ଶିକ୍ଷା ଓ ଶିକ୍ଷକର ସମସ୍ୟା କହିଲେ ଏକ ଅଗାଧ ସମୁଦ୍ରକୁ ବୁଝାଇବ । ସବୁ ସମସ୍ୟାକୁ ବୁଝିବାପାଇଁ କାହା ପାଖରେ ସମୟ ନାହିଁ । କେଉଁ କଥା ଅବା ପ୍ରଥମେ ବୁଝିବା! ଆମ ପିଲାମାନଙ୍କ ଶିକ୍ଷାର ଠିକାଟି ଆମେ ଶିକ୍ଷାନୁଷ୍ଠାନମାନଙ୍କୁ ଦେଇ ଦେଇଛେ । ସେ ଭିତରେ ପୁଣି ରଙ୍ଗବେରଙ୍ଗ ଶିକ୍ଷାନୁଷ୍ଠାନମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗୋଟିଏ ଶିକ୍ଷାନୁଷ୍ଠାନର ଆଉ ଗୋଟିଏ ଶିକ୍ଷାନୁଷ୍ଠାନ ସାଙ୍ଗରେ ପ୍ରତିଯୋଗିତା ବାପା ମା’ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାପାଇଁ । ଏହି ପ୍ରତିଯୋଗିତାର ବାହାରେ ରହିଆସିଛନ୍ତି ସରକାରୀ ଶିକ୍ଷାନୁଷ୍ଠାନମାନେ । ଯେଉଁ ବାପା ମା’ମାନେ ଏଭଳିି ରଙ୍ଗବେରଙ୍ଗ ଶିକ୍ଷାନୁଷ୍ଠାନମାନଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତି, ସେମାନେ ନିଜ ପିଲାଙ୍କର ସୁନ୍ଦର ଭବିଷ୍ୟତ ସ୍ୱପ୍ନ ଦେଖି ସେପଟକୁ ଟଳିଥାନ୍ତି । ସେଇ ସ୍ୱପ୍ନସବୁ କେବଳ ବଜାରର ଅନୁଗ୍ରହରେ ହିଁ ପୂରଣ ହୋଇପାରିବାର ସମ୍ଭାବନା ଥାଏ । ସଂକ୍ଷେପରେ କହିବାକୁ ଗଲେ ପ୍ରତିଯୋଗିତା ଭିତରେ ଥିବା ଶିକ୍ଷା ମୁଖ୍ୟତଃ ବଜାର ଉପରେ ନିର୍ଭରଶୀଳ । ଏଭଳି ଶିକ୍ଷା କେବଳ ଯେ ମଧ୍ୟବିତ୍ତ ଶ୍ରେଣୀ ଆଶା ଆକାଂକ୍ଷାର ପରିଧି ଭିତରେ ସୀମିତ ରହିଛି ତାହା ନୁହଁ; ବରଂ ଏହାର ଏକ ସଂକ୍ରାମକ ପ୍ରଭାବ ମଧ୍ୟ ସମାଜ ଭିତରେ ରହିଛି । ଯେଉଁ ବାପା ମା’ମାନେ ଆର୍ଥôକ ଦୃଷ୍ଟିରୁ ସ୍ୱଚ୍ଛଳ ନୁହଁନ୍ତି ବା ଯେଉଁମାନେ କମ୍ ଦରିଦ୍ର, ସେମାନେ ମଧ୍ୟ ନିଜ ପିଲାମାନେ ପ୍ରତିଯୋଗିତାର ପଛରେ ପଡ଼ିଯିବାର ଆଶଙ୍କା କରି ନିଜକୁ ଅସ୍ୱାଭାବିକ ବା ଅସହାୟ ଅବସ୍ଥାକୁ ଠେଲି ଦେଇ, ଶିକ୍ଷାଦାନର ଗୁଣମାନ ଯାହା ଥାଉ ନା କାହିଁକି ତାକୁ ଭ୍ର୍ରୂକ୍ଷେପ ନକରି ପିଲାମାନଙ୍କୁ ଏହି ରଙ୍ଗ ବେରଙ୍ଗ ଶିକ୍ଷାନୁଷ୍ଠାନମାନଙ୍କରେ ଭର୍ତ୍ତି କରାନ୍ତି । ବିଚରା ପିଲାମାନଙ୍କ କଥା ଭାବିଲେ କଷ୍ଟ ଲାଗେ । ବାପା ମା’ମାନଙ୍କର ସ୍ୱପ୍ନ ଏବଂ ଶିକ୍ଷାନୁଷ୍ଠାନମାନଙ୍କର ସ୍ୱପ୍ନକୁ ନେଇ ସୌଦା ଭିତରେ ଆମ ପିଲାମାନେ ପେଶି ହୋଇଯାଉଛନ୍ତି । କେଉଁଟା ଭୂଲ କେଉଁଟା ଠିକ୍, ତାହା ସେମାନଙ୍କ ବୁଝାମଣାର ପହଞ୍ଚ ବାହାରେ । ସେହି ବାପା ମା’ମାନେ ଆଦୌ ଚିନ୍ତିତ ନୁହଁନ୍ତି ଯେଉଁମାନଙ୍କର ପିଲାମାନେ ପ୍ରତିଯୋଗିତାର ବହୁ ଆଗରେ ଅଛନ୍ତି ଅବା ଏକ ସଫଳ ପ୍ରତିଯୋଗୀର ପ୍ରମାଣ ଦେଇ ପାରୁଛନ୍ତି । ଏହି ପ୍ରତିଯୋଗିତାର ଚକ୍ରବ୍ୟୁହରେ ବହୁ ପଛରେ ପଡ଼ିଥିବା ବାପା ମା ମାନେ, ଯେଉଁମାନଙ୍କର ସଂଖ୍ୟା ସର୍ବାଧିକ, ପ୍ରତିଯୋଗିତାରେ ସଫଳ ହୋଇପାରିନଥିବା ନିଜର ପିଲାମାନଙ୍କୁ ହିଁ ମୁଖ୍ୟତଃ ବିଫଳତା ପାଇଁ ଦାୟୀ କରିଥାନ୍ତି । ଫଳରେ ଶିକ୍ଷାକୁ ନେଇ ଯେଉଁପ୍ରକାର ତର୍ଜମା ସମାଜ ଭିତରେ ହେବାକଥା, ମଧ୍ୟବିତ୍ତ ଶ୍ରେଣୀର ଏଭଳି ଏକ ସ୍ଥିତି ଏବଂ ଆଭିମୁଖ୍ୟ ଯୋଗୁଁ ଠିକଭାବେ ହୋଇପାରୁନାହିଁ ।
ପ୍ରତିଯୋଗିତାର ବାହାରେ ଥିବା ସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ସ୍ଥିତି ଅତି ସଙ୍କଟାପନ୍ନ । ସଙ୍କଟ ଏହିଦୃଷ୍ଟିରୁ ନୁହଁ ଯେ ଉଚ୍ଚ ଅଭିଳାଷୀ ମଧ୍ୟମବର୍ଗ ବା ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ପିଲାମାନେ ଅଧିକ ସଂଖ୍ୟାରେ ଆଉ ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ (ସ୍କୁଲ, କଲେଜ) ମାନଙ୍କୁ ଆସୁନାହାଁନ୍ତି, ବରଂ ଏଥିପାଇଁ କି ଯେ ଏହି ଅନୁଷ୍ଠାନମାନଙ୍କ ପ୍ରତି ସମଗ୍ର ସମାଜଟି ଉଦାସୀନ ହୋଇଚାଲିଛି । ଏହି ଉଦାସୀନତା ଶିକ୍ଷାନୁଷ୍ଠାନ ଭିତରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଭିତରେ ମଧ୍ୟ ସମାନ ଭାବରେ ଦେଖାଯାଉଛି । ଉଦାରବାଦୀ ଅର୍ଥନୀତିର ପତିଆରା ଆରମ୍ଭ ହେବା ଦିନଠାରୁ ଯେଉଁ ଉଚ୍ଚ ଆକାଂକ୍ଷା କ୍ରମବର୍ଦ୍ଧିଷ୍ଣୁ ବଜାରର ସୌଜନ୍ୟରୁ ବଢ଼ିଚାଲିଛି , ସେଥିରେ ଆମ ଶିକ୍ଷାଦାତାମାନେ ମଧ୍ୟ ସମାନ ଭାବରେ ଶିକାର ହୋଇଛନ୍ତି । ନିଜପିଲାଙ୍କୁ ନିଜେ କାର୍ଯ୍ୟରତ ଥିବା ସରକାର ଶିକ୍ଷାନୁଷ୍ଠାନମାନଙ୍କରେ ପଢ଼ାଇବାର ଦୃଷ୍ଠାନ୍ତ ଦିନକୁ ଦିନ ବିରଳ ହୋଇ ହୋଇଯାଉଛି । କହିବାର ତାତ୍ପର୍ଯ୍ୟ ଏଠି ଯେ ଉଭୟ ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ବାହାରେ ଥିବା ବୃହତ୍ତର ସମାଜ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କ ପ୍ରତି ଏକପ୍ରକାର ଉଦାସୀନ ଆଚରଣ ଦେଖାଇ ଆସିଛନ୍ତି । ଶିକ୍ଷାର ମୌଳିକ ସମସ୍ୟା କ’ଣ ଏଠି ଆଲୋଚନା କରିବାପାଇଁ କେହି ବି ପ୍ରସ୍ତୁତ ନୁହଁନ୍ତି । ଅତି ବଡ଼ହେଲେ ଯାହାସବୁ ଆଲୋଚନା ହେଉଛି ତାହାମଧ୍ୟ ଶିକ୍ଷାନୁଷ୍ଠାନର ସମସ୍ୟା ନୁହଁ । ଆଜିର ଦିନରେ ଶିକ୍ଷାସମସ୍ୟା କହିଲେ କେବଳ ଶିକ୍ଷକମାନଙ୍କର ସମସ୍ୟାକୁ ବୁଝାଉଛି ତାହାମଧ୍ୟ ଦରମା, ପଦୋନ୍ନତି, ଚାକିରୀର ସର୍ତ୍ତାବଳୀ ଇତ୍ୟାଦି ଆନୁସଙ୍ଗିକ ସରକାରୀ ସୁବିଧା ସୁଯୋଗ ସମ୍ପର୍କିତ । ଯେହେତୁ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନଙ୍କ ଭଳି ଏମାନଙ୍କର ମଧ୍ୟ ଅଧିକାର ସବୁ ସୁରକ୍ଷିତ ରହିବା ଆବଶ୍ୟକ ଏବଂ ଯେହେତୁ ସମଗ୍ର ସମାଜକୁ ବଜାର କବଳିତ କରିବାପାଇଁ ପ୍ରୟାସ କରୁଛି ଶିକ୍ଷକମାନେ ଯେ ‘ପଛରେ’ ରହିଯିବେ ଏହିକଥା କେହି ବି ଭାବିବେ ନାହିଁ ।
୧୯୬୬ର ଡ଼ିଏସ୍ କୋଠାରୀ କମିଶନ୍ ଙ୍କୁ ଯୁଗୋପଯୋଗୀ ଏବଂ ପରିଣାମଦର୍ଶୀ ଶିକ୍ଷା ସମ୍ପର୍କିତ ଉଚ୍ଚକୋଟିର ସୁପାରିଶଗୁଡ଼ିକୁ ସୁଚିନ୍ତିତ ଭାବେ ସରକାରମାନେ ଅବହେଳା କରିବାପରେ ସେସବୁକୁ ସମାଧି ଦେଇ ୧୯୮୬ ମସିହାରେ ଆସିଥିଲା ଏକ ନୂତନ ଶିକ୍ଷାନୀତି । ଏହି ନୂତନ ଶିକ୍ଷାନୀତି ହିଁ ଆମ ଦେଶରେ ଶିକ୍ଷାବ୍ୟବସ୍ଥାକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଥିଲା । ପରେ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଶିଳ୍ପପତି ମୁକେଶ ଅମ୍ବାନୀ ଓ କୁମାରମଙ୍ଗଳମ୍ ବିର୍ଲାଙ୍କୁ ନେଇ ଯେଉଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା ତାହା ସୂଚାଇ ଦେଇଥିଲା ଯେ ଭାରତର ଶିକ୍ଷାକ୍ଷେତ୍ରରେ ବଜାର ଶକ୍ତିର ଏକ ବଡ଼ଧରଣର ଅନୁପ୍ରବେଶ ଘଟିବ ଏବଂ ଶିକ୍ଷାର୍ଥୀମାନଙ୍କଠୁ ଖର୍ଚ୍ଚ ଆଦାୟ କରାଯିବ ଓ ସରକାରଙ୍କ ଦାୟିତ୍ୱ କମିବ (ଏପ୍ରିଲ୨୪,୨୦୦୦) । ଏହି ଅବସ୍ଥା ଏବେ ଉଗ୍ରରୂପ ନେଇ ଆମ ଆଗରେ ଛିଡ଼ା ହୋଇଛି । ବିଡ଼ମ୍ବନାର କଥା ଯେ ଆମ ସମାଜରେ ଏଭଳି ଏକ ସ୍ଥିତିକୁ ନେଇ ଯେଉଁଭଳି ଚର୍ଚ୍ଚା ହେବାକଥା ତାହା ହେଉନାହିଁ । ବରଂ ଆମେ ଶିକ୍ଷକମାନଙ୍କର ଚାକିରୀ ସମସ୍ୟାକୁ ନେଇ କେବଳ ଚିନ୍ତିତ ତାହା ହିଁ ଜଣାପଡ଼ୁଛି ।
ସରକାରଙ୍କର ସରକାରୀ ଶିକ୍ଷାନୁଷ୍ଠାନମାନଙ୍କ ପ୍ରତି ବୈମାତୃକ ଓ ବେପରୁଆ ଆଚରଣ ଯୋଗୁଁ ଶିକ୍ଷକଙ୍କ ସମେତ ପ୍ରାୟ ସବୁ ଶିକ୍ଷା ସମସ୍ୟା ଜଟିଳ ହୋଇ ହୋଇଚାଲିଛି । ସ୍ଥାୟୀ ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ସିଧାସଳଖ ନିଯୁକ୍ତି ଅନେକ ବର୍ଷଧରି ବନ୍ଦ ହୋଇଯାଇଛି । ଏବେ ଯେଉଁ ନିଯୁକ୍ତି କରାଯାଉଛି ତାହା ସ୍ୱାଗତଯୋଗ୍ୟ ଯଦିଓ ଚାକିରୀ ସର୍ତ୍ତାବଳୀ ଏବଂ ନିଯୁକ୍ତିର ଢ଼ାଞ୍ଚା ଦେଖିଲେ ତାହା ଅନେକଙ୍କର ପସନ୍ଦଯୋଗ୍ୟ ହୋଇପାରୁନାହିଁ । ତଥାପି ବେରୋଜଗାର ସମସ୍ୟାରେ ପୀଡ଼ିତ ଯୁବପିଢ଼ି ପାଇଁ କିଛିଟା ଆଶ୍ୱସ୍ଥି ଯୋଗାଉଥିବା ଯୋଗୁଁ ସେମାନେ ଏଭଳି ନିଯୁକ୍ତିକୁ ଗ୍ରହଣ କରିନେଉଛନ୍ତି । ଓଡ଼ିଶାରେ ଆମ ଶିକ୍ଷା ଅନୁଷ୍ଠାନମାନଙ୍କରେ କାର୍ଯ୍ୟରତ ଶିକ୍ଷକ ବା ଅଧ୍ୟାପକମାନଙ୍କର ଏକାପ୍ରକାର କାମପାଇଁ ବିବିଧ ଏବଂ ବିଷମତାପୂର୍ଣ୍ଣ ନିଯୁକ୍ତି ସର୍ତ୍ତାବଳୀ ଯୋଗୁଁ ଯେଉଁ ଉଦାହରଣଟିଏ ବର୍ଷବର୍ଷ ଧରି ଗଢ଼ି ତୋଳାଯାଇଛି ତାହା ସମଗ୍ରଦେଶରେ ବିରଳ । ଅତୀତରେ ଶାସନରେ ଥିବା ସରକାର ଏବଂ ଏବେକାର ସରକାରମାନଙ୍କର ଅପରିଣାମଦର୍ଶୀ ନୀତିଗୁଡ଼ିକ ଯୋଗୁଁ ଏକ ବିଷମତାପୂର୍ଣ୍ଣ ଢାଞ୍ଚା ଆମ ଶିକ୍ଷାନୁଷ୍ଠାନମାନଙ୍କରେ ଲାଗିରହିଛି । ସେଇଥିପାଇଁ ଅଦାଲତରେ ମଧ୍ୟ ସହସ୍ର ସହସ୍ର ମାମଲା ପଡ଼ିରହି ଶିକ୍ଷା ପ୍ରଶାସନକୁ କେବଳ ଏକ ଅଦାଲତୀ ବିଭାଗରେ ପରିଣତ କରିଦେଇଛି । ଶିକ୍ଷା ବା ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ବିକାଶ କିପରି ହେଇପାରିବ ତାହା ଆଉ ଶିକ୍ଷାବିଭାଗର କାର୍ଯ୍ୟସୂଚୀରେ ନାହିଁ । ଅଦାଲତକୁ ଯିବା ଏବଂ ୧୦ହଜାରରୁ ଊଦ୍ଧ୍ୱର୍ ମାମଲାରେ କିଭଳି ପକ୍ଷ ରଖିବା ସେ ସମ୍ପର୍କରେ ପ୍ରସ୍ତୁତ ହେବା ତାହା ଶିକ୍ଷା ବିଭାଗର ଏକ ପ୍ରମୁଖ କାର୍ଯ୍ୟ । ସେଥିପାଇଁ ଏହି ବିଭାଗକୁ ଆସିବାପାଇଁ ଭଲ ଅଫିସରମାନେ ବି ଆଗ୍ରହ ଦେଖାନ୍ତି ନାହିଁ । ଆଗକୁ ପଛକୁ ନଦେଖି ଗୋଟିଏ ସମୟରେ ଆମ ସରକାରମାନେ ମନଇଚ୍ଛା ସ୍କୁଲ, କଲେଜ ଖୋଲିବାପାଇଁ ପ୍ରୋତ୍ସାହନ ଦେଲେ । ଅନେକଙ୍କର ଯୁକ୍ତି ଯେ ଏଭଳି କରି ସରକାର ଶିକ୍ଷାର ପ୍ରସାରପାଇଁ ଏକ ସକାରାତ୍ମକ ଉଦ୍ୟମଟିଏ କରିଛନ୍ତି ମାତ୍ର । ଆମେ କିନ୍ତୁ ଏଥିରେ ଏକମତ ନୁହଁ । ଗୋଟିଏ ଦରିଦ୍ର ରାଜ୍ୟରେ ଲୋକେ ନିଜ ଉଦ୍ୟମରେ କଲେଜ ଗଢ଼ିବେ ଏବଂ ସବୁ ଖର୍ଚ୍ଚ ସ୍ଥାନୀୟ ସ୍ତରରେ ହିଁ ଯୋଗାଡ଼ କରିବେ; ଏଭଳି ଉଦ୍ଭଟଚିନ୍ତା କେବଳ ଆମ ରାଜନେତାମାନେ ହିଁ କରିପାରନ୍ତି । ସରକାରଙ୍କର ଯଦି ପ୍ରକୃତ ଆନ୍ତରିକତା ଥାଆନ୍ତା ତେବେ ସେ ନିଜେ ପ୍ରତିଟି ଶିକ୍ଷା ଅପହଞ୍ଚ ସ୍ଥାନରେ ନିଜ ଉଦ୍ୟମରେ ସ୍କୁଲ କଲେଜ ନିର୍ମାଣ କରିଥାନ୍ତେ । ସେଠି ପ୍ରଥମ ଦିନରୁ ହିଁ ଉପଯୁକ୍ତ ନିଯୁକ୍ତି ବ୍ୟବସ୍ଥା ମାଧ୍ୟମରେ ଯୋଗ୍ୟତାସମ୍ପନ୍ନ ଶିକ୍ଷକମାନେ ମଧ୍ୟ ନିଯୁକ୍ତି ପାଇଥାନ୍ତେ । ସମସ୍ତେ ସମାନ ଦରମା ପାଇଥାନ୍ତେ ଏବଂ ଏପରିକି ସମ୍ବିଧାନ ଅନୁମୋଦିତ ସଂରକ୍ଷଣବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇପାରିଥାନ୍ତା । ଯଦି ଏବେ ଆପଣ ପ୍ରଶ୍ନଟିଏ କରନ୍ତି ଯେ ଘରୋଇ ସ୍କୁଲ କଲେଜମାନଙ୍କରେ କମିଟିମାନଙ୍କ ଦ୍ୱାରା ୱାଲ ନୋଟିସ୍ ମାଧ୍ୟମରେ ବା ସେଭଳି ଅନ୍ୟପ୍ରକାରେ ନିଯୁକ୍ତି ପାଇଥିବା ଶିକ୍ଷକ ବା ଅଧ୍ୟାପକମାନଙ୍କ ଭିତରେ କେତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ଜାତିର ଲୋକେ ନିଯୁକ୍ତି ପାଇଛନ୍ତି, ଆପଣଙ୍କୁ କେହି ବି ଉତ୍ତର ଦେବାପାଇଁ ପ୍ରସ୍ତୁତ ନୁହଁନ୍ତି । ଯୁକ୍ତିଯୁକ୍ତ ବା ବିଶ୍ୱସନୀୟ ପଦ୍ଧତିରେ ଘରୋଇ ଉଦ୍ୟମରେ ଅଧିକାଂଶରେ ସ୍କୁଲ କଲେଜ ଗଢ଼ାଯାଇନଥିଲା ବା ସେଥିରେ ନିଯୁକ୍ତି ମଧ୍ୟ ଦିଆଯାଇନଥିଲା । ସେତେବେଳେ ମଧ୍ୟ ସରକାର ଯଦି ସେଇ ଶିକ୍ଷାନୁଷ୍ଠାନମାନଙ୍କୁ ହାତକୁ ନେଇଯାଆନ୍ତେ, ତେବେ ସବୁ ସମସ୍ୟାର ସମାଧାନ ଘଟିଥାନ୍ତା । ଫଳରେ ଯେତେବେଳେ ଅନୁଦାନ ପ୍ରକ୍ରିୟା ଆରମ୍ଭ ହେଲା ସେତେବେଳେ ଅନେକ ଜଟିଳତା ଉପୁଜିଥିଲା ଏବଂ ଏ ବାବଦରେ ସରକାର ସମ୍ପୂର୍ଣ୍ଣ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ । ମାଲି ମକଦ୍ଦମା ବଢ଼ିବାର ପ୍ରକ୍ରିୟା ଆରମ୍ଭ ହେଲା । ଯେହେତୁ ଏହିସବୁ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାର ପହଞ୍ଚ ବାହାରେ ଥିବା ପିଲାମାନେ ପାଠ ପଢ଼ନ୍ତି ଯେକୌଣସି ସରକାରଙ୍କର ପ୍ରଥମ ଦାୟିତ୍ୱ ଥିଲା ସେସବୁକୁ ସିଧାସଳଖ ହାତକୁ ନେଇଯିବା ଏବଂ ଯାହାସବୁ ନିଯୁକ୍ତିରେ ଭୁଲ ତୃଟି ରହିଯାଇଛି ତାକୁ ସଜାଡ଼ିବାର କାର୍ଯ୍ୟ ଆରମ୍ଭ କରିବା । କିନ୍ତୁ ସେଭଳି କିଛିହେଲା ନାହିଁ । ୨୦୦୦ ମସିହାରେ ଯେତେବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ଯୌଥ ସରକାର କ୍ଷମତାକୁ ଆସିଲେ ଆଶା କରାଯାଉଥିଲା ଯେ ଶିକ୍ଷା ଓ ଶିକ୍ଷକଙ୍କର ଜଟିଳ ସମସ୍ୟା ନୂଆ ସରକାର ଆନ୍ତରିକତାର ସହିତ ସମାଧାନ କରିବାପାଇଁ ପ୍ରୟାସ କରିବେ । କିନ୍ତୁ ୨୦୦୪ ମସିହାରେ ନବୀନ ସରକାର ୧୯୯୪ରୁ ପ୍ରଚଳିତ ଅନୁଦାନ ବ୍ୟବସ୍ଥାକୁ ବାତିଲ କରି ବ୍ଲକଗ୍ରାଣ୍ଟ୍ ବ୍ୟବସ୍ଥା ପ୍ରଣୟନ କଲେ ଯାହାକି ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନମାନଙ୍କ ସ୍ଥିତିକୁ ଅଧିକ ଜଟିଳ କରିଦେଲା । ୨୦୦୪ ମସିହାରୁ ଶିକ୍ଷକମାନଙ୍କର ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ସଙ୍ଗଠିତ ହେବାରେ ଲାଗିଲା । ଦୀର୍ଘ ୧୩ବର୍ଷ ପରେ ଅକ୍ଟୋବର ୨୦୧୭ରେ ଓଡ଼ିଶା ସରକାର ଅପେକ୍ଷାକୃତ ପ୍ରଗତିଶୀଳ ଶିକ୍ଷାନୀତି ଘୋଷଣା କଲେ ଯେଉଁଥିରେ ଶିକ୍ଷକମାନଙ୍କର ଦରମା, ପଦୋନ୍ନତି ତଥା ଚାକିରୀର ବିଭିନ୍ନ ସର୍ତ୍ତାବଳୀ ନେଇ ଘୋଷଣା କରାଯାଇଥିଲା । ତଥାପି ଶିକ୍ଷକମାନେ ଆଉକିଛି ଅଧିକ ଏବଂ ସେମାନଙ୍କ ବିଚାରରେ ନ୍ୟାଯ୍ୟଦାବୀ କରି ଆନ୍ଦୋଳନ ଜାରୀ ରଖିଥିଲେ । ଏ ଭିତରେ ଉଚ୍ଚତମ ନ୍ୟାୟାଳୟ ଯାଏ ମଧ୍ୟ ମାମଲା ଯାଇଥିଲା ଓ ଉଚ୍ଚତମ ନ୍ୟାୟାଳୟ ମୋଟାମୋଟି ଭାବେ ସରକାରଙ୍କର ନୀତିକୁ ସ୍ୱୀକୃତି ଦେଇଥିଲେ । ୧୧ ସେପ୍ଟେମ୍ବର ୨୦୧୬ରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ମଧ୍ୟ ୬୧ପୃଷ୍ଠାର ଏକ ବିସ୍ତୃତ ରାୟ ଦେଇ ୧୯୯୪ର ସରକାରୀ ଅନୁଦାନ ଆଦେଶନାମା ବଦଳରେ ୨୦୦୪ର ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ହିଁ ଏକ କାର୍ଯ୍ୟକାରୀ ଆଦେଶ ହିସାବରେ ବିଚାର କରିଥିଲେ । ସେଥିପାଇଁ ୧୯୯୪ ଅନୁଦାନ ନୀତି ସମ୍ପର୍କିତ ଆଦେଶ ମୁତାବକ ଯେଉଁ ଶିକ୍ଷକମାନେ (ଅଧ୍ୟାପକ) ସେହି ନୀତିର ଲାଭ ନେବାପାଇଁ ଦାବୀ କରୁଥିଲେ ତାକୁ ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଥିଲେ । ସରକାରଙ୍କର ଶିକ୍ଷାନୀତି ଯେଉଁଭଳି ଢ଼ାଞ୍ଚାରେ ଚାଲିଛି ତାହା ଶିକ୍ଷକ/ଅଧ୍ୟାପକଙ୍କୁ ଖର୍ଚ୍ଚାନ୍ତ କରାଉଥିବା ବେଳେ ସରକାରୀ ପଦାଧିକାରୀମାନଙ୍କୁ ଏହିସବୁ ମାମଳାରେ ଛନ୍ଦି ଦେଉଛି । ଅନ୍ୟପଟେ ଅଭିଯୋଗ ଆସୁଛି ଯେ ମାମଲା ଲଢ଼ୁଥିବା ଓକିଲ ଏବଂ ଦୁଷ୍ଟ ସରକାରୀ କର୍ମଚାରୀମାନେ ଲାଭବାନ ହେଉଛନ୍ତି ।
ସରକାର ଭାବୁଛନ୍ତି ଅକ୍ଟୋବର ୨୦୧୭ରେ ଶିକ୍ଷକମାନଙ୍କ ପାଇଁ ଘୋଷଣା କରାଯାଇଥିବା ନୀତି ୭ମ ବେତନ କମିଶନର ସ୍ତର ସହ ସମତୁଲ ଏବଂ କେବଳ ପେନସନକୁ ଛାଡ଼ିଦେଲେ ସରକାର ଶିକ୍ଷକମାନଙ୍କର ଅନ୍ୟସବୁ ଦାବୀ ଗ୍ରହଣ କରିଛନ୍ତି । ଏମିତିକି ଅସନ୍ତୁଷ୍ଟ ଶିକ୍ଷକମାନେ ଅଦାଲତକୁ ଯିବାରେ କୌଣସି ପ୍ରତିବନ୍ଧକ ନାହିଁ । ତେବେ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଚାଷୀ ଏବଂ ଭାଗଚାଷୀମାନଙ୍କ ତୁଳନାରେ ଶିକ୍ଷକ ସଙ୍ଗଠନମାନଙ୍କର ଦାବୀ ସରକାର ଅଧିକାଂଶରେ ଗ୍ରହଣ କରିଥିବାବେଳେ ଆନ୍ଦୋଳନରତ ଶିକ୍ଷକମାନେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି । ଯେଉଁ ସମସ୍ୟାର ସୂତ୍ରପାତ ବିଭିନ୍ନ ସମୟରେ ଏବେକାର ସରକାରଙ୍କ ସମେତ ଅନ୍ୟ ସରକାରମାନେ ନିଜର ଅପରିଣାମଦର୍ଶୀ ଏବଂ ଶିକ୍ଷାପ୍ରତି ଚରମ ଅବହେଳା ପ୍ରଦର୍ଶନ କରି ଆପଣେଇଛନ୍ତି, ତାହାର ସମାଧାନ ହେଲାଭଳି ଜଣାପଡ଼ୁନାହିଁ । ଫଳରେ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ପଢ଼ୁଥିବା ଛାତ୍ର ଛାତ୍ରୀମାନେ ଏହାର ପରିଣାମ ଭୋଗୁଛନ୍ତି ଅବଶ୍ୟ ଅଧିକାଂଶ ଶିକ୍ଷକମାନଙ୍କର ପିଲାମାନେ ସରକାରୀ ବା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ପଢ଼ୁନାହାନ୍ତି ବୋଲି ଅଭିଯୋଗ ହୋଇଆସୁଛି । ସରକାରୀ କର୍ମଚାରୀମାନଙ୍କର ପିଲାମାନେ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ନିଶ୍ଚିତଭାବେ ପଢ଼ିବାପାଇଁ ଅତୀତରେ ଆହ୍ଲାବାଦ ଉଚ୍ଚନ୍ୟାୟାଳୟ ଯେଉଁ ଐତିହାସିକ ରାୟ ଦେଇଥିଲେ, ତାକୁ ବୁଝିବା ପରିସ୍ଥିତିରେ କେହି ନାହାଁନ୍ତି (ଇଣ୍ଡିଆନ ଏକ୍ସପ୍ରେସ୍, ଅଗଷ୍ଟ ୨୦ ୨୦୧୫) ଶିକ୍ଷକମାନେ ବା ରୁହନ୍ତେ କିପରି ! ଏମିତିରେ ଏକ ଅଭିଯୋଗ ରହିଆସିଛି ଯେ ସରକାରୀ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କର ଦୁର୍ବଳ ସ୍ଥିତି ଯୋଗୁଁ ଯେତେବେଳେ ଶିକ୍ଷକ ଆନ୍ଦୋଳନ ହେଉଛି ଅଭିଭାବକମାନେ ଶିକ୍ଷାବେପାରୀମାନେ ଖୋଲିଥିବା ଦୋକାନଗୁଡ଼ାକ ଆଡ଼କୁ ମୁହାଁଉଛନ୍ତି । ଅଭିଭାବକମାନେ ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କର ଅବସ୍ଥା ବୁଝିବା ପରିବର୍ତ୍ତେ ସେସବୁରୁ ଦୂରେଇ ଯିବାପାଇଁ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ସରକାର ମଧ୍ୟବିତ୍ତ ବର୍ଗର ଅନାଗ୍ରହ ଯୋଗୁଁ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କ ପ୍ରତି ଅବହେଳା ଦେଖାଇ ଚାଲିଛନ୍ତି । ଅଧିକାଂଶ ସ୍ଥାନରେ ଗୋଟିଏ ଦୁଇଟି ଶିକ୍ଷକ/ଅଧ୍ୟାପକଙ୍କକୁ ସମ୍ପୃକ୍ତ ବିଭାଗ ବା ସମଗ୍ର ଶିକ୍ଷାନୁଷ୍ଠାନର ବୋଝ ମୁଣ୍ଡାଇବାକୁ ପଡ଼ୁଛି ।
ଏଠି ମନେପକାଇବା ଉଚିତ ହେବ ଯେ ଆମ ସରକାରମାନେ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାପାଇଁ ପ୍ରସ୍ତୁତ ନୁହଁନ୍ତି । ଏପଟେ ଶିକ୍ଷା ବେପାରକୁ ରୋକିବା ପରିବର୍ତ୍ତେ ପ୍ରୋତ୍ସାହନ ଦେବାରେ ସରକାର ଅଧିକ ନିଷ୍ଠା ଓ ଆନ୍ତରିକତା ଦେଖାଉଛନ୍ତି । ଆଦର୍ଶ ବିଦ୍ୟାଳୟ ଏବଂ ଆଦର୍ଶ ମହାବିଦ୍ୟାଳୟ ଖୋଲି ସରକାର ଚରମ ଅବହେଳାର ଶିକାର ହେଇଚାଲିଥିବା ସରକାରୀ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଯେମିତି ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଚାଲିବେ ତାହାର ବନ୍ଦୋବସ୍ତ କରୁଛନ୍ତି । ଏ ରାଜ୍ୟର ପ୍ରତିଟି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୋଟିଏ ଗୋଟିଏ ଆଦର୍ଶ ଶିକ୍ଷାନୁଷ୍ଠାନ ହେବାପାଇଁ ଯୋଗ୍ୟ ଏବଂ ଏହା ବାଞ୍ଛାନିୟ ମଧ୍ୟ । ସରକାର ପାଣ୍ଠି ଅଭାବର ବାହାନା ନେଇପାରିବେ ନାହିଁ । ସମଗ୍ର ବିଶ୍ୱରେ ବିଶେଷକରି ଉନ୍ନତ ଦେଶମାନଙ୍କରେ ସରକାରଙ୍କର ପ୍ରାଥମିକତା ତାଲିକାରେ ଶିକ୍ଷା ଶୀର୍ଷ ସ୍ଥାନରେ ରହିଥିବାବେଳେ ଆମ ସରକାରମାନଙ୍କୁ ଶିକ୍ଷା ଏକ ପ୍ରମୁଖ ବିଷୟ ବୋଲି ମନେ ପକାଇବାକୁ ପଡ଼ୁଛି । କିନ୍ତୁ ଆମ ରାଜ୍ୟରେ ତଥା ଦେଶରେ ଶିକ୍ଷା ବେପାରର ସାମ୍ରାଜ୍ୟ ଖୋଲିଥିବା ଶିକ୍ଷା ଶିଳ୍ପପତିମାନଙ୍କ ପ୍ରତି ଆମ ସରକାରମାନେ ଅହେତୁକ ଅନୁକମ୍ପା ଦେଖେଇ ଆସିଛନ୍ତି । କେବେ ଏହାର ପୂର୍ଣ୍ଣଛେଦ ପଡ଼ିବ ଆମ ସମସ୍ତଙ୍କ ପାଇଁ ଏହା ଏକ ପ୍ରଶ୍ନବାଚୀ ।
ସାରା ଭାରତରେ ଶିକ୍ଷା ଓ ଶିକ୍ଷାନୁଷ୍ଠାନମାନଙ୍କ ଉପରେ ବଜାରୀ ଏବଂ ମୌଳବାଦୀ ଶକ୍ତିମାନଙ୍କ ତରଫରୁ ପ୍ରଚଣ୍ଡ ଆକ୍ରମଣ ଚାଲିଥିବା ବେଳେ ଓଡ଼ିଶା ସରକାର ଯଦି ଶିକ୍ଷା ଓ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନିଜ କାର୍ଯ୍ୟସୂଚୀରେ ପ୍ରାଥମିକତା ଦିଅନ୍ତି, ତେବେ ଏକ ଭିନ୍ନ ଉଦାହରଣ ସୃଷ୍ଟି ହୁଅନ୍ତା ନିଶ୍ଚୟ । ତେବେ, ସାରା ରାଜ୍ୟର ବଂଚି ରହିଯାଇଥିବା ଖଣିଜ ଓ ପ୍ରାକୃତିକ ସମ୍ପଦକୁ ଲୁଟ୍ କରିବା ପାଇଁ କମ୍ପାନୀମାନଙ୍କୁ ନାଲିଗାଲିଚା ପକାଇ ଆମନ୍ତ୍ରଣ କରୁଥିବା ସରକାର କ’ଣ ସେମାନଙ୍କ ଶିକାର ହୋଇଚାଲିଥିବା ଲୋକମାନଙ୍କର ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ସତରେ ଚାହିଁବେ?
From Samadrusti Archive (Nov 2018)
Comments
0 comments

