ଛାୟାହୀନ ସହର, ଅସହ୍ୟ ଉତ୍ତାପ : ଓଡ଼ିଶାର ସାର୍ବଜନୀନ ସ୍ଥାନର ତାପ ସଙ୍କଟ

10 Min Read

ଓଡ଼ିଶା ସହ ଭାରତ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି । ଏହା ମଣିଷ ଏବଂ ଜୀବଜନ୍ତୁମାନଙ୍କ ସ୍ୱାସ୍ଥ୍ୟ ସହିତ ଉତ୍ପାଦନଶୀଳତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡଐଙ)ର ଗବେଷଣା କହେ, ତାପମାତ୍ରା ୨୭ ଡିଗ୍ରୀ ସେଲସିଅସ ଉପରକୁ ଉଠିଗଲେ ଉତ୍ପାଦନଶୀଳତା ପ୍ରତି ଡିଗ୍ରୀ ତାପମାତ୍ରା ବୃଦ୍ଧିରେ ୨ରୁ ୪ଶତାଂଶ ଯାଏଁ ହ୍ରାସ ପାଏ ।
ଏ ସ୍ଥିତିରେ ତିନୋଟି ପ୍ରଶ୍ନ: ପ୍ରଥମ: ବର୍ଷକୁ ବର୍ଷ ତାପମାତ୍ରା ସବୁ ବଢୁଛି କାହିଁକି; ଦ୍ୱିତୀୟ: ଆମ ଘରଦ୍ୱାର, ସହର, ସାର୍ବଜନୀନ ସ୍ଥାନ, ଧାର୍ମିକ ସ୍ଥଳଗୁଡିକର ଡିଜାଇନ ସହିତ ଏହାର କିଛି ସମ୍ପର୍କ ଅଛି କି? ଆଉ ତୃତୀୟ : ତାପମାତ୍ରା କମ୍ କରିବା ପାଇଁ କଣ କରାଯାଇ ପାରିବ?
ଦ୍ୱିତୀୟ ପ୍ରଶ୍ନର ଉତ୍ତର ଜାଣିବାପାଇଁ ଗତ କିଛିବର୍ଷ ଧରି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସ୍ଥାପତ୍ୟ ବିଭାଗର ଅଧ୍ୟାପକ ଅମିତ ଚାଟାର୍ଜୀ ଏବଂ ତାଙ୍କ ଛାତ୍ର ସନ୍ଦୀପ ସାହୁ ପଶ୍ଚିମ ଓଡ଼ିଶାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ରମାନଙ୍କ ମଧ୍ୟରୁ ଗୋଟିଏ- ସମଲେଶ୍ୱରୀ ମନ୍ଦିର ପରିସରରେ ଏକ ବିସ୍ତୃତ ମାଇକ୍ରୋକ୍ଲାଇମେଟ୍ ଅଧ୍ୟୟନ କରିଥିଲେ । ଅଧ୍ୟୟନରୁ ଯାହା ଜଣାପଡ଼ିଲା ତାହା ଥିଲା ଗଭୀର ଭାବରେ ଚିନ୍ତାଜନକ । ମାତ୍ର ସାତବର୍ଷ ମଧ୍ୟରେ ସମଲେଶ୍ୱରୀ ମନ୍ଦିର ପରିସରର ତାପଜନିତ ପରିସ୍ଥିତିରେ ଭୟଙ୍କର ଅବନତି ଘଟିଛି । ଗତ ସାତବର୍ଷରେ ସମ୍ବଲପୁରର ତାପମାତ୍ରା ଯେତିକି ବଢ଼ିଛି, ସମଲେଶ୍ୱରୀ ମନ୍ଦିର ପରିସରର ତାପମାତ୍ରା ତା’ଠାରୁ ଅନେକ ଅଧିକ ବଢ଼ିଛି । ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପରିସରକୁ ଏମିତି ଭାବେ ପୁନଃନିର୍ମାଣ କରାଯାଇଥିଲା ଯାହା ଉତ୍ତାପକୁ ଧରି ରଖେ ଓ ପୁଣି ପରିବେଶକୁ ଫେରାଇଦିଏ । ସମଲେଶ୍ୱରୀ ମନ୍ଦିର ପରିସରରେ ଯାହା ଘଟିଛି, ତାହା ଊଣାଅଧିକେ ସମଗ୍ର ଓଡ଼ିଶାରେ ଘଟୁଛି ।
ENVI-met ନାମକ ଜଳବାୟୁ ସିମ୍ୟୁଲେସନ୍ ସଫ୍ଟୱେର୍ (ଯାହା ସହରର ତାପମାତ୍ରାର ତାରତମ୍ୟ ମାପିବା ପାଇଁ ଆନ୍ତର୍ଜାତିକ ଭାବେ ବ୍ୟବହୃତ ହୁଏ) ବ୍ୟବହାର କରି, ସେମାନେ ୨୦୧୭ ମସିହାରେ ମନ୍ଦିର ପରିସରର ଅବସ୍ଥାକୁ ପୁନଃସୃଷ୍ଟି କରି ତାହାକୁ ୨୦୨୬ର ବର୍ତ୍ତମାନ ସ୍ଥିତି ସହ ତୁଳନା କରିଥିଲ । ଦୁଇଟି ସିମ୍ୟୁଲେସନ୍ ରେ ପାଗ ସମ୍ପୂର୍ଣ୍ଣ ଏକା ରଖା ଯାଇଥିଲା । ପରିବର୍ତ୍ତନ ହୋଇଥିଲା କେବଳ ନିର୍ମିତ ପରିବେଶ – ପେଭିଂ ମାଟେରିଆଲ୍, ସବୁଜ ଆବରଣ ଓ ପୃଷ୍ଠଭାଗର ବ୍ୟବହାରରେ ।
ଫଳାଫଳ ଥିଲା ଚମକେଇ ଦେବା ପରି । ଦିନ ୨-୩ଟା ବେଳକୁ ମନ୍ଦିର ପରିସରର ଉତ୍ତାପ ଅତ୍ୟଧିକ ବଢ଼ିଯାଉଥିଲା । Mean Radiant Temperature – ଅର୍ଥାତ୍ ଚାରିପାଖର ପୃଷ୍ଠଭାଗରୁ ମନୁଷ୍ୟ ଶରୀର ଯେତେ ତାପ ଶୋଷଣ କରେ – ତାହା ହଠାତ୍ ବଢ଼ିଯାଇଥିଲା । Predicted Mean Vote (PMV) – ଏକ ଆନ୍ତର୍ଜାତିକ ଭାବେ ସ୍ୱୀକୃତ ତାପ ସୁବିଧାସୂଚକ – ୨୦୧୭ରେ ୫.୬ ଥିବାବେଳେ ବର୍ତ୍ତମାନ ସିମ୍ୟୁଲେସନ୍ରେ ଦିନ ୩ଟା ବେଳେ ପ୍ରାୟ ୮.୦ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ଏହା ସାମାନ୍ୟ ପରିବର୍ତ୍ତନ ନୁହେଁ । ଏହା ହେଉଛି କେବଳ ବାହାରେ ଠିଆ ହେବାକୁ ଅସୁବିଧା ଅନୁଭବ କରିବା ଓ ଶାରୀରିକ ଭାବରେ ପୂରାପୂରି କ୍ଲାନ୍ତ ହୋଇଯିବା ମଧ୍ୟରେ ଥିବା ପାର୍ଥକ୍ୟ । ଆଜି ମନ୍ଦିର ପରିସରଟି ଅଧିକ ସଫାସୁତୁରା, ସୁସଂଗଠିତ ଓ ସୁନ୍ଦର ଦେଖାଯାଉଛି; କିନ୍ତୁ ମଣିଷ ଶରୀରପାଇଁ ଏହା ବହୁତ ଅଧିକ କଷ୍ଟଦାୟକ ହୋଇପଡ଼ିଛି ।
ମନ୍ଦିର ପରିସର କାହିଁକି ଅଧିକ ଉତ୍ତପ୍ତ ହେଉଛି?
ଉତ୍ତରଟି ଆମ ପାଦ ତଳେ ଲୁଚିଛି । ଗତ ଦଶକରେ ଓଡ଼ିଶାର ଅନେକ ସାର୍ବଜନୀନ ଓ ଐତିହ୍ୟ ସ୍ଥଳରେ ‘ସୌନ୍ଦର୍ଯ୍ୟୀକରଣ’ ପ୍ରକଳ୍ପ ହୋଇଛି, ଯେଉଁଥିରେ ପଥର ପେଭିଂ, ଆସଫାଲ୍ଟ ପୃଷ୍ଠଭାଗ, ଆଳଙ୍କାରିକ ଲ୍ୟାଣ୍ଡସ୍କେପିଂ ଓ ବ୍ୟାପକ ହାର୍ଡସ୍କେପିଂକୁ ଗୁରୁତ୍ୱ ଦିଆଯାଇଛି । ଏହି ପୃଷ୍ଠଭାଗଗୁଡ଼ିକ ଦିନସାରା ବହୁ ପରିମାଣର ସୂର୍ଯ୍ୟାଲୋକରୁ ମିଳୁଥିବା ଉତ୍ତାପ ଶୋଷଣ କରି ଧୀରେ ଧୀରେ ସେହି ଉତ୍ତାପକୁ ପରିବେଶକୁ ଫେରାଇଦିଅନ୍ତି । ସରଳ ଭାଷାରେ କହିଲେ, ସେଗୁଡ଼ିକ ଘଣ୍ଟାଘଣ୍ଟା ଧରି ବିଶାଳ ହିଟର୍ ପରି କାମ କରନ୍ତି ।
ସମଲେଶ୍ୱରୀ ମନ୍ଦିର ପରିସରରେ ଆଗରୁ ରନ୍ଧ୍ରଯୁକ୍ତ (porous) ମାଟି, ଅନିୟମିତ ସବୁଜ ଆବରଣ ଓ ସ୍ୱାଭାବିକ ଛାୟା ଥିଲା, ସେଠାରେ ଏବେ ବିଶାଳ ପେଭ୍ଡ୍ ପୃଷ୍ଠଭାଗ ବଢ଼ିଛି । ଏପଟେ ଗଛଗୁଡ଼ିକୁ ଜଳବାୟୁ ସୁରକ୍ଷା ପାଇଁ ନୁହେଁ, ବରଂ ସୌନ୍ଦର୍ଯ୍ୟ ବର୍ଦ୍ଧନ ପାଇଁ ଲଗାଯାଇଛି । ଆଳଙ୍କାରିକ ଗୁଳ୍ମ ଫଟୋରେ ଆକର୍ଷଣୀୟ ଲାଗିପାରେ, କିନ୍ତୁ ତୀବ୍ର ଗ୍ରୀଷ୍ମ ଅପରାହ୍ଣରେ ସେମାନେ ପ୍ରକୃତ ଛାୟା ଦେଇପାରନ୍ତି ନାହିଁ । ଫଳରେ ଏମିତି ଏକ ଅବସ୍ଥା ହୋଇଛି: ମନ୍ଦିର ପରିସର ଦେଖିବାକୁ ଅଧିକ ସୁନ୍ଦର ଲାଗୁଛି, କିନ୍ତୁ ଗରମରେ ସେଠାରେ ରହିବା ଅସହ୍ୟ ହୋଇପଡୁଛି । ଦିନେ ଅଧେ ଏଠି ଆସିଥିବା ଦର୍ଶନାର୍ଥୀ ବା ପର୍ଯ୍ୟଟକ ହୁଏତ ଏହାକୁ ବେଶୀ ଅନୁଭବ କରି ପାରୁନଥିବେ । ହେଲେ ଏହି ସ୍ଥାନଗୁଡ଼ିକୁ ନିୟମିତ ବ୍ୟବହାର କରୁଥିବା ଲୋକଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡୁଛି ।
କ’ଣ କରାଯାଇ ପାରିବ?
ସମଲେଶ୍ୱରୀ ମନ୍ଦିର ପରିସରରେ ଉତ୍ତାପ କେମିତି କମେଇହେବ ସେଥିପାଇଁ ଜଳବାୟୁ ସିମ୍ୟୁଲେସନ୍ ମଡେଲ୍ ବ୍ୟବହାର କରି କିଛି ପରୀକ୍ଷା କରାଗଲା । ଦେଖାଗଲା ଯେ ଦୁଇଟି ସରଳ ପରିବର୍ତ୍ତନ ଏଦିଗରେ ବେଶ କାର୍ଯ୍ୟକାରୀ ହେବ: ହାଲୁକା, ଆଲୋକ ପ୍ରତିଫଳିତ କରୁଥିବା ପେଭିଂ ସାମଗ୍ରୀର ବ୍ୟବହାର ଏବଂ ଖୋଲା ସ୍ଥାନଗୁଡ଼ିକରେ ପ୍ରକୃତ ଛାଇ ଦେଇପାରୁଥିବା ଗଛର ସଂଖ୍ୟା ବଢ଼ାଇବା ।
ବର୍ତ୍ତମାନ ସାର୍ବଜନୀନ ସ୍ଥାନଗୁଡ଼ିକରେ ବ୍ୟବହୃତ ଅଧିକାଂଶ ପେଭିଂ ସାମଗ୍ରୀ ଗାଢ଼ ରଙ୍ଗର ଓ ଉତ୍ତାପ ଶୋଷଣକାରୀ । ଏହା ବଦଳରେ ହାଲୁକା ରଙ୍ଗର ପୃଷ୍ଠଭାଗ -ଯେପରିକି ଉଚ୍ଚ-ଆଲେବଡୋ କଂକ୍ରିଟ୍, ପ୍ରତିଫଳକ ପଥର ଫିନିଶ୍ କିମ୍ବା ପାଣି ଶୋଷିପାରୁଥିବା ପେଭର୍ -ଭିନ୍ନ ଭାବରେ ବ୍ୟବହାର କରେ । ସେମାନେ ସୂର୍ଯ୍ୟାଲୋକର ବହୁତ ଅଂଶକୁ ଶୋଷଣ କରିବା ପରିବର୍ତ୍ତେ ତାହାକୁ ପୁଣି ବାୟୁମଣ୍ଡଳକୁ ପ୍ରତିଫଳିତ କରନ୍ତି, ଫଳରେ ଚାରିପାଖର ପରିବେଶ ଲକ୍ଷଣୀୟ ଭାବେ ଥଣ୍ଡା ହୋଇଯାଏ ।
ଦ୍ୱିତୀୟ କଥା: ସୌନ୍ଦର୍ଯ୍ୟବର୍ଧକ (ଅର୍ନାମେଣ୍ଟାଲ) ଗୁଳ୍ମ ବଦଳରେ ଛାଇ ଦେଉଥିବା ଗଛ ଲଗାଇବା । ଏହା ତୀବ୍ର ଖରାରେ ପାଦଚଲା ରାସ୍ତା ଓ ଲୋକମାନେ ଏକାଠି ହେଉଥିବା ସ୍ଥାନକୁ ପ୍ରକୃତ ଛାଇ ଦେଇପାରିବ । ଏହି ପାର୍ଥକ୍ୟଟି ଗୁରୁତ୍ୱପୂର୍ଣ୍ଣ । ଛୋଟ ସୌନ୍ଦର୍ଯ୍ୟବର୍ଧକ ଗଛର ଧାଡ଼ି କୌଣସି ଚତ୍ୱରକୁ ସୁନ୍ଦର କରିପାରେ, କିନ୍ତୁ ଗୋଟେ ବଡ଼ ନିମ କିମ୍ବା ଅଶ୍ୱତ୍ଥ ଗଛ ଛାୟା ଓ ବାଷ୍ପୋତ୍ସର୍ଜନ ପ୍ରକ୍ରିୟା ମାଧ୍ୟମରେ ଚାରିପାଖର ତାପମାତ୍ରାକୁ କମାଇପାରେ । ଓଡ଼ିଶାର ଏପ୍ରିଲ-ମେ ମାସର ଖରାରେ କୌଣସି ବଡ଼ ଗଛ ଛାଇରେ ଯେଉଁମାନେ ଠିଆ ହୋଇଛନ୍ତି, ସେମାନେ ଏହାକୁ ଅନୁଭୂତିରେ ଆଗରୁ ଜାଣନ୍ତି । ବୈଜ୍ଞାନିକ ସିମ୍ୟୁଲେସନ୍ କେବଳ ଏହାକୁ ବୈଜ୍ଞାନିକ ଭାବରେ ମାପିଛି ।
ଯେତେବେଳେ ଏହି ଦୁଇଟି ରଣନୀତି- ପ୍ରତିଫଳକ ପୃଷ୍ଠଭାଗ ଓ ପ୍ରାୟ ୫୦ପ୍ରତିଶତ ଉଦେ୍ଦଶ୍ୟମୂଳକ ଛାୟା ଆବରଣ- ଏକାସାଙ୍ଗରେ ଲାଗୁ କରାଗଲା, ସମଗ୍ର ପରିସରରେ ତାପମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଲା । ଏଗୁଡ଼ିକ କୌଣସି ବିଦେଶୀ ଧାରଣା ନୁହେଁ । ପାରମ୍ପରିକ ଭାରତୀୟ ନିର୍ମାଣଶୈଳୀ । ଐତିହାସିକ ଭାବେ ମନ୍ଦିର ପରିସରଗୁଡ଼ିକରେ ଛାୟାପ୍ରଦ ଗଛ, ପ୍ରାଙ୍ଗଣ ଓ ଜଳାଶୟ ରହୁଥିଲା । ଏହା ମନ୍ଦିର ପରିସରଗୁଡ଼ିକୁ ଥଣ୍ଡା ରଖୁଥିଲା । ଆମେ ଯାହା ସୁପାରିଶ କରୁଛୁ, ତାହା ଐତିହ୍ୟ ସ୍ଥଳର କୌଣସି ଆମୂଳ ପୁନଃନିର୍ମାଣ ନୁହେଁ । ବରଂ ବହୁ ଦିଗରୁ ଅତୀତର ନିର୍ମାଣ ଶୈଳୀକୁ ଫେରିଯିବା ।
କୌଣସି ଐତିହ୍ୟବାହୀ ସ୍ଥାନ ଯଦି ବ୍ୟବହାର ନହୁଏ, ତେବେ ସେ ସ୍ଥାନ ସହିତ ସଂଶ୍ଲିଷ୍ଟ ଜୀବନ୍ତ ସାଂସ୍କୃତିକ ଧାରାବାହିକତା ବଜାୟ ରହି ପାରିବ ନାହିଁ । ଯଦି ସାଧାରଣ ଲୋକ ଏହି ସ୍ଥାନଗୁଡ଼ିକୁ ସୁବିଧାରେ ବ୍ୟବହାର କରିପାରିବେ ନାହିଁ, ତେବେ ସାର୍ବଜନୀନ ଐତିହ୍ୟ ବଞ୍ଚିପାରିବ ନାହିଁ । ଆଉ କ୍ରମବର୍ଦ୍ଧମାନ ତାପମାତ୍ରା କେବଳ ଐତିହ୍ୟବାହୀ ସ୍ଥାନ ପାଇଁ ସମସ୍ୟା ନୁହେଁ, ଏହା ଏକ ଜନସ୍ୱାସ୍ଥ୍ୟ, ଜଳବାୟୁ ସମସ୍ୟା ଏବଂ କ୍ରମଶଃ ଏକ ଶାସନଗତ ସମସ୍ୟାରେ ପରିଣତ ହେଉଛି ।
ଏବେ କ’ଣ କରିବା ଦରକାର:
୧. ସମସ୍ତ ନୂତନ ସାର୍ବଜନୀନ ପ୍ରକଳ୍ପରେ ପ୍ରତିଫଳକ, ଉଚ୍ଚ-ଆଲେବଡୋ ପେଭିଂ ବାଧ୍ୟତାମୂଳକ କରାଯାଉ ।
କ୍ରୟ ନିୟମାବଳୀରେ ହାଲୁକା ଓ ତାପ-ପ୍ରତିଫଳକ ପୃଷ୍ଠଭାଗକୁ ବାଧ୍ୟତାମୂଳକ କରିବା । ଏଥିରେ ଅତିରିକ୍ତ ଖର୍ଚ୍ଚ କମ୍, କିନ୍ତୁ ଭୂପୃଷ୍ଠର ତାପମାତ୍ରାକୁ ବେଶ୍ କମାଇପାରେ । ସରକାରୀ ବ୍ୟୟରେ ହେଉଥିବା ସମସ୍ତ ସୌନ୍ଦର୍ଯ୍ୟୀକରଣ ଓ ଢାଞ୍ଚାଗତ କାର୍ଯ୍ୟରେ ଏହା ଲାଗୁ ହେବା ଉଚିତ ।
୨.ଆଳଙ୍କାରିକ ଗଛଠାରୁ ଛାୟାପ୍ରଦାନକାରୀ ଦେଶୀ ଗଛକୁ ଅଧିକ ଗୁରୁତ୍ୱ ଦିଆଯାଉ ।
ପ୍ରତ୍ୟେକ ସାର୍ବଜନୀନ ପ୍ରକଳ୍ପରେ କେବଳ ଗଛ ଲଗା ଯୋଜନା ନୁହେଁ, ବରଂ ଛାୟା ଯୋଜନା ରହିବା ଉଚିତ । ଲକ୍ଷ୍ୟ ହେବା ଉଚିତ ଚଲାପଥ ଓ ବସିବା ସ୍ଥାନ ଉପରେ ପ୍ରକୃତ ଛାୟା ସୃଷ୍ଟି କରିବା । ନିମ୍ବ, ଅଶ୍ୱତ୍ଥ, ବଟ ଓ ମହୁଲ ପରି ଗଛ ଓଡ଼ିଶାର ଜଳବାୟୁ ପାଇଁ ଉପଯୁକ୍ତ ଏବଂ ଥରେ ଲାଗିଗଲେ ଅଳ୍ପ ରକ୍ଷଣାବେକ୍ଷଣ ଦରକାର କରନ୍ତି ।
୩. ବଡ଼ ପୁନଃବିକାଶ ପ୍ରକଳ୍ପ ପୂର୍ବରୁ ଉତ୍ତାପ ସିମ୍ୟୁଲେସନ୍ ବାଧ୍ୟତାମୂଳକ କରାଯାଉ
କୌଣସି ସାର୍ବଜନୀନ ସ୍ଥାନ- ମନ୍ଦିର ପରିସର, ସହର, ପାର୍କ କିମ୍ବା ବସ୍ ଷ୍ଟାଣ୍ଡ – ପୁନଃନିର୍ମାଣ ପୂର୍ବରୁ ଏକ ମୂଳ ମାଇକ୍ରୋ କ୍ଲାଇମେଟ୍ ପ୍ରଭାବ ମୂଲ୍ୟାଙ୍କନ ଆବଶ୍ୟକ ହେବା ଉଚିତ । ENVI-met ପରି ଉପକରଣଗୁଡ଼ିକ ବ୍ୟାପକ ଭାବେ ଉପଲବ୍ଧ ଓ ରାଜ୍ୟ ସଂସ୍ଥାଗୁଡ଼ିକର ପ୍ରାୟୋଗିକ କ୍ଷମତା ମଧ୍ୟରେ ଅଛି । ଏହା ନିର୍ମାଣ ପୂର୍ବରୁ ଢାଞ୍ଚାଗତ ସୁରକ୍ଷା ଯାଞ୍ଚ ପରି ଏକ ସାଧାରଣ ଆବଶ୍ୟକତା ହେବା ଉଚିତ ।
୪. ମନ୍ଦିର ପୋଖରୀ ଓ ଜଳାଶୟଗୁଡ଼ିକୁ ସକ୍ରିୟ ଶୀତଳୀକରଣ ପ୍ରଣାଳୀ ଭାବେ ପୁନରୁଦ୍ଧାର କରାଯାଉ ।
ମନ୍ଦିର ପୋଖରୀଗୁଡ଼ିକ କେବଳ ଆଚାର-ଅନୁଷ୍ଠାନର ସ୍ଥାନ ନୁହେଁ; ସେଗୁଡ଼ିକ ଶୀତଳୀକରଣ ପ୍ରଣାଳୀ ଥିଲା । ପାଣି ବାଷ୍ପୀଭୂତ ହୋଇ ଚାରିପାଖର ତାପମାତ୍ରାକୁ କମାଏ । ଅନେକ ପୋଖରୀ ଅବହେଳାର ଶିକାର ହୋଇଛି । ସେଗୁଡ଼ିକୁ ପୁନରୁଦ୍ଧାର କରିବା ସହ ସବୁଜ ଆବରଣକୁ ଫେରାଇ ଆଣିବା ଐତିହ୍ୟ ଓ ଜଳବାୟୁ ସହନଶୀଳତା -ଉଭୟକୁ ସୁରକ୍ଷା ଦେବ ।
୫. ସାର୍ବଜନୀନ ସ୍ଥାନଗୁଡ଼ିକ ପାଇଁ ବାହ୍ୟ ଉତ୍ତାପ ମାନଦଣ୍ଡ ପ୍ରଚଳନ କରାଯାଉ ।
ଓଡ଼ିଶାରେ ଭବନଗୁଡ଼ିକର ଢାଞ୍ଚାଗତ ସୁରକ୍ଷାପାଇଁ ଆଗରୁ ନିୟମ ରହିଛି । ସେହିପରି ବାହାର ସ୍ଥାନଗୁଡ଼ିକର ତାପ ସୁରକ୍ଷାପାଇଁ ମଧ୍ୟ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇ ପାରେ । କୌଣସି ସାର୍ବଜନୀନ ସ୍ଥାନ ଯଦି ନିୟମିତ ଭାବେ ନିର୍ଦ୍ଦିଷ୍ଟ ଉତ୍ତାପ ସୀମାକୁ ଅତିକ୍ରମ କରେ, ତେବେ ସେଠାରେ ତାପ ହ୍ରାସ ପାଇଁ ପଦକ୍ଷେପ ନେବା ବାଧ୍ୟତାମୂଳକ ହେବା ଉଚିତ; ଯେମିତି ଢାଞ୍ଚାଗତ ନିୟମ ମାନିନଥିବା ଭବନର ପୁନଃସୁଦୃଢ଼ୀକରଣ ଆବଶ୍ୟକ ହୁଏ । UTCI (Universal Thermal Climate Index) ଏହିପାଇଁ ଏକ ପ୍ରସ୍ତୁତ ମାନକ ଢାଞ୍ଚା ଦେଇଥାଏ ।
୬. ଏକ ରାଜ୍ୟ ‘ଅର୍ବାନ ହିଟ୍ ପ୍ଲାନ’ ପ୍ରସ୍ତୁତ କରାଯାଉ ।
ଅହମ୍ମଦାବାଦର ‘ହିଟ୍ ଆକ୍ସନ୍ ପ୍ଲାନ୍’ ଅଂଶୁଘାତଜନିତ ମୃତ୍ୟୁକୁ ଉଲ୍ଲେଖନୀୟ ଭାବେ କମାଇଥିବାର ପ୍ରମାଣ ମିଳିଛି । ଓଡ଼ିଶା ଏହାଠାରୁ ପାଦେ ଆଗକୁ ଯାଇ ସାର୍ବଜନୀନ ସ୍ଥାନ, ଐତିହ୍ୟ ଅଞ୍ଚଳ ଓ ଅର୍ଦ୍ଧ-ସହରୀୟ ସହରଗୁଡ଼ିକୁ ସ୍ପଷ୍ଟଭାବରେ ଏହି ଯୋଜନାର ଅଂଶ କରିପାରେ । ଏଥିରେ ହିଟ-ରିସ୍କ ମାନଚିତ୍ରଣ, ଖୋଲା ଆକାଶ ତଳେ ହେଉଥିବା ସମାବେଶ ପାଇଁ ଋତୁକାଳୀନ ସତର୍କତା ଏବଂ ଛାୟାପ୍ରଦାନକାରୀ ଗଛ ଓ ଜଳାଶୟର ରକ୍ଷଣାବେକ୍ଷଣ ପ୍ରୋଟୋକଲ୍ ରହିବା ଉଚିତ ।
୭.ଜଳବାୟୁ-ସମ୍ବେଦନଶୀଳ ଐତିହ୍ୟ ଡିଜାଇନ୍ ସେଲ୍ ଗଠନ କରାଯାଉ
ରାଜ୍ୟ ପୁରାତତ୍ତ୍ୱ ବିଭାଗ କିମ୍ବା ଗୃହ ଓ ସହର ଉନ୍ନୟନ ବିଭାଗ ମଧ୍ୟରେ ଏକ ଛୋଟହେଲେ ବି ସ୍ୱତନ୍ତ୍ର ୟୁନିଟ୍ ଗଠନ କଲେ ସଂସ୍ଥାଗତ ଦକ୍ଷତା ବଢ଼ିବ, କାର୍ଯ୍ୟର ଧାରାବାହିକତା ରହିବ ଏବଂ ପ୍ରକଳ୍ପ ସମୀକ୍ଷା ଅଧିକ ଭଲ ହୋଇପାରିବ । ବ୍ୟାପକ ଏବଂ ସାନ୍ଧ୍ରଭାବରେ ବ୍ୟବହୃତ ମନ୍ଦିର ପରିସର ଥିବା ଓଡ଼ିଶାପାଇଁ ଏହା ବିଶେଷ ଭାବରେ ଆବଶ୍ୟକ ।
୮. ସ୍ମାର୍ଟ ସିଟି ଓ AMRUT ଯୋଜନାରେ ଉତ୍ତାପ-ହ୍ରାସ କାର୍ଯ୍ୟକ୍ରମକୁ ସାମିଲ କରାଯାଉ ।
ସହରୀ ପ୍ରଶାସନ ଅମୃତ-୨.୦ ଓ ସ୍ମାର୍ଟ ସିଟି ଯୋଜନା ଅଧୀନରେ କାର୍ଯ୍ୟ କରୁଛନ୍ତି । ସହରର ଉତ୍ତାପ-ହ୍ରାସ ପାଇଁ ଯୋଜନା ଆଉ କାର୍ଯ୍ୟକ୍ରମଗୁଡ଼ିକୁ (ଉଦାହରଣସ୍ୱରୂପ-ପ୍ରତିଫଳକ ପେଭମେଣ୍ଟ ନିର୍ମାଣ, ଛାୟାପ୍ରଦ ବୃକ୍ଷରୋପଣ, ଜଳାଶୟଗୁଡ଼ିକର ପୁନରୁଦ୍ଧାର) ଏହି ଯୋଜନା ଭିତରେ ଜଳବାୟୁ ସହନଶୀଳତା ନିବେଶ ଭାବେ ଦେଖାଯାଇପାରେ ।
ଜନ-ସଚେତନତା ଓ ସ୍ଥାନୀୟ ଦାୟିତ୍ୱବୋଧ ।
ସ୍ଥାନୀୟ ଲୋକ ଓ ସଂଗଠନମାନଙ୍କୁ ଏ କାର୍ଯ୍ୟରେ ସାମିଲ କରାଯାଉ ଏବଂ ରକ୍ଷଣାବେକ୍ଷଣର ଦାୟିତ୍ୱ ଦିଆଯାଉ ।
ଉପସଂହାର
ଜଳବାୟୁ ସଙ୍କଟ କଥା କହିଲେ ଅନେକଙ୍କୁ ଲାଗେ ଯେ ଏହା ଅନ୍ୟ କେଉଁଠି ଦୂର ଜାଗାରେ ହେଉଛି । ଆଣ୍ଟାର୍ଟିକାରେ ବରଫ ତରଳୁଛି କି ପ୍ରଶାନ୍ତ ମହାସାଗର ପାଣି ଗରମ ହୋଇଯାଉଛି । କିନ୍ତୁ ଏ କ୍ଷେତ୍ରରେ ଏ ସଙ୍କଟ ଆମ ସାମ୍ନାରେ । ଆମେ ଭୋଗୁଛୁ ଏହାର ପ୍ରଭାବ । ଏଥିକୁ ସଚେତନ ନହେଲେ ଆଉ ପ୍ରତିକାର ନକଲେ ଆଗକୁ ଆହୁରି ଭୋଗିବୁ ।

 

ଅମିତ ଚାଟାର୍ଜୀ
ଡ. ମୃଣାଳ ଚାଟାର୍ଜୀ
୯୪୩୭୦୨୬୧୯୪ // mrinalchatterjeeiimc@gmail.com

Comments

0 comments

Share This Article