ଏକ ଭୟଙ୍କର ଅରାଜକତା ଆଡ଼କୁ ବିଶ୍ୱ, ଭାରତ, ଓଡ଼ିଶା

ଦକ୍ଷିଣ ଓଡ଼ିଶାର ବକ୍ସାଇଟ୍ ମହଜୁଦ୍ ଥିବା ‘ତିଜିମାଳି’ ଭଳି ପାହାଡ଼ଗୁଡ଼ିକରୁ ଆରମ୍ଭ କରି ସୁଦୂର ଲାଟିନ୍ ଆମେରିକାର ଭେନେଜୁଏଲା ଯାଏଁ ଘଟି ଚାଲିଥିବା ସବୁ ଘଟଣାଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ସବୁକ୍ଷେତ୍ରରେ ଏକ ଭୟଙ୍କର ଅରାଜକତା ଆଡ଼କୁ ବିଶ୍ୱ ମାଡ଼ି ଚାଲିଛି । ସେଥିରେ ସ୍ଥାନୀୟଠାରୁ ଆରମ୍ଭ କରି ବିଶ୍ୱସ୍ତର ଯାଏଁ ନୀତି, ନିୟମ, ନୈତିକତା ଓ ମାନବିକତାକୁ କ୍ଷମତାସମ୍ପନ୍ନ ଶକ୍ତିମାନେ ଅଣଦେଖା କରିଚାଲିଛନ୍ତି ବା ସେଗୁଡ଼ିକର ହନନ କରିଚାଲିଛନ୍ତି । ସେଥିରେ ପ୍ରତିବନ୍ଧକ ଆଣିବା ପାଇଁ ସଫଳ ଓ ସଶକ୍ତ ପ୍ରୟାସର ନିଦର୍ଶନ କେଉଁଠି ବି ଆମକୁ ଦେଖିବାକୁ ମିଳୁନାହିଁ, ଯଦିଓ ପ୍ରତିରୋଧ ବା କ୍ଷଣସ୍ଥାୟୀ ପ୍ରତିରୋଧ କେଉଁଠି କେଉଁଠି ଦେଖିବାକୁ ମିଳୁଛି। ଗଣତନ୍ତ୍ର କୁ ସୁରକ୍ଷା ଦେବା ପାଇଁ ଗଢ଼ା ହେଇଥିବା ସବୁ ଅନୁଷ୍ଠାନ ଗୁଡିକ ଯେମିତି ନିଜର ସ୍ଥିତିକୁ ବିପନ୍ନ କରିସାରିଛନ୍ତି।
ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ, ବିଶ୍ୱରେ ଉପନିବେଶବାଦ ଆରମ୍ଭ ହେବା ଦିନଠାରୁ ପ୍ରାୟ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକା ରେ ଯେଉଁଠି ଯେଉଁଠି ସମ୍ପଦ କିଛି ଭରି ରହିଥିଲା ଏବଂ ରହିଛି ( ଯଥା ଜାଳେଣି ତେଲ , ଗ୍ୟାସ ବା ଖଣିଜ ପଥର ଅଛି), ସେହି ଦେଶଗୁଡିକୁ ସେମାନେ ଗୋଟିଏ ପରେ ଗୋଟିଏ ନିଜ ଅଧୀନକୁ ନେଇ ଆସିିଥିଲେ। ଭାରତ ଭଳି ଅନେକ ଦେଶ ଏମାନଙ୍କ କବଳରୁ ମୁକ୍ତ ହେବାପାଇଁ ମୁକ୍ତି ସଂଗ୍ରାମ ଚଳାଇ ଥିଲେ ଏବଂ ତଥାକଥିତ ସଫଳତା ମଧ୍ୟ ପାଇଥିଲେ । ଏମାନେ ସମସ୍ତେ ଗୋଟିଏ ଲକ୍ଷ୍ୟ ନେଇକି ଉପନିବେଶବାଦ ଚଳାଇ ରଖିଥିଲେ ଯେ, ଯେଉଁ ଯେଉଁ ଦେଶଗୁଡ଼ିକ ତାଙ୍କ ଅଧୀନରେ ରହିବ, ସେଠାରୁ ସେମାନେ ସବୁ ପ୍ରକାର ସମ୍ବଳ ଲୁଟ୍ କରିକି ଆଣିବେ ଏବଂ ନିଜେ ସମୃଦ୍ଧ ହେବେ ତଥାକଥିତ ଶିଳ୍ପାୟନ ଭିତ୍ତିକ ବିକାଶର ଢାଞ୍ଚାରେ । ଅନ୍ୟପଟେ ଏହି ଦେଶମାନଙ୍କରୁ କଞ୍ଚାମାଲ ଲୁଟ୍ କରି ନେଇ ସେମାନେ ଯାହା ବି ଉତ୍ପାଦନ କରିବେ, ତାକୁ ପୁଣି ଉଚ୍ଚ ଦରରେ ସେହି ଦେଶମାନଙ୍କୁ ବିକ୍ରି କରିବେ । ଏମିତିରେ ଯେଉଁ ପରିସ୍ଥିତି ଶହ ଶହ ବର୍ଷ ଧରି ଚାଲିଥିଲା, ତାହା ଫଳରେ ଉପନିବେଶ ସାଜିଥିବା ଏସିଆ, ଆଫ୍ରିକା, ଲାଟିନ୍ ଆମେରିକାର କୋଣସି ଦେଶ ଶାନ୍ତିରେ ରହିପାରିନଥିଲେ । ଅନେକ ଜାଗାରେ ସଂଘର୍ଷ ହେଇଥିଲା, ପ୍ରତିରୋଧ ଏବଂ ବିପ୍ଳବ ହେଇଥିଲା । ଅନେକ ବଳିଦାନ ପରେ କେଉଁଠି କେଉଁଠି ଦେଶମାନଙ୍କୁ ମୁକ୍ତି ବି ମିଳିଲା । ତେବେ ସେମାନେ ପାଇଥିବା ତଥାକଥିତ ମୁକ୍ତି ଜଗତୀକରଣ ପ୍ରକ୍ରିୟା ଭିତରେ ଗୋଟିଏ ଉପନିବେଶୀୟ ଶକ୍ତି ନୁହଁ ବରଂ ବିବିଧ ବହୁରାଷ୍ଟ୍ରୀୟ ଶକ୍ତି ମାନଙ୍କ ଅଧୀନକୁ ଚାଲିଗଲା। ତାହାର ଅନ୍ୟ ଏକ ତାର୍କିକ ପରିଣାମ ହେଲା ନିରାଶା ଓ ଅରାଜକତା ର ନିୟନ୍ତ୍ରଣ କୁ ସମାଜ ଚାଲିଆସିବା।

ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯେଉଁ ଗୋଟିଏ ଘଟଣା ଘଟିଥିଲା ତାହା ଥିଲା ‘ଦ୍ୱିତୀୟ ବିଶ୍ୱଯୁଦ୍ଧ’ । ଏହି ବିଶ୍ୱଯୁଦ୍ଧରେ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍ସ ସହ ରଷିଆ ଓ ଚୀନ ଥିଲାବେଳେ ଅନ୍ୟପଟେ ଥିଲେ ଜର୍ମାନୀ ସହ ଜପାନ । ଚୀନ ଓ ଜାପାନ ମଧ୍ୟରେ ଇତି ପୂର୍ବରୁ କିଛି ବର୍ଷ ଧରି ସାମରିକ ସଂଘର୍ଷ ଜାରି ରହିଥିଲା । ଚୀନର ଜଳପଥ ବାଣିଜ୍ୟକୁ ଜାପାନ ନିୟନ୍ତ୍ରଣ କରୁଥିଲା । ଜାଳେଣି ତୈଳ ଚୀନ ଭିତରକୁ ଆସିବା କଷ୍ଟକର ହୋଇପଡୁଥିଲା । କୁହାଯାଏ ଯେ ସେତେବେଳେ ଚୀନକୁ ତୈଳ ଯୋଗାଣର କଟକଣା ଯୋଗୁଁ ଆମେରିକା ଜାପାନ ସହ ସଂର୍ଘଷ କରିବାପାଇଁ ଆଗେଇ ଆସିଥିଲା । ଆଜି ବି ମଧ୍ୟପ୍ରାଚ୍ୟ ଭଳି କ୍ଷେତ୍ର ଗୁଡିକରେ ଏହି ତୈଳ ହିଁ ସାମରିକ ସଂର୍ଘଷଗୁଡିକ ପାଇଁ ଇନ୍ଧନ ଯୋଗାଉଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜିତ ଶକ୍ତିମାନେ ବିଶ୍ୱର ସବୁ ଦେଶମାନଙ୍କୁ ନେଇ ଗୋଟିଏ ‘ସଂଯୁକ୍ତ ରାଷ୍ଟ୍ର ସଙ୍ଗଠନ’ (United Nations Organization) ତିଆରି କଲେ (ଅକ୍ଟୋବର ୨୪,୧୯୪୫) । ଗୋଟିଏ ପ୍ରକାର ଆଶ୍ୱାସନା ସୃଷ୍ଟି କରାଗଲା ଯେ ବିଶ୍ୱରେ ଆଉକେବେ ଯୁଦ୍ଧ ହେବ ନାହିଁ। ଦେଶ ଦେଶ ଭିତରେ ଭଲ ସମ୍ପର୍କ ଓ ସହଯୋଗ ଜାରି ରଖିବାକୁ ନୀତି ନିୟମ ମଧ୍ୟ ତିଆରି କରାଗଲା । କିନ୍ତୁ ସବୁଥିରେ ବଡଭାଇ ଭଳି ରହିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଜିତ ଶକ୍ତିମାନେ ଯଥା ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚୀନ । ଏହି ପଂଚ ଶକ୍ତିମାନେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ହୋଇ ରହିଲେ । ଏମାନଙ୍କ ହାତରେ ବହୁ ମତରେ ପାରିତ ହେଉଥିବା ପ୍ରସ୍ତାବ ଗୁଡିକୁ ଅକାମୀ କରିଦେବା ପାଇଁ ‘ଭିଟୋ’ ପ୍ରୟୋଗର କ୍ଷମତା ମଧ୍ୟ ରହିଲା । ଅର୍ଥାତ ସଂଯୁକ୍ତ ରାଷ୍ଟ୍ର ସଂଗଠନରେ ସବୁ ସଦସ୍ୟ ସମାନ ନୁହନ୍ତି; ଏଭଳି ଏକ କଥାକୁ ଯେମିତିକି ଗୋଟେ ପ୍ରକାର ବୈଧତା ମିଳିଗଲା । କେବଳ ସେତିକି ନୁହଁ, ଏହି ‘ବଡ଼ ଭାଇ’ ମାନେ ହିଁ (ଆମେରିକା ସବୁଠୁ ଅଧିକ) ସଂଯୁକ୍ତ ରାଷ୍ଟ୍ର ବିଭିନ୍ନ ସଙ୍ଗଠନଗୁଡ଼ିକୁ ଚଳାଇବାରେ ରୀତିମତ ଆର୍ଥôକ ସହଯୋଗ ବି କରିଆସୁଥିଲେ । ସେଥିପାଇଁ ପତିଆରାଟା ସବୁବେଳେ ଏହି ପାଞ୍ଚଟି ଦେଶ ହାତରେ ରହୁଥିଲା । ଅନ୍ୟ ଦେଶମାନେ କେବଳ ଦେଖଣାହାରୀ ହୋଇ କିଏ କେଉଁ ଦଳର, କିଏ କେଉଁ ଗୋଷ୍ଠୀର ରହି ସବୁ ସମର୍ଥନ କରୁଥିଲେ ବା ନୀରବ ରହୁଥିଲେ ଅଥବା ଦରକାର ପଡ଼ିଲେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବି ଭାଗ ନେଉନଥିଲେ । ଏଭଳି ଅବସ୍ଥାରେ, ସଂଯୁକ୍ତ ରାଷ୍ଟ୍ର ସଙ୍ଗଠନ ସଂଘର୍ଷ ଭିତରେ କେତେଦିନ ଚାଲିଲା । ଏବେ ସଂଯୁକ୍ତ ରାଷ୍ଟ୍ର ସଙ୍ଗଠନ ଗୋଟେ ଅଛି କି ନାହିଁ ତାହା ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୁଣି ଗୋଟିଏ ଦେଶ ର ସମ୍ପଦ ଅନ୍ୟ ଗୋଟିଏ ଦେଶ ବା ତାହାର କୌଣସି କମ୍ପାନୀ ଲୁଣ୍ଠନ କରିପାରିବେ ନାହିଁ ବା କଲାଭଳି ପରିସ୍ଥିତି ସୃଷ୍ଟି କରିବେନାହିଁ, ଏହି କଥାଟି ଉପରର ସଂଯୁକ୍ତ ରାଷ୍ଟ୍ର ସଂଗଠନ ନିର୍ମାଣ ବେଳେ ମଧ୍ୟ ଗୁରୁତ୍ୱ ଦିଆଯାଇନାହିଁ।
ବିଶ୍ୱର ଯେଉଁ ପାଞ୍ଚଟି ପ୍ରଭାବଶାଳୀ ଦେଶ ଜାତିସଂଘର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ରହି ‘ଭିଟୋ’ (Veto) କ୍ଷମତା ପାଇଛନ୍ତି, ସେମାନେ ନିଜର ସ୍ୱାର୍ଥ ପାଇଁ ହିଁ ଏହି ସଂଗଠନ ତିଆରି କରିଛନ୍ତି ଏବଂ ଏବେ ଏହି ଆନ୍ତର୍ଜାତୀୟ ଅନୁଷ୍ଠାନ ସମୂହ କୁ ସମ୍ପୂର୍ଣ୍ଣ ଅକାମୀ କରିଦେଇଛନ୍ତି । ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକା ଭଳି ମହାଶକ୍ତିମାନେ ନିଜର ସାମରିକ ଓ ଆର୍ଥକ ପ୍ରତିପତ୍ତି ବଳରେ ଜାତିସଂଘର ବିଭିନ୍ନ ସଙ୍ଗଠନଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରି ଆସିଛନ୍ତି । ଯେତେବେଳେ ବି ବିଶ୍ୱର କୌଣସି ପ୍ରାନ୍ତରେ ମାନବିକତାର ହନନ ହୁଏ, ଗରିବ ବା ଦୁର୍ବଳ ଦେଶ ଉପରେ ଆକ୍ରମଣ ହୁଏ, କିମ୍ବା ପ୍ରାକୃତିକ ସମ୍ପଦକୁ ଲୁଟ୍ କରିବାପାଇଁ ଅରାଜକତା ସୃଷ୍ଟି କରାଯାଏ ସେତେବେଳେ ଏହି ସୁରକ୍ଷା ପରିଷଦ କୌଣସି ଦୃଢ଼ ନିଷ୍ପତ୍ତି ନେଇପାରେ ନାହିଁ । କାରଣ, କୌଣସି ନା କୌଣସି ମହାଶକ୍ତି ନିଜର ରାଜନୈତିକ ବା ବ୍ୟାପାରିକ ଲାଭ ପାଇଁ ସେଠାରେ ‘ଭିଟୋ’ ପ୍ରୟୋଗ କରି ସମସ୍ତ ପ୍ରକ୍ରିୟାକୁ ଅଟକାଇ ଦିଅନ୍ତି । ଏହାର ପରିଣାମସ୍ୱରୂପ, ସ୍ଥାନୀୟ ସ୍ତରରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ନୀତି, ନିୟମ ଓ ନୈତିକତାର ଖୋଲାଖୋଲି ଉଲ୍ଲଂଘନ ଚାଲିଛି । ଦକ୍ଷିଣ ଓଡ଼ିଶାର ଖଣି ଅଞ୍ଚଳରୁ ଆରମ୍ଭ କରି ଭେନେଜୁଏଲାର ତୈଳଭଣ୍ଡାର ପର୍ଯ୍ୟନ୍ତ, ପୁଞ୍ଜିବାଦୀ ଏବଂ ସାମ୍ରାଜ୍ୟବାଦୀ ଶକ୍ତିମାନେ କେବଳ ସମ୍ପଦ ଲୁଟ୍ କରିବା ଲକ୍ଷ୍ୟରେ ସାରା ବିଶ୍ୱକୁ ଏକ ଭୟଙ୍କର ଅରାଜକତା ଆଡ଼କୁ ଠେଲି ଦେଉଛନ୍ତି । ଏହି ବୃହତ ଶକ୍ତିମାନଙ୍କ ସାମ୍ନାରେ ଜାତିସଂଘ ଆଜି କେବଳ ଏକ ମୂକସାକ୍ଷୀ ବା ଦେଖଣାହାରୀ ପାଲଟି ଯାଇଛି ।
ଜାତିସଂଘ ବା ସଂଯୁକ୍ତ ରାଷ୍ଟ୍ର ସଙ୍ଗଠନ ଅକାମୀ ହୋଇଯିବା ପରେ, ବିଶ୍ୱର ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ବିଶ୍ୱର ସୀମିତ ପ୍ରାକୃତିକ ସମ୍ପଦକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରତିଯୋଗିତା ଆହୁରି ତୀବ୍ର ହେବାରେ ଲାଗିଛି । ଯେଉଁଠାରେ ବି ବିଶାଳ ଖଣିଜ ସମ୍ପଦ, ତେଲ ବା ଗ୍ୟାସର ଭଣ୍ଡାର ରହିଛି, ସେହି ସବୁ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଏହି ମହାଶକ୍ତିମାନେ ସେହି ଦେଶ ବା ରାଜ୍ୟଗୁଡ଼ିକରେ ଗୃହଯୁଦ୍ଧ, ଅର୍ଥନୈତିକ ପ୍ରତିବନ୍ଧକ କିମ୍ବା ସାମରିକ ହସ୍ତକ୍ଷେପ ଭଳି ସ୍ଥିତି ସୃଷ୍ଟି କରୁଛନ୍ତି । ଏହାର ସବୁଠାରୁ ବଡ଼ ପ୍ରଭାବ ସ୍ଥାନୀୟ ଜନଜୀବନ, ପରିବେଶ ଏବଂ ପାରମ୍ପରିକ ଜୀବନଶୈଳୀ ଉପରେ ପଡୁଛି । କର୍ପୋରେଟ୍ ସଂସ୍ଥା ଏବଂ କ୍ଷମତାସମ୍ପନ୍ନ ଗୋଷ୍ଠୀଗୁଡ଼ିକ ନିଜର ମୁନାଫା ପାଇଁ ଜଳ, ଜଙ୍ଗଲ ଓ ଜମିର ପ୍ରାକୃତିକ ସନ୍ତୁଳନକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଚାଲିଛନ୍ତି । ଯେଉଁ ମାନବିକତା ଏବଂ ଆନ୍ତର୍ଜାତୀୟ ନୀତି-ନିୟମକୁ ନେଇ ଏକ ସୁସ୍ଥ ବିଶ୍ୱ ଗଠନର ସ୍ୱପ୍ନ ଦେଖାଯାଇଥିଲା ବୋଲି ଧାରଣା ଟିଏ ସୃଷ୍ଟି କରାଯାଇଥିଲା, ତାହା ଆଜି ଏକ ଉଗ୍ର ପୁଞ୍ଜିବାଦୀ ଢାଞ୍ଚାର ବିକାଶ ଆଗରେ ଧରାଶାୟୀ ହୋଇଯାଇଛି । ଜନପ୍ରତିରୋଧ ଏବଂ ସଂଘର୍ଷ ସତ୍ତ୍ୱେ, ସଫଳ ଓ ସଶକ୍ତ ପ୍ରୟାସର ଅଭାବ ଯୋଗୁଁ ସାଧାରଣ ଜନତା ନିଜର ସଂସ୍କୃତି ଓ ଭିଟାମାଟିରୁ ବିଚ୍ୟୁତ ହେବାକୁ ବାଧ୍ୟ ହେଉଛନ୍ତି । ଏହି ଅରାଜକତା ତିଜିମାଳିଠାରୁ ଆରମ୍ଭ କରି ଭେନେଜୁଏଲା ଯାଏଁ ଚାଲିଛି । ଅନ୍ତତଃ ଓଡ଼ିଶା ପରିପ୍ରେକ୍ଷୀରେ ଆମେ ଯଦି କହିବା, ତାକୁ ଦୂର କରିବା ପାଇଁ କଣ ପଦକ୍ଷେପ ନିଆଯାଇପାରେ, ଏ ଭଳି ସବୁ ପ୍ରଶ୍ନ ମନ ଭିତରକୁ ଆସିବା ସ୍ୱାଭାବିକ ।
ଓଡ଼ିଶାରେ ନାଗରିକ ସଙ୍ଗଠନମାନଙ୍କର ସ୍ଥିତି ଅତି ଦୁର୍ବଳ । ଗତ କିଛିବର୍ଷ ଧରି, କେନ୍ଦ୍ରରେ ଭାଜପା ସରକାର ସମସ୍ତ ଗଣତାନ୍ତ୍ରିକ ଓ ମାନବିକ ଅଧିକାର ସଂଗଠନ ଗୁଡିକ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଯେଉଁ କେତେଜଣ ଭଲ ସ୍ୱେଚ୍ଛାସେବୀ ସଙ୍ଗଠନ ଥିଲେ—ଯେଉଁମାନେ କେବେ କାହାକୁ ଲୁଚିଲୁଚି ସହଯୋଗ କରୁଥିଲେ କିଛି କାମ କରିବା ପାଇଁ, ସେମାନେ ମଧ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିଜେ ନିର୍ଯାତିତ ହେଇସାରିଛନ୍ତି । ସେମାନଙ୍କ ପାଖରେ କୌଣସି ପ୍ରକାର ରାସ୍ତା ନାହିଁ ଯେ ସେମାନେ କିଛି ସକ୍ରିୟ ଭୂମିକା ନେବେ । ସହରର ନାଗରିକ ସଙ୍ଗଠନମାନଙ୍କୁ ତ କେବେ ଭରସା କରାଯାଇ ନପାରେ, ଏମାନେ ସମସ୍ତେ ସ୍ୱାର୍ଥକୈନ୍ଦ୍ରିକ ଏବଂ ନିଜ ପିଲାଙ୍କର ଭବିଷ୍ୟତ ଚିନ୍ତା ହିଁ ବେଶି କରନ୍ତି, ନାତି -ନାତୁଣୀ ଙ୍କ ଭବିଷ୍ୟତ କଥା ବି ଭାବୁ ନାହାନ୍ତି । ଆଉ ରହିଲା ରାଜନୈତିକ ସଙ୍ଗଠନ । ରାଜନୈତିକ ପ୍ରତିବାଦ ବିନା କୌଣସି ଜନଆନେ୍ଦାଳନ କେବେ ବି ଅଧିକ ଦିନ ତିଷ୍ଠିକି ରହିବା କଷ୍ଟକର ହେବ । ସ୍ଥାନୀୟ ଅଞ୍ଚଳର ଆଦିବାସୀମାନେ ତ ବହୁତ ଭଲ ଭାବେ ସଂଘର୍ଷ କରୁଛନ୍ତି-ନିଜର ସବୁକିଛି ବଳିଦାନ ଦେଇକି । କିନ୍ତୁ ତାଙ୍କୁ ବାହାରୁ ଯେଉଁ ସମର୍ଥନ ମିଳିବା କଥା, ଓଡ଼ିଶାର ରାଜନୈତିକ ଦଳମାନଙ୍କଠାରୁ ସେ ସହଯୋଗ ମିଳୁନାହିଁ । ଶାସକ ରାଜନୈତିକ ଦଳ ଯେମିତି କି ଭାଜପା ହେଉ ବା ବିଜୁ ଜନତା ଦଳ ହେଉ, ଏମାନେ ତ ନିଜେ ଏସବୁ କାମ କରିଆସୁଛନ୍ତି । କଂଗ୍ରେସ ବି କିଛି ପଛରେ ନାହିଁ । କଂଗ୍ରେସର ନେତୃତ୍ୱ ତ ବେଦାନ୍ତର ପୂରା ସମର୍ଥନରେ କାମ କରୁଛନ୍ତି ବୋଲି ନିୟମଗିରି ଆନ୍ଦୋଳନ ର ନେତା ମାନେ କହି ଆସିଛନ୍ତି। କଂଗ୍ରେସ ଯେ ଗୋଟେ କିଛି ଆଶା, ଭରସା ସୃଷ୍ଟି କରିପାରିବ ଏଭଳି ନେତୃତ୍ୱ ଥାଇକି, ତାହାର ସମ୍ଭାବନା ବି କମ୍ । ମୁଖ୍ୟସ୍ରୋତର ବାମପନ୍ଥୀ ଦଳମାନେ, ଯଦିଓ ଯେତେବେଳେ ମାନବାଧିକାର ଉଲ୍ଲଂଘନ ହେଉଛି ଆସିକି ଛିଡ଼ା ହେଉଛନ୍ତି, ପ୍ରତିବାଦ କରୁଛନ୍ତି ବା କାହାକୁ କାହାକୁ ଚିଠି ଲେଖୁଛନ୍ତି—ସେ ଚିଠିର ମୂଲ୍ୟ କଣ ରହୁ ବା ନରହୁ, ତେବେ ସଂଗଠିତ ଓ ସ୍ଥିର ଭାବରେ ପ୍ରତିବାଦ କରିବା, ବିଶେଷକରି ଯେତେବେଳେ ଖଣିଭିତ୍ତିକ ପ୍ରାକୃତିକ ସମ୍ପଦର ଲୁଣ୍ଠନ ଚାଲିଛି, ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଚାଲିଛି: ସେଇଟା ସେମାନେ କରିବା ପାଇଁ ସକ୍ଷମ ନୁହନ୍ତି । ବାମ ହେଉ ବା ଦକ୍ଷିଣ ବା ଯେକୌଣସି ଦଳ ହେଉ, ସମସ୍ତେ ‘ବିକାଶ’ଟିକୁୁ ଗ୍ରହଣ କରିଛନ୍ତି । ‘ବିକାଶ’ କଣ କରୁଛି? କାହାର ବିକାଶ କରୁଛି? କେଉଁ ପ୍ରକାର ବିକାଶ କରୁଛି ନା ବିନାଶ କରୁଛି? ଏଇସବୁ ପ୍ରଶ୍ନ ସେମାନେ କରନ୍ତି ନାହିଁ । ଖଣି ଖୋଳାଯିବା ଦରକାର, ଦେଶର ବିକାଶ ହେବା ଦରକାର, ଗ୍ରୋଥ୍ (Growth) ଅଭିବୃଦ୍ଧି ହେବା ଦରକାର । ଯାହା ଲେଖାହେଇଛି, ପାଠ ବହିରେ(Textbook), ସେଗୁଡ଼ାକ ସବୁ ଏମାନେ ବି ନିଜେ ଉଦରସ୍ଥ କରିଛନ୍ତି । ଏ ‘ବିକାଶ’କୁ ନେଇ ପ୍ରତିବାଦ କରିବା ବା ବିକାଶର ପରିଭାଷା ପରିବର୍ତ୍ତନ କରିବା, ବିକାଶର ସଂଜ୍ଞା ନିରୂପଣ କରିବା ଇତ୍ୟାଦି କାମ ଏମାନେ ନିଜେ କରିବେ, ଏ ବିଶ୍ୱାସ ଏଯାଏଁ ସୃଷ୍ଟି ହେଇନାହିଁ । ଫଳରେ ଅରାଜକତାଟା ଗୋଟେ ଭୟଙ୍କର ରୂପ ନେଇଛି ।
ଏଥର ଆମେ ବିଚାର କରିବା କଥା, ଏଭଳି ପରିସ୍ଥିତିରେ ଆମେ ଅଧିକ କଣ କରିପାରିବା? ବା କଣ କଲେ ଆମେ ଅନ୍ତତଃ ସ୍ଥାନୀୟ ସ୍ତରରୁ ଯେଉଁ ସ୍ୱରଗୁଡ଼ିକ ବଳିଷ୍ଠ ଭାବେ ବାହାରକୁ ଆସୁଛି, ତାଙ୍କୁ ଆମେ ସମର୍ଥନ ଦେଇପାରିବା, ସାନ୍ତ୍ୱନା ଦେଇପାରିବା, ବିଶ୍ୱାସ ଦେଇପାରିବା, ଭରସା ଦେଇପାରିବା ଯେ ସେମାନେ ଏକା ନୁହନ୍ତି । କେବଳ ଓଡ଼ିଶାରେ କାହିଁକି, ବିଶ୍ୱର ବିଭିନ୍ନ ସ୍ଥାନରେ, ପ୍ରତିବାଦର ପରମ୍ପରା ଏବେ ବି ଜାରି ରହିଛି। ସେ ପରମ୍ପରାକୁ ଆମକୁ ଯେମିତି ହେଲେ ଆଗକୁ ନେବାକୁ ପଡ଼ିବ । ଆମ ନିଜ ପାଇଁ ନୁହେଁ, ଆମର ଆସୁଥିବା ଆଗାମୀ ବଂଶଧରମାନେ ଟିକେ ଭଲରେ ବଞ୍ଚିବା ପାଇଁ । ଏଠି ମନେ ରଖିବା କଥା ଯେ ଅରାଜକତା କେବେ ବି ସାଧାରଣ ଜନତାଙ୍କ ହିତରେ ଯାଇନଥାଏ ବରଂ ସେମାନେ ହିଁ ଅରାଜକତା ଯୋଗୁଁ ନିଜର ପୂର୍ବରୁ ଜାରି ରହିଥିବା ଦୁର୍ବଳ ଅବସ୍ଥା ଅଧିକ ବିପନ୍ନ ଓ ଅଧିକ ଦୁଃସ୍ଥ ହେବାର ସ୍ଥିତିଟିକୁ ଅତି ଅସହାୟ ଭାବେ ଦେଖିବା ପାଇଁ ବାଧ୍ୟ ହୁଅନ୍ତି । ଠିକ ଏହି ସମୟରେ ବନ୍ଧୁ ଯୋଦ୍ଧା ରାଜେନ୍ଦ୍ର ଷଡ଼ଙ୍ଗୀଙ୍କ କଥା ଓ କାମ ବେଶି ମନେପଡ଼େ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.