ଆଣବିକ ଶକ୍ତିର ଭଲ ଓ ମନ୍ଦଦିଗଗୁଡ଼ିକ ସମ୍ପର୍କରେ ଯେଉଁ ଯୁକ୍ତି ଉପସ୍ଥାପନ କରାଯାଇଛି, ତାହା ଉପରେ ସେହି ସବୁ ଯୁକ୍ତିର ସମୀକ୍ଷା ଜାରି ରଖିଥିଲେ ଡଃ ପରମେଶ୍ୱରନ୍ । ଡଃ ଏମ୍.ପି.ପରମେଶ୍ୱରନ୍ ୧୯୬୫ ମସିହାରେ ମସ୍କୋରୁ ଆଣବିକ ଇଞ୍ଜିନିୟରିଂରେ ପି.ଏଚ୍ଡି. କରିଥିଲେ । ସେ ଭାରତର ଆଣବିକ ଶକ୍ତି ତାଲିମ ବିଦ୍ୟାଳୟ-୧୯୫୭ର ପ୍ରଥମ ବ୍ୟାଚ୍ ର ବୈଜ୍ଞାନିକ । ‘ଆଣବିକ ଶକ୍ତି ମଣିଷ ସମାଜପାଇଁ ବାଞ୍ଛନିୟ ନୁହେଁ’ ହୃଦ୍ ବୋଧ ହେଲା ପରେ ସେ ୧୯୭୫ମସିହାରେ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରରୁ ଇସ୍ତଫା ଦେଇଥିଲେ । ସେହିଦିନ ଠାରୁ ସେ ଶକ୍ତି କ୍ଷେତ୍ରରେ ଏବଂ ବିଜ୍ଞାନକୁ ଜନପ୍ରିୟ କରିବା ପାଇଁ ଅନବରତ କାମ କରିଆସିଥିଲେ । ଏହି ଲେଖାଟିକୁ ସେ ପୂର୍ବରୁ ‘ସମଦୃଷ୍ଟି’ରେ ପ୍ରକାଶନ ପାଇଁ ସମ୍ପାଦକଙ୍କୁ ତାଙ୍କର ଓଡ଼ିଶା ଗସ୍ତବେଳେ ଦେଇଥିଲେ । ଅନୁବାଦରେ ବିଳମ୍ବ ହେବା ହେତୁ ଲେଖାଟି ପ୍ରକାଶ କରିବାରେ ଆମର ବିଳମ୍ବ ହୋଇଥିଲା । ଏହା ଧାରାବାହିକ ଭାବେ ୧୬-୩୧ ଜୁଲାଇ ରୁ ୧୬ ରୁ ୩୧ ଅଗଷ୍ଟ ୨୦୧୨ ମଧ୍ୟରେ ସମଦୃଷ୍ଟି ରେ ପ୍ରକାଶ ପାଇଥିଲା I ତାଙ୍କର ଆବର୍ତ୍ତମାନରେ ଆମେ ଏହି ଲେଖାଟିକୁ ତାଙ୍କୁ ସ୍ମରଣକରି ଏଠାରେ ପ୍ରକାଶ କରୁଛୁ – ସମଦୃଷ୍ଟି

ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଏ.ପି.ଜେ. ଅବଦୁଲ୍ କାଲାମ ଶ୍ରୀଜନ୍ ପାଲ୍ ସିଂ ନାମକ ଜଣେ ପରିଚାଳନା ବିଶାରଦ (ମ୍ୟାନେଜମେଣ୍ଟ ଏକ୍ସପର୍ଟ)ଙ୍କ ସହ ମିଶି ଭାରତରେ ଆଣବିକ ଶକ୍ତିର ବା‚ନୀୟତା ଓ ଆବଶ୍ୟକତାକୁ ନେଇ ଏକ ଦୀର୍ଘ ପ୍ରବନ୍ଧ ଲେଖିଥିଲେ, ଯାହା ଦୈନିକ ହିନ୍ଦୁର ୬ନଭେମ୍ବର ୨୦୧୧ସଂସ୍କରଣରେ ପ୍ରକାଶିତ ହୋଇଥିଲା । ଏହି ପ୍ରବନ୍ଧରେ ସେ ଦୁହେଁ ପ୍ରବଣତାର ସହ ତର୍କ ରଖିଥିଲେ ଯେ ଆଣବିକ ଶକ୍ତି ହେଉଛି ‘ଏକ ସମୃଦ୍ଧ ଭାରତର ପ୍ରବେଶ ପଥ’ ଏବଂ ଆଣବିକ ଶକ୍ତି ବିରୁଦ୍ଧରେ ଅଭିଯାନଟି ସାମ୍ରାଜ୍ୟବାଦୀ ବିଦେଶୀ ଦେଶମାନଙ୍କର ସହଯୋଗ ଓ ସମର୍ଥନରେ ଚାଲିଛି ବୋଲି ସେମାନେ ଦୋଷାରୋପ କରିଥିଲେ । ଭବିଷ୍ୟତ ପାଇଁ ସୌରଶକ୍ତିର ବିନିଯୋଗ ସେମାନେ ଅଗ୍ରାହ୍ୟ କରିଦେବା ସହ ବର୍ତ୍ତମାନ ପାଇଁ ତାପଜ ବିଦୁ୍ୟତକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ । ସେମାନଙ୍କର ଆଶା ଯେ, ଭାରତ ବିଶ୍ୱରେ ‘ପ୍ରଥମ ଦେଶ ହେବ ଯିଏ କି ଜୀବାଶ୍ମରୁ ଜାତ ଇନ୍ଧନରୁ ନିଜକୁ ମୁକ୍ତ କରିବାର ସ୍ୱପ୍ନକୁ ସାକାର କରିପାରିବ ।’ ସେମାନଙ୍କର ଯୁକ୍ତିରେ କୋଇଲା ଜଳେଇବା ତାପଜ କେନ୍ଦ୍ର ତୁଳନାରେ ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକ ଅଧିକ ନିରାପଦ ଓ ନିର୍ମଳ । ଆଣବିକ ବର୍ଜ୍ୟବସ୍ତୁ ପରିଚାଳନା ସମସ୍ୟାକୁ ସହଜରେ ଏଡ଼େଇ ଦେଇ ସେମାନେ କହିଥିଲେ ଯେ, ‘ହଜାରେ ମେଗାୱାଟ ଆଣବିକ ଶକ୍ତି ପ୍ରସ୍ତୁତ ହେଉଥିବା କେନ୍ଦ୍ରରୁ ଯେଉଁ ଆଣବିକ ବର୍ଜ୍ୟବସ୍ତୁ ବାହାରିବ, ତାହାକୁ ଉପଯୁକ୍ତ ପ୍ରକ୍ରିୟାରେ ଗୋଟିଏ ଫୁଟ୍ବଲ୍ ପଡ଼ିଆ ଆକାରର ଜମିର ୪ଭାଗରୁ ଏକଭାଗରେ ଶହ ଶହ ବର୍ଷ ପାଇଁ ସଂରକ୍ଷିତ ରଖିହେବ ଯାହା ପରିବେଶ ବା ଲୋକଙ୍କ ପାଇଁ କୌଣସି ବିପଦ ଆଣିବ ନାହିଁ’ ।
ମୋ ବିଚାରରେ ସେମାନେ ଯାହାସବୁ କହିଛନ୍ତି ତାହା ଭୁଲ୍ । ତେବେ ଏ ଦୁହିଁଙ୍କର ସ୍ୱପ୍ନ କେତେ ପ୍ରହେଳିକାମୟ -ତାହା କହିବା ପୂର୍ବରୁ ଗୋଟେ ସାଧାରଣ ପାଠକର ଅବଗତି ନିମନ୍ତେ ଆମେ ହିନ୍ଦୁରେ ପ୍ରକାଶିତ ସେହି ଲେଖାଟିର କେତୋଟି ସାଧାରଣ ଭୁଲ୍ ଭଟକାକୁ ଏଠି ସୁଧାରିବାର ପ୍ରୟାସ କରୁଛୁ ।
୧) ସେମାନେ କୁହନ୍ତି ଯେ, ‘୨୦୫୦ ସୁଦ୍ଧା… ଆମର ମୁଣ୍ଡପିଛା ଶକ୍ତି ଚାହିଦା ଫରାସି ତଥା ଋଷ୍ର ମୁଣ୍ଡପିଛା ଶକ୍ତିଚାହିଦା ଯାହା ବର୍ତ୍ତମାନ ୬୦୦୦ ୱାଟ୍ ଅଛି, ତାହାସହ ସମକକ୍ଷ ହେବ ।’ ଏଠି ମୁଁ କହିଦିଏଁ ଯେ, ୱାଟ୍ ର ବ୍ୟବହାର କରି ଶକ୍ତିକୁ ମପାଯାଇ ପାରିବ ନାହିଁ, କାରଣ ତାହା କେବଳ ଏକପ୍ରକାର ଶକ୍ତି ଯଥା ବିଦ୍ୟୁତ ଶକ୍ତିର ମାପ ପାଇଁ ବ୍ୟବହାର କରାଯାଇଥାଏ । ସେମାନେ ବୋଧହୁଏ କିଲୋ ୱାଟ୍ ବା ୟୁନିଟ୍ କଥା କହିଥାନ୍ତେ; ୱାଟ୍ କଥାଟି ଭୁଲରେ କହିଦେଇଛନ୍ତି ।
୨) ‘୨୦୧୦-୧୧ରେ ଭାରତ ୮୨ବିଲିୟନ ଟନ୍ କୋଇଲା ଆମଦାନୀ କରିଥିଲା ।’ ବୋଧହୁଏ ସେମାନେ ମିଲିୟନ୍ କହିଥାନ୍ତେ ଭୁଲ୍ରେ ବିଲିୟନ୍ କହିଦେଇଛନ୍ତି ।
୩) ସେମାନେ ବାରମ୍ବାର ଥୋରିୟମ୍ କୁ ଆଣବିକ ଇନ୍ଧନ ବୋଲି କହିଛନ୍ତି । କିନ୍ତୁ ଥୋରିୟମ୍ ଇନ୍ଧନ ନୁହେଁ । ଉଭୟ ଥୋରିୟମ୍ ଏବଂ ୟୁରାନିୟମ୍ ୨୩୮କୁ ଊର୍ବର ବସ୍ତୁ ବୋଲି କୁହାଯାଇଥାଏ । ଊର୍ବର ଯେହେତୁ ସେମାନେ ପ୍ଲୁଟୋନିୟମ ୨୩୯ ଏବଂ ୟୁରାନିୟମ୍ ୨୩୩ ଭଳି ଇନ୍ଧନକୁ ଜନ୍ମ ଦେଇଥାନ୍ତି । ସେହି ଦୃଷ୍ଟିରୁ ସେମାନେ ନିଜେ ଇନ୍ଧନ ନୁହେଁ ବରଂ ଏକ ପ୍ରକ୍ରିୟାରେ ଇନ୍ଧନକୁ ଜନ୍ମ ଦେଇଥାନ୍ତି ।
ୟୁରାନିୟମ୍ ୨୩୫ ଯାହାକି ୟୁରାନିୟମ୍ ଧାତୁର ଏକ ଅତି କ୍ଷୁଦ୍ରାଂଶ, ସେଥିରେ ଯେଉଁ ପ୍ରାକୃତିକ ଇନ୍ଧନ ମିଳିଥାଏ ତାହାର ପରିମାଣ ବି ଶତକଡ଼ା ୦.୭ଭାଗ ବା ତା’ଠାରୁ କମ୍ । ଏମିତିକି ୟୁରାନିୟମ୍ର ଅନ୍ୟ ଏକ ଅଧିକ ପରିପୂର୍ଣ୍ଣ ଅତି କ୍ଷୁଦ୍ରାଂଶ ଯାହା ୟୁରାନିୟମ୍ ୨୩୮ନାମରେ ପରିଚିତ, ସେଥିରେ ମଧ୍ୟ ପ୍ରାକୃତିକ ଇନ୍ଧନର ପରିମାଣ ଅତି ନଗଣ୍ୟ । କମ୍ ହେଲେ ବି ୟୁରାନିୟମ୍ ୨୩୫ର ଉପସ୍ଥିତି ଯୋଗୁଁ ଏକ ଆଣବିକ ପ୍ରତିକ୍ରିୟାର ଶୃଙ୍ଖଳା ସୃଷ୍ଟି କରିବା ସମ୍ଭବ ହୋଇଥାଏ ଏବଂ ଆଣବିକ ଶକ୍ତି କେନ୍ଦ୍ର ତିଆରି କରାଯାଇଥାଏ ପ୍ରାକୃତିକ ୟୁରାନିୟମ୍କୁ ଆଧାର କରି । ସେଥିରୁ ଆଣବିକ ବିଭାଜନ ପ୍ରକ୍ରିୟାରେ ଶକ୍ତି ପ୍ରସ୍ତୁତ କରାଯାଏ । ଆମର ସମଗ୍ର ଆଣବିକ ଶକ୍ତି କାର୍ଯ୍ୟକ୍ରମ ଏହି ପ୍ରକ୍ରିୟା ଉପରେ ଆଧାରିତ । କେବଳ ତାରାପୁର ବ୍ୟତୀତ ଆମର ଅନ୍ୟସବୁ ଆଣବିକ ଶକ୍ତିକେନ୍ଦ୍ରରେ ଆମେ ପ୍ରାକୃତିକ ୟୁରାନିୟମ୍ କୁ ଇନ୍ଧନ ହିସାବରେ ବ୍ୟବହାର କରିଥାଉ ।
୪) ଏହି ଦୁଇ ଲେଖକଙ୍କ ମତରେ, ‘ଅସ୍ତ୍ରଶସ୍ତ୍ର ପ୍ରସ୍ତୁତିରେ ଉପଯୋଗୀ ହୋଇନପାରିବା ଦୃଷ୍ଟିରୁ ଥୋରିୟମ୍ ବିକାଶର ସିଡ଼ିରେ ବହୁତ ପଛରେ ପଡ଼ିଯାଇଛି… ୟୁରାନିୟମ୍ ଉପରେ ପ୍ରାଧାନ୍ୟ ଦେବାର କାରଣ ହେଉଛି ଯେ, ଏଥିରୁ ଅସ୍ତ୍ରଶସ୍ତ୍ର ତିଆରି କରାଯାଇପାରିବ ।’ ମୋ ମତରେ ଏହା ଠିକ୍ ନୁହେଁ । ପ୍ରାକୃତିକ ୟୁରାନିୟମ୍ ଅସ୍ତ୍ରଶସ୍ତ୍ରରେ ବିନିଯୋଗ କରିହେବ ନାହିଁ । ବିଘଟନ କରାଯାଇପାରୁଥିବା ୟୁରାନିୟମ୍ ୨୩୫କୁ ଏକ ପୃଥକୀକରଣ ପ୍ରକ୍ରିୟାରେ ଅଲଗା କରିବାକୁ ପଡ଼ିବ ବା ୟୁରାନିୟମ୍ ୨୩୮ ଧାତୁକୁ ଆଣବିକ ଶକ୍ତିକେନ୍ଦ୍ର ଗୁଡ଼ିକରେ ପ୍ଲୁଟୋନିୟମ୍ -୨୩୯ ଧାତୁରେ ପରିଣତ କରିବାକୁ ପଡ଼ିବ । ସେହିଭଳି ଥୋରିୟମ୍ କୁ ଏହି ଆଣବିକ ଶକ୍ତିକେନ୍ଦ୍ର ଗୁଡ଼ିକରେ ୟୁରାନିୟମ୍-୨୩୩ରେ ପରିଣତ କରିବାକୁ ପଡ଼ିବ । ୟୁରାନିୟମ୍-୨୩୩କୁ ଅସ୍ତ୍ରଶସ୍ତ୍ରରେ ବ୍ୟବହାର କରାଯାଇପାରିବ ।
୫) ସେମାନେ ପୁଣି କୁହନ୍ତି ଯେ, ‘ଆଣବିକ ଅସ୍ତ୍ରଶସ୍ତ୍ରରେ ଅତି ମାତ୍ରାରେ ସକ୍ରିୟ ଆଣବିକ ଉପାଦାନ ମହଜୁଦ୍ ରହୁଛି ।’ ୟୁରାନିୟମ୍-୨୩୫ ବା ପ୍ଲୁଟୋନିୟମ୍-୨୩୯, ଯାହା ବୋମାଗୁଡ଼ିକରେ ବ୍ୟବହାର କରାଯାଇଥାଏ, ତାହାର ବିପଦ ସେମାନେ କେତେ ରଞ୍ଜନ ରଶ୍ମି କ୍ରିୟାଶୀଳ; ସେହି କଥାଟିରୁ ଆସିନଥାଏ । ବିପଦ ଥାଏ ଏହି ଦୁଇଟି ଧାତୁକୁ ବୋମାରେ ବ୍ୟବହାର କରିବାର ସମ୍ଭାବନାଟିରେ । ବ୍ୟବହୃତ ହେଉଥିବା ଇନ୍ଧନର ଭିର୍ତ୍ତିଭୂମି ଯେତେ ରଞ୍ଜନରଶ୍ମି କ୍ରିୟାଶୀଳ, ତାହା ଆଣବିକ ବିଘଟନ ପ୍ରକ୍ରିୟା ପୂର୍ବରୁ ମହଜୁଦ୍ ଥିବା ଉପାଦାନଗୁଡ଼ିକଠାରୁ ଢେର୍ ଅଧିକ ।
୬) ସେମାନେ ସେହିଦିନର ହିନ୍ଦୁ ଖବରକାଗଜର ପୃଷ୍ଠା୧୨ରେ ଏକ ମଜାଦାର ସାରଣୀଟିଏ ଦେଇଛନ୍ତି । ତାହାର ଚାରୋଟି ସ୍ତମ୍ଭ ଅଛି: ଦେଶ, ସାମଗ୍ରିକ ଆଣବିକ ଶକ୍ତି ଉତ୍ପାଦନ କ୍ଷମତା, ସମଗ୍ର ବିଦ୍ୟୁତଶକ୍ତି ଉତ୍ପାଦନରେ ଆଣବିକ ଶକ୍ତିର ଅଂଶ ଏବଂ ମୁଣ୍ଡପିଛା ସାମଗ୍ରିକ ଜାତୀୟ ଉତ୍ପାଦନ । ଏହି ସାରଣୀଟି ଭ୍ରମାତ୍ମକ । ଅତି ତ୍ରୁଟିପୂର୍ଣ୍ଣ ଭାବେ ଏହା କୁହାଯାଇଛି ଯେ, ଯଦି ଆଣବିକ ଶକ୍ତିର ଭାଗଟି ବଢ଼େ, ତେବେ ମୁଣ୍ଡପିଛା ଜାତୀୟ ଉତ୍ପାଦନ ମଧ୍ୟ ବଢ଼ିବ । ମୁଣ୍ଡପିଛା ଜାତୀୟ ଉତ୍ପାଦନ ଏବଂ ମୁଣ୍ଡପିଛା ସାମଗ୍ରିକ ଶକ୍ତି ଖର୍ଚ୍ଚଭିତରେ ଏକ ବଳିଷ୍ଠ ସମ୍ପର୍କ ରହିଛି । ଏଠି ଶକ୍ତିର ଆଧାର କ’ଣ, ତାହା ଅପ୍ରାସଙ୍ଗିକ । ଆଣବିକ ଶକ୍ତିକେନ୍ଦ୍ରରୁ ଉତ୍ପାଦିତ ହେଉଥିବା ଶକ୍ତିର ଗୋଟିଏ ୟୁନିଟ୍ କୋଇଲା ଜାଳି ଉତ୍ପାଦନ ହେଉଥିବା ତାପଜ ଶକ୍ତିର ଗୋଟିଏ ୟୁନିଟ୍ ତୁଳନାରେ ଅଧିକ ଉତ୍ପାଦନଶୀଳ ନୁହେଁ ।
ଆଜିକାଲି ମୁଣ୍ଡପିଛା ଆୟକୁ ନେଇ କୌଣସି ଦେଶର ପ୍ରଗତିକୁ ମପାଯାଉ ନାହିଁ । ବରଂ ସେହି ଦେଶର ମାନବ ବିକାଶ ସୂଚକାଙ୍କକୁ ପ୍ରଗତିର ମାପକାଠି ହିସାବରେ ଦେଖାଯାଉଛି । ଏଠି ଆୟଟା କେବଳ ଅନ୍ୟ ଏକ ଅଂଶ ମାତ୍ର । ଅନ୍ୟ ଦୁଇଟି ଅଂଶ ହେଲା ମଣିଷର ଆୟୁଷ ଏବଂ ଶିକ୍ଷା; ଯାହାର ଆୟ ସହିତ ସମ୍ପର୍କ ନାହିଁ ବୋଲି କୋଷ୍ଟାରିକା, ଶ୍ରୀଲଙ୍କା, କେରଳ ଇତ୍ୟାଦିର ଅନୁଭୂତିରୁ ଜଣାପଡ଼ୁଛି । ସେଥିପାଇଁ ଆମେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ମାନବ ବିକାଶ ସୂଚକାଙ୍କ ପ୍ରସ୍ତୁତ କରୁଛୁ । ସେହିଦିନ ବି ଗଲାଣି । ଏବେ ଆମେ ମାନବର ଆନନ୍ଦ ସୂଚକାଙ୍କକୁ ପ୍ରଗତିର ମାପକାଠି ହିସାବରେ ବିଚାର କଲୁଣି । ପ୍ରଗତି ନୁହେଁ ବା ଖୁସି ନୁହେଁ କେଉଁଟା ବି ସିଧାସଳଖ ଆୟ ବା ଶକ୍ତିର ଖର୍ଚ୍ଚ ସହିତ ସମ୍ପର୍କିତ ନୁହେଁ ।
ମଣିଷସମାଜକୁ ଧ୍ୱଂସ କଲାଭଳି ଅସ୍ତ୍ରଶସ୍ତ୍ରର ଉତ୍ପାଦନ, ମାଦକ ଦ୍ରବ୍ୟ, ନିଶା ଔଷଧ ଏବଂ ବିଜ୍ଞାପନ ଏସବୁ ଶକ୍ତିର ଖର୍ଚ୍ଚ ତଥା ଜାତୀୟ ସାମଗ୍ରିକ ଉତ୍ପାଦନକୁ ସହଯୋଗ କରିଥାଇପାରନ୍ତି । କିନ୍ତୁ ସେମାନେ ପ୍ରଗତି ବା ଖୁସି ଦେଇପାରିନଥାନ୍ତି । ସେହି ଦୃଷ୍ଟିରୁ ଆଣବିକ ଶକ୍ତି ଖର୍ଚ୍ଚ ସହିତ ଖୁସିକୁ ଯୋଡ଼ିବା ଏକ ଅବୈଜ୍ଞାନିକ କାମ ହେବ । ସେମାନେ ତାଙ୍କ ପ୍ରବନ୍ଧରେ ସ୍ପଷ୍ଟଭାବେ ଜନସାଧାରଣଙ୍କୁ ନିମ୍ନ କେତୋଟି କଥାରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରୟାସ କରିଛନ୍ତି ମାତ୍ର ।
କ) ଆଣବିକ ଶକ୍ତି ନିର୍ଦ୍ଦିଷ୍ଟଭାବେ କ୍ଷତିକାରକ ନୁହେଁ ।
ଖ) କୋଇଲା ଜାଳି ତାପଜ ବିଦୁ୍ୟତ ତିଆରି କରୁଥିବା କେନ୍ଦ୍ରଗୁଡ଼ିକ ଅପେକ୍ଷାକୃତ ଭାବେ ଅଧିକ କ୍ଷତିକାରକ ।
ଗ) କୋଇଲା ତଥା ଅନ୍ୟ ଜୀବାଂଶ ଉପରେ ଆଧାରିତ ଜାଳେଣୀଗୁଡ଼ିକୁ ଆଣବିକ ଇନ୍ଧନ ଦ୍ୱାରା ପୁରାପୁରି ଭାବେ ହଟେଇ ଦିଆଯାଇ ପାରିବ ।
ଘ) ଆଣବିକ ଶକ୍ତି ଶସ୍ତା ବା ସୁଲଭ ।
ଙ) ଯଦି ଆଣବିକ ଶକ୍ତିର ବିରୋଧ କରାଯାଏ, ତେବେ ତାହା ବିଜ୍ଞାନ ତଥା ପ୍ରଗତିର ବିରୋଧ କରାଯାଉଛି ବୋଲି ବିଚାର କରାଯିବ ।
ମୁଁ ଏହିସବୁ ବକ୍ତବ୍ୟଗୁଡ଼ିକୁ ଅଗ୍ରାହ୍ୟ କରୁଛି । ମୁଁ ନିଜେ ଜଣେ ବୈଜ୍ଞାନିକ ତଥା ଇଞ୍ଜିନିୟର ହିସାବରେ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରରେ ୧୯୫୭ରୁ ୧୯୭୫ମସିହା ଯାଏଁ କାର୍ଯ୍ୟରତ ଥିଲି । ସେଠି ମୁଁ ଯାହା ଶିଖିଛି ଏବଂ ପରେ ଯାହା ମୁଁ ଶିଖିଲି, ମୋତେ ଶ୍ରୀଯୁକ୍ତ କାଲାମଙ୍କର ଆଣବିକ ଆଶାବାଦକୁ ଗ୍ରହଣ କରିବା ପାଇଁ ସହଯୋଗ କରୁନାହିଁ । ମୁଁ କାହିଁକି ଆଣବିକ ଆଶାବାଦକୁ ଗ୍ରହଣ କରିବାରେ ଅକ୍ଷମ -ତା’ର କାରଣ କହିବା ପୂର୍ବରୁ ଗୋଟିଏ ସଂକ୍ଷିପ୍ତ ଐତିହାସିକ ବିବରଣୀ ଦେବାପାଇଁ ଚାହୁଁଛି । ଶ୍ରୀ କାଲାମ ଏବଂ ଶ୍ରୀ ସିଂହଙ୍କର ଅଧିକାଂଶ ତର୍କ ଯେଉଁ କଥାଗୁଡ଼ିକ ଉପରେ ଆଧାରିତ ଯଥା:- ‘ପ୍ରଥମ ବାଷ୍ପଚାଳିତ ଯନ୍ତ୍ର’ ବା ‘ପ୍ରଥମ ଉଡ଼ାଜାହାଜ’ ମୋତେ ସାଢ଼େ ତିନିଦଶନ୍ଧି ପୂର୍ବରୁ ରଚିତ ସେହି ନାଟକଟି କଥା ମନେ ପକାଇ ଦେଉଛି । ସେ ନାଟକ ସମ୍ପର୍କରେ ମୁଁ ପାଠକମାନଙ୍କୁ ଟିକେ ମନେ ପକାଇ ଦିଏ ।
ୟୁଜିନ୍ ପି ୱିଗନର୍, ଯେ ସେତେବେଳେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ ତଥା ଆମେରିକାର ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରେ ବିଶିଷ୍ଟ ପ୍ରଫେସର ଭାବେ ଅବସ୍ଥାପିତ ଥିଲେ, ଆମେରିକାର ରାଷ୍ଟ୍ରପତିଙ୍କୁ ଚିଠି ଲେଖି କହିଥିଲେ ଯେ, ‘ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକ ସବୁଠାରୁ ନିଶ୍ଚିତ ଏବଂ ନିରାପଦ ପଥଟିଏ ଆମକୁ ଯୋଗାଇଥାନ୍ତି ଆମର ଶକ୍ତିର ଚାହିଦା ମେଣ୍ଟାଇବା ପାଇଁ ।’ ଚିଠିର କିଛି ଅଂଶ ପୁଣି ତଳେ ଉପସ୍ଥାପିତ କରାଗଲା ।
ନିକଟରେ ଶକ୍ତି ନୀତି ଉପରେ ବୈଜ୍ଞାନିକ ମାନଙ୍କର ବକ୍ତବ୍ୟ ଯାହାର ମୁଁ ମଧ୍ୟ ଜଣେ ପ୍ରାୟୋଜକ ଥିଲି ସେଥିରେ ଆମେରିକାର ବୈଜ୍ଞାନିକ ତଥା ପ୍ରଯୁକ୍ତିବିଦ୍ୟା ସମୁଦାୟର ୩୨ଜଣ ପ୍ରଖ୍ୟାତ ସଦସ୍ୟ ସ୍ୱୀକୃତି ଦେଇଛନ୍ତି, ଯେଉଁଥିରେ ୭ଜଣ ନୋବେଲ ପୁରସ୍କାରପ୍ରାପ୍ତ ପଦାର୍ଥ ବିଜ୍ଞାନୀ, ତିନିଜଣ ରସାୟନ ବିଜ୍ଞାନ ତଥା ଜଣେ ଶରୀରତତ୍ତ୍ୱ ଏବଂ ଭେଷଜକ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିବା ବୈଜ୍ଞାନିକ ମଧ୍ୟ ଅଛନ୍ତି । ଯେହେତୁ ୟୁରାନିୟମ୍ ଶକ୍ତିର ପ୍ରସ୍ତୁତି ପଦାର୍ଥ ବିଜ୍ଞାନର ଅଦ୍ୟାବଧି ପ୍ରାପ୍ତ ସବୁ ମୌଳିକ ଆବିଷ୍କାରର ଅନ୍ତିମ ବିନ୍ଦୁରେ ପହଞ୍ଚାଇ ଦେଇଛି ଏବଂ ଏହିସବୁ ଲୋକମାନେ ଏଇଥିପାଇଁ ସର୍ବାଧିକ ସମୟ କାମ କରୁଛନ୍ତି ମୁଖ୍ୟତଃ ଆଣବିକ ଶକ୍ତି ସମସ୍ୟା ଉପରେ, ସେହି ଦୃଷ୍ଟିରୁ ଏହା ଯୁକ୍ତିଯୁକ୍ତ ହେବ କହିବା ପାଇଁ ଯେ, ଏମାନେ ସମସ୍ତେ ଏହି ବିଷୟବସ୍ତୁ ଉପରେ ‘ଦାୟିତ୍ୱବୋଧତାର ସହ କହିପାରିବେ’ । ସେମାନଙ୍କର କଥାର ସାରାଂଶ ନିମ୍ନ କେତୋଟି ଶବ୍ଦରେ ପ୍ରକାଶ କରାଗଲା ।
‘ଯେକୌଣସି ମାପକାଠିରେ ତଉଲ କଲେ ବି ଗୋଟିଏ ସ୍ୱଚ୍ଛ, ସୁଲଭ ଏବଂ ଅସରନ୍ତି ଘରୋଇ ଇନ୍ଧନର ଭଲ ଫଳ ସେଥିରୁ ଆଶଙ୍କା କରାଯାଉଥିବା ବିପଦ ତୁଳନାରେ ଢେର୍ ଅଧିକ । ଆମର ଶକ୍ତି ଚାହିଦାକୁ ମେଣ୍ଟାଇବା ପାଇଁ ଆଣବିକ ଶକ୍ତିର ଅଧିକ ବ୍ୟବହାର କରିବା ବ୍ୟତୀତ କୌଣସି ଯୁକ୍ତିସଙ୍ଗତ ବିକଳ୍ପ ନାହିଁ ।’
ଆଣବିକ ଶକ୍ତି କ୍ଷେତ୍ରର ବିପଦ, ପ୍ରକୃତିକୁ ଅଧିକ ଜାଣି ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପୀକରଣକୁ ବିକାଶ ପାଇଁ ବ୍ୟବହାର କରି ମଣିଷ ନିଜପାଇଁ ଯେଉଁ ବିପଦ ସୃଷ୍ଟି କରିଥାଏ, ତାହା ତୁଳନାରେ ଢେର୍ ଅଧିକ । ବର୍ତ୍ତମାନର ଆଲୋଚନା ପାଇଁ ମୁଁ ଏହି ପ୍ରଶ୍ନର ସମୀକ୍ଷା କରିବି ନାହିଁ ଯେ, ପ୍ରକୃତରେ ବିକାଶ ହେଇଛି କି ନାହିଁ ବା ପ୍ରକୃତରେ ଆମର ପ୍ରାଚୁର୍ଯ୍ୟରେ କିଛି ସେହିଭଳି ମୂଲ୍ୟ ଅଛି ଏବଂ ତେଣୁକରି ଆମେ କମ୍ ଶକ୍ତି ଖର୍ଚ୍ଚକରିବା ଉଚିତ କି ନୁହେଁ । ଏତିକି କଥା ଅବଶ୍ୟ ଜାଣି ହେଇଯାଉଛି ଯେ, ଆଧୁନିକ ଜୀବନରେ ଯେଉଁସବୁ ପରିବର୍ତ୍ତନ ଆସିଛି, ତାକୁ ଛାଡ଼ିବାଟା ଏକ କଷ୍ଟକର ବ୍ୟାପାର । ଯେଉଁକେତୋଟି କଥା ଗତ ୧୦୦ବର୍ଷ ଭିତରେ ଘଟିଛି, ତାକୁ କିଛିଟା ବ୍ୟାଖ୍ୟା କରାଯାଇପାରେ । ଯଥା: ରେଳ ଓ ସଡ଼କ ପଥ, ଗାଡ଼ିମଟର, ବୈଦୁ୍ୟତିକ ଆଲୋକ, କେନ୍ଦ୍ରୀୟ ଉତ୍ତପ୍ତ ସୃଷ୍ଟି କରିବା ବ୍ୟବସ୍ଥା, ଉଡ଼ାଜାହାଜ, ଟେଲିଫୋନ୍, ରେଡ଼ିଓ ଏବଂ ଦୂରଦର୍ଶନ; ଯଦି ଆମେ ଏ ସବୁର କେଉଁପ୍ରକାର ପ୍ରଭାବ ପଡ଼ୁଛି ଆମ ସମାଜ ଉପରେ ତା’ର ହିସାବ କରୁ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆମର ରୋଜିରୋଟିର ରୋଜଗାର କ୍ଷମତାକୁ ବହୁଗୁଣରେ ବଢ଼ାଇ ଦେଇଛି । ଆମର ଅବସର ସମୟଟା ସେହି ଅନୁପାତରେ ବଢ଼ିଯାଇଛି ଏବଂ ଆମର ଅଧିକ ଦିନ ବଞ୍ଚôବାର ସମ୍ଭାବନାଟା ମଧ୍ୟ ବଢ଼ିଯାଇଛି । ସବୁଠାରୁ ଉଲ୍ଲେଖନୀୟ ପ୍ରଗତି ଘଟିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ବିଂଶ ଶତାବ୍ଦୀରେ ସାଧାରଣ ଆୟୁଷର ସୀମା ୪୭ବର୍ଷରୁ ୭୧ବର୍ଷକୁ ବୃଦ୍ଧିପାଇଛି ।
ଆଣବିକ ଶକ୍ତିର ଭଲ ଓ ମନ୍ଦକଥାଗୁଡ଼ିକ ସମ୍ପର୍କରେ ଚିନ୍ତା କଲାବେଳେ ଆମେ ଅତୀତରେ କେତେକ ବୈଷୟିକ ଉଦ୍ଭାବନକୁ କେଉଁଥିପାଇଁ ଜୋରଦାର ବିରୋଧ କରାଯାଇଥିଲା, ତାକୁ ମନେ ପକାଇବା ଦରକାର । ଭୟ କରାଯାଉଥିଲା ଯେ, ସଡ଼କ ବା ରେଳପଥ ନିକଟରେ ରହୁଥିବା ଲୋକମାନେ ଟ୍ରେନର ଶବ୍ଦ ଶୁଣି ଶୁଣି ପାଗଳ ହୋଇଯିବେ ଏବଂ ଯାତ୍ରା କରୁଥିବା ଲୋକମାନଙ୍କର ଦେହ ଖରାପ ହୋଇଯିବ ଯଦି ଘଣ୍ଟା ପିଛା ୩୦ ମାଇଲରୁ ଅଧିକା ବେଗରେ ଟ୍ରେନ୍ ଯିବାଆସିବା କରେ । ଯଦିଓ ଏହିଭଳି କୌଣସି ପରିଣାମ ଦେଖିବାକୁ ମିଳିଲା ନାହିଁ କିନ୍ତୁ ଏକଥା ସତ ଯେ, ବହୁତ ଲୋକ ରେଳ ଏବଂ ସଡ଼କ ଦୁର୍ଘଟଣାରେ ମୃତୁ୍ୟବରଣ କରିଛନ୍ତି । ଏମିତିକି ଭେଷଜ ବିଜ୍ଞାନର ଏକ ସକାରାତ୍ମକ ପରିଣାମ ଯାହା ମଣିଷର ପରମାୟୁ ବୃଦ୍ଧିରେ ଉଲ୍ଲେଖନୀୟ ପ୍ରଗତି ଆଣିଛି, ସେଇଥିପାଇଁ ବିଶ୍ୱରେ ଜନସଂଖ୍ୟାଜନିତ ସାଂଘାତିକ ସମସ୍ୟା ବି ସୃଷ୍ଟି ହୋଇଛି । ସତଟା ଏହା ଯେ, ମଣିଷର ପ୍ରଗତି କ୍ଷେତ୍ରରେ ଅନେକ ମନ୍ଦ ପରିଣତି ବି ସାମ୍ନାକୁ ଆସୁଛି । ଆଣବିକ ଶକ୍ତିର ବ୍ୟାପକ ବ୍ୟବହାର କଲାବେଳେ ଆମେ ତାହାର ସାମଗ୍ରିକ ପରିଣାମ ଭଲ ଓ ମନ୍ଦ ଉଭୟ କଥାଟିକୁ ବୁଝିବାକୁ ପଡ଼ିବ । ସମାଲୋଚକମାନଙ୍କ ଦ୍ୱାରା ଉଠାଯାଇଥିବା ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡ଼ିକ ଭିତରୁ ମୁଁ ଚାରୋଟି ଉପରେ ମୋର ମନ୍ତବ୍ୟ ରଖିବି ।
୧) ତୁହାକୁ ତୁହା ଉଠାଯାଉଥିବା ଗୋଟିଏ କଥା ଯାହାକୁ ସହଜରେ ଏଡ଼ାଇ ହୋଇଯିବ, ତାହା ହେଲା ଯେ, ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକରୁ ସକ୍ରିୟ ରଞ୍ଜନ ରଶ୍ମି ବାୟୁମଣ୍ଡଳକୁ ନିର୍ଗତ ହେବ, ଯାହା ଫଳରେ କର୍କଟରୋଗ ଭଳି ଅନେକ ଭୟଙ୍କର ସ୍ୱାସ୍ଥ୍ୟସମସ୍ୟା ଉପୁଜିବ । କିନ୍ତୁ ନିଚ୍ଛକ ସତ୍ୟଟି ହେଲା ଯେ, କୋଇଲା ଜାଳି ବିଦୁ୍ୟତ ତିଆରି କରାଯାଉଥିବା ତାପଜ କେନ୍ଦ୍ରଗୁଡ଼ିକରୁ ଯେଉଁ ରଞ୍ଜନ ରଶ୍ମି ବାୟୁମଣ୍ଡଳକୁ ନିର୍ଗତ ହୁଏ, ତାହା ଆଣବିକ ତାପଜ କେନ୍ଦ୍ର ତୁଳନାରେ ଢେର୍ ଅଧିକ । ଏଠି ଆମେ ତାପଜ କେନ୍ଦ୍ରରୁ ନିର୍ଗତ ହେଉଥିବା ଭୟଙ୍କର ସଲଫର୍ ଡାଇଅକ୍ସାଇଡ଼୍ ଭଳି ବିଷାକ୍ତ ଦ୍ରବ୍ୟ କଥା ଆଦୌ କହୁନାହୁଁ । ଜଣେ ପଦାର୍ଥବିଜ୍ଞାନୀଙ୍କ ହିସାବରେ ଆମେରିକାର ସବୁ ଆଣବିକ କେନ୍ଦ୍ରରୁ ନିର୍ଗତ ରଞ୍ଜନ ରଶ୍ମିକୁ ଯଦି ଆମେ ହିସାବକୁ ନେଉ, ତାହା ଜଣେ ହାରାହାରି ନାଗରିକ ପ୍ରତି ସେତିକି କ୍ଷତିକାରକ ଯେତିକି ନିଜର ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ ଗୋଟିଏ ଲୋକ ଦୁଇଟି ସିଗାରେଟ ଟାଣି ଧୂଆଁକୁ ଭିତରକୁ ନେଇଥାଏ । ଆଣବିକ ବସ୍ତୁଗୁଡ଼ିକର ପୁନଃ ବ୍ୟବହାର ପାଇଁ ଯେଉଁ ଯୋଜନା କରାଯାଇଥାଏ, ଯାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ କେବଳ ସେହିକ୍ଷେତ୍ରରେ ସାଂଘାତିକ ସମସ୍ୟା ଉପୁଜିବାର ସମସ୍ୟାଥାଏ । ଯଦିଓ ଏଠି ମଧ୍ୟ ଅତି ସତର୍କତାର ସହିତ ଯୋଜନା ତିଆରି କରି ଏହି ସମସ୍ୟାଟିକୁ ଏଡ଼ାଇ ଦିଆଯାଇ ପାରିବ ବୋଲି ବିଶ୍ୱାସ କରାଯାଏ ।
ଆମକୁ ଗୋଟିଏ କଥା ମନେ ରଖିବାକୁ ହେବ ଯେ,ଅତି ସହଜରେ ଦେଖାଯାଉଥିବା ଭବିଷ୍ୟତ ପାଇଁ ଆମେ କେବଳ କୋଇଲା ବା ୟୁରାନିୟମ ଭଳି ଶକ୍ତିର ଆଧାରକୁ ହିସାବ କରିବା । ଆମର ତୈଳ ଉତ୍ପାଦନ ଯାହା ଆମ ଶକ୍ତି ଚାହିଦାର ଏକ ସିଂହ ଭାଗକୁ ମେଣ୍ଟାଇ ଥାଏ, ଆଜି କମି କମି ଯାଉଛି: ଏହି ସମ୍ପର୍କରେ ସରକାରୀ ହିସାବଗୁଡ଼ିକ ତୈଳ କମ୍ପାନୀମାନଙ୍କ ଭଳି ଭୟଙ୍କର ସଂଶୟବାଦ ସୃଷ୍ଟି କରୁଛି । ଅବଶ୍ୟ ତୈଳ ଉତ୍ପାଦନରୁ ମଧ୍ୟ ବିଷାକ୍ତ ସଲଫର୍ ଡାଇଅକ୍ସାଇଡ଼୍ ଜନ୍ମ ନେଇଥାଏ, ଯାହା ଅବଶ୍ୟ କୋଇଲା ତୁଳନାରେ ଅଧା ହିଁ ହେବ ।
୨) ନିରାପଦ ଦୃଷ୍ଟିରୁ ଗୋଟିଏ କଥା ଗୁରୁତ୍ୱ ଦିଆଯାଇଥାଏ ଯେ, ବିଶ୍ୱର ସବୁ ୟୁରାନିୟମ୍ ଦ୍ୱାରା ପରିଚାଳିତ ସବୁ ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକର ସାମଗ୍ରିକ ଅନୁଭୂତିରୁ ଏହି କଥା ଜଣାପଡ଼ୁନାହିଁ ଯେ, ଯେଉଁଠି ଯେଉଁଠି ଦୁର୍ଘଟଣା ଘଟିଛି, ଜଣେ ବି କେହି ସାଧାରଣ ଲୋକ ସେଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଶ୍ରମିକମାନଙ୍କ ଦୃଷ୍ଟିକୋଣରୁ କାମ କଲାବେଳେ ଯେଉଁ ଦୁର୍ଘଟଣା ଘଟିଥାଏ ସେଥିରେ ଆଣବିକ ଶକ୍ତିକେନ୍ଦ୍ରରେ ୯୦୦ମାନବ ଦିବସ ନଷ୍ଟ ହେଲାବେଳେ କୋଇଲା ଦ୍ୱାରା ପରିଚାଳିତ ତାପଜ କେନ୍ଦ୍ରଗୁଡ଼ିକରେ ୯୦୦୦ ମାନବ ଦିବସ ନଷ୍ଟ ହେଉଛି ।
ଆଉ ଗୋଟିଏ କଥା ହେଲା- ଏଯାଏଁ ଏହା ସମ୍ଭବ କି ନୁହଁ ଜଣାପଡ଼ୁନାହିଁ ଯେ, ଗୋଟିଏ ଆଣବିକ ଶକ୍ତି କେନ୍ଦ୍ର ବୋମାଭଳି ଫୁଟିଯାଇ ପାରିବ । ଏଥିରେ ଯେଉଁ ୟୁରାନିୟମ୍ ବ୍ୟବହାର ହୋଇଥାଏ, ତାହା କେବଳ ଅସ୍ତ୍ରଶସ୍ତ୍ରରେ ବ୍ୟବହୃତ ହେଉଥିବା ୟୁରାନିୟମ୍ର ଅତି କ୍ଷୁଦ୍ରାଂଶ ଏବଂ ଯେଉଁ ମିଶ୍ରଣ ଏଥିରୁ ତିଆରି ହୁଏ ତାହା ବିସ୍ଫୋରଣ ହେବାର ସମ୍ଭାବନା କମ୍ । ଅତି ସାଂଘାତିକ ଦୁର୍ଘଟଣା ହେଲେ ଥଣ୍ଡାକରିବା ପାଇଁ ଯେଉଁ ପାଣି ବ୍ୟବହାର ହୋଇଥାଏ, ଯଦି ତାହା ନମିଳେ ତେବେ ତାହାର ମୂଳ କେନ୍ଦ୍ରଟି ତରଳିଯିବ ଯାହା ଫଳରେ ଅନେକ ବିପଦପୂର୍ଣ୍ଣ ରଞ୍ଜନରଶ୍ମି କ୍ରିୟାଶୀଳ ବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରିବ । କିନ୍ତୁ ଏହିଭଳି ଏକ ବିପର୍ଯ୍ୟୟ ବିରୁଦ୍ଧରେ ସୁରକ୍ଷା ଯୋଗାଇବା ପାଇଁ ଜରୁରୀକାଳୀନ ଶୀତଳ ବ୍ୟବସ୍ଥା ଯାହାକୁ ଏମରଜେନ୍ସି କୋରକୁଲିଂ ସିଷ୍ଟମ୍ ବୋଲି କୁହାଯାଉଛି, ଆମେରିକାର ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକରେ ଖଞ୍ଜା ଯାଇଛି ।
୩) ରଞ୍ଜନରଶ୍ମି କ୍ରିୟାଶୀଳ ଆଣବିକ ବର୍ଜ୍ୟବସ୍ତୁକୁ କେମିତି ଫୋପଡ଼ାଯାଇପାରିବ, ତାକୁ ଗୋଟିଏ ଦୃଷ୍ଟିଭଙ୍ଗୀ ଭିତରକୁ ଆମକୁ ଆଣିବାକୁ ପଡ଼ିବ । ଯଦି ଆମେରିକାର ସବୁ ଶକ୍ତିର ଚାହିଦାଗୁଡ଼ିକୁ କେବଳ ଆଣବିକ ଶକ୍ତିକେନ୍ଦ୍ର ମାଧ୍ୟମରେ ପୂରଣ କରାଯିବ ଯାହାକି ଆମେ କେବେବି ଚାହିଁବାନି,ତା’ହେଲେ ବର୍ଷଟା ସାରା ଠୁଳ ହେଉଥିବା ବର୍ଜ୍ୟବସ୍ତୁଗୁଡ଼ିକ ଯେତିକି ସ୍ଥାନ ମାଡ଼ିବସିଲେ ତାହା ମୁଣ୍ଡପିଛା ଗୋଟିଏ କୁ୍ୟବିକ୍ ଇଞ୍ଚ – ଗୋଟିଏ କୁ୍ୟବିକ୍ ସେଣ୍ଟିମିଟର ହିସାବରେ ପଡ଼ିବ । ଯଦି ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକରୁ ବାହାରୁ ଥିବା ଏହି ବର୍ଜ୍ୟବସ୍ତୁଗୁଡ଼ିକୁ ଯଦି ବାହାରେ ଗୋଟିଏ ବର୍ଷ ଖାଲି ସେମିତି ରଖାଯାଏ, ତା’ହେଲେ ସେଥିରୁ ଯେଉଁ ଶକ୍ତି ବାହାରିବ ତାହା ଗୋଟିଏ ୱାଟ୍ ସହ ସମାନ । ଏଇଟା ସତକଥା ଯେ, ଏଭିତରୁ କିଛି ବସ୍ତୁ ଭାରି ବିଷାକ୍ତ ଏବଂ ଲୋକମାନଙ୍କ ପହଞ୍ଚରୁ ବହୁତ ଦିନ ରଖିବାକୁ ପଡ଼ିବ । କିନ୍ତୁ ସେଥିପାଇଁ କିଛି ନିରାପତ୍ତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇପାରେ । କିନ୍ତୁ ସତକଥାଟା ହେଉଛି ଯେ, ଆଣବିକ ବର୍ଜ୍ୟବସ୍ତୁ ସମସ୍ୟାଟା ଯେତିକି ବିଶାଳ ଏବଂ ଜଟିଳ ବୋଲି କୁହାଯାଉଛି, ତାହା ସେଭଳି ନୁହେଁ ।
୪)ଶେଷରେ ମୁଁ ଏହି କଥାଟି କହିବି ଯେ, ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକ ସମ୍ପର୍କରେ ଯେତେସବୁ ତୀବ୍ର ସମାଲୋଚନା କରାଯାଉଛି ତାହା ମୁଖ୍ୟତଃ ଚୋରି, ଅନ୍ତର୍ଘାତି କାର୍ଯ୍ୟକ୍ରମ, ସଶସ୍ତ୍ର ଆକ୍ରମଣ ଏବଂ ଆଣବିକ ଶକ୍ତିକୁ ଅସ୍ତ୍ରଶସ୍ତ୍ର ନିର୍ମାଣରେ ବ୍ୟବହାର କରିବା କଥାକୁ ବିରୋଧ କରି କରାଯାଉଛି । ଏହିସବୁ କଥାଗୁଡ଼ିକ ପାଇଁ ସୁରକ୍ଷା ବନ୍ଦୋବସ୍ତ କରିବା କଷ୍ଟକର ହେଲେ ବି ଆଦୌ ଏକ ଅସମ୍ଭବ କଥାନୁହେଁ, ଯଦି ଆମେ ଆମର ଦକ୍ଷତାକୁ ବଢ଼ାଇ ନିଜେ ଜାଗ୍ରତ ରହି ଆଣବିକ କେନ୍ଦ୍ରଗୁଡ଼ିକୁ ତତ୍ତ୍ୱାବଧାନ କରୁ । ଆମକୁ ଏ କଥାବି ମନେ ରଖିବାକୁ ହେବ ଯେ, ଆଜି ଗୋଟିଏ ଦିନରେ ଯଦି ଆମେରିକାର ସବୁ ଆଣବିକ କେନ୍ଦ୍ରଗୁଡ଼ିକୁ ବନ୍ଦ କରିଦିଆଯାଏ ତା’ହେଲେ ବି ସମସ୍ୟାର ସମାଧାନ ହୋଇପାରିବ ନାହିଁ ଯେତେଦିନ ଯାଏଁ ଏହିଭଳି ଆଣବିକ କେନ୍ଦ୍ରଗୁଡ଼ିକ ପୃଥିବୀର ଅନ୍ୟାନ୍ୟ ଦେଶଗୁଡ଼ିକରେ କାର୍ଯ୍ୟକ୍ଷମ ଥିବ । ଆମକୁ ଏକଥା ବି ମନେରଖିବାକୁ ହେବ ଯେ, ଯଦି କେହି ଆଣବିକ ବସ୍ତୁଗୁଡ଼ିକୁ ଖରାପ ଦିଗରେ ବ୍ୟବହାର କରିବା ପାଇଁ ଚାହେଁ, ତେବେ ତାକୁ ଅନ୍ୟ କିଛି ବସ୍ତୁ ବି ଯୋଗାଡ଼ କରିବାକୁ ପଡ଼ିବ ଯଥା- ବୋଟୋଲିନ୍ ବା ଟାଇଫଡ଼୍ ବ୍ୟାକ୍ଟେରିଆ । ଯେଉଁଗୁଡ଼ିକ ପ୍ଲୁଟୋନିୟମ୍ ଅପେକ୍ଷା ଗୋଟିଏ ୟୁନିଟ୍ ହିସାବରେ ଅଧିକ ବିଷାକ୍ତ ।
ଏହିଭଳି କଥାଗୁଡ଼ିକ ପୂର୍ବରୁ ମୁଁ କହିଥିବା ଆମେରିକାର ଶକ୍ତି ନୀତିଉପରେ ସେଠାକାର ବୈଜ୍ଞାନିକମାନେ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହାର ସିଦ୍ଧାନ୍ତରେ ସ୍ଥାନ ପାଇଥିଲା । ସେଠି କୁହାଯାଇଥିଲା ଯେ, ‘ଆଣବିକ ଶକ୍ତିର ସମାଲୋଚକ ବି ଅଛନ୍ତି, କିନ୍ତୁ ଆମର ବିଶ୍ୱାସ ଯେ, ସେମାନଙ୍କର ଅଣଆଣବିକ ଶକ୍ତିର ଉତ୍ସର କାର୍ଯ୍ୟକାରିତା ଏବଂ ଜାଳେଣି ସଙ୍କଟର ଗାମ୍ଭୀର୍ଯ୍ୟକୁ ନେଇ କୌଣସି ଦୃଷ୍ଟିଭଙ୍ଗୀ ନାହିଁ ।’ ଆମେ ଏକଥା ବି ଭୁଲିଯିବା କଥା ନୁହେଁ ଯେ, ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକ ଦ୍ୱାରା ସେହିଭଳି କୌଣସି ବିପର୍ଯ୍ୟୟ ସୃଷ୍ଟି କଲାଭଳି ସ୍ୱାସ୍ଥ୍ୟ ସମସ୍ୟା ଉପୁଜି ନାହିଁ ଯେଉଁଭଳି ସମସ୍ୟା କୋଇଲା ଖଣି ଖନନବେଳେ ଉପୁଜି ଖଣି ଖନନକାରୀର ଫୁସ୍ ଫୁସ୍ କୁ ଅବରୋଧ କରିଥାଏ । ଏହିସବୁ କଥା କହିହେଉଥିଲା ଯେତେବେଳ ଯାଏଁ ଥ୍ରି ମାଇଲ୍ ଦ୍ୱୀପ, ଚେର୍ଣ୍ଣୋବିଲ୍ ଏବଂ ସେପ୍ଟେମ୍ବର ୧୧ ଭଳି ଘଟଣାମାନ ଘଟିନଥିଲା । ପୁନଶ୍ଚ ସୋଭିଏତ୍ ଋଷରେ ଘଟିଥିବା ଆଣବିକ ଦୁର୍ବିପାକଗୁଡ଼ିକ ସମ୍ପର୍କରେ ଦୁନିଆର ଲୋକମାନେ କିଛି ବି ଜାଣନ୍ତି ନାହିଁ ।
ଆମେରିକାର ସାନ୍ ଡିଏଗୋଠାରେ ଥିବା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ନୋବେଲ ବିଜେତା ରସାୟନ ବିଜ୍ଞାନର ପ୍ରଫେସର ହାରୋଲ୍ଡ଼୍ ସି ୟୁରେ ଆମେରିକାର ରାଷ୍ଟ୍ରପତିଙ୍କୁ ପୂର୍ବରୁ କୁହାଯାଇଥିବା ବୈଜ୍ଞାନିକ ୱିଗ୍ନର୍ଙ୍କର ମତକୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ, ‘ଆମର ଆଣବିକ କାର୍ଯ୍ୟକ୍ରମ ଗୁଡ଼ିକରେ ଯଥେଷ୍ଟ ବିପଦ ରହିଛି, ଯାହାକୁ କି ଗ୍ରହଣ କରାଯାଇ ପାରିବ ନାହିଁ ।’ ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ସ୍ୱର୍ଗତ ରାଷ୍ଟ୍ରପତି କେନେଡ଼ି ଯାହା କହିଥିଲେ ତାହା ପ୍ରଣିଧାନଯୋଗ୍ୟ । ଆମେ ଆରବୀୟ ଲୋକକଥାରେ ଥିବା ସେହି ଭୟଙ୍କର ଅସୁରଟିକୁ ପୁଣିଥରେ ବୋତଲ ଭିତରକୁ ଠେଲିଦେଇ ପାରିବାନାହିଁ । ତାହା ଆଜି ସ୍ପଷ୍ଟଭାବେ ଆଣବିକ ବିଘଟନ ଦ୍ୱାରା ବିଦୁ୍ୟତ ଉତ୍ପାଦନ ପାଇଁ ଯେଉଁ ବୈଷୟିକ ବିଦ୍ୟାର ଉଦ୍ଭାବନ କରାଯାଇଛି, ସେଥିପାଇଁ ଅଧିକ ପ୍ରଯୁଜ୍ୟ । ସମଗ୍ର ଆମେରିକାରେ ୫୦ଟି ଆଣବିକ କେନ୍ଦ୍ର ବିଛାଡ଼ି ହୋଇ ଖୋଲାଯାଇଛି ଏବଂ ବିଶ୍ୱର ଅନ୍ୟ ଅନେକଅଞ୍ଚଳରେ ଆହୁରି ସେହିଭଳି ଅନେକକେନ୍ଦ୍ର ପ୍ରତିଷ୍ଠା ହୋଇଛି, ଯେଉଁମାନେ କି ଏହି ଆଣବିକ ବିଘଟନ ଦ୍ୱାରା ଅନେକ ଶକ୍ତି ଉତ୍ପାଦନ କରିଆସିଛନ୍ତି । ଆମଦେଶର ଏବଂ ବିଶ୍ୱର ଧାର୍ଯ୍ୟ କରାଯାଇଥିବା ଶକ୍ତି ଚାହିଦା ପୂରଣ କରିବାକୁ ଯଦି ଆମେ ଯାଉ, ତା’ହେଲେ ଏଭଳି ଏକ ପ୍ରକଳ୍ପକୁ ସମ୍ପୂର୍ଣ୍ଣଭାବେ ବାତିଲ କରିବାଟା ଏକ ଅବାସ୍ତବ ପ୍ରସ୍ତାବ ବୋଲି ଅନେକେ କହିବେ ।
କିନ୍ତୁ ଆଣବିକ ଅସ୍ତ୍ରଶସ୍ତ୍ର ଭିତରେ ଯେଉଁ ଭୟଙ୍କର ଧ୍ୱଂସର ତାଣ୍ଡବ ସୃଷ୍ଟି କଲାଭଳି ଉପାଦାନ ଲକ୍ଷ୍ୟ କରାଯାଇଥାଏ, ସେହିଭଳି ଭୟଙ୍କର ବିପଦ ଆଣବିକ ବିଘଟନ ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ ବ୍ୟବହାର ପାଇଁ ଯେଉଁ ଶକ୍ତି ଉତ୍ପାଦନ କରାଯିବ; ତା’ଭିତରେ ଲୁଚିକି ରହିଛି । ଆମପାଇଁ ଏହା ଅତି ଜରୁରୀ ଯେ, ଆମେ ସେହି ବିପଦଗୁଡ଼ିକୁ ସିଧାସଳଖ ଚିହ୍ନଟ କରିବା ଏବଂ ସେମାନଙ୍କ ଉପରେ ସର୍ବାଧିକ ନିୟନ୍ତ୍ରଣ ଜାହିର କରିବା । ମୁଁ ଦସ୍ତଖତ କରିଥିବା ଏବଂ ଆମେରିକାର ବୈଜ୍ଞାନିକ ତଥା ବୈଷୟିକ ସମୁଦାୟର ୨୩୦୦ ସଦସ୍ୟ ମଧ୍ୟ ଦସ୍ତଖତ କରି ଆମେରିକାର ରାଷ୍ଟ୍ରପତି ଭବନ ତଥା କଂଗ୍ରେସରେ ଦାଖଲ କରାଯାଇଥିବା ଗୋଟିଏ ଅଭିଯୋଗ ପତ୍ରର ଏହା ହେଉଛି ସାରମର୍ମ । ଏହି ପତ୍ରରେ ଦ୍ରୁତଗତିରେ ପ୍ରସାରିତ ହେଉଥିବା ଆଣବିକ କାର୍ଯ୍ୟକ୍ରମଗୁଡ଼ିକ ଭିତରେ ଥିବା ବିପଦଗୁଡ଼ିକ କେତେ ବିରାଟ, ସେ ସମ୍ପର୍କରେ ତାଗିଦ କରି କୁହାଯାଇଛି ।
ସେ ସବୁ ବିପଦଗୁଡ଼ିକ ଭିତରେ ଅଛି : ୧) ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକ ନିୟମିତ ଭାବେ ରଞ୍ଜନରଶ୍ମି କ୍ରିୟାଶୀଳ ବସ୍ତୁଗୁଡ଼ିକୁ ପରିବେଶ ଭିତରକୁ ଛାଡ଼ିଥାନ୍ତି ଯାହାକୁ ଏଡ଼ାଇ ଦିଆଯାଇ ପାରିବନାହିଁ । ସେଗୁଡ଼ିକର ପରିମାଣ କମ୍ ହେଲେ ବି ନିଶ୍ଚିତଭାବେ ସେଥିରେ କ୍ୟାନସର୍ ସୃଷ୍ଟି ହେଲାଭଳି କାରଣ ଥାଏ ଏବଂ ଯେଉଁ ବ୍ୟକ୍ତି ତଥା ସେମାନଙ୍କର ବଂଶଧରମାନେ ଏଭଳି ବସ୍ତୁର ସଂସ୍ପର୍ଶରେ ଆସିଥାନ୍ତି, ସେମାନଙ୍କର ଗୁଣସୂତ୍ର ବ୍ୟବସ୍ଥାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।
୨) ଭୟଙ୍କର ଦୁର୍ଘଟଣାଗୁଡ଼ିକର ବିପଦକୁ ପୂର୍ବାନୁମାନ କରିହେବ ନାହିଁ ଏବଂ ସେସବୁର ପରିଣାମଗୁଡ଼ିକ ଅତି ଭୟଙ୍କର । ଯଦିଓ ଏହା ଖୁସିର କଥା ଯେ, ଏଯାଏଁ ସେଭଳି କୌଣସି ଦୁର୍ବିପାକ ସୃଷ୍ଟି କଲାଭଳି ଦୁର୍ଘଟଣା ହୋଇନାହିଁ । ତେବେ ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକର ପରିଚାଳନା କରିବାର ଅନୁଭୂତି ବିଶ୍ୱରେ ଅତି ସଂକ୍ଷିପ୍ତ ହୋଇଥିବା ଦୃଷ୍ଟିରୁ ଭବିଷ୍ୟତର ନିରାପତ୍ତା ଦୃଷ୍ଟିରୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାପାଇଁ ଏହି ସ୍ୱଳ୍ପ ଅନୁଭୂତି ଉପରେ ଭରସା କରାଯାଇ ପାରିବ ନାହିଁ । ଖରାପ ପରିଚାଳନା, ମାନବିକ ତ୍ରୁଟି, ପ୍ରାକୃତିକ ବିପର୍ଯ୍ୟୟ ଏବଂ ସାମାଜିକ ଅଶାନ୍ତି ଇତ୍ୟାଦି କାରଣଗୁଡ଼ିକ ଉପରେ ନିର୍ଭରଶୀଳ ହୋଇଥିବା ସମାଜ ଯଦି ଆଣବିକ ବିଘଟନ ଦ୍ୱାରା ସୃଷ୍ଟି ହେଉଥିବା ଶକ୍ତିଉପରେ ନିର୍ଭର କରେ ତେବେ ସେଥିରେ ବିପଦ ନିଶ୍ଚୟ ରହିବ ।
୧୯୭୩ ମସିହାରେ ଆଣବିକ ଶକ୍ତି ଆୟୋଗ ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକରେ ଘଟିଥିବା ୮୬୧ଟି ‘ଅସ୍ୱାଭାବିକ ଘଟଣା’ଘଟଣାର ତାଲିକା ପ୍ରସ୍ତୁତ କରିଥିଲେ ଯେଉଁଥିରୁ ୩୭୧ଟିର ଶକ୍ତି ଥିଲା କ୍ଷତିକାରକ ଅଘଟଣ ଘଟାଇବାରେ । ଏହିଭଳି ତାଲିକା ଯୋଗୁଁ ବ୍ରିଟିଶ ସରକାରଙ୍କର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍ ଆଲାନ୍ କୋଟ୍ରେଲ୍ ଆମେରିକା ଦ୍ୱାରା ତିଆରି କରାଯାଇଥିବା ଆଣବିକ ଶକ୍ତିକେନ୍ଦ୍ରକୁ ନାକଚ କରିଦେଇଥିଲେ । ତାଙ୍କମତରେ ‘ଗୋଟିଏ ଲଘୁ ଜଳଉପରେ ପ୍ରତିଷ୍ଠିତ ଆଣବିକ କେନ୍ଦ୍ର ନିର୍ଭର କରିଥାଏ ଅତି ସୂକ୍ଷ୍ମ ଏବଂ ଗୁଣାତ୍ମକ ଦୃଷ୍ଟିରୁ ଉତ୍ତମ ନିର୍ମାଣ ତଥା ପରିଚାଳନା ବ୍ୟବସ୍ଥା ଉପରେ ଯାହାକୁ ନିୟମିତ ଭାବେ କାମ ଚାଲିଥିବା ବେଳେ ହିଁ ଅଧିକ କଷ୍ଟ ସ୍ୱୀକାର କରି ଏବଂ ବିସ୍ତୃତ ଭାବେ ପରୀକ୍ଷାନିରୀକ୍ଷା କରାଯାଇ ପାରିବ । ମୋର ଆଶା ଯେ ଆମଦେଶର ନିରାପତ୍ତା କେବେବି ଅତି ମାନବୀୟ, ଯାନ୍ତ୍ରିକ ତଥା ବ୍ୟବହାରିକ ଗୁଣଗୁଡ଼ିକ ଉପରେ ନିର୍ଭରଶୀଳ ହେବ ନାହିଁ ।’
ନିରାପତ୍ତା ସମସ୍ୟାର ଗୋଟିଏ ଅନ୍ତଃରାଷ୍ଟ୍ରୀୟ ଦିଗ ରହୁଛି ଯେହେତୁ ଆମେରିକା ଏବଂ ଅନ୍ୟ କିଛି ଉନ୍ନତ ଦେଶମାନେ ଆଣବିକ କେନ୍ଦ୍ରଗୁଡ଼ିକର ଶିଳ୍ପ ତଥା ବାଣିଜ୍ୟପାଇଁ ଏହିଭଳି ଅନେକ ଦେଶକୁ ଆଣବିକ ଶକ୍ତି କେନ୍ଦ୍ର ବିକ୍ରିକରିବାର ମସୁଧା କରୁଛନ୍ତି ଯେଉଁ ଦେଶମାନଙ୍କରେ ସର୍ବନିମ୍ନ ବୈଷୟିକ ଭିତ୍ତିଭୂମି ତଥା ପ୍ରଶାସନିକ ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ, ଏଭଳି କେନ୍ଦ୍ରଗୁଡ଼ିକର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ । ଏହିଭଳି ଏକ ବିପଦକୁ କମ୍ ଧ୍ୟାନ ଦିଆଯାଇଛି ଯଦିଓ ସବୁବେଳେ ଧ୍ୟାନଟା ରହୁଛି ଏକ ରାଜନୈତିକ ସମସ୍ୟା ଉପରେ ଯେ ଯେମିତିକି ଏହି ଦେଶମାନେ ଏଭଳି ଆଣବିକ ଶକ୍ତିକୁ ନେଇ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରନ୍ତି ନାହିଁ । ଶେଷରେ ଏତିକି ଉଲ୍ଲେଖ କରିବା ଉଚିତ ହେବ ଯେ, ନିରାପତ୍ତାର ସବୁ ପ୍ରଶ୍ନଗୁଡ଼ିକ ବହୁଗୁଣିତ ହୋଇଯିବ ଯଦି ଆଣବିକ ଶକ୍ତିକେନ୍ଦ୍ରର ବୈଷୟିକ ଜ୍ଞାନକୌଶଳକୁ ବଢ଼ାଇ ଦିଆଯାଇ ଫାଷ୍ଟ ବ୍ରିଡ଼ର ରିଆକ୍ଟର ନିର୍ମାଣ କରାଯାଏ ।
୩)ଆଣବିକ ବର୍ଜ୍ୟବସ୍ତୁଗୁଡ଼ିକର ପରିବହନ, ସଂରକ୍ଷଣ ଏବଂ ବିଘଟନ ପାଇଁ ସେହିଭଳି କୌଣସି ଉପଯୁକ୍ତ ଦୀର୍ଘକାଳୀନ ବୈଷୟିକ ବିଦ୍ୟା ଏଯାଏଁ ଆମ ନିକଟରେ ଉପଲବ୍ଧ ହୋଇପାରୁ ନାହିଁ । ସତକଥାଟି ହେଲା ଯେ, ସେଗୁଡ଼ିକ ଭିତରୁ କିଛି ବସ୍ତୁ ଅତି ଘାତକ ଶକ୍ତିସମ୍ପନ୍ନ ରଞ୍ଜନରଶ୍ମି ବହନ କରିଥାନ୍ତି । ଓକ୍ ରିଜ୍ ନ୍ୟାସନାଲ ଲାବୋରେଟୋରୀର ନିଦେ୍ର୍ଦଶକ ଆଲଭିନ୍ ୱେନ୍ବର୍ଗ ବହୁତ ଭଲଭାବେ କହିଛନ୍ତି ଯେ, ‘ଆମେ ଆଣବିକ ଲୋକମାନେ ସମାଜସହିତ ଏକ ଫଷ୍ଟିଅ ମୁଲଚାଲ କରିଛେ । ଗୋଟିଏ ପଟେ ଆମେ ଆଣବିକ ଚୁଲାରେ ତାଙ୍କୁ ଶକ୍ତିର ଏକ ଅସରନ୍ତି ଆଧାର ଯୋଗାଇ ଦେଉଛେ । କିନ୍ତୁ ସମାଜଠୁ ଆମେ ଯେଉଁ ମୂଲ୍ୟ ଆଶା କରୁଛେ । ଏହିଭଳି ଏକ କୁହୁକ ଶକ୍ତିର ଆଧାର ପାଇଁ ତାହା ହେଉଛି ଉଭୟ ତଦାରଖ ଏବଂ ଦୀର୍ଘଜୀବନ ଯେଉଁଥିପାଇଁ ଆମର ସାମାଜିକ ଅନୁଷ୍ଠାନମାନେ ପ୍ରସ୍ତୁତ ନଥାନ୍ତି । ତା’ହେଲେ ସମାଜ ନିଜେ କ’ଣ ଚାହୁଁଛି ନିଜେ ନିର୍ଦ୍ଧାରଣ କରିବା ଦରକାର, ଯାହାକି ଆମେ ଆଣବିକ ଲୋକମାନେ ନିର୍ଦ୍ଧାରଣ କରିବା କଥା ନୁହେଁ ।’
୪) ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକୁ ଅପରାଧିକ ଏବଂ ରାଜନୈତିକ ଆତଙ୍କବାଦରୁ ସୁରକ୍ଷିତ ରଖିବାପାଇଁ ଏହିସବୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢ଼ାଇବା ନିହାତି ଜରୁରୀ । ଏସବୁ କେନ୍ଦ୍ରଗୁଡ଼ିକରେ ଚୋରି ବା ଅନ୍ତର୍ଘାତୀ କାର୍ଯ୍ୟକ୍ରମ ଏବଂ ବର୍ଷସାରା ଯେଉଁ ହଜାର ହଜାର ଥର ରଞ୍ଜନରଶ୍ମି କ୍ରିୟା ବସ୍ତୁଗୁଡ଼ିକୁ ନେଇ ସ୍ଥଳ, ଜଳ ବା ଆକାଶପଥରେ ପରିବହନ କରାଯିବ ଏସବୁ କାମ ପାଇଁ ରାଜ୍ୟକୁ ଗୋଟିଏ ମିଲିଟାରୀ ରାଜ୍ୟରେ ପରିଣତ ହେବାକୁ ପଡ଼ିବ ।
ଏସବୁ ତଥା ଏହାଠାରୁ ଅଧିକ କାରଣ ଯୋଗୁଁ ମୁଁ କହିବି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଗୋଟିଏ ମସ୍ତବଡ଼ ଭୁଲ୍ କରିବ ଯଦି ସେମାନେ ବର୍ତ୍ତମାନ ଥିବା ୫୦ଟି ଆଣବିକ କେନ୍ଦ୍ରରୁ ୧୦୦୦ଟି ଆଣବିକ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି । ସମୟ ଏବଂ ବ୍ୟାପକ ଗବେଷଣାର ଆବଶ୍ୟକତା ଦୃଷ୍ଟିରୁ ହୁଏତ ନିର୍ମାଣ ପ୍ରକ୍ରିୟାରେ ବିଳମ୍ବ ଘଟି କିଛି ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ଆମର ବର୍ତ୍ତମାନର ଯୋଜନାଗୁଡ଼ିକ ଗୋଟିଏ ବହୁତ ବଡ଼ ଜୁଆଖେଳ ଭଳି ମନେ ହେଉଛି ।
ଯଦି ଏହିକଥା କୁହାଯାଇ ଆପତ୍ତି କରାଯାଏ ଯେ, ଏତେ ବିଳମ୍ବ ରାଷ୍ଟ୍ରପାଇଁ ମହଙ୍ଗା ପଡ଼ିବ, ଯେହେତୁ ଶକ୍ତି ଚାହିଦା ବଢ଼ି ଚାଲିଛି ଏବଂ ତୈଳ ଯୋଗାଉଥିବା କମ୍ପାନୀମାନଙ୍କ କ୍ଷେତ୍ରରେ ଅନିଶ୍ଚିତତା ଦେଖାଦେଇଛି ତା’ହେଲେ ଆମେ ସ୍ପଷ୍ଟଭାବେ କହିବୁ ଯେ, ଆମେରିକା ଅନେକ ଶକ୍ତିର ଅପଚୟ କରୁଛି ଯାହାକି ତାହାର ସମୁଦାୟ ଆଣବିକ ଶକ୍ତିକେନ୍ଦ୍ର ଠାରୁ ପ୍ରସ୍ତୁତ ହେଉଥିବା ଶକ୍ତି ତୁଳନାରେ ଢେର୍ ଅଧିକ । ଗୋଟିଏ ବାସ୍ତବ ସଂରକ୍ଷଣ ଉଦ୍ୟମ ଆରମ୍ଭ କରାଯାଇ ପାରିବ ଯଦି ଆମେ ଗବେଷଣା କ୍ଷେତ୍ରକୁ ଆସ୍ତେ ଆସ୍ତେ ବ୍ୟାପକ କରି ପାରମ୍ପରିକ ଶକ୍ତି କ୍ଷେତ୍ରଗୁଡ଼ିକୁ ସୁବିନିଯୋଗ କରୁ ଯଥା-କୋଇଲା ଜାଳି ଶକ୍ତିଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଅଧିକ ସଂରକ୍ଷଣ ସୁଲଭ କରିପାରୁ ଏବଂ ଆମେ ଅନ୍ୟାନ୍ୟ ପ୍ରାକୃତିକ ଶକ୍ତିର ଉତ୍ସଉପରେ ଅଧିକ ଗୁରୁତ୍ୱ ଦେଇପାରୁ ଯଥା- ସୂର୍ଯ୍ୟ, ବାୟୁ, ଢେଉ, ପୃଥିବୀର ତଳଭାଗରୁ ସୃଷ୍ଟି ହେଉଥିବା ଉତ୍ତାପ ଇତ୍ୟାଦି । ଏହିସବୁ ଶକ୍ତିର ଆଧାରଗୁଡ଼ିକ ମାନବ ସଭ୍ୟତାର ଉତ୍ତମ ଭବିଷ୍ୟତକୁ ନିଶ୍ଚିତ କରିବାପାଇଁ ଉପଯୁକ୍ତଭାବେ ଶକ୍ତି ଯୋଗାଇପାରିବ । ଆମେ ଆଣବିକ ଶକ୍ତି କେନ୍ଦ୍ରର ମୋହରେ ସେସବୁକୁ ଅବହେଳା କରିବା ଉଚିତ ହେବନାହିଁ ।
ବିଗତ ଶତାବ୍ଦୀର ୭୦ଦଶକରେ ଗୋଟିଏ ବିତର୍କ ଆରମ୍ଭ ହେଲା । କିଛିବର୍ଷ ଧରି ବିତର୍କଟି ଚାଲିଥିଲା । ଓକିଲ, ବିଭିନ୍ନ ବୃତ୍ତିର ଲୋକ, ସାମାଜିକ କର୍ମୀ; ସମସ୍ତେ ଏହି ବିତର୍କରେ ଭାଗ ନେଇଥିଲେ । ୧୯୭୮ର ଶେଷଭାଗକୁ ଆମେରିକାର ସରକାର ନିଷ୍ପତ୍ତି ନେଲେ ସିଧାସଳଖ ସବୁ ଆଣବିକ କାର୍ଯ୍ୟକ୍ରମକୁ ବନ୍ଦ କରିଦେବେ । ଅଧିକାଂଶ ଆଣବିକ ତାପଜ କେନ୍ଦ୍ରଗୁଡ଼ିକ ଯାହାର ନିର୍ମାଣ ଚାଲିଥିଲା, ସେସବୁକୁ ଜୀବାଶ୍ମରୁ ଜାତ ଇନ୍ଧନ ପ୍ରୟୋଗ କରି ଚାଲିଥିବା ତାପଜ କେନ୍ଦ୍ରରେ ରୂପାନ୍ତରିତ କରାଯାଇଥିଲା ଏବଂ ଅନ୍ୟଗୁଡ଼ିକୁ ସିଧାସଳଖ ପରିତ୍ୟାଗ କରିଦିଆଯାଇଥିଲା । ୧୯୭୮ ପରେ ଯୁକ୍ତରାଷ୍ଟ୍ର ଆମେରିକା ଗୋଟିଏ ବି ଆଣବିକ ତାପଜ କେନ୍ଦ୍ର ତିଆରି କରିନାହିଁ । ମତେ ଏହି କଥାଟି ବିସ୍ମିତ କରିଛି ଯେ, ଶ୍ରୀ ଅବଦୁଲ୍ କାଲାମ ଏହିଭଳି ଗୋଟିଏ ସତ୍ୟ ବାବଦରେ ପଦଟିଏ ବି କହିନାହାନ୍ତି । ଆଣବିକ ଶକ୍ତିଉପରେ କେବଳ ଜର୍ମାନୀ କାହିଁକି, ଜାପାନ ଏବଂ ଫ୍ରାନ୍ସ ମଧ୍ୟ ଯେଉଁ ପୁନଃ ବିଚାର କରୁଛନ୍ତି ତାହାର ନିର୍ଦ୍ଦିଷ୍ଟ କିଛି କାରଣ ଅଛି । ଏହିସବୁ ଦେଶମାନଙ୍କରେ ଶକ୍ତିର ପ୍ରାଚୁର୍ଯ୍ୟ ଅଛି, ଏଭଳି କହି ଶ୍ରୀ କାଲାମ ଆମମନରେ ଯେଉଁ ବିଶ୍ୱାସ ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି, ତାହା ଠିକ୍ ନୁହେଁ । ସେମାନଙ୍କ ବୁଝାମଣାଗୁଡ଼ିକ ଏହି କଥାଟି ଉପରେ ଆଧାରିତ ଯେ, ଆଣବିକ ଶକ୍ତି ଅତି କଦର୍ଯ୍ୟ । ଆମେରିକା, ଫ୍ରାନ୍ସ ବିଭିନ୍ନ ଦେଶକୁ ଯେଉଁ ଆଣବିକ ରିଆକ୍ଟରଗୁଡ଼ିକ ରପ୍ତାନୀ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି, ତାହା କୌଣସି ‘ଶକ୍ତିକୁ ନେଇ ଦୃଷ୍ଟିଭଙ୍ଗୀ’ ଯୋଗୁଁ ନୁହେଁ ବରଂ ‘ଲାଭର ଏକ ଦୃଷ୍ଟିଭଙ୍ଗୀ’ ଉପରେ ପର୍ଯ୍ୟବସିତ । ସେମାନେ ଯଥେଷ୍ଟ ଯନô ନେଇଥାନ୍ତି ଯେ, ସେ ଦେଶର କମ୍ପାନୀଗୁଡ଼ିକ ଉପରେ ଯେଭଳି ଏପରି କୌଣସି ବୋଝ ରହିବ ନାହିଁ ଯାହା ଆଣବିକ ଶକ୍ତି ପ୍ରକଳ୍ପ ପାଇଁ ସାମଗ୍ରୀ ଯୋଗାଣ ଯୋଗୁଁ ଉପୁଜିବାର ସମ୍ଭାବନା ଥାଏ । ବହୁ ଆଗରୁ ଏବଂ ଏବେ ମଧ୍ୟ ଆଣବିକ ଦୁର୍ଘଟଣାଜନିତ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ବୀମା କମ୍ପାନୀମାନେ ଆଗ୍ରହୀ ନୁହଁନ୍ତି । ଯେତିକି ଅର୍ଥ ଏଥିପାଇଁ ଦରକାର ପଡ଼ିବ, ସେଥିପାଇଁ କେହି ବି ଆଗ୍ରହ ନେଇନଥାନ୍ତି । ବିଡ଼ମ୍ବନାର କଥା ଯେ, ଭାରତ ସରକାର ଆମେରିକାର ଚାପରେ ପଡ଼ି ଆଣବିକ ଶକ୍ତି କେନ୍ଦ୍ରକୁ ସାମଗ୍ରୀ ଯୋଗାଣ କରୁଥିବା କମ୍ପାନୀମାନଙ୍କୁ ଦୁର୍ଘଟଣାଜନିତ ଉତ୍ତରଦାୟିତ୍ୱରୁ ମୁକ୍ତ କରିଦେଇଛନ୍ତି । ମୁଁ ବୁଝିପାରୁନି ଆମେ କାହିଁକି ଆମେରିକା ନିକଟରେ ଆଣ୍ଠେଇ ପଡ଼ି ବିନୟହୋଇ ସୌଦା କରିବା । ଯେହେତୁ ଆମ ସରକାର ମଣିଷ ଜୀବନକୁ ଅତି ନୁ୍ୟନ ଭାବେ ଦେଖନ୍ତି, ସେଥିପାଇଁ ତାହାର ମୂଲ୍ୟ ଅତି ନଗଣ୍ୟ-ଏଭଳି ଏକ ଚିତ୍ର ତିଆରି କରିଥାନ୍ତି । ଭୋପାଳ ଗ୍ୟାସ ଦୁର୍ବିପାକ ବେଳେ ଆମେ ଏଭଳି ଏକ ମାନସିକତାର ପରିଚୟ ପାଇସାରିଛୁ ।
ଶ୍ରୀ କାଲାମ ଏବଂ ଶ୍ରୀ ସିଂହଙ୍କର ଅଧିକାଂଶ ଯୁକ୍ତି ତ୍ରୁଟିପୂର୍ଣ୍ଣ ବୋଲି ମୁଁ ଯୁକ୍ତି କରିପାରେ । ସେମାନେ ଯୁକ୍ତି ରଖନ୍ତି ଯେ, ଆଣବିକ ଶକ୍ତି ପ୍ରଚୁରଭାବେ ଉପଲବ୍ଧ ଏବଂ କୋଇଲାର ବିକଳ୍ପ ହିସାବରେ ବ୍ୟବହାର କରାଯାଇପାରିବ, ଆର୍ଥିକ ଦୃଷ୍ଟିରୁ ଅଧିକ ଉତ୍ସାହପ୍ରଦ, କୋଇଲା ଅପେକ୍ଷା ଅଧିକ ବା ସମ୍ପୂର୍ଣ୍ଣଭାବେ ନିରାପଦ, ଥୋରିୟମ୍ ଯାହା ଆଣବିକ ଶକ୍ତି ପାଇଁ ବ୍ୟବହୃତ ହୁଏ କେବେବି ସରିବ ନାହିଁ, ଭାରତରେ ସବୁଠୁ ଅଧିକ ମହଜୁଦ୍ ଅଛି ଏବଂ ବିଶ୍ୱର ‘ଶକ୍ତି ରାଜଧାନୀ’ ହେବାର ଆଶାକୁ ଉଜ୍ଜୀବିତ କରୁଛି ଏବଂ ଶେଷରେ, ଆଣବିକ ବର୍ଜ୍ୟବସ୍ତୁ ପରିଚାଳନା କରିବା ଗୋଟିଏ ସମସ୍ୟା ନୁହେଁ । ଏ ସମସ୍ତ ଯୁକ୍ତି ତ୍ରୁଟିପୂର୍ଣ୍ଣ ।
ଆଣବିକ ଶକ୍ତି ପ୍ରଚୁରଭାବେ ଉପଲବ୍ଧ ହୋଇପାରିବ ନାହିଁ:
ପାଞ୍ଚ ଦଶନ୍ଧିରୁ ଊଦ୍ଧ୍ୱର୍ କାଳ ଆମେ ବ୍ୟାପକଭାବେ ଆଣବିକ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ପ୍ରବେଶ କରିସାରିଛେ । ବର୍ତ୍ତମାନସୁଦ୍ଧା ଆମେ କେବଳ ପାଞ୍ଚଞ୍ଚହଜାର ମେଗାୱାଟ୍ ଆଣବିକ ଶକ୍ତି ତିଆରି କରିପାରୁଛେ । ତାରାପୁରଠାରେ ପ୍ରତିଷ୍ଠିତ ପ୍ରଥମ ଆଣବିକ ଶକ୍ତି କେନ୍ଦ୍ରଟି ୧୯୬୯ମସିହାରେ ବ୍ୟବସାୟିକ ଉତ୍ପାଦନ ପାଇଁ କାମ ଆରମ୍ଭ କରିଥିଲା, ଯାହାକି ଚାରିଦଶନ୍ଧିରୁ ଊଦ୍ଧ୍ୱର୍ ଅତିବାହିତ ହୋଇସାରିଲାଣି । ଆଣବିକ ଶକ୍ତିକୁ ବିରୋଧ କରିବା ଭାରତରେ ଅତି ନୂଆ । ବିଂଶ ଶତାବ୍ଦୀର ପଚାଶ ଏବଂ ଷାଠିଏଦଶକରେ ଆଶା କରାଯାଉଥିଲା ଯେ, ୨୦୦୦ ମସିହା ସୁଦ୍ଧା ଆମେ ୧ଲକ୍ଷ ୪୦ହଜାର ମେଗାୱାଟ୍ ଆଣବିକ ଶକ୍ତି ପ୍ରସ୍ତୁତ କରିପାରିବା ଏବଂ ସାମଗ୍ରିକ ବିଦ୍ୟୁତ ଉତ୍ପାଦନର ପଚାଶଭାଗରୁ ଅଧିକ କେବଳ ଆଣବିକ ଶକ୍ତିରୁ ଆସିବ । ଆଣବିକ ଶକ୍ତି ଶସ୍ତା ରହିବ ବୋଲି ଆଶା କରାଯାଉଥିଲା । ସେ ସ୍ୱପ୍ନ ସାକାର ହେଲାନାହିଁ କାହିଁକି?
ଅନେକ ବୈଷୟିକ ସମସ୍ୟା ଥିଲା । କଞ୍ଚାମାଲର ସମସ୍ୟା ମଧ୍ୟ ଥିଲା । ଆର୍ଥିକ ମୂଲ୍ୟର ସମସ୍ୟା ଥିଲା । ଆମଦେଶ ପାଖରେ ମଧ୍ୟ ବହୁତ କମ୍ ୟୁରାନିୟମ୍ ମହଜୁଦ୍ ଥିଲା, ଯାହାକି ୪୦ବର୍ଷ ପାଇଁ କେବଳ ୧୦ହଜାର ମେଗାୱାଟ୍ ଆଣବିକ ଶକ୍ତି ପ୍ରସ୍ତୁତ କରିବା ପାଇଁ ସକ୍ଷମଥିଲା । ସବୁ ଆଶାଗୁଡ଼ିକ କେବଳ ଥୋରିୟମ୍ ଏବଂ ୟୁରାନିୟମ୍ ୨୩୩ ଭଳି ଇନ୍ଧନର ପ୍ରୟୋଗରେ ଯେଉଁ ବ୍ରିଡ଼ର ରିଆକ୍ଟର ପ୍ରତିଷ୍ଠା କରିବାର ଥିଲା, ତାହା ଉପରେ ହିଁ ଆଧାରିତ ଥିଲା । ଏହି ବ୍ରିଡ଼ର ରିଆକ୍ଟରଗୁଡ଼ିକ ୟୁରାନିୟମ୍-ପ୍ଲୁଟୋନିୟମ୍ ଏବଂ ଥୋରିୟମ୍-ପ୍ଲୁଟୋନିୟମ୍ ଭଳି ଶକ୍ତିର ପ୍ରୟୋଗରେ ଯେଉଁ ଫାଷ୍ଟ୍ ବ୍ରିଡ଼ର ରିଆକ୍ଟର ଚାଲିଥାଏ ସେହି ସ୍ତର ଦେଇ ପ୍ରଥମେ କାମ କରିବାର ଥିଲା, ଯାହାକୁ ଏକ ମଧ୍ୟବର୍ତ୍ତୀକାଳୀନ ପର୍ଯ୍ୟାୟ ବୋଲି ବିବେଚନା କରାଯାଇଥିଲା । ଏହି ଯେଉଁ ବ୍ରିଡ଼ର ରିଆକ୍ଟର କଥା କୁହାଯାଉଛି ଯାହା ଗୋଟିଏ ପ୍ରକ୍ରିୟାରେ ଆଣବିକ ଶକ୍ତି ତିଆରି କରିଥାଏ ତାହା ବୈଷୟିକ ଦୃଷ୍ଟିକୋଣରୁ ହେଉ ବା ଆର୍ଥିକ ଦୃଷ୍ଟିକୋଣରୁ ହେଉ କେତେଦୂର ବ୍ୟବସାୟିକ ଉତ୍ପାଦନ ପାଇଁ ଆମକୁ ସୁହାଇବ ତାହା ଏଯାଏଁ ନିଶ୍ଚିତ ହୋଇନାହିଁ । ଏହି ବ୍ରିଡ଼ର ରିଆକ୍ଟରଗୁଡ଼ିକ ପଚାଶ ଦଶକରେ ଆରମ୍ଭ ହୋଇଥିଲା । ଦେଶ ପରେ ଦେଶ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଅପଚୟ କଲାପରେ ଏହି କାର୍ଯ୍ୟକ୍ରମଗୁଡ଼ିକୁ ବନ୍ଦ କରିଦେଇଥିଲେ । ଦୁନିଆରେ ବହୁତ କମ୍ ବ୍ୟବସାୟିକ ରିଆକ୍ଟର ତିଆରି କରାଯାଉଛି । କୌଣସି ବି ରିଆକ୍ଟର ଦୀର୍ଘଦିନ କାମ କରିବାର ଅନୁଭୂତି ନାହିଁ । ଆମକୁ ଥୋରିୟମ୍-ପ୍ଲୁଟୋନିୟମ ଇନ୍ଧନ ବ୍ୟବହାର କରି ଏବଂ ଶେଷରେ ପୁଣି ଥୋରିୟମ୍- ୟୁରାନିୟମ୍ ଭଳି ଇନ୍ଧନ ବ୍ୟବହାର କରି ଏହି ରିଆକ୍ଟରଗୁଡ଼ିକ କ’ଣ କରୁଛନ୍ତି ପରୀକ୍ଷିତ କରିବାକୁ ପଡ଼ିବ ।
ବିଶ୍ୱରେ କେବଳ ଗୋଟିଏ ମାତ୍ର ଫାଷ୍ଟ୍ ବ୍ରିଡ଼ର ରିଆକ୍ଟର ବ୍ୟବସାୟିକ ଉତ୍ପାଦନ କରୁଛି, ତାହା ହେଉଛି ବି.ଏନ୍-୬୦୦ ବେଲୋୟାରସ୍କ ଆଣବିକ ଶକ୍ତିକେନ୍ଦ୍ର ଯାହା ଋଷିଆରେ ପ୍ରତିଷ୍ଠିତ । ଏହି ଆଣବିକ ଶକ୍ତିକେନ୍ଦ୍ରଟି ମଧ୍ୟ କେବଳ ଦୁଇ ଦଶନ୍ଧି ହେଲା କାମ କରୁଛି । ସେଇଠି ମଧ୍ୟ ଅନେକ ଘଟଣା ଦୁର୍ଘଟଣାର ଖବର ମିଳୁଛି ଯଦିଓ ଗୋଟିଏ ବି ଏତେ ସାଂଘାତିକ ନୁହେଁ । କିନ୍ତୁ ସେହି ଶକ୍ତିକେନ୍ଦ୍ରର ଚାରିପଟେ ଆଣବିକ ପ୍ରଦୂଷଣ ଅତି ତୀବ୍ର ସ୍ତରରେ ଅଛି । ଦୁନିଆସାରା ଅଧାଡଜନ ବ୍ରିଡ଼ର ରିଆକ୍ଟର ଥିଲେ ବି ଗୋଟିଏ ବି ଏଯାଏଁ ବ୍ୟବସାୟିକ ଭିତ୍ତିରେ ଆଣବିକ ଶକ୍ତି ଉତ୍ପାଦନ କରୁନାହାନ୍ତି । ସବୁ ରିଆକ୍ଟରଗୁଡ଼ିକର ସାମଗ୍ରିକ ଇନ୍ଧନ ଧାରଣ କ୍ଷମତା ମାତ୍ର ଶତକଡ଼ା ୨୦ଭାଗ ହେବ । ଭାରତରେ ଫାଷ୍ଟ ବ୍ରିଡ଼ର ରିଆକ୍ଟରର ପ୍ରଥମ ନକଲ ଯେଉଁଥିରେ ୟୁରାନିୟମ୍-ପ୍ଲୁଟୋନିୟମ୍ ଅକ୍ସାଇଡ଼୍ ଭଳି ଇନ୍ଧନ ବ୍ୟବହାର କରାଯିବ ତାହାର ନିର୍ମାଣ ପ୍ରାୟ ସରିଆସିଲାଣି । ଏ ଭିତରେ ଏହା କାମ ଆରମ୍ଭ କରିବାର ଥିଲା । ବୈଷୟିକ ଏବଂ ପରିଚାଳନା ଗତ ସମସ୍ୟାଗୁଡ଼ିକ ବହୁ ଦିନ ଧରି ଲାଗିରହିବ, ଋଷିଆରେ ଉପରଲିଖିତ ଆଣବିକ ଶକ୍ତି କେନ୍ଦ୍ରରେ ଯେମିତି ଲାଗିରହିଛି । କେହି କହିପାରିବେ ନାହିଁ କେତେବର୍ଷ ଲାଗିବ ଯଥେଷ୍ଟ ପ୍ଲୁଟୋନିୟମ୍ ତିଆରି କରିବାପାଇଁ ଯେଉଁଥିରେ ସେହି କେନ୍ଦ୍ରରେ ଇନ୍ଧନ ଯୋଗାଇବା ସାଙ୍ଗକୁ ଅନ୍ୟ କେନ୍ଦ୍ରଗୁଡ଼ିକୁ ମଧ୍ୟ ଇନ୍ଧନ ଯୋଗାଇ ହେବ । ଏହିକଥା ଉପରେ ଯେ କେହି ବି କେବଳ ଅନୁମାନ କରିବା କଥା । କିନ୍ତୁ ସତ୍ୟ କ’ଣ କେହି ବି ଜାଣନ୍ତିନାହିଁ । ପ୍ଲୁଟୋନିୟମ୍ ତିଆରି କଲାପରେ ଅନ୍ତତଃ ତାହାର ଗୋଟିଏ ଭାଗ ଆଣବିକ ଅସ୍ତ୍ରଶସ୍ତ୍ର ତିଆରି କରିବାପାଇଁ ଚାଲାଣ ହୋଇଯିବ । ଆଣବିକ ଅସ୍ତ୍ରଶସ୍ତ୍ରର ଗୋଟିଏ ବିଶାଳ କ୍ଷେତ୍ର ପ୍ରସ୍ତୁତି କରିବା ଏବଂ ତାକୁ ବିତରଣ କରିବା ପାଇଁ ବ୍ୟବସ୍ଥାଟିଏ ତିଆରି କରି ଭାରତକୁ ବିଶ୍ୱର ଏକ ବିଶିଷ୍ଟ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରଭାବରେ ପ୍ରତିଷ୍ଠା କରିବାର ସ୍ୱପ୍ନ ଦେଖିଥିଲେ ଶ୍ରୀଯୁକ୍ତ କାଲାମ । ସେ ଚାହୁଁଥିଲେ ଯେ, ସୋଭିଏତ୍ ୟୁନିଅନ୍ର ବିଘଟନ ପରେ ଖାଲି ପଡ଼ିଥିବା ଦ୍ୱିତୀୟ ସ୍ଥାନଟି ଯେମିତି ଭାରତ ଦଖଲକରିବ । ଆମେ ଯେତେବେଳେ ଥୋରିୟମ୍-ପ୍ଲୁଟୋନିୟମ୍ ଏବଂ ଥୋରିୟମ୍-ୟୁରାନିୟମ୍-୨୩୩ ଚକ୍ର ଭିତରେ ପ୍ରବେଶ କରିବା, ତାହାର ଅନୁଭୂତି ଦୁନିଆରେ ଏଯାଏଁ କେଉଁଠି ବି ଉପଲବ୍ଧ ହୋଇନାହିଁ । ଏ ସବୁର ଯେତେ ପଦାର୍ଥବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସମସ୍ୟା ଅଛି ଯେ, ତାହା ଦୁନିଆସାରା ସମସ୍ତେ ଜାଣିଛନ୍ତି । ଆମେ ଯେତେବେଳେ ଗଭୀରତା ଭିତରକୁ ଯିବା ଆହୁରି ଅଧିକ ସମସ୍ୟା ମଧ୍ୟ ସାମ୍ନାକୁ ଆସିବ । ଆମକୁ ଏକଥା ମନେ ରଖିବାକୁ ପଡ଼ିବ ଯେ, ପରୀକ୍ଷଣର ୬ଟି ଦଶନ୍ଧି ପରେ ମଧ୍ୟ ବ୍ୟବସାୟିକ ଭତ୍ତିରେ ଆଣବିକ ଇନ୍ଧନର ପ୍ରୟୋଗ (ପ୍ଲୁଟୋନିୟମ୍ ୨୩୯ ଏବଂ ପରେ ୟୁରାନିୟମ୍ ୨୩୩) କରାଯାଇ ପାରିବ କି ନାହିଁ ତାହା ଏଯାଏଁ ପ୍ରମାଣିତ ହୋଇନାହିଁ । ଆଜିର ଦିନରେ ଆମ ପାଖରେ କେବଳ ସାଧାରଣ ତାପଜ ନୁ୍ୟଟ୍ରନ୍ ରିଆକ୍ଟର ଗୁଡ଼ିକ ଅଛି ଯେଉଁଗୁଡ଼ିକ ପ୍ରାକୃତିକ ୟୁରାନିୟମ୍-ଭାରିଜଳ ଭଳି ବା ଜଳକୁ ଅତି ଗରମ କରି ବା ପାଣି ଉପରେ ଚାପ ସୃଷ୍ଟି କରି ବ୍ୟବହାର କରାଇବା କଥାଟି ଉପରେ ନିର୍ଭରଶୀଳ । ଶେଷ ଦୁଇଟିର ବ୍ୟବହାର ୟୁରାନିୟମ୍କୁ ଅଧିକ ବିଶୋଧନ କରି ଇନ୍ଧନ ଭାବରେ ବିନିଯୋଗ କରିବାରେ କାମ କରିଥାଏ ଏବଂ ଯାହାକୁ ବାହାରୁ ଆମଦାନୀ କରିବାକୁ ପଡ଼ିଥାଏ । ଶ୍ରୀ କାଲାମ ଯେତେବେଳେ କୋଇଲାର ଆମଦାନୀଯୋଗୁଁ ହେଉଥିବା ଖର୍ଚ୍ଚଉପରେ ଗୁରୁତ୍ୱ ଦେଉଛନ୍ତି, ସେ ଆଣବିକ ଇନ୍ଧନ ଆମଦାନୀ ପାଇଁ ହେବାକୁ ଥିବା ଖର୍ଚ୍ଚ ଉପରେ ନିରବ ରହୁଛନ୍ତି । କେବଳ ସେତିକି ନୁହେଁ ଏଭଳି ଆମଦାନୀ ସହିତ ଯେଉଁ ରାଜନୈତିକ ରଜ୍ଜୁଟି ବନ୍ଧାଯାଇଛି, ସେ ସମ୍ପର୍କରେ ମଧ୍ୟ ସେ ନିରବ ରହୁଛନ୍ତି । ଯଦି ଯୁକ୍ତରାଷ୍ଟ୍ର ଆମେରିକା ବଦ୍ଧ ପରିକର ହୁଏ ଯେ, ଭାରତକୁ ଆଣବିକ ଶକ୍ତି ଯୋଗାଣ ନିଜେ ବା ଯେକୌଣସି ଅନ୍ୟ ଦେଶ ଦ୍ୱାରା ହେଉଥିଲେ ବି ବନ୍ଦ କରାଇଦେବ, ତେବେ ଆମ ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକ ଆପେ ଆପେ ବନ୍ଦ ହୋଇଯିବ । ଏଭଳି ଏକ ଘଟଣା ତାରାପୁର କ୍ଷେତ୍ରରେ ଆଗରୁ ହୋଇସାରିଛି । ଆମେ ଆମେରିକାର ରାଜନୈତିକ ସଙ୍ଗୀତ ସହ ତାଳଦେଇ ନୃତ୍ୟ କରିବାକୁ ପଡ଼ିବ । କୋଇଲା ଜାଳି ଯେଉଁ ତାପଜ କେନ୍ଦ୍ର ଆମେ ଚଳେଇ ଆସିଛନ୍ତି, ତାହା ଅନ୍ତତଃ ଏଭଳି ଏକ ଅଘଟଣ ଘଟିପାରେ କଥାଟି ଉପରେ ନିର୍ଭରଶୀଳ ନୁହେଁ, ଯେହେତୁ ଆମପାଖରେ ଅନେକ ବର୍ଷ ପାଇଁ ଯଥେଷ୍ଟ କୋଇଲା ମହଜୁଦ୍ ଅଛି । କୋଇଲା ଜାଳି ଯେଉଁ ତାପଜ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ତାକୁ ତିଆରି କରିବା ପାଇଁ ଆମର ରାଷ୍ଟ୍ରାୟତ୍ତ କ୍ଷେତ୍ର ହେଉ ବା ଘରୋଇ କ୍ଷେତ୍ର; ଜ୍ଞାନକୌଶଳ ଆମ ପାଖରେ ହିଁ ଅଛି । ଋଷିଆ ଭଳି ବା ଆମେରିକା,ଫ୍ରାନ୍ସ ଭଳି ଆଣବିକ ଶକ୍ତିକେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଯେତେସବୁ ସାମଗ୍ରୀ ତଥା ଇନ୍ଧନର ଆବଶ୍ୟକତା ପଡ଼ିବ, ସେସବୁକୁ ବାହାରୁ ଆମଦାନୀ କରିବାକୁ ପଡ଼ିବ: ସେତେବେଳେ ଆମେ ଆମେରିକାର ରାଜନୈତିକ ଚାପଆଗରେ ମୁଣ୍ଡ ନୁଅାଁଇବାକୁ ପଡ଼ିବ । ଶ୍ରୀ କାଲାମ ଏବଂ ଶ୍ରୀ ସିଂହ ଯେଉଁ ସମୀକ୍ଷା କରିଛନ୍ତି ଯେ, ଆଣବିକ ଶକ୍ତିବିରୋଧୀ ପ୍ରଚାରଟା ଉନ୍ନତ ଦେଶମାନଙ୍କରୁ ଉତ୍ପନ୍ନ ହୋଇଛି ‘ଭାରତ ଭଳି ଉଦୀୟମାନ ଦେଶମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ’ ତାହା ମୂଲ୍ୟହୀନ । ବରଂ ତାକୁ ଅନ୍ୟପ୍ରକାରେ ଦେଖାଯାଇପାରେ । ଏହି ଉନ୍ନତ ଦେଶମାନେ ବରଂ ଆଣବିକ ଶକ୍ତିର ବିକାଶ କରାଉଛନ୍ତି ଭାରତ ଭଳି ଦେଶମାନଙ୍କୁ ଗୋଟିଏ ରାଜନୈତିକ, ଅର୍ଥନୈତିକ ଖାଲ ଭିତରେ ପକାଇ ଦେବାପାଇଁ । ଆମ ରାଜନୈତିକ ନେତୃବର୍ଗ ଅତ୍ୟନ୍ତ ଉତ୍ସାହର ସହିତ ଏହି ଖାଲଭିତରେ ପଡ଼ିଯାଇଛନ୍ତି, ଯାହାକୁ ଆମର ଅନେକ ଆଣବିକ ବିଜ୍ଞାନୀ ଉନ୍ମାଦନାର ସହ ସମର୍ଥନ କରୁଛନ୍ତି । ଆଣବିକ ଶକ୍ତି କାର୍ଯ୍ୟକ୍ରମକୁ ବିରୋଧ କରିବା କଥାଟି ୭୦ଦଶକର ଅଗ୍ରଭାଗରେ ଆଣବିକ ବିଜ୍ଞାନୀମାନେ ହିଁ ଆରମ୍ଭ କରିଥିଲେ । ଏହି କଥାଟିର ପ୍ରମାଣ ଆଗରୁ ମୁଁ ଉଲ୍ଲେଖ କରିଛି ଯେ, କେମିତି ଆଣବିକବିଜ୍ଞାନୀ ହାରଲ୍ଡୋ ସି ୟୁରେ, ଗଫ୍ମ୍ୟାନ୍, ଟାମ୍ପଲିନ୍ ଏବଂ ସେମାନଙ୍କର ଅନେକ ସହଯୋଗୀ ଆମେରିକାର ରାଷ୍ଟ୍ରପତିଙ୍କୁ ଚିଠି ଲେଖି ପ୍ରତିବାଦ କରିଥିଲେ । ଏହି ବିରୋଧର ଅଗ୍ନିଶିଖାଟିକୁ ଗତ ଚାରିଦଶନ୍ଧି ଧରି ଅନେକ ବୈଜ୍ଞାନିକ ଆଗେଇ ନେଇ ଆସିଛନ୍ତି ଯେଉଁମାନେ କି ନିଜର ପଦପଦବୀ ସ୍ୱାର୍ଥଅପେକ୍ଷା ମଣିଷସମାଜକୁ ଭଲପାଇ ଆସିଛନ୍ତି । ସାମାଜିକ କର୍ମୀମାନେ ସେମାନଙ୍କଠୁ ଶିଖି ସେମାନଙ୍କର ସାଥି ଦେଇଛନ୍ତି ମାତ୍ର । ଏମିତିକି ଭାରତରେ ମଧ୍ୟ ନିକଟ ଅତୀତରେ ଆମେରିକା ସହ ହୋଇଥିବା ୧୨୩ଆଣବିକ ରାଜିନାମାଟିକୁ ବହୁ ବରିଷ୍ଠ ଆଣବିକ ବିଜ୍ଞାନୀ ବିରୋଧ କରିଛନ୍ତି । ଆମେ କହିପାରିବା ଯେ, ‘ଆଣବିକ ଶକ୍ତି ସମ୍ପର୍କରେ ଆମେ ଯେତେ ଅଧିକ ଜାଣିବା,ଏଥିପାଇଁ ଆମର ଆଗ୍ରହ ଅଧିକ କମିବ ।’ ତାକୁ ଯଦି ଅନ୍ୟ ପ୍ରକାରେ ଦେଖିବା ‘ଆମେ ଆଣବିକ ଶକ୍ତିକୁ ଯେତେ କମ୍ ଜାଣୁଛେ ଆମର ଆଗ୍ରହ ଏଥିପାଇଁ ଅଧିକ ବଢ଼ୁଛି ।’
ଯୁକ୍ତି କରାଯାଉଛି ଯେ, ଆଣବିକ ଶକ୍ତି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇପାରିବ, କିନ୍ତୁ ତାହା ଠିକ୍ ନୁହେଁ । ଶକ୍ତିର ମୂଲ୍ୟଟା କେତୋଟି କଥା ଉପରେ ନିର୍ଭର କରେ, ଯଥା- ୧)ମୂଳ ଖର୍ଚ୍ଚ, ସୁଧ, ଅବମୂଲ୍ୟାୟନ,୨)ଚଳମାନ ମୂଲ୍ୟ ଯେଉଁଥିରେ ଜାଳେଣିର ମୂଲ୍ୟ ଏବଂ ପରିଚାଳନା ଖର୍ଚ୍ଚ ସାମିଲ ହୋଇଥାଏ । ପରିଚାଳନା ମୂଲ୍ୟରେ ଥାଏ, କ) ଦୈନନ୍ଦିନ ଚଳମାନ ଖର୍ଚ୍ଚ ଯଥା- ଦରମା ବାବଦରେ ଖର୍ଚ୍ଚ, ଖ) ଜାଳେଣିକୁ ଛାଡ଼ିଦେଲେ ଅନ୍ୟ ଯାହା ସବୁ ଉପକରଣ ଥାଏ, ଗ) ମରାମତି, ଘ) ବର୍ଜ୍ୟବସ୍ତୁ ପରିଚାଳନା, ଙ) ପ୍ରକଳ୍ପଟିକୁ ବନ୍ଦ କରିବାର ଖର୍ଚ୍ଚ ।
ଯଦି ଆମେ କୋଇଲା ଜାଳି ପ୍ରସ୍ତୁତ ହୋଇଥିବା ତାପଜ କେନ୍ଦ୍ରଗୁଡ଼ିକର ମୂଳ ଖର୍ଚ୍ଚକୁ ହିସାବକୁ ନେବା ତେବେ ଗୋଟିଏ ମେଗାୱାଟ୍ ଶକ୍ତି ଉତ୍ପାଦନ ପାଇଁ ୫ରୁ ୬କୋଟି ଟଙ୍କା ଖର୍ଚ୍ଚହୁଏ । ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ଼୍ (ଭେଲ୍) ଏବଂ ଜାତୀୟ ତାପଜ ଉତ୍ପାଦନ ନିଗମ (ଏନ୍.ଟି.ପି.ସି) ମିଳିତ ଭାବେ ଗୋଟିଏ ତାପଜକେନ୍ଦ୍ରକୁ ଚାରିବର୍ଷରେ ତିଆରି କରନ୍ତି । ସେଥିପାଇଁ ଆମଦେଶର ଟଙ୍କା ଦେଶ ବାହାରକୁ ଚାଲିଯିବାର ଆଶଙ୍କା ନଥାଏ । ଏ ବାବଦରେ ଖର୍ଚ୍ଚ ହେଉଥିବା ପ୍ରତିଟି ଟଙ୍କା ଦେଶଭିତରେ ହିଁ ବୁଲୁଥାଏ । ଯଦି ଆମେ ଠିକ୍ ଏହି ସମୟରେ ଜଇତାପୁର ଆଣବିକ ଶକ୍ତି କେନ୍ଦ୍ର କଥା ହିସାବକୁ ନେବା,ତେବେ ତଫାତ୍ଟି ଜଣାପଡ଼ିଯିବ । ଜଇତାପୁର ତାପଜକେନ୍ଦ୍ରର ମୂଳଖର୍ଚ୍ଚ ହେଉଛି ଗୋଟିଏ ମେଗାୱାଟ୍ ଶକ୍ତି ପିଛା ୨୦କୋଟି ଟଙ୍କା । ଏଥିରୁ ଅଧିକାଂଶ ଭାଗ ଦେଶ ବାହାରକୁ ଚାଲିଯିବ । ଏ କେନ୍ଦ୍ରଟି ତିଆରି କରିବା ପାଇଁ ମଧ୍ୟ ୮ରୁ ୧୦ବର୍ଷ ଲାଗିଯାଏ । ଗୋଟିଏ ୟୁନିଟ୍ ଶକ୍ତି ପିଛା ମୂଳ ଖର୍ଚ୍ଚ ଏଠି ନିର୍ଭର କରିବ, କ) ସୁଧ ଏବଂ ଅବମୂଲ୍ୟାୟନର ମୂଲ୍ୟ, ଖ) ତାପଜ କେନ୍ଦ୍ରକୁ ଭରଣା କରିବା ପାଇଁ ଯେଉଁ ଖର୍ଚ୍ଚ ହୁଏ ଯାହା ଅନେକ କଥା ଉପରେ ନିର୍ଭର କରିଥାଏ । ତାପଜ ଶକ୍ତି ଏବଂ ଆଣବିକ ଶକ୍ତି ଭିତରେ ଯଦି ତୁଳନା କରାଯାଏ, ତେବେ ମୂଲ୍ୟଟି ଏକାପ୍ରକାର ସୁଧ ଏବଂ ଅବମୂଲ୍ୟାୟନ ଦର ତଥା କେନ୍ଦ୍ରଟିକୁ ଭରଣା କରିବାପାଇଁ ଯାହା ସବୁ ଦରକାର ପଡ଼େ ତାହାର ଏକପ୍ରକାର ପରିସ୍ଥିତି ଉପରେ ନିର୍ଭର କରୁଥାଏ । ପ୍ରତ୍ୟେକ କିଲୋୱାଟ୍ ପାଇଁ ହେଉଥିବା ବ୍ୟବସ୍ଥାରେ ଲେଖାଲେଖିରେ ସର୍ବାଧିକ ୮୭୬୦ ୟୁନିଟ୍ ଵୈଦ୍ୟୁତିକଙ୍କ ଶକ୍ତି ବର୍ଷକୁ ଉତ୍ପାଦନ କରାଯାଇ ପାରିବ । କିନ୍ତୁ ଲେଖାଲେଖିଟା ଅଲଗା କଥା, ବାସ୍ତବରେ କୌଣସି ବି କେନ୍ଦ୍ର ନିଜର ଦକ୍ଷତାର ୧୦୦ଭାଗ ଉତ୍ପାଦନକ୍ଷମ, ତାହା ବି ନିର୍ଦ୍ଧାରିତ ସମୟ ଭିତରେ ହୋଇପାରନ୍ତି ନାହିଁ । ବିଦ୍ୟୁତ ଶକ୍ତିର ଚାହିଦାଟା ପ୍ରତ୍ୟେକ ଘଣ୍ଟାରେ ଏବଂ ପ୍ରତ୍ୟେକ ଦିନ ବଦଳି ବଦଳି ଯାଇଥାଏ । ଏଠି କହିବାର ତାତ୍ପର୍ଯ୍ୟ ଏହା ଯେ, କୌଣସି ବି ଶକ୍ତି ଉତ୍ପାଦନ କେନ୍ଦ୍ରରେ ଯେତିକି ଭରଣା କରାଯିବା କଥା, ଜାଳେଣି ଏବଂ ଅନ୍ୟାନ୍ୟ ଉପାଦାନକୁ ନେଇ ତାହା ପରିକଳ୍ପନା ମୁତାବକ ୧୦୦ରୁ ୧୦୦ଭାଗ ହୋଇନଥାଏ । ସେହି ଦୃଷ୍ଟିରୁ ପ୍ରତ୍ୟେକ ଶକ୍ତି ପ୍ରକଳ୍ପର ସାଧାରଣ ମୂଲ୍ୟଟି ପରିକଳ୍ପିତ ମୂଲ୍ୟଠାରୁ ୫୦ରୁ ୫୦ଭାଗ କମ୍ ହୋଇଥାଏ । ଏହି କଥାଟି ଜଳବିଦୁ୍ୟତ କ୍ଷେତ୍ରରେ ପାଣିର ଅଭାବଯୋଗୁଁ ଆହୁରି କମିଯାଇଥାଏ । ଆଣବିକ ଏବଂ ତାପଜ କେନ୍ଦ୍ରଗୁଡ଼ିକ କ୍ଷେତ୍ରରେ ସାଧାରଣ ମୂଲ୍ୟଟି ୮୦ରୁ ୯୦ଭାଗ କମ୍ ହୋଇଥାଏ ବୋଲି ବିଚାର କରାଯାଇଥାଏ ।
ଯଦି ଆମେ ମନେକରୁ ଯେ, ତାପଜ ଶକ୍ତି କ୍ଷେତ୍ରରେ ଗୋଟିଏ ମେଗାୱାଟ୍ ଶକ୍ତି ଉତ୍ପାଦନ ପାଇଁ ମୂଳ ଖର୍ଚ୍ଚହେଉଛି ୫କୋଟି ଟଙ୍କା, ତାହା ଆଣବିକ ଶକ୍ତି କ୍ଷେତ୍ରରେ ଏକ ମେଗାୱାଟ୍ ପିଛା ୨୦କୋଟି ଟଙ୍କା । ଯଦି ସେଠି ସୁଧ ଏବଂ ଅବମୂଲ୍ୟାୟନର ହାର ଉଭୟ କ୍ଷେତ୍ରରେ ଶତକଡ଼ା ୧୫ଭାଗ ରହେ ଓ ଫଳପ୍ରଦଭାବେ କେନ୍ଦ୍ରଟିକୁ ଭରଣା କରିବାର ଖର୍ଚ୍ଚ ଶତକଡ଼ା ୭୦ଭାଗ ରହେ, ଯଥା ଗୋଟିଏ ବର୍ଷରେ ଗୋଟିଏ କିଲୋୱାଟ୍ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ୬ହଜାର ୟୁନିଟ୍ ବିଦୁ୍ୟତଶକ୍ତି ଉତ୍ପାଦନ ସହିତ ସମାନ -ତା’ହେଲେ ସେହି କ୍ଷେତ୍ରରେ ଗୋଟିଏ ଶକ୍ତି କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭରଣା କରିବାର ଖର୍ଚ୍ଚ କ୍ଷମତାର ଶତକଡ଼ା ୭୦ଭାଗ ବୋଲି ଯଦି ଧରିନିଆଯାଏ, ତେବେ ଶକ୍ତି ଉତ୍ପାଦନର ମୂଳ ମୂଲ୍ୟ ତାପଜ ଶକ୍ତିକ୍ଷେତ୍ରରେ ୟୁନିଟ୍ ପିଛା ଟ.୧.୨୫ପଇସା ପଡ଼ିବ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ୟୁନିଟ୍ ପିଛା ୫ଟଙ୍କା ପଡ଼ିବ । ଭାରତର ୧୭ଟି ଆଣବିକ ଶକ୍ତି କେନ୍ଦ୍ରର ପ୍ରତି କେନ୍ଦ୍ର ପିଛା ଭରଣା କରିବା କ୍ଷମତାକୁ ଯଦି ବିଶ୍ଳେଷଣ କରାଯାଏ, ତେବେ ଗତ ୪୦ବର୍ଷ ଭିତରେ ଆମେ ନିର୍ଦ୍ଧାରିତ କ୍ଷମତାର ମାତ୍ର ଶତକଡ଼ା ୫୬ଭାଗ ହିଁ ଉପଯୋଗ କରିପାରୁଛେ । ଏଭଳି କ୍ଷେତ୍ରରେ ଭରଣାର ମୂଳ ମୂଲ୍ୟ ୟୁନିଟ୍ ପିଛା ଟ୧.୬୦ପଇସା ତାପଜ କ୍ଷେତ୍ରରେ ଏବଂ ଟ୬.୪୦ପଇସା ଆଣବିକ କ୍ଷେତ୍ରରେ ରହିବ ।
ଯଦି ଆମେ ଜାଳେଣିର ମୂଲ୍ୟକୁ ହିସାବକୁ ନେବା ତାହା ବିଶେଷଭାବରେ ତାପଜ ଶକ୍ତି କ୍ଷେତ୍ରରେ ଅଧିକ ଜଟିଳ ଜଣାପଡ଼ିବ । ବର୍ତ୍ତମାନ ପାଇଁ ମନେକର ଆମେ ୟୁନିଟ୍ ପିଛା ଜାଳେଣି ଖର୍ଚ୍ଚ ୫୦ରୁ ୬୦ପଇସା ଧରିନେବା,ଯାହାକି ବାସ୍ତବରେ ଆହୁରି ଅଧିକା ହେବ । କୋଇଲା ଜାଳି ଚଳାଯାଉଥିବା ତାପଜକେନ୍ଦ୍ର କ୍ଷେତ୍ରରେ ଦୂରତାକୁ ନେଇ ୟୁନିଟ୍ ପିଛା ଟ.୧.୫୦ପଇସାରୁ ୩ଟଙ୍କା ରହିବ । ସେଠି ଯଦି ମୂଳ ମୂଲ୍ୟ ସହିତ ଜାଳେଣି ମୂଲ୍ୟ ମିଶାଇ ଦିଆଯାଏ, ତା’ହେଲେ ତାପଜ ଶକ୍ତିକ୍ଷେତ୍ରରେ ୟୁନିଟ୍ପିଛା ଖର୍ଚ୍ଚ ଆସିଯିବ ଟ୨.୭୫ ପଇସାରୁ ଟ୪.୨୫ପଇସା ଏବଂ ଆଣବିକ କ୍ଷେତ୍ରରେ ତାହା ଟ୬.୨୫ରହିବ । ଏଠି ଯଦି ଆମେ ପରିଚାଳନା ଖର୍ଚ୍ଚ ମିଶାଇ ଦେଉ, ତା’ହେଲେ ଆଣବିକ ଶକ୍ତିିକେନ୍ଦ୍ରରୁ ଉତ୍ପାଦିତ ଶକ୍ତିର ଖର୍ଚ୍ଚ ଆହୁରି ଅଧିକା ହୋଇଯିବ । ଆଣବିକ ଶକ୍ତି କ୍ଷେତ୍ରରେ ଆଉ ଯେଉଁ ଅଧିକା ଖର୍ଚ୍ଚ କରିବାକୁ ପଡ଼ିଥାଏ, ସେ ଭିତରେ ଅଛି – କ) ବ୍ୟବହୃତ ଜାଳେଣୀ ଏବଂ ବର୍ଜ୍ୟବସ୍ତୁଗୁଡ଼ିକୁ ନିରାପଦରେ ସଂରକ୍ଷଣ କରିବାର ଖର୍ଚ୍ଚ, ଚିରସ୍ଥାୟୀ ଶୀତଳୀକରଣ କରିବାର ଖର୍ଚ୍ଚ ଯାହା ଶେଷଯାଏଁ କରିବାକୁ ପଡ଼ିଥାଏ । ଏହି ଖର୍ଚ୍ଚଟି ତାପଜ କେନ୍ଦ୍ରଗୁଡ଼ିକରୁ ବାହାରୁଥିବା ଉଡ଼ନ୍ତା ପାଉଁଶକୁ ଉପଯୋଗ କରିବାର ଖର୍ଚ୍ଚଠାରୁ ଢେର୍ ଅଧିକ । ଖ) ସବାଶେଷରେ ଆଣବିକ ଶକ୍ତିକେନ୍ଦ୍ରର ବିଘଟନ କରିବାର ଖର୍ଚ୍ଚ ।
ଏଇଥିପାଇଁ କେତେ ଖର୍ଚ୍ଚ କରିବାକୁ ପଡ଼ିବ ତାହା କେହି ବି ଜାଣିନାହାନ୍ତି । କୌଣସି ଜାଗାରେ ଏଯାଏଁ ବ୍ୟବହୃତ ହେଉଥିବା ଜାଳେଣି ଏବଂ ଆଣବିକ ବର୍ଜ୍ୟବସ୍ତୁ ବିଘଟନ କରିବାର ଉଦାହରଣ ନାହିଁ । ଯେତେସବୁ ଆଣବିକ ଶକ୍ତି କେନ୍ଦ୍ର ଅଛି, ସେଥିରୁ ଯେଉଁସବୁ ବର୍ଜ୍ୟବସ୍ତୁ ବାହାରିଛି ତାହା ଏବେବି କେବଳ ‘ନିରାପଦ ଭାବରେ ସଂରକ୍ଷିତ’ ରଖାଯାଇଛି, ଯେଉଁଥିପାଇଁ କି ସମାଜକୁ ଅନେକ ମୂଲ୍ୟ ଦେବାକୁ ପଡ଼ୁଛି । ଏହି ବର୍ଜ୍ୟବସ୍ତୁଗୁଡ଼ିକୁ ଉପଯୁକ୍ତ ପ୍ରକ୍ରିୟାରେ ଇସ୍ପାତ ବାକ୍ସରେ ରଖି ଭୂତାତ୍ତ୍ୱିକ ଦୃଷ୍ଟିରୁ ଅତି ନିରାପଦ ସ୍ଥାନରେ ରଖାଯିବା କଥା । ଯେଉଁଭଳି ଗୋଟିଏ ସ୍ଥାନ ଆମେରିକାର ୟୁକାଟନ୍ ପର୍ବତମାଳାରେ ଅଛି । କିନ୍ତୁ ବୈଜ୍ଞାନିକ ଏବଂ ଜନବିରୋଧ ଯୋଗୁଁ ଆମେରିକାରେ ଏଯାଏଁ ସେଭଳି କାମ ହାତକୁ ନିଆଯାଇ ପାରିନାହିଁ । ଅନେକ ଦେଶ ଏବଂ କମ୍ପାନୀମାନେ ବେନିୟମ ଭାବେ ଲୁଚାଚୋରା ସମୁଦ୍ର ଭିତରେ ଆଣବିକ ବର୍ଜ୍ୟବସ୍ତୁ ଢାଳି ଦେଉଛନ୍ତି । ଏହା ଏକ ବଡ଼ ଧରଣର ଅପରାଧ । ଅନେକ ଆଣବିକ ଶକ୍ତିସମ୍ପନ୍ନ ଦେଶ ଆଣବିକ ବର୍ଜ୍ୟବସ୍ତୁକୁ ନିରାପଦରେ ରଖିବା ପାଇଁ ପ୍ରଚୁର ଅର୍ଥ ଶ୍ରାଦ୍ଧ କରୁଛନ୍ତି । ଏହି ଅର୍ଥର ପରିମାଣ ଲୋକଲୋଚନକୁ ଅଣାଯାଉ ନାହିଁ ।
ଗ)ସବାଶେଷରେ ହେଉଛି ଆଣବିକ ଶକ୍ତିକେନ୍ଦ୍ରକୁ ସମ୍ପୂର୍ଣ୍ଣଭାବେ ଅକାମୀ କରିଦେବାର ମୂଲ୍ୟ । କୋଇଲା ଜାଳି ଚଳାଯାଉଥିବା ତାପଜ କେନ୍ଦ୍ରଗୁଡ଼ିକ ସହଜରେ ଅକାମୀ କରାଯାଇ ପାରିବ ଏବଂ ଭାଙ୍ଗି ଦିଆଯାଇ ପାରିବ । କିନ୍ତୁ ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକୁ ସେଭଳି କରାଯାଇ ପାରିବ ନାହିଁ । ଜାଳେଣୀ ବ୍ୟତିରେକ ଏହି କେନ୍ଦ୍ରଗୁଡ଼ିକରେ ଅନେକ ରଞ୍ଜନରଶ୍ମୀ କ୍ରିୟାଶୀଳ ବସ୍ତୁ ରହିଥାଏ । ସେହି ଦୃଷ୍ଟିରୁ ଏହି କେନ୍ଦ୍ରଗୁଡ଼ିକ ଅସାଧାରଣ ଭାବେ ଜଟିଳ । ଆମେରିକାରେ ପ୍ରଥମେ ପ୍ରଥମେ ପ୍ରତିଷ୍ଠା ହୋଇଥିବା ଏହି ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକୁ ବିଘଟନ କଲାବେଳେ ଯେଉଁ ମୂଲ୍ୟ ଦେବାକୁ ପଡ଼ିଛି, ତାହା ଅତୁଳନୀୟ । ସେଇଥିପାଇଁ ସେମାନେ ସରକାରଙ୍କୁ ଅନୁମତି ଦେବାପାଇଁ ଆବେଦନ କଲେ ଯେ, ଆଉ ଯେଉଁ ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକର ସମୟକାଳ ଶେଷ ହୋଇଯାଉଛି ସେଗୁଡ଼ିକୁ ବିଘଟନ ନକରି ଆଉ କିଛିବର୍ଷ ଚଳାଇବା ପାଇଁ ଅନୁମତି ଦିଆଯାଉ । ଅର୍ଥାତ ଚଳାଇ ରଖିବାର ଖର୍ଚ୍ଚ ତୁଳନାରେ ସମାପ୍ତି କରିବାର ଖର୍ଚ୍ଚଟି ଢେର୍ ଅଧିକ । ଏଯାଏଁ ଏ ସମସ୍ୟାର ସମାଧାନ ହୋଇନାହିଁ । କେବଳ ନିଷ୍ପତ୍ତିଗୁଡ଼ିକୁ ସ୍ଥଗିତ କରିଦିଆଯାଉଛି । ଗୋଟିଏ ଆଣବିକ ଶକ୍ତିକେନ୍ଦ୍ରକୁ ଥରେ କାର୍ଯ୍ୟକ୍ଷମ କଲାପରେ ତାକୁ ଆଉ ବନ୍ଦ କରିହେବନାହିଁ । ଯଦି ବି ଆମେ ସେଥିରୁ ଶକ୍ତି ଉତ୍ପାଦନ ନକରୁ, ତେବେବି ତାକୁ ଚଳାଇ ରଖିବା ପାଇଁ ଆମକୁ ଖର୍ଚ୍ଚ କରିବାକୁ ପଡ଼ିବ । ଆମେରିକାର ଯୁବକମାନେ ଏବେ ସେମାନଙ୍କର ବାପା-ମା, ଜେଜେ-ଜେଜିମାନେ ଯେଉଁ ଶକ୍ତିର ମଜା ନେଇଛନ୍ତି, ସେଥିପାଇଁ ମୂଲ୍ୟ ଦେଉଛନ୍ତି । ଭବିଷ୍ୟତର ପିଢ଼ିମାନଙ୍କ ପାଇଁ ଏହା ହେଉଛି ଘୋର ଅନ୍ୟାୟ । ଗୋଟିଏ ଭଲ ମୁରବୀ ଭାବରେ ଦୁନିଆଟାକୁ ଆଉ ଟିକିଏ ଭଲଭାବେ ପ୍ରସ୍ତୁତ କରି ପରବର୍ତ୍ତୀ ପିଢ଼ିମାନଙ୍କ ହାତରେ ଦେବା ପରିବର୍ତ୍ତେ (ଯାହା କାର୍ଲମାର୍କ୍ସ ‘ଦାସ୍ କ୍ୟାପିଟାଲ’ ସଂଖ୍ୟା-୩ରେ କହିଛନ୍ତି) ଆମେ ଭବିଷ୍ୟତର ପିଢ଼ିମାନଙ୍କ ପାଇଁ ଗୁରୁ ଦାୟିତ୍ୱ ଦେଇଦେଉଛେ ଯେ, ସେମାନେ ଅନିର୍ଦ୍ଦିଷ୍ଟ କାଳଯାଏଁ ଯେମିତି ନିଜକୁ ଆଣବିକ ବର୍ଜ୍ୟବସ୍ତୁର ସାଂଘାତିକ ଅବସ୍ଥାରୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରିଚାଲିବେ ।
ଯେକୌଣସି ସମ୍ବେଦନଶୀଳ ମଣିଷ ଯିଏ ନିଜର ପିଲା ଏବଂ ନାତି-ନାତୁଣୀମାନଙ୍କର ଭବିଷ୍ୟତ ସମ୍ପର୍କରେ ସାମାନ୍ୟ ସଚେତନ ସେ ନିଶ୍ଚୟ ଆଣବିକ ଶକ୍ତି ପ୍ରକଳ୍ପ ବନ୍ଦ କରିବାପାଇଁ ଆର୍ତ୍ତନାଦ କରିବ । ଅନ୍ତତଃ ଏତିକି କଥା ଯେ କେହି ଦାବି କରିବ ଯେ, ଏଭଳି ଏକ ନିଷ୍ପତ୍ତିକୁ ସେହିଦିନ ଯାଏଁ ସ୍ଥଗିତ ରଖାଯାଉ, ଯେତେଦିନ ଯାଏଁ ଏହା ସହିତ ସଂଶ୍ଳିଷ୍ଟ ସବୁପ୍ରକାର ବୈଷୟିକ ସମସ୍ୟା ବିଶେଷ କରି ଆଣବିକ ବର୍ଜ୍ୟବସ୍ତୁ ପରିଚାଳନା, ବିଘଟନ ଏବଂ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦକରିବା କ୍ଷେତ୍ରରେ ଯାହା ଉପୁଜିଥାଏ ସେ ସବୁର ସମାଧାନ ନହୋଇଛି । ଏଭଳି ଆର୍ତ୍ତନାଦ କରୁଥିବା ମଣିଷମାନଙ୍କୁ ଅବୈଜ୍ଞାନିକ, ପ୍ରଗତିବିରୋଧୀ ତଥା ଦେଶବିରୋଧୀ କହିବା ଅନ୍ୟାୟ ହେବ । ସମାଧାନ କରିବାପାଇଁ ବିଜ୍ଞାନ ପାଖରେ ସମସ୍ୟାର ଅନ୍ତଃ ନାହିଁ ଏବଂ ଆଣବିକ ଶକ୍ତି ବର୍ତ୍ତମାନର ପିଢ଼ି ପାଇଁ ଆଦୌ ଏକ ଜୀବନ ମରଣର ସମସ୍ୟା ନୁହେଁ ।
ଆଣବିକ ଶକ୍ତି ଏକ ଜରୁରୀ ଆବଶ୍ୟକତା ନୁହେଁ
ମୁଁ କହିବି ଯେ, ଆଣବିକ ଶକ୍ତି କାହା ପାଇଁ ବି ଏକ ଜରୁରୀ ଆବଶ୍ୟକତା ନୁହେଁ । ଶ୍ରୀଯୁକ୍ତ କାଲାମ ଏବଂ ଶ୍ରୀ ସିଂହ ଯେଉଁ ଯୁକ୍ତି କରିଛନ୍ତି ଯେ- କ) ଆଣବିକ ଶକ୍ତିର ଦ୍ରୁତ ପ୍ରସାର ବିନା ଆମେ ପଛରେ ପଡ଼ିଯିବା ଏବଂ ଭବିଷ୍ୟତର ଶକ୍ତିର ଆବଶ୍ୟକତାକୁ ପୁରଣ କରିବା ପାଇଁ ସକ୍ଷମ ହୋଇପାରିବା ନାହିଁ, ଖ) ଏଭଳି ଏକ ଦ୍ରୁତ ପ୍ରସାରଣ ସମ୍ଭବ ଯାହା କେବଳ କିଛି ପଥଭ୍ରଷ୍ଟ ଲୋକ ଭୁଲ୍ ସୂଚନା ପାଇ ବିରୋଧ କରୁଥିବା ଯୋଗୁଁ ସମ୍ଭବ ହୋଇପାରୁ ନାହିଁ, ଗ) ବିଶ୍ୱର ଉତ୍ତାପବୃଦ୍ଧିରେ ସେମାନଙ୍କର ଅବଦାନ ଦୃଷ୍ଟିରୁ କୋଇଲା ଜଳାଇ ଚାଲିଥିବା ତାପଜ କେନ୍ଦ୍ରଗୁଡ଼ିକ ବା‚ନୀୟ ନୁହେଁ-ଆମମତରେ ପ୍ରତ୍ୟେକଟି ତ୍ରୁଟିପୂର୍ଣ୍ଣ ।
ପ୍ରଥମ କଥା ହେଲା ଯେ, ଅଧିକ ଆଣବିକ ଶକ୍ତି ଉତ୍ପାଦନ ବିନା ମଧ୍ୟ ଭବିଷ୍ୟତର ପିଢ଼ିମାନଙ୍କର ଶକ୍ତିର ଆବଶ୍ୟକତା ପୂରଣ କରାଯାଇପାରିବ । ବର୍ତ୍ତମାନ ଯେତିକି କ୍ଷମତାସମ୍ପନ୍ନ ଶକ୍ତି ଉତ୍ପାଦନର ଭିର୍ତ୍ତିଭୂମି ପ୍ରସ୍ତୁତ କରାଯାଇଛି ତାହା ହେଉଛି ୧ଲକ୍ଷ ୫୦ ହଜାର ମେଗାୱାଟ୍ । ସମୁଦାୟ ନିଅଣ୍ଟିଆ ପଡ଼ୁଛି ମାତ୍ର ଶତକଡ଼ା ୧୦ଭାଗ । ୨୦୦୬ମସିହାରେ ଯେଉଁ ସମନ୍ୱିତ ଶକ୍ତି ଯୋଜନା ତିଆରି କରାଯାଇଥିଲା, ସେଥିରେ ୨୦୩୦ମସିହା ସୁଦ୍ଧା ଶକ୍ତିର ଚାହିଦା ୭ଲକ୍ଷ ମେଗାୱାଟ୍ ହେବ ବୋଲି ଆକଳନ କରାଯାଇଥିଲା । ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ ତରଫରୁ ୭ଲକ୍ଷ ୯୫ହଜାର ମେଗାୱାଟ୍ର ଆକଳନ କରାଯାଇଛି । କିନ୍ତୁ ସେମାନେ କହିଛନ୍ତି ଯେ, ଯଦି ଆମେ ଉପଯୁକ୍ତ ଭାବେ ଶକ୍ତିର ବିନିଯୋଗ କରିବା ତା’ହେଲେ ଏହି ଚାହିଦାଟିକୁ ୧ଲକ୍ଷ ୨୮ହଜାର ମେଗାୱାଟ୍ କମେଇ ଦେଇହେବ । ତା’ହେଲେ ଚାହିଦାଟି ୬ଲକ୍ଷ ୬୭ହଜାର ମେଗାୱାଟ୍ରେ ପହଂଚିବ । ଯୋଜନା ଆୟୋଗ କେବଳ ଶତକଡ଼ା ୧୦ ଅର୍ଥନୈତିକ ଅଭିବୃଦ୍ଧି ହାରରେ ହିସାବ କରି ୨୦୩୧ ପାଇଁ ୯ଲକ୍ଷ ୫୦ହଜାର ମେଗାୱାଟ୍ ଶକ୍ତି ଆକଳନ କରିଛନ୍ତି ଯେଉଁ ଆକଳନଟିକୁ ଶ୍ରୀ କାଲାମ ମୂଳତଃ ବ୍ୟବହାର କରୁଛନ୍ତି । ଏହି ଶକ୍ତି ଚାହିଦା ନିରୂପଣ କଲାବେଳେ ଆଣବିକ ଶକ୍ତିପାଇଁ ୬୩ହଜାର ମେଗାୱାଟ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କିନ୍ତୁ ଏଭଳି ଏକ ଲକ୍ଷ୍ୟ ଧାର୍ଯ୍ୟରେ କାହାର ବି ବିଶ୍ୱାସ ନାହିଁ । ପ୍ରାକୃତିକ ୟୁରାନିୟମ୍ ଦ୍ୱାରା ଭାରି ଜଳ ପ୍ରୟୋଗ କରି ଯେଉଁ ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯାଉଛି, ତାହାର ସର୍ବାଧିକ କ୍ଷମତା ହେଉଛି ୧୦ହଜାର ମେଗାୱାଟ୍ । ଏଠି ସବୁକିଛି ଆଶା କୁଡମ୍କୁଲମ୍ ଏବଂ ଜଇତାପୁର ଭଳି ଆଣବିକ ଶକ୍ତିକେନ୍ଦ୍ରଗୁଡ଼ିକ ଉପରେ ଆଧାରିତ । ଜଇତାପୁର ଠାରେ ଯେଉଁ ଢାଞ୍ଚାଟି ପ୍ରୟୋଗ କରାଯାଉଛି ସେହିପରି ଢାଞ୍ଚାର ପ୍ରୟୋଗ କରି ବିଶ୍ୱରେ ଏଯାଏଁ କୌଣସି ଜାଗାରେ ବ୍ୟବସାୟିକ ଭିର୍ତ୍ତିରେ ଶକ୍ତି ଉତ୍ପାଦନ କରାଯାଇ ନାହିଁ । ଏଠି କିଛି ସାଂଘାତିକ ସମସ୍ୟା ହୋଇପାରେ, ନ ହୋଇପାରେ କେହିବି କହିପାରିବେ ନାହିଁ । ଋଷ୍ ତଥା ଫ୍ରାନ୍ସ ଓ ଆମେରିକା ଢାଞ୍ଚାରେ ରିଆକ୍ଟର ତିଆରି କରି ଆଗାମୀ ୨୦ବର୍ଷ ଭିତରେ ୫୦ହଜାର ମେଗାୱାଟ୍ ଶକ୍ତି ଉତ୍ପାଦନ କରାଯାଇ ପାରିବ- କେବେ କଳ୍ପନା କରିହେଉ ନାହିଁ । ଯଦିବି ଏହି ଆଣବିକ ଶକ୍ତି ପ୍ରକଳ୍ପଗୁଡ଼ିକୁ କେହି ବି ଲୋକ ବିରୋଧ କରନ୍ତି ନାହିଁ, ତଥାପି ବି ବୈଷୟିକ, ସାଙ୍ଗଠନିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଏମାନଙ୍କର ଭବିଷ୍ୟତର ଦୃଶ୍ୟପଟ୍ଟ ଅନ୍ଧକାରମୟ । ଜଇତାପୁର ଶକ୍ତିକେନ୍ଦ୍ରର ୬ଟି ରିଆକ୍ଟରର ଖର୍ଚ୍ଚ ପାଖାପାଖି ୨ଲକ୍ଷ କୋଟି ଟଙ୍କା । ଜଇତାପୁର/ କୁଡ଼ମ୍ କୁଲମ ଆଣବିକ ଶକ୍ତି କେନ୍ଦ୍ର ଯଦି ୫୦ହଜାର ମେଗାୱାଟ୍ ଶକ୍ତି ଉତ୍ପାଦନ କରନ୍ତି, ସେଥିପାଇଁ ୧୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏପରି କରିବା ସତ୍ତ୍ୱେ ବି ଏମାନେ ସାମଗ୍ରିକ ଆବଶ୍ୟକତାର ଶତକଡ଼ା ୧୦ରୁ କମ୍ଭାଗ ଶକ୍ତି ଚାହିଦା ପୂରଣ କରିପାରିବେ । କୌଣସି ବୈଜ୍ଞାନିକ, କୌଣସି ଯୋଜନା ପ୍ରସ୍ତୁତକାରୀ, କୌଣସି ରାଜନେତା କହିପାରିବେ ନାହିଁ ଯେ, ଏ ଶତାବ୍ଦୀର ଶେଷ ସୁଦ୍ଧା ସେମାନେ ଅଧିକ ମାତ୍ରାରେ କୋଇଲାକୁ ହଟାଇ ଆଣବିକ ଶକ୍ତି ଉତ୍ପାଦନ କରି ଶକ୍ତିର ଚାହିଦା ପୂରଣ କରିପାରିବେ । ଯଦି ଆମେ କହିବା ଯେ, ଆମର ଆର୍ଥିକ ସମ୍ବଳ ଅନନ୍ତ ଓ ପର୍ଯ୍ୟାପ୍ତ ଏବଂ ତାକୁ ଆଧାର କରି ଆମେ ଆଣବିକ ଶକ୍ତି ଉତ୍ପାଦନ ପାଇଁ ଖର୍ଚ୍ଚ କରିପାରିବା ତଥାପି ମୁଁ କହିବି ଯେ, ବିଶ୍ୱର ଆଣବିକ ଶକ୍ତି ଉତ୍ପାଦନ ଦକ୍ଷତା ସେଭଳି ଅସୀମ ନୁହେଁ । ବୋଧହୁଏ ଶ୍ରୀ ଅବଦୁଲ କଲାମ୍ ନିଜ ମନ ଭିତରେ କୌଣସି କୁହୁକ ବିଦ୍ୟା ରଖିଛନ୍ତି ଯାହାକୁ ପ୍ରୟୋଗ କରି ଭାରତର ଦକ୍ଷତାକୁ ବହୁଗୁଣିତ କରିବାର ସ୍ୱପ୍ନ ସେ ଦେଖୁଛନ୍ତି । ତାଙ୍କର ଯେତେସବୁ ବୈଷୟିକ ଯୁକ୍ତି ଅଛି ତାକୁ ଯେ କୌଣସି ମଞ୍ଚରେ ଆଲୋଚନା କରାଯାଇପାରିବ ଯେଉଁଠାରେ ଏହି ବିଷୟବସ୍ତୁଗୁଡ଼ିକୁ ବୁଝିବା ପାଇଁ ସାମାନ୍ୟ ପୂର୍ବ ବୁଝାମଣା ଥିବ । ସାଧାରଣ ପାଠକମାନଙ୍କ ପାଇଁ ବୈଷୟିକ ଦିଗଗୁଡ଼ିକୁ ଏମିତି ଆଲୋଚନା କରି ବୁଝାଇବା ସମ୍ଭବ ନୁହେଁ ।
ଏଠି ମୁଁ ବିଶ୍ୱର ତାପମାତ୍ରାରେ ହେଉଥିବା ପରିବର୍ତ୍ତନ ଓ ଜଳବାୟୁଜନିତ ପରିବର୍ତ୍ତନ ସମ୍ପର୍କରେ ଟିକିଏ କହିବା ପାଇଁ ପସନ୍ଦ କରିବି । ଏ ବାବଦରେ ଭାରତର ଭୂମିକା ଅତି ନୁ୍ୟନ ଯେହେତୁ ଶିଳ୍ପୋନ୍ନତ ପଶ୍ଚିମ ଦେଶମାନେ ଉତ୍ତାପ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନିଭାଉଛନ୍ତି । ବଜାର ଅର୍ଥନୀତିର ଛତ୍ରତଳେ ଯଦି ବି କାହାର କିଛି ମହତ ଉଦେ୍ଦଶ୍ୟ ରହିଥାଏ, ତେବେ ସମସ୍ତେ ଏଠି ଅସହାୟ । ଏଭଳି ଏକ ବ୍ୟବସ୍ଥା ଭିତରେ ତିଷ୍ଠି ରହିବାକୁ ହେଲେ ପ୍ରତ୍ୟେକ ଅର୍ଥନୀତି ତାହାର ସେବା ଏବଂ ଦ୍ରବ୍ୟମାନଙ୍କର ଉତ୍ପାଦନ ବଢ଼ାଇବାକୁ ପଡ଼ିବ । ଯେଉଁ ଗ୍ରହରେ ସମ୍ବଳଗୁଡ଼ିକ ଅତି ସୀମିତ ସେଠି ଉତ୍ପାଦନ ବୃଦ୍ଧିର ନିଶାଟି ସମ୍ବଳଗୁଡ଼ିକୁ ଶୀଘ୍ର ସମାପ୍ତ କରିଦେବ । ପେଟ୍ରୋଲିୟମ୍ ଉତ୍ପାଦନ ତା’ ସୀମାରେ ପହଞ୍ଚôସାରିଛି । ଆଉ ୧୦ବର୍ଷ ଭିତରେ ପେଟ୍ରୋଲିୟମ୍ର ଯୋଗାଣ କମି କମି ଚାଲିବ । ସେହିଭଳି ତମ୍ବା, ରୁପା ଏବଂ ଏହିଭଳି ଅନେକ ଧାତୁର ସ୍ଥିତି ବି ଅତି ନୈରାଶ୍ୟଜନକ । ୧୯୭୨, ୧୯୯୨ ଏବଂ ୨୦୦୨ମସିହାରେ ଧାରାବାହିକ ଭାବେ କ୍ଲବ୍ ଅଫ୍ ରୋମ୍ ତରଫରୁ କରାଯାଇଥିବା ଅଧ୍ୟୟନରୁ ଏହି କଥାଟି ଜଣାପଡ଼ୁଛି ଯେ, ଆମେ ଅନେକ ଧାତୁର ସହନଶୀଳ ସୀମାକୁ ଅତିକ୍ରମ କରିସାରିଲେଣି ଏବଂ ଏକ ଅର୍ଥନୈତିକ ତଥା ପରିବେଶଜନିତ ବିପର୍ଯ୍ୟୟର ପାଦଦେଶରେ ପହଞ୍ଚô ସାରିଲେଣି । କିନ୍ତୁ ଶ୍ରୀ କାଲାମଙ୍କର ଏ ଦିଗ ପ୍ରତି ଆଦୌ ନଜର ନାହିଁ । ସେ ଭାବୁଛନ୍ତି ଯେ, ‘ଅଭିବୃଦ୍ଧିର ଗୋଟିଏ ସୀମା ଅଛି’ ତାହା ଅବାନ୍ତର । ସେ ବର୍ତ୍ତମାନର ବିକାଶର ପଥଟିକୁ ପ୍ରଶ୍ନ କରୁନାହାନ୍ତି, ଯେଉଁଠି ଧନୀ ଅଧିକରୁ ଅଧିକ ଧନୀ ହେଉଛି ଏବଂ ଗରିବ ଅଧିକରୁ ଅଧିକ ଗରିବ ହୋଇଚାଲିଛି । ଦେଶ ଭିତରେ ଏବଂ ଦେଶ ଦେଶ ଭିତରେ ବିଷମତା ବଢ଼ି ବଢ଼ି ଚାଲିଛି । ସେ ବାବଦରେ ସେ ଅନ୍ଧ । ଯଦି ମଣିଷ ପ୍ରଜାତି ବଞ୍ଚି ରହିବା ଦରକାର, ତେବେ ଆମକୁ କଠୋର ପରିବର୍ତ୍ତନ କମ୍ ସମୟ ଭିତରେ ଆଣିବାକୁ ପଡ଼ିବ । ମାନ୍ହାଟନ୍ ପ୍ରକଳ୍ପ ବା ସିଲିକନ୍ ଭାଲି ଭଳି ପ୍ରକଳ୍ପ ବା ଏକ ନୂଆ ଭାଗିରଥୀ ଯଜ୍ଞ ଶକ୍ତି କ୍ଷେତ୍ରରେ ଆଣିବାକୁ ପଡ଼ିବ, ଯେଉଁଠି ମୂଳ ଲକ୍ଷ୍ୟ ରହିବ ପର୍ଯ୍ୟାପ୍ତ ପରିମାଣରେ ଏବଂ ଶସ୍ତାରେ କେମିତି ସୌରଶକ୍ତିକୁ ଆମେ ଦୁନିଆସାରା ବ୍ୟବହାର କରିପାରିବା । ଅନେକ କୁହନ୍ତି ଯେ, ସୌରଶକ୍ତି ଉତ୍ପାଦନ ସରଞ୍ଜାମ ଗୋଟିଏ ମେଗାୱାଟ୍ ଉତ୍ପାଦନ ପାଇଁ ଗୋଟିଏ ଡଲାରରୁ କମ୍ ଖର୍ଚ୍ଚ ଆବଶ୍ୟକ କରେ । ଆମେରିକାରେ ସୌରଶକ୍ତି ବାବଦରେ ବ୍ୟବସ୍ଥାଟିଏ ତିଆରି କରିବା ପାଇଁ ୱାଟ୍ ପିଛା ୩.୫ରୁ ୪ଡଲାର (୧୭୫ଟଙ୍କାରୁ ୨୦୦ ଟଙ୍କା)ଖର୍ଚ୍ଚ କରିବାକୁ ପଡ଼େ । ଭାରତର ସୌର ଆୟୋଗ ଦ୍ୱାରା ଯେଉଁ ଖର୍ଚ୍ଚ ନିର୍ଦ୍ଧାରିତ କରାଯାଇଛି ତାହାର ପରିମାଣ ହେଉଛି ୱାଟ୍ପିଛା ୬ଡଲାର (ପ୍ରାୟ ୩୦୦ଟଙ୍କା) । କିନ୍ତୁ ଏହି ଖର୍ଚ୍ଚକୁ ମଧ୍ୟ ୨.୫ଡଲାର ୱାଟ୍ ପିଛା ଏବଂ ୧୩ରୁ ୧୫କୋଟି ଟଙ୍କା ମେଗାୱାଟ୍ ପିଛା ରଖାଯାଇପାରିବ । ବିନା ଗ୍ରୀଡ଼୍ରେ ଗୋଟିଏ ଘର ପାଇଁ ୧,୨ ବା ୩କିଲୋ ୱାଟ୍ର ସୌରଶକ୍ତି ଯୋଗାଇହେବ । ଏଭଳି ଏକ ଶକ୍ତିର ଅନେକ ଭଲଗୁଣ ଅଛି । ସୌରଶକ୍ତି ଉତ୍ପାଦନ ପାଇଁ ଯେଉଁ ଉପକରଣ ଦରକାର, ତାହାର ଗଣ ଉତ୍ପାଦନ କରାଯାଇପାରିବ ଏବଂ ତାହାର ଏକତ୍ରୀକରଣ ମଧ୍ୟ ଅତି ସରଳ । ହଜାର ହଜାର ଏକତ୍ରୀକରଣ କଲାଭଳି ବ୍ୟବସ୍ଥା ଏକାବେଳେ କାମ କରିପାରିବ ଏବଂ ବାର୍ଷିକ ଶକ୍ତି ଉତ୍ପାଦନ କ୍ଷମତା ମଧ୍ୟ ଦ୍ରୁତଗତିରେ ବଢ଼ାଯାଇପାରିବ । କିନ୍ତୁ ଏଇଥିପାଇଁ ଦରକାର ଦୃଢ଼ତା ଏବଂ ଦୃଢ଼ନିଷ୍ଠ ପରିକଳ୍ପନା ।
ଏହା ସହିତ ଆମକୁ ଆମର ବିକାଶର ଯାତ୍ରା ପଥରେ କଠୋର ପରିବର୍ତ୍ତନ ଆଣି ଅଭିବୃଦ୍ଧି କେନ୍ଦ୍ରିତ ଢାଞ୍ଚା ପରିବର୍ତ୍ତେ ଏଭଳି ଏକ ଢାଞ୍ଚା ସଂସ୍ଥାପିତ କରିବାକୁ ପଡ଼ିବ ଯେଉଁଥିରେ ମଣିଷର ଖୁସି ଏବଂ ଜନମଙ୍ଗଳ ମୁଖ୍ୟ ସ୍ଥାନ ପାଇବ । ଆମ ସାମ୍ନାରେ ଦୁଇଟି ବାଟ- ଗୋଟିଏ ବାଟରେ ଏବେ ଆମେ ଚାଲିଛେ ଯାହାକି ନିଶ୍ଚିତ ଭାବେ ଏକ ଅର୍ଥନୈତିକ ଏବଂ ପରିବେଶଜନିତ ବିପର୍ଯ୍ୟୟ ଆଡ଼କୁ ଆମକୁ ଟାଣିନେଉଛି । ଆଉ ଗୋଟିଏ ରାସ୍ତା ଆମ ସାମ୍ନାରେ ଅଛି ଯାହା ଆମକୁ ଗୋଟିଏ ନୂଆ ଦୁନିଆର ନିର୍ମାଣର ପଥ ଦେଖାଇପାରିବ, ଯଦ୍ଦ୍ୱାରା କି ଆମେ ମଣିଷ ସଭ୍ୟତାକୁ ବଞ୍ଚାଇ ପାରିବା । ମୁଁ କିମ୍ବା ଶ୍ରୀ କାଲାମ ଏଭଳି କୌଣସି ଦୁର୍ବିପାକର ଅନୁଭୂତି ନେବାପାଇଁ ଏଠି ନଥିବେ । ଏହା ସତ, କିନ୍ତୁ ମୁଁ ଚାହୁଁନି ଯେ ମୋର ପିଲାମାନେ ବା ସେମାନଙ୍କର ପିଲାମାନେ ଏଭଳି ଏକ ଦୁର୍ବିପାକର ଶିକାର ହୁଅନ୍ତୁ ।
Comments
0 comments

