ଜଣେ ଅଭିଭାବକଙ୍କ ଚିଠି

2 Views
11 Min Read

ଆମେରିକା ଯୁକ୍ତରାଷ୍ଟ୍ରର ଶ୍ରୀଯୁକ୍ତ ଆବ୍ରାହମ ଲିଙ୍କନଙ୍କ କଥା ଆମେ ସମସ୍ତେ ଜାଣିଛୁ । ଆମେରିକା ଦେଶରୁ କ୍ରୀତଦାସ-ପ୍ରଥାର ବିଲୋପ ସାଧନ କରିବା ନିମନ୍ତେ ସିଏ ସେହି ପ୍ରଥାର ସମର୍ଥନ ଏବଂ ପ୍ରଚଳନ କରୁଥିବା ରାଜ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ଯୁଦ୍ଧରେ ଜୟଲାଭ କରିଥିଲେ। ନିଜର ନୀତିରେ ଅଟଳ ରହିବାର କାରଣରୁ ଜଣେ ଆତତାୟୀ ହାତରେ ତାଙ୍କୁ ନିଜର ଜୀବନ ଦବାକୁ ପଡିଥିଲା । ଲିଙ୍କନଙ୍କ ବିଷୟରେ କେତେ କେତେ ଭାଷାରେ କେତେ ବହି ଲେଖାଯାଇଛି । ତାଙ୍କର କେତେକ ବକ୍ତୃତା ଆଲୋକକାମୀ ମଣିଷ ମାନଙ୍କୁ ଏବେ ମଧ୍ୟ ପ୍ରେରଣା ଦେଉଛି। ଆବ୍ରାହାମ ଲିଙ୍କନ ଜଣେ ଅଭିଭାବକ ମଧ୍ୟ ଥିଲେ । ତାଙ୍କର ପିଲାମାନେ ସେତେବେଳେ ବିଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କର ପୁଅ ପଢୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟକୁ ଲିଙ୍କନ ଏକଦା ଲେଖୁଥିବା ଗୋଟିଏ ଦୀର୍ଘ ଚିଠିର ଆମେ ଏହି ପ୍ରବନ୍ଧରେ ଆଲୋଚନା କରିବା ।

ବିଦ୍ୟାଳୟରେ ପାଠ ପଢି ତାଙ୍କର ପୁଅ ଜୀବନରେ କ’ଣ ସବୁ ଶିଖୁ ଏବଂ କଣ ସବୁ ହେଉ ବୋଲି ଜଣେ ଅଭିଭାବକ ଭାବରେ ଲିଙ୍କନ ଆଶା କରୁଛନ୍ତି, ଆପଣାର ଚିଠିରେ ସିଏ ସେହିସବୁ କଥାର ଉଲ୍ଲେଖ କରିଥିଲେ । ଏ ଯୁଗରେ ମଧ୍ୟ ପୃଥ୍ବୀଯାକ ବିଦ୍ୟାଳୟମାନ ରହିଛି । ସେହି ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନେ ଅଛନ୍ତି ଓ ପିଲାମାନଙ୍କୁ ପାଠ ପଢାଉଛନ୍ତି । ସେହି ପିଲାମାନଙ୍କର ବାପମାଆ ଅଛନ୍ତି । ସେହି ବାପମାମାନେ ନିଜ ପିଲାମାନେ ବିଦ୍ୟାଳୟରୁ କ’ଣ ସବୁ ଶିଖନ୍ତୁ ଓ ବଡ ହୋଇ କ’ଣ ସବୁ ହୁଅନ୍ତୁ ବୋଲି ଆଶା କରୁଛନ୍ତି ? ଆମର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଆମେ ଶିକ୍ଷକ ଏବଂ ଅଭିଭାବକ ହିସାବରେ ପିଲାଏ କ’ଣ ଶିଖନ୍ତୁ ବା କ’ଣ ହୁଅନ୍ତୁ ବୋଲି ପ୍ରକୃତରେ ଆଶା କରୁଛୁ ? ସେହି ପରିପ୍ରେକ୍ଷୀରେ ଆମେ ଶ୍ରୀଯୁକ୍ତ ଆବ୍ରାହାମ ଲିଙ୍କନଙ୍କର ଚିଠିର ଆଲୋଚନା କରିବା ।

ଲିଙ୍କନ ନିଜର ପୁଅଟି କଥା ପକାଇ ପ୍ରଧାନ ଶିକ୍ଷକଙ୍କ ପାଖକୁ ଲେଖୁଥିବା ଚିଠିରେ ଲେଖୁଥିଲେ; “ପୃଥବୀରେ ସବୁ ମଣିଷ ଯେ ସତ୍ୟପରାୟଣ ଅଥବା ନ୍ୟାୟପରାୟଣ ନୁହନ୍ତି, ପୁଅକୁ ଏହି କଥାଟିକୁ ଅବଶ୍ୟ ଶିକ୍ଷା କରିବାକୁ ହେବ ବୋଲି ମୁଁ ବେଶ ବୁଝିପାରୁଛି। ମାତ୍ର, ଆପଣ ତାକୁ ଏକଥା ମଧ୍ୟ ଶିକ୍ଷା ଦିଅନ୍ତୁ ଯେ, ଏହି ପୃଥବୀରେ ବଦମାସମାନେ ଯେତିକି ସଂଖ୍ୟାରେ ରହିଛନ୍ତି , କଲ୍ୟାଣକାରୀ ବୀରପୁରୁଷମାନେ ମଧ୍ୟ ସେତିକି ପରିମାଣରେ ଅଛନ୍ତି । ସ୍ବାର୍ଥସିଦ୍ଧି ନିମନ୍ତେ ଯେତେ ମଣିଷ ରାଜନୀତି କରୁଛନ୍ତି, ଠିକ ସେତିକି ମଣିଷ ଏକ ପୂର୍ଣ୍ଣ ଉତ୍ସର୍ଗର ମନୋଭାବ ସହିତ ବି ରାଜନୀତିରେ ନେତୃତ୍ବ ଦେଉଛନ୍ତି । …..ତାକୁ ଆପଣ ଶିକ୍ଷା ଦେବେ ଯେ ପୃଥ୍ବୀ ଯାକ ସବୁ ମଣିଷ ଆଦୌ ଶତ୍ରୁ ନୁହନ୍ତି, କାରଣ ଏଠି ଯେତିକି ସଂଖ୍ୟାରେ ଶତ୍ରୁ ଅଛନ୍ତି, ସେତିକି ସଂଖ୍ୟାରେ ବନ୍ଧୁ ମଧ୍ୟ ରହିଛନ୍ତି । ଏହିସବୁ କଥା ଶିଖିବାକୁ ତାକୁ ଅବଶ୍ୟ ସମୟ ଲାଗିବ ମାତ୍ର ଯଦି ଆପଣ ପ୍ରକୃତରେ ପାରିବେ, ତେବେ ତାକୁ ଆପଣ ଏକଥା ମଧ୍ୟ ଶିକ୍ଷା ଦିଅନ୍ତୁ ଯେ, ବାଟ ଚାଲୁ ଚାଲୁ ପାଇଥିବା ପାଞ୍ଚ ଡଲାର ଅପେକ୍ଷା ପ୍ରକୃତ ପରିଶ୍ରମ କରି ଅର୍ଜନ କରିଥିବା ଗୋଟିଏ ଡଲାରର ମୂଲ୍ୟ ଅନେକ ଅଧିକ । …. ଆପଣ ତାକୁ ହଜାଇବା ଶିଖେଇବେ, ହାରିବାକୁ ମଧ୍ୟ ଶିଖାଇବେ; କିନ୍ତୁ ତାହା ସଙ୍ଗେ ସଙ୍ଗେ ହାସଲ କରିବା ଏବଂ ବିଜୟ ଲାଭ କରିବାର ଆନନ୍ଦକୁ ଅନୁଭବ କରିବାକୁ ମଧ୍ୟ ଅବଶ୍ୟ ଶିଖାଇବେ । ଆପଣ ତାକୁ ଈର୍ଷା ଏବଂ ପରଶ୍ରୀକାତରତାଠାରୁ ଦୂରକୁ ନେଇଯିବେ; ଯଦି ପାରିବେ, ଯେ କୌଣସି ପରିସ୍ଥିତିରେ ମଧ୍ୟ ନୀରବରେ, ଶାନ୍ତ ଭାବରେ ହସିପାରିବାର ରହସ୍ୟଟିକୁ ମଧ୍ୟ ଶିଖାଇଦେବେ । ଅତି କମ ବୟସ ବେଳୁ ଆପଣ ତାକୁ ଏହି କଥା ଶିକ୍ଷା ଦେବେ ଯେ, ଯେଉଁମାନେ ଉତ୍ପୀଡନକାରୀ ହିସାବରେ କ’ଣ କ’ଣ କରି ପକାଇବେ ବୋଲି ଫୁଲି ହେଉଥାନ୍ତି ଓ ଚୋଟ ମାରିବାକୁ ଧାଇଁ ଆସୁଥାନ୍ତି, ସେହିମାନେ ହିଁ ସର୍ବପ୍ରଥମେ ପଦଲେହନ କରିବା ଲାଗି ପ୍ରସ୍ତୁତ ମଧ୍ୟ ହୋଇଯାନ୍ତି …… ଆପଣ ପାରିବେ, ତେବେ ଆପଣ ତାକୁ ବହିଗୁଡିକ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ବିସ୍ମୟ ବିଷୟରେ ମଧ୍ୟ ଶିକ୍ଷା ଦେବେ, ସେହି ବିସ୍ମୟଗୁଡିକର ଆହରଣ କରିପାରିବା ଲାଗି ଶିକ୍ଷା ଦେବେ; ମାତ୍ର ତଥାପି ତା’ର ଜୀବନରେ ଏପରି କେତେକ ଶାନ୍ତ ତଥା ନିଷ୍କମ୍ପ ମୁହୂର୍ତ୍ତ ଲାଗି ମଧ୍ୟ ଥାନ ଛାଡି ଦେଇଥିବେ, ଯେତେବେଳେ କି ସିଏ ଆକାଶରେ ଉଡି ଯାଉଥିବା ଚଢେଇ, ଖରାରେ ଚକଚକ ହୋଇ ଦିଶୁଥିବା କର୍ମରତ ମହୁମାଛି ଏବଂ ସବୁଜ ପାହାଡର ଧାରାରେ ପ୍ରସ୍ଫୁଟିତ ହୋଇ ଉଠିଥିବା ଫୁଲଗୁଡିକର ଚିରନ୍ତନ ରହସ୍ୟମୟତା ବିଷୟରେ ମଧ୍ୟ ସତକୁ ସତ ପୂର୍ଣ୍ଣମଗ୍ନ ହୋଇ ଚିନ୍ତା କରିପାରିବ, ଏକାନ୍ତ ନିସ୍ପନ୍ଦ ହୋଇ ସେଗୁଡିକର ଉପସ୍ଥିତିକୁ ଅନୁଭବ କରିପାରିବ ।

“ବିଦ୍ୟାଳୟରେ ପାଠ ପଢାଇବା ସମୟରେ ଆପଣ ତାକୁ ଏକଥା ଶିକ୍ଷା ଦିଅନ୍ତୁ ଯେ, ଠକିବା ଅପେକ୍ଷା ବରଂ ଅକୃତକାର୍ଯ୍ୟ ହେବା ହେଉଛି ଅଧିକ ସମ୍ମାନଜନକ । ତା’ ନିଜର ବିଚାର ଏବଂ ଭାବନାଗୁଡିକ ଉପରେ ଯେପରି ତାର ଯଥାର୍ଥରେ ଏକ ବିଶ୍ବାସ ରହିଥିବ, ଆପଣ ସେକଥା ତାକୁ ଶିକ୍ଷା ଦେବେ । ଅନ୍ୟ ସମସ୍ତେ ତା’ର ଭାବନାଗୁଡିକ ଭୁଲ ବୋଲି ତା’ ଆଗରେ କହିବାରେ ଲାଗିଥିଲେ ମଧ୍ୟ ସିଏ ନିଜେ ସେଗୁଡିକୁ ଠିକ ବୋଲି ବୁଝୁଥିବା ପର୍ଯ୍ୟନ୍ତ ସେଗୁଡିକରେ ଅବଶ୍ୟ ପ୍ରତ୍ୟୟ ରଖି ପାରୁଥିବ, ଆପଣ ତାକୁ ସେହିକଥା ଶିକ୍ଷା ଦେବେ । …. ଆପଣ ତାକୁ ଭଦ୍ର ଓ ଧୀର ମଣିଷଙ୍କ ସହିତ ଭଦ୍ର ଓ ଧୀର ହେବା ଲାଗି ଶିକ୍ଷା ଦେବେ, କଠୋର ଓ କଠିନମାନଙ୍କ ପ୍ରତି ଅନୁରୂପ ଭାବରେ କଠୋର ଓ କଠିନ ହେବାକୁ ଶିକ୍ଷା ଦେବେ । ସମସ୍ତେ ଏକାଠି ଗୋଟାଏ ଶଗଡ ଉପରେ ବସି ‘ଆମେହିଁ ଠିକ ବାଟରେ ଯାଉଛୁ’ ବୋଲି ଏଡେବଡ ପାଟିରେ ଚିତ୍କାର କରି ବାହାରିଥିବା ସମୟରେ ମୋ’ ପୁଅ ଯେପରି ତଥାପି ସେମାନଙ୍କ ସହିତ ସେହି ଶଗଡ ଭିତରକୁ ଡେଇଁ ପଡିବ ନାହିଁ, ତା’ ଭିତରେ ପ୍ରକୃତରେ ସେତିକି ବଳ ରହିଥିବା ଉଚିତ । ଆପଣ ତାକୁ ସେହି ବଳର ଶିକ୍ଷା ଅବଶ୍ୟ ଦେବେ । ମୋ’ ପୁଅ ସମସ୍ତଙ୍କ କଥାକୁ ସହାନୁଭୁତି ଓ ଧୈର୍ଯ୍ୟର ସହିତ ଶୁଣି ପାରୁଥିବ; ଆପଣ ତାକୁ ସେହି ବିଷୟରେ ଅବଶ୍ୟ ଶିକ୍ଷା ଦେବେ; ମାତ୍ର, ତାକୁ ଏକଥା ମଧ୍ୟ ଶିକ୍ଷା ଦେଇଥିବେ ଯେ, ଏହିପରି ଭାବରେ ସିଏ ଯେଉଁଠି ଯାହାକିଛି ଶିଖିବ, ସେଗୁଡିକୁ ଗ୍ରହଣ କରିବା ପୂର୍ବରୁ ସେ ତାହାକୁ ସତ୍ୟର ଛାଙ୍କୁଣିରେ ପ୍ରକୃତରେ ଛାଣିନେଇ ପାରୁଥିବ । ସେହି ଛାଙ୍କୁଣିରେ ଯେତିକି ଗଳିବ, ସେ କେବଳ ସେତିକିକୁହିଁ ଗ୍ରହଣ କରୁଥିବ ।

“ଆପଣ ଯଦି ପାରିବେ, ତେବେ, ଦୁଃଖ ବେଳେ ସେହି ଦୁଃଖରେ ବିମର୍ଷ ହୋଇ ନପଡି କିପରି ସେ ତଥାପି ହସି ପାରୁଥିବ, ଆପଣ ତାକୁ ସେହିକଥା ଶିକ୍ଷା ଦେବେ । ….ଚକ୍ଷୁରୁ ଲୋତକ ବର୍ଷଣ କରିବାରେ ଯେ ଆଦୌ କୌଣସି ଲଜ୍ଜା ନାହିଁ, ଆପଣ ତାକୁ ସେହି କଥା ଶିକ୍ଷା ଦେବେ । ଆପଣ ତାକୁ ଶିକ୍ଷା ଦେବେ, ଯେପରିକି ସିଏ ନିନ୍ଦୁକ ଓ ନିପଟ ଦୋଷଦର୍ଶୀମାନଙ୍କୁ ସିଧା ଉପହାସ କରି ପାରୁଥିବ, ଅତିବେଶୀ ମଧୁର ଆଚରଣ ଓ ମିଷ୍ଟ ଭାଷଣରୁ ସିଏ ଯେପରି ସାବଧାନ ହୋଇ ରହି ପାରିବ । ନିଜର ଶରୀର ତଥା ମସ୍ତିଷ୍କର ସାମର୍ଥ୍ୟକୁ ସିଏ ଯେପରି ସେଗୁଡିକୁ ସର୍ବୋଚ୍ଚ ମୂଲ୍ୟ ଦେଇ କିଣି ପାଉଥିବା ବ୍ୟକ୍ତିମାନଙ୍କ ପାଖରେ ବିକ୍ରୟ କରିପାରିବ, ଆପଣ ତାକୁ ସେହିପରି ଶିକ୍ଷା ଅବଶ୍ୟ ଦେବେ । ମାତ୍ର ନିଜର ହୃଦୟ ଏବଂ ନିଜର ଆତ୍ମାକୁ ସିଏ ଯେପରି ଆଦୌ କୌଣସି ମୂଲ୍ୟ ବଦଳରେ କଦାପି ବିକ୍ରି କରିବାକୁ ରାଜୀ ହେବ ନାହିଁ, ତାକୁ ଆପଣ ସେହି ଶିକ୍ଷାଟିକୁ ମଧ୍ୟ ଦେଇଥିବେ ।

ଯେତେବେଳେ ବହୁ ସଂଖ୍ୟକ ମଣିଷ ଗୋଟାଏ ପଲରେ ଏକତ୍ର ରୁଣ୍ଡ ହୋଇ ଉଚ୍ଚ ସ୍ବରରେ ଏଡେବଡ ରବ ବା ଚିତ୍କାର କରିବାରେ ଲାଗିଥିବେ, ସେତେବେଳେ ସେଆଡକୁ ନିଜର କାନକୁ ବନ୍ଦ କରି ରଖିବା ନିମନ୍ତେ ଆପଣ ପୁଅକୁ ଶିକ୍ଷା ଦେବେ । …. ଏବଂ, ସେହି ପରିସ୍ଥିତିରେ, ତାହାକୁ ଏକୁଟିଆ ଛିଡା ହୋଇ ଯୁଦ୍ଧ କରିବା ଆବଶ୍ୟକ ବୋଲି ମନେ କରୁଥିଲେ ସିଏ ଯେପରି ତାହା ଅବଶ୍ୟ କରିବ, – ଆପଣ ତାକୁ ସେହି କଥାଟିକୁ ମଧ୍ୟ ଶିକ୍ଷା ଦେଇଥିବେ ।

“ତା’ ପ୍ରତି ଆପଣ କଠୋର ହେବେ ନାହିଁ, ସର୍ବଦା ସହାନୁଭୁତି ରଖିଥିବେ ଏବଂ କୋମଳ ଆଚରଣ କରୁଥିବେ, ମାତ୍ର କଦାପି ଗେହ୍ଲା କରିପକାଇବେ ନାହିଁ । କାରଣ, ନିଆଁରେ ନପଡିଲେ ଲୁହା ଭିତରୁ ଅସଲ ଇସ୍ପାତ ସମ୍ଭବ ହେବ କିପରି? ତା’ ଭିତରେ ଧୈର୍ଯ୍ୟ ହରାଇ ପାରିବାର ସାହସ ଆସୁ । ସାହସୀ ହୋଇ ପାରିବାର ଧୈର୍ଯ୍ୟ ମଧ୍ୟ ଆସୁ । ନିଜ ଉପରେ ଯେପରି ତା’ର ସର୍ବଦା ଅଟଳ ବିଶ୍ବାସ ରହିଥିବ, ଆପଣ ତାକୁ ସେହି କଥାର ଶିକ୍ଷା ଦିଅନ୍ତୁ । କାରଣ, ତେବେ ଯାଇ ତା’ର ମଧ୍ୟ ମନୁଷ୍ୟଜାତି ଉପରେ ଅବଶ୍ୟ ଅଟଳ ବିଶ୍ବାସ ରହିପାରିବ ।”

ଆମେ ଯେଉଁମାନେ ଶିକ୍ଷକ ଅଥବା ଅଭିଭାବକ ହିସାବରେ ଯେକୌଣସି ପିଲାର କକ୍ଷପଥ ମଧ୍ୟରେ ଆସି ପ୍ରବିଷ୍ଟ ହୋଇଛୁ, ଆମେ ତା’ ଠାରୁ ପ୍ରକୃତରେ କ’ଣ ସବୁ ଆଶା କରୁଛୁ ? ସିଏ କ’ଣ ସବୁ ହେଉ ବା କ’ଣ ସବୁ ଶିକ୍ଷା କରୁ ବୋଲି ଆମେ ଭାବନା ରଖିଛୁ ? ଅନେକ ଅଭିଭାବକ ଅଛନ୍ତି, ଯେଉଁମାନେ କି ଜୀବନ କହିଲେ ସଂସାରର ଘଣାରେ ଘାଣ୍ଟିହେବାକୁ ହିଁ ବୁଝନ୍ତି । ତେଣୁ ସେମାନେ ଆଦୌ କୌଣସି ଜୀବନ ବଞ୍ଚନ୍ତି ନାହିଁ, ଧର୍ମତଃ ଖାଲି ଘାଣ୍ଟି ହେଉଥାନ୍ତି । ଅନେକ ଶିକ୍ଷକ ମଧ୍ୟ ଅଛନ୍ତି, ଯେଉଁମାନେ ଅହର୍ନିଶ ହୁଏତ ଇସ୍କୁଲରୂପକ ଘଣା ଭିତରେ ପଡି ଘାଣ୍ଟି ହେଉଥାନ୍ତି । ସଂସାର ଘାରଟାକୁ ଘାଣ୍ଟି ହେଉଥିବାର ଏକ ଥାନଭଳି ଗ୍ରହଣ କରୁଥିବା ପର୍ଯ୍ୟନ୍ତ ସଂସାର ଆମକୁ ଆଦୌ କୌଣସି ଆହ୍ୱାନ ଦେଇପାରେନାହିଁ । ଆମ ଇସ୍କୁଲଟାକୁ ମଧ୍ୟ ପ୍ରଧାନତଃ ଘାଣ୍ଟି ହେବାର ଏକ ସ୍ଥାନ ପରି ଅନୁଭବ କରୁଥିବା ପର୍ଯ୍ୟନ୍ତ ଇସ୍କୁଲ ଆମକୁ ଆଦୌ ଏକ ଆହ୍ୱାନ ପରି ମନେ ହୁଏ ନାହିଁ । ଏବଂ, ଇସ୍କୁଲ ଭିତରେ ଘାଣ୍ଟି ହେଉଥିବା ଶିକ୍ଷକ ଓ ସଂସାର ଭିତରେ ଘାଣ୍ଟି ହେଉଥିବା ଅଭିଭାବକ ପିଲାଏ କଣ ହେବେ ବା ନ ହେବେ, ସେମାନେ ପ୍ରକୃତରେ କଣ ଶିଖିବେ ବା ନ ଶିଖିବେ, ସେହି ବିଷୟରେ ମୁଣ୍ଡ ଖେଳେଇବାକୁ ଆଦୌ କାହିଁକି ମନ କରିବେ ? ସମ୍ଭବତଃ ସେହି କାରଣରୁହିଁ ପୃଥବୀର ଅଧିକାଂଶ ଶିକ୍ଷକ ଓ ଅଧିକାଂଶ ଅଭିଭାବକ ପିଲାମାନଙ୍କୁ ତଥାକଥିତ କେତେକ ଭଲ ଗୁଣରେ ମଣ କରିବାକୁହିଁ ଶିକ୍ଷାର ଅସଲ ସାମର୍ଥ୍ୟ ବୋଲି ଗ୍ରହଣ କରି ନେଇଥାନ୍ତି ଏବଂ ଶାସ୍ତ୍ର ତଥା ସଂସ୍କୃତିର ପ୍ରମାଣ ଦେଖାଇ ତାକୁ ମାନିବାଟାକୁହିଁ ସଂସାରର ସବୁଠାରୁ ଅଧିକ ‘ଭଲ ଗୁଣ’ ବା ‘ବଡ ଗୁଣ’ ବୋଲି ଘୋଷଣା କରି ବୁଲୁଥାନ୍ତି ।

ଇଏ ହେଉଛି ପ୍ରକୃତରେ ଏକ ଅଦଭୁତ ସୁଆଙ୍ଗର କଥା । ପୃଥ୍ବୀଟା ଯେମିତି ସେମିତି ପଙ୍କମୟ ହୋଇ ରହିଥିବ, ସମ୍ବନ୍ଧଗୁଡାକ ଯେମିତି ସେମିତି ଅବର୍ଜନୀୟ ଓ ଅସମ୍ମାନଜନକ ହୋଇ ରହିଥିବ, – ଏବଂ, ଆମେ ସେଥିରେ ମୋଟେ ହାତ ବଜାଇବାକୁ ଯିବା ନାହିଁ; ଆମେ ଭଲ ଗୁଣଗୁଡିକୁ ଦେହରେ ଅଳଙ୍କାର କରି ପିନ୍ଧିଥିବା, ଭଲ ମୁଖାଗୁଡିକୁ ମୁହଁରେ ଲଗାଇଥିବା, ବା, ଏବଂ ସକଳ ପ୍ରକାରର ପୁରୁଣା କୁହାଗୁଡାକୁ ମାନି ପୁରୁଣାଟାକୁହିଁ ସ୍ଥାୟୀ କରି ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କରୁଥିବା, – ଏମିତି ସୁଆଙ୍ଗ ଆମ ପୃଥିବୀରେ ହୁଏତ ଆବହମାନ କାଳରୁ ଚାଲିଆସିଛି । ତାହା ଏବେ ମଧ୍ୟ ସକଳ ସନ୍ତର୍ପଣ ସହିତ ବହୁଡମ୍ବରରେ ଚାଲିଛି । ପିଲାଏ କେବଳ କୁହା ମାନୁଛନ୍ତି, ଆମର ବାଜା ଅନୁସାରେ ପାଦ ପକାଉଛନ୍ତି । ସେମାନେ କିଛି ହେଉନାହାନ୍ତି, କିଛି ଖୋଜୁନାହାନ୍ତି – କେଡେ ଚମତ୍କାର ଭାବରେ ପୁରୁଣା ଜାଲଗୁଡାକ ଭିତରେ ଖାପ ଖାଇ ଯାଉଛନ୍ତି ।

ଆବ୍ରାହମ ଲିଙ୍କନଙ୍କର ଚିଠିରୁ ତାଙ୍କ ଭିତରେ ଯେଉଁ ପ୍ରକାରର ଜଣେ ଅଭିଭାବକ ରହିଥିବାର ସଂକେତ ମିଳୁଛି, ସିଏ ଆମ ପୃଥିବୀର ଅଧିକାଂଶ ଅଭିଭାବକଙ୍କଠାରୁ ଏକାବେଳେକେ ଅଲଗା । ଏପରି ଅଭିଭାବକ ପିଲାର ହାତରେ ଆଦୌ କୌଣସି ସୂର୍ଯ୍ୟକୁ ନେଇ ଧରାଇ ଦେବାକୁ କେବେହେଲେ ଚେଷ୍ଟା କରନ୍ତି ନାହିଁ । ପିଲା ନିଜେ ଉଚିତ ବ୍ୟାକୁଳତାଟି ସହିତ ନିଜର ଜୀବନରେ ସ୍ବୟଂ ଏକ ସୂର୍ଯ୍ୟ ଉଦୟକୁ ଅନୁଭବ କରିବାଲାଗି ସମର୍ଥ ହେଉ, ଅସଲ ଅଭିଭାବକ ସେଇଥିଲାଗିହିଁ ନିମିତ୍ତ ହୁଏ, ସେହିପରି ଭାବରେ ନିମିତ୍ତ ହୋଇ ସେ ସଂସାରରେ ପୁତ୍ରଋଣର ପରିଶୋଧ କରି ବାହାରେ ।

ଅସଲ ଶିକ୍ଷକ ମଧ୍ୟ ଠିକ ସେହିକଥା କରିବ । ପିଲାଟିକୁ ସିଏ ତା’ ନିଜ ପାଖରେ ନେଇ ପହଞ୍ଚାଇ ଦେବ । ସେଇଠି ସେହି ଅସଲ ଥାନରେ ଯାଇ ପହଞ୍ଚିଗଲେ ପିଲା ସମ୍ମାନର ସହିତ ନିଜକୁ ଦେଖିବ, ସେ ନିଜକୁ ଅପ୍ରମତ୍ତ ଓ କାତରତାମୁକ୍ତ ହୋଇ ଦେଖିବାର ଅବସର ଲାଭ କରିବ ଏବଂ, ଯାବତୀୟ କାତରତା ମଧ୍ୟରୁ ମୁକ୍ତ ହୋଇ ପାରିଲେ ଯାଇ ପ୍ରତ୍ୟେକ ମଣିଷ, ସିଏ ବଡ କିମ୍ବା ସାନ ଯାହା ହୋଇଥାଉ ପଛକେ, ଅସଲ ଚେତନାର ଯୋଗ୍ୟ ହେବ, ଅସଲ ସମ୍ବନ୍ଧସ୍ଥାପନର ମଧ୍ୟ ଯୋଗ୍ୟ ହୋଇ ପାରିବ । ବୋଲ ମାନି ଗୁଣବନ୍ତ ବୋଲାଇବାର ତାରିଫ ପାଇବାକୁ ଚେଷ୍ଟା କରୁଥିବା ମଣିଷ ଦିନରାତି ସତ୍ୟର ତଥାକଥିତ ମନ୍ତ୍ରଗୁଡାକୁ ଆବୃତ୍ତି କରିବାରେ ଲାଗିଥିଲେ ମଧ୍ୟ ତଥାପି ହୁଏତ ଆଦୌ କିଛି ହୋଇ ପାରିବ ନାହିଁ । କିଛି ହୋଇ ପାରିବାର ଅର୍ଥ ହେଉଛି, ଭିତରେ ଯେଉଁ ପରମ ବନ୍ଧୁ ଓ ପରମ ନେତ୍ର କେନ୍ଦ୍ରରୂପେ ଆମ ଲାଗି ଅପେକ୍ଷା କରି ରହିଛି, ପ୍ରକୃତରେ ତାହାରି ଲାଖି ହୋଇ ପାରିବା । କାରଣ ଆଗ ତାହାରି ଲାଖି ହୋଇପାରିଲେ ଯାଇ ଆମେ ସତକୁ ସତ ସକଳ ମନୁଷ୍ୟଙ୍କର ଲାଖି ମଧ୍ୟ ହୋଇପାରିବା ।

ଚିତ୍ତରଞ୍ଜନ ଦାଶ (ଶିକ୍ଷାର ବିବେକ) ମଇ, ୧୯୮୬

Total Views: 2

Comments

0 comments

Share This Article