ପୃଷ୍ଠଭୂମି
ଜୁନ ୧୦, ୨୦୨୬ । ଭାରତ ସରକାରଙ୍କର ପତ୍ର ସୂଚନା କାର୍ଯ୍ୟାଳୟ ବା Press Information Bureau(PIB) ଦ୍ଵାରା ପ୍ରକାଶ ପାଇଲା୧ ଏକ ସୂଚନା ଯେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛି କାରଣ ଏହି ଦିନ ମୋଦୀ ମହାଶୟଙ୍କର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନିରବିଚ୍ଛିନ୍ନ କାର୍ଯ୍ୟକାଳ (୪,୩୯୯ ଦିନ :୨୬ ମଇ, ୨୦୧୪ ରୁ ୧୦ ଜୁନ, ୨୦୨୬) ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନିରବିଚ୍ଛିନ୍ନ କାର୍ଯ୍ୟକାଳ(୧୩ ମଇ ୧୯୫୨ ରୁ ୨୭ ମଇ ୧୯୬୪)କୁ ଟପିଯାଇଛି, ଓ ଏତଦଦ୍ୱାରା ମୋଦୀ ମହାଶୟ ହୋଇ ଯାଇଛନ୍ତି ସ୍ୱାଧୀନ ଭାରତର ସବୁଠାରୁ ଦୀର୍ଘ କାଳ ନିରବିଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ।( ‘longest serving elected Prime Minister for consecutive terms’) ଅବଶ୍ୟ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମଇ ୧୩, ୧୯୫୨ ରେ ଶପଥ ନେବା ପୂର୍ବରୁ, ପଣ୍ଡିତ ନେହରୁ ଯେ ଭାରତ ସ୍ଵାଧୀନ ରାଷ୍ଟ୍ର ଭାବେ, ୧୫ ଅଗଷ୍ଟ ୧୯୪୭ ଦିନ ମାନ୍ୟତା ପାଇବା ଠାରୁ ପ୍ରଧାନମନ୍ତ୍ରୀ ଥିଲେ, ତାହା ସ୍ଵାଭାବିକ ଉପରୋକ୍ତ ହିସାବରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଏହା ପୂର୍ବରୁ ସେ ଯେ ଅବିଭାଜିତ ଭାରତର ପରିଚାଳନା ପାଇଁ ଗଠିତ ମଧ୍ୟବର୍ତ୍ତୀକାଳୀନ(interim) ମନ୍ତ୍ରୀମଣ୍ଡଳର ସେପ୍ଟେମ୍ବର ୨, ୧୯୪୬ ରୁ ୧୫ ଅଗଷ୍ଟ ୧୯୪୭ ପର୍ଯ୍ୟନ୍ତ , ମୁଖ୍ୟ ଥିଲେ, ତାହାକୁ ମଧ୍ୟ ବିଚାର କରାଯାଇ ନାହିଁ । କିନ୍ତୁ ଏହି ସମୟରେ ହିଁ , ୯ ଡିସେମ୍ବର ୧୯୪୬ ଦିନ ହୋଇଥିଲା ସମ୍ବିଧାନ ସଭାର ଗଠନ ଓ ୧୩ ଡିସେମ୍ବର ୧୯୪୬ ଦିନ ପଣ୍ଡିତ ଜବାହାରଲାଲ ନେହରୁ ଆଗତ କରିଥିଲେ ଐତିହାସିକ ‘ଉଦ୍ଦେଶ୍ୟ ସଂକଳ୍ପ’ (’objective resolution) ଯାହାର ଆଧାରରେ ପରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା(preamble )ର ରଚନା ହୋଇଥିଲା । ଏହା ଥିଲା ସମ୍ବିଧାନ ସଭାରେ ଆଗତ ପ୍ରଥମ ପ୍ରସ୍ତାବ । ଅର୍ଥାତ୍ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଜବାହରଲାଲ ସମ୍ବିଧାନ ରଚନା ପାଇଁ ସୃଷ୍ଟି କରୁଥିଲେ ପରିବେଶ ଯାହା ଫଳରେ ସମ୍ଭବ ହୋଇପାରିଲା ଏକ ସମାବେଶୀ ସମ୍ବିଧାନ ଓ 1950, 26 ଜାନୁଆରୀରୁ ଭାରତରେ ଗଣତାନ୍ତ୍ରିକ ରାଷ୍ଟ୍ରର ଭିତ୍ତି ପଡିପରିଲା, ସାର୍ବଜନୀକ ସାବାଳକ ମତଦାନ (adult suffrage)ର ବ୍ୟବସ୍ଥା କରାଗଲା ଯାହା ଅନୁସାରେ ଆରମ୍ଭ ହେଲା ସାରା ଭାରତରେ ନିର୍ବାଚନ ପ୍ରକ୍ରିୟା । ‘ନିର୍ବାଚିତ’ ବିଶେଷଣର ପ୍ରୟୋଗ ଏହି ପ୍ରକ୍ରିୟାର ପରିଣତି । କହିବା ବାହୁଲ୍ୟ ଯେ ଏହି ପ୍ରକ୍ରିୟାରେ ନିର୍ବାଚିତ ହେବା ପୂର୍ବରୁ ନେହରୁ ପ୍ରଧାନମନ୍ତ୍ରୀ ଭାବେ ଯେଉଁ ଭୂମିକା ନିର୍ବାହ କରିଛନ୍ତି ତାହା ଅନନ୍ୟ; କୌଣସି ନିର୍ବାଚିତ ପ୍ରଧାନମନ୍ତ୍ରୀ, ଏହି ଦୃଷ୍ଟିରୁ ନେହରୁଙ୍କ ସହିତ ତୁଳନୀୟ ହୋଇପାରେ ନା ।
ପଣ୍ଡିତ ନେହରୁ ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିଲେ ଲଗାତାର ପ୍ରଥମ(୧୯୫୧-୫୨) , ଦ୍ଵିତୀୟ(୧୯୫୭) ଓ ତୃତୀୟ (୧୯୬୨) ସାଧାରଣ ନିର୍ବାଚନରେ ବିଜୟୀ ହୋଇ । ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଲଗାତାର ଷୋଡଶ(୨୦୧୪), ସପ୍ତଦଶ(୨୦୧୯) ଓ ଅଷ୍ଟାଦଶ (୨୦୨୪) ସାଧାରଣ ନିର୍ବାଚନରେ ବିଜୟୀ ହୋଇ । ଏହା ମଧ୍ୟରେ ଛଅରୁ ସାତ ଦଶନ୍ଧିର ବ୍ୟବଧାନ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାରମ୍ଭିକ କେତୋଟି ବର୍ଷରେ ନିର୍ବାଚନୀ ଦୃଶ୍ୟ ଓ ଆଜିର ନିର୍ବାଚନୀ ଦୃଶ୍ୟ ମଧ୍ୟରେ ଦେଖାଯାଇଛି ବହୁ ପରିବର୍ତ୍ତନ ଯାହା ପ୍ରତି ଇଙ୍ଗିତ କରି ମାନ୍ୟବର ସୁପ୍ରିମ କୋର୍ଟର ସମ୍ବିଧାନ ପୀଠ, ଏଇ ମାତ୍ର ସାଢେ ତିନିବର୍ଷ ତଳେ (୨ ମାର୍ଚ୍ଚ ୨୦୨୩ ), ଏକ ଗୁରୂତ୍ଵ ପୂର୍ଣ୍ଣ ରାୟ(Anoop Baranwal vs Union Of India Ministry Of Law And ..paragraph 225 ) ଦେଇ ମନ୍ତବ୍ୟ କରନ୍ତି ,” “ଭାରତରେ ନିର୍ବାଚନୀ ଦୃଶ୍ୟ ସେପରି ନୁହେଁ ଯେପରି ଭାରତ ଗଣରାଜ୍ୟ(republic) ହେବାର ପ୍ରାରମ୍ଭିକ ବର୍ଷମାନଙ୍କରେ ଥିଲା । ରାଜନୀତିର ଅପରାଧୀକରଣ, ଏହାର ଆନୁଷଙ୍ଗିକ ସମସ୍ତ କ୍ଷତିକାରକ ଦିଗସହ, ଏକ ଦୁଃସ୍ୱପ୍ନ ପରି ବାସ୍ତବ ହୋଇଛି । ମତଦାତାଙ୍କର ଏହି ସମସ୍ତ ପ୍ରକ୍ରିୟାରେ ବିଶ୍ଵାସ, ଯାହା ଗଣତନ୍ତ୍ର(democracy )ର ମୂଳ ଆଧାର, ତାହା ଦୋହଲି ଯାଇଛି ।” ‘ଭାରତ ଗଣରାଜ୍ୟ(republic) ହେବାର ପ୍ରାରମ୍ଭିକ ବର୍ଷମାନଙ୍କ’ରେ ନିର୍ବାଚନୀ ଦୃଶ୍ୟ କିପରି ଥିଲା? ସ୍ଵାଭାବିକ, ୨୫ଅକ୍ଟୋବର୧୯୫୧ – ୨୧ ଫେବୃଆରୀ ୧୯୫୨ମଧ୍ୟରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନ ସମ୍ପର୍କରେ ଜାଣିବାରୁ ଆରମ୍ଭ କରା ଯାଇପାରେ ।
ପ୍ରଥମ ସାଧାରଣ ନିର୍ବାଚନ
ପ୍ରଥମ ସଧାରଣ ନିର୍ବାଚନ (୨୫ଅକ୍ଟୋବର୧୯୫୧ – ୨୧ ଫେବୃଆରୀ ୧୯୫୨)ର ସଂଚାଳନ ସମ୍ପର୍କରେ ମନ୍ତବ୍ୟ କରି Economic Weekly(ଯାହା ଆଜି EPW)ର ଜାନୁଆରୀ ୨୬,୧୯୫୨ସଂଖ୍ୟାରେ ଜଣେ ସମ୍ମାନାସ୍ପଦ ସମାଜଶାସ୍ତ୍ରୀ ଧୂର୍ଜଟି ପ୍ରସାଦ ମୁକେର୍ଜୀ (D P Mukerji) ଲେଖିଥିଲେ, “ବହୁତ ଅଧିକ ଶ୍ରେୟ ସେମାନଙ୍କୁ ଯିବ, ଯେଉଁମାନେ ଭାରତୀୟ ଇତିହାସର ଏକ ଅବିଶ୍ଵସନୀୟ ପ୍ରଥମ ପ୍ରୟୋଗର ଦାୟିତ୍ଵରେ ଥିଲେ । ନିଶ୍ଚିତ ଭାବରେ ଅମଲାତନ୍ତ୍ର ନିଜର ଯୋଗ୍ୟତା ପ୍ରମାଣ କରିଛି ସେହି କର୍ତ୍ତବ୍ୟ ନିର୍ବାହ କରି ଯାହା ସେମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି ଜଣେ ସଚ୍ଚୋଟ ପ୍ରଧାନମନ୍ତ୍ରୀ ।”
ପ୍ରଥମ ସାଧାରଣ ନିର୍ବାଚନକୁ ‘ଭାରତୀୟ ଇତିହାସର ଏକ ଅବିଶ୍ଵସନୀୟ ପ୍ରଥମ ପ୍ରୟୋଗ’ କହିବାର କାରଣ ହେଉଛି ଅନେକଙ୍କର ବିଶ୍ଵାସ ହେଉ ନ ଥିଲା ଯେ ସଦ୍ୟ ଘୋଷିତ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାର୍ବଜନୀନ ସାବାଳକ ମତଦାନ (Universal adult suffrage)ପଦ୍ଧତିର ପ୍ରୟୋଗ ସଫଳ ହେବ ବୋଲି । ଏହା ପୂର୍ବରୁ କୌଣସି ଏପରି ନଜିର ନ ଥିଲା । ଯେପରି ପ୍ରତିଷ୍ଠିତ ଆଇନବିଦ୍ ନାନୀ ପାଲକିୱାଲା ଲେଖନ୍ତି୨(ପୃ ୪୬ ) , “ମୁଁ ଜାଣିନାହିଁ ଯେ କୌଣସି ମହାନ ଗଣତନ୍ତ୍ର ସାବାଳକ ମତଦାନକୁ ଭିତ୍ତି କରି ଏକ ଗଣରାଜ୍ୟ ଭାବେ ତାର ଯାତ୍ରା ଆରମ୍ଭ କରିଛି : ସେମାନେ ସମସ୍ତେ ସୀମିତ ପଦ୍ଧତି ଦେଇ ଆରମ୍ଭ କରିଛନ୍ତି ଓ ପରେ ସାବାଳକ ମତଦାନ ପଦ୍ଧତିକୁ ପ୍ରଚଳନ କରିଛନ୍ତି ।” ଏପରିକି ଯେଉଁ ସମ୍ବିଧାନ ସଭାରେ ଏହା ଗୃହୀତ ହୋଇ ଭାରତୀୟ ସମ୍ବିଧାନର ଧାରା ୩୨୬ ରେ ସ୍ଥାନ ପାଇଲା ସେହି ସମ୍ବିଧାନ ସଭାର ସଭାପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କଠାରେ ଏହି ପଦ୍ଧତି ବେଶ ଉଦବେଗର କାରଣ ହୋଇଥିଲା୨(ପୃ ୪୫ ) । ସମ୍ବିଧାନ ସଭାରେ ଶ୍ରୀ ରାଜଗୋପାଳାଚାରୀ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମଧ୍ୟ ଏହି ବ୍ୟବସ୍ଥା ସମ୍ପର୍କରେ ଭିନ୍ନ ମତ ପୋଷଣ କରୁଥିଲେ । ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ମୁଖପତ୍ର ସେତେବେଳେ ଲେଖିଲା୨(ପୃ ୫୫) , “ଜବାହାରଲାଲ ନେହରୁ ତାଙ୍କ ଜୀବଦ୍ଦଶାରେହିଁ ଭାରତରେ ସାର୍ବଜନୀନ ସାବାଳକ ମତଦାନ ପଦ୍ଧତିର ବିଫଳତାକୁ ସ୍ଵୀକାର କରିବେ ।“ ଓ କ୍ଷୋଭ ପ୍ରକାଶ କଲା ଯେ ନେହରୁ ଏହି ସବୁ ମତକୁ ଶୁଣୁ ନାହାନ୍ତି, ସେ ଯେ ସର୍ବଦା ‘ବଂଚିଛନ୍ତି ସ୍ଲୋଗାନ ଓ ଚମକ ପ୍ରଦର୍ଶନ କରି’ ( ‘lived by slogans and stunts’) । ତେବେ ମୁଖାର୍ଜୀ ମହାଶୟ ଯେଉଁ ‘ସଚ୍ଚୋଟ ପ୍ରଧାନମନ୍ତ୍ରୀ’ଙ୍କ ପ୍ରତି ଇଙ୍ଗିତ କରୁଥିଲେ ସେ ହେଲେ, ସେତେବେଳକାର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ । ପଣ୍ଡିତ ନେହରୁ ଯେପରି ନିଶ୍ଚିତ ଥିଲେ ସାର୍ବଜନୀନ ସାବାଳକ ମତଦାନ ପଦ୍ଧତିର ସଫଳତା ସମ୍ପର୍କରେ ।
ସୁକୁମାର ସେନ
କାରଣ ଯେଉଁ ଅମଲାମାନଙ୍କ ହାତରେ ଏହି ପଦ୍ଧତିକୁ କର୍ଯ୍ୟକାରୀ କରିବାର ଦାୟୀତ୍ଵ ଦିଆଯାଇଥିଲା ତାର ନେତୃତ୍ଵ ନେଉଥିଲେ ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ସୁକୁମାର ସେନ ICS, ଓ ଶ୍ରୀ ସେନ ସଚେତନ ଥିଲେ ଯେ ସେ ସମ୍ପୃକ୍ତ ହୋଇଛନ୍ତି ‘biggest experiment in democracy in human history’ ପରିଯୋଜନାରେ । ସେଥିପାଇଁ ସେ ନେହରୁଙ୍କୁ ମୁହଁ ଉପରେ କହିପାରିଥିଲେ ‘ଅପେକ୍ଷା କରନ୍ତୁ’ । ନେହରୁ ଚାହୁଁ ଥିଲେ ୧୯୫୧ ମସିହା ମାର୍ଚ୍ଚ -ଏପ୍ରିଲ ବେଳକୁ ନିର୍ବାଚନ ହୋଇଯାଉ । ଶ୍ରୀ ସୁକୁମାର ସେନ ତରବର ହୋଇ ନିର୍ବାଚନ କରାଇବା ସପକ୍ଷରେ ନ ଥିଲେ । ରାମଚନ୍ଦ୍ର ଗୁହ ଲେଖନ୍ତି୩(ପୃ ୧୩୧) , “ଏହା ବୋଧହୁଏ ସେନଙ୍କ ଭିତରେ ଥିବା ଗଣିତଜ୍ଞ ଯିଏ ତାଙ୍କୁ ସାହସ ଦେଇଥିଲା ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ କହିବା ପାଇଁ । କାରଣ ଦେଶର ଅନ୍ୟ କୌଣସି ଅଫିସର, ନିଶ୍ଚିତ ଭାବେ ଭାରତୀୟ ଅଫିସର ନୁହନ୍ତି, ଯାହା ସମ୍ମୁଖରେ ଥିଲା ଏତେ ବିରାଟ କାର୍ଯ୍ୟ ।” ଶ୍ରୀ ସୁକୁମାର ସେନ ପ୍ରେସିଡେନ୍ସି କଲେଜରୁ ଗଣିତରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଓ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ସ୍ନାକୋତ୍ତର ।
ପ୍ରଥମ ସାଧାରଣ ନିର୍ବାଚନର ସମାପନ ବିଷୟରେ, ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀଯୁକ୍ତ ସୁକୁମାର ସେନ ICS ଲେଖିଥିଲେ୨(ପୃ ୬୦) , “ଭାରତରେ ସାଧାରଣ ନିର୍ବାଚନର ସଫଳ ସମାପନକୁ ଗଣତନ୍ତ୍ର ଇତିହାସର ଏକ ମାଇଲଖୁଣ୍ଟ ବୋଲି କୁହାଯାଇପାରେ । ଏହା ପୂର୍ବରୁ କଦାପି ଏତେ ବିଶାଳ ସଂଖ୍ୟାରେ ମତଦାନ ହୋଇ ନ ଥିଲା । ଭାରତରେ ଗଣତାନ୍ତ୍ରିକ ଜୀବନ ଶୈଳୀର ଭବିଷ୍ୟତ ମୁଖ୍ୟତଃ ନିର୍ଭର କରୁଛି ଏହି ପ୍ରୟୋଗର ସଫଳତା ଉପରେ ଏବଂ ଏହା ଉପରେ ଯେ କେତେ ଦୂର ଏହି ନିର୍ବାଚନ ଗୁଡିକ ଲୋକଙ୍କ ଭିତରେ ଉତ୍ସାହ ଓ ସନ୍ତୋଷ ସୃଷ୍ଟି କରିପାରୁଛି । ” ଏହି ନିର୍ବାଚନର ବିଶାଳତା ଦେଖି ତତ୍କାଳୀନ ଆମେରିକାର ରାଷ୍ଟ୍ରଦୂତ Chester Bowels ଲେଖିଥିଲେ୩(ପୃ ୧୪୬) , ” ଏସିଆରେ ହେଉ ବା ଆମେରିକାରେ, ଏହା ଠାରୁ ବୃହତ ଦୂରଦର୍ଶିତା ମୁଁ ଜାଣି ନାହିଁ ଯେଉଁଠି ସରକାର ଗଠନ ଶାସିତଙ୍କ ସମ୍ମତିରେ ହେଉଛି ।” (p. 146, Guha) ଯାହା ଉଲ୍ଲେଖନୀୟ, ତାହା ହେଉଛି ପ୍ରଥମ ସାଧାରଣ ନିର୍ବାଚନରେ ପ୍ରାୟ କୌଣସି ନିର୍ବାଚନୀ ହିଂସା ଦେଖା ନ ଯିବା୨(ପୃ ୬୨) ।
‘ସଚ୍ଚୋଟ ପ୍ରଧାନମନ୍ତ୍ରୀ’
କାହିଁକି ମୁକେର୍ଜୀ ମହାଶୟ ଏହି ପ୍ରଥମ ନିର୍ବାଚନ ସନ୍ଦର୍ଭରେ ନେହରୁଙ୍କୁ ‘ସଚ୍ଚୋଟ ପ୍ରଧାନମନ୍ତ୍ରୀ’ ବୋଲି ଆଖ୍ୟାୟିତ କରିଥିଲେ ? ସେ କ’ଣ ଶୁଣିଥିଲେ ପ୍ରଥମ ନିର୍ବାଚନ ସମୟରେ, ୨୨ ନଭେମ୍ବର ୧୯୫୧ ଦିନ, ରାଷ୍ଟ୍ର ଉଦ୍ଦେଶ୍ୟରେ ନେହରୁ ଦେଇଥିବା ରେଡିଓ ବାର୍ତ୍ତା୪(ପୃ ୨୧) ଓ ହୃଦୟଙ୍ଗମ କରିଥିଲେ ନେହରୁଙ୍କର ନିର୍ବାଚନ ପ୍ରକ୍ରିୟାରେ ଶୁଚିତାର ଅପରିହାର୍ଯ୍ୟତା ପ୍ରତି ନିଷ୍ଠା?
ନେହରୁଙ୍କ ରେଡିଓ ବାର୍ତ୍ତା
“ ଆଜି ରାତିରେ ମୁଁ ଆପଣମାନଙ୍କୁ ସାଧାରଣ ନିର୍ବାଚନ ସମ୍ପର୍କରେ କହିବାକୁ ଯାଉଛି । ଆପଣମାନେ ଏହା ସମ୍ପର୍କରେ କିଛି ଜାଣିଛନ୍ତି ଏବଂ ସ୍ଵାଭାବିକ ଏ ବିଷୟ ପ୍ରତି ଦେଶରେ ବହୁତ ଆଗ୍ରହ ରହିଛି । ଏହା ଠିକ୍ ଆପଣମାନେ ପ୍ରତ୍ୟେକେ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଗ୍ରହ ଦେଖାଇବା ଉଚିତ ଯାହା ଯେଉଁ ଆକାରରେ ଘଟିତ ହେବାକୁ ଯାଉଛି ତାହା ଇତିହାସରେ ଏଯାବତ୍ ଅଜଣା । ଏହା ମଧ୍ୟ ଗୁରୂତ୍ଵ ପୂର୍ଣ୍ଣ ଯେ ଆପଣମାନେ ଗଣରାଜ୍ୟ ଭାରତର ନାଗରିକ ଭାବେ ଏଥିରେ ଆଗ୍ରହ ଦେଖାଇବା ଉଚିତ, ଯାହାର ଭବିଷ୍ୟତ ଏହି ନିର୍ବାଚନ ମାନଙ୍କ ଦ୍ୱାରା ପ୍ରଭାବିତ ହେବ । ଗଣତନ୍ତ୍ରର ଆଧାର ହେଉଛି ଜନଗଣଙ୍କର ସକ୍ରିୟ ତଥା ବୁଦ୍ଧିଦୀପ୍ତ ଆଗ୍ରହ ସେମାନଙ୍କର ଜାତୀୟ ସମସ୍ୟାରେ ଓ ନିର୍ବାଚନରେ ଯାହାର ପରିଣତିରେ ଗଢା ହୋଇଥାଏ ସରକାର ।
ପ୍ରଥମେ ଆମର ଏକ ଧାରଣା ହେଉ ଯେ ସାଧାରଣ ନିର୍ବାଚନ କେତେ ଦୂର ଆମ ଦେଶକୁ ପ୍ରଭାବିତ କରିବ । ସମୁଦାୟ ୨୨୯୩ଟି ନିର୍ବାଚନ ମଣ୍ଡଳୀ ଭାରତରେ ରହିଛି । ଏଥିରେ ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟସଭା ପାଇଁ ସଂସଦୀୟ ନିର୍ବାଚନ ମଣ୍ଡଳୀ, ଓ ବିଧାନ ସଭା ତଥା ବିଧାନ ପରିଷଦ ପାଇଁ ନିର୍ବାଚନ ମଣ୍ଡଳୀ । ସବୁ ମିଶି ୪୪୧୨ ପ୍ରତିନିଧି ଏହି ବ୍ୟବସ୍ଥାପିକାଗୁଡିକ ପାଇଁ ବଛାଯିବେ ।
ଆମ ମତଦାତା ତାଲିକାରେ ମତଦାତାଙ୍କ ସଂଖ୍ୟା ପ୍ରାୟ ୧୭୬,୬୦୦,୦୦୦ । ମତଦାନ କେନ୍ଦ୍ର ସଂଖ୍ୟା ପ୍ରାୟ ୨୨୪,୦୦୦ ।
ପ୍ରତ୍ୟେକ ମତଦାନ କେନ୍ଦ୍ରର ସଂଚାଳନ ହେବ ଜଣେ ପ୍ରିଜାଇଡ଼ିଂ ଅଫିସର, ପାଞ୍ଚ ଜଣ କ୍ଳର୍କ ଏବଂ ଚାରିଜଣ ପୁଲିସକର୍ମୀଙ୍କ ଦ୍ଵାରା । ଯେହେତୁ ନିର୍ବାଚନ ଗୁଡିକ ଗୋଟିଏ ସମୟରେ ଭାରତ ସାରା ହେବ ନାହିଁ, ଆବଶ୍ୟକୀୟ କର୍ମଚାରୀଙ୍କର ଗୋଟିଏ ଅଂଶକୁ ଏକାଧିକ ସ୍ଥାନରେ ଦାୟିତ୍ୱ ନିର୍ବାହ କରିବାକୁ ପଡି ପାରେ । ଏକ ସ୍ଥୂଳ ଆକଳନ ଅନୁସାରେ ଆବଶ୍ୟକ ବିଶେଷ ପ୍ରଶିକ୍ଷିତ କର୍ମଚାରୀ ହେଉଛନ୍ତି –
ପ୍ରିଜାଇଡ଼ିଂ ଅଫିସର ୫୬୦୦୦
କ୍ଳର୍କ ୨୮୦,୦୦୦
ପୁଲିସ କର୍ମୀ ୨୨୪,୦୦୦
ଏମାନଙ୍କ ସହ ସାମିଲ ହେବେ ବିଶାଳ ସଂଖ୍ୟକ ସରକାରୀ କର୍ମଚାରୀ ଓ ସ୍ୱେଚ୍ଛାସେବୀ କର୍ମୀ । ପ୍ରକୃତ ଅର୍ଥରେ, , ରାଜ୍ୟର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିର୍ବାଚନ ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରାଯିବ । ନିର୍ବାଚନ ପାଇଁ, ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ଦ୍ଵାରା ଖର୍ଚ୍ଚ ହେବ ପାଖା ପାଖି ୧୦୦,୦୦୦,୦୦୦ ଟଙ୍କା ।
ମୁଁ କେବଳ ଏଠାରେ ଆଫିସିକ କର୍ମଚାରୀଙ୍କ ବିଷୟରେ କହିଛି ; କିନ୍ତୁ ଏହା ସହିତ ପ୍ରତ୍ୟେକ ପ୍ରାର୍ଥୀ ପାଇଁ ଜଣେ ନିର୍ବାଚନ ଏଜେଣ୍ଟ ଓ ଅନ୍ୟାନ୍ୟ ଏଜେଣ୍ଟ ଓ ସହକାରୀମାନେ ମଧ୍ୟ ରହିବେ ।
ଏହିପରି ଭାବରେ ଏହି ନିର୍ବାଚନରେ, ମତଦାତାଙ୍କୁ ଛାଡି, ନିୟୋଜିତ ଲୋକଙ୍କ ସଂଖ୍ୟା ବେଶ ବିଶାଳ । ବସ୍ତୁତଃ , ସମୁଦାୟ ସଂଗଠନ ଏକ ବିରାଟ ଆକାରରେ ଗଢା ଯାଇଛି ଏବଂ ଆମ ସମସ୍ତଙ୍କ ପାଇଁ ଏହା ଏକ ପରୀକ୍ଷା । ପ୍ରକୃତ ମତଦାନ ପ୍ରକ୍ରିୟା ପାଇଁ ବିରାଟ ଆୟୋଜନ କରାଯିବା ପୂର୍ବରୁ ବେଶ ବିଶାଳ ପରିମାଣରେ ମାନବଶ୍ରମ ବ୍ୟୟ ହୋଇଛି । ଯେପରି ଏହା ଆରମ୍ଭ ହେଲା ମତଦାତାଙ୍କର ତାଲିକା ପ୍ରସ୍ତୁତ କରିବାରୁ । ଆପଣମାନେ ଅନୁମାନ କରିପାରୁଥିବେ ଏପରି ତାଲିକା ପ୍ରସ୍ତୁତ ପାଇଁ କେତେ ବିଶାଳ ପରିମାଣର କାଗଜ ଆବଶ୍ୟକ ହୋଇଥିବ, ଏବଂ କେତେ ବିଶାଳ ଆକାରରେ ଛପା କାର୍ଯ୍ୟ କରିବାକୁ ପଡ଼ିଥିବ ।
ଦୁଃର୍ଭାଗ୍ୟର ବିଷୟ ଯେ ବହୁ ସଂଖ୍ୟାରେ ଆମର ମତଦାତା ସାକ୍ଷର ନୁହନ୍ତି, ତେଣୁ ଆମକୁ ଦେବାକୁ ହେଉଛି ରଙ୍ଗୀନ ବାକ୍ସ ଯାହା ଉପରେ ପ୍ରତ୍ୟେକ ଦଳ ଏବଂ ପ୍ରାର୍ଥୀଙ୍କର ଚିହ୍ନ ରହିଛି । ଏହା ଦ୍ୱାରା ଏକ ନୂତନ ବୋଝ ସୃଷ୍ଟି ହୋଇଛି କେନ୍ଦ୍ର ଓ ରାଜ୍ୟ ଉପରେ । ଏଥିପାଇଁ, ସେମାନଙ୍କୁ ଏକ ବିଶାଳ କର୍ମଚାରୀ ଦଳ ଗଢିବାକୁ ପଡିଛି ଯାହା କାର୍ଯ୍ୟ କରିବ କେନ୍ଦ୍ରୀୟ ନିର୍ବାଚନ କମିଶନର ଅଧୀନରେ । କିନ୍ତୁ କୌଣସି ସରକାରୀ ସଂଗଠନ ଯେତେ ପରିମାଣରେ ଚେଷ୍ଟା କଲେ ମଧ୍ୟ ଏହି ନିର୍ବାଚନଗୁଡିକୁ କୁ ସଫଳ କରିପାରିବ ନାହିଁ ଯଦି ଲୋକେ ସହଯୋଗ ନ କରନ୍ତି । ତେଣୁ ଏହା ଆମ ଲୋକଙ୍କ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଯେ ସେମାନେ ସେ ସମସ୍ତ ପ୍ରକ୍ରିୟାକୁ ବୁଝିବେ ଯାହା ଦ୍ୱାରା ସେମାନଙ୍କର ମତଦାନ ସମ୍ଭବ ହେବ ଏବଂ ଆମେ ସେମାନଙ୍କର ବୁଦ୍ଧିଦୀପ୍ତ ସହଯୋଗ ପାଇବା ।
ଅନେକ ସଂଗଠିତ ଦଳ ଏହି ନିର୍ବାଚନରେ ସେମାନଙ୍କର ପ୍ରାର୍ଥୀ ଠିଆ କରାଉଛନ୍ତି । ଏହା ମଧ୍ୟ ହୋଇପାରେ ଯେ କେତେ ଜଣ ସ୍ଵାଧୀନ ପ୍ରାର୍ଥୀ ଥିବେ । ଏହି ନିର୍ବାଚନମାନଙ୍କରେ ପ୍ରତ୍ୟେକ ଦଳ ଏବଂ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନ୍ୟାଯ୍ୟ ଓ ସମାନ ସୁଯୋଗ ଦିଆଯିବା ନିହାତି ଆବଶ୍ୟକ । ଗୋଟିଏ ଦଳ ସରକାରରେ ଅଛି ବୋଲି ନିର୍ବାଚନ ସମୟରେ ସେ କୌଣସି ବିଶେଷ ସୁବିଧାର ହକଦାର ହୋଇପାରେନା. । ସରକାରୀ ଅଫିସରମାନେ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା କଡା ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ କଠୋର ନିରପେକ୍ଷତାର ସହିତ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରିବେ । କେହି ସରକାରୀ କର୍ମଚାରୀ ଯଦି କୌଣସି ଅନୁଚିତ ଆଚରଣ କରନ୍ତି ତା’ ପାଇଁ ଆଇନରେ ଦଣ୍ଡ ବ୍ୟବସ୍ଥା ହୋଇଛି । ନିର୍ବାଚନ କମିଶନ ମଧ୍ୟ ବିଭିନ୍ନ ସମୟରେ ଏହି ଭଳି ଚେତାବନୀ ଜାରି କରିଛି , ଏବଂ ଅନୁଚିତ ବା ଅବୈଧ ଆଚରଣ ସମ୍ବନ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ।
ପ୍ରାର୍ଥୀମାନେ ଓ ସେମାନଙ୍କର ଏଜେଣ୍ଟମାନେ ମନେ ରଖିବା ଉଚିତ ସେମାନଙ୍କର କର୍ତ୍ତବ୍ୟ ଓ ଦାୟବଦ୍ଧତା ଏବଂ ନିର୍ବାଚନ ସମ୍ବନ୍ଧୀୟ ଜଟିଳ ଆଇନ ସହ ଭଲ ଭାବରେ ପରିଚିତ ହେବାକୁ ସୁନିଶ୍ଚିତ କରିବେ । କୌଣସି ଭୁଲ ବା ବିଚ୍ୟୁତି ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରେ ।
ସରକାରରେ ଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ଅନେକେ ଯେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଥିବେ ସେମାନଙ୍କ ସମ୍ମୁଖରେ ରହିଛି ଏକ କଠିନ କାର୍ଯ୍ୟ । ସେମାନେ ତାଙ୍କର ଆଫିସିକ ପଦବୀକୁ ନିଜର ନିର୍ବାଚନୀ ଭବିଷ୍ୟତ ପାଇଁ ବ୍ୟବହାର କରିବା ଉଚିତ ନୁହେଁ । ସେମାନେ ଯଥା ସମ୍ଭବ ଚେଷ୍ଟା କରିବା ଉଚିତ ସେମାନଙ୍କର ନିର୍ବାଚନୀ ବା ଘରୋଇ କାର୍ଯ୍ୟକୁ ଆଫିସିକ କାର୍ଯ୍ୟ ଠାରୁ ଅଲଗା କରିବା ପାଇଁ । ଏ ସମ୍ପର୍କରେ ସବିଶେଷ ନିର୍ଦ୍ଦେଶ ଜାରି କରଯାଇଛି ।
ଏହା ମନେ ରଖାଯିବା ଉଚିତ ଯେ କୌଣସି ଦଳୀୟ ସ୍ୱାର୍ଥରେ ଜାତୀୟ ପତାକାର ବ୍ୟବହାର ବା ଅପବ୍ୟବହାର ହେବ ନାହିଁ । ଜାତୀୟ ପତାକା କେତେବେଳେ ସରକାରୀ ଭାବେ ବ୍ୟବହାର କରାଯାଇ ପାରେ ସେ ସମ୍ବନ୍ଧରେ ବାସ୍ତବିକ କଡା ନିୟମ ରହିଛି । କୌଣସି ନିର୍ବାଚନ ଉଦ୍ଦେଶ୍ୟରେ ଆଦୌ ଏହାର ବ୍ୟବହାର ହେବ ନାହିଁ ।
ଗଣତାନ୍ତ୍ରିକ ନିର୍ବାଚନର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରମୁଖ ସମସ୍ୟା ଗୁଡିକ ଉପରେ ମତଦାତାଙ୍କର ବିଚାର ଜାଣିବା, ଓ ମତଦାତାଙ୍କୁ ସେମାନଙ୍କର ପ୍ରତିନିଧି ବାଛିବା ପାଇଁ ସୁଯୋଗ ଦେବା । ଦଳ ଗୁଡିକ ସେମାନଙ୍କର କାର୍ଯ୍ୟକ୍ରମଗୁଡିକୁ ଜନତା ସମ୍ମୁଖରେ ରଖିବେ ଏବଂ ବ୍ୟାପକ ପ୍ରଚାରରେ ଲାଗିପଡ଼ିବେ ମତଦାତାଙ୍କୁ ବୁଝାଇବାରେ ପ୍ରତିଟି କାର୍ଯ୍ୟକ୍ରମର ଗୁଣ ସହିତ ଅନ୍ୟ କାର୍ଯ୍ୟକ୍ରମଗୁଡିକର ଦୋଷ ସମ୍ପର୍କରେ । ଏହି ପରସ୍ପର ବିରୋଧୀ ପଦ୍ଧତିଗୁଡିକର ଉଦ୍ଦେଶ୍ୟ ହେଉଛି ମତଦାତାଙ୍କୁ ଶିକ୍ଷିତ ଓ ସଚେତନ କରିବା ଏବଂ ସେମାନଙ୍କୁ ସଠିକ ଚୟନରେ ସାହାଯ୍ୟ କରିବା ।
କୌଣସି କାରଣରୁ, ନିର୍ବାଚନ ପ୍ରଚୁର ଉତ୍ତେଜନା ଏବଂ ବେଳେ ବେଳେ ଆବେଗ ବା ଉନ୍ମାଦନା ସୃଷ୍ଟି କରିଥାଏ । ଦୁର୍ଭାଗ୍ୟବଶତଃ, ଏପରି ଉତ୍ତେଜନା ଅନୁଚିତ ଆଚରଣକୁ ପ୍ରୋତ୍ସାହିତ କରିପାରେ ଏବଂ ଗଣତନ୍ତ୍ରର ସ୍ଵାଭାବିକ ମାନଦଣ୍ଡକୁ ନିମ୍ନମୁଖୀ କରିପାରେ । ଏହା ବିରୋଧରେ ଆମକୁ ସତର୍କ ରହିବାକୁ ହେବ । ଏହା ଅତ୍ୟନ୍ତ ଗୁରୁତ୍ଵପୁର୍ଣ୍ଣ ଆମ ସମସ୍ତଙ୍କ ପାଇଁ, ଯେଉଁ ଦଳର ଆମେ ହେଉଁ ନା କାହିଁକି, ଯେ ଆମେ ଶିଷ୍ଟତା ଓ ମର୍ଯ୍ୟାଦାବନ୍ତ ବ୍ୟବହାରର ଏକ ଉଚ୍ଚ ସ୍ତର କାଏମ ରଖିବା । ଭାଷଣରେ ହେଉ ବା ଲିଖିତ ଭାବରେ ହେଉ ଆମର ପ୍ରଚାର(propaganda) ବ୍ୟକ୍ତିଗତ ହେବା ଉଚିତ ନୁହେଁ ବରଂ ନୀତି ଓ କାର୍ଯ୍ୟକ୍ରମରେ ସୀମିତ ରହିବା ଉଚିତ । ଏହା କୌଣସି ପ୍ରକାରରେ ବ୍ୟକ୍ତିଗତ ସମାଲୋଚନା ଓ ଗାଳିକୁ ଖସି ଯିବା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ । ବର୍ତ୍ତମାନ ଆମେ ଯେଉଁ ମାନ(standard) ସ୍ଥିର କରିବା ତାହା ନଜିର ହେବ ଭବିଷ୍ୟତ ନିର୍ବାଚନ ଗୁଡିକ ପାଇଁ ଓ ଏହାର ଆଧାରରେ ପରିଚାଳନା ହେବ ।
ନିର୍ବାଚନ ଆରମ୍ଭ ହୋଇଯାଇଛି, ହିମାଚଳ ପ୍ରଦେଶର ଦୁର୍ଗମ ଘାଟିର କେତେକ ଅଞ୍ଚଳରେ ମତଦାନ ହୋଇଛି । ଏହାକୁ ଏବେ କରିବାକୁ ପଡିଲା କାରଣ ମଧ୍ୟ ଶୀତ କାଳରେ ପାର୍ବତ୍ୟ ରାସ୍ତା ଗୁଡିକୁ ବନ୍ଦ କରି ଦିଆଯାଇଥାଏ ଏବଂ ଯାତାୟତ କଠିନ ହୋଇଥାଏ । ଏହି ସମାନ କାରଣ ଯୋଗୁଁ, ଉତ୍ତର ପ୍ରଦେଶର କେତେକ ପାର୍ବତ୍ୟ ଅଞ୍ଚଳର ଅଳ୍ପ କେତେକ ନିର୍ବାଚନ ମଣ୍ଡଳୀରେ ମତଦାନ ଆସନ୍ତା ଫେବୃଆରୀ ମାସରେ ହେବ । ଏ ଅସାଧାରଣ କେତୋଟି ଦୃଷ୍ଟାନ୍ତକୁ ବାଦ ଦେଲେ, ସାରା ଦେଶରେ ମତଦାନ ଜାନୁଆରୀ ମାସରେ ଘୋଷିତ ହୋଇଥିବା ତାରିଖମାନଙ୍କରେ ହେବ ।
ମୁଁ ଗୋଟିଏ ସରଳ, ବରଂ ଅତିରଞ୍ଜନହୀନ ବିବରଣୀ ଆପଣମାନଙ୍କୁ ଦେଲି । ମୁଁ ଅବଶ୍ୟ ଚାହିଁବି ଯେ ଆପଣମାନେ ଭାରତବାସୀଙ୍କର ଏହି ମହାନ ଦୁଃସାହସିକ ଅଭିଯାନର ଗଭୀରତାକୁ ହୃଦୟଙ୍ଗମ କରିବା ପାଇଁ ଉଦ୍ୟମ କରିବେ । କୋଟି କୋଟି ଭାରତବାସୀ ଏହି ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରିତ କରିବେ । ସେମାନେ ତାଙ୍କର ମତପତ୍ର ହଜାର ହଜାର ବ୍ୟାଲଟ ବାକ୍ସ ଗୁଡିକରେ ପକାଇବେ ଦର୍ଶାଇ ସେମାନଙ୍କର ପସନ୍ଦ ଏବଂ ଏହା ସେମାନେ କରିବେ ଶାନ୍ତି ପୁର୍ଣ୍ଣ ଭାବରେ । ଏହି ମତପତ୍ର ଗୁଡିକରୁ ବାହାରିବେ ଭାରତୀୟ ସଂସଦର ଏବଂ ରାଜ୍ୟ ବିଧାନ ସଭାର ସଭ୍ୟଗଣ; ଆମେ ନିର୍ବାଚନର ଏହି ଫଳାଫଳକୁ ବିନା ପ୍ରଶ୍ନରେ ଗ୍ରହଣ କରିବା ।
ଏହାହିଁ ହେଉଛି ଗଣତନ୍ତ୍ରର ସାରମର୍ମ । ଆମେ ସମସ୍ତେ ସ୍ଵାଭାବିକ ଭାବରେ ଚାହୁଁ ଯେ ଯେଉଁ ଆଦର୍ଶକୁ ଆମେ ପ୍ରତିନିଧିତ୍ଵ କରୁଛୁ ତାହର ବିଜୟ ହେଉ ଏବଂ ସେହି ଦିଗରେ ଆମେ ଚେଷ୍ଟା କରୁଥାଉ । ଗୋଟିଏ ଗଣତନ୍ତ୍ରରେ, ଆମକୁ ଜାଣିବାକୁ ହେବ କିପରି ବିଜୟୀ ହେବାକୁ ହେବ ଏବଂ କିପରି ଶାଳୀନତାର ସହ ପରାଜୟକୁ ସ୍ଵୀକାର କରିବାକୁ ହେବ । ଯେଉଁମାନେ ବିଜୟୀ ହେବେ ସେମାନେ ବିଜୟକୁ ତାଙ୍କ ମଗଜକୁ ଉଠିଯିବାକୁ ଦେବେ ନାହିଁ, ଯେଉଁମାନେ ପରାଜିତ ହେବେ ସେମାନେ ହତାଶ ହୋଇ ପଡ଼ିବେ ନାହିଁ ।
କେଉଁ ଉପାୟରେ ବିଜୟ ହେଉଛି ବା ପରାଜୟ ହେଉଛି , ତାହା ଫଳାଫଳ ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ । ଭୁଲ ବାଟରେ ଜିତିବା ଅପେକ୍ଷା ସଠିକ ବାଟରେ ହାରିବା ଭଲ । ପ୍ରକୃତରେ ଯଦି ସଫଳତା ଭୁଲ ପ୍ରଚେଷ୍ଟା ବା ଅନ୍ୟାୟ ଉପାୟରେ ଆସେ ତାହାହେଲେ ସେ ସଫଳତାର କୌଣସି ମୂଲ୍ୟ ରହେ ନା ।
ସାଧ୍ୟ ଏବଂ ସାଧନ କୁ ନେଇ ଭାରତରେ ଅନ୍ତହୀନ ବିତର୍କ ହୋଇ ଆସୁଛି । ସଠିକ ଉଦ୍ଦେଶ୍ୟ ହାସଲ ପାଇଁ ଭୁଲ ପଥ ଅବଲମ୍ବନ କରାଯିବା କ’ଣ ଉଚିତ ? ଯେତେଦୂର ଆମ ଭାରତର କଥା, ବହୁ ପୂର୍ବରୁ ଆମେ ଏହି ସିଦ୍ଧାନ୍ତ ମାନି ନେଇଛୁ ଯେ କୋଣସି ଉଦ୍ଦେଶ୍ୟ ଯାହାକୁ ହାସଲ କରିବା ପାଇଁ ଭୁଲ ଉପାୟ ଅବଲମ୍ବନ କରାଯାଏ ତାହା କଦାପି ସଠିକ ହୋଇପରେ ନା । ଯଦି ଆମେ ଏହି ସିଦ୍ଧାନ୍ତକୁ ନିର୍ବାଚନ କ୍ଷେତ୍ରରେ ପ୍ରୟୋଗ କରୁ, ଆମେ ଏହି ନିଷ୍କର୍ଷରେ ଉପନୀତ ହେବା ଯେ ସତ ଉଦ୍ଦେଶ୍ୟ ଦୃଷ୍ଟିରେ ରଖି ଅସତ୍ ଉପାୟ ଅବଲମ୍ବନ କରି ବିଜୟୀ ହେବା ଅପେକ୍ଷା, ମନ୍ଦ ଉଦ୍ଦେଶ୍ୟ ଦୃଷ୍ଟିରେ ରଖିଥିବା ବ୍ୟକ୍ତିର ବିଜୟ ଯଥେଷ୍ଟ ଭଲ । ଯଦି ଅସତ୍ ଉପାୟ ଅବଲମ୍ବନ କରାଯାଏ, ତାହାହେଲେ ଉଦ୍ଦେଶ୍ୟର ଯଥାର୍ଥତା ମୂଲ୍ୟହୀନ ହୋଇଯାଏ ।
ମୁଁ ଏହା ଉପରେ ଏଇଥିପାଇଁ ଜୋର ଦେଉଛି କାରଣ ଏହା ଗୁରୁତ୍ଵପୂର୍ଣ୍ଣ, ଏବଂ କାରଣ ନିର୍ବାଚନ ସମୟରେ ଦେଖାଯାଇଥାଏ ଆଚରଣର ସମସ୍ତ ମାନଦଣ୍ଡକୁ ଉପେକ୍ଷା କରିବାର ପ୍ରବଣତା । ମୁଁ ଅତ୍ୟନ୍ତ ଆନ୍ତରିକତାର ସହ ଆଶା କରେ ଯେ ପ୍ରତ୍ୟେକ ପ୍ରାର୍ଥୀ ତାଙ୍କ ସମର୍ଥକଙ୍କ ସହ ମନେରଖିବେ ଯେ କିଛି ପରିମାଣରେ ଭାରତର ମାନ-ସମ୍ମାନ ତାଙ୍କ ହାତରେ ରହିଛି ଏବଂ ତଦନୁସାରେ ସେ ନିଜର ଆଚରଣ କରିବେ ।
୪,୪୧୨ଟି ସ୍ଥାନ ପାଇଁ ଅଛନ୍ତି ଅସଂଖ୍ୟ ଆବେଦନକାରୀ । ଏମାନଙ୍କ ମଧ୍ୟରୁ ସୀମିତ ସଂଖ୍ୟକ ହିଁ ମନୋନୀତ ହେବେ ଏହି ସ୍ଥାନଗୁଡିକରୁ ପ୍ରତିଦ୍ଵନ୍ଦିତା କରିବା ପାଇଁ, ଅର୍ଥାତ୍ ବହୁ ସଂଖ୍ୟକ ବାଦ ପଡିଯିବେ ଯେଉଁମାନେ ପ୍ରାର୍ଥୀ ଭାବେ ମନୋନୀତ ହୋଇପାରିବେ ନାହିଁ ବା ଯେଉଁମାନେ ମନୋନୀତ ହେଲେ ସେମାନେ ସଫଳ ହେବେ ନାହିଁ । ମୁଁ ଆଶା କରିବି ଯେ ଯେଉଁମାନେ ପ୍ରଥମ ପର୍ଯ୍ୟାୟ ବା ଦ୍ୱିତୀୟ ପର୍ଯ୍ୟାୟରେ ଅସଫଳ ହୋଇଗଲେ ସେମାନେ ଏହାକୁ ଖୁବ ବେଶୀ ହୃଦୟକୁ ନେବେ ନାହିଁ ।
ଗୋଟିଏ ଭୁଲ ଧାରଣା ରହିଛି ଯେ ବ୍ୟବସ୍ଥାପିକାସଭା(legislatures)କୁ ନିର୍ବାଚିତ ହେଲେ ହିଁ ଜଣେ ଭାରତର ସେବା କରିପାରିବ । ନିଃସନ୍ଦେହ ବ୍ୟବସ୍ଥାପିକାସଭାରେ ଥାଇ ଲୋକେ ଭାରତର ସେବା କରିପାରନ୍ତି କିନ୍ତୁ ବୋଧହୁଏ ଏହା ବାହାରେ ସେମାନେ ଅନେକ ଅଧିକ ଭଲ ଭାବରେ ସେବା କରିପାରନ୍ତି । ନିର୍ବାଚନ ପୁଣି ଆସିବ ଏବଂ କୌଣସି କାରଣ ନାହିଁ ତାକୁ ନେଇ ଖୁବ ବେଶୀ ଉତ୍ତେଜନା ପ୍ରକାଶ କରିବାର । ଆସନ୍ତୁ ଆମେ ଧୀର ସୁସ୍ଥେ ଏହାର ସମ୍ମୁଖୀନ ହେବା ଏବଂ ସ୍ଵାଭାବିକତାର ସହ ଗ୍ରହଣ କରିବା ।
ମୁଁ ଗୋଟିଏ କଥା ଏଠାରେ ଯୋଡ଼ିବାକୁ ଚାହୁଁଛି ଯାହା ପୂର୍ବେ ମଧ୍ୟ ମୁଁ ବହୁବାର କହିଛି । ଆମର ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡିକ ପ୍ରତି ଏବଂ ଅର୍ଥନୈତିକ ଓ ଶୈକ୍ଷିକ ଦୃଷ୍ଟିରୁ ପଛୁଆ ଗୋଷ୍ଠୀ ଯେଉଁମାନେ ଭାରତୀୟ ଜନସଂଖ୍ୟାର ସବୁଠାରୁ ବଡ ଅଂଶ, ସେମାନଙ୍କ ପ୍ରତି ଆମର ଗୋଟିଏ ବିଶେଷ କର୍ତ୍ତବ୍ୟ ରହିଛି । ଆମେ ସମସ୍ତେ ଆମର ଅଧିକାର (rights) ଓ ବିଶେଷ ଅଧିକାର (privileges) ପାଇଁ ଜୋର ପାଟିତୁଣ୍ଡ କରୁଛୁ । ବେଶୀ ଗୁରୂତ୍ଵ ପୁର୍ଣ୍ଣ ହେଉଛି ମନେ ରଖିବା ଆମର କର୍ତ୍ତବ୍ୟ ଓ ଦାୟିତ୍ଵ ।
ଆସନ୍ତୁ ଆମେ ସମସ୍ତ ଆନ୍ତରିକତାର ସହିତ ପ୍ରଫୁଲ୍ଲ ଚିତ୍ତରେ ସାଧାରଣ ନିର୍ବାଚନର ଏହି ମହାନ ଅଭିଯାନର ସମ୍ମୁଖୀନ ହେବା, ଏବଂ ଚେଷ୍ଟା କରିବା ଏଡାଇବା ପାଇଁ ସେମାନଙ୍କ ପ୍ରତି ଦୁର୍ଭାବନାକୁ ଯେଉଁମାନେ ଆମକୁ ବିରୋଧ କରୁଛନ୍ତି । ଏତଦ୍ ଦ୍ଵାରା ଆମେ ଏହି ମହାନ ଗଣରାଜ୍ୟ(republic)ର ଗଣତାନ୍ତ୍ରିକ ଢାଞ୍ଚାର ଏକ ସୁଦୃଢ ଭିତ୍ତି ପକାଇ ପାରିବା ।
ନେହରୁଙ୍କ ଚେତାବନୀ
ନେହରୁ ମଧ୍ୟ ସଚେତନ ଥିଲେ ସାବାଳକ ମତଦାନ ପଦ୍ଧତିର ଦୁର୍ବଳ ଦିଗ ପ୍ରତି । ୨୦ ଡିସେମ୍ବର ୧୯୫୧ ଦିନ, ଅର୍ଥାତ୍ ପ୍ରଥମ ସାଧାରଣ ନିର୍ବାଚନ ସମୟରେ ହିଁ, ଦିଳ୍ଲୀଠାରେ ଅନୁଷ୍ଠିତ UNESCO ଆନୁକୁଲ୍ୟରେ ପରିଚାଳିତ ଏକ ସମ୍ପାନରେ ନେହରୁ କହିଥିଲେ୩(ପୃ ୧୪୬) , “ସାବାଳକ ମତଦାନ ଭଳି ଆଧୁନିକ ଗଣତାନ୍ତ୍ରିକ ପଦ୍ଧତିରେ ବଛା ଯାଉଥିବା ବ୍ୟକ୍ତିମାନଙ୍କର ଗୁଣରେ, ବିଚାରହୀନତା ଓ ଅପପ୍ରଚାରର କୋଳାହଳ ଯୋଗୁଁ, କ୍ରମଶଃ ଅବନତି ହୋଇଥାଏ । … ସେ (ମତଦାତା) ଶବ୍ଦ ଏବଂ କୋଳାହଳ ପ୍ରତି ପ୍ରତିକ୍ରିୟା କରିଥାଏ, ଗୋଟିଏ ପ୍ରକାର କଥାକୁ ବାରମ୍ବାର ଶୁଣି ପ୍ରତିକ୍ରିୟା କରେ ଯାହର ପରିଣାମ ସ୍ୱରୂପ ସେ ବାଛିଥାଏ କୌଣସି ଏକଛତ୍ରବାଦୀକୁ ବା ଏକ ଅସମ୍ବେଦନଶୀଳ ମୁକ ରାଜନେତାଙ୍କୁ । ଏପରି ରାଜନେତା ଦୁନିଆର ସମସ୍ତ କୋଳାହଳ ସତ୍ତ୍ୱେ ତାଙ୍କର ଦୁଇ ଗୋଡରେ ତଥାପି ଠିଆ ହୋଇ ରହିପାରନ୍ତି, ତେଣୁ ଶେଷକୁ ସେ ହିଁ ବାଛି ହୋଇଯାଇଥାନ୍ତି କାରଣ ଅନ୍ୟମାନେ ଏହି ପ୍ରଚଣ୍ଡ କୋଳାହଳ ଫଳରେ ଭାଙ୍ଗିପଡିଥାନ୍ତି ।
ନେହରୁଙ୍କ ସତର୍କ ଦୃଷ୍ଟି
ସେହି ସମୟରେ ହେଉଥିବା ନିର୍ବାଚନଗୁଡିକ ଉପରେ କେତେ ସତର୍କ ଦୃଷ୍ଟି ରଖିଥିଲେ ନେହରୁ ତାହା ଜଣା ପଡେ ଯେତେବେଳେ ଦ୍ୱିତୀୟ ସଧାରଣ ନିର୍ବାଚନ (24 ଫେବୃଆରୀ ରୁ 14 ମାର୍ଚ୍ଚ ୧୯୫୭ ମଧ୍ୟରେ)ଅନୁଷ୍ଠିତ ହେବା ପରେ ପରେ, ଏହି ନିର୍ବାଚନରେ ସେ ଉପଲବ୍ଧି କରିଥିବା କେତୋଟି ଦୁର୍ବଳତା ବିଷୟରେ ଉଲ୍ଲେଖ କରି, 5 ମଇ 1957 ଦିନ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖନ୍ତି୫(ପୃ ୭୮୦) ଯେ, “ଗଣତାନ୍ତ୍ରିକ ନିର୍ବାଚନ, ଏଥିରେ ଅଂଶ ଗ୍ରହଣ କରୁଥିବା ଲୋକଙ୍କ ଭିତରୁ କ୍ଵଚିତ ସେମାନଙ୍କ ଭିତରେ ଥିବା ଉତ୍କର୍ଷତାକୁ ଉନ୍ମୋଚିତ କରିପାରିଥାଏ । ନିର୍ବାଚନରେ ଜିଣିବାର ଆକାଂକ୍ଷା ଅନେକ ନୈତିକ ସଙ୍କୋଚ(scruples)କୁ ପଛରେ ପକାଇ ଦିଏ, ସ୍ତର(standard)ରେ ପତନ ହୁଏ । ବିଶାଳ ଦୃଷ୍ଟିଭଙ୍ଗୀର ସ୍ଥାନ ନିଏ ସଂକୀର୍ଣ୍ଣ ଏବଂ ଆଞ୍ଚଳିକ ଦୃଷ୍ଟିଭଙ୍ଗୀ , ଏବଂ ତତ୍କାଳିକ ସୁବିଧା ପାଇଁ ସମୟ ସମୟରେ ଆଦର୍ଶକୁ ବଳି ଦିଆଯାଏ । ଆମେ ଏହି ନିର୍ବାଚନମାନଙ୍କରେ ଦେଖିଛୁ ଜାତିବାଦର ଅନେକ ସମୟରେ ବିଜୟ, ସମ୍ପ୍ରଦାୟିକତାର ଶକ୍ତି ପ୍ରୟୋଗ, ଏବଂ କେଉଁଠି କେଉଁଠି ହିଂସା । ଆମେ ମଧ୍ୟ ଦେଖିଛୁ କିପରି ରାଷ୍ଟ୍ର ସମ୍ମୁଖରେ ଥିବା ମୂଳ ସମସ୍ୟାର ସ୍ଥାନ ନେଉଛି ସଂକୀର୍ଣ୍ଣ ଓ ସାମୟିକ(temporary) ପ୍ରଶ୍ନ । ଆମେ ବାସ୍ତବରେ ଦେଖିଛୁ ଆମ ଜନ ଜୀବନରେ ନିର୍ଦ୍ଦିଷ୍ଟ କିଛି ଅପରିପକ୍ଵତା ଏବଂ କିଛି ନୈତିକତାର ଅଭାବ । ଆମେ ନିର୍ବାଚନରେ ବିଜୟୀ ହେଉ ବ ପରାଜିତ ହେଉ, ଏହା ଭବିଷ୍ୟତ ପାଇଁ ଶୁଭ ସୂଚନା ନୁହେଁ । ମୁଁ ସବୁବେଳେ କହିଛି ଯେ ଭାରତରେ ଆମର ପ୍ରାଥମିକ ଓ ବୁନିୟାଦୀ ଆବଶ୍ୟକତା ହେଉଛି ରାଷ୍ଟ୍ରର ଭାବଗତ ଐକିକରଣ (emotional integration) । … ଯାହା ମୋତେ ବିଶେଷ ଭାବେ ନିରାଶ କରୁଛି, ତାହା ହେଉଛି ହିଂସା ଓ ଅସହିଷ୍ଣୁତା ପ୍ରତି ନିର୍ଦ୍ଦିଷ୍ଟ ଏକ ପ୍ରବଣତା ।“
ଗଣତନ୍ତ୍ରର ସାଧକ ନେହରୁ
ମତଦାନର ଅଧିକାରରୁ ଭାରତର କୌଣସି ନାଗରିକ ବଞ୍ଚିତ ହେବେ ନାହିଁ, ସେମାନେ ପ୍ରତ୍ୟେକେ ଯେପରି ରାଷ୍ଟ୍ରର ଶାସକ ଚୟନରେ ସମ୍ପୃକ୍ତ ହୋଇପାରିବେ, କେହି ବାଦ ପଡ଼ିବେ ନାହିଁ, ଏହାକୁ ନିଶ୍ଚିତ କରିବା ପାଇଁ ସାବାଳକ ମତଦାନର ପଦ୍ଧତିରେ ନେହରୁଙ୍କର ପ୍ରଥମରୁ ଅବିଚଳିତ ବିଶ୍ୱାସ ଦର୍ଶାଏ ସ୍ଵାଧୀନ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ତାଙ୍କର ବ୍ୟାକୁଳତା । ୧୬ ଜୁନ ୧୯୫୨ରେ, ଅର୍ଥାତ୍ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ମାସକ ପରେ ପଣ୍ଡିତ ନେହରୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ପତ୍ରରେ ଲେଖିଥିଲେ୬(ପୃ ୧୫୩ ) , “ଆମେ ଗଣତନ୍ତ୍ର ଏବଂ ସଂସଦୀୟ ସଂସ୍ଥା ଗୁଡିକ ପ୍ରତି ପ୍ରତିଶୃତିବଦ୍ଧ, ଏବଂ ମୋ ବିଚାରରେ ଏହା ଠିକ୍ । ଏହାର ଅର୍ଥ ନୁହେଁ ଯେ ଗଣତନ୍ତ୍ର କଠୋର ହେବ ଏବଂ ବଦଳୁଥିବା ପରିସ୍ଥିତିଗୁଡିକ ଅନୁସାରେ ନିଜକୁ ଚଳେଇ ନେବାରେ ଅସମର୍ଥ ହେବ । ଗଣତନ୍ତ୍ର ନିଜର ଅନୁଷ୍ଠାନଗୁଡିକରେ କେବଳ ସୀମିତ ନୁହେଁ, ଏହା ଏକାଧାରାରେ ସରକାର ପରିଚାଳନାର ପଦ୍ଧତି ଓ ଜୀବନ ଯାପନର ଗୋଟିଏ ଦର୍ଶନ । ମୁଁ ଦୃଢଭାବେ ବିଶ୍ୱାସ କରେ ଯେ ଏହା ଏକନାୟକତନ୍ତ୍ର ବା ସ୍ଵେରାଚାର ଠାରୁ ଉତ୍ତମ ପଥ ।” ନେହରୁଙ୍କର ସଂସଦ ପ୍ରତି ସମ୍ମାନ ଓ ତାର କାର୍ଯ୍ୟଧାରାରେ ସାମିଲ ରହିବାର ଆନ୍ତରିକତା ସମ୍ପର୍କରେ ଐତିହାସିକ ପ୍ରଫେସର ଆଦିତ୍ୟ ମୁଖାର୍ଜୀ ଲେଖନ୍ତି୭(ପୃ ୯୭ ) , “ନିଜର ମୃତ୍ୟୁ ପର୍ଯ୍ୟନ୍ତ ସେ ଯେପରି ସଂସଦ, ସଂସଦୀୟ ରୀତିନୀତି ଓ ଆଚରଣ ସଂହିତାକୁ ସମ୍ମାନ ଦେଉଥିଲେ ତାହା ହେଉଛି କିମ୍ବଦନ୍ତୀତୁଲ୍ୟ, ଯାହା ଆମର ଆଜିକାର ସାଂସଦମାନଙ୍କ ପାଇଁ ଅନୁକରଣୀୟ ଶିକ୍ଷା ହୋଇପାରେ । ସେ ଅସୁସ୍ଥତା ସତ୍ତ୍ୱେ ମଧ୍ୟ ସଂସଦର ଦୀର୍ଘ ଅଧିବେଶନରେ ବସି ରହୁଥିଲେ ଓ ନିଜେ ହିଁ ସମସ୍ତ ପ୍ରଶ୍ନ ଓ ସମାଲୋଚନାର ଉତ୍ତର ଦେଉଥିଲେ । ଏପରିକି ସେ ଯେତେବେଳେ ମାରାତ୍ମକ ଆକ୍ରମଣର ଶିକାର ହେଉଥିଲେ, ସେତେବେଳେ ସେ କଦାପି ବିରୋଧୀଙ୍କ କଣ୍ଠରୋଧ କରୁ ନ ଥିଲେ ।” ନେହରୁଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ବିରୋଧୀ ଦଳର କଠୋର ସମାଲୋଚକ ସାଂସଦ ଶ୍ରୀ ଅଟଳ ବିହାରୀ ବାଜପେୟୀ, ନେହରୁଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି କହିଥିଲେ୮(ପୃ ୪୬୮ -୪୭୦ ) , “ସେ ଯେଉଁ ଭାରତୀୟ ଗଣତନ୍ତ୍ର ପ୍ରତିଷ୍ଠିତ କରିଥିଲେ, ଏବଂ ଯାହାକୁ ସେ ସଫଳ କରିଥିଲେ, ତାହାର ଭବିଷ୍ୟତ ମଧ୍ୟ ସନ୍ଦେହ ଘେରରେ । ଆମର ଏକତା, ଶୃଙ୍ଖଳା ଏବଂ ଆତ୍ମବିଶ୍ୱାସ ସହିତ, ଆମକୁ ଏହି ଗଣତନ୍ତ୍ରକୁ ସଫଳ କରିବାକୁ ପଡ଼ିବ । .. ସେହି ପ୍ରାଣବନ୍ତ ବ୍ୟକ୍ତିତ୍ୱ, ବିରୋଧୀଙ୍କୁ ମଧ୍ୟ ସାଙ୍ଗରେ ନେବାର ସେହି ମନୋଭାବ, ସେହି ପରିମାର୍ଜିତ ଭଦ୍ରତା, ସେହି ମହାନତା ନିକଟ ଭବିଷ୍ୟତରେ ଆମେ ଆଉ କେବେ ଦେଖିବା ନାହିଁ । ମତଭେଦ ସତ୍ତ୍ୱେ, ତାଙ୍କର ମହାନ ଆଦର୍ଶ, ସାଧୁତା, ଦେଶ ପ୍ରେମ ଏବଂ ଅଦମ୍ୟ ସାହସ ପ୍ରତି ସମ୍ମାନ ବ୍ୟତୀତ ଆମର ଆଉ କିଛି ନାହିଁ ।” ଅଟଳ ବିହାରୀ ବାଜପେୟୀ, ୧୯୯୮ ରୁ ୨୦୦୪ ଯାଏ ଭାରତୀୟ ଜନତା ପାର୍ଟି ନେତୃତ୍ଵରେ ଗଠିତ ପ୍ରଥମ ସରକାରରେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ।
ଆଜି ଯେତେବେଳେ ଭୋଟର ତାଲିକା ସଂଶୋଧନ(Special Intensive Revision (SIR))କରାଯାଇ କୋଟି କୋଟି ଲୋକଙ୍କୁ ମତଦାନ କରିବାର ଅଧିକାରରୁ ବଞ୍ଚିତ କରାଯାଉଛି ସେତେବେଳେ ଭାରତ ଭୁଇଁରେ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ନେହରୁ ପରିକଳ୍ପିତ ସାର୍ବଜନୀନ ସାବାଳକ ମତଦାନର ସମାବେଶୀ ଚରିତ୍ର ତ ଦୁର୍ବଳ ହେଉଛି; ଓ ଶ୍ରୀ ଅଟଳ ବିହାରୀ ବାଜପେୟୀ ନେହରୁଙ୍କ ମୃତ୍ୟୁ ପରେ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ନେଇ ଯେଉଁ ଆଶଙ୍କା ବ୍ୟକ୍ତ କରୁଥିଲେ ତାହା ବାସ୍ତବ ହେବାକୁ ଯାଉଛି କି ?
ବ୍ୟବହୃତ ଉପାଦାନ ସୂଚୀ
୧. Cabinet passes a resolution applauding Prime Minister Shri Narendra Modi for becoming the longest serving elected Prime Minister for consecutive terms. Posted On: 10 JUN 2026 1:50PM by PIB Delhi, https://www.pib.gov.in/PressReleasePage.aspx?PRID=2271052®=3&lang=1
୨. The Power of the ballot, Anil Maheswari & Vipul Maheswari, Bloomsburry India, 2022
୩ . India After Gandhi, Ramchandra Guha, Picador India, 2017
୪ . Jawaharlal Nehru’s Speeches: 1949-1953, The Publications Division, Government of India, 1954
୫. Selected works of Jawaharlal Nehru, vol.38, 2006
୬ . Letters for a Nation: From Jawaharlal Nehru to His Chief Ministers, 1947-1963, Ed. Madhav Khosla, Penguin Random House, India, 2015
୭ . Nehru’s India: Past, Present and Future, Vintage, Penguin Random House India, 2024
୮ . ‘Who is Bharat Mata?’-Writings by and on Jawaharlal Nehru, edited by Purushottam Agrawal, Speaking Tiger, 2019
Comments
0 comments

