ଓଡ଼ିଆ ବିଭବର ନବକଳେବର ଲୋକାର୍ପଣ ଉତ୍ସବ
ନଭେମ୍ବର ୧୫, ୨୦୨୬ – ଓଡ଼ିଆ ବିଭବର ନବମ ବର୍ଷ ପୂର୍ତ୍ତି ଉତ୍ସବରେ ୱେବ୍ସାଇଟ୍ର ନବକଳେବର ହୋଇଛି। ଏଥିରେ ବ୍ୟବହାରକାରୀଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେବାସହ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ଲେଖକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ଭାସ୍କର ପରିଚ୍ଛା ଯୋଗ ଦେଇଥିଲେ। ଏହି ସଭାରେ ସମଦୃଷ୍ଟି ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧିର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ସମେତ ଅନ୍ୟ ଅତିଥିମାନେ ଓଡ଼ିଆ ବିଭବର ନବକଳେବରକୁ ଲୋକାର୍ପଣ କରିଥିଲେ। ଓଡ଼ିଆ ବିଭବ ପୂର୍ବପରି https://odiabibhaba.inରେ ଦେଖିହେବ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ଓଡ଼ିଆ ବିଭବ ପ୍ରତି ପରିବାରରେ ବ୍ୟକ୍ତିଗତ ବିଭବ ଭାବରେ ବ୍ୟବହାର ହେବା ଆବଶ୍ୟକତା ରହିଛି ଏବଂ ଏହାକୁ ସମସ୍ତଙ୍କ ସହଯୋଗରେ ଅଧିକ ବ୍ୟାପକ କରିବା ଜରୁରୀ ବୋଲି ମତ ଦେଇଥିଲେ। ୨୦୩୬ରେ ରାଜ୍ୟ ନିଜ ପ୍ରତିଷ୍ଠାର ଶହେ ବର୍ଷ ପାଳନ କରିବା ଅବସରରେ ଓଡ଼ିଆ ବିଭବର ଡିଜିଟାଇଜ୍ ପୃଷ୍ଠା ସଂଖ୍ୟା ୫୦ ଲକ୍ଷ କରିବାକୁ ଅନ୍ୟତମ ଅତିଥି ଶ୍ରୀଯୁକ୍ତ ପରିଚ୍ଛା ଆହ୍ୱାନ ଦେଇଥିଲେ ଏବଂ ଏହି ଲକ୍ଷ୍ୟ ସାଧନ ପାଇଁ ସମସ୍ତେ ଏହି ଅଭିଯାନରେ ସାମିଲ ହେବା ଜରୁରୀ ବୋଲି ସେ ମତ ଦେଇଥିଲେ। ଯୁବବର୍ଗଙ୍କୁ ଏଥିରେ ସାମିଲ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ।

ସଭାରେ ଓଡ଼ିଆ ବିଭବର ନୂଆରୂପର ପୃଷ୍ଠଭୂମି ସଂପର୍କରେ ୱେବ୍ସାଇଟ୍ର ସହପ୍ରତିଷ୍ଠାତା ପୁଷ୍ପଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ଏହାକୁ ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ଇଞ୍ଜିନିଅର ଜ୍ଞାନରଞ୍ଜନ ସାହୁ ଏହାର ଉପସ୍ଥାପନ କରିଥିଲେ। ନୂଆ ବୈଷୟିକ ଜ୍ଞାନ କୌଶଳରେ ଏହି ୱେବ୍ସ୍ଥଳୀକୁ ପୁନଃ ନିର୍ମାଣ କରାଯାଇଛି। ଫଳରେ ଏଣିକି ମୋବାଇଲ୍ରେ ଏହା ସହଜରେ ବ୍ୟବହାର କରାଯାଇପାରିବ। ପ୍ରତିଥର ବହି ବା ପତ୍ରିକାକୁ ପଢ଼ିବା ପାଇଁ ଡାଉନ୍ଲୋଡ୍ କରିବାକୁ ପଡ଼ିବ ନାହିଁ। ଅନ୍ଲାଇନ୍ରେ ମଧ୍ୟ ପଢ଼ିହେବ। ଏପରିକି ଯେଉଁ ପୃଷ୍ଠାରେ ପଢ଼ା ବନ୍ଦ କରାଯାଇଥିବ ଆଉଥରେ ଖୋଲିଲେ ସେହି ପୃଷ୍ଠା ହିଁ ଦେଖାଯିବ। ଓଡ଼ିଆ ବିଭବର ନବକଳେବରର ବିଶ୍ୱକର୍ମା ହେଉଛନ୍ତି କମ୍ପ୍ୟୁଟର ଇଞ୍ଜିନିଅର ସାଥି ଜ୍ଞାନରଞ୍ଜନ ସାହୁ। ଆଜିଠାରୁ ମୋବାଇଲ୍ ଆପ୍ ଭାବରେ ମଧ୍ୟ ଓଡ଼ିଆ ବିଭବ ମଧ୍ୟ ଉପଲବ୍ଧ ହୋଇଛି ବୋଲି ଏହାର ପ୍ରସ୍ତୁତକାରୀ ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି। ନିଜ ବକ୍ତବ୍ୟରେ ଓଡ଼ିଆ ବିଭବ ୱେବ୍ସାଇଟ୍ର ପ୍ରତିଷ୍ଠାତା ଡ. ନିଖିଳ ମୋହନ ପଟ୍ଟନାୟକ ଆସନ୍ତା ବର୍ଷ ଏହି ସାଇଟ୍ ନିଜର ୧୦ ବର୍ଷ ପୂରଣ କରିବା ବେଳକୁ ଓଡ଼ିଆ ବିଭବ ଓଡ଼ିଆଙ୍କ ବିଭବ ହେବା ଉଚିତ ବୋଲି ମତ ଦେଇଥିଲେ। ଏହାକୁ ବଂଚାଇ ରଖିବା ପାଇଁ ନିଷ୍ଠାପର ସହଯୋଗର ଆବଶ୍ୟକ ବୋଲି ସେ କହିଥିଲେ। ଏହା ସହ ଓଡ଼ିଆ ବିଭବର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେଇଥିଲେ ସହଯୋଗୀ ଜୀବନ କୁମାର ପଣ୍ଡା ଏବଂ ଅଭିଧାନ ତଥା ଓଡ଼ିଆ ଭାଷାକୋଷ ସମ୍ପର୍କରେ ଆଲୋଚନା କରିଥିଲେ ବିଶିଷ୍ଟ କମ୍ପ୍ୟୁଟର ବିଶେଷଜ୍ଞ ଡ. ଅଜିତ କୁମାର ନାୟକ। ଓଡ଼ିଆ ବିଭବ ଓ ଡିଜିଟାଇଜେସନ୍ କାମକୁ ନେଇ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଭାର ସଭାପତି ଶ୍ରୀଯୁକ୍ତ ସୁଧିର ପଟ୍ଟନାୟକ ଉଠାଇଥିଲେ ଏବଂ ଏହାର ସମାଧାନ ପାଇଁ ସମସ୍ତଙ୍କ ସକ୍ରୀୟ ସହଯୋଗ ଆବଶ୍ୟକ ଥିବା ଉଲ୍ଲେଖ କରିଥିଲେ। ଏହି ସଭାରେ ବିଶିଷ୍ଟ ଭାଷାବିଦ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ସହ ବହୁ ବୁଦ୍ଧିଜୀବୀ, ଶିକ୍ଷାବିଦ୍, ସାହିତ୍ୟିକ, ଗବେଷକ ମଧ୍ୟ ଉପସ୍ଥିତ ରହିଥିଲେ।

୨୦୧୭, ନଭେମ୍ବର ୧୨ରୁ ଆରମ୍ଭ ହୋଇଥିବା ଓଡ଼ିଆ ବିଭବ ୱେବ୍ସ୍ଥଳୀରେ ବର୍ତ୍ତମାନ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରାୟ୧୯ହଜାରରୁ ଅଧିକ ବହି ରହିଛି । ଏହା ସହିତ ୧୫୭ଟି ପତ୍ରିକା, ଉତ୍କଳ ଦୀପିକା, ବାଲେଶ୍ୱର ସମ୍ବାଦବାହିକା ଭଳି ୨୨ଟି ବିରଳ ଖବରକାଗଜ, ୧୮୧୧ ମସିହାରୁ ୧୯୪୨ ଭିତରେ ପ୍ରକାଶ ପାଇଥିବା ୨୮ଟି ଅଭିଧାନ, ଗୋକୁଳାନନ୍ଦ ମହାପାତ୍ର, ଗୋପୀନାଥ ମହାନ୍ତି, ଜଗନ୍ନାଥ ପ୍ରସାଦ ଦାସ, ଚିତ୍ତରଞ୍ଜନ ଦାସ, ଚନ୍ଦ୍ରଶେଖର ରଥଙ୍କ ଭଳି ସାହିତ୍ୟିକ ମାନଙ୍କର ସମସ୍ତ ବହିର ସଂଗ୍ରହ ରହିଛି। ଆହୁରି ମଧ୍ୟ ଭାଷାକୋଷ, ଚରିତକୋଷ, ପ୍ରାୟ ୯୦ ହଜାର ଶବ୍ଦ ସମ୍ବଳିତ ଏକ ଶବ୍ଦାର୍ଥ ଭଳି କିଛି ସ୍ୱତନ୍ତ୍ର ବିଭାଗ, ଓଡ଼ିଆ ଭାଷାର ପ୍ରଥମ ଗପ, ଉପନ୍ୟାସ, ନାଟକ, ପଠାଣି ସାମନ୍ତଙ୍କର ସିଦ୍ଧାର୍ଥ ଦର୍ପଣ, ଗୀତଗୋବିନ୍ଦ ଆଦି ମଧ୍ୟ ରହିଛି।
ଯୋଗାଯୋଗ: ସୃଜନିକ, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର-୩୦, ମୋ: 9827030727
ଇମେଲ: srujanika@gmail.com//odiabibhaba@gmail.com
Comments
0 comments

