ପିଲା କାହାର : ବାପ ବୋଲାଉଛି କିଏ?
ପାଠକେ! ଓଡ଼ିଆଙ୍କୁ ଭୂଆଁ ବୁଲେଇବାରେ ଏବେ ଏଇ ‘ନିବେଶ’ ଶବ୍ଦଟି ବେଶ୍ ମନୋରଞ୍ଜନକାରୀ ହୋଇଛି । ନିବେଶ ଆସିବ, କାରଖାନା ହେବ, ଚାକିରି ହାଉଯାଉ ହେବ, ରାଜ୍ୟ ଖିଲିଖିଲି ହୋଇ ହସି ଉଠିବ, ଏମିତି ଗୁଡାଏ କଥା କହି ସରକାରରେ ଥିବା କିଛି ଲୋକ ବିଭିନ୍ନ ଦେଶକୁ ପର୍ଯ୍ୟଟକ ହୋଇଯାଇ ବୁଲି ପଳାଇ ଆସୁଛନ୍ତି । ସରକାରଙ୍କ ସରକାରୀ ବିଜ୍ଞାପନ ଓ ତାଙ୍କ ସାମ୍ବାଦିକ ଓ ସମ୍ପାଦକମାନେ ମିଛରେ କହି ଗଗନ ପବନ ଏକାକାର କରି ଦେଉଛନ୍ତି ଯେ ଏତେ ହଜାର କୋଟିର ନିବେଶ ଆସିଗଲା, ଏତେ ଲକ୍ଷ ନିଯୁକ୍ତି ଆସିଗଲା । ଖୋଜିଲା ବେଳକୁ କାହିିଁଁ? ଦେଶ ସ୍ୱାଧୀନ ହେବାର ୮୦ବର୍ଷ ପରେ ରାଜନୈତିକ ଦୃଷ୍ଟିରୁ ସଚେତନ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏ ହେଲେ ମେଗା ଶିଳ୍ପ ହୋଇପାରିଲା? ପାରିନି । ପୂର୍ବ ସରକାର ବେଳେ କେନ୍ଦ୍ରାପଡ଼ାରେ ଆର୍ସେଲର ମିତଲ ଏକ ମେଗା ଇସ୍ପାତ ପ୍ରକଳ୍ପ କରିବା କଥା ପୁରା ଲେଖା ଛିଡ଼ିଥିଲା । କିନ୍ତୁ ସେ ସରକାର ଯାଇ ବିଜେପି ସରକାର ଆସିବାର ଅଢେଇ ବର୍ଷ ଗଲାଣି ମିତଲ କେନ୍ଦ୍ରାପଡ଼ାରେ ମେଗା ଇସ୍ପାତକୁ ଛାଡନ୍ତୁ ଛୁଞ୍ଚି କାରଖାନାଟିଏ କରିବା ଭଳି କାଇଁ ଜଣା ପଡ଼ୁନାହିଁ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କର ମନ୍ତ୍ରୀ ତଥା ଅଫିସର ମାନେ ତିନିଦିନିଆ ଦୁବାଇଗସ୍ତରେ ଯାଇ ଏକ ନିବେଶକାରୀଙ୍କ ବୈଠକ କରିଥିଲେ । ଏହି ତିନିଦିନିଆ କାର୍ଯ୍ୟକ୍ରମରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଦୁବାଇରୁ ୨ଲକ୍ଷ ୪୩ ହଜାର ୧୬୨କୋଟିର ପୁଞ୍ଜି ଆସିବ । ଏଥିରେ ଆଇଏଚ୍ସି ଏବଂ ଆଦାନୀ ଗ୍ରୁପର ୧୪ଟି କମ୍ପାନୀ ସହିତ ଏମଓୟୁ ହୋଇଛି । ଯେଉଁଥିରୁ ୨, ୧୦୫ ଟ୍ରିଲିଅନ ଟଙ୍କାର ନିବେଶ ଆସିବ ଆଉ କାରଖାନା ହେଉ କି ନହେଉ କିନ୍ତୁ ୮ଲକ୍ଷ ୬୮ହଜାର ୨୦୦ଲୋକଙ୍କୁ ଚାକିରି ମିଳିବ । ଏଥିରେ ସରକାର ପୁରାନିଶ୍ଚିତ ଓ ଖୋଦ୍ ମୁଖ୍ୟମନ୍ତ୍ରୀ ଗଦଗଦ ହୋଇ ଘୋଷଣା କରି ପକେଇଲେଣି ଯେ ‘ଆମ ମାଟିର ବେକାର ଯୁବକମାନଙ୍କୁ ଆମେ ଆମ ମାଟିରେ ଚାକିରି ଦବୁ ।’ ଏକଥା ଜୋରଦାର ଢଙ୍ଗରେ ସରକାରୀ ବିଜ୍ଞାପନ ଜରିଆରେ ପ୍ରଚାର ପ୍ରସାର ବି ହେଉଛି । କିନ୍ତୁ ଆପଣ ଟିକେ ମନେ ପକାଇଲେ ଏବେର ସରକାର ଆଦାନୀ ଓ ଆଇଏଚ୍ସି ସାଙ୍ଗରେ ଯେଉଁ ଏମଓୟୁ ସ୍ୱାକ୍ଷର କରିବା କଥା କହୁଛନ୍ତି ତାଙ୍କରି ସହିତ ଏଇମିତି ଏକ ସ୍ୱାକ୍ଷର ଅନେକ ଦିନ ତଳେ ପୂର୍ବ ସରକାର କରିନଥିଲେ କି? ସେ ସରକାର ମଧ୍ୟ କହିଥିଲେ ଆମେ ଏତିକି ଟଙ୍କାର ନିବେଶ ଆଣିଛୁ ଓ ଏତିକି ଲୋକେ ଚାକିରି ପାଇବେ । ଏବେ ଏ ସରକାର ପୂର୍ବ ସରକାରର ସେହି ପୁରୁଣା କଥାକୁ ନିଜର ବୋଲି ଦୋହରାଇବା କଥାଟି ଜାଣିବା ପରେ ବିଜେଡି ପକ୍ଷରୁ ଏହାର ସତ୍ୟାସତ୍ୟକୁ ସାମ୍ବାଦିକ ସମ୍ମିଳନୀ କରି ଖୋଲି ଦିଆଗଲାଣି । ପୁଅ ଆଉ କାହାର, ବୋପା ଆଉ କିଏ ହେଉଛି । ପାଠକେ! ଆପଣଙ୍କୁୁ ଲାଗୁନିି ଏଗୁଡା ପରପିଲାକୁ ନିଜର ବୋଲି ଦାବି କରିବାଭଳି କଥାଟିଏ ହୋଇଯାଉଛି! ତେଣୁ ଆମେ ଭାବୁଛୁ ଲୋକଙ୍କ ପଇସାରେ ବିଭିନ୍ନ ସରକାରମାନେ ଯେତେ ଗୁଡିଏ ଏମଓୟୁ କଲେଣି ତଥା ଯେତେଗୁଡ଼ିଏ କମ୍ପାନୀଙ୍କୁ କାରଖାନା ପାଇଁ ଜମି, ଜଙ୍ଗଲ, ଖଣି ଓ ପାଣି ଆଦି ସବୁ ଦେଇଛନ୍ତିି ସେସବୁର ପ୍ରକୃତ ସ୍ଥିତି କ’ଣ ତାର ଏକ ବେସରକାରୀ ଯାଞ୍ଚ ସଚେତନ ନାଗରିକଙ୍କ ପକ୍ଷରୁ ହେଉ । ସେଥିରେ ଯେଉଁ ଲକ୍ଷ ଲକ୍ଷ ବେକାର ଯୁବକ ଚାକିରିପାଇବା କଥା କୁହାଯାଇଥିଲା ଓ ଯାଉଛି ସେମାନଙ୍କ ଭିତରୁ କେତେ ଲକ୍ଷ ପାଇଲେଣି ତାର ଏକ ହିସାବ ମଧ୍ୟ ଲୋକଙ୍କୁ ଦିଆଯାଉ । ନହେଲେ ଯାହା ଅକ୍ଷମ ଦାସ କହୁଥିଲେ କଳା ପଇସାଗୁଡ଼ାଏ ହୋଇଗଲା ବୋଲି ସୁନା କିଣିବାକୁ ଦୁବାଇ ଯାଇ ମିଛରେ କାରଖାନା ହେବ, ଲକ୍ଷ, ହଜାରକୋଟି ନିବେଶ ଆସିବ, ଲକ୍ଷଲକ୍ଷ ଚାକିରି ମିଳିବ ପରି ଡହରା କଥା କହିଲେ ଲୋକେ କାଇଁ ତା’କୁ ବିଶ୍ୱାସ କରିବେ?
ଗଣତନ୍ତ୍ରର ଖେଳ!!
ପାଠକେ! ଇତିମଧ୍ୟରେ ରାଜସ୍ଥାନ ପୌର ନିର୍ବାଚନ ଫଳାଫଳ ବାହାରି ଯାଇଛି । ଏଥିରେ ମୋଟ ୩୦୯ଟି ପୌରସଂସ୍ଥା ପାଇଁ ନିର୍ବାଚନ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୯ ତାରିଖରେ, ଏବଂ ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୧ତାରିଖରେ ନିର୍ବାଚନ ହୋଇଥିଲା । ଏହାର ଫଳାଫଳ ୧୪ସେପ୍ଟେମ୍ବର ୨୦୨୬ରେ ବାହାରିଛି । ସେଥିରେ ବିଜେପି ଶାସନରେ ଥାଇ ମଧ୍ୟ ୧୦ରୁ ମାତ୍ର ୪ଟି ଆସନରେ ସ୍ପଷ୍ଟ ବହୁମତ ହାସଲ କରି ବିଜୟୀ ହୋଇଛି । ବିଜେପିର ପ୍ରାର୍ଥୀମାନେ ୪୧୭୯ ୱାଡରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ସହିତ ବିରୋଧୀ ଓ ନିର୍ଦ୍ଦଳୀୟ ତଥା ଅନ୍ୟାନ୍ୟମାନେ ୫,୮୮୬ ୱାର୍ଡରେ ବିଜୟୀହୋଇ ଶାସନରେ ଥିବା ବିଜେପିର ଅବସ୍ଥା ଖରାପ କରି ଦେଇଛନ୍ତି । ସବୁଠୁ ମଜାକଥା ଘଟିଛି ରାଜ୍ୟର ପର୍ବତସାର ପୌରପାଳିକାର ୧୩ନମ୍ବର ୱାର୍ଡରେ । ଏହାକୁ ଗଣତନ୍ତ୍ରର ବିଚିତ୍ର ଖେଳ ବୋଲି କୁହାଯାଉଛି । ଏହି ୱାର୍ଡରେ ବିଜେପିର ପ୍ରାର୍ଥୀ ହୋଇଥିବା କୈଳାସ ଚନ୍ଦ୍ରଙ୍କୁ ମାତ୍ର ‘ଖଣ୍ଡିଏ’ ଭୋଟ ମିଳିଛି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ହୀନା ଖାନମ୍ ୩୭୬ ଖଣ୍ଡ ଭୋଟ ପାଇ ଏଠାରୁ ବିଜୟୀ ହୋଇଛନ୍ତି । ନିର୍ଦ୍ଦଳୀୟ ପ୍ରାର୍ଥୀ ରଶିଦ୍ ଖାନ୍ ଏଠାରୁ ୧୯୫ ଖଣ୍ଡ ଭୋଟ ପାଇଛନ୍ତି । ନିର୍ବାଚନରେ ମାତ୍ର ଖଣ୍ଡେ ଭୋଟ ପାଇ ଚର୍ଚ୍ଚାରେ ଥିବା କୈଳାଶ ଚନ୍ଦ ନିଜ ଭୋଟଖଣ୍ଡକ ନିଜକୁ ମଧ୍ୟ ଦେଇ ପାରିନାହାନ୍ତି । ତାଙ୍କ ମତରେ ଯାହା ଘଟିଛି ସବୁ ତାଙ୍କ ବିଜେପି ପାର୍ଟି ନେତାମାନଙ୍କ ପାଇଁ ଘଟିଛି । କାରଣ ସିଏ ହେଉଛନ୍ତି ପ୍ରକୃତରେ ୧୨ନମ୍ବର ୱାର୍ଡର ଭୋଟର । ତାଙ୍କୁ ପାର୍ଟି ୧୩ ନମ୍ବର ୱାର୍ଡରୁ ପ୍ରାର୍ଥୀ କଲା । ତେଣୁ ସିଏ ଅଡୁଆରେ ପଡ଼ି ନିଜେ ମଧ୍ୟ ନିଜକୁ ଭୋଟ ଦେଇ ପାରି ନାହାନ୍ତି । ଏହାର ଅର୍ଥ ଏଇଆ ଯେ ସାରା ୱାର୍ଡରେ ବିଜେପିର କେବଳ କେହି ଜଣେ ସମର୍ଥକ ଅଛନ୍ତି । ପର୍ବତସାର ପୌରପାଳିକାରେ ବିଜେପିକୁ ହରାଇ କଂଗ୍ରେସ ଜିତାପଟ ହାସଲ କରିଛି । ଏଠାରେ ଥିବା ମୋଟ ୨୫ଟି ୱାର୍ଡଭିତରୁ କଂଗ୍ରେସ ୧୩ଟିରେ ଜିତିଥିବା ବେଳେ ବିଜେପି ୧୨ଟିରେ ଜିତିଛି । ରାଜସ୍ଥାନର ଅନେକ ସ୍ଥାନରେ ବିଜେପିର ଅବସ୍ଥା ଏତେ ଭଲନାହିଁ ବୋଲି ଏହି ନିର୍ବାଚନ ପ୍ରମାଣ କରିଛି କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପିର ଭଜନଲାଲ ଶର୍ମାଙ୍କ ନିଜ ପୌରନିଗମ ଭରତପୁରରେ ୬୫ ସ୍ୱାର୍ଡରୁ ୩୬ଟିରେ ସ୍ୱଧୀନ ପ୍ରାର୍ଥୀମାନେ ନିର୍ବାଚନ ଜିତିଛନ୍ତି ।
ଇଏ ମଣିଷ ନା ଚାର୍ଟ ଜିପିଟି
ପାଠକେ! ଓଡ଼ିଶାକୁ ଆକସ୍ମିକ ଭାବରେ ମିଳି ଯାଇଥିବା ୫ଟି ବିରଳ ଜୀବ ଓରାଙ୍ଗଉଟାଂଙ୍କ ହାବଭାବକୁ ଅନୁଧ୍ୟାନ କରୁକରୁ ଆମେ ଆକସ୍ମିକ ଭାବରେ ସରକାରକୁ ଆସିଯାଇଥିବା ବିଜେପିରେ ଡିଆଁ ମାରି ପଶି ଯାଇଥିବା ଓ ଯାଉଥିବା ନେତାଦଳ ବିଶେଷକରି ବିଜେଡି ନେତାମାନଙ୍କ ଆଚରଣକୁ ଅନୁଧ୍ୟାନ କରୁ କରୁ ଏହାକୁ ତୁଳନା କରି ବସିଗଲୁ । ଏହି କ୍ରମରେ ନଜରକୁ ଆସି ଯାଇଥିଲେ ଏବେ ଏବେ ବିଜେପିରେ ପଶି ଯାଇଥିôବା ପୂର୍ବତନ ବିଜେଡି ସାଂସଦ ଅମର ପଟ୍ଟନାୟକ ସାର୍ । ବାବୁ ଏବେ ସିନା ରାମ ମନ୍ଦିର ପାଖ ବିଜେପି ଅଫିସକୁ ଯାଉଛନ୍ତି ଦିନେ ତ ବିଜେଡିର ଶଙ୍ଖ ଭବନଠୁ ନବୀନ ନିବାସ ଯାଏ ସବୁଠି ତାଙ୍କୁ ବିଜେଡିର ଜଣେ ପରମ ଟାଣୁଆ ନେତା ବୋଲି ସ୍ୱୀକାର କରି କେଡେ କେଡେ ନେତା ବାଟଛାଡି ଦେଉଥିଲେ । ବାବୁଙ୍କର ଡିଜିଟାଲ ପୃଥିବୀରେ ପ୍ରବଳ ବିଚରଣ ଥିଲା । ଏଆଇ, ଚାର୍ଟ-ଜିପିଟି, ମେଟା ଠାରୁ ନେଇ ଯେତେ ଯାହା ସବୁ ଅଛି ସେସବୁ ବାବୁଙ୍କ ନଖ ଅଗରେ ଥିଲା । ସେଇଥିପାଇଁ ତାଙ୍କ ପୂର୍ବମାଲିକ ତାଙ୍କୁ ଭାରି ଶରଧା କରୁଥିଲେ । ଆଉ ବାବୁଙ୍କର ବି ଗୋଟିଏ ଭଲଗୁଣ ହେଉଛି ସିଏ ସବୁବେଳ ସରକାରୀ । ମାନେ ସରକାରୀ ଚାକିରିରେ ରହିବେ, ନହେଲେ ସରକାରରେ ଥିବା ରାଜନୈତିକ ଦଳରେ ରହିବେ । ଏବେ କିନ୍ତୁ ଓଡ଼ିଶା ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ୍ ୨୦୨୬କୁ ନେଇ ସିଏ ସିଧାସଳଖ ତାଙ୍କ ପୂର୍ବ ମାଲିକଙ୍କୁ ଏକଦମ କଡ଼ା ଭାଷାରେ ଶୁଣାଇ ଦେଉଛନ୍ତି । ଏହି ଆଇନକୁ ନେଇ ବିଜେଡି ଓ ଅନ୍ୟାନ୍ୟ ପାଖାପାଖି ସମସ୍ତେ ଯେଉଁ ସବୁ କଥା କହୁଛନ୍ତି ତାହାକୁ ଅମରବାବୁ ‘ରାଜନୀତି ପ୍ରେରିତ’ ବୋଲି କହିଲେଣି । ଅକ୍ଷମ ଦାସ ଏବେ ଆମକୁ ପଚାରୁଛନ୍ତି ଯେ ଅମର ସାଆରେ କ’ଣ ବିନା ରାଜନୀତିରେ ରାଜନୀତି କରୁଛନ୍ତି । ତାଙ୍କର ପୂର୍ବ ଦଳ ଯେହେତୁ ଗୋଟିଏ ରାଜନୈତିକ ଦଳ ତେଣୁ ସିଏତ ରାଜନୀତି ହିଁ କରିବ ନା । ପାଠକେ! ଦେଖିବାର କଥା ହେଉଛି ବିଜେଡିରୁ, କଂଗ୍ରେସରୁ, କମୁ୍ୟନିଷ୍ଟରୁ ବିଜେପିକୁ ଆସିଥିବା କେତେକ ନେତା କଥାକଥାକେ ତାଙ୍କ ପୂର୍ବଦଳଟାକୁ ଆଖିବୁଜି ଗାଳି ଦେଉଛନ୍ତି । କାରଣ କୁହାଯାଏ ଯେ ଧର୍ମ ପରିବର୍ତ୍ତନ କରି ନୂଆ ନୂଆ ଇସଲାମ ଗ୍ରହଣ କରିଥିବା ଲୋକମାନେ ନୂଆଧର୍ମରେ ନିଜକୁ ଗ୍ରହଣୀୟ କରାଇବା ପାଇଁ ଦିନକୁ ପାଞ୍ଚଥର ନମାଜ କରି ପକାନ୍ତି । ଏବେ ବିଜେପି ନେତାଏ ବିଜେଡି ନେତାମାନେ ଯେମିତି ତାଙ୍କରି ପୂର୍ବ ଦଳର ନେତା ମାନଙ୍କୁ ଗାଳିଗୁଲଜ କରୁଛନ୍ତି ତାକୁ ବେଶ ଉପଭୋଗ କରୁଛନ୍ତି । କାରଣ ବିଜେପି ନେତାମାନଙ୍କର ଏଇଲେ ଅମଳ ସମୟ । ତାଙ୍କ ପାଖରେ କାହାକୁ ଗାଳିଗୁଲଜ କରିବାକୁ ସମୟ କାହିଁ । ତେଣୁ ସେମାନେ ସେ ବେକାର କାମଟା ବିଜେଡିବାଲାଙ୍କୁ ଦେଇ ଦେଇଛନ୍ତି । କରନ୍ତୁ ଗାଳି ଯେତେ କରୁଛନ୍ତି । ଏହାର ପ୍ରମାଣ ଆପଣ ଯଦି ଦେଖିବାକୁ ଚାହୁଁଛନ୍ତି ତେବେ ଏଇ ଏମଏମଡିଆର ଆକ୍ଟ ଉପରେ ଏବେ ନବୀନ ବାବୁ ଯେଉଁ ଚିଠିଟିଏ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ତା ଉପରେ କିଛି କହୁନାହାନ୍ତି । ଚିଠିର ଉତ୍ତର ବି ଦେଉ ନାହାନ୍ତି । ହୋଇଥିବ ମୁଖ୍ୟମନ୍ତ୍ରୀ ବୋଧେ ଉପରୁ ସବୁଜ ସଂକେତ ପାଇନାହାନ୍ତି ବୋଲି କିଛି କହୁନାହାନ୍ତି କିନ୍ତୁ ପୂର୍ବର ବିଜେଡି ନେତାମାନେ ଦେଉଥିବା ମନ୍ତବ୍ୟ(ଗାଳି ଗୁଲଜ)କୁ ନିରବରେ ଅନୁଧ୍ୟାନ କଲେ ଲାଗୁଛି ଏମାନଙ୍କର ନା ମାଟି ନା ପାର୍ଟି କାହାରି ସହିତ କିଛି କାମ ନାହିଁ । । ହେ ପୃଥିବୀ ତୁ ଫାଟିଯା ମୁଁ ପଶିଯାଏ ।
କାହିଁକି ମାଗୁଛ ଭାରତରତ୍ନ?
ପାଠକେ! ଓଡ଼ିଆ ଅସ୍ମିତାର ଜୋରଦାର ରାଜନୀତିକରଣ ଭିତରେ ଓଡ଼ିଶାର କେତେଜଣ ବିଶ୍ୱବିଦିତ ବରପୁତ୍ରଙ୍କୁ ଭାରତରତ୍ନ ଦିଆଯିବାକୁ ହେଉଥିବା ଦାବିର ରାଜନୀତିକରଣ ମଧ୍ୟ ଜୋର ଧରୁଛି । କିଛି ଜାଣିବା ଶୁଣିବା ଲୋକ ଏକଥା ମଧ୍ୟ ଲୁଚାଇ ଛପାଇ କହୁଛନ୍ତି ଯେ କିଛିଲୋକ ନିଜକୁ ପ୍ରଚାରିତ କରିବାପାଇଁ ଅମୁକକୁ ଭାରତରତ୍ନ ଦିଆଯାଉ ବୋଲି ବିଭିନ୍ନ ସଭାସମିତିରେ ଦାବି କରି ପକାଉଛନ୍ତି । ଯେମିତିକି ଓଡ଼ିଶାକୁ ବିଶେଷ ରାଜ୍ୟର ମାନ୍ୟତା ଦେବା ରାଜନୀତି । ଏହି କହିଲାବାଲାଙ୍କ କହିବା କଥା ହେଉଛି ଯେଉଁମାନେ ଏ ଦାବି କରୁଛନ୍ତି ସେମାନେ ଜାଣିଛନ୍ତି ଯେ ସେ ସେହି ମହାତ୍ମାଜଣଙ୍କୁ ଭାରତରତ୍ନ ମିଳିବ ନାହିଁ । କିନ୍ତୁ ବହୁ ଓଡ଼ିଆ ଲୋକଙ୍କ ମନରେ ଏ ପ୍ରଶ୍ନଟି ଉଠୁଛି ଯେ ଯେଉଁମାନଙ୍କୁ ଭାରତରତ୍ନ ଦିଆଯିବା ପାଇଁ ଦାବି କରାଯାଉଛି, ସେମାନଙ୍କର କ’ଣ ସତରେ ସେ ଯୋଗ୍ୟତା ନାହିଁ? ଏବେ କେନ୍ଦ୍ରାପଡ଼ାରୁ ଜଣେ ପାଠକ ଫୋନ୍ କରି କହିଥିଲେ ଯେ କେନ୍ଦ୍ରାପଡ଼ା କଲେଜର ଏକ ଉତ୍ସବରେ ଉକ୍ରଳମଣି ଗୋପବନ୍ଧୁଙ୍କୁ ଭାରତରତ୍ନ ଦିଆଯିବା ପାଇଁ ଦାବି ଉଠିଛି । ଯାହା ବୁଝିଲୁ ଏହି ଯୁକ୍ତିଯୁକ୍ତ ଦାବିଟି ଉକ୍ରଳମଣିଙ୍କର ୯୮ତମ ଶ୍ରାଦେ୍ଧାତ୍ସବ ପାଳନ ଅବସରରେ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଉଠିଥିଲା । ଏହି ଉତ୍ସବକୁ ଲୋକସେବକ ମଣ୍ଡଳ, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇ ଥିଲା । ଜଣେ ବକ୍ତା ମଧ୍ୟ କହିଥିଲେ ଯେ ଗୋପବନ୍ଧୁ ଦାସ ପୃଥିବୀ ଉପରେ ମାନବିକତାର ଚରମ ଉକ୍ରର୍ଷ ପ୍ରତିପାଦିତ କରି ଯାଇଛନ୍ତି । ସେହି ଦୃଷ୍ଟିରୁ ତାଙ୍କୁ ଭାରତରତ୍ନ ଉପାଧି ପ୍ରଦାନ କରାଯିବା ଉଚିତ୍ । କଥାଟି ଭୁଲ ନୁହେଁ । କିନ୍ତୁ ପ୍ରଶ୍ନ ଉଠୁଛି କଥାଟିକୁ କେହି ଗୁରୁତ୍ୱ ଦେଲେକି ବା ଦେବେକି? ଲୋକସେବକ ମଣ୍ଡଳର ତରଫରୁ ଉକ୍ରଳମଣିଙ୍କୁ ଭାରତରତ୍ନ ଦିଆଯାଉ ବୋଲି କେହି କେବେ ସେତିକିି ଜୋରଦେଇ ଅଭିଯାନଟିଏ କରିଛି କି? କଥା କେବଳ ଗୋପବନ୍ଧୁଙ୍କଠାରେ ନାହିଁ, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ସମୟରେ ବିଶ୍ୱର ତିନୋଟି ଦେଶର ଜାତୀୟ ପତକାକୁ ତାଙ୍କ ମରଶରୀର ଉପରେ ଢଙ୍କା ଯାଇଥିଲା । କାରଣ ସେ ଥିଲେ ଏହି ତିନିଦେଶର ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଭାରତରତ୍ନ ଦେବାପାଇଁ ବର୍ଷ ବର୍ଷ ଧରି ଦାବି କରାଯାଇଥିଲା । ଊକ୍ରଳଗୌରବ ମଧୁସୂଦନ ଦାସ । ଅନେକ ଲୋକ, ଅନେକ ସଙ୍ଗଠନ ତାଙ୍କୁ ଉକ୍ରଳରତ୍ନ ଦିଆଯାଉ ବୋଲି ବାର ବାର ଦାବି କରି ଆସିଛନ୍ତି ଓ ଆଜି ବି କରୁଛନ୍ତି । ହେଲେ ପରିଣାମ କ’ଣ ହୋଇଛି । ଏ ସବୁର ଉପରେ ଗୋଟିଏ ଦାବି ଆସେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ନେଇ । ସିଏ ବି କ’ଣ ଭାରତରତ୍ନ ପାଇବାପାଇଁ ଯୋଗ୍ୟ ନୁହନ୍ତି । ପାଠକେ! ଏକଥା ସତ୍ୟ । ଯେ ଏହି ମହାପୁରୁଷମାନେ କୌଣସି ସମ୍ମାନପାଇଁ ଅପେକ୍ଷା କରି ସେମାନଙ୍କ କାର୍ଯ୍ୟ କରିନଥିଲେ । ଭାରତରତ୍ନ ଏବେ ଯେଭଳି ଲୋକମାନଙ୍କୁ ଯେଉଁ ଦୃଷ୍ଟିରୁ ବିଚାର କରି ଦିଆଯାଉଛି ସେଥିରେ ପ୍ରକୃତ ରତ୍ନମାନଙ୍କର ଔଜଲ୍ୟ ବେଶି କିଛି ବଢିଯିବ ନାହିଁ । ସେମାନେ ଏ ଧରିତ୍ରୀର ଗୋଟିଏ ଗୋଟିଏ ରତ୍ନ । ଏବେ କେବଳ ବିଚାର କରିବାର କଥା ଯେ ଯେଉଁମାନେ ଭାରତରୁ ଭାରତରତ୍ନ ପାଇଛନ୍ତି ଏମାନେ ସେମାନଙ୍କଠାରୁ କେଉଁ ଗୁଣରେ ଦୁର୍ବଳ! ଦେଖନ୍ତୁ ।
Comments
0 comments

