ଉଜ୍ଜଳା ଅନ୍ଧାର ହୋଇଗଲା କି ?

ପାଠକେ! ଅକ୍ଟୋବର ୧ ତାରିଖରୁ ଓଡ଼ିଶା ସମେତ ସାରାଦେଶରେ ଉଜ୍ଜଳା ଯୋଜନା ଅନ୍ଧାରୁଆ ହୋଇଗଲାଣି । ଘୋଷଣା ହେଲାଣି ଯେ ଏବେ ଏହି ଯୋଜନାରେ ବର୍ଷକୁ ମାତ୍ର ୪ଟି ଗ୍ୟାସ ସିଲିଣ୍ଡର ପାଇଁ ସବସିଡ଼ି ମିଳିବ । ବାକି ଗ୍ରାହକ ନିଜ ହାତରୁ ବଜାର ଦରରେ କିଣିବ । ହେଲେ ଯାହା ଭାଗ୍ୟକୁ ଉଜ୍ଜଳ କରିବା ପାଇଁ ଉଜ୍ଜ୍ୱଳା ଯୋଜନା ହୋଇଥିଲା ସିଏ କ’ଣ ଏବେକାର ମହଙ୍ଗା ଦରରେ ଗ୍ୟାସ କିଣି ଚୁଲା ଜଳାଇ ପାରିବ? ଖାଲି ଅନ୍ଧାରରେ ବୁଲିବ ସିନା ।
ଆଜିଠାରୁ ସରକାର ଭାରତର ୧୦ କୋଟି ଲୋକଙ୍କୁ ଗୋଟିଏ ଝଟ୍କା ଦେଇ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି । ଯାହାଦ୍ୱାରା ଭାରତର ୧୦କୋଟି ଗରିବ ଲୋକଙ୍କ ରୋଷେଇଘରେ ଗ୍ୟାସରେ ଜଳୁଥିବା ଉଜ୍ଜ୍ୱଳା ଚୁଲି ଲିଭିଯିବାକୁ ବାଧ୍ୟ ହେବେ । ଗରିବଙ୍କର ଗ୍ୟାସରେ ଭୋଜନ ପ୍ରସ୍ତୁତ କରିବାର ରାସ୍ତା ଶେଷ । ଅବଶ୍ୟ ସେମାନେ ଚାହିଁଲେ ଖୁସି ହୋଇପାରନ୍ତି ଯେ ଗୋଦି ମିଡିଆରେ ଏହି (ଗରିବର ଚୁଲା ଲିଭାଅ) କାର୍ଯ୍ୟକ୍ରମକୁ ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି । କୁହାଯାଉଛି ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଆଜିଠାରୁ (୧ଅକ୍ଟୋବର ୨୦୨୬)ଠାରୁ ବଡ ଫାଇଦାଟିଏ ମିଳିବ ଆଉ ସେଇଟି ହେଉଛି ଏଣିକି ପ୍ରତିବର୍ଷର ପ୍ରଥମ ୪ଟି ସିଲିଣ୍ଡର ପାଇଁ ହିତାଧିକାରୀମାନଙ୍କୁ ୩୦୦ଟଙ୍କା ଲେଖାଏଁ ସବସିଡ଼ି ମିଳିବ । ବାକି ୮ଟି ସେମାନେ ପୁରା ପଇସା ୯୪୦ ଗୁଣନ ୮ଦେଲେ ପାଇବେ । ଏଇଟା ମାଷ୍ଟର ଷ୍ଟ୍ରୋକ୍!
ପାଠକେ! ଯେତେବେଳେ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହେଲା ୨୦୨୨ରେ ସେତେବେଳେ କିଛି ଲୋକ ଖୁବ୍ ଡିଆଁଡେଇଁ କରି ପ୍ରଚାର କଲେ ଯେ ଗରିବ ମହିଳାମାନଙ୍କର ଚୁଲି ଫୁଙ୍କିବା ଯୁଗର ଅନ୍ତ ହୋଇଗଲା, ଗରିବ ମହିଳାମାନଙ୍କୁ ରୋଷେଇଘରର ଧୂଆଁରୁ ଓ ତତ୍ସମ୍ବନ୍ଧିତ ରୋଗରୁ ରକ୍ଷା ମିଳିବ । ତା’କୁ ବି କିଣା ଗଣମାଧ୍ୟମରେ ମୋଦୀଙ୍କର ଯୁଗାନ୍ତକାରୀ ପଦକ୍ଷେପ ବା ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଇଥିଲା । ପ୍ରଚାର ଥିଲା ଯେ ଚୁଲି, ଗ୍ୟାସ ସିଲିଣ୍ଡର, ଗ୍ୟାସ୍, ପାଇପସବୁ ମାଗଣା ମିଳିବ । କିନ୍ତୁ ଯେତେବେଳେ ମହିଳାମାନେ ବିଭିନ୍ନ ଲୋକଙ୍କୁ ଦିଆନିଆ କରି ଜାଗା ଉପରେ ପହଂଚିଲେ ଜଣାପଡ଼ିଲା ଯେ ମୋଦୀ ସରକାର ମାଗଣାରେ ମହିଳାମାନଙ୍କୁ ଗ୍ୟାସ ସଂଯୋଗ ଦେବା କଥା ଘୋଷଣା କରିଛନ୍ତି ସତ ହେଲେ ସମସ୍ତଙ୍କୁ ନୁହେଁ । ଯେଉଁମାନେ ପାଇଥିଲେ ସେମାନେ ଖୁସି ହୋଇଥିଲେ ଯେ ଏଥିରେ ମାଗଣାରେ ଗୋଟିଏ ଗ୍ୟାସ ଉପଭୋକ୍ତା କାର୍ଡ, ଗ୍ୟାସ ଇନଷ୍ଟଲେସନ, ଦୁଇଟି ବର୍ଣ୍ଣର ବାଲା ଗୋଟିଏ ଚୁଲା ମାଗଣାରେ ମିଳିବ । ତେବେ ସେଥିରେ ପ୍ରଚାର କରାଯାଇଥିବା ପରି ପୁରା ମାଗଣାରେ ନୁହେଁ, କେବଳ ପ୍ରଥମ ଗ୍ୟାସଟି ମାଗଣାରେ ମିଳିବ । ତା ପରେ ହିତାଧିକାରୀମାନଙ୍କୁ ୧୨ ମାସ (ପରେ ୯ ମାସ)ପର୍ଯ୍ୟନ୍ତ ଗ୍ୟାସ କିଣିଲେ ସେଥିରେ ୩୦୦ ଟଙ୍କାର ରିହାତି ବା ସବସିଡି ଦିଆଯିବ ।
ସବୁଠାରୁ ମଜାକଥା ହେଉଛି କିଣା ଜଣମାଧ୍ୟମରେ ମାଗଣା ମାଗଣା ବୋଲି ଯେତେ ଚିକ୍ରାର କରାଯାଉଥିଲେ ବି ଅନେକ ଗରିବ ହିତାଧିକାରୀ ପ୍ରଥମ ପାଇଥିବା ସିଲିଣ୍ଡରଟି ଜାଳି ସାରିବାପରେ ଆଉ ଗ୍ୟାସ କିଣି ନପାରି ସିଲିଣ୍ଡର ଓ ଚୁଲ୍ଲାକୁ ବିକ୍ରୀ କରି ଦେଇଥିଲେ ବା ବନ୍ଧା ପକାଇ ଦେଇଥିଲେ । ଏବେ ୧ ଅକ୍ଟୋବରରୁ ଘୋଷଣା ହୋଇଛି ଯେ ଆଗକୁ ଏହି ଯୋଜନାରେ ପ୍ରତିବର୍ଷ କେବଳ ପ୍ରଥମ ୪ଟି ସିଲିଣ୍ଡରକୁ ସିଲିଣ୍ଡର ପିଛା ୩୦୦ ଟଙ୍କା ଲେଖାଁଏ ସବସିଡ଼ି ଦିଆଯିବ । ସେଥିରେ ବି କାଳେ ପ୍ରଥମେ ପୁରା ପଇସା ଦେଇ ଗ୍ୟାସ କିଣିବ, ତାପରେ ୪ଥର ସବସିଡି ଆସିବ । ଅଧିକ ନାହିଁ । ଏହାର ପ୍ରତିକ୍ରିୟାରେ ଯାହା ଶୁଣିଲୁ ଉଜ୍ଜଳା ଯୋଜନାରେ ଗ୍ୟାସରେ ରାନ୍ଧିବାର ସୁଯୋଗ ପାଇଥିବା ଗରିବ ଭାରତୀୟ ମହିଳାମାନେ ଆଉ ଏତେ ପଇସା ଦେଇ ଗ୍ୟାସ କିଣି ନପାରି ପୁଣି ସେଇ କାଠ ପତର ଚୁଲିକୁ ଫେରିବେ । ସିଲିଣ୍ଡରଗୁଡିକୁ ବିକିଦେବେ ବା ବନ୍ଧା ପକାଇଦେବେ ।
ଚାଣକ୍ୟଙ୍କର ଜୟ ହେଉ…

ପାଠକେ! ଆମେ ଯାହା ଦେଖୁଛୁ ଭୁବନେଶ୍ୱରରେ ବୋଧେ ଆମ ଭଳି ବେ-କାର ଲୋକଙ୍କ ସଂଖ୍ୟା ବହୁତ କମିଯାଉଛି । ଏମିତି ଆଉ ଘର ନାହିଁ ଯେଉଁ ଘର ଆଗରେ କାରଟିଏ ଛିଡ଼ା ହେଉନାହିଁ । ବସ୍ତିଗୁଡିକରେ ମଧ୍ୟ କେତୋଟି ଘର ଆଗରେ ରାତିରେ କାର ଠିଆ ହୋଇଥିବାର ଦେଖିବାକୁ ମିଳୁଛି । କାରଣ ମାଲିକମାନେ ସେଗୁଡ଼ିକୁ ଭଡ଼ାରେ ଲଗାଉଛନ୍ତି । ପାଠକେ! ଆମେ ଯାହା ବୁଝିଲୁ ଅଧିକାଂଶ କାର ମାଲିକ କାର କିଣି ପାରୁଛନ୍ତି କାରଣ ସେମାନଙ୍କୁ ପୁରା ପଇସା ଦେଇ କାର କିଣିବାକୁ ପଡ଼ୁନାହିଁ । ସେମାନେ ଏହାକୁ ଋଣରେ ମାସିକିଆ କିସ୍ତିରେ କିଣି ଆଣୁଛନ୍ତି । ସବୁ କାରଗୁଡ଼ିକ ଭଡାରେ ଲାଗୁନାହିଁ । ଅନେକ ଏହାକୁ ମଉଜ କରିବା ତଥା କେତେକ ନିଜର ବଡ଼ଲୋକୀ ଦେଖାଇବା ପାଇଁ ଋଣରେ ଆଣି ନିଜ ଘର ଆଗରେ ଠିଆ କରୁଛନ୍ତି । ଏହି କାରପାଇଁ ଅନେକ ୠଣୀ କାରମାଲିକଙ୍କୁ ମାସିକିଆ ନ ସୁଝି ପାରିବା କାରଣରୁ ବଡ଼ ଅପଦସ୍ତ ହେବାକୁ ପଡ଼ୁଛି । ଫାଇନାନ୍ସ କମ୍ପାନୀ ସେମାନଙ୍କୁ କାରରୁ ଓହ୍ଲାଇଦେଇ କାର ନେଇଯାଉଛନ୍ତି । କିଛି ଲୋକ ଖରାଦିନ ଆରମ୍ଭରେ ଋଣରେ ଆଣି ଘରେ ଏସି ଲଗାଇ ଦେଉଛନ୍ତି । ତିନି ଚାରିମାସ କିସ୍ତି ଟଙ୍କା ସୁଝୁନାହାନ୍ତି, ଯା ଫଳରେ ଏସି ଦୋକାନୀ ଆସି ଏସି ଖୋଲି ନେଇଯାଉଛି । ଲୋକଟି ସେଥିପାଇଁ ଦୁଃଖ କରୁନାହିଁ । ଓଲଟା କହୁଛି ଋଣ ଯୋଗୁଁ ଖରାଦିନଟା ତ ଥଣ୍ଡାରେ କଟିଗଲା ନା ।
ପାଠକେ! ସ୍ୱର୍ଗତ ଚାଣକ୍ୟଙ୍କର ଏହି ନିଉଛୁଣା ଫର୍ମୁଲା- ‘ଋଣମ୍ କୃତ୍ୱା ଘୃତମ ପିବେତ୍’ ବସତିଠାରୁ ରାଜ୍ୟ, ଦେଶ ଏପରିକି ବିଶ୍ୱସ୍ତର ପର୍ଯ୍ୟନ୍ତ ବ୍ୟାପୀ ଗଲାଣି । ଭାରତ ତ ଏବେ ଋଣରେ ଚାଲୁଛି । ମୋଦୀ ଆସିବା ପୂର୍ବରୁ ୫୫ ଲକ୍ଷ କୋଟି ଖଣ୍ଡେ ଥିଲା ଯେହେତୁ ମୋଦୀ ବିକାଶ ପୁରୁଷ ସିଏ ଏହାକୁ ପାଖାପାଖି ୨୦୫କୋଟି ଲକ୍ଷ ଟଙ୍କା ବଢାଇ ମୋଟ ଋଣ ପରିମାଣ ୨୬୦ଲକ୍ଷ କୋଟି ଟଙ୍କା ଖଣ୍ଡେ କରିଦେଲେଣି । ଥରେ ତ ୪ ମାସରେ ୧୪୦୦୦କୋଟି ଟଙ୍କାର ଋଣ କରାହୋଇଛି । ଏବେ ଭାରତକୁ ପ୍ରତିମାସରେ ପାଖାପାଖି ୧୨୦୦ କୋଟି ଟଙ୍କାର ସୁଧ ଦେବାକୁ ପଡୁଛି । ପଡ଼ୁ! ସୁଧ ପାଇଁ ବିଶ୍ୱବ୍ୟାଙ୍କରୁ ଋଣ ଆସିବ, କ’ଣ ହେଲା । ଆମେତ ଏମିତି ବିଶ୍ୱବ୍ୟାଙ୍କର ନମ୍ବର ୱାନ ଋଣ କଲାବାଲା । ୨୦୨୪ ମସିହା ଗାନ୍ଧୀ ଜୟନ୍ତୀରେ ମିଳିଥିବା ଗୋଟିଏ ବିଦେଶୀ ହିସାବ ମୁତାବକ ଦେଶର ଜିଡିପି ଯେତେବେଳେ ୩ ଦଶମିକ ୪ଲକ୍ଷ କୋଟି ଡଲାର ଥିଲା ସେତେବେଳେ ଦେଶର ଋଣ ମଧ୍ୟ କାନ୍ଧକୁ କାନ୍ଧ ମିଳାଇ ୩ ଦଶମିକ ୩ ଲକ୍ଷ ଡଲାର ଥିଲା । ଋଣର ବିକାଶ ଏଠି ଏତେ ଜୋରରେ ହେଉଛି ଯେ ବେଳେବେଳେ ଜିଡ଼ିପିଠାରୁ ଋଣର ପରିମାଣ ୧୬% ଯାଏ ଅଧିକ ହେଉଛି ।
ଏହି ଦୌଡରେ ଆରବିଆଇ ବି ପଛରେ ନାହିଁ । ଜଣେ କହୁଥିଲେ ଆରବିଆଇ ଇତିମଧ୍ୟରେ ୧୨୭ ବିଲିୟନ୍ ଡଲାର ଋଣରେ ଆଣିଛି । ତେବେ ଏହି ଟଙ୍କା ଅନ୍ୟ କାହାଠାରୁ ନୁହେଁ, ଅପ୍ରବାସୀ ଭାରତୀୟମାନଙ୍କ ଠାରୁ ଅଣାଯାଇଛି ତାଙ୍କୁ ୨୦୨୯ ଭିତରେ ୭% ସୁଧରେ ସୁଝିବାକୁ ପଡ଼ିବ ।
ଓଡ଼ିଶା ମଧ୍ୟ କ’ଣ ଋଣ କରିବାରେ ପଛରେ ଅଛି କି । ୨୦୨୬-୨୭ରେ ଓଡ଼ିଶା ୧ ଲକ୍ଷ ୩୫ ହଜାର କୋଟି ଟଙ୍କାର ଋଣ କରି ଦେଖେଇ ଦେଇଥିଲା ।
ଏମନ୍ତ ଅବସ୍ଥାରେ ଓଡ଼ିଶାର ଲୋକମାନେ କିଆଁ ଆଜ୍ଞା ପଛରେ ରହିବେ କହୁନାହାନ୍ତି । ଆପଣ ଶୁଣିଲେ ଖୁସି ହୋଇପାରନ୍ତି ଯେ ଜଣେ ହିସାବ ଦେଉଥିଲେ ଯେ ଡିସେମ୍ବର ୨୦୨୫ ସୁଦ୍ଧା ଓଡ଼ିଶାର ଲୋକମାନେ ବ୍ୟାଙ୍କ ତଥା ଅନ୍ୟାନ୍ୟ ସୂତ୍ରରୁ ୧୬୦ଲକ୍ଷ କୋଟି ଟଙ୍କାରୁ ଅଧିକ ହୋମ ଲୋନ ବା ପାରିବାରିକ ଋଣ କରିବା ସହିତ ସୁନା ବନ୍ଧକରଖି ମାର୍ଚ୍ଚ ୨୦୨୬ ସୁଦ୍ଧା ୧୮.୬ ଲକ୍ଷ କୋଟି ଋଣ ନେଇଛନ୍ତି । ଏହି ଋଣ କାରବାର ଏବେ ଏତେ ଲୋକପ୍ରିୟ ହୋଇଗଲାଣି ଯେ ଓଡ଼ିଶାର ଅର୍ଥନୈତିକ ଅପରାଧ ଶାଖା ବିଭିନ୍ନ ବ୍ୟାଙ୍କର ନ’ ଜଣ ମହିଳା ଅଧିକାରୀଙ୍କୁ ଏଇଥିପାଇଁ ଗିରଫ କରିଛନ୍ତି ଯେ ସେମାନେ ଦଲାଲମାନଙ୍କ ସହିତ ମିଶି ୨୦୨୨-୨୩ରେ ୨୮୨ଟି ଠକଙ୍କୁ ୧୩.୯୨ କୋଟିର ଋଣ କରାଇ ଦେଇଥିଲେ । ରାଜ୍ୟରେ ଋଣ ପାଇଁ କି ଆଗ୍ରହ ଦେଖିଲେ । ଏମାନେ ସବୁ ଚାଣକ୍ୟଙ୍କର ସଚ୍ଚା ଶିଷ୍ୟ ଆଜ୍ଞା ।
ଜଣେ ଥିଲେ ନାନା….

ପାଠକେ! ପଇସା ପାଇଁ, ନିଶା ପାଇଁ, ନାରୀ ପାଇଁ ତଥା ପ୍ରଭାବ ପାଇଁ କୋଟି କୋଟି ଟଙ୍କାର ଠକେଇ, ଲୁଟ୍, ଚୋରୀ ଏବଂ ନରହତ୍ୟାକୁ ସାମାନ୍ୟ କାର୍ଯ୍ୟ ବୋଲି ମନେ କରାଯାଉଥିବା ସିନେମା ଜଗତରେ ବି ଏଭଳି ଜଣେ ଲୋକ ଥିଲେ । ଯିଏ ଥରେ ନିଦେ୍ର୍ଦଶକ ରୋହିତ ସେଟ୍ଟୀଙ୍କର ଗୋଟିଏ ସିନେମାରେ ନାୟକ ଭାବରେ କାମ କରିବାକୁ ଚୁକ୍ତି କରିଥିଲେ । ସେଟ୍ଟୀ ଯେତେବେଳେ ତାଙ୍କୁ ପଇସା ବା ତାଙ୍କ ପାରିଶ୍ରମିକ କଥା ପଚାରିଲେ କଳାକାରଜଣକ ଏଭଳି କଥା କହିଥିଲେ ଯାହାକୁ ସେଟ୍ଟୀ ମହୋଦୟ ବିଶ୍ୱାସ କରିପାରି ନଥିଲେ । କଳାକାରଜଣକ କହିଥିଲେ ‘ମୋତେ ଗୋଟିଏ ଟଙ୍କା ଦେବ ନାହିଁ । ମୋର ଯେତିକି ପ୍ରାପ୍ୟ ବୋଲି ତୁମେ ଭାବୁଛ, ସେ ସବୁତକ ଟଙ୍କା ଅମୁକ ଅନାଥାଶ୍ରମକୁ ଦେଇଦେବ । ସେଠାକାର ପିଲାମାନେ ଅଭାବରେ ଅଛନ୍ତି ।’
ବିଶ୍ୱାସ ହେଉନାହିଁ ନା, କିନ୍ତୁ ଏମିତି ଜଣେ ସିନେ କଳାକାର ଭାରତୀୟ ସିନେମା ଜଗତରେ ନରଦେହରେ ବି ଥିଲେ । ତାଙ୍କ ନାଁ ବିଶ୍ୱନାଥ ପାଟେକର । କିଛି ଲୋକ ତାଙ୍କୁ ଉଦୟ ପାଟେକର ତ ବହୁ ଲୋକଙ୍କର ସିଏ ଥିଲେ ଖୁବ୍ ପ୍ରିୟ ‘ନାନା’ । ଭାରତକୁ ସ୍ୱାଧୀନତା ଆସିଯିବା ପରେ ଗୋଡସେ ନାମକ ଜଣେ ନରହନ୍ତା ଗାନ୍ଧୀନାମକ ଦୀପଟିକୁ ଲିଭାଇ ଦେବା ପୂର୍ବରୁ ଇଂରେଜ ମହିଳାମାନେ ବିଶ୍ୱାସ କରୁନଥିଲେ ଯେ ଗାନ୍ଧୀଙ୍କ ଭଳି ଜଣେ ନରଦେହଧାରୀ ମଣିଷ ଏ ପୃଥିବୀରେ ଥିଲେ । ଆଉ ନାନା ପାଟେକରଙ୍କ ସହିତ କାମ କରୁଥିବା ଅନେକ ମହିଳା କଳାକାର ନିଦେ୍ର୍ଦଶକମାନଙ୍କର ଏ କଥାକୁ ବିଶ୍ୱାସ କରୁ ନଥିଲେ ଯେ ଯେଉଁ ସିନେମାରେ ସେମାନେ ନାନାଙ୍କ ସହ କାମ କରୁଛନ୍ତି ସେ ସିନେମାରୁ ନାନା ପଇସା ନେଉ ନାହାନ୍ତି । ନାନାଙ୍କ ପଇସାରୁ ଏତିକି ଅମୁକ ସଂସ୍ଥା, ଏତିକି ଅମୁକ ସଂସ୍ଥା ଓ ଏତିକି ଅମୁକ ସଂସ୍ଥାକୁ ଦାନରେ ଦିଆଯାଉଥିଲା । ବାକି କିଛି ପଇସା ତାଙ୍କୁ ଦିଆଯାଉଥିଲା । ଏଇ ଗୁଣଟି ପାଇଁ ନାନାଙ୍କୁ ଅନେକ ଈର୍ଷା କରୁଥିଲେ ଓ କହୁଥିଲେ ଯେ ନାନାଙ୍କର ଅଭିନୟ କରିବା ଭଳି କିଛି ଗୁଣ ନାହିଁ । ସିଏ କେବଳ ଏଇଗୁଡ଼ା କରି ଲୋକପ୍ରିୟ ହୋଇଯାଉଛନ୍ତି । ଏକଥାଟି ନାନାଙ୍କ ମୃତ୍ୟୁପରେ ତାଙ୍କ ବନ୍ଧୁ ବିଶିଷ୍ଟ ଗଜଲଗାୟକ ଅନୁପ ଜଲୌଟା କହିଛନ୍ତି । ତାଙ୍କ କହିବାନୁଯାୟୀ ନାନାଙ୍କର ଏଇ ମାନବଧର୍ମୀ କାର୍ଯ୍ୟ କିନ୍ତୁ ଜମା ଲୋକ ଦେଖାଣିଆ ନଥିଲା । ‘ଆମେ ଦୁଇଜଣ ପରସ୍ପରର ଭଲ ବନ୍ଧୁ ଥିଲୁ । ନାନା ଯେତେବେଳେ ସିନେମା କାମରେ ମୁମ୍ବାଇରେ ଥାଆନ୍ତି ସିଏ ମୋ ଘରକୁ ଆସନ୍ତି । ଆମେ ଅନେକ ବିଷୟରେ ତ କଥା ହେଉ । କିନ୍ତୁ ନାନା ଦାନ ବା ଚାରିଟୀ ବିଷୟରେ ଅଧିକ କଥା ହୁଅନ୍ତି । ବିଶେଷକରି ଗରିବ କୃଷକଙ୍କ କଥା କୁହନ୍ତି । ସିଏ କହନ୍ତି ଏ ସିନେମା ବନ୍ଦ ହୋଇଗଲେ କିଛି ଲୋକଙ୍କର ଆର୍ଥିକ କ୍ଷତି ହୋଇପାରେ କିନ୍ତୁ ଚାଷ ବନ୍ଦ ହୋଇଗଲେ ସମସ୍ତେ ମରିଯିବେ ।’
ପାଠକେ ନାନା ଯେହେତୁ ଜଣେ ନିଖୁଣ କଳାକାର ଥିଲେ ତେଣୁ ସିନେମାରୁ ସିଏ ବହୁ ପଇସା ପାରିଶ୍ରମିକ ଭାବେ ପାଉଥିଲେ । ତାଙ୍କ ବିଷୟରେ କହିବାକୁ ଯାଇ ଆଉ ଜଣେ ପ୍ରସିଦ୍ଧ ସିନେ କଳାକାର ପରେଶ ରାୱଲ କହନ୍ତି- “ହିନ୍ଦୀ ସିନେମାରୁ ଯଦି କେହି ଜଣେ ଚରିତ୍ର ଅଭିନେତା ସବୁଠୁ ଅଧିକା ପଇସା ପାଇଥାଆନ୍ତି ତେବେ ସିଏ ହେଉଛନ୍ତି ନାନା ।” “ସିଏ ସେତେବେଳେ (ଯେତେବେଳେ ଟଙ୍କାର କିଛି ମୂଲ୍ୟ ଥିଲା) ଗୋଟାଏ ସିନେମାରୁ କୋଟିଏ ଟଙ୍କା ନେଉଥିଲେ ।” ତା’ସତ୍ତ୍ୱେ ନିଦେ୍ର୍ଦଶକମାନଙ୍କ ସହିତ ନାନା କିପରି ଅତି ସହଜ ବ୍ୟବହାର କରୁଥିଲେ ସେ ବିଷୟରେ ପରେଶ ରାୱଲ କହନ୍ତି-ଥରେ ଜଣେ ନିଦେ୍ର୍ଦଶକ ତାଙ୍କୁ ଗୋଟିଏ ସିନେମା ବିଷୟରେ କହିଲେ । ସିଏ ଆଶା କରୁଥିଲେ ଯେ ନାନା ସାଙ୍ଗେସାଙ୍ଗେ ତାଙ୍କଘରେ ପହଂଚିଯିବେ ଓ ସିନେମା ବିଷୟରେ ଆଲୋଚନା କରିବେ । ହେଲେ ଓଲଟା ହେଲା ଯେ ନାନା ସେ ନିଦେ୍ର୍ଦଶକଙ୍କୁ ତାଙ୍କ ଘରକୁ ଡାକିଲେ, କହିଲେ ଘରକୁ ଆ ମଟନ ଫଟନ ଖାଇବା, ଆଉ କଥାହେବା । ନିଦେ୍ର୍ଦଶକ ତାଙ୍କ ଘରକୁ ଯାଇଥିଲେ । ଶେଷ ପର୍ଯ୍ୟନ୍ତ ନାନାଙ୍କୁ ତାଙ୍କ ସିନେମାରେ କାମ କରେଇବା ପାଇଁ ରାଜି କରାଇ ଫେରିଥିଲେ ।” ରାୱଲଙ୍କ ମତରେ – ଇଏ ଥିଲେ ନାନା । ନିଶ୍ଚିତ ଜଣେ ଭିନ୍ନ କଳାକାର । ନାନାଙ୍କ ନାଁରେ ସିନେମା ଚାଲୁଥିଲା, ହିଟ ହେଉଥିଲା, ବକ୍ସ ଅଫିସ ସଫଳତା ଦେଉଥିଲା, ପଇସା ଖଟାଇଲାବାଲା ତା ପଇସା ଫେରି ପାଉଥିଲା ।
ସାଥୀ କଳାକାର ରାଜପାଲ ଯାଦବ ଯାହା କହନ୍ତି, “ନାନା ଏଇମିତି ନାନା ହୋଇ ଯାଇ ନଥିଲେ । ତାଙ୍କୁ ଏଥିପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି ।” ମହାରାଷ୍ଟ୍ରର ଗୋଟିଏ ଛୋଟିଆ ଗାଁ, ଯାର ନାଁ ଥିଲା ମୁରୁଦଜଂଜିରା । ସେହି ଗାଁଆର ଗୋଟିଏ ନିମ୍ନ ମଧ୍ୟବିତ୍ତ ଘରେ ଜନ୍ମ ନେଇଥିଲେ ନାନା ୧ ଜାନୁଆରୀ ୧୯୫୧ରେ । ପିତା ଗଜାନନ ପାଟେକର ଓରଫ ଦିନକର ଏବଂ ମାତା ନିର୍ମଳା ପାଟେକର ଓରଫ ସଂଜୁବାଳାଙ୍କ ଘରେ । ନାନାଙ୍କ ସାତ ଭାଇ ଭଉଣୀ ମଧ୍ୟରୁ କେବଳ ଦୁଇଜଣ ଅଶୋକ ଓ ଦିଲ୍ଲୀପ ବଂଚିଥିଲେ । ବାକିମାନେ ରୋଗରେ ପଡ଼ି ମରି ଯାଇଥିଲେ । ନାନାଙ୍କର ଦୁଇ ପୁଅ ମଧ୍ୟରୁ ଗୋଟିଏ ପୁଅ ଦୁର୍ବାସା ମାତ୍ର ଦୁଇବର୍ଷରୁ ମରି ଯାଇଥିଲା । ପଇସା ରୋଜଗାର ପାଇଁ ପିଲାଦିନୁ ନାନା ଖୁବ ଛୋଟ ଛୋଟ କାମ କରିଥିଲେ । ଯେମିତିକି କାନ୍ଥରେ ସିନେମାର ପୋଷ୍ଟର ମାରିବା । ବାପାଙ୍କଠୁ ଶିଖି ସଡ଼କରେ ଧଳା ରଙ୍ଗ ମାରିବା ଏବଂ ଚାଷୀଙ୍କ ସହ ମିଶି କ୍ଷେତରେ କାମ କରିବା । କାନ୍ଥରେ ପୋଷ୍ଟର ମାରିବାରୁ ସିଏ ଶୁଣିଥିଲେ ଯେ ପୋଷ୍ଟରରେ ଥିବା କଳାକାରମାନେ ପ୍ରଚୁର ପଇସା ଓ ନାଁ କମାଉଛନ୍ତି । ପରେ ବୁଝିଲେ ଯେ ସିନେମା ନୁହେଁ ଥିଏଟର ହିଁ ହେଉଛି ଅଭିନୟ କରିବାର ମୂଳ ମଂଚ । ହେଲେ ତାଙ୍କର କେହି ଧର୍ମବାପା ନଥିଲେ । ତେଣୁ ସେ ପ୍ରଥମେ ଗୋଟିଏ ଥିଏଟର ପ୍ରଶିକ୍ଷଣ କେନ୍ଦ୍ରରେ ନାମ ଲେଖାଇଥିଲେ ଓ ସେଇଠାରୁ ଆରମ୍ଭ ହୋଇଥିଲା ନାନା ବୋଲି କଳାକାରଟିର ସଂଘର୍ଷ ଓ ଉତ୍ଥାନର ଯାତ୍ରା । ତାଙ୍କର ଜଣେ ସାଥୀ କଳାକାର ସ୍ମିତା ପାଟିଲଙ୍କ ପ୍ରରୋଚନାରେ ହିଁ ତାଙ୍କର ହିନ୍ଦୀ ସିନେମାରେ ପାଦ ରଖିବା ଆରମ୍ଭ ହୋଇଥିଲା ଆଉ ଆଗେଇ ଚାଲିଥିଲା ବୋଲି କହନ୍ତି ନିଜେ ନାନା ।
ନାନାଙ୍କୁ ଜାଣିଥିବା ଅନେକ ତାଙ୍କ ବିଷୟରେ କହିବାକୁ ଯାଇ ଯାହା କହନ୍ତି ସେଇଟା ହିଁ ସତ । ହିନ୍ଦୀ ସିନେମାରେ ପଶିବା ପରେ ଯେତେବେଳେ କଳାକାରମାନଙ୍କର ସବୁକିଛି ବଦଳିଯାଏ ନାନାଙ୍କର କିଛି ବିି ହେଲେ ବଦଳି ନଥିଲା । ଶ୍ରୀ ଜଲୌଟା କହନ୍ତି “ସେ ନିଜେ କେବେ ନିଜ ଉପରେ ଅଧିକ ପଇସା ଖର୍ଚ୍ଚ କରୁ ନଥିଲେ । ଅତି ସାଧା କପଡ଼ା ଓ ଶସ୍ତା ଚପ୍ପଲ ପିନ୍ଧନ୍ତି । ସେ’ତ ବେଶି ପାର୍ଟିକୁ ଯାଆନ୍ତିନି, ଯଦି ଯାଆନ୍ତି ତେବେ ସେଇ ଶସ୍ତା ପୋଷାକ ଓ ଚପ୍ପଲରେ ହିଁ ପହଞ୍ଚନ୍ତି । ସିନେମାରେ ୫ଦଶନ୍ଧି ଧରି ସକ୍ରିୟ ଥିଲେ ମଧ୍ୟ ଅଭିନୟ କଲାବେଳେ ନିଜ ପୋଷାକ, ନିଜ ଆଚରଣ, ଉଚ୍ଚାରଣ ଏବଂ ନିଜ ଅଭିନୟରେ ଜଣେ ଅଭିନୟ କରୁଥିବା କଳାକାର ଭଳି ନୁହେଁ ମାଟିର ମଣିଷଟିଏ ପରି ଲାଗନ୍ତି । ହୁଏତ ଏଇଥିପାଇଁ ତାଙ୍କୁ ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିବା ସହିତ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ସିନେମାରୁ କୋଟି କୋଟି ଟଙ୍କା ମିଳିବା ସତ୍ତ୍ୱେ ନାନା ସବୁଦିନେ ମୁମ୍ବାଇର ସେହି ଦୁଇଟି କୋଠରୀ ବିଶିଷ୍ଟ ଘରଟିରେ କାଟି ଦେଇଥିଲେ । ନାନାଙ୍କ ମତରେ ସିଏ ଜଣେ ମାମୁଲୀ ଲୋକ ଥିଲେ । ସିନେମା କଲାବେଳ ମୁମ୍ବାଇ ଆସୁଥିଲେ ତା ପରେ ଗାଁ’କୁ ଫେରି ଯାଉଥିଲେ । ସେଇଟା କେବଳ ତାଙ୍କର ମୁମ୍ବାଇର ଠିକଣା ଥିଲା । ପ୍ରକୃତରେ ସିଏ ଗୋଆ ପାଖରେ ଏକ ଗାଁ’ରେ ଏକ ଫାର୍ମ ହାଉସ କରି ସେଇଠି ଚାଷ କାମକରିବା ସହିତ ନିଜେ ଗୋଟିଏ ଛୋଟିଆ ଘରେ ରହୁଥିଲେ । ଗରିବ କୃଷକ ଓ ସେମାନଙ୍କ ପରିବାରର ଆର୍ଥିକ ବିକାଶ ପାଇଁ ସେ ଆଉ କିଛିଲୋକଙ୍କ ସହ ମିଶି ଗୋଟିଏ ‘ନାମ ଫାଉଣ୍ଡେସନ’ ଗଢିଥିଲେ ଓ ସେଥିରେ ବହୁ କୃଷକଙ୍କୁ ଆର୍ଥିକ ଏବଂ ପ୍ରଯୁକ୍ତି ସହାୟତା ଯୋଗାଇ ଦିଆଯାଉ ଥିଲା ।
ଜଣେ କେତେ ମାନବବାଦୀ ହୋଇପାରେ ସେକଥା ଏଇଥିରୁ ଜଣା ପଡ଼େ ଯେ ନାନା ଏ ଦୁନିଆ ଛାଡିବାର କିଛି ସମୟ ଆଗରୁ ତାଙ୍କ ପୁଅ ପାଇଁ କହିଥିଲେ-ମୁଁ ଯିବି । ମତେ ପୋଡ଼ିବା ପାଇଁ ମୋଟ ବାର ମହଣ କାଠ ଲାଗିବ । ମୁଁ ସେତକ କିଣି ରଖି ଦେଇଛି । କାରଣ ସେଇତିକ ମୋର ଶେଷ ସମ୍ପତ୍ତି । ମୋତେ ସେଇଥିରେ ପୋଡ଼ିବୁ । କାରଣ ସେଗୁଡ଼ିକ ଏକଦମ ଶୁଖିଲା କାଠ, ସେଥିରୁ ଧୂଆଁ ବାହାରିବ ନାହିଁ । ଓଦା କାଠ ହେଲେ ସେଥିରୁ ଧୂଆଁ ବାହାରି ମେତେ ଦେଖିବାକୁ ଆସି ମୋ ଚିତା ଚାରିପଟେ ଜମା ହୋଇଥିବା ଲୋକଙ୍କ ଆଖିରୁ ପାଣି ବାହାରିଲେ ସେମାନେ କଷ୍ଟ ପାଇବେ । ଯଦିଓ ବିଜେପି ସରକାର ତାଙ୍କର ସେ ଇଚ୍ଛା ପୂରଣ ନକରି ତାଙ୍କୁ ଗୋବରର ଘସିକାଠରେ ଜାଳିଥିଲେ ।
ବାବାରେ! ଇଏ ତ
ସାଧାରଣ ନିର୍ବାଚନକୁ ଟପିଗଲା?

ପାଠକେ! ମହଙ୍ଗା ଶିକ୍ଷା-ବେପାର ସଂସ୍ଥାକୁ ଛାଡିଦେଲେ ଆମ ରାଜ୍ୟରେ ସରକାରୀ, ବେସରକାରୀ କଲେଜ ସଂଖ୍ୟା ବୋଧେ ୨୨୦୭ ଖଣ୍ଡେ ହେବେ । ସେଥିରେ ଡିଗ୍ରୀ କଲେଜ ପ୍ରାୟ ୧,୦୪୭ ପାଖାପାଖି ହେବେ । ଆଉ ପାଖାପାଖି ୩୦ରୁ ଅଧିକଟି ଶସ୍ତା ମହଙ୍ଗା ବିଶ୍ୱବିଦ୍ୟାଳୟ କୁହାଯାଉଥିବା ସଂସ୍ଥା ଅଛନ୍ତି । ଏଇଥିରୁ କେତେକରେ ଆଗାମୀ ୧୫ ତାରିଖ ଦିନ ଛାତ୍ରସଂସଦ ନିର୍ବାଚନ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଆଠବର୍ଷ ପରେ ତାଙ୍କ ସରକାର ଗୋଟା ବଡ଼ କାମ କରି ପକାଇଛି ଯେ ରାଜ୍ୟର ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚନ କରାଇ ପାରିଛି । ଆଠ ବର୍ଷ ହେଲା ହେଉ ନଥିଲା ତାଙ୍କ ସରକାର କରାଇ ପାରିଛି । ପ୍ରକୃତରେ ରାଜ୍ୟରେ କଲେଜ ନିର୍ବାଚନ ୨୦୧୮ରେ ହୋଇଥିଲା, ଆଉ ହୋଇନି । ହେଲେ ଆମକୁ ଭିତର ସୂତ୍ରରୁ ଯାହା ଜଣାପଡ଼ୁଛି, ଏବର୍ଷ ମଧ୍ୟ ପ୍ରକୃତରେ କଲେଜଗୁଡ଼ିକରେ ନିର୍ବାଚନ ବା ଇଲେକ୍ସନ ହେଉନାହିଁ ମନୋନୟନ ବା ସିଲେକ୍ସନ ହେବ । ସରକାରୀ ଭାବେ ମଧ୍ୟ କୁହାଯାଇଛି ଯେ ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି କଲେଜ ମିଶି ମୋଟ ୩୪୧ଟିରେ ଇଲେକ୍ସନ ହେଲାବେଳକୁ ୨୦୫ଟିରେ ସର୍ବସମ୍ମତ ମନୋନୟନ ବା ସିଲେକ୍ସନ ହେବ । କିନ୍ତୁ ବେସରକାରୀ ଭାବେ ଯାହା କୁହାଯାଉଛି ଯେଉଁଠି ହିନ୍ଦୁତ୍ୱବାଲା ଛାତ୍ର ସଙ୍ଗଠନର ଶାଖା ଅଛି, ସେଇଠି ନିର୍ବାଚନ ହେଉଛି ଓ କୁନି କୁନି ଜ୍ଞାନେଶକୁମାରମାନଙ୍କ ସହାୟତାରେ ସେଠି କାଳେ ଏବିଭିପିକୁ ଜିତା ଯିବ । ଯେଉଁଠି ସିଲେକ୍ସନ ସେଠି ତ ଶାସକଦଳର ଏବିବଭିପି ଜିତି ସାରିଲାଣି ଜାଣ(ବୋଲି କୁହାଯାଉଛି ।)
ଯାହା ହିସାବ ମିଳିଲା, ନିର୍ବାଚନ ହେବାକୁ ଥିବା କଲେଜ ଗୁଡ଼ିକରେ ଏଥର ମୋଟ ଯେଉଁ ୮,୩୭୦ ଜଣ ପିଲା ବିଭିନ୍ନ ପଦ ପାଇଁ ନିଜ ନିଜ ସଂସ୍ଥାରେ ନାମାଙ୍କନ ଭରିଥିଲେ । ସେଥିରୁ ୧,୧୯୬ଙ୍କ ନାମାଙ୍କନକୁ କୁନି କୁନି ଜ୍ଞାନେଶ କୁମାରମାନେ ନାକଚ କରି ଦେଇ ସାରିଛନ୍ତି । ତେଣୁ ଏବେ କଲେଜଗୁଡିÿକରେ ତଥା ବାହାରେ ପ୍ରବଳ ଆକ୍ରୋଶ । ସେ ଯାହାହେଉ ଶେଷରେ ୬,୬୪୯ ପ୍ରାର୍ଥୀ ମଇଦାନରେ ଅଛନ୍ତି ।
ଏଇ ଖବରଟି ଲେଖା ହେଲାବେଳକୁ ଏବେ କଲେଜଗୁଡ଼ିକର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଏପରି ଘମାଘୋଟ ଚାଲିଛି ଯେ ନଦେଖିଲେ ବିଶ୍ୱାସ କରିହେବନି । ଏହା ଯେ ସାଧାରଣ ନିର୍ବାଚନଠାରୁ କିଛି କମ ଆକାରରେ ହେଉଛି ସେକଥା ବିଶ୍ୱାସ କରିହେଉନି । ଭୋଜି, ଉପହାର ଦିଆନିଆ, ମଦ, ସବୁ କିଛି ସାଧାରଣ ନିର୍ବାଚନ ପରି ଚାଲିଛି । ଏହା କାଳେ ୧୪ ତାରିଖର ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଚାଲିବ । ଡୋର ଟୁ ଡୋର କ୍ୟାମ୍ପେନରେ ପ୍ରତିଦ୍ୱନ୍ଦ୍ୱୀ ଓ ତାଙ୍କ ଦଳର ନେତାମାନେ ତାଙ୍କ ଭୋଟରମାନଙ୍କ ସହର ଓ ଗାଁ’କୁ ଯାଇ ସେଠାରେ ବିଭିନ୍ନ ମନ୍ଦିରରେ ଭୋଜିିର ଆୟୋଜନ କରୁଛନ୍ତି । ଏବେ ଏହିଭଳି ଏକ ଭୋଜିସଭାରେ ପିଟାପିଟି ହୋଇ କିଛି ପ୍ରତିଦ୍ୱନ୍ଦ୍ୱୀ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ଏଥିରେ ସେମାନଙ୍କୁ ସେମାନଙ୍କ ଦଳର ସ୍ଥାନୀୟ ନେତାମାନେ ଭରପୁର ସହାୟତା ଯୋଗାଇ ଦେଉଛନ୍ତି । ଭୋଜି ଖାଉଥିବା ଛାତ୍ରଛାତ୍ରୀମାନେ ଠାକୁରଙ୍କ ଆଡକୁ ହାତ ବଢ଼ାଇ ଶପଥ କରୁଛନ୍ତି ଯେ ସେମାନେ ଭୋଜି ଦେଇଥିବା ପ୍ରାର୍ଥୀଙ୍କୁ ହି ଭୋଟ ଦେବେ । ଅନେକ କଲେଜରେ କଲେଜ ନିର୍ବାଚନ ପ୍ରଚାର ସାଧାରଣ ନିର୍ବାଚନ ପରି ହିଂସାତ୍ମକ ହେଉଛି । କଲେଜ ଭିତର ବାହାର ଉଠୁଛି ପଡ଼ୁଛି । ଅନେକ ସ୍ଥାନରେ ବୋମା ଫୁଟୁଛି । ଠେଙ୍ଗାବାଡି ଚାଲୁଛି । ବହୁ ସ୍ଥାନରେ ଛାତ୍ରଛାତ୍ରୀ ଆହତ ହେଉଛନ୍ତି । କଲେଜ ବାହାରେ ଦଳୀୟ ନେତାମାନେ ମଧ୍ୟ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତିି । ବିଜେଡିର ସୁଜାତା ରାଉତ କହିଲେଣି ଯେ ଶିକ୍ଷଣ ସଂସ୍ଥାନଗୁଡ଼ିକରେ ଆଇନକାନୁନ ଏକଦମ୍ ବିଗିଡ଼ି ଗଲାଣି । ଅରୁଣ ସାହୁ କହୁଛନ୍ତି ସିଏ ହାଇକୋର୍ଟର ବୋନାଫାଇଡ ଓକିଲ, ନୟାଗଡ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ମୋକଦମ୍ମା କରିବେ । ସୁଜାତା କହୁଛନ୍ତି ବିରୋଧୀ ଦଳ ସହ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ପୁଲିସ ଧମକାଉଛି । ମହିଳା କଲେଜରେ ଅଣଛାତ୍ର ଅପରାଧୀମାନେ ଗେଟ ତାଡ଼ି କଲେଜ ଭିତରେ ପଶୁଛନ୍ତି । ଇତିମଧ୍ୟରେ ଦ୍ୱାର ଦ୍ୱାର ବୁଲି ନିର୍ବାଚନ ପ୍ରଚାର କରୁଥିବା ଗୋଟିଏ ଦଳର କେତେକ ଛାତ୍ରନେତାଙ୍କୁ ପିପିଲିଠାରେ ଆଉ ଏକ ଦଳର ଛାତ୍ରନେତାମାନେ ପିଟିକି ମୁଣ୍ଡ ଫଟାଇ ଦେଇଛନ୍ତି । ଏହା ଗୋଟିଏ ଦଳର ଛାତ୍ରନେତାଙ୍କ ପକ୍ଷରୁ ଗୋଟିଏ ମନ୍ଦିରରେ ଭୋଜି ଦିଆଯିବା ବେଳେ ଘଟିଛି । ବାଲେଶ୍ୱର ଜିଲ୍ଲାରେ କଲେଜ ଛାତ୍ରସଂସଦ ନିର୍ବାଚନରେ ବି ବିଜେଡିର ତିନିଜଣ ନେତା ଦଳବିରୋଧୀ କାର୍ଯ୍ୟ କରୁଥିଲେ ତାଙ୍କୁ ଦଳରୁ ବିଦା କରାଯାଇଛି । ସେହି ବାଲେଶ୍ୱରରେ ଜଣେ ଛାତ୍ରନେତାଙ୍କୁ ପୁଲିସ ଗିରଫ କରିବାରୁ ତାକୁ ନେଇ ସାରା ବାଲେଶ୍ୱର ଉଠୁଛି କି ପଡ଼ୁଛି । ବିଜେଡ଼ି ନେତାମାନେ ପୁଲିସ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ କଂଗ୍ରେସଭବନରେ ଛାତ୍ର କଂଗ୍ରେସ ପିଲାମାନେ କହିଛନ୍ତି ଯେ କଲେଜ ପ୍ରଶାସନ ଜାଣି ଜାଣି ତାଙ୍କ ପ୍ରାର୍ଥୀମାନଙ୍କ ନାମାଙ୍କନ ରଦ୍ଦ କରି ଦେଇଛନ୍ତି । କଲେଜ ପରିସରରେ ଛାତ୍ରମାନଙ୍କୁ ଅଣଛାତ୍ର ଗୁଣ୍ଡାମାନେ ଆକ୍ରମଣ କରୁଥିବାବେଳେ ପୁଲିସ ଛାତ୍ରନେତାମାନଙ୍କୁ ସୁରକ୍ଷା ଦେବାକୁ ଛାତ୍ର କଂଗ୍ରେସ ଦାବି କରିଛି ।
ବାବାରେ ବାବା! ଇଏ ଆଉ ଗୋଟା ସାଧାରଣ ନିର୍ବାଚନ । ନାଇଁ କ’ଣ?
Comments
0 comments
