ସାରାଦେଶରେ ଏକ ପ୍ରମୁଖ ବିପତ୍ତିର କାରଣ ସାଜିଛି ବ୍ରେନ ଡ୍ରେନ ବା ପ୍ରତିଭା ପଳାୟନ । ଏହି ସମସ୍ୟା ଦିନକୁ ଗୁରୁତର ହେବାରେ ଲାଗିଛି । ଭାରତ କ୍ରମଶଃ ଆତ୍ମନିର୍ଭର ହେବାରେ ଶକ୍ତ ହେଉଛି ବୋଲି ସ୍ଲୋଗାନ ଦିଆଯାଉଥିଲେ ବି ବ୍ରେନଡ୍ରେନ ସମସ୍ୟା ଏବେ ସ୍ୱାସ୍ଥ୍ୟ, ଶିକ୍ଷା, ଇଞ୍ଜିନିୟରିଂ, ପ୍ରଯୁକ୍ତି ଆଦି ସମସ୍ତ କ୍ଷେତ୍ରରେ ବ୍ୟାପକ ହେବାରେ ଲାଗିଛି । ଭାରତର ଜିଡିପି ଉପରେ ଏହାର ପ୍ରଭାବ ପଡୁଥିବାବେଳେ ପ୍ରତି ରାଜ୍ୟ ଏହାର କ୍ଷତି ସହୁଛନ୍ତି । ରାଷ୍ଟ୍ରୀୟ ରାଜକୋଷରୁ ବ୍ୟୟ ଅର୍ଥରେ ପ୍ରତିଭା ସୃଷ୍ଟି କରାଯାଉଥିବା ବେଳେ ବ୍ରେନ ଡ୍ରେନ ଯୋଗୁ ଏହାର ପ୍ରଭାବ ଦେଶର ପ୍ରତି କ୍ଷେତ୍ରକୁ ଗ୍ରାସ କରିବାରେ ଲାଗିଛି ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ପରି ଏକ ସମ୍ମାନଜନକ ପ୍ରତିଷ୍ଠାନରୁ ଶତାଧିକ ବୈଜ୍ଞାନିକ, ଗବେଷକଙ୍କ ଇସ୍ତଫା ଏବେ ଚିନ୍ତା ସୃଷ୍ଟି କରିଛି । ଅଧିକ ଦରମା, ଲୋଭନୀୟ ପ୍ରତିଶ୍ରୁତି, କମ୍ କର୍ମ ଚାପ ଭାର ଆଦି କାରଣରୁ ସେମାନେ ଇସ୍ରୋରୁ ଇସ୍ତଫା ଦେଇ ବିଭିନ୍ନ ଘରୋଇ ସଂସ୍ଥାରେ କାମ କରୁଛନ୍ତି ।
ଏପରିକି କିଛି ବୈଜ୍ଞାନିକ ବିଦେଶ ଚାଲିଯାଇ ବିଭିନ୍ନ ଘରୋଇ କମ୍ପାନିରେ ଯୋଗ ଦେଇଛନ୍ତି । ବିଭିନ୍ନ ବ୍ୟୟବହୁଳ ପ୍ରକଳ୍ପ ନିମନ୍ତେ କୋଟିକୋଟି ଟଙ୍କା ସରକାର ନିବେଶ କରୁଥିବାବେଳେ ନିଜର ବ୍ୟକ୍ତିଗତ ସ୍ୱାର୍ଥ, ଅର୍ଥ ପ୍ରଲୋଭନ, ଚାକିରି ମୋହ ଯୋଗୁ ବୈଜ୍ଞାନିକ, ବିଭିନ୍ନ ପଦପଦବୀରେ ଥିବା ବ୍ୟକ୍ତିମାନେ ଚାକିରି ଛାଡ଼ି ଅନ୍ୟ ମାର୍ଗ ଦେଖୁଛନ୍ତି । ଯେଉଁ ସଂସ୍ଥାରୁ ସେମାନେ ଅଭିଜ୍ଞତା ଲାଭ କରୁଛନ୍ତି ସେହି ସଂସ୍ଥାକୁ ସେମାନେ ବିଭିନ୍ନ ସ୍ୱାର୍ଥ କାରଣରୁ ଛାଡୁଛନ୍ତି । ଏପରି ଅବସ୍ଥା ଦେଶ ଭିତରେ ଲାଗି ରହିଥିବାବେଳେ ଦେଶ ବାହାରକୁ ପ୍ରତିଭାମାନେ ଚାଲିଯିବା ଦେଶ ଲାଗି ଚିନ୍ତାର ବିଷୟ ପାଲଟିଛି । ଆତ୍ମନିର୍ଭର ଭାରତ ନାମରେ ବିଭିନ୍ନ ଘରୋଇ କମ୍ପାନିଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଖୋଦ୍ ରାଷ୍ଟ୍ରାୟତ୍ତ କମ୍ପାନିରୁ ପ୍ରତିଭାମାନେ ଘରୋଇ କମ୍ପାନି ନିକଟକୁ ଚାଲିଯାଉଛନ୍ତି । ସେପଟେ ଜାତୀୟ ରାଜକୋଷ ବ୍ୟୟରେ ଛାତ୍ରଛାତ୍ରୀ ଶିକ୍ଷା ହାସଲ କରି ବିଦେଶରେ ଯାଇ ଚାକିରି କରିବା, ଶିଳ୍ପ ପ୍ରତିଷ୍ଠା କରିବା ବି ସମସ୍ୟା ସୃଷ୍ଟି କରୁଛି । ଏପରିକି ବିଜ୍ଞାନ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଲାଗି ଜାତୀୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସେମାନେ ବିଦେଶରେ ଯାଇ ଚାକିରି କରିବା ପ୍ରତି ଭାରତୀୟଙ୍କ ଲାଗି ବୋଝର କାରଣ ପାଲଟିଛି ।
ଗବେଷଣା ଓ ବିକାଶ କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନର ଅଭାବ, ଚାକିରି ସୃଷ୍ଟି ନହେବା, ଯୋଗ୍ୟତା ଅନୁସାରେ ପ୍ରାପ୍ୟ ନ ମିଳିବା, ସିଟ୍ ଅଭାବ ଆଦି କାରଣରୁ ପ୍ରତିଭାମାନେ ବିଦେଶ ଚାଲିଯିବାକୁ ଅଗ୍ରାଧିକାର ଦେଇଥାନ୍ତି । ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୪କୋଟି ଭାରତୀୟ ଚାକିରି କରୁଥିବାବେଳେ ପ୍ରତିବର୍ଷ ପ୍ରାୟ ଲକ୍ଷାଧିକ ଡାକ୍ତର, ଇଞ୍ଜିନିୟର ଓ ଅନ୍ୟାନ୍ୟ ବର୍ଗର ପ୍ରତିଭା ବିଦେଶ ଚାଲିଯାଇଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁସାରେ ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା । ମାତ୍ର ବର୍ତ୍ତମାନ ତାହା ୧୭୦୦ରୁ ଅଧିକ ହେଲାଣି । ସରକାରୀ ଡାକ୍ତରଖାନା ଗୁଡ଼ିକରେ ନାହିଁ ନଥିବା ଡାକ୍ତର ଅଭାବ ରହିଛି । ପ୍ରତିଦିନ ହଜାର ହଜାର ରୋଗୀ ହଇରାଣ ହେଉଛନ୍ତି । ଅଥଚ ରାଷ୍ଟ୍ରୀୟ ଅର୍ଥରେ ଶିକ୍ଷା ପାଇଥିବା ପ୍ରତିଭାମାନେ ବିଦେଶରେ ଅୟସ କରିଥାନ୍ତି କିମ୍ବା ଘରୋଇ ଡାକ୍ତରଖାନାରେ କାମ କରିଥାନ୍ତି । ବର୍ତ୍ତମାନ କେବଳ ଆମେରିକାରେ ୧୮ହଜାର ଭାରତୀୟ ଡାକ୍ତର ଥିବାବେଳେ ବି୍ରଟେନରେ ୧୭୫୦୦, ଅଷ୍ଟ୍ରେଲିଆରେ ୬ ହଜାର, କାନାଡାରେ ୪ହଜାର, ସମଗ୍ର ମଧ୍ୟପ୍ରାଚ୍ୟରେ ପ୍ରାୟ ୪ହଜାର ଭାରତୀୟ ଡାକ୍ତର ରହିଛନ୍ତି । ସାରା ବିଶ୍ୱରେ ସେମାନଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହେବ ।
ଭାରତରେ ଜଣେ ଡାକ୍ତରୀ ଛାତ୍ର ଲାଗି ସରକାର ମୁଣ୍ଡପିଛା ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ଅର୍ଥାତ ପ୍ରତି ଭାରତୀୟ ଜଣେ ମେଡିକାଲ ଛାତ୍ର ଲାଗି ଅର୍ଥ ପ୍ରଦାନ କରିଥାନ୍ତି । ମାତ୍ର ଦୁର୍ଭାଗ୍ୟର ବିଷୟ ସେମାନେ ମୁଣ୍ଡକୁ ହାତ ପାଇଗଲେ ଭାରତକୁ ଗୌଣ କରି ବିଦେଶରେ ଚାକିରି କରିବାର ମୋହ ପୋଷଣ କରନ୍ତି । ଭାରତରେ ପ୍ରାକ୍ଟିସ କଲେ ବି ସେମାନେ ଅର୍ଥକୁ ପ୍ରାଧାନ୍ୟ ଦେଇଥାନ୍ତି । ଭାରତରେ ଏମବିବିଏସ ପରେ ପିଜି କୋର୍ସ ନିମନ୍ତେ ଦେଶରେ ସିଟ୍ ଅଭାବ ରହିଥାଏ । ତେଣୁ ଭବିଷ୍ୟତର ଡାକ୍ତରମାନେ ଅଧିକ ଶିକ୍ଷା ହାସଲ କରିବା ଲାଗି ବିଦେଶ ଚାଲିଯିବାକୁ ଶ୍ରେୟ ମଣିଥାନ୍ତି । ବ୍ୟାପକ ବ୍ରେନ ଡ୍ରେନର ପ୍ରଭାବ ଜିଡିପି ଉପରେ ପଡ଼ିଥାଏ, ଏହି ବ୍ୟୟବହୁଳ ଶିକ୍ଷାଦାନର ପ୍ରଭାବ ମୁଣ୍ଡ ପିଛା ଆର୍ଥିକ ବୋଝରେ ପରିଣତ ହୋଇଥାଏ । ସାଧାରଣ ବ୍ୟକ୍ତି ବିଦେଶ ଚାଲିଯିବା ଏବଂ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ବିଦେଶ ଚାଲିଯିବା ଅଲଗା । ସେମାନଙ୍କ ଆୟ ସହ ଜାତୀୟ ଅର୍ଥନୀତିର କୌଣସି ସମ୍ପର୍କ ନଥାଏ । ଏହି ସମୂହ ପଳାୟନର ଅନୁପାତ ହାର ହେଲାଣି ଜଣେ ଅନ୍ତର୍ଜାତୀୟ ଛାତ୍ର: ୨୫ ଭାରତୀୟ ଛାତ୍ର । ୨୦୨୫ରେ ଭାରତରେ ୧୭୩ ରାଷ୍ଟ୍ରର ୫୮ହଜାର ୧୩୪ ବିଦେଶୀ ଛାତ୍ରଛାତ୍ରୀ ପଢୁଥିବାବେଳେ ସେହି ବର୍ଷ ୧୫୩ ରାଷ୍ଟ୍ରରେ ଭାରତର ପ୍ରାୟ ୧୯ଲକ୍ଷ ଛାତ୍ରଛାତ୍ରୀ ପଢୁଥିଲେ । ଏହି ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ବିଦେଶରେ ହିଁ ନିଯୁକ୍ତି ପାଇବାର ସୁଯୋଗ ପାଉଛନ୍ତି । ରାଷ୍ଟ୍ରୀୟ ରାଜକୋଷରୁ ଶିକ୍ଷା ଲାଭ କରି ବିଦେଶରେ ଯାଇ ଅଧିକ ପଢ଼ିବା ଏବଂ ସେଠାରେ ଚାକିରି କରିବା ଭାରତର ଅର୍ଥନୀତି ଲାଗି ଚାଲେଞ୍ଜ ସୃଷ୍ଟି କରୁଛି ।
ଜଣେ ପ୍ରତିଭା ଭାରତରେ ନିଜର ପ୍ରତିଷ୍ଠାନ ଖୋଲିବା ଲାଗି ଚାହିଁବା ବଦଳରେ ବିଦେଶରେ ସୁଯୋଗ ମିଳିଲେ ପ୍ରତିଷ୍ଠାନ ଖୋଲିବା ଲାଗି ଆଗ୍ରହୀ ହେଉଛି । ନାନା ପ୍ରକାର ଆଭ୍ୟନ୍ତରୀଣ କଟକଣା, ସରକାରୀ ପ୍ରୋତ୍ସାହନର ଅଭାବ, ବ୍ୟାଙ୍କ ଋଣଗତ କଟକଣା, ରିହାତି ବ୍ୟବସ୍ଥାର ଅଭାବ, ଗବେଷଣା ପ୍ରତି ସରକାରୀ ବିମୁଖତା, ଉପଯୁକ୍ତ ବଜାରର ଅଭାବ ଆଦି କାରଣରୁ ପ୍ରତିଭା ଚାଲାଣ ଏକ ଦୈନନ୍ଦିନ ବ୍ୟାପାରରେ ପରିଣତ ହୋଇଛି । ବିଦେଶରେ ଆଇଟି, ଉଦ୍ଭାବନ, ଗବେଷଣା, ନିଯୁକ୍ତି, ସରକାରୀ ସହାୟତା ଆଦି କ୍ଷେତ୍ରରେ ଅଧିକ ସୁଯୋଗ ମିଳୁଥିବାରୁ ଭାରତୀୟ ପ୍ରତିଭା ବିଦେଶ ଯିବାକୁ ଯୁକ୍ତିଯୁକ୍ତ ମଣୁଛନ୍ତି ।
ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ପଢ଼ିବା ଯୋଗୁ ୨୦୧୩-୧୪ରେ ପ୍ରାୟ ୯୭୫କୋଟି ଟଙ୍କା ବାହାରକୁ ଚାଲାଣ ହୋଇଥିବାବେଳେ ୨୦୨୪-୨୫ରେ ଏହି ପରିମାଣ ୩୨ହଜାର କୋଟି ଟଙ୍କାରୁ ଅଧିକ ହୋଇଥିଲା । ବିଶେଷ କରି ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ଉପସାଗରୀୟ ରାଷ୍ଟ୍ରମାନେ ଏଥିରୁ ବେଶ୍ କିଛି ଫାଇଦା ମାରୁଥିବାବେଳେ ଭାରତ କ୍ଷତି ସହୁଛି । ଏହି କାରଣରୁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବି ହ୍ରାସ ପାଉଛି ।
ବିଦେଶରେ ପଢ଼ିବା ହେଉ ବା ଚାକିରି କରିବା ହେଉ କିମ୍ବା ସେଠାରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବା ହେଉ- ଏହାଦ୍ୱାରା ଭାରତୀୟ ଯୁବବର୍ଗ ମଧ୍ୟରେ ଏକ ଭାବନା ଜାତ ହୋଇଥାଏ ଯେ, ବିଦେଶରେ ହିଁ ସବୁ କିଛି ସୁବିଧା, ସୁଯୋଗ ରହିଛି । ଏହି ପ୍ରବଣତା ଏତେ ଅଧିକ ହେଲାଣି ଯେ, ପିଲାଟିଏ ଜନ୍ମ ହେବାମାତ୍ରେ ବାପା, ମା’ ସ୍ୱପ୍ନ ଦେଖିଥାନ୍ତି ପିଲାଟିକୁ ଡାକ୍ତର କିମ୍ବା ଇଞ୍ଜିନିୟର କିମ୍ବା ଆଇଟି ପ୍ରଫେସନାଲ କରି ବିଦେଶକୁ ପଠାଇବା ।
ବ୍ରେନ ଡ୍ରେନ କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରୁଛି ଡଙ୍କି ରୁଟ୍ । ବେଆଇନ ଭାବେ କୌଣସି ଅଣଅନୁମୋଦିତ ପଥରେ ବିଦେଶ ଯିବାର ପ୍ରବଣତା ଏତେ ଅଧିକ ହୋଇଛି ଯେ, ପ୍ରତିବର୍ଷ ଶହ ଶହ ଭାରତୀୟ ବିଦେଶ ଯାଉଛନ୍ତି ଏବଂ ସେଠାରେ ଲାଭ ପାଇବା ଆଶାରେ ନିର୍ଯାତିତ ହେଉଛନ୍ତି । ଭାରତରେ ସରକାରୀ ମେଡିକାଲ କିମ୍ବା ଅନ୍ୟ କୌଣସି ଶିକ୍ଷା ସମ୍ପନ୍ନ କରି ବିଦେଶ ଚାଲିଯିବାକୁ ଚାହିଁବା ପ୍ରକ୍ରିୟା ଉପରେ ସରକାରୀ ରୋକ୍ ଲାଗିବା ଦରକାର । ଏଥିଲାଗି କୌଣସି କଟକଣା ନଥିବାରୁ ଛାତ୍ରଛାତ୍ରୀ ଶିକ୍ଷା ସମ୍ପନ୍ନ କରିବା ମାତ୍ରେ ବିଦେଶ ସ୍ୱପ୍ନ ଦେଖୁଛନ୍ତି ।
ସରକାରୀ କଲେଜରେ ଖର୍ଚ୍ଚବହୁଳ ଶିକ୍ଷା କରି ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ସରକାରୀ ନିଯୁକ୍ତି ବ୍ୟବସ୍ଥା ବିଶେଷ ଭାବେ ରହୁ ନଥିବାରୁ ପ୍ରତିଭାମାନେ ବିଦେଶ ଚାଲିଯିବାକୁ ପସନ୍ଦ କରିଥାନ୍ତି କିମ୍ବା ଦେଶ ଭିତରେ ଘରୋଇ ପ୍ରତିଷ୍ଠାନରେ ନିଯୁକ୍ତି ଲାଗି ଚାହିଁଥାନ୍ତି । ଏହା ବି ଏକ ପ୍ରକାର ବ୍ରେନ ଡ୍ରେନ । ଯେହେତୁ ଘରୋଇ ମେଡିକାଲ ଲୋକଙ୍କଠାରୁ ଅର୍ଥ ଶୋଷଣ କରେ ତେଣୁ ସରକାରୀ ପ୍ରତିଷ୍ଠାନରେ ପଢ଼ି ଉତ୍ତୀର୍ଣ୍ଣ ହୋଇଥିବା ବ୍ୟକ୍ତି କିପରି ଏକ ଘରୋଇ ପ୍ରତିଷ୍ଠାନରେ କାମ କରିବେ?
ଭାରତରେ ଗବେଷଣା ଲାଗି ବି ବିଶେଷ ସୁଯୋଗ ନାହିଁ ବା ପ୍ରେରଣା ନାହିଁ । କ୍ରମାଗତ ବହୁବର୍ଷ ଧରି ଗବେଷଣା ଲାଗି ଜିଡିପିର ମାତ୍ର ୦.୭ ପ୍ରତିଶତ ବ୍ୟୟ ହେଉଛି । ଏହା ଯୋଗୁଁ ପ୍ରତିଭାମାନେ ବିଦେଶରେ ଶିକ୍ଷା ଓ ନିଯୁକ୍ତି ପ୍ରତି ଆଗ୍ରହୀ ହେବା ସ୍ୱାଭାବିକ ।
କିଛି ଦଶନ୍ଧି ତଳେ ସରକାରୀ ସ୍କୁଲ ଓ କଲେଜ ଥିଲା ସମସ୍ତ ଉକ୍ରର୍ଷର କେନ୍ଦ୍ର । ହଜାର ହଜାର ପ୍ରତିଭା, ନେତା, ବୈଜ୍ଞାନିକ ପ୍ରମୁଖ ସେଠାରୁ ବାହାରିଛନ୍ତି । ମାତ୍ର ବର୍ତ୍ତମାନ ସରକାରୀ ସ୍କୁଲ ଓ କଲେଜ ପ୍ରତି ପିଲାଙ୍କ ଆକର୍ଷଣ ନାହିଁ । ଘରୋଇ ପ୍ରତିଷ୍ଠାନ ପ୍ରତି ସେମାନଙ୍କ ଆଗ୍ରହ ବଢ଼ିଛି । ଠିକ୍ ସେହିପରି ଭାରର ମାଟି, ପାଣି, ପବନରେ ବଢ଼ି ଓ ପଢ଼ି ସେମାନେ ବିଦେଶ ଯିବାକୁ ଆକାଙ୍କ୍ଷା ପୋଷଣ କରୁଛନ୍ତି । ଏହି ମାନସିକତାରେ ପରିବର୍ତ୍ତନ ହେବା ଜରୁରୀ । ଭାରତୀୟ ପ୍ରତିଭାମାନଙ୍କୁ ଆକର୍ଷିତ କରିବା ଲାଗି ବହୁ ଧନଶାଳୀ ରାଷ୍ଟ୍ର ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ଭାରତରେ ସେମାନଙ୍କୁ ରଖିବା ଲାଗି ସେପରି ପଦକ୍ଷେପ ନିଆଯାଉ ନାହିଁ । ଫଳରେ ସେମାନେ ବିଦେଶ ଯାଇ ଅଧିକ ଅର୍ଥ ମୋହର ବଶବର୍ତ୍ତୀ ହେଉଛନ୍ତି ।
ବର୍ତ୍ତମାନ ଅନେକ ବହୁରାଷ୍ଟ୍ରୀୟ କମ୍ପାନି ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ କରୁଛନ୍ତି । ବହୁ ରାଷ୍ଟ୍ରରୁ ପ୍ରତିଭାମାନଙ୍କୁ ଆଣିବା ଲାଗି ସୁଚିନ୍ତିତ ଯୋଜନା କରୁଛନ୍ତି । ଏପରି ସ୍ଥଳେ ଭାରତ କରି ଏକ ବିକାଶଶୀଳ ରାଷ୍ଟ୍ର ଏସବୁର ମୁକାବିଲା ଲାଗି ଭିଜନ ପ୍ରସ୍ତୁତ କରିବା ଆବଶ୍ୟକ । ଦୁର୍ନୀତି, କର୍ମ ନିଯୁକ୍ତିର ଅଭାବ, ପ୍ରିୟା ପ୍ରୀତି ତୋଷଣ, ନାଲି ଫିତା ବ୍ୟବସ୍ଥା, ଅମଲାତାନ୍ତ୍ରିକ ମନମାନି ଆଦି କାରଣରୁ ବି ଅନେକ ପ୍ରତିଭା ପ୍ରତିଯୋଗିତାରେ ପଡ଼ିବାକୁ ଚାହାଁନ୍ତି ନାହିଁ ଏବଂ କୌଣସିମତେ ବାହାରକୁ ଚାଲିଯିବାକୁ ଚାହାଁନ୍ତି । ଏହା ପ୍ରତିଭା ଚାଲାଣର ବି କିଛି ପ୍ରମୁଖ କାରଣ ।
ଓଡ଼ିଶାରେ ବାର୍ଷିକ ୪୦ହଜାରରୁ ଅଧିକ ଇଞ୍ଜିନିୟରିଂ ଗ୍ରାଜୁଏଟ ବାହାରିଥାନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଅଧିକାଂଶ ବେଙ୍ଗାଲୁରୁ, ପୁଣେ, ହାଇଦ୍ରାବାଦ ତଥା ବିଦେଶ ଚାଲିଯାଆନ୍ତି । ରାଜ୍ୟରେ ଆଇଟି କ୍ଷେତ୍ର ପ୍ରତି ଅବହେଳା, ଭିତ୍ତିଭୂମି ଓ ପ୍ରୋତ୍ସାହନର ଅଭାବ ଆଦି କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ । କେବଳ ଇଞ୍ଜିନିୟରିଂ କ୍ଷେତ୍ର ନୁହେଁ ଓଡ଼ିଶାରେ ଅନେକ କ୍ଷେତ୍ରରେ ପ୍ରତିଭାମାନେ ବିଭିନ୍ନ କାରଣରୁ ବାହାରକୁ ଚାଲିଯାଆନ୍ତି ଯାହାକି ଓଡ଼ିଶାର ଅର୍ଥନୀତି ପ୍ରତି ଆହ୍ୱାନ ସୃଷ୍ଟି କରିଥାଏ ।
ପ୍ରତିଭା ଚାଲାଣ ରୋକିବା ଲାଗି ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ନଚେତ ଦିନକୁ ଦିନ ଏହି ସମସ୍ୟା ଉଗ୍ର ହେବ ।
Comments
0 comments

