ପ୍ରାକୃତିକ ସଂପଦ ଉପରେ ଜନସାଧାରଣଙ୍କ ଅଧିକାର ସମ୍ବିଧାନର ମୌଳିକ ନୀତି: ମେଧା ପାଟକର

97 Views
6 Min Read

People have Constitutional Rights over Natural Resources, says Medha Patkar

Untitled Design 17

ଭୁବନେଶ୍ଵର, ତା ୭/୬/୨୫: ପ୍ରାକୃତିକ ସଂପଦର ସୁରକ୍ଷା ତଥା ନଦୀ ଓ ଜଳ ଉତ୍ସ ଗୁଡ଼ିକର ସଂରକ୍ଷଣ ପରିପ୍ରେକ୍ଷୀରେ ଭୁବନେଶ୍ବର ଲୋହିଆ ଏକାଡେମୀ ପରିସରରେ ଆଜି ଏକ ରାଜ୍ୟସ୍ତରୀୟ କନଭେନସନ୍ ଆୟୋଜିତ ହୋଇଯାଇଛି।
ଏହି କନଭେନସନ୍ ର ପ୍ରଥମ ଅଧିବେଶନ ସମଦୃଷ୍ଟିର ସଂପାଦକ ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବାବେଳେ ଦେଶର ବିଶିଷ୍ଟ ପରିବେଶବିତ୍, ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ପ୍ରତିଷ୍ଠାତା ସଦସ୍ୟ ମେଧା ପାଟେକର ଏହାକୁ ଉଦଘାଟନ କରିଥିଲେ।
ଜଳବାୟୁ ନ୍ୟାୟ ଅଧ୍ୟୟନ କେନ୍ଦ୍ର, ଲୋକଶକ୍ତି ଅଭିଯାନ ଏବଂ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ରାଜ୍ୟସ୍ତରୀୟ କନଭେନସନ୍ ରେ ବିଶିଷ୍ଟ ପରିବେଶବିତ ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା
ଭିତ୍ତିପତ୍ର ଉପସ୍ଥାପନ ଅବସରରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନସଚିବ ଅରବିନ୍ଦ ବେହେରା, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ନେତା ତଥା ଜୟ କିଷାନ୍ ଆନ୍ଦୋଳନର ଲିଙ୍ଗରାଜ, ବାଲନ୍ଦା ଖଣି ବିରୋଧୀ ଆନ୍ଦୋଳନର ଲକ୍ଷ୍ମୀ ସିସା, ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ଅନ୍ୟତମ ନେତା ଲିଙ୍ଗରାଜ ଆଜାଦ୍ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।

Untitled Design 18
ଭିତ୍ତିପତ୍ର ଉପସ୍ଥାପନ ଅବସରରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା ନିୟମଗିରି, ବାଲନ୍ଦା, ସିଜିମାଳି, କୁଟ୍ରୁମାଳି, ଖଣ୍ଡୁଆଳମାଳି, ରାଜଗାଙ୍ଗପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖଣିଖାଦାନ ଓ ଶିଳ୍ପ ନାମରେ କିପରି ପ୍ରାକୃତିକ ସଂପଦର ବ୍ୟାପକ ହରିଲୁଟ ଚାଲିଛି, ତାହା ଉପରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ। ସେହିପରି ମହାନଦୀ, ବୈତରଣୀ, ଋଷିକୂଲ୍ୟା, ଦୟା, ନାଗାବଳୀ, ବଂଶଧାରା, ବୁଢାବଳଙ୍ଗ, ବ୍ରାହ୍ମଣୀ ଆଦି ନଦୀଗୁଡ଼ିକୁ ତଥା ବିଭିନ୍ନ ପ୍ରାକୃତିକ ଜଳ ଉତ୍ସ ଗୁଡିକ କିପରି ସରକାରଙ୍କ କର୍ପୋରେଟ୍ ପ୍ରିତୀ ତଥା ଜନବିରୋଧୀ ନୀତି ଯୋଗୁଁ ମୃତ ପ୍ରାୟ ହେବାକୁ ବସିଛି, ସେ ସଂପର୍କରେ କନଭେନସନ୍ ରେ ଯୋଗଦାନ କରିଥିବା ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ତା’ର ପ୍ରତିକାର ଦିଗରେ ସମ୍ମିଳିତ ପଦକ୍ଷେପ ନେବାକୁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।
କନଭେନସନ୍ କୁ ଉଦଘାଟନ କରି ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ଜନ ଆନ୍ଦୋଳନ ମାନଙ୍କର ବିଶିଷ୍ଟ ନେତ୍ରୀ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ସମସ୍ତ ଜଳ, ଜମି ଓ ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦକୁ କେନ୍ଦ୍ରୀକରଣ କରି ଆଜି ସରକାର ଲୋକମାନଙ୍କ ଜୀବନ ଜୀବିକାକୁ ଅଣଦେଖା କରୁଛନ୍ତି ଓ ପ୍ରାକୃତିକ ସଂପଦର ଲୁଣ୍ଠନ କରି ଚାଲିଛନ୍ତି। ପିଢ଼ି ପରେ ପିଢ଼ି ଧରି ଲୋକମାନେ ବଞ୍ଚାଇ ରଖିଥିବା ପ୍ରାକୃତିକ ସଂଶାଧନକୁ ସରକାର ବଳପୂର୍ବକ କର୍ପୋରେଟ୍ ମାନଙ୍କ ହାତରେ ଟେକି ଦେଉଛନ୍ତି। କାନୁନ୍ ପରେ କାନୁନ୍ କରାଯାଉଛି, କିନ୍ତୁ ସମ୍ବିଧାନର ମୂଳ ଭିତ୍ତି କୁ ଦୁର୍ବଳ କରିଦିଆଯାଉଛି। ଅନୁସୂଚିତ ଅଞ୍ଚଳରେ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ ଗ୍ରାମସଭାର ଅଧିକାରକୁ ଅସମ୍ମାନିତ କରାଯାଉଛି। ଯେଉଁ ଗ୍ରାମସଭାର ଅଧିକାରକୁ ନିୟମଗିରି ସୁରକ୍ଷା ଆନ୍ଦୋଳନରେ ସୁପ୍ରିମକୋର୍ଟ ତା’ର ଯୁଗାନ୍ତକାରୀ ରାୟରେ ସାବ୍ୟସ୍ତ କରିଥିଲା, ତାହାକୁ ସିଜିମାଳି, ଢ଼ିଙ୍କିଆ, ଗନ୍ଧମାର୍ଦନ, ବାଲିଆପାଳ ଆନ୍ଦୋଳନ କ୍ଷେତ୍ରରେ ମର୍ଯ୍ୟାଦା ଦିଆଯାଉ ନାହିଁ। ଗାଁ ର ଜମି, ଜଙ୍ଗଲ, ଖଣି, ପାଣି ଉପରେ ଗ୍ରାମବାସୀଙ୍କ ତଥା ଗ୍ରାମସଭାର ଅଧିକାରକୁ ଯଦି ଆମେ ସମ୍ମାନ ନଦେବା, ତାହାଲେ ଆମେ ଗଣତନ୍ତ୍ରକୁ ସମ୍ମାନ ଦେଉଛନ୍ତି ବୋଲି କହିପାରିବା କି ବୋଲି ସେ ପ୍ରଶ୍ନ କରିଥିଲେ। ଆଜି ବିକାଶ ନାମରେ ବିନାଶ ଚାଲିଛି, ଯାହା ବିସ୍ଥାପନ ଓ ବିଷମତାକୁ ବଢ଼ାଇ ଚାଲିଛି। ଯେଉଁ ମଜଦୂର ଓ କିଷାନ୍ ମାନେ ସେମାନଙ୍କ ଲହୁ ଲୁହ ଦେଇ ହିନ୍ଦୁସ୍ଥାନକୁ ବଞ୍ଚାଉଛି, ସେମାନଙ୍କୁ ମାରିବା ପାଇଁ ସରକାର ଯୋଜନା କରୁଛନ୍ତି, ସେମାନଙ୍କ ଜୀବନ ଜୀବିକାର ଅଧିକାରକୁ ଛଡ଼ାଇ ନିଆଯାଉଛି,ଯାହା ଆମେ କରୋନା କାଳରେ ଅନୁଭବ କରିଛନ୍ତି। ଅର୍ଥ ବ୍ୟବସ୍ଥା, କାର୍ଯ୍ୟକାରୀ ବ୍ୟବସ୍ଥା ତଥା ଜୀବନ – ଜୀବିକା ପ୍ରଣାଳୀ ମଧ୍ୟରେ ପାରସ୍ପରିକ ସାମଞ୍ଜସ୍ୟ ରହିବା ବଦଳରେ ସେମାନଙ୍କ ଭିତରେ ଅସାମଞ୍ଜସ୍ୟ ବଢ଼ିଚାଲିଛି। ନଦୀ ତଥା ଜଳ ଉତ୍ସ ଗୁଡିକୁ ମାରି ଦିଆଯାଉଛି। ନଦୀରେ ନିଷ୍କାସିତ ହେଉଥିବା ବର୍ଜ୍ୟବସ୍ତୁ ଆଜି ନଦୀକୁ ପ୍ରଦୁଷିତ କରୁଛି, ନଦୀର ପାଣି ଏବେ ବିଷାକ୍ତ ଓ ବ୍ୟବହାର ଯୋଗ୍ୟ ନୁହେଁ। ଲଘୁ ଖଣିଜ ସମ୍ପଦ ଭାବରେ ବିବେଚିତ ହେଉଥିବା ବାଲି ଖନନ ଆଜି ବାଲି ମାଫିଆ ମାନଙ୍କ ଦ୍ୱାରା କବଳିତ, ଯାହା ନଦୀକୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି। ଜଳ-ଜମି ଓ ଜଙ୍ଗଲ ରେ ଅସ୍ମିତାକୁ ଆଜି ମହାକୁମ୍ଭ ବା ଚାରିଧାମ ଯାତ୍ରା ଭିତରେ ବିଲୀନ କରିଦିଆଯାଇଛି, ଉତ୍ତରାଖଣ୍ଡ ଆଜି ଖଣ୍ଡ ବିଖଣ୍ଡିତ,ଯାହା ପରିବେଶକୁ ବିପର୍ଯ୍ୟସ୍ତ କରୁଛି ଓ ପ୍ରଦ୍ୟୁଷଣ ମାତ୍ରା ବୃଦ୍ଧି କରିଚାଲିଛି।
ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ଅରବିନ୍ଦ ବେହେରାଙ୍କ ଜଙ୍ଗଲ ସହିତ ନଦୀ ଉତ୍ସ ଗୁଡ଼ିକର ସମ୍ବନ୍ଧ ସଂପର୍କୀୟ ମତକୁ ସମର୍ଥନ କରି ସେ ଗଙ୍ଗା, ମହାନଦୀ ,ନର୍ମଦା, ବ୍ରହ୍ମପୁତ୍ର, କ୍ରିଷ୍ଣା, କାବେରୀ, ଋଷିକୂଲ୍ୟା ଆଦି ସବୁ ନଦୀ ର ଉତ୍ସ ହେଉଛି ଜଙ୍ଗଲ, କିନ୍ତୁ ସେହି ଜଙ୍ଗଲ କୁ ଆଜି କର୍ପୋରେଟ୍ ହାତରେ ଟେକି ଦିଆଯାଉଛି। ନଦୀର ଜଳକୁ ପିଇବା ପାଣି ଓ ଜଳସେଚନ ବଦଳରେ କମ୍ପାନୀ ତଥା ଶିଳ୍ପ ପ୍ରତିଷ୍ଠାନ ପାଇଁ ବ୍ୟବହାର କରାଯାଉଛି। ଯେତେବେଳେ ଆମେରିକା ଏବଂ ୟୁରୋପରେ ବଡ ବଡ଼ ନଦୀବନ୍ଧକୁ ବିଲୋପ କରାଯାଉଛି, ସେତେବେଳେ ଆମେ ବଡ଼ ବଡ଼ ନଦୀବନ୍ଧ ଯୋଜନା କରୁଛୁ, ନଦୀର ସ୍ରୋତ ତଥା ଉତ୍ସକୁ ଅବରୋଧ କରୁଛି, ଯାହା ନଦୀକୁ ଅଧିକରୁ ଅଧିକ ପ୍ରଦୁଷିତ କରୁଛି।

Untitled Design 19
ଏଥିପାଇଁ କେବଳ ଆଇନ୍ ର ଲଢେଇ ନୁହେଁ, ସମ୍ବିଧାନରେ ରାଷ୍ଟ୍ରର ନିର୍ଦ୍ଦେଶକ ନୀତି ଅନୁଯାୟୀ “ସଂଶାଧାନ ବଞ୍ଚାଇବା ଦାୟିତ୍ଵ ସରକାରଙ୍କ” ଘୋଷଣାକୁ ଆମକୁ କାର୍ଯ୍ୟକାରୀ କରିବାକୁ ପଡିବ। ମୁଷ୍ଟିମେୟଙ୍କ ହାତରେ ଦେଶର ସମସ୍ତ ସଂପଦ ଠୁଳ ହେବା କଥା ନୁହେଁ କି ଏ ଦେଶ ପୁଞ୍ଜିପତି ମାନଙ୍କ ଜାଗିର୍ ନୁହେଁ। ସେଥିପାଇଁ ଆମକୁ ଉଭୟ ସଂଘର୍ଷ ଓ ନିର୍ମାଣ ପାଇଁ ତଥା ଏକ ସମତା ମୂଳକ ସମାଜ ପ୍ରତିଷ୍ଠା ପାଇଁ ସମ୍ମିଳିତ ଲଢେଇ କରିବାକୁ ସେ ଆହ୍ୱାନ ଦେଇଥିବା ବେଳେ ଦ୍ୱିତୀୟ ଅଧିବେଶନ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ।
ଦ୍ୱିତୀୟ ଅଧିବେଶନରେ ଦୟା ସୁରକ୍ଷା ଅଭିଯାନର ସଚ୍ଚିକାନ୍ତ ପ୍ରଧାନ, ବୈତରଣୀ ବଞ୍ଚାଅ ଆନ୍ଦୋଳନର ଅଶୋକ ଥାକରେ, ଚିଲିକା ବଞ୍ଚାଅ ଆନ୍ଦୋଳନର ମୀନା କୁମାରୀ ଟହଲ ଓ ଦୀନବନ୍ଧୁ ଅଧିକାରୀ , ମହାନଦୀ ବଞ୍ଚାଅ ଅଭିଯାନର ସଂଯୋଜକ ବିଜୟ ପ୍ରଧାନ, ପୁରୀ ବିମାନବନ୍ଦର ବିରୋଧୀ ଆନ୍ଦୋଳନର ସୁରେନ୍ଦ୍ର ତପସୁ, ସମାକୋଇ ଚକଧର ପ୍ରକଳ୍ପ ବିରୋଧୀ ମଞ୍ଚର ନାରାୟଣ ପ୍ରଧାନ, ଆଇନଜୀବୀ ଶଙ୍କର ପାଣି, ଅଧ୍ୟାପକ ସୁଧୀର ଜେନା, ବୁଢାବଳଙ୍ଗ ନଦୀ ସୁରକ୍ଷା ଅଭିଯାନର ମନୋଜ ନାୟକ, ଋଷିକୂଲ୍ୟା ବଞ୍ଚାଅ ଆନ୍ଦୋଳନର ମାଗତା ବେହେରା, ଅଧ୍ୟାପକ ଖଦାଳ ସାହୁ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ମାଳି ପର୍ବତ ସୁରକ୍ଷା ଆନ୍ଦୋଳନର ଦାସି ନନ୍ଦୀବାଲି, ନୟାଗଡ଼ର ପରିବେଶବିତ୍ ହରିସ୍ୱାମୀ ମହାରାଜ ଏବଂ ସୁବର୍ଣ୍ଣରେଖା ସୁରକ୍ଷା ଆନ୍ଦୋଳନର ଅରୁଣ ଜେନା ପ୍ରମୁଖ ନଦୀମାନଙ୍କର ସ୍ଥିତି, ସମସ୍ୟା ଓ ତା’ର ପ୍ରତିକାର ଦିଗରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ଶେଷରେ ସମସ୍ତ ମତାମତକୁ ଆଗାମୀ କାର୍ଯ୍ୟକ୍ରମ ନିମନ୍ତେ ପ୍ରଫୁଲ୍ଲ ସାମନ୍ତରାଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ପ୍ରସ୍ତାବ ଗୁଡିକୁ ସର୍ବସମ୍ମତିକ୍ରମେ ଗୃହୀତ କରାଯାଇଥିଲା।।

ପ୍ରସ୍ତୁତି: ନରେନ୍ଦ୍ର ମହାନ୍ତି,
ଫୋନ୍: ୯୪୩୭୪୨୬୬୪୭// ୭୦୦୮୪୮୩୬୨୨

Comments

0 comments

Share This Article