ନିଷ୍ପ୍ରଭ ନିର୍ବାଚନ ଓ ପରାଜୟୀ ଜନଗଣ!

ସୁଧୀର ପଟ୍ଟନାୟକ | Sudhir Pattnaik (Chief Editor)
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform,...
831 Views
12 Min Read

ଏଯାବତ୍ (୧୫ ମଇ,୨୦୨୪) ୪ଟି ପର୍ଯ୍ୟାୟରେ ପ୍ରାୟ ୩ଶହ ୮୧ଟି ଲୋକସଭା ଆସନ ପାଇଁ ନିର୍ବାଚନ ସରିଯାଇଥିଲେ ବି ଦେଶସାରା କେଉଁଠି ବି ଲୋକମାନଙ୍କ ମନରେ ନିର୍ବାଚନ ପ୍ରତି ଆବେଗ ବା ଆଗ୍ରହ ବଢ଼ିବାର ଦେଖାଯାଉ ନାହିଁ । ଦେଶରେ ପ୍ରାୟ ୯୭କୋଟି ଭୋଟର ଅଛନ୍ତି । ସେହି ସଂଖ୍ୟା ଭିତରେ ଅଛନ୍ତି ୧କୋଟି ୮୫ଲକ୍ଷ ନୂଆଭୋଟର । କିନ୍ତୁ କେଉଁଠି ବି ୨୦୧୪ ବା ୨୦୧୯ ସାଧାରଣ ନିର୍ବାଚନ ବେଳେ ଯେଉଁ ଉନ୍ମାଦନା ଦେଖାଯାଉଥିଲା, ତାହା ଏହି ନିର୍ବାଚନରେ ଦେଖାଯାଉ ନାହିଁ । ପ୍ରଥମ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ୬୬.୧୪ ପ୍ରତିଶତ, ୬୬.୭୧ପ୍ରତିଶତ, ୬୫.୬୮ ପ୍ରତିଶତ ଏବଂ ୬୭ ପ୍ରତିଶତ ଲୋକେ ଭୋଟ ଦେଇଛନ୍ତି ବୋଲି ଜଣାପଡ଼ିଛି । ଭାରତର ନିର୍ବାଚନ ଆୟୋଗ ଭୋଟ ପ୍ରତିଶତକୁ ନେଇ ତଥ୍ୟ ବିଳମ୍ବରେ ପ୍ରକାଶ କରୁଥିବା ହେତୁ ଏହି ସଂଖ୍ୟାଗୁଡ଼ିକୁ ନେଇ ମଧ୍ୟ ବିବାଦ ଲାଗି ରହିଛି । ତେବେ ନିର୍ବାଚନରେ ଲୋକେ କାହିଁକି ଆଗ୍ରହ ନେଉନାହାନ୍ତି, ତାହା ଚିନ୍ତାଶୀଳ ଲୋକମାନଙ୍କୁ ବିବ୍ରତ କରୁଛି । ‘କେହି ବି ଆମ ପସନ୍ଦର ନୁହଁ’ ବା ‘ନୋଟା’ କହି ଭୋଟ ଦେବା ପାଇଁ ମଧ୍ୟ ଏକ ଅଭିଯାନ ଅଧିକ ବ୍ୟାପକ ହୋଇଚାଲିଛି । ୨୦୧୪ରେ ୧୬ଶ ଲୋକସଭା ପାଇଁ ଯେଉଁ ନିର୍ବାଚନ ଦିନଗୁଡ଼ିକ ଘୋଷଣା କରାଯାଇଥିଲା ତାହା ଏପ୍ରିଲ୍ ୦୭,୨୦୧୪ ଠାରୁ ଆରମ୍ଭ ହୋଇ ମଇ ୧,୨୦୧୪ରେ ସମାପ୍ତ ହୋଇଥିଲା । ଅର୍ଥାତ୍ ସମୁଦାୟ ୩୫ଦିନ ଭିତରେ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିଲା । କିନ୍ତୁ ୨୦୦୪ର ସାଧାରଣ ନିର୍ବାଚନ ମାତ୍ର ୨୦ଦିନ ଭିତରେ ଶେଷ ହୋଇଥିଲା (ଏପ୍ରିଲ୍ ୨୦,୨୦୦୪ରୁ ମଇ ୧୦,୨୦୦୪) । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ସମାପ୍ତ ହେବା ପାଇଁ ୭ଟି ପର୍ଯ୍ୟାୟରେ ୪୩ଦିନ (ଏପ୍ରିଲ ୧୯,୨୦୨୪ ଠାରୁ ଜୁନ୍ ୦୧,୨୦୨୪) ସାରିବା ପାଇଁ ନିର୍ବାଚନ ଆୟୋଗ ଦିନ ଧାର୍ଯ୍ୟକଲେ । ଅର୍ଥାତ୍ ଆମେ ଦିନକୁ ଦିନ ଯେତେ ନିଜକୁ ବିଶ୍ୱଗୁରୁ ଭାବେ ଅଧିକ ଦାବିକରୁଛେ, ତାକୁ ସମର୍ଥନ ଦେବାଭଳି ଉଦାହରଣ ଅନ୍ତତଃ ନିର୍ବାଚନରେ ଅଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସତ୍ତ୍ୱେ ଦେଇପାରୁ ନାହୁଁ । ଅନ୍ୟପଟେ ଜନଗଣଙ୍କର ନିର୍ବାଚନରେ ଆଗ୍ରହ ଅଧିକରୁ ଅଧିକ କମିକମି ଯାଉଛି । ଏହି ସତ୍ୟଟି ସହିତ ଆମେ ଆଉକିଛି କଥା ମଧ୍ୟ ଏକାବେଳେ ଦେଖିପାରୁଛୁ ।

ପ୍ରଥମ କଥାଟି ହେଲା ୯୦ଦଶକରେ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଓ ତକ୍ରାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କର ନେତୃତ୍ୱରେ ବିଶ୍ୱବ୍ୟାଙ୍କ ଏବଂ ଅନ୍ତରାଷ୍ଟ୍ରୀୟ ମୁଦ୍ରାପାଣ୍ଠି ପ୍ରରୋଚନାରେ ଭାରତରେ ଜନବିରୋଧି ଆର୍ଥିକ ସଂସ୍କାର ପର୍ବ ଆରମ୍ଭ ହୋଇଥିଲା । ଯାହାର ପରିଣାମସ୍ୱରୂପ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରୁ ଏକ ପୁଞ୍ଜି ମଙ୍ଗଳ ରାଷ୍ଟ୍ରରେ ପରିଣତ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାର ପରିଣାମସ୍ୱରୂପ ମାତ୍ର ୪୦ବର୍ଷ ବୟସରେ ପହଞ୍ଚିଥିବା ଭାରତୀୟ ସମ୍ବିଧାନରେ ରାଷ୍ଟ୍ରପାଇଁ ରଖାଯାଇଥିବା ନିର୍ଦ୍ଦେଶାବଳୀ (D.P.S.P) ଗୌଣ ହେବାର ପ୍ରକ୍ରିୟା ଆରମ୍ଭ ହୋଇଗଲା । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ଏହି  (D.P.S.P)  ଡିରେକ୍ଟିଭ୍ ପ୍ରିନ୍ସିପୁଲସ ଅଫ ଷ୍ଟେଟ୍ ପଲିସି ସାମାଜିକ, ଆର୍ଥିକ ଓ ଆଞ୍ଚଳିକ ବିଷମତାରେ ଭରପୂର ଭାରତୀୟ ରାଷ୍ଟ୍ରକୁ ପାତରଅନ୍ତର ବିହୀନ ଓ ଜନମଙ୍ଗଳ ନୀତି ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶାବଳୀ ରଖିଥିଲା । କିଛି ବିଦ୍ୱାନ କହିଆସିଛନ୍ତି ଯେ କାହିଁକି ‘ଜନମଙ୍ଗଳ’ କାର୍ଯ୍ୟଟିକୁ ବା ଏହି ନିର୍ଦ୍ଦେଶାବଳୀଟିକୁ ସମ୍ବିଧାନର ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ କରାଗଲା ନାହିଁ ଯାହା ରାଷ୍ଟ୍ରକୁ ସମ୍ବିଧାନ ଦ୍ୱାର ନିର୍ଦ୍ଧାରିତ କ୍ଷେତ୍ରଗୁଡ଼ିକରେ ନୀତି ଓ ନିୟମ ଆଣିବାପାଇଁ ବାଧ୍ୟ କରିଥାନ୍ତା ! ରାଷ୍ଟ୍ର ଯୋଜନା ପ୍ରଣୟନ କଲାବେଳେ ସବାଶେଷରେ ଥିବା ଲୋକଟିକୁ ଆଖିଆଗରେ ରଖି ନିଷ୍ପତ୍ତି ନେଇଥାନ୍ତା । ତେବେ ଗତ ୩ଦଶନ୍ଧିର ରାଜନୈତିକ ଅର୍ଥନୀତି ଏଭଳି ପ୍ରଶ୍ନକୁ ମୂଲ୍ୟହୀନ କରିଦେଉଛି । ସମ୍ବିଧାନର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏବେ ସଂଘର୍ଷ ଚାଲିଛି । ତେବେ ଆମେ ଏହି କଥା ମନକୁ ଆଣୁନାହାନ୍ତି ଯେ ୯୦ଦଶକରେ ଆରମ୍ଭ ହୋଇଥିବା ଆର୍ଥିକ ସଂସ୍କାର ହିଁ D.P.S.Pକୁ ଅବହେଳା କରିବା ଭିତରେ ଏବେ ଆସି ସମ୍ବିଧାନକୁ ଅଚଳ ଏବଂ ଅକାମୀ କରିଦେବା ସ୍ଥିତିରେ ପହଞ୍ଚିଛି । ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଜନଗଣଙ୍କୁ ସୁରକ୍ଷା ଦେଉଥିବା ନୀତି ନିୟମକୁ କୋହଳ କରାଇ ପୁଞ୍ଜି ବା ବଜାର ଶକ୍ତିଙ୍କର ସୁରକ୍ଷା ଓ ବିକାଶ ପାଇଁ ଆଇନ କାନୁନ୍ ଆଣିବା ପାଇଁ ରାଷ୍ଟ୍ରକୁ ବାଧ୍ୟ କରାଇ ଆସିଛି । ଏଭଳି ଏକ ଯୁଗର ଆରମ୍ଭ କରୁଥିବା ଦୃଷ୍ଟିରୁ ନରସିଂହ ରାଓ ଓ ମନମୋହନ ସିଂହଙ୍କୁ ଭଲରେ ହେଉ ବା ଖରାପରେ ହେଉ, ଇତିହାସ ମନେରଖିବ । ବିରୋଧିଦଳରେ ରହି ଲାଲକୃଷ୍ଣ ଆଡ଼ଭାନୀ ଏମାନଙ୍କୁ କରିଥିବା ସହଯୋଗଟିକୁ ମଧ୍ୟ ଇତିହାସ ମନେ ରଖିବ । ପ୍ରଥମେ ରାମ ମନ୍ଦିର ନିର୍ମାଣ ପାଇଁ ରଥଯାତ୍ରା, ପରେ ବାବ୍ରି ମସଜିଦ୍ ଧ୍ୱଂସ ଏବଂ ଦେଶବ୍ୟାପି ହିନ୍ଦୁ-ମୁସଲମାନ ହିଂସା ବୃଦ୍ଧିର ବାତାବରଣ ଭିତରେ ଆମ ରାଜନେତା ଏବଂ ଚିନ୍ତାଶୀଳ ବୁଦ୍ଧିଜୀବୀମାନେ ଆର୍ଥିକ ସଂସ୍କାର ଯେ କିଭଳି ଏକ ଭୟଙ୍କର ରାକ୍ଷସ ରୂପରେ ମାଡ଼ି ଆସୁଛି ; ଏହି କଥାଟି ବୁଝିବା ପାଇଁ ପ୍ରସ୍ତୁତ ନଥିଲେ । ଏହି ସବୁ ବିଷୟରେ ଆମ ସମ୍ପାଦକୀୟ ଓ ଆମର କିଛି ସମ୍ମାନଷ୍ପଦ ଲେଖକଙ୍କର ସ୍ତମ୍ଭରେ ପୂର୍ବରୁ କିଛିକିଛି ଆଲୋଚନା କରାଯାଇଛି । ଓଡ଼ିଶାରେ ସେ ସମୟରେ ଅର୍ଥନୈତିକ ଉଗ୍ର ଉଦାରବାଦ ଓ ସାମ୍ପ୍ରଦାୟିକ ଶକ୍ତି ମାନଙ୍କର ଏକା ସମୟରେ ଅଭୁ୍ୟଦୟକୁ ନେଇ ନିଜ ଚିନ୍ତା ଓ ଉଦ୍ ବେଗ ଯେଉଁକିଛି ବିଶିଷ୍ଠ ବ୍ୟକ୍ତି ସର୍ବସାଧାରଣଙ୍କ ସାମ୍ନାରେ ରଖି ଆସୁଥିଲେ ସେମାନଙ୍କ ଭିତରେ ଥିଲେ ବିଶିଷ୍ଟ ସାମଜବାଦୀ କିଶନ ପଟ୍ଟନାୟକ, ରବି ରାୟ, ବିଶିଷ୍ଟ ଗାନ୍ଧୀବାଦୀ ମନମୋହନ ଚୌଧୁରୀ, ବିପ୍ଳବୀ ଗଣନାଥ ପାତ୍ର, ବିଦ୍ୱାନ ବୀରେନ୍ଦ୍ର ନାୟକ ଏବଂ ଅନ୍ୟାମାନେ । ତେବେ ସେମାନଙ୍କର ଆଲୋଚନାର ପ୍ରଭାବ ଓଡ଼ିଶାର କୁହାଳିଆ ଶ୍ରେଣୀ ଉପରେ ପଡ଼ିନଥିଲା । ଏହି କୁହାଳିଆ ଶ୍ରେଣୀ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣର କାର୍ଯ୍ୟସୂଚୀକୁ ବଜାରୀ ଶକ୍ତିମାନଙ୍କର ପ୍ରଭାବରେ ରହି ଉଦରସ୍ତ କରିଚାଲିଥିଲେ ।

ଏଠି କହିବାର ଉଦ୍ଦେଶ୍ୟ ଏହାଯେ ଅର୍ଥନୈତିକ ସଂସ୍କାର ପର୍ବ ଅନେକାଂଶରେ ନିର୍ବାଚନ ଅଭିଯାନରେ ‘ଇସ୍ତାହାର’ ପ୍ରତିଯୋଗିତାଟିକୁ ଅପ୍ରାସଙ୍ଗିକ କରିଦେଲା । ପୁଞ୍ଜି ବା ପୁଞ୍ଜିନିବେଶ ଯେତେବେଳେ ପ୍ରାଥମିକତା ପାଏ, ସେତେବେଳେ ନିର୍ବାଚନୀ ଇସ୍ତାହାରଟି ପ୍ରାସଙ୍ଗିକତା ହରାଇଥାଏ । ପ୍ରଚୁର ଲାଭର ପ୍ରତିଶୃତି ନଥିଲେ ଘରୋଇପୁଞ୍ଜି ଲଗାଣ ସମ୍ଭବ ହୋଇନଥାଏ । ରାଷ୍ଟ୍ର ବା ରାଷ୍ଟ୍ରରେ କ୍ଷମତାକୁ ଆସିବା ପାଇଁ ପ୍ରତିଯୋଗିତା କରୁଥିବା ରାଜନୈତିକ ଦଳମାନଙ୍କ ଭିତରୁ ଯେଉଁମାନେ ସେଭଳି ପ୍ରତିଶ୍ରୁତି ଦେଇପାରିବେ ନାହିଁ, ପୁଞ୍ଜି ବା ପୁଞ୍ଜିର ଖେଳ ଖେଳୁଥିବା ଶକ୍ତିମାନେ ସେଭଳି ଦଳମାନଙ୍କୁ କ୍ଷମତାରେ ରଖିବା ପାଇଁ ଚାହିଁବେ ନାହିଁ । ଏକ ଜନମଙ୍ଗଳ ରାଷ୍ଟ୍ରର ସ୍ୱପ୍ନ ଦେଖି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଥିବା ଗୋଟିଏ ରାଜନୈତିକ ଦଳ ପୁଞ୍ଜି ଖଟାଉଥିବା ଶକ୍ତିମାନଙ୍କ ପାଇଁ ଅସୁରକ୍ଷାର ଭାବନା ଆଣିଦେଇଥିାଏ । ଭାରତ ଭଳି ଗୋଟିଏ ଦେଶରେ ପ୍ରାକୃତିକ ସମ୍ପଦର ଲୁଣ୍ଠନ, ଶ୍ରମର ଉତ୍ପୀଡ଼ନ ଏବଂ ସୁହାଇଲା ଭଳି ବଜାରର ବ୍ୟବସ୍ଥା ସୁନିଶ୍ଚିତ ନ କରାଇପାରିଲେ ପୁଞ୍ଜି ଲଗାଣ ପାଇଁ ଆଗ୍ରହ ସୃଷ୍ଟି ହୋଇନଥାଏ । ସେଥିପାଇଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି କୌଣସି କ୍ଷମତାଲିପ୍ସୁ ରାଜନୈତିକ ଦଳ ପାଇଁ ଏକ ଆଗ୍ରହର ବିଷୟ ହୋଇ ଆଉ ରହିନାହିଁ । ଭାରତର ଜନଗଣ ବି ଶାସକ ଦଳମାନଙ୍କ ନିର୍ବାଚନୀ ଇସ୍ତାହାରକୁ ଦେଖିବା ବା ଅପେକ୍ଷା କରିବାର ଅଭ୍ୟାସ ଅନେକ ଦିନରୁ ଛାଡ଼ି ସାରିଲେଣି । ନିର୍ବାଚନୀ ଇସ୍ତାହାର ବିଲୟ ନିର୍ବାଚନୀ ଗଣତନ୍ତ୍ରକୁ ଆଦର୍ଶବାଦ ବିହୀନ ଓ ବିଚାରଶୂନ୍ୟ କରିଦେଇଛି । ଜନଗଣଙ୍କୁ ସବୁ ଶାସକ ଦଳ ଏକାଭଳି ଦେଖାଯାଉଥିବା ସ୍ୱାଭାବିକ କଥା । ଆମ କୁହାଳିଆ ଶିକ୍ଷିତସମାଜ ନିର୍ବାଚନ ପ୍ରକ୍ରିୟାରେ ଭାଗନେବାର ଅଭ୍ୟାସକୁ ବି ହରାଇ ବସିଲେଣି । ନିର୍ବାଚନକୁ ‘ମାଗଣା ଖାଦ୍ୟ’ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକମାନଙ୍କ ପାଇଁ ଏକ ୫ବର୍ଷିଆ ଉତ୍ସବ ହିସାବରେ ସମସ୍ତେ ଦେଖି ଆସିଛନ୍ତି । ୯୭କୋଟି ଭୋଟରମାନଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଜର ବକ୍ତବ୍ୟ ମୁତାବକ ୮୧କୋଟି ୩୫ଲକ୍ଷ ଲୋକ ମାଗଣା ଖାଦ୍ୟ ପାଉଛନ୍ତି । ନିର୍ବାଚନ ସମୟରେ ପରିବାର ପିଛା ବା କେଉଁଠି କେଉଁଠି ମୁଣ୍ଡପିଛା ୧ହଜାର ଟଙ୍କା ମିଳିବାର ସମ୍ଭାବନା ଥିବା ଲୋକମାନଙ୍କ ପାଇଁ ଗୋଟିଏ ରାଜନୈତିକ ଦଳର ‘ଇସ୍ତାହାର’, ‘ଆଦର୍ଶ’ ଓ ‘ବିଚାର’ର ମୂଲ୍ୟ କିଛି ନଥାଏ । ଭାରତୀୟ ସମାଜରେ ଯଦି କଥାକଥିତ ଶିକ୍ଷିତ ବର୍ଗଙ୍କର ଆଗକୁ ଦେଖିବାର ଅଭ୍ୟାସ ନାହିଁ, ତେବେ ଜୀବନ ଜୀବିକା ସଂଘର୍ଷରେ ଥିବା ଲୋକମାନଙ୍କଠାରୁ ଆମେ ଦୂରଦୃଷ୍ଟି ଆଶା କରିବା କେମିତି ! ତଥାପି ତ ଓଡ଼ିଶାର ଯେଉଁ ସବୁ ଅଞ୍ଚଳରେ ରାଷ୍ଟ୍ରର ଅନେକ ନିର୍ଯାତନା ସତ୍ତ୍ୱେ କିଛି ଜନଆନ୍ଦୋଳନ  ସକ୍ରିୟ ଭାବରେ ଚାଲିଛି, ସେଠାକାର ଆଦିବାସୀ ଓ ଦଳିତ ଜନଗଣ ଭବିଷ୍ୟତ ପିଢ଼ିକୁ ଆଖି ଆଗରେ ରଖି ନିଜର ସଂଗ୍ରାମ ଜାରି ରଖିଛନ୍ତି । କେଉଁଠି କେଉଁଠି ଭୋଟ ମଧ୍ୟ ବର୍ଜନ କରିଛନ୍ତି ।

ନିର୍ବାଚନ ପାଇଁ ସ୍ୱତନ୍ତ୍ର ଆଗ୍ରହ ଆସିବାର ପରିସ୍ଥିତି ବି ନାହିଁ । ଗତ ଦଶବର୍ଷ ଭିତରେ ଗଣମାଧ୍ୟମକୁ ଦେଖି ଆସୁଥିବା ଲୋକେ ଏହି କଥା ଅନୁଭବ କରି ପାରୁଥିବେ ଯେ ବର୍ଷକ ୩୬୦ଦିନ ଓ ସପ୍ତାହକ ୭ଦିନ ୨୪ଘଣ୍ଟା ଶାସକ ଦଳର ସରକାର ମାନେ ନିଜର ‘ପ୍ରତିଶ୍ରୁତି’ ଏବଂ ‘ଉପଲବ୍ଧି’ ଗୁଡ଼ିକୁ ନେଇ କିଭଳି ବିଜ୍ଞାପନ ମାଧ୍ୟମରେ ପ୍ରଚାର କରି ଆସିଛନ୍ତି । ନିର୍ବାଚନୀ ସମୟରେ ନୂଆକିଛି କରିବାର ନାହିଁ ବା ଦେଖାଇବାର ନାହିଁ । ଭାଜପା ସରକାରଙ୍କର ଓ ଓଡ଼ିଶାର ବିଜେଡ଼ି ସରକାରଙ୍କର ବିଜ୍ଞାପନ ଯାତ୍ରାକୁ ବର୍ଷତମାମ ଦେଖୁଥିବା, କଂଗ୍ରେସ ଦଳ ଓ ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ କେବେ ଦୀର୍ଘଦିନ ଧରି କ୍ଷମତାରେ ଥିବା ବାମ ଦଳମାନେ ହୁଏତ ଭାବୁଥିବେ ସେମାନେ ନିଜେ ଶାସନ କାଳରେ ନିଜେ ଆଣିଥିବା କିଛି ନୀତି ଓ ଆଇନର ଉପଯୁକ୍ତ ପ୍ରଚାର କରାଇପାରିଲେ ନାହିଁ କାହିଁକି! କଂଗ୍ରେସ ନେତୃତ୍ୱରେ ୨୦୦୪ରୁ ୨୦୧୪ ଭିତରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ବିରୋଧ ସତ୍ତ୍ୱେ ଜାତୀୟ ଗ୍ରାମ୍ୟ ରୋଜଗାର ସୁରକ୍ଷା ଆଇନ, ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ଜଙ୍ଗଲ ଅଧିକାର ଆଇନ, ଜମି ଅଧିଗ୍ରହଣ ସଂଶୋଧନ ଆଇନ, ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ଆଇନ ଓ ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ଅଭିଯାନ ଭଳି ଅନେକ D.P.S.P ନିର୍ଦ୍ଦେଶିତ ପଦକ୍ଷେପ ଆସିପାରିଥିଲା । କିନ୍ତୁ ନିଜେ କଂଗ୍ରେସ ଦଳର କର୍ମୀମାନେ ଏହି କଥା ଲୋକଙ୍କୁ କହି ପାରିଲେ ନାହିଁ । ଗଣମାଧ୍ୟମର ଆମ ଶୋଇବାଘର ଏବଂ ଆମ ପକେଟ ଭିତରକୁ ପ୍ରବେଶ କରିବା ଭିତରେ କାମ ନକରି ଅଧିକ ସଫଳ ଭାବେ ପ୍ରଚାର କରିପାରୁଥିବା ଦଳମାନେ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରୁଛନ୍ତି ।

ପ୍ରଚାର ଅଭିଯାନ ବା ଲଗାମଛଡ଼ା ବିଜ୍ଞାପନର ସଂସ୍କୃତି ନିର୍ବାଚନ ପ୍ରକ୍ରିୟାକୁ ଏତେ ବ୍ୟୟବହୁଳ କରିଦେଇଛି ଯେ, ଲୋକମାନେ ବି ଭାବୁଛନ୍ତି ଯିଏ ଅଧିକ ଖର୍ଚ୍ଚକରିବ, ସେ ହିଁ ବିଜୟ ଲାଭ କରିବ । ସବୁଠାରୁ ସୁବିଧାରେ ଥାନ୍ତି ସରକାରରେ ଥିବା ରାଜନୈତିକ ଦଳମାନେ । ପୂର୍ବରୁ ତ ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଅସାମ୍ବିଧାନିକ ଘୋଷିତ ନିର୍ବାଚନୀ ପାଣ୍ଠି ଦୁର୍ନୀତି ସମ୍ପର୍କରେ ଆଲୋଚନା କରାଯାଇଛି । ଶାସକ ଦଳମାନେ ବିଶେଷ କରି କେନ୍ଦ୍ରର ଭାରତୀୟ ଜନତା ପାର୍ଟି ଓ ଆଞ୍ଚଳିକ ଦଳଭାବେ ବିଜୁ ଜନତା ଦଳ ଏହି ପ୍ରକ୍ରିୟାରେ କେତେ ଲାଭବାନ ହେଉଛନ୍ତି ଆଲୋଚନା କରାଯାଇସାରିଛି । ଆଜି ଯେତେବେଳେ ଜାତୀୟ ପୃଷ୍ଠଭୂମିରେ ପ୍ରତିଯୋଗିତା କରୁଥିବା ଦୁଇଟି ରାଷ୍ଟ୍ରୀୟଦଳ ଶାସକ ଭାଜପା ଓ ବିରୋଧି କଂଗ୍ରେସ ଦଳର ଆର୍ଥିକ ସ୍ଥିତି ଦେଖିବା , ତେବେ ଜାଣିପାରିବା ଯେ ନିର୍ବାଚନୀ ପ୍ରତିଯୋଗିତା କିଭଳି ସନ୍ତୁଳନ ହରାଇ ବସିଛି । ଗଣତାନ୍ତ୍ରିକ ସଂସ୍କାର ପାଇଁ ସଙ୍ଘ ବା ଏ.ଡ଼ି.ଆର୍ ତରଫରୁ ଗତ ଫେବୃଆରୀ ମାସରେ କରାଯାଇଥିବା ଏକ ବିଶ୍ଳେଷଣରେ ଜଣାପଡ଼େ ଯେ ୨୦୨୨-୨୩ ଆର୍ଥôକ ବର୍ଷରେ ପ୍ରମୁଖ ରାଜନୈତିକ ଦଳମାନେ ସାମଗ୍ରିକ ଭାବେ ଯେତିକି ଅର୍ଥ ପାଇଥିଲେ ସେଥିରୁ ୭୬ପ୍ରତିଶତ କେବଳ ଭାଜପାକୁ ମିଳିଥିଲା । ୨୦୨୧-୨୨ରେ ଭାଜପାର ଆୟ ୧୯ଶହ ୧୭କୋଟି ଟଙ୍କା ଥିଲାବେଳେ ବର୍ଷକ ଭିତରେ ଅର୍ଥାତ୍ ୨୦୨୨-୨୩ବେଳକୁ ସେମାନଙ୍କର ଆୟର ବୃଦ୍ଧିଘଟି ୨ହଜାର ୩ଶହ ୬୦କୋଟିରେ ପହଞ୍ଚିଥିଲା। ଠିକ୍ ସେହି ସମୟ କାଳ ଭିତରେ ଅର୍ଥାତ୍ ୨୦୨୧-୨୨ରେ କଂଗ୍ରେସ ଦଳର ଆୟ ୫ଶହ ୪୧କୋଟି ଥିଲାବେଳେ ତା’ ପରବର୍ଷ ଅର୍ଥାତ୍ ୨୦୨୨-୨୩ରେ କଂଗ୍ରେସର ଆୟ ହ୍ରାସ ପାଇ ୪୫୨କୋଟିରେ ପହଞ୍ଚିଥିଲା । ଏହି ଭିତରେ ମୋଦୀ ସରକାର କଂଗ୍ରେସ ଦଳର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦେବାର ଖବର ମଧ୍ୟ ଆମେ ପାଇଛନ୍ତି । ଏଭଳି ଏକ ଆର୍ଥିକ ଅସମତାର ପୃଷ୍ଠଭୂମିରୁ କଂଗ୍ରେସ ଦଳ ଭାଜପା ସହ କିଭଳି ମୁକାବିଲା କରିପାରିବ, ତାହା ପ୍ରଶ୍ନବାଚୀ ସୃଷ୍ଟିକରେ । ସେହିଥି ପାଇଁ ହୁଏତ କଂଗ୍ରେସ ପ୍ରାର୍ଥୀ ମାନେ ଦଳ ତରଫରୁ ଟିକେଟ ପାଇଲେ ବି ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ନୁହଁନ୍ତି । ଛୋଟଛୋଟ ଦଳ ବା ଜନବାଦୀ ବ୍ୟକ୍ତିବିଶେଷଙ୍କ ପାଇଁ ନିର୍ବାଚନ କ୍ଷେତ୍ର ଏକ ଅପହଞ୍ଚ ଇଲାକା । ଗୋଟିଏ ପଟେ ଭାଜପା ହାତରେ ଗଣମାଧ୍ୟମ, ନିର୍ବାଚନ ଆୟୋଗ ଓ ଇ.ଡ଼ି ଏବଂ ସି.ବି.ଆଇ ଭଳି ସଂସ୍ଥା ଥିଲାବେଳେ ଅନ୍ୟପଟେ ପ୍ରମୁଖ ବିରୋଧି ଦଳମାନେ କେବଳ ଉଚ୍ଚତମ ନ୍ୟାୟାଳୟ ଏବଂ ସ୍ୱାଧୀନ ୟୁ ଟ୍ୟୁବରମାନଙ୍କ ଉପରେ ନିର୍ଭରଶୀଳ ହୋଇଆସିଛନ୍ତି । ପ୍ରଚୁର କର୍ପୋରେଟ ଅର୍ଥପାଇ ଭାଜପା ଦଳ ଦେଶର ପ୍ରାୟ ସମସ୍ତ ଜିଲ୍ଲାରେ ନିଜର ସଂଗଠନ ବୃଦ୍ଧିପାଇଁ ଭବ୍ୟ କୋଠା ନିର୍ମାଣରେ ଲାଗିପଡ଼ିଛି । ସଂଗଠନ ଦୃଷ୍ଟିରୁ ମଧ୍ୟ ଭାଜପା ଦଳ ସବୁଠାରୁ ଆଗରେ । ସଂଘ ପରିବାରର ଉତ୍ସର୍ଗୀକୃତ କୋଟିକୋଟି କର୍ମୀ ନିରବରେ ଏହି ଦଳପାଇଁ କାମ କରିଚାଲିଛନ୍ତି । କଂଗ୍ରେସ ଭଳି ଦଳମାନଙ୍କର ସଂଗଠନ ଅନେକ ଦିନରୁ ଦୁର୍ବଳ ହୋଇଚାଲିଛି । କଂଗ୍ରେସର ବରିଷ୍ଠ ନେତାମାନେ ଏହି ଦଳକୁ ଅକାମୀ କରାଇବାରେ ବଡ଼ ଭୂମିକା ନିଭାଇ ଆସିଛନ୍ତି । ଯେଉଁ ଗାନ୍ଧୀ ପରିବାରକୁ ନରେନ୍ଦ୍ର ମୋଦୀ ଓ ତାଙ୍କ ଅନୁଗାମୀ ମାନେ ରାତି ପାହିଲେ ଗାଳିଦେବା ଆରମ୍ଭ କରିଦିଅନ୍ତି, ସେମାନେ ନଥିଲେ ହୁଏତ କଂଗ୍ରେସ ଦଳଟି ଭାଜପା ଭିତରେ ବିଲୀନ ହୋଇସାରନ୍ତାଣି ଏବଂ ମୋଦୀଙ୍କ ବିରୋଧି ଶୂନ୍ୟ ଭାରତ ଅନେକ ଦିନରୁ ସାକାର ହୋଇସାରନ୍ତାଣି । ଉଦାରୀକରଣ ପରିବର୍ତ୍ତୀ ପର୍ଯ୍ୟାୟରେ ବାମପନ୍ଥୀ ଦଳମାନଙ୍କ ଉପରେ ବଜାର ଶକ୍ତିମାନଙ୍କ ଆଡ଼ୁ ଯେଉଁଭଳି ଆକ୍ରମଣ ଚାଲିଛି ସେମାନେ ବି ନିଜର ସଂଗଠନ ବୃଦ୍ଧି କରାଇ ପାରୁନାହାନ୍ତି । ବିଶେଷକରି ଯୁବ ଓ ଛାତ୍ରମାନଙ୍କର ବାମପନ୍ଥୀ ସଂଗଠନ ବା କାର୍ଯ୍ୟକ୍ରମ ଭିତରେ ପ୍ରବେଶ କରିବା ପାଇଁ ଆଗ୍ରହ ଦେଖିବାକୁ ମିଳୁନାହିଁ । ବାମ ଦଳମାନେ ଏବେ ବହୁଧା ବିଭାଜିତ, ଘୋର ଅର୍ଥାଭାବ ଶିକାର ଏବଂ ଏମାନେ ସବୁବେଳେ ଆଉ କାହା ଉପରେ ନିର୍ଭରଶୀଳ ସେମାନଙ୍କୁ ଏକାଠି କରାଇବା ପାଇଁ । ଜନଗଣଙ୍କ ଭିତରେ ନିଜପ୍ରତି ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରାଇବା ଏମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଏଭଳି ଏକ ବିକୃତ ଏବଂ ନୈରାଶ୍ୟଜନକ ରାଜନୈତିକ ପରିସ୍ଥିତି ସାଧାରଣ ଓ ନିରୀହ ମଣିଷମାନଙ୍କୁ ନିର୍ବାଚନୀ ଗଣତନ୍ତ୍ର ଆଡ଼କୁ ଆକୃଷ୍ଟ କରିବ କେମିତି !

ଏଥର ଆମେ ନୂଆ ଭୋଟରମାନଙ୍କର ପ୍ରତିକ୍ରିୟା ଯାହା କିଛି ଦେଖୁଛୁ, ସେଥିରେ ବି ସେଭଳି କିଛି ଉତ୍ସାହ ବା ଆଗ୍ରହ ଦେଖିବାକୁ ମିଳୁନାହିଁ । ଭାରତର ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଛି । ନିର୍ବାଚନରେ ଅର୍ଥବଳକୁ ଯଦି ସମ୍ପୂର୍ଣ୍ଣ ଭାବେ ଅକାମୀ ନକରାଯାଏ ,ତେବେ ଗଣତନ୍ତ୍ର କେବଳ ଏକ ପଇସାବାଲାଙ୍କ ଖେଳ ହୋଇ ରହିଯିବ ଏବଂ ଅଧିକାଂଶ ଭାରତୀୟ ଅସହାୟ ଭାବେ ଦେଖଣାହାରୀ ହୋଇ ରହିଯିବେ । ସେଥିପାଇଁ ନିର୍ବାଚନରେ କାହାର ବିଜୟ ବା କାହାର ପରାଜୟ ଯେତିକି ସତ୍ୟ, ତାହାଠାରୁ ଅଧିକ କଠୋର ସତ୍ୟଟି ହେଉଛି ଯେ ଗଣତନ୍ତ୍ର ଚେର ନ ନେଇଥିବା ଭୟଙ୍କର ବିଷମତାରେ ଭରପୂର ଭାରତ ଭଳି ରାଷ୍ଟ୍ରର ଜନଗଣ ପ୍ରତିଟି ନିର୍ବାଚନ ପରେ ପୁଣି ଏକ ନିର୍ବାଚନ ଆସିବା ଯାଏଁ ଏକ ପରାଜିତର ଭାବନା ନେଇ ଦିନ ବିତାଉଛନ୍ତି । ଏହି ପରିସ୍ଥିତିରେ ପରିବର୍ତ୍ତନ କିଭଳି ଆସିବ, ଚିନ୍ତାକରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ।

 

Author

ସୁଧୀର ପଟ୍ଟନାୟକ | Sudhir Pattnaik (Chief Editor)

Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.

Total Views: 831

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.