ଚାଟଶାଳୀରୁ ବିଦ୍ୟାଳୟ

10 Views
10 Min Read

ଗାଁ ଅବଧାନଙ୍କ ଚାଟଶାଳୀ ଓ ସ୍ୱାଧୀନତା ପୂର୍ବରୁ ଓଡ଼ିଶାର ଗ୍ରାମାଞ୍ଚଳରେ ଶିକ୍ଷାବ୍ୟବସ୍ଥା ଅତ୍ୟନ୍ତ ପାରମ୍ପରିକ, ସମାଜ-କୈନ୍ଦ୍ରିକ ଏବଂ ପ୍ରକୃତି ସହ ଜଡ଼ିତ ଥିଲା । ସେତେବେଳେ ଆଜିପରି ଶିକ୍ଷାନୁଷ୍ଠାନ ନଥିଲା, ତେଣୁ ଗ୍ରାମଗୁଡିକରେ ଏକ ସ୍ୱତନ୍ତ୍ର ଶିକ୍ଷାବ୍ୟବସ୍ଥା ଥିଲା । ଗ୍ରାମାଞ୍ଚଳର ଶିକ୍ଷାର ମୂଳଦୁଆ ଥିଲା ‘ଚାଟଶାଳୀ’ । ଏହା କୌଣସି ଏକ ବଡ଼ଘର ନୁହେଁ, ବରଂ ଗାଁର କୌଣସି ମନ୍ଦିର କିମ୍ବା ଗଛ ମୂଳେ ଚାଲୁଥିଲା । ଚାଟଶାଳୀର ଶିକ୍ଷକ ଥିଲେ ‘ଅବଧାନ’ । ପାରିଶ୍ରମିକ କହିଲେ ସେ ଶିକ୍ଷାଦାନ ବଦଳରେ ଗ୍ରାମବାସୀଙ୍କଠାରୁ ନେଉଥିଲେ ଧାନ, ପନିପରିବା କିମ୍ବା ବସ୍ତ୍ର । କାଗଜ କିମ୍ବା ବହି କଣ ପିଲାମାନେ ଜାଣୁନଥିଲେ, ମାଟିର ସିଲଟ ଓ ଖଡ଼ିରେ ଲେଖୁଥିଲେ । ପରେ ସେମାନେ ତାଳପତ୍ରରେ ଲେଖନ (ଲୁହା ଲେଖନୀ) ସାହାଯ୍ୟରେ ଲେଖିବା ଶିଖୁଥିଲେ । ଗଣିତ ପଢ଼ା ଓ ଲେଖା ଉପରେ ଗୁରୁତ୍ୱ ଦିଆଯାଉଥିଲା । ପିଲାମାନେ ଛନ୍ଦ ଓ ଶ୍ଳୋକ ମାଧ୍ୟମରେ ପାଠ ମନେ ରଖୁଥିଲେ । ପ୍ରତ୍ୟେକ ଗାଁରେ ‘ଭାଗବତ ଟୁଙ୍ଗୀ’ ଥିଲା । ଏହା କେବଳ ଭାଗବତ ଚର୍ଚ୍ଚା କରିବାପାଇଁ ସ୍ଥାନ ନଥିଲା ବରଂ ଏହା ଥିଲା ଏକ ସାମାଜିକ ବିଦ୍ୟାଳୟ । ସନ୍ଧ୍ୟା ସମୟରେ ଗ୍ରାମବାସୀ ଏଠାରେ ଏକାଠି ହୋଇ ଜଗନ୍ନାଥ ଦାସଙ୍କ ଭାଗବତ ଓ ଅନ୍ୟାନ୍ୟ ପୁରାଣ ଶୁଣୁଥିଲେ । ଗାଁ ବିଷୟରେ, ଗାଁର ଚାଷବାସ ବିଷୟରେ, ପାଣିପାଗ ବିଷୟରେ ମଧ୍ୟ ଚର୍ଚ୍ଚା ହେଉଥିଲା ଓ ଏହା ସାଧାରଣ ଲୋକଙ୍କୁ ନୈତିକ ଶିକ୍ଷା, ସାମାଜିକ ମୂଲ୍ୟବୋଧ ଏବଂ ଓଡ଼ିଆ ସଂସ୍କୃତି ସମ୍ପର୍କରେ ସଚେତନ କରୁଥିଲା । ଫଳରେ, ଆଦୌ ପାଠ ନ ପଢ଼ିଥିବା ବହୁ ଲୋକ ମଧ୍ୟ ସାହିତ୍ୟ, ଧର୍ମଶାସ୍ତ୍ର ଓ ଚାଷବାସ ଉପରେ ବେଶ୍ ଜ୍ଞାନ ରଖୁଥିଲେ । ଭାରତକୁ ବ୍ରିଟିଶମାନେ ଆସିବା ପର୍ଯ୍ୟନ୍ତ ଆମ ଦେଶ ବା ରାଜ୍ୟରେ ଶିକ୍ଷାନୁଷ୍ଠାନ ‘ଚାଟଶାଳୀ’ ହିଁ ଥିଲା ଓ ୧୬୦୦ ମସିହାରେ ଇଷ୍ଟ୍ଇଣ୍ଡିଆ କମ୍ପାନୀର ଭାରତ ଆଗମନ ଓ ୧୮୦୩ରେ ଓଡ଼ିଶା ଅଧିକାର ପରେ ଧୀରେ ଧୀରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଲା ଓ ୧୮୦୩ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧିକାର କଲା ଓ ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରଥମ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଶିକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦେଇନଥିଲା । ମୁଖ୍ୟତଃ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ (ବାପ୍ଟିଷ୍ଟ ମିଶନାରୀ) ପ୍ରୟାସ ଯୋଗୁଁ ଓଡ଼ିଶାରେ ଆଧୁନିକ ଶିକ୍ଷାର ମୂଳଦୁଆ ପଡ଼ିଥିଲା । ୧୮୨୨ ମସିହା ଜୁନ୍ ମାସରେ ମିଶନାରୀମାନଙ୍କ ଦ୍ୱାରା କଟକଠାରେ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ କରାଯାଇଥିଲା । ଏହାର ପରବର୍ଷ ୧୮୨୩ରେ କଟକରେ ଏକ ‘ଇଂରାଜୀ ଚାରିଟି ବିଦ୍ୟାଳୟ’ ଆରମ୍ଭ ହେଲା । ୧୮୩୫ରେ ଲର୍ଡ ମେକଲେଙ୍କ ଶିକ୍ଷା ନୀତି ପରେ ବ୍ରିଟିଶ୍ ସରକାର ଇଂରାଜୀ ଶିକ୍ଷାକୁ ପ୍ରୋତ୍ସାହନ ଦେଲେ । ଏହି କ୍ରମରେ ୧୮୩୫-୩୬ ମସିହାରେ ପୁରୀଠାରେ ଓଡ଼ିଶାର ପ୍ରଥମ ସରକାରୀ ଇଂରାଜୀ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ତାହାର ନାମ ଥିଲା ଆଙ୍ଗ୍ଲୋ-ଭର୍ଣ୍ଣାକୁଲାର୍ ସ୍କୁଲ (Anglo-vernacular school) ଏହା କୁଣ୍ଢେଇବେଣ୍ଟ ସାହି, ପୁରୀରେ ଥିଲା ପରେ ୧୮୫୩ରେ ଏହା ପୁରୀ ଜିଲ୍ଲାସ୍କୁଲ ନାମରେ ନାମିତ ହୋଇଥିଲା ଓ ୧୯୫୮ରେ ଷ୍ଟେସନରୋଡ଼କୁ ସ୍ଥାନାନ୍ତରିତ ହୋଇଥିଲା ଓ ୧୮୫୪ ରେ ସାର୍ ଚାର୍ଲସ ଉଡ୍ (Sir Charles Wood)ଙ୍କ ଦ୍ୱାରା ପ୍ରସ୍ତୁତ ଏକ ଶିକ୍ଷା ନୀତି ‘ଉଡ୍ସ ଡେସପାଚ୍'(Wood’s Despatch) ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସଙ୍କୁ ପଠାଇଥିଲେ ଓ ଏହି ‘ଉଡ୍ ଙ୍କ ଡେସପାଚ୍’ ଭାରତରେ ପାରମ୍ପରିକ ଶିକ୍ଷା ବଦଳରେ ଆଧୁନିକ, ସଂଗଠିତ ଓ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା, ଯାହା ଆଜିର ଭାରତୀୟ ଶିକ୍ଷା ପ୍ରଣାଳୀର ମୂଳଦୁଆ ଅଟେ । ସେହି ଶିକ୍ଷାନୀତି ଆସିଲା ପରେ ବ୍ରିଟିଶ୍ ସରକାର ଶିକ୍ଷା ବିଭାଗ ଗଠନ କଲେ ଏବଂ ସ୍କୁଲ ଗୁଡିକ ଆର୍ଥିକ ଅନୁଦାନ (Grant-in-aid) ଦେବା ଆରମ୍ଭ କଲେ । ପ୍ରଶାସନିକ କାର୍ଯ୍ୟପାଇଁ ସ୍ଥାନୀୟ ଲୋକଙ୍କୁ ଇଂରାଜୀ ଶିକ୍ଷାଦେବା ଉଦ୍ଦେଶ୍ୟରେ ବ୍ରିଟିଶ୍ ସରକାର ପ୍ରମୁଖ ଜିଲ୍ଲାଗୁଡ଼ିକରେ ‘ଜିଲ୍ଲା ସ୍କୁଲ’ ପ୍ରତିଷ୍ଠା କଲେ । କଟକରେ କଟକ କଲେଜିଏଟ୍ ସ୍କୁଲ୍, ପୁରୀ ଜିଲ୍ଲା ସ୍କୁଲ, ବାଲେଶ୍ୱର ଜିଲ୍ଲା ସ୍କୁଲ୍ (୧୮୫୩), ବ୍ରହ୍ମପୁର ଜିଲ୍ଲା ସ୍କୁଲ, ସମ୍ବଲପୁରଠାରେ ମଧ୍ୟ ଏକ ପ୍ରମୁଖ ଆଙ୍ଗ୍ଲୋ-ଭର୍ଣ୍ଣାକୁଲାର୍ (Anglo-vernacular school) ସ୍କୁଲ ସ୍ଥାପନ କରାଯାଇଥିଲା । ୧୮୫୮ ମସିହାରେ ଓଡ଼ିଶାରେ ସ୍ୱୀକୃତିପ୍ରାପ୍ତ ସ୍କୁଲ ସଂଖ୍ୟା ୩୦ ଥିବାବେଳେ ୧୮୭୦ବେଳକୁ ଏହା ୯୫କୁ ବୃଦ୍ଧି ପାଇଥିଲା । କେନ୍ଦ୍ରାପଡ଼ା, ଭଦ୍ରକ, ମାହାଙ୍ଗା ଓ ହରିହରପୁର ଭଳି ଅଞ୍ଚଳରେ ମଧ୍ୟ ଇଂରାଜୀ (M.E) ସ୍କୁଲ୍ ଖୋଲିଥିଲା । ନାରୀ ଶିକ୍ଷାଉପରେ ପ୍ରାଧାନ୍ୟ ଦିଆଗଲା ଓ ୧୯ଶ ଶତାବ୍ଦୀର ଶେଷ ଆଡ଼କୁ ଓଡ଼ିଶାରେ ନାରୀ ଶିକ୍ଷାର ବିକାଶ ହେଲା । ୧୮୭୧ମସିହାରେ କଟକଠାରେ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ପରେ ପରେ ବାଲେଶ୍ୱର ଓ ପୁରୀରେ ମଧ୍ୟ ବାଳିକା ସ୍କୁଲ୍ ମାନ ଖୋଲାଗଲା । ଉଡ୍ସ ଡେସପାଚ୍ (Wood’s Despatch) ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତରେ ଇଂରାଜୀ ଶିକ୍ଷାର ପ୍ରଚଳନ ଓ ନାରୀ ଶିକ୍ଷାର ବିକାଶ ।

ଏହି ସମୟରେ ଓଡ଼ିଆ ଜାତୀୟତାବାଦର ଉନ୍ମେଷ ଘଟିଥିଲା ଏବଂ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ନିଜସ୍ୱ ଉଦ୍ୟମରେ ବିଦ୍ୟାଳୟ ଗଠନ କରିଥିଲେ । ପ୍ରମୁଖ ବେସରକାରୀ ବିଦ୍ୟାଳୟ ସ୍ଥାନୀୟ ନେତୃତ୍ୱ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କଦ୍ୱାରା କେତେକ ପ୍ରସିଦ୍ଧ ବିଦ୍ୟାଳୟ ଗଠନ କରାଯାଇଥିଲା ଯେମିତିକି ପ୍ୟାରୀମୋହନ ଏକାଡେମୀ (କଟକ) ଏହା ୧୮୭୫ରେ ଏକ ME ସ୍କୁଲ ଭାବେ ଆରମ୍ଭ ହୋଇ ୧୮୭୯ରେ ହାଇସ୍କୁଲରେ ପରିଣତ ହୋଇଥିଲା । ଭିକ୍ଟୋରିଆ ହାଇସ୍କୁଲ୍ (କଟକ) ୧୮୮୮ ମସିହାରେ ସ୍ଥାପିତ ହୋଇଥିଲା । ସତ୍ୟବାଦୀ ବନ ବିଦ୍ୟାଳୟ (୧୨ ଅଗଷ୍ଟ ୧୯୦୯ ମସିହାରେ ପୁରୀ ନିକଟସ୍ଥ ସାକ୍ଷୀଗୋପାଳଠାରେ ପ୍ରତିଷ୍ଠିତ) ଓଡ଼ିଶାର ଶିକ୍ଷା ଓ ଜାତୀୟ ଜାଗରଣ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ତାଙ୍କର ଚାରିଜଣ ସହଯୋଗୀ- ଯେଉଁମାନେ ‘ପଞ୍ଚସଖା’ (ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ କୃପାସିନ୍ଧୁ ମିଶ୍ର) ଭାବେ ଜଣାଶୁଣା ଓ ସେମାନଙ୍କ ମିଳିତ ପ୍ରଚେଷ୍ଟାରେ ଏହି ଅନନ୍ୟ ବିଦ୍ୟାଳୟ ଗଢ଼ିଉଠିଥିଲା । ଇଂରେଜମାନଙ୍କ କିରାଣୀ ତିଆରି କରୁଥିବା ଶିକ୍ଷାବ୍ୟବସ୍ଥା ବିରୁଦ୍ଧରେ ଏହା ଥିଲା ଏକ ମୁକ୍ତ, ଜୀବନ-କେନ୍ଦ୍ରିକ ପ୍ରତିବାଦ । ସତ୍ୟବାଦୀ ବନ ବିଦ୍ୟାଳୟ କୌଣସି ଚାରିକାନ୍ଥର ବନ୍ଧନ ଭିତରେ ଆବଦ୍ଧ ନଥିଲା, ଏହା ଥିଲା ପ୍ରକୃତିର କୋଳରେ, ମୁକ୍ତ ପରିବେଶରେ । ଏଠାରେ ଶିକ୍ଷାର୍ଥୀମାନଙ୍କ ପାଇଁ କୌଣସି ପକ୍କା ଶ୍ରେଣୀଗୃହ ନଥିଲା । ଶିକ୍ଷାର୍ଥୀମାନେ ସାକ୍ଷୀଗୋପାଳର ଛାୟାସୁନିବିଡ଼ ବକୁଳ ଓ ଚମ୍ପା ବନରେ, ଗଛ ମୂଳେ ମାଟିରେ ଆସନ ପକାଇ ବସୁଥିଲେ ଏବଂ ପ୍ରକୃତି ସହ ସିଧାସଳଖ ଜଡ଼ିତହୋଇ ଶିକ୍ଷା ଗ୍ରହଣ କରୁଥିଲେ । ଏହା ଥିଲା ଏକ ଆବାସିକ ବିଦ୍ୟାଳୟ । ଏହାର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ପଞ୍ଚସଖାଙ୍କ ଭଳି ଉଚ୍ଚଶିକ୍ଷିତ ଏବଂ ମହାନ ମନୀଷୀମାନେ ନିଜେ ଶିକ୍ଷକ ସାଜି ଛାତ୍ରମାନଙ୍କ ସହ ସେହି ଆଶ୍ରମରେ ରହୁଥିଲେ, ଏକାଠି ସମୟ କାଟୁଥିଲେ ଏବଂ ସେମାନଙ୍କ ସୁଖ-ଦୁଃଖର ସାଥୀ ହେଉଥିଲେ । ସତ୍ୟବାଦୀର ପାଠ୍ୟକ୍ରମ କେବଳ ବହିର କେତେକ ପୃଷ୍ଠା ମଧ୍ୟରେ ସୀମିତ ନଥିଲା । ଏଠାରେ ମାନସିକ, ଶାରୀରିକ ଏବଂ ନୈତିକ ଶିକ୍ଷାର ସମନ୍ୱୟ ଥିଲା ଓ ସାହିତ୍ୟ, ଇତିହାସ, ଭୂଗୋଳ, ଗଣିତ ଏବଂ ଦର୍ଶନ ଶାସ୍ତ୍ର ଭଳି ବିଷୟଗୁଡ଼ିକୁ କେବଳ ଘୋଷିବା ପରିବର୍ତ୍ତେ ପିଲାଙ୍କ ମନରେ ସେଗୁଡ଼ିକର ବାସ୍ତବିକ ଧାରଣା ସୃଷ୍ଟି କରାଯାଉଥିଲା । ଓଡ଼ିଆ ଭାଷା ଓ ସଂସ୍କୃତିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିଲା । ଗୋପବନ୍ଧୁ ବିଶ୍ୱାସ କରୁଥିଲେ ଯେ ଶ୍ରମର ମୂଲ୍ୟ ବୁଝିବା ଜରୁରୀ । ତେଣୁ ପ୍ରତ୍ୟେକ ପିଲାଙ୍କ ପାଇଁ ହାତକାମ ଶିଖିବା ବାଧ୍ୟତାମୂଳକ ଥିଲା । ଏଥିରେ ବଗିଚା କାମ, କୃଷି, ସୂତାକଟା (ଖଦୀ), କାଠକାମ ଏବଂ ବୟନ ଶିଳ୍ପ ଆଦି ଅନ୍ତର୍ଭୁକ୍ତ ଥିଲା । ପିଲାମାନଙ୍କୁ ସୁସ୍ଥ ଓ ସବଳ ରଖିବାପାଇଁ ପ୍ରତିଦିନ ବ୍ୟାୟାମ, ପାରମ୍ପରିକ ଆଖଡ଼ା (କୁସ୍ତି), ଖେଳକୁଦ ଏବଂ ଦୀର୍ଘ ପଥ ପଦଯାତ୍ରା କରାଯାଉଥିଲା । ଯେତେବେଳେ ବି ଆଖପାଖ ଅଞ୍ଚଳରେ ବନ୍ୟା, ମରୁଡ଼ି କିମ୍ବା ହଇଜା ପରି ମହାମାରୀ ଦେଖା ଦେଉଥିଲା, ବିଦ୍ୟାଳୟ କିଛି ଦିନ ପାଇଁ ବନ୍ଦ ରହୁଥିଲା । ଶିକ୍ଷକମାନେ ଛାତ୍ରମାନଙ୍କୁ ସାଙ୍ଗରେ ନେଇ ଗାଁ ଗାଁ ବୁଲି ରିଲିଫ୍ ବାଣ୍ଟୁଥିଲେ ଏବଂ ରୋଗୀଙ୍କ ସେବା କରୁଥିଲେ । ସତ୍ୟବାଦୀ ବନ ବିଦ୍ୟାଳୟ କେବଳ ଏକ ବିଦ୍ୟାଳୟ ନଥିଲା, ଏହା ଥିଲା ମଣିଷଗଢ଼ା କାରଖାନା । ଏହା ଦେଖାଇ ଦେଇଥିଲା ଯେ ପ୍ରକୃତ ଶିକ୍ଷା ସେତିକିବେଳେ ସାର୍ଥକ ହୁଏ, ଯେତେବେଳେ ତାହା ମାଟି, ପ୍ରକୃତି ଏବଂ ସମାଜର କଲ୍ୟାଣ ସହ ଯୋଡ଼ିହୋଇ ରହେ । ୧୯୨୧ ମସିହା ସତ୍ୟବାଦୀ ବନ ବିଦ୍ୟାଳୟ ଇତିହାସରେ ଏକ ବିରାଟ ଏବଂ ସୁଦୂରପ୍ରସାରୀ ପରିବର୍ତ୍ତନ ଆଣିଥିଲା । ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ଏବଂ ୧୯୨୧ ମାର୍ଚ୍ଚରେ ଗାନ୍ଧିଜୀ ଓଡ଼ିଶା ଗସ୍ତ କଲେ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ପଞ୍ଚସଖା ନିଜକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନତା ସଂଗ୍ରାମରେ ଢାଳି ଦେଇଥିଲେ । ଅସହଯୋଗ ଆନ୍ଦୋଳନରେ ଯୋଗଦେବା ପରେ ବିଦ୍ୟାଳୟରେ ଯେଉଁସବୁ ମୁଖ୍ୟ ପରିବର୍ତ୍ତନ ଆସିଥିଲା, ତାହା ହେଲା- ‘ଜାତୀୟ ବିଦ୍ୟାଳୟ’ ଭାବେ ରୂପାନ୍ତର ଓ ୧୯୨୧ ପୂର୍ବରୁ ସତ୍ୟବାଦୀ ବନ ବିଦ୍ୟାଳୟ କଲିକତା ଓ ପାଟନା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିଲା ଏବଂ ସରକାରୀ ନିୟମ ଅନୁଯାୟୀ ମାଟ୍ରିକ୍ୟୁଲେସନ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରୁଥିଲା । ୧୯୨୧ରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଇଂରେଜ ସରକାରଙ୍କ ସମସ୍ତ ଅନୁଦାନ ଏବଂ ସ୍ୱୀକୃତିକୁ ପ୍ରତ୍ୟାଖ୍ୟାନ କଲେ । ସତ୍ୟବାଦୀକୁ ବନ ବିଦ୍ୟାଳୟକୁ ଏକ ସ୍ୱାଧୀନ ‘ଜାତୀୟ ବିଦ୍ୟାଳୟ’ ଭାବେ ଘୋଷଣା କରାଗଲା । ବ୍ରିଟିଶ୍ ଶିକ୍ଷା ପଦ୍ଧତିକୁ ସମ୍ପୂର୍ଣ୍ଣ ବାଦ୍ ଦିଆଗଲା । ଭାରତୀୟ ସଂସ୍କୃତି, ଦେଶର ପ୍ରକୃତ ଇତିହାସ, ସ୍ୱଦେଶୀ ସାହିତ୍ୟ ଏବଂ ଆତ୍ମନିର୍ଭରଶୀଳତାକୁ ନେଇ ଏକ ନୂଆ ସ୍ୱତନ୍ତ୍ର ପାଠ୍ୟକ୍ରମ ତିଆରି ହେଲା । ଗାନ୍ଧିଜୀଙ୍କ ଆହ୍ୱାନରେ ବ୍ରିଟିଶ୍ ସ୍କୁଲ ଓ କଲେଜ ବର୍ଜନ କରିଥିବା ହଜାର ହଜାର ଛାତ୍ରଙ୍କୁ ବିକଳ୍ପ ଏବଂ ଦେଶାତ୍ମବୋଧମୂଳକ ଶିକ୍ଷା ଦେବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ‘ଜାତୀୟ ବିଦ୍ୟାଳୟ’ ଏବଂ ଆଶ୍ରମମାନ ପ୍ରତିଷ୍ଠା କରାଯାଇଥିଲା । ଏହି ସବୁ ସ୍କୁଲ ସତ୍ୟବାଦୀର ଆଦର୍ଶ, ସ୍ୱଦେଶୀ ଚିନ୍ତାଧାରା ଏବଂ ଆତ୍ମନିର୍ଭରଶୀଳ ପାଠ୍ୟକ୍ରମକୁ ଆପଣେଇଥିଲେ । ସେଗୁଡ଼ିକ ମଧ୍ୟରେ ମୁଖ୍ୟ ଥିଲା କଟକ ଜାତୀୟ ବିଦ୍ୟାଳୟ (ନୂଆବଜାର) ଓ କଟକର ପ୍ରମୁଖ ଜାତୀୟତାବାଦୀ ନେତା ଅଟଳବିହାରୀ ଆଚାର୍ଯ୍ୟ, ମଧୁସୂଦନ ବିଶ୍ୱାଳ ଏବଂ ଦାମୋଦର ମହାନ୍ତିଙ୍କ ପ୍ରଚେଷ୍ଟାରେ ଏହି ବୃହତ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ସମ୍ବଲପୁର ଜାତୀୟ ବିଦ୍ୟାଳୟ, ସମ୍ବଲପୁର ଜିଲ୍ଲା ସ୍କୁଲରୁ ନୃସିଂହ ଗୁରୁଙ୍କ ଭଳି ଅନେକ ମେଧାବୀ ଛାତ୍ର ବ୍ରିଟିଶ୍ ଶିକ୍ଷା ବର୍ଜନ କରିବା ପରେ, ସେମାନଙ୍କ ପାଇଁ ତୁରନ୍ତ ଏକ ଜାତୀୟ ବିଦ୍ୟାଳୟ ଗଢ଼ାଯାଇଥିଲା । ସତ୍ୟବାଦୀର ଅନ୍ୟତମ ମୁଖ୍ୟ ପଞ୍ଚସଖା ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଗୋପବନ୍ଧୁ ସ୍ୱତନ୍ତ୍ର ଭାବେ ସମ୍ବଲପୁର ପଠାଇଥିଲେ । ସେ ସେଠାରେ ରହି ଏହି ଜାତୀୟ ବିଦ୍ୟାଳୟର ପରିଚାଳନା ଏବଂ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଜଗତସିଂହପୁର ଜାତୀୟ ବିଦ୍ୟାଳୟ ଓ ‘ଅଳକା ଆଶ୍ରମ’ ସେ ସମୟରେ ସଂଗ୍ରାମର ଏକ ବଡ଼ ଗଡ଼ ପାଲଟିଥିଲା । ଗୋପବନ୍ଧୁ ଚୌଧୁରୀ ଏବଂ ଅନ୍ୟ ନେତାମାନଙ୍କ ନେତୃତ୍ୱରେ ପ୍ରସିଦ୍ଧ ‘ଅଳକା ଆଶ୍ରମ’ ପ୍ରତିଷ୍ଠା ହୋଇଥିଲା, ଯାହା ଭିତରେ ଏକ ଜାତୀୟ ବିଦ୍ୟାଳୟ ମଧ୍ୟ ଚାଲୁଥିଲା । ଏଠାରେ ଛାତ୍ରମାନଙ୍କୁ ଦେଶସେବା, ଗ୍ରାମୀଣ ଅର୍ଥନୀତି, କୃଷି ଏବଂ ଖଦୀ ଉତ୍ପାଦନର ବ୍ୟାବହାରିକ ଶିକ୍ଷା ଦିଆଯାଉଥିଲା । କଟକର ସ୍ୱରାଜ ଆଶ୍ରମ ରାଜନୈତିକ ମୁଖ୍ୟାଳୟ ଥିବାବେଳେ, ରେଭେନ୍ସା କଲେଜ ଓ ସ୍ଥାନୀୟ ସ୍କୁଲ ଛାଡ଼ିଥିବା ପିଲାମାନଙ୍କୁ ନେଇ ‘ସ୍ୱରାଜ ସେବକ ସଂଘ’ ଗଠନ କରାଯାଇଥିଲା । ସେମାନଙ୍କ ପାଇଁ ଅନୌପଚାରିକ ତାଲିମ କେନ୍ଦ୍ର ଖୋଲାଯାଇ ଦେଶର ଇତିହାସ, ଜନସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ସେବା କାର୍ଯ୍ୟ ଶିଖାଯାଉଥିଲା । ଏହି ଜାତୀୟ ଶିକ୍ଷାର ସ୍ରୋତ ଓଡ଼ିଶାର ଉତ୍ତରରୁ ଦକ୍ଷିଣ ଏବଂ ସୀମାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା ଓ ସାରା ଓଡ଼ିଶାରେ ହଠାତ ଗଢ଼ିଉଠିଥିବା ଏହି ସବୁ ବିକଳ୍ପ ଜାତୀୟ ବିଦ୍ୟାଳୟଗୁଡ଼ିକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ କଟକରେ ‘ଉତ୍କଳ ସ୍ୱରାଜ ଶିକ୍ଷା ପରିଷଦ’ ଗଠନ କରାଯାଇଥିଲା । ଏହା ବ୍ରିଟିଶ୍ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ଏକ ସ୍ୱତନ୍ତ୍ର ଶିକ୍ଷାବୋର୍ଡ ଭାବେ କାମ କରୁଥିଲା, ଯାହା ସମସ୍ତ ଜାତୀୟ ବିଦ୍ୟାଳୟ ପାଇଁ ସମାନ ପାଠ୍ୟକ୍ରମ ପ୍ରସ୍ତୁତ କରୁଥିଲା ଏବଂ ପରୀକ୍ଷା ପରିଚାଳନା କରୁଥିଲା ।
୧୯୪୭ରେ ବ୍ରିଟିଶ୍ ଶାସନ ଶେଷହେବା ବେଳକୁ ଓଡ଼ିଶାରେ ଆନୁଷ୍ଠାନିକ ଭାବେ ୪୨ଟି ହାଇସ୍କୁଲ୍ ଏବଂ ୬୧ଟି ମଧ୍ୟ ଇଂରାଜୀ (ME) ସ୍କୁଲ୍ କାର୍ଯ୍ୟ କରୁଥିଲା, ଯାହା ଗ୍ରାମୀଣ ଓଡ଼ିଶାକୁ ଆଧୁନିକ ଶିକ୍ଷା ସହ ଯୋଡ଼ିବାରେ ସହାୟକ ହୋଇଥିଲା ।


     (ଶିବାଶିଷ ରାୟ, ସମଦୃଷ୍ଟି ପାକ୍ଷିକ ସମ୍ବାଦପତ୍ରିକାର ସହ ସମ୍ପାଦକ ଅଛନ୍ତି। ସେ ଡିଜିଟାଲ ସଂସ୍କରଣ ର ପ୍ରମୁଖ କାର୍ଯ୍ୟ ଗୁଡିକ ର ପରିଚାଳନା କରନ୍ତି।)


 

Total Views: 10

Comments

0 comments

Share This Article