ଭାରତୀୟ ଶାସନ ବ୍ୟବସ୍ଥା ଏକ ବିଚିତ୍ର ସ୍ଥିତିରେ ଆସି ପହଁଚିଛି । ଅଧିକ ବିଚିତ୍ର ସ୍ଥିତି ଅଦାଲତ’ର । କାର୍ଯ୍ୟପାଳିକା ଦ୍ୱାରା ୧୨ ବର୍ଷ ଧରି ଭୟଙ୍କର ଭାବେ ପ୍ରଭାବିତ ହେଇ ଆସିଥିବା ଉଚ୍ଚତମ ନାୟାଳୟ ସତ ହେଉ କି ଛଳନା ହେଉ ବା ପରିବର୍ତ୍ତିତ ପରସ୍ଥିତିର ଚାପ ଯୋଗୁଁ ହେଉ ଏବେ କିଛି ସ୍ୱାଧୀନ ରାୟ ଦେଲାଭଳି ଜଣାପଡୁଛନ୍ତି । ସମ୍ଭବତଃ ଯନ୍ତର ମନ୍ତର ଠାରେ ହେଇଥିବା ଅଭୁତପୂର୍ବ ଛାତ୍ର ପ୍ରତିବାଦ ଏବଂ ତାହାର ଦେଶବ୍ୟାପି ପ୍ରତିଫଳନ ଯୋଗୁଁ ଭାରତରେ ଚାଲିଥିବା ବିବିଧ କଂପାନୀମାନଙ୍କ ସରକାର ପ୍ରଥମଥର ପାଈଁ ବିଚଳିତ ହେବାର ଦେଖିବାକୁ ମିଳିଛି । ସରକାରଙ୍କର ଅନେକ ଉଦ୍ୟମ ସତ୍ତ୍ୱେ ଆନ୍ଦୋଳନ କାରି ଛାତ୍ରମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ ରହିଲେ । ଜୁଲାଇ ୨୦ ଦିନ ସମବେତ ଛାତ୍ରମାନଙ୍କର ସଂସଦ ଚାଲ ଡାଲରା ବେଳେ ଦିଲ୍ଲୀ ପୋଲିସ ଦ୍ୱାରା ଦମନ ଚାଲିଲା । ପେଲେଟ ବା ପ୍ଲାଷ୍ଟିକ ଗୁଳି ଫାୟାରିଙ୍ଗ କରାଗଲା । ଅନେକ ଛାତ୍ର କ୍ଷତବିକ୍ଷତ ହେଇ ଡାକ୍ତରଖାନାରେ ଭର୍ତ୍ତିହେଲେ । ଛାତ୍ରମାନଙ୍କୁ ମାଡ ମରିବା ସହ, ଝିଅମାନଙ୍କୁ ପୋଲିସ ଦୁର୍ବ୍ୟବହାର କଲା । ଅନେକ ଛାତ୍ରଙ୍କୁ ଗିରଫ କରାଗଲା । ଏହିସବୁ ଦମନ ଲୀଳା ଛାତ୍ରମାନଙ୍କ ଏକତା ଓ ସଂକଳ୍ପକୁ ଅଧିକ ମଜବୁତ କଲା । ଛାତ୍ର ପ୍ରତିବାଦ କେବଳ ଦିଲ୍ଲୀ ନୁହଁ ସମଗ୍ର ଭାରତକୁ ବ୍ୟାପିଗଲା । ନୀରବ ସହରର ରାଜ୍ୟ ଓଡିଶାର ରାଜଧାନୀରେ ମଧ୍ୟ ପ୍ରତିବାଦ ସଂଗଠିତ ହେଲା ।
ଛାତ୍ରମାନଙ୍କ ଉପରେ ଆକ୍ରମଣକୁ କଂପାନୀ ଶାସନ ନିୟନ୍ତ୍ରଣରେ ଥିବା ଟିଭି ଚାନେଲମାନେ ଚାପି ଦେବାପାଇଁ ସବୁ ପ୍ରୟାସ ଜାରିରଖିବା ସତ୍ତ୍ୱେ ସାମାଜିକ ଗଣମାଧ୍ୟମରେ ଘଟଣାଗୁଡିକ ପ୍ରସାରିତ ହେବାରେ ଲାଗିଲା । ଏପରି ଏକ ସମୟରେ ସମ୍ବେଦନଶୀଳ ନାଗରିକମାନେ ଉଚ୍ଚତମ ନୟାଳୟରେ ଆବେଦନ କଲେ ହସ୍ତକ୍ଷେପ କରିବା ପାଇଁ । ଉଚ୍ଚତମ ନୟାଳୟ ଜୁଲାଇ ୨୮, ୨୦୨୬ ଦିନ ମାମଲାଟିର ଶୁଣାଣି କଲାବେଳକୁ ଭାରତର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇସାରିଥିଲେ ଏବଂ ଏହି ପ୍ରତିବାଦ ଦେଶ ଭିତରେ ଏକ ଆଶାର ବାତାବରଣ ସୃଷ୍ଟି କରିସାରିଥିଲା । ସେହି ବାତାବରଣ ଭିତରେ ଅଦାଲତ ଯେଉଁ ମଧ୍ୟବର୍ତ୍ତିକାଳୀନ ରାୟଟି ଦେଇଥିଲେ ତାହା ଅନେକ ଦୃଷ୍ଟିରୁ ତାତ୍ପର୍ଯ୍ୟ ପୂର୍ଣ୍ଣ । ଏତିକି ଅନ୍ତତଃ କହିହେବ ଯେ ପ୍ରଥମଥର ପାଇଁ ଏହି ୧୨ ବର୍ଷ ଭିତରେ ଅଦାଲତ ସରକାରଙ୍କ ଆଡୁ ଆସୁଥିବା ଚାପକୁ ଅଣଦେଖା କରିବାର ହୁଏତ ଅଭିନୟ ଟିଏ କଲେ । ଛାତ୍ର ପ୍ରତିବାଦର ଯୁକ୍ତିଯୁକ୍ତତାକୁ ଗ୍ରହଣ କରି କିଛି ଆଦେଶ ମଧ୍ୟ ଦେଲେ ।
୧. ଅଦାଲତ ଆଦେଶ ଦେଲେ ଯେ ଯେମିତି ସରକାର କୌଣସି ପ୍ରତିବାଦ କରିଥିବା ଛାତ୍ର ଏବଂ ଯୁବକ ମାନଙ୍କ ଉପରେ ବଳ ପ୍ରୟୋଗ କରିବେ ନାହିଁ ।
୨. ୧୮ ବର୍ଷରୁ କମ ବୟସର ଗିରଫ ହେଇଥିବା ଯୁବକମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ମଧ୍ୟ ଦିଆଗଲା ।
୩. ପ୍ରତିବାଦ କରୁଥିବା ଯୁବ ଛାତ୍ରଙ୍କର ବ୍ୟକ୍ତିଗତ ସୂଚନା ଓ ତଥ୍ୟ ଯେମିତି ଡିଜିଟାଲ ମାଧ୍ୟମ ତଥା ସର୍ବସାଧାରଣରେ ପ୍ରକାଶିତ ନହେବ ସେଥିପାଇଁ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ନିର୍ଦେଶ ଦିଆଗଲା ।
୪. ଛାତ୍ର ପ୍ରତିବାଦ ଉପରେ ନଜର ରଖିଥିବା ସବୁ ସିସିଟିଭି କ୍ୟାମେରାର ଭିଡ଼ିଓ ଚିତ୍ର ଗୁଡିକୁ ନଷ୍ଟ ନକରି ସରଂକ୍ଷିତ ରଖିବା ପାଈଁ ମଧ୍ୟ ନିର୍ଦ୍ଦେଶ ଦିଆଗଲା ।
ଅଗଷ୍ଟ ୩ର ଏକ ପରିବର୍ଦ୍ଧିତ ରାୟରେ ମଧ୍ୟ ଛାତ୍ରମାନଙ୍କ ଉପରେ ମାମଲା ପ୍ରତ୍ୟାହାର କରିବାପାଇଁ ରାଜ୍ୟ ସରକାର ମାନଙ୍କ ଶୁଣାଣୀକୁ ଅପେକ୍ଷା ନକରି ପଦକ୍ଷପ ନେବାପାଇଁ କୁହାଗଲା । ପୋଲିସ ଦମନଲୀଳାର ନିରପେକ୍ଷ ତଦନ୍ତ କରାଯିବା ଓ ସେଥିରୁ ପୋଲିସକୁ ଦୁରାଇ ରଖିବା କଥାକୁ ନେଇ ଆବେଦନକାରୀମାନଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଟ ଓକିଲମାନେ ଯେଉଁ ଯୁକ୍ତି ରଖିଥିଲେ ଓ ସରକାରଙ୍କ ତରଫରୁ ଯାହାର ଜବାବ ରଖାଯାଇଥିଲା ସେସବୁ ଅନୁଧ୍ୟାନ କଲେ ଅନେକ ଗୁରତ୍ତ୍ୱପୁର୍ଣ୍ଣ କଥା ଜଣାପଡିବ । ବରିଷ୍ଟ ଓକିଲ ଗୋପାଳ ଶଙ୍କରନାରାୟଣଙ୍କର ଯୁକ୍ତିଥିଲା ଭିଡ ନିୟନ୍ତ୍ରଣ ପାଇଁ ଉଚ୍ଚତମ ନ୍ୟାୟଳୟ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ପ୍ରୋଟକଲ (ଯଥା ଲାଉଡ ସ୍ପିକର ମାଧ୍ୟମରେ ଘୋଷଣା, ୱାଟର କ୍ୟାନନ୍ର ବ୍ୟବହାର, ଅତି ସର୍ତକତାର ସହ ଲୁହବୁହା ଗ୍ୟାସର ପ୍ରୟୋଗ ଇତ୍ୟାଦି) ବଳପ୍ରୟୋଗ କରିବା ପୂର୍ବରୁ ବ୍ୟବହାର କରାଯାଇନଥିଲା ଏବଂ ଏହି କାର୍ଯ୍ୟରେ ସାଧା ପୋଷାକ ପିନ୍ଧା ପୋଲିସ କର୍ମଚାରୀମାନଙ୍କୁ ଭିଡ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇଥିଲା । ଏମାନଙ୍କୁ ଅଭିଯୁକ୍ତ ସଂସ୍ଥା କହି ସେ ଯୁକ୍ତି ରଖିଥିଲେ ଯେ, ଯେକୌଣସି ସ୍ୱାଧୀନ ତଦନ୍ତ ପ୍ରକ୍ରିୟାରେ ଏହି ପୋଲିସ ସଂସ୍ଥାମାନଙ୍କୁ ଦୁରାଇ ରଖାଯିବା ଦରକାର । ସେ ଗୋଟିଏ ଭିଡିଓର ଉଦାହରଣ ଦେଇ ଆଦାଲତକୁ କହିଥିଲେ କିଭଳି ଜଣେ ପୋଲିସ ଏ.ଏସ.ଆଇ ଗୋଟିଏ ସରକାରି ଗାଡିର କାଚଗୁଡିକୁ ନିଜେ ଭାଙ୍ଗିଦେଇ ଆନେ୍ଦାଳନ କାରୀମାନେ ଏପରିକରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ପୋଲିସ ଏଭଳି ବ୍ୟବହାର କରୁଥିଲା ସତେ ଯେମିତି ସେମାନେ ଯାହା ଚାହିଁବେ ତାହା କରିପାରିବେ ଏଭଳି ଏକ ଅନୁମତି ପତ୍ର ତାଙ୍କୁ ଯେମିତି କିଏ ଦେଇଥିଲା । ସେହି ଭଳି ବରିଷ୍ଟ ଓକିଲ ଶ୍ୟାମ ଦିୱାନ ଦର୍ଶାଇଥିଲେ ଯେ ପ୍ରତିବାଦକାରୀ ଛାତ୍ରମାନଙ୍କ ଉପରେ ଇଲୋକ୍ଟ୍ରୋନିକ ସକ୍ ବାଡିର ପ୍ରୟୋଗ କରାଯାଇଥିଲା । ସେ ଆହୁରି କହିଥିଲେ ଯେ ପୋଲିସ କର୍ମଚାରୀମାନେ ଧମକ ଦେବା ସହ ମହିଳା ପ୍ରତିବାଦୀକାରୀଙ୍କ ଉପରେ ଆକ୍ରମଣ କରିଥିଲେ ।
ବରିଷ୍ଠ ଓକିଲ ସଦାନ ଫରାସତ ଉଲ୍ଲେଖ କରିଥିଲେ ବିହାରରେ କିଭଳି ନାବାଳକମାନଙ୍କୁ ପୋଲିସ ନିର୍ଯ୍ୟାତନା ଦେଉଛି । ଜୁନୈଦ ମଲ୍ଲିକ ଆବେଦନକୁ ଉଲ୍ଲେଖକରି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, କିଭଳି ମଲ୍ଲିକଙ୍କ ପରିବାରକୁ ବେଆଇନ ଭାବେ ଅଟକ ରଖି ନିର୍ଯ୍ୟାତନା ଦିଆଯାଉଛି । ଏଠି ସ୍ମରଣ କରାଯାଇପାରେ ଯେ ଏହି ମହମଦ ଜୁନୈଦ ମଲ୍ଲିକ ପ୍ରତିବାଦ ସ୍ଥଳରେ ଅନେକଦିନଧରି ଭୋକିଲା ଛାତ୍ରମାନଙ୍କୁ ନିରାମିଷ ବିରିୟାନୀ ବିତରଣ କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କୁ ପୋଲିସ ଘଟଣା ସ୍ଥଳରୁ ଉଠାଇ ଆଖିରେ ପଟି ବାନ୍ଧି ସୂଦୁର ମୁଶରୀକୁ ନେଇଯାଇଥିଲା । ଦିଲ୍ଲୀ ପୋଲିସ ସପକ୍ଷରେ ମତ ରଖିବାପାଇଁ ସରକାରଙ୍କର ସଲିସିଟର ଜେନେରାଲ ତୁସାର ମେହେଟ୍ଟା ଆସିଥିଲେ । ତାଙ୍କର ଯୁକ୍ତି ଥିଲା ଯେ ଛାତ୍ରମାନଙ୍କ ଆଘାତ ସମ୍ପର୍କିତ ଅଭିଯୋଗ ଗୁଡିକର ପରିକ୍ଷା ଆବଶ୍ୟକ । ସେ ଏ କଥା ମଧ୍ୟ କହିଥିଲେ ଯେ କିଛି ‘ଅସାମାଜିକ ବ୍ୟକ୍ତି’ ପ୍ରତିବାଦ ଭିତରେ ଅନୁପ୍ରବେଶ କରିଥିଲେ ଏବଂ ପୋଲିସ କର୍ମଚାରୀମାନେ ଶହଶହ ସଂଖ୍ୟାରେ ଆଘାତ ପାଇଥିଲେ । ଏଠି ଆଡଭୋକେଟ୍ ବ୍ରିନ୍ଦା ଗ୍ରୋଭରଙ୍କ ପୋଲିସର କାହାଣୀ ପ୍ରତି କରାଯାଇଥିବା ପ୍ରଶ୍ନ ସାମ୍ନାକୁ ଆଣିଥିଲେ । ସେ ପଚାରିଥିଲେ ଯେ, ଯେଉଁ ପଥର ବୋଝେଇ ଟ୍ରକ ପ୍ରତିବାଦ ସ୍ଥଳକୁ ଆସିଥିଲା କିପରି ଅନେକ ସ୍ଥାନରେ ଥିବା ପୋଲିସ ବ୍ୟାରିକେଡ ଓ ପୋଲିସ ଦ୍ୱାରା ସୃଷ୍ଟି ହୋଇଥିବା ସୁରକ୍ଷାବଳୟକୁ ଭେଦକରି ଭିତରକୁ ଆସି ପାରିଲା!
ଏହିଭିତରୁ କେତକ ଘଟଣା ମାମଲାର ଶୁଣାଣୀ ପୂର୍ବରୁ ହିଁ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା । ଯେମିତିକି ଜଣେ ଛାତ୍ରଙ୍କର ଦୃଷ୍ଟିଶକ୍ତି ହରାଇବା, ରବର ଗୁଳିର ପ୍ରୟୋଗ, ଇଲୋକ୍ଟ୍ରୋନିକ ସକ୍ ବାଡିର ପୟୋଗ, ନଖଲଗା ଲାଠିର ବ୍ୟବହାର, ୟୁନିଫର୍ମ ଓ ସାଧାରଣ ପୋଷାକ ପିନ୍ଧିଥିବା ପୋଲିସ କର୍ମଚାରୀଙ୍କ ଆକ୍ରମଣ ଏବଂ ସଠିକ୍ ରିପୋର୍ଟ କରୁଥିବା କିଛି ଗଣମାଧ୍ୟମ ସଦସ୍ୟଙ୍କ ଉପରେ ଆକ୍ରମଣ ।
ସମଗ୍ର ଘଟଣାବଳୀ କେତୋଟି କଥାପ୍ରତି ସ୍ପଷ୍ଟ ଇଙ୍ଗିତ କରେ । ପ୍ରଥମ କଥାଟି ହେଲା ଯେ ଦେଶ ଭିତରେ ଏହି ଛାତ୍ର ପ୍ରତିବାଦ ଆନେ୍ଦାଳନ ଯୋଗୁଁ ବ୍ୟାପି ଚାଲିଥିବା ନିରାଶା ସାମ୍ନାରେ ସାମୟିକ ହେଉ ବା ଦିର୍ଘକାଳୀନ ଏକ ପ୍ରତିବନ୍ଧକ ଠିଆକରାଯାଇପାରିଛି । ଦିନେ ଯୁବକ ମାନଙ୍କୁ ଅସରପା କହୁଥିବା ମୁଖ୍ୟ ବିଚାରପତି ମଧ୍ୟ ପ୍ରତିବାଦକାରୀ ଯୁବଙ୍କମାନଙ୍କୁ ଅଣଦେଖା କରିପାରିନାହାନ୍ତି । ଜଣେ ଶକ୍ତିଶାଳି ପ୍ରଧାନମନ୍ତ୍ରୀଙ୍କର ଘନିଷ୍ଠ ବୋଲି ଶୁଣାଯାଉଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ପରେ ଅଦାଲତ ମଧ୍ୟ ବୁଝିସାରିଲେଣି ଯେ ନାଗରିକଙ୍କର ମୌଳିକ ଅଧିକାର ଓ ସମ୍ବିଧାନ ଅନୁମୋଦିତ ପଥକୁ ଦୁରେଇ ରଖାଯାଇ ପାରିବ ନାହିଁ । ଏକ ବୃହତ୍ତର ବିରୋଧିଦଳ ଯୁବ ଛାତ୍ରଙ୍କ ଯୁକ୍ତିଯୁକ୍ତ ପ୍ରସଙ୍ଗଗୁଡିକୁ ଦେଶବ୍ୟାପି ସଂଗଠିତ କରାଇ ସରକାରଙ୍କୁ ଚାରିପଟୁ ଘେରିବା ପାଇଁ ପ୍ରୟାସ ଜାରି ରଖିଛି । ଗୋଦି ମିଡିଆ ବୋଲି କୁହାଯାଉଥିବା କର୍ପୋରେଟ ଗଣମାଧ୍ୟମ ଯେତେ ଯାହାକରି ବିରୋଧିମାନଙ୍କୁ ନିନ୍ଦିତ କରିବା ଓ ଯୁବଛାତ୍ରଙ୍କୁ ଅପଦସ୍ଥ କରିବା କାମଟି ଜାରି ରଖିଥିଲେ ବି ସେସବୁ ପ୍ରୟତଃ ପ୍ରଭାବହୀନ ହେଉଥିବା କଥା ବିକଳ୍ପ ଗଣମାଧ୍ୟମଗୁଡିକରୁ ଆମେ ଜାଣିବାକୁ ପାଉଛୁ ।
ଏଠି କୌତୁହଳର କଥା ଯେ ଗତ ବାର ବର୍ଷ ଧରି ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ହରାଇଥିବା ନ୍ୟାୟପାଳିକ ନିଜର ସ୍ୱାଧୀନ ଭାବମୃର୍ତ୍ତୀ ନିର୍ମାଣ ପାଇଁ ଯେମିତିକି ଏକ ଅବସର ପାଇଛି । ତେବେ ନ୍ୟାୟପାଳିକାରେ ଯେଉଁଭଳି ସ୍ୱାଧୀନଚେତା ବିଚାରପତିମାନଙ୍କୁ ଅଣଦେଖା କରାଯାଉଛି ଓ ଏକ ନିଦ୍ଦିଷ୍ଠ ଆଦର୍ଶବାଦ ପ୍ରତି ଆଗ୍ରହ ଥିବା ବ୍ୟକ୍ତିମାନଙ୍କୁ ବିଚାରପତି ଭାବେ ଚୟନ କରାଯାଉଛି ଏଭଳି ଏକ ପରିସ୍ଥିତି କେତେଦିନ ରହିବ ତହା ଛାତ୍ର ଓ ଯୁବକମାନଙ୍କର ପ୍ରତିବାଦର ସ୍ୱର ଓ ଶକ୍ତି ହିଁ ଆଗାମୀ ଦିନରେ ପ୍ରମାଣିତ କରିବ । ଜନ୍ତରମନ୍ତର ପ୍ରତିବାଦ ଏକ ନୂତନ ଇତିହାସ ସୃଷ୍ଟି କରିବାପାଇଁ ସୁଯୋଗଟିଏ ସୃଷ୍ଟି କରିଛି ନିଶ୍ଚୟ ଯାହା ୨୦୧୧-୧୨ ଆନ୍ନା ଆନ୍ଦୋଳନ ଠାରୁ ଭିନ୍ନ ଭଳି ଲାଗୁଛି । କିନ୍ତୁ ଗୋଟିଏ ଦଶନ୍ଧୀରୁ ଉର୍ଦ୍ଧକାଳ ଧରି ଯେଉଁ ଜନଗଣ ବେରୋଜଗାରୀ, ଖାଦ୍ୟଦ୍ରବ୍ୟରେ ମୁଲ୍ୟବୃଦ୍ଧି, କୃଷକ ଓ ଶ୍ରମିକମାନଙ୍କର ଯନ୍ତ୍ରଣା, ସମାଜରେ ହିଂସା ଓ ଘୃଣାର ପ୍ରସାର, ଖଣିଜ ସମ୍ପଦର ଖୋଲାଖୋଲି ଲୁଣ୍ଠନ ଏବଂ ପ୍ରାକୃତିକ ସମ୍ପଦର ଧ୍ୱସଂଲୀଳାକୁ ବିନା ପ୍ରତିବାଦରେ, ନିରବରେ ଦେଖିଆସୁଛନ୍ତି ସେମାନଙ୍କର ସମୁହ ସ୍ୱର ଯଦି ସାମ୍ନାକୁ ନଆସେ ଓ ପ୍ରତିଧ୍ୱନୀତ୍ୱ ନହୁଏ ହୁଏତ ଏ ପରିବର୍ତ୍ତିତ ପରିସ୍ଥିତିଟି କୁହୁଡିଭଳି ଅପସରିଯିବ ।
Comments
0 comments

