ଜଙ୍ଗଲ ସରିଯିବା ପରେ ଅଧିକାରକୁ ସ୍ୱୀକୃତି:
ଭାରତ ସରକାର ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଯାଇ ଏକ ବଳିଷ୍ଠ ଇଚ୍ଛାଶକ୍ତିର ନିଦର୍ଶନ ଦେଇଛନ୍ତି ଯଦିଓ ଯେଉଁ ପରିମାଣରେ ଦେଶର ଜଙ୍ଗଲ ସମ୍ପଦ ନଷ୍ଟ ହୋଇଚାଲିଛି ଆଗାମୀ ପାଞ୍ଚବର୍ଷ ଭିତରେ ଜଙ୍ଗଲ ରହିବ କି ନାହିଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରହୁଲ ଗାନ୍ଧୀଙ୍କୁ ହାତ କରି କିଛି ପରିବେଶବିତ୍ ଆଇନଟିକୁ ଆଗତ ତଥା କାର୍ଯ୍ୟକାରୀ ନକରାଇ ଦେବା ପାଇଁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ବି ଶୁଣିବାକୁ ମିଳୁଥିଲା । ତେବେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ପାଇଁ ଲଢ଼େଇ କରୁଥିବା ଲୋକେ ହତାଶ ନହୋଇ ନିଜର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିଥିଲେ । ପରିଶେଷରେ ସେମାନଙ୍କର ବିଜୟ ହେଲା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ – ୨୦୦୬ ଏବଂ ତା’କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହେଉଥିବା ନିୟମାବଳୀ-୨୦୦୭ ଗତ ଜାନୁଆରୀ ୧, ୨୦୦୮ଦିନ ଆନୁଷ୍ଠାନିକ ଭାବେ ସରକାରଙ୍କ ଗେଜେଟ୍ ରେ ପ୍ରକାଶିତ ହେଲା । ଫେବୃୟାରୀ ମାସର ତୃତୀୟ ସପ୍ତାହରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗର ସଚିବ, ରାଜ୍ୟ ମାନଙ୍କର ଆଦିବାସୀ ବିଭାଗର ଶାସନସଚିବମାନଙ୍କୁ ଡାକି ଏହି ଆଇନଟିକୁ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମସଭା ସ୍ତରରୁ ବିଭିନ୍ନ ପଦକ୍ଷେପ ନେବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟର ସଚିବମାନେ ମଧ୍ୟ ପ୍ରତିଶ୍ରୁତି ଦେଲେ ଯେ, ଫେବୃୟାରୀ ୨୮ରୁ ମାର୍ଚ୍ଚ ୩୧, ୨୦୦୮ମଧ୍ୟରେ ସେମାନେ ଏ ବାବଦରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ତାହାର ଫଳସ୍ୱରୂପ ଏବେ ଆମ ରାଜ୍ୟ ସରକାର ମାର୍ଚ୍ଚ ୧୬ ଓ ୨୩ ଏହି ଆଇନ ଉପରେ ଗ୍ରାମସଭା ଅନୁଷ୍ଠିତ କରାଇବା ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ କରିଛନ୍ତି । ଏହିସବୁ ଗ୍ରାମସଭାରେ ଜଙ୍ଗଲ ଅଧିକାର ଆଇନଟିକୁ କାର୍ଯ୍ୟରେ ଲଗାଇବା ପାଇଁ ଗ୍ରାମସଭା ସ୍ତରର କମିଟି ଗଠନ ହେବ – ଯେଉଁଥିରେ ଅତିକମ୍ ରେ୧୦ଜଣ ଓ ଅତିବେଶିରେ ୧୫ଜଣଙ୍କୁ ନିର୍ବାଚିତ କରାଯିବ । ଏହି କମିଟିର ଅନ୍ତତଃ ତିନିଭାଗରୁ ଏକଭାଗ ସଦସ୍ୟ ଅନୁସୂଚିତ ଜନଜାତିର ହେବେ ଏବଂ ତିନିଭାଗରୁ ଏକଭାଗ ମହିଳା ସଦସ୍ୟ ରହିବେ ।
ଜଙ୍ଗଲ ଅଧିକାର ଆଇନଟି ଅନେକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ, ଯଦିଓ ଅନେକ ଦଶନ୍ଧି ଧରି ବିଭିନ୍ନ ମହଲରେ ଜନଜାତିମାନଙ୍କର ଜଙ୍ଗଲ ଉପରେ ଅଧିକାରକୁ ନେଇ ଦାବୀ ହେଇଆସିଛି । ବିଭିନ୍ନ ଚାପରେ ପଡ଼ି ସରକାରମାନେ ଏଭଳି ଏକ ଦାବୀକୁ ଅଣଦେଖା କରିଆସିଥିଲେ । ଦାବୀଗୁଡ଼ିକ ସଙ୍ଗଠିତ ଭାବେ ଉପସ୍ଥାପନା କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ୧୯୯୬ମସିହାରୁ । ଅନ୍ତତଃ ସେ ସମୟରୁ ଯଦି ଆଇନଟି କାର୍ଯ୍ୟକାରୀ ହୋଇଥାନ୍ତା, ମାଫିଆ ଓ କମ୍ପାନୀମାନଙ୍କ ନିୟନ୍ତ୍ରଣକୁ ଅନେକ ଜଙ୍ଗଲ ଯାଇପାରି ନଥାନ୍ତା । ଗୋଦାବର୍ମନ ମାମଲାରୁ ଜଙ୍ଗଲ ଅଧିକାର ଆଇନ ଆନ୍ଦୋଳନ ବଳିଷ୍ଠ ଭାବେ ଆରମ୍ଭ ହେଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।
ପ୍ରଶ୍ନ ଆସିପାରେ ଏହି ଗୋଦାବର୍ମନ କିଏ? କର୍ଣ୍ଣାଟକର ନୀଳଗିରି ପର୍ବତମାଳାର ଏକ ଅଞ୍ଚଳ ଗୁଡ଼ାଲୁର । ବଡ଼ ବଡ଼ ଜମି ମାଫିଆଙ୍କ ଦୌରାତ୍ମ୍ୟରେ ଶେଷ ହୋଇ ଚାଲିଥିଲା ଗୋଟିଏ ପରେ ଗୋଟିଏ ଚିରସବୁଜ ଜଙ୍ଗଲ । ନିଜ ଆଖିଆଗରେ ଚିରସବୁଜ ବନାନୀ ଧ୍ୱଂସହେବାର ଦୃଶ୍ୟକୁ ସହିନପାରି ସେଠାକାର ପୂର୍ବତନ ଜମିଦାର ଗୋଦାବର୍ମନ ଥିରୁମାଲପଦ ଗୋଟିଏ ପୋଷ୍ଟ କାର୍ଡ଼ ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟର ଧ୍ୟାନ ଆକର୍ଷଣ କରିଥିଲେ । ନ୍ୟାୟାଳୟରେ ପୋଷ୍ଟକାର୍ଡ଼ଟିକୁ ଜନସ୍ୱାର୍ଥ ମାମଲା ହିସାବରେ ବିଚାର କରି ଏକ ମାମଲା ରୁଜୁ କରିଥିଲେ ଯାହା ପରେ କେଶ୍ ନମ୍ବର ୨୦୨/୯୫ନାଁରେ ବହୁ ଚର୍ଚ୍ଚିତ ଓ ପରିଚିତ ହୋଇଥିଲା । ପରେ ପରେ ନ୍ୟାୟାଳୟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଲେ ବଡ଼ ବଡ଼ ଜମି ମାଫିଆ ଓ କମ୍ପାନୀମାନଙ୍କ ଜବର ଦଖଲରୁ ଜଙ୍ଗଲ ଜମିକୁ ମୁକ୍ତ କରିବା ପାଇଁ । କିନ୍ତୁ ରାଜ୍ୟ ସରକାରମାନେ ଜମି ମାଫିଆ ଓ ଅପରାଧୀ କମ୍ପାନୀମାନଙ୍କୁ କିଛି କଲେନାହିଁ । ବରଂ ଜଙ୍ଗଲରେ ରହି ଆସୁଥିବା ଓ ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଜନଜାତି ତଥା ପାରମ୍ପରିକ ବନବାସୀମାନଙ୍କୁ ବଳପୂର୍ବକ ଉଚ୍ଛେଦ କରିବାରେ ଲାଗିଲେ । ସବୁଠାରେ କୁହାଗଲା ଉଚ୍ଚତମ ନ୍ୟାୟାଳୟର ଆଦେଶ ଜଙ୍ଗଲ ଜମିକୁ ଜବରଦଖଲ ମୁକ୍ତ କରାଯିବ । ଗଣମାଧ୍ୟମମାନେ ମଧ୍ୟ ପ୍ରଶ୍ନ କଲେ ନାହିଁ ଯେ, ସେଭଳି କିଛି ନିର୍ଦ୍ଦେଶ ନଥିବା ବେଳେ ସେମାନେ କାହିଁକି ନିରୀହ ଜଙ୍ଗଲବାସୀଙ୍କୁ ବଳପୂର୍ବକ ଉଦବାସ୍ତୁ କରୁଛନ୍ତି । ଶହ ଶହ ଲୋକଙ୍କ ଜୀବନ ଗଲା, ଲକ୍ଷ ଲକ୍ଷ ଲୋକ ସର୍ବହରା ହେଲେ । ପ୍ରାୟ ୧୫୦ଲକ୍ଷ ଲୋକ ଆସନ୍ନ ବିସ୍ଥାପନର ଆତଙ୍କ ଭିତରେ ଦିନ କାଟିଲେ । ଏହି ସମୟରେ ହିଁ ଦାନାବାନ୍ଧିଲା ଜଙ୍ଗଲ ଅଧିକାର ପାଇଁ ଦେଶବ୍ୟାପୀ ଜନ ଆନ୍ଦୋଳନ । ଏହି ଦେଶବ୍ୟାପୀ ଆନେ୍ଦାଳନ ପଛରେ ଥିଲା ଅନେକ ଲୋକସଙ୍ଗଠନ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ବିପ୍ଳବୀ ରାଜନୈତିକ ଦଳ । ଏହି ଜନଆନ୍ଦୋଳନର ବାର୍ତ୍ତାକୁ ବଳିଷ୍ଠ ଭାବେ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚାଇବାରେ ସି.ପି.ଆଇ. ଓ ସି.ପି.ଏମ୍ ଦଳର ବି ଏକ ବଳିଷ୍ଠ ଭୂମିକା ଥିଲା ।
ତେବେ ବଳିଷ୍ଠ ଇଚ୍ଛାଶକ୍ତି ବିନା ଏଭଳି ଏକ ଆଇନକୁ କାମରେ ଲଗାଇବା ସମ୍ଭବପର ନୁହେଁ । ପୁଣି ଜଙ୍ଗଲ ସବୁ ସରିଯିବା ପରେ ଅଧିକାରକୁ ନେଇ ଆଦିବାସୀ କରିବେ ବା କ’ଣ? ସମାଜର ଯାଜପୁର ପ୍ରତିନିଧିଙ୍କ ଖବର ଅନୁଯାୟୀ (ମାର୍ଚ୍ଚ ୧୨, ୨୦୦୮) ଗତ ଦୁଇଦଶନ୍ଧି ଭିତରେ ଯାଜପୁରର ସୁକିନ୍ଦା ଉପତ୍ୟାକାର ୯୦ଭାଗ ଜଙ୍ଗଲ ନଷ୍ଟ ହୋଇସାରିଲାଣି । ୧୫୦ଟି ଛୋଟବଡ଼ ଜଙ୍ଗଲ ଧ୍ୱଂସ ହୋଇଗଲାଣି । କାରଖାନା ବଢ଼ିଚାଲିଛି, ଜଙ୍ଗଲ କମିଚାଲିଛି ବୋଲି ସେ ଲେଖୁଛନ୍ତି । ତାଙ୍କରି ଅନୁଧ୍ୟାନ ଅନୁସାରେ ପ୍ରାୟତଃ ସେ ଅଞ୍ଚଳରେ ଆଦିବାସୀ ଏହିସବୁ ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚି ଆସୁଥିଲେ । ଏବେ ସେମାନେ କରିବେ କ’ଣ? ସମଗ୍ର ରାଜ୍ୟର ହିସାବ ନେଲେ ପରିସ୍ଥିତିଟି କେତେ ଆତଙ୍କମୟ ଜଣାପଡ଼ିବ । ନିୟମଗିରି ଭଳି ଘଞ୍ଚଜଙ୍ଗଲ ଭରା ଓ ଜୈବ ପ୍ରାଚୁର୍ଯ୍ୟରେ ଭରପୁର ପାହାଡ଼ଗୁଡ଼ିକୁ ଧ୍ୱଂସ କରିବା ପାଇଁ ଜଙ୍ଗଲ ଅଧିକାର ଆଇନକୁ ପାସ୍ କରିଥିବା କେନ୍ଦ୍ର ସରକାରଙ୍କର ଖୋଦ୍ ପରିବେଶ ଓ ଜଙ୍ଗଲ ବିଭାଗ ସକ୍ରିୟ ଭୂମିକା ନିଭାଇ ଆସିଛନ୍ତି । ନିୟମଗିରି ଗସ୍ତ ପରେ ରାହୁଲ ଗାନ୍ଧୀଙ୍କର ନିୟମଗିରିର ସୁରକ୍ଷା ପାଇଁ ଦେଇଥିବା ଆହ୍ୱାନ (ହିନ୍ଦୁ, ମାର୍ଚ୍ଚ ୧୦, ୨୦୦୭)ପ୍ରକୃତରେ କେନ୍ଦ୍ର ସରକାରଙ୍କୁ କେତେଦୂର ପ୍ରଭାବିତ କରୁଛି ତାଙ୍କ ଦଳ ପ୍ରମାଣିତ କରି ଦେଖାଇବାକୁ ପଡ଼ିବ । ସେହିଭଳି ନିୟମଗିରିକୁ ଧ୍ୱଂସ କରିବା ପାଇଁ ବଦ୍ଧପରିକର ଥିବା ବେଦାନ୍ତ କମ୍ପାନୀ ଯେଉଁଭଳି ଭାବେ ଏହି ପାହାଡ଼ରୁ ବାହାରିଥିବା ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଜୀବିକାର ଉତ୍ସ ବଂଶଧାରା ନଦୀକୁ ନିଜର ବେନିୟମ ଭାବେ ଗଢ଼ିଉଠିଥିବା ଲାଞ୍ଜିଗଡ଼ ଆଲୁମିନା କାରଖାନା ମାଧ୍ୟମରେ ପ୍ରଦୂଷିତ କରିଚାଲିଛି, ବିଳମ୍ବରେ ହେଲେ ବି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ନଜରରେ ପଡ଼ିଛି । ତେବେ ବୋର୍ଡ଼ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଦିଲ୍ଲୀପ ବେହେରାଙ୍କର ନେତୃତ୍ୱରେ ଜାନୁଆରୀ ୨୯ ଓ ୩୦, ୨୦୦୮ରେ ଗୋଟିଏ ବିଶେଷଜ୍ଞ ଦଳ ପରିଦର୍ଶନ କରି ଜଳ ଆଇନ ୧୯୭୪ ମୁତାବକ ଯେଉଁ ବଳିଷ୍ଠ ସୁପାରିଶ କରିଛନ୍ତି ତାହାର ଅନ୍ତିମ ପରିଣାମ କ’ଣ ହେଉଛି ଏବଂ ସରକାର କେଉଁ ପ୍ରକାର ପଦକ୍ଷେପ ନେବେ , ତାହା ହିଁ ସୂଚାଇ ଦେବ ସରକାରଙ୍କର ଜଙ୍ଗଲ ଅଧିକାର ଆଇନ ମଧ୍ୟ ଆଗକୁ କ’ଣ ଫଳାଫଳ ଦେବାକୁ ଯାଉଛି ।
ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏବେ ପ୍ରଭାବହୀନ:
ଗୋଦାବର୍ମନ ମାମଲାରେ ଉଚ୍ଚତମ ନ୍ୟାୟାଳୟକୁ ସହଯୋଗ କରିବା ପାଇଁ ଏହି ଅଦାଲତର ଜଙ୍ଗଲ ଖଣ୍ଡପୀଠ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିଥିଲେ । କିଛି ପୁରୁଖା ଓ ଅଭିଜ୍ଞ ପରିବେଶବିତ୍ ସଦସ୍ୟ ଥିଲେ । ସେମାନଙ୍କ ସଂଖ୍ୟା ଥିଲା ତିନି । ଜୈବ ବିବିଧତା ଓ ଜୈବ ପ୍ରାଚୁର୍ଯ୍ୟରେ ଭରପୁର ନିୟମଗିରି ପାହାଡ଼ର ଖଣି ଖୋଳିବା ପାଇଁ ଅନୀଲ ଅଗ୍ରୱାଲଙ୍କ କମ୍ପାନୀ (ବେଦାନ୍ତ/ଷ୍ଟେରିଲାଇଟ୍)କୁ ଅନୁମତି ନଦେବା ପାଇଁ ସେମାନେ ଉଚ୍ଚତମ ନ୍ୟାୟାଳୟ ଜଙ୍ଗଲ ଖଣ୍ଡପୀଠକୁ ବଳିଷ୍ଠ ସୁପାରିଶ ଦେଇଥିଲେ । ସେମାନଙ୍କ ସୁପାରିଶକୁ ନେଇ ସୁପ୍ରିମକୋର୍ଟଙ୍କ ସହଯୋଗୀ ବା ଆମିକ୍ୟୁସ କ୍ୟୁରି ହରିଶ ସାଲଭେ ବିଭିନ୍ନ ବାହାନା ଦେଖାଇ ନିଜେ ପକ୍ଷ ରଖିବା ପାଇଁ ନ ଆସି, ଆଉ ଜଣଙ୍କୁ ଦାୟିତ୍ୱ ଦେଇଦେଲେ । ଅଦାଲତର ଜଙ୍ଗଲ ଖଣ୍ଡପୀଠ କେବେବି ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ତଥ୍ୟ ଓ ଯୁକ୍ତିପୂର୍ଣ୍ଣ ମତାମତ ଶୁଣିବା ସପକ୍ଷରେ ନଥିଲେ । ଏଥିରୁ ଜଣାପଡ଼ୁଥିଲା ଜଙ୍ଗଲ ଖଣ୍ଡପୀଠ କେତେଦିନ ଆଉ ଏହି ଉଚ୍ଚକ୍ଷମତା ସମ୍ପନ୍ନ କମିଟିକୁ ସତକଥା ଉଠାଇବା ପାଇଁ ସୁଯୋଗ ଦେବ । ପୋସ୍କୋ ମାମଲାରେ ଏହି କମିଟିର ପୋସ୍କୋ ବିରୋଧି ମତାମତ ଜଙ୍ଗଲ ଖଣ୍ଡପୀଠ ଏବଂ ପରିବେଶ ଓ ଜଙ୍ଗଲ ବିଭାଗକୁ ମଧ୍ୟ ଭଲ ଲାଗିନଥିବ । କମିଟିକୁ କିଣିବା ପାଇଁ କମ୍ପାନୀମାନଙ୍କ ଉଦ୍ୟମ କିଛି ବି କାମ ଦେଇନଥିଲା । କିନ୍ତୁ ଏପଟେ କମିଟିକୁ ଯଦି ଭାଙ୍ଗି ଦିଆଯିବ, ତେବେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇପାରେ – ସରକାର ଓ ବିଚାର ବ୍ୟବସ୍ଥାର ଚେହେରା ପଦାରେ ପଡ଼ିଯାଇ ପାରେ । ଏଣୁ କମିଟିକୁ ପୁନର୍ଗଠିତ କରାଗଲା । ସରକାରଙ୍କ ହାତବାରିସି ହୋଇଥିବା ଓ ଜଙ୍ଗଲକୁ କମ୍ପାନୀମାନଙ୍କୁ ଟେକିଦେବା ପାଇଁ ନିଷ୍ଠାପର ଭାବେ କାମ କରୁଥିବା ଲୋକମାନଙ୍କ ସଂଖ୍ୟା ଏହି କମିଟିରେ ବଢ଼ାଇ ଦିଆଗଲା । ଜାନକୀବାବୁ ଓ ରଙ୍ଗନାଥ ମିଶ୍ରଙ୍କ ଅମଳରୁ ସରକାର ଓ ବିଚାର ବ୍ୟବସ୍ଥାରେ ଓଡ଼ିଆଙ୍କର ଏକ କାଳିମାମୟ ପରମ୍ପରା ଆଗରୁ ରହିଆସିଛି । କେନ୍ଦ୍ର ଜଙ୍ଗଲ ବିଭାଗ, ନବୀନଙ୍କ ‘ନିର୍ମଳ ଭାବମୂର୍ତ୍ତି ସରକାରଙ୍କର’ ସହଯୋଗରେ ସେହି ପରମ୍ପରାକୁ ଉପଯୁକ୍ତ ସମ୍ମାନ ଦେଇ, ଏହିଭଳି କିଛି ମେରୁଦଣ୍ଡବିହୀନ ଲୋକଙ୍କୁ ଏହି କମିଟିର ସଦସ୍ୟ କଲେ । ଜଙ୍ଗଲ ଖଣ୍ଡପୀଠ ବି ଖୁସି ହୋଇଥିବେ ନିଶ୍ଚୟ । କମିଟିର କଳେବରଟି ଦେଖିଲେ ଲାଗିବ ସତେ ଯେମିତିକି କେନ୍ଦ୍ରରେ ଓଡ଼ିଆଙ୍କ ଶାସନ ଚାଲିଛି । ଓଡ଼ିଶାର ସ୍ୱାସ୍ଥ୍ୟ ପ୍ରକଳ୍ପକୁ ନେଇ ଦୁର୍ନୀତିର ଚର୍ଚ୍ଚାର ପୃଷ୍ଠଭୂମିରେ ଏକଦା ଥିବା ମୀନାଗୁପ୍ତା ଏବେ କେନ୍ଦ୍ର ଜଙ୍ଗଲ ସଚିବ । ଓଡ଼ିଶାର ଜଙ୍ଗଲ ବିଭାଗର ମୁଖ୍ୟ ଥିଲାବେଳେ ବେଦାନ୍ତ ସମେତ ଅନେକ କମ୍ପାନୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଥିବା ପି.ଆର. ମହାନ୍ତି ଏବେ କେନ୍ଦ୍ର ଜଙ୍ଗଲ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଏହି କମିଟିର ଅନ୍ୟତମ ବରିଷ୍ଠ ସଦସ୍ୟ । ଓଡ଼ିଶା କ୍ୟାଡ଼ରର ଜଙ୍ଗଲ ବିଭାଗ ଅଫିସର ସଞ୍ଜିବ ଚଢ଼ା ଅନ୍ୟତମ ସଦସ୍ୟ । ସେହିଭଳି ଅବସରପ୍ରାପ୍ତ ବନ ସଂରକ୍ଷକ ସରୋଜ ପଟ୍ଟନାୟକ ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଓଡ଼ିଶା ସମ୍ପର୍କିତ ଅଣଓଡ଼ିଆ ସଦସ୍ୟମାନଙ୍କ ନାଁ ଆମେ ଏଠି ଉଲ୍ଲେଖ କରୁନାହୁଁ । ଏତିକି କହିବା ଉଚିତ ହେବ ଯେ, ଏହି କମିଟି ଉଚ୍ଚତମ ନ୍ୟାୟାଳୟର ଯେଉଁ ଜଙ୍ଗଲ ଖଣ୍ଡପୀଠ ନିକଟରେ ଦାୟୀ ରହିବେ ସେଠି ଅଛନ୍ତି ଓଡ଼ିଶାରୁ ଯାଇଥିବା ବରିଷ୍ଠ ବିଚାରପତି ଶ୍ରୀ ଅରଜିତ୍ ପଶାୟତ ।
ସେଥିପାଇଁ ରାହୁଲ ନିୟମଗିରି ସପକ୍ଷରେ ବଳିଷ୍ଠ ଭାବେ ସ୍ୱର ଉତ୍ତୋଳନ କଲେ ବି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ବେଦାନ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କିଛି ପଦକ୍ଷେପ ପାଇଁ ସୁପାରିଶ କରିଥିଲେ ବି, କେନ୍ଦ୍ର ସରକାର, ରାଜ୍ୟ ସରକାର, ବିଚାର ବ୍ୟବସ୍ଥା ଓ ଗଣମାଧ୍ୟମର ପୃଷ୍ଠପୋଷକତାରେ ପରିପୁଷ୍ଟ ହେଇ ଚାଲିଥିବା ଏକ ବଡ଼ ରାକ୍ଷସ କବଳରୁ ନିୟମଗିରି କିପରି ମୁକ୍ତ ହେବ – ଏବେବି ଏକ ଅସମାହିତ ପ୍ରଶ୍ନ ।
ଜଙ୍ଗଲ ଅଧିକାର ଆଇନ-୨୦୦୬: ଅବସର ପରର ଜ୍ଞାନ ଅତି ଭୟଙ୍କର :
ବୁଦ୍ଧିମାନ ଲୋକମାନେ ହିଁ ସରକାରୀ ସେବାପାଇଁ ହେଉଥିବା ପରୀକ୍ଷା (କେନ୍ଦ୍ର/ରାଜ୍ୟ)ରେ ଉତ୍ତୀର୍ଣ୍ଣ ହୋଇପାରନ୍ତି । ଥରେ କୃତକାର୍ଯ୍ୟ ହେଲାପରେ ଅବସର ନେବାଯାଏଁ ଆଉ ବୁଦ୍ଧିର ଆବଶ୍ୟକତା ନଥାଏ । ବୁଦ୍ଧିଉପରେ ତାଲା ପକାଇ ୩୦/୪୦ବର୍ଷ ପରେ ତାକୁ ଖୋଜି କାମରେ ଲଗାଇବା ଲୋକଙ୍କ ହିତରେ ଯିବ ବା କେମିତି? ଏବେ ଅବସରପ୍ରାପ୍ତ ଜଙ୍ଗଲ ବିଭାଗ ଅଫିସରମାନଙ୍କୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଦିବାସୀମାନଙ୍କ ଜୀବନ-ଜୀବିକା ସହ ସେମାନଙ୍କ ସହଯୋଗରେ ଜଙ୍ଗଲ ଓ ପରିବେଶର ଉପଯୁକ୍ତ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ ନେଇ ଏମାନେ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟର ଅଦାଲତକୁ ଯାଇଛନ୍ତି । ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଏମାନେ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଓଡ଼ିଶାରେ ଏମାନେ ଅନୁରୂପ ପଦକ୍ଷେପ ନେଇଛନ୍ତି । ସେଥିରୁ ପ୍ରଶ୍ନ ଆସୁଛି ଯେ, ଏମାନେ କ’ଣ ସତରେ ନିଜବୁଦ୍ଧିର ସଦ୍ ବ୍ୟବହାର କରିଛନ୍ତି ! ଏମାନଙ୍କୁ ‘ବୁଦ୍ଧି’ ଯୋଗାଇବା ପାଇଁ ଅନେକ ଲୋକ ଅଛନ୍ତି । ତଥାକଥିତ ଏବଂ କମ୍ପାନୀ ପ୍ରାୟୋଜିତ ସଂରକ୍ଷଣବାଦୀଙ୍କଠୁଁ ଆରମ୍ଭ କରି ବେଦାନ୍ତ ଓ ଟାଟା ଭଳି ବଡ଼ବଡ଼ କମ୍ପାନୀମାନଙ୍କ ଯାଏଁ ଲମ୍ବାତାଲିକା ଅଛି । ନିଜ ଚାକିରୀକାଳ ଭିତରେ ଏମାନେ କେତେ ଯେ ଜଙ୍ଗଲ ସଫା କରି ଖଣିଖାଦାନ ପାଇଁ ଅନୁମତି ଦେଇଚନ୍ତି, ହିସାବ କଲେ ଜଣାପଡ଼ିବ । ତେବେ ସରକାରରେ ଥିଲା ବେଳେ ସମ୍ବିଧାନଟିକୁ ତକିଆକରି ଶୋଇଥିବା ଲୋକମାନଙ୍କୁ ଏବେ ହଠାତ୍ ତା’ର ଧାରା ୪୮(କ) ଏବଂ ୫୧କ(ଜ)ମନେ ପଡ଼ିଗଲା । ଜଙ୍ଗଲ ଅଧିକାର ଆଇନଟି ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସମ୍ପୃକ୍ତ ଧାରାର ଉଲ୍ଲଂଘନ କରୁଛି । ଗରିବ ଆଦିବାସୀ ବା ଜଙ୍ଗଲବାସୀଟି ଜଙ୍ଗଲଟିକୁ ନଷ୍ଟ କରିଦେବ ଏବଂ ଜବରଦଖଲ ବଢ଼ାଇବ । ଗ୍ରାମସଭା ବା ଲୋକେ ଜଙ୍ଗଲ ଅଧିକାର ଆଇନକୁ ସଂରକ୍ଷିତ କରିପାରିବେନି । ପରିବେଶ ଓ ଜଙ୍ଗଲର ସୁରକ୍ଷା କରିହେବନି ଯଦି ଅଧିକାରଟି ଏମାନଙ୍କୁ ଦେଇ ଦିଆଯାଏ- ଏସବୁଥିଲା ଏମାନଙ୍କ ଯୁକ୍ତି ।
ଏମାନଙ୍କ ଯୁକ୍ତିଗୁଡ଼ିକୁ ଗୋଟିଗୋଟି କରି କାଟିବା ପାଇଁ ଅନେକ ଅକାଟ୍ୟ ଯୁକ୍ତି ନ୍ୟାୟାଳୟଗୁଡ଼ିକରେ ଦାଖଲ ହୋଇସାରିଛିି । ଆମେ ଏଠି ସେ ଭିତରକୁ ଯିବାକୁ ଚାହୁଁନାହୁଁ । ଆମେ କେବଳ ଏତିକି କହିବାପାଇଁ ଚାହୁଁଛୁ ଯେ ଏ ଦେଶର ଗରିବ, ଆଦିବାସୀ, ଦଳିତ, ଭୂମିହୀନଙ୍କ ପାଇଁ ସରକାର ମାନଙ୍କ କିଛି ଆଗ୍ରହ ନାହିଁ । ଯଦି ବି କିଛି ଆଇନ କରାଯାଏ, କୌଣସି ଚାପରେ ବା ନିଜର ଲୋକାଭିମୁଖୀ ଚେହେରାକୁ ସଜାଡ଼ିବା ପାଇଁ ତାକୁ କାମରେ ଲଗାଇବା ପାଇଁ ଆନ୍ତରିକତା ନଥାଏ । ଜଙ୍ଗଲ ଅଧିକାର ନିୟମଟିକୁ କାମରେ ଲଗାଇବା ପାଇଁ ସରକାରୀ ସ୍ତରର ଅବହେଳା ଆମେ ଦେଖିଆସିଛୁ । ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଯାହାକି ସମ୍ପୂର୍ଣ୍ଣ ଭାବେ ଖଣିମାଫିଆଙ୍କ ଦ୍ୱାରା ପରିଚାଳିତ, ତାକୁ ଆରମ୍ଭରୁ ବିରୋଧ କରିଆସିଛି । ଏବେ ବି ବିଭିନ୍ନ ଉଚ୍ଚନ୍ୟାୟାଳୟରେ ଦାଖଲ ହୋଇଥିବା ପିଟିସନ୍ ପଛରେ ଏହି ବିଭାଗର ଭୂମିକା ଅଛି ବୋଲି କୁହାଯାଇଛି । ଓଡ଼ିଶାର ଉଚ୍ଚନ୍ୟାୟାଳୟରେ ମାମଲାଟିର ଶୁଣାଣିବେଳେ ଓଡ଼ିଶା ସରକାରଙ୍କ ତରଫରୁ ଜଙ୍ଗଲ ବିଭାଗ ସମେତ କୌଣସି ବିଭାଗ ଏହି ଆଇନ ସପକ୍ଷରେ କୌଣସି ଯୁକ୍ତି ଉପସ୍ଥାପନ କଲାଭଳି ଦେଖିବାକୁ ମିଳିନଥିଲା । ସରକାର ସମ୍ବିଧାନ ଓ ଆଇନର ସୁରକ୍ଷା କରୁନଥିବା କଥା ଉଚ୍ଚତମ ନ୍ୟାୟାଳୟରେ ସଦ୍ୟ ଶେଷହୋଇଥିବା ବେଦାନ୍ତର ନିୟମଗିରି ମାମଲାର ଶୁଣାଣିଗୁଡ଼ିକରୁ ସମସ୍ତେ ଦେଖି ଆସିଛନ୍ତି । ଯଦି କୌଣସି କମ୍ପାନୀର ସ୍ୱିଚ୍ ବୋର୍ଡ ଖରାପ ହୁଏ ବା ରାସ୍ତାରୋକ ଯୋଗୁଁ ଗାଡ଼ି କେଉଁଠି ଅଟକି ଯାଏ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରଗୁଡ଼ିକ ସେଥିପାଇଁ ରାତିଦିନ କାମ କରନ୍ତି । ଜଙ୍ଗଲ ଅଧିକାର ଆଇନ-୨୦୦୬ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଲୋକାଭିମୁଖୀ ଆଇନର ସୁରକ୍ଷା ତଥା କାର୍ଯ୍ୟାୟନ ପାଇଁ ଏଯାଏଁ କାହିଁକି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ବା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଆଗ୍ରହ ଦେଖାଇନାହାନ୍ତି- ଏହି କଥା ସମସ୍ତଙ୍କୁ ବିସ୍ମିତ କରିଛି ।
From Samadrusti Archive (2008)
Comments
0 comments

