‘ଏକ ବିଚିତ୍ର ସ୍ଥିତିରେ ଆମେ ଓ ଆମ ଦେଶ’

ସୁଧୀର ପଟ୍ଟନାୟକ | Sudhir Pattnaik (Chief Editor)
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform,...
9 Min Read

ଦେଶର ଗୋଟିଏ ପଟେ ପରୀକ୍ଷା ପ୍ରଶ୍ନପତ୍ର ଚୋରି, ରୋଜଗାର ଚୋରି, ଜନତାଙ୍କ ଆୟର ଚୋରି, ରାଜ୍ୟମାନଙ୍କର ରାଜସ୍ୱ ଚୋରି ଇତ୍ୟାଦି ଅନେକ ଚୋରି ଚାଲିଥିବାବେଳେ ନିର୍ବାଚିତ ଜନପ୍ରତିନିଧି ଚୋରି, ଦଳ ଚୋରି, ସରକାର ଚୋରି ଇତ୍ୟାଦି ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି । ସବୁଠାରୁ ବଡ଼ ଚୋରି ସାମ୍ନାକୁ ଆସିଲା, ଯେତେବେଳେ ଲୋକସଭାର ବିରୋଧୀ ଦଳ ନେତା ଗୋଟିଏ ପରେ ଗୋଟିଏ ଭୋଟ୍ ଚୋରିର ଅଭିଯୋଗ ତଥ୍ୟ ସହ ଉପସ୍ଥାପନ କରି ଲୋକଙ୍କ ସାମ୍ନାରେ ରଖିଲେ । ନିର୍ବାଚନ ଆୟୋଗଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ଆସିଲା ନାହିଁ । ଅନେକ ପ୍ରସଙ୍ଗରେ ନିଜଆଡୁ ମାମଲା କରୁଥିବା ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଭୋଟ୍ ଚୋରି ତଥ୍ୟ ଉନ୍ମୋଚନ ହେବାପରେ ବି କୌଣସି ନିଜଆଡୁ ପଦକ୍ଷେପ ନେଲେ ନାହିଁ । ରାହୁଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବି ନିଆଗଲା ନାହିଁ, ଅର୍ଥାତ୍ ରାହୁଲ ମିଛ କହୁନାହାଁନ୍ତି, ଏ କଥା ପ୍ରମାଣିତ ହେଲା । କିନ୍ତୁ ସେ ଉପସ୍ଥାପନ କରିଚାଲିଥିବା ତଥ୍ୟ ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ ।
ଗତ ୧୨ବର୍ଷ ଭିତରେ ଦେଶରେ ଅନ୍ଧଭକ୍ତମାନଙ୍କର ସଂଖ୍ୟା ଆଶାତୀତ ଭାବେ ବଢ଼ିଚାଲିଛି । ଏଭଳି ଅନ୍ଧଭକ୍ତ ଯେ ବାହାରେ ଅଛନ୍ତି ତାହା ନୁହେଁ, ଆମ ନିଜ ପରିବାର ଏବଂ ବନ୍ଧୁବର୍ଗଙ୍କ ଭିତରେ ସେମାନଙ୍କ ସଂଖ୍ୟାକୁ ଦେଖିଲେ ବାହାରେ କେତେ ଥିବେ ବରଂ ଅନୁମାନଟିଏ କରିହେବ । ଏହା କହିବାର ଅନ୍ୟ ଅର୍ଥ ହେଉଛି ଭୋଟ୍ ଚୋରିକୁ ନେଇ ଯେଉଁଭଳି ପ୍ରତିବାଦ ଭୋଟରମାନଙ୍କର ହେବା କଥା, ସେଭଳି ହେଲା ନାହିଁ ବା ହେଉନାହିଁ । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ, ୨୦୧୯ ମସିହା ନିର୍ବାଚନକୁ ନେଇ ଅଶୋକା ବିଶ୍ୱବିଦ୍ୟାଳୟର ଅର୍ଥନୀତିର ଜଣେ ଯୁବ ପ୍ରଫେସର ଡକ୍ଟର ସବ୍ୟସାଚୀ ଦାସ ୨୫ ଜୁଲାଇ ୨୦୨୩ରେ ଗୋଟିଏ ନିବନ୍ଧ ଲେଖିଥିଲେ “ଡେମୋକ୍ରାଟିକ୍ ବ୍ଲାକ୍ ସ୍ଲାଇଡିଂ ଇନ୍ ଦ ୱାର୍ଲ୍ଡ୍ସ ଲାର୍ଜେଷ୍ଟ ଡେମୋକ୍ରାସି’ । ସେଠି ସେ କେମିତି ୧୧ଟି ଲୋକସଭା ଆସନରେ ଭୋଟ୍ ଏପଟସେପଟ କରାଯାଇଛି, ତଥ୍ୟଭିତ୍ତିକ ଗୋଟିଏ ଉପସ୍ଥାପନା କରିଥିଲେ । ଯେଉଁଥି ପାଇଁ କି ମୋଦୀଙ୍କ ଦଳ ୨୦୧୪ ଅପେକ୍ଷା ଅଧିକ ଆସନ ପାଇବାରେ ସଫଳ ହେଲେ । ଯଦି ସବୁ ଲୋକସଭା ଆସନଗୁଡ଼ିକରେ ଏହିଭଳି ଅଧ୍ୟୟନ ହୋଇଥାନ୍ତା, ହୁଏତ ଅଧିକ ତଥ୍ୟ ସାମ୍ନାକୁ ଆସିଥାନ୍ତା ଏବଂ ମୋଦୀଙ୍କର ବିପୁଳ ବିଜୟ ଏକ ଚୋରି ଉପରେ ଆଧାରିତ ଜଣାପଡ଼ିଥାନ୍ତା! କିନ୍ତୁ ଭାରତର ନିର୍ବାଚନ ଆୟୋଗ ନିଜଆଡୁ ଅନୁସନ୍ଧାନ କଲେ ନାହିଁ । ଭାରତର ଉଚ୍ଚତମନ୍ୟାୟାଳୟ ସେତେବେଳକୁ ଶାସକମାନଙ୍କ ପ୍ରଭାବ ଭିତରକୁ ହୁଏତ ଆସି ଯାଇଥିଲେ । ଭାଜପାର ଏବଂ ଏହାର ମିଡିଆ ବିଭାଗର ପ୍ରବଳ ଚାପ ଭିତରେ ମାତ୍ର ଗୋଟିଏ ସପ୍ତାହରେ ଡକ୍ଟର ସବ୍ୟସାଚୀ ଦାସଙ୍କୁ ଅଶୋକା ବିଶ୍ୱବିଦ୍ୟାଳୟରୁ ଅବ୍ୟାହତ ନେବାକୁ ପଡ଼ିଥିଲା । ଅନ୍ୟଭାଷାରେ କହିବାକୁ ଗଲେ, ଡକ୍ଟର ଦାସଙ୍କ ୨୦୧୯ ନିର୍ବାଚନ ଅନୁଧ୍ୟାନ ଏବଂ ରାହୁଲ ଗାନ୍ଧୀଙ୍କ ୨୦୨୪ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନରୁ ସଙ୍କେତ ମିଳୁଛି ଯେ, ସମସ୍ତ ସରକାରୀ ଅନୁଷ୍ଠାନମାନଙ୍କୁ ହାତମୁଠାରେ ରଖିବାସତ୍ତ୍ୱେ ମୋଦୀ ସରକାରଙ୍କୁ ଭୋଟ୍ ଚୋରିର ସାହାଯ୍ୟ ହୁଏତ ନେବାକୁ ପଡ଼ିଥିଲା । ତାର ଅନ୍ୟ ଏକ ବାର୍ତ୍ତା ହେଉଛି ଯେ, ହୁଏତ ୨୦୧୯ ଏବଂ ୨୦୨୪ର ସାଧାରଣ ନିର୍ବାଚନ ଓ ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱ ଆସନରେ ବସିବା ଅନୈତିକ ଓ ଅବୈଧ ହୋଇଥାଇପାରେ ଯଦି ନିରପେକ୍ଷ ଅନୁସନ୍ଧାନ କରାଯାଏ । ନିରପେକ୍ଷ ଅନୁସନ୍ଧାନ କରିବ କିଏ, ନିରପେକ୍ଷ ବୋଲି କିଛି ନାହିଁ । ଅନ୍ୟ ଅର୍ଥରେ ଦେଖିବାକୁଗଲେ ସମ୍ବିଧାନର ପକ୍ଷ ନେଇ ସମସ୍ତ ଅଭିଯୋଗର ଅନୁସନ୍ଧାନ କରିବା କଥା । କିନ୍ତୁ ସେ ଅନୁସନ୍ଧାନ କରିବ କିଏ? ପ୍ରଥମତଃ ନିର୍ବାଚନ କମିଶନ ସାମ୍ନାକୁ ଆସନ୍ତି । କିନ୍ତୁ ସମସ୍ତ ଭୋଟ୍ ଚୋରି ଅଭିଯୋଗରେ ନିର୍ବାଚନ ଆୟୋଗ ହିଁ ଅଭିଯୁକ୍ତ ରହିଆସିଛନ୍ତି । ସେମାନେ ବା ନିଜ ଉପରେ ଅନୁସନ୍ଧାନ କରିବେ କେମିତି? ଉଚ୍ଚତମ ନ୍ୟାୟାଳୟ ନିଜକୁ ଏସବୁରେ ମୁକ୍ତ ରଖିବାପାଇଁ ଆୟୋଗଙ୍କ ଅଧିକାର ଓ ତାଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେଉଥିବାର ଅଭିନୟ କରିଆସୁଛନ୍ତି । ସେହି ଭିତରେ ସବୁଆଡ଼େ ନିରାଶା ବଢ଼ିଚାଲିଥିବାବେଳେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଇଂରାଜୀ ଖବରକାଗଜର ବରିଷ୍ଠ ସାମ୍ବାଦିକ ରିତିକା ଚୋପ୍ରା ଯେଉଁ ତଥ୍ୟ ନିଜ ଖବର କାଗଜରେ ଉପସ୍ଥାପନ କଲେ, (ସେପ୍ଟେମ୍ବର ୨୩, ୨୦୨୬) ତାହା ୨୦୧୯ ନିର୍ବାଚନରେ ଡକ୍ଟର ଦାସଙ୍କର ଅଧ୍ୟୟନ ଓ ୨୦୨୪କୁ ନେଇ ରାହୁଲ ଗାନ୍ଧୀଙ୍କ ତଥ୍ୟଭିତ୍ତିକ ଅଭିଯୋଗକୁ ଅଧିକ ସୁଦୃଢ଼ କରିଥିଲା । ଏମାନଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଅଭିଯୋଗ ଆଣିଛନ୍ତି । କିନ୍ତୁ ସେମାନଙ୍କ ଉପସ୍ଥାପନା ତଥ୍ୟଭିତ୍ତିକ ଥିଲା ।
ରିତିକାଙ୍କ ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ଗତ ଦଶ ମାସ ଭିତରେ ନିର୍ବାଚନ ଆୟୋଗଙ୍କର ଅନ୍ୟ ଦୁଇଜଣ ଆୟୁକ୍ତ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ୧୪ ଥର ଅଭିଯୋଗ କରି ଜଣାଇଛନ୍ତି ଯେ, ଆୟୋଗରେ “ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍’ (ଏସ୍.ଆଇ.ଆର୍) ଏବଂ ଫର୍ମ ୬ପରି ଗୁରୁତ୍ୱପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତିଜନିତ ପ୍ରକ୍ରିୟାରେ ସେମାନଙ୍କୁ ଅନ୍ଧକାରରେ ରଖି ସବୁପ୍ରକାର ନିଷ୍ପତ୍ତି ଆୟୋଗ ତରଫରୁ ନିଆଯାଉଛି । ପ୍ରଥମ ଥର ପାଇଁ ତଥ୍ୟ ସାମ୍ନାକୁ ଆସିଲା ଯେ, ନିର୍ବାଚନ ଓ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାରେ ସ୍ଥାନୀୟ ଅଫିସରମାନଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ଦୁଇଜଣ ନିର୍ବାଚନ ଆୟୁକ୍ତଙ୍କ ପର୍ଯ୍ୟନ୍ତ ଏକପ୍ରକାର ଅସହାୟ ସ୍ଥିତି ଲାଗିରହିଛି । ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ହେଇରହିନାହିଁ ଏବଂ ଏହାକୁ ହୁଏତ ଶାସକ ଦଳର ପ୍ରତିନିଧିମାନେ ସିଧାସଳଖ ଚଳାଉଛନ୍ତି । ଏଭଳି କିଛି ତଥ୍ୟ ପଶ୍ଚିମବଙ୍ଗରେ ନିର୍ବାଚନବେଳେ ବି ଜଣାପଡ଼ିଥିଲା, ନିର୍ବାଚନ ଆୟୋଗଙ୍କର ମୋହର ଥାଇକି ପାର୍ଟିର ଲୋକମାନେ କିଛି ପତ୍ର ଅଫିସରମାନଙ୍କୁ ଦେଉଥିବାର କିଛି ପ୍ରମାଣ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଏଭଳି କମ୍ପ୍ୟୁଟର ସଫ୍ଟୱେର୍ ରଖାଯାଇଛି, ଯାହାକୁ କିଛି ଲୋକେ ନିର୍ବାଚନ ଆୟୋଗରେ ବସି ହୁଏତ ପରିଚାଳନା କରୁଛନ୍ତି, ଶାସକ ଦଳକୁ ଯେମିତି ଅଧିକ ସାହାଯ୍ୟ ସେଥିରୁ ମିଳିବ । ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାରେ ଯେଉଁ ୧୩କୋଟି ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି, ତାହା ଏହାର ଏକ ପରିଣାମ କହିଲେ ଚଳେ । ସେଭଳି ଯଦି ୯୭ଲକ୍ଷ ଭୋଟର ପଶ୍ଚିମବଙ୍ଗରେ ନିର୍ବାଚନ ଭୋଟଦାତା ତାଲିକାରୁ ବଞ୍ଚିତ ହେଇନଥାନ୍ତେ ଏବଂ କିଛି ଡହରା ଭଳି ଲାଗୁଥିବା ବିଚାରପତି ଏ କଥା କହିନଥାନ୍ତେ ଯେ, ଯଦି ଏଇଥର ସେମାନେ ବାଦ୍ ପଡ଼ୁଛନ୍ତି, ପାଞ୍ଚ ବର୍ଷ ପରେ ତ ସେମାନେ ପୁଣି ଭୋଟ୍ ଦେଇପାରିବେ, ତାହେଲେ ହୁଏତ ବର୍ତ୍ତମାନ ଯେଉଁ ଶୁଭେନ୍ଦୁ ସରକାରଙ୍କର ଶାସନ ଚାଲିଛି ପଶ୍ଚିମବଙ୍ଗରେ, ତାହା ଆଦୌ ହେଇପାରି ନଥାନ୍ତା ।
ନୀଟ୍ ପ୍ରଶ୍ନପତ୍ର ଚୋରିରୁ ଆରମ୍ଭ ହୋଇଥିବା ଅଭୂତପୂର୍ବ ଯୁବ ଛାତ୍ର ପ୍ରତିବାଦ, ଯେ ଭୋଟ୍ ଚୋରିକୁ ମଧ୍ୟ ଏକ ପ୍ରସଙ୍ଗ କରି ପ୍ରତିବାଦ ଆନେ୍ଦାଳନ ସଂଗଠିତ କରିବ, ଏହା ଦେଶ ପାଇଁ ନିଶ୍ଚିତଭାବେ ଏକ ଭଲ ସମ୍ବାଦ । ସେମାନଙ୍କୁ ଯେ ରାଷ୍ଟ୍ର ଚଳାଉଥିବା ହିଂସ୍ର ଶକ୍ତିମାନଙ୍କର ଦମନକୁ ସାମ୍ନା କରିବାକୁ ପଡ଼ିବ, ଏ କଥା ମଧ୍ୟ ନିଶ୍ଚିତ । କିନ୍ତୁ ଗୋଟିଏ ବାର୍ତ୍ତା ଦେଶସାରା ବ୍ୟାପି ସାରିଲାଣୀ ଯେ, ଦେଶରେ ନିର୍ବାଚନ ଚୋରି ହେଉଛି ଏବଂ ଅଧିକ ଲୁଟ୍ ହେବାକୁ ଯାଉଛି । ଗାଦିରେ ଥିବା ସରକାର ଯେତେ ବଳପ୍ରୟୋଗ କଲେବି, ସେମାନଙ୍କର ଶାସନ ବୈଧ ନୁହେଁ, ଏଭଳି ଗୁଞ୍ଜରଣ ଦେଶସାରା ଶୁଣିବାକୁ ମିଳୁଛି । ଯେଉଁ ସାମାଜିକ ଗଣମାଧ୍ୟମ ଏକ୍ସ, ଫେସବୁକ୍, ୱାଟ୍ସଆପ୍ ଇତ୍ୟାଦିକୁ ଆୟୁଧ କରି କର୍ପୋରେଟ୍ ପୁଞ୍ଜିର ନଗ୍ନ ପୃଷ୍ଠପୋଷକତା ଭିତରେ ୨୦୧୪ ପୂର୍ବରୁ ନିର୍ବାଚନ ପ୍ରଚାର କରି ୨୦୧୪ରେ ନରେନ୍ଦ୍ର ମୋଦୀ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ, ସେହି ସାମାଜିକ ଗଣମାଧ୍ୟମ ଆଜି ପ୍ରତିବାଦ ଆନ୍ଦୋଳନଗୁଡ଼ିକୁ ବ୍ୟାପକ କରାଇବାରେ ଅହରହ କାମ କରୁଛନ୍ତି । ଯେଉଁ କର୍ପୋରେଟ୍ ପୁଞ୍ଜିର ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ମୋଦୀଙ୍କର ପକ୍ଷରେ ଥିଲା, ସେମାନଙ୍କ ଦ୍ୱାରା ଅଧିକୃତ ଟିଭି ଚ୍ୟାନେଲ୍ ମାନେ ଏବେ ଯେତେ ପରିଶ୍ରମ କଲେବି ଏହି ବଢ଼ିଚାଲିଥିବା ଓ ପ୍ରତିଦିନ ବଳସଂଗ୍ରହ କରୁଥିବା ଯୁବଛାତ୍ର ପ୍ରତିବାଦକୁ ଅଟକାଇବାରେ ଏବଂ ସେମାନଙ୍କ ଆନ୍ଦୋଳନକୁ ଅସହାୟ କରିବାରେ ସକ୍ଷମ ହେଇପାରୁ ନାହାଁନ୍ତି । ଅନ୍ଧଭକ୍ତମାନେ କଣ କରିବେ ହୁଏତ ଆଜି ଅଧିକ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ।
ଏହି ପ୍ରତିବାଦର କୋଳାହଳ ଭିତରେ ଆଉ ଏକ ବଳିଷ୍ଠ ପ୍ରତିବାଦର ସ୍ୱର ପ୍ରତିଧ୍ୱନିତ ହୋଇପାରୁ ନାହିଁ । ସିଜିମାଳି, ନିୟମଗିରି ଓ ଦକ୍ଷିଣ ଓଡ଼ିଶାରେ ଆଦିବାସୀମାନଙ୍କର ପ୍ରାକୃତିକ ବୈଭବକୁ ଧ୍ୱଂସ କରିବା ପାଇଁ ଆସୁଥିବା ଖଣି କମ୍ପାନିମାନଙ୍କ ବିରୋଧରେ ଚାଲିଥିବା ଜନଆନ୍ଦୋଳନ ଓ ଜଳ-ଜମି-ଜଙ୍ଗଲ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସୁରକ୍ଷିତ ରଖିବାପାଇଁ ଏହି ଆନ୍ଦୋଳନଗୁଡ଼ିକ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେହି ସବୁ ଆନ୍ଦୋଳନର ସ୍ୱରଗୁଡ଼ିକ ବ୍ୟାପକଭାବେ ପ୍ରତିଧ୍ୱନିତ ହେଇପାରୁ ନାହିଁ । ଆନେ୍ଦାଳନ ବିରୁଦ୍ଧରେ ସମସ୍ତେ ଏକଜୁଟ ହେଉଛନ୍ତି ଓ ଦମନଲୀଳା ଅନବରତ ଚାଲିଛି । ତଥାପି ସେମାନଙ୍କର ସ୍ୱରକୁ ପ୍ରତିଧ୍ୱନିତ କରିବାପାଇଁ କିଛି ଲୋକ କାମ କରୁଛନ୍ତି । ଗଣମାଧ୍ୟମ କିନ୍ତୁ ସମ୍ପୂର୍ଣ୍ଣ ନିରବ । ଯେମିତି ରାଜ୍ୟର ରାଜନୈତିକ ଦଳମାନେ ଦିଲ୍ଲୀ ଯିବାପାଇଁ ଗୋଡ଼କାଢ଼ି ବସୁଛନ୍ତି, ସେମାନଙ୍କର ନଜର ଏହି ରାଷ୍ଟ୍ର ଓ କମ୍ପାନି ଦମନର ଶିକାର ହେଉଥିବା ଆଦିବାସୀମାନଙ୍କ ଉପରେ ପଡ଼ୁନାହିଁ । ଆଦିବାସୀମାନେ ନିଜର ସବୁକିଛି ଦେଇ ନିଜ ଲଢ଼ାଇ ନିଜେ ଲଢ଼ୁଛନ୍ତି । କୌଣସି ରାଜନୈତିକ ଶକ୍ତିର ଆନ୍ତରିକ ସହଯୋଗ ବିନା ଏହି ଲଢ଼ାଇ ଯଦି ଅସଫଳ ହୁଏ ଏବଂ ଆଦାନୀ, ବେଦାନ୍ତ, ବିର୍ଲା ଆଦି ଲାଭଖୋର କମ୍ପାନିମାନେ ବିଜୟୀ ହୁଅନ୍ତି, କ୍ଷତି କାହାର ହେବ? ହୁଏତ ଆମେ ଭାବିଛନ୍ତି ସେମାନଙ୍କର ହିଁ କ୍ଷତି ହେବ, ସେମାନେ ବିସ୍ଥାପିତ ହେବେ, ନିଜ ସ୍ଥାନ ଛାଡ଼ି ଚାଲିଯିବେ, ନିଶ୍ଚିହ୍ନ ହେଇଯିବେ ଏବଂ ଇତିହାସ କେବେ ସେମାନଙ୍କୁ ମନେ ରଖିବ ନାହିଁ । ଏହି କଥାଟି ଭୁଲ୍ ପ୍ରମାଣିତ ହେବା ବେଳକୁ ହୁଏତ ଆମେ ନଥିବା, କିନ୍ତୁ ଆମ ପିଲାମାନେ ତାକୁ ଅଙ୍ଗେ ନିଭେଇବେ । ସେମାନେ ହୁଏତ ପଚାରିବେ ଯେ, ତାଙ୍କ ବାପା, ମା, ଅଜା, ଆଈ, ଜେଜେବାପା ଏପରି ପରିଣାମ ସମ୍ପର୍କରେ ଚିନ୍ତା କରିନଥିଲେ କେମିତି?
ଦିଲ୍ଲୀରେ ଭୋଟ୍ଚୋରି ବିରୋଧୀ ପ୍ରତିବାଦ ଦେଶବ୍ୟାପୀ ହେବା ଦରକାର । ଏକଥା ମଧ୍ୟ ମନେ ରଖିବା ଦରକାର ଯେ ହୁଏତ ପୁଞ୍ଜିକୁ ନେଇ ଏହି ପ୍ରତିବାଦକାରୀ ବ୍ୟକ୍ତି ବା ଗୋଷ୍ଠୀ ବା ଦଳମାନଙ୍କର ଦୃଷ୍ଟିଭଙ୍ଗୀ କଣ ଅଛି ଏବଂ ସେମାନେ ଆଗକୁ କଣ କରିବେ? ସେ ସମ୍ପର୍କରେ ଆମେ ଜାଣିନାହାନ୍ତି ଏବଂ ସେ ଭିତରେ କିଛି ସ୍ପଷ୍ଟତା ଆମକୁ ଏଯାବତ୍ ମିଳୁ ନାହିଁ । ଏକଥା ମଧ୍ୟ ସମସ୍ତଙ୍କ ମନକୁ ଆସିବା ଦରକାର ଯେ, ଏମାନେ ଦକ୍ଷିଣ ଓଡ଼ିଶାର ପ୍ରାକୃତିକ ବୈଭବ ଲୁଣ୍ଠନ ବିରୋଧୀ ଆଦିବାସୀ ଆନ୍ଦୋଳନକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି ବା ଦେଖିବେ? ଆମେ ଇତିହାସରେ ଯେତେବେଳେ ବି ତତ୍କାଳୀକ ପରିବର୍ତ୍ତନର ସୀମିତ ଲକ୍ଷ୍ୟ ରଖି କାମ ହେଇଥିବା କଥା ଦେଖୁଛୁ, ତାହା ଦୀର୍ଘଦିନ ଧରି ଭଲ ପରିଣାମ କିଛି ଦେଇ ପାରିନଥିବା କଥା ମଧ୍ୟ ଜାଣିପାରୁଛୁ । ଯଦି ଆଜିର ପ୍ରତିବାଦ ଆନ୍ଦୋଳନ ସବୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ମଧ୍ୟ ବ୍ୟାପକ କରାଇ ପାରିବ, ହୁଏତ କିଛି ଭଲ ବାଟ ବାହାରିବାର ସମ୍ଭାବନା ରହିବ ଏବଂ ନଜରକୁ ଆସୁନଥିବା ଶକ୍ତିଶାଳୀ ପ୍ରତିବାଦଗୁଡ଼ିକର ପ୍ରଶ୍ନଗୁଡ଼ିକ ସବୁଆଡ଼େ ପ୍ରତିଧ୍ୱନିତ ହେବା ମଧ୍ୟ ଦେଖିବାକୁ ମିଳିବ!

Author

ସୁଧୀର ପଟ୍ଟନାୟକ | Sudhir Pattnaik (Chief Editor)

Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.

Total Views: 0

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.