ଛାତ୍ରସଂସଦ ନିର୍ବାଚନ ଓ ଆଜିର ଆହ୍ୱାନ

8 Min Read

ରାଜ୍ୟରେ ଆଠ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେଉଛି । କ୍ୟାମ୍ପସରେ ଉତ୍ସାହ ବି ରହିଛି ଆଉ କ୍ୟାମ୍ପସରେ କିଛିଟା ଭୟର ବାତାବରଣ ବି ସୃଷ୍ଟି ହୋଇଛି । ଫଳରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି, ନିର୍ବାଚନ ନିର୍ବାଚନ ଭଳିଆ ହେଉନାହିଁ ଏବଂ ସେହି ପରିପ୍ରେକ୍ଷୀରେ ମଧ୍ୟ ଅନେକ ଥର ନିର୍ବାଚନ ବନ୍ଦ ହେଇଛି ବିଭିନ୍ନ ପ୍ରକାର ଘଟଣାକ୍ରମକୁ ନେଇ । ଯେତେବେଳେ ଦେଖୁଛୁ “ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍” ମିଟିଂ, ଭୋଟ୍ ଦାନ ଏବଂ ଶପଥ ଗ୍ରହଣ ପୂର୍ବରୁ ଯାବତୀୟଭାବରେ ଅଶାନ୍ତିର ବାତାବରଣ ଦେଖାଯାଇଛି । ଏହାରି ଯୋଗୁଁ ବିଭିନ୍ନ କଲେଜର ଇତିମଧ୍ୟରେ ନିର୍ବାଚନ ବନ୍ଦ ବି ହେଲାଣି । ଭୁବନେଶ୍ୱର, କଟକ, ବଲାଙ୍ଗିର ସମେତ ରାଜ୍ୟର ଅଧିକାଂଶ କଲେଜରେ ଅଶାନ୍ତ ବାତାବରଣ ଜାରି ରହିଛି ।
ଅକ୍ଟୋବର ୧୫,୨୦୨୬ ରେ ଓଡ଼ିଶାର କେତେ କଲେଜରେ ଛାତ୍ରସଂସଦ ନିର୍ବାଚନ ହୋଇଥିବାବେଳେ ଛାତ୍ର ଅଶାନ୍ତି ଯୋଗୁଁ ତଥା କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ଯୋଗୁଁ ଛାତ୍ରସଂସଦ ନିର୍ବାଚନ ବାତିଲ ହୋଇଛି । ଅନେକ କଲେଜରେ ମଧ୍ୟ ସରକାରୀ ଗ୍ରାଣ୍ଟ ମିଳୁ ନଥିବାରୁ ନିର୍ବାଚନ ହେବ ନାହିଁ । ଏହା କେବଳ ଏକ ନିର୍ବାଚନ ନୁହେଁ । ଏହା ହେଉଛି ଛାତ୍ରସମାଜର ମତ ପ୍ରକାଶର ଅଧିକାର, ନେତୃତ୍ୱର ବିକାଶ ଓ ଗଣତାନ୍ତ୍ରିକ ଚେତନାର ଏକ ମହତ୍ତ୍ୱପୂର୍ଣ୍ଣ ଅବସର । ମହାବିଦ୍ୟାଳୟ କେବଳ ପାଠପଢ଼ାର ସ୍ଥାନ ନୁହେଁ । ଏହା ହେଉଛି ମଣିଷ ତିଆରି ହେବାର କାରଖାନା । ଏଠାରୁ ଭବିଷ୍ୟତର ଶିକ୍ଷକ, ଓକିଲ, ଡାକ୍ତର, ପ୍ରଶାସକ, ସାମ୍ବାଦିକ, ସମାଜସେବୀ ଓ ରାଜନୈତିକ ନେତା ସୃଷ୍ଟି ହୁଅନ୍ତି । ଛାତ୍ର ସଂସଦ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ସମସ୍ୟା ଉପସ୍ଥାପନ କରିପାରନ୍ତି । ଶିକ୍ଷାର ଗୁଣବତ୍ତା, ମହାବିଦ୍ୟାଳୟର ଭିତ୍ତିଭୂମି, ପାଠାଗାର, ପରୀକ୍ଷାଗାର, ପାନୀୟ ଜଳ, ଶୌଚାଳୟ, ଖେଳକୁଦ, ଛାତ୍ରୀମାନଙ୍କ ସୁରକ୍ଷା ଏବଂ ନିଯୁକ୍ତିଭିତ୍ତିକ ଶିକ୍ଷାଭଳି ବିଷୟରେ ସାମୂହିକ ଦାବି ଉଠାଇ ପାରନ୍ତି । କିନ୍ତୁ ପ୍ରଶ୍ନ ହେଉଛି-ଆମେ କ’ଣ ଏହି ନିର୍ବାଚନକୁ କେବଳ ବ୍ୟକ୍ତିଗତ ପ୍ରତିଷ୍ଠା, ଗୋଷ୍ଠୀ କିମ୍ବା ରାଜନୈତିକ ଶକ୍ତି ପ୍ରଦର୍ଶନର ମାଧ୍ୟମ କରିବା, ନା ଛାତ୍ର ସମାଜର ପ୍ରକୃତ ସମସ୍ୟାର ସମାଧାନ ପାଇଁ ଏହାକୁ ବ୍ୟବହାର କରିବା? ଆଜି ଆମ ରାଜ୍ୟ ଓ ସମାଜ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି । ପ୍ରଥମ ଆହ୍ୱାନ ହେଉଛି ବେକାରୀ । ଉଚ୍ଚଶିକ୍ଷା ହାସଲ କରିବା ପରେ ମଧ୍ୟ ଅନେକ ଯୁବକ ଯୁବତୀ ଉପଯୁକ୍ତ ନିଯୁକ୍ତି ପାଇପାରୁ ନାହାନ୍ତି । ତେଣୁ ଆମ ଶିକ୍ଷାବ୍ୟବସ୍ଥା ଏପରି ହେବା ଆବଶ୍ୟକ, ଯାହା ଯୁବପିଢ଼ିଙ୍କୁ କେବଳ ଡିଗ୍ରୀ ନୁହେଁ, ଜ୍ଞାନ, ଦକ୍ଷତା ଓ ଆତ୍ମନିର୍ଭରଶୀଳତା ପ୍ରଦାନ କରିବ ।
ଦ୍ୱିତୀୟ ଆହ୍ୱାନ ହେଉଛି ନିଶା ଓ ଅପସଂସ୍କୃତି । ଯେଉଁ ଯୁବପିଢ଼ି ଦେଶର ଭବିଷ୍ୟତ, ସେହି ଯୁବପିଢ଼ି ଯଦି ନିଶାର କବଳରେ ପଡ଼ିବ, ତେବେ ଦେଶର ଭବିଷ୍ୟତ କିପରି ସୁରକ୍ଷିତ ରହିବ? ତେଣୁ ଆମେ ସଚେତନ ହେବା, ଅନ୍ୟମାନଙ୍କୁ ସଚେତନ କରିବା ଏବଂ ଏକ ସୁସ୍ଥ ଛାତ୍ରସମାଜ ଗଠନ କରିବା । ତୃତୀୟ ଆହ୍ୱାନ ହେଉଛି ସାମାଜିକ ବୈଷମ୍ୟ । ଜାତି, ଧର୍ମ, ଭାଷା, ଲିଙ୍ଗ କିମ୍ବା ଆର୍ଥôକ ସ୍ଥିତି ଆଧାରରେ ଆମେ ପରସ୍ପରଠାରୁ ଦୂରେଇ ଯିବା ଉଚିତ ନୁହେଁ । ମହାବିଦ୍ୟାଳୟ ହେଉଛି ସମାନତା, ଭାଇଚାରା ଓ ମାନବିକତାର ପ୍ରକୃତ ଶିକ୍ଷା ଗ୍ରହଣ କରିବାର ସ୍ଥାନ ।
ଚତୁର୍ଥ ଆହ୍ୱାନ ହେଉଛି ଡିଜିଟାଲ ଯୁଗର ଭ୍ରମ । ସାମାଜିକ ଗଣମାଧ୍ୟମରେ ପ୍ରତ୍ୟେକ ଖବର ସତ୍ୟ ନୁହେଁ । ମିଥ୍ୟା ପ୍ରଚାର, ଗୁଜବ ଓ ଘୃଣାର ବାର୍ତ୍ତାରେ ପ୍ରଭାବିତ ନ ହୋଇ ସତ୍ୟକୁ ଜାଣିବା, ଯୁକ୍ତିରେ ବିଶ୍ୱାସ କରିବା ଓ ବିବେକ ଅନୁସାରେ ନିଷ୍ପତ୍ତି ନେବା ଆଜିର ଛାତ୍ର ସମାଜର ପ୍ରମୁଖ ଦାୟିତ୍ୱ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ରହିବ, ମତଭେଦ ରହିବ, ଭିନ୍ନ ଭିନ୍ନ ମତ ରହିବ । କିନ୍ତୁ ଏହି ମତଭେଦ କେବେ ମନୋମାଳିନ୍ୟ କିମ୍ବା ଶତ୍ରୁତାରେ ପରିଣତ ହେବା ଉଚିତ ନୁହେଁ । ଯେଉଁ ପ୍ରାର୍ଥୀ ଆପଣଙ୍କୁ ଉତ୍ତମ ଲାଗୁଛନ୍ତି, ତାଙ୍କୁ ସମର୍ଥନ କରନ୍ତୁ । କିନ୍ତୁ ଅନ୍ୟ ପ୍ରାର୍ଥୀଙ୍କୁ ଅପମାନିତ କରନ୍ତୁ ନାହିଁ । ନୀତି ନୈତିକତାର କଥା କୁହନ୍ତୁ, ବ୍ୟକ୍ତିଗତ ଆକ୍ରମଣ ନୁହେଁ । ହିଂସା ନୁହେଁ, ଗଣତାନ୍ତ୍ରିକ ପଦ୍ଧତିକୁ ଆପଣାନ୍ତୁ । ପ୍ରାର୍ଥୀମାନଙ୍କୁ ମଧ୍ୟ ଅନୁରୋଧ-କେବଳ ନିର୍ବାଚନ ଜିତିବା ପାଇଁ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ । ଛାତ୍ରଛାତ୍ରୀଙ୍କ ପ୍ରକୃତ ସମସ୍ୟାକୁ ବୁଝନ୍ତୁ ଏବଂ ସେଗୁଡ଼ିକର ସମାଧାନ ପାଇଁ ସଚ୍ଚୋଟତାର ସହିତ କାମ କରନ୍ତୁ । ଆପଣମାନେ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ. ଭାରତର ସ୍ୱାଧୀନତା ସଂଗ୍ରାମରେ ଛାତ୍ର ଓ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ।
ଆପଣମାନେ ନିଜର ଭବିଷ୍ୟତ ଗଢ଼ିବା ସହ ନିଜ ଗାଁ, ନିଜ ଅଞ୍ଚଳ, ନିଜ ରାଜ୍ୟ ଓ ନିଜ ଦେଶର ଭବିଷ୍ୟତ ଗଢ଼ିବାରେ ମଧ୍ୟ ଯୋଗଦାନ କରନ୍ତୁ । ଛାତ୍ର ସଂସଦ କେବଳ ଗୋଟିଏ ପଦବୀ ନୁହେଁ, ଏହା ଏକ ଦାୟିତ୍ୱ । ନେତା ହେବାର ଅର୍ଥ ଅନ୍ୟମାନଙ୍କ ଉପରେ ଶାସନ କରିବା ନୁହେଁ; ବରଂ ଅନ୍ୟମାନଙ୍କ ସେବା କରିବା ।
ଆସନ୍ତୁ, ଆମେ ଏପରି ଏକ ଛାତ୍ରସମାଜ ଗଢ଼ିବା, ଯେଉଁଠାରେ ଶିକ୍ଷା ଥିବ, ଶୃଙ୍ଖଳା ଥିବ, ସମାନତା ଥିବ, ମାନବିକତା ଥିବ ଏବଂ ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାର ସାହସ ଥିବ । “ଭୋଟ ହେଉଛି ଆପଣଙ୍କ ଅଧିକାର, ବିବେକ ହେଉଛି ଆପଣଙ୍କ ଶକ୍ତି ଏବଂ ଉତ୍ତମ ନେତୃତ୍ୱ ହେଉଛି ଆପଣଙ୍କ ଭବିଷ୍ୟତ ।” କଲେଜ ନିର୍ବାଚନ କେବଳ ଛାତ୍ର ସଂସଦର କର୍ମକର୍ତ୍ତା ଚୟନ କରିବାର ଏକ ପ୍ରକ୍ରିୟା ନୁହେଁ; ଏହା ଯୁବପିଢ଼ିର ଗଣତାନ୍ତ୍ରିକ ଚେତନା, ନେତୃତ୍ୱର ବିକାଶ, ସାମାଜିକ ଦାୟିତ୍ୱବୋଧ ଓ ରାଜନୈତିକ ମୂଲ୍ୟବୋଧର ପ୍ରାରମ୍ଭିକ ପରୀକ୍ଷା । ଆଜିର ଛାତ୍ର ନେତା ଆସନ୍ତାକାଲିର ଜନପ୍ରତିନିଧି, ପ୍ରଶାସକ, ସାମାଜିକ କର୍ମୀ କିମ୍ବା ରାଜନୈତିକ ନେତୃତ୍ୱର ଅଂଶ ହୋଇପାରନ୍ତି । ତେଣୁ କଲେଜ ନିର୍ବାଚନକୁ କେବଳ ଜିତିବା ଓ ହାରିବାର ଦୃଷ୍ଟିରେ ନୁହେଁ, ବରଂ ଭବିଷ୍ୟତର ଗଣତାନ୍ତ୍ରିକ ସମାଜ ଗଢ଼ିବାର ଏକ ଶିକ୍ଷଣୀୟ ପ୍ରକ୍ରିୟା ଭାବେ ବିଚାର କରିବା ଆବଶ୍ୟକ ।
କଲେଜ ନିର୍ବାଚନରେ ଅତ୍ୟଧିକ ଅର୍ଥବ୍ୟୟ, ଶକ୍ତି ପ୍ରଦର୍ଶନ, ଧମକ ଓ ଗୋଷ୍ଠୀ ସଂଘର୍ଷର ପ୍ରବୃତ୍ତି ଗଣତାନ୍ତ୍ରିକ ସମାନତା ପାଇଁ ଏକ ଚ୍ୟାଲେଞ୍ଜ । ଯଦି ଜଣେ ପ୍ରାର୍ଥୀଙ୍କ ସଫଳତା ତାଙ୍କର ଆର୍ଥôକ ସାମର୍ଥ୍ୟ କିମ୍ବା ବାହ୍ୟ ସମର୍ଥନ ଉପରେ ନିର୍ଭର କରେ, ତେବେ ସାଧାରଣ ପରିବାରର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ସୁଯୋଗ ସଂକୁଚିତ ହୋଇପାରେ । ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ଲିଙ୍ଗ୍ଡୋ କମିଟିର ସୁପାରି ଏହି ପରିପ୍ରେକ୍ଷୀରେ ଗୁରୁତ୍ୱ ବହନ କରେ । ପ୍ରାର୍ଥୀଙ୍କ ଯୋଗ୍ୟତା, ନିର୍ବାଚନୀଖର୍ଚ୍ଚର ସୀମା, ଖର୍ଚ୍ଚର ହିସାବ ଓ ନିର୍ବାଚନୀ ଶୃଙ୍ଖଳା ଉପରେ ଏହି ସୁପାରିଶଗୁଡ଼ିକ ଗୁରୁତ୍ୱ ଦେଇଥାଏ । ଏହାର ଉଦେ୍ଦଶ୍ୟ ଛାତ୍ରଙ୍କ ଗଣତାନ୍ତ୍ରିକ ଅଧିକାରକୁ ଦମନ କରିବା ନୁହେଁ, ବରଂ ନିର୍ବାଚନକୁ ଅଧିକ ସ୍ୱଚ୍ଛ, ଶୃଙ୍ଖଳିତ ଓ ନ୍ୟାୟସଙ୍ଗତ କରିବା । କଲେଜ ପ୍ରଶାସନ ନିରପେକ୍ଷ ଭାବରେ ନିୟମ ପ୍ରୟୋଗ କରିବା, ଅଭିଯୋଗର ନ୍ୟାୟସଙ୍ଗତ ସମାଧାନ କରିବା ଓ ହିଂସା ପ୍ରତି ଶୂନ୍ୟ-ସହନଶୀଳତା ଅବଲମ୍ବନ କରିବା ଉଚିତ । ଯେକୌଣସି ଦଳ ବା ଗୋଷ୍ଠୀର ଛାତ୍ର ନିୟମ ଉଲ୍ଲଂଘନ କଲେ, ତାଙ୍କ ବିରୋଧରେ ସମାନ ମାନଦଣ୍ଡରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ନିରପେକ୍ଷତାର ଅଭାବ ଛାତ୍ରଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରେ; ପକ୍ଷପାତହୀନ ବ୍ୟବସ୍ଥା ଗଣତନ୍ତ୍ର ପ୍ରତି ଆସ୍ଥା ବଢ଼ାଏ ।
କଲେଜ ଜୀବନର ପ୍ରଧାନ ଉଦେ୍ଦଶ୍ୟ ହେଉଛି ଜ୍ଞାନ ଆହରଣ, ଦକ୍ଷତା ବିକାଶ, ଚରିତ୍ର ଗଠନ ଓ ଭବିଷ୍ୟତ ଜୀବନ ପାଇଁ ପ୍ରସ୍ତୁତି । ନିର୍ବାଚନ ଯଦି ଦୀର୍ଘ ସମୟ ଧରି ପାଠପଢ଼ାକୁ ବାଧା ଦିଏ, ଶ୍ରେଣୀଗୃହରେ ଅନୁପସ୍ଥିତି ବଢ଼ାଏ କିମ୍ବା ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ଅନାବଶ୍ୟକ ଚାପ ସୃଷ୍ଟି କରେ, ତେବେ ଏହାର ମୂଳ ଉଦେ୍ଦଶ୍ୟ ଦୁର୍ବଳ ହୋଇଯାଏ । ପ୍ରଚାର ପାଇଁ ନିର୍ଦ୍ଧାରିତ ସମୟ, ଛାତ୍ର ସମସ୍ୟା ଆଧାରିତ ଘୋଷଣାପତ୍ର, ପ୍ରାର୍ଥୀମାନଙ୍କ ମଧ୍ୟରେ ଖୋଲା ଆଲୋଚନା ଓ ନିର୍ବାଚନ ପରେ କାର୍ଯ୍ୟର ହିସାବ ଦେବାର ବ୍ୟବସ୍ଥା ଏହି ସମସ୍ୟାକୁ ହ୍ରାସ କରିପାରିବ । ନିର୍ବାଚନରେ ଜିତିବା ପାଇଁ ପ୍ରତିଶ୍ରୁତି ଦେବା ସହଜ; କିନ୍ତୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପରିକଳ୍ପନା, ସମୟ, ଧୈର୍ଯ୍ୟ ଓ ଦାୟିତ୍ୱବୋଧ ଆବଶ୍ୟକ । ଛାତ୍ର ନେତୃତ୍ୱର ମୂଲ୍ୟାୟନ ତେଣୁ କେବଳ ନିର୍ବାଚନ ପୂର୍ବରୁ ହେଉଥିବା ପ୍ରଚାର ଦ୍ୱାରା ନୁହେଁ, ବରଂ ନିର୍ବାଚନ ପରେ କରାଯାଇଥିବା କାର୍ଯ୍ୟ ଦ୍ୱାରା ହେବା ଉଚିତ ।
ବିଦ୍ୟାର୍ଥୀମାନଙ୍କର କୈଣସି ଦଳ ନାହଁ, ସେମାନେ କେବଳ ଜଣେ ଛାତ୍ର ଓ ଦେଶର ଭବିଷ୍ୟତ । ବନ୍ଧୁତ୍ୱପୂର୍ଣ୍ଣ ଭାବେ ପ୍ରଚାର କରିବା ହଁ ଉତ୍ତମ ଛାତ୍ରର ଲକ୍ଷଣ । ରାଜନୈତିକ ନେତାଙ୍କ କ୍ରୀତଦାସ ନ ହୋଇ ନିଜସ୍ୱ ମତବ୍ୟକ୍ତ କରିବା ଉଚିତ । ନିଜ ନିକଟରେ ଥିବା ନେତାମାନଙ୍କୁ ପାଖରୁ ଦେଖି ଜାଣିବା ପାଇଁ ଉଦ୍ୟମ କରିବା କଥା । ଯେଉଁମାନେ କଲେଜ ଫାଟକ ମାଡ଼ିନାହାନ୍ତି, ରାଜନୀତି ଆରମ୍ଭରୁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଦଳରେ ନଥିବା ତଥାକଥିତ ରାଜନେତାମାନେ ଛାତ୍ରମାନଙ୍କୁ ସିଡ଼ି କରି ପଙ୍କିଳ ରାଜନୀତିର କ୍ଷେତରେ ଆଗକୁ ମାଡ଼ିଯିବାକୁ ଉଦ୍ୟମ କରୁଛନ୍ତି । ନିରେଖି ଦେଖିଲେ ରାଜନୈତିକ ଦଳମାନଙ୍କର ନେତାମାନଙ୍କ ସ୍ୱରୂପ ଜଣାପଡ଼ିଯିବ । ନିଜେ ପରିକଳ୍ପନା କରିବା ଉଚିତ ଯେ ଆମେ କେଉଁଠି ରହିବା!
ଶେଷରେ ଗୋଟିଏ ପ୍ରଶ୍ନ ଯାହା କିଛି ଛାତ୍ରନେତାଙ୍କ ମନକୁ ଆସିଛି, ସେ ସମ୍ପର୍କରେ ସାମାନ୍ୟ ଆଲୋଚନା ଦରକାର । ପ୍ରଶ୍ନଟି ଏମିତି – ଦୀର୍ଘ ୮ବର୍ଷ କାଳ ଛାତ୍ର ସଂସଦ ନିର୍ବାଚନ ନକରି, ଏବଂ ନୂଆ ସରକାର ଆସିବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ, ରାଜଧାନୀ ଦିଲ୍ଲୀରେ ଅଭୂତପୁର୍ବ ଛାତ୍ର ଆନେ୍ଦାଳନ ଚାଲିଥିବାବେଳେ, ହଟାତ ଓଡ଼ିଶା ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା କରିବାର ଅସଲ ଅର୍ଥ କଣ? ଛାତ୍ରମାନେ ଏହାର ଉତ୍ତର ଖୋଜିବା ହିଁ ଏକ ରାଜନୀତିକ ଶିକ୍ଷା । ଓଡ଼ିଶାରେ ବାମପନ୍ଥୀ ଛାତ୍ର ରାଜନୀତିକୁ ନ୍ୟୁନ କରିବା ପାଇଁ ୮ବର୍ଷରୁ ଅଧିକ କାଳ ଚେଷ୍ଟା ଚାଲିଛି । ଏବେ ଯେତେବେଳେ ଏବିଭିପି ସବୁ ଶିକ୍ଷା ଅନୁଷ୍ଠାନ ଦଖଲ କରିସାରିଛି, ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ପରିଣାମ କଣ ହେବ, ଛାତ୍ରମାନେ ନିଜେ ବିଚାର କରନ୍ତୁ ।

Total Views: 4

Comments

0 comments

Share This Article