ଭାରତ ପରି ଏକ ବହୁ ଜାତି, ବର୍ଣ୍ଣ, ଧର୍ମ, ବିଶ୍ୱାସ, ଭାବନା ସମ୍ବଳିତ ଦେଶରେ ମୌଳବାଦର ଜାତୀୟକରଣ ଏବେ ପ୍ରମୁଖ ପ୍ରସଙ୍ଗ ହୋଇଛି । ହିନ୍ଦୁତ୍ୱବାଦୀ ଆଭିମୁଖ୍ୟ ନେଇ ସମ୍ବିଧାନ ସଂଶୋଧନ, ଆଇନ, ନୀତି, ନିୟମ, ଏକକ ନାଗରିକ ସଂହିତା ଆଦିରେ ପରିବର୍ତ୍ତନ ଆଣିବା ବା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ତାହାକୁ କାର୍ଯ୍ୟକାରୀ କରିବା ବିପଜ୍ଜନକ ସାବ୍ୟସ୍ତ ହୋଇଛି । ଏହାର ଏକ ବଳିଷ୍ଠ ଉଦାହରଣ ହେଲା ଜାତୀୟ ସମ୍ମାନ ପ୍ରତି ଅପମାନ ନିରାକରଣ (ସଂଶୋଧନ) ବିଲ୍-୨୦୨୬ । ଜାତୀୟ ସଂଗୀତ ବା (NATIONAL ANTHEM) ‘ଜନ ଗଣ ମନ’ ପରି ଜାତୀୟ ଗୀତ ବା (NATIONAL SONG) ବନ୍ଦେ ମାତରଂକୁ ସମାନ ମର୍ଯ୍ୟାଦା ଦେବା ଲାଗି ଏହା ଉଦ୍ଦିଷ୍ଟ । ଏପରିକି ବନ୍ଦେ ମାତରଂ ଗୀତକୁ ଅପମାନ କରାଗଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ଏହାକୁ ଏକ ଅପରାଧିକ ମାମଲା ବୋଲି ବିଚାର କରାଯିବ । ପୂର୍ବରୁ ରହିଥିବା ଜାତୀୟ ସମ୍ମାନ ଆଇନ-୧୯୭୧ରେ ସଂଶୋଧନ ଅଣାଯାଇଛି । ଜାତୀୟ ପତାକା, ସମ୍ବିଧାନ ଓ ଜାତୀୟ ସଂଗୀତ ପ୍ରତି କୌଣସି ପ୍ରକାର ଅପମାନକୁ ବରଦାସ୍ତ ନ କରିବା ବ୍ୟବସ୍ଥା ହୋଇଛି । ୧୯୭୧ ଆଇନରେ ଥିବା କିଛି ବ୍ୟବସ୍ଥାର ରିପିଟ ହୋଇଥିବାବେଳେ ଏଥିରେ ବନ୍ଦେ ମାତରଂକୁ ଯୋଗ କରାଯାଇଛି । ୧୯୫୦ ଜାନୁଆରୀ ୨୪ରେ ସମ୍ବିଧାନ ସଭାର ବୈଠକରେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଦର୍ଶାଇଥିଲେ- ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ନେଇଥିବା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ବନ୍ଦେ ମାତରଂକୁ ଜାତୀୟ ସଂଗୀତ ପରି ସମାନ ମର୍ଯ୍ୟାଦା ଦିଆଯାଉ । ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଛି ରାଜେନ୍ଦ୍ର ପ୍ରସାଦଙ୍କ ଏହି ମନ୍ତବ୍ୟକୁ ସରକାର ବିଚାରକୁ ନେଇଛନ୍ତି ।
ଏକଥା ସତ୍ୟ ଯେ, ସ୍ୱାଧୀନତା ସଂଗ୍ରାମରେ ବନେ୍ଦ ମାତରଂର କିଛି ଭୂମିକା ଥିଲା । ଏହାର ଅର୍ଥ ନୁହେଁ ଯେ, ଏହାକୁ ପ୍ରତି ଭାରତୀୟଙ୍କ ଭାବନା ଉପରେ ଲଦି ଦିଆଯିବ । ଜନ ଗଣ ମନ ଜାତୀୟ ସଂଗୀତ ରହିଥିବାବେଳେ ବନେ୍ଦ ମାତରଂକୁ ଲଦିଦେବା ଘଟଣା ଭାରତୀୟ ସମ୍ବିଧାନ, ମୌଳିକ ଅଧିକାର, ଇଚ୍ଛା ପ୍ରକାଶ କରିବାର ଅଧିକାରକୁ କ୍ଷୁଣ୍ଣ କରୁନାହିଁ କି? ଖୋଦ୍ ସମ୍ବିଧାନରେ ଉଲ୍ଲେଖ ରହିଛି- ଆଇନଗତ ବ୍ୟବସ୍ଥା ଜରିଆରେ ଦେଶପ୍ରେମ ଓ ଜାତୀୟତାବାଦକୁ ଲଦି ଦିଆଯାଇପାରିବ ନାହିଁ । ଏହା ଯଦି କରାଯାଏ ତେବେ ସମାଜକୁ ବହୁଧା ବିଭକ୍ତ କରିବାଲାଗି ଅପଚେଷ୍ଟା ବୋଲି କୁହାଯିବ । ସ୍ୱାଧୀନତା ସଂଗ୍ରାମ ପ୍ରକ୍ରିୟାରେ ବନ୍ଦେ ମାତରଂକୁ ଜାତୀୟତାବାଦର ପ୍ରତୀକ ବୋଲି ବିବେଚନା କରାଯାଉଥିବାବେଳେ ବାସ୍ତବରେ ତାହା ହିନ୍ଦୁତ୍ୱର ପ୍ରତୀକ ଥିଲା । ଏପରି ଅବସ୍ଥାରେ ସରକାରଙ୍କ ଏହି ପଦକ୍ଷେପ ଭାରତୀୟତା ପ୍ରତି ଏକ ଚାଲେଞ୍ଜ ସୃଷ୍ଟି କରିଛି । ଫଳରେ ବନ୍ଦେ ମାତରଂ କହିବ ଯଦି ଭାରତ ମାଟିରେ ରହିବ ସିଏ ବୋଲି ଯେଉଁମାନେ ମୌଳବାଦୀ ସ୍ଲୋଗାନ ଦେଉଛନ୍ତି ସେମାନଙ୍କ ଲାଗି ସୁହାଇଛି । ସଂସଦ ପରି ଏକ ସାର୍ବଜନୀନ ପ୍ରତିଷ୍ଠାନରେ ରାଜେନ୍ଦ୍ର ପ୍ରସାଦଙ୍କ ପରି ଜଣେ ବ୍ୟକ୍ତିବିଶେଷଙ୍କ ମାନସିକତାକୁ କିପରି ପ୍ରତିଫଳିତ କରାଯାଇପାରିବ? ଏହାଦ୍ୱାରା ସମ୍ବିଧାନର ମୌଳିକ ଆଦର୍ଶ କ୍ଷୁଣ୍ଣ ହେଉନାହିଁ କି? ଜଣେ ପୂର୍ବତନ ରାଷ୍ଟ୍ରପତି ୭୬ବର୍ଷ ତଳେ କ’ଣ କହିଥିଲେ- ତାହାକୁ ନେଇ ସରକାର ଏକ ଆଇନ ଆଣିବା କେତେଦୂର ଯୁକ୍ତିଯୁକ୍ତ? ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ମତକୁ କିପରି ୧୪୦କୋଟି ଭାରତୀୟ ଅଧିକାର ଉପରେ ଲଦି ଦିଆଯିବ?
ଜନ ଗଣ ମନ ସଂଗୀତର ମୂଳ ଲେଖା ୬ଟି ପଦ ବା ଷ୍ଟାଞ୍ଜାରେ ରଚିତ ହୋଇଥିବେଳେ ପ୍ରଥମ ଦୁଇପଦ ବା ଷ୍ଟାଞ୍ଜାକୁ ହିଁ ଜାତୀୟ ସଂଗୀତର ମାନ୍ୟତା ଦିଆଯାଇଛି । ହେଲେ ନୂଆ ବ୍ୟବସ୍ଥାରେ ସମସ୍ତ ୬ଟି ଯାକ ଷ୍ଟାଞ୍ଜାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମତଃ କବିତାଟି ଦୀର୍ଘ ହେବାରୁ ପ୍ରଥମ ପଦଟିକୁ ଜାତୀୟ ସଂଗୀତ ଭାବେ ନିଆଯାଇଥିଲା । ଦ୍ୱିତୀୟତଃ ଧର୍ମ ନିରପେକ୍ଷତା, ସମସ୍ତ ନାଗରିକଙ୍କ ସମାନ ଅଧିକାରକୁ ବିଚାରକୁ ନେଇ କେବଳ ପ୍ରଥମ ୨ ପଦକୁ ହିଁ ଜାତୀୟ ସଂଗୀତ ମାନ୍ୟତା ଦିଆଯାଇଥିଲା । ମାତ୍ର ବର୍ତ୍ତମାନ ସେହି ଆଭିମୁଖ୍ୟ ପୋଷଣ କରାଯାଇନାହିଁ ଏବଂ ତାହାକୁ ରଦ୍ଦ କରାଯାଇଛି ।
ବନ୍ଦେ ମାତରଂକୁ ଜନ ଗଣ ମନ ସହ ତୁଳନା କରିବା ଅର୍ଥ ଜନ ଗଣ ମନର ରଚୟିତା ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତି ଅପମାନ ନୁହେଁ କି?
ବନ୍ଦେ ମାତରଂକୁ ଗାଇବା ନ ଗାଇବା ବ୍ୟକ୍ତିଗତ ଇଚ୍ଛା, ଅଙ୍ଗୀକାରର କଥା । ଜଣେ ଭାରତୀୟ ବନେ୍ଦ ମାତରଂ ଗାଇବାକୁ ବାଧ୍ୟ ନୁହେଁ । ଏହାକୁ ବାଧ୍ୟତାମୂଳକ କରିବା ଲାଗି ସରକାରୀ ବ୍ୟବସ୍ଥା ବିପଜ୍ଜନକ ।
ଏବେ ବିଭିନ୍ନ ରାଜ୍ୟ ଏକକ ନାଗରିକ ସଂହିତା ପ୍ରଚଳନ କରୁଛନ୍ତି । ଏକ ହିନ୍ଦୁପ୍ରଧାନ ରାଜ୍ୟରେ ଅନ୍ୟ ଧର୍ମାବଲମ୍ବୀଙ୍କୁ ଯେ ଟାର୍ଗେଟ କରାଯାଉଛି ଏହା ସ୍ପଷ୍ଟ । ବିଭନ୍ନ ଧର୍ମାବଲମ୍ବୀ ସେମାନଙ୍କ ଧାର୍ମିକ ବିଶ୍ୱାସ, ନିୟମ ମଧ୍ୟରେ ଗତି କରୁଛନ୍ତି । କେଉଁ କାଳରୁ ଏହା ଚାଲିଆସିଛି । ଯେହେତୁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ତେଣୁ କୌଣସି ଧର୍ମର ନିଜସ୍ୱ ନୀତି ନିୟମ ଉପରେ ହସ୍ତକ୍ଷେପ କରିବା ଅନୁଚିତ । ମାତ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠ ସରକାରଙ୍କ ହୀନ ଉଦେ୍ଦଶ୍ୟ ଓ ନୀତି ୟୁସିସିକୁ କାର୍ଯ୍ୟକାରୀ କରିବାରେ ସଫଳ ହେଉଛି ।
ବନ୍ଦେ ମାତରଂ ଗୀତ ପ୍ରସଙ୍ଗ ଏବେ ଭାରତୀୟ ନାଗରିକଙ୍କ ଲାଗି ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିବ । ଏହାକୁ ବିଭିନ୍ନ ସ୍ତରରେ ଓ କ୍ଷେତ୍ରରେ ଭିନ୍ନ ଉଦେ୍ଦଶ୍ୟ ରଖି ପ୍ରୟୋଗ କରାଯିବ ।
୧୯୮୬ରେ ବିଜୋଇ ଏମାନୁଏଲ ଓ ଅନ୍ୟମାନେ ବନାମ କେରଳ ସରକାର ମାମଲାରେ ସୁପ୍ରି୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ତାହା ଥିଲା- ଜାତୀୟ ସଂଗୀତ ଗାନ ନ କରିବାକୁ ଏକ ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ । ମୌଳିକ ଅଧିକାରକୁ କୋର୍ଟ ଅକ୍ଷୁଣ୍ଣ ରଖିବା ସହ ଧାର୍ମିକ ଓ ଆତ୍ମବିବେକର ସ୍ୱାଧୀନତାକୁ ବଳବତ୍ତର ରଖିଥିଲେ କୋର୍ଟ । ଜାତୀୟ ସଂଗୀତ ନ ବୋଲିବାରୁ ପିଲାମାନଙ୍କୁ ସ୍କୁଲରୁ କର୍ତ୍ତୃପକ୍ଷ ବହିଷ୍କାର କରିପାରିବେ ନାହିଁ । ଏହା ସମ୍ବିଧାନର ଧାରା ୧୯(୧) ଓ ଧାରା ୨୫(୧)କୁ ଉଲ୍ଲଂଘନ କରୁଛି । ପିଲାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାଚ ନିଆଯାଇପାରିବ ନାହିଁ । ଧାର୍ମିକ ସ୍ୱାଧୀନତାର ସାମ୍ବିଧାନିକ ମୂଲ୍ୟବୋଧ ରହିଛି । ଆମର ପରମ୍ପରା ଆମକୁ ଧୈର୍ଯ୍ୟ ଶିଖାଏ, ଆମର ଦର୍ଶନ ଆମକୁ ସହନଶୀଳତା ଶିଖାଏ ଏବଂ ଆମର ସମ୍ବିଧାନ ଆମକୁ ସହିବାର ବାର୍ତ୍ତା ଦିଏ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ । କେରଳର ଏକ ବିଦ୍ୟାଳୟରେ ଜିହୋଭା ଖ୍ରୀଷ୍ଟିଆନ ବର୍ଗର କିଛି ପିଲା ଜାତୀୟ ସଂଗୀତ ନ ଗାଇବାରୁ ସେମାନଙ୍କୁ ସ୍କୁଲରୁ ବହିଷ୍କାର କରିଥିଲେ କର୍ତ୍ତୃପକ୍ଷ । ପ୍ରତିବାଦରେ ମାମଲା ପହଞ୍ଚôଥିଲା ସୁପ୍ରିମକୋର୍ଟରେ । ଧାର୍ମିକ କାରଣରୁ ସେମାନେ ଏହି ଗୀତ ବୋଲିବାକୁ ନ ଚାହିଁବାରୁ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ବହିଷ୍କାର କରିଥିଲେ ।
ବଙ୍କିମଚନ୍ଦ୍ର ବସ୍ତୁତଃ ମୁସଲିମ ବିରୋଧୀ ଥିଲେ । ତାଙ୍କର ଆନନ୍ଦ ମଠ ପୁସ୍ତକରେ ମୁସଲମାନଙ୍କ ବିରୋଧରେ କିଛି ଦୃଷ୍ଟିଭଙ୍ଗୀ ରହିଥିଲା । ପୁସ୍ତକରେ ସନାତନ ଧର୍ମୀମାନେ ମୁସଲମାନମାନଙ୍କ ବାସସ୍ଥଳ ପୋଡ଼ିଦେବା ପରି ମାନସିକତା ପୋଷଣ କରିବା ଦେଖାଯାଏ । ଐତିହାସିକ ଅନୁଶୀଳନରୁ ଜଣାଯାଏ ଯେ, ଇଷ୍ଟଇଣ୍ଡିଆ କମ୍ପାନି ବିରୋଧରେ ହିନ୍ଦୁ ସନ୍ନ୍ୟାସୀ ଓ ମୁସଲମାନମାନେ ମିଳିତ ଭାବେ ସଂଗ୍ରାମ କରିଥିଲେ ଯାହାକୁ ସନ୍ନ୍ୟାସୀ ବିପ୍ଳବ କୁହାଯାଉଥିଲା । ଏହି ବିଦ୍ରୋହ ୧୭୬୩-୧୮୦୦ ମଧ୍ୟରେ ହୋଇଥିଲା । ମାତ୍ର ନିଜ ପୁସ୍ତକରେ ବଙ୍କିମଚନ୍ଦ୍ର ଏହାକୁ ଏକ ସମ୍ପୂର୍ଣ୍ଣ ହିନ୍ଦୁକୈନ୍ଦ୍ରିକ ବିଦ୍ରୋହ ଭାବେ ଚିତ୍ରଣ କରିବା ସହ ଏହି ବିଦ୍ରୋହ ମୁସଲିମ ନବାବଙ୍କ ବିରୋଧରେ ଉଦ୍ଦିଷ୍ଟ ଥିଲା ବୋଲି ଦର୍ଶାଇଛନ୍ତି ଯାହାକି ସମ୍ପୂର୍ଣ୍ଣ ମୁସଲିମ ବିଦ୍ୱେଷୀ ମନୋଭାବର ପ୍ରତୀକ । ପୁସ୍ତକରେ ଦେଶମାତୃକା ଭାବେ ହିନ୍ଦୁଧର୍ମର ଦେବୀ ଦୁର୍ଗାଙ୍କୁ ଚିତ୍ରଣ କରାଯାଇଛି ଏବଂ ମା’ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ବନ୍ଦେ ମାତରଂ ଗାନ କରାଯାଇଛି । ବାସ୍ତବରେ ଏହି ପୁସ୍ତକ ଧର୍ମ ନିରପେକ୍ଷତାର ପ୍ରତୀକ ନୁହେଁ ବରଂ ହିନ୍ଦୁ ଜାତୀୟତାବାଦର ପ୍ରତୀକ । ବଙ୍କିମ ଚନ୍ଦ୍ର ଜଣେ ଆଜନ୍ମ ଦେଶପ୍ରେମୀ ନଥିଲେ । ସେ ବ୍ରିଟିଶ ଅଧୀନରେ ଜଣେ ମାଜିଷ୍ଟ୍ରେଟ ଥିଲେ । ଆନନ୍ଦ ମଠ ପୁସ୍ତକ ଯେପରି ନିଷିଦ୍ଧ ନହେବ, ତାଙ୍କ ବିରୋଧରେ ଯେପରି ଦେଶଦ୍ରୋହ ଅପରାଧ ଆଇନ ନ ଲାଗିବ ସେଥିପାଇଁ ବଙ୍କିମଚନ୍ଦ୍ର ନିଜ ପୁସ୍ତକରେ ବ୍ରିଟିଶ ବିରୋଧୀ ଆଭିମୁଖ୍ୟ ପୋଷଣ ନ କରି ମୁସଲିମ ବିଦ୍ୱେଷୀ କଥାବସ୍ତୁକୁ ଉପସ୍ଥାପନ କରିଥିଲେ । କୁହାଯାଏ ପୁସ୍ତକରେ ପ୍ରଥମେ ବ୍ରିଟିଶ ବିରୋଧରେ ଆହ୍ୱାନ ରହିଥିଲା । ମାତ୍ର ପରେ ସେ ଏହାକୁ ବ୍ରିଟିଶ ସପକ୍ଷବାଦୀ ଚିତ୍ର ଦେବା ସହ ମୁସଲିମବିରୋଧୀ ଭାବେ ଚିତ୍ରଣ କରିଥିଲେ । ପୁସ୍ତକର ଉପସଂହାରରେ ବି ସମ୍ପୂର୍ଣ୍ଣ ଭାବେ ବ୍ରିଟିଶ ସପକ୍ଷରେ ଉଲ୍ଲେଖ ରହିଥିଲା । ପୁସ୍ତକରେ ବର୍ଣ୍ଣିତ ରହିଛି ଯେ, ଦେଶରେ ଶୃଙ୍ଖଳା, ବିଜ୍ଞାନ ଓ ବସ୍ତୁଭିତ୍ତିକ ଜ୍ଞାନର ପୁନଃସ୍ଥାପନ ସକାଶେ ବି୍ରଟିଶ ଶାସନ ଜରୁରୀ । ଦେଶରେ ଶାନ୍ତି, ଆଧୁନିକ ଜ୍ଞାନ ପ୍ରତିଷ୍ଠା, ବାସ୍ତବ ଧାର୍ମିକ ଆଭିମୁଖ୍ୟର ଜାଗରଣ ଲାଗି ପୁସ୍ତକର ନାୟକ ସତ୍ୟାନନ୍ଦ ଶେଷରେ ବି୍ରଟିଶ ବିରୋଧରେ ଲଢ଼େଇ ବନ୍ଦ କରିଥିବା ଉଲ୍ଲେଖ କରିଛନ୍ତି ବଙ୍କିମ ଚନ୍ଦ୍ର । ଏହି ପୁସ୍ତକ ବାସ୍ତବରେ ଦେଶର ଏକତାର ପ୍ରତୀକ ନଥିଲା ବରଂ ଧାର୍ମିକ ବିଭାଜନ ଲାଗି ବାର୍ତ୍ତା ଦେଇଥିଲା ।
ଆନନ୍ଦ ମଠର ଇଂରାଜୀ ଅନୁବାଦ ପାଠ କରିବା ପରେ ୧୯୩୭ ଅକ୍ଟୋବର ୨୦ରେ ସୁଭାଷ ଚନ୍ଦ୍ର ବୋଷଙ୍କ ନିକଟକୁ ଜବାହାରଲାଲ ନେହରୁ ଏକ ପତ୍ର ଲେଖିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ, ପୁସ୍ତକରେ ପ୍ରଥମେ ଯେଉଁ ଆଭିମୁଖ୍ୟ ରଖାଯାଇଥିଲା ତାହାକୁ ପରେ ପରିବର୍ତ୍ତନ କରାଯାଇଛି ଯାହାକୁ ନେଇ ମୁସଲମାନମାନେ କ୍ଷୁବ୍ଧ ହୋଇପାରନ୍ତି । ୧୯୩୭ ଅକ୍ଟୋବରରେ ନେହେରୁ ଓ ସୁଭାଷଙ୍କୁ ପତ୍ର ଲେଖି ରବୀନ୍ଦ୍ରନାଥ ଟାଗୋର ଦର୍ଶାଇଥିଲେ ଯେ, ବନ୍ଦେ ମାତରଂ ଗୀତର ପ୍ରଥମ ପଦ ସବୁଦିଗରୁ ଠିକ୍ ଅଛି । ମା’ ଦୁର୍ଗା ପ୍ରସଙ୍ଗରେ ବଙ୍କିମ ଚନ୍ଦ୍ର ଯାହା ଲେଖିଛନ୍ତି ତାହାକୁ ମୁସଲମାନମାନେ ଗ୍ରହଣ କରିପାରିବେ ନାହିଁ । ଏହାକୁ ଦୃଷ୍ଟିରେ ରଖି ୧୯୩୭ ଅକ୍ଟୋବର ୨୮ରେ କଂଗ୍ରେସ କାର୍ଯ୍ୟକାରିଣୀ ବନେ୍ଦ ମାତରଂର ପ୍ରଥମ ଦୁଇ ପଦକୁ ଗାନ କରିବା ଲାଗି ନିଷ୍ପତ୍ତି ନେଇଥିଲା ।
ଭାରତ ପରି ଏକ ଦେଶରେ ଧାର୍ମିକ ସ୍ୱାଧୀନତା ରହିବା ଜରୁରୀ । ଧର୍ମ ଏକ ଅନ୍ଧବିଶ୍ୱାସ ହୋଇଥିଲେ ବି ଏହା ଏତେ ଗଭୀରରେ ରହିଛି ଯେ, ଏହାକୁ ହଟାଇବା କାଠିକର ପାଠ । ତଥାପି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ କୌଣସି ଧର୍ମର ଦେବତାକୁ ରାଷ୍ଟ୍ରୀୟ ମାନ୍ୟତା ଦେବା ଅନୁଚିତ । ବାଧ୍ୟତାମୂଳକ ଗାନ ସମ୍ବିଧାନର ମୌଳିକ ଅଧିକାର, ନିଜସ୍ୱ ବିବେକର ଅଧିକାର ସଂକ୍ରାନ୍ତ ଧାରା ୨୫କୁ ଉଲ୍ଲଂଘନ କରିବ । ଏହା ଦେଶରେ ଧାର୍ମିକ ସହନଶୀଳତାର ପରିପନ୍ଥୀ ଏବଂ ଅଧିକ ଧାର୍ମିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ ।…
Comments
0 comments

