବ୍ୟୁନାଲରେ । ଏହା ଘଟିବା ପୂର୍ବରୁ ଏପରି ମିଳନ ମୁଁ ଦେଖି ନାହିଁ କାର୍ଯ୍ୟନିର୍ବାହୀ ଆଦେଶ ଓ ନ୍ୟାୟିକ ପଦ୍ଧତିର । ଏପରି ନୀତି ସ୍ପଷ୍ଟଭାବରେ ଅବୈଧ ଏବଂ ଅନ୍ୟାୟ ଏବଂ ପ୍ରତିଶୋଧ ପରାୟଣତାର ଆଭାସ ଦିଏ ।

ଏହାକୁ ଅଣଦେଖା କରିହେବ ନାହିଁ ଯେ ଯେଉଁ ଅଭିଯୋଗ ହୋଇଛି ତାହା କଥିତ ଅପରାଧ ସଂଘଟିତ ହେବାର ବହୁ ପରେ । ଆହୁରି ମଧ୍ୟ ଅଣଦେଖା କରାଯାଇ ନପାରେ ଯେ ‘ଫରୱାର୍ଡ  ବ୍ଲକ’ରେ ପ୍ରକାଶିତ ସେହି ନିବନ୍ଧ ପାଇଁ ପତ୍ରିକା ଦଣ୍ଡିତ ହୋଇଯାଇଥିଲା, ୫୦୦ଟଙ୍କାର ଅମାନତ ଜବତ ହୋଇଥିଲା ଓ ପୁଣି ୨୦୦୦ଟଙ୍କାର ଅମାନତ ଦାଖଲ କରିବାକୁ ପଡ଼ିଥିଲା । ଏହାଛଡା, ବହୁଦିନ ପରେ କୌଣସି ପୂର୍ବ ସୂଚନା ନ ଦେଇ, ଯାହା ସରକାରଙ୍କର ଅଭ୍ୟାସ, ସହସା ପତ୍ରିକା ଉପରେ ଆକ୍ରମଣ କରାଯାଇଥିଲା ।   

ବଙ୍ଗଳା ସରକାରଙ୍କ ମନୋଭାବ ଆହୁରି ପଦାରେ ପଡ଼ିଥିଲା ଯେତେବେଳେ ମୋ ଜାମିନର ଆବେଦନ ଦୁଇଜଣ ବିଚାର କରୁଥିବା ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରଖାଗଲା । ଏହି ଦୁଇ ଆବେଦନକୁ ତୀବ୍ର ବିରୋଧ କରିଥିଲେ ସରକାରୀ ପ୍ରବକ୍ତା । ଗତ ଥର, ମାଜିଷ୍ଟ୍ରେଟଙ୍କ ମଧ୍ୟରୁ ଜଣେ-ଶ୍ରୀ ୱାଲୀ-ଉଲ-ଇସା୍ଲମ ଜାମିନ ଆବେଦନକୁ ମଂଜୁରୀ ଦେଇଥିଲେ, କିନ୍ତୁ ବାଧ୍ୟ ହୋଇଥିଲେ ମନ୍ତବ୍ୟ କରିବାକୁ ଯେ ଏହି ଆଦେଶ ସେତେବେଳ ଯାଏ ଅକାମୀ ରହିବ ଯେତେବେଳ ଯାଏ ସରକାର ଭାରତ ରକ୍ଷା ନିୟମ (Defence of India Rule)ର ଧାରା ୨୬ଅନ୍ତର୍ଗତ ମୋର ବିନା ବିଚାରରେ ଅଟକ ଆଦେଶକୁ ପ୍ରତ୍ୟାହାର ନ କରିଛନ୍ତି । ତେଣୁ ଏହା ଦିବାଲୋକ ପରି ସ୍ପଷ୍ଟ ଯେ ସରକାର ଏପରି ନୀତି ଅବଲମ୍ବନ କରୁଛନ୍ତି ଯାହା ନ୍ୟାୟିକ ଟ୍ରିବୁ୍ୟନାଲର ଇଚ୍ଛାଧୀନତା(Discretion)କୁ ବାଧିତ କରୁଛିି ଏବଂ ଆଇନ କାର୍ଯ୍ୟକାରିତାରେ  ହସ୍ତକ୍ଷେପ କରୁଛି । ସ୍ଥାନୀୟ ସରକାରଙ୍କର କାର୍ଯ୍ୟକଳାପ ଆହୁରି ଆପତ୍ତିଜନକ ମନେ ହେଉଛି ଯେତେବେଳେ ମନେ ପଡୁଛି କିପରି ସେମାନେ ଏପରି ମାମଲାରେ ଭାରତ ସରକାରଙ୍କ ନିର୍ଦ୍ଦେଶ କୁ ବେଖାତିର କରୁଛନ୍ତି ।

ସରକାରୀ ନୀତିର ଆଉ ଏକ ରୋଚକ ବୈଶିଷ୍ଟ୍ୟ ହେଉଛି ଏକ ସାଙ୍ଗରେ ଦୁଇ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମୋର ବିଚାର । ଯଦି ଉଦ୍ଦେଶ୍ୟ  ଥାନ୍ତା ଆଇନ ଅଦାଲତରେ ମୋର ଏକାଧିକ ଭାଷଣକୁ ପେଶ କରିବା, ଏହା ବେଶ ଭଲ ଭାବରେ ହୋଇପାରିଥାନ୍ତା ଦୁଇଜଣ ମାଜିଷ୍ଟ୍ରେଟଙ୍କ ପାଖକୁ ନ ଯାଇ କାରଣ ମୁଁ ଗତ ବାରମାସରେ ଯେତେ ଭାଷଣ ଦେଇଛି ସେ ସବୁ କଲିକତାର ସୀମା ଭିତରେ । ତେଣୁ ରାସ୍ତାରେ ଥିବା ମଣିଷ ଭାବିବାକୁ ବାଧ୍ୟ ହେବ ଯେ ସରକାର ମୋତେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏତେ ବ୍ୟଗ୍ର ଯେ ସେମାନେ ଆଇନର ଧନୁ(legal bow)ରେ ଦ୍ୱିତୀୟ ଗୁଣ (second string) ଲଗାଇଛନ୍ତି ।

ଶେଷ କିନ୍ତୁ ମହତ୍ୱପୂର୍ଣ୍ଣ କଥା ହେଉଛି, ଯେ କୌଣସି ନିରପେକ୍ଷ ବ୍ୟକ୍ତି ସରକାରଙ୍କର କାର୍ଯ୍ୟକୁ ମନ୍ଦ ଉଦ୍ଦେଶ୍ୟ ରେ ହେଉଥିବା ବୋଲି କହିବ, କାରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଛି କଥିତ ଅନିଷ୍ଟକାରୀ କାର୍ଯ୍ୟଟି ସଂଘଟିତ ହେବାର ଯଥେଷ୍ଟ ପରେ । ଯଦି କାର୍ଯ୍ୟଟି ପ୍ରକୃତରେ ଅନିଷ୍ଟକାରୀ ହୋଇଥାନ୍ତା, ତାହାହେଲେ ସରକାର ବହୁପୂର୍ବରୁ କାର୍ଯାନୁଷ୍ଠାନ କରିସାରନ୍ତେଣି, ଅର୍ଥାତ୍ ସେହି ସମୟରେ ଯେତେବେଳେ କଥିତ ଅପରାଧ ଘଟିଲା ।

ଭାରତ ରକ୍ଷା ନିୟମ (Defence of India Rule)ରେ ଗିରଫ ହେଉଥିବା ମୋଭଳି ବ୍ୟକ୍ତି ଓ ମୁସଲମାନ ବ୍ୟକ୍ତିଙ୍କ ପ୍ରତି ଆପଣଙ୍କ ମନୋଭାବରେ ପାର୍ଥକ୍ୟକୁ ମୁହୂର୍ତ୍ତକ ପାଇଁ ତୁଳନା କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରିପାରେ କି? ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଏପରି ଘଟଣା  ଘଟିଛି ଯେଉଁଥିରେ  ଭାରତ ରକ୍ଷା ନିୟମ ବଳରେ ଗିରଫ ମୁସଲମାନମାନଙ୍କୁ କୌଣସି ଯୁକ୍ତିଯୁକ୍ତ ବିଚାର ନଥାଇ (without reason or rhyme) ସହସା ଛାଡ଼ି ଦିଆଯାଇଛି? ମୁରାପରାର ମୌଲୁବୀଙ୍କର ସଦ୍ୟ ଉଦାହରଣ ଲୋକଙ୍କ ମନରେ ଏତେ ସତେଜ ଅଛି ଯେ ତାହାକୁ ପୁନର୍ବାର କହିବାର ଆବଶ୍ୟକତା ନାହିଁ । ଆମେ କଣ ଏହା ବୁଝିବୁ ଯେ ଆପଣଙ୍କ ଶାସନରେ ମୁସଲମାନଙ୍କ ପାଇଁ ଗୋଟିଏ ଆଇନ ଓ ହିନ୍ଦୁଙ୍କ ପାଇଁ ଭିନ୍ନ ଆଇନ ଏବଂ ଭାରତ ରକ୍ଷା ନିୟମର ଅର୍ଥ ଭିନ୍ନ ଯେତେବେଳେ ଜଣେ ମୁସଲମାନ ବ୍ୟକ୍ତି ସମ୍ପୃକ୍ତ? ଯଦି ଏଇୟା ତାହାହେଲେ ସରକାର ଏହି ସନ୍ଦର୍ଭରେ ଏକ ଘୋଷଣା କରିପାରନ୍ତି ।

ମୁହୂର୍ତ୍ତକ ପାଇଁ ଧରି ନିଆଯାଉ ଯେ ମୋତେ ବନ୍ଦୀ କରିବାପାଇଁ ସ୍ଥାନୀୟ ସରକାର ନୁହେଁ, ଭାରତ ସରକାର ଦାୟୀ । ମୁଁ ମନେ ପକାଇ ଦେବାକୁ ଚାହେଁ ଯେ ମୋ ସମ୍ପର୍କରେ ପଣ୍ଡିତ ଏଲ୍. କେ. ମୈତ୍ରଙ୍କ ଦ୍ୱାରା ଭାରତୀୟ ବ୍ୟବସ୍ଥାପକ ସଭା (Indian Legislative Assembly)ରେ ଏହି ସେ ଦିନ ଆଗତ ମୁଲତବୀ ପ୍ରସ୍ତାବର ଉତ୍ତରରେ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏହି ବିଷୟକୁ କେନ୍ଦ୍ରୀୟ ସଭାକୁ ଅଣାଯିବା ଉଚିତ ନୁହେଁ କାରଣ ମୁଁ ବଙ୍ଗଳା ସରକାରଙ୍କ ଦ୍ୱାରା ବନ୍ଦୀ ହୋଇଛିି । ମୋର ବିଶ୍ୱାସ ଏହିଭଳି ଏକ ସ୍ୱୀକାରୋକ୍ତି ମନ୍ତ୍ରାଳୟ ତରଫରୁ ବଙ୍ଗଳା ବିଧାନସଭାରେ ହୋଇଛି ।

ଏବଂ ଆମେ ଭୁଲିପାରିବା ନାହିଁ ଯେ ଏଠି ବଙ୍ଗ ଦେଶରେ ଆମେ ଏକ ‘ଜନପ୍ରିୟ’ ସରକାରଙ୍କ କୃପାମୟ ସୁରକ୍ଷାରେ ବାସ କରୁଛୁ ।

ଭାରତୀୟ ବ୍ୟବସ୍ଥାପକ ସଭାକୁ ମୋର ସଦ୍ୟ ନିର୍ବାଚନ ଫଳରେ ଆଉ ଏକ ବିଷୟ ଉଠୁଛି- ବିଷୟଟି ହେଉଛି ବ୍ୟବସ୍ଥାପକ ସଭାର ଅଧିବେଶନ ଚାଲିଥିବା ସମୟରେ ସଦସ୍ୟଙ୍କର ଗିରଫରୁ ଅବ୍ୟାହତି (Immunity from imprisonment) । ଏହି ଅଧିକାର ସବୁ ସମ୍ବିଧାନରେ  ଅନ୍ତର୍ନିହିତ, ତାହା ଆଇନରେ ସ୍ପଷ୍ଟ ଉଲ୍ଲେଖ ହୋଇଥାଉ ବା ନ ହୋଇଥାଉ, ଏବଂ ଏହି ଅଧିକାର ଆସିଛି ଏକ ଦୀର୍ଘ ସଂଘର୍ଷ ପରେ । ଏହି ନିକଟରେ ବର୍ମା ସରକାର ଦୋଷୀ ସାବ୍ୟସ୍ତ ହୋଇଥିବା ବନ୍ଦୀଙ୍କୁ ବର୍ମା ବ୍ୟବସ୍ଥାପକ ସଭାର ବୈଠକରେ ଯୋଗ ଦେବାପାଇଁ ଅନୁମତି ଦେଇଛନ୍ତି, କିନ୍ତୁ ଯଦିଓ ମୁଁ ଦୋଷୀ ସାବ୍ୟସ୍ତ ହୋଇଥିବା ବନ୍ଦୀ ନୁହେଁ, ମୋତେ ଆମର ‘ଜନପ୍ରିୟ’ ମନ୍ତ୍ରିମଣ୍ଡଳ ଦ୍ୱାରା ଏହି ଅଧିକାରରୁ ବଂଚିତ କରାଯାଇଛି ।

ଯଦି ପକ୍ଷ ସମର୍ଥକ(apologist)ମାନେ ସରକାରଙ୍କ ସପକ୍ଷରେ କାପ୍ଟେନ ରାମସେ ଏମ୍ ପିଙ୍କର ନଜିର ଦେବାକୁ ଚେଷ୍ଟା କରନ୍ତି, ତାହାହେଲେ ମୁଁ କହିବି ଯେ କାପ୍ଟେନ ରାମସେଙ୍କର ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି, କିନ୍ତୁ ଆମକୁ ସବୁ ତଥ୍ୟ ଜଣା ନାହିଁ, ତେଣୁ ଏପଟୁ ହେଉ ବା ସେପଟୁ ହେଉ ଯୁକ୍ତି କରିବା କଷ୍ଟ । ଜଣେ ଅବଶ୍ୟ ଗୁରୁତ୍ୱ ଦେଇ କହିପାରେ ଯେ ଯଦି କାପ୍ଟେନ ରାମସେଙ୍କୁ ଅନ୍ୟାୟ ଭାବେ ବନ୍ଦୀ କରାଯାଇଛି ଓ ଶେଷକୁ ଏହାର କୌଣସି ନିବାରଣ ହେବ ନାହିଁ ବୋଲି ଜଣାଯାଉଛି, ତାହାହେଲେ ଗ୍ରେଟ ବ୍ରିଟେନକୁ ଆମେରିକାର ରାଜଦୂତ ଶ୍ରୀଯୁକ୍ତ କେନେଡି ଓ ଅନ୍ୟମାନେ ଯାହା କହୁଛନ୍ତି ଯେ ଇଂଲଣ୍ଡରେ ଗଣତନ୍ତ୍ରର ମୁତ୍ୟୁ  ହୋଇଛି, ତାହା ହିଁ ପ୍ରମାଣିତ ହେଉଛି । ତେବେ ଯାହା ହେଉ, କାପ୍ଟେନ ରାମସେଙ୍କର ସୁଯୋଗ ଅଛି ତାଙ୍କ ମାମଲାର ପରୀକ୍ଷା ହାଉସ ଅଫ କମନ୍ସର ଏକ କମିଟି ଦ୍ୱାରା ହୋଇପାରିବ ।

ମୋ ମାମଲା ସମ୍ପର୍କରେ କହିଲେ, ଦୁଇଟି ବଡ଼ ପ୍ରଶ୍ନର ବିଚାର ଆବଶ୍ୟକ । ପ୍ରଥମତଃ ଭାରତ ରକ୍ଷା ନିୟମର କୌଣସି ନୈତିକ ବା ଜନ ସ୍ୱୀକୃତି ଅଛି କି? ଦ୍ୱିତୀୟତଃ, ଏହି ନିୟମ ଯାହା ତାହାର ପ୍ରୟୋଗ ମୋ କ୍ଷେତ୍ରରେ ସଠିକ ଭାବରେ ହୋଇଛି କି? ଉଭୟ ପ୍ରଶ୍ନର ଉତ୍ତର  ନେତିବାଚକରେ (in negative) ।  

ଭାରତ ରକ୍ଷା ନିୟମ ପଛରେ କୌଣସି ନୈତିକ ସମର୍ଥନ ନାହିଁ କାରଣ ଏହି ନିୟମ ଦ୍ୱାରା ଲୋକଙ୍କର ମୈାଳିକ ଅଧିକାର ଓ ସ୍ୱାଧୀନତାର ଉଲ୍ଲଂଘନ ହୋଇଥାଏ । ଅଧିକନ୍ତୁ , ଏହା ମୂଳତଃ ଏକ ଯୁଦ୍ଧ ଉପାୟ(war measure), ଏବଂ ଯେପରି ସମସ୍ତଙ୍କୁ ଜଣାଅଛି, ଭାରତକୁ ଏକ ଯୁଦ୍ଧରତ (belligerent) ଶକ୍ତିଭାବେ ଘୋଷଣା କରାଯାଇଛି ଏବଂ ଭାରତର ଲୋକଙ୍କର ବା ଭାରତୀୟ ବ୍ୟବସ୍ଥାପିକାର କୌଣସି ସମ୍ମତି ନ ନିଆଯାଇ ଯୁଦ୍ଧକୁ ଘୋଷଣା ଯାଇଛି । ଏହା ଛଡ଼ା, ଏହି ନିୟମଗୁଡ଼ିକ ତ ବିରୋଧ କରୁଛି ବ୍ରିଟେନର ସେ ମୁଖର ଦାବିକୁ ଯେ ସେମାନେ ସ୍ୱାଧୀନତା ଓ ଗଣତନ୍ତ୍ର ପାଇଁ ଲଢୁଛନ୍ତି । ଏବଂ ଶେଷକୁ, କେନ୍ଦ୍ରୀୟ ସଭାରେ(central assembly) ଭାରତ ରକ୍ଷା ଆଇନ (Act) ବା ନିୟମ (Rules) ଗୃହୀତ ହେବା ପ୍ରକ୍ରିୟାରେ କଂଗ୍ରେସ ଦଳ ସାମିଲ ନ ଥିଲା । ଏହିଭଳି ପରିସ୍ଥିତିରେ ଏହା କଣ ଅନୁଚିତ ହେବ କହିବା ଯେ ଭାରତ ରକ୍ଷା ନିୟମ ପ୍ରକୃତରେ ଭାରତ ଦମନ ନିୟମ (Suppression of India Rules ) ବା ଅନ୍ୟାୟ ରକ୍ଷା ନିୟମ (Defence of Injustice Rules) ।

ସରକାରଙ୍କ ତରଫରୁ ଏହା କୁହାଯାଇପାରେ ଯେ ଭାରତ ରକ୍ଷା ଆଇନ ଯେହେତୁ କେନ୍ଦ୍ରୀୟ ବ୍ୟବସ୍ଥାପିକାର ଆଇନ, ତେଣୁ ଏହି ଆଇନ ଅନ୍ତର୍ଗତ ହୋଇଥିବା ନିୟମକୁ ପ୍ରାଦେଶିକ ସରକାରମାନେ ଲାଗୁ କରିବାକୁ ବାଧ୍ୟ । କିନ୍ତୁ ଉପରୋକ୍ତ ଧାଡ଼ିଗୁଡ଼ିକରେ ଯଥେଷ୍ଟ କୁହାଯାଇଛି ପ୍ରମାଣିତ କରିବାକୁ ଅଭିଯୋଗ ଯେ ଏହି ନିୟମଗୁଡିକ, ଯେପରି ବର୍ତ୍ତମାନ ପ୍ରଚଳିତ, ତାହାର ପ୍ରୟୋଗ ମୋ କ୍ଷେତ୍ରରେ ସଠିକ ଭାବରେ ହୋଇନାହିଁ । ଏହା ପ୍ରକାଶ୍ୟ ଭାବରେ ଅନ୍ୟାୟ ଓ ଅବୈଧ । ଏପରି ଅଦ୍ଭୂତ ଆଚରଣ ସମ୍ପର୍କରେ କେବଳ ଗୋଟିଏ ସ୍ପଷ୍ଟୀକରଣ ହୋଇପାରେ, ଯାହା ମୋ ମନକୁ ଆସୁଛି, ତାହା  ହେଉଛି ସରକାର ଖୋଲାଖୋଲି ଭାବେ ମୋ ପ୍ରତି ପ୍ରତିଶୋଧମୂଳକ ନୀତି ଅବଲମ୍ବନ କରୁଛନ୍ତି ଯାହାର କାରଣ ବେଶ ଅବୋଧ୍ୟ (Inexplicable) ।

ଗତ ଦୁଇମାସ ଧରି ଗୋଟିଏ ପ୍ରଶ୍ନ ମୋ ବିବେକର ଦ୍ୱାରଦେଶରେ ବାରମ୍ବାର ବାରମ୍ବାର  ଆଘାତ ଦେଉଛି ଯେ ଏହିପରି ଅପ୍ରୀତିକର ଅବସ୍ଥାରେ (predicament) ମୁଁ କଣ କରିବା ଉଚିତ । କଣ ମୁଁ ପରିସ୍ଥିତିର ଚାପ ଆଗରେ ନଇଁଯିବି ଏବଂ ଯାହା ମୋ ପାଖକୁ ଆସୁଛି ତାହାକୁ ଗ୍ରହଣ କରିନେବି ନା ମୁଁ ଯାହାକୁ ଅନୁଚିତ, ଅବୈଧ ଓ ଅନ୍ୟାୟ ଭାବୁଛି, ତା ବିରୋଧରେ ପ୍ରତିବାଦ କରିବି? ବହୁ ପରିପକ୍ୱ ବିଚାର-ବିମର୍ଶ ପରେ ମୁଁ ଏହି ନିଷ୍କର୍ଷରେ ପହଂଚିଛି ଯେ ପରିସ୍ଥିତି ସାମନାରେ ଆତ୍ମସମର୍ପଣର ପ୍ରଶ୍ନ ଉଠୁନାହିଁ । ଭୁଲ କରିବାଠାରୁ, ହେଉଥିବା ଭୁଲ ସମ୍ମୁଖରେ ନଇଁଯିବା ଅଧିକ ଗୁରୁତର ଅପରାଧ । ତେଣୁ, ମୁଁ ନିଶ୍ଚିତ ପ୍ରତିବାଦ କରିବି ।

କିନ୍ତୁ ଆଜିକାଲି ଅନେକ ପ୍ରତିବାଦ ହେଉଛି ଏବଂ ପ୍ରତିବାଦ କରିବାର ସବୁ ସାଧାରଣ ଉପାୟଗୁଡ଼ିକ ଶେଷ ହୋଇଯାଇଛି । ପ୍ରେସରେ ଓ ପ୍ଲାଟଫର୍ମରେ ଆନ୍ଦୋଳନ , ସରକାରଙ୍କୁ ଆବେଦନ, ବିଧାନସଭାରେ ଦାବୀ, ଆଇନ ପନ୍ଥାର ଅବଲମ୍ବନ -ଏସବୁ ଉପାୟର ଚେଷ୍ଟା ଇତି ମଧ୍ୟରେ ହୋଇଯାଇ ନାହିଁ କି ଓ ଏଗୁଡିକ ପ୍ରଭାବହୀନ ବୋଲି ଜଣାପଡି ନାହିଁ କି? କେବଳ ଗୋଟିଏ ଉପାୟ ଶେଷକୁ ରହିଛି- ବନ୍ଦୀ ହାତରେ ଶେଷ ଅସ୍ତ୍ର, ତାହା ହେଉଛି ଅନଶନ-ଧର୍ମଘଟ । ମୁଁ ଏପରି ପଦକ୍ଷେପର ସୁବିଧା-ଅସୁବିଧାକୁ ଯୁକ୍ତିଦେଇ ଧୀର ସ୍ଥିର ଭାବରେ  ପରୀକ୍ଷା କରିଛି, ଏଥିରୁ ଲାଭ କ୍ଷତି କଣ ହେବ ତାହା ମଧ୍ୟ ତଉଲିଛି । ମୋର ଏହି ବିଷୟରେ କୌଣସି ଭ୍ରମ ନାହିଁ ଏବଂ ମୁଁ ମଧ୍ୟ ସମ୍ପୂର୍ଣ୍ଣ ସଚେତନ ଯେ ଏହାଦ୍ୱାରା ସହସା କିଛି ବାସ୍ତବ ଲାଭ ହେବାର ନାହିଁ କାରଣ ଏହିଭଳି ସଙ୍କଟରେ ସରକାର ଓ ତାର ଅମଲାତନ୍ତ୍ରର ବ୍ୟବହାର ସହିତ ମୁଁ ବେଶ ପରିଚିତ । ଟେରେନ୍ସ  ମାକସ୍ୱିନି(Terence Macsweeney)(ବ୍ରିଟିଶ କାରାଗାରରେ ଅନଶନ କରିଥିବା ଅବସ୍ଥାରେ (୭୪ ଦିନରେ) , ୨୫ ଅକ୍ଟୋବର ୧୯୨୦ ଦିନ ପ୍ରାଣ ହରାଇଥିବା ଆୟାରଲ୍ୟାଣ୍ଡର ବିପ୍ଳବୀ) ଓ ଯତୀନ ଦାସ (ବ୍ରିଟିଶ ଶାସନ କାଳରେ ଲାହୋର କାରାଗାରରେ ଅନଶନ କରିଥିବା ଅବସ୍ଥାରେ (୬୩ ଦିନରେ), ୧୩ ସେପ୍ଟେମ୍ବର ୧୯୨୯ ଦିନ ପ୍ରାଣ ହରାଇଥିବା ଭାରତୀୟ ବିପ୍ଳବୀ)ଙ୍କର ଅତୁଳନୀୟ ଓ ଅମର ଉଦାହରଣ ଏହି ମୁହୂର୍ତ୍ତରେ ମୋ ମାନସ ଚକ୍ଷୁରେ ଭାସୁଛି । ବ୍ୟବସ୍ଥା (A System)ର ହୃଦୟ ନ ଥାଏ ଯାହାକୁ ପ୍ରଭାବିତ କରାଯାଇପାରେ ଯଦିଓ ଏହାର ଥାଏ ପ୍ରତିଷ୍ଠାର ମିଥ୍ୟା ଅହଂକାର ଯାହାକୁ ସେ ସବୁବେଳେ ଜାବୁଡି ଧରିଥାଏ ।

ବର୍ତ୍ତମାନ ଅବସ୍ଥାରେ ଜୀବନ ମୋ ପାଇଁ ଦୁର୍ବିସହ ହେଲାଣି । ଅବୈଧତା ଓ ଅନ୍ୟାୟ ସହିତ ସାଲିସ କରି ନିଜର ଅସ୍ତିତ୍ୱକୁ କାଏମ ରଖିବା ମୋର ପ୍ରବୃତ୍ତି ବିରୋଧୀ । ମୁଁ ବରଂ ଜୀବନ ପରିତ୍ୟାଗ କରିଦେବି, ଏ ମୂଲ୍ୟ ଦେବି ନାହିଁ । ସରକାର ଦୃଢ଼ ଯେ ସେ ମୋତେ ପାଶବିକ ବଳ ପ୍ରୟୋଗ କରି ବନ୍ଦୀ ଭାବରେ ରଖିବେ । ମୋର ଉତ୍ତର ହେଉଛି, “ମୋତେ ଖଲାସ କର ତା ନହେଲେ ମୁଁ ବଂଚିବା ଚାହିିଁବି ନାହିିଁଁ -ମୁଁ ହିଁ ସ୍ଥିର କରିବି ମୁଁ ବଂଚିବି ବା ମରିବି ।”

ଯଦିଓ ଏହାର କୌଣସି ବାସ୍ତବ ଲାଭ ସହସା ମିଳି ନ ପାରେ, କିନ୍ତୁ କୌଣସି କଷ୍ଟଭୋଗ(suffring) , କୌଣସି ତ୍ୟାଗ (sacrifice) କଦାପି ବ୍ୟର୍ଥ ଯାଏନା । କେବଳ କଷ୍ଟଭୋଗ ଓ ତ୍ୟାଗଦ୍ୱାରା ହିଁ ଏକ ଉଦ୍ଦେଶ୍ୟ  (cause) ବିକଶିତ ଓ ସମୃଦ୍ଧ ହୋଇପାରେ, ଏବଂ ପ୍ରତ୍ୟେକ ଯୁଗରେ ଓ ଅଂଚଳରେ ଏକ ଶାଶ୍ୱତ ନିୟମ ହିଁ ପ୍ରଚଳିତ-‘ସହିଦର ରକ୍ତ ଚର୍ଚ୍ଚର ମଂଜି’ (‘the blood of the martyr is the seed of the church’) ।

ଏହି ନଶ୍ୱର ପୃଥିବୀରେ ସବୁ ଜିନିଷ ନଷ୍ଟ ହୁଏ ଏବଂ ନଷ୍ଟ ହେବ-କିନ୍ତୁ ନଷ୍ଟ ହେବ ନାହିଁ ବିଚାର, ଆଦର୍ଶ ଓ ସ୍ୱପ୍ନ । ଜଣେ ବ୍ୟକ୍ତିର ମୃତୁ୍ୟ ତାର ବିଚାର ପାଇଁ ହୋଇପାରେ, କିନ୍ତୁ ତାର ମୁତ୍ୟୁ ପରେ ସେ ବିଚାର ସହସ୍ର ଜୀବନରେ ସାକାର (incarnate)ହୋଇପାରେ । ଏହିଭଳି ଭାବେ ବିବର୍ତ୍ତନର ଚକ୍ର ବୁଲିଥାଏ, ଏବଂ ଗୋଟିଏ ପିଢ଼ିର ବିଚାର, ଆଦର୍ଶ ଓ ସ୍ୱପ୍ନ ପର ପିଢ଼ିକୁ ହସ୍ତାନ୍ତରିତ (bequeathed) ହୋଇଥାଏ । ଏହି ବିଶ୍ୱରେ କଷ୍ଟଭୋଗ ଓ ତ୍ୟାଗର ଅଗ୍ନି ପରୀକ୍ଷା ନଦେଇ କୌଣସି ବିଚାର ପୂର୍ଣ୍ଣତା ଲାଭ କରିନାହିଁ ।

ଏହି ଅନୁଭବଠାରୁ ବଡ଼ ସାନ୍ତ୍ୱନା କଣ ହୋଇପାରେ ଯେ ଜଣେ ଗୋଟିଏ ନୀତିପାଇଁ ବଂଚିଲା ଓ ମରିଲା? ଏପରିି ଜ୍ଞାନ ପାଇବାଠାରୁ ଉଚ୍ଚତର ସନ୍ତୋଷ କଣ ହୋଇପାରେ ଯେ ତାର ଆତ୍ମା ବହୁ ସ୍ୱଜାତୀୟ ଆତ୍ମାଙ୍କୁ ଜନ୍ମ ଦେଇପାରେ ଯେଉଁମାନେ ତାର ଅସଂପୂର୍ଣ୍ଣ କାର୍ଯ୍ୟକୁ ଆଗକୁ ନେବେ? ଏହାଠାରୁ ବଡ଼ ପୁରସ୍କାର କଣ ଜଣେ ଆଶା କରିପାରେ ଯେ ତାର ବାର୍ତ୍ତାର ଗୁଂଜରଣ ନିଶ୍ଚିତ ଶୁଭିବ ପାହାଡ଼, ଉପତ୍ୟକା ଏବଂ ତା ଇଲାକାର ବିସ୍ତୀର୍ଣ୍ଣ ସମତଳ ଅଂଚଳରେ ଓ ସମୁଦ୍ର ଉପର ଦେଇ ଦୂରସ୍ଥ ଇଲାକାରେ? ନିଜ ନୀତିର ଯଜ୍ଞ କୁଣ୍ଡରେ ଶାନ୍ତିପୂର୍ଣ୍ଣ ଆତ୍ମାହୂତି ଦେବାଠାରୁ ବଡ଼ ପରିପୂର୍ଣ୍ଣତା ଜୀବନ କଣ ହାସଲ କରିପାରେ?  

ତେଣୁ ଏହା ସ୍ପଷ୍ଟ ଯେ କେହି କଷ୍ଟଭୋଗ ଓ ତ୍ୟାଗ ଦ୍ୱାରା କିଛି ହରାଏନାା  ଯଦି ଏହି ପୃଥିବୀରେ ପାର୍ଥିବ  ସେ କିଛି ହରାଏ, ସେ  ବହୁତ ଅଧିକ ପାଇବ ଏହା ବଦଳରେ, ଏକ ଅମର ଜୀବନ (life immortal)ର ଉତ୍ତରାଧିକାରୀ ହୋଇ ।

ଏହା ହିଁ ଆତ୍ମାର କାର୍ଯ୍ୟ ପଦ୍ଧତି । ବ୍ୟକ୍ତି ମରିବା ଦରକାର ତାହାହେଲେ ଯାଇ ଜାତି ବଂଚିବ । ଆଜି ମୁଁ ମରିବା ଦରକାର, ତାହାହେଲେ ଭାରତ ବଂଚିବ, ସ୍ୱାଧୀନତା ଏବଂ ଗୈାରବ ହାସଲ କରିବ ।

ମୋ ଦେଶବାସୀଙ୍କୁ ମୁଁ କହିବି, “ପାଶୋର ହୁଅ ନାହିଁ ଯେ ଗୋଲାମ ହୋଇ ରହିବା ସବୁଠାରୁ ବଡ଼ ଅଭିଶାପ । ପାଶୋର ହୁଅ ନାହିଁ ଯେ ସବୁଠାରୁ ଅକ୍ଷମଣୀୟ ଅପରାଧ ହେଉଛି ଅନ୍ୟାୟ ଓ ଭୁଲ ସହିତ ସାଲିସ କରିବା । ମନେରଖ ସେ ଶାଶ୍ୱତ ନିୟମକୁ-ତୁମେ ଜୀବନ ଦେବା ଦରକାର, ଯଦି ଜୀବନ ପାଇବାକୁ ଚାହୁଁଛ । ଏବଂ ମନେରଖ ସବୁଠାରୁ ବଡ଼ ପୂଣ୍ୟ ହେଉଛି ଅନ୍ୟାୟ ବିରୋଧରେ ଲଢ଼ିବା, ଏଥିପାଇଁ ଯେଉଁ ମୂଲ୍ୟ ଦେବାକୁ ପଡୁ ନା କାହିଁକି ।”

ଆଜିକା ଦିନର ସରକାରଙ୍କୁ ମୁଁ କହିବି- “ସାମ୍ପ୍ରଦାୟିକତା ଓ ଅନ୍ୟାୟ ପଥରେ, ତୁମେ ଯେପରି ପାଗଳଙ୍କ ଭଳି ମାଡୁଛ ତାହା ବନ୍ଦ କର । ବର୍ତ୍ତମାନ ମଧ୍ୟ ସମୟ ଅଛି ପଛେଇ ଯିବା ପାଇଁ । ବୁମେରାଂ ପ୍ରୟୋଗ କର ନାହିଁ ଯାହା ଫେରି ତୁମକୁ ହିଁ ବାଜିବ । ବଙ୍ଗଳାକୁ ଆଉ ଏକ ସିନ୍ଧ (Sindh) କର ନାହିଁ ।”

ମୁଁ ଏଇଠି ଶେଷ କରୁଛି ।  ଆପଣଙ୍କୁ ମୋର ଦ୍ୱିତୀୟ ଓ ଶେଷ ଅନୁରୋଧ ହେଉଛି ଆପଣ ମୋ ଅନଶନରେ ବଳପୂର୍ବକ ହସ୍ତକ୍ଷେପ କରିବେ ନାହିଁ, ବରଂ ମୋତେ ଛାଡିଦେବେ ଯେପରି ଶାନ୍ତିରେ ମୁଁ ମୋର ଅନ୍ତିମ ଅବସ୍ଥା ଆଡ଼କୁ ଆଗେଇ ଯିବି । ଟେରେନ୍ସ ମାକସ୍ୱିନି, ଯତୀନ ଦାସ, ମହାତ୍ମା ଗାନ୍ଧୀ ଏବଂ ୧୯୨୬ ମସିହାରେ ଆମ କ୍ଷେତ୍ରରେ ସରକାର ଅନଶନରେ ହସ୍ତକ୍ଷେପ ନ କରିବାକୁ ସ୍ଥିର କରିଥିଲେ । ମୋର ଆଶା ସେମାନେ ଏବେ ତାହା ହିଁ କରିବେ -ତା ନହେଲେ ମୋତେ ବଳପୂର୍ବକ ଖୋଇବା ପାଇଁ ଚେଷ୍ଟା କରାଗଲେ ତାହାକୁ ମୋର ସମସ୍ତ ଶକ୍ତି ସହିତ ବିରୋଧ କରାଯିବ, ଯଦିଓ ଏହାର ପରିଣତି, ଯେପରି ହୁଅନ୍ତା ତାଠାରୁ ଅଧିକ କଠୋର ଓ ବିନାଶକାରୀ ହୋଇପାରେ । ମୁଁ ୨୯ ନଭେମ୍ବର ୧୯୪୦ ଦିନ ମୋର ଅନଶନ ଆରମ୍ଭ କରିବି ।

ଆପଣଙ୍କର ବିଶ୍ୱସ୍ତ

ସୁଭାଷ ଚନ୍ଦ୍ର ବୋଷ

ପ୍ରେସିଡେନ୍ସି ଜେଲ

୨୬. ୧୧. ୧୯୪୦

ପୁନଶ୍ଚ: ଯେପରି ମୋର ପୂର୍ବ ଅନଶନମାନଙ୍କରେ କରିଛି , ମୁଁ କେବଳ ଲୁଣ ମିଶା ପାଣି ପିଇବି । କିନ୍ତୁ ଏହାକୁ ମୁଁ ପରେ ବନ୍ଦ କରିଦେଇ ପାରେ ଯଦି ଏହା ମୋତେ କରିବାକୁ ପଡ଼େ ।      ଏସ୍ ସି ବି

Comments

0 comments

Share This Article