ଧାର୍ମିକ ପର୍ଯ୍ୟଟନର ପରିବେଶଗତ ମୂଲ୍ୟ

8 Min Read

ତୀର୍ଥଯାତ୍ରା ସାଧାରଣତଃ ଆଧ୍ୟାତ୍ମିକ ଛାପଟିଏ ଛାଡ଼ିଯିବା କଥା, ପ୍ଲାଷ୍ଟିକର ଚିହ୍ନ ନୁହେଁ । କିନ୍ତୁ ଭାରତର ପବିତ୍ର ହିମାଳୟ ଏବେ ଧାର୍ମିକ ପର୍ଯ୍ୟଟନର ପରିବେଶଗତ ମୂଲ୍ୟଦେବା ଆରମ୍ଭ କରିଛି । ଏହା ଏକ ବିଡ଼ମ୍ବନା ବି , ବାସ୍ତବତା ବି । ଲୋକେ ଶହ ଶହ କିଲୋମିଟର ଯାତ୍ରା କରୁଛନ୍ତି, ଅନେକ ସମୟରେ ଘଣ୍ଟାଘଣ୍ଟା କିମ୍ବା ଦିନଦିନ ଚାଲି ଏହି ପବିତ୍ର ତୀର୍ଥରେ ପହଞ୍ଚୁଛନ୍ତି । କିନ୍ତୁ ପଛରେ ଛାଡ଼ି ଆସୁଛନ୍ତି ପ୍ଲାଷ୍ଟିକ ବୋତଲ, ଖାଦ୍ୟ ପ୍ୟାକେଟ, ବ୍ୟବହୃତ ପ୍ଲେଟ୍ ଓ ଯାବତୀୟ ଆବର୍ଜନା ।
କେଦାରନାଥର ସଦ୍ୟ ପ୍ରକାଶିତ ତଥ୍ୟ ଆମକୁ ସତର୍କ ଓ ବିଚଳିତ କରିବା କଥା । ଚଳିତବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଏହି ତୀର୍ଥକ୍ଷେତ୍ରରୁ ପ୍ରାୟ ୫୦ଟନ୍ ଆବର୍ଜନା ସଂଗ୍ରହ କରାଯାଇଛି । ୨୦୨୩ରୁ ୨୦୨୫ ଏହି ତିନିବର୍ଷ ମଧ୍ୟରେ କେଦାରନାଥରେ ଜମା ହୋଇଥିବା ଆବର୍ଜନା ସର୍ବାଧିକ । ଏହା କେବଳ ଆବର୍ଜନା ପରିଚାଳନାର ସମସ୍ୟା ନୁହେଁ । ଏହା ଦେଶର ଅତ୍ୟନ୍ତ ସମ୍ବେଦନଶୀଳ ପରିବେଶ ଅଞ୍ଚଳ ଭିତରେ ଅନ୍ୟତମ ହିମାଳୟ ଉପରେ ବଢ଼ୁଥିବା ତୀର୍ଥଯାତ୍ରୀଙ୍କ ଚାପର ଏକ ସ୍ପଷ୍ଟ ସଙ୍କେତ ।
ଏହି ଚିନ୍ତାଜନକ ଚିତ୍ର ଭିତରେ ଆଶାର ଆଲୋକ ବି ଅଛି । ‘କ୍ୟାରି ମି ବ୍ୟାକ୍’ ଅଭିଯାନ ଅଧୀନରେ ପ୍ରାୟ ୫,୦୦୦ ତୀର୍ଥଯାତ୍ରୀ କେଦାରନାଥର ୧୮କିଲୋମିଟର ଦୁର୍ଗମ ପଥ ଦେଇ ୧୨ ଟନ୍ରୁ ଅଧିକ ସଂକୁଚିତ ପ୍ଲାଷ୍ଟିକ ତଳକୁ ନେଇ ଆସିଛନ୍ତି । ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ । ଏହାଦ୍ୱାରା ତୀର୍ଥଯାତ୍ରୀଙ୍କୁ କେବଳ ସୁବିଧା ଉପଭୋଗ କରୁଥିବା ପର୍ଯ୍ୟଟକ ଭାବେ ନୁହେଁ, ପରିବେଶ ସୁରକ୍ଷାର ଅଂଶୀଦାର ଭାବେ ମଧ୍ୟ ବିବେଚନା କରାଯାଉଛି ।
କିନ୍ତୁ ସ୍ୱେଚ୍ଛାସେବୀ ଅଭିଯାନ କେବେ ବି ଦାୟିତ୍ୱବାନ ସରକାରୀ ନୀତିର ବିକଳ୍ପ ହୋଇପାରିବ ନାହିଁ । ଏଗୁଡ଼ିକ ଲୋକଙ୍କ ଆଚରଣ ବଦଳାଇପାରେ; କିନ୍ତୁ ଯେଉଁ ବ୍ୟବସ୍ଥା ସୀମିତ କ୍ଷମତାଥିବା ପରିବେଶ ବ୍ୟବସ୍ଥା ଭିତରକୁ ବିପୁଳ ପରିମାଣର ଆବର୍ଜନାକୁ ପ୍ରବେଶ କରିବାକୁ ଦେଉଛି, ତାହାକୁ ସ୍ୱେଚ୍ଛା ସେବା ଅଭିଯାନ କଦାପି ସୁଧାରିପାରିବ ନାହିଁ । କେଦାରନାଥ ଏହି ବଡ଼ ସମସ୍ୟାର କେବଳ ଗୋଟିଏ ଅଂଶ ମାତ୍ର ।
ଚଳିତବର୍ଷର ଚାରିଧାମ ଯାତ୍ରାରେ ସେପ୍ଟେମ୍ବର ଶେଷସୁଦ୍ଧା ୮୦୦ ଟନ୍ରୁ ଅଧିକ ଆବର୍ଜନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ହେମକୁଣ୍ଡ ସାହିବ ଓ ଭ୍ୟାଲି ଅଫ୍ ଫ୍ଲାୱର୍ସ ଅଞ୍ଚଳର ଆବର୍ଜନାକୁ ମିଶାଇଲେ ଏହି ପରିମାଣ ୮୫୦ଟନ୍ ଅତିକ୍ରମ କରିବ । ଆଚମ୍ବିତ କଥା ହେଉଛି ୩,୦୦୦ ମିଟରରୁ ଅଧିକ ଉଚ୍ଚତାରେ ମଧ୍ୟ ପ୍ଲାଷ୍ଟିକ ବୋତଲ, ଖାଦ୍ୟ ପ୍ୟାକେଟ ଓ ବ୍ୟବହୃତ ହୋଇସାରିଥିବା ପ୍ୟାକେଜିଂ ସାମଗ୍ରୀ ମିଳିଛି ।


ଏହିସବୁ ପରିସଂଖ୍ୟାନରୁ ଗୋଟିଏ କଥା ସ୍ପଷ୍ଟ । ସମତଳ ଅଞ୍ଚଳର ଉପଭୋଗ ସଂସ୍କୃତିକୁ ଆମେ ପାହାଡ଼ ଉପରକୁ ନେଇଯାଉଛୁ, କିନ୍ତୁ ପର୍ବତ ଶିଖରରେ ସୃଷ୍ଟି ହେଉଥିବା ଆବର୍ଜନା ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ଆମେ ସାଙ୍ଗରେ ନେଉ ନାହୁଁ ।
ହିମାଳୟ କୌଣସି ସାଧାରଣ ପର୍ଯ୍ୟଟନ ସ୍ଥଳୀ ନୁହେଁ । ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ପରିବେଶ ବ୍ୟବସ୍ଥା ବା ଇକୋସିଷ୍ଟମ । ଏହା ଦେଶର ପ୍ରମୁଖ ନଦୀଗୁଡ଼ିକର ଉତ୍ସ ଏବଂ ଏଠାକାର ପାହାଡ଼ିଆ ସମୁଦାୟମାନଙ୍କ ଜୀବନ ଓ ଜୀବିକା ଏହି ପରିବେଶ ସହ ଘନିଷ୍ଠ ଭାବେ ଜଡ଼ିତ । କହିବା ଅନାବଶ୍ୟକ ଯେ, ପାହାଡ଼ରେ ଯାହା ଘଟେ, ତାହା ସେହି ପାହାଡ଼ ମଧ୍ୟରେ ସୀମିତ ରହେ ନାହିଁ । ପାହାଡ଼ିଆ ଝରଣାର ପ୍ରଦୂଷଣ, ଜଙ୍ଗଲର ଅବକ୍ଷୟ ଓ ସ୍ଥାନୀୟ ପରିବେଶ ଉପରେ ଅତ୍ୟଧିକ ଚାପ ଏସବୁ ବହୁ ଦୂର ଓ ଦିନ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ ।
ଏହାର ଅର୍ଥ ନୁହେଁ ଯେ ତୀର୍ଥଯାତ୍ରା ବନ୍ଦ କରାଯିବା ଉଚିତ । ଧାର୍ମିକ ପର୍ଯ୍ୟଟନକୁ ଅପରାଧୀଭାବେ ଦେଖିବା କଦାପି ଠିକ୍ ନୁହେଁ । ଭାରତର ପବିତ୍ର ଭୂଗୋଳ ଏହାର ସଭ୍ୟତା ଓ ସଂସ୍କୃତିର ଅଂଶବିଶେଷ । କେଦାରନାଥ, ବଦ୍ରିନାଥ, ଅମରନାଥ, ହେମକୁଣ୍ଡ ସାହିବ ଓ ଅସଂଖ୍ୟ ତୀର୍ଥକ୍ଷେତ୍ର ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରେ, କାରଣ ଧର୍ମ ଭାରତୀୟ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ସୁତରାଂ, ଲୋକେ ତୀର୍ଥଯାତ୍ରା କରିବେ କି ନାହିଁ ତାହା ପ୍ରଶ୍ନ ନୁହେଁ । ପ୍ରଶ୍ନ ହେଉଛି, ଏହି ଯାତ୍ରାଗୁଡ଼ିକୁ କିପରି ଦାୟିତ୍ୱର ସହିତ ପରିଚାଳନା କରା ଯାଇପାରିବ ।
ଏ କ୍ଷେତ୍ରରେ କିଛି ଉତ୍ସାହଜନକ ଉଦାହରଣ ମଧ୍ୟ ରହିଛି । ଚଳିତବର୍ଷ ଅମରନାଥ ମାର୍ଗରେ ପୁନଃବ୍ୟବହାରଯୋଗ୍ୟ ବାସନ ଓ ପାଣି ଭରିବା ବ୍ୟବସ୍ଥା ଯୋଗୁଁ ପ୍ରତି ତୀର୍ଥଯାତ୍ରୀ ପିଛା ଆବର୍ଜନା ୧୫ପ୍ରତିଶତ କମିଥିବା କଥା କୁହାଯାଉଛି, ଯଦିଓ ତୀର୍ଥଯାତ୍ରୀଙ୍କ ସଂଖ୍ୟା ମାତ୍ର ୧୭ପ୍ରତିଶତ ବଢ଼ିଥିଲା । ଏଥିରୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳୁଛି । ପରିବେଶ ସୁରକ୍ଷା ପାଇଁ ଲୋକଙ୍କ ତୀର୍ଥଯାତ୍ରା ବନ୍ଦ କରିବା ଆବଶ୍ୟକ ନାହିଁ । ଲୋକେ କିପରି ଯାତ୍ରା କରିବେ ଓ କିପରି ତାହା ଉପଭୋଗ କରିବେ, ସେଥିପାଇଁ ବ୍ୟବସ୍ଥାକୁ ବଦଳାଇବା ଆବଶ୍ୟକ ।


ପରିବେଶବିତମାନଙ୍କ କହିବ କଥା ଯେ ପ୍ରମୁଖ ତୀର୍ଥପଥଗୁଡ଼ିକରେ ପିଇବା ପାଣି ଭରିବା କେନ୍ଦ୍ର ବାଧ୍ୟତାମୂଳକ ହେବା ଉଚିତ । ନିରାପଦ ପାନୀୟଜଳ ସହଜରେ ମିଳିଲେ ତୀର୍ଥଯାତ୍ରୀମାନେ ବୋତଲ ଜଳ କିଣିବାକୁ ଆଉ ଆଗ୍ରହ ପ୍ରକାଶ କରିବେ ନାହିଁ । ସମ୍ଭବହେଲେ ଥରେ ବ୍ୟବହୃତ ବାସନ ପରିବର୍ତ୍ତେ ପୁନଃବ୍ୟବହାରଯୋଗ୍ୟ ବାସନ ବ୍ୟବହାର କରାଯିବା ଉଚିତ । ତୀର୍ଥ ଅଞ୍ଚଳରୁ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକକୁ ପର୍ଯ୍ୟାୟକ୍ରମେ ହଟାଇବା ଦରକାର ।
ବୋତଲ ଓ ପ୍ୟାକେଜିଂ ପାଇଁ ଜମା-ଫେରସ୍ତ ବ୍ୟବସ୍ଥା ମଧ୍ୟ ଏକ ପ୍ରଭାବଶାଳୀ ସମାଧାନ ବୋଲି କୁହାଯାଉଛି । ବୋତଲ କିଣିବାବେଳେ ତୀର୍ଥଯାତ୍ରୀ ଯଦି ଅତିରିକ୍ତ ଜମାରାଶି ଦିଅନ୍ତି ଏବଂ ଖାଲି ବୋତଲ ଫେରାଇଲେ ସେହି ଅଧିକ ଜମା ଟଙ୍କା ଫେରିପାଆନ୍ତି, ତେବେ ବ୍ୟବହୃତ ପ୍ଲାଷ୍ଟିକକୁ ଫେରାଇ ଆଣିବା ପାଇଁ ସେମାନଙ୍କ ଭିତରେ ଉତ୍ସାହ ସୃଷ୍ଟି ହେବ ।
ଆବର୍ଜନାକୁ ଉତ୍ସସ୍ଥଳରୁ ହିଁ ଅଲଗା କରିବା ଆବଶ୍ୟକ । ଜୈବ ଆବର୍ଜନା, ପୁନଃଚକ୍ରୀକରଣଯୋଗ୍ୟ ବା ରିସାଇକ୍ଲିଙ୍ଗ ଓ ଅଣ-ପୁନଃଚକ୍ରୀକରଣଯୋଗ୍ୟ ଆବର୍ଜନା ବା ନନ୍-ରିସାଇକ୍ଲିଙ୍ଗ ସାମଗ୍ରୀକୁ ଏକାଠି ପକାଯିବା ଉଚିତ ନୁହେଁ । ଉଚ୍ଚ ପାହାଡ଼ିଆ ଅଞ୍ଚଳପାଇଁ ସ୍ୱତନ୍ତ୍ର ଆବର୍ଜନା ସଂଗ୍ରହ ବ୍ୟବସ୍ଥା ଆବଶ୍ୟକ । ଯେଉଁଠି ପୁନଃଚକ୍ରୀକରଣ କିମ୍ବା କମ୍ପୋଷ୍ଟିଂ ସମ୍ଭବ, ସେଠାରେ ସ୍ଥାନୀୟଭାବେ ତାହା କରାଯିବା ଉଚିତ । ଯାହାର ପ୍ରକ୍ରିୟାକରଣ ସମ୍ଭବ ନୁହେଁ, ତାହାକୁ ସୁସଂଗଠିତ ଭାବେ ତଳକୁ ଆଣିବା ଦରକାର । କିନ୍ତୁ ଏହି ଦାୟିତ୍ୱ କେବଳ ତୀର୍ଥଯାତ୍ରୀଙ୍କ ଉପରେ ଛାଡ଼ିଦିଆ ଯାଇପାରିବ ନାହିଁ ।
ତୀର୍ଥପଥରେ ବ୍ୟବସାୟ କରୁଥିବା ବିକ୍ରେତା, ହୋଟେଲ, ରେସ୍ତୋରାଁ, ପରିବହନ ସଂସ୍ଥା ଓ ଅନ୍ୟାନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ସେମାନଙ୍କ ବ୍ୟବସାୟରୁ ସୃଷ୍ଟି ହେଉଥିବା ଆବର୍ଜନା ପାଇଁ ଦାୟୀ କରିବା ପାଇଁ ହେବ । ସରଳ ନୀତିଟି ହେଉଛି: ଯେଉଁମାନେ ପାହାଡ଼ିଆ ପରିବେଶ ଭିତରକୁ ପ୍ୟାକେଜିଂ ସାମଗ୍ରୀ ନେଇ ଆସନ୍ତି ଓ ସେଥିରୁ ଲାଭ କରନ୍ତି, ସେମାନେ ଆବର୍ଜନାକୁ ବାହାରକୁ ନେଇଯିବାର ଦାୟିତ୍ୱ ମଧ୍ୟ ବହନ କରିବା ଉଚିତ ।
ଆଉ ଏକ କଠିନ, କିନ୍ତୁ ଅତ୍ୟନ୍ତ ଜରୁରୀ ପ୍ରଶ୍ନ ହେଉଛି ତୀର୍ଥଯାତ୍ରୀଙ୍କ ସଂଖ୍ୟା । ଗୋଟିଏ ତୀର୍ଥଋତୁର ସଫଳତାକୁ ଭିତ୍ତି କରି ସାଧାରଣତଃ କେତେ ଲୋକ ଆସିଲେ ତାହା ଗଣାଯାଏ । ପର୍ଯ୍ୟଟକ ସଂଖ୍ୟା ବଢ଼ିଲେ ସରକାର ଖୁସି ହୁଅନ୍ତି, କାରଣ ତୀର୍ଥଯାତ୍ରା ରୋଜଗାର, ବ୍ୟବସାୟ ଓ ସ୍ଥାନୀୟ ଆୟ ବି ବଢ଼େ । କିନ୍ତୁ ପରିବେଶସମ୍ବେଦନ ଅଞ୍ଚଳରେ ଅଧିକଟା ସବୁବେଳେ ଭଲ ନୁହେଁ ।
ପ୍ରତ୍ୟେକ ପାର୍ବତ୍ୟଅଞ୍ଚଳର ଏକ ସୀମିତ କ୍ଷମତା ରହିଛି । ପ୍ରତ୍ୟେକ ନଦୀ, ବସତି, ରାସ୍ତା, ନିଷ୍କାସନ ବ୍ୟବସ୍ଥା ଓ ଆବର୍ଜନା ପରିଚାଳନା ବ୍ୟବସ୍ଥାର ମଧ୍ୟ ଗୋଟିଏ ଗୋଟିଏ ସୀମା ରହିଛି । ତେଣୁ କୌଣସି ତୀର୍ଥସ୍ଥଳ କିମ୍ବା ଯାତ୍ରାପଥରେ କେତେ ତୀର୍ଥଯାତ୍ରୀଙ୍କୁ ଅନୁମତି ଦିଆଯିବ, ତାହା ପରିବେଶ ଓ ଭିତ୍ତିଭୂମିର ବୈଜ୍ଞାନିକ ମୂଲ୍ୟାଙ୍କନ ଆଧାରରେ ନିର୍ଦ୍ଧାରଣ ହେବା ଦରକାର । ଜଳବାୟୁ ପରିବର୍ତ୍ତନର ଯୁଗରେ ଏହା ଅଧିକ ଜରୁରୀ । ଆଗରୁ ହିଁ ହିମାଳୟ ବଦଳୁଥିବା ପାଣିପାଗ, ଅତ୍ୟଧିକ ବର୍ଷା, ଭୂସ୍ଖଳନ, ହିମ ତରଳିବାରେ ଅସ୍ଥିରତା ଓ ଅନ୍ୟାନ୍ୟ ପରିବେଶଗତ ଚାପର ସମ୍ମୁଖୀନ ହୋଇ ଅସିଛି । ଏହି ଦୁର୍ବଳ ସ୍ଥିତି ଉପରେ ଅନିୟନ୍ତ୍ରିତ ମାନବୀୟ ଚାପକୁ ଯୋଡ଼ିବା ଏକ ବିପଜ୍ଜନକ ଜୁଆଖେଳ ଏଥିରେ ଦ୍ୱିମତ ନହିଁ ।
ଏହି ପ୍ରସଙ୍ଗର ଏକ ନୈତିକ ଦିଗ ମଧ୍ୟ ରହିଛି । ତୀର୍ଥଯାତ୍ରା ପାରମ୍ପରିକ ଭାବେ ଶୃଙ୍ଖଳା, ସଂଯମ ଓ ସମ୍ମାନର ପ୍ରତୀକ । ଗୋଟିଏ ପବିତ୍ର ପାହାଡ଼ ଉପରକୁ ଯାଉଥିବା ତୀର୍ଥଯାତ୍ରୀ ଯଦି ଫେରିବା ବାଟରେ ଉପଭୋଗବାଦୀ ଜୀବନଶୈଳୀର ଆବର୍ଜନା ଛାଡ଼ି ଆସନ୍ତି, ତେବେ ଏହା ଏକ ବିରୋଧାଭାସ ଛଡ଼ା ଆଉ କିଛି ନୁହେଁ । ପ୍ରକୃତି ଓ ପରିବେଶ ପ୍ରତି ସମ୍ମାନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏକ ଅଂଶ । ପବିତ୍ର ନଦୀ, ଜଙ୍ଗଲ, ବନଭୂମି ଓ ପାହାଡ଼ କେବଳ ପ୍ରାକୃତିକ ସମ୍ପଦ ନୁହନ୍ତି; ସେମାନେ ଆମ ସାଂସ୍କୃତିକ ଚେତନାର ଅଂଶ । ଅନ୍ୟ ଅର୍ଥରେ, ଆଧୁନିକ ତୀର୍ଥଯାତ୍ରା ପରିଚାଳନାରେ ଏହି ପରମ୍ପରାର ପ୍ରତିଫଳନ ଦେଖାଯିବା ଦରକାର ।
ଭକ୍ତି କେବେ ବି ପରିବେଶ ପ୍ରତି ଥିବା ଦାୟିତ୍ୱବୋଧରୁ ମଣିଷକୁ ମୁକ୍ତିର ଅଧିକାର ଦେଇନାହିଁ । ବରଂ ଏକ ପବିତ୍ର ପରିବେଶକୁ ସୁରକ୍ଷିତ ରଖିବାକୁ ଭକ୍ତିର ଏକ ରୂପ ଭାବେ ଦେଖିବା ଉଚିତ ।
‘କ୍ୟାରି ମି ବ୍ୟାକ୍’ ଭଳି ଅଭିଯାନ ପ୍ରମାଣ କରୁଛି ଯେ ତୀର୍ଥଯାତ୍ରୀମାନେ ଏଥିରେ ଅଂଶୀଦାର ହେବାକୁ ପ୍ରସ୍ତୁତ । କିନ୍ତୁ ସମସ୍ତ ଦାୟିତ୍ୱ କେବଳ ବ୍ୟକ୍ତିଗତ ସଚେତନତା ଉପରେ ଛାଡ଼ି ଦିଆଯାଇପାରିବ ନାହିଁ । ସରକାରଙ୍କୁ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ନିୟନ୍ତ୍ରଣ କରିବାକୁ ହେବ, ପାଣିଭରିବା ବ୍ୟବସ୍ଥା କରିବାକୁ ହେବ, ଆବର୍ଜନା ପୃଥକୀକରଣକୁ ବାଧ୍ୟତାମୂଳକ କରିବାକୁ ହେବ, ବ୍ୟବସାୟୀଙ୍କୁ ଦାୟୀ କରିବାକୁ ହେବ ଏବଂ ପରିବେଶର ବିଜ୍ଞାନଭିତ୍ତିକ ବହନକ୍ଷମତା ଆଧାରରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ନିର୍ଦ୍ଧାରଣ କରିବାକୁ ହେବ ।
ଲକ୍ଷ୍ୟ କଦାପି ତୀର୍ଥଯାତ୍ରୀଙ୍କୁ ଚାରିଧାମ ଯାତ୍ରାରୁ ଦୂରେଇ ରଖିବା ନୁହେଁ । ଲକ୍ଷ୍ୟ ହେଉଛି ହିମାଳୟ ଯେପରି କି ଆଗାମୀ ଦିନରେ ମଧ୍ୟ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କରିପାରିବ ତାହା ସୁନିଶ୍ଚିତ କରିବା ।
ହଜାର ହଜାର ବର୍ଷ ଧରି ଆମ ନଦୀ, ଜଙ୍ଗଲ, ସଂସ୍କୃତି ଓ ଆସ୍ଥାକୁ ବହନ କରିଆସିଛି ହିମାଳୟ । ଏବେ ତାକୁ ଆମେ ପ୍ଲାଷ୍ଟିକର ଭାର ବହନ ପାଇଁ ବାଧ୍ୟ କରାଯିବା ଉଚିତ ନୁହେଁ । ଆମେ ଏକ ତୀର୍ଥଯାତ୍ରା ପଛରେ ପ୍ରାର୍ଥନା, ସ୍ମୃତି ଓ ଶ୍ରଦ୍ଧା ଛାଡ଼ିଯିବା ସିନା ଟନ୍ ଟନ୍ ଆବର୍ଜନା ନୁହେଁ ।

 

Email.  bhaskarparichha@gmail.com

Total Views: 9

Comments

0 comments

Share This Article