ହିମାଳୟର ହାଙ୍ଗାମା – ନାରଖାର ନେପାଳ

24 Min Read

ହିମାଳୟର ହାଉଆରେ ହାବୁକା । ହରିହରଙ୍କ ହାରାମରେ ହାହାକାର । ମଣିଷର ମାଦଳ ମାଡ଼ରେ ହିମାଳୟ କହୁଛି ହୁସିଆର! ହିମବାନ ହିମାଳୟ ହ୍ରଦିନୀର ହିଲ୍ଲୋଳ ସୃଷ୍ଟି କରିଛି ନେପାଳରେ ନିର୍ଦ୍ଦନରେ ବୁଧବାରର ବିଭୀଷିକା ।
ନେପାଳର ଆକସ୍ମିକ ବନ୍ୟା ଭୋଟେକୋଶୀ ଓ ତ୍ରିଶୂଳୀ ନଦୀ ପ୍ରଣାଳୀ ଦେଇ ଏକ ପ୍ରଚଣ୍ଡ ବିଭୀଷିକା ଜଳସ୍ରୋତ ସୃଷ୍ଟି କରିଥିଲା । ପାଣି ସହିତ ମାଟି ପଥର ଓ ବିଶାଳ ଶିଳାଖଣ୍ଡ ଏହି ପ୍ରବଳ ସ୍ରୋତରେ ଭାସିଆସି ନଦୀର ତଳମୁଣ୍ଡ ଆଡ଼କୁ ଧ୍ୱଂସତାଣ୍ଡବ ରଚାଇଥିଲା । ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ୍ ଡେଭେଲପମେଣ୍ଟ (ଆଇସିଆଇଏମ୍ଓଡି)ର ଆକଳନ ଅନୁଯାୟୀ, ୨୬ ଅଗଷ୍ଟ ୨୦୨୬ ବୁଧବାର ଦିନ ଗାଲଛିଠାରେ ତ୍ରିଶୂଳୀ ନଦୀର ଜଳସ୍ତର ମାତ୍ର ୩୦ମିନିଟ୍ ମଧ୍ୟରେ ପ୍ରାୟ ୯ମିଟର୍ (୩୦ ଫୁଟ୍) ପର୍ଯ୍ୟନ୍ତ ବଢ଼ିଯାଇଥିଲା । ଏହା ହିମାଳୟର ଏହି ରୁଦ୍ର ରୂପକୁ ବୁଧବାର ବିଭୀଷିକା ଭାବେ ଇତିହାସରେ ଲିପିବଦ୍ଧ ହୋଇଗଲା ।
ଉପରମୁଣ୍ଡରେ ଚାଲିଥିବା ଜ୍ଞାନକୌଶଳର ବିକାଶ ଧାରା ଓ ତଳମୁଣ୍ଡରେ ବିପର୍ଯ୍ୟୟ ଉପରେ କ୍ରମାଗତ ଉଠୁଥିବା ପ୍ରଶ୍ନର ସତ୍ୟତା ପ୍ରମାଣିତ ହୋଇଛି । ଅଗଷ୍ଟ ୨୬ତାରିଖ (ବୁଧବାର)ରେ ନେପାଳର ରସୁୱା ଜିଲ୍ଲାକୁ ଆଘାତ କରିଥିବା ଆକସ୍ମିକ ବନ୍ୟା ଚୀନ୍-ନେପାଳ ସୀମାନ୍ତ ଅଞ୍ଚଳରେ ବଢ଼ୁଥିବା ଭିତ୍ତିଭୂମି ନିର୍ମାଣକୁ ନେଇ ପୁଣିଥରେ ଚିନ୍ତା ବଢ଼ାଇଛି । ଭାରତୀୟ ଭୂ-ରଣନୀତିଜ୍ଞ, ଲେଖକ ତଥା ରଣନୀତିକ ଅଧ୍ୟୟନର ପ୍ରଫେସର ଡ. ବ୍ରହ୍ମା ଚେଲାନୀ ଅଭିଯୋଗ କରିଛନ୍ତି ଯେ, ସୀମାର ଉପରମୁଣ୍ଡ ଅଞ୍ଚଳରେ ଚୀନ୍ର ନିର୍ମାଣ କାର୍ଯ୍ୟ ଏହି ବିପର୍ଯ୍ୟୟର ଭୟାବହତାକୁ ଆହୁରି ବଢ଼ାଇ ଥାଇପାରେ ।


ଚେଲାନୀ ଏହି ପରିସ୍ଥିତିକୁ ‘ଉପରମୁଣ୍ଡରେ ଇଞ୍ଜିନିୟରିଂ, ତଳମୁଣ୍ଡରେ ବିପର୍ଯ୍ୟୟ’ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ଯୁକ୍ତି ହେଉଛି, ଚୀନ୍ର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ପ୍ରାକୃତିକଭାବେ ସୃଷ୍ଟି ହୋଇଥିବା ଏକ ବିପର୍ଯ୍ୟୟକୁ ଆହୁରି ବଡ଼ ମାନବୀୟ ଓ ପରିବେଶୀୟ ବିପର୍ଯ୍ୟୟରେ ପରିଣତ କରିଥାଇପାରେ ।
ତିବ୍ଦତ-ନେପାଳ ସୀମା ନିକଟରେ ଘଟିଥିବା ଏକ ବିଶାଳ ବରଫ ଓ ଶିଳା ଧସ ଏହି ବିପର୍ଯ୍ୟୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ତେବେ, ଚେଲାନୀଙ୍କ ମତରେ, ଦୁର୍ଘଟଣାର ପ୍ରଭାବ ଏକ ଦ୍ରୁତଗତିରେ ମାନବ ହସ୍ତକ୍ଷେପରେ ପରିବର୍ତ୍ତିତ ହେଉଥିବା ହିମାଳୟୀ ଭୂଦୃଶ୍ୟ ଯୋଗୁଁ ଆହୁରି ଭୟଙ୍କର ହୋଇଥାଇପାରେ । ରାସ୍ତା, ସୀମା ସୁରକ୍ଷା ଭିତ୍ତିଭୂମି ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ନଦୀ ଓ ପାହାଡ଼ିଆ ଉପତ୍ୟକାଗୁଡ଼ିକର ପ୍ରାକୃତିକ ଗଠନରେ ପରିବର୍ତ୍ତନ ଅଣାଯାଉଥିବାରୁ ଏଭଳି ପ୍ରାକୃତିକ ବିପଦର ପ୍ରଭାବ ଆହୁରି ବଢ଼ିପାରେ ବୋଲି ସେ ଯୁକ୍ତି ଦେଇଛନ୍ତି ।

ବନ୍ଧ ଓ ନଦୀତଟ ନିର୍ମାଣ:
ଗତ ଏକ ଦଶନ୍ଧି ଧରି ନେପାଳ ସୀମା ନିକଟସ୍ଥ ତିବ୍ଦତ ଅଞ୍ଚଳରେ ଚୀନ୍ ନଦୀ ପ୍ରବାହପଥର କେତେକ ଅଂଶରେ ବନ୍ଧ ଓ ଅନ୍ୟାନ୍ୟ ସିଭିଲ୍ ନିର୍ମାଣ କାର୍ଯ୍ୟ ବିସ୍ତାର କରିଆସିଛି । ଏହି ନିର୍ମାଣ କାର୍ଯ୍ୟ ନଦୀତଟ ଓ ସଂକୀର୍ଣ୍ଣ ପାହାଡ଼ିଆ ଉପତ୍ୟକାଗୁଡ଼ିକରେ ମଧ୍ୟ କେନ୍ଦ୍ରୀଭୂତ ହୋଇଛି ।
ଭିତ୍ତିଭୂମିର ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ନିର୍ମିତ ଏଭଳି ପ୍ରକଳ୍ପଗୁଡ଼ିକ ଅତ୍ୟଧିକ ଭୟଙ୍କର ବନ୍ୟା ସମୟରେ ସମସ୍ୟା ସୃଷ୍ଟି କରିପାରେ । କଂକ୍ରିଟ୍ ବନ୍ଧ ଏବଂ ପରିବର୍ତ୍ତିତ ନଦୀତଟ ବନ୍ୟାଜଳ ଓ ତା’ ସହ ଆସୁଥିବା ଆବର୍ଜନା ପ୍ରସାରିତ ହେବାପାଇଁ ଥିବା ପ୍ରାକୃତିକ ସ୍ଥାନକୁ ସଙ୍କୁଚିତ କରିପାରେ ।
ନେପାଳରେ ଆସିଥିବା ବନ୍ୟା ସମୟରେ ପ୍ରବଳ ବେଗରେ ବହିଥିବା ଜଳ ସହିତ ପଥର, ମାଟି, କଂକ୍ରିଟ୍ର ଭଗ୍ନାବଶେଷ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆବର୍ଜନା ତଳମୁଣ୍ଡକୁ ଭାସି ଆସିଥିଲା । ଏହା ଆଗରୁ ହିଁ ଶକ୍ତିଶାଳୀ ଜଳସ୍ରୋତର ଓଜନ ଓ ଧ୍ୱଂସକାରୀ ଶକ୍ତିକୁ ଆହୁରି ବଢ଼ାଇ ଦେଇଥିଲା । ଫଳରେ ଗାଁ, ରାସ୍ତା ଓ ସେତୁଗୁଡ଼ିକର କ୍ଷୟକ୍ଷତି ଆହୁରି ବଢ଼ିଥିଲା ।
ରାସ୍ତା ଓ ସୀମାନ୍ତ ଭିତ୍ତିଭୂମି:
ଡ. ବ୍ରହ୍ମା ଚେଲାନୀଙ୍କ ରିପୋର୍ଟ ଅନୁଯାୟୀ, ଯୋଗାଯୋଗ ବ୍ୟବସ୍ଥା ଓ ବାଣିଜ୍ୟକୁ ସୁଗମ କରିବା ପାଇଁ ଚୀନ୍ ଏହି ଅଞ୍ଚଳରେ ରାଜପଥ, ସୀମାନ୍ତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ନିର୍ମାଣ ପ୍ରକଳ୍ପ ନିର୍ମାଣ ଓ ସମ୍ପ୍ରସାରଣ କରିଛି । ଚୀନ୍-ନେପାଳ ସୀମା ନିକଟରେ ଗି୍ୟରୋଙ୍ଗ ବନ୍ଦର ଆଖପାଖରେ ନିର୍ମିତ ବିଭିନ୍ନ ଭିତ୍ତିଭୂମି ଏହି ବିକାଶର ପ୍ରମୁଖ ଉଦାହରଣ ମଧ୍ୟରୁ ଅନ୍ୟତମ ।
ସ୍ୱାଭାବିକ ପରିସ୍ଥିତିରେ ଏଭଳି ପ୍ରକଳ୍ପ ପରିବହନ ଓ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ, ସଂକୀର୍ଣ୍ଣ ହିମାଳୟୀ ଉପତ୍ୟକାରେ ବ୍ୟାପକ ନିର୍ମାଣ କାର୍ଯ୍ୟ ଆଖପାଖର ପ୍ରାକୃତିକ ଭୂଦୃଶ୍ୟରେ ପରିବର୍ତ୍ତନ ଆଣିପାରେ ।
ନଦୀ ପ୍ରବାହର ପରିବର୍ତ୍ତନ ଓ ଜଳବିଜ୍ଞାନୀୟ ଭିତ୍ତିଭୂମି:
ଆଉ ଏକ ଚିନ୍ତାର ବିଷୟ ହେଉଛି ଡାଇଭର୍ସନ୍ ୱିଅର୍ (ଜଳପ୍ରବାହ ମୋଡ଼ାଇବା ପାଇଁ ନିର୍ମିତ ବନ୍ଧ) ଓ ଜଳଗ୍ରହଣ କେନ୍ଦ୍ରଭଳି ଭିତ୍ତିଭୂମି ମାଧ୍ୟମରେ ନଦୀର ପ୍ରାକୃତିକ ପ୍ରବାହରେ ପରିବର୍ତ୍ତନ ଆଣିବା ।
ଏଭଳି ନିର୍ମାଣ ସଂକୀର୍ଣ୍ଣ ହିମାଳୟୀ ଗର୍ଜ୍ (ପାହାଡ଼ ମଧ୍ୟରେ ଥିବା ଗଭୀର ଉପତ୍ୟକା) ଦେଇ ଜଳ କିପରି ପ୍ରବାହିତ ହେବ, ତାହାକୁ ପ୍ରଭାବିତ କରିପାରେ । ଚେଲାନୀଙ୍କ ମତରେ, ଏଭଳି ପରିବର୍ତ୍ତନ ସ୍ଥାନୀୟ ଭାବେ ଜଳପ୍ରବାହରେ ବାଧା ବା ସଂକୁଚିତ ସ୍ଥାନ ସୃଷ୍ଟି କରିପାରେ । ବିଶେଷକରି ଅସାଧାରଣ ଭାବେ ବିପୁଳ ପରିମାଣର ଜଳ ଓ ଆବର୍ଜନା ହଠାତ୍ ନଦୀ ପ୍ରଣାଳୀରେ ପ୍ରବେଶ କଲେ ଏଭଳି ଦ୍ୱିତୀୟ ପ୍ରତିବନ୍ଧକ ସ୍ଥାନ ସୃଷ୍ଟି ହେବାର ଆଶଙ୍କା ରହିଥାଏ ।
ଚିନ୍ତାର ବିଷୟ ହେଉଛି, ପ୍ରାକୃତିକ ବିପର୍ଯ୍ୟୟ ସେତେବେଳେ ଆହୁରି ଧ୍ୱଂସକାରୀ ହୋଇପାରେ, ଯେତେବେଳେ ବନ୍ୟାଜଳ ଏକ ବ୍ୟାପକ ଭାବେ ପରିବର୍ତ୍ତିତ ନଦୀପଥ ସହ ସଂଘର୍ଷ କରେ । ପ୍ରବଳ ବନ୍ୟାରେ ଏଭଳି ନିର୍ମାଣଗୁଡ଼ିକ କ୍ଷତିଗ୍ରସ୍ତ କିମ୍ବା ଚାପରେ ଭାଙ୍ଗି ପଡ଼ିପାରେ । ଫଳରେ ଅତିରିକ୍ତ ଭଗ୍ନାବଶେଷ ତଳମୁଣ୍ଡକୁ ଭାସିଯାଇ ଜଳସ୍ରୋତର ଧ୍ୱଂସକାରୀ ଶକ୍ତିକୁ ଆହୁରି ବଢ଼ାଇପାରେ ।
ଜଳବିଜ୍ଞାନୀୟ ନିରୀକ୍ଷଣ ଓ ତଥ୍ୟ ଆଦାନପ୍ରଦାନ:
ତିବ୍ଦତର ନଦୀଗୁଡ଼ିକର ଉତ୍ସ ଅଞ୍ଚଳରେ ଚୀନ୍ ଜଳବିଜ୍ଞାନୀୟ ନିରୀକ୍ଷଣ କେନ୍ଦ୍ର ମଧ୍ୟ ପରିଚାଳନା କରୁଛି । ଏହା ମାଧ୍ୟମରେ ନଦୀର ଜଳସ୍ତର ଏବଂ ଉପରମୁଣ୍ଡ ଅଞ୍ଚଳର ପରିସ୍ଥିତି ସମ୍ପର୍କିତ ତଥ୍ୟ ଚୀନ୍ ପାଉଛି । ଚୀନ୍ ଓ ନେପାଳ ମଧ୍ୟରେ ବର୍ଷସାରା, ବ୍ୟାପକ ଓ ବାସ୍ତବ ସମୟରେ ଜଳବିଜ୍ଞାନୀୟ ତଥ୍ୟ ଆଦାନପ୍ରଦାନ ଏବଂ ଜରୁରୀକାଳୀନ ସତର୍କ ସୂଚନା ବ୍ୟବସ୍ଥା ନଥିବା ନେଇ ଚେଲାନୀ ଚିନ୍ତା ପ୍ରକାଶ କରିଛନ୍ତି ।
ଦ୍ରୁତଗତିରେ ବିକଶିତ ହେଉଥିବା ବନ୍ୟା ପରିସ୍ଥିତିରେ ଏଭଳି ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଗୁଆ ସତର୍କ ସୂଚନା ମିଳିଲେ ତଳମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅଧିକ ସମୟ ମିଳିପାରେ । ଏହା ସହିତ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ଆଗୁଆ ପଦକ୍ଷେପ ମଧ୍ୟ ନେଇପାରେ ।
ଏହି କାରଣରୁ ନେପାଳର ସାମ୍ପ୍ରତିକ ବିପର୍ଯ୍ୟୟ ହିମାଳୟରେ ବିକାଶ ଓ ପରିବେଶକୁ ନେଇ ଚାଲିଥିବା ବୃହତ୍ତର ଆଲୋଚନାକୁ ପୁଣିଥରେ ସାମ୍ନାକୁ ଆଣିଛି । ହିମସ୍ଖଳନ, ହିମନଦୀଜନିତ ଘଟଣା ଓ ଆକସ୍ମିକ ବନ୍ୟା ଭଳି ପ୍ରାକୃତିକ ବିପଦକୁ ସମ୍ପୂର୍ଣ୍ଣ ରୋକିହେବ ନାହିଁ । କିନ୍ତୁ ନଦୀ ଓ ପାହାଡ଼ିଆ ଭୂଦୃଶ୍ୟରେ ମାନବୀୟ ହସ୍ତକ୍ଷେପ ତଳମୁଣ୍ଡରେ ଏହି ବିପଦର ପ୍ରଭାବ କେତେ ଭୟାବହ ହେବ, ତାହାକୁ ପ୍ରଭାବିତ କରିପାରେ ।

ହିମବାହର ହନନ:
ବିଶ୍ୱର କେତେକ ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏବଂ ପାହାଡ଼ିଆ ଢାଲଗୁଡ଼ିକୁ ପ୍ରକୃତିର ଏକ ବିଶେଷ ପ୍ରକାରର ପ୍ରାକୃତିକ ଗୁମ୍ ଅର୍ଥାତ କ୍ରାୟୋସ୍ଫେରିକ୍ ଗ୍ଲୁ ଏକାଠି ଧରି ରଖିଛି । ଏହି ପ୍ରାକୃତିକ ଗୁମ୍ ତିଆରି ହୋଇଛି ବରଫ, ମାଟି, ଗୋଡ଼ି, କାଦୁଅ ପଙ୍କ ଏବଂ ଫାଟିଯାଇଥିବା ଶିଳାରୁ । ଏହା ଭୂମିକୁ ଏକାଠି ବାନ୍ଧି ରଖେ ଏବଂ ଇଟା ମଧ୍ୟରେ ସିମେଣ୍ଟ ଯେପରି କାମ କରେ, ସେହିପରି ପର୍ବତୀୟ ଭୂଭାଗକୁ ସ୍ଥିର ରଖିଥାଏ । କିନ୍ତୁ ପୃଥିବୀ ଯେତେବେଳେ ଉଷ୍ମ ହେଉଛି, ଏହି ପ୍ରାକୃତିକ ଗୁମ୍ ତରଳିବାକୁ ଲାଗୁଛି । ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ବିପଜ୍ଜନକ ଘଟଣା ବୃଦ୍ଧି ପାଇବା ପଛରେ ଏହି ଗୁମ୍ର ତରଳିବା ଏକ ପ୍ରମୁଖ କାରଣ ହୋଇପାରେ ।
ବିଶ୍ୱର ଉଚ୍ଚତମ ପର୍ବତଶୃଙ୍ଗ ଏବଂ ଉଚ୍ଚ ପାର୍ବତ୍ୟ ଢାଲଗୁଡ଼ିକର ଭୂ-ସ୍ଥିରତା ରକ୍ଷାରେ କ୍ରାୟୋସ୍ଫେରିକ୍ ଗ୍ଲୁ ଏକ ପ୍ରାକୃତିକ ବନ୍ଧନକାରୀ ଉପାଦାନ ଭାବେ କାର୍ଯ୍ୟ କରିଥାଏ । ବରଫ, ମୃତ୍ତିକା, ଶିଳାଖଣ୍ଡ, ଅବସାଦ ଏବଂ ଭଙ୍ଗୁର ଶିଳା ମଧ୍ୟରେ ଏହି ପ୍ରାକୃତିକ ବନ୍ଧନ ସୃଷ୍ଟି ହୋଇ ପର୍ବତୀୟ ଭୂଭାଗକୁ ଏକତ୍ର ଓ ସ୍ଥିର ରଖିଥାଏ । ଏହାର ପ୍ରଭାବକୁ ଇଟାଗୁଡ଼ିକ ମଧ୍ୟରେ ସିମେଣ୍ଟ ଦ୍ୱାରା ସୃଷ୍ଟ ବନ୍ଧନ ସହିତ ତୁଳନା କରାଯାଇପାରେ । ତେବେ, ଜଳବାୟୁ ଉଷ୍ମାୟନ ଫଳରେ ଏହି ପ୍ରାକୃତିକ ବନ୍ଧନକାରୀ ବ୍ୟବସ୍ଥାର ଗଳନ ଓ ଅବକ୍ଷୟ ଘଟୁଥିବାରୁ ଉଚ୍ଚ ପାର୍ବତ୍ୟ ଅଞ୍ଚଳର ଭୂ-ସ୍ଥିରତା ପ୍ରତି ଗୁରୁତର ଆଶଙ୍କା ସୃଷ୍ଟି ହେଉଛି । ବିଭିନ୍ନ ବୈଜ୍ଞାନିକ ଅଧ୍ୟୟନରୁ ଏହା ସୂଚିତ ହୋଇଛି ଯେ, ଉଚ୍ଚତମ ପାର୍ବତ୍ୟ ଅଞ୍ଚଳରେ ବିପଜ୍ଜନକ ପ୍ରାକୃତିକ ଘଟଣାର ବୃଦ୍ଧି ସହିତ ଏହି ପ୍ରାକୃତିକ ବରଫୀୟ ବନ୍ଧନର ଅବକ୍ଷୟର ସମ୍ପର୍କ ରହିଛି ।
ସମ୍ପ୍ରତି, ୨୬ ଅଗଷ୍ଟରେ, ନେପାଳ ନିଜର ସମ୍ପ୍ରତିକ ଇତିହାସର ସବୁଠାରୁ ଭୟାବହ ବନ୍ୟା ମଧ୍ୟରୁ ଗୋଟିଏକୁ ଦେଖିଥିଲା । ଏହି ବିପର୍ଯ୍ୟୟର ପଛରେ ଥିଲା ଏକ ଆଇସ୍–ରକ୍ ଆଭାଲାଞ୍ଚ୍, ଅର୍ଥାତ୍ ବରଫ–ଶିଳା ଧସ, ଯାହା ମୁଣ୍ଡରେ ତାଣ୍ଡବ ରଚାଯଇ ଉପତ୍ୟକାକୁ ଭୟଙ୍କର ଭାବେ ବିଧ୍ୱସ୍ତ କରିଥିଲା ।
ଯଦିଓ ଅନେକ ବୈଜ୍ଞାନିକ ଏପରି ବିପର୍ଯ୍ୟୟ ପାଇଁ ତରଳୁଥିବା ହିମବାହ (ଗ୍ଲେସିୟର ଗଳନ) ତରଳିବା ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି (ଗ୍ଲୋବାଲ୍ ୱାର୍ମିଂ)କୁ ଦାୟୀ କରିଛନ୍ତି । କ୍ରାୟୋସ୍ଫେର୍ ହେଉଛି ପୃଥିବୀର ବରଫ ଓ ହିମାବୃତ ଅଞ୍ଚଳକୁ ଭୂବିଜ୍ଞାନୀମାନେ ଦେଇଥିବା ନାମ । ଯେତେବେଳେ କୌଣସି ଭୂମି ଅଞ୍ଚଳ କ୍ରମାଗତ ଭାବେ ଅତି କମ୍ରେ ଦୁଇବର୍ଷ ଧରି ଶୂନ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ କମ୍ ତାପମାତ୍ରାରେ ରହେ, ସେଠାରେ ପର୍ମାଫ୍ରଷ୍ଟ୍ ଗଠିତ ହୁଏ । ଏହି ସମୟରେ କ୍ରାୟୋସ୍ଫେରିକ୍ ଗ୍ଲୁ ମାଟି କିମ୍ବା ଶିଳା ମଧ୍ୟରେ ଥିବା ଛୋଟ ଛୋଟ ରନ୍ଧ୍ର ଓ ଫାଟଗୁଡ଼ିକ ଭିତରକୁ ପ୍ରବେଶ କରେ । ଏହା ଜମିଯିବା ପରେ ଭୂମିକୁ ଏକାଠି ବାନ୍ଧି ରଖେ ଏବଂ ପାହାଡ଼ିଆ ଢାଲୁ, ଶିଳା ଓ ଅନ୍ୟାନ୍ୟ ପ୍ରାକୃତିକ ପାର୍ବତୀୟ ଭୂ-ଗଠନକୁ ସ୍ଥିର ରଖିବାରେ ସହାୟକ ହୁଏ । ଦୀର୍ଘକାଳ ଧରି ପାର୍ବତୀୟ ଭୂଭାଗକୁ ସ୍ଥିର ରଖି ଆସିଥିବା ବରଫୀୟ ବନ୍ଧନ ବ୍ୟବସ୍ଥାର ଅବକ୍ଷୟ ଘଟିଲେ ଭୂଭାଗର ସ୍ଥିରତା ହ୍ରାସ ପାଇପାରେ । ଏହି ପ୍ରାକୃତିକ ବରଫୀୟ ବନ୍ଧନର ଗଳନ କିମ୍ବା ଅବକ୍ଷୟ ଘଟିଲେ ପାର୍ବତୀୟ ଢାଲୁର ସ୍ଥିରତା ହ୍ରାସ ପାଇବା ସହିତ ଭୂସ୍ଖଳନ, ଶିଳାଧସ, ଆଇସ୍–ରକ୍ ଆଭାଲାଞ୍ଚ୍ ଏବଂ ଅନ୍ୟାନ୍ୟ ଉଚ୍ଚ-ଝୁମ୍ପପୂର୍ଣ୍ଣ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ବୃଦ୍ଧି ପାଇପାରେ ।
ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଦେଖାଯାଉଥିବା ଅନେକ ଭୂ-ଅସ୍ଥିରତାର ପଛରେ ଏହି ପ୍ରାକୃତିକ ଗୁମ୍ ତରଳିବା ଏକ ବଡ଼ କାରଣ । ବରଫ ତରଳି ଜଳରେ ପରିଣତ ହେଲେ, ଉଚ୍ଚ ପାହାଡ଼ିଆ ଢାଲୁଗୁଡ଼ିକ ଅଧିକ ଭାରୀ ଓ ଅସ୍ଥିର ହୋଇଯାଏ । ଫଳରେ ଭୂସ୍ଖଳନ ଓ ଅନ୍ୟାନ୍ୟ ବିପଦ ଘଟିଥାଏ । ପାହାଡ଼ର ପ୍ରାକୃତିକ ଗଠନରେ ବରଫ ଥିବା ପର୍ମାଫ୍ରଷ୍ଟ୍ ଏକ ପ୍ରକାର ସହାୟକ ଢାଞ୍ଚାଭଳି କାମ କରେ । ଏହି ପର୍ମାଫ୍ରଷ୍ଟ୍ ତରଳିଗଲେ କେବଳ ଜମାଟ ମାଟି କାଦୁଅ ପଙ୍କରେ ପରିଣତ ହୁଏ ନାହିଁ, ଏହା ଭୂମିର ସ୍ଥିରତାକୁ ମଧ୍ୟ ଦୁର୍ବଳ କରେ । ବିଶେଷକରି ପର୍ମାଫ୍ରଷ୍ଟ୍ ଉପରେ ଯେତେବେଳେ ନିର୍ମାଣ କାର୍ଯ୍ୟ ବଳପୂର୍ବକ କରାଯାଏ ତେବେ ରାସ୍ତା, ଘର କିମ୍ବା ଅନ୍ୟାନ୍ୟ ମାନବ ନିର୍ମିତ ଭିତ୍ତିଭୂମି ରହିଥାଏ, ତେବେ କ୍ଷତି ଅଧିକ ଗୁରୁତର ହୋଇପାରେ ।
୨୦୨୨ରେ ପର୍ମାଫ୍ରଷ୍ଟ୍ ଅବକ୍ଷୟର ପ୍ରଭାବ ଉପରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ବରଫ ଥିବା ପର୍ମାଫ୍ରଷ୍ଟ୍ ତରଳିବା ଧୃବୀୟ ଏବଂ ଉଚ୍ଚ ପାହାଡ଼ିଆ ଅଞ୍ଚଳର ଭିତ୍ତିଭୂମି ପାଇଁ ବଡ଼ ବିପଦ ସୃଷ୍ଟି କରୁଛି ବୋଲି ପ୍ରକାଶିତ ହୋଇଥିଲା । ଏହି କାରଣରୁ ରୁଷିଆର କେତେକ ସହରରେ ୮୦ ପ୍ରତିଶତ ପର୍ଯ୍ୟନ୍ତ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ, କ୍ୱିଙ୍ଘାଇ–ତିବ୍ଦତ ((Qinghai–Tibet Plateau) ପ୍ଲାଟୋର କେତେକ ଅଞ୍ଚଳରେ ପ୍ରାୟ ୩୦ପ୍ରତିଶତ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା ।
ହିମବାହ ବରଫ ତରଳିଲେ ଭୂମି ସବୁଠାରେ ସମାନ ଭାବରେ ତଳକୁ ଯାଏ ନାହିଁ । କେତେକ ସ୍ଥାନରେ ହଠାତ୍ ଭୂମି ଦବିଯାଇ ଗଭୀର ଗାତ ସୃଷ୍ଟି ହୁଏ । ଏହାକୁ ‘ଥର୍ମୋକାର୍ଷ୍ଟ୍’ କୁହାଯାଏ । ଏହି ଗାତଗୁଡ଼ିକରେ ପାଣି ଜମି ପୋଖରୀ କିମ୍ବା ହ୍ରଦ ସୃଷ୍ଟି ହୋଇପାରେ ।
ନାସା ଆର୍କଟିକ୍ ଅଞ୍ଚଳରେ କରିଥିବା କ୍ଷେତ୍ର ଅଧ୍ୟୟନରେ ଦେଖି ପ୍ରକାଶ କରିଥିଲା, ପର୍ମାଫ୍ରଷ୍ଟ୍ ତରଳିବାରୁ ସୃଷ୍ଟି ହୋଇଥିବା କେତେକ ପୋଖରୀରେ ଅଧିକ ପରିମାଣର ମିଥେନ୍ ରହିଛି । ଏହି ପୋଖରୀ କିମ୍ବା ହ୍ରଦଗୁଡ଼ିକ ସବୁଜଗୃହ ବାଷ୍ପ (ଗ୍ରୀନ୍ ହାଉସ୍ ଗ୍ୟାସ୍) ନିର୍ଗମନର ପ୍ରମୁଖ ସ୍ଥାନରେ ପରିଣତ ହୋଇଥାଏ । ତାପମାତ୍ରା ବଢ଼ିବା ସହିତ ଅନୁଜୀବି କାର୍ଯ୍ୟକଳାପ ମଧ୍ୟ ବଢ଼ିଯାଏ । ଏହି ଅଣୁଜୀବଗୁଡ଼ିକ ମୃତ ଗଛପତ୍ର ଓ ପର୍ମାଫ୍ରଷ୍ଟ୍ ତରଳିବା ପରେ ବାହାରକୁ ଆସୁଥିବା ଜୈବ ପଦାର୍ଥକୁ ଭାଙ୍ଗିଥାନ୍ତି । ଏହି ପ୍ରକ୍ରିୟାରେ ମିଥେନ୍ ଏବଂ ଅନ୍ୟାନ୍ୟ ଗ୍ରୀନ୍ ହାଉସ୍ ଗ୍ୟାସ୍ ଅଧିକ ପରିମାଣରେ ବାହାରିପାରେ ।
ବରଫଯୁଗରେ ଗଠିତ ହୋଇଥିବା ଉଚ୍ଚ ପାହାଡ଼ିଆ ଅଞ୍ଚଳର ହିମବାହଗୁଡିକ ଏବେ ଧୀରେ ଧୀରେ ପଛକୁ ହଟୁଛି ଏବଂ ଅସ୍ଥିର ହୋଇପଡ଼ୁଛି । ଜୀବାଶ୍ମ ଇନ୍ଧନ ଜଳିବା ଯୋଗୁଁ ପୃଥିବୀର ତାପମାତ୍ରା ବଢ଼ୁଛି ଏବଂ ତୁଷାରପାତ ମଧ୍ୟ କମିଯାଉଛି । ଏହାର ପ୍ରଭାବରେ ଗ୍ଲେସିୟରଗୁଡ଼ିକର ସ୍ଥିରତା ହ୍ରାସ ପାଉଛି । ଏହି ଅସ୍ଥିରତା ହିମବାହର ବଡ଼ ବଡ଼ ଅଂଶ ଭାଙ୍ଗି ତଳକୁ ଅତଡ଼ା ଖସିବା ପାଇଁ ପରିସ୍ଥିତି ସୃଷ୍ଟି କରେ । ଏହା ଫଳରେ ବିଶାଳ ବରଫ ଓ ମାଟି,ପଙ୍କ କାଦୁଅ ଓ ଶିଳାଖଣ୍ଡର ଅତଡ଼ା ଖାସିଥାଏ । ଏପରି ଅତଡ଼ା ଖସି ନଦୀ ଉପତ୍ୟକାର ପ୍ରବାହକୁ ଅବରୋଧ କରି ପ୍ରାକୃତିକ ବନ୍ଧ ସୃଷ୍ଟି କରିଥାଏ । ପରେ ଏହି ବନ୍ଧ ଭାଙ୍ଗିଗଲେ ଅଟକି ରହିଥିବା ବିପୁଳ ପରିମାଣର ଜଳ ହଠାତ୍ ମୁକ୍ତହୋଇ ପ୍ରଚଣ୍ଡ ଜଳ ତରଙ୍ଗର ପ୍ରଳୟ ସୃଷ୍ଟି କରିଥାଏ । ଏହା ତଳମୁଣ୍ଡ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଯାଇ ବ୍ୟାପକ ଧ୍ୱଂସ ସାଧନ କରିଥାଏ ।
ଅଗଷ୍ଟ ୨୬ରେ ନେପାଳ ଓ ତିବ୍ଦତରେ ସୃଷ୍ଟି ହୋଇଥିବା ପର୍ବତରେ ସୁନାମି ଭାବେ ପରିଚିତ ହୋଇଥିବା ଭୟଙ୍କର ବିପର୍ଯ୍ୟୟର ବର୍ବରତା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରୁଛି । ୨୦୨୫ରେ ସ୍ୱିଜରଲ୍ୟାଣ୍ଡର ବାଟେନ୍ ସହରକୁ ଧ୍ୱଂସ କରିଥିବା ହିମବାହ ଘଟଣାଠାରୁ ଏହାର ପରିସ୍ଥିତି ଭିନ୍ନ ଥିଲା । ସେଠାରେ ପ୍ରାୟ ସମସ୍ତ ବାସିନ୍ଦାଙ୍କୁ ସମୟ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ହିମାଳୟ ଅଞ୍ଚଳରେ ପ୍ରାରମ୍ଭିକ ସତର୍କୀକରଣ ବ୍ୟବସ୍ଥାର ଅଭାବ ଯୋଗୁଁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ହଠାତ୍ ଆସିଥିବା ଫ୍ଲାସ୍ ବନ୍ୟାର ମୁହଁରେ ଅସହାୟ ହୋଇପଡ଼ିଥିଲେ ।
୨୦୨୫ରେ ସ୍ୱିସ୍ ଆଲପାସ ଅଞ୍ଚଳରେ ଘଟିଥିବା ହିମବାହ ଭୁଶୁଡିବା ବିପର୍ଯ୍ୟୟରେ ବ୍ଲାଟେନ୍ ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିଲା ଏବଂ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେଠାରେ ହିମବାହର ଆକାର ଓ ଗତିରେ ହେଉଥିବା ପରିବର୍ତ୍ତନ ସହିତ ଏହାର ଚାରିପାଖର ଭୂଭାଗ ଉପରେ ନିୟମିତ ଏବଂ ବିସ୍ତୃତ ନଜର ରଖାଯାଇଥିଲା । ଏହାଫଳରେ ବଡ଼ ବିପର୍ଯ୍ୟୟ ଘଟିବା ପୂର୍ବରୁ କର୍ତ୍ତୃପକ୍ଷ ଗାଁର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇ ପାରିଥିଲେ ।
କିନ୍ତୁ ହିନ୍ଦୁକୁଶ–ହିମାଳୟ ଅଞ୍ଚଳରେ ଏପରି ବ୍ୟବସ୍ଥା କରିବା ଅଧିକ କଷ୍ଟକର । ଏହି ଅଞ୍ଚଳରେ ୬୩,୭୦୦ରୁ ଅଧିକ ହିମବାହ ରହିଛି ବୋଲି ଲିଭାନ ଟିଲିଡ୍ଜେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, “ହିମାଳୟରେ କେବଳ ବିପଦପୂର୍ଣ୍ଣ ହିମବାହୀ ହ୍ରଦଗୁଡ଼ିକ ଉପରେ ନଜର ରଖିଲେ ଏଭଳି ବିପଦକୁ ଟାଳିବା ସମ୍ଭବ ନୁହେଁ । ସାଟେଲାଇଟ୍ ନିରୀକ୍ଷଣ, ଭୂକମ୍ପୀୟ ଗତିବିଧି ଚିହ୍ନଟ, ହିମବାହ ଓ ପାହାଡ଼ ଢାଲୁର ନିରୀକ୍ଷଣ, ନଦୀର ଜଳସ୍ତର ମାପିବା ଯନ୍ତ୍ର, ପାଣିପାଗ ପୂର୍ବାନୁମାନ ଏବଂ ସ୍ୱୟଂଚାଳିତ ସତର୍କ ସୂଚନା ବ୍ୟବସ୍ଥାକୁ ଏକାଠି କରି ଏକ ସମନ୍ୱିତ ବ୍ୟବସ୍ଥା ଗଠନ କରିବା ଆବଶ୍ୟକ । ନେପାଳରେ ଘଟିଥିବା ବିପର୍ଯ୍ୟୟ ପରି ଅତି ଦ୍ରୁତ ଭାବେ ଘଟୁଥିବା ଘଟଣାରେ ଭୂକମ୍ପୀୟ ଗତିବିଧିକୁ ଶୀଘ୍ର ଚିହ୍ନଟ କରି ତଳମୁଣ୍ଡ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ‘ମୂଲ୍ୟବାନ କିଛି ମିନିଟ୍ର ସତର୍କ ସମୟ’ ଦିଆଯିବା ଜରୁରୀ ।
ଅଷ୍ଟ୍ରେଲିଆର ମୋନାଶ୍ ୟୁନିଭର୍ସିଟିରେ ଗ୍ଲେସିୟଲ୍ ଜିଓମର୍ଫୋଲୋଜିର ରିସର୍ଚ୍ଚ ଫେଲୋ ଭାବେ କାର୍ଯ୍ୟରତ ଲେଭାନ୍ ଟିଲିଡ୍ଜେ କହିଛନ୍ତି ଯେ, ହିମାଳୟକୁ ଅନେକ ସମୟରେ ଆମେ ଭାବୁ “ବରଫରେ ଜମି ରହିଥିବା ଏବଂ ଅପେକ୍ଷାକୃତ ସ୍ଥିର ଅଞ୍ଚଳ” । ମାତ୍ର ଏହି ପରିକଳ୍ପନା ସମ୍ପୂର୍ଣ୍ଣ ଅବାସ୍ତବ ଏବଂ ବାସ୍ତବରେ ହିମାଳୟ ହେଉଛି ଏକ ଗତିଶୀଳ ପ୍ରାକୃତିକ ବ୍ୟବସ୍ଥା, ଯେଉଁଠାରେ ହିମବାହ, ତୁଷାର, ପର୍ମାଫ୍ରଷ୍ଟ୍, ପାହାଡ଼ିଆ ଶିଳା ଢାଲୁ, ନଦୀ ଏବଂ ମୌସୁମୀ ବର୍ଷା ପ୍ରକ୍ରିୟା ପରସ୍ପର ସହିତ ଅନ୍ତରଙ୍ଗଭାବେ ଜଡ଼ିତ ରହିଛି । ଜଳବାୟୁ ଉଷ୍ମ ହେବା ସହିତ ଏହି ସମସ୍ତ ଉପାଦାନ ଏକାସାଙ୍ଗରେ ପରିବର୍ତ୍ତିତ ହେଉଛନ୍ତି । ଫଳରେ ଗୋଟିଏ ପ୍ରାକୃତିକ ପ୍ରକ୍ରିୟାରୁ ଆରମ୍ଭ ହୋଇଥିବା ବିପଦ ଅନ୍ୟ ଏକ ବିପଦର ରୂପ ନେଇପାରେ ।
ବିଶ୍ୱର ସର୍ବୋଚ୍ଚ ପର୍ବତଶୃଙ୍ଗଗୁଡ଼ିକରେ ଶିଳା, ବରଫ ଏବଂ ଜଳ ଯେତେବେଳେ ଅଧିକ ଅନିଶ୍ଚିତ ଭାବରେ ପରସ୍ପର ସହିତ ପ୍ରଭାବିତ ହୁଅନ୍ତି, ସେତେବେଳେ ସୃଷ୍ଟି ହେଉଥିବା ଶିଳା ଓ ମାଟିର ପ୍ରବାହ ତଳମୁହାଁ ଅଞ୍ଚଳରେ ଏକ ଭୟଙ୍କର ବନ୍ୟାର ରୂପ ନେଇପାରେ ବୋଲି ଟିଲିଡ୍ଜେ କହିଛନ୍ତି ।
ପ୍ରାୟ ୨୫ବର୍ଷ ପୂର୍ବେ ଇତିହାସର ଅନ୍ୟତମ ସବୁଠାରୁ ବଡ଼ ହିମବାହ ଭୁଶୁଡିବା ବିପର୍ଯ୍ୟୟ ରୁଷିଆର ଉତ୍ତର ଓସେଟିଆର କକେସସ୍ ପର୍ବତମାଳାରେ ଘଟିଥିଲା । ଏହି ଘଟଣାରେ ଗୋଟିଏ ହିମବାହ ଅନ୍ୟ ଏକ ହିମବାହ ଉପରେ ଧସିପଡ଼ିଥିଲା । ଏହା ପରେ ବରଫ ଓ ଶିଳାର ବିଶାଳ ଅତଡ଼ା ସୃଷ୍ଟି ହୋଇଥିଲା, ଯାହା ୨୪ କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ତଳକୁ ଖସିଯାଇଥିଲା । ଏହି ଘଟଣାରେ ପ୍ରାୟ ୧୨୫ଜଣଙ୍କ ମୃତ୍ୟୁ ଘଟିଥିଲା ।
ଟିଲିଡ୍ଜେ କହିଛନ୍ତି, “କୋଲକା ହିମବାହ ବିପର୍ଯ୍ୟୟ ହେଉଛି ହିମବାହ ସମ୍ପର୍କିତ ବିପଦର ବଢ଼ୁଥିବା ଘଟଣା ଏବଂ ଏହାର ଭୟାବହତା ସମ୍ପର୍କରେ ଦିଆଯାଇଥିବା ପ୍ରାରମ୍ଭିକ ସତର୍କ ସଙ୍କେତଗୁଡ଼ିକ ମଧ୍ୟରୁ ଗୋଟିଏ ।”
ବୈଜ୍ଞାନିକମାନଙ୍କ ମତରେ, ହିମବାହ ତରଳି ଭୁଶୁଡ଼ିବାର କାରଣ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଘଟୁଥିବା ପରସ୍ପର ସହିତ ଜଡ଼ିତ ଅନେକ ପରିବର୍ତ୍ତନର ଏକ ଜଟିଳ ପ୍ରକ୍ରିୟାର ଅଂଶ । ଏହି ପରିବର୍ତ୍ତନଗୁଡ଼ିକର ପଛରେ ବଢ଼ୁଥିବା ବିଶ୍ୱ ତାପମାତ୍ରା ମଧ୍ୟ ଏକ ପ୍ରମୁଖ କାରଣ ।
ଏହି ମଧ୍ୟରେ ଜାତିସଂଘ (ୟୁଏନ୍) କହିଛି ଯେ, ଗତ ୩୦ବର୍ଷରେ ନେପାଳର ପାହାଡ଼ିଆ ଅଞ୍ଚଳରେ ଥିବା ହିମବାହଗୁଡ଼ିକ ପ୍ରାୟ ଏକ-ତୃତୀୟାଂଶ କମିଛି । ଏହା ହିମବାହଗୁଡ଼ିକର ଅସ୍ଥିରତାକୁ ଆହୁରି ବଢ଼ାଇଛି । କେତେକ ଗବେଷଣାରୁ ଜଣାପଡ଼ିଛି ଯେ, ଜୀବାଶ୍ମ ଇନ୍ଧନ ଜଳିବାରୁ ନିର୍ଗତ ଗ୍ରୀନ୍ହାଉସ୍ ଗ୍ୟାସ୍ ପରିମାଣ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସମସ୍ତ ପଦକ୍ଷେପ ମଧ୍ୟରେ ପୂର୍ବ-ଶିଳ୍ପ ଯୁଗ ତୁଳନାରେ ପୃଥିବୀର ତାପମାତ୍ରା ୨ଡିଗ୍ରୀ ସେଲସିୟସ୍ରୁ ଅଧିକ ବଢ଼ିବ ନାହିଁ । ହିନ୍ଦୁକୁଶ–ହିମାଳୟ ଅଞ୍ଚଳ ଏହି ଶତାବ୍ଦୀର ଶେଷ ସୁଦ୍ଧା ୨୦୨୦ ମସିହାର ସ୍ତର ତୁଳନାରେ ନିଜର ହିମବାହ ଆବରଣର ପ୍ରାୟ ଅଧା ହରାଇବାକୁ ବସିଲାଣି ।
ଜାତିସଂଘର ଅନ୍ୟତମ ବରିଷ୍ଠ ଜଳବାୟୁ ବିଜ୍ଞାନୀ ଓ ପରିବେଶବିତ୍ ଦିପେଶ ଚାପାଗାଇଁ କହିଛନ୍ତି, ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନ ଓ ବିଶ୍ୱ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ସମ୍ପର୍କ ଥିବାର ଯଥେଷ୍ଟ ବୈଜ୍ଞାନିକ ପ୍ରମାଣ ରହିଛି । ଏହି ଜଳବାୟୁ ପରିବର୍ତ୍ତନ ହିମବାହଗୁଡ଼ିକୁ ପଛକୁ ହଟାଉଛି, ପର୍ମାଫ୍ରଷ୍ଟ୍କୁ ତରଳାଉଛି ଏବଂ ହିମବାହ ଭୁଶୁଡ଼ିବା ଘଟଣାକୁ ବଢ଼ାଉଛି । ଏହି ପରିବର୍ତ୍ତନଗୁଡ଼ିକ ପାହାଡ଼ିଆ ଅଞ୍ଚଳରେ ଜଳବାୟୁ ସମ୍ପର୍କିତ ବିପର୍ଯ୍ୟୟର ସଂଖ୍ୟା ଓ ତୀବ୍ରତା-ଉଭୟକୁ ବୃଦ୍ଧି କରିଚାଲିଛି ।
ଚାପାଗାଇଁ ହିନ୍ଦୁକୁଶ–ହିମାଳୟ ଅଞ୍ଚଳରେ ଘଟିଥିବା ଶହ ଶହ ‘ଗ୍ଲେସିୟଲ୍ ଲେକ୍ ଆଉଟ୍ବର୍ଷ୍ଟ୍ ଫ୍ଲଡ୍’ (ଜିଏଲ୍ଓଏଫ୍) ଉପରେ ଅଧ୍ୟୟନ କରିଛନ୍ତି । ହିମବାହ ଓ ତୁଷାର ତରଳିବାରୁ ଜଳ ଜମି ଏକ ହ୍ରଦ ସୃଷ୍ଟି ହୁଏ ଏବଂ ପରେ ସେହି ହ୍ରଦର ବନ୍ଧ ଭାଙ୍ଗିଗଲେ ବହୁ ପରିମାଣର ଜଳ ତଳମୁଣ୍ଡକୁ ହଠାତ୍ ପ୍ରବଳ ବେଗରେ ମାଡି ଯାଏ । ଏହି ଘଟଣାକୁ ଗ୍ଲେସିୟଲ୍ ଲେକ୍ ଆଉଟ୍ବର୍ଷ୍ଟ୍ ଫ୍ଲଡ୍ (ଜିଏଲ୍ଓଏଫ୍) କୁହାଯାଏ । ୧୯୫୦ ଦଶକଠାରୁ ଏପରି ଘଟଣାର ସଂଖ୍ୟା ପ୍ରତି ଦଶନ୍ଧିରେ ପ୍ରାୟ ପାଞ୍ଚ ଗୁଣ ବଢ଼ିଛି ।
ନେପାଳ ଓ ତିବ୍ଦତରେ ଘଟିଥିବା ହିମବାହ ଭୁଶୁଡିବାର କିଛି ଦିଗ ଜିଏଲ୍ଓଏଫ୍ ଘଟଣା ସହିତ ସମାନ କିନ୍ତୁ ଏହାକୁ ନେଇ ଦୁଇଟି ମତ ରହିଛି । ଦିପେଶ ଚାପାଗାଇଁଙ୍କ କହିବା ଅନୁଯାୟୀ, ଏଥିରେ “ମଧ୍ୟବର୍ତ୍ତୀ ହ୍ରଦ ଗଠନର ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଯାଇ ସିଧାସଳଖ ଫ୍ଲାସ୍ ବନ୍ୟା ସୃଷ୍ଟି ହୋଇଥିଲା ।”
ଟିଲିଡ୍ଜେଙ୍କ ମତରେ, ଏହି ହିମବାହ ଭୁଶୁଡ଼ିବାରୁ ପ୍ରାୟ ୫.୨ ମ୍ୟାଗ୍ନିଚ୍ୟୁଡ୍ର ଭୂକମ୍ପ ସମାନ ଭୂକମ୍ପୀୟ ଗତିବିଧି ସୃଷ୍ଟି ହୋଇଥିଲା । ଏହା ପରେ ଅଧିକ ଜଳ ଥିବା ମାଟି, ପଙ୍କ,କାଦୁଅ ଓ ବିଶାଳ ଶିଳାଖଣ୍ଡ ସହିତ ବରଫ ଅତଡ଼ା ଖସିଥିଲା ଏବଂ ଏହା ନଦୀଗର୍ଭରେ ପ୍ରବେଶ କରିଥିଲା । ଏହି ପ୍ରବାହର ବେଗ ଓ ଶକ୍ତିଯୋଗୁଁ ଏହା ପ୍ରାୟ ୧୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ବହିଯାଇଥିଲା’ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାହାଡ଼ର ଶିଳା, ବରଫ ଓ ଜଳ ମଧ୍ୟରେ ଏବେ ଅଧିକ ଅନିଶ୍ଚିତ ଭାବରେ ପରସ୍ପର ପ୍ରଭାବ ପଡ଼ୁଛି । ଏହି କାରଣରୁ ଏପରି ବିପଦକୁ କେଉଁ ଶ୍ରେଣୀରେ ରଖାଯିବ ତାହା ଚିନ୍ତାର ବିଷୟ ପାଲଟିଛି । ଏହି ବିପଦଗୁଡ଼ିକୁ ଏବେ ଶ୍ରେଣୀଭୁକ୍ତ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଉଛି ।’ ଚାପାଗାଇଁ କହିଛନ୍ତି ଯେ, ହିମାଳୟରେ ହିମବାହ ସମ୍ପର୍କିତ ବିପଦର ପ୍ରଭାବ ଗୋଟିଏ ଦେଶର ସୀମା ମଧ୍ୟରେ ସୀମିତ ରହେ ନାହିଁ । ତେଣୁ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି ନିମନ୍ତେ ଦେଶଗୁଡ଼ିକ ମଧ୍ୟରେ ଏବଂ ସମଗ୍ର ଅଞ୍ଚଳରେ ସହଯୋଗ କରିବା ମଧ୍ୟ ପ୍ରାରମ୍ଭିକ ସତର୍କୀକରଣ ବ୍ୟବସ୍ଥା ଭଳି ଜରୁରୀ ହୋଇପଡ଼ିଛି ।
ତେବେ, ଏବେ ଉପଲବ୍ଧ ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବାର ପ୍ରଯୁକ୍ତି ଓ କ୍ଷମତା ନେପାଳର ଭୋଟେକୋଶୀ ନଦୀରେ ନିକଟରେ ଦେଖାଯାଇଥିବା ବଡ଼ ଧରଣର ବିପର୍ଯ୍ୟୟର ମୁକାବିଲା କରିବାପାଇଁ ଯଥେଷ୍ଟ ନ ହୋଇପାରେ ବୋଲି ସେ ସତର୍କ କରିଛନ୍ତି । ନେପାଳସ୍ଥିତ ଲସ୍ ଆଣ୍ଡ୍ ଡ୍ୟାମେଜ୍ ୟୁଥ୍ କୋଆଲିସନ୍ ଆଡଭୋକେସି ୱାର୍କିଂ ଗୃପ ସହ-ସଂଯୋଜିକା ଶ୍ରେୟା କେ.ସି. ଚେତାଇ ଦେଇ କହିଛନ୍ତି ନେପାଳ ଜନସାଧାରଣ ଏବଂ ହିମାଳୟ ଦେଶ ସମୂହ ବୁଝିବା ଦରକାର । ସେ କହିଛନ୍ତି, “ଆମେ ଚାହିଁଲେ ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ପାରିବା ଏବଂ ଏଭଳି ବଡ଼ ବିପର୍ଯ୍ୟୟକୁ ପ୍ରତିହତ କରିବା । ଯଦି ଏହା ନହୁଏ, ତେବେ ଜଳବାୟୁ ବିପର୍ଯ୍ୟୟର ସୀମାହୀନ ପରିସ୍ଥିତି ସହ ଖାପ ଖୁଆଇବା ସମ୍ଭବ ନୁହେଁ ।’


ପର୍ବତରେ ପ୍ରଳୟର ସୁନାମି!
ଭୁଲି ଯାଇଥିବା ଏକ ଜଳତାଣ୍ଡବର ବିଭୀଷିକା, ପାଣିର ପ୍ରଳୟରେ ଉଜୁଡ଼ିଗଲା ଉପତ୍ୟକା । ଗତ ୨୬ ତାରିଖ ଦିନ ବୁଧବାର ବିଭୀଷିକାରେ ନାରଖାର ନେପାଳର ଦୃଶ୍ୟ ଦେଖିଲା ବେଳେ ହିମବିଜ୍ଞାନୀମାନେ ୬୩ବର୍ଷ ତଳର କଥା ମନେ ପକାଇ ଦେଇଛନ୍ତି । ୧୯୬୩ ଅକ୍ଟୋବର ୯ତାରିଖ ରାତିରେ ଉତ୍ତର ଇଟାଲୀର ଏକ ପର୍ବତ ଏପରି ଭୟଙ୍କର ଶକ୍ତିରେ ଧସିପଡ଼ିଲା ଯେ, ଏହା ଏକ ଜଳାଶୟକୁ ମୃତ୍ୟୁର ଅସ୍ତ୍ରରେ ପରିଣତ କରିଦେଲା । ଭାଜୋଣ୍ଟ ବିପର୍ଯ୍ୟୟ ପ୍ରକୃତି, ଭୂତତ୍ତ୍ୱ ଓ ମାନବ ହସ୍ତକ୍ଷେପ କିପରି ମିଶି ଏକ ଭୟାବହ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ତାହାର ଅନ୍ୟତମ ଭୟଙ୍କର ଉଦାହରଣ ପାଲଟି ରହିଛି ।
ଇଟାଲୀୟ ଆଲ୍ପାସ ଲୋଙ୍ଗାରୋନ୍ ନିକଟସ୍ଥ ସଂକୀର୍ଣ୍ଣ ଭାଜୋଣ୍ଟ ଉପତ୍ୟକା ଉପରେ ନିର୍ମିତ ଥିଲା ଭାଜୋଣ୍ଟ ବନ୍ଧ । ସେହି ସମୟରେ ଏହାର ବିଶାଳ କଂକ୍ରିଟ୍ ନିର୍ମାଣଶୈଳୀକୁ ଇଞ୍ଜିନିୟରିଂର ଏକ ଅଦ୍ଭୁତ ନମୁନା ଭାବେ ଦେଖାଯାଉ ଥିଲା । ୨୬୦ ମିଟରରୁ ଅଧିକ ଉଚ୍ଚ ଏହି ବନ୍ଧର ଉଦେ୍ଦଶ୍ୟ ଥିଲା ଲକ୍ଷ ଲକ୍ଷ ଘନମିଟର ଜଳକୁ ଅଟକାଇ ରଖିବା ଏବଂ ବିଦ୍ୟୁତ୍ ଉତ୍ପାଦନ କରିବା । ବନ୍ଧ ନିର୍ମାଣରେ ସେଦିନ ଜଳାଶୟରେ ଜଳ ସିନା ସ୍ଥିର ହେଲା, କିନ୍ତୁ ତା’ ଉପରେ ଥିବା ପର୍ବତ ଅସ୍ଥିର ହେଲା । ରାତି ପ୍ରାୟ ୧୦ଟା ୩୯ ମିନିଟରେ, ମୋଣ୍ଟେଟୋକ୍ ପର୍ବତର ଏକ ବିଶାଳ ଅଂଶ ହଠାତ୍ ଖସିପଡ଼ିଲା । ପ୍ରାୟ ୨୬ କୋଟି ଘନମିଟର ପଥର ଓ ମାଟି ମାତ୍ର ୪୫ ସେକେଣ୍ଡ ମଧ୍ୟରେ ଜଳାଶୟ ଭିତରକୁ ଧସିପଡ଼ିଲା । ସେଦିନ ଭୂସ୍ଖଳନର ଗତି ଘଣ୍ଟା ପ୍ରତି ପ୍ରାୟ ୧୦୦ କିଲୋମିଟର ଥିବା ଆକଳନ କରାଯାଇଥିଲା ।


ବିପର୍ଯ୍ୟୟର ଆଘାତ ଥିଲା ବିଶାଳ : ପର୍ବତର ବିପୁଳ ଅଂଶ ଜଳାଶୟ ଭିତରକୁ ପଡ଼ିବାରୁ ଜଳ ହଠାତ୍ ବିସ୍ଥାପିତ ହୋଇ ଏକ ବିଶାଳ ତରଙ୍ଗ ସୃଷ୍ଟି କଲା । ଜଳାଶୟ ଭିତରେ ସୃଷ୍ଟି ହୋଇଥିବା ଏହି ତରଙ୍ଗକୁ ପ୍ରାୟତଃ ଏକ ବିଶାଳ ସୁନାମି ସହ ତୁଳନା କରାଯାଏ । ଏହା ଜଳସ୍ତରଠାରୁ ୨୦୦ମିଟରରୁ ଅଧିକ ଉଚ୍ଚକୁ ଉଠି ଚାରିପାଖର ପର୍ବତ ଓ ଭୂଦୃଶ୍ୟକୁ ଆଚ୍ଛାଦିତ କରିଦେଇଥିଲା । ତରଙ୍ଗଟି ବନ୍ଧ ଭିତରୁ ନୁହେଁ, ବରଂ ବନ୍ଧର ଉପରେ ଲମ୍ଫ ଦେଇ ଭୟଙ୍କର ବେଗରେ ଆଗକୁ ମାଡ଼ି ଚାଲିଲା । ଜଳାଶୟ ଭିତରକୁ ଧସେଇ ମାଡ଼ିଯାଇଥିବା ବିଶାଳ ପରିମାଣର ପଥର ଓ ମାଟି ଜଳକୁ ଭୟଙ୍କର ଭାବେ ବିସ୍ଥାପିତ କରିଥିଲା । ଆନୁମାନିକ ୩ରୁ ୫କୋଟି ଘନମିଟର ଜଳ ପ୍ରଚଣ୍ଡ ଶକ୍ତିରେ ପିଆଭେ ଉପତ୍ୟକା ଆଡ଼କୁ ତୀବ୍ର ଗତିରେ ଧସେଇ ପଶିଲା । ପଙ୍କ, କାଦୁଅ, ପଥର, ଗଛଲତା, ଘରଦ୍ୱାର ଏବଂ ଅନେକ ନିର୍ମାଣ ଭିତ୍ତିଭୂମିକୁ ନିଜ ସହ ଭସାଇ ନେଇ ଏହି ପ୍ରଚଣ୍ଡ ଜଳସ୍ରୋତ ଅଳ୍ପ ସମୟ ମଧ୍ୟରେ ଲୋଙ୍ଗାରୋନ୍ ସହ ଆଖପାଖର ଅନେକ ଜନବସତିକୁ ଜଳସମାଧି ଦେଇଦେଲା । କ’ଣ ଘଟୁଛି ତାହା ବୁଝିବା ପୂର୍ବରୁ ନିମିଷକେ ମଧ୍ୟରେ ସବୁକିଛି ଛାରଖାର ହୋଇଗଲା । ଜଳର ତାଣ୍ଡବ ଥମିବା ପରେ ବିପର୍ଯ୍ୟୟର ପ୍ରକୃତ ଚିତ୍ର ସାମ୍ନାକୁ ଆସିଲା । ପ୍ରାୟ ୨,୦୦୦ରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନ ଚାଲିଯାଇଥିଲା । ଲୋଙ୍ଗାରୋନ୍ ସମେତ ଏହାର ତଳମୁଣ୍ଡ ଏକ ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା । ତଥାପି ଏହି ଧ୍ୱଂସ ମଧ୍ୟରେ ଗୋଟିଏ ଅସାଧାରଣ ତଥ୍ୟ ସାମ୍ନାକୁ ଆସିଥିଲା-ଭାଜୋଣ୍ଟ ବନ୍ଧର ମୁଖ୍ୟ କଂକ୍ରିଟ୍ ନିର୍ମାଣ ଗଠନାତ୍ମକ ଭାବେ ଆଘାତ ପାଇନଥିଲା । ଫଳରେ ମୁଖ୍ୟ ବନ୍ଧ ଭାଙ୍ଗି ନଥିଲା । ଅନ୍ୟ ଦିଗରୁ ବିପର୍ଯ୍ୟୟ ଆସିଥିଲା । ଯଦି ଏହା ହୋଇଥାନ୍ତା ତେବେ ମୃତ୍ୟୁକୁ ଗଣିବା ପ୍ରାୟତଃ ସହଜ ହୋଇନଥାନ୍ତା । ଭାଜୋଣ୍ଟ ବିପର୍ଯ୍ୟୟ ଇଞ୍ଜିନିୟରିଂର ସୀମା ସମ୍ପର୍କରେ ଏକ ଚିରସ୍ଥାୟୀ ଚେତାବନୀ ହୋଇ ରହିଗଲା । ଭୂତାତ୍ତ୍ୱିକ ବାସ୍ତବତାକୁ ଅଣଦେଖା କଲେ ଅତ୍ୟାଧୁନିକ ବନ୍ଧ ମଧ୍ୟ କିପରି ପ୍ରକୃତିର ଅପାର ଶକ୍ତି ଆଗରେ ବିପଦର କେନ୍ଦ୍ର ପାଲଟିପାରେ ଛଅ ଦଶନ୍ଧିରୁ ଅଧିକ ସମୟ ପରେ ମଧ୍ୟ ଭାଜୋଣ୍ଟ ତାହାର ଭୟଙ୍କର ମୂକସାକ୍ଷୀ ପାଲଟି ଛିଡ଼ା ହୋଇଛି । ସେଦିନର ପରିବେଶବିତ୍ ଏହି ବିପର୍ଯ୍ୟୟକୁ ଆଖ୍ୟା ଦେଇ କହିଥିଲେ, ଏହା କେବଳ ଏକ ବନ୍ୟା ନଥିଲା । ଏହା ଥିଲା ପ୍ରକୃତିର ପ୍ରଳୟ ରୂପରେ ପର୍ବତର ସୁନାମି ଆଣିଥିବା ଜଳର ପ୍ରଚଣ୍ଡ ପ୍ରତିଶୋଧ ।


ତେଣୁ, ହିମବାହ ତରଳିବା ଓ ଭୁଶୁଡିବା ଏବଂ ପାର୍ବତୀୟ ଅଞ୍ଚଳର ଅସ୍ଥିରତା ବଢ଼ାଇବାରେ ପୃଥିବୀର ତାପମାତ୍ରା ବଢ଼ାଉଥିବା ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନ ଦାୟୀ, ତାହାକୁ ଶୀଘ୍ର ଏବଂ ବ୍ୟାପକ ଭାବରେ କମାଇବା ସହିତ ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବାର ପଦକ୍ଷେପ ମଧ୍ୟ ନେବାକୁ ପଡ଼ିବ ।
ଟିଲିଡ୍ଜେ କହିଛନ୍ତି, “ସୀମାହୀନ ଭାବରେ ବଢ଼ୁଥିବା ତାପମାତ୍ରାରୁ ଆମେ କେବଳ ଯାନ୍ତ୍ରିକ କିମ୍ବା ବୈଷୟିକ ବ୍ୟବସ୍ଥା ମାଧ୍ୟମରେ ମୁକ୍ତି ପାଇପାରିବା ନାହିଁ । କେତେକ ପାହାଡ଼ିଆ ବିପଦ ସବୁବେଳେ ଅନୁମାନ କରିବା କଷ୍ଟକର ରହିବ ଏବଂ ଶେଷରେ କେତେକ ପରିବର୍ତ୍ତନ ଏତେ ବଡ଼ ହୋଇପାରେ ଯେ, ସେଥିରେ ଖାପ ଖୁଆଇବାରେ ଜନ ସମୁଦାୟ ଓ ଭିତ୍ତିଭୂମିର କ୍ଷମତା ମଧ୍ୟ ଅତିକ୍ରମ ହୋଇଯିବ ।”
ବିକାଶ ସହ ବଢ଼ୁଛି ବିପଦ:
ପ୍ରାକୃତିକ ବିପଦର ଭୟକୁ ଆହୁରି ବଢ଼ାଇ ଦେଉଛି ମାନବ ନିର୍ମାଣ । ଏହି ଅଞ୍ଚଳରେ କେଉଁଠି ଓ କିପରି ଭିତ୍ତିଭୂମି ନିର୍ମାଣ କରାଯାଉଛି, ତାହା ମଧ୍ୟ ବିପର୍ଯ୍ୟୟର ପ୍ରଭାବ ନିର୍ଦ୍ଧାରଣ କରେ ।
ରିପୋର୍ଟରେ ଉଲ୍ଲେଖିତ ଗବେଷଣା ଅନୁସାରେ, ଚୀନ୍-ନେପାଳ ବାଣିଜି୍ୟକ ମାର୍ଗ କଡ଼ରେ ହୋଇଥିବା ବିକାଶ କାର୍ଯ୍ୟରେ ହିମାଞ୍ଚଳୀୟ ହ୍ରଦ ଫାଟି ଆସୁଥିବା ବନ୍ୟାର ବିପଦକୁ ସବୁବେଳେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇ ନାହିଁ । କେତେକ ଶୁଷ୍କ ବନ୍ଦର ଓ କଷ୍ଟମ୍ସ କେନ୍ଦ୍ର ମଧ୍ୟ ଏଭଳି ବନ୍ୟାର ସମ୍ଭାବନା ଥିବା ନଦୀ ସମତଳ ଅଞ୍ଚଳରେ ନିର୍ମିତ ହୋଇଛି ।
ଆକଳନ ଅନୁସାରେ, ହିମାଞ୍ଚଳୀୟ ହ୍ରଦ ବିସ୍ଫୋରଣଜନିତ ବନ୍ୟା ଚୀନ୍ ଓ ନେପାଳ ମଧ୍ୟରେ ଥିବା ପ୍ରାୟ ୧୦୩ କିଲୋମିଟର ରାଜପଥ, ୧୦୩ଟି ସେତୁ, ଦୁଇଟି ବଡ଼ ଶୁଷ୍କ ବନ୍ଦର ଏବଂ ୩,୩୦୧ଟି କୋଠାକୁ ପ୍ରଭାବିତ କରିପାରେ ।
ରାସୁୱାଗଢ଼ୀ ସୀମା ଚେକ୍ପୋଷ୍ଟ ନିକଟରେ ଥିବା ତିମୁରେର କଷ୍ଟମ୍ସ କେନ୍ଦ୍ର ମଧ୍ୟ ପ୍ରାୟ ୧୩ମାସ ମଧ୍ୟରେ ଦୁଇଥର ଧ୍ୱଂସ ହୋଇଛି ।
ଏହି ଅଞ୍ଚଳ ନେପାଳର ଜଳବିଦ୍ୟୁତ ଶିଳ୍ପ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦ୍ରୁତଗତିରେ ପାହାଡ଼ ମଧ୍ୟଦେଇ ବହୁଥିବା ନଦୀଗୁଡ଼ିକର ଜଳପ୍ରବାହକୁ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରାଯାଏ । ସଦ୍ୟତମ ବିପର୍ଯ୍ୟୟ ଫଳରେ ନେପାଳର ଜାତୀୟ ବିଦ୍ୟୁତ ଗ୍ରିଡ୍ ପ୍ରାୟ ୪୩୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କ୍ଷମତା ହରାଇଛି । ଏହା ଦେଶର ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତାର ୧୦ ପ୍ରତିଶତରୁ ଅଧିକ ।
ବନ୍ୟାର ଜଳ ଶେଷରେ ତଳମୁହାଁ ହୋଇ ତ୍ରିଶୂଳୀ ନଦୀରେ ପ୍ରବେଶ କରେ । ଦେବଘାଟ ନିକଟରେ ଏହି ନଦୀ ନାରାୟଣୀ ନାମରେ ପରିଚିତ ହୁଏ ଏବଂ ପରେ ଭାରତରେ ପ୍ରବେଶ କରି ଗଣ୍ଡକ ନଦୀରେ ପରିଣତ ହୁଏ ।
ଅର୍ଥାତ୍, ତିବ୍ଦତରେ ଥିବା ଏକ ଅସ୍ଥିର ହିମାଞ୍ଚଳୀୟ ହ୍ରଦରୁ ଆରମ୍ଭ ହୋଇଥିବା ବିପର୍ଯ୍ୟୟର ପ୍ରଭାବ କେବଳ ହିମାଳୟର ଏକ ଛୋଟ ପାହାଡ଼ିଆ ଅଞ୍ଚଳରେ ସୀମିତ ରହେ ନାହିଁ । ଏହା ନେପାଳ ଅତିକ୍ରମ କରି ଭାରତର ନଦୀ ଅବବାହିକା ପର୍ଯ୍ୟନ୍ତ ଏକ ବିଶାଳ ଅଞ୍ଚଳକୁ ପ୍ରଭାବିତ କରିପାରେ ।


ଏହି ପ୍ରବନ୍ଧଟି ଜଳବାୟୁ ପରିବର୍ତ୍ତନ ଓ ଅସଂଯମିତ ଭିତ୍ତିଭୂମି ନିର୍ମାଣ ଯୋଗୁଁ ହିମାଳୟ ଅଞ୍ଚଳରେ ବୃଦ୍ଧି ପାଉଥିବା ପ୍ରଳୟଙ୍କରୀ ବିପର୍ଯ୍ୟୟର ଏକ ଚେତାବନୀମୂଳକ ଆଲେଖ୍ୟ। ବିଶ୍ୱ ତାପମାତ୍ରା ବୃଦ୍ଧି ଫଳରେ ‘କ୍ରାୟୋସ୍ଫେରିକ୍ ଗ୍ଲୁ’ ତରଳିବା ଏବଂ ତିବ୍ଦତ-ନେପାଳ ସୀମାନ୍ତ ଉପରମୁଣ୍ଡରେ କଂକ୍ରିଟ୍ ନିର୍ମାଣ, ବନ୍ଧ ଓ ରାସ୍ତା ସମ୍ପ୍ରସାରଣ ଭଳି ମାନବୀୟ ହସ୍ତକ୍ଷେପ ନେପାଳର ଆକସ୍ମିକ ବନ୍ୟାକୁ ଆହୁରି ଭୟଙ୍କର କରିତୋଳିଛି, ଯାହାର ପ୍ରଭାବ ତଳମୁଣ୍ଡରେ ଥିବା ଭାରତର ନଦୀ ଅବବାହିକା ପର୍ଯ୍ୟନ୍ତ ବ୍ୟାପୁଛି। ୧୯୬୩ର ଇଟାଲୀୟ ‘ଭାଜୋଣ୍ଟ ବିପର୍ଯ୍ୟୟ’ର ସ୍ମୃତିକୁ ଦୋହରାଇ ଏହି ପ୍ରବନ୍ଧ ସ୍ପଷ୍ଟ କରେ ଯେ ଭୂତତ୍ତ୍ୱକୁ ଅଣଦେଖା କରି ବିକାଶ କଲେ ପ୍ରକୃତିର ପ୍ରତିଶୋଧ ଅବଶ୍ୟମ୍ଭାବୀ।


(The views expressed by the author are his own. If you have a counterview, please share it with the Chief Editor at samadrusti@gmail.com. )

Total Views: 3

Comments

0 comments

Share This Article