ସୁଜେଲି – ମାଟି, ମଣିଷ ଓ ସମୟର କାହାଣୀ

10 Views
13 Min Read

ପ୍ରତ୍ୟେକ ଗାଁର ନିଜସ୍ୱ ଏକ ଅତୀତ ଥାଏ,ଯାହା କେବଳ ଇତିହାସର ପୃଷ୍ଠାରେ ସୀମିତ ନଥାଇ ଗାଁର ବୟସ୍କମାନଙ୍କ ସ୍ମୃତି, ପରମ୍ପରା, ପ୍ରକୃତି ଓ ଜୀବନଶୈଳୀ ମଧ୍ୟରେ ଜୀବନ୍ତ ହୋଇ ରହିଥାଏ। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ଛୋଟ ଗ୍ରାମ ‘ସୁଜେଲି’ର ଇତିହାସ, ସାମାଜିକ ପରିବର୍ତ୍ତନ ଓ ଜୀବନଧାରାକୁ ଜାଣିବା ପାଇଁ ଏହି ଡକ୍ୟୁମେଣ୍ଟେସନ୍‌ ଏକ ସୁନ୍ଦର ପ୍ରୟାସ। ଗାଁର ଅଭିଜ୍ଞ ଜ୍ୟେଷ୍ଠ ନାଗରିକ ପତ୍ରି ସାହୁ , ବୟସ ୮୫, ହୀରାମଣି ସାହୁ , ବୟସ୯୦ ବର୍ଷ ଓ ରାଜ ସାହୁ, ବୟସ୮୨ ବର୍ଷଙ୍କ ମୁଖରୁ ସଂଗୃହୀତ ତଥ୍ୟକୁ ଆଧାର କରି ଏହି ଆଲେଖ୍ୟଟି ପ୍ରସ୍ତୁତ କରାଯାଇଛି। ୧୮୮୯ ମସିହାରେ ମାତ୍ର ୩ଟି ଘର ଓ ୧୩ ଜଣ ଅଧିବାସୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଗାଁ କିପରି କାଳକ୍ରମେ ୫୪ଟି ପରିବାର ଓ ବିଭିନ୍ନ ସମ୍ପ୍ରଦାୟର ସଦ୍‌ଭାବପୂର୍ଣ୍ଣ ଆବାସସ୍ଥଳୀରେ ପରିଣତ ହୋଇଛି, ତାହା ଏଥିରେ ବର୍ଣ୍ଣିତ। ଏହି ସଂଗୃହୀତ ବିବରଣୀରେ ଗାଁର ନାମକରଣ, ଜଙ୍ଗଲ ଓ ଜୀବଜନ୍ତୁଙ୍କ ସହ ଆଦିମ ସଂଘର୍ଷ, ପାରମ୍ପରିକ ଜୈବିକ କୃଷିରୁ ଆଧୁନିକ ଚାଷପ୍ରଣାଳୀକୁ ପରିବର୍ତ୍ତନ, ଆହାର-ବିହାର, ସଂସ୍କୃତି-ପର୍ବପର୍ବାଣି ଏବଂ ବର୍ତ୍ତମାନର ଗ୍ରାମୀଣ ସମସ୍ୟା (ଯଥା: ଦାଦନ , ବେକାରୀ ଓ ଅନ୍ଧବିଶ୍ୱାସ) ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରାଯାଇଛି। ଏହି ତଥ୍ୟ ସବୁକୁ ସଂଗହକରି ଏକ ସୁନ୍ଦର ଉପସ୍ଥାପନା କରିଛନ୍ତି ସୁଜେଲି ଗାଁର ଝିଅ ସିମ୍ରନ ସାହୁ ସେ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜି. ଉଦୟଗିରି, +୨ ପ୍ରଥମ ବର୍ଷ (କଳା) ରେ ଅଧ୍ୟୟନ କରୁଛନ୍ତି । ନିଜ ଗାଁର ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷିତ କରିବା ପାଇଁ ଜଣେ ଛାତ୍ରୀଙ୍କର ଏହି ନିଷ୍ଠାପର ଉଦ୍ୟମ ଓ ଗ୍ରାମ୍ୟ ଇତିହାସ ଅନୁସନ୍ଧାନ ଅତ୍ୟନ୍ତ ପ୍ରଶଂସନୀୟ।

 

ଗାଁର ପରିଚୟ ଓ ଭୌଗୋଳିକ ସ୍ଥିତି:

ଆମ ଗାଁର ନାମ ହେଉଛି ସୁଜେଲି। ଏହା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଗୋଟିଏ ଛୋଟ ଗାଁ। ଆମ ଗାଁର ଉତ୍ତରରେ ବଜିଗିଆ ଗ୍ରାମ, ଦକ୍ଷିଣରେ କୁର୍ମିଗିଆ ଗ୍ରାମ ଓ ପଶ୍ଚିମରେ ସୁରାଦାଇ ଗ୍ରାମ ରହିଛି। କହିବାକୁ ଗଲେ, ଆମ ଗାଁକୁ ତିନୋଟି ଗାଁ ଘେରି ରହିଛି, ପୂର୍ବ ଭାଗରେ ଘେରି ରହିଛି ଘଞ୍ଚ ଜଙ୍ଗଲ।
ଆମ ଗାଁର ପ୍ରଥମ ବାସିନ୍ଦା ଭଞ୍ଜନଗର ନିକଟବର୍ତ୍ତୀ କୁଲାଡ଼ ଗ୍ରାମର ଅଧିବାସୀ ଥିଲେ। ସେମାନେ ସୁଣ୍ଢି ବଂଶର ଥିଲେ। ସେମାନେ ଏଠାକୁ ପ୍ରଥମେ କାମ ଖୋଜିବାକୁ ଆସିଥିଲେ। କାମ କରି ଏଠାରେ କିଛି ଦିନ ରହିଲେ। ସେମାନେ ଦେଖିଲେ ଯେ ଏଠାରେ ବସବାସ କରିବା ପାଇଁ ଭଲ ସୁବିଧା ସୁଯୋଗ ରହିଛି। ତେଣୁ ସେମାନେ ନିଜ ଗାଁ କୁଲାଡ଼କୁ ଯାଇ ନିଜ ପରିବାରକୁ ଆଣି ଏଠାରେ ପ୍ରଥମେ ସ୍ଥାୟୀ ବାସିନ୍ଦା ଭାବରେ ରହିଥିଲେ ଓ ବସତି ସ୍ଥାପନ କରିଥିଲେ। ଯେହେତୁ ସେମାନେ ସୁଣ୍ଢି ବଂଶର ଥିଲେ, ସେମାନେ ନିଜ ବଂଶର ନାମ ଅନୁଯାୟୀ ଗାଁର ନାମ ‘ସୁଜେଲି’ ବୋଲି ଦେଲେ। ପୁଣି କେତେକ ଲୋକ କହନ୍ତି ଯେ ଆମ ଗାଁ ଅତ୍ୟଧିକ ଶୀତ ହେଉଥିବାରୁ, ଗୋଡ଼ ହାତ ଫାଟୁଥିବାରୁ ବା ଥଣ୍ଡା ଯୋଗୁଁ ‘ସୁଗା’ (କୁଇ ଭାଷାରେ) ହେଉଥିବାରୁ ଆମ ଗାଁର ନାମ ସୁଜେଲି ହୋଇଛି।

ଆମ ଗାଁ ୧୮୮୯ ମସିହାରେ ପ୍ରତିଷ୍ଠା ହୋଇଥିଲା। ଆମ ଗାଁର ପ୍ରଥମ ବାସିନ୍ଦା ରୂପ ସାହୁ, ଅନ୍ତ ସାହୁ ଓ ନବି ମଳିକ ଥିଲେ। ଓ ପରେ ପରେ ସାନ୍ଧ ସାହୁ, କୈବଲ ସାହୁ ଓ ପାରଜୁ ସାହୁ, କ୍ୟାପ୍ଟେନ୍ ମଳିକ, ବ୍ରଧେ ପ୍ରଧାନ, କର୍ଣ୍ଣ ପ୍ରଧାନ ଓ ସେମାନଙ୍କର ପରିବାର ଆସି ଏଠାରେ ବସତି ସ୍ଥାପନ କଲେ। ଗାଁ ଯେବେ ସ୍ଥାପନ ହେଲା, ଗାଁରେ ମାତ୍ର ତିନୋଟି ଘର ଥିଲା ଓ ଲୋକସଂଖ୍ୟା ଥିଲେ ୧୩। ବର୍ତ୍ତମାନ ଗାଁରେ ୫୪ଟି ଘର ଅଛି ଓ ଲୋକସଂଖ୍ୟା ପ୍ରାୟ ୨୫୦ ରୁ ଅଧିକ। ହିନ୍ଦୁ, ଆଦିବାସୀ, ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଲୋକ ସବୁ ଆମ ଗାଁରେ ବସବାସ କରନ୍ତି।

ଜଳସମ୍ପଦ ଓ ଗମନାଗମନ:

ଆମ ଗାଁରେ ନଦୀ, ପୋଖରୀ, ଚୁଆ ଥିଲା, କିନ୍ତୁ ଝରଣା ନଥିଲା। ଆମ ଗାଁର ଲୋକମାନେ ଚୁଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। ନଦୀ ଓ ପୋଖରୀ ପାଣିରେ ଗାଈଗୋରୁଙ୍କୁ ଗାଧୋଇଦେବା, ନିଜେ ଗାଧୋଆପାଧୋଆ କରିବା, ଲୁଗାପଟା ଧୋଇବା, ଚାଷକାମରେ ବ୍ୟବହାର କରିବା ଆଦି କାର୍ଯ୍ୟ ନଦୀ ଓ ପୋଖରୀ ପାଣିରେ ହେଉଥିଲା। ପରେ କୂଅ ନିର୍ମାଣ କରି କୂଅ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରାଗଲା।

ଯେତେବେଳେ ଆମ ଗାଁ ସ୍ଥାପନ ହେଲା, ସେତେବେଳେ ଚାରିଆଡ଼ କେବଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ରହିଥିଲା। ଧୀରେ ଧୀରେ ଲୋକମାନେ ଆସି ବସତି ସ୍ଥାପନ କରିବାରୁ ଜଙ୍ଗଲର ମାତ୍ରା ଟିକେ କମିବାକୁ ଲାଗିଲା। ଗାଁ ସ୍ଥାପନ ହେଲାବେଳକୁ ଜଙ୍ଗଲ କମ୍ ଥିଲା। ଗାଁ ସ୍ଥାପନ ହେବା ସମୟରେ ଚାରିଆଡ଼େ ଘଞ୍ଚ ଜଙ୍ଗଲ ରହିଥିଲା, ସେଥିପାଇଁ ଗଛଲତା, ପଶୁପକ୍ଷୀ ଓ ବନ୍ୟଜନ୍ତୁ ସବୁ ଆମ ଆଖପାଖରେ ରହୁଥିଲେ। ସେହି ସମୟରେ ହିଂସ୍ର ବନ୍ୟଜନ୍ତୁ ଆମ ଆଖପାଖରେ ରହୁଥିବାରୁ ଜୀବନ ପ୍ରତି ବିପଦ ରହୁଥିଲା। ଏବେ ଆମ ଗାଁ ପରିବେଶ ଆଗ ଅପେକ୍ଷା ବହୁତ ଭଲ ଅଛି। କାରଣ ପୂର୍ବରୁ ଚାରିଆଡ଼େ ଜଙ୍ଗଲ ଥିବାରୁ ମଣିଷର ଜୀବନ ପ୍ରତି ବିପଦ ରହୁଥିଲା, କିନ୍ତୁ ଏବେ ଜନସଂଖ୍ୟା ବୃଦ୍ଧି ହେବା କାରଣରୁ ଜଙ୍ଗଲ ଟିକେ କମିଗଲା, ଯାହାଫଳରେ କି ହିଂସ୍ର ଜନ୍ତୁମାନେ ଆମଠାରୁ ଦୂରକୁ ଚାଲିଗଲେ।

ଆଗରୁ କେବଳ ଆମ ଗାଁର ଲୋକମାନେ ଚୁଆ ଓ କୂଅ ପାଣିକୁ ପାନୀୟ ପାଇଁ ବ୍ୟବହାର କରୁଥିଲେ, କିନ୍ତୁ ଏବେ ସରକାରଙ୍କ ଦ୍ୱାରା ଯୋଗାଣ ‘ବସୁଧା’ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦ୍ୱାରା ସମସ୍ତଙ୍କ ଘରେ ଘରେ ପାନୀୟ ପାଇଁ ପାଣି ପହଞ୍ଚିପାରିଛି।

ପୂର୍ବରୁ ଆମ ଗାଁର ରାସ୍ତା ମାଟିରେ ତିଆରି ହୋଇଥିଲା, କିନ୍ତୁ ଏବେ ପିଚୁରେ ତିଆରି ହୋଇଛି।

କୃଷି ଓ ଖାଦ୍ୟପେୟର କ୍ରମବିକାଶ:

ପୂର୍ବରୁ ଆମ ଗାଁର ଚାଷୀମାନେ କେବଳ ହଳ, ଲଙ୍ଗଳ ବ୍ୟବହାର କରି କୃଷିକାର୍ଯ୍ୟ କରୁଥିଲେ ଓ ସେଥିରେ ସେମାନେ ଜୈବିକ ଖତ ବ୍ୟବହାର କରୁଥିଲେ, କିନ୍ତୁ ଏବେ ଚାଷୀମାନେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି; ଯାହାଦ୍ୱାରା କୃଷିକାର୍ଯ୍ୟ କମ୍ ସମୟ ମଧ୍ୟରେ ହେବାକୁ ଲାଗିଲା। ଏବେ ଆମ ଗାଁର ଚାଷୀମାନେ ରାସାୟନିକ ସାର ବ୍ୟବହାର କରୁଛନ୍ତି।


ଧାନ, ମାଣ୍ଡିଆ, ବାଜରା, ଜନ୍ତା, କୋଏରୀ, କାନ୍ଦୁଲ, ହଳଦୀ, ଆଳୁ, କଖାରୁ, ମୁଗ, ବିରି ଇତ୍ୟାଦି ଆଗରୁ ଆମ ଗାଁରେ ଚାଷ କରାଯାଉଥିଲା। ପୂର୍ବରୁ ଚାଷ କରାଯାଉଥିବା ପନିପରିବା ସହିତ ଏବେ ଆଉ କେତେକ ନୂଆ ପନିପରିବା ମଧ୍ୟ ଚାଷ କରାଯାଉଛି। ଯେପରି କି— ମଟର, ଲଙ୍କା, ପିଆଜ, ବନ୍ଧାକୋବି, ଫୁଲକୋବି, ଗାଜର, ବାଇଗଣ, ପୋଟଳ, ମୂଳା, ଲିଚୁ, କଦଳୀ, ସୋରିଷ, ବିଭିନ୍ନ ପ୍ରକାରର ଶାଗ ଓ ବିଭିନ୍ନ ପ୍ରକାରର ଫୁଲଫଳ, ପନିପରିବା ଇତ୍ୟାଦି। ଏଥିରେ ଚାଷପ୍ରଣାଳୀ, ବିହନ ଚୟନ, ସାର ପ୍ରୟୋଗ କରି ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆସିଛି, କାରଣ ସମୟର ବୃଦ୍ଧି ସହିତ ବିଜ୍ଞାନର ଅଗ୍ରଗତି। ଆଗରୁ ହେଉଥିବା ଚାଷପଦ୍ଧତି ଓ ଏବେକାର ଚାଷପଦ୍ଧତି ମଧ୍ୟରେ କିଛି ପାର୍ଥକ୍ୟ ଅଛି କି? ହଁ, ଆଗରୁ ହେଉଥିବା ଚାଷପଦ୍ଧତି ଓ ଏବେକାର ଚାଷପଦ୍ଧତି ମଧ୍ୟରେ ପାର୍ଥକ୍ୟ ଅଛି। ପୂର୍ବରୁ ଆମ ଗାଁର ଲୋକମାନେ ହଳ, ଲଙ୍ଗଳ, ଜୁଆଳି ପରି ଅନୁନ୍ନତ କୃଷି ପ୍ରଣାଳୀ ଦ୍ୱାରା ଚାଷ କରୁଥିଲେ, କିନ୍ତୁ ଆଧୁନିକ ଯନ୍ତ୍ରପାତି ଦ୍ୱାରା ତାହା ବୈଜ୍ଞାନିକ କ୍ରିୟାକଳାପରେ ଅନ୍ତର୍ଭୁକ୍ତ। ଟ୍ରାକ୍ଟର, ପାୱାର ଟିଲର, ଘାସକଟା ମେସିନ୍ ସାହାଯ୍ୟରେ କୃଷକ ଚାଷକାର୍ଯ୍ୟ ସମ୍ପାଦନ କରୁଛି। ପୂର୍ବରୁ ଯେଉଁ ପ୍ରଣାଳୀରେ ଚାଷକାର୍ଯ୍ୟ କରାଯାଉଥିଲା, ସେଥିରେ ଅଧିକ ସମୟ, ପରିଶ୍ରମ ଲାଗୁଥିଲା, ଉତ୍ପାଦନ କମ୍ ହେଉଥିଲା; କିନ୍ତୁ ଏବେ ଆଧୁନିକ ଯନ୍ତ୍ରପାତି ଓ ସାର ପ୍ରୟୋଗ ଦ୍ୱାରା କମ୍ ପରିଶ୍ରମରେ ଅଧିକ ଉତ୍ପାଦନ ହେଉଛି ଓ ସମୟ ମଧ୍ୟ କମ୍ ଲାଗୁଛି। କିନ୍ତୁ ଏବେକାର ପନିପରିବା ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରୁନାହିଁ, କାରଣ ରାସାୟନିକ ସାରର ବୃଦ୍ଧି। ପୂର୍ବରୁ ଜୈବିକ ଖତରୁ ଉତ୍ପାଦିତ ଦ୍ରବ୍ୟ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରୁଥିଲା।
ମାଣ୍ଡିଆ ଯାଉ, ମାଣ୍ଡିଆ ପିଠା, ଭାତ, ବାଉଁଶ କଡ଼ି, କାନ୍ଦୁଲ, ଆଳୁ, ବିଭିନ୍ନ ପ୍ରକାର ଶାଗ, ଫଳମୂଳ ଇତ୍ୟାଦି ଆମର ଖାଦ୍ୟପେୟ ଥିଲା। ଏବେ ଆମେ ପୂର୍ବରୁ ଚାଷ ହେଉଥିବା ପନିପରିବା, ଏବେ ଚାଷ ହେଉଥିବା ପନିପରିବା, ବିଭିନ୍ନ ପ୍ରକାର ଶାଗ, ଫଳମୂଳ, ଯେପରି କି ସୂର୍ଯ୍ୟମୁଖୀ, ସୋରିଷ ଫୁଲରୁ/ସୋରିଷରୁ ତେଲ ବାହାର କରି ଖାଦ୍ୟ ରୂପେ ବ୍ୟବହାର, କଖାରୁ ଫୁଲକୁ ପିଠୋଉ କରି ଖାଦ୍ୟ ରୂପେ ବ୍ୟବହାର, ହୋଟେଲରେ ଅଧିକ ତେଲ, ମସଲାଯୁକ୍ତ ଖାଦ୍ୟ ମାଣ୍ଡିଆ ଇତ୍ୟାଦି ଖାଉଛୁ। ଏବେ ଆମେ ଅରୁଆ, ଉଷୁନା ଓ ସରକାରଙ୍କ ଯୋଗାଉଥିବା ‘ଅନ୍ନପୂର୍ଣ୍ଣା’ କଣ୍ଟ୍ରୋଲ ଚାଉଳର ଭାତ ଖାଉଛୁ।
ଗାଁର ବୟସ୍କ ଲୋକସବୁ ଏବେକାର ଖାଦ୍ୟ ଉପରେ ମତ ଦିଅନ୍ତି ଯେ— ପୂର୍ବରୁ କେବଳ ଜୈବିକ ଖତରୁ ପ୍ରସ୍ତୁତ ଖାଦ୍ୟ ଖାଇ, ଉତ୍ପାଦନ ହେଉଥିବା ପନିପରିବା ଖାଇ ଆମ ଶରୀର ସୁସ୍ଥ ଓ ସବଳ ରହୁଥିଲା, ଅଧିକ ପୀଡ଼ିତ ହେଉନଥିଲା। କିନ୍ତୁ ଏବେକାର ଖାଦ୍ୟ ଯାହା ବାସି, ଅଧିକ ତେଲ, ମସଲାଯୁକ୍ତ ହୋଇଥାଏ, ତାହାକୁ ଖାଇ ମଣିଷ ରୋଗକୁ ନିଜ ଆଡ଼କୁ ଟାଣିଆଣୁଛି। ଭାତ, ରୁଟି, ମାଣ୍ଡିଆ ପରି ସ୍ୱାସ୍ଥ୍ୟକର ଖାଦ୍ୟ ନଖାଇ ଏବେକାର ଯୁବକ-ଯୁବତୀମାନେ ହୋଟେଲରୁ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି।

ଧାର୍ମିକ ବିଶ୍ୱାସ, ପର୍ବପର୍ବାଣି ଓ ସଂସ୍କୃତି:

ଆମ ଗାଁରେ ମନ୍ଦିର, ମସଜିଦ୍ ନାହିଁ, କିନ୍ତୁ ଗୋଟିଏ ବାପ୍ଟିଷ୍ଟ ଗିର୍ଜା ଓ ମଠ ଅଛି। ଗିର୍ଜା ୧୯୮୮ ମସିହାରେ ସ୍ଥାପନ ହୋଇଛି ଓ ମଠ ୧୯୦୦ ମସିହା ପୂର୍ବରୁ ସ୍ଥାପନ ହୋଇରହିଛି। ଆମ ଜୀବନରେ ସେମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଆମକୁ ଏହି ସ୍ଥାନମାନଙ୍କରୁ ହିଁ ଆମର ପ୍ରଥା ଓ ପରମ୍ପରା ବିଷୟରେ ଜଣାପଡ଼ିଥାଏ। ଏହା ଛଡ଼ା ଏହି ସ୍ଥାନମାନଙ୍କରୁ ଆମକୁ ଧାର୍ମିକ ଚେତନା, ନୈତିକ ଚେତନା, ସାମାଜିକ ଚେତନା ଆଦିର ଶିକ୍ଷା ମିଳିଥାଏ। ଆମ ଗାଁରେ ରଜ ସଂକ୍ରାନ୍ତି, ଗଣେଶ ପୂଜା, ସରସ୍ୱତୀ ପୂଜା, ଅଁଳା ନବମୀ, ରାମ ନବମୀ, ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା, ରଥଯାତ୍ରା, ମକର ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ମହାଶିବରାତ୍ରି, ହୋଲି, ଦୋଳ ପୂର୍ଣ୍ଣିମା, ନୂଆଖାଇ, ରାଖୀ ପୂର୍ଣ୍ଣିମା, ଛାଡ଼ଖାଇ, ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ବଡ଼ଦିନ, ଗୁଡ୍ ଫ୍ରାଇଡେ ଇତ୍ୟାଦି ପର୍ବପର୍ବାଣି ପାଳନ କରାଯାଏ। ଆଗରୁ କରାଯାଉଥିବା ପର୍ବପର୍ବାଣିରେ ବାଜାଯନ୍ତ୍ର, ଢୋଲ ବଜାଇ, ପର୍ବପର୍ବାଣିରେ ଗୀତ ଗାଇ ପର୍ବପର୍ବାଣି ପାଳନ କରାଯାଉଥିଲା, କିନ୍ତୁ ଏବେ ବ୍ଲୁଟୁଥ୍‌ରେ ସଙ୍ଗୀତ ବଜାଇ ପର୍ବପର୍ବାଣି ପାଳନ କରାଯାଉଛି।
ପୂର୍ବରୁ ଅଧିକ ପ୍ରକୃତି ପୂଜା, ମାଟି/ଭୂମି ପୂଜା, ବଳି ପୂଜା କରାଯାଉଥିଲା। କିନ୍ତୁ ଏବେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବଳି ପୂଜା ଦେଖିବାକୁ ମିଳୁଛି, ଯେପରି କି ଆମ ଗାଁ ସୁଜେଲିରେ ଏବେ ମଧ୍ୟ ମା’ ମଙ୍ଗଳାଙ୍କୁ ଛେଳି ବଳି ଦେଇ ପୂଜା କରାଯାଉଛି।


ଆଗରୁ ରଜ ସଂକ୍ରାନ୍ତିରେ ମଣ୍ଡା ପିଠା, ପୋଡ଼ ପିଠା, ଖିରି, ଚକୁଳି, ପଣା ସଂକ୍ରାନ୍ତିରେ ପଣା, ଦୀପାବଳିରେ ଭାତ, ଡାଲି, ଚିକେନ୍, ମାଣବସା ଗୁରୁବାରରେ ଅରୁଆ ଭାତ, ଡାଲି, ଭଜା, ପାମ୍ପଡ଼ ଇତ୍ୟାଦି ଖାଦ୍ୟ ଓ ପିଠା ବଣା ହେଉଥିଲା। ଏବେ ତାହା ହେବା ସହିତ ବିଭିନ୍ନ ପ୍ରକାର ପର୍ବପର୍ବାଣିରେ ବିଭିନ୍ନ ପ୍ରକାର ପିଠାପଣା ଓ ଖାଦ୍ୟ ରୋଷେଇ ହେଉଛି; ଯେପରି କି— ଆରିଷା ପିଠା, କାକରା ପିଠା, ମଣ୍ଡା ପିଠା, ଖିରି, ପନୀର, ଚିକେନ୍, ମଟନ୍, ଘାଣ୍ଟ ତରକାରୀ, ବିଭିନ୍ନ ପ୍ରକାରର ମିଠା ଯଥା— ଲଡୁ, ରସଗୋଲା, ଗୁଲାବ ଜାମୁନ୍, ଖାସା, ସେଉ, ବୁନ୍ଦି, ବର୍ଫି ଇତ୍ୟାଦି।

ଶିକ୍ଷା, ସ୍ୱାସ୍ଥ୍ୟ ଓ ଗ୍ରାମୀଣ ବଜାର:

ଆମ ଗାଁରେ ଦୁଇଟି ଶିକ୍ଷାନୁଷ୍ଠାନ ଅଛି— ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଓ ଆଉ ଗୋଟିଏ ପ୍ରାଥମିକ ବିଦ୍ୟାଳୟ। ଅଙ୍ଗନବାଡ଼ି ୧୯୯୬ ମସିହାରେ ଓ ପ୍ରାଥମିକ ବିଦ୍ୟାଳୟ ୧ ଜୁନ୍ ୧୯୫୮ ମସିହାରୁ ସ୍ଥାପନ କରାଯାଇଛି। ଆଗରୁ ଅଙ୍ଗନବାଡ଼ି କେନ୍ଦ୍ରରେ ୧୪ ଜଣ ପିଲା ପଢ଼ୁଥିଲେ, ଏବେ ୭ ଜଣ ପିଲା ପଢ଼ୁଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ଆଗରୁ ୧୭ ଜଣ ପିଲା ପଢ଼ୁଥିଲେ, ଏବେ ୨୨ ଜଣ ପିଲା ପଢ଼ୁଛନ୍ତି।
ଅଧାରୁ ପାଠ ଛାଡ଼ୁଥିବା ପିଲାମାନେ କେତେକ ଚାଷକାମ କରୁଛନ୍ତି, ଆଉ କେତେକ ଗାଁ ଛାଡ଼ି ଅନ୍ୟ ସହର ବା ରାଜ୍ୟକୁ ଯାଇ ନିଜର ଜୀବିକା ନିର୍ବାହ ପାଇଁ କାମ କରୁଛନ୍ତି।
ଆମ ଗାଁର ଅଧାରୁ ଅଧିକ ଲୋକ ବାହାରକୁ କାମ ପାଇଁ ଚାଲିଯାଉଛନ୍ତି। କେତେକ ଲୋକ ଗାଁରେ କାମ ନପାଇବାରୁ ଚାଲିଯାଇଛନ୍ତି ଓ ଆଉ କେତେକ ଲୋକ ଗାଁରେ କାମ ପାଇ କମ୍ ମଜୁରି ପାଇଁ ଅସନ୍ତୋଷ ହୋଇ ବାହାରକୁ ଚାଲିଯାଇଛନ୍ତି। ବିଶାଖାପାଟଣା, ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ, ତ୍ରିଚୁର, କେରଳ, ବାଙ୍ଗାଲୋର, ମୁମ୍ବାଇ ଆଦି ସହର ବା ରାଜ୍ୟକୁ କାମ ପାଇଁ ଚାଲିଯାଉଛନ୍ତି।
ଆମ ଗାଁ ପାଖରେ ହାଟବଜାର ଅଛି। ଆମ ଗାଁ ପାଖରେ, ଗାଁଠାରୁ ୫ କିଲୋମିଟର ଦୂରରେ ଗୋଟିଏ ହାଟ ଅଛି। ଗାଁର ଲୋକମାନେ ବିଭିନ୍ନ ପ୍ରକାରର ପନିପରିବା, ଫଳ, ମୂଳ ଆଦି ସାମଗ୍ରୀ ସେଠାରୁ ସୁଲଭ ମୂଲ୍ୟରେ ଆଣିଥାନ୍ତି ଓ ହାଟରେ ବିକ୍ରି କରିବାକୁ ମଧ୍ୟ ନିଅନ୍ତି। ହାଟରୁ ନିଜର ମନପସନ୍ଦ ଓ ଆବଶ୍ୟକୀୟ ସାମଗ୍ରୀ ସବୁ ନିଜ ସାଙ୍ଗରେ ଆଣନ୍ତି।
ଆମ ଗାଁରେ ଆଗରୁ ଡେଙ୍ଗୁ ଜ୍ୱର, ମ୍ୟାଲେରିଆ ଜ୍ୱର, ହଇଜା, ଝାଡ଼ାବାନ୍ତି, କାସ, ମୁଣ୍ଡବିନ୍ଧା, ଥଣ୍ଡାଜ୍ୱର, ତଳପେଟ ବିନ୍ଧା ଇତ୍ୟାଦି ରୋଗମାନ ଦେଖାଯାଉଥିଲା। ଏବେ ଏହାଠାରୁ ଆହୁରି ବଡ଼ ବଡ଼ ରୋଗମାନ ଦେଖିବାକୁ ମିଳୁଛି; ଯେପରି କର୍କଟ ରୋଗ (କ୍ୟାନ୍ସର), ଯକ୍ଷ୍ମା (ଟିବି), ଟାଇଫଏଡ୍, ବାତଜ୍ୱର, ନିମୋନିଆ।
ଏହିସବୁ ରୋଗ କାହିଁକି ହେଉଛି, ସେ ବିଷୟରେ ଲୋକମାନେ ଆଗରୁ ଏତେ କିଛି ଜାଣିନଥିଲେ, କିନ୍ତୁ ଏହିସବୁ ରୋଗ ଏବେ କାହିଁକି ହେଉଛି ଓ କଣ କଲେ ତାହା ଭଲ ହୋଇପାରିବ ତାହା ଜାଣୁଛନ୍ତି। ପ୍ରାୟତଃ ଅଶିକ୍ଷିତ ଲୋକ ଏ ବିଷୟରେ ଜାଣିନଥିବାରୁ ଗାଁର ଲୋକ ଏ ବିଷୟରେ ଏବେ ପର୍ଯ୍ୟନ୍ତ ଜାଣିନାହାନ୍ତି।
ଆମ ଗାଁ ପାଖରେ ଗୋଟିଏ ଡାକ୍ତରଖାନା ଅଛି, ତାହା ଆମ ଗାଁଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ରୋଗ ହେଲେ ଲୋକମାନେ ପ୍ରଥମେ ଆଶୁ ଚିକିତ୍ସା କରିବାକୁ ଚେଷ୍ଟା କରନ୍ତି, ରୋଗ ଭଲ ନହେଲେ ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଆଣିଥାନ୍ତି। ଔଷଧଗୁଡ଼ିକ ମାଗଣାରେ ମିଳେ, କିନ୍ତୁ କେତେକ ଔଷଧଗୁଡ଼ିକ କିଣିବାକୁ ପଡ଼ିଥାଏ।

ସମସ୍ୟା ଓ ମୋର ସଂକଳ୍ପ:

ଆମ ଗାଁର ବେକାରୀ ସମସ୍ୟା, ଅନ୍ଧବିଶ୍ୱାସ କଥା ଆମ ମନକୁ କଷ୍ଟ ଦିଏ ଓ ଦୁଃଖୀ କରାଏ। ଆମକୁ ଗାଁର ବେକାରୀ ସମସ୍ୟା, ଅନ୍ଧବିଶ୍ୱାସ ଦୂରୀକରଣ ଉପରେ ମୁଁ ଧ୍ୟାନ ଦେବି।
ଆମ ଗାଁର ପିଲାମାନେ ଏହି ପାଠଶାଠ ନପଢ଼ି ସିଗାରେଟ୍, ଗୁଡ଼ାଖୁ/ଗୁଟ୍‌ଖା, ପାନ ଖାଇ, ମଦ ପିଇ ନିଜ ଶରୀରକୁ କ୍ଷତି ପହଞ୍ଚାଇବାରେ ଲାଗିଛନ୍ତି। ଆମ ଗାଁରେ ଏବେ ମଧ୍ୟ ଅନ୍ଧବିଶ୍ୱାସ ରହିଛି। ମୁଁ ଏହାକୁ ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ କହିବା ଭୁଲ୍ ହେବ, କାରଣ କେତେକ ଲୋକ ଅଛନ୍ତି ଯେଉଁମାନେ ଝାଡ଼ଫୁଙ୍କ ଦ୍ୱାରା ଭଲ ହୋଇଯାଉଛନ୍ତି, ସେମାନଙ୍କୁ ଡାକ୍ତରଖାନାର ଔଷଧ କାମ କରୁନାହିଁ। ପୁଣି କେତେକ ମିଛ ଲୋକମାନେ ମିଛ କହି ଅନ୍ଧବିଶ୍ୱାସକୁ ବଢ଼ାଇଦେଉଛନ୍ତି। ଏସବୁ ସମସ୍ୟା କଥା ଗାଁର ଭଲ ପାଇଁ ମୁଁ ସମସ୍ତଙ୍କୁ ଭଲଭାବରେ ବୁଝାଇ ବେକାରୀ ସମସ୍ୟା ଓ ଅନ୍ଧବିଶ୍ୱାସକୁ ଦୂରେଇବା ପାଇଁ ଚେଷ୍ଟା କରିବି।

ମୋର ନିଷ୍ପତ୍ତି:

ଗାଁର ଜଣେ ସଚେତନ ଛାତ୍ରୀ ଭାବରେ, ମୁଁ ଗାଁର ଲୋକମାନଙ୍କୁ ଭଲଭାବରେ ବୁଝାଇ ବେକାରୀ ସମସ୍ୟା, ନିଶା ନିବାରଣ ଓ ଅନ୍ଧବିଶ୍ୱାସ ଦୂରୀକରଣ ଉପରେ ସଦାସର୍ବଦା ଧ୍ୟାନ ଦେବି ଏବଂ ଗାଁର ଉନ୍ନତି ପାଇଁ ଚେଷ୍ଟା କରିବି।

ସିମ୍ରନ୍ ସାହୁ
+୨ ପ୍ରଥମ ବର୍ଷ କଳା (Arts)
ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜି.ଉଦୟଗିରି


ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଏବଂ ଗ୍ରାମ୍ୟ ଜୀବନୀ ଓ ଐତିହ୍ୟ ଅଧୟନ କେନ୍ଦ୍ର ତରଫରୁ ଗ୍ରାମ ର ଛାତ୍ର ଓ ଯୁବକ ମାନଙ୍କୁ ନେଇ ଗ୍ରାମ୍ୟ ଜୀବନୀ ଲେଖା  ଯାଉଛି। ସମଧ୍ୱନି ମାଧ୍ୟମରେ ଗ୍ରାମ ଇତିହାସ ଲେଖିବା କାମ ଜାରି ରହିଛି। ଆମ Village Biography ଭାଗ ରେ ଆମେ ନିୟମିତ ସେସବୁକୁ ସ୍ଥାନ ଦେବୁ । ନିଜ ଗାଁର ଜୀବନୀ ଲେଖିବା ପାଇଁ ଯୋଗାଯୋଗ କରନ୍ତୁ – ଶିବାଶିଷ , 9853456083 )


History of ‘Pukulingia’ by Ritika Pradhan-  https://thesamadrusti.com/5180/

History of ‘Talgaon’ by Sibani Kanhar-  https://thesamadrusti.com/5105/



 

Total Views: 10

Comments

0 comments

Share This Article