ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ସମ୍ପର୍କରେ

ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (TE & SCERT) ଦ୍ୱାରା ୨୦୨୬-୨୭ ଶିକ୍ଷାବର୍ଷରେ ପ୍ରଚଳନ ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରଥମ ଶ୍ରେଣୀରୁ ଅଷ୍ଟମଶ୍ରେଣୀର ନୂତନ ପାଠ୍ୟପୁସ୍ତକଗୁଡ଼ିକ ଗତ କିଛିଦିନ ହେଲା ଚର୍ଚ୍ଚାର ବିଷୟ ହୋଇଛି । ଏହି ପୁସ୍ତକଗୁଡ଼ିକରେ ସହସ୍ରାଧିକ ତ୍ରୁଟି ଓଡ଼ିଶାର ଜନସାଧାରଣଙ୍କୁ ବିଚଳିତ କରିଦେଇଛି । କାରଣ ଏହା  ଅଭୂତପୂର୍ବ । ଏହା ଏକ ଷଡ଼ଯନ୍ତ୍ର ହୋଇପାରେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କହିଛନ୍ତି , ପ୍ରଶାସନିକ ତଦନ୍ତ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି  ଯାହାର ପରିଣତିରେ ନିର୍ଦ୍ଦେଶାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଥମେ ନିଲମ୍ବିତ୩ ଓ ପରେ ଗିରଫ ହୋଇଛନ୍ତି । କହିବା ବାହୁଲ୍ୟ, ସରକାର ସ୍ୱୟଂ ଏପରି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକର ପ୍ରକାଶନକୁ ଏକ ଅପରାଧ ବୋଲି ମନେ କରିଛନ୍ତି । ନିଶ୍ଚିତ ଭାବରେ ଏହା ଏକ ଅପରାଧ ଓ ଯେଉଁମାନେ ଏଥିପାଇଁ ଦାୟୀ ବୋଲି ପ୍ରମାଣିତ ହେବେ, ସେମାନଙ୍କୁ ଦଣ୍ଡିତ କରିବାର ଦାୟିତ୍ୱ ସରକାରଙ୍କର । କିନ୍ତୁ ପ୍ରଶ୍ନ ହେଉଛି ଯେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡିକର ହେବ କ’ଣ? ମୁଖ୍ୟମନ୍ତ୍ରୀ ମୋହନ ମାଝି ମହୋଦୟ ୨୫ଜୁନ୨୦୨୬ ଦିନ ଏକ ସାକ୍ଷାତକାରରେ ଏହି ତ୍ରୁଟିପୁର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ହେବ, ତ୍ରୁଟିମୁକ୍ତ ପୁସ୍ତକ ଯୋଗାଇ ଦିଆଯିବ ବୋଲି କହିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଏପରି ଆଶ୍ୱାସନାର ମାତ୍ର ଚାରିଦିନ ପରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହୁଥିବାର ସମ୍ବାଦ ପ୍ରକାଶ ପାଇଛି ଯେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ପ୍ରତ୍ୟାହାର ହେବ ନାହିଁ  ବରଂ ସଂଶୋଧିତ ଅଂଶଗୁଡିକ ବିଦ୍ୟାଳୟମାନଙ୍କୁ  ଉପଲବ୍ଧ କରାଯିବ ଓ ଶିକ୍ଷାର୍ଥୀମାନେ ଏହି ସଂଶୋଧିତ ଅଂଶ ସହ ପ୍ରଚଳନରେ ଅଣା ଯାଇଥିବା ପୁସ୍ତକ ସହ ପଢ଼ିବେ । ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କର ଏପରି ଦୁଇ ମନେ ହେଉଥିବା ପରସ୍ପରବିରୋଧୀ ମତ ମଧ୍ୟରେ ଏକ ସମନ୍ୱୟ ରକ୍ଷାକରି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ N Thirumala Naik ଗଣମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ରଖିଛନ୍ତି: “ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସମସ୍ତ ଶିକ୍ଷାର୍ଥୀଙ୍କୁ ତ୍ରୁଟିମୁକ୍ତ ନୂତନ ପାଠ୍ୟପୁସ୍ତକ ଉପଲବ୍ଧ କରାଇବେ । ଯେତେବେଳ ଯାଏ ସଂଶୋଧିତ ପାଠ୍ୟପୁସ୍ତକ ଉପଲବ୍ଧ ନ ହୋଇଛି ସେତେବେଳ ଯାଏ ସଂଶୋଧିତ ସୂଚନା ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ସହିତ ଶେୟାର କରାଯିବ ଯାହା ଦ୍ୱାରା ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ପ୍ରକ୍ରିୟା ନିର୍ବିଘ୍ନ ଚାଲିପାରିବ ।”

ଅବଶ୍ୟ Odisha School Education Programme Authority (OSEPA) e website: https://osepa.odisha.gov.in/?p=content&page=26ରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର  ସଂଶୋଧିତ ପୁସ୍ତକକୁ ସ୍ଥାନିତ କରାଯାଇଛି ଯେଉଁଗୁଡ଼ିକ ମଧ୍ୟରୁ ଅନେକ ପୁସ୍ତକର ପୃଷ୍ଠାମାନଙ୍କରେ ଊଜଇୠଞ ମୋହର ଲାଗିଛି । ଅର୍ଥାତ୍ ତ୍ରୁଟିମୁକ୍ତ  ପୁସ୍ତକର ଏଯାବତ୍ ମୁଦ୍ରଣ ହୋଇନାହିଁ, ଯାହା ଛାତ୍ର-ଛାତ୍ରୀଙ୍କୁ ଉପଲବ୍ଧ କରାଯାଇପାରିବ ।

 ଏପରି ଏକ ଗୋଳମାଳିଆ ଶିକ୍ଷା ପରିବେଶକୁ ଆମେ ଏଡାଇ ଦେଇପାରନ୍ତେ, ଲକ୍ଷ ଲକ୍ଷ ଶିକ୍ଷାର୍ଥୀଙ୍କ ସ୍ୱାର୍ଥରେ, ଯଦି ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଅନ୍ତେ ଓ ତ୍ରୁଟିମୁକ୍ତ  ପାଠ୍ୟପୁସ୍ତକ ଯାହା ଉପଲବ୍ଧ ହେବା ବିଳମ୍ବ ହେବ, ତାହାକୁ ଦୃଷ୍ଟିରେ ରଖି, ଯେଉଁ ପାଠ୍ୟପୁସ୍ତକଗୁଡ଼ିକ ପୂର୍ବବର୍ଷ ପଢ଼ା ହେଉଥିଲା, ତାହାକୁ ଚଳିତ ଶିକ୍ଷାବର୍ଷରେ  ପଢ଼ାନ୍ତେ । ଏହି ପୁସ୍ତକଗୁଡିକୁ ପ୍ରତ୍ୟାହାର କରିବା ପାଇଁ କର୍ତ୍ତୃପକ୍ଷ ଆଦୌ କୁଣ୍ଠିତ ହେବା ଉଚିତ ନୁହେଁ କାରଣ ଏହି ପୁସ୍ତକଗୁଡିକ “ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ କରଯାଇଛି” ବୋଲି SCERTର ନିର୍ଦ୍ଦେଶକ ମହୋଦୟ ଏହି ପୁସ୍ତକଗୁଡିକର ପ୍ରସ୍ତାବନାରେ ସୂଚାଇଛନ୍ତି, (ପୁସ୍ତକର ମଲାଟ ଭିତରେ ମଧ୍ୟ ଲେଖାଯାଇଛି ‘ପରୀକ୍ଷାମୂଳକ ସଂସ୍କରଣ’), ଓ ଏହି ପୁସ୍ତକଗୁଡିକରେ ଚିହ୍ନଟ ହୋଇଥିବା ସହସ୍ରାଧିକ ତ୍ରୁଟି ଓ ଏହା ବିରୋଧରେ ଶିକ୍ଷକ, ଅଭିଭାବକ ଓ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦର୍ଶାଉଛି ଯେ ପରୀକ୍ଷା ସଫଳ ହୋଇନାହିଁ । ଏହା ତ ଆଭିଧାନିକ ଅର୍ଥ ଯେ ‘ପରୀକ୍ଷାମୂଳକ ଭାବେ’ ପ୍ରସ୍ତୁତ କୌଣସି ବସ୍ତୁ ଯଦି ସେମାନଙ୍କ ଦ୍ୱାରା ଗ୍ରହଣୀୟ ହୁଏ ନାହିଁ ଯେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ, ସେତେବେଳେ ତାହାକୁ ପ୍ରତ୍ୟାହାର କରି ନିଆଯାଇଥାଏ । ଉତ୍ପାଦିତ ବସ୍ତୁରେ ତ୍ରୁଟି ପରିଲକ୍ଷିତ ହେଲେ ଏପରି ବସ୍ତୁକୁ ନଷ୍ଟ କରିବାର ଐତିହାସିକ ଉଦାହରଣ ଏହି ଓଡ଼ିଶା ମାଟିରେ ରହିଛି । ଯେପରି ଉକ୍ରଳ ଗୌରବ ମଧୁସୂଦନ ଦାସ ତାଙ୍କ ଜୋତା କାରଖାନାରୁ ତିଆରି ଜୋତାରେ ଯଦି ସାମାନ୍ୟ ତ୍ରୁଟି ଦେଖୁଥିଲେ ସେଗୁଡ଼ିକୁ ସେ ପୋଡ଼ି ଦେଉଥିଲେ । ଏହା ଓଡ଼ିଆ ସ୍ୱାଭିମାନର ଥିଲା ଅନନ୍ୟ ଅଭିବ୍ୟକ୍ତି । ସେ କହୁଥିଲେ, “ଯଦି ଗୋଟାଏ ଖରାପ ଜୋତା ବା ଚମଡ଼ା ବିଦେଶରେ କାହାରି ହାତରେ ପଡିବ, ସେ କହିବ ଓଡ଼ିଆମାନେ ଠକ । ମୋ ଜାତି ପାଇଁ ଏପରି ବଦନାମ ମୁଁ ଅର୍ଜନ କରିବାକୁ ଚାହେଁନା ।” ମଧୁବାବୁଙ୍କ ଜୀବନୀକାର ନବକିଶୋର ଦାସ ଲେଖନ୍ତି, “ଉକôଳ ଟ୍ୟାନେରୀରେ କ୍ଷତି ହେବାର ଏହା ହେଲା ପ୍ରଧାନ କାରଣ ।” ତେଣୁ ଓଡିଆ ଅସ୍ମିତାର ଦୁହାଇ ଦେଉଥିବା ସରକାର କଦାପି ଚାହିଁବେ ନାହିଁ ଶୁଣିବାକୁ ଭବିଷ୍ୟତ ବଂଶଧରର ଅଭିଯୋଗ ଯେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଯୋଗାଇ ସେମାନଙ୍କୁ  ଠକି ଦିଆଯାଇଛି । ଅପରପକ୍ଷରେ ଏହି ପୁସ୍ତକଗୁଡିକୁ ଫେରାଇନେଲେ ସରକାର ଯେ ସମ୍ବେଦନଶୀଳ ସାଧାରଣ ବର୍ଗର ଶିକ୍ଷାର୍ଥୀଙ୍କ ପ୍ରତି ତାହା ପ୍ରମାଣିତ ହେବ । ବରଂ ସାଧାରଣ ଲୋକଙ୍କ ମଧ୍ୟରେ ଏ ଧାରଣା ଜନ୍ମିବ, ଯେ ସରକାର ଏହି ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡିକର ମୁଦ୍ରଣରେ ହୋଇଥିବା ଅର୍ଥର ଲୋକସାନକୁ ଖାତିର ନକରି, ନୂତନ ତ୍ରୁଟିମୁକ୍ତ ପୁସ୍ତକ ନିଶ୍ଚୟ ପ୍ରକାଶ କରିବାକୁ ଯାଉଛନ୍ତି ।

ଏହା ଉଲ୍ଲେଖ କରିବା ଉଚିତ ହେବ ଯେ SCERT ନିର୍ଦ୍ଦେଶକ ମହୋଦୟ ସ୍ୱୀକାର କରିଛନ୍ତି ପୁସ୍ତକଗୁଡ଼ିକର ପ୍ରସ୍ତାବନାରେ ଯେ “ଖୁବ କମ୍ ସମୟ ମଧ୍ୟରେ ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ପାଠ୍ୟପୁସ୍ତକ ଗୁଡିକ ପ୍ରସ୍ତୁତ କରଯାଇଛି” । ଏବଂ ଏହି ପାଠ୍ୟପୁସ୍ତକଗୁଡିକ ଯେ କେନ୍ଦ୍ରୀୟ ସଂସ୍ଥା ଘଉଋଜଞ ଦ୍ୱାରା ପ୍ରସ୍ତୁତ ପାଠ୍ୟପୁସ୍ତକର ଅନୁବାଦ, ତାହା ମଧ୍ୟ ଜଣାଯାଏ ଯେତେବେଳେ ନିଦେ୍ର୍ଦଶକ ମହୋଦୟ ଲେଖନ୍ତି, “ନୂତନ ପାଠ୍ୟପୁସ୍ତକ ଗୁଡିକୁ ପ୍ରସ୍ତୁତ କରିଥିବା ଏନସିଇଆରଟି, ନୂଆଦିଲ୍ଲୀର ସମସ୍ତ ଶିକ୍ଷାବିତ୍ ଙ୍କୁ  ମୁଁ ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି । ଏଥିସହିତ ଆମ ରାଜ୍ୟରେ ପାଠ୍ୟପୁସ୍ତକଗୁଡ଼ିକୁ ଅନୁବାଦ ଓ ପ୍ରାସଙ୍ଗିକ କରିଥିବା ଶିକ୍ଷାବିତ୍, ବିଷୟ ବିଶେଷଜ୍ଞ, ଚିତ୍ରକର ଓ ଭାଷାବିତମାନଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି ।” ତେଣୁ ଅନୁବାଦର ଭାଷା, ପ୍ରସଙ୍ଗର ସଠିକତା, ତଥ୍ୟର ସଠିକତା, ଓ ଏଗୁଡ଼ିକର ଉପସ୍ଥାପନାକୁ ପରୀକ୍ଷା କରିବାପାଇଁ ସମୟ ଯେ ଯଥେଷ୍ଟ ହୋଇ ନାହିଁ ଏହା ପ୍ରକାରାନ୍ତରେ ନିର୍ଦ୍ଦେଶକ ମହୋଦୟ ସ୍ୱୀକାର କରିଛନ୍ତି ଯାହାର ପରିଣତି ହୋଇଛି ତ୍ରୁଟିପୂର୍ଣ୍ଣ ପୁସ୍ତକ । ନିର୍ଦ୍ଦେଶକ  ମହୋଦୟ, ପୁସ୍ତକ ଗୁଡିକର ପ୍ରସ୍ତାବନାରେ, ସୂଚନା ଦିଅନ୍ତି ଯେ “ଏନ୍ସିଏଫ୍-ଏଫ୍ଏସ୍ ୨୦୨୨ ଓ ଏନ୍ସିଏଫ୍-ଏସ୍ଇ ୨୦୨୩କୁ ଭିତ୍ତିକରି ଆମ ରାଜ୍ୟରେ ବିଦ୍ୟାଳୟ ଶିକ୍ଷା ପାଇଁ ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ ପ୍ରସ୍ତୁତ କରଯାଇଛି ।” କିନ୍ତୁ ଉପରୋକ୍ତ ସ୍ୱୀକାରୋକ୍ତି ଦର୍ଶାଏ ଯେ ଏହା ହୋଇନାହିଁ କାରଣ ପାଠ୍ୟପୁସ୍ତକ ପ୍ରସ୍ତୁତି ସମ୍ପର୍କରେ ଏନ୍ସିଏଫ୍-ଏଫ୍ଏସ୍ ୨୦୨୨ କୁହାଯାଇଛି,  “ଗୋଟିଏ ପାଠ୍ୟପୁସ୍ତକର ପ୍ରସ୍ତୁତି ଆବଶ୍ୟକ କରେ ଯଥେଷ୍ଟ ସମୟ (sufficient time), ନିୟମିତ ସହକର୍ମୀ ସମୀକ୍ଷା(peer review) ଓ ବିଶେଷଜ୍ଞ ସମୀକ୍ଷା (panel review) ।.. ଏହି ସମୀକ୍ଷା ପ୍ରକ୍ରିୟା ଅଧ୍ୟାୟଭିତ୍ତିକ ହେବା  ଉଚିତ ଓ ଏହା ପରେ ସମ୍ପୂର୍ଣ୍ଣ ପୁସ୍ତକର ହେବା ଉଚିତ । ପୁସ୍ତକର ନିର୍ଭୁଲ ପ୍ରୁଫ ପାଠ (Meticulous proof reading) ନିହାତି ଆବଶ୍ୟକ କାରଣ ଏହା ପୁସ୍ତକର ଗୁଣବତ୍ତାକୁ ବୃଦ୍ଧି କରିଥାଏ ।… ପରୀକ୍ଷାମୂଳକ ଭାବେ ଏହି ପାଠ୍ୟପୁସ୍ତକ ଗୁଡିକୁ ଚଳାଇବା ପାଇଁ (pilot run of  the textbooks) କେତୋଟି ନିର୍ଦ୍ଦିଷ୍ଟ ବିଦ୍ୟାଳୟ ଚିହ୍ନଟ କରାଯିବା ଉଚିତ । ଏପରି ଚାଲୁଥିବା ସମୟରେ ଲେଖକମାନେ ଏହି ବିଦ୍ୟାଳୟଗୁଡ଼ିକୁ ଯିବା ଉଚିତ, ଏବଂ ଶ୍ରେଣୀ ପରିଦର୍ଶନ, ଶିକ୍ଷକ, ଛାତ୍ର, ଅଭିଭାବକଙ୍କ ସହ ଆଲୋଚନା ତଥା ପୁସ୍ତକ ସମ୍ପର୍କରେ ସେମାନଙ୍କର ମତାମତ ସଂଗ୍ରହ କରିବାର ଏକ ସମୟ ସୂଚୀ ପ୍ରସ୍ତୁତ କରିବା ଉଚିତ ।”

ତେଣୁ ଆମ ରାଜ୍ୟରେ ‘ଖୁବ କମ୍ ସମୟ ମଧ୍ୟରେ’ ବା ତରବରିଆ ଭାବରେ ପୁସ୍ତକ ପ୍ରସ୍ତୁତିର କାରଣ କ’ଣ ହୋଇପାରେ? ଆମ ରାଜ୍ୟରେ, ୨୦୨୪ରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିବା ପରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାରଙ୍କ ଦ୍ୱାରା ଜାରି ହୋଇଥିବା NEP ୨୦୨୦କୁ କାର୍ଯ୍ୟକାରୀ କରିବାରେ ଆଉ ବିଳମ୍ବ ନ କରିବା ପାଇଁ ଚାପ ହୋଇପାରେ କି? କାରଣ, ଯେପରି SCERT   ନିର୍ଦ୍ଦେଶକ , ପୁସ୍ତକ ଗୁଡିକର ପ୍ରସ୍ତାବନାରେ, ସୂଚନା ଦିଅନ୍ତି ଯେ “ଏନ୍ସିଏଫ୍-ଏଫ୍ଏସ୍ ୨୦୨୨ ଓ ଏନ୍ସିଏଫ୍-ଏସ୍ଇ ୨୦୨୩କୁ ଭିତ୍ତି କରି ଆମ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାପାଇଁ ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ ପ୍ରସ୍ତୁତ କରଯାଇଛି ।” ଉଲ୍ଲେଖଯୋଗ୍ୟ ଯେ ଏନ୍ସିଏଫ୍-ଏଫ୍ଏସ୍ ୨୦୨୨ ଆଧାରରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀପାଇଁ ପାଠ୍ୟପୁସ୍ତକ NCERT ୨୦୨୩ରେ ପ୍ରକାଶ କରିଥିଲେ ଓ ଏନ୍ସିଏଫ୍-ଏସ୍ଇ ୨୦୨୩ ଆଧାରରେ ତୃତୀୟ ଶ୍ରେଣୀରୁ ଅଷ୍ଟମଶ୍ରେଣୀ ଯାଏ ପାଠ୍ୟପୁସ୍ତକ ମଧ୍ୟରୁ କେତୋଟି ୨୦୨୪ରେ ଓ କେତୋଟି ୨୦୨୫ରେ ପ୍ରକାଶ କରିଥିଲେ ।  କିନ୍ତୁ ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ ଆଧାରରେ ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀଯାଏ ସବୁ ପାଠ୍ୟପୁସ୍ତକ ଏକକାଳୀନ ପ୍ରକାଶ ପାଇଛି ୨୦୨୬ ମସିହାରେ, ଓ ଏଗୁଡିକ ମୁଖ୍ୟତଃNCERT  ଦ୍ୱାରା ପ୍ରସ୍ତୁତ ଉପରୋକ୍ତ ପୁସ୍ତକଗୁଡ଼ିକର ପ୍ରାୟ ଅନୁବାଦ । ପୂର୍ବେ ମଧ୍ୟ NCERT ଦ୍ୱାରା ବିଭିନ୍ନ ସମୟରେ ପ୍ରସ୍ତୁତ National Curriculum Frame Workକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରସ୍ତୁତ ହେଉଥିଲା, ଅବିକଳ ଅନୁବାଦ ହେଉ ନଥିଲା, ସ୍ଥାନୀୟ ବିଶେଷଜ୍ଞଙ୍କ ସାହାଯ୍ୟରେ ଏଗୁଡ଼ିକ ପ୍ରସ୍ତୁତ ହେଉଥିଲା । ତେଣୁ ଅନୁବାଦଜନିତ ଭାଷାଗତ ତ୍ରୁଟି ବ୍ୟତିରେକେ ତଥ୍ୟଗତ, ପ୍ରସଙ୍ଗଗତ ଓ ଉପସ୍ଥାପନଗତ ଯେଉଁସବୁ ତ୍ରୁଟି ପରିଲକ୍ଷିତ ହେଉଛି, ତାହା ବାଧ୍ୟ କରୁଛି ମୂଳ NCERT  ପ୍ରକାଶିତ ପୁସ୍ତକ ଗୁଡିକୁ ଯାଞ୍ଚ କରିବା ପାଇଁ, ତ୍ରୁଟି ମୂଳ ପୁସ୍ତକରୁ ଆସି ନାହିଁ ତ! ଯଦି ଏହା ହୋଇଥାଏ ତାହାହେଲେ ଯେଉଁ ଲେଖକମାନେ ଅନୁବାଦ କରୁଥିଲେ ସେମାନେ ଏହି ତ୍ରୁଟିଗୁଡିକ ପ୍ରତି  NCERT ର ଦୃଷ୍ଟି ଆକର୍ଷଣ କରିବା କଥା, ଓ NCERT  ପୁସ୍ତକଗୁଡିକ ମଧ୍ୟ ତ୍ରୁଟିମୁକ୍ତ ହେବା ଉଚିତ ।

ଏହି ପୁସ୍ତକଗୁଋିକର ପ୍ରସ୍ତାବନାରେ NEP  ୨୦୨୦ର ବାରମ୍ବାର ଉଲ୍ଲେଖ ହୋଇଛି । ତେବେ ଦେଖିବା NEP ୨୦୨୦ରେ ପାଠ୍ୟପୁସ୍ତକ ଓ ଏହାର ପ୍ରସ୍ତୁତିରେ NCERT ଏବଂ SCERT ଭୂମିକା ବିଷୟରେ କ’ଣ କୁହାଯାଇଛି । NEP ୨୦୨୦ର ଅନୁଛେଦ ୪.୩୨ରେ କୁହାଯାଇଛି, “ରାଜ୍ୟ ଗୁଡିକ ସେମାନଙ୍କର ନିଜସ୍ୱ ପାଠ୍ୟକ୍ରମ ନିଜେ ପ୍ରସ୍ତୁତ କରିବେ (ଯାହା ଯଥା ସମ୍ଭବ NCERT ଦ୍ୱାରା ପ୍ରସ୍ତୁତ NCFSE ଆଧାରିତ ହେବ), ଯେଉଁଥିରେ ରହିବ ରାଜ୍ୟର ସ୍ୱାଦ(flavour) ଏବଂ ଆବଶ୍ୟକ ଅନୁସାରେ ସାମଗ୍ରୀ(material needed) । ଏହା ମନେ ରଖିବାକୁ ହେବ ଯେ NCERT  ପାଠ୍ୟକ୍ରମ ହେଉଛି ଜାତୀୟ ସ୍ତରରେ ଗ୍ରହଣୀୟ ମାନଦଣ୍ଡ (criterion) ।” ତେବେ ଘଉଋଜଞର ଏପରି ଭୂମିକା NEP ୨୦୨୦ରେ ରେଖାଙ୍କିତ ହେବାର ବହୁପୂର୍ବରୁ କୋଠାରୀ କମିଶନ ରିପୋର୍ଟ(୧୯୬୪-୬୬ )ରେ ମଧ୍ୟ NCERTର ଏହି ଭୂମିକା ଗୁରୁତ୍ୱ ପାଇଥିଲା । କୋଠାରୀ କମିଶନର ସଦସ୍ୟ- ସଚିବ J P  Naik କମିଶନର ସୁପାରିଶଗୁଡିକର ସାରାଂଶ ପୁସ୍ତିକାରେ ଉଲ୍ଲେଖ କରନ୍ତି, “NCERT ଜାତୀୟସ୍ତରରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଛି । ରାଜ୍ୟ ସରକାରମାନେ ଏହି କାର୍ଯ୍ୟକ୍ରମର ସୁଯୋଗ ସମ୍ପୂର୍ଣ୍ଣ ଭାବରେ ନେବା ଉଚିତ ସେମାନଙ୍କର ପାଠ୍ୟପୁସ୍ତକ ଗୁଡିକର ଗୁଣାତ୍ମକମାନର ଅଭିବୃଦ୍ଧି ପାଇଁ, ଏବଂ ଏହାକୁ ସେମାନଙ୍କ ଅଞ୍ଚଳରେ ବ୍ୟବହାର ପାଇଁ ଗ୍ରହଣ କରିବା ଉଚିତ ଅବଶ୍ୟ ଆବଶ୍ୟକୀୟ ପରିବର୍ତ୍ତନ ସହ ।” ପାଠ୍ୟପୁସ୍ତକ ପ୍ରଣୟନରେ କେନ୍ଦ୍ରୀୟ ସଂସ୍ଥା ଘଉଋଜଞ ଉପରେ ନିର୍ଭରଶୀଳତା ପଛରେ କାରଣ ହେଉଛି ଯେ ସାରାଦେଶରୁ ଅତ୍ୟନ୍ତ ଯୋଗ୍ୟ ଓ ଦକ୍ଷ ଲେଖକ, ବିଶେଷଜ୍ଞକୁ ଏକତ୍ରିତ କରି ସେମାନଙ୍କ ହାତରେ ପାଠ୍ୟପୁସ୍ତକର ରଚନା ଦାୟିତ୍ୱ ନ୍ୟସ୍ତ କରାଯାଇ ପାରିବାର ସମ୍ଭାବନା । ଯେପରି କୋଠାରୀ କମିଶନ ରିପୋର୍ଟରେ କୁହାଯାଇଛି,“ଏହା ଆବଶ୍ୟକ ଯେ ବିଦ୍ୟାଳୟ ସ୍ତରରେ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପାଠ୍ୟପୁସ୍ତକ ଓ ଅନ୍ୟ ଦରକାରୀ ସାହିତ୍ୟ ପ୍ରସ୍ତୁତ କରିବା ପାଇଁ ସାରା ଦେଶରେ ଉପଲବ୍ଧ ଉଚ୍ଚକୋଟିର ବୁଦ୍ଧିସମ୍ପନ୍ନ ବ୍ୟକ୍ତିମାନଙ୍କୁ ଏକାଠି କରାଯିବା ଉଚିତ । ଏହା କେବଳ ହୋଇପାରିବ ସେହି ସଂସ୍ଥାମାନଙ୍କ ଦ୍ୱାରା ଯାହାର ସ୍ଥାପନା ଭାରତ ସରକାରଙ୍କ ଦ୍ୱାରା ହୋଇଛି ।” ଜାତୀୟ ସ୍ତରରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ପ୍ରସ୍ତୁତ ପୁସ୍ତକ ରାଜ୍ୟସ୍ତରରେ ପ୍ରସ୍ତୁତ ପୁସ୍ତକଠାରୁ କେବଳ ମାନରେ ଉନ୍ନତତର ହେବ ନାହିଁ, ଜାତୀୟ ସଂହତିକୁ ଶକ୍ତିଶାଳୀ କରିବାର ଏକ ଅନନ୍ୟ ମାଧ୍ୟମ ହେବ -ଏହି ଧରଣା ମଧ୍ୟ ଗୁରୁତ୍ୱ ପାଇଛି । ତେବେ ଏହି ଧାରଣାର ସଫଳତା ନିର୍ଭର କରେ କେନ୍ଦ୍ରୀୟ ପ୍ରତିଷ୍ଠାନଟି କେତେ ନିରପେକ୍ଷତାର ସହ ବିଦ୍ୱାନ ଲେଖକ-ବିଶେଷଜ୍ଞମାନଙ୍କର ଚୟନ କରୁଛି ।

ପୁସ୍ତକ ପ୍ରତ୍ୟାହାର ସମ୍ପର୍କରେ ଏହା ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ଏହି ଶିକ୍ଷାବର୍ଷରେ NCERT ତା ଦ୍ୱାରା ପ୍ରସ୍ତୁତ ଅଷ୍ଟମଶ୍ରେଣୀ ସମାଜ ବିଜ୍ଞାନ ପୁସ୍ତକକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରତ୍ୟାହାର କରିଛି ଓ ସଂଶୋଧିତ ପୁସ୍ତକ ଇତ୍ୟବସରରେ ପ୍ରକାଶ କରିଛି । ନ୍ୟାୟପାଳିକାରେ ଦୁର୍ନୀତି ପ୍ରସଙ୍ଗକୁ ସମାଜବିଜ୍ଞାନ ପୁସ୍ତକରେ ଯେପରି ଉପସ୍ଥାପନା କରାଯାଇଥିଲା, ତାହାକୁ ମାନ୍ୟବର ସୁପ୍ରିମକୋର୍ଟ ନାପସନ୍ଦ କରିଥିଲେ ଓ ଏତଦ୍ୱାରା ଅଦାଲତ ଅବମାନନା ହେଉଛି ବୋଲି ମନ୍ତବ୍ୟ ଦେଇ ଉପରୋକ୍ତ  ପ୍ରତ୍ୟାହାର ନିର୍ଦ୍ଦେଶ  ଦେଇଥିଲେ ଯାହା NCERT କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା ସହ ପାଳନ କଲେ ଓ ନୂତନ ସଂଶୋଧିତ ପୁସ୍ତକ ପ୍ରକାଶ କରିଲେ । କେବଳ ଏତିକି ନୁହେଁ, ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଏହି ପୁସ୍ତକ ସହ ସମ୍ପୃକ୍ତ ତିନିଜଣ ବିଶେଷଜ୍ଞ ଲେଖକ, Professor Michel Danino, Suparna Diwakar ଏବଂ Alok Prasanna Kumarଙ୍କ ଉପରେ ନିଷେଧାଜ୍ଞା ଜାରି କରିଲେ, ଅବଶ୍ୟ ଏହାକୁ ପରେ ଉଠାଇ ନେଇଥିଲେ ।

ଯଦିଓ ଇତ୍ୟବସରରେ NCERT ସଂଶୋଧିତ ପୁସ୍ତକ ପ୍ରକାଶ  କରିଛନ୍ତି, ଏହା କିନ୍ତୁ SCERT  ଦ୍ୱାରା ପ୍ରସ୍ତୁତ ଅଷ୍ଟମଶ୍ରେଣୀ ସମାଜବିଜ୍ଞାନ ପୁସ୍ତକ,  ସମାଜ ବିଜ୍ଞାନ ଅଧ୍ୟୟନ: ଭାରତ ଓ ଆମ ପୃଥିବୀରେ ସ୍ଥାନିତ ହୋଇନାହିଁ ।  ଯେପରି ଆମେ ଦେଖୁଛୁ OSEPA websiteରେ ଦିଆଯାଇଥିବା ଏହି ପୁସ୍ତକର ପ୍ରତ୍ୟେକ ପୃଷ୍ଠାରେ DRAFT ବୋଲି ମୋହର ମରାଯାଇଛି, ଅର୍ଥାତ୍ ଏହା ଚୂଡ଼ାନ୍ତ ନୁହେଁ । ଉପରନ୍ତୁ ନ୍ୟାୟପାଳିକା ଉପରେ କୌଣସି ଅଧ୍ୟାୟ ଏହି ପୁସ୍ତକରେ ନାହିଁ, ଯଦିଓ, ଭାରତର ସଂସଦୀୟ ବ୍ୟବସ୍ଥା: ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା (ଷଷ୍ଠ)ଅଧ୍ୟାୟରେ  ନ୍ୟାୟପାଳିକା ସମ୍ପର୍କରେ ସାମାନ୍ୟ କିଛି ସୂଚନା ନ୍ୟାୟପାଳିକା-ନିୟନ୍ତ୍ରଣ ଓ ସନ୍ତୁଳନର ଭୂମିକା ଶିରୋନାମାରେ ଦିଆଯାଇ, ପୃ ୧୬୧ରେ ଉଲ୍ଲେଖ ହୋଇଛି ଯେ “ଆମେ ନ୍ୟାୟପାଳିକା ସମ୍ବନ୍ଧରେ ପରବର୍ତ୍ତୀ ଅଧ୍ୟାୟରେ ବିସ୍ତୃତ ଭାବେ ଜାଣିବା ।” ତେବେ ଯାହା ଜଣାଯାଏ ଯେ NCERT ସମାଜବିଜ୍ଞାନ ପୁସ୍ତକ ଦୁଇ ଖଣ୍ଡରେ ପ୍ରକାଶ କରିଛି, ଯାହାର ଦ୍ୱିତୀୟ ଖଣ୍ଡରେ ନ୍ୟାୟପାଳିକା ସମ୍ପର୍କରେ ଏକ ଅଧ୍ୟାୟ ରହିଛି, କିନ୍ତୁ SCERT ଦ୍ୱାରା ସେପରି କୌଣସି ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇଥିବା OSEPA websiteରୁ ଜଣାଯାଏ ନାହିଁ ।

କହିବା ବାହୁଲ୍ୟ, SCERT ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମଶ୍ରେଣୀ ପାଠ୍ୟପୁସ୍ତକ ବହୁ ବିଭ୍ରାନ୍ତିର କାରଣ  ହୋଇଛି । ତେଣୁ ଏହାକୁ ପ୍ରତ୍ୟାହାର କରିନେବା ଓ ଏହା ସ୍ଥାନରେ ପୂର୍ବବର୍ଷ ପଢ଼ା ଯାଉଥିବା ପୁସ୍ତକ ପଢ଼ାଇବା ପାଇଁ କୌଣସି କୁଣ୍ଠା ରହିବା ଉଚିତ ନୁହେଁ । ବରଂ ନିଃସଙ୍କୋଚ ଏହି ବିଭ୍ରାନ୍ତକାରୀ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରିନେବା, ଉକôଳ ଗୌରବ ମଧୁସୂଦନ ଦାସଙ୍କର ଦାୟାଦ ଭାବେ, ଓଡ଼ିଆ ଅସ୍ମିତାର ଅଭିବ୍ୟକ୍ତି ହେବ ।

ବ୍ୟବହୃତ ଉପାଦାନ ସୂଚୀ

  1. 1,600 textbook errors in Odisha possible conspiracy, guilty to be punished: CM Majhi, Ashok Pradhan Jun 25, 2026 , Times of India, http://timesofindia.indiatimes.com/articleshow/131998744.cms? utm_source = contentofinterest & utm_medium= text&utm_campaign=cppst
  2. Odisha CM orders crime branch probe into textbook errors, Ashok Pradhan / Jul 11, 2026, Times of India, https://timesofindia. indiatimes.com/city/bhubaneswar/odisha-cm-orders-crime-branch-probe-into-textbook-errors/articleshow/132332199.cms
  3. Textbook blunders: Odisha suspends 4 officials, initiates disciplinary action against 6 ,Ashok Pradhan,Jun 26, 2026, Times of India, https://timesofindia.indiatimes.com/city/bhubaneswar/textbook-blunders-odisha-suspends-4-officials-initiates-disciplinary-action-against-6/articleshow/132017683.cms
  4. Odisha crime branch arrests ex-SCERT director in textbook error case, Debabrata Mohapatra / Jul 14, 2026, Times of India, https://timesofindia.indiatimes.com/city/bhubaneswar/odisha-crime-branch-arrests-ex-scert-director-in-textbook-error-case/articleshow/132396028.cms
  5. Odisha Minister Rules Out Withdrawal of Erroneous Textbooks, Rectified Copies to Reach Schools, by Itishree Sethy, June 29, 2026, https://pragativadi.com/odisha-minister-rules-out-withdrawal-of-erroneous-textbooks-rectified-copies-to-reach-schools/
  6. Experts to be consulted before textbook finalisation: Odisha School and Mass Education (SME) secretary, Express News Service,Updated on: 02 Jul 2026, https://www.newindianexpress.com/states/odisha/2026/Jul/02/experts-to-be-consulted-before-textbook-finalisation-odisha-school-and-mass-education-sme-secretary
  7. CKôk ùMøea c]êiì\^, ^aKòùgûe \ûi, _âKûgK : CKôk aògßaò\ýûkd, 1951, _é 76
  8. National Curriculum Framework for Foundational Stage, 2022, National Steering Committee for National Curriculum Frameworks, p. 163
  9. Main Recommendations of the Report of Education Commission: A Summary by J P Naik, National Council of Educational Research and Training, July 1969 , , para 47, p.20
  10. Education And National Development, Report of the Education Commission, 1964-66, Vol.2, School Education, National Council of Educational Research and Training, 1966, para 9.19, pp 406-7
  11. India’s top court bans textbook for referring to judicial corruption, 26 February 2026, Abhishek Dey, https://www.bbc.com/news/articles/c627l7zexr8o
  12. “Judiciary” chapter row: NCERT authors blacklisted by SC,Namrata Banerjee ö 11th Mar 2026 https://www.scobserver.in/journal/judiciary-chapter-row-ncert-authors-blacklisted-by-sc/
  13. SC lifts life ban on 3 professors in NCERT textbook row, Dhanjay Mahapatra, TNN, May, 23,2026, https://timesofindia.indiatimes.com/india/sc-lifts-life-ban-on-3-professors-in-ncert-textbook-row/articleshow/131268040.cms

Comments

0 comments

Share This Article