ପାଠକେ ! ନିଟ୍ ପ୍ରଶ୍ନପତ୍ର ଲିକକୁ ନେଇ ଯେଉଁ ଝାମେଲା ଦେଶଯାକ ହେଲା ତାକୁ ତ ଆପଣମାନେ ସବୁ ଜାଣିଛନ୍ତି । ଆମେ ଆଉ ଅଧିକ କ’ଣ କହିବୁ? ହେଲେ ଛାତ୍ର/ଯୁବକମାନଙ୍କର ଏଇ ଯେଉଁ ଆନେ୍ଦାଳନ ଆଉ ଯେଉଁଥିପାଇଁ ଏଡ଼େ ଏଡ଼େ ମୁହଁଟାଣବାଲା ନେତା ସବୁ ଦିଲ୍ଲୀଛାଡ଼ି ନିଜ ସହରକୁ ପଳେଇଗଲେ ତାହା ମୋଦୀ ସରକାରର ଆଉ କେତେକ ମୁହଁ ଟାଣବାଲା ମନ୍ତ୍ରୀଙ୍କ ମୁହଁକୁ ଶୁକୁଟା କରିଦେଇଛି । ସେମାନେ ଏଇ ଅଳ୍ପ ଦିନ ପୂର୍ବରୁ ଯାହା ସବୁ ଖୁବ ଟାଣରେ କହୁଥିଲେ ଏବେ କହୁଛନ୍ତି ନାଇଁ ନାଇଁ ସେଗୁଡ଼ା ଆମେ କହିନୁ । ଜଣେ ଆଉଜଣକ ଉପରେ ଦୋଷ ଲଦି ନିଜେ ଖସିଯିବାକୁ ବସୁଛନ୍ତି । ଏଥିରେ ଆରଜଣକ ଚିହିଁକି ଉଠିବା ସ୍ୱାଭାବିକ । ଏଇ ପେଟ୍ରୋଲରେ ଅପମିଶ୍ରଣ କରାଯାଉଥିବା ଇଥାନଲକୁ ନେଉନାହାନ୍ତି । ତାହାତ ଏବେ ଦେଶବାସୀଙ୍କ ଆଗରେ ଥିବା ଏକ ଭୟଙ୍କର ସମସ୍ୟା । ଇଥାନଲ ମିଶ୍ରଣ ଯୋଗୁ ଦେଶର କୋଟି କୋଟି ଗାଡ଼ି ଓ ଏହାକୁ ଚଳାଇ ନିଜର ଜୀବିକାର୍ଜନ କରୁଥିବା ଆମଭଳି ଲୋକେ ଦୁଇଟି ସମସ୍ୟା ଭୋଗିଲେଣି । ପ୍ରଥମଟି ହେଉଛି ଗାଡିର ମାଇଲେଜ କମି ଯାଉଛି । ଦୁଇରେ ଇଂଜିନ ଖରାପ ହୋଇ ଗାଡିଗୁଡ଼ିକ ବନ୍ଦ ହୋଇଯାଉଛି । ଏ ବିଷୟରେ ପୂର୍ବରୁ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକଦମ୍ ଚୁପ ଥିଲେ । ଯାହା କିଛି ପରିବହନ ମନ୍ତ୍ରୀ ଗଡକରୀ କହୁଥିଲେ । ସେ କହୁଥିଲେ – କେହି ଗୋଟିଏ ବି ଗାଡ଼ି ଦେଖେଇ ପାରିବେନି ଯାହାର ଇଥାନଲ ଯୋଗୁ ଁ ଇଂଜିନ ବନ୍ଦ ହୋଇଯାଉଛି ବା ଗାଡି ଖରାପ ହୋଇଯାଉଛି । ସିଏ ଏହାକୁ କିଛି ଲୋକଙ୍କ ଅପପ୍ରଚାର ବୋଲି ମଧ୍ୟ କହୁଥିଲେ । ଏହା ସହିତ ଗଡକରୀ ପୁରା ଜୋର ଲଗାଇ କହୁଥିଲେ ଯେ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ କେହି ବନ୍ଦ କରିପାରିବେନି କାରଣ ଏହା ହେଉଛି କେନ୍ଦ୍ର ସରକାରଙ୍କ ଏକ ନୀତିଗତ ଫୈସଲା । ଆମେ ପେଟ୍ରୋଲ ସ୍ଥାନରେ ୧୦୦% ଇଥାନଲ ଚଲେଇବୁ ବୋଲି ନିର୍ଣ୍ଣୟ କରିଛୁ । ଏକଥା ଶୁଣି ଜଣେ ପୂର୍ବତନ ଜଜ୍ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଯେ ଇଥାନଲ ବା ପେଟ୍ରୋଲରେ ଇଥାନଲ ମିଶ୍ରଣ ବିିଷୟରେ ପେଟ୍ରୋଲିୟମ ମନ୍ତ୍ରାଳୟ କହିବା କଥା । ତା ନହୋଇ ପରିବହନ ବିଭାଗ କ’ଣ ଉତ୍ତର ଦେଉଛି? ପାଠକେ! ଏଇ ଇଥାନଲ ବେପାରରେ କେବଳ ନିତିନ ଗଡକାରୀ ନୁହନ୍ତି, ତାଙ୍କ ପୁଅ ନିଖିଳ ଗଡକରୀ ବେଶି ସମ୍ପୃକ୍ତ ଥିଲେ । ଆଉ ସିଏ ଏଥିରୁ କୋଟି କୋଟି ଟଙ୍କା ଲାଭ କରୁଥିଲେ ବୋଲି କୁହାଯାଉଥିଲା । ବାପ ପୁଅଙ୍କ ବେପାର ୨୦୧୪ରେ ୪କୋଟି ୮୯ଲକ୍ଷ ଟଙ୍କା ଥିଲା ଏବେ ସିଏ ୪୫% ବଢ଼ି ୨୨୫କୋଟି ହୋଇଗଲାଣି ବୋଲି କୁହାଯାଉଛି । ନିଖିଳ ଗଡକରି ହିମାଚଳ ପ୍ରଦେଶରେ ଗୋଟିଏ ଛୋଟ ଗାଁ’ରେ ଗୋଟିଏ ଇଥାନଲ ଉତ୍ପାଦନ କାରଖାନା କରିଛନ୍ତି । ଏହି କାରଖାନାଟି ପାଇଁ ସେ ଅଂଚଳର ମାଟି, ପାଣି, ପବନ ଏବଂ ଜଙ୍ଗଲ ଏବେ ଭୟଙ୍କର କ୍ଷତିଗ୍ରସ୍ତ ସ୍ଥିତିରେ । ଏଠାରେ ମଣିଷ ରହି ପାରୁନାହାନ୍ତି । ଏବେ ବିରିମାଡରେ କୋଳଥ ଚେପା ପରି ଗଡକରି ହରଦୀପ ସିଂହ ପୁରୀଙ୍କ ଉପରକୁ ଦୋଷ ଠେଲି ଦେଇ କହୁଛନ୍ତି “ଏ ବେପାର ପେଟ୍ରୋଲିଅମ ମନ୍ତ୍ରାଳୟର । ତାଙ୍କର ସେଥିରେ କିଛି ସମ୍ପର୍କ ନାହିଁ ।” ଯେତେବେଳେ ପେଟ୍ରାଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକଥା ଶୁଣିଲେ ସେ କହୁଛନ୍ତି-“ଏଥାନଲ ଆମେ ଚଳାଉ ନାହୁଁ । ଶହ ଶହ ବର୍ଷ ପୂର୍ବେ ହେନେରୀ ଫୋର୍ଡ, ଯିଏ ଫୋର୍ଡ ମୋଟର କମ୍ପାନୀର ମାଲିକ ଥିଲେ ସିଏ ସେତେବେଳେ ଜୈବ-ଇନ୍ଧନ ବା ବାୟୋଫୁଏଲ, କିରାସିନି, ଫସିଲ ଫୁଏଲରେ ଗାଡ଼ି ଚଳାଇଥିଲେ । ଭାରତରେ ଏଥିପାଇଁ କଂଗ୍ରେସ ସରକାର ପ୍ରଥମେ ଯୋଜନା ତିଆରି କରିଥିଲେ । ମୁଁ ଯେତେବେଳେ ବ୍ରସେଲ୍ସରେ ରାଷ୍ଟ୍ରଦୂତ ଥିଲି ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ଶରଦ ପାୱାର କୃଷିମନ୍ତ୍ରୀ ଥିଲେ । ଆମର ଲକ୍ଷ୍ୟ ଥିଲା ୧୦ଜିଲ୍ଳା ବା କେନ୍ଦ୍ରଶାସିତ ଅଂଚଳରେ ଆମେ ପେଟ୍ରୋଲରେ ୫% ବାୟୋଫୁଏଲ ମିଶେଇବୁ । କିନ୍ତୁ କରି ପାରିନଥିଲୁ । କାରଣ ୧.୪% ମିଶ୍ରଣରେ ଆମ ଗାଡ଼ି ଅଟକି ଯାଇଥିଲା ।” ପୁରୀସାହେବ କାଳେ ଅନଅଫିସିଆଲୀ କହୁଛନ୍ତି ଯେ ସିଏ ଇଥାନଲ ସପକ୍ଷରେ ନାହାନ୍ତି । କିନ୍ତୁ କରିବେ କ’ଣ ଯେତେ ଇଥାନଲ ମିଶା ପେଟ୍ରୋଲ ତିଆରି ହୋଇଛି ତାକୁ କିଣିବ କିଏ? ସେଥିରେ ମନ୍ତ୍ରଳାୟର ଲକ୍ଷ ଲକ୍ଷ କୋଟି ଟଙ୍କା ଲାଗିଛି । ସିଏ ଆଦାୟ ହେବ କେମିତି? ପାଠକେ! ଗଡ଼କରୀ ଯେଉଁ କହୁଥିଲେ ଇଥାନଲରେ ଖରାପ ହେଉଥିବା ଗୋଟିଏ ବି ଗାଡି ଦେଖାଅ ତାର ଉତ୍ତର ଜଣେ ଛତିଶଗଡ଼ର ରାୟପୁରର ଡାକ୍ତର ପ୍ରେମରାଜ ଦେବତା ଖାଉଟି ଅଦାଲତ ମାଧ୍ୟମରେ ଦେଇଛନ୍ତି । ଯାହାପରେ ଗଡକରୀ କହୁଛନ୍ତି ଏ କାମ ପେଟ୍ରୋଲିଅମ ମନ୍ତ୍ରାଳୟର । ଡା ରାଜ ମାରୁତି-ସୁଜୁକିର ଗ୍ରାଣ୍ଡ ଭିଟାରା ଆଇଇଇ-ହାଇବ୍ରିଡ ଡାଟା ପ୍ଲସ ଏସୟୁଭି ଦାମୀ କାରଟିଏ କିଣିଥିଲେ । ଏହି ଗାଡି ଅପ୍ରେଲ ୨୦୨୩ରେ ତିଆରି ହୋଇଥିଲା । ଅର୍ଥାତ ନୂଆ ଜିନିଷ । କିନ୍ତୁ ତେଲ ପକାଇବା ପରେ ଗାଡି ବାରବାର ବନ୍ଦ ହେଲା । ବାବୁ ତାକୁ କମ୍ପାନୀର ସର୍ଭିସ ସେଂଟରକୁ ନେଲେ । ସର୍ଭିସ ସେଂଟର ବାଲା ପରୀକ୍ଷା କରି କହିଲେ ଯେ ଅପମିଶ୍ରିତ ପେଟ୍ରୋଲ ଯୋଗୁ ଏହି ସମସ୍ୟା ହେଉଛି । କମ୍ପାନୀ କହିଲା ଆମେ କ’ଣ କରିବୁ? ତମେ ତ ତେଲ ବାହାରୁ ପକାଇଛ । ସେଥିପାଇଁ ଗାଡି ବନ୍ଦ ହେଉଛି । ବାବୁ ଖାଉଟୀ ଅଦାଲତରେ କେଶ କଲେ । ଗାଡି ସରକାରୀ ଲାବୋରୋଟୋରୀରେ ପରୀକ୍ଷା ହୋଇ ଜଣାପଡ଼ିଲା ଯେ ଇ-୨୦ ଯୋଗୁଁ ଗାଡିରେ ସମସ୍ୟା ଦେଖାଯାଉଛି । ଏ ଗାଡି ଇଂଜିନ୍ ଇ-୨୦ରେ ଚାଲିବା ପାଇଁ ନଥିଲା । ଇ-୨୦ପାଇଁ ଯେଉଁ ଇଂଜିନ୍ ତିଆରି ହେବ ସେଥିରେ ଏହି ସମସ୍ୟା ରହିବ ନାହିଁ । ଡାକ୍ତରବାବୁ କହିଲେ କମ୍ପାନୀ ମତେ ଗାଡି ଦେଲାବେଳେ ସେକଥା ତ କହିନଥିଲା । ତେଣୁ କ୍ଷତିପୂରଣ ଦେଉ । ଅଦାଲତ ମାରୁତି ସୁଜୁକୀ ଉପରେ ଜବରଦସ୍ତ କ୍ଷତିପୂରଣ ଜୋରିମାନା ଲଗାଇଛନ୍ତି । ଏବେ ଆଉ ଗଡ଼କରୀ କହିପାରୁ ନାହାନ୍ତି ଯେ ଗୋଟିଏ ଗାଡ଼ି ଦେଖାଅ ଯେଉଁଟା ଇଥାନଲ ଯୋଗୁଁ ଖରାପ ହେଉଛି । ତେଣୁ କହୁଛନ୍ତି ଇଥାନଲ ବ୍ୟାପାରରେ ମୋର କିଛି ନେଣ-ଦେଣ ନାହିଁ । ହେଲେ ପୁରୀ ଛାଡିବାକୁ ରାଜି ନୁହନ୍ତି । ଦେଖାଯାଉ ।
Comments
0 comments

